Unknown

 

 

 

 

 

 

 

 

 

 

 

ବିଶ୍ୱକୁ ଗବାକ୍ଷ

ଚିତ୍ତରଞ୍ଜନ ଦାସ

 

–ବିଶ୍ୱର ଭାବପରମ୍ପରାରେ କବିମାନେ ମଣିଷକୁ ନିଷ୍ଠାପର ଭାବରେ ଭାରି ଭାବପ୍ରବଣତା ସହିତ ଦେଖି ଆସିଥିଲେ । ସମାଜବିଜ୍ଞାନ ସମ୍ଭବତଃ ପ୍ରଥମ କରି ମଣିଷକୁ ତା' ଭୂଇଁ ଉପରୁ ଦେଖିଲା । ପାଶ୍ଚାତ୍ୟରୁ ସମାଜବିଜ୍ଞାନ ପ୍ରାଚ୍ୟକୁ ଆସିଲା; ସଂକ୍ରାମଣ କଲା, ସଂକ୍ରାମିତ ହେଲା । ସମାଜବିଜ୍ଞାନକୁ ସାହିତ୍ୟକୁ ଆଣିବାରେ ଓଡ଼ିଶାରେ ଶ୍ରୀଯୁକ୍ତ ଅନନ୍ତ କୁମାର ଗିରି ଏବେ ଜମିଟିଏ ପାଗ କରୁଛନ୍ତି । ବ୍ୟକ୍ତିଗତ ଭାବରେ ଅନନ୍ତ ଗିରି ମୋର ଏକାନ୍ତ ଚିହ୍ନା ନାମଟିଏ । 'ବିଶ୍ୱକୁ ଗବାକ୍ଷ'ର ଏହି ସଂକଳନଟିକୁ ମୁଁ ତାଙ୍କରି ହାତରେ ଅର୍ପଣ କରୁଛି ।

 

ଏହି ଲେଖାଗୁଡ଼ିକ ଏକଦା ଭୁବନେଶ୍ୱରରୁ ପ୍ରକାଶିତ ଦୈନିକ 'ସମ୍ବାଦ'ରେ ସପ୍ତାହକୁ ସପ୍ତାହ ବାହାରିଥିଲା । 'ସମ୍ବାଦ'ର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମୁଁ ଏହି ଅବସରରେ ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।

୧୦ । ୭ । ୯୪

ଲେଖକ

Image

 

(୧)

 

ମୋ ଘରେ ମୁଁ ଅଛି, ମୋ ଚାରିପାଖରେ ଜୀବନର ଯେଉଁ ଆତଯାତ ଲାଗିଛି, ବହିଗୁଡ଼ିକରେ ତାହାକୁ ହିଁ ବିଶ୍ଵ ବୋଲି କୁହାଯାଉଛି । ମୋ ସୁଖରେ ମୁଁ ରହିଛି, ମୋର ଏହି ସାନ ଘରଟିର ବାହାରେ ଆଉ ଯେଉଁମାନେ ଅଛନ୍ତି, ସେମାନେ ପ୍ରକୃତରେ ରହିଛନ୍ତି ବୋଲି ବେଳେବେଳେ ମୁଁ କେଡ଼େ ନିଦକ ଭାବରେ ଭୁଲିଯାଉଛି । ଆମ ଭିତରୁ ଯେଉଁମାନେ ଭଗବାନଙ୍କ ଉପରେ ବିଶ୍ଵାସ କରନ୍ତି ବୋଲି କହନ୍ତି, ସେମାନଙ୍କ ଭିତରୁ ଅନେକେ ଭାବନ୍ତି, ଭଗବାନ ମୋତେ ମୋ’ ଜୀବନଟିକୁ ଦେଇ ଏହି ପୃଥିବୀକୁ ପଠାଇଛନ୍ତି । ତେଣୁ ଏଠି ମୁଁ ସେହି ଜୀବନଟିକୁ ମୋ’ନିଜ ଅକଲ ଦେଇ ବଞ୍ଚିବି, ଅର୍ଥାତ୍‌ ନିଜ ଘରଟିକୁ ମୁଁ ଯଥାସମ୍ଭବ ଅଧିକ ନିବୁଜ ଭାବରେ ନିଜର କରି ତିଆରି କରିବି, ତାହାକୁ ହିଁ ସଫଳତା ବୋଲି କହିବି ଓ ସେହି ସଫଳତାରେ ଖୁସି ହେବି । ପୁଣି ଯେଉଁମାନେ ଭଗବାନଙ୍କୁ ଠାକୁର ବୋଲି ମଣି ଠାକୁରମାନଙ୍କୁ ବସାଇ ପୂଜା କରନ୍ତି, ଅଭ୍ୟାସରେ ପଡ଼ି, ସେମାନେ କେଡ଼େ ବିହ୍ଵଳ ଭାବରେ ସେମାନଙ୍କୁ ଜଗତର ନାଥ, ଜଗତ୍‌କର୍ତ୍ତା ଓ ଜଗତ୍‌ନିୟନ୍ତା ପ୍ରଭୃତି ନାମରେ ଡାକିବାରେ ଲାଗିଥାନ୍ତି ସତ, ମାତ୍ର ସେମାନଙ୍କ ପାଖରେ କେବଳ ନିଜକଥା ଗୁଡ଼ିକୁ ହିଁ କହନ୍ତି, ଦୁଃଖ ଜଣାଇବା ସମୟରେ କେବଳ ନିଜର ଦୁଃଖଗୁଡ଼ାକୁ ହିଁ ଜଣାଇ ଥାଆନ୍ତି । ଜୀବନରେ ଯେ ଏକ ଗବାକ୍ଷ ରହିଛି, ସେହି ଗବାକ୍ଷ ଯେ ବିଶ୍ଵମୁହାଁ ହୋଇ ରହିଛି, ଏହି କଥାଟିକୁ ଏସବୁ ସମୟରେ ସେମାନେ ଏକାବେଳକେ ପାସୋରି ପକାଇଥାନ୍ତି । ହୁଏତ ଭାବନ୍ତି, ଆପଣାର ସାନ ମୁଣ୍ତଟିରେ ସତକୁ ସତ କେତେ ଜାଗା ଅଛି ଯେ ସେମାନେ ନିଜ କଥାଗୁଡ଼ିକୁ ଭାବିବେ, ନିଜ କଥାଗୁଡ଼ିକୁ ତୁଲାଇବେ, ପୁଣି ତା’ ସାଙ୍ଗକୁ ବିଶ୍ଵ ଗୋଟାକର କଥା ମଧ୍ୟ ଭାବିବେ । ନା, ସେମାନଙ୍କ ଦେଇ ସେକଥା କଦାପି ହୋଇ ପାରିବନାହିଁ ।

 

ଅଳପ ଭିତରେ ରହି ପୃଥିବୀରେ ଅନେକ ମଣିଷ ପ୍ରକୃତରେ କେଡ଼େ ସୁଖରେ ରହିଛନ୍ତି ବୋଲି ଅନୁଭବ କରନ୍ତି । ସେମାନଙ୍କର ବଳ କେବଳ ଏହି ଅଳପଟିକୁ ହିଁ ପାଇପାରିବ ବୋଲି ସେମାନଙ୍କର ବିଶ୍ଵାସ ରହିଥାଏ । ସେମାନେ ଆପଣାକୁ ଏପରି ଗୋଟିଏ ଗାଈ ଓ ବାଛୁରୀ ପରି କଳ୍ପନା କରୁଥାନ୍ତି, ଯାହାକୁ କି କୋଉ ବିଧାତା ଏହି ସଂସାର ଭିତରେ ଗୋଟିଏ ସାନ ଖୁଣ୍ଟରେ ବାନ୍ଧି ଦେଇଯାଇଛି । ଖୁଣ୍ଟିଟି ସାନ, ଦଉଡ଼ିଟି ବି ସାନ, ତେଣୁ ପରିଧିଟି ସାନ ହେବାକୁ ବାଧ୍ୟ । ବିଧାତା ସେମାନଙ୍କୁ କାହିଁକି ଏପରି ଭାବରେ ସେଠାରେ ବାନ୍ଧି ଦେଇ ଯାଇଛି, ସେମାନେ ସେ ବିଷୟରେ କୌଣସି ଚିନ୍ତା କରିବାକୁ ମନ କରନ୍ତି ନାହିଁ । ସତେ ଅବା କ୍ଷଣକୁ କ୍ଷଣ ବାସ କରୁଥାନ୍ତି । ସେହି କ୍ଷଣଟିକୁ ଲାଗି ଯେ ପୂର୍ବରୁ ଆହୁରି ଅନେକ କ୍ଷଣ ଥିଲା ଓ ଆଗକୁ ମଧ୍ୟ ଆହୁରି ଅନେକ କ୍ଷଣ ରହିଛି, ଏବଂ ଏହି କ୍ଷଣଗୁଡ଼ିକୁ ଏକାଠି ଗୋଟିଏ ମାଳାରେ ସମ୍ଭାରି ଧରି ମହାକାଶ ପରି ମହାକ୍ଷଣଟିଏ ଯେ ଆମକୁ ପରିବେଷ୍ଟନ କରି ରହିଛି, ସାନ ଦଉଡ଼ିଟିରେ ସାନ ଖୁଣ୍ଟଟି ସହିତ ବନ୍ଧା ହୋଇଥିବା ସୁଖୀ, ବାଛୁରୀଟି କାହିଁକି : ସେ କଥାରେ ମୁଣ୍ଡ ପୂରାଇବାକୁ ଯିବ ? ଯାହାର ମୁଣ୍ଡ ଯେତିକି ବଡ଼, ସିଏ କୁଆଡ଼େ ସେତିକି ବେଶି ଦୁଃଖ ପାଏ ବୋଲି ସୁଖୀମାନଙ୍କର ସଂସାରରେ ଏକ ଅପବାଦ ରହିଛି । ଜୀବନରେ ପରିଧି ଗୁଡ଼ାକ ଯେତିକି ବଡ଼ ହେଉଥାଏ, ସାନ ମଣିଷଟାକୁ କୁଆଡ଼େ ସେତିକି ଅଧିକ ହରକତରେ ପଡ଼ିବାକୁ ହୁଏ ବୋଲି ଆମ ସାନମାନଙ୍କର ସଂସାରରେ ସୁଧୀମାନେ କହି ଯାଇଛନ୍ତି । ତେଣୁ ଖୁଣ୍ଟ ସାନ, ଦଉଡ଼ିଟି ବି ସାନ; ମୁଣ୍ଡଟି ସାନ, ପରିଧିଟି ମଧ୍ୟ ସେହି ଅନୁପାତରେ ସାନ । ଭିତରୁ ସାନ ବିବେକଟି କହୁଛି, ସେଇଥିରେ ହିଁ ସୁଖ । କାଠିଗୁଡ଼ାକୁ ବଢ଼ାଇବାକୁ ଚେଷ୍ଟା କଲେ ଅଥବା ଆଖିଗୁଡ଼ାକୁ ଲମ୍ବାଇ ଅଧିକ ଦେଖିବାକୁ କିମ୍ବା ଅଧିକ ଭେଦିବାକୁ ଚେଷ୍ଟାକଲେ ତଦ୍ଵାରା ଖାଲି ତୁମର ଚିନ୍ତାଗୁଡ଼ାକ ବଢ଼ିବା ହିଁ ସାର ହେବ ସିନା, ତୁମେ କେଉଠି କିଛି ହେଲେ କରିପାରିବ ନାହିଁ । ତୁମେ ଏହି ପୃଥିବୀଟିକୁ ମୋଟେ ବଦଳାଇ ପାରିବ ନାହିଁ-

 

ସବୁଯାକ କଥା ଆସି ପ୍ରକୃତରେ ଏହିଠାରେ ଛିଣ୍ଡିଯାଏ । ମଣିଷ ଏହି ପୃଥିବୀକୁ ମୋଟେ ବଦଳାଇ ପାରିବ ନାହିଁ । ମଣିଷ ସାନ, ପୃଥିବୀ ଅନେକ ବଡ଼ । ସାନ ମଣିଷଠାରୁ ତା’ର ଭାଗ୍ୟ ଅନେକ ବଡ଼, ତା’ର ପୃଥିବୀଟା ମଧ୍ୟ ସେମିତି ଅନେକ ବଡ଼ । ଭାଗ୍ୟ ମଣିଷକୁ ନଚାଏ, ପକାଏ, ଉଠାଏ । ସେହି ଭାଗ୍ୟ ଅନୁସାରେ ହିଁ ମଣିଷ ଏଠୁ ସେଠିକି କିମ୍ବା ସେଠୁ ଏଠିକି ଗଡ଼ି ଗଡ଼ି ଯାଉଥାଏ । ମଣିଷ କଦାପି ତା’ର ଭାଗ୍ୟକୁ ତିଆରି କରି ପାରିବ ନାହିଁ, ଭାଗ୍ୟକୁ ବଦଳାଇବା ତ ଆହୁରି ଅଧିକ ଦୂରର କଥା । ଭାଗ୍ୟକୁ ଗ୍ରହମାନେ ଚଳାନ୍ତି ଶନିମାନେ କୋପ କଲେ ଭାଗ୍ୟ ପୋଡ଼ିଯାଏ ଏବଂ ବୃହସ୍ପତିମାନେ ଅନୁଗ୍ରହ କଲେ ଥୁଣ୍ଟା ଗଛରେ ମଧ୍ୟ ପତର କଅଁଳେ । ଏସବୁ ଗ୍ରହବିପ୍ର ବିଜ୍ଞାନର କଥା । କେବକ ଭାରତବର୍ଷରେ ନୁହେଁ, ପୃଥିବୀର ପ୍ରାୟ ସବୁ ଦେଶରେ ରହିଥିଲା, ସବୁ ଯୁଗରେ ଥିଲା । ଆମ ଯୁଗରେ ମଧ୍ୟ ଅଛି । ସେହି ଗୋଟିଏ ମେଣ୍ଢା ଯୁଗ ଅନୁସାରେ ଦେହ ଉପରେ ଅଲଗା ଅଲଗା ଛାଇ ପକାଇ ମଣିଷଗୁଡ଼ାଙ୍କୁ ବୋଲ ମାନି ଭାଗ୍ୟକୁ ଆବୋରି ଅଳପ ଭିତରେ ରହିବା ସକାଶେ କେତେ ସାଧୁବାଣୀ ଶୁଣାଇ ଆସିଛି । ଏ ଯୁଗରେ ସାଧୁମାନେ ତାକୁ ଅସ୍ତିତୃବାଦ ବୋଲି କହୁଛନ୍ତି । ତୁମେ କେଉଁଠାରୁ ଆସିଲ, ସେକଥା ତୁମେ ଜାଣିନାହଁ । କେଉଁଠାକୁ ଯିବ, ସେକଥା ବିଷୟରେ ବି ତୁମେ କ’ଣ ଜାଣିଛ ? ମୁଣ୍ଡ ଉପରେ ତୁମର ଏଡ଼େବଡ଼ ଗୋଟାଏ ପଥର । ସେହି ପଥରଟା ଯେ ତୁମ ମୁଣ୍ଡ ଉପରେ କାହିଁକି ଲଦା ହେଲା, ସେ ବିଷୟରେ ମଧ୍ୟ କୌଣସି ଉତ୍ତର କୋଉଠି ହେଲେ ନାହିଁ । ତୁମେ ପର୍ବତର ପାଦ ଦେଶରେ ରହିଛ, ପଥରଟିକୁ ମୁଣ୍ଡାଇ ତୁମକୁ ପର୍ବତର ଉପରଯାଏ ଯିବାକୁ ହେବ । ମାତ୍ର, ହେଇ ଉପରେ ଯାଇ ଅଳ୍ପ ସମୟ ପରେ ପହଞ୍ଚିଯିବ, ପଥରଟାକୁ ମୁଣ୍ଡ ଉପରୁ ଖସାଇଦେବ ଓ ତା’ପରେ ସବୁ କଷଣର ଅନ୍ତ ହେବ ବୋଲି ଭାବିବା ବେଳକୁ ପଥରଟା କୁଆଡ଼େ ଗଡ଼ି ଗଡ଼ି ପୁଣି ପର୍ବତର ପାଦଦେଶକୁ ଚାଲି ଆସିବ । ପୁଣି ମୁଣ୍ଡାଅ, ପୁଣି ଉଠ, ପୁଣି ଖସ । ଏଇଟା ହିଁ କୁଆଡ଼େ ତୁମ ଜୀବନ । ତୁମେ ଏଥିରେ କୌଣସି ଅନ୍ୟଥା କରି ପାରିବ ନାହିଁ । ଅନ୍ୟଥା କଲେ ହଟିଯିବ, ହାରିଯିବ ଏବଂ କିଏ ଯେ ତୁମର କେଉଁ ମୁକୁଟ ଦେଖିବାକୁ ତୁମକୁ ଏପରି ମୁଣ୍ଡରେ ଏତେବଡ଼ ପଥରଟାଏ ଧରି ତଳୁ ଉପର ଓ ଉପରୁ ତଳ କରାଉଛି, ସେ ବିଷୟରେ କେହି କୌଣସି ସନ୍ଧାନ କରିନାହାନ୍ତି । ହୁଏତ କେହି ସେକଥା କରାଉନାହିଁ । ତାହା ମନକୁ ମନ ହେଉଛି । ଏତିକି ହିଁ ସତ୍ୟ–ତୁମେ ଏତିକିକୁ ହିଁ ସତ୍ୟ ବୋଲି ଗ୍ରହଣ କର, ଗ୍ରହଣ କରି ଖୁସି ହୁଅ । ଆଉ ଅଧିକକୁ ମନ ବଳାଅନାହିଁ, ବଳାଇଲେ ଦୁଃଖ ପାଇବ, ଗୋଟା ସୁଦ୍ଧା ଶୂନ୍ୟରେ ଯାଇ ଝୁଲିବ ।

 

ଏହିସବୁ ଭୀତିପ୍ରଦ ଶୂନ୍ୟକଥାକୁ ଶୁଣି ନିଜର ଅଳପଟି ଭିତରେ ସୁଖୀ ହୋଇ ରହିବାକୁ ମନସ୍ଥ କରୁ କରୁ ତଥାପି ଭିତର ଆଡ଼କୁ ଚାହିଁଦେଲା ମାତ୍ରକେ ସତେଅବା ଗବାକ୍ଷଟିଏ ଖୋଲିଯାଏ-। ସେହି ଗବାକ୍ଷ ମଧ୍ୟଦେଇ ସମଗ୍ର ବିଶ୍ଵ ଦୃଷ୍ଟିଗୋଚର ହୁଏ । ଦେଖାଯାଏ, ପର୍ବତ ନାହିଁ, ପଥର ନାହିଁ, ପୁନରାବୃତ୍ତିର କୌଣସି ଅପମାନଙ୍କର ହରକତ ବି ନାହିଁ । ମୁଁ ଯେପରି ଏହି ସବୁଟି ସହିତ ସହସ୍ର ଡୋରରେ ବନ୍ଧାହୋଇ ରହିଛି । ମୋ’ର କୋଉ ବନ୍ଧ ବେଳ ଜାଣି ସେହି ଗବାକ୍ଷଟିକୁ ଖୋଲିଦେବାକୁ ଆସେ କେଜାଣି ? (୪ । ୮ । ୮୭)

 

(୨)

 

ଗବାକ୍ଷଟିଏ ପ୍ରକୃତରେ କେଉଁଠି ଥାଏ ? ଗବାକ୍ଷ କେଉଁଠିହେଲେ ନଥାଏ । ଜୀବନରେ ଗବାକ୍ଷକୁ ମନ କଲେ ଯାଇ ଗବାକ୍ଷଟିଏ ମିଳେ । ଗବାକ୍ଷଟିଏ ଖୋଜିଲେ ଗବାକ୍ଷ ମିଳେ । ଠିକ୍‍ ଯେପରି ଜୀବନରେ ଆକାଶଟିଏ ରହୁ ବୋଲି ମନ କଲେ ଯାଇ ଆକାଶଟିଏ ମିଳିଯାଏ, ଏକଥା ପ୍ରାୟ ସେହିପରି । ସତ୍ୟ ମଧ୍ୟ କେଉଁଠି ହେଲେ ନଥାଏ । ସତ୍ୟକୁ ମନ କଲେ ଯାଇ ସତ୍ୟ ଦିଶିବାକୁ ଆରମ୍ଭ କରେ । ବାହାରେ ଦୃଷ୍ଟିଗୋଚର ହୁଏ, ଭିତରେ ଅନୁଭୂତ ହୁଏ, ଆମର ସମ୍ବନ୍ଧଗୁଡ଼ିକରେ ପ୍ରତିଭାତ ହୋଇଉଠେ । ସତ୍ୟକୁ ଆମେ ବହି ଭିତରେ ପଢ଼ିଥାଉ ସତ, ମାତ୍ର ସତ୍ୟ ବହିଭିତରୁ ମିଳେ ନାହିଁ । ଜୀବନରେ ମିଳେ । ସତ୍ୟଟିକୁ ବଞ୍ଚି ପାରିଲେ ଯାଇ ସତ୍ୟ ଉପଲବ୍‌ଧ ହୁଏ । ଆମ ସଂସାରରେ ଅନେକ ମଣିଷଙ୍କୁ ଆଦର୍ଶବାଦୀ ବୋଲି କୁହାଯାଏ । ଆଦର୍ଶବାଦୀମାନେ ଆଦର୍ଶର କଥା କହନ୍ତି, ଅମୁକ ବା ଅମୁକ ଆଦର୍ଶଟିଏ ଏହି ପୃଥିବୀରେ ପ୍ରତିଷ୍ଠିତ ହୋଇ ନ ପାରିଲେ ପୃଥିବୀ ବର୍ତ୍ତମାନର ଦୁର୍ଗତି ଭିତରୁ କଦାପି ମୁକୁଳି ଆସି ପାରିବ ନାହିଁ ବୋଲି ସେମାନେ କେଡ଼େ ଉତ୍ସାହରେ ବକ୍ତୃତା ଦେଇ କହନ୍ତି ଓ ଆମ ସମସ୍ତଙ୍କୁ ଅନ୍ତତଃ ଘଡ଼ିକ ଲାଗି ବହୁତ ପ୍ରେରଣା ଦିଅନ୍ତି । ଆଦର୍ଶବାଦୀ ହେଲେ ମଧ୍ୟ ତଥାପି ଆଦର୍ଶ ସହିତ ଅସଲ ପରିଚୟଗୁଡ଼ିକ ମୋଟେ ଘଟି ପାରେନାହିଁ । ଠାକୁରମାନଙ୍କୁ ପୂଜା କଲେ ଯେ ଠାକୁରମାନଙ୍କର ଦର୍ଶନ ଯେପରି ଅଲବତ ମିଳିଯାଏ ନାହିଁ, ଏକଥା ପ୍ରାୟ ଠିକ୍‌ ସେହିପରି । ଆଦର୍ଶଟିକୁ ବଞ୍ଚିବାକୁ ହୁଏ, ତେବେ ଯାଇ ଆଦର୍ଶର ଦର୍ଶନ ମିଳେ ।

 

ଆମେ ସାଧାରଣତଃ ଯେତିକି ହୋଇ ରହିଥାଉ ଅର୍ଥାତ୍‍ ଯେତିକି ଭିତରେ ବିତରଣ କରୁଥାଉ, ନିଜ ଜୀବନରେ ସତକୁ ସତ ଗବାକ୍ଷଟିଏ ଖୋଲି ପାରିଲେ ଆମକୁ ତା’ଠାରୁ ଅନେକ ଅଧିକ ଦୃଷ୍ଟିଗୋଚର ହେବାକୁ ଆରମ୍ଭ କରେ । ଅଧିକାଂଶ ସମୟରେ ଆମେ ଆପଣାକୁ ଯେତିକି ବୋଲି ଦେଖୁ ବା ଅନୁଭବ କରୁ, ଆମେ ପ୍ରକୃତରେ କଦାପି ସେତିକିମାତ୍ର ନୋହୁ । ଉପରକୁ ବା ଚାରିପାଖକୁ ଅନାଇଦେଲେ ଆକାଶ ଯେଡ଼ିକିଟିଏ ହୋଇ ଦେଖାଯାଏ, ଆକାଶଟା କ’ଣ ପ୍ରକୃତରେ ସେଡ଼ିକି ? ପ୍ରାୟ ପାଞ୍ଚ ଶହ ବର୍ଷ ତଳେ ପୃଥିବୀର ମଣିଷ ପୃଥିବୀକୁ ଯେଡ଼ିକିଟିଏ ବୋଲି ଦେଖୁଥିଲା, ପୃଥିବୀକୁ ସେ ପ୍ରକୃତରେ ସେଡ଼ିକିଟିଏ ବୋଲି ବିଶ୍ଵାସ କରୁଥିଲା । ପୃଥିବୀକୁ ସମତଳ ବୋଲି ଦେଖୁଥିଲା ଏବଂ ପୃଥିବୀଟା ଅବଶ୍ୟ ସମତଳ ବୋଲି ବିଶ୍ଵାସ କରୁଥିଲା । ପୃଥିବୀ ସତକୁ ସତ ଗୋଲାକାର ବୋଲି ଅନ୍ୟ ମତ ପୋଷଣ କରୁଥିବା ମଣିଷକୁ ସିଏ ପାଗଳ ବୋଲି ଘୋଷଣା କରୁଥିଲା । ତା’ର ବିଚାର କରି ତାକୁ ଦଣ୍ଡ ଦେଉଥିଲା । ଆମ ସମାଜର ଗୁରୁଜନମାନେ ଆମକୁ ଯୁଗ ଯୁଗ ଧରି ସାନ ଓ ଅଳପ ବୋଲି କହି ଆସିଛନ୍ତି । ସଂସାରରେ ଯଦି ଲଘୁଜନମାନେ ସଂଖ୍ୟାଧିକ ହୋଇ ନ ରହିବେ, ତେବେ ବାକୀ କେତେଜଣ ଗରିଷ୍ଠ ବା ଗୁରୁଜନ ବୋଲି ପ୍ରକୃତରେ କିପରି ବୋଲାଇ ପାରିବେ ? ଆମ ଇସ୍କୁଲମାନଙ୍କରେ ଯଦି ଶିକ୍ଷକମାନେ ପିଲାମାନଙ୍କୁ ଅଳପ କରି ନ ଦେଖିବେ ଓ ଅଳପ ବୋଲି ନ କହିବେ, ତେବେ ପିଲାଏ ସେମାନଙ୍କୁ ଗୁରୁ ବୋଲି କେମିତି କହିବେ ? ଯଦି କନିଷ୍ଠମାନେ ଆପଣାକୁ ସାନ ଓ ତେଣୁ ଅଳପ ବୋଲି ଭାବିବା ଲାଗି ଉପଯୁକ୍ତ ଶିକ୍ଷା ନ ପାଇବେ, ତେବେ ବୟସ୍କମାନଙ୍କର ବୟସ୍କପଣ ପ୍ରତିଷ୍ଠିତ ହୋଇ ପାରିବ କିପରି ? ଆମ ପୃଥିବୀ ଏପର୍ଯ୍ୟନ୍ତ ଯେପରି ଭାବରେ ଚଳି ଆସିଛି, ସେହି ଦୃଷ୍ଟିରୁ ବିଚାର କରି ଦେଖିଲେ, ଅଧିକାଂଶ ଲୋକଙ୍କର ଗବାକ୍ଷଗୁଡ଼ାକୁ ବନ୍ଦ କରି ରଖିବା ଯେ ଏଠାରେ ଏକାନ୍ତ ଆବଶ୍ୟକ ହୋଇ ରହିଥିଲା, ସେ ବିଷୟଟିକୁ ବୁଝିବା ଲାଗି ଆମକୁ ଆଉ ମୋଟେ କଷ୍ଟ କରିବାକୁ ପଡ଼ିବ ନାହିଁ । ଏହା ଏକାନ୍ତ ନିଃସନ୍ଦେହ ଯେ ବହୁତ ମଣିଷଙ୍କର ଗବାକ୍ଷ ବନ୍ଦ ରହିଥିଲେ ଯାଇ ଏଠାରେ ଗରିଷ୍ଠ ହୋଇ ରହିଥିବା ଅଳ୍ପସଂଖ୍ୟକ ମଣିଷମାନଙ୍କର ଗାତଗୁଡ଼ାକ ଅଧିକ ଗହୀରା ହୋଇ ଦେଖାଯିବ ।

 

ସଂସାରରେ କ’ଣ ସତକୁ ସତ ମଣିଷମାନେ ଆପଣାର ଗବାକ୍ଷଗୁଡ଼ିକୁ ବନ୍ଦ କରି ରଖିଥାନ୍ତି ? ନାଇଁ, ସେମାନେ ମଧ୍ୟ ଏହି ସଂସାର ଭିତରେ ଯାଆ ଆସ କରନ୍ତି । ସେମାନେ ବି ସମ୍ବନ୍ଧ ଲଗାନ୍ତି, କାଠିକୁ କାଠି ଯୋଡ଼ି ଦୂର ପଦାର୍ଥକୁ ପାଖକୁ ନେଇ ଆସିବାର ପ୍ରୟାସ କରୁଥାନ୍ତି । ଜଙ୍ଗଲ ଭିତରେ ପଶି ସେମାନେ ବି ନଳ ଯୋଖନ୍ତି । ତଥାପି ଆପଣାର ଗାତଟି ଭିତରେ ରହିଥାନ୍ତି-। ସକାଳୁ ଯୋଉ ଗାତଟି ଭିତରୁ ବାହାରିଥାନ୍ତି, ସଞ୍ଜକୁ ସେହି ଗାତଟି ମଧ୍ୟକୁ ହିଁ ଫେରି ଆସନ୍ତି । ଗାତଟିକୁ ଢାଙ୍କୁଣି ଦେଇ ରଖିଥାନ୍ତି, ତାହାରି ଭିତରେ ଆପଣାକୁ ଅତ୍ୟନ୍ତ ନିରାପଦ ବୋଲି ମନେ କରନ୍ତି । ଢାଙ୍କୁଣିଗୁଡ଼ାକ ଦିଆହୋଇଥିଲେ ଯାଇ ନିରାପଦ ରହିବା ସମ୍ଭବ ହେବ ବୋଲି ବିଶ୍ଵାସ କରୁଥାନ୍ତି । ଏହି କଥାଟିକୁ ସେମାନେ ସତେ ଅବା ସ୍ଵୟଂ ବ୍ୟାସଦେବଙ୍କଠାରୁ ଶିକ୍ଷା କରୁଥିବା ପରି ଗାମ୍ଭୀର୍ଯ୍ୟ ଦେଖାନ୍ତି ଓ ଗାମ୍ଭୀର୍ଯ୍ୟ ସହିତ ସେଇଟିକୁ ମାନି ଚଳୁଥାନ୍ତି, ବଞ୍ଚୁଥାନ୍ତି । ଏହି ଲୋକମାନେ ସଂସାର ଭିତରେ ସବୁଠାରେ ଥାଆନ୍ତି, ସଂସାରରେ ସତେଅବା ସବୁଯାକ ଜାଗା କେବଳ ନିଜେ ମାଡ଼ି ବସିବେ ବୋଲି ହକହକ ହେଉଥାନ୍ତି । ତଥାପି ସେମାନଙ୍କର ଅସଲ ଗବାକ୍ଷଗୁଡ଼ିକ ବନ୍ଦ ହୋଇ ରହିଥାଏ । ଅଧିକ ନିର୍ଭୁଲ ଭାବରେ କହିଲେ, ସେମାନେ ଅସଲ ଗବାକ୍ଷଗୁଡ଼ିକୁ ଖୋଲିବା ଲାଗି କେବେହେଲେ ମନ କରନ୍ତି ନାହିଁ । ସେମାନେ ସମାଜ ଭିତରେ ଥାଆନ୍ତି, ସମସ୍ତଙ୍କ ମେଳରେ ରହିଥାଆନ୍ତି; ତଥାପି ସତେଯେପରି ଏଠି କୋଉଠିହେଲେ ନଥାନ୍ତି । ସେମାନେ ଢାଙ୍କୁଣି ଘୋଡ଼ିହୋଇ ରହିଥାନ୍ତି, ଗାତ ଭିତରେ ପଶିଥାନ୍ତି । ସେମାନେ ଧର୍ମରେ ଥାଆନ୍ତି, ନୀତିରେ ଥାଆନ୍ତି, ଶିକ୍ଷାରେ ଥାଆନ୍ତି; ଏବଂ ଅଧର୍ମ ଭିତରେ, ଅନୀତି ଭିତରେ, ଅଶିକ୍ଷା ଭିତରେ ମଧ୍ୟ ରହିଥାଆନ୍ତି । ଯାବତ କାରବାରରେ ଘୋଡ଼ାଙ୍କ ପରି ଧାଇଁବାରେ ଲାଗିଥାନ୍ତି । ତଥାପି ସେହି ଗାତ ଭିତରେ ରହିଥାନ୍ତି । କେବଳ ଗାତର ଅଙ୍କଗୁଡ଼ାକୁ କଷିବାରେ ଲାଗିଥାନ୍ତି । ଗାତଟାକୁ ହିଁ ବାହାହୋଇ ପଡ଼ିଥିବା ଭଳି ସେମାନେ ନିୟତ ସେଇ ଗାତଟା ସହିତ ହିଁ ଲଟରପଟର ହୋଇ ରହିଥାନ୍ତି । ନିଜର ତଥାକଥିତ ଗବାକ୍ଷଗୁଡ଼ିକୁ ଖୋଲି ମଧ୍ୟ ସେମାନେ କେବଳ ନିଜକୁ ଦେଖନ୍ତି; ଆକାଶକୁ ଦେଖନ୍ତି ନାହିଁ, ଗାତଗୁଡ଼ାକୁ ଦେଖନ୍ତି ।

 

ସେହି ଗାତଗୁଡ଼ିକ ଉପରୁ ଆପଣାର ଅତିପ୍ରିୟ ଢାଙ୍କୁଣିଗୁଡ଼ିକୁ କାଢ଼ି ଦେବାକୁ ରାଜି ହେଲେ ଯାଇ ତେଣେ ଅସଲ ଗବାକ୍ଷଗୁଡ଼ିକ ଖୋଲିଯିବା ଲାଗି ମଧ୍ୟ ବାଟ ଫିଟିଯାଏ । ବାହାରୁ କେହି ଆସି ଢାଙ୍କୁଣିଗୁଡ଼ିକୁ ଖୋଲି ଦେବାଲାଗି ଆମକୁ ବାଧ୍ୟ କଲେ ଆମେ ହୁଏତ ବୋଲ ମାନି ଆପଣାର ଢାଙ୍କୁଣିକୁ ଖୋଲି ଦେଉଥିବା ପରି ଦେଖାଇହେଉ । ମାତ୍ର ଅସଲ ଢାଙ୍କୁଣିଗୁଡ଼ିକ ଆପେ ମନ କଲେ ଯାଇ ଖୋଲେ । ଆପେ ମନ କଲେ ଯାଇ ଅସଲ ଗବାକ୍ଷଗୁଡ଼ିକ ମଧ୍ୟ ଖୋଲିବା ଲାଗି ଅସ୍ଥିର ହୋଇ ଉଠନ୍ତି, ଅଝଟ କରନ୍ତି ଏବଂ ତା’ପରେ, ସ୍ଵଂୟ ଗୁରୁ ଆସି ସେହି ଗବାକ୍ଷଗୁଡ଼ିକୁ ପୁନର୍ବାର ବନ୍ଦ କରିଦେବାକୁ ହୁକୁମ ଦେଲେ ମଧ୍ୟ ତଥାପି କଥା ମାନି ସେଗୁଡ଼ିକୁ ବନ୍ଦ କରିଦେବାକୁ ମୋଟେ ମନ ହୁଏନାହିଁ । ସେତେବେଳେ ଆପଣା ଭିତରେ କେଉଁ ପରମଗୁରୁର ସ୍ପର୍ଶ ମିଳିଯାଏ କେଜାଣି, ବାହାରର ସବୁଯାକ ଗୁରୁଙ୍କର କଥାକୁ ଅମାନ୍ୟ କରି ତଥାପି ଆପଣା ଭିତରେ ସେହି ଅସଲ ବୋଲଗୁଡ଼ିକୁ ମାନିବାକୁ ଇଚ୍ଛା ହୁଏ । ଏପରି ମାନିବା ଲାଗି ଆବଶ୍ୟକ ସାହସଟି ମଧ୍ୟ ସେହି ଭିତରୁ ଆସେ ।

 

ଅସଲ ଗବାକ୍ଷଗୁଡ଼ିକର କାମ ଦୁଇଟି, ଦୁଇ ପ୍ରକାରର । ସତକୁ ସତ ନିରୀଖି ଦେଖିଲେ, ସେଗୁଡ଼ିକ ହେଉଛନ୍ତି ସେହି ଗୋଟିଏ କାର୍ଯ୍ୟର ଦୁଇଟି ପାଖ, ଦୁଇଟି ଧାରା । ଗୋଟିଏ ଆମ ବାହାରଟାକୁ ଭିତରକୁ ଆଣେ, ଭିତର ସହିତ ବାହାରର ପରିଚୟ କରାଇଦିଏ, ଆଉ ଗୋଟିଏ ଭିତରଟାକୁ ବାହାରଯାଏ ପ୍ରସାରିତ କରିନିଏ, ବାହାର ସହିତ ଭିତରର ପରିଚୟ କରାଇଦିଏ । ସେତେବେଳେ ବାହାରର ଦର୍ପଣରେ ଭିତରକୁ ଦେଖିହୁଏ । ପୁନଶ୍ଚ ଭିତରର ଦର୍ପଣରେ ପାଉଥିବା ଠାକୁରମାନେ ଏହି ପଶୁମାନଙ୍କର ହିଁ ଅପ୍ୟାୟନ କରୁଛନ୍ତି ଓ ପଶୁମାନଙ୍କ ଦ୍ଵାରା ଅପ୍ୟାୟିତ ହୋଇ ରହିଛନ୍ତି । ସାଧକ ଗୋଷ୍ଠୀରେ ଅନ୍ୟ କିସମଟି ହେଉଛି ବୀର । ବୀର ଆରୋହଣ କରେ, ବୀର ନିକଟବର୍ତ୍ତୀ ହୁଏ,–ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାରେ ଲାଗିଥାଏ । ବୀର ମାଗେ ନାହିଁ, ଆପଣାକୁ ପ୍ରସ୍ତୁତ କରେ । ଯାହାଙ୍କୁ ଧ୍ୟାଉଥାଏ, ନିଜକୁ ତାଙ୍କରି ଲାଗି ପ୍ରସ୍ତୁତ କରେ; ନିଜକୁ ତାଙ୍କରି ସଂସାର ଲାଗି ପ୍ରସ୍ତୁତ କରେ । ପରମ ଈଶ୍ଵରଙ୍କର ସଂସାର କାର୍ଯ୍ୟରେ ସହଯୋଗ କରିପାରିବା ଲାଗି ସେ ଆପଣାକୁ ଉତ୍ତରୋତ୍ତର ଭାବରେ ପ୍ରସ୍ତୁତ କରିବାରେ ଲାଗିଥାଏ । ଏହି ପ୍ରସ୍ତୁତ ହେବାର ଅନ୍ୟ ନାମ ହେଉଛି ପାହାଚ ଉଠିବା । ବୀର ଭିତର ଓ ବାହାର ଉଭୟ ଭୂମିରେ ହିଁ ପାହାଚ ଉଠି ଉଠି ଯାଉଥାଏ । ଅଧିକରୁ ଅଧିକ କାମରେ ଲାଗେ । ତଥାପି କେବଳ ଆପଣାଲାଗି ସିଏ କିଛି ମାଗେ ନାହିଁ । ରୂପ ମାଗେ ନାହିଁ କି ଧନ ମାଗେ ନାହିଁ, ଯଶ ମାଗେ ନାହିଁ କି ସଂସାରରେ ରହିଥିବା ତା’ର ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବା ନିମନ୍ତେ କୌଣସି ଗୁହାରି କରେ ନାହିଁ-। ଜୀବନ କହିଲେ ଯେଉଁସବୁ ମହିମା ଐଶ୍ୱର୍ଯ୍ୟକୁ ବୁଝାଏ, ବୀର ସେହି ମହିମା ଓ ଐଶ୍ୱର୍ଯ୍ୟଗୁଡ଼ିକ ସହିତ ସହଯୋଗ କରେ । ତାହାରି ମାଧ୍ୟମରେ ହିଁ ଆପଣାର ଜୀବନକୁ ମଧ୍ୟ ମହିମାନ୍ୱିତ ଏବଂ ଐଶ୍ୱର୍ଯ୍ୟବିପୁଳ କରିବାରେ ଲାଗିଥାଏ ।

 

ଚଳନ୍ତି ଅର୍ଥରେ ବିଜୁଗୁପ୍‍ସାକୁ ଘୃଣା କରିବା ଲାଗି ପ୍ରାୟ ଏକ ସହଜାତ ଇଚ୍ଛା ବୋଲି ବ୍ୟାଖ୍ୟା କରାଯାଏ । ଆମ ଅନେକଙ୍କର ଜୀବନ, ସଂସାର ଏବଂ ଅନୁଧାବନ ମୁଖ୍ୟତଃ ଏହି ଘୃଣାର ପ୍ରେରଣା ଦ୍ଵାରା ହିଁ ପରିଚାଳିତ ହେଉଥାଏ । ଆମେ ଗୋଟିକୁ ଭଲ ପାଇ ବସିଲେ ଆଉ କେତୋଟିକୁ ଘୃଣା କରିବାକୁ ବାଧ୍ୟ ହେଉ । ପାଖକେ ଭଲ ପାଇଲେ ଆଉ ପାଖକେ ଘୃଣା ନକଲେ ମୋଟେ ଚଳେ ନାହିଁ । ଏକାବେଳକେ ଓ ଏକାଧାରରେ ନାୟକ ଓ ଖଳନାୟକ ନହୋଇ ପାରିଲେ ଆମ ଜୀବନର ସେରମାଣ ଗୁଡ଼ିକ ସତେଅବା ମୋଟେ ପୂରିବାକୁ ମନ କରନ୍ତି ନାହିଁ । ସେଇ ଆମରି ଭିତରେ ଫାଳେ ନାୟକ ହୋଇ ଭଲ ପାଉଥାଉ ଓ ଫାଳେ ଖଳନାୟକ ହୋଇ ଘୃଣା ବି କରୁଥାଏ । ଅଥବା, ହୁଏତ ଏପରି ବି ହୋଇଥାଏ ଯେ, ସେହି ଗୋଟାଏ ପାଖରେ ବା ଫାଳରେ ହିଁ ନାୟକ ଏବଂ ଖଳନାୟକ ଉଭୟେ ଜାକିଜୁକି ହୋଇ କୁଣ୍ଢାକୁଣ୍ଢି ହୋଇ ରହିଥାନ୍ତି । ମିତ ବସିଥିଲା ପରି ଜଣେ ଆଉ ଜଣକୁ ମୋଟେ ଛାଡ଼ି ପାରୁ ନଥାନ୍ତି ଏବଂ ଆମକୁ ନିମିତ୍ତ କରି ଜୀବନର ସରସ/ବିରସ ନାଟକଟିକୁ ଭିଆଇ ରଖିଥାନ୍ତି । ଆମ ଜୀବନର ଦୁଃଖସୁଖ ପରି ଆମର ଭଲ ପାଇବା ଏବଂ ଘୃଣା କରିବା ଆମକୁ ନେଇ ଏହିପରି ଭାବରେ ଆବର୍ତ୍ତିତ ହେବାରେ ଲାଗିଥାନ୍ତି । ସେଇ ଗୋଟିଏ ମଣିଷ ଭିତରେ ଭଲ ପାଇବା ଏବଂ ଘୃଣା କରିବା ଏକାଠି ବଳି ହୋଇ ରହିଛି ବୋଲି ଚିତ୍ରଣ କରି ପୃଥିବୀଯାକ ସାହିତ୍ୟର ଉପନ୍ୟାସକାରମାନେ କେତେ ଚାତୁରୀ ଦେଖାଇ କେତେ ପାଟି କରି କହିଛନ୍ତି । ସେହି ମଣିଷ ଭିତରେ ଦେବତା ଦୈତ୍ୟ ଏକାଠି ଘର କରି ପରସ୍ପର ସହିତ ସତେଅବା ସଲା ଓ ସୁତର କରି ରହିଛନ୍ତି ବୋଲି ବଖାଣି ଆମର କବିତାମାନେ ମଧ୍ୟ ବହୁ ସମୟରେ କେତେ ବାହାଦୂରୀ କରିଛନ୍ତି । ସତେ ଯେପରି ମଣିଷ ତା’ ଜନ୍ମରୁ ହିଁ ଏହିପରି ଦ୍ଵିଶିର ଓ ଦ୍ଵିଶିଖ ହୋଇ ଏହି ସଂସାରକୁ ଆସିଛି ବୋଲି ଆମ ଭିତରୁ କେତେ କେତେ ମଣିଷ କେଡ଼େ ଉଲ୍ଲାସରେ ଘୋଷଣା କରିଛନ୍ତି ।

 

ବିଜୁଗୁପ୍‍ସାର ଆଉ ଗୋଟିଏ ଅର୍ଥ ହେଉଛି ନିଜକୁ ଲୁଚାଇ ରଖିବା । କେବଳ ଅନ୍ୟ ଆଉ କାହା ପାଖରେ ନୁହେଁ, ନିଜ ପାଖରେ ମଧ୍ୟ ନିଜକୁ ଲୁଚାଇ ରଖିବା । ଅଧିକ ଗହୀରକୁ ଖନନ କରି ହୁଏତ ଏପରି ମଧ୍ୟ କୁହାଯାଇ ପାରବ ଯେ, ଆମେ ମୂଳତଃ ନିଜକୁ ହିଁ ନିଜ ପାଖରେ ଲୁଚାଇ ରଖିଥାଉ ବୋଲି ବାହାରେ ଆଉମାନଙ୍କ ପାଖରେ ମଧ୍ୟ ନିଜକୁ ଲୁଚାଇ ରଖିବାର ବୃହତ୍‌ ଧନ୍ଦାଟି ଭିତରେ ମଧ୍ୟ ଲିପ୍ତ ହୋଇ ରହିଥାଉ । ନିଜର ସମ୍ମୁଖୀନ ହୋଇ ପାରୁଥିବା ମନୁଷ୍ୟ ବାହାରେ ଅନ୍ୟମାନଙ୍କର ମଧ୍ୟ ସମ୍ମୁଖୀନ ହୋଇପାରେ । ନିଜ ଭିତରେ ଖିଅଗୁଡ଼ିକୁ ବଢ଼ାଇ ଯେଉଁ ବ୍ୟକ୍ତି ସତକୁ ସତ ବନ୍ଧୁଟିଏ ଲାଭ କରି ପାରିଥାଏ, ସିଏ ନିଜ ବାହାରେ ଏହି ବୃହତ୍ତର ଭୂମିଟିରେ ମଧ୍ୟ ଅନାୟାସରେ ଖିଅଗୁଡ଼ିକୁ ଲମ୍ବାଇବାକୁ ସମର୍ଥ ହୁଏ ଓ ବନ୍ଧୁମାନଙ୍କୁ ହିଁ ଦର୍ଶନ କରେ । ନିଜକୁ ଲୁଚାଇ ନରଖିଲେ ଆଦୌ ପ୍ରୀତି କରି ହୁଏ ନାହିଁ ବୋଲି ଯେଉଁମାନେ ବିଶ୍ଵାସ କରନ୍ତି– ସେମାନେ ପ୍ରକୃତରେ ଭାରୀ ଦୟନୀୟ ସ୍ଥିତି ଭିତରେ ରହିଥାନ୍ତି । ସେମାନେ ସନ୍ଦେହ କରନ୍ତି, ସାଲିଶ କରନ୍ତି–ଯେତେ ଚଉକଷ ଭାବରେ ଜାବୁଡ଼ି ଧରିବାକୁ ଇଚ୍ଛା କରୁଥାନ୍ତି, ତେଣେ ନିଜ ପାଖରେ ସେତିକି ବେକୁବ୍‍ ହେବାରେ ଲାଗଥାନ୍ତି । ନିଜକୁ ଲୁଚାଇ ରଖିବାକୁ ନିରାପଦ ଧର୍ମ ବୋଲି ମନେ କରୁଥିବା ମଣିଷର ଜୀବନରେ ଏକ ମୂଳଭୁତ ଘୃଣା ହିଁ ତାହାର ଯାବତୀୟ ଭଲ ପାଇବାର ଧନ୍ଦାକୁ ନିୟନ୍ତ୍ରିତ କରିବାରେ ଲାଗିଥାଏ । ଘୃଣାରୁ ବଳ ସଂଗ୍ରହ କରୁଥିବା ମଣିଷ ନିଜକୁ ଲୁଚାଇ ରଖିବାକୁ ସତତ ଲଣ୍ଡଭଣ୍ଡ ହୋଇ ରହିଥାଏ । ଭଲ ପାଇଲେ ନିଜକୁ ଲୁଚାଇ ରଖିବାରେ ଆଦୌ କୌଣସି ଆବଶ୍ୟକତା ରହେ ନାହିଁ । ଗବାକ୍ଷ ଖୋଲିଲେ ଘୃଣା ଦୂର ହୁଏ । ପବନକୁ ମୋଟେ ଭୟ ଲାଗେ ନାହିଁ । ଯଥାର୍ଥ ଯାବତୀୟ ସଂକ୍ରମଣ ନିମନ୍ତେ ସେତିକିବେଳେ ହିଁ ଅଧିକାରିତ୍ଵ ପ୍ରାପ୍ତ ହୁଏ ।

 

ଯେଉଁମାନେ ଏକୁଟିଆ ହୋଇ ବସିଥାନ୍ତି ଆପଣାର ଜୀବନ ଭିତରେ ସତେଅବା ଆପେ ଏକଛତ୍ର ଅଧିପତି ହୋଇ ବସିଥାନ୍ତି, ସେମାନଙ୍କର ଜୀବନରେ ବାହାରଟାକୁ ମଧ୍ୟ ଦେଖିହୁଏ । ବାହାରର ଶ୍ରଦ୍ଧା ଭିତରକୁ ଆକର୍ଷିତ କରେ । ଭିତରର ଶ୍ରଦ୍ଧା ବାହାରକୁ ଆକର୍ଷିତ କରିଆଣେ । ମଝିରେ ଢାଙ୍କୁଣି ନଥାଏ, ତେଣୁ ଏତକ କରିବା ଲାଗି ଆଦୌ କୌଣସି କୃଚ୍ଛ୍ର କିମ୍ବା କସରତ କରିବାକୁ ପଡ଼େନାହିଁ । ସେତେବେଳେ ଭିତରଟା ବାହାରକୁ ଡରେ ନାହିଁ କିମ୍ବା ବାହାରଟା ବି ଭିତରକୁ କୌଣସି ଭୟ କରେ ନାହିଁ । ସଂସାରରେ ଅନ୍ୟମାନେ ମିତ୍ରବତ୍‍ ଲାଗନ୍ତି । ସଂସାରର ସକଳ ସମସ୍ୟା ନିଜ ଜୀବନର ମଧ୍ୟ ଗୋଟିଏ ଗୋଟିଏ ଆହ୍ଵାନ ପରି ଅନୁଭୂତ ହୁଅନ୍ତି । ତେଣୁ, ସମସ୍ୟାଗୁଡ଼ିକୁ ପାଖରୁ ଖସି ପଳାଇବାକୁ ଆଦୌ ମନ ହୁଏ ନାହିଁ । ସମସ୍ୟାଟିକୁ ଜୀବନରେ ପାହାଚଟିଏ ଉଠି ଯିବାଲାଗି ନିମିତ୍ତ ରୂପେ କାର୍ଯ୍ୟ କରେ । ଜୀବନ ଭଲ ଲାଗେ । ଭିତର ଭଲ ଲାଗେ, ବାହାର ବି ଭଲ ଲାଗେ । ତତୋ ନ ବିଜୁଗୁପ୍‌ସତେ । (୧୨ । ୮ । ୮୭)

 

(୩)

 

ବିଜୁଗୁପ୍‌ସା ଉପନିଷଦର ଶବ୍ଦ । ଉପନିଷଦ ସହିତ ଉପାସନାର ଯେ ସର୍ବଦା ଏକ ସମ୍ବନ୍ଧ ରହିବ, ସେକଥା ଆଦୌ ନୁହେଁ । ଉପନିଷଦର ବାକ୍ୟଗୁଡ଼ିକୁ ଅନେକ ମଣିଷ ମନ୍ତ୍ର ବୋଲି କହନ୍ତି ଓ ସେହିଗୁଡ଼ିକୁ ଉପାସନା ସମୟରେ ଆବୃତ୍ତି କରନ୍ତି । ମନ୍ତ୍ରକୁ ମନନ କରାଯାଏ । ଅବଶ୍ୟ ମନନ କରିବାକୁ ମଧ୍ୟ ଚେତନାର ଆଉ ଏକ ସ୍ତରରେ ଉପାସନା ବୋଲି କୁହାଯାଇ ପାରିବ । ଅନେକ ମଣିଷ ଚେତନାର ସେହି ସ୍ତରଟିକୁ ଯିବାଲାଗି ରାଜି ହୁଅନ୍ତି ନାହିଁ ବୋଲି ମନ୍ତ୍ରଗୁଡ଼ିକୁ ବାହ୍ୟୋପାସନାର କେତୋଟି ଆବୃତ୍ତିମନ୍ତ୍ର ରୂପେ ବ୍ୟବହାର କରିଥାନ୍ତି । ସେମାନେ ନିଜକୁ ସତେଅବା ସେହି ସ୍ତରଟାରେ ହିଁ କିଳି ରଖିଥାନ୍ତି । ନିଜ ପାଇଁ ସେମାନେ କେତେ କ’ଣ ମାଗନ୍ତି, ଭାରି ଆର୍ତ୍ତ ଭାଵରେ ଦାନ୍ତ ନିକୁଟିଲା ପରି ମାଗନ୍ତି । ନିଜକୁ ସଂସାରର ସତେଅବା ସବୁଠାରୁ ଅଧିକ ଦୁଃଖୀ ବୋଲି ଦେଖାଇ ଉପାସିତ ସେମାନଙ୍କର ଠାକୁରମାନଙ୍କର ମନରେ ସେହିପରି ଗୋଟିଏ ପ୍ରତ୍ୟୟ ଜନ୍ମାଇବାକୁ ଇଚ୍ଛା କରୁଥାନ୍ତି । ସେମାନେ ଆଦୌ କିଛି ହୋଇପାରନ୍ତି ନାହିଁ । ସେଇ ଦାନ୍ତ ନିକୁଟି ମାଗିବାର ସ୍ତରରେ ରହିଯାଆନ୍ତି । ପାହାଚ ଉଠିବା ତ ଦୂରର କଥା, ଜୀବନର ଦାଣ୍ଡିରେ ଏହିଭଳି ପାହାଚ ପରେ ପାହାଚ ପଡ଼ିଛି ବୋଲି ସେମାନେ କଳ୍ପନା ବି କରିପାରନ୍ତି ନାହିଁ । ଆଉ ଏକ ଉପନିଷଦରେ ପ୍ରାୟ ଏହିଭଳି ଆର୍ତ୍ତ ଓ ଜର୍ଜରମାନଙ୍କୁ ‘ପଶୁ’ ବୋଲି କୁହାଯାଇଛି ।

 

ଗୋଟିଏ କିସମର ସାଧକ ପଶୁ । ଏମାନେ ଆମ ସଂସାରରେ ବହୁତ ସଂଖ୍ୟାରେ ଅଛନ୍ତି । ସଂସାରର ଅଧିକାଂଶ ଦେଉଳ ଓ ଦେବସ୍ଥାନରେ ପୂଜା ଘୃଣାର ସ୍ଥାନ ଅଧିକ ଥାଏ । ଏକଛତ୍ର ଶାସନରେ ଘୃଣାର ପାଠ ହିଁ ଅଧିକ ପଢ଼ାଯାଏ । ଭଲକରି ଘୃଣା କରି ପାରିବାକୁ ମଣିଷମାନଙ୍କୁ ମଣ କରାଯାଏ । ଆମ ଏ ଯୁଗର ଜାତୀୟତାବାଦ ମଧ୍ୟ ପ୍ରାୟ ସେହି ଧାତୁର ଗୋଟିଏ ପଦାର୍ଥରେ ପରିଣତ ହୋଇଛି, ଅନ୍ତତଃ ପୃଥିବୀର ଅଧିକାଂଶ ଦେଶରେ ହୋଇଛି । ଅଧିକାଂଶ ଆଦର୍ଶବାଦୀ ପ୍ରଧାନତଃ ଘୃଣା ହିଁ କରିଛନ୍ତି । ଭଲ ପାଇବାକୁ ଦୁର୍ବଳତା ବୋଲି କୁହାଯାଇଛି । ଘରଟାଯାକ ଗବାକ୍ଷକୁ ବନ୍ଦ କରି ରଖିବାଲାଗି ଲୋଭ ହେଉଥିବା ପର୍ଯ୍ୟନ୍ତ ମଣିଷର ତଥା ସମୂହଗୁଡ଼ିକର ଜୀବନରେ ଘୃଣା ଲାଗି ହିଁ ଅଧିକତର ପ୍ରୟୋଜନ ରହିଥାଏ । ପୃଥିବୀର ଧର୍ମମାନେ ମଣିଷକୁ ତଥାକଥିତ ଧର୍ମ ଆଡ଼କୁ ଆକୃଷ୍ଟ କରାଇବାରେ ପରାକ୍ରମୀ ଚକ୍ରାନ୍ତରେ ପଡ଼ି ପୃଥିବୀର କ୍ଷେତରେ ଅଧିକତର ପରିମାଣରେ ଏବଂ ଅଧିକ ଉତ୍ସାହର ସହିତ ସେହି ଘୃଣାକୁ ହିଁ ବୁଣିଛନ୍ତି । ଠାକୁରମାନଙ୍କୁ ନେଇ ସମ୍ପ୍ରଦାୟମାନ ଗଢ଼ା ହୋଇଛି ଏବଂ ସମ୍ପ୍ରଦାୟଗୁଡ଼ିକ ଗୋଟିଏ ଭାଗରୁ ବହୁଭାଗ ହୋଇଛି । ମୂଳତଃ ଘୃଣା ହିଁ ବହୁଭାଗ ହୋଇ ଗୌରବ ଅନୁଭବ କରିବାଲାଗି ଈନ୍ଧନ ଯୋଗାଇଛି । ଏବେ ପୃଥିବୀରେ ଅସ୍ତ୍ରଗୁଡ଼ାକ ଅତ୍ୟୁତ୍ସାହୀମାନଙ୍କ ପାଇଁ ସହଜଲଭ୍ୟ ହେବା ସଙ୍ଗେ ସଙ୍ଗେ ସମ୍ପ୍ରଦାୟ ନାମରେ ହଣାକଟା ହେବା ବି ଆରମ୍ଭ ହୋଇଗଲାଣି । ଆମ ଠାକୁରମାନେ ସତକୁସତ ଭଲ ପାଇବାର ପ୍ରତୀକ ହୋଇଥିଲେ ଆମ ସଂସାରରେ କଦାପି ଏତେ ହଣାକଟା ହୁଅନ୍ତା ନାହିଁ । ଆମ ଦେଉଳଗୁଡ଼ାକରେ ଗବାକ୍ଷ ଯେତିକି ଅଧିକ ପରିମାଣରେ ଖୋଲିବ, ଆମର ଜଗୁପ୍‍ସା ସେତିକି ଅପ୍ରୟୋଜନୀୟ ସାବ୍ୟସ୍ତ ହୋଇ ଆମକୁ ଛାଡ଼ି ଚାଲିଯିବ । (୧୯ । ୮ । ୮୭)

 

(୪)

 

ନିଜର ସଂସ୍କୃତିକୁ ଭଲପାଇବା ଏକ ଗୌରବର କଥା । ମାତ୍ର, ନିଜର ସଂସ୍କୃତିକୁ ସର୍ବପ୍ରଥମେ ଏକ ସଂସ୍କୃତି ବୋଲି ଭଲ ପାଇବାର କଥା ନା ତାହା ଆମ ନିଜର ସଂସ୍କୃତି ବୋଲି ତାହାକୁ ଭଲ ପାଇବାର କଥା ? ଅନେକ ମଣିଷ ଅଛନ୍ତି, ଯେଉଁମାନେ କେବଳ ନିଜର ସଂସ୍କୃତିକୁ ପ୍ରଧାନତଃ ନିଜର ସଂସ୍କୃତି ବୋଲି ଯେ ଭଲ ପାଆନ୍ତି କେବଳ ସେତିକି ନୁହେଁ , ନିଜର ସଂସ୍କୃତିକୁ ସେମାନେ ପୃଥିବୀଯାକର ସବୁ ସଂସ୍କୃତି ଅପେକ୍ଷା ଅଧିକ ଭଲ ବୋଲି ଦାବୀ କରନ୍ତି । ପୃଥିବୀରେ ତଥାକଥିତ ବହୁ ଧାର୍ମିକ ଲୋକ ଅଛନ୍ତି, ଯେଉଁମାନେ କି ନିଜର ଧର୍ମଟିକୁ ହିଁ ପୃଥିବୀଯାକର ଯାବତୀୟ ଧର୍ମଠାରୁ ଅଧିକ ସରସ ବୋଲି କହନ୍ତି । ଖାଲି କହନ୍ତି ନାହିଁ, ସେହି କହିବା ଅନୁସାରେ ସେମାନେ ଏତେ ଅଧିକ ପରିମାଣରେ ଅବିବେକୀଙ୍କ ପରି ଆଚରଣ କରନ୍ତି ଯେ, କେବଳ ଧର୍ମ ଲାଗି ନୁହେଁ, ପୃଥିବୀଟା ଲାଗି ମଧ୍ୟ ଅନେକ ପ୍ରମାଦର କାରଣ ହୁଅନ୍ତି । ନିଜର ଭାଷା, ନିଜର ସାହିତ୍ୟ–ଏଗୁଡ଼ିକୁ ମଧ୍ୟ ପ୍ରମତ୍ତ ମଣିଷମାନେ ଯେତେବେଳେ ସର୍ବଶ୍ରେଷ୍ଠ ବୋଲି ଘୋଷଣା କରି ପୃଥିବୀଯାକ ବାନା ଉଡ଼ାଇବେ ବୋଲି ବାହାରିଛନ୍ତି, ସେତେବେଳେ ସେମାନେ ଅଧିକତର ପରିମାଣରେ ପ୍ରମାଦ ହିଁ ସୃଷ୍ଟି କରିଛନ୍ତି । ଆମ ପୃଥିବୀରେ ମଣିଷ ମଣିଷ ଓ ଭାବ ଭାବ ମଧ୍ୟରେ ଦୂରତା ଗୁଡ଼ିକୁ ବଢ଼ାଇବାରେ ଭାରି ସହାୟତା ମଧ୍ୟ କରିଛନ୍ତି । ସେଥିଲାଗି ଆଧୁନିକ ଯନ୍ତ୍ର ତଥା ପ୍ରଚାରର କୌଶଳ ଗୁଡ଼ାକ ବଢ଼ିବା ସଙ୍ଗେ ସଙ୍ଗେ ଆମ ପୃଥିବୀରେ ସଂସ୍କୃତିଗୁଡ଼ାକ ବହ୍ୱାଡ଼ମ୍ବର ସହିତ ପ୍ରଦର୍ଶିତ ହେବା ସଙ୍ଗେ ସଙ୍ଗେ ତେଣେ ମଣିଷ ମଣିଷ ଭିତରେ ଓ ଦେଶ ଦେଶ ଭିତରେ କଳହ ବଢ଼ିଛି–ଘୃଣା ବଢ଼ିଛି, ଅସୂୟା ବଢ଼ିଛି, ଅବଜ୍ଞା ମଧ୍ୟ ବଢ଼ିଛି ଏବଂ ଆମ ପୃଥିବୀରେ କଳହଖୋରି ବଢ଼ିବା, ଅବଜ୍ଞା ଓ ଅସୂୟା ବଢ଼ିବା–ଏସବୁ କ’ଣ ସତକୁ ସତ ସଂସ୍କୃତି ବୃଦ୍ଧି ପାଉଥିବାର ପ୍ରମାଣ ?

 

ପ୍ରାୟ ଅଢ଼େଇ ହଜାର ବର୍ଷ ପୂର୍ବେ ସକ୍ରେଟିସ୍ ଏଥେନ୍‌ସ୍ ନଗରୀରେ ନାଗରିକମାନଙ୍କୁ ପ୍ରାୟ ଏହି ଧରଣର ଗୋଟିଏ ପ୍ରଶ୍ନ ପଚାରି ବୁଲୁଥିଲେ : କୌଣସି ଗୋଟିଏ ବସ୍ତୁ ପ୍ରକୃତରେ ଭଲ ବୋଲି ତାହା ଭଲ ନା ଆମେ ତାହାକୁ ଭଲ ବୋଲି କହୁଛୁ ବୋଲି ତାହା ଭଲ ? ପ୍ରକୃତରେ ଭଲ ବୋଲି କହିହେବ, ଏପରି ବସ୍ତୁ ପୃଥିବୀରେ ଅଛି କି ? ଅର୍ଥାତ୍‌ ଯାହା ପୃଥିବୀରେ ସବୁ ମଣିଷଙ୍କ ଲାଗି ଭଲ, ସୁସ୍ଥ ଓ ସୁଖଦ ହୋଇଥିବ, ସବୁ ଯୁଗରେ ମଧ୍ୟ ଯାହାକୁ ଭଲ ବୋଲି କୁହାଯିବ । ଟିକିଏ ସ୍ଵତନ୍ତ୍ର ପରିଭାଷା ଦେଇ କହିଲେ, ପୃଥିବୀରେ ଭଲ ବୋଲି ଏପରି ଏକ ବସ୍ତୁ କ’ଣ ରହିଛି, ଯାହାକି ଯାବତୀୟ କାଳଗତ ଏବଂ ସ୍ଥାନଗତ ଆପେକ୍ଷିକତାରୁ ମୁକ୍ତ ହୋଇ ରହିଥିବ ? ସଂସ୍କୃତି, ଧର୍ମ, ଭାଷା, ଏବଂ ସାହିତ୍ୟ ବିଷୟରେ ମଧ୍ୟ ଆମେ ସେହିଭଳି ଏକ ଜିଜ୍ଞାସା ଲାଗି ମନ କଲେ ଠିକ୍‍ ସେହି ପ୍ରଶ୍ନଟିକୁ ପଚାରି ପାରିବା । ପୃଥିବୀରେ ସଂସ୍କୃତି ବୋଲି କ’ଣ ପ୍ରକୃତରେ ଏପରି ଗୋଟିଏ ବସ୍ତୁ ରହିଛି, ଯାହାକୁ କି ଦେଶ ଓ କାଳର ନିର୍ବିଶେଷରେ ସଂସ୍କୃତି ବୋଲି କୁହାଯାଇ ପାରିବ ? ଆଉ ଗୋଟିଏ ବାଗରେ କହିଲେ ଏପରି ଏକ ଜୀବନ କ’ଣ ପୃଥିବୀରେ ଅଛି, ଯାହାକୁ କି ସକଳ ଦେଶରେ ଏବଂ ସକଳ କାଳରେ ଏକ ସଂସ୍କୃତିସ୍ଥ ଅର୍ଥାତ୍‍ ସଂସ୍କୃତିଶୀଳ ଜୀବନ ବୋଲି କୁହାଯାଇ ପାରିବ ? ଏପରି ଏକ ଧର୍ମ ରହିଛି, ଯାହାକୁ କି ଦେଶ ବା କାଳର ମୋଟେ କୌଣସି ଅପେକ୍ଷା ନକରି ଧର୍ମ ବୋଲି ଅବଶ୍ୟ କୁହାଯିବ ? ଆପଣାର ଏକ ପ୍ରଥମକାଳୀନ ଲେଖାରେ କାର୍ଲମାର୍କସ୍‍ ଗୋଟିଏ ପ୍ରସଙ୍ଗରେ କହିଛନ୍ତି, A man is great not because what he has, but because what he is;–ଏହି କଥାଟିକୁ ଆମେ ପ୍ରକୃତରେ କିପରି ଭାବରେ ବୁଝିବା ?

 

ମଣିଷ ନିଜର ବୋଲି ଯେଉଁସବୁ ବସ୍ତୁକୁ ଠୁଳ କରି ରଖିଛି, ସେହିଗୁଡ଼ାକର କାରଣରୁ ତାକୁ କଦାପି ବଡ଼ ବୋଲି କୁହାଯିବ ନାହିଁ । ମଣିଷ ଯାହା ହୋଇପାରିଛି, ତାହାରି ଗୁଣରେ ତାହାକୁ ପ୍ରକୃତରେ ବଡ଼ ବୋଲି କୁହାଯିବ । ଏହି ହେବାଟା ପୁଣି କେଉଁ ଭଳି ପଦାର୍ଥ ବା କେଉଁଭଳି ରୀତି ? ମଣିଷ ଆପଣାର ବୋଲି କେତେ ମିହନ୍ତ ଅଥବା କେତେ ବୁଦ୍ଧି ଖଟାଇ କେତେ କ’ଣ ଜମା କରି ରଖିଛି, ଅନ୍ୟ ଅନେକଙ୍କଠାରୁ ତାହା ପାଖରେ ଅଧିକ ରହିଛି ବୋଲି ସିଏ କେଡ଼େ ଖୁସି ହୋଉଛି, କେତେ ଗର୍ବ ଅନୁଭବ କରୁଛି । ଏସବୁ କ’ଣ ତା’ଲାଗି ପ୍ରକୃତରେ ବଡ଼ ବା ଅଧିକ ହୋଇ ପାରିବା ଲାଗି କିଛି ନୁହେଁ ? କେବଳ ଜଣେ ବ୍ୟକ୍ତିର ଜୀବନରେ ନୁହେଁ, ଗୋଟିଏ ସମଷ୍ଟି ବା ଜାତିର ଜୀବନରେ ମଧ୍ୟ ସମ୍ଭବତଃ ଏହି ପ୍ରଶ୍ନଟି ପଚରାଯାଇ ପାରବ । ଗୋଟିଏ ସମୂହରେ ଯେତେ ଯେତେ ବସ୍ତୁ ବା ସମ୍ପତ୍ତି ଠୁଳ ହୋଇ ରହିଛି, ଯାହାକୁ ଅନାଇ ଦେଲା ବେଳକୁ ମନ କୁଣ୍ଢେ ମୋଟ ହୋଇ ଯାଉଛି, ଏଗୁଡ଼ାକ କ’ଣ ସେହି ସମୂହ ବା ଜାତିକୁ ବଡ଼ ବୋଲି କହିବାର ଯଥେଷ୍ଟ ପ୍ରମାଣ ନୁହନ୍ତି ? ପୃଥିବୀରେ ଏବେ କେତେ ଗ୍ରନ୍ଥାଳୟ ରହିଛି, କେତେ ସଂଗ୍ରହାଳୟ ରହିଛି, ଏବର ମଣିଷ କେତେ କେତେ ଅଧିକ କଥାକୁ କେଡ଼େ ଟିକିନିଖି ଭାବରେ ଜାଣିଲାଣି । ଆଗକାଳରେ ଯୋଉ ମଣିଷ ଖୁବ୍‍ ବେଶି ହେଲେ କଚ୍ଛପ ବେଗରେ ହିଁ ବାଟ ଚାଲି ପାରୁଥିଲା, କଚ୍ଛପ ବେଗରେ ଭାବୁଥିଲା ଓ ଆପଣାର କାନ୍ଥଗୁଡ଼ାକ ଭିତରୁ ବାହାରିଲେ ତାକୁ ଭାରି ଡର ମାଡ଼ୁଥିଲା, ଏବେ ସେହି ମଣିଷ ଘୋଡ଼ା ପରି ଧାଇଁବାକୁ ସମର୍ଥ ହେଲାଣି । ବାହାରେ ଭିତରେ ଉଭୟ କ୍ଷେତ୍ରରେ ହିଁ ସିଏ ସହସ୍ରଶିରା ହୋଇ ଧାଇଁ ପାରିଲାଣି । ଏଇ ସବୁଥିରୁ କ’ଣ ଆମେ ଆଧୁନିକ ମଣିଷକୁ ଅଧିକ ସଂସ୍କୃତିସମ୍ପନ୍ନ ବୋଲି କହି ପାରବା ନାହିଁ ? ବସ୍ତୁ ବଢ଼ିଲେ ହିଁ ମଣିଷର କ୍ଷମତା ବଢ଼େ, କଳନାଗୁଡ଼ାକ ମଧ୍ୟ ବଢ଼ିବା ଲାଗି କ୍ଷେତ୍ର ପାଆନ୍ତି । ମାତ୍ର ଏହିସବୁ ବୃଦ୍ଧି ଦ୍ଵାରା ତା’ର ସଂସ୍କୃତି ମଧ୍ୟ ବଢ଼ିଯାଏ କି ? ଅଧିକ ବହି ଲେଖାଗଲେ ଏବଂ ଲେଖକମାନେ ସ୍ଥୂଳ ଅଣଲେଖାମାନଙ୍କର ଦରବାରରୁ ମୋଟାମୋଟା ପୁରସ୍କାର ପାଇଲେ ସାହିତ୍ୟ ବି ପ୍ରକୃତରେ ବଢ଼େ କି ? ଅର୍ଥାତ୍‍, ସାହିତ୍ୟ ଲାଗି ଆମ ଜୀବନ ଭିତରେ ଅଧିକ ଥାନ ସମ୍ଭବ ହୁଏ କି ? ଦେଉଳମାନଙ୍କର ସଂଖ୍ୟା ବୃଦ୍ଧି ହେଲେ ମଣିଷର ଧର୍ମଭାବ ବଢ଼େ କି, ତା’ର ଦେବଗୁଣ ଗୁଡ଼ିକ ବିକଶିତ ହେବାଲାଗି ଅଧିକ ଅନୁକୂଳତା ପାଆନ୍ତି କି ?

 

ହୁଏତ ବର୍ତ୍ତମାନ ପୃଥିବୀରେ ଅଧିକାଂଶ ମଣିଷ ଏସବୁ ପ୍ରଶ୍ନ ପଚାରୁ ନାହାନ୍ତି । ବିଶେଷତଃ ଯେଉଁମାନେ କ୍ଷମତାରେ ଅଛନ୍ତି, ସେମାନେ ଆଦୌ ପଚାରୁ ନାହାନ୍ତି । ଏସବୁ ପଚାରିବାକୁ ଭତ୍ତାଖିଆ ପଣ୍ଡିତମାନେ ଅନାବଶ୍ୟକ ବୋଲି କହୁଛନ୍ତି । ହୁଏତ ଏକଥା ମଧ୍ୟ ହୋଇପାରେ ଯେ, ସେମାନେ ଏସବୁ ପ୍ରଶ୍ନ ପଚାରିବା ଲାଗି ଭୟ କରୁଛନ୍ତି । ନିଜକୁ ପଚାରିବା ଲାଗି ହୁଏତ ଆହୁରି ଅଧିକା ଭୟ କରୁଛନ୍ତି । ତେଣୁ ପୃଥିବୀରେ ପଇସା ବଢ଼ିବଢ଼ି ଚାଲିଛି । କ୍ଷମତା ବଢ଼ି ବଢ଼ି ଚାଲିଛି, ପଇତାଗୁଡ଼ାକ ତୋରାରୁ ଅଧିକ ତୋରା ହେବାରେ ଲାଗିଛନ୍ତି । ଅନେକେ ଭାବୁଛନ୍ତି, ଏତିକି ଯଥେଷ୍ଟ; ଏହାଠାରୁ ଅଧିକ ବିଷୟରେ ମୁଣ୍ଡ ପୂରାଇଲେ ଦୁଃଖ ହିଁ ବଢ଼ିବ, ଆଡ଼ମ୍ବର ଗୁଡ଼ାକ ସବୁ ମାରା ହୋଇଯିବ,–ନିଜ ଭିତରକୁ ଅନାଇବାର ଏବଂ ପରସ୍ପରକୁ ଅସଲ ପ୍ରଶ୍ନଗୁଡ଼ିକ ପଚାରିବା ଲାଗି ବାଧ୍ୟ ହେବାକୁ ପଡ଼ିବ । ଅସଲ ପ୍ରଶ୍ନଗୁଡ଼ିକ କରିବାକୁ ଯେଉଁମାନେ ଭୟ କରୁଛନ୍ତି, ସେମାନେ ଏହି ସଂସାରକୁ ଅନିତ୍ୟ ମଣୁଛନ୍ତି, ଜୀବନଟାକୁ ଜୀବନଗୁଡ଼ିକୁ ଏକାଠି ବାନ୍ଧି ରଖିଥିବା ଶ୍ରଦ୍ଧାଗୁଡ଼ିକୁ ମାତ୍ର ଦି’ଦିନର ବୋଲି ମଣୁଛନ୍ତି । ଯାହା ଏକାନ୍ତ ଅନିତ୍ୟ, ସେଥିରେ ପୁଣି ମୂଲ୍ୟର, ସତ୍ୟର ଜିଜ୍ଞାସାମାନ କାହିଁକି କରାଯିବ ? ଆଖିକୁ ଯେତିକି ଦିଶୁଛି, ଭାଗ୍ୟ ହେଉ କିମ୍ବା ଆଉ କୌଣସି ହେତୁ ହେଉ, ଆମେ ଭୋଗ କରିବା ଲାଗି ଆମ ଚାରିପାଖରେ ଯେଉଁ ସରଞ୍ଜାମଗୁଡ଼ିକ ଆମକୁ କେଡ଼େ ଦୃଶ୍ୟ ଭାବରେ ପାଖକୁ ଡାକୁଛନ୍ତି,–ଏହି ଅଳପ ଦିନର ସଂସାରରେ ସେତିକି ଭିତରେ ରହିଲେ କ୍ଷତିଟା ବି କ’ଣ ? ଏହି ଯାବତୀୟ ବସ୍ତୁକୁ ମୁଁ ମୋ’ର ବୋଲି କହିବି, ମୋ’ର ବୋଲି କହିବାରୁ ହିଁ ଆପଣଙ୍କୁ ବଡ଼ ବୋଲି ଅନୁଭବ କରିବି–ଏତିକିକୁ ଯଥେଷ୍ଟ ବୋଲି ମାନିନେଲେ କୋଉ ଭଗବାନଙ୍କର କ’ଣ ବା ମାରା ହୋଇଯାଉଛି ? ତେଣୁ ଆଗେ ଭୋଗ କରିବାକୁ ଦିଅ, ଆଗ ଗିଳି ପକାଇବାକୁ ଦିଅ, ଆଉ ଶୋଇ ପଡ଼ିବାକୁ ଦିଅ । ତା’ପରେ ଯାହା ହେବ ବା ନ ହେବ, ସେକଥା ଦେଖାଯିବ।

 

ଶ୍ରୀ ଅରବିନ୍ଦ ଏହିଭଳି ମଣିଷମାନଙ୍କୁ Philistine ବା ସଂସ୍କୃତିଭୋଜୀ ବୋଲି କହିଛନ୍ତି । ଏକ ସଭ୍ୟତାକୁ ଯେଉଁମାନେ ସତେଅବା ଭୋଜନ କରିବାର ଏକ ସାମଗ୍ରୀ ବୋଲି ମନେ କରନ୍ତି, ସଚରାଚର ସେହିମାନେ ହିଁ ସଂସ୍କୃତି ଭୋଜୀ ହୁଅନ୍ତି । ସଭ୍ୟତା ବହୁଗୁଣିତ ହେଲେ ସଂସ୍କୃତି ମଧ୍ୟ ବହୁଗୁଣିତ ହୁଏ ବୋଲି ବିଶ୍ଵାସ କରନ୍ତି । ଅଧିକାର ତଥା ଉପଭୋଗ ବଢ଼ିଲେ ତେଣେ ହୃଦୟ ମଧ୍ୟ କୁସୁମିତ ହୁଏ ବୋଲି ଭାବୁଥାନ୍ତି । ସେମାନେ ମତ୍ତବାରଣ ବନି ଅତି ପ୍ରବଳ ଭାବରେ କମଳବନକୁ ଧ୍ଵଂସ କରୁଥାନ୍ତି । ପଇସା ଖରଚ କଲେ ଅଥବା ରାଜା ପରି ହୁକୁମ ଦେଲେ କମଳବନ ଗୁଡ଼ାକୁ ଠିକାରେ ନେଇ ହେବ ବୋଲି ଆଣ୍ଟ ରଖିଥାନ୍ତି । ଠିକା ନେଇହେବ ଏବଂ ତା’ପରେ ମନ ଆନନ୍ଦରେ ଜୁର କରାଯାଇ ପାରିବ । ସଂସାରରେ ବହୁତ କିଛିକୁ ଜୁର କରିବାରେ ସେମାନେ ନିମିତ୍ତ ହୋଇ ରହିଥାନ୍ତି । (୨୫ । ୮ । ୮୭)

 

(୫)

 

ନୃତତ୍ତ୍ଵବିଜ୍ଞାନର ଗବେଷଣା ବଢ଼ିବା ସଙ୍ଗେସଙ୍ଗେ ଯେତେବେଳେ ନିଜର ସ୍ଥାନୀୟ ଅଥବା ଜାତୀୟ ସଂସ୍କୃତିଟି ବ୍ୟତୀତ ଏକାବେଳକେ ଆହୁରି ଅନ୍ୟ ଅନେକ ସଂସ୍କୃତି ସହିତ ଆଧୁନିକ ମଣିଷର ପରିଚୟ ବଢ଼ିଗଲା, ସେତେବେଳେ ଆମ ପୃଥିବୀରେ ସାଂସ୍କୃତିକ ମୂଲ୍ୟବୋଧର କ୍ଷେତ୍ରରେ ଏକ ମୂଳଭୁତ ଦଷ୍ଟି ପରିବର୍ତ୍ତନ ଘଟିଲା । ଆଗେ ମଣିଷମାନେ ନିଜନିଜର ସାନ ସାନ ବାଡ଼ି ଭିତରେ ବନ୍ଦୀ ହୋଇ ରହିଥିଲେ । ନିଜ ସଂସ୍କୃତିକୁ ସେମାନେ ଏକମାତ୍ର ଯଥାର୍ଥ ସଂସ୍କୃତି ବୋଲି କହୁଥିଲେ । ଅନ୍ୟପ୍ରକାରେ ଭାବିବା ଲାଗି କିମ୍ବା କହିବା ଲାଗି ହୁଏତ ଅନ୍ୟକୌଣସି ଚାରା ନଥିଲା । ଅତୀତରେ ଗୋଟିଏ ଗୋଟିଏ ଦେଶର ଲୋକେ ଆପଣାର ଭୂମିଟିକୁ ବିଶ୍ଵର ଏକାବେଳକେ କେନ୍ଦ୍ରସ୍ଥଳରେ ଅବସ୍ଥିତ ବୋଲି ବିଶ୍ଵାସ କରୁଥିଲେ । ଚୀନା ଭାଷାରେ ଚୀନ ଦେଶକୁ ‘ଚୁଙ୍ଗ୍‌ କୋ’ ବୋଲି କୁହାଯାଉଥିଲା । ‘ଚୁଙ୍ଗ୍‌ କୋ’ ଶବ୍ଦଟିର ଅର୍ଥ ହେଉଛି କେନ୍ଦ୍ରରେ ଅବସ୍ଥିତ ଦେଶ । ଜାପାନର ଲୋକେ ଆପଣାର ଦେଶକୁ ବହୁ ଶତାବ୍ଦୀ ଧରି ‘ସୂର୍ଯ୍ୟୋଦୟର ଦେଶ’ ବୋଲି କହି ଆସିଛନ୍ତି । ପୃଥିବୀରେ ସବୁ ଭୂଖଣ୍ଡ ଓ ସବୁ ଦେଶରେ ସକାଳ ହୁଏ ସକାଳ ହେଲେ ସୂର୍ଯ୍ୟ ଅଲବତ ଉଦୟ ହୁଅନ୍ତି ବୋଲି ଜାଣିଥିଲେ ମଧ୍ୟ ଗୋଟିଏ ଦେଶର ଲୋକେ ନିଜ ଦେଶଟିକୁ ହିଁ ଅଲିଅଳରେ ସୂର୍ଯ୍ୟୋଦୟର ଦେଶ ବୋଲି କହନ୍ତି । ପୃଥିବୀ ହେଉଛି ଏକ ଗୋଲକ । ତେଣୁ ଏହି ପୃଥିବୀରେ ଯେକୌଣସି ଭୂମି ବା ଏପରିକି ବିନ୍ଦୁକୁ ପୃଥିବୀ ଗୋଲକର କେନ୍ଦ୍ରବିନ୍ଦୁ ବା କେନ୍ଦ୍ର ଭୂମି ବୋଲି କୁହାଯାଇ ପାରିବ । ତଥାପି ଗୋଟିଏ ଭୂମିର ଅଧିବାସୀମାନେ ଯେ ନିଜର ତଥାକଥିତ ଭୂମିଟିକୁ ପୃଥିବୀର କେନ୍ଦ୍ର ବୋଲି କହୁଛନ୍ତି ଏବଂ ସେଥିରୁ ଭାରି ଆଶ୍ୱାସନା ମଧ୍ୟ ଲାଭ କରୁଛନ୍ତି, ମନୁଷ୍ୟ ଅନ୍ଦାଜର ନାନା ମନୋରମ ଘଟଣା ଭିତରେ ଇଏ ବି ଗୋଟିଏ ।

 

ନକ୍ଷତ୍ର–ପରିଚିତିର ଏକ ପ୍ରଥମ କାଳରେ ଜାଣିବା ଶୁଣିବା ମଣିଷମାନେ ମଧ୍ୟ ବିଶ୍ଵାସ କରୁଥିଲେ ଯେ, ପୃଥିବୀ ଆକାଶର ସବୁଯାକ ଗ୍ରହନକ୍ଷତ୍ରଙ୍କ ମଝିରେ ରହିଛି । ସତେ ଅବା ପୃଥିବୀ ସବା ମଝିରେ ରାଣୀ ହୋଇ ବସିଛି ଓ ଅନ୍ୟାନ୍ୟ ଗ୍ରହ ଓ ନକ୍ଷତ୍ର ଭୃତ୍ୟ ପରି ତାର ଚତୁର୍ଦ୍ଦିଗରେ ବେଢ଼ି ରହି ତାହାର ସେବା ଖଟୁଛନ୍ତି । ଏପରି କଳ୍ପନା କରି ସେତେବେଳର ମନୁଷ୍ୟ ପ୍ରକୃତରେ କେତେ ଗୌରବ ଅନୁଭବ କରି ନଥିବ । ଏହି ପୃଥିବୀରେ ଏକାଧିକ ମଣିଷଙ୍କ ପାଖରେ ସ୍ଵୟଂ ଦାସ ବା ଅଧସ୍ତନ ହୋଇ ସେବା ଖଟୁଥିଲେ ମଧ୍ୟ ସିଏ ତଥାପି ଆପଣାକୁ ଅନ୍ତତଃ ସେହି ସମୟଟି ନିମନ୍ତେ ସତେଅବା ରାଣୀ ବୋଲି ମନେ କରିଥିବ । ପୃଥିବୀ ଅନ୍ୟାନ୍ୟ ଗ୍ରହମାନଙ୍କ ପରି ବୁଲୁଛି ଏବଂ ସୂର୍ଯ୍ୟ ହିଁ ମଝିରେ ସଦା ସ୍ଥିର ହୋଇ ରହିଛି ବୋଲି କହିଥିବା ସେହି ମଧ୍ୟଯୁଗର ପ୍ରଥମ ଗଣକମାନଙ୍କୁ ପ୍ରକୃତରେ ଅନେକ ସାହସ କରିବାକୁ ପଡ଼ିଥିବ । ସାହସୀ ଭିନ୍ନ ମତକୁ ହିଁ ସ୍ଵୀକୃତ ପାରମ୍ପରିକ ମତ ପାଖରେ ଅନେକ ଗଞ୍ଜଣା ଓ ଶାସ୍ତି ଭୋଗିବାକୁ ପଡ଼ିଥାଏ । ଗୁଆର୍ଡ଼ିଆନୋ ବ୍ରୁନୋଙ୍କୁ ନିଆଁରେ ପୋଡ଼ି ମାରି ଦିଆଗଲା, ଗାଲିଲିଓଙ୍କୁ ବନ୍ଦୀଶାଳାକୁ ଯିବାକୁ ପଡ଼ିଲା ଏବଂ ଭାଗ୍ୟବଶତଃ ପୋଲାଣ୍ଡର ସମାଜକର୍ତ୍ତାମାନେ ସେତେବେଶି ଅନୁଦାର ନଥିଲେ ବୋଲି ଠିକ୍‍ ସେହି ତଥ୍ୟର ଘୋଷଣା କରି ମଧ୍ୟ କୋପର୍‍ ନିକସ୍‍ ବିଚରା ରକ୍ଷା ପାଇଗଲେ । ରକ୍ଷଣଶୀଳତା ସାଧାରଣତଃ ବଡ଼ ଅଭିମାନୀ ହୋଇଥାଏ ଏବଂ ସେହି ଅଭିମାନ ସହିତ ଯଦି ତଥାକଥିତ ଈଶ୍ଵର–ବିଶ୍ଵାସଗୁଡ଼ାକୁ ଅଧିକ ପୁଟ ଦେଇ ତାହାକୁ ଉଗ୍ର ଓ ଉତ୍ତେଜିତ କରି ରଖିଥାଏ, ତେବେ ତାହା ବହୁ କ୍ରୂରତାର କାରଣ ହୋଇଥାଏ । ପୃଥିବୀର ଇତିହାସରେ ଏହି କଥା ବହୁବାର ଘଟିଛି, ଏବେ ମଧ୍ୟ ଘଟୁଛି । ଆମ ସଂସ୍କୃତିର କ୍ଷେତ୍ରରେ ମଧ୍ୟ ଘଟୁଛି, ଘଟୁଛି । ଯାହା ମୋ’ର ତାହା ଜଗତଯାକରେ ସର୍ବଶ୍ରେଷ୍ଠ; ମୁଁ ଯେଉଁ ଦେଶରେ ବାସ କରୁଛି, ତାହା ସବୁଦେଶର ରାଣୀ । ଏଗୁଡ଼ାକ ଆଜି ମଧ୍ୟ ବହୁତ ମଣିଷକୁ କାମୁଡ଼ି କରି ଧରିଛି । ଅନେକ ସମୟରେ ମଣିଷକୁ କିଛି କାମୁଡ଼ି କରି ଧରିଥିଲେ ତାହା ତାକୁ ସତେଅବା ଅଶେଷ ଆନନ୍ଦ ଓ ପରିତୃପ୍ତି ଆଣି ଦେଇଥାଏ । ବହୁ ମଣିଷ କେବଳ ଆପଣାଟିକୁ ଭଲ ପାଆନ୍ତି । ଅଳପଟିକୁ ସେମାନେ ଏଡ଼େବଡ଼ କରି ଦେଖିଥାଆନ୍ତି । କେତେ ଆନନ୍ଦ ଲାଭ କରନ୍ତି । କେତେ ଅତ୍ୟାନୁରାଗୀ ହୋଇ ରହିଥାନ୍ତି ଏବଂ ସେଇଟାକୁ ହିଁ ସଂସ୍କୃତିସ୍ଥ ହୋଇ ରହିବା ବୋଲି କହୁଥାନ୍ତି । ସେମାନେ ସତ୍ୟକୁ ଭଲ ପାଆନ୍ତି ନାହିଁ; ନିଜ ଘରେ, ଅର୍ଥାତ୍‍ ନିଜ ଧର୍ମରେ, ନିଜ ଶାସ୍ତ୍ରରେ ଅଥବା ନିଜ ଦେଶ ଭିତରେ କିଳି ହୋଇ ରଖାଯାଇଥିବା ଅର୍ଦ୍ଧସତ୍ୟ ବା ଅଳପ ଗୁଡ଼ାକୁ ଜାବୁଡ଼ି ଧରିଥାନ୍ତି । ଜାବୁଡ଼ି ଧରିବାକୁ ହିଁ ଭଲ ପାଇବା ବୋଲି କହୁଥାନ୍ତି ।

 

ଭାରତବର୍ଷକୁ ସେହି ପ୍ରଥମ କାଳରେ ଦେବଭୂମି ବୋଲି କୁହାଯାଉଥିଲା । କହିବା ବାହୁଲ୍ୟ, ଏହି ଭାରତବର୍ଷର ଲୋକମାନେ ହିଁ ସେପରି କହୁଥିଲେ ଓ ବିଶ୍ଵାସ କରୁଥିଲେ । ବଡ଼ମାନେ ଅର୍ଥାତ୍ ଅଧିକ ଜାଣିଥିବା ପ୍ରଭାବଶାଳୀ ଲୋକମାନେ କହୁଥିଲେ ଏବଂ ସାଧାରଣମାନେ ତାହାକୁ ସତ୍ୟ ବୋଲି ପଇଟାଇ ରଖୁଥିଲେ । ଅଫିମଟାକୁ ହିଁ ଉପର ସ୍ତରରେ କେଡ଼େ ଆଡ଼ମ୍ବରମୟ ସନ୍ତର୍ପଣରେ ଜ୍ଞାନ ବୋଲି କୁହାଯାଉଥିଲା ଏବଂ ତଳ ଆବରମାନଙ୍କର ସ୍ତରରେ ବିଶ୍ଵାସ ବୋଲି କୁହାଯାଉଥିଲା । ଦେବଭୂମି ଅର୍ଥାତ୍‍ ଦେବତାମାନଙ୍କର ଭୂମି । ଅର୍ଥାତ୍ ଏହି ଭୂମିରେ ଖାସ୍‍ ଦେବତାମାନେ ହିଁ ବାସ କରନ୍ତି । ଭାରତବର୍ଷରେ ସେତେବେଳେ ବାସ କରୁଥିବା ସବୁ ମଣିଷଙ୍କୁ ସୁମାରିକୁ ନେଇ ଯେ ଏହି ମନୁଷ୍ୟଖଣ୍ଡଟିକୁ ଦେବଭୂମି ବୋଲି କୁହାଯାଉଥିଲା , ସେକଥା ଆଦୌ ନୁହେଁ । ଅଥବା, ଭାରତବର୍ଷର ବାହାରେ ବାସ କରୁଥିବା ଅନ୍ୟମାନେ ଯେ ଭାରତବର୍ଷକୁ ଦେବଭୂମି ବୋଲି କହୁଥିଲେ, ସେକଥା ମଧ୍ୟ ନୁହେଁ । ଆପଣାକୁ ଆର୍ଯ୍ୟ ବୋଲି କହୁଥିବା ଉତ୍ତର ଭାରତର ଏକ ପ୍ରଜାତି ହିଁ ଆପଣା ଭୂମିଟିର ସେହିଭଳି ନାମକରଣ କରିଥିଲା । ତା’ପରେ କେତେ ହଜାର ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏବେବି କେତେକ ଲୋକ ସେହିପରି ବିଶ୍ଵାସ କରୁଛନ୍ତି ଓ ସେଥିରୁ ବହୁଳ ଆନନ୍ଦ ଲାଭ କରୁଛନ୍ତି । ଗତ ଅନେକ ହଜାର ବର୍ଷ ମଧ୍ୟରେ ଏହି ଅନ୍ତରୀପଟିରେ ଏତେ ବିଭିନ୍ନ ପ୍ରକାର ଜାତି ଓ ପ୍ରଜାତି ଗୋଳିଆମିଶା ହୋଇ ଯାଇଛନ୍ତି ଯେ, ବର୍ତ୍ତମାନ ଏଠି କିଏ ଆର୍ଯ୍ୟ କିଏ ଦ୍ରାବିଡ଼ ବା କିଏ ଆଗ୍ନେୟ, ସେକଥା କହିବା ପ୍ରକୃତରେ କାଠିକର ପାଠ ହେବ । ତଥାପି ଆମ ଭିତରେ ଅନେକ ନିଜକୁ କେବଳ ଆର୍ଯ୍ୟ ବୋଲି ଅନୁଭବ କରନ୍ତି । ଆର୍ଯ୍ୟମାନଙ୍କୁ ହିଁ ଶୁଦ୍ଧ ବୋଲି ଧରି ନେଉଥିବାରୁ ସେମାନେ ନିଜକୁ ଶୁଦ୍ଧ ମଣନ୍ତି ଓ ସେଇଥିରୁ ସତେଅବା ପେଟେ ଆନନ୍ଦ ପାଆନ୍ତି ।

 

ଭାରତୀୟମାନେ ସେ କାଳରେ ନିଜର ଭୂମିଟିକୁ ଦେବଭୂମି ବୋଲି କହୁଥିଲେ । ଯେଉଁମାନେ ଏପରି କହୁଥିଲେ, ନିଜର ଭାଷାକୁ ବି ସେମାନେ ଦେବଭାଷା ବୋଲି କହୁଥିଲେ । ନିଜକୁ ଦେବତା ବୋଲି କହୁଥିବା ବରିଷ୍ଠ ମଣିଷମାନେ ନିଜର ଭାଷାଟାକୁ ମଧ୍ୟ ଦେବଭାଷା ବୋଲି କହି ନଥାଆନ୍ତେ ତ ଆଉ କ’ଣ ବୋଲି କହିଥାନ୍ତେ ? ଯାହା ଦେବଭାଷା, ତାହା ବିଶ୍ଵରେ ବିରଳ । ସଂସ୍କୃତ ଭାଷାକୁ ଏବେ ମଧ୍ୟ କେତେକ ଭାରତୀୟ ଦେବଭାଷା ବୋଲି କହୁଛନ୍ତି । ନିଜକୁ ବିଶ୍ଵରେ ସତେଅବା ବିରଳ ବୋଲି ଭାବୁଥିବା ବରିଷ୍ଠ ମଣିଷମାନେ ନିଜର ଭାଷାଟାକୁ ମଧ୍ୟ ବିଶ୍ଵରେ ବିରଳ ବୋଲି କହିବା ଅତ୍ୟନ୍ତ ସ୍ଵାଭାବିକ । ଆର୍ଯ୍ୟନାମକ ଏକ ପ୍ରଜାତି ମଧ୍ୟ-ଏସିଆରୁ ଏକଦା ଭାରତବର୍ଷକୁ ଆସିଛନ୍ତି ବୋଲି ଏକ ବହୁସମର୍ଥିତ ତଥ୍ୟ ରହିଥିଲେ ମଧ୍ୟ ଅନେକ ଭାରତୀୟ ମୂଳତଃ ଅଭିମାନରେ ଭାରତୀୟମାନେ ମୋଟେ ବାହାରୁ କେଉଁଠାରୁ ହେଲେ ଆସି ନାହାନ୍ତି ବୋଲି ଏକ ଅନ୍ୟ ସିଦ୍ଧାନ୍ତର ପ୍ରତିଷ୍ଠା କରିବାକୁ ପ୍ରୟାସ କରିଛନ୍ତି । ଆର୍ଯ୍ୟଭୂମି କହିଲେ କେବଳ ଭାରତକୁ ବୁଝାଏ ବୋଲି ସେମାନେ ଜିଦ୍‍ କରି କହିବାକୁ ଇଚ୍ଛା କରିଛନ୍ତି । ଭାରତବର୍ଷ ହିଁ ଆର୍ଯ୍ୟମାନଙ୍କର ଏକମାତ୍ର ଯୋଗ୍ୟ ଭୂମି, ଓଲଟାଇ କହିଲେ ଆର୍ଯ୍ୟମାନେ ହିଁ ଭାରତବର୍ଷର ଏକମାତ୍ର ଯୋଗ୍ୟ ଅଧିବାସୀ । ଦୁହେଁ ଏକାବେଳକେ ଦୁହିଁଙ୍କ ଲାଖି । ତେଣୁ ଆବହମାନ କାଳରୁ ଆର୍ଯ୍ୟମାନେ ଏହି ଭାରତ ଭୂମିରେ ହିଁ ରହିଥିଲେ; ସେମାନେ କଦାପି ଏଠାକୁ ଅନ୍ୟ କୌଣସି ଭୂମିରୁ ଆସିନାହାନ୍ତି । ଆର୍ଯ୍ୟ ସଂସ୍କୃତି କହିଲେ ଆମ ଦେଶରେ ଅନେକ ମଣିଷ ସତେଅବା ରଣପା ଚଢ଼ି ଏକାବେଳକେ ସ୍ଵର୍ଗକୁ ଉହୁଙ୍କି ଯିବା ପରି ଅନୁଭବ କରନ୍ତି । ଓଡ଼ିଶାରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କର ‘ଆର୍ଯ୍ୟ-ଜୀବନ’ ବହିଟିକୁ ପଢ଼ି ଅନେକେ ପ୍ରାୟ ସେହିପରି ଏକ ଉଲ୍ଲାସ ଅନୁଭବ କରନ୍ତି । ଉତ୍ତର ଓ ଦକ୍ଷିଣ ଭାରତର ମଝିରେ ପ୍ରାୟ ସେତୁଟିଏ ପରି ଅବସ୍ଥିତ ରହିଥିବା ଏହି ଓଡ଼ିଶାରେ ବହୁ ରକ୍ତ ଓ ବହୁ ସଂସ୍କୃତିର ମିଶ୍ରଣ ଏବଂ ପ୍ରତିମିଶ୍ରଣ କୋଉ କାଳରୁ ଲାଗି ରହିବାରୁ ଏଠି ସତକୁ ସତ ଆର୍ଯ୍ୟ କିଏ ବା ସତକୁ ସତ ହିନ୍ଦୁ କିଏ, ତାହା କହିବା ଆଦୌ ସହଜ ହେବନାହିଁ । ତଥାପି ମଣିଷ ଯଦି ଉଲ୍ଲସିତ ହେବାକୁ ଇଚ୍ଛା କରିବ, ତେବେ ନିଜକୁ ଗୋଟାଏ ଓଜନିଆ ଦଉଡ଼ି ସହିତ ଯୋଡ଼ି ଉଲ୍ଲସିତ ହେବାକୁ କ’ଣ ମନା ଅଛି ?

 

ଏବେ ତ ଲୋକେ କୁହାକୁହି ହେଲେଣି ଯେ, ଆର୍ଯ୍ୟମାନେ ମଧ୍ୟଏସିଆରୁ ଆସି ନାହାନ୍ତି, ସେମାନେ ସବା ପ୍ରଥମେ ଏହି ଭାରତ ଭୂମିରେ ମଧ୍ୟ ନଥିଲେ–ସେମାନେ ଏହି ମର୍ତ୍ତ୍ୟମଣ୍ଡଳରେ ମୋଟେ କେଉଁଠି ହେଲେ ନଥିଲେ । ସେମାନେ ଆଉ ଏକ ମଣ୍ଡଳରୁ ଅନ୍ତରୀକ୍ଷରୁ ଏହି ଭୂମିକୁ ଡେଇଁ ପଡ଼ିଛନ୍ତି । ଅନ୍ତରୀକ୍ଷର ସେହି ମଣ୍ଡଳକୁ କଳ୍ପନାର ଏକ ସଙ୍ଗତି ଯୋଡ଼ିଦେଇ ସ୍ଵର୍ଗ ବୋଲି କୁହାଯାଇଛି । ଆମେ ଆର୍ଯ୍ୟମାନେ ସେହି ଊର୍ଦ୍ଧ୍ୱମଣ୍ଡଳରୁ ଆସିଛୁ । ପୃଥିବୀର ଅନ୍ୟ କୌଣସି ଜାତି ଅଥବା ସଂସ୍କୃତିର ଦନ୍ତକଥାରେ ଏତେ ଅଧିକ ସାହସପୂର୍ଣ୍ଣ କୌଣସି କାହାଣୀର ଉଲ୍ଲେଖ ରହିଛି କି ନାହିଁ, ତାହାର ଅବଶ୍ୟ ଏକ ଅନୁସନ୍ଧାନ କରା ଯାଇପାରେ । ସାହସୀ ମଣିଷମାନେ ସାହସ କରୁକରୁ କଳ୍ପନାର ଯେଉଁ ଉଚ୍ଚ ଅବାନ୍ତରତା ଗୁଡ଼ିକୁ ଉଠି ଯାଆନ୍ତି, ଅନେକ ସମୟରେ ସେହିଗୁଡ଼ିକୁ ହିଁ ସତ୍ୟ ବୋଲି ଗ୍ରହଣ କରି ନିଅନ୍ତି । କାହାଣୀରେ ଉପନ୍ୟାସ ଗୁଡ଼ିକୁ ଅନେକ ମଣିଷ ଯେପରି ବିହ୍ଵଳ ଭାବରେ ଇତିହାସ ବୋଲି ମନେ କରି ନିଅନ୍ତି, ଏହି କ୍ଷେତ୍ରରେ ପ୍ରାୟ ସେହିପରି ଘଟିଥାଏ । ସଂସ୍କୃତି କହିଲେ କିଏ କେତେ ଅଳପକୁ ଅଥବା କେତେ ଅଧିକକୁ ବୁଝେ, ସେହି ଅନୁସାରେ ଆମ ସଂସ୍କୃତିର ଚଉହଦୀଗୁଡ଼ିକ ନିର୍ଣ୍ଣିତ ହୋଇଥାଏ । ସଂସ୍କୃତି କହିଲେ କିଏ ଘରର ଗବାକ୍ଷଗୁଡ଼ିକୁ ଖୋଲିଦେବାକୁ ବୁଝନ୍ତି ତ ଆଉ କିଏ ନିଜର କବାଟଟାକୁ କିଳିଦେଇ ଅନନ୍ୟ ହୋଇ ଦିଶିବାକୁ ମଧ୍ୟ ବୁଝନ୍ତି । ନିଜର ସଂସ୍କୃତିକୁ ହିଁ ସବୁଠାରୁ ଅଧିକ ତୋରା ବୋଲି ଦେଖାଇ ଦେବାକୁ ହିଁ ଅନେକ ମଣିଷ ସଂସ୍କୃତି ଭିତରେ ପଶିବା ଲାଗି ମନ କରିଥାନ୍ତି । କେବଳ ଭାରତବର୍ଷରେ ନୁହେଁ, ପୃଥିବୀର ବହୁ ଦେଶରେ ମଧ୍ୟ ଏହିପରି ଭାବରେ ଘରଗୁଡ଼ାକୁ କିଳି ରଖି ମଣିଷମାନେ ନିଜକୁ ଅସାଧାରଣ ବୋଲି କହିଛନ୍ତି ଓ ସେଥିଲାଗି ଗୌରବ ଓ ଗର୍ବ ଅନୁଭବ କରିଛନ୍ତି । ଏମାନେ ଅସଲ ଗୌରବଠାରୁ ଯୋଜନ ଯୋଜନ ଦୂର ହୋଇ ରହି ଯାଇଛନ୍ତି । ମହାକାଳରେ ଆଖିରେ ଭାରି ଖର୍ବ ହୋଇ ରହିଛନ୍ତି । ସଂକ୍ରମଣକୁ ଡରିଛନ୍ତି, ବୃହତ୍ତରକୁ ଡରିଛନ୍ତି ।

 

କବିର ଆଖିରେ ସୂର୍ଯ୍ୟୋଦୟ ଯେତିକି ସୁନ୍ଦର, ସୂର୍ଯ୍ୟାସ୍ତ ମଧ୍ୟ ସେତିକି ସୁନ୍ଦର । ଯେଉଁମାନେ ଭାରତର କନ୍ୟାକୁମାରୀଠାରେ ଉଭୟ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତକୁ ସ୍ଵଚ୍ଛ ଭାବରେ ଦେଖିଛନ୍ତି, ସେମାନେ ସମସ୍ତେ କବି ନ ହୋଇଥିଲେ ମଧ୍ୟ ସେହି ସତ୍ୟଟିକୁ ଅବଶ୍ୟ ଉପଲବ୍‌ଧି କରିଥିବେ । ଗୋଟିକୁ ସୁନା କହି ସେମାନେ ଆରଟିକୁ ମୋଟେ ଗିଲ୍‍ଟି ବୋଲି କହିବେ ନାହିଁ । କାବ୍ୟମାନଙ୍କରେ ସୂର୍ଯ୍ୟୋଦୟର ଯେତିକି ମନୋରମ ବର୍ଣ୍ଣନାମାନ ରହିଛି, ସୂର୍ଯ୍ୟାସ୍ତର ମଧ୍ୟ ସେତିକି ମନୋରମ ଓ ଅନ୍ତଃସ୍ପର୍ଶକାରୀ ବର୍ଣ୍ଣନାମାନ ରହିଛି । ତେବେ, ଲୋଭରେ ପଡ଼ି ନିଜର ଦେଶଟିକୁ ସୂର୍ଯ୍ୟୋଦୟର ଦେଶ ବୋଲି କୁହାଯାଇଛି କାହିଁକି ଏବଂ ସୂର୍ଯ୍ୟାସ୍ତର ଦେଶ ବୋଲି କୁହାଯାଇନାହିଁ କାହିଁକି ? ଆମେ ଭିତରେ ପ୍ରସ୍ତୁତ ହୋଇ ରହିଥିଲେ, ଆମ ଜୀବନରେ ସୂର୍ଯ୍ୟୋଦୟ ଯେତିକି ପ୍ରେରଣା ଦେବ ସୂର୍ଯ୍ୟାସ୍ତ ମଧ୍ୟ ସେତିକି ପ୍ରେରଣା ଦେବ । ଆମେ ରାଜି ହେଲେ ଉଭୟ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଆମ ଜୀବନରେ ବହୁ ଉଦୟର କାରଣ ହୋଇ ପାରିବେ । ଉପନିଷଦରେ କେବଳ ଦିବସକୁ ହିଁ ମଧୁଯୁକ୍ତ ବୋଲି କୁହାଯାଇ ନାହିଁ । ରାତ୍ରିକୁ ମଧ୍ୟ ସମାନ ଭାବରେ ମଧୁଯୁକ୍ତ ବୋଲି ବର୍ଣ୍ଣନା କରାଯାଇଛି । ସୂର୍ଯ୍ୟୋଦୟ ବା ପ୍ରଭାତ ଦିବସ ଲାଗି ଦ୍ଵାରର କାର୍ଯ୍ୟ କରେ ଏବଂ ସୂର୍ଯ୍ୟାସ୍ତ ବା ସନ୍ଧ୍ୟା ରାତ୍ରି ଲାଗି ସେହିପରି ଏକ ଦ୍ୱାରର କାର୍ଯ୍ୟ କରେ-। ରାତ୍ରି ଦିବସ ଲାଗି ବାଟ କରାଇଦିଏ । ଆଖିରେ ଅସଲ ସଂସ୍କୃତି ରହିଥିବା ମଣିଷ କଦାପି ଏପରି ପାତ୍ରାନ୍ତରର ସଙ୍କଟରେ ପଡ଼ିଯାଏ ନାହିଁ । ଆଖିରେ ରାଜନୀତି ଗୁଡ଼ାକ, ଅଭିମାନ ଗୁଡ଼ାକ ଏବଂ ଅନେକ ସମୟରେ ହୀନମାନ୍ୟତା ଗୁଡ଼ାକ ଲେଶିହୋଇ ରହିଥିଲେ ସଙ୍କଟ ନଥିଲେ ମଧ୍ୟ ସଙ୍କଟମାନେ କାବ୍ୟ ଓ ଉପନ୍ୟାସ ପରି ଆମ ବିବେକ ଓ ବିଚାରର ଦେହ ଉପରେ ସତେଅବା ଲଦିହୋଇ ପଡ଼ିବାକୁ ବାହାରି ଆସନ୍ତି । ଆମ ଜୀବନରେ ଅଫିମ ପରି କାର୍ଯ୍ୟ କରନ୍ତି । ଅର୍ଗଳ ଭଳି କାର୍ଯ୍ୟ କରନ୍ତି । ସଂସ୍କୃତି ନାମରେ ତୁଚ୍ଛା ଅତିସ୍ଫୀତି ଗୁଡ଼ାକୁ ହିଁ ଆମ ସରାଗର ଆସନ ଉପରେ ନେଇ ବସାଇ ଦିଅନ୍ତି ।

 

ଏକଦା ଇଉରୋପରେ ଯେତେବେଳେ ସାମ୍ରାଜ୍ୟବାଦର ଉଗ୍ରତାଗୁଡ଼ାକୁ ଆଖିରେ ଭର୍ତ୍ତି କରି ସଂସ୍କୃତିର ଚିହ୍ନାଳିମାନେ ବୃହତ୍ତର ପୃଥିବୀ ମଧ୍ୟରେ ପ୍ରବେଶ କରିଥିଲେ ସେତେବେଳେ ସଂସ୍କୃତିର କ୍ଷେତ୍ରରେ ପ୍ରାୟ ଏହିପରି ଏକ ସଙ୍କଟ ଭରି ପ୍ରଶ୍ରୟପାଇ ବଢ଼ିଥିଲା ଏବଂ ମଣିଷର ମଣିଷକୁ ତଥା ସଂସ୍କୃତିର ସଂସ୍କୃତିକୁ ଚିହ୍ନିବାରେ ବହୁ ପ୍ରମାଦର କାରଣ ହୋଇଥିଲା । ସେହି ଚିହ୍ନାଳିମାନେ ପ୍ରଧାନତଃ ଆପଣାକୁ ହିଁ ପୃଥିବୀରେ ସର୍ବଶ୍ରେଷ୍ଠ ବୋଲି ଜାହିର କରିବା ଲାଗି ପୃଥିବୀ ଚିହ୍ନି ବାହାରିଥିଲେ । ଇଉରୋପ ସମେତ ଆମ ସମସ୍ତଙ୍କ ସୌଭାଗ୍ୟ ଯେ ନୃତତ୍ତ୍ଵବିଜ୍ଞାନ ଆମକୁ ସଂସ୍କୃତି ଚିହ୍ନିବା ଲାଗି ଏକ ଅନ୍ୟ ଆଖି ଆଣି ଯୋଗାଇଦେଲା ଓ ଆମକୁ ଅନେକ ମିଥ୍ୟା ଭିତରୁ ବିମୋଚିତ କରି ଆଣିପାରଲା । ସେହି କାଳରେ ସେହି କାଟର ଜଣେ ଚିହ୍ନାଳି ପୃଥିବୀର ମନୁଷ୍ୟଗୋଷ୍ଠୀ ବା Race ଗୁଡ଼ିକୁ ଚାରିଭାଗରେ ବିଭକ୍ତ କରି ଦେଖିଥିଲେ । ସେମାନଙ୍କୁ ଯେ Dawn Race, Duck Race, Day Race ଏବଂ Night Race–ଏହିପରି ଚାରି ବର୍ଗରେ ବାଣ୍ଟି ଦେଇଥିଲେ । କହିବା ବାହୁଲ୍ୟ, ସେ ଇଉରୋପୀୟମାନଙ୍କୁ ହିଁ ପ୍ରଭାତ ତଥା ଦିବସର ପ୍ରତିନିଧିତ୍ଵ କରୁଥିବା ବରିଷ୍ଠ ବର୍ଗ ବୋଲି ଘୋଷଣା କରିଥିଲେ । ସେତେବେଳେ ଆପଣା ସାହିର ମଣିଷପଲଙ୍କଠାରୁ ସେହି ଗବେଷକ ସେଥିଲାଗି କେତେ ବାହାବାହା ପାଇଥିବେ । ସୌଭାଗ୍ୟର କଥା, ମନୁଷ୍ୟର ଚେତନା ସେହି ସେକାଳ ସ୍ତରଟିଠାରୁ କେତେ ଆଗକୁ ବାହାରି ଆସିଲାଣି । ଜାତିକୁ ସତେଅବା ଗୋଟିଏ ଗୋଟିଏ ହାଣ୍ଡି ପରି ବ୍ୟବହାର କରି ସଂସ୍କୃତିକୁ ତାହାରି ଢାଞ୍ଚାରେ ପକାଇ ଆପଣାର ହାଣ୍ଡିଟାକୁ ସବୁଠାରୁ ବଡ଼ ହାଣ୍ଡି ବୋଲି ବଡ଼ପାଟି କରି କହିବାକୁ ଏବେ ବେରସିକତା ବୋଲି କୁହାଗଲାଣି । ତଥାପି ବେରସିକମାନେ ରହିଛନ୍ତି, ତୁଚ୍ଛା ଅତି ରସିକମାନେ ମଧ୍ୟ ରହିଛନ୍ତି । ଆମ ଘରେ ମଧ୍ୟ କମ୍‍ ସଂଖ୍ୟାରେ ନାହାନ୍ତି । ସେମାନେ କହୁଛନ୍ତି, ସମସ୍ତେ ଆମ ଘରକୁ ଆସନ୍ତୁ, ଆମ ହୋଟେଲମାନଙ୍କରେ ରହନ୍ତୁ, ଆମ ସଂସ୍କୃତିକୁ ଦେଖନ୍ତୁ । ଆମର ଆଉ କୋଉଠିକୁ ଯିବାର କୌଣସି ଆବଶ୍ୟକତା ନାହିଁ । ଗବାକ୍ଷମାନେ ସେହିପରି ବନ୍ଦ ହୋଇ ରହିଥାଆନ୍ତୁ । ଆମର ହାତଲେଖା ଓ ମନରୁ ଫନ୍ଦା ବହିଗୁଡ଼ିକ ଆମକୁ ହିଁ ସମଗ୍ର ପୃଥିବୀରେ ଅନନ୍ୟ ଓ ଅସାଧାରଣ ବୋଲି ଘୋଷଣା କରୁଥାନ୍ତୁ । (୨ । ୯ । ୮୭)

 

(୬)

 

ଲଙ୍କାରୁ ରାବଣ ଆସି ସୀତାଙ୍କୁ ଚୋରି କରିନେଇ ନଥିଲେ ରାମଚନ୍ଦ୍ରଙ୍କର କଦାପି ଦକ୍ଷିଣ ଭାରତକୁ ଯିବାର ଦୁର୍ଭାଗ୍ୟ ହୋଇଥାନ୍ତା । ସିଏ ଚଉଦ ବର୍ଷଯାକ ଚିତ୍ରକୁଟ ଏବଂ ଦଣ୍ଡକାରଣ୍ୟର ଅତିବାହିତ କରି ପୁନର୍ବାର ଘରକୁ ଫେରିଆସି ପାରିଥାନ୍ତେ । ସୀତାଙ୍କର ସନ୍ଧାନ କରି ଭଗବାନ ରାମଚନ୍ଦ୍ର ଦକ୍ଷିଣାମୁହାଁ ହୋଇ କିସ୍କିନ୍ଧା ଗଲେ, ସେଠାରେ ହନୁମାନଠାରୁ ବାରତା ପାଇ ସୁଗ୍ରୀବ ସହିତ ଆହୁରି ଦକ୍ଷିଣକୁ ରାମେଶ୍ଵର ବାଟେ ଲଙ୍କାଦ୍ୱୀପକୁ ବି ଗଲେ । କିସ୍କିନ୍ଧାରେ ମଣିଷ ନଥିଲେ । ରଜା, ମନ୍ତ୍ରୀ, ବୈଦ୍ୟ ସମସ୍ତେ ରହିଥିଲେ ସତ, ମାତ୍ର ସେମାନେ ମଣିଷ ନଥିଲେ-। ମାଙ୍କଡ଼ ଥିଲେ, ଭାଲୁଥିଲେ, ଅବର ପ୍ରକାରର ଆହୁରି କେତେ କେତେ ପ୍ରାଣୀ ହୋଇ ରହିଥିଲେ-। ଲଙ୍କାଦ୍ୱୀପରେ ତୁଚ୍ଛା ରାକ୍ଷସମାନେ ଥିଲେ । ସେମାନେ ଭୟଙ୍କର ଥିଲେ । ଦଶଦଶଟା ମୁଣ୍ଡରେ ଅତ୍ୟନ୍ତ ବୀଭତ୍ସ ଦିଶୁଥିଲେ । ଭଗବାନ ରାମଚନ୍ଦ୍ରଙ୍କର ଜଣେ ଭକ୍ତ ହୁଏତ ଲଙ୍କାଗଡ଼ରେ ବିଭୀଷଣ ହୋଇ ଜନ୍ମ ହୋଇଥିଲା, ତେଣୁ କେବଳ ସେହି ଜଣକୁ ଛାଡ଼ିଦେଲେ ରାମାୟଣରେ ଅନ୍ୟସବୁ ରାକ୍ଷସଙ୍କୁ ଅତ୍ୟନ୍ତ ବିରୂପ କରି ବର୍ଣ୍ଣନା କରାଯାଇଛି । ଖାଲି ବିଭୀଷଣଠାରେ ହିଁ ତୁମ ଆମ ପରି ମଣିଷଙ୍କର କିଞ୍ଚିତ୍‍ ଲକ୍ଷଣ ରହିଛି । ଅଶୋକ ବନରେ ସୀତାଙ୍କୁ ବେଢ଼ିକରି ରହିଥିବା ନାରୀ ପ୍ରହରୀମାନେ ମଧ୍ୟ ନାରୀ ପରି ବର୍ଣ୍ଣିତ ହେବାରେ ସର୍ବନିମ୍ନ ଅନୁଗ୍ରହ ଲାଭ କରି ପାରିନାହାନ୍ତି । ସେମାନେ ସମସ୍ତେ ଯେପରି ସବାଆଗ ରାକ୍ଷସ ଓ ରାକ୍ଷସୀ, ତାପରେ ଯାଇ ନର କିମ୍ବା ନାରୀ, ଆଦିକବିଙ୍କର ବର୍ଣ୍ଣନରୁ ଲଙ୍କା ରାଜ୍ୟର ଅଧିବାସୀମାନଙ୍କ ବିଷୟରେ ଆମକୁ ସେହିଭଳି ଏକ ଧାରଣା ପ୍ରାପ୍ତ ହୋଇଥାଏ ।

 

ଚିତ୍ରକୁଟ ଏବଂ ଦଣ୍ଡକାରଣ୍ୟରେ ଭଗବାନ ରାମଚନ୍ଦ୍ର କେତେକେତେ ଯତି ଓ ତପସ୍ଵୀଙ୍କର ସାକ୍ଷାତ ଲାଭ କରିଛନ୍ତି । କେତେ ତପସ୍ଵୀଙ୍କର ଦର୍ଶନ ଲାଗି ସିଏ ନିଜେ ସେମାନଙ୍କର ଆଶ୍ରମକୁ ବାଟ ପଚାରି ଯାଇଛନ୍ତି । ଦର୍ଶନ ପାଇ ଧନ୍ୟ ହୋଇଛନ୍ତି । ମାତ୍ର ଦଣ୍ଡକାରଣ୍ୟ ଡେଇଁ ଦକ୍ଷିଣକୁ ପ୍ରସ୍ଥାନ କରିବା ପରେ ତାଙ୍କୁ ଆଉ କେଉଁଠି ହେଲେ ବି କୌଣସି ମୁନି ବା ଋଷିଙ୍କର ଦର୍ଶନ ମିଳି ନାହିଁ । ମାଙ୍କଡ଼ ଆଉ ଭାଲୁଙ୍କର ମୁଲକରେ ମୁନିମାନଙ୍କୁ ଠାବ କରିବାକୁ ଯିବା ପ୍ରକୃତରେ ବିଡ଼ମ୍ବନାର କଥା ହୋଇଥାନ୍ତା । ବାଲ୍ମୀକିଙ୍କର ଭାରତବର୍ଷ ଆର୍ଯ୍ୟମାନଙ୍କର ଭାରତବର୍ଷ ଥିଲା, କେବଳ ସେହି ଆର୍ଯ୍ୟବର୍ତ୍ତ ଏବଂ ବ୍ରହ୍ମାବର୍ତ୍ତ ହିଁ ତପସ୍ୟା ନିମନ୍ତେ ଉପଯୁକ୍ତ ଥିଲା । ଦକ୍ଷିଣ ଭାରତବର୍ଷରେ ଦ୍ରାବିଡ଼ମାନେ ହିଁ ରହୁଥିଲେ । ପୁଣ୍ୟଚେତା ଆର୍ଯ୍ୟମାନଙ୍କର ଆଖିକୁ ସେମାନେ ତୁଚ୍ଛା ମାଙ୍କଡ଼ ଓ ଭାଲୁଙ୍କ ପରି ଦେଖା ଯାଉଥିଲେ । ଗୋଟିଏ ସଂସ୍କୃତି ଯେତେବେଳେ ଆଉ ଗୋଟିଏ ସଂସ୍କୃତିକୁ ଈର୍ଷା କରେ, ସେତିକିବେଳେ ତାହାର ଯାବତୀୟ ପ୍ରକାରର ଦୃଷ୍ଟିରେ ଠିକ୍ ଏହିପରି ଭାବରେ ବିକୃତ ଫଳମାନ ଫଳିବାକୁ ଆରମ୍ଭ କରେ । ଏହି ବିକୃତ ବୃକ୍ଷମାନେ ଯେ କେବଳ ସେହି ତ୍ରେତାଯୁଗରେ ଥିଲେ, ସେକଥା ମୋଟେ ନୁହେଁ । ସେମାନେ ଆମର ଏହି ଆଧୁନିକ ଯୁଗରେ ମଧ୍ୟ ଅଛନ୍ତି । ତ୍ରେତା ବା ଦ୍ଵାପର ଯୁଗରେ ପୃଥିବୀ ଭାରି ଛୋଟ ଥିଲା, ସେତେବେଳେ ସ୍ଵୟଂ ଅବତାରମାନେ ମଧ୍ୟ ଭାରି ସ୍ଥାନୀୟ ଥିଲେ । ମର୍ତ୍ତ୍ୟ କହିଲେ ସେତେବେଳେ ତତ୍କାଳୀନ ମନୁଷ୍ୟମାନଙ୍କର ପ୍ରାୟ ଜ୍ଞାତ ଭୂମିଟିକୁ ବୁଝାଉଥିଲା, ଦୂରତାଗୁଡ଼ାକ ହିଁ ପୃଥିବୀର ସାଂସ୍କୃତିକ ଭୂଗୋଳ ହୋଇ କାର୍ଯ୍ୟ କରୁଥିଲା । ଆଦିକବିମାନଙ୍କୁ ସେହି ଭୂଗୋଳ ଦ୍ଵାରା ପରିଚାଳିତ ହେବାକୁ ପଡ଼ୁଥିଲା । ତେଣୁ ସ୍ଵୟଂ ଆର୍ଯ୍ୟ ହୋଇଥିବାରୁ ସେମାନେ ଯେ ଦ୍ରାବିଡ଼ମାନଙ୍କୁ ମାଙ୍କଡ଼ ଓ ଭାଲୁ ପରି କଳ୍ପନା କରୁଥିଲେ ଏବଂ ଅସୁରମାନଙ୍କର କଳ୍ପନାରେ ଦଶ ମୁଣ୍ଡ କୋଡ଼ିଏ ହାତ ଅଥବା ବଡ଼ ବଡ଼ ଦାନ୍ତ ବା ନଖକୁ ଆଣି ଯୋଡ଼ି ଦେଉଥିଲେ, ସେଥିରେ ବିଶେଷ କ୍ଷୋଭ ପ୍ରକାଶ କରିବାରେ ଆଦୌ କୌଣସି କାରଣ ନାହିଁ ।

ସଂସ୍କୃତି-ଭାବନା ସବାଆଗ ଭୂଗୋଳ ଦ୍ଵାରା ପରିଚାଳିତ ହୁଏନାହିଁ । ତାହା ଏକ ମନୋଦୃଷ୍ଟି ଦ୍ଵାରା ପରିଚାଳିତ ହୋଇଥାଏ । ଆପଣାର ସଂସ୍କୃତିକୁ ଅନେକ ମଣିଷ ସତେଅବା ସମ୍ପତ୍ତି ଭଳି ଦେଖନ୍ତି । ସେଇଥିରୁ ଏକ ଆସୁରିକ ମମତ୍ଵ ଜନ୍ମଲାଭ କରେ । ନିଜର ଡିହ ଉପରେ ସେହି ଆସୁରିକତା ଗୁଡ଼ାକ ମଧ୍ୟ ସତେଅବା ଦେବୋପମ ଗୁଣଗୁଡ଼ିକ ପରି ମନେହୁଏ । ତା’ପରେ ଆପଣାର ସଂସ୍କୃତିଟିକୁ ଉଚ୍ଚ, ଅଧିକ ଶୁଦ୍ଧ ବୋଲି କହି ଅନ୍ୟ ସଂସ୍କୃତିଗୁଡ଼ିକୁ ଅଳପ, ଅବର ଓ ଅର୍ବାଚୀନ ବୋଲି କହିବାକୁ ଭାରି ମନ ହୁଏ । ଏହି ଅବିଗୁଣଟିକୁ ଆମେ ଅସହିଷ୍ଣୁତା ବୋଲି କହିବା । ଅସହିଷ୍ଣୁତା ପଛରେ ସଚରାଚର ଏକ ହୀନମନ୍ୟତା ପ୍ରଚ୍ଛନ୍ନ ହୋଇ ରହିଥାଏ । ସେତେବେଳେ ଆପଣା ଘରର ସବୁ ସୁନ୍ଦର ଦେଖାଯାଏ । ଇଟାଗୁଡ଼ାକ ବଇଡ଼ୁର୍ଯ୍ୟ ପରି ଦିଶନ୍ତି । ଗଙ୍ଗାମାନେ ଏକାବେଳେକେ ସ୍ଵର୍ଗରୁ ଆସିଥିବା ପରି ପରତେ ହୁଅନ୍ତି । ପ୍ରାୟ ତିନି ଶହ ବର୍ଷ ତଳେ ଯେତେବେଳେ ଇଉରୋପର କବାଟ ସମୁଦ୍ର ପଥରେ ଏକାଧିକ ଆଡ଼କୁ ଓ ଏକାଧିକ ଦିଗକୁ ଫିଟି ଯାଇଥିଲା, ସେତେବେଳେ–ଇଉରୋପୀୟମାନେ ସମ୍ଭବତଃ ସର୍ବପ୍ରଥମ ଥର ପାଇଁ ଅନ୍ୟ ସଂସ୍କୃତିରେ ବାସ କରୁଥିବା ଅନ୍ୟ ମଣିଷମାନଙ୍କୁ ଦେଖିଲେ । ସେହି ମଣିଷମାନଙ୍କୁ ସେମାନେ ଆଦୌ ମଣିଷ ବୋଲି ସ୍ଵୀକାର କଲେ ନାହିଁ । ଅଲଗା ଧର୍ମ, ସେଗୁଡ଼ାକୁ କ’ଣ ଧର୍ମ ବୋଲି କୁହାଯାଏ ? ଏକାବେଳକେ ଅଲଗା ପ୍ରକାରର ରୀତିନୀତି, ବେଶ ପୋଷାକ ଓ ଚାଲିଚଳନ । ସେଗୁଡ଼ାକ କ’ଣ ସଭ୍ୟତା ବୋଲି କୁହାଯାଏ ? ତେଣୁ ସେମାନେ ଯେଉଁ ଦେଶକୁ ଗଲେ, ସେଠାରେ କୁବେର ହୋଇ ଧନ ଲୁଟି କଲେ, ପାଦ୍ରୀ ହୋଇ ସେମାନଙ୍କୁ ଜବରଦସ୍ତି ଫାଶରେ ବାନ୍ଧି ପକାଇଲେ ଓ ସେମାନଙ୍କର ଆତ୍ମାକୁ ଉଦ୍ଧାର କଲେ, ଏବଂ ଅତ୍ୟନ୍ତ ଅସଭ୍ୟ ଭାବରେ ସେହି ଉପନିବେଶୀୟ ଅଧିବାସୀମାନଙ୍କୁ ସଭ୍ୟ କରିବାର ଅଭିଯାନ ଆରମ୍ଭ କରିଦେଲେ । ସେହି ଉତ୍ସାହ ଫଳରେ ସେତେବେଳେ କେତେ ମଣିଷ ଯେ ବିଲେଇ କୁକୁରଙ୍କ ପରି ମରିଛନ୍ତି, କେତେ ମଣିଷଙ୍କର ସ୍ଵାଭାବିକ ସାଂସ୍କୃତିକ ମୂଳଗୁଡ଼ାକୁ ଯେ ଉତ୍ସାଟିତ କରି ଦିଆଯାଇଛି ଏବଂ ଆପଣା ଧର୍ମର ପ୍ରଚାର କରିବାର ତୀବ୍ର ପରାକ୍ରମିତା ଫଳରେ ପୃଥିବୀରେ କେତେ ଅଧର୍ମ ଯେ ଭିଆଯାଇଛି, ସେକଥା ସେହି ବେଳର ଇତିହାସଗୁଡ଼ିକୁ ପାଠ କଲେ ଜାଣିହୁଏ । ପୃଥିବୀରେ ତଥାକଥିତ ସଭ୍ୟମାନେ ହିଁ ଅନ୍ୟମାନଙ୍କୁ ଅସଭ୍ୟ ବୋଲି ଘୋଷଣା କରି ସବୁଠାରୁ ଅଧିକ ସୁଯୋଜିତ ଭାବରେ ସ୍ଵୟଂଚାଳିତ ଭାବରେ ସ୍ଵୟଂ ଅସଭ୍ୟଙ୍କ ପରି ଆଚରଣ କରିଛନ୍ତି । ଆପଣାଙ୍କୁ ସଭ୍ୟ ଏବଂ ସଂସ୍କୃତିସମ୍ପନ୍ନ ବୋଲି ଅନୁଭବ କରିପାରିବା ନିମନ୍ତେ ଯେଉଁମାନେ ଅଡ଼ା ବାହାରେ ଥିବା ପ୍ରାୟ ଆଉ ସମସ୍ତଙ୍କୁ ଅସଭ୍ୟ ଓ ସାଂସ୍କୃତିବର୍ଜିତ ବୋଲି ଦେଖିବା ଲାଗି ବାଧ୍ୟ ହୁଅନ୍ତି ପୃଥିବୀରେ ସମ୍ଭବତଃ ସେହିମାନେ ହିଁ ଅଧିକ ଶାସ୍ତ୍ର ଲେଖିଛନ୍ତି, ଅଧିକ ଦେଉଳ ନିର୍ମାଣ କରିଛନ୍ତି ଏବଂ ସଂସ୍କୃତି, ସଭ୍ୟତା, ବିଜ୍ଞାନ ତଥା ବିଦ୍ୟାଗୁଡ଼ାକ ସମ୍ବନ୍ଧରେ ସବୁଠାରୁ ଅଧିକ ଆଲୋଚନା କରିଛନ୍ତି । ଏବେ ମଧ୍ୟ କରୁଛନ୍ତି ।

 

ତଅପୋଇ କାହାଣୀରୁ ଆମେ ଓଡ଼ିଶାର ସାଧବମାନଙ୍କ କଥା ସମ୍ଭବତଃ ସର୍ବପ୍ରଥମ ଥର ପାଇଁ ଶୁଣିଥିବା । ସେମାନେ ବୋଇତ ଭସାଇ ପୂର୍ବ ସମୁଦ୍ରରେ ଜାଭା, ବାଲି ଓ ସୁମାତ୍ରା କେତେ କୋଉଆଡ଼କୁ ଯାଉଥିଲେ । ପ୍ରଥମେ ବେପାର ବଣିଜ କରିବାକୁ ଯାଉଥିଲେ ଓ ତେଣୁ କୁଆଡ଼େ ସୁନା, ରୂପା, ହୀରା, ନୀଳା ଓ ଆହୁରି କେତେ କ’ଣ ବୋଝାଇ କରି ଘରକୁ ଫେରି ଆସୁଥିଲେ । ମହାନଦୀରେ ଜ୍ୟୋତ୍ସ୍ନାବିହାର କରୁ କରୁ କବି ଶ୍ରୀ ମାୟାଧର ମାନସିଂହ ହଠାତ୍‍ ସେହି କଥା ଗୁଡ଼ାକୁ ମନେ ପକାଇ ସାଳଙ୍କାର କେତେ ଖେଦ କରିଛନ୍ତି ଏବଂ ପାଠକମାନଙ୍କର ଚିତ୍ତକୁ କେଡ଼େ କବିତ୍ଵପୂର୍ଣ୍ଣ ଭାବରେ ରବେଇ ଖବେଇ ହେବାକୁ ଉତ୍ସାହିତ କରିଛନ୍ତି । ଆମେ ସ୍ଵାଧୀନତା ପାଇବା ପରେ ଇତିହାସର ସେହି ନଷ୍ଟ ଦିନଗୁଡ଼ିକୁ ପୁନର୍ବାର ଚାକ୍ଷୁଷ ଭାବରେ ଅନୁଭବ କରିବାକୁ ଏବେ ପାରାଦୀପଠାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରୁଛୁ । ଆମ ଏକାଳର ସାଧବମାନେ ସେହି ଉତ୍ସବକୁ ସତେ ଅବା ବ୍ରାହ୍ମଣ ହୋଇ ଆଶୀର୍ବାଦ କରିବାକୁ ଆସୁଛନ୍ତି । ସେକାଳ ସବୁ କୁଆଡ଼େ କାହିଁକି ଚାଲିଗଲା ବୋଲି କହି ସୁଧୀ ଓ ସଜ୍ଜନମାନେ କାନ୍ଦ କାନ୍ଦ ହୋଇ ଯାଉଛନ୍ତି । ସେକାଳଟା ଯେ କାହିଁକି ବା କିଭଳି ଏହି ବିଂଶ ଶତାବ୍ଦୀରେ ମଧ୍ୟ ରହିଥାନ୍ତା, ସେକଥା ପଚାରିବାରୁ ଆମର ମୋଟେ ମନେ ପଡ଼ୁନାହିଁ । ‘ବାଲିରାଜା’ ଉପନ୍ୟାସ ପଢ଼ି ଆମେ ଜାଣିଛୁ ଯେ, ସେକାଳରେ ଆମ ସାଧବମାନେ ପୂର୍ବ ଦ୍ଵୀପପୁଞ୍ଜଗୁଡ଼ିକ ସହିତ କେବଳ ବାଣିଜ୍ୟ କରିନଥିଲେ, ସେମାନେ ସେଠାରେ ରାଜ୍ୟଥାପନା କରିଥିଲେ, ରାଜା ହୋଇଥିଲେ, ରାଜା ହୋଇ ଦେଉଳ ଗଢ଼ିଥିଲେ । ଆମ ସଂସ୍କୃତି ପାରିଧି କରି ସେସବୁ ଦ୍ଵୀପରେ ଏହିଭଳି ଉଜ୍ଜ୍ଵଳ ଉପନିବେଶମାନ ସ୍ଥାପନ କରିଥିଲା ବୋଲି ଓଡ଼ିଶାରେ ବୁଢ଼ାମାନେ ମଧ୍ୟ କେଡ଼େ ମଞ୍ଜୁଳ ଭାବରେ ପିଲାମାନଙ୍କୁ କହନ୍ତି,–କହୁଥିବା ସମୟରେ ଆପଣାଙ୍କୁ ସାଧବ ପରି ଅନୁଭବ କରୁଥାନ୍ତି ।

 

ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଓ ବ୍ରହ୍ମଦେଶ ଆମ ନିଜ ଘରଗୁଡ଼ାକ ବର୍ତ୍ତମାନ ନାନାଭାବେ ଛତରା ଓ ଲକ୍ଷ୍ମୀଛଡ଼ା ହୋଇ ପଡ଼ିଥିବା ସମୟରେ ସେମାନେ ଯେ ଆମକୁ ଆମର ଏକ ପରାକ୍ରମପୂର୍ଣ୍ଣ ଅତୀତର ସ୍ମରଣ କରାଇଦେଇ ଅନ୍ତତଃ ଘଡ଼ିକ ପାଇଁ ଷ୍ଫୁର୍ତ୍ତି ଆଣି ଦିଅନ୍ତି ଆମେ ସେମାନଙ୍କ ପାଖରେ ଅତ୍ୟନ୍ତ କୃତଜ୍ଞ ହୋଇ ରହିବା । ମାତ୍ର ଗୋଟିଏ କଥା ଅବଶ୍ୟ ମନେ ରଖିବାକୁ ହେବ ଯେ କୋଉଠି ଘରଗୁଡ଼ାକ ଖାଲି ପଡ଼ିଥାଏ, ସେଠାରେ ସଂସ୍କୃତି ବୋଲି କିଛି ନଥାଏ ଏବଂ ବାହାରୁ ସାଧବମାନେ ଆପଣାର ସଂସ୍କୃତି ଗୁଡ଼ାକୁ ନେଇ ତା’ ଭିତରେ ପୂରାଇ ଦିଅନ୍ତି ଏବଂ ଏକ ନୂଆ ଗୋଦାମ ସ୍ଥାପନା କରନ୍ତି–ଏପରି ଘଟଣା ଆଦୌ ଘଟେ ନାହିଁ । ଓଡ଼ିଶାରୁ ଯେଉଁ ସାଧବମାନେ ପୂର୍ବ ଦ୍ୱୀପପୁଞ୍ଜକୁ ବାଣିଜ୍ୟ କରି ଯାଉଥିଲେ, କ’ଣ ସେହିମାନଙ୍କ ଭିତରୁ କେତେଜଣ ସେଠାରେ ଭୂମି ଅଧିକାର କରି ରାଜା ହେଲେ ନା ଓଡ଼ିଶାର କୌଣସି ଅଞ୍ଚଳର ରାଜା ସାଧବମାନଙ୍କଠାରୁ ବାରତା ପାଇ ସୈନ୍ୟସାମନ୍ତ ପଠାଇ ସେଠାରେ ସମରରେ ବିଜୟଲାଭ କରିଥିଲେ ଓ ରାଜ୍ୟ ସ୍ଥାପନା କରିଥିଲେ ? ସେହି ଯୁଦ୍ଧରେ ଅପର ପକ୍ଷରୁ ପ୍ରତିରୋଧ ଅବଶ୍ୟ ହୋଇଥିବ । ଓଡ଼ିଶାର କୌଣସି ଏକ ସୈନ୍ୟବାହିନୀ ସେଠାରେ ଯାଇ ଯୁଦ୍ଧ କରିଥିବାର କୌଣସି କାହାଣୀ କିମ୍ବା କିମ୍ବଦନ୍ତୀ ନାହିଁ । ମାତ୍ର ଦକ୍ଷିଣ ଭାରତରେ ଜଣେ ଚୋଳରାଜାଙ୍କ ସହିତ ସେଠା ସ୍ଥାନୀୟ ରାଜା ଅଥବା ରାଜାମାନଙ୍କ ସହିତ ବଙ୍ଗୋପସାଗରରେ ଏକ ଯୁଦ୍ଧ ହୋଇଥିଲା ବୋଲି ଉଲ୍ଲେଖ ରହିଛି । କେବଳ ରାଜା ରାଜାଙ୍କ ମଧ୍ୟରେ ଯୁଦ୍ଧ ହୋଇନଥିବ, ରାଜ୍ୟଜୟ ପରେ ସଂସ୍କୃତି ମଧ୍ୟରେ ବି ଯୁଦ୍ଧ ହୋଇଥିବ । ସ୍ଥାନୀୟ ଧର୍ମବିଶ୍ଵାସ ଗୁଡ଼ିକୁ ବିତାଡ଼ିତ କରି ଭାରତବର୍ଷର ଧର୍ମ ଏବଂ ସାଂସ୍କୃତିକ ବାନାଗୁଡ଼ିକ ବିଜିତ ମଣିଷଙ୍କ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ ଚଢ଼ାଉ କରିଥିବ । ଏକ ଅସାଂସ୍କୃତିକ ଉଲ୍ଲାସ ଭିତରେ ପଡ଼ି ଆମେ ସେହିସବୁ ଆଶଙ୍କା ଓ ସମ୍ଭାବନା ଆଡ଼କୁ ମୁଣ୍ଡ ଖେଳାଇବା ପାଇଁ ମୋଟେ ଇଚ୍ଛା କରୁନାହୁଁ । କିନ୍ତୁ ଗୋଟିଏ କଥା ଆମକୁ ଅବଶ୍ୟ ମାନିବାକୁ ପଡ଼ିବ ଯେ, ଗୋଟିଏ ସଂସ୍କୃତି ଆଉ ଗୋଟିଏ ସଂସ୍କୃତିଠାରୁ ନିଜକୁ ଅଧିକ ଉନ୍ନତ ଓ ବରିଷ୍ଠ ବୋଲି ଅତ୍ୟନ୍ତ ଅହଙ୍କାରପୂର୍ଣ୍ଣ ଭାବରେ ବିଶ୍ଵାସ କରୁଥିଲେ ଏବଂ ଦୁର୍ଭାଗ୍ୟବଶତଃ ତାହା ହାତରେ ଏକ ରାଜନୀତିକ ଦୁଷ୍ଟଦଣ୍ଡ ରହିଥିଲେ ଯାଇ ସାଂସ୍କୃତିକ ଉପନିବେଶ ସ୍ଥାପନ ସମ୍ଭବ ହୋଇଥାଏ । ଆମ ରାମାୟଣ, ଆମ ବୌଦ୍ଧଧର୍ମ ଏବଂ ଆମ ସାଂସ୍କୃତିକ ଛାଞ୍ଚଗୁଡ଼ାକ ସେଠି ପ୍ରବେଶ କରିବା ପୂର୍ବରୁ ମଧ୍ୟ ସେଠାରେ ଅନ୍ୟ ଧର୍ମ ଓ ଅନ୍ୟ ଚଳଣିଗୁଡ଼ିକ ଅବଶ୍ୟ ଥିଲା । ଆମ ସାଧବମାନେ ସେସବୁକୁ ଅତ୍ୟନ୍ତ ଅଗଣ୍ୟ ଏବଂ ଅବର ବୋଲି ଭାବିଥିବେ ବୋଲି ଆପଣାର ଦ୍ରବ୍ୟଗୁଡ଼ିକୁ ନେଇ ସେଠାରେ ସଂସ୍କୃତି ନାମରେ ଭର୍ତ୍ତି କରିବାକୁ ମନ କରିଥିବେ । ସେହିସବୁ ଭୂଖଣ୍ଡକୁ ଆମେ ସେଠାରେ ରଜା ହୋଇ ବସିବା ପରେ ଯାଇ କଳିଙ୍ଗ ବୋଲି କୁହାଗଲା । ତା’ ପୂର୍ବରୁ ସେହି ଭୂମିର ଅନ୍ୟ ନାମମାନ ଅବଶ୍ୟ ରହିଥିବ । ସଂସ୍କତିର ଏକ ସୁସ୍ଥ ଆଦାନ ପ୍ରଦାନ ଅବଶ୍ୟ ହୁଏ ସତ, ମାତ୍ର ତାହା ସମକକ୍ଷ ସମକକ୍ଷଙ୍କ ମଧ୍ୟରେ ହିଁ ଉଭୟ ପକ୍ଷର ସମ୍ମତିକ୍ରମେ ସମ୍ଭବ ହୋଇଥାଏ । ରାଜା ପ୍ରଜା ମଧ୍ୟରେ, ଆକ୍ରମଣକାରୀ ଓ ଆକ୍ରାନ୍ତମାନଙ୍କ ମଧ୍ୟରେ ଯେଉଁ ତଥାକଥିତ ଆଦାନ ପ୍ରଦାନ ହୁଏ, ସେଥିରେ ଅନେକ ଅସୁସ୍ଥତା ସର୍ବଦା ରହିଥାଏ, ବହୁ ବଳାତ୍କାର ମଧ୍ୟ ରହିଥାଏ । ରୋମାନ୍‍ମାନେ ସେକାଳର ବ୍ରିଟେନକୁ ଅଧିକାର କରିବା ପରେ ସେଠାରେ ସଂସ୍କୃତିର କ୍ଷେତ୍ରରେ କୌଣସି ଆଦାନପ୍ରଦାନ ହୋଇନଥିଲା । ରୋମାନ୍‍ ସଂସ୍କୃତି ପୁରୁଣା ସ୍ଥାନୀୟ ସାଂସ୍କୃତିକ ଜୀବନଟାକୁ ଗୋଟାସୁଦ୍ଧା ଗିଳି ପକାଉଥିଲା । ଆଦାନପ୍ରଦାନ ଉଭୟ ପକ୍ଷ ଦିଏ ଓ ଉଭୟ ପକ୍ଷ ଗ୍ରହଣ କରେ ଏବଂ ତଦ୍ଦ୍ୱାରା ଉଭୟେ ଧନୀ ହୁଅନ୍ତି ସଂସାରରେ ଅସଲ ସଂସ୍କୃତି ବଢ଼ିବାରେ ନିମିତ୍ତ ହୁଅନ୍ତି । ଆମ ସାଧବମାନେ ପୂର୍ବ ଦ୍ୱୀପପୁଞ୍ଜର ସେହି ବିଜିତ ଉପନିବେଶ ଗୁଡ଼ିକରୁ କଣସବୁ ଗ୍ରହଣ କରି ସାଂସ୍କୃତିକ ଉପାଦାନ ରୂପେ ଘରକୁ ଆଣିଥିଲେ ଆମ କିମ୍ବଦନ୍ତୀ କାରମାନେ ସେ ବିଷୟରେ ଆମକୁ କିଛି କହିନାହାନ୍ତି ।

 

ଆମେ ସମସ୍ତେ ଜାଣିଥିବା, ଯେତେବେଳେ ଗୌତମ ବୁଦ୍ଧ ଭାରତ ବର୍ଷରେ ଜୀବନ ଧର୍ମର ଏକ ନୂତନ ମାର୍ଗ ବିଷୟରେ ପଦବଜ୍ରରେ ଭ୍ରମଣ କରି ତତ୍କାଳୀନ ଜନପଦବାସୀଙ୍କୁ ଉଦ୍‍ବୋଧନ ଦେଉଥିଲେ, ସେତେବେଳେ ସିଏ ମଣିଷର ଜୀବନରେ ଅନ୍ତର୍ଗତ ତଥା ବହିର୍ଗତ ଜୀବନରେ କେତେକ ପରିବର୍ତ୍ତନ ଆଣିବାର କଥା କହୁଥିଲେ । ବୁଦ୍ଧଙ୍କ ଅନ୍ତେ ତାଙ୍କ ଅନୁଗାମୀମାନେ କୌଣସି କାରଣରୁ ‘ଆତ୍ମଦୀପ’ର ଚାରଣା କରିପାରିଲେ ନାହିଁ କି କ’ଣ କେଜାଣି, ସେମାନେ ରଜାମାନଙ୍କର ସହାୟତା ଲୋଡ଼ିଲେ । ତାପରେ ବୁଦ୍ଧ-ପ୍ରଚାରିତ ମାର୍ଗ ଛାଞ୍ଚଟିଏ ଭିତରେ ପଶି ବୌଦ୍ଧଧର୍ମରେ ପରିଣତ ହେଲା ଓ ରାଜାର ଆଦେଶରେ ବିଦେଶରେ ମଧ୍ୟ ପ୍ରଚାରିତ ହେଲା । ସେହି ପ୍ରକ୍ରିୟାରେ ଶତ ଶତ ବୌଦ୍ଧଭିକ୍ଷୁ ଓ ସନ୍ନ୍ୟାସୀ ହିମାଳୟ ପାରିହୋଇ ମଧ୍ୟ ଏସିଆ ଯାଇଥିଲେ । ଚୀନ ଯାଇଥିଲେ । ଏମାନେ ଚୀନରେ ବୌଦ୍ଧବିହାର ଥାପନା କରିଥିଲେ, ବୌଦ୍ଧ ଗ୍ରନ୍ଥଗୁଡ଼ିକର ଚୀନା ଭାଷାରେ ଅନୁବାଦ କରିଥିଲେ । ସେହି ପର୍ଯ୍ୟାୟରେ ପାଲି ଏବଂ ସଂସ୍କୃତି ଭାଷାର ବହୁ ଗ୍ରନ୍ଥ ଚୀନା ଭାଷାରେ ସାକାରତା ଲାଭ କରିଥିଲା । ଚୀନଦେଶକୁ ପରିବ୍ରାଜକ ଅନୁରାଗୀମାନେ ଭାରତବର୍ଷକୁ ଆସି ତତ୍କାଳୀନ ବିହାରମାନଙ୍କରେ ଅଧ୍ୟୟନ କରିଥିଲେ, ସାଙ୍ଗରେ ବହୁ ଭାରତୀୟ ଶାସ୍ତ୍ର ନେଇ ସେମାନେ ନିଜ ଦେଶକୁ ଫେରି ଯାଇଥିଲେ । ମାତ୍ର ଚୀନ ଦେଶର କେତେ ଶାସ୍ତ୍ରରେ ସଂସ୍କୃତ ଓ ପାଲି ଭାଷାକୁ ଅନୁବାଦ ହୋଇଥିଲା ? ହିଉ–ଏନ୍‍–ସାଙ୍ଗ ନାଲନ୍ଦାରେ ସଂସ୍କୃତି ଭାଷା ଶିକ୍ଷା କରୁଥିବା ସମୟରେ କେତେଜଣ ମହାପଣ୍ଡିତ ତ ବା ପଣ୍ଡିତ ତାଙ୍କଠାରୁ ଚୀନ ଭାଷା ଶିକ୍ଷା କରିଥିଲେ । ଚୀନର କୁଙ୍ଗ-ଫୁ-ତ୍‍ସେ, ଲାଓ-ତ୍‍ସୁ ଏବଂ ଚୁଆଙ୍ଗ-ସୁ ଏମାନେ ସମସ୍ତେ ଗୌତମ ବୁଦ୍ଧଙ୍କର ପ୍ରାୟ ସମସ ମୟିକ । ଆମ ପୃଥିବୀକୁ ଜୀବନଦର୍ଶନଟିଏ ଯୋଗାଇ ଦେବାର ଇତିହାସରେ ଏମାନଙ୍କର ମଧ୍ୟ ବୁଦ୍ଧଙ୍କ ପରି ମହନୀୟ ସ୍ଥାନ ରହିଛି । ଯେଉଁ ବୌଦ୍ଧ ଭିକ୍ଷୁମାନେ ଚୀନରେ ଧର୍ମପ୍ରଚାର ଓ ଗ୍ରନ୍ଥାନୁବାଦ କରୁଥିଲେ, ସେମାନେ ଗୋଟିଏ ବୋଲି ଚୀନା ଗ୍ରନ୍ଥକୁ ଭାରତୀୟ ଭାଷାରେ ଅନୁବାଦ କରିପାରଲେ ନାହିଁ କାହିଁକି ? ଆମ ଯୁଗର ସଂସ୍କୃତି–ସମୀକ୍ଷକମାନେ ସେଯୁଗର ଏହି ସ୍ପଷ୍ଟ ଅଭାବଟିକୁ ଉଲ୍ଲେଖ ମଧ୍ୟ କରିବାକୁ ମନ କରିନାହାନ୍ତି କାହିଁକି ? ସମ୍ଭବତଃ, ଗ୍ରହଣଶୀଳତା ହିଁ ହେଉଛି ଅସଲ ସଂସ୍କୃତି, ଗ୍ରହଣଶୀଳତା ହେଉଛି ଅସଲ ଅନୁରାଗ ଏବଂ ଜଣେ ସଂସ୍କୃତିସ୍ଥ ମନୁଷ୍ୟର ଅସଲ ଭୂଷଣ । ମାତ୍ର, ନିଜର ସଂସ୍କୃତିଟାକୁ ଅନ୍ୟ ସମସ୍ତଙ୍କର ସଂସ୍କୃତି ଅପେକ୍ଷା ଅଧିକ ଏବଂ ଉଚ୍ଚତର ବୋଲି ଗ୍ରହଣ କରିନେଇ ଲୋଚନ ହରାଇ ବସିଥିବା ଅତିରସିକ ଆତ୍ମରତି ମଣିଷ ଗ୍ରହଣଶୀଳତାକୁ ସ୍ଵୀକାର କରି ପାରିବା ସକାଶେ କାହିଁକି ଚକ୍ଷୁଟିଏ ଖୋଜି ବାହାରିବ ? ଆମ ପୃଥିବୀରେ ଆତ୍ମରତି ମଣିଷମାନେ ହିଁ ସମ୍ଭବତଃ ସବୁଠାରୁ ବଡ଼ପାଟିରେ ସଂସ୍କୃତି ବିଷୟରେ ସର୍ବାଧିକ କହିଛନ୍ତି ଓ ଲେଖିଛନ୍ତି । ଏବେ ମଧ୍ୟ ସେମାନଙ୍କର ସେହି ମନ୍ଦୋଲ୍ଲାସ ଗୁଡ଼ାକ ଆମକୁ ବହୁ ବଳାତ୍କାର ସହିତ ମାଡ଼ିବସିଛି ଓ ଗ୍ରହଣଶୀଳତାକୁ ପୋଇଲୀ କରି ରଖିଛି । ଆମ ବାଘମାନେ ସଂସ୍କୃତି ବୋଲି ଆମ ସଂଗ୍ରହାଳୟ ଗୁଡ଼ାକୁ ଦେଖାଇ ଦେଉଛନ୍ତି ଓ ଆମର ଅସଲ ଗବାକ୍ଷଗୁଡ଼ିକୁ ଭଣ୍ଡୁର କରି ରଖିଛନ୍ତି । ସଂସ୍କୃତି ନାମରେ ଆମେ ଅନେକ ସମୟରେ ତୁଚ୍ଛା ବିଡ଼ମ୍ବନାଗୁଡ଼ାକୁ ହିଁ ସତେଅବା ପାଟରାଣୀ କହି ପୂଜା କରିବାକୁ ଭାରି କାମାସକ୍ତ ହୋଇ ପଡ଼ୁଛୁ । (୯ । ୯ । ୮୭)

 

(୭)

 

ମୋ’ ସଂସ୍କୃତି ମୋତେ ସବୁଠାରୁ ନିକଟ, କାରଣ ମୋ’ ଜୀବନର ବକଟେ ବେଳରୁ ମୁଁ ସେହି ସଂସ୍କୃତିରେ ପ୍ରତିପାଳିତ ହୋଇ ଆସିଛି । ମୋ’ ଧର୍ମ ମୋତେ ସବୁଠାରୁ ନିକଟ, କାରଣ ଯେ କୌଣସି ଧର୍ମରେ ମୋ’ର ହେତୁ ହେବା ପୂର୍ବରୁ ହିଁ ଏହି ଧର୍ମ ନିଜର ଡେଣା ଭିତରେ ମୋତେ ଆଶ୍ରୟ ଦେଇ ରଖିଛି । ମୋ’ ଭାଷା ମୋତେ ସବୁଠାରୁ ନିକଟ, କାରଣ କୌଣସି ଔପଚାରିକ ବିଦ୍ୟାଳୟରେ ଚାଟ ହୋଇ ବସିବା ପୂର୍ବରୁ ମୁଁ ଅତ୍ୟନ୍ତ ଅନୌପଚାରିକ ଭାବରେ ମୋର ନିକଟତମ ସଂସର୍ଗଗୁଡ଼ିକ ପାଖରୁ ହିଁ ସେହି ଭାଷାଟିକୁ ଗ୍ରହଣ କରିନେଇଛି । ଶିକ୍ଷା କରିବା ପୂର୍ବରୁ ଆଗ ଗ୍ରହଣ କରିନେଇଛି । ତାହାକୁ ମୁଁ ମୋର ଭାଷା ବୋଲି କହୁଛି । ମୋ’ର ଭୂମିଟି ମୋତେ ସବୁଠାରୁ ନିକଟ, କାରଣ ମୁଁ ଏହି ଭୂମିଟି ଉପରେ ଛିଡ଼ା ହୋଇଛି, ମୋ’ ଚେରଗୁଡ଼ିକ ଏହି ଭୂମିଟି ଭିତରେ ରହିଛି । ମୁଁ ତାହାକୁ ନିଜର ଭୂମି ବୋଲି କହୁଛି ଓ ଅନୁଭବ କରୁଛି । ଏହି ଏକାନ୍ତ ସତ୍ୟଗୁଡ଼ିକ କେବଳ ମୋ’ ନିଜ ଜୀବନରେ ନୁହେଁ, ସବୁଠାରେ ସତ୍ୟ, ସବୁ ମଣିଷଙ୍କୁ ଜୀବନରେ ସତ୍ୟ, ସବୁ ଯୁଗରେ ସତ୍ୟ । ଏହି ସତ୍ୟଗୁଡ଼ିକୁ ଲାଭ କରିବାକୁ ମୋତେ ମୋ’ ଜୀବନରେ କୌଣସି ସାଧନା କରିବାକୁ ପଡ଼ିନାହିଁ । ଏଗୁଡ଼ିକୁ ମୁଁ ସେମିତି ପାଇଛି, ଉତ୍ତରାଧିକାର-ସୂତ୍ରରେ ପାଇଛି । ପୃଥିବୀରେ ସବୁ ମଣିଷଙ୍କର ସେହିପରି ଉତ୍ତରାଧିକାର ନାମରେ ସୂତ୍ରଟିଏ ରହିଛି, ଆପଣାର ବୋଲି ସଂସ୍କୃତିଟିଏ, ଧର୍ମଟିଏ, ଭାଷାଟିଏ ଓ ଭୂମିଟିଏ ରହିଛି । ଜୀବନରେ ବିଶ୍ଵ ଆଡ଼କୁ ଆଦୌ କୌଣସି ଗବାକ୍ଷ ଖୋଲିବା ଆଗରୁ ଆମ ପ୍ରତ୍ୟେକଙ୍କର ଜୀବନରେ ସର୍ବପ୍ରଥମେ ଏହି ଗବାକ୍ଷଟି ଖୋଲି ପାରିଥିବା ଉଚିତ । ଏଇଟି ହେଉଛି ଆମ ଏନ୍ତୁଡ଼ିଶାଳର ଗବାକ୍ଷ, ଆମ ନିଜ ଭିତରେ ସେହି ଭିତର ଆଡ଼କୁ ଖୋଲିହୋଇ ରହିଥିବା ଗବାକ୍ଷ । ଆମର ଠିକଣା ଚେରଗୁଡ଼ିକର ପଶ୍ଚାତରେ ରହିଥିବା ଆମ ଅସଲ ଠିକଣାଟିକୁ ଆମକୁ ଚିହ୍ନାଇଦେଇ ପାରୁଥିବା ଗବାକ୍ଷ, ଆମ ନିଜସ୍ଵ କେନ୍ଦ୍ରଟି ସହିତ ଆମର ଖିଅ ଲଗାଇ ରଖି ପାରୁଥିବା ଗବାକ୍ଷ । ଏହି ଗବାକ୍ଷଟି ସବାଆଗ ଖୋଲି ପାରିଥିଲେ ଯାଇ ଜୀବନର ଅନ୍ୟ ଯାବତୀୟ ଗବାକ୍ଷର ଖୋଲିବା ସମ୍ଭବ ହୋଇଥାଏ । ଆମରି ସମଗ୍ର ବିଶ୍ଵ ସେହି କେନ୍ଦ୍ରଟି ଉପରେ ଛିଡ଼ାହୋଇ ରହିଥାଏ ।

 

ତଥାପି ଆପଣାର ସଂସ୍କୃତି, ଧର୍ମ, ଭାଷା ଓ ଭୂମି ବିଷୟରେ ଏତିକିଠାରୁ ଯେତେଯାହା ବଢ଼ାଇ କରି କୁହାଯାଇଥାଏ, ତାହା ସତ୍ୟ ନୁହେଁ, ତାହା ଭାବପ୍ରବଣତା । ଅସଲ ଭାବର ସୂତ୍ରଟି ଦୁର୍ବଳ ହୋଇଗଲେ ଭାବପ୍ରବଣତା ନିମନ୍ତେ ସଚରାଚର କେତେ ନା କେତେ ପ୍ରଶ୍ରୟ ମିଳି ଯାଇଥାଏ । ମଣିଷମାନେ ଭାବକୁ ନେଇ ବଞ୍ଚନ୍ତି । ଭାବପ୍ରବଣତାର ସାହାଯ୍ୟରେ ଉତ୍ତେଜିତ ହୁଅନ୍ତି-। ଆମ ଜୀବନର ଅସଲ ଶ୍ରଦ୍ଧାଗୁଡ଼ିକରେ ସ୍ଥାନରେ ହୁଏତ କୌଣସି ଅବାଞ୍ଛିତ ଅଭିଳାଷର ରନ୍ଧ୍ରଟିଏ ହୋଇଗଲେ ଉତ୍ତେଜନା ଲାଗି ସତେଅବା ଏକ ପ୍ରୟୋଜନ ଅନ୍ତର୍ଭୁତ ହୋଇଥାଏ । ଉତ୍ତେଜନାର ଘୃଣାର ଉନ୍ମେଷ ହୁଏ । ଅମର ସ୍ପର୍ଶକାତରତା ଗୁଡ଼ାକ ତୀବ୍ର ହେଲେ ସେଇଥିରୁ ହିଁ ଆମ ଭିତରେ ଘୃଣା ଲାଗି ଏକ ଆବଶ୍ୟକତା ସୃଷ୍ଟି ହୋଇଥାଏ । ସଂସାରରେ ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ଏ ପାଖରେ ଘୃଣା ନ କଲେ ସେ ପାଖରେ ଭଲ ପାଇ ପାରନ୍ତି ନାହିଁ । ବର୍ତ୍ତମାନର ଆମ ପୃଥିବୀରେ ସମ୍ଭବତଃ ସେହିଭଳି ମଣିଷ ଆବଶ୍ୟକତାଠାରୁ ଅତିରିକ୍ତ ଅଧିକ ସଂଖ୍ୟାରେ ରହିଛନ୍ତି । ସେଇଥିଲାଗି ଘୃଣା ପାଇଁ ପାଳକ ପଡ଼ିଛି ଓ ଶ୍ରଦ୍ଧାମାନେ ହାତଛଡ଼ା ହୋଇ ଯାଉଛନ୍ତି । ଅନେକ ବେରସିକ ଅଛନ୍ତି, ଯେଉଁମାନେ ଅନବରତ ନିଜ ଭିତରେ ଅଥବା ନିଜ ବାହାରେ ଗୋଟିଏ ଅଥବା ଗୋଟିଏରୁ ଅଧିକ ଖଳନାୟକଙ୍କ ସହିତ ନ ଲଢ଼ୁଥିଲେ ଆପଣାକୁ ମୋଟେ ନାୟକ ବୋଲି ଅନୁଭବ କରିପାରନ୍ତି ନାହିଁ । ସେମାନଙ୍କ ଭିତରେ ଘୃଣା ବା ଶ୍ରଦ୍ଧା, କେଉଁଟା ଅଧିକ ଶକ୍ତିଶାଳୀ ବୋଲି ଜାଣିବାକୁ ହେଲେ ସେମାନଙ୍କର ଆହୁରି କେତେକେତେ ନାଡ଼ୀକୁ ଉଖାରି ଦେଖିବାକୁ ପଡ଼େ । ବିଚରା ଏହିଭଳି ମଣିଷମାନେ ଯେଡ଼େ ଅଚେତନର ଭାବରେ ହେଲେ ମଧ୍ୟ ସତେଅବା ଏକ ଶଲ୍ୟ ଚିକିତ୍ସା ଲାଗି ଅପେକ୍ଷା କରି ରହିଥାନ୍ତି । ସଂସ୍କୃତି, ଧର୍ମ, ଭାଷା ଏବଂ ଭୂମିର କ୍ଷେତ୍ରରେ ସେମାନଙ୍କୁ ଜାତୀୟତାବାଦୀ ବୋଲି କୁହାଯାଏ । ଜାତୀୟତାବାଦ ହେଉଛି ଏକ ବହୁ ସନ୍ତାପକାରୀ ପୋକ, ଯାହାକି ମଣିଷକୁ ଭାରୀ ଅଣଆୟତ୍ତ ଭାବରେ କେନ୍ଦ୍ରଛଡ଼ା କରି ରଖିଥାଏ, ଶ୍ରଦ୍ଧା-ବିଚ୍ୟୁତ କରି ରଖିଥାଏ । ସେମାନେ ନିଜ ଭିତରେ କେଉଁଠି ସତେଅବା ହୀନମନ୍ୟ ହୋଇ ରହିଥାନ୍ତି କି କ’ଣ କେଜାଣି, ବାହାରେ ବଡ଼ ଉଗ୍ରମନ୍ୟ ହେବାକୁ ବାଧ୍ୟ ହୁଅନ୍ତି । ସେମାନେ ଅତ୍ୟନ୍ତ ପ୍ରଦର୍ଶନପ୍ରିୟ ହୁଅନ୍ତି,–ସବୁବେଳେ ତୁଳନା କରୁଥାନ୍ତି ଏବଂ, ଯେଉଁ ପାଖଟାକୁ ଅଧିକ ଓଜନ ବୋଲି ପ୍ରମାଣ କରିବାକୁ ଇଚ୍ଛା କରୁଥାନ୍ତି, ସେଇ ପାଖର ଡାଲାଟାରେ ଯାଇ ବଟକରାଟିଏ ହୋଇ ପଡ଼ିଥାଆନ୍ତି । ଏହି ଲୋକମାନେ ଯେଉଁ ସାହିତ୍ୟ ଲେଖନ୍ତି, ତାହାକୁ ସଭାମାନଙ୍କରେ ଜାତୀୟତାବାଦୀ ସାହିତ୍ୟ କୁହାଯାଏ । ପୃଥିବୀର ବହୁ ସାହିତ୍ୟରେ ଏକ ତଥାକଥିତ ଜାତୀୟତାବାଦୀ ଯୁଗ ରହିଛି । ଆମ ନିଜ ସାହିତ୍ୟରେ ମଧ୍ୟ ଅଛି । ଜାତୀୟତାବାଦୀ ସାହିତ୍ୟ-ସମୀକ୍ଷା ବୋଲି ଦ୍ରବ୍ୟଟିଏ ମଧ୍ୟ ରହିଛି । ଆମର ମୂଳଭୁତ ଘୃଣାଗୁଡ଼ିକୁ ଆମ ଜୀବନରେ ଅଭିପ୍ରେତ ହୋଇ ରହିଥିବା ଶ୍ରଦ୍ଧାଗୁଡ଼ିକୁ ପୋତି ପକାଇବାରେ ଏବଂ ଘୋଡ଼ାଇ ରଖିବାରେ ପ୍ରକୃତରେ ଖୁବ୍ ସହାୟତା କରିଛି । ଆମ ଜାତୀୟତାବାଦ ଓ ଜାତୀୟତାବାଦୀ ସାହିତ୍ୟ ଆମର ଘୃଣାଗୁଡ଼ାକୁ ପୋତି ପକାଇବାରେ ଓ ଘୋଡ଼ାଇ ରଖିବାରେ ମଧ୍ୟ କେତେ ନା କେତେ ସାହାଯ୍ୟ କରିଆସିଛି, ଏବେ ମଧ୍ୟ କରୁଛି ।

 

ନିଜକୁ ଦେଖି ପାରିବାକୁ ହେଲେ ଅନ୍ତତଃ ସେହି ସମୟଟି ନିମନ୍ତେ ନିଜର ବାହାରକୁ ଚାଲିଯିବାକୁ ହୋଇଥାଏ । କାନ୍ଥଗୁଡ଼ାକର ବାହାରକୁ ଚାଲିଯାଇ ପାରିଲେ ଯାଇ କାନ୍ଥଗୁଡ଼ାକୁ କାନ୍ଥ ବୋଲି ଚିହ୍ନିହୁଏ । ଆଉ ଗୋଟିଏ ବୃହତ୍ତର ବୃତ୍ତର ପରିପ୍ରେକ୍ଷୀରେ ଦେଖିଲେ ଯାଇ କୌଣସି ଏକ ନିର୍ଦ୍ଦିଷ୍ଟ ବୃତ୍ତକୁ କଳନା କରିହୁଏ । ଆପଣାର ସଂସ୍କୃତିଟିକୁ ସମଗ୍ରତର ଓ ଯଥାର୍ଥତର ଭାବରେ ଜାଣିବାକୁ ହେଲେ ତାହାର ତାତ୍କାଳିକ ବେଢ଼ଗୁଡ଼ିକ ଭିତରୁ ଅନ୍ତତଃ ସେହି ସମୟଟି ପାଇଁ ବାହାରି ଯିବାକୁ ହୁଏ । ଆମକୁ ମୋହଯୁକ୍ତ କରି ରଖିଥିବା ତାତ୍କାଳିକ ବୃତ୍ତଟି ମଧ୍ୟରୁ ଏକ ବୃହତ୍ତର ପରିଧିଯୁକ୍ତ ବୃତ୍ତ ମଧ୍ୟରେ ପ୍ରବେଶ କରିପାରିଲେ ଯାଇ ମୋହମୁକ୍ତି ସମ୍ଭବ ହୋଇଥାଏ । ଏହି ଦୃଷ୍ଟିରୁ ବିଚାର କରି ଦେଖିଲେ ସମ୍ପ୍ରସାରଣକୁ ହିଁ ଯାବତୀୟ ଆରୋହଣ ବା ଊର୍ଦ୍ଧ୍ଵାୟନର ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ଉପାୟ ବୋଲି ଅନୁଭବ କରିହୁଏ । ପୃଥିବୀର ଆହୁରି ଅନେକ ସଂସ୍କୃତି ସହିତ ପରିଚୟ ଘଟାଇ ପାରିଲେ ଯାଇ ଆପଣାର ସଂସ୍କୃତିଟିକୁ ପୂର୍ଣ୍ଣତର ତଥା ସତ୍ୟତାର ଭାବରେ ଜାଣିହୁଏ । ଅନ୍ୟ ସଂସ୍କୃତିଗୁଡ଼ିକ ଆପଣାର ତଥାକଥିତ ଖାସ୍‍ ସଂସ୍କୃତିଠାରୁ ହୀନତର ଅଥବା ନୀରସ ବୋଲି ପ୍ରମାଣ କରିବାର ମତଲବରେ ଯେଉଁମାନେ ଅନ୍ୟ ସଂସ୍କୃତିଗୁଡ଼ିକ ସହିତ ପରିଚିତ ହୁଅନ୍ତି, ଏଠାରେ ସେମାନଙ୍କ କଥା ମୋଟେ ଚର୍ଚ୍ଚା କରାଯାଉନାହିଁ । ପୂର୍ବ କାଳରେ ଖ୍ରୀଷ୍ଟିଆନ ପାଦ୍ରୀମାନେ ପୃଥିବୀର କେତେ ଭାଷା ଅଧ୍ୟୟନ କରିଥିଲେ, କେତେ ଭାଷାର ସର୍ବପ୍ରଥମ ବ୍ୟାକରଣ ସେହିମାନେ ଲେଖିଥିଲେ, ସେମାନେ ପୃଥିବୀରେ କେତେବେଳେ ଧର୍ମର ଶାସ୍ତ୍ରମାନ ପଢ଼ି ଗବେଷଣା ମଧ୍ୟ କରିଥିଲେ । ମାତ୍ର ଆପଣାର ଧର୍ମ, ସଂସ୍କୃତି ଏବଂ ସଭ୍ୟତାକୁ ପୃଥିବୀଯାକରେ ସବୁଠାରୁ ଅଧିକ ଶସିଅଳ ଓ ବଢ଼ିଆଳ କରି ଦେଖାଇବାର ମତଲବରେ ହିଁ ସେମାନେ ଏତେଏତେ ଅଧ୍ୟବସାୟ ଏବଂ କସରତ କରିଥିଲେ । ବିଚରାମାନେ କେବଳ ସେହିମାନଙ୍କ ବ୍ୟତୀତ ପୃଥିବୀରେ ଆଉ ସମସ୍ତେ ଅଛୁଆଁ ବୋଲି ପ୍ରତିପାଦିତ କରିବା ଲାଗି ପୃଥିବୀଯାକର ଗୋବର ଭିତରେ ପଶିବାକୁ ବାଧ୍ୟ ହୋଇଥିଲେ । ତେଣୁ ସ୍ଵୟଂ ଅଛୁଆଁ ହୋଇ ରହିଗଲେ ।

 

ଏହିଭଳି ପାଦ୍ରୀମାନେ ଅଳ୍ପବହୁତେ ସବୁ ଧର୍ମରେ ଓ ସବୁ ସଂସ୍କୃତିରେ ରହି ଆସିଛନ୍ତି । ସେମାନେ ଏବେ ମଧ୍ୟ ଅଛନ୍ତି । ସେହିମାନଙ୍କର ଉତ୍ସାହ ଦ୍ଵାରା ହିଁ ମ୍ଳେଚ୍ଛ, ଯବନ ଓ କାଫେର ପ୍ରଭୃତି ଭାବନାର ସୃଷ୍ଟି ହୋଇଛି । ସଂସ୍କୃତି ନାମରେ ସମଗ୍ର ଆକାଶଟାକୁ ଢାଙ୍କିଦେଇ କେତେକେତେ ସଦୃଶ୍ୟ ଓ ସୁଶ୍ରାବ୍ୟ ଅସଂସ୍କୃତିର ସୃଷ୍ଟି ହୋଇଛି । ଅନେକ ସମୟରେ ତୁଚ୍ଛା ଅହଙ୍କାରମାନେ ହିଁ ସଂସ୍କୃତିର ମୁଖା ପିନ୍ଧି ସଂସାରଯାକ ମନ୍ଥନ କରି ବାହାରିଛନ୍ତି । ସେମାନେ ଭେଦଗୁଡ଼ାକୁ ହିଁ ରହସ୍ୟଭେଦର ବିକଳ୍ପ ରୂପେ ଗ୍ରହଣ କରି ନେଇଛନ୍ତି । ସଂସାରରେ ଯେତେଯେତେ ଗଡ଼ିଆରେ ମାନବମାନଙ୍କୁ ସତେଅବା ମାଛ ଜାଆଁଳ ପରି ମନେ କରାଯାଇ ସେମାନଙ୍କୁ ବଡ଼ମାଛରେ, ଭଲ ମାଛରେ ପରିଣତ କରିବାର ଧନ୍ଦା କରାଯାଇଛି । ସେଠାରେ ପ୍ରାୟ ସର୍ବତ୍ର ହାତରେ ରଜ୍ଜୁଗୁଡ଼ାକୁ ଧରି ମନୁମାନେ ଅଡ଼ା ଧରି ବସିଛନ୍ତି ଏବଂ ପବିତ୍ର ସଂହିତାମାନ ରଚନା କରିଛନ୍ତି । ସେମାନଙ୍କର ଅଶେଷ ଅଧ୍ୟବସାୟ ଫଳରେ ବ୍ରହ୍ମଜିଜ୍ଞାସାରୁ ଜାତିଭେଦ ଓ ଉଚ୍ଚନୀଚର ଅବିନୟ ଗୁଡ଼ାକ ନିଷ୍ପନ୍ନ ହୋଇ ଆସିଛି । ଅନ୍ୟ ସଂସ୍କୃତି ବିଷୟରେ ଆମର ଯେଉଁ ଜ୍ଞାନ ଆମର ନିଜ ସଂସ୍କୃତିକୁ ମଧ୍ୟ ସମଗ୍ରତର ଭାବରେ ଅନୁଭବ କରିବାରେ ସାହାଯ୍ୟ କରେ, ସମୁଚିତ ସମ୍ମାନ ସହିତ ହିଁ ସେହି ସଂସ୍କୃତିର ନିକଟବର୍ତ୍ତୀ ହେବାକୁ ହୋଇଥାଏ । ଅନ୍ୟକୁ ସମ୍ମାନର ସହିତ ତୁଳିପାରିଲେ ନିଜ ବିଷୟରେ ମଧ୍ୟ ଏକ ଯଥାର୍ଥ ସମ୍ମାନବୋଧ ଜନ୍ମଲାଭ କରେ । ତଦ୍ଦ୍ୱାରା ଆମ ଅବଲୋକନର ସ୍ତର ବଦଳିଯାଏ, ନିଜର ସବୁକିଛିକୁ ଏକ ବୃହତ୍ତର ସମସ୍ତତାର ପରିପ୍ରେକ୍ଷୀରେ ଅନୁଭବ କରିହୁଏ । ତା’ପରେ କୌଣସି ପ୍ରକାରର ହୀନ ଅସୂୟାପ୍ରେରିତ ତୁଳନା ଆଡ଼କୁ ମୋଟେ ମନ ଯାଏନାହିଁ । ସେତିକିବେଳେ ଯାଇ ଆପଣାର ଅସଲ ଚେରଗୁଡ଼ିକୁ ଅନୁଭବ କରିହୁଏ, ବଞ୍ଚିହୁଏ । କେବଳ ଅନୁତ୍ତେଜିତ ଭାବରେ ନୁହେଁ, ଶ୍ରଦ୍ଧାର ସହିତ ମଧ୍ୟ ବଞ୍ଚିହୁଏ । ତେଣୁ ନିଜର ଅନ୍ତର ଭିତରେ, ଆଖି ଭିତରେ, ଗବାକ୍ଷଗୁଡ଼ିକୁ ଖୋଲିଦେଇ ପାରିଲେ ଯାଇ ଜଣେ ମଣିଷକୁ ଏହିସବୁ ଅଧିକାର ପ୍ରାପ୍ତ ହୋଇଥାଏ । ଗବାକ୍ଷ ନଖୋଲି ନିଜର ଗୁମ୍ଫାଟି ଭିତରେ ଯେଉଁମାନେ ନାକଗୁଡ଼ିକୁ ଲମ୍ବାଇ କେଡ଼େ ଗରୁ ହୋଇ ବସିଥାନ୍ତି, ସେମାନେ ଯେତେବଡ଼ ମଲ୍ଲୀମାଳ ପକାଇ ସାଂସ୍କୃତିକତାର ଯେତେବଡ଼ ପ୍ରଦର୍ଶନ କରୁଥିଲେ ମଧ୍ୟ ଭିତରେ ସତେଅବା ଜଣେଜଣେ ସ୍ଵାତ୍ତିକ ସଇତାନ ହୋଇ ବସି ରହିଥାନ୍ତି ଏବଂ ଗବାକ୍ଷଗୁଡ଼ିକୁ ସତକୁ ସତ ଭୟ କରୁଥାନ୍ତି ।

 

ଯେତେବେଳେ ପୃଥିବୀର ପରିଧିଗୁଡ଼ିକୁ ନିତାନ୍ତ ଅଳପ ଥିଲା, ମଣିଷ ଅତ୍ୟନ୍ତ ଅଳପ ଦେଖି ତାହାକୁ ହିଁ ସବୁ କିଛି ବୋଲି କହିବାକୁ ବାଧ୍ୟ ହେଉଥିଲା, ସେତେବେଳେ ହୁଏତ ଏକ ପରିସ୍ଥିତିଗତ ପ୍ରସୀମନର ନିୟମରେ ମଣିଷ ଆପଣାର ଧର୍ମ, ସଂସ୍କୃତି, ଭାଷା ଓ ଭୂମିକୁ ଏକମାତ୍ର ଅଥବା ଶ୍ରେଷ୍ଠ ସଂସ୍କୃତି, ଧର୍ମ, ଭାଷା ବା ଭୂମି ବୋଲି କହିବାକୁ ମନ କରୁଥିଲା । ଆମର ଏହି ପୃଥିବୀରେ ଯେ ଆମ ସହିତ ଆହୁରି ଅନେକ ମଣିଷ ରହିଛନ୍ତି, ଆମ ତଥାକଥିତ ନିଜ ଧର୍ମଟି ବ୍ୟତୀତ ଯେ ଆହୁରି ଅନେକ ଧର୍ମ ରହିଛି, ଆମର ଏହି ଭୂମିଟି ବ୍ୟତୀତ ଯେ ଅନ୍ୟାନ୍ୟ ବହୁ ଭୂମି ରହିଛି, ପୃଥିବୀରେ ଏହିସବୁ ସତ୍ୟର ଉଦ୍‍ଘାଟନ ହୋଇ ସାରିବା ପରେ ଆମେ ତଥାପି କାହିଁକି ଉନ୍ମୋଚନ ଲାଗି ଅପେକ୍ଷା କରି ରହିଥିବା ଗବାକ୍ଷଗୁଡ଼ିକୁ ବନ୍ଦ କରି ରଖିବା ? ସକଳ ସଂସ୍କୃତି ଭିତରୁ ଆମେ ଯଥାର୍ଥ ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟଗୁଡ଼ିକୁ ଖୋଜି ବାହାରିବା ନା ଆପଣାର ବୋଲି ଆମର ଯେତିକି ଅଛି, ତାହାକୁ ହିଁ ସବୁଯାକ ବା ସର୍ବଶ୍ରେଷ୍ଠ ଐଶ୍ୱର୍ଯ୍ୟ ବୋଲି ଭ୍ରମ କରି ଯେଉଁଠି ସେଇଠି ପଡ଼ି ରହିଥିବା ? ଔଦ୍ଧତ୍ୟରେ ବଢ଼ୁଥିବା, କ୍ଷୁଦ୍ରତାର ବଢ଼ୁଥିବା,–ଅଥଚ ସଂସ୍କୃତିର ଯାବତୀୟ କାଠିରେ ତଳକୁ ଖସିଖସି ଯାଉଥିବା ? ପୃଥିବୀର ଯାବତୀୟ ଧର୍ମ ତଥା ସତ୍ୟାନ୍ୱେଷଣର ଇତିହାସରେ ଯେଉଁସବୁ ଐଶ୍ୱର୍ଯ୍ୟ ଅଛି, ଆମେ ସେଗୁଡ଼ିକୁ ମଧ୍ୟ ଆଘ୍ରାଣ କରିବାରେ ସମର୍ଥ ହୋଇ ନିଜକୁ ଓ ନିଜର ଧର୍ମକୁ ଅଧିକ ଐଶ୍ୱର୍ଯ୍ୟବନ୍ତ ଏବଂ ଲୋଚନଯୁକ୍ତ କରିବା ନା ନିଜର ତଥାକଥିତ ଧର୍ମର ହିମକୁଣ୍ଡଟି ଭିତରେ ବୁଡ଼ି ମରିବାରେ ଲାଗିଥିବା ? ଆମର ଗବାକ୍ଷଗୁଡ଼ିକ ହିଁ ଆମକୁ ଆମର ତାତ୍କାଳିକ ଏତିକିଗୁଡ଼ିକର ବାହାରକୁ ପ୍ରେରିତ କରି ନେଇଯାଇ ପାରିବ । କିନ୍ତୁ ଆମର ମନ ହେଲେ ଯାଇ ଆମ ଜୀବନରେ ତାହା ସମ୍ଭବ ହେବ । ଯେଉଁ ସଂସ୍କୃତି ମଣିଷକୁ ମିଛ ପ୍ରସୀମନ ଗୁଡ଼ାକର ଯାବତୀୟ ଭୂଗୋଳ ମଧ୍ୟରୁ ପରିଧି ଡିଆଁଇ ନେଇଯାଏ, ଏକ ନିବିଡ଼ତର ଏବଂ ଗଭୀରତର ସନ୍ଧାନ ଦିଏ, ତାହାହିଁ ସୁସ୍ଥ ସଂସ୍କୃତି । ଦେଉଳ ଓ ସଂଗ୍ରହାଳୟ ଗୁଡ଼ିକ ବଢ଼ିଲେ ଯେ ସୁସ୍ଥତାରେ ମଧ୍ୟ ଅଭିବୃଦ୍ଧି ହୋଇଥାଏ, ସେକଥା ଆଦୌ ଠିକ୍‍ ନୁହେଁ । ମଣିଷ ମନ କଲେ ଯାଇ ତାହା ହୁଏ । ଆମ ସଂସ୍କୃତି ବିଷୟରେ ବହୁ ଶାସ୍ତ୍ରର ଗାୟନ ଓ ଉଦ୍‍ଗାର ଦ୍ଵାରା ଯେଉଁ ପଣ୍ଡିତ ଆମ ଆଗରେ ଅଖା ଅଖା ସାମଗ୍ରୀ ଆଣି ଗଦାକରି ଦେଉଥାଏ, ତା’ ଗବାକ୍ଷଗୁଡ଼ିକ ଯେ ସତକୁ ସତ ଖୋଲାହୋଇ ରହିଥାଏ, ସେକଥା ମଧ୍ୟ ମୋଟେ ସତ ନୁହେଁ । ସବୁଯାକ ଉଦ୍‍ଗାର ପଛରେ ସିଏ ସତେଅବା ତଥାପି କିଛି ଲୁଚାଇ ରଖିବାକୁ ଚେଷ୍ଟା କରୁଥାଏ, ସିଂହପରି ଗର୍ଜନ କରୁଥିଲେ ମଧ୍ୟ ତଥାପି ଶଶକବତ୍‍ ସତେଅବା ପଳାଇ ଯିବାକୁ ଛନଛନ ହେଉଥାଏ । ସିଏ ଆମର ଅପେକ୍ଷାମାଣ ଗବାକ୍ଷଗୁଡ଼ିକୁ ମଧ୍ୟ ମୋଟେ ଦେଖି ପାରେ ନାହିଁ ।

 

ଗବାକ୍ଷଗୁଡ଼ିକୁ ଖୋଲା ରଖିଥିଲେ କ’ଣ ହୁଏ ଓ ନାନା ପ୍ରୟୋଜନରେ ପଡ଼ି ସେଗୁଡ଼ିକ ବନ୍ଦ କରି ରଖିବାକୁ ହିଁ ନିଷ୍ପତ୍ତି କରିଥିଲେ କ’ଣ ହୁଏ, ଭାରତବର୍ଷର ଇତିହାସରୁ ଦୁଇଟି ଉଦାହରଣ ସାହାଯ୍ୟରେ ଆମେ ସେକଥା ବୁଝିବା ଲାଗି ଚେଷ୍ଟା କରିବା । ଇସ୍‍ଲାମ ଓ ହିନ୍ଦୁଧର୍ମ ଉଭୟ ମଧ୍ୟରେ ସାର ଅଛି ଓ ଉଭୟେ ଗୋଟିଏ ଗୋଟିଏ ସଚ୍ଚା ଧର୍ମ ବୋଲି କହିବାକୁ ସାହସ କରିଥିବାରୁ ଦିଲ୍ଲୀ ଲୋଦୀ ବଂଶର ଶେଷ ରାଜା ସିକନ୍ଦର ଲୋଦୀ ଏକଦା ଜଣେ ବ୍ରାହ୍ମଣକୁ ପ୍ରାଣଦଣ୍ଡର ଆଦେଶ ଦେଇଥିଲେ । ସେହି ଘଟଣାର ମାତ୍ର ପ୍ରାୟ ଦେଢ଼ ଶହ ବର୍ଷ ପରେ ଆକବର ବାଦଶାହ ହୋଇ ଦିଲ୍ଲୀର ସିଂହାସନରେ ବସିଲେ । ନିଜ ଇସ୍‌ଲାମ ଧର୍ମର ଗୂଢ଼ତତ୍ତ୍ଵ ଗୁଡ଼ିକୁ ବୁଝିବା ସକାଶେ ଆଗ୍ରହୀ ହୋଇ ସିଏ ଆପଣାର ରାଜଧାନୀରେ ଏକ ଇବାଦତ୍‍ଖାନାର ପ୍ରତିଷ୍ଠା କରିଥିଲେ । କେବଳ ମୁସଲମାନ ଧର୍ମ ଓ ବିଧାନଗୁଡ଼ିକର ତର୍ଚ୍ଚା ନିମନ୍ତେ ସେଠାକୁ ସେ ସେହି ଧର୍ମର ବିଭିନ୍ନ ସମ୍ପ୍ରଦାୟର ଅବଗ୍ରାହୀ ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରୁଥିଲେ । ପ୍ରବରମାନେ ନିଜନିଜର ସୂତ୍ରଗୁଡ଼ିକୁ ଏପରି ଆତୁର ଭାବରେ କାମୁଡ଼ି ଧରିଥିଲେ ଯେ, ଆଦୌ କୌଣସି ସତ୍ୟ-ସମାଧାନରେ ପହଞ୍ଚିବା ପରିବର୍ତ୍ତେ ସେମାନେ ପରସ୍ପର ମଧ୍ୟରେ ଅଧିକ କଳହ ହିଁ କରିବାକୁ ଲାଗିଲେ । ଏହି ଘଟଣା ଆକବରଙ୍କୁ ଇସ୍‌ଲାମ୍‌ରେ ମଧ୍ୟ କେତେକ ଅପୂର୍ଣ୍ଣତା ରହିଛି ବୋଲି ଏକ ସଂଶୟ ଆଣିଦେଲା ଓ ତା’ପରେ ସିଏ ହିନ୍ଦୁ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ଧର୍ମବିତ୍‌ମାନଙ୍କୁ ମଧ୍ୟ ସେହି ଚର୍ଚ୍ଚାଗୃହକୁ ଆସିବା ଲାଗି ନିମନ୍ତ୍ରଣ କଲେ । ସେହି ଚର୍ଚ୍ଚାଗୁଡ଼ିକୁ ଶୁଣି ବାଦଶାହଙ୍କର ମନରେ ଦୃଢ଼ ପ୍ରତ୍ୟୟ ଜନ୍ମିଥିଲା ଯେ ପ୍ରତ୍ୟେକ ଧର୍ମରେ ଏକ ସତ୍ୟ ଅବଶ୍ୟ ନିହିତ ହୋଇ ରହିଛି ଓ ପ୍ରତ୍ୟେକ ଧର୍ମରେ ପ୍ରକୃତ ଧର୍ମସ୍ଥମାନେ ମଧ୍ୟ ରହିଛନ୍ତି । ଏହିପରି ଭାବରେ ଗବାକ୍ଷଗୁଡ଼ିକ କ୍ରମେ ଖୋଲିବାକୁ ଆରମ୍ଭ କରିଥିଲା । ତାଙ୍କର ରାଜତ୍ଵକାଳରେ ହିଁ ସର୍ବପ୍ରଥମ ପାରସିକ-ସଂସ୍କୃତ ଶବ୍ଦକୋଷ ‘ପାର୍ସୀ-ପ୍ରକାଶ’ ସଂକଳିତ ହୋଇଥିଲା । ଆପଣାର ତତ୍ତ୍ୱାବଧାନରେ ଆକବର ଏକ ଅନୁବାଦ ବିଭାଗର ପ୍ରତିଷ୍ଠା କରାଇଥିଲେ । ହିନ୍ଦୁ ଓ ମୁସ୍‌ଲିମ୍‌ ସଂସ୍କୃତିକୁ ପରସ୍ପରର ନିକଟବର୍ତ୍ତୀ କରାଇବା ଉଦ୍ଦେଶ୍ୟରେ ତାହା କରାଯାଉଥିଲା । ସେହି ବିଭାଗର ଆନୁକୂଲ୍ୟରେ ସଂସ୍କୃତ, ଆରବୀ, ତୁର୍କୀ ଏବଂ ଗ୍ରୀକ୍‍ ଭାଷାର ବହୁ ମୂଲ୍ୟବାନ ପୁସ୍ତକର ପାର୍ସୀ ଅନୁବାଦ ପ୍ରସ୍ତୁତ ହେଲା । ସେତିକିବେଳେ ମହାଭାରତ, ରାମାୟଣ ଏବଂ ଅର୍ଥବେଦର ପାର୍ସୀ ଅନୁବାଦ ହୋଇଥିଲା । ଆବୁଲ୍‍ଫଜଲ୍ ପଞ୍ଚତନ୍ତ୍ରର ଅନୁବାଦ କରିଥିଲେ, ତାଙ୍କ ସଭାର ଜଣେ ଅନ୍ୟତମ ବିଦ୍ଵାନ୍‌ ‘ନଳଦମୟନ୍ତୀ’ର ଅନୁବାଦ କରିଥିଲେ ।

 

ତେଣୁ ଗବାକ୍ଷ ଖୋଲିଲେ ମୋଟେ ଜାତି ଯାଏନାହିଁ । ବରଂ ଜଳାଶୟରୁ ମୁକ୍ତି ମିଳେ, ଆପଣାର ଅସଲ ଜାତିଟିକୁ ଚିହ୍ନିହୁଏ । ଆପଣାର ଅସଲ ଐଶ୍ୱର୍ଯ୍ୟଟିକୁ ଯଥାର୍ଥ ଭାବରେ ବଞ୍ଚିହୁଏ । ଆମ ସଂସ୍କୃତିର ଯାବତୀୟ ପ୍ରେରଣା ଆମକୁ ଆମ ଗବାକ୍ଷଗୁଡ଼ିକୁ ଖୋଲିବା ନିମନ୍ତେ ପ୍ରେରିତ କରି ରଖିଥିବା ପର୍ଯ୍ୟନ୍ତ ପୃଥିବୀରେ ଆଉ ଦରିଦ୍ର ହୋଇ ରହିବା ଲାଗି ଆଦୌ କୌଣସି ଅବକାଶ ରହେନାହିଁ । ବେଳେବେଳେ ମନେହୁଏ, ଆମର ବହିଗୁଡ଼ାକୁ ଆମର ଦେଉଳଗୁଡ଼ାକୁ ଏବଂ ଆମର ପ୍ରଗଳ୍‌ଭତାଗୁଡ଼ାକୁ ନେଇ ଆମେ ପ୍ରକୃତରେ କେଡ଼େ ଦରିଦ୍ର ହୋଇ ରହିଛୁ । ଆମ ବଜାରରେ ତେଣେ ପଣ୍ୟଗୁଡ଼ାକ ବଢ଼ୁଥିବା ସଙ୍ଗେ ସଙ୍ଗେ ଆମ ଘର ଭିତରେ ଆମେ ସତକୁ ସତ କେଡ଼େ କ୍ଷୁଦ୍ର ଓ ଦରିଦ୍ର ହୋଇ ରହିଛୁ । ଆପଣା ବ୍ୟତୀତ ଆଉ ଅନ୍ୟକିଛି ଦେଖିବାକୁ ଇଚ୍ଛା କରୁନାହୁଁ ବୋଲି ଆମେ ଆପଣାକୁ ମଧ୍ୟ ତାହାର ଯଥାର୍ଥ ସଂଯୋଗ ଏବଂ ଯଥାର୍ଥ ପ୍ରସାର ଗୁଡ଼ିକ ଦେଇ ମୋଟେ ଦେଖିପାରୁନାହୁଁ । ତେଣୁ କେତେ ନା କେତେ ଲକ୍ଷ୍ମୀ ଭର୍ତ୍ତି ହୋଇ ରହିଥିବା ଏହି ପୃଥିବୀ ଏଣେ କେଡ଼େ, ଅଲକ୍ଷଣା ହୋଇ ପଡ଼ିରହିଛି । ସମନ୍ୱୟ ଗୁଡ଼ିକ କେବଳ ବହିର ଶବ୍ଦ ହୋଇ ରହିଛନ୍ତି । ଅଳ୍ପତାଜନିତ ନାନାବିଧ ଅହଙ୍କାର ଆମର ପ୍ରାୟ ସକଳ ସମ୍ଭାବନାକୁ ଖାଇଯିବାରେ ଲାଗିଛନ୍ତି । ଆମ ହୃଦୟଟା ମଧ୍ୟ ଆପଣାର ଗବାକ୍ଷ-ଧର୍ମକୁ ଭୁଲିଯିବାକୁ ବସିଲାଣି । ମୂଲ୍ୟବୋଧ ଗୁଡ଼ିକ ମରିଯିବାରେ ଲାଗିଥିବାରୁ ପ୍ରାୟ ଏକ କାମାତୁରତା ହିଁ ଆମ ସଂସ୍କୃତିର ଘରକୁ କାବୁ କରିବା ଲାଗି ବସିଛି । ଗବାକ୍ଷମାନେ ତଥାପି ଶ୍ରଦ୍ଧାର ସହିତ ଅପେକ୍ଷା କରି ରହିଛନ୍ତି । (୧୬ । ୯ । ୮୭)

Image

 

(୮)

 

ସମାଜ ଓ ସଂସ୍କୃତି ବିଷୟରେ ତୁଳନାତ୍ମକ ଅଧ୍ୟୟନ ଅନେକତଃ ଭାରି ଏବର କଥା । ସମାଜକୁ ଯଥାସମ୍ଭବ ଏକ ଭାବପ୍ରବଣତାମୁକ୍ତ ପଦ୍ଧତିରେ ଜାଣିବା ଓ ବୁଝିବାର ବାତାବରଣଟି ଗବେଷଣାର ସ୍ଵୀକୃତି ଲାଭ କରିବା ସଙ୍ଗେ ସଙ୍ଗେ ଯେ ତୁଳନାତ୍ମକ ପଦ୍ଧତିରେ ଆଗମନ ଘଟିଥିଲା, ସେକଥା ଆଦୌ ନୁହେଁ । ସମାଜ ବିଜ୍ଞାନ ଆପଣାର ଆଗ୍ରହଗୁଡ଼ିକୁ ଅଧିକ ସମଗ୍ର କରିବାଲାଗି ମନ କଲାପରେ ଯାଇ ତାହା ନୃତତ୍ତ୍ଵବିଜ୍ଞାନ ମଧ୍ୟକୁ କ୍ରମପ୍ରସାରିତ ହୋଇ ଯାଇଥିଲା । ଶୁଦ୍ଧ ସମାଜ ବିଜ୍ଞାନୀ ଓ ଶୁଦ୍ଧ ନୃତତ୍ତ୍ଵବିତ୍‍ମାନେ ଏପରି କହିଲେ ଏକାଧିକ ସଙ୍ଗତ କାରଣରୁ ସମ୍ଭବତଃ କିଞ୍ଚିତ୍ ଆପତ୍ତି କରିବେ ସତ, ତଥାପି ସମାଜବିଜ୍ଞାନର ଗାରଟି ଘୁଞ୍ଚି ଘୁଞ୍ଚି କେଉଁଠି ତାହା ନୃତତ୍ତ୍ଵବିଜ୍ଞାନରେ ପରିଣତ ହୋଇଯାଏ ଏବଂ ନୃତତ୍ତ୍ଵବିଜ୍ଞାନକୁ ଠିକ୍‍ କେତେ ମାତ୍ରାରେ ସୀମାଙ୍କିତ କରି ରଖିଲେ ତାହାକୁ ସମାଜବିଜ୍ଞାନ ବୋଲି କହିହୁଏ, ସେକଥା କାଠି ପକାଇ ମାପି କହିଦେବା ମୋଟେ ସହଜ କଥା ନୁହେଁ । ମନୁଷ୍ୟ ବିଷୟରେ ଯେକୌଣସି ଅଧ୍ୟୟନ ତଥାକଥିତ ବୈଜ୍ଞାନିକ ବହିଃଶୃଙ୍ଖଳା ଗୁଡ଼ିକୁ ଡେଇଁଯାଇ ସର୍ବଦା ଭାରି ଗୋଳମାଳିଆ ହିଁ ହୋଇଯିବା ଉଚିତ । ମଣିଷର ଜୀବନକୁ ଯେପରି ଗାରକଟା କୋଷ୍ଠୀ ଏବଂ ନକ୍ଷତ୍ରଦ୍ଵାରା ଅଙ୍କ କଷି କହିଦେଇ ହେବନାହିଁ, ସେହି ଜୀବନର ଅଧ୍ୟୟନକୁ ମଧ୍ୟ ସେହିପରି କଦାପି କୋଠି ଭିତରେ ଶୁଦ୍ଧ କରି ଆଦୌ ରଖି ହେବନାହିଁ । ତଥାପି, ସମାଜବିଜ୍ଞାନ ମଧ୍ୟରେ ଅଧ୍ୟୟନର ତୁଳନାତ୍ମକ ପ୍ରଣାଳୀଟିକୁ ହୁଏତ ନୃତତ୍ତ୍ଵ-ବିଜ୍ଞାନର ଏକ ସ୍ଵତନ୍ତ୍ର ଅବଦାନ ଓ ସଂଯୋଜନ ବୋଲି କୁହାଯାଇ ପାରିବ । ତୁଳନାତ୍ମକ ପ୍ରଣାଳୀ ଅର୍ଥାତ୍‍ ଗୋଟିଏ ସତ୍ୟର ଅନୁସନ୍ଧାନ ନିମନ୍ତେ ଏକାବେଳେକେ ବିଭିନ୍ନ ସମାଜର ଅଧ୍ୟୟନ କରିବା ଆମେ ସବୁ ଯିଏ ଯେଉଁ ସମାଜରେ ବାସ କରୁଛୁ, ଆମ ଜୀବନରେ ଏକ ନିର୍ଦ୍ଦିଷ୍ଟ ହେତୁ ଏବଂ ସାକାରତା ଆଣିଦେବାରେ ଯେଉଁ ସମାଜ ଆମ ପିଲାଟି ଦିନରୁ କର୍ଣ୍ଣଧାର ପରି କାର୍ଯ୍ୟ କରିଆସିଛି, ଅଭ୍ୟାସର ଗୁଣରୁ ଅଥବା ଅଭ୍ୟାସର ଦୋଷରୁ ଆମେ ସେହି ସମାଜକୁ ହିଁ ଯେକୌଣସି ସମାଜର ଏକ ଆବଶ୍ୟକ ଗଢ଼ଣ ବୋଲି ଅତ୍ୟନ୍ତ ଅବଚେତନ ଭାବରେ ମାନି ନେଇଛୁ । ଅବଚେତନର ସେହି ମୀମାଂସାଗୁଡ଼ିକ ହିଁ ଆମର ଚେତନ ଜୀବନର ବିଧି ତଥା ବୈଧିକତାଗୁଡ଼ିକୁ କେତୋଟି ନିର୍ଦ୍ଦିଷ୍ଟ ଛାଞ୍ଚ ଭିତରେ ଢାଳି କରି ରଖିଛି । ଆମର ସାମାଜିକ ନୀତିଶାସ୍ତ୍ରଗୁଡ଼ିକ ସେହି ଛାଞ୍ଚଗୁଡ଼ିକୁ ହିଁ କ୍ରମେ ଶୁଦ୍ଧ ବୋଲି ଘୋଷଣା କରିଛି, ଆମର ବିଶ୍ଵାସ ଓ ବିବେକଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ଗାର ଭିତରେ ପରିଚାଳିତ କରି ନେଇଛି । ଭଲ ମନ୍ଦ, ଉଚିତ ଅନୁଚିତ, ଠିକ୍‍ ଭୁଲ, ବଡ଼ ସାନ ଓ ସୁନ୍ଦର ଓ ଅସୁନ୍ଦର ବିଷୟରେ ଆମକୁ ନିର୍ଦ୍ଦିଷ୍ଟ ଛାଞ୍ଚମାନ ଯୋଗାଇ ଦେଇଛି । ମନୁଷ୍ୟକୁ ତାହା ସ୍ଵୟଂ ଖୋଜି ସ୍ଵୟଂ ଆବିଷ୍କାର ଓ ଗ୍ରହଣ କରିବାରେ ବହୁ ହରକତରୁ ରକ୍ଷା କରିଛି । ନିଜ ସମାଜର ବହୁ ଅନୁକୂଳନ ଦ୍ଵାରା ଆପଣାକୁ ପ୍ରସୀମିତ କରି ରଖି ମନୁଷ୍ୟ ସତେଅବା ଅତ୍ୟନ୍ତ ସହଜରେ ଜୀବନର ସମୁଚିତ ମୂଲ୍ୟ ଓ ଆଦର୍ଶଗୁଡ଼ିକୁ ମଧ୍ୟ ପାଇଯାଇଛି ବୋଲି କଳ୍ପନା କରିବାରେ ଲାଗିଛି । ପୂର୍ବକାଳର ସମାଜଗୁଡ଼ିକ ଏହିପରି ଭାବରେ ସତେଅବା ଗୋଟିଏ ଗୋଟିଏ ସୁରକ୍ଷିତ ଦୁର୍ଗ ପରି ହୋଇ ରହିଥିଲେ । ସବୁକିଛି ବାନ୍ଧି ଦିଆଯାଇଥିବା ଛାଞ୍ଚଗୁଡ଼ିକରେ ବେଭାରରେ ଚଳୁଥିଲା ଓ ତେଣୁ ଭାରି ଶାନ୍ତିରେ ଚଳୁଥିଲା । ପ୍ରତିବାଦ କରିବାର ଅବକାଶ ନ ଥିଲା । ମନୁଷ୍ୟର ପୃଥ୍ଵୀଧାରଣାଗୁଡ଼ିକୁ ତା’ର ସେହି ପରିଚିତ ବେଷ୍ଟନୀଗୁଡ଼ିକ ଦ୍ଵାରା ଅତ୍ୟନ୍ତ ଦ୍ଵନ୍ଦ୍ଵହୀନ ଭାବରେ ଫାଶ ପଡ଼ି ରହିଥିଲା ଏବଂ ତାହାକୁ ହିଁ ସ୍ଵାଭାବିକତା ବୋଲି ମାନି ନିଆ ଯାଉଥିଲା । ନୃତତ୍ତ୍ୱବିଜ୍ଞାନ ଏହି ପ୍ରତ୍ୟୟଗୁଡ଼ିକର ଘରେ ଭେଦ ପୂରାଇବାକୁ ଆସି ପହଞ୍ଚିଗଲା ।

 

ନୃତତ୍ତ୍ଵବିତ୍‍ମାନେ ନିଜ ସମାଜକୁ ଆପଣାର ଅଧ୍ୟୟନ-କ୍ଷେତ୍ର ରୂପେ ଗ୍ରହଣ କଲେନାହିଁ-। ସେମାନେ ଅଧ୍ୟୟନ ନିମନ୍ତେ ଦୂରଦୁରାନ୍ତରେ ଅବସ୍ଥିତ ସମାଜ ଏବଂ ସଂସ୍କୃତି ମଧ୍ୟରେ ଯାଇ ପଶିବାକୁ ମନ ବଳାଇଲେ । ଆପଣାର ସମାଜଟିକୁ ଅଧ୍ୟୟନ କରିବା ସମାଜବିଜ୍ଞାନୀମାନଙ୍କର ଏକଚାଟିଆ ହୋଇ ରହିଥିଲା । ଇଉରୋପର ସାମ୍ରାଜ୍ୟପ୍ରସାର ସହିତ ଇଉରୋପୀୟମାନେ ପୃଥିବୀର ବହୁ ଅଞ୍ଚଳକୁ ଗଲେ; ସେହି ଭୂଭାଗଗୁଡ଼ିକରେ ସତେଅବା ସବୁକିଛି ଅନ୍ୟ ପ୍ରକାରେ ଦେଖିଲେ । ସେହି ଅନ୍ୟ ପ୍ରକାରଗୁଡ଼ିକୁ ସେମାନେ ଅସଭ୍ୟ ବୋଲି ଘୋଷଣା କଲେ । ଯାହା ମୋର ନିଜ ପ୍ରକାରଟି ସହିତ ମୋଟେ ମିଳୁ ନାହିଁ ଏବଂ ନିଜ ପ୍ରକାରଟିକୁ ହିଁ ଏକମାତ୍ର ସଭ୍ୟ ପ୍ରକାର ବୋଲି ମାନି ନେବାଲାଗି ମୁଁ ଯେତେବେଳେ ବକଟେ ବେଳରୁ ହିଁ ନାନାଭାବେ ପ୍ରତ୍ୟକ୍ଷ ଓ ପରୋକ୍ଷ ତାଲୀମ ପାଇ ଆସିଛି, ସେତେବେଳେ ଅନ୍ୟମାନେ ମୋତେ କେବଳ ଆଦିମ, ଅସଭ୍ୟ ଏବଂ ବର୍ବର ବୋଲି ହିଁ ଦେଖାଯିବେ । ଘଟଣା ମଧ୍ୟ ତାହାହିଁ ହୋଇଥିଲା । ଅସଭ୍ୟମାନଙ୍କୁ ଶାସନ କରି ସେମାନଙ୍କୁ ସଭ୍ୟ କରି ଆଣିବାର କାର୍ଯ୍ୟଟିକୁ ହିଁ ସେତେବେଳେ ଇଉରୋପୀୟମାନଙ୍କର ପବିତ୍ର ବୋଝ ବା ଦାୟିତ୍ଵ ବୋଲି ଗ୍ରହଣ କରି ନିଆଗଲା । ଶାସକମାନଙ୍କ ପଛକୁ ପାଦ୍ରୀମାନେ ଯାଇ ହାବୁଡ଼ିଗଲେ । ନବ-ଆବିଷ୍କୃତ ଏହି ଆଦିମମାନଙ୍କର କୌଣସି ଧର୍ମ କଦାପି ନ ଥିବ ବୋଲି ସେମାନେ ଧରି ନେଇଥିଲେ । ନିଜ ଧର୍ମଦ୍ଵାରା ହିଁ ସେମାନଙ୍କୁ ଆଲୋକ ମଧ୍ୟକୁ ଅଣାଯାଇ ପାରବ ବୋଲି ଫଇସଲା କରାଗଲା ଏବଂ ବର୍ବରତାକୁ ମଣ କରି ଘରକୁ ଆଣିବା ନିମନ୍ତେ ବହୁ ନୂତନ ବର୍ବରତାକୁ ପ୍ରଶ୍ରୟ ଦିଆଗଲା । ତଥାକଥିତ ସଭ୍ୟମାନଙ୍କର ବର୍ବରତା ଯେ ତଥାକଥିତ ଅସଭ୍ୟମାନଙ୍କର ବର୍ବରତାକୁ ବହୁଗୁଣରେ ବଳିଯାଏ ଏବଂ ପୃଥିବୀରେ ବହୁ ପ୍ରମାଦରେ କାରଣ ହୁଏ, ଇତିହାସରେ ଆମେ ତାହାର ଏକାଧିକ ଦୃଷ୍ଟାନ୍ତ ଦେଖିବାକୁ ପାଇବା । ତଥାପି ଲଙ୍କାରୁ ଆସିଥିବା ରାବଣମାନଙ୍କ ଭିତରେ ବିଭୀଷଣ ମଧ୍ୟ ରହିଥିଲେ । ସେମାନେ ବି ପାଦ୍ରୀ ହୋଇ ଯାଇଥିଲେ ସତ, ମାତ୍ର ତଥାପି ଅନ୍ୟ ମଣିଷମାନଙ୍କୁ ବାଧ୍ୟ କରି ନିଜ ଗମ୍ଭୀରୀ ଭିତରକୁ ଅଡ଼ାଇ ଆଣିବା ଅପେକ୍ଷା ସେମାନେ ସେମାନଙ୍କୁ ସେମାନଙ୍କର ସାମାଜିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ ଜାଣିବା ଲାଗି ଓ ବୁଝିବା ଲାଗି ଅଧିକ ମନ କରୁଥିଲେ । ଏହିମାନେ ହିଁ ପୃଥିବୀର ପ୍ରଥମ ନୃତତ୍ତ୍ଵବିତ୍‍ ହେଲେ । ସେମାନେ ଯଥାସମ୍ଭବ ଅଧିକ ଉପଦ୍ରବହୀନ ଏବଂ ଅପ୍ରମତ୍ତ ଭାବରେ ଆବିଷ୍କୃତ ନୂଆ ମଣିଷଙ୍କ ପାଖକୁ ଗଲେ, ସେହିମାନଙ୍କର ଭୂମି ଉପରେ ସେମାନଙ୍କୁ ଅଧ୍ୟୟନ କଲେ,–ନିଜ ଘରର ଛାଞ୍ଚଗୁଡ଼ିକ ଯେ ମୋଟେ ପୃଥିବୀର ଏକମାତ୍ର ଛାଞ୍ଚ ନୁହେଁ, ନିଶ୍ଛଳ ଭାବରେ ନିଜ ଘରେ ସେହି ସତ୍ୟଟିର ଘୋଷଣା କଲେ । ମନୁଷ୍ୟକୁ ଅର୍ଥାତ୍ ଅପରମାନଙ୍କ ସହିତ ନିଜକୁ ମଧ୍ୟ ଦେଖିବାର ଓ ବୁଝିବାର ଏକ ନୂତନ ଦିଗ୍‍ବଳୟ ଉଦ୍‍ଘାଟିତ ହୋଇଗଲା । ତଥାକଥିତ ବୈଜ୍ଞାନିକ ବାଡ଼ି ଓ ଫିତାଗୁଡ଼ାକ ଅପେକ୍ଷା ଏକ ମୋହମୁକ୍ତ ଅଥଚ ସହାନୁଭୂତିଶୀଳ ଆଖିକୁ ହିଁ ଅଧ୍ୟୟନରେ ଅଧିକ ନିର୍ଭରଯୋଗ୍ୟ ବୋଲି ଗ୍ରହଣ କରାଗଲା ।

 

ଏକକ ସମାଜଗୁଡ଼ିକରେ ସେହି ସମାଜରେ ଚଳି ଆସୁଥିବା ବିଧିଗୁଡ଼ିକୁ ଏତେ ଅଧିକ ପରିମାଣରେ ପବିତ୍ର ବୋଲି ବିଚାର କରାଯାଉଥିଲା ଯେ, ସେଗୁଡ଼ିକ ସହିତ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଧର୍ମକୁ, ଠାକୁରମାନଙ୍କୁ, ପାପପୂଣ୍ୟକୁ ଏବଂ ସ୍ଵର୍ଗ ତଥା ନରକକୁ ଆଣି ଯୋଡ଼ି ଦିଆ ଯାଉଥିଲା । ନୃତତ୍ତ୍ଵବିତ୍‍ମାନେ ସମାଜ ବିଧାନର ସେହି ଚଳଣିରେ କଠୋର ଆଘାତ କଲେ । ଯାହା ଗୋଟିଏ ସମାଜରେ ପବିତ୍ର, ତାହା ଆଉ ଗୋଟିଏ ସମାଜରେ ଅପବିତ୍ର, ଯାହା ଆମ ସମାଜରେ ବିଧ, ତାହା ତାଙ୍କ ସମାଜରେ ଅବିଧି–ତେଣୁ, ବିଧି, ପବିତ୍ରତା, ଉଚିତ, ଠିକ୍ ଓ ଭୁଲ–ଏସବୁ ଗୋଟିଏ ଗୋଟିଏ ଆପେକ୍ଷିକ ଭାବନା । ପ୍ରତ୍ୟେକ ସମାଜ ଅନୁସାରେ ତା’ର ଯାବତୀୟ ବିଧି । ଆମେ ଅଧିକାଂଶ ମଣିଷ ଗୋଟିଏ ସମାଜ ସହିତ ଅଭ୍ୟସ୍ତ ହୋଇ ରହିଛୁ ବୋଲି ସେହି ସମାଜର ବିଧିଗୁଡ଼ିକ ମଧ୍ୟ ଆମ ଜୀବନରେ ଆପଣାକୁ ଦୋରସ୍ତ କରି ରଖିଛନ୍ତି । ଆଉ ଗୋଟିଏ ସମାଜକୁ ଗଲେ ଆମକୁ ହୁଏତ ଏକାବେଳକେ ଅନ୍ୟପ୍ରକାର କେତେକ ବିଧିର ରଜ୍ଜୁ ଦ୍ଵାରା ଗଣ୍ଠି ପକାଇ ରଖାଯିବ ଏବଂ ତେବେ ଯାଇ ସେହି ସମାଜରେ ଆମକୁ ସାମାଜିକ ବୋଲି କୁହାଯିବ । ପ୍ରାୟ ସେହିପରି, ଏହି ଧର୍ମଗୁଡ଼ିକ ମଧ୍ୟ ଆପଣାର ଶାସ୍ତ୍ରଗୁଡ଼ିକୁ ଏକାବେଳକେ ଭାଗବତୀ ଅନୁଜ୍ଞା ଭିତରୁ ନିଃସୃତ ହୋଇ ଆସିଥିବାର ଘୋଷଣା କରିଛନ୍ତି । ସେହିସବୁ ମୋହାତୁରତାରୁ ତଥାକଥିତ ଈଶ୍ଵରତତ୍ତ୍ଵ ଗୁଡ଼ିକର ସୃଷ୍ଟି ହୋଇଛି ଏବଂ ଏହି ମଣିଷ ହିଁ ସେହି ତତ୍ତ୍ଵଗୁଡ଼ିକରେ ଭିଆଣ କରିଛି । ସଂସ୍କୃତି ବିଷୟରେ ମଧ୍ୟ ପାରମ୍ପରିକ ମଣିଷର ଯେଉଁ ମୋହଗୁଡ଼ିକ ରହିଥିଲା ନୃତତ୍ତ୍ଵବିଜ୍ଞାନ ତାହାକୁ ସତେଅବା ଗୋଟାସୁଦ୍ଧା ଭାଙ୍ଗି ଦେବାକୁ ଆସିଲା । Culture ବଦଳରେ ଏଣିକି patterns of cultureର କଥା କୁହାଗଲା । ପ୍ରତ୍ୟେକ ତଥାକଥିତ cultureକୁ ଆଗଭଳି the culture ବୋଲି କହିବା ପରିବର୍ତ୍ତେ ଏଣିକି cultureର ବିଭିନ୍ନ pattern ବା ପ୍ରକାର ଭିତରୁ କେବଳ ଏକ ଅନ୍ୟତମ ପ୍ରକାର ବୋଲି କୁହାଗଲା । ମଣିଷର କେଡ଼େ ଆଣ୍ଟ ଭାଙ୍ଗି ଗଲା । ସ୍ଥାନୀୟ ମନୁଷ୍ୟର ପ୍ରତିଷ୍ଠିତ ବହୁ ଆଣ୍ଟକୁ ଭାଙ୍ଗି ଦେବା,–ବିଜ୍ଞାନର ବହୁ କରାମତି ମଧ୍ୟରେ ସମ୍ଭବତଃ ଏହାକୁ ଆମେ ଏକ ବିଶେଷ କରାମତି ବୋଲି କରିପାରିବା ।

 

ମାତ୍ର, ଏହାଦ୍ଵାରା ଭଲ ହେଲା, ନା ଖରାପ ହେଲା ? ସମାଜ ବିଷୟରେ, ଧର୍ମ ବିଷୟରେ, ସଂସ୍କୃତି ବିଷୟରେ ଆମ କଳନାର ଅର୍ଥାତ୍‍ ମୂଲ୍ୟାମୂଲ୍ୟ ବିଚାରର ପରିଧିଗୁଡ଼ିକ ପ୍ରସାରିତ ହୋଇଗଲା ସତ, ମାତ୍ର ତଦ୍ଵାରା ଗୋଡ଼ତଳୁ ଆମେ କେତେ ନିର୍ଭର କରି କାଳକାଳରୁ ଯାହା ଉପରେ ଠିଆ ହୋଇ ରହିଥିଲୁ, ସେହି ମାଟିଗୁଡ଼ିକ ସତେଅବା ଖସି ଗଲାପରି ମନେହେଲା-। ଆଧୁନିକ ମଣିଷ ଆପଣାକୁ ଶୂନ୍ୟରେ ଝୁଲୁଥିବା ପରି ଅନୁଭବ କଲା । ଶୂନ୍ୟରେ ଝୁଲିବାକୁ ଅନେକ ମଣିଷ, ସମ୍ଭବତଃ ଅଧିକାଂଶ ମଣିଷ ସତେଅବା କୌଣସି ଅରାଜକତା ପରି ଭୟ କରନ୍ତି-। ଗୋଡ଼ରୁ ବେଡ଼ି ଓ ମୁହଁରୁ ତୁଣ୍ଡିଗୁଡ଼ିକ କାଢ଼ି ନିଆଯିବା ପରେ ସେହି ତଥାକଥିତ ସ୍ଵାଧୀନତାକୁ ଅନେକ ମଣିଷ ପ୍ରକୃତରେ ବଡ଼ ଭୟ କରନ୍ତି । ନିଜର ବୋଲି କହିବାକୁ ଧର୍ମଟିଏ ଥିବ, ସେହି ଧର୍ମକୁ ଜାରି କରି ରଖିବାକୁ ଶାସ୍ତ୍ରମାନେ ଥିବେ, ପରିଚିତ ମନ୍ଦିରଗୁଡ଼ିକ ରହିଥିବେ, ମୋ’ ଗୋଡ଼ ହାତକୁ ବାନ୍ଧି ମୋତେ ଉଚିତ ଅର୍ଥାତ୍ ବହୁଜନ–ସ୍ଵୀକୃତି ମାର୍ଗଗୁଡ଼ିକରେ ଘୋଷାରି ଘୋଷାରି ନେବାକୁ ଚଉକଷ ବିଧିମାନେ ରହିଥିବେ,–ମୋତେ ନିଜକୁ ଆଉ କିଛି ଭାବିବାକୁ ପଡ଼ୁନଥିବ, ନିଜେ କୌଣସି ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ୁ ନ ଥିବ–ଏହିପରି ଏକ ସହଜ ଦାୟିତ୍ଵ– ମୁକ୍ତତାକୁ ହିଁ ତଥାକଥିତ ଶାନ୍ତିପ୍ରିୟ ମଣିଷମାନେ ଉତ୍ତମ ପଥ ବୋଲି ବିଚାର କରନ୍ତି । ସଂସ୍କୃତି କହିଲେ ମଧ୍ୟ ସମାନେ ସେହିଭଳି ଏକ ସହଜ ଅଭ୍ୟସ୍ତତାକୁ ବୁଝନ୍ତି । ତେଣୁ ବୈଚିତ୍ର୍ୟ ଦେଖିଲେ ହଡ଼ବଡ଼େଇ ଯାଆନ୍ତି । ନିଜର ରିତୀ ଓ ପଦ୍ଧତିଗୁଡ଼ିକୁ ଏକମାତ୍ର ଉଚିତ ରୀତି ଓ ପଦ୍ଧତି ଏବଂ ଅନେକ ସ୍ଥଳରେ ସକଳ ରୀତି ଓ ପଦ୍ଧତି ମଧ୍ୟରେ ସେମାନେ ସର୍ବଶ୍ରେଷ୍ଠ ବୋଲି ଗ୍ରହଣ କରି ନେଇଥାନ୍ତି; ସମ୍ଭବତଃ ସେଥିଲାଗି ବୈଚିତ୍ର ଦେଖିଲେ ହଡ଼ବଡ଼େଇ ଯାଆନ୍ତି । ନିଜର ଧର୍ମ ଓ ନିଜର ସଂସ୍କୃତିକୁ ମମତାବଶତଃ ସନାତନ ବୋଲି କହୁଥାନ୍ତି । ‘ସନାତନ’ ଶବ୍ଦଟିର ଏକ ସ୍ଥାନୀୟ ଅପପ୍ରୟୋଗ କରିବାକୁ ଭାରି ଭଲ ପାଆନ୍ତି । ପୃଥିବୀରେ ଅଧିକାଂଶ ମଣିଷ ଏହିପରି ବହୁ ମୋହ ଭିତରେ ରହିଛନ୍ତି ବୋଲି ଆମ ସଂସାର ମୋଟାମୋଟି ନିର୍ବିଘ୍ନରେ ଚାଲୁଛି ବୋଲି ଆମ ଭିତରୁ କେତେ ମଣିଷ ନିଷ୍ଠାପର ଭାବରେ ବିଶ୍ଵାସ ମଧ୍ୟ କରନ୍ତି ।

Unknown

 

ଅଳପ ଏବଂ ସ୍ଥାନୀୟଗୁଡ଼ିକୁ ମୋହପରି ଆଦରିନେଇ ସମାଜର ଅଧିକାଂଶ ଆପଣାଙ୍କୁ ସବାବଡ଼ ସବୁଠାରୁ ଅଧିକ ସଭ୍ୟ ଓ ସବୁଠାରୁ ଅଧିକ ସଂସ୍କୃତିସମ୍ପନ୍ନ ବୋଲି ଭାବିନେଇ କେତେ, ଖୁସୀ ହୋଇ ରହିଥିବାବେଳେ ନୃତତ୍ତ୍ଵବିଜ୍ଞାନ ପ୍ରକୃତରେ ସେହି ଖୁସୀଗୁଡ଼ାକ ଭାଙ୍ଗି ଦେବାକୁ ଆସିଲା ଏବଂ ବହୁ ବିଭ୍ରାଟର କାରଣ ହେଲା । ମୋ’ ସାନ ପରିଚିତ ଘରଟିର ସଂସ୍କୃତି ପୃଥିବୀରେ ସର୍ବନିୟାମକ ମୋଟେ ନୁହେଁ,–ତେଣୁ ଏଥିରେ ଥିବା ଯେଉଁ ଗଢ଼ନ, ମୂଲ୍ୟ ଏବଂ ମର୍ଯ୍ୟାଦାଗୁଡ଼ିକୁ ମୁଁ ଜନ୍ମସିଦ୍ଧ ଭାବରେ ଅଲଂଘ୍ୟ ବୋଲି ମାନି ଆସିଥିଲି, ନୃତତ୍ତ୍ଵବିଜ୍ଞାନ ଆସି ସେଗୁଡ଼ିକ ଉପରେ ସତେଅବା କଠୋର ପ୍ରହାର କଲାପରି ମନେହେଲା । ବିଧିଗୁଡ଼ିକ ଆପେକ୍ଷିକ, ମୂଲ୍ୟଗୁଡ଼ିକ ଆପେକ୍ଷିକ, ଚଳଣିମାନେ ଏକାନ୍ତ ଆପେକ୍ଷିକ, ତେଣୁ ମୁଁ ଏଗୁଡ଼ିକୁ କାହିଁକି ଚରମ ବୋଲି ମାନିବି-? ପୃଥିବୀରେ ଠାକୁର ଅନେକ ଅଛନ୍ତି, ସେହି ଭିଡ଼ ଭିତରେ ମୁଁ ଆଦରି ରହି ଆସିଥିବା ଠାକୁରମାନେ ହୁଏତ କୁଆଡ଼େ ମନ କୁଆଡ଼େ, ପୋତିହୋଇ ପଡ଼ିବେ–ତେବେ ମୁଁ ଆଉ କୋଉ ସରାଗରେ ମୋ ପରିଚିତ ଠାକୁରମାନଙ୍କୁ ସବାବଡ଼ ବୋଲି କାହିଁକି କହିବି ? ମୋ’ର ନିଜ ସମାଜରେ ବିବାହକୁ ମିଛଟାରେ ଏକ ପବିତ୍ର ବନ୍ଧନ ବୋଲି କୁହାଯାଉଛି,–ପୃଥିବୀରେ ବିବାହର ଆହୁରି କେତେ କେତେ ଅନ୍ୟ Pattern ରହିଛି, ଯାହାକି ମୋ’ ସମାଜରେ ପ୍ରଚଳିତ Patternଟି ସହିତ ମୋଟେ ମେଳ ଖାଉନାହିଁ । ତେଣୁ ମୋ’ ନିଜ Patternଟାକୁ ପବିତ୍ର ବୋଲି କହିବାଟା ଏକ ନିର୍ବୋଧତା ବ୍ୟତୀତ ଆଉ କ’ଣ ହୋଇପାରେ ? ସେହିପରି, ଆଚାର, କୁଳୀନତା, ଭଦ୍ରତା, ପ୍ରେମ, ସମ୍ଭୋଗ, ଶୃଙ୍ଖଳା, ସଂଯମ, ପାରିବାରିକତା ଓ ପାରସ୍ପରିକତାର କ୍ଷେତ୍ରରେ ମଧ୍ୟ ବିଭିନ୍ନ ସମାଜରେ ଭିନ୍ନ ଭିନ୍ନ ବୋଧ ଓ କଳ୍ପନାଦର୍ଶମାନ ରହିଛି । ତେଣୁ ମୁଁ କେବଳ ମୋ’ ନିଜ ସମାଜର ଛାଞ୍ଚଗୁଡ଼ାକୁ କୋଉ ଅକଲରେ ଯଥାର୍ଥ ବୋଲି କହିପାରିବି ? ଆଧୁନିକ ପୃଥିବୀରେ ବର୍ତ୍ତମାନ ଏହି ସଂଶୟଟି ମଣିଷମାନଙ୍କୁ ସମ୍ଭବତଃ ସବୁଠାରୁ ଅଧିକ ପରିମାଣରେ ଆଲୋଚିତ କରି ରଖିଛି । ବେଳେବେଳେ ସଂଶୟମାନେ ଅରାଜକତାର ଗାରଗୁଡ଼ିକୁ ମଧ୍ୟ ଡେଇଁ ଯାଉଛନ୍ତି । ଆଧୁନିକ ଏହି ଅନ୍ୟ ହେତୁଟି ହେବା ମାତ୍ରକେ ସ୍ଥାନୀୟଗୁଡ଼ାକୁ ମାନିବାକୁ ଆଉ ମନ ହେଉନାହିଁ । ସେଗୁଡ଼ିକୁ ପବିତ୍ର ବୋଲି କହି ମୁଣ୍ଡରେ ମୁଣ୍ଡାଇବା ତ ଆହୁରି ଅଧିକ ଦୂରର କଥା । ପୂର୍ବରୁ ସ୍ଵୀକୃତ ହୋଇ ଆସିଥିବା ମୂଲ୍ୟଗୁଡ଼ିକର ଘରେ କୁଆ ଉଡ଼ିଲେଣି । ଏକ ପ୍ରତିକ୍ରିୟାତ୍ମକ ଉତ୍ସାହରେ ନ ମାନିବାଟାକୁ ହିଁ ଆଧୁନିକତା ବୋଲି କୁହାଯାଉଛି । (୨୩ । ୯ । ୮୭)

 

(୯)

 

ଆମ ଇନ୍ଦ୍ରିୟଗୁଡ଼ିକୁ ଶାସ୍ତ୍ରରେ ଗୋଟିଏ ଗୋଟିଏ ଦ୍ଵାର ବୋଲି କୁହାଯାଉଛି । ବୈଜ୍ଞାନିକମାନେ ଏବେ ଏଗୁଡ଼ିକୁ ଅଧିକ ସ୍ପଷ୍ଟ ଭାବରେ doors of perception ବୋଲି କହୁଛନ୍ତି । ଏହି ଦ୍ଵାରର ସଂଖ୍ୟା କେତେ ? ଏଗୁଡ଼ିକର ପହୁଁଚ କେତେ ଯାଏ ? ପରିସରଗୁଡ଼ିକ କେତେ ଅଳପ ବା କେତେ ଅଧିକ ? ଭାରତର ନୀତିବାଦୀମାନେ ଇନ୍ଦ୍ରିୟଗୁଡ଼ିକର ସଂଖ୍ୟାକୁ ପାଞ୍ଚ ବୋଲି କହିଛନ୍ତି ସତ, ମାତ୍ର ସେଥିରେ ମଧ୍ୟ ଦୁଇଟି ଥାକ ବା ପର୍ଯ୍ୟାୟକୁ ଦର୍ଶାଇ ଦେବାକୁ ଚେଷ୍ଟା କରିଛନ୍ତି; ସେମାନେ ଗୋଟିଏ ଥାକକୁ କର୍ମେନ୍ଦ୍ରିୟ ବୋଲି କହିଛନ୍ତି, ଆର ଥାକଟିକୁ ଜ୍ଞାନେନ୍ଦ୍ରିୟ ବୋଲି କହିଛନ୍ତି । ବାହାରର ଦ୍ଵାରଗୁଡ଼ିକ ହେଉଛନ୍ତି ବାହ୍ୟେନ୍ଦ୍ରିୟ, କର୍ମେନ୍ଦ୍ରିୟ;–ମାତ୍ର, ସେଗୁଡ଼ିକ କ’ଣ ଦେଖିବେ, କିପରି ଦେଖିବେ,–ହୁଏତ କ’ଣ ନଦେଖିବେ ଅଥବା କିପରି ନ ଦେଖିବେ, ତାହାର ନିର୍ଦ୍ଦେଶନାକାରୀ ରଜ୍ଜୁଟି ଆମ ବାହାରଗୁଡ଼ିକୁ ଭିତରର ପାଞ୍ଚୋଟି କେନ୍ଦ୍ର ସହିତ ସଂଯୋଜିତ କରି ରଖିଛି । ସେହି କେନ୍ଦ୍ର ଗୁଡ଼ିକ ଅଥବା ଅନ୍ତର୍ଦ୍ଵାରଗୁଡ଼ିକ ହେଉଛନ୍ତି ଆମର ଜ୍ଞାନେନ୍ଦ୍ରିୟ । କଠୋପନିଷଦର ଯମ-ନଚିନକେତା ଉପାଖ୍ୟାନରେ ସତେଅବା ଏକ ଦୁଃସାହସ କଲାଭଳି ଯଦି ଆମ କର୍ମେନ୍ଦ୍ରିୟ ଗୁଡ଼ିକର ଦ୍ଵାର ବାହାର ଆଡ଼କୁ ନ ହୋଇ ଭିତର ଆଡ଼କୁ ହୋଇଥାନ୍ତା, ତେବେ ଆମର ଅବବୋଧ ଏବଂ ପ୍ରତ୍ୟକ୍ଷଗୁଡ଼ିକ କିପରି ହୁଅନ୍ତା ବୋଲି ପଚରା ଯାଇଛି । ଆମେ ପ୍ରତ୍ୟେକେ ଇଚ୍ଛା କଲେ ନିଜକୁ ମଧ୍ୟ ସେହି ପ୍ରଶ୍ନଟିକୁ ପଚାରି ପାରନ୍ତେ ଏବଂ ଆମେ ପ୍ରତ୍ୟେକେ ସତକୁ ସତ ଯେଉଁ ଭୂମିରେ ଅର୍ଥାତ୍ ଯେତିକି ପରିବ୍ୟାସ୍ତି ମଧ୍ୟରେ ନିଜ ଜୀବନଟିକୁ ବଞ୍ଚୁଛୁ, ସେହି ଅନୁସାରେ ଉକ୍ତ ପ୍ରଶ୍ନଟିର ଏକ ଯଥାସଙ୍ଗତ ଉତ୍ତର ମଧ୍ୟ ପାଇପାରନ୍ତେ-

 

ମନର ଭୂମିକାଟିକୁ ଠାବ କରିବାକୁ ଯାଇ ସିଦ୍ଧାନ୍ତକାରୀମାନେ ବିଭିନ୍ନ ପ୍ରକାରର ବ୍ୟାଖ୍ୟା କରିଛନ୍ତି । ବ୍ୟାଖ୍ୟା ଅନୁସାରେ ନାନା ତଥ୍ୟ ମଧ୍ୟ ବାହାର କରିଛନ୍ତି । ଏହି ତଥ୍ୟନିରୂପଣରୁ ସଂଜ୍ଞାଟିଏ ବାହାର କରି ସେମାନଙ୍କ ମଧ୍ୟରୁ କେତେକେ ମନକୁ ଆମର ଷଷ୍ଠ ଇନ୍ଦ୍ରିୟ ବୋଲି ଘୋଷଣା କରିଛନ୍ତି । ମନ କ’ଣ କେବଳ ଅନ୍ୟ ପାଞ୍ଚୋଟି ଇନ୍ଦ୍ରିୟ ମଧ୍ୟରୁ ଯେ କୌଣସିଟି ପରି କେବଳ ଗୋଟିଏ ଇନ୍ଦ୍ରିୟ ନା ଏହାର ତଥାପି କିଛି ସ୍ଵାତନ୍ତ୍ର୍ୟ ରହିଛି, ଏପରି କିଛି ସାମର୍ଥ୍ୟ ରହିଛି, ଯାହାକି ଏକକ ଅନ୍ୟ ପାଞ୍ଚୋଟି ଇନ୍ଦ୍ରିୟର ସାମର୍ଥ୍ୟ ଅପେକ୍ଷା ଏକ ଅନ୍ୟ କାଟର, ଏକ ଅନ୍ୟ ପରିଧିର ? ଅଥବା, ଶାସ୍ତ୍ରରେ କୁହାଯାଇଥିବା ଆମ ଜ୍ଞାନେନ୍ଦ୍ରିୟ ଗୁଡ଼ିକର ଏକ ସାମଗ୍ରିକ ମୂଳ କେନ୍ଦ୍ର ରହିଛି, ଯାହାକୁ କି ମନ ବୋଲି କୁହାଯାଇ ପାରିବ ? ମନ ପଛକୁ, ଅଥବା ମନକୁ ବେଷ୍ଟିତ ଅର୍ଥାତ୍ ଆଚ୍ଛନ୍ନ କରି ଆମର ବୁଦ୍ଧି ରହିଛି ଏବଂ ସତେଅବା ଏହି ଦୁଇଟିଯାକକୁ ଅତିକ୍ରମ କରି ହୃଦୟ ମଧ୍ୟ ରହିଛି । ମନ, ବୁଦ୍ଧି ଆଉ ହୃଦୟ–ଏହି ତିନୋଟିଯାକ ଉପାଦାନ ହିଁ ଆମର ଯାବତୀୟ ଅବବୋଧ, ଅନୁଭୂତି ଏବଂ ଉପଲବ୍‍ଧିକୁ ଆକାର ଯୋଗାଇ ଦେଇଛି । ଗତିଶୀଳତା ଯୋଗାଇ ଦେଇଛି, ତାତ୍ପର୍ଯ୍ୟ ମଧ୍ୟ ଯୋଗାଇ ଦେଇଯାଉଛି । ଭାରତୀୟ ଆଧ୍ୟାତ୍ମିକ ବିଦ୍ୟା ତଥା ଆଧୁନିକ depth psychologyର ହିସାବ ଅନୁସାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଦୁଇ ପ୍ରକାରର ଅନୁଭୂତି ରହିଛି । ସାଧାରଣ ଜୀବନରେ ଆମର ପ୍ରାୟ ସକଳ ଅନୁଭୂତି ହେଉଛି ପରୋକ୍ଷ ଅନୁଭୂତି । ପରୋକ୍ଷ ହୋଇଥିବାରୁ ପ୍ରସୀମିତ । ପେଟୋଙ୍କର ଭାଷାରେ କହିଲେ, ଏହିସବୁ ଅନୁଭୂତିର ଦେଖିବା ହେଉଛି through the glass, darkly : ଏହି ଦେଖା ଭିତରେ କୋଉଠି ନା କୋଉଠି ଛାଇଟିଏ ରହିଯାଇଥାଏ, ଆଲୋକକୁ ଆଚ୍ଛନ୍ନ କରି ରଖିଥାଏ । କୋଉଠି ମିଥ୍ୟାଟିଏ ରହି ଯାଇଥାଏ, ସତ୍ୟକୁ ଆବିଳ କରି ରଖିଥାଏ । ଏହି ଛାୟା, ଏହି ମିଥ୍ୟା ଓ ଯାବତୀୟ ପ୍ରସୀମନକୁ ଉପନିଷଦରେ ‘ହିରଣ୍ମୟ ପାତ୍ର’ ବୋଲି କୁହାଯାଇଛି । ତାହା ଅସଲ ସତ୍ୟକୁ ଢାଙ୍କୁଣି ପରି ଘୋଡ଼ାଇ ରଖିଛି । ଢାଙ୍କୁଣିଟିକୁ ଖୋଲି ଦେବାକୁ ହୁଏ, ବିଦୀର୍ଣ୍ଣ କରିବାକୁ ହୁଏ । ତେବେ ଯାଇ ସତ୍ୟ ସତକୁ ସତ ଯେମିତି, ତାହାକୁ ସେହିପରି ଦର୍ଶନ କରିହୁଏ, ଅପରୋକ୍ଷ ଭାବରେ ଦର୍ଶନ କରିହୁଏ । ଅପରୋକ୍ଷ ସତ ଦର୍ଶନକୁ ସତେଅବା ଏକ ନୂତନ ସ୍ପଷ୍ଟତଦେଇ ଶ୍ରୀ ଅରବିନ୍ଦ ‘ସତ୍ୟ ସ୍ପର୍ଶନ’ ବୋଲି କହିଛନ୍ତି । ଶ୍ରୀମତ୍‌, ଶଙ୍କରାଚାର୍ଯ୍ୟ ତ ‘ଅପରୋକ୍ଷାନୁଭୂତି’ ନାମକ କ୍ଷୁଦ୍ର ପୋଥିଟିଏ ମଧ୍ୟ ଲେଖି ପକାଇଛନ୍ତି ।

 

ମଣିଷର ଇନ୍ଦ୍ରିୟ, ମନ, ବୁଦ୍ଧି ଓ ହୃଦୟ,–ଏହି ଯାବତୀୟ ଦ୍ଵାରକୁ ଗଅଣ୍ଠଗଣ୍ଠି କଳମନଟି କରି ଏକାଠି ବାନ୍ଧି ତା’ର ଯେଉଁ ଅନୁଭବ,–ତାହାକୁ ସେ ନିଜସ୍ଵତା ଦେଇ ମୋ’ର ଅନୁଭବ ବୋଲି କହିଆସିଛି । ଏହି ତଥାକଥିତ ଅନୁଭବ ଯେ ମଝିରେ ଏତେ ଚାଲୁଣି ଭିତରେ ଛାଣି ହୋଇ ଆସୁଛି, ସେକଥା ସ୍ଵୀକାର କରିବାକୁ ବି ତା’ର ହୁଏତ କୌଣସି ବେଳ ନାହିଁ । ଏହି ଗଣ୍ଠି ଗୁଡ଼ିକର ଗହନ ଭିତରେ କୋଉଠି କ’ଣ ଆମପରି ଉକ୍ତଟି ଉଠୁଛି କେଜାଣି, ମଣିଷ ତାହାରି ଦ୍ଵାରା କେତେ ଭଳି ଅହଙ୍କାରରେ ବଶବର୍ତ୍ତୀ ହୋଇ ରହିଯାଉଛି । ଏହି ଅହଙ୍କାର ମଧ୍ୟ ସତ୍ୟବୋଧ ଏବଂ ମୂଲ୍ୟବୋଧ ଗୁଡ଼ିକର ପଥରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଚାଲୁଣି ପରି କାର୍ଯ୍ୟ କରୁଛି, ବହୁ ଲୋଭନୀୟ ଆଳରେ ତା’ଲାଗି ନାନା ପ୍ରତିବନ୍ଧକ ସୃଷ୍ଟି କରି ରଖିଛି । ଅହଂ ଉପରକୁ ପୁଣି ଏକ ସାମୂହିକ ଅହଂ ବି ରହିଛି-। ସିଏ ମଧ୍ୟ ଏକାଧିକ ମିଛ ପ୍ରସାରଣରେ ପ୍ରଲୋଭନ ଦେଖାଇ ମଣିଷକୁ କମ୍‍ ବାଟମାରଣା କରୁନାହିଁ । ତଥାପି,–ବିଚରା ମଣିଷ ଆଦର୍ଶ କଥା କୁହୁଛି, ସତ୍ୟର କଥା କହୁଛି; ପରୋକ୍ଷ ତଥା ପ୍ରତ୍ୟକ୍ଷ ବହୁ ପ୍ରକାରର ଅଫିମ ଖାଇ ସିଏ ଏସବୁ ମିଛ ପୁଞ୍ଜିକୁ ମୁଣ୍ଡରେ ଲଦି ବସିଛି । ନିଜର ଧର୍ମକୁ ଏକମାତ୍ର ଧର୍ମ ବୋଲି କହୁଛି, ନିଜର ଆଦର୍ଶକୁ ହିଁ ଏକମାତ୍ର ଯଥାର୍ଥ ଆଦର୍ଶ କହି ବଡ଼ାଇ କରୁଛି । ସେହି ଏକା ନ୍ୟାୟରେ ତା’ର ସଂସ୍କୃତି, ତା’ର ଦେଶ ଓ ତା’ର ଭାଷା ମଧ୍ୟ ତା’ ଜୀବନରେ ଦୁଃସହିଷ୍ଣୁତାର ଗୋଟିଏ ଗୋଟିଏ କାରଣ ହୋଇ ରହିଛନ୍ତି । ମଣିଷକୁ ଭାରି ଉତ୍ତେଜିତ କରି ରଖିଛନ୍ତି । ଅଳପ ଭିତରେ ରହିଥିବା ପର୍ଯ୍ୟନ୍ତ ମଣିଷ ସତକୁ ସତ ଭାରି ଉତ୍ତେଜିତ ହୋଇ ରହିଥାଏ । ଉତ୍ତେଜିତ ହୋଇ ରହିବାକୁ ହିଁ ଆଦର୍ଶ ମଧ୍ୟରେ ରହିବା ବୋଲି ଭ୍ରମ କରୁଥାଏ । ଉତ୍ତେଜିତ ମଣିଷମାନେ ଏହିପରି ଭାବରେ ଯୁଗେ ଯୁଗେ ଧର୍ମ, ଦେଶ ଓ ତଥାକଥିତ ଖଣ୍ଡିଆ ଆଦର୍ଶଗୁଡ଼ାକୁ ନିମିତ୍ତ ପରି ବ୍ୟବହାର କରି ଆମ ପୃଥିବୀରେ ଖଣ୍ଡା କଟାକଟି ଭିଆଇ ଆସିଛନ୍ତି, ଏବେ ମଧ୍ୟ ଭିଆଇବାରେ ଲାଗିଛନ୍ତି । ସତ୍ୟମାନେ ସତେଅବା କେଉଁ ପ୍ରବଳମାନଙ୍କର ଦାଉରେ ପଡ଼ି ତୁଚ୍ଛା କେତେଟା ମତରେ ପରିଣତ ହୋଇରହିଛନ୍ତି । ବିଚାରଗୁଡ଼ିକ ପ୍ରଧାନତଃ କେତେଟା ବିବାଦ ଭିତରକୁ କ୍ରମଲାଞ୍ଛିତ ହୋଇଆସିଛନ୍ତି । ଅଟ୍ଟାଳିକାଗୁଡ଼ିକ ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛନ୍ତି, ଆକାଶ ବୋଲି କୋଉଠି କିଛି ଆଦୌ ନାହିଁ ବୋଲି ସିଦ୍ଧ କରି ଦେବାଲାଗି ସେମାନେ ସତେଅବା କେତେ ନା କେତେ ଆଣ୍ଟ କରୁଛନ୍ତି । ମାତ୍ର ଗବାକ୍ଷ ଗୋଟିଏ ହେଲେ ନାହିଁ; ଅଥବା ଆହୁରି ନିର୍ଭୁଲ ଭାବରେ କହିଲେ, ଗବାକ୍ଷଗୁଡ଼ିକ ଗୋଟିକ ପରେ ଗୋଟିଏ ହୋଇ ବନ୍ଦ ହୋଇ ଯିବାରେ ଲାଗିଛନ୍ତି ।

 

ମଣିଷର ଆଣ୍ଟଗୁଡ଼ାକ ବଢ଼ିବାରେ ଲାଗିଛନ୍ତି, ଏଣେ ଅନୁରାଗ ଘରେ ଚିଲ ଉଡ଼ୁଛନ୍ତି । ବିଦ୍ୟାମାନେ ପ୍ରଚଣ୍ଡରୁ ଆହୁରି ଅଧିକ ପ୍ରଚଣ୍ଡ ହେଉଛି, ମାତ୍ର ବିନୟ ଘରେ କବାଟ ପଡ଼ିଛି । ଲକ୍ଷ୍ମୀ ବଢ଼ୁଛି, ଏଣେ ଲକ୍ଷ୍ମୀ ଛାଡ଼ିଯାଉଛି । ଭୟମାନେ ବଢ଼ୁଛନ୍ତି,–ଭୟାଳୁମାନେ ହିଁ ଉଗ୍ର ଦିଶିବା ନିମନ୍ତେ ଅଧିକରୁ ଅଧିକ କ୍ଷମତାକୁ ଯାବୁଡ଼ି ଧରିଛନ୍ତି । ମଣିଷକୁ ଏହି ମଣିଷଟା ହିଁ ସତେ ଯେପରି ସବୁଠାରୁ ଅଧିକ ଗନ୍ଧାଇବାକୁ ଆରମ୍ଭ କଲାଣି । ଏହି ବିଡ଼ମ୍ବନାମୟ ପରିସ୍ଥିତିଟି ମଧ୍ୟରେ ସଂସ୍କୃତି ପୁଣି କୋଉଠି କିପରି ରହିପାରିଵ ? ମଣିଷର ନିଜ ଭିତରେ କୋଉଠି କ’ଣ ଅସଜ ହୋଇଯାଇଛି କେଜାଣି, ବାହାରେ ହଜାର ପ୍ରକାର ଆଡ଼ମ୍ବରମୟ ସଜ୍ଜା ସତ୍ତ୍ୱେ ସିଏ ତଥାପି ସଂସାରରୂପା ତା’ର ଏହି ଘରଟିର ଆଦୌ କୌଣସି ସତ୍ୟପ୍ରତ୍ୟୟ ସହିତ ଘର ବୋଲି ସ୍ଵୀକାର କରିନେଇ ପାରୁନାହିଁ । କିମ୍ବା, ମଣିଷର ବାହାରେ ତାହାର ଏହି ସଂସାରରେ ତା’ ସମ୍ବନ୍ଧ ଓ ବ୍ୟବସ୍ଥାର ସୂତ୍ରଗୁଡ଼ିକର କ୍ଷେତ୍ରରେ କୋଉଠି କ’ଣ ଅସଜ ଓ ଅକ୍ତିଆର–ବାହାର ହୋଇଯାଇଛି କେଜାଣି, ଭିତରେ ଯେଉଁ କେନ୍ଦ୍ରଟି ସହିତ ମଣିଷର ନାଡ଼ ଲାଗିକରି ରହିଥିଲେ ମଣିଷ ଏହି ଆକାଶଟାକୁ ମସ୍ତକ ଉପରେ ବହନ କରି ଆପଣା ପାଦତଳର ପୃଥିବୀଟି ଉପରେ ସତକୁ ସତ ଦମ୍ଭ ହୋଇ ଛିଡ଼ା ହୋଇ ପାରୁ ଥାଆନ୍ତା, ସେହି କେନ୍ଦ୍ରଟିକୁ ସିଏ ଆଉ ସତେଅବା ମୋଟେ ଖୋଜି ପାଉନାହିଁ ତେଣୁ ଆପଣା ଜୀବନର ସେହି ଅସଲ ନାଡ଼ଟି ବିଷୟରେ ମଧ୍ୟ ତା’ର ଆଉ ପରତେ ହୋଇ ପାରୁନାହିଁ । ସମାଧାନ ସେଇ ଗୋଟିଏ,–ଗବାକ୍ଷଗୁଡ଼ିକୁ ଖୋଲିବାକୁ ହିଁ ପଡ଼ିବ । ଜୀବନରେ ସର୍ବମୋଟ ଏଡ଼ିକିଟି ଗବାକ୍ଷ ରହିଛି ଏବଂ ତାହାକୁ ଖୋଲିଦେଇ ପାରିଲେ ତା’ର ଜୀବନ ପରିପୂର୍ଣ୍ଣତା ଲାଭ କରିବ ବୋଲି ଆଦୌ କୌଣସି କଥା ନାହିଁ । କାରଣ, ଅସଲ କଥା ହେଉଛି, ସିଏ ଯେତିକିଟି ମନ କରିବ, ତା ଜୀବନରେ ସେତିକିଟି ଗବାକ୍ଷ ଖୋଲିବ । ଅନୁରାଗ ଅନୁସାରେ ଗବାକ୍ଷଗୁଡ଼ିକ ବି ଖୋଲି ଖୋଲି ଯାଉଥିବ । ମଣିଷ ତା’ ଜୀବନର ଏୗଶ୍ୱର୍ଯ୍ୟ ଯାତ୍ରାରେ ସତକୁ ସତ ଯେତିକିଟି ଇନ୍ଦ୍ରିୟକୁ ମନ କରିବ, ତା’ ଜୀବନରେ ଇନ୍ଦ୍ରିୟର ସେତିକି ଦ୍ଵାର ଅବଶ୍ୟ ଖୋଲିବ । ଅନୁରାଗ ଅନୁସାରେ ଇନ୍ଦ୍ରିୟର ଦ୍ଵାରଗୁଡ଼ିକ ବି ଖୋଲିଖୋଲି ଯାଉଥିବ । ସଖ୍ୟ ଏବଂ ପରିଚୟ–ବିସ୍ତାରର ବାସନା ନେଇ ସିଏ ସତକୁ ସତ ଯେତିକିଟି ଆଖିକୁ ମନ କରିବ, ତା’ ଜୀବନରେ ସେତିକିଟି ଆଖି ଅବଶ୍ୟ ଖୋଲିବ । ଅନୁରାଗ ଅନୁସାରେ ଆଖିଗୁଡ଼ିକ ବି ଖୋଲି ଖୋଲି ଯାଉଥିବ । ଅଧିକ ଗବାକ୍ଷ, ଅଧିକରୁ ଅଧିକ ସମଗ୍ର ହେବାର ବାସନା ରଖିଥିବା ଏକ ଶ୍ରଦ୍ଧାନୁସିକ୍ତ ବୋଧ ଏବଂ ଅଧିକରୁ ଅଧିକ ପ୍ରସ୍ଥରୁ ଆପଣାକୁ , ଜୀବନକୁ ତଥା ଜୀବନର ସମ୍ବନ୍ଧଗୁଡ଼ିକୁ ଅନୁଭବ କରିବାକୁ ମନ କରି ସତେଅବା ଏକ ଉତ୍ସବ–ଯାତ୍ରାରେ ବାହାରିଥିବା ଗୋଟିଏ ଅନମନୀୟ ଭୟଶୂନ୍ୟ ଓ ଲୋଭଯୁକ୍ତ ଆଖି, ଏଗୁଡ଼ିକ ହେଉଛନ୍ତି ଅସଲ ସଂସ୍କୃତିର ତିନୋଟି ଗୋଡ଼ ସ୍ୱରୂପ । ଏହି ଗୋଡ଼ମାନେ କେବେହେଲେ କୌଣସି ଭୂଗୋଳ ମାନନ୍ତି ନାହିଁ, କଦାପି ଈର୍ଷା କରନ୍ତି ନାହିଁ । ପ୍ରତିଦ୍ଵନ୍ଦିତା ଲଗାନ୍ତି ନାହିଁ । ନିଜ ଭିତରେ ତଥା ନିଜ ବାହାରେ ଅନେକ ଗଣ୍ଠି ଫିଟାଇ ଦେବାର ଏମାନେ ପ୍ରକୃତରେ ବଡ଼ ସାହାଯ୍ୟ କରନ୍ତି । ଆମ ସଂସାରର ଅନେକ ସମାଧାନର ସୂତ୍ର ପ୍ରକୃତରେ ସେହିଗୁଡ଼ିକ ଭିତରେ ରହିଛି ।

 

ମନୁଷ୍ୟ-ମନର ଏକ ହେତୁବାଦୀ ବିଶ୍ଳେଷଣର କ୍ଷେତ୍ରରେ ଭାରତୀୟ ବୌଦ୍ଧ ଦର୍ଶନ ଅନେକ ଦୂରକୁ ଏବଂ ଅନେକ ଗଭୀରକୁ ସାହସ କରି ପାରିଥିଲା । ମନ କହିଲେ ସେ ଯୁଗରେ ବର୍ତ୍ତମାନ ପରି କେବଳ ମାନସିକତାର କୌଣସି ଖଣ୍ଡିଆ କ୍ଷେତ୍ରକୁ ଆଦୌ ବୁଝାଉ ନ ଥିଲା । ହୁଏତ ଅଧିକତର ଅର୍ଥରୁ ବିଚାର କରି ଦେଖିଲେ ମନୁଷ୍ୟଚେତନାର ସମଗ୍ରତର କ୍ଷେତ୍ରକୁ ହିଁ ବୁଝାଉଥିଲା । ବୌଦ୍ଧଧର୍ମ ଭାରତବର୍ଷରୁ ଚୀନ ଓ ଜାପାନ ଯିବାପରେ ସ୍ଥାନୀୟ ପ୍ରାଜ୍ଞତାଗୁଡ଼ିକ ସହିତ ଏକାଠି ବଳି ହୋଇ ସେହି ବିଶ୍ଳେଷଣ ଅଧିକ ଶାଣିତ ଏବଂ ବ୍ୟଞ୍ଜନାଯୁକ୍ତ ହୋଇ ପାରିଥିଲା-। ଜାପାନୀ ବୌଦ୍ଧଧର୍ମର ଏକ ବିଶ୍ଳେଷଣ ଇନ୍ଦ୍ରିୟର ବିଚାରକୁ ଆମ ଭାରତର ପାରମ୍ପରିକ ପଞ୍ଚେନ୍ଦ୍ରିୟ ମଧ୍ୟରେ ଆଦୌ ସୀମାବଦ୍ଧ କରି ନ ରଖି ଆହୁରି ଏକ ସ୍ତରକୁ ଯଥାର୍ଥ ବାସନା ରହିଥିବା ସଂପୃକ୍ତ ଆମ ସମସ୍ତଙ୍କୁ ପରିଚାଳିତ କରିନେବାଲାଗି ପ୍ରୟାସ କରିଛି । ଇନ୍ଦ୍ରିୟଗୁଡ଼ିକ ମଣିଷକୁ ତଳକୁ ତଳକୁ ଖସାଇ ନେଇ ଯାଆନ୍ତି ବୋଲି ଭାରତୀୟ ନେତିବାଚକ ନୀତିଶାସ୍ତ୍ରରେ ଏକ ଅପବାଦ ରହିଛି । ଜାପାନୀ ବୌଦ୍ଧଧର୍ମ ଆଉ ଗୋଟିଏ ସ୍ତରର ପାଞ୍ଚୋଟି ଇନ୍ଦ୍ରିୟଙ୍କର କଥା କହିଛି, ଯାହା କି ମନୁଷ୍ୟର ଜୀବନରୁ ସଦାଚରଣ ମଧ୍ୟକୁ ଉତ୍ତୋଳିତ କରି ନେଇଯାଏ । ଏଗୁଡ଼ିକୁ ଗୋଟିଏ ଗୋଟିଏ ବ୍ୟଞ୍ଜନାତ୍ମକ ଅଭିଧା ଦେଇ ତାହା ଶ୍ରଦ୍ଧେନ୍ଦ୍ରିୟ, ବୀର୍ଯ୍ୟେନ୍ଦ୍ରିୟ, ସ୍ମୃତୀନ୍ଦ୍ରିୟ, ସମାଧୀନ୍ଦ୍ରିୟ ଏବଂ ପ୍ରଜ୍ଞେନ୍ଦ୍ରିୟ ବୋଲି ବର୍ଣ୍ଣନା କରିଛନ୍ତି । ଠିକ୍‍ ସେହିପରି ଆମର ଚକ୍ଷୁକୁ ମଧ୍ୟ ଏକ ପଞ୍ଚସ୍ତରୀୟ ସମ୍ଭାବନାର ଏକ କ୍ରମ ଦେଇ ବର୍ଣ୍ଣନା କରାଯାଇଛି । ଆମର ଏହି ଜଡ଼ ସ୍ତରର ଆଖିଟି, ଯାହାକୁ ସୁଧୀମାନେ ସାଧାରଣତଃ ବୁଜି କରି ରଖିବାଲାଗି ଆମକୁ ପରାମର୍ଶ ଦେଇଥାନ୍ତି, ତାହାକୁ ଏଥିରେ ମାଂସ ଚକ୍ଷୁ ବୋଲି କୁହାଯାଇଛି । ମାତ୍ର ସେହି କ୍ଷେତ୍ରରେ ମଧ୍ୟ ସ୍ତର ଉଠିବାର ଏକ ଉଦ୍‍ବୋଧନ ରହିଛି । ମାଂସ ଚକ୍ଷୁ ସେପାଖକୁ ଦିବ୍ୟ ଚକ୍ଷୁ, ତା’ପରେ ପ୍ରଜ୍ଞା ଚକ୍ଷୁ ତା’ ସେ ପାଖକୁ ଧର୍ମ ଚକ୍ଷୁ ଓ ଆହୁରି ସେ ପାଖକୁ ବୁଦ୍ଧଚକ୍ଷୁ । ଏଗୁଡ଼ିକ ମଧ୍ୟରୁ ଆମେ ଯେଉଁ ଇନ୍ଦ୍ରିୟଟିର ସ୍ତରରେ ବିଚରଣ କରୁଥିବା, ଆମର ଯାବତୀୟ ଅବଧାରଣା ଏବଂ ଅନୁକଳନା ସେହିପରି ହେବାକୁ ଅବଶ୍ୟ ବାଧ୍ୟ ହେବ । ଏବଂ ଆମେ ନିଜେ ଯେଉଁ ଚକ୍ଷୁଟି ଲାଗି ପ୍ରକୃତରେ ସମ୍ମତ ହୋଇଥିବା, ଆମର ଯାବତୀୟ ଅବଲୋକନ କେବଳ ସେତିକି କାଠି ଭିତରେ ସୀମିତ ହୋଇ ରହିବାକୁ ଅବଶ୍ୟ ବାଧ୍ୟ ହେବ ।

 

ସଂସ୍କୃତିର ପରିଭାଷାରେ ଏହି ଆଖି କହିଲେ ଆମ ଅନୁରାଗକୁ ହିଁ ବୁଝାଇବ । ଏବଂ ଅନୁରାଗର ଅନ୍ୟ ଏକ ନାମ ହେଉଛି ଗବାକ୍ଷ । ଆମର ଅନୁରାଗ ଯେତିକି ବଡ଼ ଅଥବା ଛୋଟ ବୃତ୍ତଟି ଭିତରେ ଆପଣାର ଥାନଟିକୁ ବାଛି ନେଇଥିବ, ଆମର ସଂସ୍କୃତି ନାମରେ ଆମେ ହୁଏତ କୋଉ ଗାତ ଭିତରେ ଯାଇ ପଶିଥିବା । ସେହି ଗାତ ଭିତରେ ହୁଏତ ଗୁଡ଼ାଏ ଅବର୍ଜିଆ ଢମ ବ୍ୟତୀତ ଆଉ ମୋଟେ କିଛିହେଲେ ନ ଥିବ । ମାତ୍ର ଗାତ ଭିତରୁ ବାହାରି ଯଦି ଆମେ ଗବାକ୍ଷଗୁଡ଼ିକୁ ମନ କରିବା, ତେବେ ଆମ ଜୀବନର ସାଂସ୍କୃତିକ ବଳୟ ଉପରେ ସତେଅବା ପ୍ରତ୍ୟହ ଆମକୁ ନୂତନ ସୂର୍ଯ୍ୟୋଦୟର ଅନୁଭବ ମିଳିବାରେ ଲାଗିଥିବ । ସେହି ବଳୟଗୁଡ଼ିକ ମଧ୍ୟରେ ଆମେ ସତେଅବା, ଆମର ପ୍ରତ୍ୟେକଟି ଅବଲୋକନ ଦ୍ଵାରା ଆମେ ନୂତନ ଆବିଷ୍କାର ଲାଗି ସମର୍ଥ ହେଉଥିବା । ସେହି ଆବିଷ୍କାର ଆମର ଜୀବନକୁ ସତତ ପ୍ରାଣବନ୍ତ କରି ରଖିଥିବ, ଆମକୁ ସକଳ ଜୁଗୁପ୍‍ପାରୁ ସୁରକ୍ଷିତ କରି ରଖିଥିବ । ସକଳ ବିନିଷ୍ଠିରୁ ବଞ୍ଚାଇ ରଖିଥିବ । (୭ । ୧୦ । ୮୭)

 

(୧୦)

 

ଇଂରାଜୀ Culture ଶବ୍ଦଟିର ଭାରତବର୍ଷରେ ପ୍ରାୟ ଦେଢ଼ଶହ ବା ଦୁଇଶହ ବର୍ଷ ହେଲା ଆମେ ‘ସଂସ୍କୃତି’ ଶବ୍ଦ ଦେଇ ବୁଝିବାକୁ ଚେଷ୍ଟା କରି ଆସୁଛୁ । ପ୍ରାଚୀନ ଭାରତୀୟ ବିଦ୍ୟାରେ ‘ସଂସ୍କୃତି’ ଶବ୍ଦଟି ଯେ ନଥିଲା, ସେକଥା ଆଦୌ ସତ୍ୟ ନୁହେଁ । ଐତରେୟ ବ୍ରାହ୍ମଣରେ ଯାବତୀୟ ଶିଳ୍ପକୁ ‘ଆତ୍ମସଂସ୍କୃତି’ ବୋଲି କୁହାଯାଇଛି । ସୌନ୍ଦର୍ଯ୍ୟଶାସ୍ତ୍ରର ତାତ୍ତ୍ଵିକ ଇତିହାସରେ ଏହି ସଂଜ୍ଞାଟିର ଏକ ସ୍ଵତନ୍ତ୍ର ତାତ୍ପର୍ଯ୍ୟ ରହିଛି । ସେହି ଗ୍ରନ୍ଥର ତ୍ରିଂଶତମ ଅଧ୍ୟାୟରେ ମଧ୍ୟ ସ୍ପଷ୍ଟତର ଭାବରେ ‘ଆତ୍ମସଂସ୍କୃତିର୍ଭାବ ଶିଳ୍ପାନି’ ବୋଲି ବ୍ୟାଖ୍ୟା କରି ଦିଆଯାଇଛି । ବେଳେବେଳେ Culture ଶବ୍ଦଟିକୁ କୃଷ୍ଟି ବୋଲି ମଧ୍ୟ ତର୍ଜମା କରିଦିଆ ଯାଇଥାଏ । ‘କୃଷ୍ଟି’ର କୃଷି ଏବଂ କର୍ଷଣ ସହିତ ଅର୍ଥୋପଗତ ସମ୍ପର୍କ ରହିଛି । ତଥାପି ଇଂରାଜୀରେ Culture କହିଲେ ଯେଉଁସବୁ ଅର୍ଥପରିଧିକୁ ଏବେ ବୁଝାଉଛି ବା ଯୁଗାନୁକ୍ରମେ ବୁଝାଇ ଆସିଛି, ‘ସଂସ୍କୃତି’ ଶବ୍ଦଟି ମଧ୍ୟରେ ଆମେ ସାଧାରଣତଃ ସେପରି କୌଣସି ଭାବଗତ ବିବର୍ତ୍ତନର ଧାରା ମୋଟେ ଦେଖିବାକୁ ପାଇବାନାହିଁ । ନୃତତ୍ତ୍ଵବିଜ୍ଞାନର ବିକାଶ ଅନୁସାରେ ଇଉରୋପରେ Culture ଶବ୍ଦସମଗ୍ରଟିକୁ ନେଇ ବହୁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଛି ଏବଂ ସାମୂହିକ ଅର୍ଥକଳନାର କ୍ଷେତ୍ରରେ ମଧ୍ୟ ତଦନୁସାରେ ଆବଶ୍ୟକ ପ୍ରସାରଣମାନ ଅବଶ୍ୟ ଘଟିଛି । ଆମ ‘ସଂସ୍କୃତି’ ଶବ୍ଦଟିର ପର୍ଯ୍ୟାଲୋଚନାରେ ଆମ ବିଶ୍ଵବିଦ୍ୟାଳୟ ମାନଙ୍କର ଅଧ୍ୟାପକମାନେ ପ୍ରଧାନତଃ ଇଉରୋପୀୟ ଧାରାଟିର ଅନୁକରଣ କରିଛନ୍ତି । ସେମାନେ ସିଆଡ଼ୁ ଛାଞ୍ଚଗୁଡ଼ିକୁ ଆଣି ଆମର ଏଠିକା ଭୂମିରେ ସଂସ୍କୃତିର ଦାଗ ଓ ବୃତ୍ତଗୁଡ଼ିକର ନିରୂପଣ କରିବାକୁ ଚେଷ୍ଟା କରିଛନ୍ତି । ବିଶ୍ଵବିଦ୍ୟାଳୟର ଏବଂ ଏପରିକି, ସେହି ବିଶ୍ଵବିଦ୍ୟାଳୟର ପରିସର ମଧ୍ୟରେ ବି ନୃତତ୍ତ୍ଵବିଜ୍ଞାନ ଏବଂ ସମ୍ଭବତଃ ସମାଜବିଜ୍ଞାନର ବାହାରେ ଯେଉଁମାନେ ରହିଲେ, ସେମାନେ ‘ସଂସ୍କୃତି’ ନାମକ ଏହି ନୂଆ ଶବ୍ଦଟିରେ ପୁରୁଣା ଭାବପ୍ରବଣତାର ଗଞ୍ଜେଇ ମିଶାଇ ବିଚିତ୍ର ବହୁବିଧ ଅବଧାରଣାର ସୃଷ୍ଟି କରିଛନ୍ତି । ଶବ୍ଦଟିର ଯଥାର୍ଥ ଭାବଗତ ମେଦିନୀଟିକୁ ଖୋଜିବାର ପ୍ରକ୍ରିୟାରେ ସେମାନେ ଉତ୍ସାହ ତଥା ଅତ୍ୟୁତ୍ସାହର ବହୁବର୍ଣ୍ଣ ସ୍ଵେଦକୁ ମିଶାଇ ଆପଣା ନିମନ୍ତେ କିମ୍ଭୂତ ଧାରଣାମାନ ଗଢ଼ି ଥୋଇ ଦେଇଛନ୍ତି ଓ ତାହାକୁ ହିଁ ସଂସ୍କୃତି ବୋଲି ନ ଧରି ନେଇଛନ୍ତି । ସମ୍ଭବତଃ ସେଇଥିରେ ବେଶ୍‍ କାମ ଚଳିଯାଉଛି । ତେଣୁ ଅନୁଶୋଚନା ନାହିଁ । ଭାରତୀୟ ଜନଜୀବନର ସାମ୍ପ୍ରତିକ ଆର୍ଥିକ, ସାମାଜିକ ଏବଂ ରାଜନୀତିକ ଗଢ଼ଣଗୁଡ଼ିକ ପ୍ରାୟ ସବୁକାଳେ ଯେପରି ରହିଆସିଛି, ସେହି କାରଣରୁ ଭାରତବର୍ଷରେ ସଂସ୍କୃତି ବିଷୟରେ ଏକ ସାମୂହିକ ଜିଜ୍ଞାସା ଖୁବ୍‍ ବେଶି ସମ୍ଭବ ହୋଇନାହିଁ । ଆପଣାର ଗାତଟି ଅନୁସାରେ ପ୍ରତ୍ୟେକେ ଆପଣାଲାଗି ସଂଜ୍ଞାଟିଏ ତିଆରି କରି ନେଇଛନ୍ତି ।

 

ଇଂରାଜୀ Culture ଶବ୍ଦଟିର ମୂଳ ଲାଟିନ୍‍ ଭାଷାରୁ ଆସିଛି । Colere ବୋଲି ଏକ ଲାଟିନ୍‍ ଧାତୁରୁ ତାହାର ଉଦ୍‍ଗମ ହୋଇଛି ଏବଂ ଶବ୍ଦଟିର ଅର୍ଥପରିଧିକୁ ନେଇ ପରବର୍ତ୍ତୀ ବହୁକାଳରେ ଯେଉଁସବୁ ମତ–ବିଡ଼ମ୍ବନାର ସୃଷ୍ଟି ହୋଇଛି, ସେହି ବିଡ଼ମ୍ବନାର ବୀଜ ମଧ୍ୟ ସତେଅବା ମୂଳ କ୍ରିୟାଟିର ଦ୍ଵିବିଧ ଅର୍ଥ ଭିତରେ ନିହିତ ହୋଇ ରହିଛି । Colere କ୍ରିୟାର ଗୋଟିଏ ଅର୍ଥ ହେଉଛି, ଦେବତାମାନର ଅର୍ଚ୍ଚନା କରିବା, ଏବଂ ଦ୍ଵିତୀୟ ଅର୍ଥଟି ହେଉଛି ହଳ ଦ୍ଵାରା ଭୂମିର କର୍ଷଣ କରିବା । ଅର୍ଥବ୍ୟୁତ୍ପତ୍ତି କାଳର ସେହି ପ୍ରଥମ ଯୁଗରେ ଲୋକଜୀବନ ଗ୍ରାମୀଣ ଥିଲା, କୃଷି ଆଧାରିତ ଥିଲା; ଗ୍ରାମୀଣ ଜୀବନରେ ଧର୍ମୋପାସନାର ଆହ୍ଵାନଟି ମଧ୍ୟ ଏକ ପ୍ରଧାନ ପ୍ରେରଣା ହୋଇ ରହିଥିଲା । ତତ୍କାଳୀନ ଜୀବନର ଯାବତୀୟ ବିଧି ବ୍ୟବସ୍ଥା ଓ ବିଶ୍ଵାସ ଏକାନ୍ତ ଯୁଗପତ୍‍ ଭାବରେ ଧର୍ମ ଏବଂ ଭୂମିକର୍ଷଣ ତଥା ଶସ୍ୟୋତ୍ପାଦନ ସହିତ ଏକତ୍ର ଗ୍ରଥିତ ହୋଇ ରହିଥିଲା । ଭୂମିକର୍ଷଣ ଓ ଶସ୍ୟୋତ୍ପାଦନର ସ୍ତର ହେଉଛି ଭାରତୀୟ ଆଧ୍ୟାତ୍ମବିଦ୍ୟାର ଭାଷାରେ ‘ଅନ୍ନ’ର ସ୍ତର, ଜଡ଼ର ସ୍ତର, ଇହଜୀବନର ସ୍ତର । ଏହି ସ୍ତରରେ ମଧ୍ୟ ଏକ ସଂପୂର୍ଣ୍ଣ ଜୀବନର କଳ୍ପନା ଏବଂ ତାହାକୁ ବାସ୍ତବରେ ପରିଣତ କରିବା ନିମନ୍ତେ ଏକ ସଂପୂର୍ଣ୍ଣ ଉଦ୍ୟମ,–ତାହା ହେଉଛି ସଂସ୍କୃତିର ସର୍ବମୂଳ ପାହାଚ, ଆହୁରି ଆଗକୁ ବା ଅଧିକକୁ ବାଟ କଢ଼ାଇ ନେଇ ଯାଉଥିବା ଏକ ଅବଶ୍ୟମ୍ଭାବୀ ପ୍ରଥମ ପାହାଚ । ମାତ୍ର ପ୍ରଥମ ପାହାଚଟି ହିଁ ସବୁଯାକ ପାହାଚ ମୋଟେ ନୁହେଁ । ଏହି ସର୍ବପ୍ରଥମ ପାହାଚଟିରେ ଅଟକିଯାଇ ତଥାକଥିତ ସଖଳ ସମ୍ଭୋଗର ଅଧିକାରୀ ହେବାରେ ଏକ ଆକର୍ଷଣ ଅବଶ୍ୟ ରହିଛି ସତ; ମାତ୍ର ତଦ୍ଦ୍ୱାରା ବଞ୍ଚିବାର ସଂପୂର୍ଣ୍ଣ ସ୍ଵାସ୍ଥ୍ୟଟି କଦାପି ଉପଲବ୍‌ଧ ହୋଇ ପାରବ ନାହିଁ । ଗୋଡ଼ ପୃଥିବୀ ଉପରେ ରହିବ, ମାତ୍ର ଆଖି ଯାଇ ଆକାଶ ଉପରେ ନିବଦ୍ଧ ହୋଇ ରହିଥିବ-। ସେଠି ଯେଉଁ ଆକର୍ଷଣ ରହିଛି, ସେଇଟି ଆଡ଼କୁ ମଧ୍ୟ ନିଜର ଦ୍ଵାରଟିକୁ ଉନ୍ମୋଚିତ କରି ରଖିଥିବ-। ବିଶ୍ଵକାବ୍ୟରେ ଏହାକୁ ଏକ oceanic feeling ବୋଲି କୁହାଯାଇଛି, ସାଧନାର ଶାସ୍ତ୍ରରେ ତାହାକୁ ଏକ ଚମତ୍କାର ପ୍ରତୀକ ଦେଇ ‘ସୂର୍ଯ୍ୟ-ଦର୍ଶନ’ ବୋଲି ବର୍ଣ୍ଣନା କରାଯାଇଛି । ପରମ ଶିବ, ପରମ ସତ୍ୟ ଓ ପରମ ଆନନ୍ଦର ଆକର୍ଷଣ ଓ ସେହି ଆକର୍ଷଣ ହାତରେ ସ୍ଵତଃପ୍ରବୃତ୍ତ ସ୍ଵଭାବପ୍ରେରିତ ହୋଇ ଧରାଦେବା,–ଏଇଟିକୁ ମଧ୍ୟ ସଂସ୍କୃତିର ଏକ ଅନ୍ୟତମ ଶୀର୍ଷରୂପେ ସ୍ଵୀକାର କରିନେବାକୁ ପଡ଼ିବ । ଇହ ଭୂମି ଏବଂ ଜୀବନରେ କ୍ରମୋନ୍ମୋମିତ ହୋଇ ଆସିବାକୁ ଅପେକ୍ଷା କରିଥିବା ସେହି ତଥାପି ଅନାବିଷ୍କୃତ ଆକାଶ,–ଆଉ ମଝିରେ ଏଠୁ ସେଯାଏ ପଡ଼ିଥିବା ସଂପୂର୍ଣ୍ଣ ପାବଚ୍ଛଶ୍ରେଣୀଟି,–Calture କହିଲେ ସେତେବେଳେ ଏହି ସଂପୂର୍ଣ୍ଣ ମଣ୍ଡଳଟିକୁ ବୁଝାଉଥିଲା । ତେଣୁ ଏକ ସତତ ଗତିଶୀଳତାକୁ ମଧ୍ୟ ବୁଝାଉଥିଲା ।

 

ଅନ୍ୟ ପକ୍ଷରେ, ସଭ୍ୟତା ବା Civilization ଶବ୍ଦଟି ଗ୍ରୀକ୍‍ ଭାଷାରୁ ଉତ୍ପନ୍ନ ହୋଇ ଆସିଛି । ପ୍ରାଚୀନ ଗ୍ରୀକ୍‍ ସଭ୍ୟତା ହେଉଛି ନଗରଭିତ୍ତିକ ସଭ୍ୟତା । ଏହି ସଭ୍ୟତା ସହର, ନଗର, ନାଗରିକ ଜୀବନ ଏବଂ ନାଗରିକ ଭବ୍ୟତା ଓ ଭଦ୍ରତା ସହିତ ସଂପୃକ୍ତ । ଗ୍ରୀକ୍‍ ସଭ୍ୟତାର ସେହି ପ୍ରାଚୀନ ଲୋକନାଗରିକ ଜୀବନ ଏହାର ସର୍ବଆଦ୍ୟ ସନ୍ତକ । ପଲିଟି, ପଲିଟିକସ୍ ଓ ପୋଲାଇଟ୍‌ନେସ୍‌–ନଗର ବ୍ୟବସ୍ଥା, ନଗର ନୀତି ତଥା ନଗରଜୀବନଗତ ଶୃଙ୍ଖଳା ଏବଂ ଭଦ୍ରତା ହେଉଛି ସେହି ଜୀବନ–ଗଢ଼ଣଟିର ସ୍ଵାଭାବ ଓ ଲକ୍ଷଣ । ଇଉରୋପୀୟ ସଭ୍ୟତା ଓ ସଂସ୍କୃତି ଯେତେବେଳେ ଫରାସୀ ଜୀବନଶୈଳୀ ଭିତରେ ଠୁଳ ଭାବରେ ସ୍ଵୀକୃତ ହେଉଥିଲା, ଅର୍ଥାତ୍ ଫରାସୀ ଭାଷା, ଫରାସୀ କାବ୍ୟ ଓ ନାଟକ, ଫରାସୀ କଳାଆନ୍ଦୋଳନର ବିଶେଷ ମୋଡ଼ ଏବଂ ଭାଙ୍ଗଗୁଡ଼ିକ ଯେତେବେଳେ ସାରା ଇଉରୋପରେ ଅନ୍ତତଃ ଶିଷ୍ଟ ବର୍ଗଗୁଡ଼ିକରେ ଲାଗି ଅନୁକରଣ ଏବଂ ଅନୁଶୀଳନର ବସ୍ତୁ ହୋଇ ରହିଥିଲା, ସେତେବେଳେ କେତେକ କାରଣରୁ Calture ବା ସଂସ୍କୃତିର ବ୍ୟଞ୍ଜନାତ୍ମକ ଅଭିଧାଗୁଡ଼ିକ ମଧ୍ୟ ଭାରି ବଦଳି ଯାଇଥିଲା । ସେତେବେଳେ ସଂସ୍କୃତି କହିଲେ ପ୍ରାୟ ଏକାଙ୍ଗୀ ଭାବରେ କଳା ଓ ସାହିତ୍ୟକୁ ବୁଝାଇଲା, ଜୀବନର ଅନ୍ୟ କ୍ଷେତ୍ରଗୁଡ଼ିକୁ ସତେଅବା ସଂସ୍କୃତିର ବାହାରେ ପରି ବିଚାର କରାଗଲା । ଜୀବନ ବଞ୍ଚିବା ଓ ସଂସ୍କୃତିକୁ ଭୁଞ୍ଜିବା ଜୀବନର ଦୁଇଟା ସ୍ଵତନ୍ତ୍ର ଧନ୍ଦା ହୋଇଗଲା, ଅର୍ଥାତ୍‍ ସଂସ୍କୃତି ଅବସରକାଳୀନ ଏକ ସ୍ଵତନ୍ତ୍ର ସଉକ ହୋଇ ରହିଲା । କଳା ଓ ସାହିତ୍ୟ ମଧ୍ୟରେ ପ୍ରାୟ ଅତିଲିପ୍ତ ହୋଇ ରହିବାକୁ ହିଁ ସଂସ୍କୃତିପ୍ରେରିତ ଜୀବନ ବୋଲି କୁହାଗଲା । ସେହି ପ୍ରବୃତ୍ତିଟି ଏବେ ମଧ୍ୟ ଫରାସୀ ସଉକୀ ଜୀବନକୁ ବଡ଼ ବ୍ୟାଧିତ ଭାବରେ ସଂକ୍ରାମିତ କରି ରଖିଛି । ସାଧାରଣ ଜନଜୀବନରେ ବହୁ ପ୍ରକାରର କ୍ଳିଷ୍ଟତା କ୍ଳେଦପ୍ରାୟ ଘର କରି ରହିଲା ପରି ରହିଛି ମାତ୍ର ତେଣେ ସ୍ଵତନ୍ତ୍ର ଅଳିନ୍ଦମାନଙ୍କରେ କଳା ଓ ସାହିତ୍ୟର ବହୁ ଉଦ୍‌ବେଳନ ବଳବତ୍ତର ରହିଛି । ସଉକରେ ବିପ୍ଳବ ହେଉଛି, ବିବିଧ ବାଦର ପ୍ରତିଷ୍ଠା ହୋଇ କଳା ଓ ସାହିତ୍ୟ ଭିତରେ ତୋଫାନ ସୃଷ୍ଟି କରାଯାଉଛି । ମାତ୍ର ଜୀବନର ବୃହତ୍ତର ବୃତ୍ତିଗୁଡ଼ିକ ସହିତ ସେହିସବୁ ତୋଫାନର କୌଣସି ଧକ୍‌କା ବାଜ ନାହିଁ । ସତେଅବା ସଂସ୍କୃତିର ଏକ ବିଶେଷ ତମ୍ବୁଟି ଭିତରେ ସେହିସବୁ ତୋଫାନ ଚାଲିଛି ଏବଂ ବାହାରର ଆକାଶଟି ସହିତ ଏହାର ଆଦୌ କୌଣସି ଖିଅ ହିଁ ଲାଗି ନାହିଁ ।

 

ତଥାପି ଇଂରାଜୀ ତଥା ଜର୍ମାନ୍‍ ଚଳଣିରେ ସଂସ୍କୃତିକୁ ଜୀବନ ବଞ୍ଚିବାର ଏକ ସମଗ୍ର ଶୈଳୀ ରୂପେ ସ୍ୱୀକୃତ କରାଯାଇ ଆସିଛି । ସେଇ ଅବଲୋକନଟି ଆଧୁନିକ ନୃତତ୍ତ୍ଵବିଜ୍ଞାନକୁ ମଧ୍ୟ ପ୍ରଭାବିତ କରିଛି । କୌଣସି ଜନସମୂହର ସାଧାରଣ ଜୀବନଠାରୁ ତାହାର ତଥାକଥିତ ସାଂସ୍କୃତିକ ଜୀବନ ଆଦୌ ଏକ ଅଲଗା ବସ୍ତୁ ନୁହେଁ । କେବଳ ଏକ ବ୍ୟାଧିତ ଦୃଷ୍ଟିକୁ ହିଁ ଜୀବନଦୃଷ୍ଟି ବୋଲି ଗ୍ରହଣ କରିଥିବା ସମାଜରେ ହିଁ ଜୀବନ ଏବଂ ସଂସ୍କୃତିକୁ ସତେଅବା ଦୁଇଟା ଅଲଗା ଅନୁଧାବନ ବୋଲି ବିଚାର କରାଯାଏ । ପାରମ୍ପରିକ ସମାଜମାନଙ୍କରେ ମଣିଷ ତାର ଜୀବନକୁ ଏପରି ଅଖଣ୍ଡିତ ଓ ସମଗ୍ର ଭାବରେ ବଞ୍ଚେ ଯେ, ସେଥିରୁ ତା ଜୀବନକୁ ତା’ ସଂସ୍କୃତିଠାରୁ ଅଲଗା କରି ଦେଖିବା ଆଦୌ ସମ୍ଭବ ହୁଏ ନାହିଁ । କଳା, ସୌନ୍ଦର୍ଯ୍ୟ ଓ ଆନନ୍ଦ ସେଠାରେ କେବଳ ଏକ ବିଶେଷ ସମୟର ସ୍ଵତନ୍ତ୍ର ବିଳାସ ହୋଇ ମୋଟେ ରହିନଥାଏ । ଛନ୍ଦ କେବଳ ନୃତ୍ୟରେ ନଥାଏ, ଛନ୍ଦ କର୍ମରେ ମଧ୍ୟ ଥାଏ, ଛନ୍ଦ ପାରସ୍ପରିକତା ମଧ୍ୟରେ ରହିଥାଏ । ପର୍ବ, ଉତ୍ସବ ଓ ବିବିଧ ପୂଜାପାର୍ବଣ ମଣିଷକୁ ମଣିଷ ସହିତ ଏକଚିତ୍ତ ଓ ଏକାତ୍ମ କରି ରଖିବାରେ ସାହାଯ୍ୟ କରେ । ପୃଥିବୀର ବହୁ ଆଦିବାସୀ ସମାଜରେ ଯେଡ଼େ କ୍ଷୁଦ୍ର ଓ ସ୍ଥାନୀୟ ପରିଧିର ଭିତରେ ହେଲେ ମଧ୍ୟ ଆମକୁ ସେହି ଐକ୍ୟସଂହତିର ପରିଚୟଟି ହିଁ ସବାଆଗ ମିଳିଯାଇଥାଏ । ସମାଜ ଭିତରେ ଶ୍ରମବିଭାଜନର ପରବର୍ତ୍ତୀ ବ୍ୟବସ୍ଥାଟି ପଶି ଯେତେବେଳେ ଗୋଟିଏ ସମାଜକୁ ଭାବଗତ ସମ୍ବନ୍ଧର ଭୂମିଗୁଡ଼ିକରେ କ୍ରମଶଃ ଅନେକ ଫାଳ କରି ପକାଇଲା ଯେତେବେଳେ ମଣିଷ ଥାକ ଥାକ ହୋଇ ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀଠାରୁ ଭିନ୍ନେ ହୋଇ ଦିଶିଲା ଏବଂ କ୍ରମେ ସେହି ଦୁର୍ଭାଗ୍ୟଟି ଅଧିକ ବଳଶାଳୀ ହୋଇ ମଣିଷମାନେ ଦିଶିବା ପୂର୍ବରୁ ଏହି ଥାକଗୁଡ଼ାକ ହିଁ ପ୍ରଧାନତର ହୋଇ ଦିଶିଲା, ସେତେବେଳେ ଜୀବନଠାରୁ ସଂସ୍କୃତି ସତେଅବା ଫିଡ଼ିକି ଯାଇ ଅଲଗା ହୋଇ ରହିଲା, ତାହା କେତୋଟି ବିଶିଷ୍ଟ ବର୍ଗଙ୍କର ଏକ ପ୍ରସାଧନ-ସାମଗ୍ରୀରେ ପରିଣତ ହୋଇ ରହିଲା । ସଉକଗୁଡ଼ାକୁ ସଂସ୍କୃତି ବୋଲି କୁହାଗଲା, ଅଥବା ଅଧିକ ନିର୍ଭୁଲ ଭାବରେ କହିଲେ, ସଂସ୍କୃତି କହିଲେ କେତେଟା ବିଶେଷ ବିଳାସ ଓ ସଉକକୁ ବୁଝାଇଲା ଏବଂ ତାହା କେତେଟା ବିଶେଷ ବର୍ଗଙ୍କର ସମ୍ପତ୍ତି ହୋଇ ରହିଲା ।
 

ଆମର ଜୀବନକୁ ଏକ ସମଗ୍ର ପରିମଳ ଆଣିଦେବାରେ ଯାହାକିଛି ସହାୟକ ଉପାଦାନ ରୂପେ କାର୍ଯ୍ୟ କରେ, ତାହା ସଂସ୍କୃତି । ଆମର ବ୍ୟକ୍ତିଗତ ଜୀବନରେ ଯାହାକିଛି ଅସଲ ପରିମଳଗୁଡ଼ିକୁ ଆଣିଦିଏ, ତାହା ସଂସ୍କୃତି । ଆମ ସାମାଜିକ ସମ୍ବନ୍ଧ ତଥା ବନ୍ଧନଗୁଡ଼ିକରେ ଅସଲ ପରିମଳଟି ନଥିଲେ ଆମ ତଥାକଥିତ ବ୍ୟକ୍ତିଗତ ଜୀବନଟି ମଧ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ଦିଗ୍‌ଭ୍ରଷ୍ଟ ହୋଇ ରହିଯାଏ । ମୁଖ୍ୟତଃ ସେହି କାରଣରୁ ହିଁ, ଯେଉଁଠି ସାମାଜିକ ସମ୍ବନ୍ଧଗୁଡ଼ାକ ବିଦୁଷିତ ହୋଇ ରହିଥାଏ, ଯେଉଁଠାରେ ନାନାବିଧ ମନୁଷ୍ୟକୃତ ଦୂରତା ମଣିଷ ମଣିଷ ଭିତରେ ରହିଥିବା ସହଜ ପାରସ୍ପରିକତାକୁ ନଷ୍ଟ କରି ଦେଉଥାଏ, ସେହି ସମାଜରେ ବ୍ୟକ୍ତିଗତ କଳାନୁଧାବନ, ବ୍ୟକ୍ତିଗତ ଧର୍ମାନୁଗତତା ଓ ଏପରିକି ବ୍ୟକ୍ତିଗତ ନୈତିକତା ମଧ୍ୟ ସତେଅବା ଏକ ନିର୍ବାସିତ ଜୀବନର ସାନ୍ତ୍ଵନା ପରି ହୋଇ ରହିଥାଏ । ତେଣୁ ସାମୂହିକ ଜୀବନରେ, ରାଜନୀତିରେ, ଅର୍ଥନୀତିରେ, ସାମାଜିକ ବିବେକର ଯାବତୀୟ କ୍ଷେତ୍ରରେ ଯେଉଁ ସୁସ୍ଥ ପରିମଳଟି ଅବଶ୍ୟ ରହିଥିବା ଆବଶ୍ୟକ, ତାହା ମଧ୍ୟ ଆମ ସଂସ୍କୃତି ବ୍ୟତୀତ ଆଉ କିଛି ନୁହେଁ । ପୃଥିବୀର ଯେଉଁସବୁ ସମୂହର ନିୟନ୍ତ୍ରଣକାରୀ ନାନା ସ୍ଵାର୍ଥ ଏହି ଫଇସଲାଗୁଡ଼ିକୁ ବହୁବିଧ ଚତୁରତା ସହିତ ଏଡ଼ିଦେବାରେ ଲାଗିଥାଏ, ଅନେକ ସମୟରେ ସେହି ସମୂହଗୁଡ଼ିକରେ ହିଁ ସାହିତ୍ୟ, କଳା, ସଂଗୀତ ପ୍ରଭୃତି କେତେଟା ବିଶେଷ ତାମସାକୁ ସଂସ୍କୃତି ନାମରେ ଚଳାଇ ଦିଆଯାଏ । ଏହା ପ୍ରକୃତରେ ଏକ ତାମସା, କାରଣ ତାହା ମାତ୍ର କେତେଜଣଙ୍କର କେତେ ଘଡ଼ିର ପ୍ରାୟ ଏକ ମିଛ ଭାବପ୍ରବଣତା ନିମନ୍ତେ କେତେକ ଅଲିଅଳ ଅବକାଶ ଆଣି ଯୋଗାଇ ଦେବାରେ ହିଁ ସବୁଠାରୁ ଅଧିକ କାର୍ଯ୍ୟ କରେ । ତେଣେ ଜୀବନ ଶୁଖି ଶୁଖି ଯାଉଥାଏ, ଅଧିକାଂଶ ମନୁଷ୍ୟ ଜୀବନର ଅତ୍ୟାବଶ୍ୟକତା ଗୁଡ଼ିକରୁ ଅତ୍ୟନ୍ତ ନିର୍ମମ ଭାବରେ ବଞ୍ଚିତ ହୋଇ ରହିଥାନ୍ତି–ଏବଂ ତେଣେ ଦୈତ୍ୟମାନଙ୍କୁ ବର କରି ବସାଇ ସଭାରେ ସାହିତ୍ୟ ଚାଲିଥାଏ, ସଂସ୍କୃତି ଦୁହାଁ ହେଉଥାଏ । ସମୁଦାୟ ଜୀବନଠାରୁ ଅଲଗା କରି ସଂସ୍କୃତି ନାମକ ଏକ ବିଶେଷ କ୍ଷେତ୍ରରେ ଭିଆଣ କରି ସକଳ ରାଜସିକତା ସହିତ ତାହାରି ଭିତରେ ଘୁଷୁରି ପରି କେଳି କରିବାରେ ଲାଗିଥିବା,–ସମ୍ଭବତଃ ଏହାହିଁ ହେଉଛି ଆମ ଏ ଯୁଗର ସବୁଠାରୁ ବଳି ଜଘନ୍ୟ ଅପସଂସ୍କୃତି । (୧୦ । ୧୦ । ୮୭)

 

(୧୧)

 

ଆମ ଚାରିପାଖରେ ହାଉ ହାଉ ହେଉଥିବା ଯେଉଁମାନେ ସଂସାରଟାଯାକ ସମସ୍ତେ ବଦମାସ୍‌ ହୋଇଗଲେ ବୋଲି ଏଡ଼େ ପାଟି କରି କହୁଛନ୍ତି, ସେମାନଙ୍କଠାରୁ ଏହି ସଂସାରରେ ପ୍ରକୃତରେ ଅଧିକ ବଦମାସ୍ ଆଉ କିଏ ଅଛି କହିଲେ ? ସେମାନେ ସତେଅବା କେଡ଼େ ଉଲ୍ଲାସରେ ଆମ ଆଗରେ ସେହି କଥାଟିକୁ କହୁଛନ୍ତି । ସତେଅବା କୌଣସି ଏକ ନୂଆ କଥା ଆବିଷ୍କାର କରିଥିବା ପରି ଏକ ଅଦ୍‍ଭୁତ ପୁଲକ ସହିତ ଆମ ଆଗରେ ଘଣ୍ଟ ବାଡ଼େଇବା ପରି ତାହା କହୁଛନ୍ତି-। ଏଡ଼େ ବଡ଼ ସତ କଥାଟିକୁ ଏତେ ମଣିଷଙ୍କ ଆଗରେ କହି ପାରୁଛନ୍ତି ବୋଲି ସତେଅବା ଭାରି ଆତ୍ମଶ୍ମାଘା ଅନୁଭବ କରୁଛନ୍ତି ।

 

ଆମର ଏହି ସାନ ସଂସାରଟିରେ ଅନେକ ବଡ଼ ମଣିଷ ଅଛନ୍ତି, ଯୋଉମାନେ କି ଆଗକୁ ଅନାଇ ସତକୁସତ ଘୋର ଅନ୍ଧକାର ବ୍ୟତୀତ ଆଉ ମୋଟେ କିଛିହେଲେ ଦେଖି ପାରନ୍ତି ନାହିଁ । ସେମାନଙ୍କର ପେଟ ଭିତରେ ପ୍ରକୃତରେ କୋଉ କୋଉ କାଳର କେତେ ଅନ୍ଧକାର ଭାରି ଚିକିଟା ହୋଇ ଲାଖି ରହିଥାଏ କେଜାଣି, ସେମାନେ ଅନ୍ଧାର ବ୍ୟତୀତ ଆଉ କିଛି ହେଲେ କୋଉଠି ରହିଛି ବୋଲି ବାରି କରି ଦେଖିପାରନ୍ତି ନାହିଁ । ସେମାନଙ୍କର ବିବେକକୁ ଅନ୍ଧକାର ଗୋଟାସୁଦ୍ଧା ଖାଇ ସାରିଥାଏ । ଅଥବା, କୌଣସି ଅପପ୍ରୟୋଜନର ଅନୁରୋଧରେ ପଡ଼ି ବିଚରା ସେମାନେ ଅତ୍ୟନ୍ତ ଦୟନୀୟ ଭାବରେ ଆପଣା ଭିତରେ ରହିଥିବା ବିବେକ ନାମକ ସମ୍ପଦକୁ ନିଜ ଘରୁ ନେଇ ଅନ୍ଧାର ହାତରେ ଜିମା ଦେଇ ଆସିଥାନ୍ତି । କିମ୍ବା, ଏପରି ବି ହୋଇପାରେ ଯେ, ଆପଣା ଭିତରର ଅନ୍ଧାରକୁ ସେମାନେ ଏତେ ଅଧିକ ପରିମାଣରେ ଭଲ ପାଉଥାନ୍ତି ଯେ, ଚାରି ପାଖର ଆଲୋକକୁ ଅସ୍ଵୀକାର କରିବା ବ୍ୟତୀତ ସେମାନଙ୍କର ସତେଅବା ଆଦୌ କୌଣସି ଗତ୍ୟନ୍ତର ନଥାଏ ଏବଂ ସେଇଥିଲାଗି ସେମାନେ ଚତୁର୍ଦ୍ଦିଗରେ କେବଳ ଅନ୍ଧାର ଦେଖୁଥାନ୍ତି ।

 

ମଣିଷର ପ୍ରକୃତି ବିଷୟରେ ଆମ ସଂସାରର ବିଦ୍ଵାନ୍‌, ପଣ୍ଡିତ ଓ ନୀତିବାଦୀମାନଙ୍କର ଯୁଗେ ଯୁଗେ ଗୋଟାଏ ଭାରି ନିକୁଛିଆ ଧାରଣା ରହିଆସିଛି । ନିଜର ପ୍ରକୃତିଟି ସହିତ ନିଜଭିତରେ ସେମାନଙ୍କର କେଉଁ ଅଛିଣ୍ଡା ଯୁଦ୍ଧ କାହିଁକି ଲାଗିଥାଏ କେଜାଣି, ସେମାନେ ଅନ୍ୟ ଆଉ କାହା ଆଡ଼କୁ ଅନାଇବା ବେଳେ କେବଳ ଘାଆଗୁଡ଼ାକୁ ହିଁ ଦେଖନ୍ତି । ଭାରତର ସୁଧୀମାନେ ଓ ସୁରୀମାନେ ମଣିଷର ପ୍ରକୃତିକୁ କୁକୁରର ଲାଙ୍ଗୁଡ଼ ସହିତ ତୁଳନା କରିଛନ୍ତି । କୁକୁରର ଲାଙ୍ଗୁଡ଼ ସେହି ମୂଳରୁ ହିଁ ସତେଅବା କେଡ଼େ ବଢ଼ିଆ ଭାବରେ ତିଆରି ହୋଇ ରହିଥାଏ ଯେ, ତାକୁ ବର୍ଷ ବର୍ଷ ଧରି ଗୋଟାଏ ସିଧା ନଳୀ ଭିତରେ ସିଧା କରି ରଖିଲେ ମଧ୍ୟ ନଳୀରୁ ବାହାର କରି ନେବା ମାତ୍ରକେ ତାହା ପୁନର୍ବାର ପୂର୍ବବତ୍‌ ବଙ୍କା ହୋଇଯାଏ । ଗୁଣୀମାନଙ୍କର ମତରେ ମଣିଷର ପ୍ରକୃତି କୁଆଡ଼େ ଅବିକଳ ଏହି କୁକୁର ଲାଙ୍ଗୁଡ଼ ପରି । ଏହା କଦାପି ବଦଳିବ ନାହିଁ । ଏହି ପରିପ୍ରେକ୍ଷୀରେ ଖ୍ରୀଷ୍ଟିଆନ୍‌ ଧର୍ମପୁସ୍ତକର ସେହି କୁଖ୍ୟାତ Original Sinର ସିଦ୍ଧାନ୍ତଟି କଥା ମନେ ପଡ଼ିଯାଏ । ଆଦି ମାନବ ଦମ୍ପତି ସୃଷ୍ଟିର କୋଉ ଆଦିମ ଓ ପ୍ରଥମ ଅମଳରେ ଗୋଟାଏ ପାପ କରି ପକାଇଥିଲେ ଅର୍ଥାତ୍‍ ଭଗବାନଙ୍କର ବୋଲ ମାନି ନ ଥିଲେ ବୋଲି ଆମ ପୃଥିବୀରେ କାଳ କାଳ ପର୍ଯ୍ୟନ୍ତ ଯେତେ ମଣିଷ ଜନ୍ମ ହେବେ, ସେମାନେ ଆଦି ପୁରୁଷଙ୍କର କୃତ ସେହି ପାପରୁ ବହନ କରି ହିଁ ଜନ୍ମ ହେବେ । ସେହି କଳୁଷକୁ କେହି କଦାପି ଅତିକ୍ରମ କରିପାରିବ ନାହିଁ । ଭାରତର କୁକୁର ଲାଙ୍ଗୁଡ଼ ତତ୍ତ୍ଵଟି ପରି ଧର୍ମପୁସ୍ତକ ରଚୟିତାମାନଙ୍କର ଏହି ତତ୍ତ୍ୱଟି ମଧ୍ୟ ସମାନ ଭାବରେ ଅତ୍ୟନ୍ତ ଚିତ୍ତାକର୍ଷକ । ଏ କଥା ଏକାନ୍ତ ସତ୍ୟ ଯେ ବିଚରା କୁକୁରଟିର ତା’ ନିଜ ଲାଙ୍ଗୁଡ଼ ଉପରେ ଆଦୌ କୌଣସି ଅକ୍ତିଆର ନାହିଁ । ତେଣୁ ତା’ର ଲାଙ୍ଗୁଡ଼ ବଙ୍କା ହୋଇ ରହିବାକୁ ବାଧ୍ୟ । ସୁଧୀମାନେ କ’ଣ ମଣିଷକୁ ସତକୁ ସତ ଏତେ ଦୟନୀୟ ପରିମାଣରେ ଅସହାୟ ଏବଂ ଅକ୍ତିଆରଶୂନ୍ୟ ବୋଲି ବିଚାର କରିଛନ୍ତି ?

 

ନିଜକୁ ବୃହତ୍‌, ନିଖୁଣ ଏବଂ ସମ୍ପୂର୍ଣ୍ଣ କରି ଦେଖିବାର ଲୋଭ ଓ ତଜ୍ଜନିତ ଉତ୍ତେଜନାରେ ପଡ଼ି ଅନେକ ତଥାକଥିତ ବଡ଼ ଓ ପଦସ୍ଥ ମଣିଷ ନିଜକୁ ଛାଡ଼ି ଆଉ ସମସ୍ତଙ୍କୁ କ୍ଷୁଦ୍ର, କ୍ଷତଯୁକ୍ତ ଏବଂ ଅପୂର୍ଣ୍ଣ ବୋଲି ଘୋଷଣା କରିବାକୁ ଏକାନ୍ତ ଅତ୍ୟାବଶ୍ୟକ ବୋଲି ଅନୁଭବ କରିଥା’ନ୍ତି । ପ୍ରତ୍ୟେକ ମଣିଷ ଭିତରେ ‘ବ୍ରହ୍ମ’, ‘ସତ୍ୟ’ ଓ ‘ବିରାଟ’ ଅବସ୍ଥାନ କରୁଛି ବୋଲି ଭାରତୀୟ ଆଧ୍ୟାତ୍ମଶାସ୍ତ୍ରରେ କେଡ଼େ ମହନୀୟ ପ୍ରତ୍ୟୟ ସହିତ ଘୋଷଣା କରାଯାଇଛି । ଯାହା ଭିତରେ ସେହି ବିରାଟ ରହିଛି, ତା’ର ପ୍ରକୃତିକୁ କୁକୁର ଲାଙ୍ଗୁଡ଼ ସହିତ ସମପରି କରି ବର୍ଣ୍ଣନା କରି ପାରିବା ସକାଶେ ଜଣେ ମଣିଷକୁ ଯେ କେଡ଼େ ଉଦ୍‍ଭଟ ଭାବରେ ବେରସିକ ବା ଅବର୍ଜିଆ ହେବାକୁ ପଡ଼ିବ, ସେହି କଥାଟିକୁ ଭାବିବା ଲାଗି ପ୍ରକୃତରେ ବୁଦ୍ଧି ପାଇବ ନାହିଁ । ତଥାପି, ମନୁଷ୍ୟର ତଥାକଥିତ ହିତବାଦୀମାନେ ସଚରାଚର ତାହା ହିଁ କରିଛନ୍ତି, ଆମର ପତିତ ସଂସାର ଲାଗି ସତେ ଅବା ଭଗବତ୍‍ ପ୍ରେରିତ ଅଙ୍କୁଶ ପରି କାର୍ଯ୍ୟ କରି ଆସିଥିବା ନୀତିବାଦୀମାନେ ଡିଣ୍ଡିମ ବଜାଇ ଯୁଗେ ଯୁଗେ ଆମକୁ ସେହି କଥା ଶୁଣାଇ ଆସିଛନ୍ତି । ଏବେ ମଧ୍ୟ କମ୍‍ ଶୁଣାଉ ନାହାନ୍ତି ।

 

ମଣିଷ ଜୀବନର ସବାତଳ ମଞ୍ଜ ଭିତରେ ଭଲ ଅଛି ବା ମନ୍ଦ ଅଛି ? ମଣିଷର ଏହି ହାତଗଢ଼ା ପୃଥିବୀଟି ଭଲରୁ ଅଧିକ ଭଲ ଆଡ଼କୁ ଗତି କରୁଛି ବା ମନ୍ଦରୁ ଅଧିକ ମନ୍ଦ ହେବାରେ ଲାଗିଛି ? ଅଥବା ଅନେକ ଜାଣିବା ଶୁଣିବା ମଣିଷ ଯେପରି ନିଜେ ଅଙ୍ଗେ ନିଭାଇଥିବା ପରି ଅଭିନୟ କରି କହନ୍ତି, ସଂସାରଟା ଆଗେ ଭାରି ଭଲ ଥିଲା, ତାହା କ୍ରମଶଃ ମନ୍ଦ ହେବାରେ ଲାଗିଛି-? ସେହି ପ୍ରଥମ ସତ୍ୟ ଯୁଗରେ ପୁଣ୍ୟ, ସତ୍ୟ ଓ ଭଲ ପୂର୍ଣ୍ଣମାତ୍ରାରେ ରହିଥିଲା, ତ୍ରେତାରେ ଗୁଣେ ପାପ ଆସି ପୃଥିବୀକୁ ଗ୍ରାସ କଲା, ଦ୍ଵାପରକୁ ତାହା ଦୁଇ ଗୁଣ ହେଲା ଏବଂ କଳିରେ ପୂର୍ଣ୍ଣଗ୍ରାସ ହୋଇ ସତ୍ୟ ବୁଡ଼ିଗଲା, ଭଲ ବୁଡ଼ିଗଲା । ଆହୁରି କେତେକ ମଣିଷ ଅଛନ୍ତି, ଯେଉଁମାନେ କହନ୍ତି ଯେ, ପୃଥିବୀ ସେହି ମୂଳରୁ ହିଁ ମନ୍ଦ ଥିଲା, କାଳ କାଳକୁ ସେହି ମନ୍ଦ ହୋଇ ରହିବ । ପୃଥିବୀର ବହୁ ଧର୍ମପରାୟଣ ବ୍ୟକ୍ତି ଅନେକ ସମୟରେ ଏହିପରି କହନ୍ତି ଏବଂ ଆମକୁ ସତେ ଅବା ଅତ୍ୟନ୍ତ ଅଳପ ଭିତରେ କ୍ଷୁଦ୍ର କରି ଦେଖିବା ଲାଗି ପ୍ରୋତ୍ସାହନ ଦେବାରେ ଲାଗିଥା’ନ୍ତି-। ପୃଥିବୀରେ ସମ୍ଭବତଃ ଅଧିକାଂଶ ମଣିଷଙ୍କୁ ପଚାରିଲେ ସେମାନେ ଅତ୍ୟନ୍ତ ସ୍ମୃତିପୁଲକିତ ହୋଇ କହିବେ ଯେ, ସେମାନଙ୍କର ପିଲାଦିନଟା ହିଁ ସବୁଠାରୁ ଅଧିକ ସୁଖମୟ ଥିଲା-

 

ଆମ ଭାରତବର୍ଷରେ ଝିଅଦିନେ ସମସ୍ତେ ସୁଖରେ ଥାଆନ୍ତି, ଶାଶୁଘରକୁ ଆସିଲେ ଗଞ୍ଜଣା ଭୋଗନ୍ତି । ଆମ କାବ୍ୟ-କବିତାରେ ମଧ୍ୟ କବିମାନେ ପଛଟାକୁ ସତେଅବା ସୁନାରୂପାରେ ଝଳା ହୋଇଥିବା ଚଷମା ଦେଇ ବହୁବିହ୍ଵଳ ଭାବରେ ବହୁସ୍ଫୀତ କରି ଦେଖି ଆସିଛନ୍ତି । ସେମାନଙ୍କର ଏହି ବିହ୍ଵଳତା ଆମକୁ ଭାରି ଭଲ ଲାଗିଛି । ଆମର ଏହି ଆପଣା କାଳଟାରେ ମଧ୍ୟ, ନିଜ ଚାରି ପାଖରେ ହଜାର ହଜାର ମଣିଷ ବାସହୀନ ଓ ଭରସାହୀନ ହୋଇ ଅତ୍ୟନ୍ତ ଅପମାନକର ଅବସ୍ଥା ଭିତରେ ବୁଲୁଥିଲେ ମଧ୍ୟ, ସେଗୁଡ଼ାକ ଆମର ଆଖିକୁ, ବିବେକକୁ ଏବଂ ହୃଦୟକୁ ଯେତେ ପୀଡ଼ା ନ ଦେଉଛି, କୋଉଠି ଦରଭଙ୍ଗା ପୁରୁଣା ମନ୍ଦିରଟାରୁ ପଥର କେତେ ଖଣ୍ଡ ଧସକି ଖସି ପଡ଼ିବାକୁ ବସିଲେ ତାହା ଆମକୁ ତା’ଠାରୁ ଅନେକ ଅଧିକ ପରିମାଣରେ ଅସ୍ଥିର କରି ପକାଉଛି । ଏପରି କାହିଁକି ହେଉଛି ? ଆମେ ସମସ୍ତେ ଗୋଟାଏ ଗୋଟାଏ ଥାନରେ ଭାରି କଅଁଳ ହୋଇ ପଡ଼ୁଥିଲେ ମଧ୍ୟ ଆଉ ଗୋଟାଏ ଗୋଟାଏ ଏପରି କର୍କଶ ଏବଂ କଠିନ ହୋଇ ରହି ଯାଉଛୁ କାହିଁକି ? ଗୋଟାଏ ଗୋଟାଏ ବେଳେ ମିଛଟାରେ କେଡ଼େ ଉଦାର ଏବଂ ଅକୃପଣ ହୋଇ ପାରୁଥିଲେ ମଧ୍ୟ ଆଉ ଗୋଟାଏ ଗୋଟାଏ ବେଳେ ଗୋଟାସୁଦ୍ଧା ନିଜ ବିମ୍ବର ଭିତରେ ପଶି ବାର ହଜାର ପ୍ରକାରର ବଡ଼ାଇ ବାହାର କରି ପାରୁଛୁ କିପରି ? ଆମର ବିଶ୍ଵାସର ଘରଟିରେ ପ୍ରକୃତରେ କେତେ ପଣ ବିଶ୍ଵାସ ଓ କେତେ ପଣ ଅବିଶ୍ଵାସ ରହିଛି, ସେହି କଥାଟାକୁ ସତକୁ ସତ ମାପି ପାରିବା ଲାଗି ଆମେ କେବେ ହେଲେ ଯଥାର୍ଥ କାଠିଗୁଡ଼ିକୁ ଖୋଜି ଯିବାକୁ ମନ କରିଛୁ କି ? କାହିଁକି ଆମେ ଉପରକୁ ମୁଖାଟିଏ ପିନ୍ଧି ଭିତରେ ମୁହଁ ଲୁଚାଇ ବସିବାକୁ ଏତେ ଶରଧା ଦେଖାଇଛୁ-? ଆମ ଭିତରେ ଭୀରୁମାନଙ୍କୁ ଆମେ କାହିଁକି ପରପ ଉତ୍ସାହରେ ବାହାରକୁ ଗୋଟାଏ ଗୋଟାଏ ମିଛ ବୀର କରି ସଜାଇ ସେଇଥିରୁ ହିଁ ସତେ ଅବା ଜୀବନର ସବୁଯାକ ଆହ୍ଲାଦ ପାଇବା ସକାଶେ ମନ କରିଛୁ । ଆମରି ଭିତରେ ଥାଇ ଏ ସବୁ ପ୍ରକୃତରେ କିଏ କରୁଛି ବା କରିବାରେ ଲାଗିଛି ? ଆମ ଭିତରେ ରହିଥିବା ବିରାଟଟିର ଏହି ଯାବତୀୟ ଅପକୀର୍ତ୍ତି ସହିତ ଆଦୌ କୌଣସି ସମ୍ବନ୍ଧ ରହିଛି କି ? ଅଥବା ଆମର ବହୁବିଧ ଆତ୍ମ-ଅପାରଗତାରୁ ଉତ୍ପନ୍ନ ଉତ୍ତେଜନାଗୁଡ଼ିକରୁ ଖାଦ୍ୟ ନେଇ ଆମରି ପ୍ରଶ୍ରୟରେ ବଢ଼ୁଥିବା କୌଣସି ମିଛ ଭୁତ ହାତରେ ଆପଣାକୁ ସମର୍ପି ଦେଇ ଥିବାରୁ ଆମ ଜୀବନରେ ଏସବୁ ପ୍ରାୟ ଏକ ନିତ୍ୟପ୍ରସଙ୍ଗରେ ପରିଣତ ହୋଇ ରହିଛି ?

 

ଜୀବନରେ ବହୁ ଗବାକ୍ଷ ଖୋଲିବା ବିଷୟରେ ଯଦି ଆମ ଭିତରେ ପ୍ରକୃତରେ ଏକ କୌତୁହଳ ରହିଥିବ, ତେବେ ଆମେ ସବାଆଗ ନିଜକୁ ଏହି ପ୍ରଶ୍ନଗୁଡ଼ିକୁ ପଚାରିବା ଲାଗି ରାଜି ହେବା । ଏକାଧିକ କାରଣରୁ ଏବେ ଏହି ପ୍ରଶ୍ନଗୁଡ଼ିକ ନିଜ ପାଖରେ ମୋଟେ ପଚରା ଯାଉ ନାହିଁ । ଆମ ନିଜ ଭିତରେ ନିଜ ସହିତ ସତେ ଅବା କୋଉ ବାଦ ଲାଗିଛି କେଜାଣି, ଯେପରି ଏଭଳି କୌଣସି କଣ୍ଟକଯୁକ୍ତ ପ୍ରଶ୍ନ ଆମକୁ ମୋଟେ ପଚାରିବାକୁ ନ ପଡ଼ିବ, ସେଥିଲାଗି ବାହାରର ନାନା ଅନ୍ୟ ମିଛ ବିକଳ୍ପ ଦ୍ଵାରା ଆମେ ନିଜ ଜୀବନର ଅସଲ ଜିଜ୍ଞାସାଗୁଡ଼ିକର ଦ୍ଵାରଗୁଡ଼ାକୁ ପ୍ରାୟ ଏକାବେଳେକେ ବନ୍ଦ କରି ରଖିବାର ବରାଦ କରିବାରେ ଲାଗିଛୁ । ବାହାରର କେତେ ତଥାକଥିତ ସଫଳତା, କେତେ ଉପରଠାଉରିଆ ଖ୍ୟାତି ଏବଂ କରାମତି,–ତା’ସହିତ ବହୁ ମିଛ ଦଉଡ଼ ଧାପଡ଼ର କୋଳାହଳ,–ନିଜ ଆଡ଼କୁ ଅନାଇ, ସେଇଠି ନିଜର ସାଥୀଟାକୁ ଆବିଷ୍କାର କରି ପ୍ରଶ୍ନ ପଚାରିବାକୁ ଆଉ ବେଳ କାହିଁ ? ସମ୍ଭବତଃ, ଆପଣାକୁ ବାହାରେ ପଣ୍ଡିତ ବା ମହାପଣ୍ଡିତ ବୋଲି ଦେଖାଇ ପାରିବା ପାଇଁ ଆମେ ମୁଣ୍ଡ ଭିତରେ ଆଣି ଗଦା କରୁଥିବା ଗାଡ଼ି ଗାଡ଼ି ପାଠ ଏବଂ ପାଣ୍ଡିତ୍ୟ ଆମକୁ ତଥାପି ଆମର ନାହାକା ଚେରଟାରେ ଭାରି ଦରିଦ୍ର କରି ରଖିଛି । ଆମକୁ ନିଜଠାରୁ ସତେ ଯେପରି ଯୋଜନ ଯୋଜନ ଦୂରଛଡ଼ା କରି ରଖିଛି । ସଂସାରରେ ଅନ୍ୟ ଅନେକଙ୍କ ଠାରୁ ଅଧିକ ସଫଳ ଓ ତେଣୁ ଅଧିକ ଚତୁର ଓ ତତ୍ପର ବୋଲି ଦିଶିବା ପାଇଁ ଆମେ କୋଉଠି କେତେ ଘର ଲୁଟି କରି ଆମର ବୋଲି କେତେ କ’ଣ ଥାପିବାରେ ଲାଗିଛୁ ଓ ଅନ୍ୟ ଅନେକଙ୍କ ଠାରୁ ଅଧିକ ଉଚ୍ଚ ହୋଇ ଦେଖାଯାଉଛୁ; ମାତ୍ର ଭିତରେ ଆମର ଅସଲ ଘରେ ସତେ ଅବା କେତେ କଣ ହୋଇ ଯାଇଥିବା ପରି ନିଜ ପାଖରେ ଆମେ କେଡ଼େ ନିଃସ୍ୱ ହୋଇ ରହିଛୁ, ଆମର ଅସଲ ନିର୍ଭର ଗୁଡ଼ାକରେ ସତେ ଅବା ତେଣେ ପିମ୍ପୁଡ଼ି ଲାଗି ଗଲେଣି । ଏମିତିଆ ଅରକ୍ଷିତଙ୍କର ଜୀବନରେ ଆଦୌ କୌଣସି ଗବାକ୍ଷ କାହିଁକି ଯେ ଖୋଲିବ, ସେହି ବିଷୟରେ ସନ୍ଦେହର ଯଥେଷ୍ଟ ଅବକାଶ ରହିଛି ।

 

ଯଦି ଏହି ପୃଥିବୀ ଆଗକୁ ମୋଟେ ରହିବ ନାହିଁ, ଯଦି କୋଟି କୋଟି ମଣିଷଙ୍କର ମେଳ ଭିତରେ ରହି ମଧ୍ୟ ମଣିଷ ତଥାପି ମୂଳତଃ ନିଃସଙ୍ଗ ହୋଇ ରହିବାକୁ ହିଁ ଏହି ପୃଥିବୀକୁ ଆସିଛି, ଯଦି ମଣିଷର ପ୍ରକୃତି କୁକୁର ଲାଙ୍ଗୁଡ଼ ସଦୃଶ ସବୁ ଦିନକୁ କେବଳ ଏହିପରି ବଙ୍କା ରହିବାକୁ ବାଧ୍ୟ ହେବ, ଯଦି ମଣିଷର ମୂଳଭୂତ ପରିଚୟର ସ୍ତରରେ କେବଳ ମନ୍ଦ ହିଁ ରହିଛି, ତେବେ ଗବାକ୍ଷ ଖୋଲିବାରେ ଆଉ କେଉଁ ପ୍ରୟୋଜନ ରହିଛି ? ଆମର ଏହି ପୃଥିବୀରେ ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ଏହି ସଂସାରରେ ପ୍ରକୃତରେ କୌଣସି କାମରେ ଲାଗନ୍ତି ନାହିଁ । ସେମାନେ ଆପଣା ଅଭିପ୍ରାୟ ସିଦ୍ଧିର କାଠିଗୁଡ଼ିକ ଭିତରେ ଏପରି ନିବୁଜ ଏବଂ ନିଲଠା ହୋଇ ରହିଥା’ନ୍ତି ଯେ, ଆପଣାଙ୍କୁ କେବଳ ନିଜର କାମରେ ହିଁ ଲଗାନ୍ତି, ଏହି ସଂସାରର କୌଣସି କାମରେ ଲାଗି ପାରିବାକୁ ହିଁ ମଣିଷ ସଂସାରକୁ ଆସିଥାଏ ବୋଲି ଭାବିବାକୁ ମଧ୍ୟ ଭୟ କରନ୍ତି ।

 

ସେମାନେ ଅଧିକରୁ ଅଧିକ ଗଦା କରନ୍ତି; ଯେତିକି ଯେତିକି ଅଧିକ ଜମା କରୁଥା’ନ୍ତି, ସାହସର ଘରେ ଓ ଅସଲ ପ୍ରତିଶ୍ରୁତିଗୁଡ଼ିକର କ୍ଷେତ୍ରରେ ସେତିକି ସେତିକି ଛିଣ୍ଡି ଛିଣ୍ଡି ଯାଉଥା’ନ୍ତି । ସେମାନେ ବିଚରା ମୋଟେ କାହାରି ପାଇଁ ବଞ୍ଚି ପାରନ୍ତି ନାହିଁ, କାହାରି ହୋଇ ପାରନ୍ତି ନାହିଁ । ଜୀବନର ଅସଲ ଖୁସିରୁ ବଞ୍ଚିତ ହୋଇ ରହନ୍ତି, ମଣିଷଙ୍କ ଭିତରେ ଏକାନ୍ତ ଅମଣିଷ ବୋଲି ବାରି ହୋଇ ପଡ଼ନ୍ତି । ସେମାନେ ଅସଲ ପ୍ରଶ୍ନଗୁଡ଼ିକୁ ମୋଟେ ପଚାରନ୍ତି ନାହିଁ । ତେଣୁ ଗବାକ୍ଷର କୌଣସି ବାରତାର ଭାଜନ ହୋଇ ପାରନ୍ତି ନାହିଁ । ବାହାରକୁ ଯେତିକି ବଡ଼ ଦେଖା ଯାଉଥା’ନ୍ତି, ନିଜ ଭିତରେ ସେତିକି ସାନ, ସେତିକି ନିଃସଙ୍ଗ ଓ ସେତିକି ପ୍ରତ୍ୟାଖ୍ୟାତ ହୋଇ ରହିଥା’ନ୍ତି । ପୃଥିବୀ ବିଷୟରେ ଏମାନଙ୍କର କୌଣସି ବିଶ୍ଵାସ ନ ଥାଏ । ମନୁଷ୍ୟର ନିୟତି ବିଷୟରେ ସେମାନେ ଆଦୌ କିଛି ହେଲେ ଭାବନ୍ତି ନାହିଁ । ନ ଭାବିବାକୁ ହିଁ ସୁଖ ବୋଲି ଜାଣନ୍ତି । ବିବିଧ ପ୍ରତିଦ୍ଵନ୍ଦିତାରେ ଅତ୍ୟନ୍ତ ବିକଳ ଭାବରେ ଦଉଡ଼ିବାରେ ଲାଗିଥା’ନ୍ତି । ଆପାତତଃ କେତେବେଳେ ଜିତନ୍ତି ତ ଆଉ କେତେବେଳେ ହାରନ୍ତି । ତାହାକୁ ହିଁ ବୀରତ୍ଵ ବୋଲି କହନ୍ତି । ଏମାନଙ୍କର ଜୀବନରେ ବିଶ୍ଵ ବୋଲି କିଛି ନ ଥାଏ, ତେଣୁ ସେମାନେ ଗବାକ୍ଷର ବି କୌଣସି ସନ୍ଦେଶ ପାଇ ପାରନ୍ତି ନାହିଁ । (୨୧ । ୧୦ । ୮୭)

 

(୧୨)

 

୧୮୯୫ ଖ୍ରୀଷ୍ଟାବ୍ଦର ପ୍ରଥମ ଭାଗରେ ସ୍ଵାମୀ ବିବେକାନନ୍ଦ ଲେଖିଥିବା ଗୋଟିଏ ପତ୍ରରେ ଏହି ବାକ୍ୟଗୁଡ଼ିକ ମଧ୍ୟ ରହିଥିଲା, “ସାଂସାରିକ ଉନ୍ନତି ସକାଶେ ମଧୁରଭାଷୀ ହେବା କେଡ଼େ ଭଲ । ସେ କଥା ମୁଁ ଖୁବ୍ ଭଲଭାବରେ ଜାଣିଛି । ସେହିପରି ହେବାପାଇଁ ମୁଁ ଯଥାସାଧ୍ୟ ଚେଷ୍ଟା ମଧ୍ୟ କରିଥାଏ । ମାତ୍ର, ଯେତେବେଳେ ତଦ୍ଦ୍ଵାରା ଅନ୍ତରସ୍ଥ ସତ୍ୟ ସହିତ ଏକ ଉତ୍କଟ ପ୍ରକାରର ସାଲିଶ୍‍ କରିବାର ଅବସ୍ଥା ଆସି ପହଞ୍ଚିଯାଏ, ସେତେବେଳେ ମୁଁ ଆଉ ସେକଥା ମୋଟେ କହିପାରେ ନାହିଁ ।” ପୁନଶ୍ଚ, ସେହି ପତ୍ରଟିରେ ଆହୁରି ଆଗକୁ ଯାଇ ଲେଖା ହୋଇଛି, “ସାଧାରଣ ମନୁଷ୍ୟର କର୍ତ୍ତବ୍ୟ ହେଉଛି ତାହାର ସମାଜନାମକ ‘ଈଶ୍ଵର’ଙ୍କର ଆଦେଶକୁ ପାଳନ କରିବା । କିନ୍ତୁ ଆଲୋକର ସନ୍ତାନମାନେ ସେପରି କେବେହେଲେ କରିପାରନ୍ତି ନାହିଁ । ଜଣେ ବ୍ୟକ୍ତି ହୁଏତ ନିଜକୁ ପାରିପାର୍ଶ୍ଵିକ ଅବସ୍ଥା ଏବଂ ସାମାଜିକ ମତାମତ ଗୁଡ଼ିକ ସହିତ ଖାପ ଖୁଆଇ ନିଏ ଓ ସର୍ବସୁଖଦାତା ସମାଜଠାରୁ ଯାବତୀୟ ସୁଖସମ୍ପଦ ଲାଭ କରେ । ଆଉ ଜଣେ ବ୍ୟକ୍ତି ଅନ୍ୟ ପକ୍ଷରେ, ଏକାକୀ ଛିଡ଼ା ହୋଇ ସମାଜକୁ ତା’ ନିଜ ଆଡ଼କୁ ଆକର୍ଷଣ କରେ । ସାଲିଶ୍‍କାରୀର ବାଟ ହେଉଛି କୁସୁମାସ୍ତୀର୍ଣ୍ଣ ଏବଂ ସେପରି କରିବା ସକାଶେ ଅନିଚ୍ଛୁକ ହେଉଥିବା ବ୍ୟକ୍ତିର ପଥ କଣ୍ଟକାକୀର୍ଣ୍ଣ । କିନ୍ତୁ ଲୋକମତରେ ଉପାସକମାନେ ନିମିଷକେ ହିଁ ବିନାଶପ୍ରାପ୍ତ ହୁଅନ୍ତି, ସତ୍ୟର ସନ୍ତାନମାନେ ଚିରଞ୍ଜୀବୀ ହୁଅନ୍ତି ।”

 

ଭାରତବର୍ଷର ଏକ ଭାରି ବଡ଼ ବାହାଦୂରୀ ଯେ, ଏଠାରେ ସାଂସାରିକ କର୍ତ୍ତାମାନଙ୍କର କୃପାବଳରେ ସତ୍ୟମାନେ ଗୋଟିଏ ଗୋଟିଏ cultରେ ପରିଣତ ହୋଇ ରହିଯାଆନ୍ତି । ସତ୍ୟଦ୍ଵାରା ଦୀକ୍ଷିତ ପ୍ରଥମ ମଣିଷମାନେ ସତେଅବା ବହୁ ତାତ୍କାଳିତ ତୁଚ୍ଛା ସାଂସାରିକ ପ୍ରୟୋଜନ ଦ୍ଵାରା ବାଧ୍ୟ ହୋଇ ପ୍ରେରଣାଗୁଡ଼ିକୁ ଭଳି ଭଳି ସୂତ୍ରରେ ଆଣି ବାନ୍ଧି ଦିଅନ୍ତି ଓ ସୂତ୍ରଗୁଡ଼ିକରୁ ଏକ ସମ୍ପ୍ରଦାୟ ଜନ୍ମଲାଭ କରେ । ବହୁ ଅନ୍ୟ ଉତ୍ସାହର କବଳରେ ପଡ଼ି ସମ୍ପ୍ରଦାୟଟି କ୍ରମେ ଅଧିକରୁ ଅଧିକ ଡଉଲଡ଼ାଉଲ ଦିଶିବାକୁ ଆରମ୍ଭ କରେ ଏବଂ ଭିତରର ମୂଳ ସତ୍ୟଟି ସେତିକି ସେତିକି ମରିମରି ଯାଉଥାଏ । ସମ୍ପ୍ରଦାୟର ଯଶଃଲୋଭୀ ମହାତ୍ମାମାନେ ଅନେକ ସମୟରେ ଅସଲି ମର୍ମଗୁଡ଼ିକୁ ମୂର୍ତ୍ତି ଭିତରେ ପୂରାଇ ମାରିଦିଅନ୍ତି । ସମ୍ପ୍ରଦାୟ ଗୁଡ଼ିକରେ ପରିପୂର୍ଣ୍ଣ ସହଯୋଗରେ ସତ୍ୟକୁ ‘ସମାଜ ନାମକ ଈଶ୍ଵର’ର ଆଜ୍ଞାନୁବର୍ତ୍ତୀ କରି ରଖାଯାଏ । ନୂତନ ସତ୍ୟ ମନୁଷ୍ୟଜୀବନର ଭିତରକୁ ଭେଦି ଏକ ନୂତନ ଆହ୍ଵାନରେ ପରିଣତ ହୋଇଥାନ୍ତା, ହୁଏତ ବହୁ ନୂତନ ଉନ୍ମୋଚନର କାରଣ ହୋଇଥାନ୍ତା, ମାତ୍ର ତାହା ହୋଇ ପାରେନାହିଁ । ତା’ପରେ ରାଜାମାନେ ଆସନ୍ତି, ଶ୍ରେଷ୍ଠୀମାନେ ଆସନ୍ତି, ଉପକାରୀମାନେ ଆସନ୍ତି । ସେମାନେ ଦେଉଳ ଗଢ଼ାନ୍ତି, ନେତ ଉଡ଼ାନ୍ତି, ସତ୍ୟକୁ ଉପର କଣ୍ଟା ତଳ କଣ୍ଟା ମରାହୋଇ ରଖି ଦିଆଯାଏ । ପୃଥିବୀ ନିରାପଦ ରହେ । ଅଧୋଗମନର ଏହି ପ୍ରକ୍ରିୟାଟିରେ ଭାରତବର୍ଷର ଅଜ୍ଞାନ ଜନସାଧାରଣଙ୍କ ଅପେକ୍ଷା ସଂସାରବିରକ୍ତ ସନ୍ନ୍ୟାସୀମାନେ ସମ୍ଭବତଃ ଅଧିକ ସାହାଯ୍ୟ କରିଛନ୍ତି । ଆପଣାଲାଗି ସୁଭୋଗ୍ୟ ଓ ସୁରମ୍ୟ ଅନ୍ୟ ସମାନ୍ତର ସଂସାରଟିଏ ତିଆରି କରି ସେହିଠାରୁ ଥାଇ ସାଧାରଣମାନଙ୍କର ସଂସାରଟିକୁ ଅବଜ୍ଞାସୂଚକ ଭାବରେ ମାୟା ବୋଲି କହି ସେଇଥିରୁ ହିଁ ସତେଅବା ପରମସୁଖ ଲାଭ କରିବାର ଅଭିପ୍ରାୟରେ ସେମାନେ ପ୍ରାୟ ପରମ୍ପରାକ୍ରମେ ଏହିଭଳି ବରାଦ କରି ଆସିଛନ୍ତି । ଏହି ଚକ୍ରାନ୍ତରେ ସତ୍ୟାନ୍ଵେଷୀ ଗୌତମ ବୁଦ୍ଧଙ୍କୁ ବୌଦ୍ଧାବତାର ମଧ୍ୟରେ କିଳି ପକାଇ ଥଣ୍ଡା କରି ରଖି ଦିଆଯାଇଛି । ମଧ୍ୟଯୁଗର ଅସତ୍ୟଦ୍ରୋହୀ ସନ୍ଥ କବୀର ସାମ୍ପ୍ରଦାୟିକ ଉପସନ୍ଥମାନଙ୍କର କବଳରେ ପଡ଼ି ଆମ ଶ୍ରୀକ୍ଷେତ୍ରରେ କବୀର ଚଉରାରେ ଥଣ୍ଡାଠାକୁର ହୋଇ ରହିଛନ୍ତି । ରାମକୃଷ୍ଣ ପରମହଂସ ଏବଂ ସ୍ଵାମୀ ବିବେକାନନ୍ଦଙ୍କ ପରେ ସେମାନଙ୍କର ନାମରେ କ୍ରମେ ଯେଉଁ Establishment ଗଢ଼ିଉଠିଛି, ତାହାର ପୁଣ୍ୟଚେତା ଉତ୍ତରାଧିକାରୀମାନେ ସେମାନେ ଏକଦା ବହନ କରି ଆଣିଥିବା ଅଗ୍ନିମୟ ସତ୍ୟଗୁଡ଼ିକୁ କେଡ଼େ କୁଶଳତାପୂର୍ଣ୍ଣ ଭାବରେ ପ୍ରାୟ ଏକ ଶୀତଳ ଲେହ୍ୟରେ ପରିଣତ କରି ତାହାକୁ ହିଁ ଭବ୍ୟ ବିପଣିମାନଙ୍କରେ ବିତରଣ କରିବାରେ ଲାଗିଛନ୍ତି ।

 

ତଥାପି ସ୍ଵାମୀ ବିବେକାନନ୍ଦଙ୍କୁ ଆମେ ସମ୍ପ୍ରଦାୟୀ ବିବେକାନନ୍ଦବାଦୀ ମାନଙ୍କର ପ୍ରଚାରିତ ଏକ ଠାକୁର ବା ଅବତାର ରୂପେ ନ ଚିହ୍ନି ଏହି ଭାରତବର୍ଷରେ ବହୁ ନବପ୍ରବର୍ତ୍ତନର ବାସନା ରଖିଥିବା ଜଣେ ସତ୍ୟାନ୍ଵେଷୀ ଅଗ୍ରଗାମୀ ଭାବରେ ଚିହ୍ନିବାକୁ ଚେଷ୍ଟା କରିବା । ସିଏ ସମାଜକୁ ‘ଈଶ୍ଵର’ ବୋଲି ମାନି ନ ଥିଲେ ଏବଂ ‘ଅନ୍ତରସ୍ଥ ସତ୍ୟ’ର ଆହ୍ଵାନ କ୍ରମେ ଏକ କଣ୍ଟକାକୀର୍ଣ୍ଣ ପଥକୁ ବାଛି ନେଇଥିଲେ । ଏବେ ତାକୁ କୁସୁମଶଯ୍ୟାରେ ପୂଜା କରୁଥିବା ମହାମତିମାନେ ଯେ ଆପଣାର ଜୀବନରେ କୌଣସି କଣ୍ଟକାକୀର୍ଣ୍ଣ ପଥକୁ ବାଛି ନେଇଛନ୍ତି, ସେକଥା ମୋଟେ ସତ୍ୟ ନୁହେଁ, କଣ୍ଟକାକୀର୍ଣ୍ଣ ପଥଟିଏ ବାଛିଥିଲେ ତାଙ୍କୁ ଠାକୁର ମୁଣ୍ଡାଇ ବୁଲିବାକୁ ଫୁରସତ ମିଳୁଥାନ୍ତା କୁଆଡ଼ୁ ? ଏବଂ ସମାଜକୁ ‘ଈଶ୍ଵର’ ବୋଲି ନ ମାନୁଥିଲେ ସେମାନଙ୍କର ଠାକୁର ଦାଣ୍ଡରେ ଆଦୌ ବାହାରି ପାରୁଥାନ୍ତେ ବା କିପରି ? ସେହି ୧୮୯୫ ମସିହାରେ ଯେତେବେଳେ ସ୍ଵାମୀ ବିବେକାନନ୍ଦ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଭ୍ରମଣ କରୁଥିଲେ, ସେତେବେଳେ ମାନ୍ଦ୍ରାଜର ଏକ ଦୈନିକ ଇଂରାଜୀ ସମ୍ବାଦପତ୍ର ଆପଣାର ସମ୍ପାଦକୀୟ ସ୍ତମ୍ଭରେ ଯାହା ଲେଖିଥିଲେ, ତାହା ପ୍ରକୃତରେ ପ୍ରଣିଧ ନଯୋଗ୍ୟ । ସେଥିରେ ଉଲ୍ଲେଖ ଥିଲା, “ମୁକ୍ତ ମାନବ ମୁକ୍ତ ସମାଜର ସେହି ଦେଶଗୁଡ଼ିକରେ ଦୀର୍ଘକାଳ ଅବସ୍ଥାନ କରିବା ଫଳରେ ସ୍ଵାମୀଜୀଙ୍କ ଦୃଷ୍ଟି ମନୁଷ୍ୟ ମନୁଷ୍ୟ ମଧ୍ୟରେ ରହିଥିବା ସମତା ବିଷୟରେ ଶ୍ରଦ୍ଧାନୁପ୍ରାଣିତ ହୋଇପାରିଛି । ବେଦାନ୍ତର ମହାନ୍‍ ଶିକ୍ଷା ଗୁଡ଼ିକର ଅନୁସରଣ କରିବା ଲାଗି ଏକ ସ୍ଵାମୀଜୀ ଉଦ୍‍ବୋଧନ ଦେଉଛନ୍ତି । ମାତ୍ର ସେହି ତାଙ୍କରି ଭାଷାରେ କହିଲେ, କୌଣସି ବ୍ରାହ୍ମଣ ଭାଷ୍ୟକାର ବେଦାନ୍ତର ଯେପରି ବ୍ୟାଖ୍ୟା କରୁଛି ଆଦୌ ସେପରି ନୁହେଁ, ପ୍ରତ୍ୟେକ ମନୁଷ୍ୟ ଅନ୍ତର ମଧ୍ୟରେ ଅବସ୍ଥିତ ରହିଥିବା ପରମପ୍ରଭୁ ବେଦାନ୍ତର ବାକ୍ୟଗୁଡ଼ିକୁ ଯେପରି ଭାବରେ ବୁଝୁଛନ୍ତି, ତାହାକୁ ସେହିପରି ଭାବରେ ଅନୁସରଣ କରିବା ନିମନ୍ତେ ସେ ଉଦ୍‍ବୋଧନ ଦେଉଛନ୍ତି । ସ୍ଵାମୀଙ୍କର ନିଜ କଥାରେ କହିଲେ, ଯଥାର୍ଥ ମୁକ୍ତି ଏହାରି ଦ୍ଵାରା ହିଁ ସମ୍ଭବ ହେବ । ବିଷମତା ରହିଥିବା ପର୍ଯ୍ୟନ୍ତ ବନ୍ଧନ ରହିବ ହିଁ ରହିବ । ବାସ୍ତବ ସମ୍ବନ୍ଧ ଗୁଡ଼ିକର କ୍ଷେତ୍ରରେ ମନୁଷ୍ୟ ମନୁଷ୍ୟ ମଧ୍ୟରେ ସମତା ହାସଲ ହୋଇ ନ ପାରିଥିବା ପର୍ଯ୍ୟନ୍ତ ଅନ୍ୟ କୌଣସି ଉପାୟରେ ମଧ୍ୟ ଜଣେ ମନୁଷ୍ୟ ବ୍ୟକ୍ତି ଅଥବା ଏକ ଜାତିର ଜୀବନରେ ପ୍ରକୃତ ମୁକ୍ତି କଦାପି ସମ୍ଭବ ହେବନାହିଁ । ମାନସିକ ସ୍ତରରେ ସମତା ନ ଆସିବା ପର୍ଯ୍ୟନ୍ତ ବି ଯଥାର୍ଥ ମାନସିକ ବିମୋଚନ କଦାପି ସମ୍ଭବ ହେବନାହିଁ ।”

 

ଊନ୍ନବିଂଶ ଶତାବ୍ଦୀରେ ଭାରତବର୍ଷରେ ଘଟିଥିବା ଚକ୍ଷୁରୁନ୍ମୀଳନ ଏବଂ ନବଜାଗରଣରେ ଯେଉଁ ତୁଙ୍ଗ ପୁରୁଷମାନେ ଭାରତକୁ ଏକ ନୂତନ ବିବେକ ଆଣି ଦେଇଥିଲେ ଏବଂ ଭାରତୀୟ ବିବେକର ପ୍ରତିନିଧି ହୋଇ ପୃଥିବୀରେ ଭାରତକୁ ପରିଚିତ କରାଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏକ ଆଧ୍ୟାତ୍ମିକ ଭୂମି ଉପରେ ଠିଆ ହୋଇ ଆପଣାର ସନ୍ଦେଶ ଉପସ୍ଥାପିତ କରିଥିଲେ, ଏବଂ ତା’ଠାରୁ ଆହୁରି ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କଥାହେଉଛି ଯେ, ସେମାନେ ପ୍ରାୟ ସମସ୍ତେ ପାଶ୍ଚାତ୍ୟ ବିଚାର ଏବଂ ପାଶ୍ଚାତ୍ୟ ହୃଦୟଟି ସହିତ ଏକ ଗଭୀର ଭାବପରିଚୟ ଅର୍ଜନ କରିଥିଲେ । ରବୀନ୍ଦ୍ରନାଥ, ସ୍ଵାମୀ ବିବେକାନନ୍ଦ, ମହାତ୍ମାଗାନ୍ଧୀ ଏବଂ ଶ୍ରୀ ଅରବିନ୍ଦ, ଜୀବନ ବିଷୟରେ ସେମାନଙ୍କର ଯାବତୀୟ ଆବେଦନ ମୂଳତଃ ଆଧ୍ୟତ୍ମିକ ଥିଲା, ଅର୍ଥାତ୍‌ ତାହା ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ଜୀବନର ସବୁଯାକ ସୋପାନକୁ ସ୍ପର୍ଶ କରିବାର ସ୍ପର୍ଦ୍ଧା ଦେଖାଇଥିଲା, ଏବଂ ଦ୍ଵିତୀୟତଃ, ସେମାନେ ସମସ୍ତେ ଇଉରୋପ ଯାଇଥିଲେ, ପାଶ୍ଚାତ୍ୟ ଜୀବନ–ଦୃଷ୍ଟିକୁ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ବୁଝୁଥିଲେ, ସେହି ସଂସ୍କୃତିଟି ମଧ୍ୟରେ ଅକୃପଣ ଭାବରେ ଅବଗାହି ପାରିଥିଲେ ଓ ସେଠାରୁ ସର୍ବୋତ୍ତମ ସମ୍ପଦ ଗୁଡ଼ିକ ଆଣି ଭାରତୀୟ ଜୀବନ–ପ୍ରକୋଷ୍ଠ ଗୁଡ଼ିକୁ ମଧ୍ୟ ସମ୍ପଦବାନ୍‌ କରି ପାରିଥିଲେ । ସେମାନେ ଭାରତବର୍ଷରେ ବହୁ ନୂତନ ଉଦ୍‍ବେଳନର ନିମିତ୍ତ ହୋଇଥିଲେ । ଆପଣାର ଆବେଦନକ୍ଷେତ୍ରରେ ସେମାନେ ଭାରତୀୟ ପରମ୍ପରାକୁ ଆଦୌ ପରିତ୍ୟାଗ କରି ନ ଥିଲେ ସତ ମାତ୍ର, ଐକାନ୍ତିକ ଭାବରେ କେବଳ ଭାରତୀୟ ପୁଞ୍ଜିଗୁଡ଼ିକ ଭିତରେ କିଳିହୋଇ ରହିବାକୁ ମୋଟେ ମନ କରି ନ ଥିଲେ । ସମସାମୟିକ ଅନେକଙ୍କ ପରି ସେମାନେ ପାଶ୍ଚାତ୍ୟର ଅନ୍ଧ ଅନୁକରଣ ମଧ୍ୟ କରି ନ ଥିଲେ । ସେମାନେ ଉଭୟ ଭାରତୀୟ ଓ ପାଶ୍ଚାତ୍ୟ ପ୍ରାଣସଂସ୍କୃତିର ମଞ୍ଜ ଭିତରେ ପ୍ରବେଶ କରି ପାରିଥିଲେ । ଉଭୟ ଉତ୍ସରୁ ରତ୍ନ ଆହରଣ କରିଥିଲେ ଏବଂ ତାହାକୁ ଏହ ବଳିଷ୍ଠ ସମଗ୍ରପ୍ରେରଣା ରୂପେ ସମନ୍ଵିତ କରି ଗଢ଼ି ଭାରତୀୟମାନଙ୍କୁ ଏକ ଅଭିନବ ସମ୍ଭାବନାର ଉଦ୍‍ବୋଧନ ଦେଇ ପାରିଥିଲେ । ନିଜ ସଂସ୍କୃତିଟିକୁ ଯିଏ ପ୍ରକୃତରେ ଏକ ଅନ୍ତରଙ୍ଗ ପ୍ରାଣପ୍ରବେଶ ଦ୍ଵାରା ଚିହ୍ନେ, ସିଏ କଦାପି ଅନ୍ୟ ସଂସ୍କୃତିଗୁଡ଼ିକ ଲାଗି ଆପଣାର ଗବାକ୍ଷଗୁଡ଼ିକୁ ବନ୍ଦ କରି ରଖେନାହିଁ । ଯିଏ କେବଳ ଆପଣାଟିକୁ ଜାଣେ, ତାହାକୁ ହିଁ ଯଥେଷ୍ଟ ବୋଲି ଜ୍ଞାନ କରି ଜାବୁଡ଼ି ଧରିଥାଏ, ସିଏ ସତକୁ ସତ ତଥାକଥିତ ଆପଣାଟିକୁ ମଧ୍ୟ ପରିପୂର୍ଣ୍ଣ ଭାବରେ ଚିହ୍ନି ନଥାଏ-। ଭାରତବର୍ଷର ମହାଭାଗ୍ୟ ଯେ, ଶହେ ବର୍ଷ ପରେ ମଧ୍ୟ ଏହି ଦେଶରେ ଆମେ ଯେଉଁମାନଙ୍କୁ ଆପଣାର ସର୍ବଶ୍ରେଷ୍ଠ ଲୋଚନସ୍ୱରୂପ ମାନୁଛୁ, ବାଟ ହୁଡ଼ି, ଗଲାପରି ଲାଗିଲା ବେଳେ ଏବେ ମଧ୍ୟ ଆମ୍ଭେ ପଛକୁ ଅନାଇ ଯେଉଁମାନଙ୍କୁ ସ୍ମରଣ କରୁଛୁ ଏବଂ ଆହୁରି ବଡ଼ କଥା ହେଉଛି, ଇତିହାସରେ ସନଗଣନା ଅନୁସାରେ ସେମାନଙ୍କୁ ଶହେ ବର୍ଷ ପଛରେ ଛାଡ଼ି ଆସିଥିଲେ ମଧ୍ୟ ଆଗକୁ ଆହୁରି ଶହେ ବର୍ଷ ଅନାଇ ଦେଖିବା ସମୟରେ ଆମେ ଯେଉଁମାନଙ୍କୁ ତଥାପି ସବାଆଗରେ ଦେଖିବାକୁ ପାଉଛୁ, ସେମାନେ ସମସ୍ତେ ଆମରି ଏହି ଭୂମିରେ ଆମକୁ ଏକାବେଳକେ ଦୁଇଟି ଦିଗ୍‍ବଳୟର ସନ୍ଧାନ ଦେଇଥିଲେ । ସେମାନେ ଏକଦେଶଶଦର୍ଶିତାର ସମସ୍ତ ଗାରକୁ ସାହସର ସହିତ ଡେଇଁ ଯାଇଥିଲେ । ଏବଂ ଭାରତବର୍ଷର ଏକ ମହା ଦୁର୍ଭାଗ୍ୟ ଯେ, ଏକାଧିକ କାରଣରୁ ସେମାନଙ୍କ ଅନ୍ତେ ଆମେ ସେମାନଙ୍କୁ ସତେ ଯେପରି କେବଳ ଭାରତର, ଅର୍ଥାତ୍‍ କେବଳ ଆମରି ସମ୍ପତ୍ତିରେ ପରିଣତ କରି ସାରିଲୁଣି । ସେମାନଙ୍କ ଭିତରୁ କେବଳ ଜଣକୁ ଛାଡ଼ି ଅନ୍ୟମାନଙ୍କୁ ସେହି ପୁରାତନ ଭାରତୀୟ ବ୍ୟାଧିରେ ବଶବର୍ତ୍ତୀ ହୋଇ ଗୋଟିଏ ଗୋଟିଏ ଠାକୁର କରି ବସାଇ ଦେଲୁଣି । ସେମାନଙ୍କର ପ୍ରେରଣାକୁ ଆମ ପୂଜା ଦ୍ଵାରା ଶିଥିଳ କରି ପକାଇଲୁଣି ।

 

ସ୍ଵାମୀ ବିବେକାନନ୍ଦ ଯଦି ପାଶ୍ଚାତ୍ୟ ଜଗତର ପରିଚୟରେ ଆସି ନ ଥାନ୍ତେ, ତେବେ ଆମେରିକା ଓ ଇଉରୋପରୁ ଫେରି ଯିଏ ଯେଉଁ ଅଭିନବ ଦ୍ଵିତୀୟ ଭୂମିକାରେ ଅବତରଣ କଲେ, ଭାରତବର୍ଷର ଆଉ ତାହାକୁ ପାଇ ପାରି ଥାଆନ୍ତା କି ? କେବଳ ଭାରତବର୍ଷରେ କିଳି ହୋଇ ରହିଥିଲେ ସିଏ ମନୁଷ୍ୟ-ସମତା, ମନୁଷ୍ୟ ଗଢ଼ିବାର ଶିକ୍ଷା ଏବଂ ସାମାଜିକ ପରିବର୍ତ୍ତନର କଥା କହିଥାନ୍ତେ କି ? ସିଏ ତ ଦୀକ୍ଷା ନେଇ ସାରିଥିଲେ । ସନ୍ନ୍ୟାସୀ ହୋଇ ସାରିଥିଲେ । ଭାରତୀୟ ବୈରାଗ୍ୟର ମୀମାଂସା ଅନୁସାରେ ସନ୍ନ୍ୟାସ ଗ୍ରହଣ ପରେ ବ୍ୟକ୍ତି ଆଉ ଏପାଖର ହୋଇ ରହେନାହିଁ । ସିଏ ଗୋଟାସୁଦ୍ଧା ସେପାଖର ହୋଇଯାଏ, ଏପାଖକୁ ଅର୍ଥାତ୍‍ ନିମ୍ନକୁ ମନ କରିବା ବା ଆପଣାର ଲବ୍‌ଧ ଆଲୋକଟିକୁ ନେଇ ସଂସାର ଆଡ଼େ ଫେରି ଆସିବାକୁ ସତେ ଅବା ପାତକ ବୋଲି ଜ୍ଞାନ କରେ । ସ୍ଵାମୀ ବିବେକାନନ୍ଦ ଯେ ପ୍ରାୟ ସେହିପରି ଗୋଟାଏ କିଛି କରିଥାନ୍ତେ, ୧୮୮୭ ମସିହାରେ ସିଏ ଲେଖିଥିବା ତାଙ୍କ ଡାଏରୀରେ ଗୋଟିଏ ପୃଷ୍ଠାରୁ ତାହାର କିଞ୍ଚିତ୍‍ ସୂଚନା ମଧ୍ୟ ବେଶ୍‍ ମିଳିଯାଏ । ସେହି ପୃଷ୍ଠାରେ ସିଏ ଲେଖିଛନ୍ତି, “ଏଥର କୌଣସି ଏକ ଏକାନ୍ତ ସ୍ଥାନ ଖୋଜିନେଇ ମୃତ୍ୟୁର ଅପେକ୍ଷା କରି ପଡ଼ି ରହିବାକୁ ହେବ ।” ଯଦି ତାହାହିଁ ହୋଇଥାନ୍ତା, ତେବେ ପରବର୍ତ୍ତୀ କାଳରେ ରାମକୃଷ୍ଣ ମିଶନର ଥାପନା ଆଉ କିପରି ହୋଇ ପାରିଥାନ୍ତା ? ସ୍ଵାମୀ ବିବେକାନନ୍ଦଙ୍କ ଭିତରେ ଯେ, ଏକ ପ୍ରଚଣ୍ଡ ରୁଦ୍ରଶକ୍ତି ଆତ୍ମପ୍ରକାଶ ଲାଗି ଅପେକ୍ଷା କରି ରହିଥିଲା, ସମଗ୍ର ବିଶ୍ଵ କିପରି ତାହାର ପରିଚୟ ପାଇଥାଆନ୍ତା ? ଏଠାରେ ସ୍ମରଣ ରଖିବା ଉଚିତ ଯେ, ସ୍ଵାମୀଜୀଙ୍କର ଆମେରିକା ପ୍ରସ୍ଥାନ ସମୟରେ ରାମକୃଷ୍ଣ ଆଧ୍ୟାତ୍ମପରିବାରର ପ୍ରମୁଖ ଅନ୍ୟ ସନ୍ନ୍ୟାସୀମାନେ ତାଙ୍କର ଏହି ନୂତନ ଉତ୍ସାହକୁ ଆଦୌ ଅନ୍ତରର ସହିତ ସମର୍ଥନ କରି ପାରି ନ ଥିଲେ । ଜଣେ ସନ୍ନ୍ୟାସୀ ତା’ର ଉପେକ୍ଷା ଓ ଉଚ୍ଚତାରୁ ଓହ୍ଲାଇ ଆସି ମନୁଷ୍ୟର ପକ୍ଷ ହୋଇ ଏତେ କଥା କହିବା ସମୀଚୀନ କି ନୁହେଁ, ସନ୍ନ୍ୟାସୀ ମହଲରେ ସେହି ବିତ୍ତର୍କ ଏବେ ମଧ୍ୟ ଚାଲିଛି ।

 

ଚିକାଗୋ ଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରବକ୍ତା ହେବାକୁ ସ୍ଵାମୀ ବିବେକାନନ୍ଦ ଭାରତବର୍ଷରୁ ଯାତ୍ରା କରିଥିଲେ ସତ, ମାତ୍ର କେବଳ ଏକ ବିଜେତା ହୋଇ ନୁହେଁ, ଏକ ଅଭିନବ ମାନବଧର୍ମର ଦୀକ୍ଷା ନେଇ ତେଣୁ ସ୍ଵଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତୀୟ ଆଧ୍ୟାତ୍ମିକତା ସହିତ ପାଶ୍ଚାତ୍ୟ ମାନବ ସମତାର ଯେ ଆଦୌ କୌଣସି ଅନ୍ତର୍ବିରୋଧ ନାହିଁ, ଏକ ବଳିଷ୍ଠ ଆନ୍ତରିକତାପୂର୍ଣ୍ଣ ସମନ୍ୱୟ-ଦୃଷ୍ଟି ଦ୍ଵାରା ସିଏ ତାହାକୁ ପ୍ରମାଣିତ କରି ଦେଖାଇ ଦେଇଥିଲେ । ଭାରତବର୍ଷର ବିଚାର-ପରମ୍ପରାକୁ ଉପେକ୍ଷା ନାମକ ବ୍ୟାଧିରୁ ମୁକ୍ତ କରିବା ଲାଗି ସ୍ଵାମୀ ବିବେକାନନ୍ଦଙ୍କର ପ୍ରାୟ ଏକ ଈଶ୍ଵରୀୟ ଚକ୍ରାନ୍ତଯୁକ୍ତ ଉଦ୍ୟମ, ଆଧୁନିକ ଭାରତର ଭାବୋଦ୍‍ବେଳନର ଇତିହାସରେ ସମ୍ଭବତଃ ଏହାହିଁ ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ହୋଇ ରହିବ । (୨୮ । ୧୦ । ୮୭)

 

(୧୩)

 

କାହାଣୀଟିଏ ଏପରି ରହିଛି ଯେ ପ୍ରାଚୀନ ଗ୍ରୀସ୍‍ଦେଶରେ ଯେତେବେଳେ ଦାର୍ଶନିକ ପ୍ଲେଟୋ ଦର୍ଶନର ଆଲୋଚନା ଏବଂ ଅଧ୍ୟାପନା ପାଇଁ ଆପଣାର ଗୋଟିଏ ଏକାଡ଼େମୀ ପ୍ରତିଷ୍ଠା କରିଥିଲେ ଏବଂ ସେହିଠାରେ ଜିଜ୍ଞାସୁ ଗ୍ରନ୍ଥମାନଙ୍କର ଗହଣରେ ନିବାସ କରୁଥିଲେ, ସେତିକିବେଳେ ଏକଦା ଜଣେ ବୈରାଗୀ ତାଙ୍କ ପାଖରେ ଆସି ପହଞ୍ଚିଲେ । ତାହା ଆଜିକୁ ପ୍ରାୟ ଅଢ଼େଇ ହଜାର ବର୍ଷ ପୂର୍ବର କଥା । ନାନା ଦାର୍ଶନିକ ମତ ଓ ସଂପ୍ରଦାୟ ମଧ୍ୟରେ ତତ୍କାଳୀନ ଗ୍ରୀସ୍‍ରେ ଗୋଟିଏ ସଂଶୟବାଦୀ ସମ୍ପ୍ରଦାୟ ମଧ୍ୟ ରହିଥିଲା । ସଂଶୟ (skepsis)ରୁ ହିଁ ସଂଶୟବାଦୀ ସମ୍ପ୍ରଦାୟ ଆପଣାର ଯାବତୀୟ ଦର୍ଶନଚର୍ଚ୍ଚା । ଆରମ୍ଭ କରୁଥିଲେ ଏବଂ ସଂଶୟର କବଳରେ ନିଜକୁ ଅଣଅକ୍ତିଆର କରି ଛାଡ଼ି ଦେଉ ଦେଉ ସେମାନେ କେତେବେଳେ ଯେ ତୁଚ୍ଛା cynicism ବା ସର୍ବଦୋଷଦର୍ଶିତା ଭିତରେ ଯାଇ ପଶି ଯାଉଥିଲେ, ସେହି ବିଷୟରେ ସେମାନଙ୍କର ହୁଏତ ଆଉ କୌଣସି ହୋସ୍‍ ରହୁ ନ ଥିଲା । ପରବର୍ତ୍ତୀ କାଳରେ ସମ୍ରାଟ ଆଲେକ୍‌ଜାଣ୍ଡରଙ୍କର ସମସାମୟିକ ଭାବରେ ଡାୟୋଜିନିସ୍‍ଙ୍କ ପାଖକୁ ଆସି ଉକ୍ତ ସିନିକ୍‍ ଦଶନ ତାହାର ତୁଙ୍ଗ ଅବାନ୍ତରତାର ଏକ ହାସ୍ୟାସ୍ପଦ ଶୀର୍ଷରେ ଆସି ଉପନୀତ ହୋଇଥିଲା । ସମ୍ଭବତଃ ଏକ ନକାରାତ୍ମକ ନୀତିବାଦୀ ଘୃଣାକୁ ଜୀବନ–ବିବେକର ପରମସମ୍ବଳ ପ୍ରାୟ ମାନି ମଣିଷ ଯେତେବେଳେ ସଂସାର ସହିତ ଲାଗିଥିବା ତା’ର ଖିଅଗୁଡ଼ିକୁ ଗୋଟିକ ପରେ ଗୋଟିଏକରି କାଟିନିଏ ଏବଂ ଡାୟୋଜିନିସ୍‍ଙ୍କ ପରି ନିଜର ଗୋଟିଏ ଅଲଗା କୁଣ୍ଡ ଭିତରେ ଯାଇ ବାସ କରେ, ମଣିଷ ସେତିକିବେଳେ ସିନିକ୍‍ ହୁଏ, ମନୁଷ୍ୟ କ୍ରୋଧୀ ହୁଏ,– ଜୀବନକୁ ଦ୍ଵେଷ କରିବା ବ୍ୟତୀତ ସେତେବେଳେ ସତେଅବା ତା’ର ଅନ୍ୟ କୌଣସି ଧର୍ମ ହିଁ ରହେ ନାହିଁ ।

 

ହଁ, କାହାଣୀଟି ଅନୁସାରେ ଏହିଭଳି ଜଣେ ସିନିକ୍ ଆସି ଦିନେ ପ୍ଲେଟୋଙ୍କର ଏକାଡ଼େମୀରେ ପହଞ୍ଚିଲେ । ପ୍ଲେଟୋ ଜୀବନରେ ବିଶ୍ଵାସ କରୁଥିଲେ, ପୁରୁଷାର୍ଥରେ ବିଶ୍ଵାସ କରୁଥିଲେ, ମନୁଷ୍ୟର ବିବେକ ଉପରେ ବିଶ୍ଵାସ କରୁଥିଲେ; ସର୍ବୋପରି, ମନୁଷ୍ୟର ଏହି ପୃଥିବୀରେ ହିଁ ଏକ ଆଦର୍ଶ ଭବିଷ୍ୟ ସମ୍ଭବ ହୋଇ ପାରିବ ବୋଲି ବିଶ୍ଵାସ କରୁଥିଲେ । ତାଙ୍କର ଦର୍ଶନରେ ସୌନ୍ଦର୍ଯ୍ୟ ଲାଗି ଏକ ସମ୍ମାନିତ ସ୍ଥାନ ରହିଥିଲା । ଜୀବନ ସମ୍ବନ୍ଧରେ ତାଙ୍କର ଯାବତୀୟ ବିଚାର ଶ୍ରଦ୍ଧାଧର୍ମୀ ଥିଲା । ସେଥିରେ ଉପେକ୍ଷା କିମ୍ବା ନକାରାତ୍ମକତା ଲାଗି ଆଦୌ କୌଣସି ସ୍ଥାନ ନ ଥିଲା । ପ୍ଲେଟୋ ଏକ ସରଳ ଜୀବନ ଉପରେ ଅବଶ୍ୟ ବିଶ୍ଵାସ କରୁଥିଲେ ସତ, ମାତ୍ର ନାନା ବାହ୍ୟ ନକାରାତ୍ମକ ପ୍ରଦର୍ଶନ ଦ୍ଵାରା ଆପଣାକୁ ସରଳ ବୋଲି ଦେଖାଇ ହେବାକୁ ସିଏ ଆଦୌ କୌଣସି ଉତ୍ସାହ ପ୍ରକାଶ କରୁନଥିଲେ । ତାଙ୍କର ବେଶଭୂଷାରେ ଦାରିଦ୍ର୍ୟର ବା ତଥାକଥିତ ବିଷୟତ୍ୟାଗର ଆଦୌ କୌଣସି ପ୍ରଦର୍ଶନ ନ ଥିଲା । ଆଗନ୍ତକ ବୈରାଗୀ ଅଖା ପିନ୍ଧିଥିଲେ, ଦୁଷ୍ଟ ସଂସାରର ଯାବତୀୟ ଭୂଷଣ ଓ ପରିଧାନକୁ ଫିଙ୍ଗି ଦେଇ ଆସିଥିବାର ତାପଦ୍ଵାରା ଅତ୍ୟନ୍ତ ରାଜସିକ ଭାବରେ ଉତ୍ତପ୍ତ ଓ ଜର୍ଜର ହୋଇ ରହିଥିଲେ । ପ୍ଲେଟୋଙ୍କୁ ଦେଖୁ ଦେଖୁ ଏକ ଖଳତାପୂର୍ଣ୍ଣ ଉତ୍ସାହରେ ସେ କହି ପକାଇଲେ, “ତୁମେ ତ କେତେ କ’ଣ ମୂଲ୍ୟବାନ୍‌ ବସ୍ତ୍ରଦ୍ଵାରା ଆପଣାର ଶରୀରକୁ ଆବୃତ୍ତ କରି ରଖିଛ, ତୁମ ଭିତରୁ ତ ଭୋଗର ଅହଙ୍କାର ଯାଇନାହିଁ,–ତୁମେ ପୁଣି କି ଦାର୍ଶନିକ ବୋଲାଉଛ ?” ପ୍ଲେଟୋ ଅତ୍ୟନ୍ତ ନମ୍ର ଭାବରେ ଉତ୍ତର ଦେଲେ, “ମହାଭାଗ, ଆପଣ ଛିଣ୍ଡା ଅଖା ପିନ୍ଧିଛନ୍ତି ଏବଂ କେତେ କ’ଣ ବଡ଼ ବଡ଼ ତ୍ୟାଗ କରିଛନ୍ତି ସତ, ମାତ୍ର ଆପଣଙ୍କର ଏହି ଦାରିଦ୍ର୍ୟ–ପ୍ରଦର୍ଶନ ଭିତରୁ ଆପଣଙ୍କର ପ୍ରବଳ ଅହଙ୍କାରଗୁଡ଼ାକ ଫୁଟି ବାହାରି ଆସୁଥିବାର ମୁଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରତ୍ୟକ୍ଷ କରିପାରୁଛି ।”

 

ଗୋଟିଏ ପ୍ରକାରର, ଅଥବା, ଗୋଟିଏ ସ୍ତରର ଜୀବନ ଅଛି, ଯାହାକୁ କି ଏକ ସହଜ ଜୀବନ ବୋଲି କୁହାଯାଇ ପାରିବ । ସହଜ ଜୀବନର ବୀପରୀତ କଥାଟି ହେଉଛି ଗ୍ରନ୍ଥିଳ ଜୀବନ । ଅନେକ ମଣିଷଙ୍କର ଜୀବନ ଭିତରେ ସତେଅବା ସବୁକିଛିରେ ସହସ୍ର ଗଣ୍ଠି ପଡ଼ିକରି ରହିଥାଏ । ସେମାନେ ନିଜ ପାଖରେ ମଧ୍ୟ ସିଧା ହୋଇ କେବେହେଲେ ପଶି ପାରନ୍ତି ନାହିଁ । ସରଳଗୁଡ଼ାକୁ ସତେଅବା ଜାଣିଜାଣି ଜଟିଳ କରି ଦେଉଥାନ୍ତି । ସତେଅବା କାହିଁ କେଉଁଠି ଯାଇ ଲୁଚି ରହିଥାନ୍ତି, ମୋଟେ ବାହାରକୁ ବାହାରନ୍ତି ନାହିଁ । ଜୀବନରେ ଅବଲୋକନ କହିଲେ ସେମାନେ କେତେଗୁଡ଼ିଏ ଛିଦ୍ରକୁ ହିଁ ବୁଝିଥାଆନ୍ତି । ବେଳେବେଳେ ସତେଅବା ବାହାରେ ଥାଇ ମଣିଷଟିଏ ପରି ସେହି ଛିଦ୍ରଗୁଡ଼ିକ ଦେଇ ନିଜ ଭିତରକୁ ଅନାନ୍ତି, ପୁଣି ଆଉ ବେଳେବେଳେ ସତେଅବା ଭିତରେ ଥାଇ ସେଇ ମଣିଷଟିଏ ପରି ଛିଦ୍ରଗୁଡ଼ିକ ଦେଇ ବାହାରକୁ ଅନାନ୍ତି । ଭିତର ବା ବାହାରର କୋଉଟି ସହିତ ବି ସେମାନଙ୍କର ଆଦୌ କୌଣସି ଯୋଗସୂତ୍ର ସ୍ଥାପିତ ହୋଇ ପାରିନଥାଏ । ଏହି ଗ୍ରନ୍ଥିଳ ଓ ବହଳ ମଣିଷମାନେ ସଂସାରକୁ ଶତ୍ରୁ ଦୁର୍ଗ ପରି ମଣନ୍ତି । ନିଜ ଭିତର ଆଡ଼କୁ ବି ସେମାନଙ୍କର କୋଉଠି କେଉଁ ଦୂରାଗ୍ରହୀ ଅର୍ଗଳିଟିଏ ପଡ଼ି ରହିଥାଏ କେଜାଣି, ଆପଣାର ଭିତରଟାକୁ ମଧ୍ୟ ସେମାନେ ସତେଅବା ଏକ ନିବୁଜ ଦୁର୍ଗପରି ଅନୁଭବ କରୁଥାନ୍ତି ଓ ତା’ ଭିତରକୁ ମୋଟେ ପ୍ରବେଶ କରି ପାରୁନାହାନ୍ତି । ସତେଅବା ଏକ କ୍ଷତିପୂରଣ ସଦୃଶ କେତେ କ’ଣ ଜମା କରିବାରେ ଲାଗିଥାନ୍ତି ଏବଂ ଏହିପରି ଭାବରେ ଆହୁରି ଅଧିକ ଗହଳ, ଗ୍ରସ୍ତ ଏବଂ ଗ୍ରନ୍ଥିଳ ହେବାରେ ଲାଗିଥାନ୍ତି । ଅସଲ କ୍ଷତିଟିର ପୂରଣପାଇଁ ସମ୍ଭବତଃ ମୋଟେ କିଛିହେଲେ କହି ପାରୁନଥାନ୍ତି ବୋଲି ସମ୍ଭବତଃ ବହୁବିଧ ମିଛ କ୍ଷତିପୂରଣର ଧନ୍ଦାରେ ଲାଗି ରହିଥାନ୍ତି । ଅସଲ କଥାଟି ହେଉଛି, ଏମାନେ ନିଜ ଜୀବନରେ ଆଦୌ କିଛି ସୃଷ୍ଟି କରିପାରନ୍ତି ନାହିଁ । ନିଜକୁ ଫୁଲଟିଏ ପରି ଫୁଟାଇଦେଇ ପାରନ୍ତି ନାହିଁ । ବହୁତ ଅକ୍ତିଆର କରନ୍ତି, ଗଦା ଗଦା ଠୁଳ କରନ୍ତି, ଅତ୍ୟନ୍ତ ଆଖିଦୃଶିଆ ଭାବରେ ସ୍ଥୂଳରୁ ଅଧିକ ସ୍ଥୂଳ ହେବାର ଲାଗିଥାନ୍ତି, ମାତ୍ର କୋଉଠି କାହାଦ୍ଵାରା ବର୍ଜ୍ଜିତ ହୋଇ ରହିଥାନ୍ତି କି କ’ଣ କେଜାଣି, ନିଜର ଅସଲ କବାଟଟିକୁ ମୋଟେ ଠାବ କରି ପାରନ୍ତି ନାହିଁ । ସୃଜନଶୀଳତାକୁ ଯଦି ଜଣେ ମଣିଷର ଜୀବନରେ ସବୁଠାରୁ ବଡ଼ ଧନାଢ଼୍ୟତା ବୋଲି କୁହାଯାଏ, ତେବେ କହିବାକୁ ହେବ ଯେ, ଏହି ଅସହଜ ଓ ଗ୍ରନ୍ଥିଳ ମଣିଷମାନେ ସତକୁସତ ବଡ଼ ଦରିଦ୍ର ହୋଇ ରହିଥାନ୍ତି । ସେମାନେ କେତେ ନା କେତେ ପ୍ରକାର ଉପବାସରେ କାଳ କାଟୁଥାନ୍ତି । ଉପବାସୀ ହୋଇ ଉଗ୍ର ହୁଅନ୍ତି, ନାନାବିଧି କୃତ୍ରିମ ଦର୍ପରେ ମଞ୍ଚ କମ୍ପାନ୍ତି । ତଥାପି ସତେଅବା କୋଉ ହିରଣ୍ୟକଶିପୁ ପରି ନିତି ବିଦାରି ହୋଇ ମରୁଥାନ୍ତି । ନିଜ ଭିତରର ପ୍ରହ୍ଲାଦଟିକୁ ସେମାନେ ନିଜର ସବୁଠାରୁ ବଡ଼ ଶତ୍ରୁ ବୋଲି ମଣିବାରେ ଲାଗିଥାନ୍ତି ।

 

ପ୍ରାଚୀନ ଭାରତୀୟ ସାଧନା–ପରମ୍ପରାରେ ଗୋଟିଏ ସାଧନାକୁ ସହଜ ସାଧନା ବୋଲି କୁହାଯାଉଥିଲା । ବିଧିକୁ ମାନୁ ମାନୁ ଜୀବନରେ ଏପରି ଗୋଟାଏ ବେଳ ବା ସ୍ତର ଆସି ପହଞ୍ଚେ, ଯେତେବେଳେ ବିଧି ମାନିବାର ସକଳ ବାଧ୍ୟବାଧକତା ଅତିକ୍ରାନ୍ତ ହୋଇଯାଏ । ସେତେବେଳେ ମଧ୍ୟ ବିଧି ଥାଏ, ମାତ୍ର କୌଣସି ପ୍ରକାରେ ବାଧ୍ୟ ହୋଇ ସେଗୁଡ଼ିକୁ ମୋଟେ ମାନିବାକୁ ପଡ଼ୁନଥାଏ-। ବିଧିର ଅନୁଶୀଳନ ସେତେବେଳେ ଏକ ସ୍ଵାଭାବିକ ସହଜ ସମ୍ମତିରେ ପରିଣତ ହୋଇଯାଏ । ଗୁରୁର ପ୍ରଦର୍ଶିତ ପଥକୁ ଅନୁସରଣ କରୁ କରୁ ଏପରି ଗୋଟିଏ ବେଳ ବା ସ୍ତର ଆସି ପହଞ୍ଚେ ଯେତେବେଳେ କି ଗୁରୁବାଚକ ଯାବତୀୟ ଆକଟ ଓ ପ୍ରାଚୀର ଅତିକ୍ରାନ୍ତ ହୋଇଯାଏ । ସେତେବେଳେ ଆଗକୁ ଅନାଇଲେ ମହାସାଗରଟିଏ ବ୍ୟତୀତ ସତେଅବା ଆଉ କିଛିହେଲେ ଦୃଶ୍ୟ ବା ଅନୁଭୂତ ହୁଏନାହିଁ । ଭିତରକୁ କାନ ଡେରିଲେ ମଧ୍ୟ ସେହି ମହାସାଗରର ମର୍ମରଟା ହିଁ ଶ୍ରୁତିରେ ବାଜୁଥାଏ । ସିଏ ଏକ ଆନନ୍ଦମୟ ମୁହୂର୍ତ୍ତ,–ସେହି ମୁହୂର୍ତ୍ତଟିକୁ ଜୀବନରୂପେ ବଞ୍ଚିପାରଲେ ମୋଟେ କାହାକୁ ଛାଡ଼ି ଆସିବାକୁ ପଡ଼େନାହିଁ । ଅଥଚ ନିର୍ଦ୍ଦିଷ୍ଟ କୌଣସି ଗୋଟିଏ ଛାଞ୍ଚ ଭିତରେ ଆବଦ୍ଧ ହୋଇ ରହିବାର ଦୁର୍ଭାଗ୍ୟରୁ ମଧ୍ୟ ଏକ ସହଜ ବିମୋଚନ ସମ୍ଭବ ହୋଇଯାଏ । ସିଦ୍ଧମାନେ ଯାହାକୁ ସହଜ ବୋଲି କହିଛନ୍ତି, କାଶ୍ମୀରର ଶୈବ ସାଧନାରେ ତାହାକୁ ଅନୁପାୟ ବୋଲି ଘୋଷଣା କରାଯାଇଛି । ସବୁ ଗାର, ସବୁ ବାଡ଼, ସବୁ ସନ୍ତକ ଓ ସଂପ୍ରଦାୟ ତଥା ସବୁ ବାଧ୍ୟବାଧକତାର ସେପାଖରେ ଯେଉଁ ସୃଜନଶୀଳ ସହଜବିହାରୀ ସମଗ୍ର ମଣିଷଟି,–ସେଇ ହେଉଛି ସହଜ ମଣିଷ । ତନ୍ତ୍ରଶାସ୍ତ୍ର କୌଳାବଳୀନିର୍ଣ୍ଣୟରେ ଏହିପରି ଏକ ଅବସ୍ଥାକୁ ‘ସଦ ନନ୍ଦପୂର୍ଣ୍ଣୋ ଦ୍ଵିତୀୟୋ ମହେଶଃ’ର ଅବସ୍ଥା ବୋଲି କୁହାଯାଇଛି । ଶଙ୍କରାଚାର୍ଯ୍ୟ ତାହାକୁ ‘ନିଜବୋଧରୂପଃ’ ବୋଲି ବର୍ଣ୍ଣନା କରିଛନ୍ତି । ଗୁରୁ ଗୋବିନ୍ଦ ଭାଗବତ ତାଙ୍କୁ ତାଙ୍କର ପରିଚୟ ପୁଚ୍ଛିବାରୁ ଶଙ୍କରାଚାର୍ଯ୍ୟ ଏହିପରି ଭାବରେ ନିଜର ପରିଚୟ ପ୍ରଦାନ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି ।

 

ଅନେକ କହନ୍ତି, ସାମଗ୍ରୀ ଗୁଡ଼ାକ ଆଡ଼କୁ ଅଧିକ ମନ ଦେଲେ ମଣିଷର ଜୀବନ ସେହି ସାମଗ୍ରୀ ଗୁଡ଼ାକ ଭିତରେ ଗୁରେଇ ତୁରେଇ ହୋଇ ରହିଯାଏ, ଗ୍ରନ୍ଥିଳ ଓ ଜଟିଳ ହୋଇଯାଏ, ଯାବତୀୟ ଦୃଷ୍ଟିରୁ ଦେଖିଲେ ଭାରି ଅସହଜ ହୋଇଯାଏ । ବାଇବେଲ୍‍ରେ ଯେଉଁ (gaining the whole world and losing your soul” ପ୍ରସଙ୍ଗଟିର ଆଲୋଚନା କରାଯାଇଛି, ଇଏ ପ୍ରାୟ ସେହିପରି ଗୋଟିଏ ବିଷୟ ।

 

ଭାରତବର୍ଷରେ ଏବେ ମଧ୍ୟ ସାଧୁମାନେ ଏବଂ ସୁଧୀମାନେ ପ୍ରାୟ ସେହିକଥା କହି ସଂସାରର ମଣିଷମାନଙ୍କୁ ବହୁପ୍ରକାରେ ଧିକ୍‍କାରିଥାନ୍ତି । ମାତ୍ର, ଏହି କ୍ଷେତ୍ରରେ ଏକ ଭାରି ବିଚିତ୍ର କଥା ହେଉଛି ଯେ, ଯେଉଁମାନଙ୍କ ପାଖରେ ଆବଶ୍ୟକରୁ ଅଧିକ ସାମଗ୍ରୀ ଜମା ହୋଇ ରହିଥାଏ, ବହୁଜନଙ୍କୁ ବଞ୍ଚିତ କରି ଯେଉଁ ଅତ୍ୟଳ୍ପସଂଖ୍ୟକଙ୍କ ପାଖରେ ଅଧିକ ଧନ ଏବଂ ସାମଗ୍ରୀ ମହଜୁଦ ଥାଏ, ସେହିମାନେ ହିଁ ଏସବୁ ଆଟକବାଣୀ ଶୁଣାଇଥାନ୍ତି ଏବଂ ସାଧାରଣତଃ ଧନିକଶ୍ରେଣୀ ଦ୍ଵାରା ପ୍ରତିପାଳିତ ସଂସାରତ୍ୟାଗୀ ତଥାକଥିତ ସନ୍ନ୍ୟାସୀମାନେ ଏସବୁ କଥା ଭାରି କହିଥାନ୍ତି । ଯେଉଁ ଦେଶରେ ପ୍ରାୟ ଚିରକାଳ ବହୁତ ମଣିଷ ଦାରିଦ୍ର୍ୟ ମୋଚନ ଲାଗି ଆଉ ଆଦୌ କୌଣସି ବାଟ ନାହିଁ ବୋଲି କହି ଯେଉଁଠି ସମୁଦାୟ ସମସ୍ୟାଟିକୁ ଅଧିକ ଆବିଳ କରି ରଖାଯାଇଛି, ସେହି ଦେଶରେ କାଞ୍ଚନର ମୋହ, ସଂସାରରୂପକ ମାୟା ଓ ତଜ୍ଜନ୍ନିତ ବନ୍ଧନ ବିଷୟରେ ଯେ ବହୁତ କଥା କହି ମଣିଷମାନଙ୍କୁ ଶୀତଳ କରି ରଖାଯିବ, ସେହି କଥାଟି ବେଶ୍‍ ସହଜ ଭାବରେ ବୁଝି ହେଉଛି । ମାତ୍ର ଭାରତବର୍ଷରେ ଜୀବନରେ ସହଜତା ଆଣିଦେବାରେ ସେହିସବୁ ଚିନ୍ତାଘନ ମିଛ-ପ୍ରଚାର ମୋଟେ ସହାୟକ ହୋଇ ପାରିନାହିଁ । ଏଠାରେ ଅଧିକାଂଶ ମଣିଷଙ୍କର,–ସାମଗ୍ରୀ ଏବଂ ସମ୍ପନ୍ନତା ଦୃଷ୍ଟିରୁ ସେମାନେ ଉପରେ ବା ତଳେ ଯେଉଁଠି ଥାଆନ୍ତୁ ପଛକେ,–ସେମାନଙ୍କର ଜୀବନ ଭାରି ଦୟନୀୟ ଓ ବହୁ ଜଟିଳତାମୟ ହୋଇ ରହିଛି ସତ, ମାତ୍ର ଏଠି ସହଜ ମଣିଷ କେତେଟା ଅଛନ୍ତି ? ଶୋଇ ରହିଥିବା ମଣିଷ ଅନେକ ରହିଛନ୍ତି ସତ, ମାତ୍ର ସ୍ଵାଧୀନଚେତା, ଶ୍ରଦ୍ଧାଯୁକ୍ତ ଏବଂ ସୃଜନଶୀଳ ମଣିଷ କେତେଜଣ ଅଛନ୍ତି ? ଭାଗ୍ୟବାଦୀ ବହୁତ ଅଛନ୍ତି, ଯଥାସମ୍ଭବ ଅଧିକ ମଣିଷଙ୍କୁ ବଞ୍ଚିତ କରି ଆପଣାର ଗାତଗୁଡ଼ାକୁ ଭର୍ତ୍ତି କରିବାର ଜନ୍ତୁ ଅନେକ ଅଛନ୍ତି, ଅପର ଅନେକଙ୍କୁ ଛୋଟ କହି ତାହାରିଦ୍ଵାରା ହିଁ ଆପଣାଙ୍କୁ ବହୁତ ବଡ଼ କରି ଦେଖାଇବାକୁ ପ୍ରୟାସ କରୁଥିବା ଅତ୍ୟୁତ୍ସାହୀ ହୁଏତ ପ୍ରବଳ ଭାବରେ ରହିଛନ୍ତି, ମାତ୍ର ବନ୍ଧୁ ସଂସାର ଭିତରକୁ ବାହାରିଥିବା ଓ ସମସ୍ତଙ୍କ ସହିତ ନିବିଡ଼ ଭାବରେ ଲାଗି ରହିଥିବା ଡୋରଗୁଡ଼ିକର ମାଧ୍ୟମରେ ହିଁ ଜୀବନ ବଞ୍ଚୁଥିବା ସମ୍ମତ ଓ ସମର୍ଥ ମଣିଷ ଏଠି କେତେଜଣ ଅଛନ୍ତି ?

 

ଅଳପ ପିନ୍ଧିଲେ ଅଥବା ଅଳପ ସାମଗ୍ରୀ ଭିତରେ ରହିଲେ ମଣିଷ ତାହାରି ବଳରେ ହିଁ କଦାପି ସରଳ ହୋଇ ଯାଏନାହିଁ । ଅବଶ୍ୟ ଏକଥା ଏକାନ୍ତ ସତ ଯେ, ଥରେ ଭିତରୁ ସହଜ ହେବାର ନିଷ୍ପତ୍ତିଟିଏ ଗ୍ରହଣ କରିନେଲେ ସାମଗ୍ରୀ ଗୁଡ଼ାକ ଆଡ଼ୁ ମଣ୍ଡଳଗୁଡ଼ାକ ଭିତରୁ ଓ ଅନାବଶ୍ୟକ ବାହ୍ୟତା ଏବଂ ବହୁଳତା ଗୁଡ଼ିକ ପାଖରୁ ମନ ଆପେ ଆପେ ବାହୁଡ଼ି ପଳାଇଆସେ । ମନ ଅସଲ ଘରଟିକୁ ଫେରିଆସେ ଏବଂ ଅସଲ ସଂଖ୍ୟାଗୁଡ଼ିକ ମଧ୍ୟକୁ ଫେରିଆସେ । ଆଦୌ କୌଣସି ପ୍ରକାରେ ବାଧ୍ୟ କିମ୍ବା ପ୍ରଲୁବ୍‍ଧ ହୋଇ ନୁହେଁ, ଅତ୍ୟନ୍ତ ସହଜ ଏବଂ ସ୍ଵାଭାବିକ ଭାବରେ ଫେରିଆସେ । ସହଜ ମଣିଷ ଏକାଧାରରେ ନିଜର ହୋଇ ରହିଥାଏ, ଜଣେ ସହଜ ମଣିଷକୁ ଆମେ ଏକ ସାଧାରଣ ସୂତ୍ର ପକାଇବା ପରି କୌଣସି ବାହ୍ୟ ସନ୍ତକ ଦେଇ ମୋଟେ ଚିହ୍ନି ପାରିବା ନାହିଁ । ସହଜ ମଣିଷ ହିଁ ଆଉଜଣେ ସହଜ ମଣିଷକୁ ଆବିଷ୍କାର କରିପାରିବ । ସହଜ ହେବାକୁ ମନ କଲାମାତ୍ରକେ ଭିତରେ ଏକ ଅପାର ବନ୍ଧନହୀନତାର ବୋଧ ଆସିବ । ସତେଅବା ସବୁଠାରୁ ବଡ଼ ନିର୍ଭରଟିଏ ଆପଣା ପାଖରେ ରହିଥିଲେ ଯେଉଁ ବନ୍ଧନହୀନତା, ବିମୁକ୍ତି, ବିମଳ ଭୟଶୂନ୍ୟତାର ବୋଧ ପ୍ରାୟ ଆପେ ଆପେ ଆସେ, ଏହା ହେଉଛି ସେହିପରି ଏକ ବନ୍ଧନହୀନତା । କୋଉଠୁ ଫାଙ୍କି ଦେଇ, ପଘା ଛିଣ୍ଡାଇ, କବାଟ ତାଡ଼ି ପଳାଇ ଆସିଥିବାର ତଥାକଥିତ ବନ୍ଧନହୀନତା ନୁହେଁ, କୋଉଠି ମନକୁ ମନ ଧରା ଦେଇ ଉଶ୍ଵାସ ହୋଇ ଯାଉଥିବାର ବନ୍ଧନହୀନତା । ତାହାହିଁ ସହଜତା-। ଏହିପରି ସହଜ ହୋଇଯାଇ ପାରିଲେ ଜ୍ୟେଷ୍ଠ ଓ କନିଷ୍ଠ କାହାରି ପାଖରେ ଆଉ କୌଣସି ପ୍ରକାର ସଙ୍କୋଚ ଅନୁଭୂତ ହୁଏ ନାହିଁ । ସେତେବେଳେ ସମସ୍ତେ ଭଲ ଲାଗନ୍ତି, ସମସ୍ତେ ସହଜ ଲାଗନ୍ତି । ସଂସାର ଭଲ ଲାଗେ, ସହଜ ଲାଗେ । ନିଜ ପାଖରେ ନିଜକୁ ବନ୍ଧୁ ଟିଏ ପରି ଲାଗେ । (୪ । ୧୧ । ୮୭)

 

(୧୪)

 

ଆମରି ସମାଜରେ ଆମକୁ ବେଢ଼ି ଆମର ବଡ଼ମାନେ ରହିଛନ୍ତି;–ସେମାନେ କେତେ ପାଠ ପଢ଼ିଛନ୍ତି, କେତେ କେତେ ଦରମା ପାଉଛନ୍ତି । ଏହି ଦେଶରେ ସେମାନେ କେଡ଼େ ଅଲଗା ବୋଲି ବାରି ହୋଇ ପଡ଼ୁଛନ୍ତି । ସେମାନେ ଏଠି ଜ୍ଞାନବିଜ୍ଞାନର ଯାବତୀୟ ଘରକୁ ଜଗିକରି ରହିଛନ୍ତି, ଉଚ୍ଚରୁ ଆହୁରି ଉଚ୍ଚକୁ ଉଠିବାରେ ଲାଗିଛନ୍ତି । ଆମ ଦେଶରେ ବହୁବିଧ କ୍ଷେତ୍ରରେ ଉନ୍ନୟନ ବା ନିର୍ମାଣ ବୋଲି ଯେଉଁସବୁ ଉଦ୍ୟମକୁ କୁହାଯାଉଛି, ସେମାନେ ସେହିସବୁର ମାରଫତରେ ରହିଛନ୍ତି । ଶାସନ ଓ ପ୍ରଶାସନ ମୂଳତଃ ସେହି ଉନ୍ନୟନକୁ ଆଖି ଆଗରେ ରଖି ଚାଲିବା ଉଚିତ ବୋଲି ଆମ ବ୍ୟବସ୍ଥାର ଆମ ପବିତ୍ର ପୁସ୍ତକମାନଙ୍କରେ ଲେଖା ହୋଇ ରହିଛି । ଉନ୍ନୟନର ଅର୍ଥ ହେଉଛି, ଆମ ଦେଶରେ ସାମୂହିକ ସାମର୍ଥ୍ୟ ତଥା ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ଆହୁରି ଅନେକ ବାଟ ଯିବାକୁ ବାକୀ ରହିଛି । ନିର୍ମାଣର ଅର୍ଥ ହେଉଛି, ଆମ ସମାଜର ସବୁ ମଣିଷଙ୍କ ସକାଶେ ଆବଶ୍ୟକ ସଂସ୍ଥାଗୁଡ଼ିକ ଉପଲବ୍‍ଧ ହୋଇପାରିବା ସକାଶେ ଯେଉଁ ନିମ୍ନତମ ଅତ୍ୟାବଶ୍ୟକ ବିଶ୍ଵାସଭୂମିଟିର ପ୍ରୟୋଜନ ରହିଛି, ସେହି ଭୂମି ଏ ପର୍ଯ୍ୟନ୍ତ ଯଥାର୍ଥ ଭାବରେ ତିଆରି ହୋଇନାହିଁ । ଆଧୁନିକ ଅର୍ଥନୀତିରେ ଯାହାକୁ take offର ସୋପାନ ବୋଲି କୁହାଯାଉଛି, ଏଠି ଆମ ଚାରିପାଖରେ ସବୁ ମଣିଷଙ୍କର ଜୀବନରେ ସେହି ଭାଗ୍ୟଟି ସମ୍ଭବ ହୋଇନାହିଁ । ଏହି କଥାଟିକୁ ସମ୍ଭବ କରିବା ଲାଗି ଉଦ୍ୟମରେ ଧୂମ୍‍ଧାମ ଲାଗିଛି । କୋଠାଗୁଡ଼ାକ ଭୁଷ୍‍ଭୁଷ୍‍ ହୋଇ ଉଚ୍ଚରୁ ଆହୁରି ଉଚ୍ଚ ହୋଇ ଯାଉଛନ୍ତି । ଆଗେ ଯୋଉ ରାସ୍ତାରେ ସାମାନ୍ୟ ବଳଦଗାଡ଼ିଟାଏ ମଧ୍ୟ ବଡ଼ କଷ୍ଟରେ କଚିକାଚି ହୋଇ ଯାଇ ପାରୁଥିଲା, ଏବେ ସେଠାରେ ଏକାବେଳେକେ ପୁଞ୍ଜାଏ ମଟରଗାଡ଼ି ଯାଇ ପାରିଲେଣି । ଖରଚଗୁଡ଼ାକ କୋଟିରେ ହିସାବ ନ ହେଲେ ଆଉ ମୋଟେ ହିସାବ ହୋଇ ପାରୁନାହିଁ । ମଣିଷମାନେ, ଅନ୍ତତଃ କେତେକ ମଣିଷ ଏବଂ ସେମାନଙ୍କର ଗୃହନାମକ ପିଞ୍ଜରା ଭିତରେ ପ୍ରତିପାଳିତ ହେଉଥିବା ଶାବକମାନେ ଭଳି ଭଳି ପରିଚ୍ଛେଦରେ କେତେ ଘଟଣ ଦେଖା ଯାଉଛନ୍ତି, ସାକ୍ଷାତ ଗୋଟିଏ ଗୋଟିଏ କଣ୍ଢେଇ ପରି ଦୁଶିଲେଣି । ସଭ୍ୟତାର ସିଡ଼ିଗୁଡ଼ାକ ସତେଅବା ଆକାଶକୁ ଯାଇ ଛୁଇଁଥିବା ଶିମିଳିଗଛର ଅଗକୁ ଡେରା ହୋଇ ଲାଗି ରହିଛନ୍ତି ଏବଂ ଏକାବେଳେକେ ସେହି ଅଗରେ ଯାଇ ପହଞ୍ଚି ନ ପାରିଲେ ସଭ୍ୟ ଦଉଡ଼ାଳିମାନଙ୍କର ମନ ମୋଟେ ବୋଧ ହେଉନାହିଁ । କେହି କାହାରି ଆଡ଼କୁ ଅନାଇବାକୁ ମୋଟେ ବେଳ ନାହିଁ । କୁଶଳ ପଚାରିବାକୁ ବିବେକ ନାହିଁ । ପରସ୍ପରକୁ ଅନାଇବାକୁ ଏପରିକି ଗୋଟିଏ ଦେଶରେ ଆମେ ଏତେ କୋଟି ମଣିଷ ଏକାଠି ଆମର ଭାଗ୍ୟଗୁଡ଼ିକୁ ଗଢ଼ି ବାହାରିଛୁ ବୋଲି ଭାବି ଟିକିଏ ଖୁସୀ ହେବାକୁ ବି ମୁହୂର୍ତ୍ତେ ଫୁରସତ ନାହିଁ ।

 

ଏଠି ଉଚ୍ଚ ନଜରରେ ସବୁ ଚାଲିଛି । ଏକାବେଳେକେ ସବାତଳୁ, ସର୍ବନିମ୍ନରୁ ଅର୍ଥାତ୍ ଏକାନ୍ତ ଅସମର୍ଥମାନଙ୍କର ସ୍ତରରୁ ସାମୂହିକ ଜୀବନର ମୂଳଦୂଆଟିକୁ ମଜବୁତ କରି ନିର୍ମାଣ କରି ଆଣିବାଲାଗି ଯେଉଁ ଭଦ୍ର ଓ ମହାଭଦ୍ରମାନେ ମୁତୟନ ହୋଇଛନ୍ତି, ସେମାନଙ୍କର ନଜରଗୁଡ଼ାକ ଏକାବେଳେକେ ଉପରକୁ ହୋଇ ରହିଛି । ପୂରା ସାହେବୀ ଛାଞ୍ଚରେ କାରବାର ଲାଗିଛି । ଏଠି ଦରମାଗୁଡ଼ାକ, କାଇଦାଗୁଡ଼ାକ ଏବଂ ଖୁମାଣଗୁଡ଼ାକ ମପା ହେବାପାଇଁ ଗଉଣିଗୁଡ଼ାକ କୋଉ ବିଲାତ ବା ଆମେରିକାରୁ ମଗାହୋଇ ଆସିଛି ଏବଂ ଏହିସବୁ ଯାବତୀୟ ବରାଦର ଏଡ଼େ ଏଡ଼େ ଘରମାନଙ୍କରେ ଯେଉଁ ବଡ଼ମାନେ ଆମ ଭବିଷ୍ୟନାମକ ବିଗିଚାରେ ନୂଆ ଗଛଗୁଡ଼ିକୁ ଲଗାଇବେ ବୋଲି ଦିହରେ ଗହଣା ଲଦିହୋଇ ବସିଛନ୍ତି, ସେମାନେ ନିଜ ଭିତର ନିତାନ୍ତ ଅମଙ୍ଗହୋଇ ବସିଛନ୍ତି । ଏ ଦେଶରେ କଦାପି କିଛି ହୋଇ ପାରିବ ନାହିଁ ବୋଲି ସେମାନେ ସତେଅବା ସ୍ଵର୍ଗରୁ ବାରତା ପାଇ ସାରିଛନ୍ତି ଏବଂ ତେଣୁ ଏକ ବୁଦ୍ଧିମତାପୂର୍ଣ୍ଣ ଉଲ୍ଲାସରେ ନିଦକ ହୋଇ ରହିଛନ୍ତି । ଆପଣାର ଅସମ୍ମତିରେ ଏବଂ ଅବିଶ୍ଵାସ ଗୁଡ଼ାକରେ ପାଚି ସେମାନେ କେଡ଼େ ତୋରା ଦେଖା ଯାଉଛନ୍ତି । ମଣିଷ ଜୀବନର ସବୁ କଦର ଭୁଲି ତୁଚ୍ଛା ଚାଲାଖ ହେଲେ ମଣିଷମାନେ ଯେତିକି ତୋରା ଦେଖାଯାଆନ୍ତି, ସେମାନେ ସତେଅବା ସେତିକି ତୋରା ଦିଶୁଛନ୍ତି ଏବଂ ଭିତରେ ସବୁଯାକ ବିଶ୍ଵାସକୁ ହରାଇ ବସିଛନ୍ତି । ଭାରତବର୍ଷରେ ଇପ୍‍ସିତ ପରିବର୍ତ୍ତନଗୁଡ଼ିକ ଅବଶ୍ୟ ହେବ ଓ ଏଠାରେ ମଧ୍ୟ ମନୁଷ୍ୟନାମକ ବିରାଟ ଶିଶୁର ନିଦ ଅବଶ୍ୟ ଭାଙ୍ଗିବ ବୋଲି ସ୍ଵୟଂ ଭଗବାନ ଆସି ସେମାନଙ୍କ ଆଗରେ କହିଲେ ମଧ୍ୟ ସେମାନେ ତଥାପି ସେହି କଥାରେ କଦାପି ବିଶ୍ଵାସ କରିବେ ନାହିଁ ବୋଲି ସତେଅବା ପଣ କରି ବସିଛନ୍ତି । ନିଜ ଭିତରେ କୋଉଠି ମଣିଷ କେଉଁ ନିଦ ଶୋଇଥିଲେ ଏପରି ନିର୍ଲଜ୍ଜ ଭାବରେ ଅମଙ୍ଗ ହୋଇ ରହିଯାଏ କେଜାଣି ? ନିଜ ଭିତରେ କୋଉଠି କେତେ ଦନ୍ଥଡ଼ା ହୋଇ ରହିଥିଲେ ଓ ସେହିପରି ଦନ୍ଥଡ଼ା ହୋଇ ରହିବାକୁ ଭଲ ପାଉଥିଲେ ମଣିଷ ବାହାରେ ବିଶ୍ଵାସର ତାଳଗୁଡ଼ାକୁ ଏପରି ନିର୍ମମ ଭାବରେ କାଟି ପକାଇ ଉଶ୍ୱାସ ହୋଇ ରହିପାରେ କେଜାଣି ? ଭିତରେ କୋଉଠି କ’ଣ ଭାଙ୍ଗି ଯାଇଥିଲେ କିମ୍ବା କେଉଁ ଅସଲ ମଣିଟି ହଜି ଯାଇଥିଲେ ବାହାରେ ମଣିଷ ତା’ର ସକଳ ସମ୍ଭାର ଏବଂ ବଜାରଗୁଡ଼ାକ ସତ୍ତ୍ୱେ ବିଶ୍ଵାସହୀନ ଅଥଚ ଚତୁର ନିଃସ୍ଵଟିଏ ହୋଇ ବୁଲିବାକୁ ସମର୍ଥ ହୁଏ କେଜାଣି ? ଦରମା ମିଳେ । ଦରମା ବଢ଼େ, ବ୍ୟକ୍ତିମାନେ ଇନ୍ଦ୍ରଙ୍କ ପରି ଦିଶୁଥାନ୍ତି; ମାତ୍ର ଉପରେ ଶ୍ରୀବତ୍ସ ରାଜାଙ୍କ ପରି ଦେଖା ଯାଉଥିଲେ ମଧ୍ୟ ଭିତରେ କୋଢ଼ି ହୋଇ ବସିଥାନ୍ତି । ସେମାନେ ଭିତରେ ମୋଟେ କିଛି ଉପରେ ବିଶ୍ଵାସ କରୁ ନ ଥାନ୍ତି । ଯାହାର ଭିତରେ ଅସଲ ବିଶ୍ଵାସଟିଏ ରହିଥାଏ, ଉପରେ ତା’ର ଅସଲ ସାମର୍ଥ୍ୟଟି ମଧ୍ୟ ରହିଥାଏ । ମାତ୍ର, ଯେଉଁଠାରେ ମଣିଷ ସତେଅବା ଭାରସିଆଣିଆ ହୋଇ ଭିତରେ ଏକାନ୍ତ ଅରାଜି ଓ ଏକାନ୍ତ ଅବିଶ୍ଵାସୀ ହୋଇ ବସିଥାଏ, ସଂସାରକୁ ସତେଅବା ଅନିତ୍ୟ ମଣି କେବଳ ନିଜର ଶ୍ରୀଗୁଡ଼ାକରେ ହିଁ ବର୍ଦ୍ଧନ କରିବାକୁ ଏକମାତ୍ର ନିତ୍ୟ ଏବଂ ପ୍ରତ୍ୟୟଦାୟକ ଧନ୍ଦାରୂପେ ଧରି ନେଇଥାଏ, ଭିତରେ ଗୋଟାସୁଦ୍ଧା ବନ୍ଧ୍ୟା ହୋଇ ବସି ମଧ୍ୟ ବାହାରେ ସିଏ ଶତପୁତ୍ର ପ୍ରସବ କରିବାର ବହୁ ଛଦ୍ରମ ଦେଖାଯାଉଥାଏ, ତା’ର ଜ୍ଞାନ, ବିଜ୍ଞାନ, ଶିକ୍ଷା, ପ୍ରଶିକ୍ଷା ଏବଂ କାଢ଼ପଣ ସବୁକିଛିରେ ଖୋଡ଼ ପଡ଼ି ରହିଥାଏ ।

 

ଭିତରେ ଶିଙ୍କୁଳି ପିନ୍ଧି ବସିଥିବା ଅରାଜୀ ମଣିଷମାନେ ବହୁବିଧ ପରାକ୍ରମ ଦେଖାଇ କେତେକ’ଣ କରୁଥାନ୍ତି ଅଥବା କରୁଛନ୍ତି ବୋଲି ଦେଖାଇ ହେଉଥାନ୍ତି ସତ, ସେମାନେ ସର୍ବତ୍ର ଗଣ୍ଠି ଜାଗାଗୁଡ଼ିକୁ କେତେ ଚତୁରତା ସହିତ ମାଡ଼ି ବସିଥାନ୍ତି ସତ, ମାତ୍ର ଯଥାର୍ଥ କ୍ରିୟାଶୀଳତା ଗୁଡ଼ିକର ଥାନରେ ଗୋଟାସୁଦ୍ଧା କୋଢ଼ି ହୋଇ ରହିଥାନ୍ତି । ନିଜକୁ ସତେଅବା ବାଆଁରେଇ ରଖିବା ନିମନ୍ତେ ଅନ୍ୟାନ୍ୟ ବହୁକ୍ଷେତ୍ରରେ କେତେକ’ଣ କରିଥାଆନ୍ତି ଏବଂ କହୁଥାନ୍ତି ସିନା, ମାତ୍ର ନିଜ କ୍ଷେତ୍ରଟିକୁ ଫାଙ୍କିଦେଇ ବୁଲୁଥାନ୍ତି । କିଏ ଯନ୍ତ୍ରୀ ହୋଇଥାଏ, ମାତ୍ର ଯନ୍ତ୍ର ଚଳାଇବାର ଅସଲ କାମଟିକୁ ଛାଡ଼ି ଆଉ ସବୁକିଛି କରୁଥାଏ; କିଏ ରକ୍ଷୀ କିମ୍ବା ଆରକ୍ଷୀ ହୋଇ ରହିଥାଏ, ମାତ୍ର ନିଜର ସେହି କାମଟିକୁ ଛାଡ଼ି ଆଉ ଦୁନିଆଯାକର କାମରେ ନଡ଼ର ବଡ଼ର ହେଉଥାଏ । ସେମାନେ ସାହିତ୍ୟ ବି କରନ୍ତି, ସଂସ୍କୃତି ବିଷୟରେ ବକ୍ତୃତା ଦେଇ ବୁଲୁଥାନ୍ତି, ସାଧୁସଙ୍ଗ କରନ୍ତି, ସାଧୁମାନଙ୍କର ଗହଣରେ ଏହି ଦେଶର ବନସ୍ତଗୋଟାକ ଗସ୍ତ କରିବାରେ ଲାଗିଥାନ୍ତି । ମାତ୍ର ଆପଣାର ଅସଲ କର୍ମଗୁଡ଼ିକର ଘରୁ ଚୋର ହୋଇ ରହିଥାନ୍ତି । ସେଠି ଆଦୌ କିଛି ହୋଇପାରିବ ବୋଲି ବିଶ୍ଵାସ କରୁନଥାନ୍ତି । ଶିକ୍ଷାଘରର ବଡ଼ ବାବୁ ହୁଏତ ଶିକ୍ଷାର ଅସଲ ପରିମଳଗୁଡ଼ିକୁ ଫାଙ୍କିଦେଇ ଆଉ କୁଆଡ଼େ ମ୍ଳେଚ୍ଛ ହୋଇ ବୁଲୁଥାଏ । ଶିକ୍ଷା ଦ୍ଵାରା ଆମର ଏଠି ଅଭିଳଷିତ ଭାଙ୍ଗିବା ଏବଂ ଗଢ଼ା ହେବାର କାର୍ଯ୍ୟଗୁଡ଼ିକ ସତକୁସତ ସମ୍ଭବ ହେବ ବୋଲି ସେମାନଙ୍କର ପେଟ ଭିତରେ ଆଦୌ କୌଣସି ବିଶ୍ଵାସ ନଥାଏ । ଏଠାରେ ଆମେ କରୁଥିବା ଯାବତୀୟ ଉଦ୍ୟମର ଫଳସ୍ୱରୂପ ଆମର ଅସଲ ସିଦ୍ଧିଗୁଡ଼ିକ ଆମକୁ କେବେ ମିଳିବ ବୋଲି ଏମାନଙ୍କର ସତକୁ ସତ କୌଣସି ବିଶ୍ଵାସ ନ ଥାଏ । ମଣିଷର କୋଟି କୋଟି ମାଟିଘର ଚାହିଁ ବସିଥିବା ସମୟରେ, ଅଧର୍ମ ଉପରେ ଧର୍ମ ହିଁ ଦିନେ ଜୟଲାଭ କରିବ ବୋଲି ମଣିଷ କେତେ ବିଶ୍ଵାସରେ ଅପେକ୍ଷା କରି ରହିଥିବା ସମୟରେ ତେଣେ କୋଠାଘରମାନଙ୍କରେ ତୁଚ୍ଛା ଅବିଶ୍ଵାସୀମାନେ ଗୋଡ଼ରେ ବଳା ଓ ଅଣ୍ଟାରେ ଅଣ୍ଟାସୂତା ପିନ୍ଧି ବହୁ ଅନ୍ୟ ସିଦ୍ଧିର ଶୃଙ୍ଗାରରେ ବ୍ୟସ୍ତ ହୋଇ ରହିଥାନ୍ତି । ତୁଚ୍ଛା ଅମଙ୍ଗମାଳେ ହିଁ ବେହେଲ ମୁଦ୍ରାରେ ସତେଅବା ସବୁ ଠିକ୍‍ ଥିବାପରି ମୁଣ୍ଡ ହଲାଇବାରେ ଲାଗିଥାଆନ୍ତି ।

 

ଅରାଜୀ ଓ ଅବିଶ୍ଵାସୀମାନେ କଦାପି ଏହି ସଂସାରକୁ ବଦଳାଇ ପାରିବେ ନାହିଁ । ବାହାରେ ସୁଆଗତଞ୍ଚଳୀ ମୃଦୁସୁଲୀ ସାଜି ଭିତରେ ମହାଆନନ୍ଦରେ, ଗୋଡ଼କୁ ଲମ୍ବାଇ ସୁବାସିତ ତାମ୍ବୁଳ ସେବନ କରୁଥିବା ଏବଂ ଧାତୁରେ ଅଳସୁଆ ହୋଇ ରହିଥିବା ମଣିଷମାନେ ଏହି ଘରର କାଦୁଅଗୁଡ଼ାକୁ ସଫା ହେବାରେ ମୋଟେ କୌଣସି କାମରେ ଲାଗିବେ ନାହିଁ । ସେମାନଙ୍କର ବେତନ ଓ ଆନୁଷଙ୍ଗିକ ମଣ୍ଡନଗୁଡ଼ାକୁ ଆମେ ଆହୁରି ଚାରିଗୁଣ କରି ବୃଦ୍ଧି କଲେ ମଧ୍ୟ ସେମାନେ ଆମ ଘରକୁ କଦାପି ଯୋଗ୍ୟ ହେବେ ନାହିଁ । ବାରଣାସୀ ସହରକୁ ଅଭିନବ ବାରଣସୀରେ ରୂପାନ୍ତରିତ କରି ବାହାରେ ରାତିଗୁଡ଼ାକୁ ଦିନପରି ଉଜ୍ଜ୍ଵଳ କରି ଦେଖାଇବାର ଯାବତ ମିହନ୍ତରେ ତତ୍ପର ହୋଇ ତଦ୍ଦ୍ୱାରା ଅନ୍ଧାର କାମୁକମାନଙ୍କର ଅସଲ ବିଶ୍ଵାସ ଘର ମାନଙ୍କରେ ଯଥାର୍ଥ ଆଲୋକର ସଞ୍ଚାର ଘଟିବ ବୋଲି କେହି କଦାପି ଭରସା ଦେଇ କହି ପାରିବ ନାହିଁ । ଚାହାଳୀ ଘରଗୁଡ଼ାକୁ ପକ୍‍କା କରିଦେଲେ ଯେ ଚାହାଳୀ ଚୋରମାନେ ସତକୁ ସତ ଆଗ୍ରହ ଦେଖାଇ ଚାହାଳୀକୁ ଆସିବେ ଓ ଚାହାଳୀମାନଙ୍କରେ ସତକୁ ସତ ପାଠପଢ଼ା ହେବ ବୋଲି କିଏ ପ୍ରକୃତରେ ଛାତି ଉପରେ ହାତ ରଖି କହିପାରବ ? ଆମ ଦେଶରେ ସହରଗୁଡ଼ାକ ଗାଆଁ ଭିତରକୁ ଚରି ଯାଉଥିବା ସଙ୍ଗେ ସଙ୍ଗେ ଆମ ମୂଳଦୁଆଗୁଡ଼ିକୁ ଅବିଶ୍ଵାସ ଏବଂ ଅସମ୍ମତିର ମୂଷାଗୁଡ଼ାକ ସତେଅବା ଅଧିକରୁ ଅଧିକ ପୋଲା କରିଦେବାରେ ଲାଗିଛନ୍ତି । ସିଆଣିଆ ମଣିଷମାନେ ଏଠି ସବୁଠାରୁ ଅଧିକ ଆନନ୍ଦରେ ରହିଛନ୍ତି । ଆଧୁନିକ ସିଆଣିଆପଣ ଗୁଡ଼ାକ ଭିତରର ଅନମନୀୟ ଅମଙ୍ଗପଣ ଗୁଡ଼ାକୁ କେତେ ପ୍ରକାରର ପାଟଲୁଗା ଦେଇ ଘୋଡ଼ାଇ କରି ରଖିଛି ।

 

ପରିବର୍ତ୍ତନ ଅବଶ୍ୟ ହେବ । ସମଗ୍ର ପୃଥିବୀ ଯେଉଁ ପରିବର୍ତ୍ତନ ଅର୍ଥାତ୍‌ ପରବର୍ତ୍ତୀ ଭବିଷ୍ୟତ ଲାଗି ଅପେକ୍ଷା କରି ରହିଛି, ଆମ ଭାରତବର୍ଷରେ ମଧ୍ୟ ସେହି ପରିବର୍ତ୍ତନ ଅବଶ୍ୟ ହେବ । ଆମେ ଗେହ୍ଲାମାନେ, ଅଳସୁଆମାନେ, ଅସମ୍ମତମାନେ ଓ ବିଶ୍ଵାସହୀନମାନେ ଦରବାର ମଣ୍ଡାଇ ଏହି ଭୂଇଁର ଦାରିଦ୍ର୍ୟ ବିଷୟରେ ତୁଳୀତଳ୍ପର କଳ୍ପନାମାନ କରୁଥିବା ସତ, ମାତ୍ର ଅସଲ ପରିବର୍ତ୍ତନ ମୋଟେ ଉପରୁ ହେବ ନାହିଁ, ଅସଲ ପରିବର୍ତ୍ତନ ତଳୁ ହେବ । ନୂତନ ମୂଳଦୁଆ ପକାଇବାକୁ ନୂତନ ନେତୃତ୍ଵର ଆବିର୍ଭାବ ଘଟିବ । ରାଷ୍ଟ୍ରୀୟ ନେତୃତ୍ଵ; କ୍ଷମତାସୀନ ମଣିଷର ନେତୃତ୍ଵ, ଚାଲାଖ ଆତ୍ମକାମୀମାନଙ୍କର ନେତୃତ୍ଵ–ଏସବୁ ଯେ ସତକୁ ସତ ଉପଦ୍ରବଗୁଡ଼ିକୁ ହିଁ ଅଧିକ ଘଟାନ୍ତି ଓ ମଣିଷର ଅସଲ ପରିବର୍ତ୍ତନ ଗୁଡ଼ିକୁ ଗଡ଼ାଇ ଦେବାରେ ଲାଗିଥାନ୍ତି, ବିଂଶ ଶତାବ୍ଦୀର ପ୍ରଥମ ଦଶକଗୁଡ଼ିକ ସେହି କଥାଟିକୁ ଏକାଧିକ ବାର ପ୍ରମାଣ କରିଦେଇଛି । ଅବଶ୍ୟ ଏକଥା ସତ ଯେ, ରାଷ୍ଟ୍ର ତଥାପି ଏତେବଡ଼ ହୋଇ ମଣିଷର କାନ୍ଧ ଉପରେ ବସିରହିଛି, କ୍ଷମତାସୀନ ଧନାନ୍ଧ ମଣିଷ ପୃଥିବୀରେ ମଣିଷମାନଙ୍କର ଭାଗ୍ୟକୁ ଆପଣାର ଦଉଡ଼ିଗୁଡ଼ାକରେ ବାନ୍ଧି ରଖିବ ବୋଲି ଏବେ ମଧ୍ୟ ଚକ୍ରାନ୍ତ ଲଗାଇଛି । ତାହାରି ଅବିବେକିତା ଫଳରେ ପୃଥିବୀରେ ଖାଦ୍ୟ ଥାଇ ମଧ୍ୟ ଏଠି ଅଧିକରୁ ଅଧିକ ମଣିଷ ଉପବାସ ରହୁଛନ୍ତି, ପୃଥିବୀରେ ଯଥେଷ୍ଟ କର୍ମସଂସ୍ଥାନ ରହିଥିଲେ ମଧ୍ୟ ଅଧିକରୁ ଅଧିକ ମଣିଷ ବେକାର ଓ ଅସହାୟ ହୋଇ ବୁଲୁଛନ୍ତି ଏବଂ ଆହୁରି ଅଧିକ ବିଡ଼ମ୍ବନାର କଥା ହେଉଛି ଯେ, ଏହି ପୃଥିବୀର ଅଧିକାଂଶ ମଣିଷ କୌଣସି ଯୁଦ୍ଧ ନ ଚାହୁଥିଲେ ମଧ୍ୟ ପୃଥିବୀର ସର୍ବାଧିକ ପଇସା, ବଳ ଓ ବୁଦ୍ଧି ଯୁଦ୍ଧ ନିମନ୍ତେ ଖରଚ ହୋଇଛି,–ଘୃଣା, ମିଥ୍ୟା ତଥା ଦୂରତାଗୁଡ଼ାକୁ ଭିଆଇ ରଖିବାରେ ହିଁ ଖରଚ ହେଉଛି । ତଥାପି ପରିବର୍ତ୍ତନ ଅବଶ୍ୟ ହେବ । ସେଥିଲାଗି ଆବଶ୍ୟକ ନୂତନ ନେତୃତ୍ଵର ଅଭିଳଷିତ ଉଦ୍‍ବେଳନଟି ପୁରାତନ ସର୍ବବିଧ ରାଜନୀତି, ରାଷ୍ଟ୍ରନୀତି ଏବଂ କ୍ଷମତାକାମିତାକୁ ପରାଭୂତ କରି ଅନୁଭୂତ ହେବାକୁ ଆରମ୍ଭ କଲାଣି ।

 

ସମଗ୍ର ପୃଥିବୀରେ ଯାହା ହେବାକୁ ଯାଉଛି , ଆମ ଭାରତବର୍ଷରେ ମଧ୍ୟ ତାହାହିଁ ଘଟିବ-। ସେଥିଲାଗି ଯିଏ ଏଠାରେ ଉପଯୁକ୍ତ ଗବାକ୍ଷଗୁଡ଼ିକୁ ଖୋଲିଦେବାର ସୂତ୍ରଟିକୁ ଅକ୍ତିଆର କରିପାରବ, ସେଇ ଆଗାମୀ ଭଵିଷ୍ୟଟି ଲାଗି ଆମକୁ ନେତୃତ୍ଵ ଦେବ । ସେହି ନେତୃତ୍ଵ ସର୍ବପ୍ରଥମେ ଏକ ବିଶ୍ଵସସମ୍ପନ୍ନ ନେତୃତ୍ଵରୂପେ ଆମ ସମସ୍ତଙ୍କ ଲାଗି ଆତ୍ମପ୍ରତ୍ୟୟ ଆଣିଦେବ । ଅର୍ଥାତ୍‍ ସଂସାରଯାକ ସମସ୍ତେ ଅବିଶ୍ଵାସର ସପକ୍ଷରେ ବହି ବହି ଯୁକ୍ତି ବାଢ଼ୁଥିଲେ ମଧ୍ୟ ସିଏ ତଥାପି ବିଶ୍ଵାସର ପକ୍ଷରେ ରହିଥିବ । ସିଏ ଯାହା ହେଉ ବୋଲି କହୁଥିବ, ସର୍ବାଦୌ ସେହିଗୁଡ଼ିକ ଉପରେ ବିଶ୍ଵାସ ରଖିଥିବ । ଅର୍ଥାତ୍‍ ଚତୁର ହେବାକୁ ହିଁ ସିଏ ଜୀବନର ସବୁଠାରୁ ବଡ଼ ପ୍ରମାଦ ବୋଲି ବିଚାର କରୁଥିବ । ଅର୍ଥାତ୍‍ ତା’ ନିଜ ଜୀବନରେ ସିଏ ସତକୁ ସତ ବାଟଟିଏ ପାଇଥିବ । ଅନ୍ୟ ବହୁତଙ୍କ ସହିତ ସମ୍ବନ୍ଧଟିଏ ଯୋଡ଼ି ସତକୁ ସତ ବାଟଟିଏ ଚାଲିବାରେ ସେହି ଅନ୍ୟ ସୁରାଖଟିକୁ ସିଏ ନିଜ ଜୀବନରେ ଶ୍ରଦ୍ଧାର ସହିତ ସ୍ଵୀକାର କରିନେଇ ପାରିଥିବ । କ୍ଷମତାର ଲାଳସା ମଣିଷକୁ ବାଟରୁ ହୁଡ଼ାଇନିଏ, ଅସଲ ସମ୍ବନ୍ଧଗୁଡ଼ିକରୁ ବଞ୍ଚିତ କରି ରଖେ, ଦୈତ୍ୟର ବିବିଧ ବଳ ଆଣିଦିଏ ସତ, ମାତ୍ର ଅସଲ ସଙ୍ଗ ଓ ସଖ୍ୟଗୁଡ଼ିକର କ୍ଷେତ୍ରରେ ଏକାବେଳେକେ ଦରିଦ୍ର କରି ରଖେ, ପାପିଷ୍ଟ କରି ରଖିଥାଏ । ପୃଥିବୀଯାକ ଅନ୍ୟ ସମସ୍ତେ ଅଙ୍କ କଷି ଅମଙ୍ଗ ହୋଇ ବସିବାକୁ ହିଁ ଯୁଗର ପରମଧର୍ମ ପରି ଗ୍ରହଣ କରି ନେଇଥିଲେ ମଧ୍ୟ ପରିବର୍ତ୍ତନର ପକ୍ଷରେ ରହିବାକୁ ହିଁ ନିଷ୍ପତ୍ତି କରିଥିବା ମଣିଷ ତଥାପି ମଙ୍ଗି ପାରୁଥିବ, ନିଜ ପାଖରେ ମଙ୍ଗି ପାରୁଥିବ, କାଳ ପାଖରେ ମଙ୍ଗି କରି ରହିଥିବ,–ମନୁଷ୍ୟ ସଂସାରର ପରବର୍ତ୍ତୀ ନିୟତି ପାଖରୁ ସିଏ କଦାପି ଫାଙ୍କିଦେଇ ପଳାଇ ଯିବାକୁ ଆଦୌ ଇଚ୍ଛା କରୁନଥିବ । କୋଉଠି ସତକୁ ସତ ଭଲ ପାଉଥିଲେ, କୋଉଠି ସତକୁ ସତ ନିମିତ୍ତଟିଏ ହେବାଲାଗି ଜୀବନର ପଥରୂପେ ବାଛି ନେଇଥିଲେ ମଣିଷ ଯେତିକି ରାଜୀ ହୋଇ ରହିଥାଏ, ପରିବର୍ତ୍ତନର ପକ୍ଷରେ ଥିବା ମଣିଷ ସ୍ୱତଃପ୍ରବୃତ୍ତ ଭାବରେ ହିଁ ସେତିକି ରାଜୀ ହୋଇ ରହିଥିବ । ତା’ ନିଜ ଭିତରେ ତା’ର ବନ୍ଧୁଟିଏ ହୋଇ କେହିଜଣେ ବସିଥିବ, ଯାହା ପାଖରେ କି ସିଏ ଅତ୍ୟନ୍ତ ସହଜ ଭାବରେ ଅଙ୍ଗୀକାରବଦ୍ଧ ହୋଇ ରହିଥିବ । ତେଣୁ ବାଧ୍ୟ ହେବାର ଗୋଲାମୀ ଖଟିବାରେ ମୋଟେ କୌଣସି ଅବକାଶ ନ ଥିବ । ଏମିତି ଜଣେ ରାଜୀ ମଣିଷ ଅଳସୁଆ ହେବାକୁ ମୋଟେ ମନ କରିବ ନାହିଁ । ସିଏ ଯେଉଁଠି ହାତ ଦେବ, ସେଠି ସୁନା ଫଳାଇ ପାରବ । ଏହିଭଳି ଲକ୍ଷ୍ମୀମନ୍ତ ମଣିଷମାନଙ୍କ ଲାଗି ହିଁ ଆମ ପୃଥିବୀ ଅପେକ୍ଷା କରି ରହିଛି ।

 

ଅସଲ ଜ୍ଞାନରେ ଏକ ଶକ୍ତି ରହିଛି । ସ୍ଵଭାବଗୋଲାମମାନେ ଯେଉଁ ଜ୍ଞାନକୁ ବିକ୍ରୀ କରି ବଡ଼ ଦୁଶନ୍ତି, ବର୍ତ୍ତମାନର ବର୍ଣ୍ଣହୀନ ପୃଥିବୀରେ ବର୍ଣ୍ଣାଢ଼୍ୟ ଦେଖାଯିବାର କେତେ ଶ୍ରମ କରୁଥାନ୍ତି, ସେହି ଜ୍ଞାନ ମଣିଷକୁ ଅହଙ୍କାରୀ କରେ, ଭିତରେ ଥିବା ଅସଲ ମଣିଷଟିକୁ ଭାରି ନିର୍ମମ ଭାବରେ ଖାଇ ଯାଉଥାଏ । ଅସଲ ସଂଘରେ ମଧ୍ୟ ଅପାର ଶକ୍ତି ରହିଛି । ଯେଉଁ ମେଷମାନେ ସଂସାରରେ ଏକୁଟିଆ ବାଘ ହୋଇ ରହିବେ ବୋଲି ନିଃସଙ୍ଗତାକୁ ହିଁ ଏହି ଯୁଗର ସର୍ବୋତ୍ତମ ଲେହ୍ୟ ବୋଲି କହି ବେପାର କରି ବାହାରିଛନ୍ତି, ସେମାନଙ୍କୁ ଆମେ ମୂଳତଃ ଶକ୍ତିହୀନ ବୋଲି ଜାଣିବା । ଆମେ ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇବା, ସେମାନେ ସ୍ଵ–ଅହଙ୍କାରର ସୁବର୍ଣ୍ଣକୋରଡ଼ ଭିତରୁ ଯଥାଶୀଘ୍ର ମୁକ୍ତିଲାଭ କରି ବାହାରି ଆସନ୍ତୁ ବୋଲି କାମନା କରିବା । ଆଗାମୀ ପୃଥିବୀରେ ଯାବତୀୟ ପରିବର୍ତ୍ତନଶକ୍ତିମାନ ସେହିମାନଙ୍କ ହାତରେ ରହିଛି । ଶ୍ରଦ୍ଧାଶୀଳମାନଙ୍କ ହାତରେ ରହିଛି, ସମ୍ମତମାନଙ୍କ ହାତରେ ରହିଛି । ଆମେ ଅଟଳ ବିଶ୍ଵାସ ସହିତ ନିଜ ଭିତରେ ଓ ପରସ୍ପର ଭିତରେ ସେମାନଙ୍କୁ ଠାବ କରି ବାହାରିବା । ସେମାନଙ୍କ ସହିତ ଖିଅ ଲଗାଇବା । (୧୧ । ୧୧ । ୮୭)

 

(୧୫)

 

ବର୍ତ୍ତମାନ ବିହାର ରାଜ୍ୟରେ ଆମେ ଯାହାକୁ ପାଟନା ବୋଲି କହୁଛୁ ପ୍ରାୟ ଅଢ଼େଇ ହଜାର ବର୍ଷ ତଳେ ତାହାକୁ ହିଁ ପାଟଳିପୁତ୍ର ବୋଲି କୁହାଯାଉଥିଲା । ସେତେବେଳେ ପାଟଳିପୁତ୍ର ଇତିହାସ-ବିଖ୍ୟାତ ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ଥିଲା । ମାତ୍ର ମୌର୍ଯ୍ୟ ସାମ୍ରାଜ୍ୟର ସମଗ୍ର ବିସ୍ତାରଟି ସେତେବେଳେ ଭୌଗୋଳିକ ଭାରତବର୍ଷର ପ୍ରାୟ ସମୁଦାୟ ଆୟତନକୁ ବ୍ୟାପି ରହିଥିଲା ଓ ଉତ୍ତର-ପଶ୍ଚିମ କୋଣରେ ମଧ୍ୟଏସିଆ ଆଡ଼କୁ ମଧ୍ୟ ଅନେକ ବାଟ ପର୍ଯ୍ୟନ୍ତ ମୁହାଁଇ ଯାଇଥିଲା । ଭାରତବର୍ଷର ଦକ୍ଷିଣ ପଟକୁ ମାତ୍ର ଚିତାଏ ଭୂମିକୁ ଛାଡ଼ି ସେତେବେଳେ ଭାରତବର୍ଷ କହିଲେ ମୌର୍ଯ୍ୟ ସାମ୍ରାଜ୍ୟକୁ ହିଁ ବୁଝାଉଥିଲା । ଏହି ସ୍ଥିତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଅଶୋକଙ୍କର ରାଜତ୍ଵ କାଳରେ ବଳବତ୍ତର ରହିଥିଲା । ଯଦି ସେତେବେଳେ ପୃଥିବୀକୁ ଆମ ଏବର ଜାତୀୟତାବାଦର ଯୁଗଟି ଆସି ସାରିଥାନ୍ତା, ତେବେ ସେହି କାଳର ବିହାରୀମାନେ ଆମ ସାମ୍ରାଜ୍ୟ ଏତେବଡ଼ ସାମ୍ରାଜ୍ୟ ବୋଲି କହି ପ୍ରକୃତରେ କେତେ ଗର୍ବ ଓ ଗଉରବ ଅନୁଭବ କରିନଥାନ୍ତେ । ଦୁର୍ଭାଗ୍ୟବଶତଃ ସେତେବେଳେ ସେହି ଯୁଗଟି ଆସି ନ ଥିଲା ଏବଂ ତେଣୁ ସାମ୍ରାଜ୍ୟମାନେ କେବଳ କୌଣସି ସମ୍ରାଟଙ୍କର ଅଥବା ଖୁବ୍‍ ବେଶି ହେଲେ କୌଣସି ସମ୍ରାଟୀୟ ରାଜବଂଶର ହିଁ ଗୌରବର ଧନ ହୋଇ ରହିଥିଲେ । ସମ୍ରାଟ ଅଶୋକଙ୍କ ପରେ ମୌର୍ଯ୍ୟ ସାମ୍ରାଜ୍ୟର ପତନ ଘଟିଥିଲା । ଅର୍ଥାତ୍‍ ସେପରି କୌଣସି ଶକ୍ତିସମର୍ଥ ରାଜା ନ ବାହାରିବାରୁ ସାମ୍ରାଜ୍ୟଟିର ବପୁ କ୍ଷୀଣ ହୋଇ ଆସିଲା, ଏତେବଡ଼ ସାମ୍ରାଜ୍ୟ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଗଲା । ଏକଦା ବିଜିତ ରାଜା ବା ରାଜବଂଶମାନେ ଏକ ଉତ୍ତମ ସୁଯୋଗ ନେଇ ନିଜ ନିଜର ସ୍ଵାଧୀନତା ଘୋଷଣା କଲେ ଏବଂ ମୌର୍ଯ୍ୟ ସାମ୍ରାଜ୍ୟରୁ ବାହାରିଗଲେ । ପାଟଳିପୁତ୍ରକୁ ରାଜଧାନୀ କରିଥିବା ବୃହତ୍‌ ମୌର୍ଯ୍ୟ ସାମ୍ରାଜ୍ୟ ପାଟଳିପୁତ୍ରକୁ କେନ୍ଦ୍ର କରି ଏକ କ୍ଷୁଦ୍ର ବୃତ୍ତ ମଧ୍ୟକୁ କ୍ଷୀଣ ହୋଇ ଆସିଲା । ମୌର୍ଯ୍ୟମାନେ ବାହାରରୁ ହିଁ ସମଗ୍ର ଭାରତର ଅଧିକାରୀ ହୋଇଥିଲେ । ସେହି କଥାକୁ ଯଦି କୌଣସି ବିହାରବାସୀ ଏବେ କାରୁଣ୍ୟ କରି ବିହାର ଏକଦା ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ଥିଲା ବୋଲି ବାହୁନି କହେ, ତେବେ ଆମର ଏହି ଉଦ୍ଦୀପ୍ତ ଜାତୀୟତାବାଦର ଯୁଗଟାରେ ମଧ୍ୟ ତାହା ଭାରି ହାସ୍ୟୋଦ୍ଦୀପକ ବୋଲି ମନେହେବ । ଆମ ଇତିହାସ ମଧ୍ୟ ଏପରି ଏକ ବ୍ୟକ୍ତିର ଭୂମିନିଷ୍ଠା ଦେଖି ହସି ହସି ଗଡ଼ିଯିବ ।

 

ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ ଆମ ଖାରବେଳ ପାଟଳିପୁତ୍ର ଆଡ଼କୁ ମାଡ଼ି ଯାଇଥିଲେ-। ପଶ୍ଚିମପଟେ ଉତ୍ତରମୁହାଁ ହୋଇ ମଥୁରାଯାଏ ପହଞ୍ଚି ପାରିଥିଲେ । ନିଜ ସେନାବାହିନୀର ଘୋଡ଼ାମାନଙ୍କୁ ସିଏ ଏକାବେଳେକେ ଗଙ୍ଗାନଦୀରେ ନେଇ ପାଣି ପିଆଉଥିଲେ ବୋଲି ନିଜର କୀର୍ତ୍ତିଗାଥାରେ ସ୍ଵୟଂ ଖୋଦିତ କରାଇ ସେ ପରବର୍ତ୍ତୀ କାଳର ମଣିଷମାନଙ୍କ ଅବଗତି ନିମନ୍ତେ ରଖିଯାଇଛନ୍ତି । ଓଡ଼ିଶାରେ ଗଙ୍ଗବଂଶର ରାଜତ୍ଵକାଳରେ ଦକ୍ଷିଣରେ କଳିଙ୍ଗ ରାଜ୍ୟ ଯୁଦ୍ଧାଭିଯାନରେ ଉତ୍ତରରେ ଉଜ୍ଜ୍ଵଳ ଏବଂ ବାମପାର୍ଶ୍ୱରେ କୋଶଳକୁ ନିଜ ଭୂମିସହିତ ମିଶାଇ ଦେଇଥିଲା । ତିନିଟାଯାକ ଆବୁ ମିଶି ଯେତେବେଳେ ଗୋଟିଏ ବଡ଼ ଆବୁ ହୋଇ ଦେଖାଗଲା, ସେତେବେଳେ ଗଙ୍ଗବଂଶର ବିଜୟୀ ରାଜା କେତେ ମନଖୁସୀରେ ଆପଣାକୁ ସକଳ କଳିଙ୍ଗାଧିପତି ବୋଲି ଘୋଷଣା କଲେ । ସେହି ଗଙ୍ଗମାନେ ମଧ୍ୟ ମୂଳରୁ କଳିଙ୍ଗରେ ବାସ କରୁନଥିଲେ । ସେମାନେ ଆଧୁନିକ କର୍ଣ୍ଣାଟକର ପ୍ରାଚୀନ ଚୋଳବଂଶରୁ ଛିଞ୍ଚାଡ଼ି ହୋଇ ଏଣେ ଚିହିଙ୍କି ଆସିଥିଲେ ଏବଂ କଳିଙ୍ଗ ଜୟ କରିଥିଲେ । ପରବର୍ତ୍ତୀ କାଳରେ ଓଡ଼ିଶାରେ ସୂର୍ଯ୍ୟବଂଶୀମାନେ ସତେଅବା ପାଲଟା ଜବାବର ଦୃଷ୍ଟାନ୍ତ ହୋଇ ଦକ୍ଷିଣକୁ କେତେକୁଆଡ଼େ ମାଡ଼ି ଯାଇଥିଲେ । ମାତ୍ର ଏସବୁ ମହାରାଜାମାନେ କରିଥିଲେ, ସଂପୃକ୍ତ ରାଜବଂଶମାନେ କରିଥିଲେ । ସେତେବେଳେ ଓଡ଼ିଆ ବୋଲି କହିବାକୁ କିଏ ଥିଲା ? ସେବକାଳର ଯୁଦ୍ଧଗୁଡ଼ିକୁ କଳିଙ୍ଗର କିମ୍ବା ଉତ୍କଳର ବୋଲି କହି ଏବର ଜାତୀୟତାବାଦୀମାନେ ଯେତେବେଳେ ଗର୍ବ ଅନୁଭବ କରୁଥିବେ, ସେତେବେଳେ ବିଚରା ଇତିହାସ ସେମାନଙ୍କଠାରୁ ବହୁଦୂରରେ ଛିଡ଼ା ହୋଇ କେବଳ ହସୁନଥିବେ ତ ଆଉ କ’ଣ କରୁଥିବ ? ଓଡ଼ିଶାର କେତେକ ରାଜବଂଶ ଅମଳରେ କେତେକ ରାଜାଙ୍କର ରାଜ୍ୟ ବିଜୟ ଫଳରେ ତତ୍କାଳୀନ ରାଜ୍ୟସୀମା ଉତ୍ତରରେ ଗଙ୍ଗାନଦୀଠାରୁ ଦକ୍ଷିଣରେ ଗୋଦାବରୀ କିମ୍ବା ଆହୁରି ଆଗକୁ ଅବଶ୍ୟ ବିସ୍ତାରିତ ହୋଇ ରହିଥିଲା ଏବଂ ରାଜ୍ୟମାନେ ହତବଳ ହୋଇ ଆସିବା ସଙ୍ଗେ ସଙ୍ଗେ ସେହି ସୀମାଗୁଡ଼ିକ ମଧ୍ୟ ସଙ୍କୁଚିତ ହୋଇ ଆସୁଥିଲା । ତେଣୁ ସେଠାରୁ ଏଠା ପର୍ଯ୍ୟନ୍ତ ଆମ ଓଡ଼ିଆମାନଙ୍କର ଭୂମି ଥିଲା ବୋଲି ଆମେ ଯେତେ ନାକ ଫୁଲାଇ ଓ ଆଖି ଓଦା କରି କହିଲେ ମଧ୍ୟ ତାହାର ଆଉ କାହିଁକି କୌଣସି ଇତିହାସଗତ ତାତ୍ପର୍ଯ୍ୟ ରହିବ ? ଏକଦା ମରାଠୀମାନେ ଓଡ଼ିଶା ସମେତ ଭାରତବର୍ଷର କେତେବଡ଼ ଏକ ଅଞ୍ଚଳକୁ ଦଖଲ କରି ନେଇଥିଲେ । ମହାରାଷ୍ଟ୍ରର ତଥାକଥିତ ଜାତୀୟତାବାଦୀମାନଙ୍କ ଆଖିରେ ସେମାନେ ହୁଏତ ଏବେ ମଧ୍ୟ ମହାବଳୀ ଏବଂ ମହାବୀର ପରି ଦିଶୁଥିବେ, ମାତ୍ର ସେମାନଙ୍କର ଯାବତୀୟ ଦୃଷ୍ଟତାକୁ ଭୋଗ କରିଥିବା ଏଠି ଓଡ଼ିଶାର ଅନେକ ଲୋକଙ୍କ ସକାଶେ ସେମାନେ ବର୍ଗା ବା ଅତ୍ୟାଚାରୀ ରୂପରେ ପରିଚିତ ହୋଇ ରହିଛନ୍ତି । ଡେନ୍‌ମାର୍କ ଓ ନରଓୟେର ପ୍ରାଚୀନ ଭାଇକିଙ୍ଗ୍‍ମାନଙ୍କୁ ସେହି ଦେଶଗୁଡ଼ିକରେ କେତେକ ଲୋକ ହୁଏତ ଏବେ ମଧ୍ୟ ସାହସୀ ବୀର ବୋଲି କହିବାକୁ ମନ କରିବେ, ତଥାପି ଭାଇକିଙ୍ଗ୍‍ମାନେ ଯେତେବେଳେ ଯେଉଁଠାକୁ ପୋତ ବାହି ଯାଇଥିଲେ, ସେଠାରେ କେବଳ ଦସ୍ୟୁରହି ଅନାଚରଣମାନ କରିଥିଲେ । ଆମ ଓଡ଼ିଶାରେ ସେ କାଳର ଜଗନ୍ନାଥଙ୍କର ଆଦ୍ୟସେବକ ବୋଲାଉଥିବା ଯେଉଁ ପୁରୁଷୋତ୍ତମ ରାଜା ଦକ୍ଷିଣକୁ କନ୍ୟାଜୟ କରିବାଲାଗି ଯାଇଥିଲେ, ତାଙ୍କର ବୀରତ୍ଵକୁ ସ୍ମରଣ କରି ଏବେ ମଧ୍ୟ ଓଡ଼ିଶାର କେତେ ମଣିଷ ଛାତି ଭିତରେ ସତେଅବା ଘୋଡ଼ାମାନେ ଟପ୍‍ଟପ୍‍ କରି ଚାଲି ଯାଉଥିବା ପରି ଅନୁଭବ କରୁଥିବେ, ମାତ୍ର ସେତେବେଳେ କାଞ୍ଚି ରାଜ୍ୟରେ ସିଏ ପ୍ରକୃତରେ କ’ଣ ବୋଲି ପରିଚିତ ହୋଇଥିବେ ? ଗୋଟିଏ ରାଜ୍ୟର ବୀର ଯେ ଆଉ ଗୋଟିଏ ରାଜ୍ୟରେ ନିତାନ୍ତ ଦସ୍ୟୁ ବୋଲି ପରିଚିତ ହୋଇଛନ୍ତି, ପୃଥିବୀର ଇତିହାସରେ ତାହାର ଭୁରି ଭୁରି ଦୃଷ୍ଟାନ୍ତ ରହିଛି ।

 

ଏକଦା ରୁଷିଆ ବିଜୟରେ ଥାଟ ଧରି ଯାଇଥିବା ଫରାସୀ ସମ୍ରାଟ ନେପଲିୟନ୍ ଏବେ ମଧ୍ୟ ଫ୍ରାନ୍‍ସ ଦେଶରେ ବହୁ ଅଧିବାସୀଙ୍କ ପାଖରେ ଜଣେ ଅନନ୍ୟସାଧାରଣ ବୀର ହୋଇ ଦେଖା ଯାଉଥିବେ, ମାତ୍ର ରୁଷିଆର ଲୋକେ ତାଙ୍କୁ ହୁଏତ ମୁଖ୍ୟତଃ ଜଣେ ଅସ୍ଵାଭାବିକ ମହତ୍ତ୍ଵାକାଂକ୍ଷା–ସମ୍ପନ୍ନ କ୍ରୂର ଆକ୍ରମଣକାରୀ ରୂପେ ହିଁ ଦେଖୁଥିବେ । ସେଠି ପାଠଶାଳାରେ ପିଲାମାନେ ତାଙ୍କୁ ଇତିହାସ ବହିମାନଙ୍କରେ ଠିକ୍‍ ସେହିପରି ଭାବରେ ପଢ଼ୁଥିବେ । ଭାବ ଏବଂ ଭାବପ୍ରବଣତା ମଧ୍ୟରେ ଫରକ ହେଉଛି ଏଇଠି । ଭାବପ୍ରବଣତା ସର୍ବତ୍ର ଏକ ଆଇନା ଦେଇ ଦେଖେ, ନିଜକୁ ଭଲ ଲାଗୁଥିବା ଅନ୍ୟ ରଙ୍ଗଟିଏ ଦେଇ ଯଥାସମ୍ଭବ ଏକ ମିଛମଣ୍ଡନ ସହିତ ସବୁକଥାକୁ ଦେଖିବା ଲାଗି ଭାରି ମନ କରୁଥାଏ । ଅସଲ ଭାବ ଅନ୍ତର ଭିତରୁ ଦେଖେ, ଅନ୍ତର ଭିତରକୁ ଦେଖିପାରେ, ଅଙ୍ଗୀକାରବଦ୍ଧ ହୋଇ ଦେଖେ । ତେଣୁ ଇତିହାସରୁ ଯଥାର୍ଥ ପ୍ରେରଣାଗୁଡ଼ିକୁ ପାଇବାଲାଗି ସମର୍ଥ ମଧ୍ୟ ହୁଏ । ଆପଣାର ଇତିହାସକୁ ସିଏ ତା’ର ବର୍ତ୍ତମାନ ନିମନ୍ତେ ଏକ ଆହ୍ଵାନ ରୂପେ ଗ୍ରହଣ କରେ । ସିଏ ଅତୀତରୂପୀ ବୃହତ୍‍ ପାଉଁଶ ଗଦାଟି ଭିତରୁ ଯଥାର୍ଥ ଅଗ୍ନି କଣାଗୁଡ଼ିକୁ ସଂଗ୍ରହ କରିନେଇ ପାରେ । ଭାବପ୍ରବଣତା ମଣିଷକୁ ବହୁ ମିଛ ଉତ୍ସାହର ଫନ୍ଦା ଭିତରେ ବାନ୍ଧି ରଖେ ଓ ତେଣେ ଗ୍ରହଣଶୀଳତା ଏବଂ କ୍ରିୟାଶୀଳତାର ଅସଲ ଘରଗୁଡ଼ିକରେ ତାକୁ ଭାରି ଜଡ଼ କରି ରଖିଥାଏ । ଗୋଟିଏ ଦୃଷ୍ଟିରୁ ଦେଖିଲେ ତାକୁ ଭାରି ଇର୍ଷାପରାୟଣ କରି ରଖିଥାଏ । ଅନ୍ୟକୁ ଇର୍ଷା କରି, ଆଉମାନଙ୍କୁ ନିଜଠାରୁ ଛୋଟ ବୋଲି ଦେଖାଇ ହୋଇ ନିଜକୁ ବଡ଼ ବୋଲି ଅନୁଭବ କରିବା–ଏକ ଅସୁନ୍ଦର ଜୀବନ ଲାଗି ଏହା ଚିରକାଳ ଅନେକ ମଣିଷଙ୍କ ସକାଶେ ଏକ ଚମତ୍କାର ଶୈଳୀରୂପେ କାର୍ଯ୍ୟ କରି ଆସିଛି । ଜାତୀୟତାବାଦ ଏହି ଶୈଳୀଟିକୁ ଭାରି ପ୍ରଶ୍ରୟ ଦେଇଛି, ମଣିଷକୁ ବାଉଳା କରି ରଖୁଥିବା ବହୁ ମିଛ ପ୍ରତୀତିକୁ ଭାରି ପ୍ରଶ୍ରୟ ଦେଇ ଆସିଛି । ଅନ୍ୟକୁ ଛୋଟ ବୋଲି ପ୍ରମାଣିତ କରି ନିଜକୁ ବଡ଼ ବୋଲି ଅନୁଭବ କରିବାରେ ଅସୁନ୍ଦର ଶୈଳିଟିକୁ ଆଦରି ରହିଥିବା ଅସୁନ୍ଦର ମଣିଷଟି ଭିତରେ କୋଉଠି କି ଜଘନ୍ୟ ଓ ଦୟନୀୟ ହୀନମନ୍ୟତାଟିଏ ସତେଅବା ବସା ବାନ୍ଧି ଅଥବା ଖନ୍ଦ ଖୋଳି ରହିଥାଏ କେଜାଣି, ବାହାରକୁ ସତେଅବା ଏକ ଅନ୍ତଗର୍ତ ପ୍ରୟୋଜନ ଦ୍ଵାରା ବାଧ୍ୟ ହୋଇ ସେହି କାରଣରୁ ସିଏ ଭାରି ଉଗ୍ର ହୁଏ, ଭାରି କୋଳାହଳ କରେ । ଆମ ପୃଥିବୀରେ ଏହି ଭାବପ୍ରବଣ ଓ ହୀନମନ୍ୟ ମଣିଷମାନେ ହିଁ ସଚରାଚର ସବୁଠାରୁ ଅଧିକ କୋଳାହଳ କରି ଆସିଛନ୍ତି । ଏବେ ମଧ୍ୟ କିଛି କମ୍‍ କରୁନାହାନ୍ତି । ଗନ୍ଧିଆ ଭାବପ୍ରବଣ ଜାତୀୟତାବାଦ ପୃଥିବୀରେ ହୁଏତ ସବୁଠାରୁ ଅଧିକ କୋଳାହଳ କରି ଆସିଛି । ବହୁ କ୍ଷୁଦ୍ରତାକୁ ଘଣ୍ଟଘୋଡ଼ାଇ ରଖିଛି, ବହୁ ଦୂରତାକୁ ଆଖି ବୁଜି ଦେଇଛି । ଅସଲ ଅନ୍ତରଙ୍ଗତାଗୁଡ଼ିକୁ ସତେଅବା ଜାଣିଶୁଣି ଉପେକ୍ଷା କରିଆସିଛି ।

 

ଆମ ଘରେ ଆମ ପିଲାମାନଙ୍କୁ ଆମେ ଆଉ କେତେକାଳ ପର୍ଯ୍ୟନ୍ତ ଗଙ୍ଗା ଗୋଦାବରୀ ଆଦିର ଉଲୁଗୁଣା ଦେଇ ଭାବପ୍ରବଣ କରି ରଖିବାର ଚେଷ୍ଟା କରୁଥିବା ? ଆମେ ପ୍ରାୟ ଆଦୌ କୌଣସି ଅଙ୍ଗୀକାରବଦ୍ଧତା ନଥିବା ବୟସ୍କମାନେ ଆଉ କେତେଦିନ ଯାଏ ଏହି ଆପଣାଗୃହ ରୂପକ ଭୂମିଟିରେ ବହୁବିଧ ହୀନମନ୍ୟତା ଓ ଇର୍ଷାପରାୟଣତାର ବୀଜକୁ ବପନ କରି ରଖିବାର ଅବର୍ଜିଆ ଫନ୍ଦିଗୁଡ଼ାକୁ କରିବାରେ ଲାଗିଥିବା ? ପ୍ରାୟ ଶହେବର୍ଷ ତଳେ ଦୁର୍ଭାଗ୍ୟବଶତଃ ଓଡ଼ିଶାକୁ ଜାତୀୟତାବୋଧର ସେହି ଉନ୍ମେଷକାଳରେ ଯେଉଁ ଦରବାରିଆ ନେତୃତ୍ଵ ମିଳିଥିଲା, ସେଥିରେ ଏକ ହୀନମନ୍ୟତା ହିଁ ସବୁଠାରୁ ବଡ଼ ପ୍ରକୋପରୂପେ ତାହାକୁ ପ୍ରକୃପିତ କରି ରଖିଥିଲା । ଆପଣାକୁ ଚିହ୍ନିବା, ଆପଣାର ସମୁଦାୟ ସମଗ୍ରଟିକୁ ସତକୁ ସତ ଏକ ଅଙ୍ଗୀକାରଯୁକ୍ତ ଶ୍ରଦ୍ଧା ଦ୍ଵାରା ଗ୍ରହଣ କରିନେଇ ପାରିବା ଅପେକ୍ଷା ଅନ୍ୟମାନଙ୍କ ସହିତ ଆପଣାଙ୍କୁ ତୁଳନା କରି ନାନାଭାବେ ଇର୍ଷାନ୍ଵିତ ହୋଇ ରହିବା ଓ ସହରର କେତେଟା ଉପରଆଡ଼ିଆ ଉଦ୍ୟମର ମାଧ୍ୟମରେ ପଡ଼ୋଶୀମାନଙ୍କୁ ଟପିଯିବାର ଏକ ଅସୁସ୍ଥ ମନ୍ଦୋତ୍ସାହ ହିଁ ସେତେବେଳେ ନେତୃତ୍ଵର ସବାବଡ଼ ନାହୁଡ଼ ହୋଇ ରହିଥିଲା । ସେହି ନାହୁଡ଼ର ଦଂଶନ ଫଳରେ ଆମେ ନିଜର ଡିହଗୁଡ଼ାକ ଉପରେ ନିଜ ଆଖିରେ ସତେଅବା କେଡ଼େ ବୃହତ୍ ଓ କେଡ଼େ ଉନ୍ନତ୍ତ ହୋଇ ଦିଶିଲା, ମାତ୍ର ଆପଣାର ଜୀବନପ୍ରସ୍ଥ ଏବଂ ଶ୍ରଦ୍ଧାଗୁଡ଼ିକର କ୍ଷେତ୍ରରେ କେତେ କ୍ଷୁଦ୍ର ଏବଂ ଅଳପ ହୋଇ ରହିଗଲୁ । ସେହି ଅସୁସ୍ଥତା ଓଡ଼ିଶାକୁ ଏବେ ମଧ୍ୟ ଅବଚେତନାରେ ଗ୍ରାସ କରି ରହିଛି ଓ ବେଳେବେଳେ ପଦାକୁ ମଧ୍ୟ ବାହାରି ଆସୁଛି । ଆମ ସାହିତ୍ୟ, ଆମ ସମାଜଚିନ୍ତନ ଓ ଆମର ଭବିଷ୍ୟସମ୍ବନ୍ଧୀ ପରିମାଣ ଗୁଡ଼ିକୁ ମଧ୍ୟ ତାହାର ପ୍ରାଦୁର୍ଭାବ ସହ୍ୟ କରିବାକୁ ପଡ଼ୁଛି । ଓଡ଼ିଶା କହିଲେ ଯେ ଅନ୍ତତଃ ବର୍ତ୍ତମାନ ଓଡ଼ିଶା ବୋଲି କୁହାଯାଉଥିବା ଭୂମିରେ ବାସ କରୁଥିବା ସବୁ ମଣିଷଙ୍କର ଜୀବନଭାଗ୍ୟକୁ ବୁଝାଏ, ବହୁ ସ୍ଵାର୍ଥ ଭିତରକୁ ଲୋସଡ଼ି ପଡ଼ିଥିବା ଆମର ଭାବପ୍ରବଣତାଗୁଡ଼ାକ ସେତିକି କଥାକୁ ସ୍ଵାଭାବିକ ଭାବରେ ସ୍ଵୀକାର କରିନେବାକୁ ଏବେ ମଧ୍ୟ ରାଜି ହୋଇ ପାରିନାହିଁ । ଆମ ଘରେ ସେହି କାରଣରୁ ଇର୍ଷାପରାୟଣତା ବାବୁ ହୋଇ ବସିଛି, ବହୁ କିସମର ଭାବପ୍ରବଣତା ବାବୁ ହୋଇ ବସିଛି, ଅର୍ଥାତ୍, ହୀନମନ୍ୟତା ହିଁ ସବୁ ବାବୁଙ୍କ ଭିତରେ ସବାବଡ଼ ବାବୁ ହୋଇ ବସି ରହିଛି । ଏହି ଭୂଇଁରେ ବହୁ ସୁସ୍ଥ ପାରସ୍ପରିକତାର ସମ୍ଭାବନାକୁ ଅତ୍ୟନ୍ତ ଦୟନୀୟ ଭାବରେ ହତ୍ୟା କରିବାରେ ଲାଗିଛି । ଗଙ୍ଗା ଗୋଦାବରୀର ଭୁରୁଡ଼ ମାରି ଏଠି ଆମେ ଆମର ବର୍ତ୍ତମାନ ଗୁଡ଼ାକୁ ଭାରି ଫାଙ୍କି ଦେବାରେ ଲାଗିଛୁ-। ଏହାଦ୍ଵାରା ଅଳପ ମଣିଷ ବହୁତ ମଣିଷଙ୍କୁ ଫାଙ୍କି ଦେବାରେ ଓ ତଥାପି ମହତ୍‍ଜନ ରୂପେ ସ୍ଵୀକୃତି ହେବାରେ ଭାରି ପ୍ରଶ୍ରୟ ପାଉଛନ୍ତି ।

 

ଓଡ଼ିଆ ଭାଷା ହେଉଛି ଓଡ଼ିଶାର ବା ଓଡ଼ିଆମାନଙ୍କର ସର୍ବପ୍ରଥମ ସନ୍ତକ । ଆମ ମହାଜ୍ଜନମାନେ ଗତ ଗୋଟିଏ ଶତାବ୍ଦୀ ଧରି ଓଡ଼ିଆ ଭାଷାକୁ ଯେପରି ବ୍ୟବହାର ଦେଖାଇ ଆସିଛନ୍ତି, ଆମେ ଇଚ୍ଛା କଲେ ସେହି କଥାଟିର ବି ଏକ ସ୍ଵତନ୍ତ୍ର ଆଲୋଚନା କରି ପାରୁଥାନ୍ତେ । ଏହି ସନ୍ଦର୍ଭରେ ଆମ ଉତ୍କଳଗୌରବ, ଉତ୍କଳମଣି, ଉତ୍କଳକେଶରୀ ଓ ସେମାନଙ୍କ ସହିତ ବହୁ ଶତାଧିକ ଉତ୍କଳଶଶକ ମାନଙ୍କର ନିଜର ମଧ୍ୟ ସମ୍ମୁଖରେ ରହିଛି । ଉତ୍କଳଗୌରବ ଓଡ଼ିଆରେ କବିତା ଲେଖୁଥିଲେ ସତ, ମାତ୍ର କେବେ ଓଡ଼ିଆ କହୁନଥିଲେ । ଉତ୍କଳମଣି ତାଙ୍କର ସମକାଳୀନ ଓଡ଼ିଆ ମୁଣ୍ଡମାନଙ୍କ ପାଖକୁ ବହୁସଂଖ୍ୟକ ଚିଠି ଓଡ଼ିଆରେ ନୁହେଁ, ଇଂରାଜୀରେ ହିଁ ଲେଖିଛନ୍ତି । ଆପଣାର ଡାଏରୀଟିକୁ ମଧ୍ୟ ସିଏ ନିଷ୍ଠାପର ଭାବରେ ଇଂରାଜୀରେ ଲେଖିଛନ୍ତି । ପୁରୁଣା ସିନ୍ଦୂକ ସବୁ ଖୋଲିବା ସଙ୍ଗେ ସଙ୍ଗେ ଆମ ଆଗରେ ସେହି ତଥ୍ୟସବୁ ଉଦ୍‍ଘାଟିତ ହୋଇଯିବାରେ ଲାଗିଛି-। ଓଡ଼ିଶାରେ ଜାତୀୟ କଂଗ୍ରେସର ମହାମାର୍ଜାରମାନେ ପରସ୍ପର ପାଖକୁ ଓଡ଼ିଆରେ ନୁହେଁ, ବହୁତର କ୍ଷେତ୍ରରେ ଇଂରାଜୀ ଭାଷାରେ ହିଁ ଚିଠି ଲେଖିଛନ୍ତି । ସେହି ପ୍ରହସନ ଏବେ ମଧ୍ୟ ଚାଲିଛି । ଆଧୁନିକ ଓଡ଼ିଆ ଗଳ୍ପ ଓ ନାଟକରେ ଅନ୍ତତଃ ଅଧପେଟେ ଇଂରାଜୀ ଶବ୍ଦ ନ ପଶିଲେ ଏବେ ସତେଅବା ମୋଟେ ଶୋଭା ଦିଶୁନାହିଁ । ଆମ ରାଜ୍ୟର ହାଇସ୍କୁଲମାନଙ୍କରେ ଓଡ଼ିଆ ପଢ଼ାଉଥିବା ଶିକ୍ଷକମାନଙ୍କର ଯାହା ଦଶା, ଓଡ଼ିଶା ରାଜ୍ୟରେ ଓଡ଼ିଆ ଭାଷାର ଦଶା ପ୍ରାୟ ସେହିପରି ହୋଇଛି । ତେଣେ ଗଙ୍ଗା ଗୋଦାବରୀ ବିଷୟରେ ସଭାମାନଙ୍କରେ ହୁରି ପଡ଼ିଛି । କୋଉଦିନ ଆମ କବିତା ଭିତରକୁ ମଧ୍ୟ ଯେ ଇଂରାଜୀ ଶବ୍ଦମାନେ ଆସିଯିବେ, ହୁଏତ ସେହି ଦୁଃସମୟଟିର ଅପେକ୍ଷା ରହିଛି-। ଓଡ଼ିଆ ଭାଷାର ଆଦୌ କୌଣସି ଭବିଷ୍ୟତ ନାହିଁ ବୋଲି ପୂର୍ଣ୍ଣ ହୃଦ୍‍ବୋଧ ହୋଇ ଯାଇଥିବା ପରି ବୀର ଓ ଅଗ୍ରଗାମୀ ଓଡ଼ିଆମାନେ ଜଗତପୁରଠାରୁ ଜଗତସିଂହପୁର ପର୍ଯ୍ୟନ୍ତ ଏଣିକି ଇଂରାଜୀ ମାଧ୍ୟମର ବିଦ୍ୟାଳୟ ବସାଇ ଆମ ପିଲାଙ୍କୁ ପ୍ରଥମରୁ ହିଁ ସେଥିଲାଗି ମଣ କରି ମାରା କରିଦେବାର ମସୁଧା କଲେଣି । ଆଉ ଗୋଛାଏ ମଣିଷ ଭାରି ପ୍ରେମରେ ସଂସ୍କୃତିକୁ ହିଁ ଲୋକଭାଷା ବୋଲି କହିଲେଣି ଏବଂ ସଂସ୍କୃତନାମ୍ନୀ କନ୍ୟାଲାଗି ସରକାରୀ ବରମାନଙ୍କୁ ଖୋଜି ଆଣି ଆନ୍ଦୋଳନ କରି ବାହାରିଲେଣି । ଓଡ଼ିଆ ପାଇଁ କହିବାକୁ ଘର ଗୋଟାକରେ ସତେଅବା କେହି ନାହାନ୍ତି ।

 

ଯଥାର୍ଥରେ ଭୂମିସଚେତନ ଯେକୌଣସି ମଣିଷ ଲାଗି ଭୂମି ଅତୀତରେ ନ ଥାଏ, ତାହା ଚତୁଷ୍ପାର୍ଶ୍ଵସ୍ଥ ବର୍ତ୍ତମାନ ଭିତରେ ରହିଥାଏ, ସମ୍ମୁଖସ୍ଥ ଭବିଷ୍ୟତ ମଧ୍ୟରେ ରହିଥାଏ । ବର୍ତ୍ତମାନର ବହୁ ଅପୂର୍ଣ୍ଣତା ମଧ୍ୟରେ ଜନ୍ମଲାଭ କରୁଥିବା ଏକ ଅନ୍ତର୍ଗତ ଅସନ୍ତୋଷ ଦ୍ଵାରା ହିଁ ସେହି ଭୂମିସଚେତନତା ସତେଅବା ଜୀବନ୍ୟାସ ଲାଭ କରୁଥାଏ ଏବଂ ଭବିଷ୍ୟତର ଏକ ପୂର୍ଣ୍ଣତର ଜୀବନଚିତ୍ର ତାକୁ ସେହି ସଚେତନତା ପାଖରେ ଅଙ୍ଗୀକାରବଦ୍ଧ କରି ରଖିଥାଏ । ଅତୀତର ଓଡ଼ିଶା ଉତ୍ତରରେ ଗୋବି ମରୁଭୂମିଠାରୁ ଦକ୍ଷିଣରେ ଲଙ୍କାହ୍ରଦ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଥିବାର ମିଛକୋପନଯୁକ୍ତ ବିବରଣୀମାନ ଶୁଣି ଆମେ ଯଦି ତାହାରି ମଧ୍ୟରେ ଚନ୍ଦନଚର୍ଚ୍ଚିତ ହୋଇ ବସିଯିବା ଓ ପରସ୍ପରକୁ ଟିହାଇ ରଖିବାକୁ ଜାତୀୟତାବୋଧ ବୋଲି କହୁଥିବା, ତେବେ ଆମର ବର୍ତ୍ତମାନର ଓଡ଼ିଶାଟିକୁ ଆମେ ମୋଟେ ଦେଖି ପାରିବାନାହିଁ । ସମ୍ମୁଖର ଓଡ଼ିଶାଟିକୁ ଦେଖିପାରିବା ତ ଅଧିକ ଦୂରୁହ ବ୍ୟାପାର ଏବଂ ବର୍ତ୍ତମାନ ତଥା ସମ୍ମୁଖସ୍ଥ ଓଡ଼ିଶା ପ୍ରତି ରହିଥିବା ଆମର ଯଥାର୍ଥ ଅଙ୍ଗୀକାରବଦ୍ଧତା ଗୁଡ଼ିକୁ ଏକ ସତ ଆନ୍ତରିକତା ସହିତ ଠଉରାଇ ନେଇ ପାରିବା ତ ଆହୁରି ଅଧିକ କଷ୍ଟକର କଥା । ଆମର ପିଲାମାନେ ଆମ ଭୂମିଟି ବିଷୟରେ ଯଦି ସେହି ଅନ୍ୟ ସଚେତନାଟିକୁ ଅର୍ଜନ କରିପାରିବେ, ତେବେ ଗତ ଗୋଟାଏ ଶତାବ୍ଦୀ ଧରି ଏହି ଭୂମିରେ ବାସ କରୁଥିବା ମଣିଷମାନଙ୍କର ଯେଉଁ ଶକ୍ତିକୁ ଗୁଡ଼ାଏ ମିଛ ଏବଂ ପଳାୟନପନ୍ଥୀ ରାଜସିକତାର ଚକ୍ରାନ୍ତରେ ପାଣି ଫଟାଇ ଦିଆଯାଇଛି, ସେହି ଶକ୍ତିର ପୁନଃସଂଗ୍ରହ ସମ୍ଭବ ହୋଇପାରିବ ଏବଂ ସେତେବେଳେ ଆମେ ଆମର ଅତୀତକୁ ମଧ୍ୟ ଏକ ସହାୟକାରୀ ଉଜ୍ଜ୍ଵଳତା ରୂପେ ଅବଶ୍ୟ କାମରେ ଲଗାଇ ପାରବା । ସେତେବେଳେ ଜାତୀୟତା ନାମକ ଯାବତୀୟ ପ୍ରେରଣାକୁ ଆମେ ଏକାବେଳେକେ ଏକ ଅନ୍ୟ ସଂକଳ୍ପର ସ୍ପଷ୍ଟତା ରହିତ ଦର୍ପଣ ଉପରେ ଦେଖିବାକୁ ଏବଂ ଅନୁଭବ କରିବାକୁ ସମର୍ଥ ହେବା । ଆମଦ୍ଵାରା ଯାହା ସମ୍ଭବ ନ ହେଲା, ସେତେବେଳେ ଆମ ପିଲାମାନେ ତାହାକୁ ସମ୍ଭବ କରିବାଲାଗି ବଦ୍ଧପରିକର ହୋଇ ବାହାରିବେ । ସେମାନେ ଆମକୁ ଅତିକ୍ରମ କରି ଚାଲିଯିବେ । ଆଧୁନିକ ମନୁଷ୍ୟବିତ୍‍ମାନଙ୍କର ମତରେ ଏହି ଅତିକ୍ରମଣ ହେଉଛି ଜଣେ ମନୁଷ୍ୟର ସର୍ବମୂଳ ସୁସ୍ଥତା । ସେହି ସୁସ୍ଥତାଟିକୁ ଅର୍ଜନ କରି ପାରିଲେ ଆମକୁ ଆମର ହି ଛୋଟ ଭୂଇଁଟି ମଧ୍ୟ ପ୍ରକୃତରେ କେତେ ବଡ଼ ଓ କେତେ ଆହ୍ୱାନ ପରିପୂର୍ଣ୍ଣ ହୋଇ ଦେଖାଯିବାକୁ ଆରମ୍ଭ କରିବ । ସେତେବେଳେ ଆମେ ଏହି ଭୂମିଟିକୁ ମୋଟେ ଠକିବାଲାଗି ମନ କରିବା ନାହିଁ । ଆମର ପିଲାମାନଙ୍କୁ ମଧ୍ୟ ଗଙ୍ଗା ଗୋଦାବରୀର ଭୁରୁଡ଼ ଦେଖାଇ ଆମରି ପରି କ୍ଳୀବ କରି ରଖିବାର ଆଦୌ କୌଣସି ଚେଷ୍ଟା କରିବା ନାହିଁ । (୧୮ । ୧୧ । ୮୭)

 

(୧୬)

 

ଦୈବ ଯୋଗରୁ କିମ୍ବା ରାଜନୀତିକ ପରିସ୍ଥିତିଗୁଡ଼ିକର ତାତ୍କାଳିକ ସଂଯୋଗରୁ ଯଦି ଷଢ଼େଇକଳା ଓ ଖରସୁଆଁ ଦୁଇଟିଯାକ ଗଡ଼ଜାତ ଓଡ଼ିଶା ରାଜ୍ୟ ସହିତ କେବେ ମିଶି ଯାଇଥାଆନ୍ତି, ତେବେ ସେଗୁଡ଼ିକ ଏବେ ମଧ୍ୟ ମୋଟେ ଆମର ନାନା ଅସୂୟା ଏବଂ ଆଲୋଚନାର ବିଷୟ ହୋଇ ରହି ନଥାନ୍ତେ । ଯେତେବେଳେ ଭାରତବର୍ଷ ସ୍ଵାଧୀନତା ହାସଲ କଲା, ସେତେବେଳେ ଭାରତବର୍ଷର ପ୍ରାୟ ଛଅ ଶହରୁ ଊର୍ଦ୍ଧ୍ୱ ଗଡ଼ଜାତ ବିଷୟରେ ପୁରୁଣା ମାଲିକଙ୍କ ସହିତ ନୂଆ ମାଲିକମାନଙ୍କର ଆଦୌ କୌଣସି ଚୁକ୍ତି ବା ରାଜିନାମା ହୋଇନଥିଲା । ଗଡ଼ଜାତରେ ରାଜାମାନେ ଥିଲେ । ପ୍ରଜାମାନେ ଅବଶ୍ୟ ଥିଲେ, ମାତ୍ର ବ୍ରିଟିଶ୍‌ ସରକାରଙ୍କ ସହିତ ସେମାନଙ୍କର କୌଣସି ସିଧା ସମ୍ପର୍କ ନଥିଲା । ଗୋଟିଏ ଦୃଷ୍ଟିରୁ ବିଚାର କରି ଏକଥା ମଧ୍ୟ କହିହେବ ଯେ, ମହାମହିମ ବ୍ରିଟିଶ୍‍ ସରକାରଙ୍କ ପାଇଁ ଗଡ଼ଜାତର ରାଜାମାନଙ୍କର ହିଁ ଗଡ଼ଜାତରେ ଯାହାକିଛି ଅସ୍ତିତ୍ଵ ରହିଥିଲା । ଗଡ଼ଜାତର ପ୍ରଜାମାନଙ୍କର କୌଣସି ଅସ୍ତିତ୍ଵ ନ ଥିଲା । ରାଜନୀତିକ କ୍ଷମତା ହସ୍ତାନ୍ତର ସମୟରେ ଭାରତର ପ୍ରାୟ କୌଣସି ଗଡ଼ଜାତର ଶାସକ ଭାରତ ସହିତ ମିଶିବାକୁ ଇଚ୍ଛା କରୁ ନଥିଲେ । ନିଜ ଭବିଷ୍ୟତ ବିଷୟରେ ସେମାନଙ୍କର ବହୁବିଧ କଳ୍ପନା ଓ ଜଳ୍ପନା ରହିଥିଲା । ସ୍ଵାଧୀନତା ପରେ ମଧ୍ୟ ସେମାନେ ତଥାପି ଆପଣା ନିମନ୍ତେ ଅଲଗା ଯୂଥମାନ ବାନ୍ଧି ରହିବେ ଏବଂ ମହାସମୁଦ୍ର ସେପାଖରେ ଥାଇ ମଧ୍ୟ ବ୍ରିଟିଶ୍ ସରକାର ବନ୍ଧୁ ଓ ଭର୍ତ୍ତାରୂପେ ସେମାନଙ୍କର ଅବଶ୍ୟ ରକ୍ଷଣାବେକ୍ଷଣ କରିବେ, ଏପରି ଏକ ଭ୍ରାନ୍ତ ଦମ୍ଭ ବି ସେହି ରାଜାମାନଙ୍କର ରହିଥିଲା । ରାଜାମାନଙ୍କର ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ, ବିଶେଷତଃ ଅସହଯୋଗ ଏବଂ ଆଇନ ଅମାନ୍ୟର ଆନ୍ଦୋଳନରେ ମୋଟେ କୌଣସି ଅବଦାନ ନଥିଲା । ଶିବିଲ ଦୃଷ୍ଟିରୁ ବିଚାର କଲେ ସେମାନେ ବ୍ରିଟିଶ୍‍ ତରଫରେ ଥିଲେ । ମାତ୍ର ଗଡ଼ଜାତମାନଙ୍କରେ ବାସ କରୁଥିବା ପ୍ରଜାମାନେ ଭାରତୀୟ ମୁକ୍ତିଆନ୍ଦୋଳନ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂଶ୍ଳିଷ୍ଟ ହୋଇ ରହିଥିଲେ । ଭାରତୀୟ ମୁକ୍ତି ଆନ୍ଦୋଳନ ମଧ୍ୟ ଗଡ଼ଜାତର ପ୍ରଜା ଆନ୍ଦୋଳନ ସହିତ ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ସଂଶ୍ଳିଷ୍ଟ ହୋଇ ରହିଥିଲା ।

 

ଯେକୌଣସି କାରଣରୁ ହେଉ ପଛକେ, ଷଢ଼େଇକଳା ଓ ଖରସୁଆଁରେ କୌଣସି ଉଲ୍ଲେଖଯୋଗ୍ୟ ପ୍ରଜା-ଆନ୍ଦୋଳନ ନଥିଲା । ହଁ, ଏକ ଓଡ଼ିଆ ଆନ୍ଦୋଳନ ଅବଶ୍ୟ ଥିଲା । ହିନ୍ଦୀଭାଷୀ ଅଣଆଦିବାସୀଙ୍କ ପରି ଓଡ଼ିଆ- ଭାଷା ଅଣଆଦିବାସୀମାନେ ସେହି ଦୁଇଟିଯାକ କରଦରାଜ୍ୟରେ ସଂଖ୍ୟାଲଘିଷ୍ଠ ଥିଲେ । ଆଦିବାସୀମାନେ ହିଁ ସଂଖ୍ୟାଗରିଷ୍ଠ ଥିଲେ । ସେଠା ଓଡ଼ିଆ ଆନ୍ଦୋଳନରେ ଭାରତୀୟ ଜନଗଣଙ୍କର ଏବଂ ତେଣୁ ଷଢ଼େଇକଳା ଓ ଖରସୁଆଁର ଜନଗଣଙ୍କର ରାଜନୀତିକ ମୁକ୍ତି-ଆନ୍ଦୋଳନ ସହିତ କୌଣସି ସମ୍ପର୍କ ନଥିଲା । ବରଂ, ବ୍ରିଟିଶ୍‍ ସରକାରଙ୍କୁ ପ୍ରସନ୍ନ ରଖିପାରିଲେ ହୁଏତ ସିଏ ଓଡ଼ିଆ ଆନ୍ଦୋଳନର ଗୁହାରି ଶୁଣିବେ ବୋଲି ଅନ୍ୟ ଏକ ମିଛ ଭରସା ରହିଥିବାରୁ ଓଡ଼ିଆ ଆନ୍ଦୋଳନ ଆପଣାର ଅନୁଗତ୍ୟର କ୍ଷେତ୍ରରେ ବ୍ରିଟିଶ୍‍ ପକ୍ଷରେ ହିଁ ରହିଥିଲା । ମଜାର କଥା ହେଉଛି ଯେ, ଓଡ଼ିଶାର ଅନ୍ୟ ଚବିଶି ଗଡ଼ଜାତରେ କୌଣସି ଓଡ଼ିଆ ଆନ୍ଦୋଳନ ନଥିଲା । ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ଏକାଠି ମିଶି ଓଡ଼ିଶା ପ୍ରଦେଶ ବା ଓଡ଼ିଶା ରାଜ୍ୟ ଗଠନ କରାଗଲେ ଓଡ଼ିଆ ଗଡ଼ଜାତଗୁଡ଼ିକୁ ମଧ୍ୟ ଯେ ଓଡ଼ିଆ ମୋଗଲବନ୍ଦୀ ଓ ଖାସ୍‍ମାହାଲ ଗୁଡ଼ିକ ସହିତ ମିଶାଇ ଦିଆଯିବ, ଓଡ଼ିଆ ଆନ୍ଦୋଳନର ମଞ୍ଚରେ ସେହି ବିପଜ୍ଜନକ କଥାଟି କେବେ ଶୁଣିବାକୁ ମିଳୁ ନଥିଲା । ଏହି ବିପଦଟିକୁ କଦାପି ଘଟିବାକୁ ଦିଆ ଯିବନାହିଁ ବୋଲି ହୁଏତ ସମ୍ପୃକ୍ତ ପକ୍ଷଦ୍ଵୟ ମଧ୍ୟରେ ଏକ ନୀରବ ବୁଝାମଣା ପ୍ରଥମରୁ ହୋଇ ରହିଥିଲା । ଯେଉଁ ମଞ୍ଚକୁ ସେତେବେଳେ ଉତ୍କଳ ସମ୍ମିଳନୀ ବୋଲି କୁହାଯାଉଥିଲା, ସେଠାରେ ଗଡ଼ଜାତ ତଥା ବଡ଼ ବଡ଼ ଜମିଦାରୀର ରାଜା ଓ ଜମିଦାରମାନେ ସମ୍ପାଦକ ଓ ସଭାପତି ହୋଇ କେତେ କେତେ ଉପରେ ଯାଇ ବସୁଥିଲେ ସତ, ମାତ୍ର ଗଡ଼ଜାତର ପ୍ରଜାମାନେ ସେଠାରେ କେହି ନଥିଲେ । ସେମାନଙ୍କ ଉପରେ ତେଣେ ଯେଉଁ ରାଜାମାନେ ବର୍ବର ଅସଭ୍ୟଙ୍କ ପରି ଅତ୍ୟାଚାର କରୁଥିଲେ, ସେହିମାନେ ଉତ୍କଳ ସମ୍ମିଳନୀର ବକ୍ତୃତାମଞ୍ଚରେ ଓଡ଼ିଆ ସ୍ଵାର୍ଥରେ ବାଚନିକ ପୃଷ୍ଠପୋଷକତା କରୁଥିଲେ । ସେମାନଙ୍କ ସମେତ ଉତ୍କଳ ସମ୍ମିଳନୀର ବହୁ ତୁଙ୍ଗ ନେତାଙ୍କ ଲାଗି ଓଡ଼ିଶାର ଗଡ଼ଜାତ ମାନଙ୍କରେ ଓଡ଼ିଆ ନଥିଲେ, କେବଳ ପ୍ରଜା ରହିଥିଲେ । ପ୍ରଜାମାନେ ରାଜାମାନଙ୍କର ଉଦର ଭିତରେ ରହିଥିଲେ । ରାଜାମାନଙ୍କୁ, ଏପରିକି ଅତ୍ୟାଚାରୀ ରାଜାମାନଙ୍କୁ ଛାଡ଼ି ଉତ୍କଳ ସମ୍ମିଳନୀର ମୋଗଲବନ୍ଦୀ ନେତାମାନେ ଓଡ଼ିଆ ଆନ୍ଦୋଳନ ଚଳି ପାରବ ବୋଲି ସତେଅବା ଆଦୌ କଳ୍ପନା କରି ପାରୁ ନଥିଲେ ।

 

ନିଜର ରାଜ୍ୟମାନଙ୍କରେ ପ୍ରଜାପୀଡ଼ନରେ ପ୍ରାୟ ଯାବତୀୟ ଆଦିମତା ଏବଂ ବୀଭତ୍ସତାର ସୀମା ଟପି ଯାଉଥିବା ରାଜାମାନେ ଏଣେ ମୋଗଲବନ୍ଦୀରେ ଓଡ଼ିଆ ସାହିତ୍ୟର ବି ପୃଷ୍ଠପୋଷକତା କରୁଥିଲେ । ତେଣୁ ସେମାନଙ୍କର ଅର୍ଥକୃପା ପ୍ରାପ୍ତ ନହେଲେ ଏଣେ କବିବର ଓ କବିଶେଖର ମାନଙ୍କର କାବ୍ୟକବିତା ଛାପା ହୋଇପାରୁ ନଥିଲା । ଜଣେ ମହାଅତ୍ୟାଚାରୀ ଜମିଦାର, ଯେଏକି ଉତ୍କଳ ସମ୍ମିଳନୀରେ ସମ୍ପାଦକ ଥିଲେ ଏବଂ ମଝିରେ ଥରେ ତାହାର ସଭାପତି ମଧ୍ୟ ହୋଇଥିଲେ, ସିଏ ଉତ୍କଳମଣିଙ୍କର ସତ୍ୟବାଦୀ ବିଦ୍ୟାଳୟକୁ ପ୍ରାୟ ନିୟମିତ ଅର୍ଥସାହାଯ୍ୟ କରୁଥିଲେ । ରାଜନୀତିକ ସାମାଜିକ ଏବଂ ଶିକ୍ଷାବିକାଶଗତ ସକଳ କ୍ଷେତ୍ରରେ ଓଡ଼ିଶା ଗଡ଼ଜାତର ପ୍ରପୀଡ଼ିତ ପ୍ରଜାମାନେ ଉପକୂଳୀୟ ଏବଂ ବ୍ରିଟିଶ୍‍ଶାସିତ ଅଞ୍ଚଳ ଗୁଡ଼ିକରୁ ବଡ଼ ନିର୍ମମ ଭାବରେ ବିଚ୍ଛିନ୍ନ ହୋଇ ରହିଥିଲେ ମଧ୍ୟ, ବିଚ୍ଛିନ୍ନାଞ୍ଚଳ କହିଲେ ସେତେବେଳେ ବିହାର, ମଧ୍ୟପ୍ରଦେଶ ଏବଂ ମାନ୍ଦ୍ରାଜ ସହିତ ରହି ଯାଇଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ହିଁ ବୁଝାଉଥିଲା । ଓଡ଼ିଆ ଆନ୍ଦୋଳନର ତତ୍‌କାଳୀନ ନେତୃତ୍ଵ ରାଜନୀତିକ ସଚେତନତା ଦୃଷ୍ଟିରୁ ବିଚାର କରି ଦେଖିଲେ ପ୍ରକୃତରେ ଯେ କେତେ ଅଳ୍ପତା ଭିତରେ ବିଚରଣ କରୁଥିଲା ଏବଂ ସେମାନଙ୍କର ଯାବତୀୟ ଚିନ୍ତନ ଓ ବିଶ୍ଳେଷଣ କେଡ଼େ ପୁରୋଦୃଷ୍ଟିଶୂନ୍ୟ ହୋଇ ରହିଥିଲା, ସେକଥା ଭାବିଲେ ସତକୁ ସତ ଭାରି ବିସ୍ମିତ ହେବାକୁ ହୋଇଥାଏ । ସତେଯେପରି ସେମାନେ ଆଗକୁ ପାଦେହେଲେ ଦେଖି ପାରୁ ନ ଥିଲେ । ଅଥବା, ସେମାନେ ଆପଣାର ବର୍ଗସ୍ଵାର୍ଥଗୁଡ଼ିକର ଭୂମିରେ ଏପରି ଏକ–ପ୍ରସ୍ଥଯୁକ୍ତ ହୋଇ ଲାଖି ରହିଥିଲେ ଯେ, ଭାରତବର୍ଷ ଲାଗି ଅପେକ୍ଷା କରି ରହିଥିବା ରାଜନୀତିକ ଭାଗ୍ୟର ଅନ୍ୟ ପ୍ରସ୍ଥଗୁଡ଼ିକୁ ହିସାବକୁ ଆଣିପାରିବା ମଧ୍ୟ ସେମାନଙ୍କର କ୍ଷେତ୍ରଜ୍ଞାନର ବହିର୍ଭୁତ ହୋଇ ରହିଥିଲା ।

 

ଏବେ ଓଡ଼ିଆ ଭାଷାରେ ଓଡ଼ିଶାର ସାଧାରଣ କ୍ଷେତ୍ରରେ କେତେଜଣ ଉଲ୍ଲେଖଯୋଗ୍ୟ ବ୍ୟକ୍ତିଙ୍କର କେତୋଟି ଆତ୍ମଜୀବନୀ ବାହାରିଛି, ଏହି ସନ୍ଦର୍ଭରେ ଆମେ ଯେଉଁଗୁଡ଼ିକୁ ପ୍ରକୃତରେ ଉଲ୍ଲେଖଯୋଗ୍ୟ ବୋଲି କହିପାରିବା । ଜୀବନୀକାରମାନଙ୍କର ଅନ୍ତଃସନ୍ଧି ଭିତରେ କୋଉଠି ସତେ ଅବା କୋଉ ଅପରାଧୀଟିଏ ଲୁଚିକରି ରହିଛି କେଜାଣି, ସେମାନେ ପ୍ରତ୍ୟେକେ ପ୍ରାୟ କୌଣସି ବିଶେଷ କାରଣ ନଥାଇ ମଧ୍ୟ ଷଢ଼େଇକଳା ଏବଂ ଖରସୁଆଁର ପ୍ରସଙ୍ଗଟିର ଉତ୍‍ଥାପନ କରିଛନ୍ତି । ଆପଣା ଜୀବନୀଗ୍ରନ୍ଥରେ ସେଇଟି ଲାଗି ସତେଅବା ଅନୁପାତରୁ ଅନେକ ଅଧିକ ପୃଷ୍ଠା ଦେଇଛନ୍ତି-। ସତେଅବା କୋଉ ବିଚାରାଳୟର ଅଡ଼ା ଭିତରୁ ନିଜକୁ ମୁକ୍ତ କରି ଆଣିବା ଉଦ୍ଦେଶ୍ୟରେ ସେମାନେ, ଏହି ଦୁଇଟି ଗଡ଼ଜାତ ଯେ ଓଡ଼ିଶା ରାଜ୍ୟରେ ନ ମିଶି ବିହାରରେ ରହିଥିଲା, ସେଥିଲାଗି ଏକ ଆରେକୁ ଦୋଷ ଦେଇଛନ୍ତି । “ମୁଁ ଦେଉଳ ଭିତରେ ଥିଲେ ମଧ୍ୟ ଆଦୌ କଦଳୀ ଖାଇନାହିଁ” ର ମୁଦ୍ରାରେ ବଡ଼ କଲବଲ ହୋଇ ନିଜକୁ ଅପରାଧୀର ଗାରଦରୁ ଯେକୌଣସି ମତେ ବାହାର କରି ଆଣିବାକୁ ଭାରି ପ୍ରୟାସ କରିଛନ୍ତି । ସତ କଥା ହେଉଛି, ସେହି ଦୁଇ ଗଡ଼ଜାତର ରାଜାମାନେ ଓଡ଼ିଶା ସହିତ ମିଶିଵାକୁ ଆଦୌ ଆଗ୍ରହୀ ନ ଥିଲେ । ଉପକୂଳ ଇଲାକାର ଓଡ଼ିଆ ଆନ୍ଦୋଳନର ନେତାମାନେ ସେମାନଙ୍କୁ କେତେ ନା କେତେ ମହତ୍ଵ ସହିତ ଦେଖୁଥିଲେ ମଧ୍ୟ ସେମାନେ ଆଗ ରାଜାଥିଲେ, ହୁଏତ ତା’ପରେ ଯାଇ ଓଡ଼ିଆ ଥିଲେ । ଓଡ଼ିଶା ଗଡ଼ଜାତ ଗୁଡ଼ିକର କେତେଜଣ ପ୍ରତ୍ୟୁତ୍ପନ୍ନମତି ରାଜା ସ୍ଵାଧୀନ ଭାରତ ସହିତ ନ ମିଶି ସେମାନଙ୍କର ଏକ ଅଲଗା ଗୋଠ କରି ରହିବେ ବୋଲି ଯେଉଁ ଫିକର କରୁଥିଲେ, ଷଢ଼େଇକଳା ଓ ଖରସୁଆଁରେ ରାଜତ୍ଵ କରୁଥିବା ସେମାନଙ୍କର କୁନି ବିରାଦରମାନେ ମଧ୍ୟ ସେହି ଫିକର ଓ ଫିସାଦ ଭିତରେ ରହିଥିଲେ । ଓଡ଼ିଶାରେ ଅନ୍ୟ ବହୁ ଗଡ଼ଜାତ ପରି ସେହି ଦୁଇ ଗଡ଼ଜାତରେ ଆଦିବାସୀମାନେ ହିଁ ସଂଖ୍ୟାଗରିଷ୍ଠ ଥିଲେ । ମାତ୍ର, ଗଡ଼ଜାତ ଦୁଇଟାକୁ ଯେକୌଣସି ମତେ ନିଜ ଆଡ଼କୁ ଝିକି ନେଇଯିବାକୁ ହକହକ ଦେଉଥିବା ହିନ୍ଦୀଭାଷା ବା ଓଡ଼ିଆଭାଷୀ ନେତାମାନେ ସେମାନଙ୍କୁ ଏକ ଶକ୍ତି ବୋଲି ଗଣା ହିଁ କରୁନଥିଲେ । କେବଳ ଖରସୁଆଁ ବା ଷଢ଼େଇକଳାର ଆଦିବାସୀ ନୁହନ୍ତି, ସେହି ଗୋଟାକଯାକ ଅଞ୍ଚଳରେ ଆଦିବାସୀମାନଙ୍କୁ ଆମ ସ୍ଵାଧୀନତାର ଚାଳିଶିବର୍ଷ ପରେ ମଧ୍ୟ ଯଦି ଯଥାର୍ଥ ଅଭୟ ଦେଇ ମତ ପଚରାଯାଏ, ତେବେ ସେମାନେ ହୁଏତ ଆମ ପଟ କିମ୍ବା ଆର ପଟ କୌଣସି ପଟେ ରହିବାକୁ ମନ କରିବେନାହିଁ । ସେମାନେ ଆପଣା ଲାଗି ଏକ ସ୍ଵତନ୍ତ୍ର ଖଞ୍ଜା ଗଢ଼ି ତାହାରି ଭିତରେ ରହିବାକୁ ଇଚ୍ଛା କରିବେ ।

 

ମାତ୍ର ସିଧା ଅସଲ ପ୍ରଶ୍ନଟି ହେଉଛି, ଷଢ଼େଇକଳା ଓ ଖରସୁଆଁର ଓଡ଼ିଆ ଭାଷାଭାଷୀ ମଣିଷମାନେ ବିହାରରେ ଥାଅନ୍ତୁ ଅଥବା ଆଉ ଯେଉଁ ରାଜ୍ୟରେ ରହିଥା’ନ୍ତୁ, ସେମାନେ ସମସ୍ତେ ଏହି ଗୋଟିଏ ଦେଶ ଭାରତବର୍ଷରେ ହିଁ ଅଛନ୍ତି ଏବଂ ଭାରତବର୍ଷ ଅଛି ବୋଲି ବିହାର ରହିଛି ଅଥବା ଓଡ଼ିଶା ରହିଛି । ଦେଶର ରାଜନୀତିକ ମୁକ୍ତିସଂଗ୍ରାମ ଚାଲିଥିବା ସମୟରେ ଯେଉଁମାନେ ବ୍ରିଟିଶ୍‍ ସରକାରଙ୍କ ପଟେ ରହିଥିଲେ, ଯେଉଁମାନେ ଭାରତବର୍ଷରେ ନଥିଲେ ଓ କେବଳ ବିହାର କିମ୍ବା ଓଡ଼ିଶା ଭିତରେ ରହିଥିଲେ ଏବଂ ଆପଣାର ଅନିଷ୍ଟକାରୀ ଦୂରାଗ୍ରହଗୁଡ଼ାକ ଦ୍ଵାରା ଏଠି ମଣିଷ ମାନଙ୍କୁ ଭଣ୍ଡାଇ ରଖିବାକୁ ଚେଷ୍ଟା କରୁଥିଲେ, ସମ୍ଭବତଃ ସେହିମାନଙ୍କ ଧାତୁ ବା ଉପାଦାନଟି ଏବେ ମଧ୍ୟ ଏହି ଭୂମିରେ କେତେକଙ୍କ ଭିତରେ ଅବଶେଷ ପରି ତଥାପି ବଞ୍ଚି ରହିଛି ଏବଂ ଏବେ ମଧ୍ୟ ମଣିଷମାନଙ୍କୁ ଭଣ୍ଡାଇ ରଖିବାକୁ ଚେଷ୍ଟା କରୁଛି । ସବା ଆଗ ମଣିଷର ଭାଷା ନୁହେଁ, ମଣିଷର ସାହିତ୍ୟ ନୁହେଁ, ସବା ଆଗ ଅର୍ଥାତ ସବା ମୂଳ ସତ୍ୟ ହେଉଛି ଯେ ସିଏ ଖାଇବାକୁ ପାଇବ, ଆପଣାରଶ୍ରମ ଏବଂ ବିଦ୍ୟା ଉପରେ ନିର୍ଭର କରି ସିଏ ନିଜ ଖାଇବାର ଯୋଗାଡ଼ କରିବାକୁ ସମର୍ଥ ହେବ । ତା’ପାଇଁ ମନୁଷ୍ୟଯୋଗ୍ୟ ବାସ ଖଣ୍ଡେ ଅବଶ୍ୟ ରହିଥିବ, ତା’ ପିଲାମାନେ ଦେଶର ଅନ୍ୟ ଯେକୌଣସି ପିଲାଙ୍କ ପରି ପାଠ ପଢ଼ିବାର ସୁଯୋଗ ପାଉଥିବେ । ସିଏ ଆଦୌ କାହାରି ଦୟାର ପାତ୍ର ହେବ ନାହିଁ, ନିଜର ଦେଶରେ ତାକୁ ସତେ ଅବା ତୃତୀୟ କିମ୍ଵା ଚତୁର୍ଥ ଶ୍ରେଣୀର ନାଗରିକ ସଦୃଶ ବ୍ୟବହାର ଦେଖାଯିବ ନାହିଁ,–କୌଣସି ମନୁଷ୍ୟ ସହିତ ସତେ ଅବା ମାଟି ଗୋଡ଼ି ପରି ବ୍ୟବହାର କରାଯିବ ନାହିଁ । ଅର୍ଥାତ୍‌ ପ୍ରତ୍ୟେକ ମଣିଷକୁ ମଣିଷର ସମ୍ମାନ ମିଳିବ ଏବଂ ପ୍ରତ୍ୟେକ ମଣିଷକୁ ଉନ୍ନତି ଓ ଅଗ୍ରଗତିର ସମାନ ସୁଯୋଗ ଗୁଡ଼ିକ ମଧ୍ୟ ଉପଲବ୍‌ଧ ହେବ । କୌଣସି ଦେଶ ଯେ ଯଥାର୍ଥରେ ସ୍ଵାଧୀନ ହୋଇଛି, ଏଗୁଡ଼ିକ ହେଉଛି ସେହି ସତ୍ୟଟିର ସର୍ବନିମ୍ନ ପ୍ରତିପାଦକ ଏବଂ ସନ୍ତକ । ଆଗ ଏହି ମୂଳ ସୋପାନଟି ହାସଲ ନ ହୋଇଥିବା ପର୍ଯ୍ୟନ୍ତ କୌଣସି ଦେଶରେ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ସମୃଦ୍ଧି ନାମରେ ଯାହା କିଛି ହେଉଥିବ, ତାହାକୁ ଯେଡ଼େ ନାଟକୀୟ ଶୈଳୀରେ କରାଯାଉ ପଛେକେ ତାହା ପ୍ରଧାନତଃ ବହୁ ବ୍ୟଭିଚାର ଏବଂ ବିଡ଼ମ୍ବନାକୁ ଦୀର୍ଘଜୀବୀ କରି ରଖିବାରେ ହିଁ ସାହାଯ୍ୟ କରୁଥିବ । ଉପରେ କେତେଟା ମଣିଷ ବା କେତେଟା ବର୍ଗ ସାଜ ପିନ୍ଧି ସଇତାନଗିରି କରୁଥିବେ ଏବଂ ତଳେ ଅନେକ ମଣିଷ ଭାଗ୍ୟ ଆଦରି ମେଣ୍ଢା ହୋଇ ରହିଥିବେ । ଏହି ପରିପ୍ରେକ୍ଷୀରେ, ଏହି ମୂଳ କଥାଟି ନିମନ୍ତେ ଗୋଟିଏ ଦେଶର ଉଦ୍ୟମ ତଥା ଅଭିକ୍ରମଗୁଡ଼ିକୁ ନିୟୋଜିତ କରି ରଖି ନପାରିବା ପର୍ଯ୍ୟନ୍ତ ଷଢ଼େଇକଳା ଓ ଖରସୁଆଁ ଓଡ଼ିଶାରେ ରହୁ, ଅଥବା ବିହାରରେ ରହୁ, ସେଥିରେ ଆଦୌ କିଛି ଫରକ ହେବ ନାହିଁ । ଦେଶର ନେତୃତ୍ଵ–“ରାଜନୀତିକ ଏବଂ ଅନ୍ୟ ଯାବତୀୟ କ୍ଷେତ୍ରରେ ନେତୃତ୍ଵ ଲୋକ ଜୀବନର ସେହି ସର୍ବନିମ୍ନ ପ୍ରୟୋଜନଟିକୁ ସବା ଆଗ ପୂରଣ କରିବା ଦିଗରେ ପ୍ରଧାନତଃ ଦାୟିତ୍ଵ ଏଡ଼ି ରହିଯାଇଛି ବୋଲି ଷଢ଼େଇକଳା ଓ ଖରସୁଆଁକୁ ନେଇ ଏତେ ବେଶି ଧନ୍ଦି ହେଉଛି । ଆପଣାର ଅସଲ ଅପାରଗତା ଗୁଡ଼ିକୁ ଲୁଚାଇ ରଖିବାକୁ ଚାଲାଖି କରୁଛି ।

 

ଷଢ଼େଇକଳା ଓ ଖରସୁଆଁ ଯଦି ଦେଶ ସ୍ଵାଧୀନ ହେବା ପରେ ଓଡ଼ିଶା ରାଜ୍ୟରେ ଆସି ମିଶିଥାନ୍ତା, ତେବେ ଅସଲ ଅନ୍ଧାରଗୁଡ଼ିକର କ୍ଷେତ୍ରରେ ସତକୁ ସତ ଆବଶ୍ୟକ ପରିବର୍ତ୍ତନଗୁଡ଼ିକୁ ଘଟାଇବାର ଦୃଷ୍ଟିରୁ ତଦ୍ଦ୍ୱାରା କେଉଁଠାରେ କ’ଣ ଫରକ ହୋଇ ଯାଇଥା’ନ୍ତା ? ଓଡ଼ିଶାର ଅଥବା ବିହାରର ଅଧିକାଂଶ ଅଞ୍ଚଳ ପରି ସେହି ଦୁଇ ଗଡ଼ଜାତ ମଧ୍ୟ ମହାକାନ୍ତାର ହୋଇ ରହିଥାନ୍ତେ । ସେଠାରେ ମରୁଥିବା ମଣିଷମାନେ ପ୍ରକୃତରେ ଅନାହାରରେ ମରୁଛନ୍ତି ଅଥବା ଆଉ ଅନ୍ୟ କୌଣସି କାରଣରୁ ମରୁଛନ୍ତି, ସେହି ବିଷୟ ନେଇ ଅଧିକ ପାରୁଆ ଅସଭ୍ୟମାନେ ଚେହ୍ଲା ରାଜନୀତି କରି ରାଜଧାନୀରେ ଆଲୋଚନା କରୁଥାନ୍ତେ ଓ ବିରାଡ଼ିମାନେ ଦୟାପରବେଶ ହୋଇ ସେଠାରୁ ରିଲିଫ୍‍ ନେଇ ଦୌଡ଼ି ଯାଉଥାନ୍ତେ । ହଁ, ହୁଏତ ଗୋଟିଏ ଜାଗାରେ ଫରକ ହୋଇଥାଆନ୍ତା । ସେହି ଦୁଇ ଗଡ଼ଜାତ ବର୍ତ୍ତମାନ ବିହାରରେ ଥିବାରୁ ସେଠାରେ ଏବେ ହିନ୍ଦୀଭାଷୀମାନଙ୍କୁ ଅଧିକ ସୁବିଧା ମିଳୁଛି ଓ ସେମାନଙ୍କର ପ୍ରତିଦ୍ଵନ୍ଦ୍ୱୀ ଭଳି ଦେଖାଯାଉଥିବା ଓଡ଼ିଆ ମାନଙ୍କୁ ନାନା ପ୍ରକାରେ ଅବହେଳିତ କରି ରଖାଯାଇଛି । ଏବଂ, ସେମାନେ ଓଡ଼ିଶା ଭିତରେ ରହିଥିଲେ, ସେଠାରେ ଓଡ଼ିଆ ଭାଷାଭାଷୀଙ୍କର ସବା ଆଗ ଡାକରା ପଡ଼ୁଥାଆନ୍ତା ଏବଂ ସେମାନଙ୍କର ପ୍ରତିଦ୍ଵନ୍ଦ୍ୱୀ ଭଳି ଦେଖାଯାଉଥିବା ହିନ୍ଦୀଭାଷୀମାନଙ୍କୁ ନାନା ପ୍ରକାରେ ବଞ୍ଚିତ ଓ ଅବହେଳିତ କରି ରଖା ଯାଇଥାଆନ୍ତା ଏବଂ ସେହି ଅଞ୍ଚଳରେ ଯେଉଁମାନେ ପ୍ରକୃତରେ ସଂଖ୍ୟାଗରିଷ୍ଠ ସେମାନଙ୍କୁ ଆଟବିକାର ଅବମାନନାହିଁ ମିଳୁଥାଆନ୍ତା । ସେମାନଙ୍କୁ ଦୟା ଦେଖାଇ ବରାଦ କରାଯାଉଥିବା କୋଟି କୋଟି ଟଙ୍କାରୁ ମଝିରେ ଅଣଆଟବିକମାନେ ଆତ୍ମସାତ କରିନେଉ ଥାନ୍ତେ । ଯେଉଁ ସମାଜରେ ପ୍ରତ୍ୟେକ ମଣିଷକୁ ମଣିଷ ବୋଲି ସ୍ଵୀକାର କରାଯାଇ ନଥାଏ, ସେହିଠାରେ ହିଁ ଅଧିକ ସଂଖ୍ୟକ ଚାଲାଖମାନେ ଅନ୍ୟମାନଙ୍କ ଉପରେ ସବାର ହୋଇ ବସିଥାଆନ୍ତି ଏବଂ ସେହି ଦେଶର ସାହିତ୍ୟ ଓ ସଂସ୍କୃତି ମଧ୍ୟ ସେହି ଅବ୍ୟବସ୍ଥାଟିକୁ ମାନି ନେଇଥାଏ । ବିଷମତାମାନେ ବିଜୟଲାଭ କରିଥାନ୍ତି । ଅସମର୍ଥମାନଙ୍କୁ ଆହୁରି ଅଧିକ ଅସମର୍ଥ କରି ରଖିବାର ବରାଦ ଲାଗି ରହିଥାଏ । ତେଣୁ ଭାରତବର୍ଷର ଉତ୍ସାହ ସବା ଆଗ, ସବା ମୂଳ ସୋପାନରୁ ଆରମ୍ଭ ହେଉ । ମଣିଷମାନଙ୍କୁ ଓଡ଼ିଆ, ବିହାରୀ, ହିନ୍ଦୁ, ମୁସଲମାନ, କଟକୀ ଓ ସମ୍ବଲପୁରୀ ପ୍ରଭୃତି ବିଭାଜକ ଦ୍ଵାରା ଭାଗ ଭାଗ କରି ଦେଖିବା ପୂର୍ବରୁ ସେମାନଙ୍କୁ ସବା ଆଗ ମଣିଷ ବୋଲି ସ୍ଵୀକାର କରାଯାଉ । ଆମ ଦେଶର ରାଜନୀତି ସବା ଆଗ ସବା ମୂଳ ପାହାଚଟିକୁ ଦୃଢ଼ କରିବାରେ ହିଁ ନିୟୋଜିତ ହୋଇ ରହୁ । ତେବେ ଯାଇ ଆମର ମହତ ରହିବ । ବର୍ତ୍ତମାନର ସାଆନ୍ତଗିରି ଓ ସିଆଣିଆଗିରିକୁ ଆମେ ଏକାନ୍ତ ଅନାବଶ୍ୟକ ବୋଲି ଉପଲବ୍‌ଧି କରିବାକୁ ସମର୍ଥ ହେବା । (୨୫ । ୧୧ । ୮୭)

 

Unknown

(୧୭)

 

ଯଦି ଭାରତବର୍ଷ ନ ରହିବ, ତେବେ ତାହାର ଏକ ଅଙ୍ଗ ରୂପେ ରହି ଆସିଥିବା ଏହି ଓଡ଼ିଶା ମଧ୍ୟ କେଉଁଠି ରହିବ ? ପରିଧିଟିକୁ ଆହୁରି ଗୋଟିଏ ସୋପାନ ପ୍ରସାରିତ କରିଦେଇ ଏହି କଥାଟି ମଧ୍ୟ କୁହାଯାଇ ପାରବ ଯେ, ଯଦି ସାରା ପୃଥିବୀ ନ ରହିବ, ତେବେ ତାହାରି ଏକ ଅଙ୍ଗରୂପେ ରହି ଆସିଥିବା ଏହି ଭାରତବର୍ଷ ମଧ୍ୟ କେଉଁଠାରେ ରହିବ ? ଆମେ ଭୂଇଁଟିକୁ ଓଡ଼ିଶା ବୋଲି କହିବା ସିନା, ମାତ୍ର ଆକାଶଟାକୁ କିପରି ଏହି ଓଡ଼ିଶା ଭିତରେ କିଳି ରଖି ପାରିବା ? ବ୍ୟାବହାରିକ ଦୃଷ୍ଟିରୁ ଭାରତବର୍ଷକୁ ଆମ ଲାଗି ଏକ ଦୃଶ୍ୟମାନ ଆକାଶ ବୋଲି ଗ୍ରହଣ କରାଯାଇ ପାରିବ ସତ, ମାତ୍ର ଆମର ଅସଲି ଆକାଶ ହେଉଛି ସମଗ୍ର ପୃଥିବୀ । ପୃଥିବୀ ରହିଛି ବୋଲି ଭାରତବର୍ଷ ରହିଛି, ଏବଂ ଭାରତବର୍ଷ ରହିଛି ବୋଲି ଓଡ଼ିଶା ରହିଛି । ଯଦି ଆମେ ଓଡ଼ିଶା ଭିତରେ ହିଁ ଆମର ଯାବତୀୟ ଭାବଗତ ଆତଯାତ ଗୁଡ଼ିକୁ କିଳି ରଖିବା, ତେବେ ଆମକୁ ସମଗ୍ର ପୃଥିବୀ ହସିବ ଏବଂ ଆମେ ମଧ୍ୟ ଏହି ମିଛ ପାଚେରୀଗୁଡ଼ାକ ଭିତରେ କିଳି ହୋଇ କ୍ରମେ ବ୍ୟାଧିଗ୍ରସ୍ତ ହୋଇ ପଡ଼ିବା । ବ୍ୟାଧି ବଢ଼ୁଥିବା ସଙ୍ଗେ ସଙ୍ଗେ ଉତ୍ତେଜନା ଗୁଡ଼ାକ ମଧ୍ୟ ବଢ଼ିବାରେ ଲାଗିଥିବ । ଆମର ଯାବତୀୟ ଠାକୁର ଆମକୁ ଅଧିକରୁ ଅଧିକ ପୌତ୍ତଳିକ ବହୁବିଧ ମିଛ ଉତ୍ସାହ ଦେବାରେ ଲାଗିଥିବେ । ପୌତ୍ତଳିକତା ଆମକୁ ନାନା ହୀନମାନ୍ୟତା ଭିତରେ ପୋଷ ମନାଇ ରଖିଥିବ ଏବଂ ସତେଅବା ଆପଣା ଉପରେ ପ୍ରତିଶୋଧ ନେଲାଭଳି ଆମର ହୀନମାନ୍ୟତାମାନେ ଆମକୁ ଉଗ୍ରମନ୍ୟ ହେବା ଲାଗି ମଧ୍ୟ ପ୍ରୋତ୍ସାହନ ଦେଉଥିବେ । ଉପରୁ ଥାଇ ବିଧାତା ସୁକୁଟ ଦେଖିବାରେ ଲାଗିଥିବ ।

 

ଆମ ଅନେକଙ୍କର ଦୁର୍ଭାଗ୍ୟ ଯେ, ଓଡ଼ିଶାର ଜାତୀୟତା ନାମରେ ଯେଉଁ ମଣ୍ଡପଟି ଗତ ପ୍ରାୟ ଆଠ ଦଶକ ହେବ ଆମକୁ ଆମର ଏହି ପାଚେରୀଗୁଡ଼ାକ ଭିତରେ ନେତୃତ୍ଵ ଦେଇ ଆସିଛି, ତାହା ଆମକୁ ଏକ ଆଦର୍ଶଗତ ଭ୍ରମର ଅଳନ୍ଧୁ ଭିତରେ ଭାରି ଅସନା କରି ରଖିଛି । ଯେତେବେଳେ ସମଗ୍ର ଭାରତବର୍ଷ ଆପଣାକୁ ସାମ୍ରାଜ୍ୟବାଦର କବଳରୁ ମୁକ୍ତ କରି ଆଣିବା ସକାଶେ କ୍ରମଶଃ ଶକ୍ତି ସଂଗ୍ରହ କରି ଆପଣାର ଅସଲ ପରାଧୀନତା ଗୁଡ଼ିକ ବିଷୟରେ ଅଧିକରୁ ଅଧିକ ସଜ୍ଞାନ ଏବଂ ସଚେତନ ହୋଇ ଆଗକୁ ଆଗକୁ ଗୋଡ଼ ପକାଇବାକୁ ଆରମ୍ଭ କରିଛି, ସେତେବେଳେ ଓଡ଼ିଶାରେ ସେହି ନେତୃତ୍ଵ ଆମକୁ ନାନା ସ୍ଥାନୀୟତା ଭିତରେ ମୁଗ୍‍ଧ କରି ରଖିବାକୁ ଚେଷ୍ଟା କରିଛି । ଆପଣାର ବୃତ୍ତଟିକୁ ବୃହତ୍ତର ଆହୁରି ଅନେକ ବୃତ୍ତ ମଧ୍ୟରେ ସଂପୂର୍ଣ୍ଣ କରି ଦେଖି ନ ପାରିଲେ ତଦ୍ଦ୍ଵାରା ପୃଥିବୀ ତା’ର ନିୟତ ଅଭିକ୍ରମର ପଥରେ ଆଗେଇ ଚାଲିଯାଏ ଏବଂ କେବଳ ଆପଣାର ବୃତ୍ତଟିକୁ ପୃଥିବୀର ଏକମାତ୍ର ବୃତ୍ତ ବୋଲି ମଣିବାକୁ ନିଜର ଏକ ବିଶେଷ ସ୍ଵାଭିମାନ ବୋଲି କହୁଥିବା ମଣିଷମାନେ ଯେ ଅତ୍ୟନ୍ତ ନିର୍ବୋଧ ଭାବରେ ପଛରେ ପଡ଼ିରହନ୍ତି, ଆମ କୁଳବୃଦ୍ଧମାନେ ଅନ୍ୟ ଅନେକ କାରଣରୁ ଆମକୁ ସେହି ସତକଥାଟିକୁ କହିବା ଲାଗି ଆବଶ୍ୟକ ମନେ କରିନାହାନ୍ତି-। ଏକ ରାଜନୀତିକ ଅଚେତନାକୁ ହିଁ ଏହାର ମୁଖ୍ୟତମ କାରଣ ବୋଲି କୁହାଯାଇ ପାରିବ । ସେତେବେଳେ ଆଗରୁ ଯେଉଁ ହାଉଆ ସମଗ୍ର ଭାରତବର୍ଷ ଉପରେ ବହିବା ଲାଗି ଅପେକ୍ଷା କରି ରହିଥିଲା, ସେହି ହାଉଆଟି ବିଷୟରେ ଆମ ସ୍ଥାନୀୟ ଭୂଇଁଟିର ନେତାମାନେ ସତେଅବା ଆଦୌ କୌଣସି ସମ୍ବାଦ ହିଁ ରଖିନଥିଲେ । ଅଥବା, ଆଦୌ କୌଣସି ସମ୍ବାଦ ରଖିବେ ନାହିଁ ବୋଲି ସେମାନେ ଜାଣିଶୁଣି ସ୍ଵକଳନାର ଗବାକ୍ଷଗୁଡ଼ିକୁ ବନ୍ଦ କରି ରଖିଥିଲେ । ସେମାନେ ସମଗ୍ର ଦେଶର ସ୍ଵାଧୀନତା ଆନ୍ଦୋଳନ ସମୟରେ ଶତ୍ରୁ ଶିବିରର ସାଥୁଆ ହୋଇ ରହିଥିଲେ । ଭାରତବର୍ଷରେ ବ୍ରିଟିଶ୍‍ ଶାସନ ସତେ ଅବା ଚିରସ୍ଥାୟୀ ହୋଇ ରହିବ ବୋଲି ସେମାନେ ଯେଉଁ ଭୁଲ ଜ୍ୟାମିତିରେ ଅତ୍ୟନ୍ତ ନିଷ୍ଠାର ସହିତ ବିଶ୍ଵାସ କରୁଥିଲେ, ତାହାରି ଭିତରେ ସ୍ଵତନ୍ତ୍ର ଓଡ଼ିଶା ନାମକ ଜଣେ ଥାନ ମାଗିବା ଲାଗି ସେମାନେ ବ୍ରିଟିଶ୍‍ କେଶରୀ ପାଖରେ ପ୍ରାର୍ଥନା କରିବାରେ ଲାଗିଥିଲେ । ସେମାନଙ୍କର ରାଜନୀତିକ ଦୂରଦୃଷ୍ଟି କେବଳ ସେତିକି ଗଡ଼ିଆ ଭିତରେ ଆପଣାକୁ ସଚଳ କରି ରଖି ପାରିଥିଲା । ଓଡ଼ିଶା ବିଷୟରେ ସେହି ନେତୃତ୍ଵର ସାମାଜିକ ପରିବର୍ତ୍ତନ ତଥା ନିର୍ମାଣର କ୍ଷେତ୍ରରେ ଆଦୌ କୌଣସି ଯୋଜନା ନଥିଲା । ତତ୍କାଳୀନ ଅନେକ ଗଡ଼ଜାତର ରାଜାମାନେ ସେତେବେଳେ ଉତ୍କଳ ସମ୍ମିଳନୀର ମଣ୍ଡପରେ ଆସି ବସୁଥିଲେ ଏବଂ ବକ୍ତୃତା ଦେଉଥିଲେ ସତ, ମାତ୍ର ତଥାପି ସେମାନଙ୍କ ଦ୍ଵାରା ଶାସିତ ଗଡ଼ଜାତମାନେ ସମ୍ମିଳନୀର କଳ୍ପିତ ଓ ଅଭିଳଷିତ ସ୍ଵତନ୍ତ୍ର ଉତ୍କଳରେ କେବେ ଅବଶ୍ୟ ମିଶିବେ ବୋଲି ମୁହଁ ଫିଟାଇ ପଦେ କହିବାଟା ମଧ୍ୟ ସେଠି ମଣ୍ଡପ ଉପରେ ସତେଅବା ସର୍ବସମ୍ମତି କ୍ରମେ ନିଷିଦ୍ଧ ହୋଇ ରହିଥିଲା । ନିଜ ରାଜ୍ୟ ଓ ଜମିଦାରୀ ଗୁଡ଼ାକରେ ଅସହାୟ ପ୍ରଜାମାନଙ୍କ ଉପରେ ଘୋଡ଼ା ଚଢ଼ି ରହିଥିବା ତୁଚ୍ଛା ଅସୁରମାନେ ବି ଏହି ମଣ୍ଡପକୁ ଆସି ସଭାପତି ଏବଂ ସମ୍ପାଦକ ହେବାର ମର୍ଯ୍ୟାଦା ଲାଭ କରି ପାରୁଥିଲେ । ଅତ୍ୟାଚାରରୁ ପରିତ୍ରାଣ ପାଇବା ଲାଗି ପ୍ରଜାମାନଙ୍କ ତରଫରୁ ହେଉଥିବା ଯାବତୀୟ ଉଦ୍ୟମକୁ ବହୁ ବର୍ବରତାର ସହିତ ଦମନ କରି ରଖିଥିବା କଂସାସୁରମାନେ ସେତେବେଳେ ସମ୍ମିଳନୀରେ ବରିଷ୍ଠବର୍ଗ ରୂପେ ସ୍ଵୀକୃତି ପାଉଥିଲେ ଏବଂ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶ କରାଯାଉ ବୋଲି ହାତ ଟେକି ସମ୍ମତି ଦେଉଥିଲେ ।

 

ଓଡ଼ିଶାରେ ରାଜା, ଜମିଦାର ଓ ବାରିଷ୍ଟରମାନଙ୍କ ବ୍ୟତୀତ ଏଠି ଯେ ସାଧାରଣ ମଣିଷ ଲକ୍ଷ ଲକ୍ଷ ସଂଖ୍ୟାରେ ବାସ କରୁଥିଲେ, ସେତେବେଳେ ସେହି ବିଶେଷ ସମ୍ମିଳନୀଟିରେ ସେହି କଥାଟି ସତେଅବା ଗୋଟାପଣେ ପାସୋର ହୋଇ ରହିଥିଲା । ସବୁ ଯୁଗରେ ଏହି ସାଧାରଣ ମଣିଷମାନେ ହିଁ ବରିଷ୍ଠ ଓ ବଳିଷ୍ଠମାନଙ୍କର ତୁଳନାରେ ସଂଖ୍ୟାରେ ଅଧିକ ହୋଇ ରହିଥାଆନ୍ତି । ସେତେବେଳ ପରି ବର୍ତ୍ତମାନ ମଧ୍ୟ ସେହିମାନେ ହିଁ ଓଡ଼ିଶାରେ ସଂଖ୍ୟାଧିକ ହୋଇ ରହିଛନ୍ତି । ତଥାପି ସେହି ନିର୍ବୋଧ ପୁରୁଣା ଦିନଗୁଡ଼ାକର ନେତୃତ୍ଵ–ସମୟଠାରୁ ସତେଅବା ଏକ ଦୁଷ୍ଟ ଅବଶେଷ ପରି ଓଡ଼ିଶାରେ ଆମ ଅନେକଙ୍କୁ କ’ଣସବୁ କାମୁଡ଼ି କରି ରହିଛି କେଜାଣି, ଆମେ ଏବେ ମଧ୍ୟ ସେହି ଜଙ୍ଗଲଟା ଭିତରେ ଫାଶ ପଡ଼ି ରହିଛୁ ଏବଂ ମଣିଷମାନଙ୍କୁ ସବାଆଗ ମଣିଷ ବୋଲି ଗଣା କରି ପାରୁ ନାହୁଁ । ଏଠି ଜାତୀୟତା କହିଲେ ଅନେକଙ୍କର ବିବେକ ଭିତରେ ତଥାପି ସେହି ତଥାକଥିତ ଓଡ଼ିଆ ଜାତୀୟତା ବୋଲି ହିଁ ବୁଝାଉଥିବା ପରି ଲାଗୁଛି । ସହରର ବହୁ ମଞ୍ଚ ଓ ମଣ୍ଡପ ଏବେ ମଧ୍ୟ ଆମ ଆଗରେ ସେହି ଅଫିମିଆ ବୋଲି ଗୁଡ଼ାକୁ କେଡ଼େ ଶୋଭାବନ କରି ଦୋହରାଇବାରେ ଲାଗିଛନ୍ତି । ପ୍ରାୟ ପଞ୍ଚାଅଶୀ ବର୍ଷ ତଳେ ଉତ୍କଳ ସମ୍ମିଳନୀର ଏକ ବାର୍ଷିକ ମଣ୍ଡପରେ ଶ୍ରୀଯୁକ୍ତ ଗୋପବନ୍ଧୁ ଦାସ “ଆମ୍ଭେମାନେ ପ୍ରଥମେ ମଣିଷ, ତା’ପରେ ଭାରତୀୟ ଏବଂ ସର୍ବଶେଷରେ ଓଡ଼ିଆ” ବୋଲି ଘୋଷଣା କରିଥିଲେ । ସେହି ଘୋଷଣାଟିରୁ ଓଡ଼ିଶାକୁ ଏକ ନୂଆ ପ୍ରେରଣା ମିଳିଥିଲା, ସତେ ଅବା ଏକ ନୂଆ ବାଟ ଦିଶି ଯାଇଥିଲା । ଏବଂ ଏକ ଜାତୀୟ ସଂଗ୍ରାମ ପରେ ଭାରତବର୍ଷ ରାଜନୀତିକ ସ୍ଵାଧୀନତା ବି ଲାଭ କଲା । ରାଜନୀତିକ ସ୍ଵାଧୀନତା ପରେ ଭାରତୀୟ ସମାଜକୁ ଏକ ନୂତନ ମାନବିକ ନ୍ୟାୟରେ ନୂଆ କରି ଗଢ଼ିବାରେ ଅସଲ ପର୍ଯ୍ୟାୟଟି ଆସି ପହଞ୍ଚିଲା । ଏହି ପର୍ଯ୍ୟାୟରେ ମଣିଷମାନଙ୍କୁ ହିଁ ସବାଆଗ ଲୋଡ଼ା ଯାଇଥାନ୍ତା । ସ୍ଵାଧୀନ ଭାରତର ଘୋଷଣା ବେଳକୁ ଶ୍ରୀ ଗୋପବନ୍ଧୁ ଇହଧାମରେ ନଥିଲେ । ସିଏ ଥିବାବେଳେ ତାଙ୍କ ସହିତ ଅନ୍ୟ ଯେଉଁମାନେ ସହଗାମୀ ହୋଇ ରହିଥିଲା ପରି ମନେ ହେଉଥିଲେ, ଗୋପବନ୍ଧୁ ସଂସାରରୁ ବିଦାୟ ନେଇ ଚାଲିଯିବା ପରେ, ସେମାନଙ୍କ ଭିତରୁ ଅଧିକ ତୁଙ୍ଗମାନେ କ୍ରମେ ଅନ୍ୟ ନାନା ପ୍ରେରଣା ଭିତରକୁ ଖସିଗଲେ, ଅନ୍ୟ ବହୁବିଧ ଉତ୍ତେଜନା ଭିତରେ ମାତି ରହିଲେ । ହୁଏତ ସେହିଭଳି କେତେକ କାରଣରୁ ସ୍ଵାଧୀନତା ଆସିବା ପରେ ଓଡ଼ିଶା ସତେ ଅବା ପୁଣି ସେହି ପଛଟା ମଧ୍ୟକୁ ହଟି ଚାଲିଯିବାକୁ ଆରମ୍ଭ କଲା, ସେହି ପୁରୁଣା ହୀନମନ୍ୟତା ଗୁଡ଼ାକ ଏଠି ନେତୃତ୍ଵଟାକୁ ଭୂତ ଭଳି ଆସି ମାଡ଼ିବସିଲା । ବୃହତ୍ତର ବୃତ୍ତଟି ହାତଛଡ଼ା ହୋଇଗଲା ଏବଂ ଚାରିଆଡ଼ୁ କିଳି ହୋଇ ରହିଥିବା ଘରଟି ଭିତରେ ସ୍ଥାନୀୟ ଉଗ୍ରତାଗୁଡ଼ିଏ ଏଡ଼େଏଡ଼େ ହୋଇ ଦେଖାଗଲେ–ଭାବପ୍ରବଣ ଅଳ୍ପତାଗୁଡ଼ିକ ହିଁ ଆଦର୍ଶବାଦ ପରି ପ୍ରତୀତ ହେବାକୁ ଆରମ୍ଭ କଲେ ।

 

ସ୍ଵାଧୀନତା ପ୍ରାପ୍ତିର ଚାରି ଚାରିଟା ଦଶକ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ଓଡ଼ିଶାରେ ଏବେ ମଧ୍ୟ ଏଭଳି ମଞ୍ଚମାନେ ରହିଛନ୍ତି, ଯେଉଁମାନେ କି “ଆମ୍ଭେମାନେ ସର୍ବପ୍ରଥମେ ଓଡ଼ିଆ, ତା’ପରେ ଭାରତୀୟ ଏବଂ ସର୍ବଶେଷରେ ମନୁଷ୍ୟ” ବୋଲି କେଡ଼େ ପୁଲକ ଓ ପ୍ରସନ୍ନତା ସହକାରେ କହିବାରେ ଲାଗିଛନ୍ତି । “ଆମ୍ଭେମାନେ ସର୍ବପ୍ରଥମେ ଭାରତୀୟ ଓ ତା’ପରେ ଯାଇ ମନୁଷ୍ୟ” ବୋଲି କହିବାରେ ଯେତିକି ପ୍ରମାଦ ରହିଛି, ଆପଣାକୁ ସବା ଆଗ ଓଡ଼ିଆ ବୋଲି କହି ସବାଶେଷରେ ମନୁଷ୍ୟ ବୋଲି ଘୋଷଣା କରୁଥିବା କଥାଟି ମଧ୍ୟରେ ହୁଏତ ତାହାର ବହୁଗୁଣ ଅଧିକ ପ୍ରମାଦ ନିହିତ ହୋଇ ରହିଛି । ଯିଏ ଆପଣାକୁ ସବାଆଗ ମଣିଷ ବୋଲି ଦେଖି ନ ପାରୁଛି, ସିଏ ଯଥାର୍ଥ ଅର୍ଥରେ ଜଣେ ଓଡ଼ିଆ ହେବାଲାଗି ମଧ୍ୟ ଅତ୍ୟନ୍ତ ଦୟନୀୟ ଭାବରେ ଅସମର୍ଥ ହୋଇ ରହିଥିବ । ତା’ର ସେହି ଅସମର୍ଥତା ତା’ର ସକଳ କାମୁକତା ସତ୍ତ୍ୱେ ତାକୁ ଅଧିକ ବର୍ବର ହେବାଲାଗି ଅପପ୍ରେରଣା ଯୋଗାଇ ଦେବାରେ ଲାଗିଥିବ ସିନା, ମାତ୍ର ତାକୁ ପୂର୍ଣ୍ଣସମାହିତ ଭାବରେ ଜଣେ ଓଡ଼ିଆ କରି ବି ତିଆରି କରାଇ ପାରିବ ନାହିଁ । ଆପଣାଙ୍କୁ ସର୍ବପ୍ରଥମେ ଓଡ଼ିଆ ବୋଲି କହୁ କହୁ ସିଏ ଯେ କେତେବେଳେ କେଡ଼େ ଅଜାଣତରେ ଭିତରେ ଆଉ ଗୋଟାଏ ଗଣ୍ଠି ପକାଇଦେଇ ନିଜକୁ ସର୍ବପ୍ରଥମେ କଟକୀ ବା ସମ୍ବଲପୁରୀ ବୋଲି କହିବାକୁ ମଧ୍ୟ ଆରମ୍ଭ କରିଦିଏ, ସେ ବିଷୟରେ ଆଉ ଆଦୌ କୌଣସି ବାଡ଼ବତା ରହେ ନାହିଁ । ଅଳ୍ପକାମୀ ହୋଇ ଅର୍ଥାତ୍‌ ଆତ୍ମକାମୀ ହୋଇ ମଣିଷ ଏହିପରି ଭାବରେ ଏଡ଼େ ସତ୍ଵର ଅଳପରୁ ଆହୁରି ଅଳପକୁ ଖସିଖସି ଯିବାରେ ଲାଗିଯାଏ ଯେ ନିଜ ଉପରେ ତା’ର ସତେଅବା କୌଣସି ଅକ୍ତିଆର ମଧ୍ୟ ରହେ ନାହିଁ ଏବଂ ଖସି ଖସି ଯାଉଥିବା ସଙ୍ଗେ ସଙ୍ଗେ ସେ ଅଧିକରୁ ଅଧିକ ଉଗ୍ର ହେବାରେ ହିଁ ଲାଗିଥାଏ । କ୍ଷୁଦ୍ରତର ବୃତ୍ତଗୁଡ଼ିକ ବୃହତ୍ତର ବୃତ୍ତଗୁଡ଼ିକ ସହିତ ଖିଅ ଛିଣ୍ଡାଇ ପକାଇଲେ ଯେ ଅଧିକ ବର୍ବର ଓ ଅଧିକ ଉଦ୍ଦଣ୍ଡ ହୁଅନ୍ତି ଆମ ଭାରତବର୍ଷ ସମେତ ପୃଥିବୀର ବହୁତ ମଞ୍ଚରେ ଏବେ ସେହି ସତ୍ୟଟି ଅଭିନୀତ ହେବାରେ ଭାରି ଲାଗିଛି । ଏମାନେ ସମସ୍ତେ ଯୁଗ ଆସ୍ପୃହାର ପ୍ରକ୍ରିୟାଟିକୁ ପଛକୁ ଟାଣି ନେଇଯିବାର ଫିସାଦ କରୁଛନ୍ତି । ଭାରତବର୍ଷରେ କିଏ ଆପଣାଙ୍କୁ ସର୍ବପ୍ରଥମେ ଶିଖ ବୋଲି କହୁଛି, କିଏ ଗୋର୍ଖା ବୋଲି କହୁଛି, ଆଉ କିଏ ଆପଣାକୁ ଆଦିବାସୀ ବୋଲି କହି ଆପଣା ଲାଗି ଅଲଗା ଖଣ୍ଡଟିଏ ଦାବୀ କରିବାକୁ ବାହାରି ପଡ଼ୁଛି । ସେହି ପ୍ରବୃତ୍ତିଟି ସହିତ ଏକ ସାମୂହିକ ମିଛ ରାଜନୀତି ମିଶି ସମଗ୍ର ମଞ୍ଚଟିରେ ବହୁବିଧ ଦୁଷ୍ଟତାକୁ ପ୍ରଶ୍ରୟ ଦିଆଯାଉଛି । ଧର୍ମ, ସଂସ୍କୃତି, ଭାଷା, ଏହି ସବୁକିଛିକୁ ସେହି ଦୁଷ୍ଟତାକୁ ଅଧିକ ଦୁଷ୍ଟ କରିବାରେ ଏକ ଚମତ୍କାର ଇନ୍ଧନ ରୂପେ ବ୍ୟବହାର କରାଯାଉଛି । ଦେଶର ମଣିଷଗୁଡ଼ାକ ବକା ହୋଇ ଅନାଇଛନ୍ତି, ଏସବୁକୁ ବନ୍ଦ କର ବୋଲି କହିବାକୁ ସଜ୍ଜନମାନଙ୍କର ବି ସାହସ ପାଉନାହିଁ ।

 

ମଣିଷକୁ ସବା ଆଗ ମଣିଷ ରୂପେ ଦେଖିବା ସକାଶେ ଏକାବେଳେକେ ଏକ ଅନ୍ୟ ଆଖି ଦରକାର । ଏକାଧିକ କାରଣରୁ ଆମର ପଦସ୍ଥମାନେ ସେହି ଆଖିଟିକୁ କାଳକ୍ରମେ ହରାଇ ଦେଇ ଆସିଛନ୍ତି ଏବଂ ତେଣୁ ଆଦୌ କୌଣସି ବୃହତ୍ତର ବୃତ୍ତ ମଧ୍ୟରେ ଆପଣାକୁ ଓ ଆପଣାର ଭୂମିଟିକୁ ଦେଖି ପାରୁନାହାନ୍ତି । ଯେକୌଣସି ମନୁଷ୍ୟ, ସିଏ ଯେଉଁ ଭାଷାର, ଧର୍ମର ଅଥବା ଭେକର ହୋଇଥାଉ ପଛକେ, ତା’ର ସବା ଆଗ ଯେଉଁସବୁ କଥା ଦରକାର, ଆମ ପୃଥିବୀରେ ଏବେ ମଧ୍ୟ ଅଧିକାଂଶ ମଣିଷ ସେଥିରୁ ବଞ୍ଚିତ ହୋଇ ରହିଛନ୍ତି । ସବୁ ମଣିଷଙ୍କର ପେଟ ପୁରୁ ନାହିଁ, ସବୁ ମଣିଷଙ୍କର ବାସଟିଏ ନାହିଁ, ସବୁ ମଣିଷ ଆପଣାର ଜୀବିକା ଆପେ ଅର୍ଜନ କରିପାରିବା ଭଳି କାମ ପାଇ ନାହାନ୍ତି ଓ ସବୁ ଘରର ସବୁପିଲା ଆଦୌ କୌଣସି ଇସ୍କୁଲକୁ ଯାଉ ନାହାନ୍ତି । ଏବଂ ସବୁଠାରୁ ଅଧିକ ପ୍ରବଞ୍ଚନାର କଥା ହେଉଛି ଯେ, ଆପଣାକୁ ଇଜ୍ଜତର ସହିତ ଜଣେ ମଣିଷ ବୋଲି ଅନୁଭବ କରିବାକୁ ଜଣେ ମଣିଷ ଭିତରେ ଯେଉଁ ପ୍ରତ୍ୟୟଟି ରହିଥିବା ନିତାନ୍ତ ଦରକାର ଏବଂ ସେଥିଲାଗି ତା’ ଚାରିପାଖରେ ଯେଉଁ ଅନୁକୂଳ ସାମାଜିକ ତଥା ଅର୍ଥନୈତିକ ପ୍ରତିଶ୍ରୁତିମାନ ଅବଶ୍ୟ ରହିଥିବା ଦରକାର, ପୃଥିବୀରେ ଅଧିକାଂଶ ମଣିଷଙ୍କ ଲାଗି ସେହି ପ୍ରତ୍ୟୟ ଓ ପ୍ରତିଶ୍ରୁତି ଏବେ ମଧ୍ୟ ସମ୍ଭବ ହୋଇନାହିଁ । ଭାରତରେ ପ୍ରଧାନତଃ ସେହିଭଳି ଏକ ମୂଳଦୁଆ ତିଆରି କରି ପାରିବାକୁ ପରବର୍ତ୍ତୀ ଲକ୍ଷ୍ୟ ରୂପେ ଗ୍ରହଣ କରି ଭାରତବର୍ଷରେ ରାଜନୀତିକ ସ୍ଵାଧୀନତାର ପ୍ରାପ୍ତି ଲାଗି ଏକ ସଂଗ୍ରାମ ଲଢ଼ା ଯାଇଥିଲା । ତଥାପି, ସ୍ଵାଧୀନତାର ପ୍ରାପ୍ତି ପରେ ବହୁପ୍ରକାର କାରଣରୁ ପରବର୍ତ୍ତୀ ସଂଗ୍ରାମଗୁଡ଼ିକ ଅବହେଳିତ ହୋଇ ରହିଗଲା ଏବଂ ପ୍ରଧାନତଃ ଚତୁରମାନେ ହିଁ ଆମ ଘରର ନେତୃତ୍ଵସ୍ଥାନ ଗୁଡ଼ିକ ଭିତରେ ଆସି ଚରିଗଲେ । ସବୁକଥା ଏଠାରେ ତଳୁ ତିଆରି ହୋଇଥାନ୍ତା, ସବୁ ମଣିଷଙ୍କୁ ଆଖି ଆଗରେ ରଖି ତିଆରି ହୋଇଥାନ୍ତା ଏବଂ ସେହିସବୁ ନିର୍ମାଣର କାର୍ଯ୍ୟରେ ଯଥାସମ୍ଭବ ସବୁ ମଣିଷଙ୍କୁ ସକ୍ରିୟ ଭାବରେ ସଂଶ୍ଳିଷ୍ଟ ମଧ୍ୟ କରାଯାଇ ଥାନ୍ତା । ଭାରତବର୍ଷରେ ସେହି ଅସଲ କଥାଟି ସତେ ଅବା ଗୌଣ ହୋଇ ରହିଗଲା । ମଣିଷର ଅସଲ ଭୋକଗୁଡ଼ିକୁ ଶୀତଳ କରି ରଖିବା ଲାଗି ସେହି ପୁରୁଣା ସାନ ବୃତ୍ତଗୁଡ଼ିକର ସାହାଯ୍ୟ ନିଆଗଲା । ପ୍ରତିକ୍ରିୟାଶୀଳ ମାନଙ୍କୁ ଭାରି ମଉକା ମିଳିଲା । ତେଣେ ଅଧିକ ସଂଖ୍ୟକ ମଣିଷ ମନୁଷ୍ୟୋଚିତ ସର୍ବନିମ୍ନ ସ୍ଵୀକୃତିଗୁଡ଼ିକରୁ ବଞ୍ଚିତ ହୋଇ ରହିଥିବା ବେଳେ ଏଣେ ଧର୍ମର କଥା, ଭାଷାର କଥା, ଏକୁଟିଆ ଓ ଖଣ୍ଡିଆ ହୋଇ ଅଧିକରୁ ଅଧିକ ଉଗ୍ର ଓ ଉଦ୍ଦଣ୍ଡ ହୋଇ ପାରିବାର ଖଳମନ୍ତ୍ରଗୁଡ଼ିକୁ ଶିଖାଇ ଦିଆଗଲା । ଏସବୁକୁ ବନ୍ଦ କର ବୋଲି କହିବା ଲାଗି କ୍ରମେ ସଜ୍ଜନମାନଙ୍କର ସାହସ ପାଇଲା ନାହିଁ । ଦୈତ୍ୟମାନେ, ଉଗ୍ରମାନେ ଓ ଆଖିଆମାନେ ଉତ୍ତରୋତ୍ତର ଅଧିକ ପ୍ରଶ୍ରୟ ପାଇଲେ ।

 

ଓଡ଼ିଶାରେ ଯଦି ସବୁ ଓଡ଼ିଆଙ୍କୁ ମୂଳତଃ ମଣିଷ ବୋଲି ସ୍ଵୀକାର କରାଯାଇ ପାରନ୍ତା, ଆପଣାଙ୍କୁ ସମ୍ମାନର ସହିତ ଜଣେ ଜଣେ ମଣିଷ ବୋଲି ଅନୁଭବ କରିବା ଲାଗି ଯଦି ସେମାନଙ୍କୁ ଜୀବନସଂସ୍ଥାନର ସର୍ବନିମ୍ନ ଭୂମିଗୁଡ଼ିକୁ ନିର୍ଭର ଭାବରେ ଯୋଗାଇ ଦେବାଲାଗି ଆମର ସଂକଳ୍ପସବୁ ସବା ଆଗ ଉଦ୍ଦିଷ୍ଟ ହୋଇ ରହିପାରନ୍ତା, ତେବେ ଆମର ସତକୁ ସତ ଏକ ପରିତ୍ରାଣ ହୋଇ ଯାଆନ୍ତା । ଆମେ ସହର ଭିତରେ କଥାକୁହାଳିଆ ଯେତିକି ଅଛୁ, ଆମେ କ’ଣ କେବଳ ସେତିକିମାନେ ଓଡ଼ିଆ ? ଯେଉଁଠି ଅଧିକ ମଣିଷଙ୍କୁ ଅବଜ୍ଞା କରି ଅଳପ ମଣିଷ ସିଆଣିଆ ହୋଇ ପ୍ରାୟ ସବୁକିଛି ମାଡ଼ିବସନ୍ତି ଓ ତାହାକୁ ହିଁ ଉନ୍ନତି ଏବଂ ଐଶ୍ୱର୍ଯ୍ୟ ବୋଲି କହିବାରେ ଲାଗିଥାନ୍ତି, ସେଠାରେ ଉପରେ ଥିବା ଲୋକେ ଦୈତ୍ୟ ହେଵାର ପ୍ରଶ୍ରୟ ପାଆନ୍ତି, ସାହିତ୍ୟ, କଳା, ସଂସ୍କୃତି ଓ ଧର୍ମକୁ ସେମାନେ ଦୈତ୍ୟ ପରି ଆବୋରି ଧରିଥାନ୍ତି ବର୍ବର ହୁଅନ୍ତି ମଣିଷ ହେବାର ସର୍ବନିମ୍ନ ପରିମଳଗୁଡ଼ିକୁ ମଧ୍ୟ ଏଡ଼ି ରହିଥାନ୍ତି । ଏବଂ ତଳେ ରହିଥିବା ମଣିଷମାନେ ଭାଗ୍ୟବାଦୀ ହୁଅନ୍ତି ଘୁଷୁରି ହୋଇ ରହିବାକୁ ଭାଗ୍ୟ ବୋଲି ଆଦରି ନିଅନ୍ତି । ମଣିଷମାତ୍ରକେ ସମସ୍ତେ ଆଗ ଶକ୍ତିମାନ୍‍ ହେବେ, ସମର୍ଥ ହେବେ, ସମ୍ମାନସଚେତ ହେବେ,–ତେବେ ଯାଇ ଯେକୌଣସି ସୁସ୍ଥ ଜାତୀୟତା ଲାଗି ଭୂମିଟିଏ ସମ୍ଭବ ହୋଇପାରିବ । (୨ । ୧୨ । ୮୭)

 

(୧୮)

 

ସ୍ଵାଭିମାନ ବ୍ୟକ୍ତିର, ଜାତିର ନୁହେଁ । ଠିକ୍‍ ଯେପରି ସାଧନା ମଧ୍ୟ ବ୍ୟକ୍ତିର ଜାତିର ନୁହେଁ-। ଏକଥା ସତ ଯେ, ଅନେକ ସମୟରେ ଆମ ଭିତରୁ କିଏ କିଏ ସ୍ଵାଭିମାନ ଓ ସାଧନା ସହିତ ଜାତିଟାକୁ ନେଇ ଯୋଡ଼ି ଦେଇଥାନ୍ତି । ସେମାନେ ପ୍ରତ୍ୟେକ ଜାତିର ଗୋଟିଏ ଗୋଟିଏ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ରହିଛି ବୋଲି ଦାବୀ ମଧ୍ୟ କରିଥାନ୍ତି । ସେହି ଉତ୍ସାହର ଧାରାରେ ସେମାନେ ଜାତୀୟ ଚରିତ୍ର ବୋଲି ଗୋଟିଏ କଥାରେ ଉତ୍‍ଥାପନ କରି ଥାଆନ୍ତି । ପ୍ରତ୍ୟେକ ଜୀବର, ବିଶେଷତଃ ପ୍ରତ୍ୟେକ ମନୁଷ୍ୟର ଏକ ଆତ୍ମା ରହିଛି ବୋଲି କହୁ କହୁ କେହି କେହି ଜାତିର ଆତ୍ମା ବିଷୟରେ ମଧ୍ୟ କହିଥାଆନ୍ତି । ଏକ ସ୍ଵତନ୍ତ୍ର ପ୍ରସଙ୍ଗରେ ଓ ସ୍ଵତନ୍ତ୍ର ବ୍ୟଞ୍ଜନାରେ ଶ୍ରୀ ଅରବିନ୍ଦ ଏବଂ ରବୀନ୍ଦ୍ରନାଥ ଭାରତବର୍ଷର ଆତ୍ମା ବିଷୟରେ ଆଲୋଚନା କରିଛନ୍ତି ଏବଂ ଜଣେ ଜଣେ ଭାରତୀୟ ହିସାବରେ ଆମକୁ ସେହି ଆତ୍ମାର ଆବିଷ୍କାର କରିବାକୁ ପଡ଼ିବ ବୋଲି ଉଦ୍‍ବୋଧନ ମଧ୍ୟ ଦେଇଛନ୍ତି । କେତେ ଦଶକ ପୂର୍ବେ ଆଫ୍ରିକାର ନୂତନ ହୋଇ ସ୍ଵାଧୀନତା ଲାଭ କରିଥିବା କେତେ ଦେଶର ନେତା ଓ ନାୟକମାନେ ମଧ୍ୟ ସତେଅବା ପ୍ରତ୍ୟକ୍ଷ ଭାବରେ ଅନୁଭବ କରୁଥିବା ପରି ଏକ ଆଫ୍ରିକୀୟ ବ୍ୟକ୍ତିତ୍ଵର କଥା କହୁଥିଲେ । ଆମ ଓଡ଼ିଶାର ଡକ୍ଟର ମାୟାଧର ମାନସିଂହ ମଧ୍ୟ ତାଙ୍କଦ୍ଵାରା ଲିଖିତ ଗୋଟିଏ ଇଂରାଜୀ ପୁସ୍ତକରେ (the total personality that is India) ବୋଲି ଉଲ୍ଲେଖ କରିଛନ୍ତି ଏବଂ ଶ୍ରୀକ୍ଷେତ୍ରର ଜଗନ୍ନାଥଙ୍କୁ the supreme symbol of the personality of India ବୋଲି ବର୍ଣ୍ଣନା କରିଛନ୍ତି । ଏଗୁଡ଼ିକୁ ପାଠ କଲାବେଳକୁ ଅନେକ ମଣିଷଙ୍କର ଭିତରଟା ନିଶ୍ଚୟ ହଠାତ୍ ଉଲୁସି ଉଠୁଥିବ ।

 

ଏସବୁ ହେଉଛି ଜାତୀୟତାବାଦୀ ଯୁଗର କଥା, ଏବଂ ଜାତୀୟତାବାଦ ଦ୍ଵାରା ସଂକ୍ରମିତ ହୋଇଥିବା ଏକ ବିଶେଷ ଚେତନାର କଥା ଭାବପ୍ରବଣତା ଯେତେବେଳେ ସତେଅବା ବାଟୁଳି ପରି ହୋଇ ଆମର ବୋଧଭୂମି ଉପରେ ଟାଏଁ ଟାଏଁ ହୋଇ ବାଜିବାକୁ ଆରମ୍ଭ କରେ, ସେତେବେଳେ ଅସଲ ଗଭୀରରେ ରହିଥିବା ଆମ ଚେତନା ଏବଂ ଭାବସମ୍ପଦର ଘରଟି ତଦ୍ଦ୍ୱାରା ଅନେକ ସମୟରେ ଭାରି ବିପର୍ଯ୍ୟସ୍ତ ହୋଇପଡ଼େ । ଜାତୀୟତାବାଦ ଏକଦା ପ୍ରାୟ ସେହିପରି ଏକ ବିପର୍ଯ୍ୟୟକୁ ପୃଥିବୀକୁ ଡାକି ଆଣିଥିଲା ଏବଂ ଜାତୀୟତା ତଥା ଜାତିପ୍ରୀତିକୁ ପ୍ରାୟ ଏକ ବିଶ୍ଵଗ୍ରାସୀ ଲୋଲୁପତାରେ ପରିଣତ କରି ଦେଇଥିଲା । ସେହି ଲୋଲୁପତା କ୍ରମଶଃ ଏକାବେଳେକେ ଅନେକ ନାହୁଡ଼ ବଢ଼ାଇ ଧର୍ମକୁ ଗ୍ରାସ କଲା, ସଂସ୍କୃତି ଭିତରେ ଅନେକ ଅଫିମକୁ ଆଣି ପୂରାଇଦେଲା ଏବଂ ମଣିଷର ଅସଲ ଲୟସ୍ଥାନଗୁଡ଼ିକ ମଧ୍ୟରେ ପଶି ତାକୁ ପ୍ରାୟ ଭାରି ଉତ୍ତେଜିତ ଭାବରେ ସ୍ଥାନାସକ୍ତ କରି ରଖିଲା । ଆଗେ ସାମ୍ରାଜ୍ୟମାନେ ସିନା ରହିଥିଲେ, ମାତ୍ର ଜାତୀୟତା ଏକ ନୂତନ ଭୟାବହତାର କ୍ଷେତ୍ର ଯୋଗାଇ ଦେଇ ସାମ୍ରାଜ୍ୟବାଦକୁ ଜନ୍ମ ଦେଲା । ସେହି ପର୍ଯ୍ୟାୟରେ ଇଉରୋପର କେତେକ ଦେଶ ସେହି ଭୟାବହତାର ନିମିତ୍ତ ହୋଇଥିଲେ ଏବଂ ତତ୍କାଳୀନ ପ୍ରାୟ ସମୁଦାୟ ପୃଥିବୀକୁ ନିଜର ଚରାଭୂଇଁରେ ପରିଣତ କରିବାକୁ ଅତ୍ୟନ୍ତ ଉଗ୍ର ଭାବରେ ଧାବମାନ ହୋଇଥିଲେ । ସେହି ଇତିହାସଟି ପ୍ରାୟ ତିନିଶହ ବର୍ଷର ଇତିହାସ । ସେତେବେଳେ ସେହିସବୁ ଦେଶର ସାହିତ୍ୟ, ଦର୍ଶନ, ସାମାଜଚିନ୍ତା ଓ ଏପରିକି ବିଜ୍ଞାନ-ବିଶ୍ଳେଷଣ ମଧ୍ୟ ସେହି ଉଗ୍ରତା ଦ୍ଵାରା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା । ଊନବିଂଶ ଶତାବ୍ଦୀରେ କାର୍ଲମାର୍କସ ତାଙ୍କର ନୂତନ ରାଜନୀତିକ ଦର୍ଶନ ଦ୍ଵାରା ଜାତୀୟତାବାଦକୁ ସମ୍ଭବତଃ ସର୍ବପ୍ରଥମେ ଏକ ଶକ୍ତିଶାଳୀ ଆହ୍ଵାନ ଜଣାଇଥିଲେ । ସିଏ ସ୍ଵପ୍ନ ଦେଖିଥିଲେ ଯେ, ପ୍ରତ୍ୟେକ ଦେଶରେ ଶୋଷକଶ୍ରେଣୀ ଦ୍ଵାରା ଶୋଷିତ ହେଉଥିବା ଶ୍ରମିକ ବର୍ଗ ଜାତୀୟତାବାଦରୁ ନିଜକୁ ମୁକ୍ତ କରି ଆଣି ଏକ ସଂଘବଦ୍ଧ ଶକ୍ତିରୂପେ ପ୍ରତ୍ୟେକ ଦେଶରେ ସାମ୍ୟବାଦୀ ସଂଗ୍ରାମକୁ ଜନ୍ମ ଦେବ ଏବଂ ଏକ ନୂତନ ଦିଗ୍‌ବଳୟର ଉନ୍ମୋଚନ ଘଟାଇବ । ମାତ୍ର, ଇଉରୋପର ଦେଶଗୁଡ଼ିକୁ ଜାତୀୟତାବାଦ ଏତେ ଉତ୍କଟ ଭାବରେ କାମୁଡ଼ି ଧରିଥିଲା ଯେ, ସେ କଥାଟି ପ୍ରକୃତରେ ଘଟି ପାରିଲା ନାହିଁ ଏବଂ ଇଉରୋପର ଶ୍ରମିକଶ୍ରେଣୀ ଜାତି ଓ ଦେଶଗତ ଆନୁଗତ୍ୟ ଗୁଡ଼ିକୁ ଭୁଲି ଏକତ୍ର ହୋଇ ପାରିଲେ ନାହିଁ । ଜାତୀୟତାବାଦର ତୁଙ୍ଗତମ ଶକୁନ ରୂପେ ଦ୍ଵିତୀୟ ମହାଯୁଦ୍ଧରେ ଜର୍ମାନୀ ପ୍ରାୟ ସମଗ୍ର ପୃଥିବୀ ଲାଗି ଏକ ବିପଦରୂପେ ଆବିର୍ଭୂତ ହେଲା ଏବଂ ପ୍ରଧାନତଃ ରୁଷିଆର ସାମ୍ୟବାଦୀ ତନ୍ତ୍ରର ଶକ୍ତି ହିଁ ତାହାର ପଥରୋଧ କରିବାକୁ ସମର୍ଥ ହୋଇଥିଲା ତା’ପରେ ସାମ୍ରାଜ୍ୟବାଦର ଅଣ୍ଟା ଭାଙ୍ଗି ପଡ଼ିଲା ଏବଂ ସାନ ହଲାଣ୍ଡଠାରୁ ଆରମ୍ଭ କରି ବଡ଼ ଇଂଲଣ୍ଡ ଓ ଫ୍ରାନସ୍‌ ପର୍ଯ୍ୟନ୍ତ ସାମ୍ରାଜ୍ୟବାଦର ରଥିମାନେ କାଳ ପାଖରେ ପରାଜୟ ସ୍ଵୀକାର କରି ନିଜ ନିଜର ଘରକୁ ବାହୁଡ଼ି ଯାଉଥିଲେ । ସାମ୍ୟବାଦ ଓ ଗଣତନ୍ତ୍ରର ଦର୍ଶନ ହିଁ ପୃଥିବୀରେ ଅଧିକରୁ ଅଧିକ ମଣିଷଙ୍କୁ ଆକୃଷ୍ଟ କଲା ଏବଂ, ଯଥାର୍ଥ ସାମ୍ୟବାଦ ଓ ଯଥାର୍ଥ ଗଣତନ୍ତ୍ର ମଧ୍ୟରେ ଯେ ମୂଳତଃ ଖୁବ୍‍ବେଶି ପାର୍ଥକ୍ୟ ନାହିଁ ଓ ଗୋଟିଏ ଅନ୍ୟଟିକୁ ନିଜ ଭିତରକୁ ସ୍ଵୀକାର କରି ନ ନେଲେ ଯେ ଉଭୟ ସାମ୍ୟବାଦ ତଥା ଗଣତନ୍ତ୍ର ପୃଥିବୀ ଲାଗି ବହୁ ବିପଦର କାରଣ ହେବାର ଆଶଙ୍କା ରହିଛି, ପୃଥିବୀର ରାଜନୀତିକ ଏବଂ ସାମାଜିକ ବିଚାର ଭିତରେ ଚିନ୍ତାଧାରାଟି ଅଧିକରୁ ଅଧିକ ପରିମାଣରେ ପ୍ରବେଶ କରିବାକୁ ଲାଗିଲା ।

 

ଏସିଆ ଓ ଆଫ୍ରିକାରେ ମୂଳତଃ ଇଉରୋପୀୟ ଜାତୀୟତାବାଦରୁ ପ୍ରେରଣା ନେଇ ଯେଉଁ ନୂତନ ଜାତୀୟତାବାଦ ଜନ୍ମଗ୍ରହଣ କଲା, ବସ୍ତୁତଃ ତାହାହିଁ ଉପନିବେଶବାଦର ଅବସାନ ଘଟାଇଥିଲା । ଭାରତବର୍ଷକୁ ଠିକ୍‍ ସେହି ପର୍ଯ୍ୟାୟରେ ହିଁ ଜାତୀୟତାବାଦର ପ୍ଳାବନଟି ଆସିଥିଲା ଓ ଆମର ଧର୍ମ ଓ ସାହିତ୍ୟ ସମେତ ଆମ ସାମୂହିକ ଜୀବନର ଏକାଧିକ କ୍ଷେତ୍ରକୁ ସଂକ୍ରାମିତ କରି ଦେଇଥିଲା । ରାଜନୀତିକ ସ୍ଵାଧୀନତାର ପ୍ରାପ୍ତି ପରେ ଭାରତବର୍ଷ ଆପଣାର ସେହି ଅସ୍ତ୍ରଟି ପାଖରେ କୃତଜ୍ଞତା ଜ୍ଞାପନ କରି ତାହାକୁ ଆପଣାର ଜୀବନରୁ ପ୍ରକୃତରେ ବିଦାୟ ଦେବା ହିଁ ଅଧିକ ଉଚିତ ଏବଂ ଶୁଭଦାୟକ ହୋଇଥାନ୍ତା । ତେଣିକି ଜାତିକୁ ନୁହେଁ, ମଣିଷକୁ ହିଁ ଏକକ ରୂପେ ଗ୍ରହଣ କରାଯାଇ ଥାଆନ୍ତା, ମଣିଷକୁ ତା’ର ପ୍ରାପ୍ୟ ସମ୍ମାନ ଓ ମହିମାରେ ପ୍ରତିଷ୍ଠିତ କରିବାଲାଗି ସବୁଯାକ ଉଦ୍ୟମ ଉଦ୍ଦିଷ୍ଟ ହୋଇ ରହିଥାନ୍ତା । ପ୍ରାକ୍ତନ ସବୁ ଉପନିବେଶରେ ଠିକ୍‍ ତାହାହିଁ ହୋଇଥାନ୍ତା ମାତ୍ର ବହୁ କାରଣରୁ ତାହା ହୋଇପାରିଲା ନାହିଁ । ତାହା ଯେ ହୋଇପାରିଲା ନାହିଁ, ଆଫ୍ରିକା ଏବଂ ଏସିଆର ବହୁ ନବସ୍ଵାଧୀନ ଦେଶରେ ଏବେ ମଧ୍ୟ ସାମୂହିକ ଜୀବନର ସୁସ୍ଥ ବିବର୍ତ୍ତନକୁ ତଜ୍ଜନିତ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଛି ଏବଂ ଏବେ ମଧ୍ୟ ବହୁସଂଖ୍ୟକ ଦେଶରେ ରାଜନୀତିକ ଏବଂ ସାମାଜିକ ପରିବର୍ତ୍ତନ ଗୁଡ଼ିକ ଲାଗି ସୁସ୍ଥ ଭୂମିଟିଏ ତିଆରି ହୋଇ ପାରିନାହିଁ । ଜାତୀୟତାବାଦର ଦିନ ସରି ଯାଇଥିଲେ ମଧ୍ୟ ତଥାପି ଏହିସବୁ ଦେଶର ନ୍ୟସ୍ତସ୍ୱାର୍ଥ ଗୁଡ଼ିକ ଜାତୀୟତାବାଦକୁ କାମୁଡ଼ି ଧରି ରହିଛନ୍ତି ଓ ତାହାରି ଦ୍ଵାହି ଦେଇ ଅସଲ ଉଦୟଗୁଡ଼ିକୁ ବିଳମ୍ବିତ କରି ରଖିବାର ଚେଷ୍ଟା କରୁଛନ୍ତି । ଭାରତବର୍ଷରେ ଏହି ଜାତୀୟତାବାଦ ସ୍ଵାଧୀନତା ପରେ ବହୁ ପ୍ରାଦେଶିକତାବାଦ ରୂପେ ବିଭକ୍ତ ହୋଇପଡ଼ିଛି ଏବଂ ଅସଲ ଉଦ୍‍ବେଳନ ଗୁଡ଼ିକୁ ପ୍ରାୟ ଏକ ଚତୁରତା ସହିତ ଏଡ଼ି ଏଡ଼ି ଯିବାରେ ଲାଗିଛି । ଏକଦା ଭାରତବର୍ଷର ଯେଉଁ ଜାତୀୟତାବାଦୀ ପ୍ରେରଣା ଏକ ଅବିଭକ୍ତ ଶିବିର ରୂପେ ବ୍ରିଟିଶ୍‌ ସାମ୍ରାଜ୍ୟବାଦ ସହିତ ସଂଗ୍ରାମ କରିଥିଲା ଏବଂ ସେହି ସଂଗ୍ରାମରେ ବିଜୟ ଲାଭ କରୁଥିଲା, ସ୍ଵାଧୀନତା ପରେ ତାହା ପ୍ରଧାନତଃ କେଉଁସବୁ କାରଣ ହେତୁ ଅଥବା ଠିକ୍‍ କେଉଁଭଳି ନେତୃତ୍ଵରେ ଅଭାବ ହେତୁ ପ୍ରଦେଶ ବା ରାଜ୍ୟ ଅନୁସାରେ ଖଣ୍ଡ ଖଣ୍ଡ ହୋଇଗଲା ଓ ସମଗ୍ରଟିକୁ ନ ଦେଖି କେବଳ ଖଣ୍ଡଗୁଡ଼ାକୁ ହିଁ ଦେଖିବାକୁ ଆରମ୍ଭ କଲା, ସେହି ପ୍ରକ୍ରିୟାଟିର ଏକ ସୁନିଷ୍ଠ ଅଧ୍ୟୟନ ଅବଶ୍ୟ ହୋଇପାରନ୍ତା ।

 

ଅଷ୍ଟାଦଶ ଶତାବ୍ଦୀ ଜର୍ମାନୀର ଦାର୍ଶନିକ ଏମାନୁଏଲ୍‌ କାଣ୍ଟ ଥରେ ଗୋଟିଏ ପ୍ରସଙ୍ଗରେ କହିଛନ୍ତି ଯେ, ଯେତେବେଳେ ଗୋଟିଏ ଜାତିର ଅନ୍ତର୍ଗତ ପ୍ରତ୍ୟେକ ବ୍ୟକ୍ତିର ଚରିତ୍ରନାମକ ଏକ ସମ୍ପଦ ରହିଥାଏ, ସେତେବେଳେ ଜାତୀୟ ଚରିତ୍ରର ଆଦୌ ଚର୍ଚ୍ଚା ହିଁ ହୁଏନାହିଁ । ସେଭଳି ଚର୍ଚ୍ଚାର କୌଣସି ଆବଶ୍ୟକତା ନ ଥାଏ । ମାତ୍ର, ଯେତେବେଳେ ବ୍ୟକ୍ତିମାନଙ୍କର ପ୍ରକୃତରେ ଚରିତ୍ର ବୋଲି କିଛି ନ ଥାଏ, ଠିକ୍‍ ସେତିକିବେଳେ ସମସ୍ତେ ଜାତୀୟ ଚରିତ୍ରର କଥା କହିବାରେ ଲାଗିଥାନ୍ତି । ଆମ ଜାତିର ସ୍ଵାଭିମାନ ଓ ଚରିତ୍ର ବିଷୟରେ ଆମେ ସଭା ମଣ୍ଡାଇ ଚର୍ଚ୍ଚା କରୁଥିବାବେଳେ କାଣ୍ଟ୍‍ଙ୍କର ଉପରଲିଖିତ ମନ୍ତବ୍ୟଟି ଆମକୁ ହୁଏତ ଭାରି ଅପ୍ରୀତିକର ଲାଗିବ । ଆମ ଗୋଡ଼ତଳୁ ସତେଅବା ସବୁ ଭୂଇଁ ଭୁଷୁଡ଼ି ଯାଉଥିବା ପରି ମନେହେବ । ଭାରତବର୍ଷରେ ଗତ ଚାଳିଶି ବର୍ଷ ଭିତରେ ବ୍ୟକ୍ତିର ଚରିତ୍ର କ୍ରମଶଃ ହାତଛଡ଼ା ହୋଇଯାଇଛି ବୋଲି ଏବେ ସମସ୍ତେ ଏକାବେଳେକେ ଅତର୍ଚ୍ଛ ହେଲାପରି ଜାତୀୟ ଚରିତ୍ର ବିଷୟରେ ମଣ୍ଡପ ମଣ୍ଡାଇ ହୁରି କରିବାରେ ଲାଗିଛନ୍ତି କି ? ଜଣେ ଜଣେ ମନୁଷ୍ୟ ହିସାବରେ ଯଦି ଆମର ସ୍ଵାଭିମାନ କିମ୍ବା ଚରିତ୍ର ନଥିବ, ତେବେ ଜାତିର ସ୍ଵାଭିମାନ କିମ୍ବା ଚରିତ୍ରର ରକ୍ଷା ବା କିପରି ହୋଇପାରିବ ? ଜଣେ ଜଣେ ବ୍ୟକ୍ତି ହିସାବରେ ଯଦି ଆମର ଆଦୌ କୌଣସି ସମ୍ମାନବୋଧ ନ ଥିବ, ତେବେ ଆମ ଜାତିର ସମ୍ମାନ କ’ଣ ଆଉ କାହାର ଅନୁଗ୍ରହରେ ସ୍ଵର୍ଗରୁ ଆସିବ ? ଜଣେ ବ୍ୟକ୍ତିକୁ ବ୍ୟକ୍ତିହିସାବରେ ଦେଖିବା, ଏକାନ୍ତ ବେସାଲିଶ୍‌ ଭାବରେ ପ୍ରତ୍ୟେକ ମନୁଷ୍ୟକୁ ମନୁଷ୍ୟବୋଧରେ ଦେଖିବା, ଏହି କଥାଟି ଭାରତବର୍ଷର ବ୍ୟାବହାରିକ ଅର୍ଥାତ୍‍ ସମ୍ବନ୍ଧଗତ ସଂସ୍କୃତିରେ ହୁଏତ ପ୍ରକୃତରେ କେବେହେଲେ କୌଣସି ଯୁଗରେ ବି ନଥିଲା । ଦୃଶ୍ୟ ଓ ଅଦୃଶ୍ୟ ବହୁ ବିଷମତା ଏଠି ହିମାଳୟ ପରି ଠିଆ ହୋଇ ରହିଥିଲା । ସାଧୁ ଓ ଅସାଧୁମାନେ ଏଭଳି ଏକାଧିକ ଶାସ୍ତ୍ର ମଧ୍ୟ ଲେଖୁଥିଲେ, ଯାହାକୁ ଉକ୍ତ ବିଷମତା ଗୁଡ଼ିକୁ ସମର୍ଥନ ଜଣାଉଥିଲା । ବିଷମତାଗୁଡ଼ିକୁ ଜାରି ରଖିବା ସକାଶେ ତଥାକଥିତ ଧର୍ମକୁ ମଧ୍ୟ କାମରେ ଲଗା ହେଉଥିଲା । ଅବଶ୍ୟ କେତେକ ଶାସ୍ତ୍ର ଏପରି ବି ଥିଲା, ଯେଉଁମାନେ କି ମନୁଷ୍ୟର ବ୍ରହ୍ମତ୍ଵର ଘୋଷଣା ମଧ୍ୟ କରୁଥିଲେ । ମାତ୍ର ସେହି ଶାସ୍ତ୍ରଗୁଡ଼ିକ ଆଚରଣଠାରୁ ବହୁ ଦୂରରେ ରହିଥିଲେ, ପୂଜା ପାଉଥିଲେ, ଆପ୍ତବାକ୍ୟ ହୋଇ ରହିଥିଲେ । ତେଣୁ ସମ୍ମାନ ଦେଇ ପ୍ରତ୍ୟେକ ମନୁଷ୍ୟକୁ ଦେଖିବାର ଅସଲ ରୀତିଟି ଭାରତବର୍ଷରେ ପ୍ରାୟ ପୋଥିବାଇଗଣ ହୋଇ ରହିଥିଲା । ପଦ ଓ ଆସନ ଅନୁସାରେ ସମ୍ମାନର ନିର୍ଦ୍ଧାରଣ ହେଉଥିଲା । ସେହି ପଦ୍ଧତି ଏବେ ମଧ୍ୟ ରହିଛି । ପଦ ଓ ଆସନ ସହିତ ପଇସାଟା ମଧ୍ୟ ଏକ ନୂତନ ପରିମାପକ ରୂପେ ପ୍ରବେଶ କରିଛି । ତେଣୁ ବ୍ୟକ୍ତିମାନେ, ବିଶେଷତଃ ପଦସ୍ଥ ଓ ଭାଗ୍ୟବାନ୍‌ମାନେ ଏବେ ସଭାରେ ଜାତିର ସ୍ଵାଭିମାନ ବିଷୟରେ ବତ୍କୃତା ଦେବାର ସେହି ଅନ୍ୟ ପଦ୍ଧତିଟିକୁ ଆରମ୍ଭ କରି ଦେଇଛନ୍ତି । ଅନ୍ୟ ଅନେକଙ୍କର ସମ୍ମାନକୁ ଲୁଟି କରି ନିଜେ ପ୍ରାୟ ସମସ୍ତ ସମ୍ମାନକୁ ସ୍ତୁପପ୍ରାୟ ବ୍ୟବହାର କରି ଏତେ ଉଚ୍ଚ ହୋଇ ବସିଥିବା ଅଳପମାନେ ଜାତିର ସ୍ଵାଭିମାନ ବିଷୟରେ ଗମ୍ଭୀର ଉଦ୍‍ଗାରମାନ କରିବାରେ ଲାଗିଛନ୍ତି-। ଏହି ଅଳପମାନଙ୍କର ମୂଲ୍ୟାୟନ-ଭୂମିରେ ଭାରତବର୍ଷ କୋଉକାଳୁ ଖଣ୍ଡ ଖଣ୍ଡ ହୋଇଗଲାଣି । ତେଣୁ, ଖଣ୍ଡମାନେ, ପରସ୍ପରକୁ ଈର୍ଷା କରିବା ଏବଂ ପରସ୍ପର ନାମରେ ବିଷୋଦ୍‍ଗାର କରିବାକୁ ହିଁ ଏବେ ସ୍ଵାଭିମାନ ବୋଲି କୁହାଗଲାଣି ।

 

ଏବଂ, ବହୁତ ମଣିଷଙ୍କର ଶିବିରଟି ବକା ପରି ଅନାଇ ରହିଛି । ବହୁତ ମଣିଷ ଯାବତୀୟ ସମ୍ମାନରୁ ବଞ୍ଚିତ ହୋଇ ରହିଛନ୍ତି । ଆପଣାର ଶିବିରଟିଏ କରି ଆପଣାର କଥା କହି ପାରିବାକୁ ସେମାନଙ୍କର ଅଣ୍ଟାରେ କୌଣସି ବଳ ନାହିଁ । ଆପଣାର ସମ୍ମାନ ଓ ଐଶ୍ୱର୍ଯ୍ୟଗୁଡ଼ିକ ବିଷୟରେ ସଚେତନ ହୋଇପାରବା ତ ଆହୁରି ଅଧିକ ଦୂରର କଥା । ତେଣୁ, ବିଶେଷ ଉତ୍ସବମାନଙ୍କରେ ରଡ଼ି କରାଯାଉଥିଲେ ମଧ୍ୟ ସ୍ଵାଭିମାନ ପ୍ରାୟ କେଉଁଠାରେ ହେଲେ ନାହିଁ । ବଡ଼ଲୋକୀମାନ ଅବଶ୍ୟ ରହିଛି, ଅତ୍ୟନ୍ତ ଲଜ୍ଜାହୀନ ଭାବରେ ରହିଛି । ମାନଗୁଡ଼ାକ ପ୍ରବଳ ମାତ୍ରାରେ ରହିଛି ଓ ବହୁ ଉପଦ୍ରବ କରୁଛି । ଅହଙ୍କାରମାନେ ମସ୍ତକରେ ଫୁଲର ମକୁଟ ପିନ୍ଧି ବାହାରକୁ କେଡ଼େ କୋମଳ ଏବଂ କେଡ଼େ ଉଦାର ହୋଇ ଦିଶିବାକୁ ପ୍ରୟାସ କରୁଛନ୍ତି । ଅହଙ୍କାର କୋମଳ ଏବଂ ମହାନୁଭବ ହେବାକୁ ପ୍ରୟାସ କଲେ ତାହା ଅନୁଗ୍ରହର ଅବତାର ଧାରଣା କରେ, ଦୟାରୂପରେ ଉପରୁ ବରଷିବାର ଢମ କରୁଥାଏ । ଉପର ଅନୁଗ୍ରହ କରେ, ତଳମାନେ ଦାନ୍ତରେ ତିରଣ ଲଗାଇ ତାହାକୁ ଗ୍ରହଣ କରୁଥାନ୍ତି ଏବଂ କୃତଜ୍ଞତା ଜ୍ଞାପନ କରନ୍ତି । ଭାରତବର୍ଷରେ ଏହି ଅନୁଗ୍ରହ ଓ ଦୟା ଯୁଗ ଯୁଗରୁ ଆମର ସାମୂହିକ ଜୀବନରେ ରାଜା ପରି ବସି ଆସିଛନ୍ତି । ଏବେ ମଧ୍ୟ ଆମର ହାଉଆ ଏବଂ ପ୍ରତିଷ୍ଠିତ ବ୍ୟବସ୍ଥାଗୁଡ଼ିକ ସେହିମାନଙ୍କୁ ହିଁ ରାଜା ବୋଲି ମାନୁଛନ୍ତି । ଅନୁଗ୍ରହ ଦେଖାଉଥିବା ଏବଂ ଅନ୍ୟର ଦୟା ଲାଗି ଭାଗ୍ୟବତ୍ ଅପେକ୍ଷା କରି ରହିଥିବା ଏହି ଦୁଇଟିଯାକ ଶିବିର କେହି କଦାପି ଯଥାର୍ଥ ସ୍ଵାଭିମାନର ଯୋଗ୍ୟ ହୋଇପାରିବେ ନାହିଁ ।

 

ଜାତିର ଡିଣ୍ଡିମ ପିଟାଯିବା ପୂର୍ବରୁ ଆଗ ପ୍ରତ୍ୟେକ ମଣିଷକୁ ଜଣେ ମଣିଷ ବୋଲି ସ୍ଵୀକାର କରାଯାଉ । ଥୋକାଏ ଅହଙ୍କାରୀ ମଣିଷ ସେମାନଙ୍କର ଖୁଆଡ଼ ବା ଗୁହାଳ ବାହାରେ ଥିବା ବହୁ ମଣିଷଙ୍କୁ ତୁଚ୍ଛ ଗୋଡ଼ମାଟି ପରି ଦେଖିବାର ଦୁଷ୍ଟ ଅଭ୍ୟାସଟିକୁ ପରିତ୍ୟାଗ କରନ୍ତୁ–ଅନ୍ୟ ମଣିଷ ସହିତ ଆପଣାକୁ ସମତୁଲ କରି ଦେଖିବାର ସେହି ଅନ୍ୟ ଶିକ୍ଷାଟିକୁ ଅଭ୍ୟାସ କରନ୍ତୁ । ଜଣେ ମଣିଷ ହିସାବରେ ଆପଣାର ସମ୍ମାନବୋଧ ରହିଥିବା ମଣିଷ ଅନ୍ୟ ମଣିଷମାନଙ୍କୁ ସର୍ବଥା ସେମାନଙ୍କର ସମ୍ମାନ ଦେଇଥାଏ । ଆମ ଦେଶର ତଥାକଥିତ ସମ୍ମାନସ୍ଥ ମଣିଷମାନେ ଅନ୍ୟ ମଣିଷଙ୍କୁ ସେମାନଙ୍କର ସମ୍ମାନ ଓ ସ୍ଵୀକୃତି ଦେଲାବେଳେ ପଦ, ପଇସା ଓ ଆହୁରି କେତେକେତେ ମିଥ୍ୟା ଉଚ୍ଚତରତାର ପରଳ ସୃଷ୍ଟି କରି ଏପରି କୃପଣ ଓ ଅନିଚ୍ଛୁକ ହୋଇ ପଡ଼ୁଛନ୍ତି କିପରି ? ବ୍ୟକ୍ତି ବ୍ୟକ୍ତିର ସ୍ତରରେ ଏହି ଅପମାନଜନକ ତାମସା ଲାଗି ରହିଥିବା ପର୍ଯ୍ୟନ୍ତ ଜାତୀୟ ସ୍ଵାଭିମାନ ବା ସମ୍ଭବ ହେବ କିପରି ? ବା, ଆମର ସାନ ଘରଟିରେ ମଧ୍ୟ ବହୁସଂଖ୍ୟକ ମଣିଷଙ୍କୁ ଅସମର୍ଥ ଓ ଅବର କରି ରଖି ଅଳପ କେତେଜଣ ମଣିଷ ଆପଣାର ଅହଙ୍କାର, ଈର୍ଷା ଏବଂ ପ୍ରକୃପିତ ହୀନମନ୍ୟତାଗୁଡ଼ିକୁ ଓଡ଼ିଆର ସ୍ଵାଭିମାନ ବୋଲି କହୁଥିବା ପର୍ଯ୍ୟନ୍ତ ଏହି ଭୂମିର ଅସଲ ସୌନ୍ଦର୍ଯ୍ୟଗୁଡ଼ିକ ପ୍ରକଟ ହୋଇପାରିବ କିପରି ? ତେଣୁ, ବ୍ୟକ୍ତିର ସ୍ତରରେ ହିଁ ଏହି ସ୍ଵାଭିମାନର ଅନୁସନ୍ଧାନ କରାଯାଉ ଏବଂ ସ୍ଵାଭିମାନ ମିଛଟାରେ ସଭାସ୍ଥଳଗୁଡ଼ାକରେ ଏକ ସ୍ଳୋଗାନ୍‌ ହୋଇ ନରହି ବ୍ୟକ୍ତି ଜୀବନର ଏକ ନିଷ୍ଠାଯୁକ୍ତ ଅନୁଶୀଳନରେ ପରିଣତ ହେବାକୁ ଚେଷ୍ଟା କରୁ । ତେବେଯାଇ ଇଜ୍ଜତ ରହିବ । ପରସ୍ପରକୁ ଇଜ୍ଜତ ଦେଇ ପାରିଲେ ହିଁ ଇଜ୍ଜତ ରହିବ । ଓଡ଼ିଶାବାସୀ ପ୍ରତ୍ୟେକ ମଣିଷର ଇଜ୍ଜତ ରଖାଗଲେ ଓଡ଼ିଶାର ମଧ୍ୟ ଇଜ୍ଜତ ରହିବ । (୯ । ୧୨ । ୮୭)

 

(୧୯)

 

୧୮୬୪ ମସିହାରେ ଡେନମାର୍କ ଏବଂ ଜର୍ମାନୀ ଭିତରେ ଯୁଦ୍ଧ ଲାଗିଥିଲା । ଦୁଇ ଅସମମାନଙ୍କ ଭିତରେ ଯୁଦ୍ଧ ହେଲେ ପରିମାଣ ଯାହା ହୁଏ, ଏହି କ୍ଷେତ୍ରରେ ମଧ୍ୟ ସେହିକଥା ଘଟିଲା । ସେତେବେଳେ ଇଉରୋପ ମହାଦେଶରେ ଜର୍ମାନୀ ଏକ ପ୍ରବଳ ଦେଶ ଏବଂ ତା’ ଆଗରେ ଡେନମାର୍କ କୌଣସି ଦୃଷ୍ଟିରୁ ମଧ୍ୟ କିଛି ନୁହେଁ । ଡେନମାର୍କ ଯୁଦ୍ଧରେ ହାରିଗଲେ । ଜର୍ମାନୀକୁ ସ୍ଥଳଭାଗରେ ଲାଗିକରି ଡେନମାର୍କର ଯେଉଁ ଦୁଇଟି ପ୍ରଦେଶ ବା ଅଞ୍ଚଳ ଥିଲା, ଜର୍ମାନୀ ତାହାକୁ ନିଜର ବୋଲି ଦାବୀ କରୁଥିଲା ଏବଂ ସେଇଥିପାଇଁ ଉକ୍ତ ଯୁଦ୍ଧ ହୋଇଥିଲା । ଡେନମାର୍କ ହାରିଯିବାରୁ ସ୍ଳେଣ୍‍ଭି ଏବଂ ହଲ୍‌ଷ୍ଟିନ୍ ନାମକ ସେହି ଦୁଇଟି ପ୍ରଦେଶ ଜର୍ମାନୀ ଅଧିକାର କରିନେଲା-। ଏକ ଅପମାନଜନକ ଦ୍ୱିପାକ୍ଷିକ ଚୁକ୍ତିରେ ସ୍ୱାକ୍ଷର କରି ଡେନମାର୍କ ସରକାର ପ୍ରଦେଶ ଦୁଇଟିକୁ ଜର୍ମାନୀର ବୋଲି ସ୍ଵୀକାର କଲେ । ଦୁଇଟିଯାକ ପ୍ରଦେଶ ସେହିକାଳରୁ ଏବେ ମଧ୍ୟ ଜର୍ମାନୀରେ ରହିଛି । ଦ୍ଵିତୀୟ ମହାଯୁଦ୍ଧ ପରେ ଜର୍ମାନୀ ତିନିଖଣ୍ଡ ହେବା ପରେ ତାହା ପଶ୍ଚିମ ଜର୍ମାନୀର ଗୋଟାଏ ପ୍ରଦେଶ ହୋଇ ରହିଛି । ସେହି ଅଞ୍ଚଳଟି ନ୍ୟାୟତଃ ଡେନମାର୍କ ଦେଶରେ ଏବଂ ତେଣୁ ତାହା ପୁନର୍ବାର ଡେନମାର୍କ ସହିତ ସାମିଲ ହେବା ଉଚିତ ବୋଲି ଏବେ ମଧ୍ୟ କତିପୟ ଡେନମାର୍କବାସୀ ଅତ୍ୟନ୍ତ ଭାବପ୍ରବଣ ହୋଇ ଭାବୁଛନ୍ତି ଓ ବେଳେବେଳେ ପ୍ରକାଶ୍ୟରେ ଖେଦ ମଧ୍ୟ କରିଛନ୍ତି । ମାତ୍ର, ଶହେବର୍ଷ ତଳର ଇତିହାସଟ ପୁନର୍ବାର ଖେଳାଇ ଦେଖିବା ପାଇଁ ଆଉ ଖୁବ୍‍ ବେଶୀ ମଣିଷ ମୋଟେ ମନ କରୁନାହାନ୍ତି । ଡେନମାର୍କ ଜର୍ମାନୀଠାରୁ ହାରିଗଲା, ତଣ୍ଡରେ ପଡ଼ି ଜର୍ମାନୀର ‌ଦେବୀକୁ ସ୍ଵୀକାର କରିନେଲା ଏବଂ ଆପଣାର ଦୁଇଟି ପ୍ରଦେଶ ଜର୍ମାନୀକୁ ଦେବାକୁ ବାଧ୍ୟ ହେଲା । ଦେଶର ପ୍ରାୟ ସବୁ ଶ୍ରେଣୀର ଲୋକଙ୍କ ମନରେ ତାହା ଘୋର ନୈରାଶ୍ୟ ଏବଂ ଅବସାଦ ଆଣି ଦେଇଥିଲା । ଏହି ଘଟଣାଟିକୁ ନିଠ କରି ସେତେବେଳର କବିମାନେ କେତେ କାରୁଣ୍ୟରେ କବିତାମାନ ଲେଖିଲେ । ସେହି ସାମରିକ ପରାଜୟଟାକୁ ସମସ୍ତେ ପ୍ରାୟ ଏକ ଜାତୀୟ ବିପର୍ଯ୍ୟୟ ବୋଲି ଅନୁଭବ କଲେ ଏବଂ ଏହା ଫଳରେ ନିଜ ଦେଶର ଅଣ୍ଟାଟା ଯେଉଁଭଳି ଦୁଃଖଦାୟକ ଭାବରେ ଗୋଟାସୁଦ୍ଧା ଭାଙ୍ଗି ଗଲା, ଭବିଷ୍ୟତରେ ଆଉ କସ୍ମିନ୍‍କାଳେ ମଧ୍ୟ ଡେନମାର୍କ ପୁନର୍ବାର ଅଣ୍ଟା ସିଧା କରି ଛିଡ଼ା ହୋଇପାରିବ ବୋଲି ଆଉ କେହି ହେଲେ ବିଶ୍ଵାସ କରି ପାରୁନଥିଲେ । ଏହି ସଙ୍କଟ ସମୟରେ ରାଜଧାନୀ କୋପେନ୍‌ ହେଗେନ୍‍ର ଜଣେ ପାଦ୍ରୀ ଆପଣାର ଗୋଟାଏ କବିତା ବଳରେ ହିଁ ଦେଶର ନୈରାଶ୍ୟକୁ ଆଶାରେ ପରିଣତ କରି ପାରିଥିଲେ-। ପାଦ୍ରୀ ନିକୋଲାଇ ଗ୍ରୁନ୍ତଭି (Nicolai Grundtvig) ଜଣେ କବି ହିସାବରେ ଆଗରୁ ଅନେକ ପ୍ରଖ୍ୟାତି ଲାଭ କରିଥିଲେ । ୧୮୬୪ ମସିହା ପରେ ମଧ୍ୟ ସିଏ ବହୁସଂଖ୍ୟକ କବିତା ଲେଖିଛନ୍ତି । ତାଙ୍କର ରଚନାବଳୀ ବହୁଭାଗରେ ପ୍ରକାଶିତ ହୋଇ ଦେଶରେ ଏବେ ମଧ୍ୟ ଆଦର ଲାଭ କରୁଛି । ମାତ୍ର, ସେହି ଗୋଟିଏ କବିତାରେ ଯଥାର୍ଥରେ ଜାଗରଣକାରୀ କେଉଁସବୁ ଉପାଦାନ ରହିଥିଲା କେଜାଣି, ତାହାହିଁ ଦେଶ ଗୋଟାକଯାକ ନିରାଶାରେ ଅନ୍ଧକାର ଓ ଅବସାଦ ଘୋଟି ରହିଥିବାବେଳେ ଦେଶବାସୀଙ୍କର ଠିକଣା ଜାଗାରେ ଯାଇ ଆଘାତ କଲା, ଏବଂ ଦେଶଯାକ ଏକ ନୂତନ ଜାଗରଣର କାରଣ ହେଲା । ଆଧୁନିକ ଡେନମାର୍କର ନୂତନ ଯୁଗଟି ମୂଳତଃ ସେହି ପ୍ରେରଣାକୁ ଜନ୍ମଲାଭ କରିଥିଲା ବୋଲି ସେହି ଦେଶର ବହୁ ସମୀକ୍ଷକ ଏବେ ମଧ୍ୟ ସ୍ଵୀକାର କରୁଛନ୍ତି ।

 

ଗ୍ରୁନ୍ତଭି ଆପଣାର ସେହି କବିତାଟିରେ ଅତ୍ୟନ୍ତ ସରଳ ଭାଷାରେ କେତୋଟି ଅସଲ କଥା କହିଥିଲେ । ଡେନମାର୍କର ଜଣେ ଅନୁରାଗୀ ଅଧିବାସୀ ହିସାବରେ ସିଏ ଆପଣାର ଅନ୍ତଃପ୍ରବେଶ କରି ପ୍ରାୟ ଏକ ରୋମାନ୍ଥନ କଲାପରି ଯେଉଁ କେତୋଟି କଥା କହିଥିଲେ, ତାହା ସତେ ଅବା ପ୍ରତ୍ୟେକ ଡେନମାର୍କ ବାସୀର ହୃଦୟକୁ ସ୍ପର୍ଶ କରିଥିଲା ଏବଂ ପ୍ରାୟ ଏକ ସର୍ବମୟ ଅସହାୟତାବୋଧକୁ ନବୀନ ଆଶରେ ରୂପାନ୍ତରିତ କରି ଦେଇଥିଲା, ନୂତନ ବିଶ୍ଵାସର ସଞ୍ଚାର କରି ଦେଇଥିଲା । ସମଗ୍ର ଦେଶ ସମ୍ମୁଖରେ ସତେ ଅବା ଏକ ନୂତନ ପଥ ଖୋଲିଯିବାର ଏକ ପ୍ରତୀତି ଆଣି ଦେଇଥିଲା । ସେତେବେଳେ ପ୍ରକୃତରେ ସମଗ୍ର ଭୂମିଟି ନିମନ୍ତେ ସେହିଭଳି ଏକ ଦ୍ଵାରଉନ୍ମୋଚନକାରୀ କବିତାର ଆବଶ୍ୟକତା ରହିଥିଲା ଏବଂ ତେଣୁ ତାହାର ଅନ୍ତର୍ଗତ ବାର୍ତ୍ତାଟି ଏତେ ସହଜରେ ସଂପୃକ୍ତ ସମସ୍ତଙ୍କୁ ଏତେ ନିବିଡ଼ ଭାବରେ ଅନୁପ୍ରାଣିତ କରି ପାରିଥିଲା ଏବଂ ଅତ୍ୟନ୍ତ ସ୍ଵତଃପ୍ରେରିତ ଭାବରେ ଗ୍ରୁନ୍ତ୍‍ଭିଙ୍କୁ ଜଣେ ସର୍ବଜନ ଆକାଂକ୍ଷିତ ପଥପ୍ରଦର୍ଶନକାରୀ ରୂପେ ପ୍ରତିଷ୍ଠିତ କରାଇ ଆଣିଲା । ତା’ପରେ ଦେଶରେ ଯେଉଁ ନୂତନ ସଂକଳ୍ପ, ବିଶ୍ଵାସ ଏବଂ ଉତ୍ସାହର ବନ୍ୟା ଆସିଲା ଓ ସେଥିରୁ ଯେଉଁସବୁ ବହୁମୁଖୀ ଉଦ୍‍ବେଳନ ଜନ୍ମଲାଭ କରିଥିଲା, କବି ଗ୍ରୁନ୍ତ୍‍ଭି ଅତ୍ୟନ୍ତ ସ୍ଵାଭାବିକ ଭାବରେ ସେଥିରେ ନିମିତ୍ତ ତଥା ନାୟକର ଭୂମିକା ଗ୍ରହଣ କରିଥିଲେ । ଉଚିତ ବେଲେ ଉଚିତ କଥାଟି କହି ସିଏ ଆମର ହୋଇଗଲେ ।

 

କବିତାଟିରେ ଏକ ବ୍ୟଞ୍ଜନାପୂର୍ଣ୍ଣ ବ୍ୟଙ୍ଗର ସୃଷ୍ଟି କରି ଗ୍ରୁନ୍ତ୍‍ଭି ଡେନମାର୍କ ସହିତ ଇଉରୋପ ତଥା ସମସାମୟିକ ଅନ୍ୟ ଦେଶଗୁଡ଼ିକର ତୁଳନା କରିଥିଲେ । ବକଟେ ପ୍ରମାଣ ଦେଶ ଡେନମାର୍କ ଯେ ପୃଥିବୀରେ ରହିଥିବା ବୃହତ୍‌ ଦେଶମାନଙ୍କର ପ୍ରାସଙ୍ଗରେ ହିଁ ପଡ଼ିବ ନାହିଁ, ସିଏ କବିତାର ପ୍ରଥମ କେତୋଟି ପଦରେ ସେହି କଥାଟିର ଅବତାରଣା କରିଥିଲେ । ସିଏ କହିଥିଲେ : ପୃଥିବୀର କେତେ ଦେଶରେ ଉତ୍ତୁଙ୍ଗ ଓ ଦୀର୍ଘ ପର୍ବତଶ୍ରେଣୀ ରହିଛି, ଚିରପ୍ରବାହିତା ବୃହତ୍‍ ନଦୀମାନେ ରହିଛନ୍ତି, ପୃଥିବୀରେ ନିଜକୁ ବଡ଼ ଓ ମହତ୍ତ୍ୱପୂର୍ଣ୍ଣବୋଲି ଦର୍ଶାଇ ପାରିବାକୁ ଓ ସେଥିରୁ ଯଥାର୍ଥରେ ଏକ ଗର୍ବ ଅନୁଭବ କରିବାକୁ କେତେକେତେ ଦେଶର କେତେକେତେ କଥା ରହିଛି । ମାତ୍ର ଡେନମାର୍କରେ ସେସବୁରୁ କେଉଁଠି କ’ଣ ରହିଛି ଯେ, ଡେନମାର୍କବାସୀ ତାହାକୁ ନେଇ ଗର୍ବ ଅନୁଭବ କରିବେ ଏବଂ ପୃଥିବୀରେ ଆଉ ପାଞ୍ଚଟା ଦେଶ ଆଗରେ ମୁଣ୍ଡ ସିଧା କରି ଛିଡ଼ାହୋଇ ପାରିବେ ? ସାରା ଦେଶରେ ପର୍ବତରେ ସୁମାରି ହେବାକୁ ଗୋଟିଏ ବୋଲି ଉଦାହରଣ ରହିଛି ଯାହାକୁ କି ଦେଶବାସୀ କେତେ ସୁଆଗରେ ହିମ୍ମେଲ୍ ବେଆର୍ଗ୍ (Himmelbjerg) ବା ସ୍ଵର୍ଗଶିଖର ବୋଲି କହୁଛନ୍ତି, ମାତ୍ର ଯେକୌଣସି ବଡ଼ ଘରଡ଼ିହଠାରୁ ଯାହାର ଉଚ୍ଚତା ମୋଟେ ଅଧିକ ଉଚ୍ଚ ହେବ ନାହିଁ । ନଈ ବୋଲି ଦେଖାଇ ପାରିବାକୁ ଡେନମାର୍କରେ ଆଖିଦୃଶିଆ ହେଲାଭଳି ଜୋରଟିଏ କିମ୍ବା ନାଳୀଟିଏ ମଧ୍ୟ ନାହିଁ । ଦେଶରେ ସୁବିସ୍ତୀର୍ଣ୍ଣ ସ୍ଥଳଭାଗ ବୋଲି କହି ପାରିବାକୁ ଆଦୌ କିଛି ନାହିଁ । ନିର୍ଧୂମ ସମୁଦ୍ର ଭିତରେ ପ୍ରାୟ ଉବୁଡ଼ୁବୁ ହେଉଥିବା ସାନ ଓ ବଡ଼ ପ୍ରାୟ ତିନିଶହ କିମ୍ବା ଚାରିଶହ ଦ୍ଵୀପ,–ଏଇଟାକୁ କ’ଣ ଗୋଟାଏ ଦେଶ ବୋଲି କୁହାଯାଏ ? ଜଳବାୟୁଟା ହେଲେ ଜୀବନ ଲାଗି ସୁଖକର ହୋଇଥାନ୍ତା କି ? କଠୋର ଶୀତ ପବନ, ପ୍ରଚଣ୍ଡ ତୁଷାରପାତ ଓ ଝଡ଼,–ଏଥିରେ ଗୋଟାଏ ଦେଶର ଗୌରବ ଅନୁଭବ କରିବାର ଆଉ ପ୍ରକୃତରେ କ’ଣ ରହିଲା ? ଏହିପରି ବହୁତ ବ୍ୟଙ୍ଗ ସୃଷ୍ଟି କରି ଗ୍ରୁନ୍ତଭି କବିତାର ଆରମ୍ଭରେ ନିଜର ଦେଶ ବିଷୟରେ କେତେ କ’ଣ କହିଛନ୍ତି ଓ ବାହାରର ଆଖିକୁ ଦେଶଟାକୁ ନିତାନ୍ତ ଅନାମଧେୟ ବୋଲି ଦର୍ଶାଇବାର ଚେଷ୍ଟା କରିଛନ୍ତି ।

 

ମାତ୍ର କବିତାର ଅସଲ ଆବେଦନ ଓ ଅସଲ ବାର୍ତ୍ତାଟି ଦ୍ଵିତୀୟ ଭାଗରେ ଯାଇ ରହିଛି । କବି ଗ୍ରୁନ୍ତଭି କେତେ ସହଜ ଭାବରେ ଆପଣାର ଦେଶ ବିଷୟରେ ଆପଣାର ସର୍ବନିମ୍ନ ସ୍ଵପ୍ନଗୁଡ଼ିକୁ ଭାଷାରେ ପ୍ରକାଶ କରି କହିଛନ୍ତି : ପୃଥିବୀରେ ବହୁ ବୃହତ୍‌ ଦେଶରେ ଯାହାସବୁ ରହିଛି, ଡେନମାର୍କ ଦେଶରେ ତାହା ସିନା ନାହିଁ, ମାତ୍ର ତିରିଶି ଲକ୍ଷ ମଣିଷ ତ ରହିଛନ୍ତି । ସେହି ମଣିଷମାନେ ହିଁ ଦେଶର ସର୍ବପ୍ରଧାନ ସମ୍ପଦ, ଏହି ମଣିଷମାନେ ହିଁ ମନ କଲେ, ଏକଜୁଟ ହେଲେ ଓ ଯଥାର୍ଥ ସଂକଳ୍ପଗୁଡ଼ିକୁ ଗ୍ରହଣ କରିପାରିଲେ ଆପଣାର ଦେଶଟାକୁ ବଡ଼ କରି ଗଡ଼ିପାରିବେ ଓ ପୃଥିବୀ ଭିତରେ ଆପଣାର ସ୍ଵାତନ୍ତ୍ର୍ୟ ଦ୍ଵାରା ସଂପୂର୍ଣ୍ଣ ଭାବରେ ବାରିହୋଇ ପଡ଼ିବେ । ସମ୍ମୁଖରେ କେଉଁ ଅସଲ କଥାଟିକୁ ରଖି ଡେନମାର୍କର ମଣିଷମାନେ ଡେନମାର୍କକୁ ଗଢ଼ିବେ, ଯିଏ ସେହି ଲକ୍ଷ୍ୟଟିକୁ ମଧ୍ୟ କବିତାରେ ଶେଷ ଦୁଇଧାଡ଼ିରେ ଅତ୍ୟନ୍ତ ସ୍ପଷ୍ଟ କରିଦେଇଛନ୍ତି ।

 

ଦେଶରେ ଶିକ୍ଷା ଦ୍ଵାରା, ନୂତନ ଆଲୋକନ ଦ୍ଵାରା ଏବଂ ଏକ ଯଥାର୍ଥ ସଂହତିରେ ସଚେତନତା ଦ୍ଵାରା ଏପରି ଏକ ନୂତନ ସମାଜ ଗଠିତ ହୋଇ ଆସିବ, ଯେଉଁଠାରେ କି ଅତି ଅଳ୍ପସଂଖ୍ୟକ ମଣିଷଙ୍କ ପାଖରେ ଅତିବେଶୀ ଧନ ଥିବ ଏବଂ ତା’ଠାରୁ ଆହୁରି ଅଧିକ ଅଳ୍ପସଂଖ୍ୟକ ମଣିଷଙ୍କ ପାଖରେ ଏତେ ଅଳପ ରହି ନଥିବ ଯେ ସେମାନେ ସମ୍ବଳହୀନ ଏବଂ ନିଃସ୍ୱ ହୋଇ ରହିବାକୁ ବାଧ୍ୟ ହେଉଥିବେ । ଦେଶର ମଣିଷମାନଙ୍କୁ ନେଇ ଗ୍ରୁନ୍ତଭି ଏକ ସମତାର ସ୍ଵପ୍ନ ଦେଖିଥିଲେ । ସେହି କବିତା ଦେଶରେ ଏକ ନୂତନ ଆନ୍ଦୋଳନକୁ ଜନ୍ମ ଦେଲା । ନୈରାଶ୍ୟ କଟିଗଲା; ନୂତନ ଶିକ୍ଷା, ନୂତନ ନିର୍ମାଣ ଏବଂ ନୂତନ ସମବେତ ବହୁ ଉଦ୍ୟମ ଡେନମାର୍କରେ ଏକ ଅଭିନବ ଜାତୀୟ ଜାଗରଣର ଆକାର ଗ୍ରହଣ କରିଥିଲା । ଏବଂ କବି ଗ୍ରୁନ୍ତଭି ସେହି ଜାଗରଣ ଓ ଆନ୍ଦୋଳନରେ ନେତୃତ୍ଵ ଗ୍ରହଣ କରିଥିଲେ । ଅର୍ଥାତ୍‌ ଆନ୍ଦୋଳନଟି ପଛରେ ସେଇ ସର୍ବପ୍ରଧାନ ପ୍ରେରଣା ହୋଇ ରହିଥିଲେ ଏବଂ ନିଜେ ସେଥିରେ ସର୍ବପ୍ରଥମ ନିମିତ୍ତ ହୋଇ ବାହାରିଥିଲେ । ସେହିଥିରୁ ହିଁ ଡେନମାର୍କ ଦେଶରେ ଏକ ନୂତନ ବହୁ ଉନ୍ମୋଚନର ଯୁଗ ଆରମ୍ଭ ହୋଇଥିଲା । ଜର୍ମାନୀ ସହିତ ଯୁଦ୍ଧରେ ପରାଜିତ ହୋଇଥିବାର ଗ୍ଳାନି ଭୁଲି ହୋଇଗଲା, ଯାବତୀୟ ହୀନମାନ୍ୟତା ମଧ୍ୟ ଭୁଲି ହୋଇ ଯାଇଥିଲା । ଏକ ଉଦ୍ୟମମୟ ସୁସ୍ଥ ଜାତୀୟତା ଜନ୍ମଗ୍ରହଣ କରିଥିଲା । ଜାତୀୟତାକୁ ସେହି ଅଭିନବ ଉତ୍ସାହବ୍ୟଞ୍ଜନାର ଅର୍ଥରେ ଯେପରି ସମ୍ପୃକ୍ତ ଦେଶବାସୀ ସମସ୍ତେ ବୁଝିବାକୁ ସମର୍ଥ ହେବେ, ସେଥିଲାଗି ଗ୍ରୁନ୍ତ୍‍ଭି Nationalism ବଦଳରେ Folkelighed ବୋଲି ଏକ ନୂଆ ଓ ନୂତନ ଉନ୍ମେଷଣକାରୀ ଶବ୍ଦର ବ୍ୟବହାର କରିଥିଲେ । ଜାତି କହିଲେ ସବାଆଗ ଯେ ମଣିଷମାନଙ୍କୁ ବୁଝାଏ, ସାମୂହିକ ଜୀବନ ଭିତରେ ଅତ୍ୟନ୍ତ ଚାକ୍ଷୁଷ ଭାବରେ ରହିଥିବା ଏକ ସକ୍ରିୟ ସଂହତିକୁ ବୁଝାଏ, କେବଳ ଗୋଟିଏ ଦେଶ ଡେନମାର୍କ ନୁହେଁ, ସମଗ୍ର ସ୍କାଣ୍ଟ ନେଭିଆର ଚାରୋଟିଯାକ ଦେଶକୁ ସେହି ବିଚାରଟି ଅଚିରେ ବ୍ୟାପ୍ତ ହୋଇ ଯାଇଥିଲା । ସାମାଜିକ ଜୀବନରେ ସମବାୟ ଓ ସହକାରିତାକୁ ସର୍ବମୂଳ ନିର୍ଣ୍ଣାୟକ ରୂପେ ଗ୍ରହଣ କରାଗଲା, ଲୋକଶିକ୍ଷା ଓ ଉଚ୍ଚଶିକ୍ଷା ମଧ୍ୟରେ ରହିଥିବା ତଥାକଥିତ ତାରତମ୍ୟ ଗୁଡ଼ିକୁ ଯଥାସମ୍ଭବ ହ୍ରାସ କରି ଅଣାଗଲା । ରାଜନୀତି ଲୋକାଭିମୁଖୀ ହୋଇ ରହିଲା, ଗଣତନ୍ତ୍ର ଏବଂ ସମତାର ବିଚାରଦ୍ଵୟକୁ ଏକତ୍ଵ ସମନ୍ୱିତ କରିଆଣି ଦେଶର ରାଜନୀତିରୁ ଯାବତୀୟ କ୍ଷମତାଲାଳସା ଏବଂ ଦୈତ୍ୟଗିରିକୁ ବହିଷ୍କୃତ କରି ରଖି ତାହାକୁ ଯେ ଲୋକାଧାରିତ କରାଯାଇ ପାରେ ଏବଂ ଯଥାସମ୍ଭବ ସବୁ ମଣିଷଙ୍କର ସକ୍ରିୟ ସହମତି ଦ୍ଵାରା ଯେ ଦେଶର ଶାସନ ଚାଲିପାରେ, ସ୍କାଣ୍ଡି ନେଭିଆର ଚାରୋଟିଯାକ ଦେଶ ପୃଥିବୀରେ ଆଜି ମଧ୍ୟ ତାହାର ଗୋଟିଏ ଗୋଟିଏ ଆଦର୍ଶ ଅଥଚ ବାସ୍ତବ ଦୃଷ୍ଟାନ୍ତ ହୋଇ ରହିଛନ୍ତି ।

 

ଯେଉଁଠାରେ ତାହା ଦେଶଟିଏ ହେଉ ଅଥବା ରାଜ୍ୟଟିଏ ହେଉ, ଅଳପ ମଣିଷ ବହୁ ମଣିଷଙ୍କ ଉପରେ ଘୋଡ଼ା ଚଢ଼ି ଭାଗ୍ୟବାନ ଓ ସାମରଥା ବୋଲାଇବାକୁ ହିଁ ଅଶେଷ ପୌରୁଷ ବୋଲି ମଣିବାରେ ଲାଗିଥାନ୍ତି, ସେଠାରେ ଯଥାର୍ଥ ଜାତୀୟତା ମତ ଖାଇଯାଏ । ଯଥାର୍ଥ ଜାତୀୟତା ସତେଅବା ଏକ ମିଥ୍ୟାରେ ପରିଣତ ହୋଇ ରହିଥାଏ । ନିଲଠା ଭାବରେ ସେଠାରେ ମଧ୍ୟ ସାହିତ୍ୟକୁ ଜାତୀୟ ସାହିତ୍ୟ ବୋଲି କୁହାଯାଏ, ଭେସରା ବିଳାସ ଏବଂ ବିନୋଦନ ଗୁଡ଼ାକୁ ସଂସ୍କୃତି ବୋଲି କୁହାଯାଏ, ତୁଚ୍ଛା କାମୁକମାନେ ସେଠାରେ ସବାବଡ଼ ଗାଦୀଗୁଡ଼ାକ ଉପରେ ବସି ଏଡ଼େ ଏଡ଼େ ଦିଶୁଥାଆନ୍ତି, ଲୋକମାନଙ୍କୁ ଭୁରୁଡ଼ାଇ ରଖି କ୍ଷମତା ହିଁ ବହୁ ଦର୍ପରେ ଅଥଚ ଅତ୍ୟନ୍ତ ଅଯୋଗ୍ୟ ଭାବରେ ପ୍ରାୟ ସବୁଠାରେ ନଡ଼ରବଡ଼ର ହେବାରେ ଲାଗିଥାଏ; ତଥାପି ଉଦ୍ୟମ କେଉଁଠାରେ ହେଲେ ନଥାଏ । କୋଟି ପରିମାଣରେ ହେଲେ ନଥାଏ । କୋଟି ପରିମାଣରେ ଟଙ୍କା ଖରଚ ହେଉଥାଏ, ତଥାପି ଉଦ୍ୟମ ନଥାଏ ଏବଂ ମଣିଷମାନେ ବି ନଥାନ୍ତି । ମଣିଷମାନେ ପରସ୍ପର ମଧ୍ୟରେ ବହୁବିଭକ୍ତ ହୋଇ ରହିଥାନ୍ତି; ପ୍ରଦର୍ଶକମାନେ ବାବୁ ହୋଇ ଦାଣ୍ଡରେ ବାହାରିଥାନ୍ତି, ଅନୁରାଗ ପ୍ରକୃତରେ ବହୁଦୂର ହୋଇ ରହିଥାଏ । ବହୁତ ଓ ଅଳପ ମଧ୍ୟରେ ବ୍ୟବଧାନ ଗୁଡ଼ିକ ବୁଦ୍ଧି ପାଇବାରେ ଲାଗିଥାଏ । ଉପରେ ଥୋକାଏ ପରସ୍ପରକୁ ଗିଳି ଆହୁରି ଅଧିକ ଗରୁ ଦିଶିବାକୁ ମତ୍ତପ୍ରାୟ ହୋଇ ରହିଥାନ୍ତି । ସାହିତ୍ୟିକ କ୍ଷମତାସୀନର ସଭାରେ ଭାଣ୍ଡଗିରି କରୁଥାଏ ଏବଂ ପୁରସ୍କାର ପାଉଥାଏ । ଲାଜ ଥିବା ମଣିଷମାନେ କାଳକୁ ଡରି ଅନ୍ତରାଳକୁ ଚାଲିଯାଇଥାନ୍ତି । ସେଠାରେ ଚାକରମାନେ ସାମନ୍ତ ବୋଲାନ୍ତି ଏବଂ ମର୍ତ୍ତ୍ୟର ସାମନ୍ତମାନଙ୍କର ସେବା ଖଟନ୍ତି । ସଂହତି ଲାଜରା ହୋଇ ରହିଥାଏ, ସଭାଗୁଡ଼ାକ ହିଁ ସବୁଠାରୁ ବଡ଼ ଦିଶୁଥାଏ । ଅବୈଧତା ଗୁଡ଼ାକୁ ଜାତୀୟତା ବୋଲି ଘୋଷଣା କରିବାକୁ ସେଠି କଚେରୀ ବସା ହୋଇଥାଏ ।

 

ଡେନମାର୍କ ଦେଶ ଆମ ଓଡ଼ିଶା ପ୍ରଦେଶର ଚଉଠକରୁ ବି ଆହୁରି ସାନ ହେବ । ଆମର ଏଠାରେ ନଦୀମାନେ ଅଛନ୍ତି, ଉଚ୍ଚ ପାହାଡ଼ମାନେ ଅଛନ୍ତି । ଅରଣ୍ୟ ଅଛି, ଅରଣ୍ୟସମ୍ପଦ ରହିଛି । ଡେନମାର୍କରେ କୌଣସି ଧାତୁର ଗୋଟିଏ ହେଲେ ଖଣି ନାହିଁ, ଓଡ଼ିଶାରେ ବହୁସ୍ଥାନରେ ମାଟି ଉପରେ ମଧ୍ୟ ଖଣିଜଦ୍ରବ୍ୟର ସ୍ତୂପମାନ ଗଦା ହୋଇ ରହିଛି ଏବଂ ସର୍ବୋପରି, ଏଠି ଅଢ଼େଇ କୋଟି ମଣିଷ ମଧ୍ୟ ବାସ କରୁଛନ୍ତି । ପୃଥିବୀର ଅନ୍ୟ ଯାବତୀୟ ମଣିଷଙ୍କ ପରି ସେମାନଙ୍କର ମଧ୍ୟ ନିଜକୁ ନେଇ, ଦଶକୁ ନେଇ ସ୍ଵପ୍ନମାନ ରହିଥିବ, ସେମାନଙ୍କର ଜୀବନରେ ମଧ୍ୟ ଯୌବନ ଆସୁଥିବ-। ତଥାପି, ଏହି ଦଶଟାଯାକ ଦିଗକୁ ଏଭଳି ଶୋଚନୀୟ ଏବଂ ବିଦ୍ରୂପପୂର୍ଣ୍ଣ ଭାବରେ ବହୁବିଧ ବାର୍ଦ୍ଧକ୍ୟ କାମୁଡ଼ି ଧରିଛି କାହିଁକି ? ଏଠାରେ ମଣିଷମାନେ ପ୍ରାୟ ଦନ୍ତହୀନ ଓ ବକ୍ତ୍ରହୀନ ଭାବରେ ନିଃସ୍ୱ ହୋଇ ରହିଛନ୍ତି କାହିଁକି ? –କେବଳ ଅର୍ଥ ଓ ଆର୍ଥିକତାର କ୍ଷେତ୍ରରେ ନୁହେଁ, ହୃଦୟର ଏବଂ ଅନୁରାଗର କ୍ଷେତ୍ରରେ ମଧ୍ୟ ଏପରି ଅନମନୀୟ ଭାବରେ କଠୋର ଏବଂ ସମ୍ବେଦନହୀନ ହୋଇ ରହିଛନ୍ତି କାହିଁକି ? କେବଳ ସହରର ବଡ଼ମାନେ ନୁହନ୍ତି, ବିବେକବନ୍ତ ସମସ୍ତେ ସର୍ବତ୍ର ଏହାର ବିଚାର କରନ୍ତୁ; ଏକାଠି ବସି କପଟଶୂନ୍ୟ ଭାବରେ ବିଚାର କରି ପାରିବା ନିମନ୍ତେ ଯେଉଁ ସାହସ ଦରକାର, ଓଡ଼ିଶାବାସୀ ସେହି ସାହସର ଯୋଗ୍ୟ ହୁଅନ୍ତୁ । ଯେଉଁ ନିର୍ମମମାନେ ସେମାନଙ୍କୁ ମଲା ଅତୀତଗୁଡ଼ାକ ସହିତ ବାନ୍ଧିରଖି ସେମାନଙ୍କ ଲାଗି ଭବିଷ୍ୟ ତଥା ବର୍ତ୍ତମାନ ଗୁଡ଼ାକୁ ଭୁରୁଡ଼ାଇ ଦେବାରେ ଲାଗିଛନ୍ତି, ସେମାନେ ସେହି ନିର୍ମମମାନଙ୍କୁ ଅସ୍ଵୀକାର କରି ବାହାରି ଆସନ୍ତୁ । କପଟଗୁଡ଼ିକୁ କପଟ ବୋଲି କହିବାକୁ ଶିକ୍ଷା କରନ୍ତୁ । ଆମ ଇସ୍କୁଲମାନଙ୍କରେ ପିଲାମାନଙ୍କୁ ସାହାସୀ ହେବାର, ମଣିଷ ସହିତ ଯଥାର୍ଥ ସଂହତି ଲୋଡ଼ି ପାରୁଥିବାର ସମ୍ମୁଖକାମୀ ପାଠଗୁଡ଼ିକୁ ପଢ଼ାଇ ଦିଆଯାଉ । ବର୍ତ୍ତମାନ ବହୁ ଉପେକ୍ଷାକୁ ଅତିକ୍ରମ କରି ବାହାରି ଆସିପାରିବା ଲାଗି ଯେଉଁ ଶ୍ରଦ୍ଧା, ଯେଉଁ ସାହସ ଏବଂ ଯେଉଁ ବୀରତ୍ଵ ଦରକାର, ଏହି ଭୂଇଁକୁ ତାହାରି ଅଭିନବ ପ୍ରତ୍ୟୟ ଗୁଡ଼ିକୁ ଆଣି ଦିଆଯାଉ । ଆମର ବଡ଼ମାନେ ମଧ୍ୟ ଅଧିକ ନମନୀୟ ହୋଇ ଶିଖନ୍ତୁ, ସର୍ବୋପରି ଏହି ଭୂଇଁର ମଣିଷମାନଙ୍କୁ ହିଁ ଲୋଡ଼ିବା ଲାଗି ମନ କରନ୍ତୁ । ଆମ ଠାକୁର ମଧ୍ୟ ଆମକୁ ଭୟଶୂନ୍ୟ ହେବାକୁ ବଳ ଦିଅନ୍ତୁ । ଯେଉଁ ଅର୍ଥରେ ଶାସ୍ତ୍ରରେ ଭକ୍ତିକୁ ‘ସ୍ଵସ୍ଵରୂପ–ଅନୁସନ୍ଧାନ’ ବୋଲି କୁହାଯାଉଛି, ଆମର ଜାତୀୟତା ଆମକୁ, ଆମ ସମସ୍ତଙ୍କୁ ଯଥାର୍ଥରେ ସେହି ଭକ୍ତିଲାଗି ଯୋଗ୍ୟ କରିଆଣୁ । ତେବେଯାଇ କପଟର ଅଅସାନ ଘଟିବ, ଦୂରତାମାନେ ଅନାବଶ୍ୟକ ବୋଲି ପ୍ରମାଣିତ ହୋଇଯିବେ । (୧୬ । ୧୨ । ୮୭)

 

(୨୦)

 

ଅନେକ ମଣିଷ ଅଛନ୍ତି, ବିଶେଷ କରି ଆମ ଦେଶରେ ଆମର ଏହି ଯୁଗରେ ଅଛନ୍ତି, ଯେଉଁମାନେ କି ପ୍ରାୟ ଡାହାଣୀଙ୍କ ଭଳି ରାଜନୀତି ଭିତରକୁ ଡେଇଁ ପଡ଼ିଥାନ୍ତି; ଏବଂ ଆହୁରି ଅନ୍ୟ କାଟର ମଧ୍ୟ ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ରାଜନୀତିକୁ ଏକ ଭୟଙ୍କର ଜନ୍ତୁ ବା ଦୈତ୍ୟ ବା ସେହିପରି ଆଉ କ’ଣ ବୋଲି ମନେ କରୁଥାନ୍ତି କି କ’ଣ କେଜାଣି, ସେମାନେ ତା’ଠାରୁ ସର୍ବଦା ଯୋଜନେ ଦୂରରେ ରହିବାକୁ ହିଁ ନିରାପଦ ମଣୁଥାନ୍ତି । ତଥାକଥିତ ରାଜନୀତିକ ବ୍ୟକ୍ତିମାନଙ୍କ ଠାରୁ ଅର୍ଥାତ୍ କୌଣସି ରାଜନୀତିକ କ୍ଷମତାରେ ରହିଥିବା ମଣିଷମାନଙ୍କ ଠାରୁ କୁହାବୋଲା କରାଇ ବା କିଞ୍ଚିତ ହାତଗୁଞ୍ଜା ଦେଇ ଆପଣା ଲାଗି ବେଳ ପଡ଼ିଲେ କିଛି ଫାଇଦା ଅବଶ୍ୟ ହାସଲ କରନ୍ତି ସତ, ମାତ୍ର ତଥାପି ରାଜନୀତିକୁ ଭୟ କରନ୍ତି ଓ ରାଜନୀତି ଭିତରେ ରହିଥିବା ମଣିଷମାନଙ୍କୁ ଘୃଣା କରୁଥାନ୍ତି । ଅମକକୁ କିଛି ମିଳିଲା ନାହିଁ, ଅର୍ଥାତ୍‌ ତାର ପାଠ ହେଲାନାହିଁ ଏବଂ ସିଏ ଆଉ କୌଣସି ଅଧିକ ଭଲ କାମକୁ ଯୋଗ୍ୟ ହୋଇ ପାରିଲା ନାହିଁ ବୋଲି ସିଏ କିପରି ଶେଷକୁ ରାଜନୀତିରେ ଯାଇ ପଶିଲା, ଏହି ମୂଳ ପ୍ଳଟ୍‍ଟିକୁ ନେଇ ସେମାନେ ବହୁ ଗଳ୍ପର ରଚନା କରିଥାନ୍ତି । ଏମାନେ ଅନେକ ସମୟରେ ସଜ୍ଜନ ବୋଲାନ୍ତି । ସେମାନେ ପ୍ରକୃତରେ ଯେ ସଜ୍ଜନ ହୋଇଥିବାରୁ ସଜ୍ଜନ ବୋଲାନ୍ତି, ସେକଥା ମୋଟେ ନୁହେଁ, ରାଜନୀତି ଭିତରେ ପଶିନଥାନ୍ତି ଏବଂ ଅଗତ୍ୟା ପରୋକ୍ଷ ଭାବରେ ରାଜନୀତିକ ଲୋକମାନଙ୍କର ସାହାଯ୍ୟ ବା ଅନୁଗ୍ରହ ଦ୍ଵାରା ଉପକୃତ ହେଉଥାନ୍ତି ବୋଲି ଆପଣାଙ୍କୁ ସଜ୍ଜନ ବୋଲାନ୍ତି । ସେମାନଙ୍କର ଦୃଷ୍ଟିରେ ଦୁର୍ଜ୍ଜନମାନେ ହିଁ ରାଜନୀତି କରନ୍ତି ବା ରାଜନୀତି ଏଭଳି ଗୋଟିଏ କ୍ଷେତ୍ର ବା ଧନ୍ଦା, ଯାହା କେବଳ ଦୁର୍ଜ୍ଜନମାନଙ୍କୁ ସୁହାଏ, ଗୁଣ୍ଡାମାନଙ୍କୁ ହିଁ ଆକର୍ଷଣ କରିଥାଏ,–ଏହିପରି ବିଶ୍ଵାସ କରୁଥାନ୍ତି ।

 

ଆମ ଦେଶରେ କେବଳ ରାଜନୀତିରେ ଯେ ଦୁର୍ଜ୍ଜନ ଅଥବା ଗୁଣ୍ଡାମାନେ ଅଛନ୍ତି, ସେକଥା ଆଦୌ ନୁହେଁ, ରାଜନୀତିର ବାହାରେ ବି ଦୁର୍ଜନ ବା ଗୁଣ୍ଡାମାନେ ଆଦୌ କମ୍‍ ସଂଖ୍ୟାରେ ନାହାନ୍ତି । ସଜ୍ଜନର ବେଶରେ ଦୁର୍ଜନମାନେ ମାଳ ମାଳ ହୋଇ ବୁଲୁଛନ୍ତି । ସମାଜର ଅନ୍ୟ ଯାବତୀୟ କ୍ଷେତ୍ରରେ ହୁଏତ ସଜ୍ଜନ ରୂପରେ ବହୁ ଦୁର୍ଜନ, ଗୁଣ୍ଡା, ଜନ୍ତୁ ତଥା ଜାନୁଆରମାନେ ରହିଛନ୍ତି ବୋଲି ରାଜନୀତିରେ ମଧ୍ୟ ଆମ ପଟାଳିଗୁଡ଼ିକରୁ ପାଣି ପାଇ ଦୁର୍ଜନ, ଗୁଣ୍ଡା ଇତ୍ୟାଦି ଏଡ଼େ ନିଃଶଙ୍କ ଭାବରେ ରହିଛନ୍ତି, ଆମ ସାମୂହିକ ଜଙ୍ଗଲର ସରୋବର ମାନଙ୍କରେ ବିହାର କରୁଛନ୍ତି । ଯେକୌଣସି ସମାଜ ଭିତରେ, ଯେଉଁଠି ସଜ୍ଜନ ଓ ଦୁର୍ଜନମାନେ ଏହିପରି ପରସ୍ପରର ସାହାଯ୍ୟକାରୀ ରୂପେ ସହାବସ୍ଥାନ କରି ରହିବେ ବୋଲି ସତେ ଅବା ନିଷ୍ପତ୍ତି କରି ନେଇଥାନ୍ତି, ସେଠାରେ ରାଜନୀତି ଖଚଡ଼ା ହେବାକୁ ବାଧ୍ୟ ହୁଏ । ପୁଣ୍ୟବାନ୍‌ମାନେ ସହଯୋଗ କରୁ ନଥିଲେ ସଂସାରରେ ପାପାତ୍ମାମାନେ କଦାପି ଏଡ଼େ ହୁ’ ହୁ’ ହୋଇ ବଢ଼ି ଯାଉନଥାନ୍ତେ । ଆମର ସାହିତ୍ୟ, ଆମର ସଂସ୍କୃତି, ଆମର ସାମାଜିକ ଜୀବନର ଯାବତୀୟ ନସରପସର ଖଚଡ଼ା ହେବାକୁ ମନ କରୁନଥିଲେ ଆମ ରାଜନୀତିକ ମହିଷ ଏବଂ ମତ୍ସ୍ୟମାନେ କଦାପି ସତେଅବା ଆମର ସହୋଦର ଓ ଦୋସର ପରି ଆମ ସାହିତ୍ୟ ଓ ସଂସ୍କୃତି ଇତ୍ୟାଦିରେ ଏଡ଼େ ସହଜରେ ଆସି ପଶିଯାଇ ପାରୁନଥାନ୍ତେ । ଆମର ଏକାଳରେ ଆମେ ଯାହାକୁ ରାଜନୀତି ବୋଲି କହୁଛୁ ଓ ଯେଉଁ ରାଜନୀତି ବର୍ତ୍ତମାନ ଆମର ଏହି ସ୍ଵାଧୀନ ଦେଶକୁ ଶାସନ କରୁଛି, ଏଠି ଏହାର ପ୍ରାୟ ଶହେ ବର୍ଷର ଗୋଟିଏ ଇତିହାସ ରହିଛି । ସେହି ସେକାଳରେ ଯେଉଁମାନେ ପୁରୋଗାମୀ ଭାବରେ ଦେଶବାସୀଙ୍କୁ ସେମାନଙ୍କର ବାସ୍ତବ ସ୍ଥିତି ବିଷୟରେ ସଚେତନ କରିବା ଲାଗି ଆସିଥିଲେ ଏବଂ ସେହି ସ୍ଥିତି ମଧ୍ୟରୁ ଦେଶକୁ ମୁକୁଳେଇ ନେବାର ବହୁ ଉଦ୍ୟମରେ ନେତୃତ୍ଵ ଗ୍ରହଣ କରିଥିଲେ, ସେମାନେ ଆଉ ଯାହା ଥିଲେ ପଛକେ, ଆଦୌ ଦୁର୍ଜନ ନଥିଲେ । ଗାନ୍ଧୀ, ଅରବିନ୍ଦ, ତିଳକ ଏବଂ ଗୋପବନ୍ଧୁ–ଏମାନେ କେହି ଦୁର୍ଜନ ନଥିଲେ । ନିଜ ବ୍ୟକ୍ତିଗତ ଜୀବନର ସଫଳତା ବିଷୟରେ ନୁହେଁ, ଭାରତବର୍ଷର ଭବିଷ୍ୟତ ବିଷୟରେ ସେମାନଙ୍କର ଗୋଟିଏ ଗୋଟିଏ ସ୍ଵପ୍ନ ରହିଥିଲା ଏବଂ ପ୍ରଧାନତଃ ସେହି ସ୍ଵପ୍ନ ହିଁ ସେମାନଙ୍କୁ ବ୍ୟାକୁଳ କରି ଘରୁ ବାହାର କରାଇ ଆଣିଥିଲେ । ସେହି ବ୍ୟାକୁଳତା ଏକ ଜାତୀୟ ଆକାଂକ୍ଷାରେ କ୍ରମରୂପାନ୍ତରିତ ହେଲା ଏବଂ ସେଇଥିରୁ ଭାରତୀୟ ସ୍ଵାଧୀନତା ସଂଗ୍ରାମ ଏକ ନିର୍ଦ୍ଦିଷ୍ଟ ଆକାର ଧାରଣ କରି ବିବର୍ତ୍ତିତ ହୋଇ ଆସିଥିଲା ।

 

ସେତେବେଳେ ସେହି ସଂଗ୍ରାମ ଭିତରେ ସମସ୍ତେ ଗୋଟାପଣେ ମହାତ୍ମା, ଋଷି କିମ୍ବା ମଣି ହୋଇ ରହିଥିଲେ ସେକଥା ମୋଟେ ନୁହେଁ । ଅନ୍ୟମାନେ ମଧ୍ୟ ରହିଥିଲେ, ଏପରିକି କେତେକ ଦୁଷ୍ଟ ଓ ଅସାଧୁ ଅବଶ୍ୟ ରହିଥିଲେ, ମାତ୍ର ତଥାପି ସମଗ୍ର ହାଉଆଟିକୁ ବିଷାକ୍ତ କରି ପକାଇବାରେ ସେମାନେ କେବେହେଲେ ସମର୍ଥ ହେଉ ନଥିଲେ ଏବଂ ତେଣୁ ସର୍ବଦା ଗୌଣ ହୋଇ ରହି ଯାଉଥିଲେ । ମୁଖ୍ୟ ସ୍ରୋତଟି ସେମାନଙ୍କୁ ଉପେକ୍ଷା କରି ଆପଣାର ଘୋଷିତ ମାର୍ଗଟିରେ ସତତ ଗତି କରି ପାରୁଥିଲା । ବିବାଦ ଥିଲା, ମତଭେଦ ଥିଲା,–ମାତ୍ର ବିଚାରସ୍ତରରେ ରହିଥିଲା । କୌଣସି ପ୍ରକାର କ୍ଷୁଦ୍ର ଓ ତାତ୍କାଳିକ ଲାଭର ଅଭିପ୍ରାୟ ସେହି ବିବାଦଗୁଡ଼ିକୁ ପ୍ରାୟ କେବେ ସଂକ୍ରାମିତ କରୁ ନଥିଲା । ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ, ସେତେବେଳେ ଆମ ରାଜନୀତିକ ସଂଗ୍ରାମର ନେତାମାନେ କେବଳ ରାଜନୀତି ଭିତରେ ହିଁ ନଥିଲେ । ଭାରତବର୍ଷର ତତ୍‍କାଳୀନ ନବଜାଗରଣ ତଥା ନବୋନ୍ମେଷର ବହୁବିଧ କ୍ଷେତ୍ରରେ ମଧ୍ୟ ରାଜନୀତି ମଧ୍ୟରେ ରହିଥିବା ନେତାମାନଙ୍କର ସ୍ଵତନ୍ତ୍ର ଅବଦାନମାନ ରହିଥିଲା । ରାଜନୀତି ଭିତରୁ ସେମାନେ ଅଧିକ ଯଶଃ ଏବଂ ଅଧିକ ପରାକ୍ରମ କାମନାର ଲାଳସା ହୋଇ ଯେ ସାମୂହିକ ଅନ୍ୟାନ୍ୟ କ୍ଷେତ୍ର ଭିତରକୁ ଅନୁପ୍ରବେଶ କରିଥିଲେ, ସେକଥା ଆଦୌ ନୁହେଁ । ସେମାନେ ହୁଏତ ଅନ୍ୟ କ୍ଷେତ୍ରଗୁଡ଼ିକରେ ବହୁ ଉଜ୍ଜ୍ଵଳତାର ଅଧିକାରୀ ହେବା ସଙ୍ଗେ ସଙ୍ଗେ ରାଜନୀତି ଭିତରେ ମଧ୍ୟ ରହିଥିଲେ । ସେମାନଙ୍କର ରାଜନୀତିକ ଜୀବନ ତଥା ଆଚରଣ ଏବଂ ରାଜନୀତି ବାହାରେ ଅନ୍ୟ କ୍ଷେତ୍ରଗୁଡ଼ିକରେ ସେମାନଙ୍କର ବିଚରଣ ତଥା ଆଚରଣ ମଧ୍ୟରେ ଆଦୌ କୌଣସି ଅସଙ୍ଗତି ନଥିଲା । ତେଣୁ ସେମାନେ ଯେଉଁ କ୍ଷେତ୍ରରେ ଥିଲେ ମଧ୍ୟ ଆଦୌ କୌଣସି ଅସଙ୍ଗତର ସୃଷ୍ଟି କରୁ ନଥିଲେ । ଏବଂ ସେମାନଙ୍କର ଏକାବେଳେକେ ବିଭିନ୍ନ କ୍ଷେତ୍ରରେ ବିଚରଣ କରିବା ଯୋଗୁଁ ଦେଶକୁ ଆଦୌ କୌଣସି ବିଡ଼ମ୍ବନା ମଧ୍ୟ ଭୋଗ କରିବାକୁ କେବେ ପଡ଼ୁ ନଥିଲା । ସେମାନଙ୍କର ଯାବତୀୟ କାର୍ଯ୍ୟକଳାପର ଗଭୀରରେ ଏକ ସୁସ୍ଥ ଓ ସମଗ୍ର କେନ୍ଦ୍ର ରହିଥିଲା, ସେହି କେନ୍ଦ୍ରଟି ସହିତ ସେମାନଙ୍କର ଯାବତୀୟ ପ୍ରେରଣାର ସୂତ୍ର ସଂଯୁକ୍ତ ହୋଇ ରହିଥିଲା, ଏବଂ ତେଣୁ ଆଦୌ କୌଣସି ଅନର୍ଥ ଘଟୁ ନଥିଲା ।

 

୧୮୮୩ ମସିହାରେ ଶ୍ରୀ ଅରବିନ୍ଦ ଭାରତର ପ୍ରୋଲେଟରିଏଟ୍‍ ବା ଦରିଦ୍ର, ବଞ୍ଚିତ ଜନସାଧାରଣଙ୍କ କଥା କହିଥିଲେ । ସେମାନଙ୍କୁ ସାଙ୍ଗରେ ନନେଇ ଭାରତବର୍ଷରେ କୌଣସି ରାଜନୀତିକ ଦଳ ତିଷ୍ଠି ପାରବ ନାହିଁ ଏବଂ ଯିଏ ସେମାନଙ୍କୁ ସାଙ୍ଗରେ ନେବ, ସେଇ ଭବିଷ୍ୟତର ଅଧିକାରୀ ହୋଇପାରିବ ବୋଲି ସିଏ କେଡ଼େ ଦୃଢ଼ ଭାବରେ କହି ପାରିଥିଲେ । ଭାରତୀୟ ରାଜନୀତିର ଦାଣ୍ତରେ ଆଜି ମଧ୍ୟ ସେହି ସତ୍ୟକଥାଟିକୁ ସମାନ ପ୍ରାସଙ୍ଗିକତା ସହିତ କୁହାଯାଇ ପାରିବ । ମହାତ୍ମା ଗାନ୍ଧୀ ତାଙ୍କର ଭାରତୀୟ ରାଜନୀତି ମଧ୍ୟରେ ପ୍ରବେଶ କରିବାକୁ ତାଙ୍କ ଅନ୍ତରାତ୍ମାର ନିର୍ଦ୍ଦେଶ ବୋଲି କହୁଥିଲେ ଓ ତାଙ୍କର ସେହି ଘୋଷଣାକୁ କେହି କେବେହେଲେ ଏକ କପଟୋକ୍ତି ବୋଲି ସନ୍ଦେହ କରିନଥିଲେ । ରାଜନୀତି ରୂପକ ଅଜଗର ସାପଟିକୁ ସିଏ ଭଗବତ୍‌-ପ୍ରେରିତ ହୋଇ ଆପଣାର ବେକରେ ଗୁଡ଼ାଇ ହୋଇଛନ୍ତି ବୋଲି କେଡ଼େ ସହଜରେ କହି ପାରୁଥିଲେ ଏବଂ ସମ୍ପୃକ୍ତ ସମସ୍ତେ ସେଥିରେ ବିନା ଦ୍ଵିଧାରେ ବିଶ୍ଵାସ ମଧ୍ୟ କରୁଥିଲେ । କହିବା ଲୋକ ଏବଂ ଶୁଣିବା ଲୋକ ମଧ୍ୟରେ ଆଦୌ କୌଣସି ଅବିଶ୍ଵାସର ଖାଇ ନଥିଲା “ସବୁ ମଣିଷଙ୍କର ଆଖିରୁ ସବୁପ୍ରକାର ଦୁଃଖଜନିତ ଅଶ୍ରୁର ମୋଚନ କରିବାକୁ” ହିଁ ମହାତ୍ମା ଗାନ୍ଧୀ ଭାରତବର୍ଷରେ ରାଜନୀତିରେ ସର୍ବପ୍ରଧାନ ଅଭୀଷ୍ଟ ବୋଲି କହୁଥିଲେ । ଅନ୍ୟର ଅଶ୍ରୁ ମୋଚନ କରିବାର ବ୍ରତ ନେଇ ସତକୁ ସତ ବାହାରିଥିବା ଜଣେ ବ୍ୟକ୍ତିର ରାଜନୀତି କଦାପି ଦୁଷ୍ଟ ହୋଇ ପାରିବ ନାହିଁ । ସେହି କାର୍ଯ୍ୟରେ ସେମାନଙ୍କର ସଫଳତା ଅବଶ୍ୟ ଚତୁଷ୍ପ୍ୟାର୍ଶର ଆହୁରି ଅନେକ ଅନୁକୂଳତା ଉପରେ ନିର୍ଭର କରିବ ସତ, ମାତ୍ର ସେମାନେ ପୂର୍ଣ୍ଣ ସଫଳ ନହେଲେ ଓ ଏପରି ଆପାତତଃ ଗୋଟାସୁଦ୍ଧା ବିଫଳ ହେଲେ ମଧ୍ୟ ସେମାନଙ୍କୁ କେହି ଦୁଷ୍ଟ ଅଥବା ଅସାଧୁ ବୋଲି କଦାପି କହି ପାରିବ ନାହିଁ । ସେମାନଙ୍କର ଅଙ୍ଗୀକାରବଦ୍ଧତାକୁ କେହି କଦାପି ସନ୍ଦେହ କରିବ ନାହିଁ-। ଭାରତବର୍ଷ ସ୍ଵାଧୀନତା ଲାଗି ସଂଗ୍ରାମ କରୁଥିବା ସମୟରେ ସେହିପରି ଏକ ସାଧୁତା ଏବଂ ବିଶ୍ଵାସ ହିଁ ସମ୍ପୃକ୍ତ ଉଭୟ ପକ୍ଷର ସର୍ବମୂଳ ସନ୍ତକ ହୋଇ ରହିଥିଲା । ଭାରତବର୍ଷର ସମସ୍ତେ ଯେ ଯେତେବେଳେ ସ୍ଵାଧୀନତା ସଂଗ୍ରାମ ଭିତରେ ସକ୍ରିୟ ଭାବରେ ରହିଥିଲେ, ସେକଥା ଆଦୌ ନୁହେଁ-। ଅନେକ ପ୍ରତିଷ୍ଠାଯୁକ୍ତ ଭାରତୀୟ ରାଜକୀୟ କର୍ମାନୁରୋଧରେ ହୁଏତ ଆମ ସଂଗ୍ରାମର ବିରୋଧ ମଧ୍ୟ କରୁଥିଲେ, ମାତ୍ର ସେହି ସଂଗ୍ରାମ ପ୍ରତି ସେମାନଙ୍କର ଅବଚେତନରେ ଏକ ସହାନୁଭୂତି ଅବଶ୍ୟ ରହିଥିଲା ଏବଂ ଆହୁରି ବଡ଼ କଥା ହେଉଛି, ସ୍ଵାଧୀନତା ସଂଗ୍ରାମର ଅଗ୍ରଣୀମାନଙ୍କ ପ୍ରତି ସେମାନଙ୍କର ଗଭୀର ଶ୍ରଦ୍ଧା ଓ ସମ୍ମାନ ମଧ୍ୟ ରହିଥିଲା । ସେମାନେ ସାଙ୍ଗରେ ନଥିଲେ ସତ, ମାତ୍ର ତଥାପି ବାହାରେ କଦାପି ନଥିଲେ ।

 

ସ୍ଵାଧୀନତା ସଂଗ୍ରାମ ଫଳରେ କେବଳ ଭାରତବର୍ଷରେ ନୁହେଁ, ବୃହତ୍ତର ପୃଥିବୀରେ ମଧ୍ୟ ସ୍ଵାଧୀନତା ସପକ୍ଷରେ ଏକ ଅନୁକୂଳ ଶୁଭେଚ୍ଛାପୂର୍ଣ୍ଣ ବାତାବରଣ ସୃଷ୍ଟି ହେଲା ଏବଂ ତାହାରି ଫଳରେ ଭାରତ ସ୍ଵାଧୀନ ହେଲା । ସ୍ଵାଧୀନ ଭାରତ ସମଗ୍ର ପୃଥିବୀକୁ ରାଜନୀତି ତଥା ମାନବ-ଉନ୍ନୟନର ଏକ ସ୍ଵତନ୍ତ୍ର ବାଟ ଦେଖାଇବେ ବୋଲି ସେତେବେଳେ ଭାରତ ବାହାରର କେତେ କ୍ଷେତ୍ରର କେତେ ନେତା କେଡ଼େ ବିଶ୍ଵାସର ସହିତ ସ୍ଵୀକାର କରିଥିଲେ । ସ୍ଵାଧୀନତା ଆମ ଦେଶର ନବନିର୍ମାଣ ନିମନ୍ତେ ରାଜନୀତିକ ନେତାମାନଙ୍କ ହାତରେ ସାର୍ବଭୌମ କ୍ଷମତା ଆଣିଦେଲା । ରାଜନୀତିକ ସ୍ୱାର୍ଥଗୁଡ଼ିକ ଅନୁସାରେ ରାଜନୀତିରେ କେତେ ଦଳ ହୋଇ ଗଲା । କିଏ ବାମପନ୍ଥୀ ହେଲା ତ ଆଉ କିଏ ଦକ୍ଷିଣପନ୍ଥୀ ହେଲା । ବାମ ଭିତରୁ ଅତି ବାମମାନେ ବାହାରିଲେ ଏବଂ ଦକ୍ଷିଣ ଭିତରୁ ଅତି ଦକ୍ଷିଣମାନେ ମଧ୍ୟ-ଜନ୍ମଗ୍ରହଣ କଲେ । ସମସ୍ତେ କହିଲେ ଯେ, ଏହି ଦେଶଲାଗି ଆଦୌ କିଛି କରିବାକୁ ହେଲେ ସେମାନଙ୍କର ଦଳ ଲାଗି ଆଗ ଶାସନର କ୍ଷମତାକୁ ଅଧିଷ୍ଠିତ ହୋଇ ଆସିବା ଏକାନ୍ତ ଆବଶ୍ୟକ । ନିର୍ବାଚନ ଫଳରେ ଯେଉଁମାନେ ଶାସନ କ୍ଷମତାକୁ ଆସିଲେ ସେମାନେ ଯେକୌଣସି ପ୍ରକାରେ ଶାସନରେ ରହିବାକୁ ହିଁ ଇଚ୍ଛା କଲେ, ଏବଂ ଯେଉଁମାନେ ସେହି କ୍ଷମତାର ବାହାରେ ରହିଲେ, ସେମାନେ ମଧ୍ୟ ଯେକୌଣସି ପ୍ରକାରେ ପ୍ରଥମ ପଲଟିକୁ ହଟାଇ ସ୍ଵୟଂ ସିଂହାସନକୁ ଆସିବାଲାଗି ସବୁକିଛି କଲେ । ବାମ ଓ ଡାହାଣ ଉଭୟେ ସେକଥା କଲେ । ତେଣୁ ରାଜନୀତିର ଧର୍ମ ବଦଳିଗଲା । ଏଣିକି ତୁଚ୍ଛା ପ୍ରଫେସନାଲ୍‍ମାନେ ଅଧିକ ଉଧେଇଲେ । ଉପରକୁ ସେମାନେ ବାମ ବା ଡାହଣା, ସରକାରୀ ଓ ଅଣସରକାରୀ ବୋଲି ଜିଣିଲେ ସିନା, ମାତ୍ର ମଞ୍ଜ ଭିତରେ ଅଧିକରୁ ଅଧୀକ ପ୍ରଫେସନାଲ୍ ହୋଇଗଲେ । ରାଜନୀତି ଏକ ଚରମ ସାଧ୍ୟରେ ପରିଣତ ହୋଇଗଲା ଏବଂ ସଫଳ ହେବାଲାଗି ଯେକୌଣସି ଉପାୟକୁ ମଧ୍ୟ ଅବଲମ୍ବନ କରାଯାଇ ପାରିଲା । ସତ୍ ଅସତ୍‍ର ଆଉ କୌଣସି ବାରଣ ରହିଲାନାହିଁ । ରାଜନୀତିର ବାହାରେ ଏହି ପ୍ରଫେସନାଲ୍ ମାନଙ୍କର ଆଉ କୌଣସି ପରିଚୟ ରହିଲା ନାହିଁ । ସେମାନେ ଏଣିକି ପ୍ରାୟ ସବୁ କ୍ଷେତ୍ରରେ ଆସି ପ୍ରବେଶ କଲେ, ସବୁ ଗଡ଼ିଆକୁ ଗୁହ ଖାଇବାକୁ ଆସିଲେ ଏବଂ ସବୁଠାରେ ପ୍ରଫେସନାଲ୍ ଖଚଡ଼ାମି ଗୁଡ଼ାକରେ ପ୍ରବେଶ କରାଇଲେ । ସେମାନଙ୍କୁ ନ ଧରିଲେ ଆଉ କୋଉଠି କିଛି ସମ୍ଭବ ହେବନାହିଁ ବୋଲି ଦେଖି ରାଜନୀତିର ବାହାରେ ଥିବା ତଥାକଥିତ ସଜ୍ଜନମାନେ ମଧ୍ୟ ସେମାନଙ୍କର ଶରଣ ଗଲେ, ସେମାନଙ୍କର ଶଳା ବା ଭଣଜା ହେବାକୁ ମନ କଲେ । ଅର୍ଥାତ୍‌ ଏହି ସଜ୍ଜନମାନଙ୍କର ଅବଚେତନ ଭିତରେ ସତେ ଅବା ଏକ ଅନ୍ତରଙ୍ଗ ‘ଅନ୍ୟ’ ରୂପେ କୋଉଠି କେଉଁ ପ୍ରଫେସନାଲ୍‍ ଦୁଷ୍ଟ ପ୍ରଚ୍ଛନ୍ନ ହୋଇ ରହିଥିଲା କେଜାଣି, କ୍ଷମତାସୀନ ପ୍ରଫେସନାଲ୍‍ ମାନଙ୍କର ଚରଣ ତ ଲୋଡ଼ିଲେ ଜୀବନରେ କୌଣସି ସିଦ୍ଧ ସମ୍ଭବ ହେବନାହିଁ ବୋଲି ସେମାନଙ୍କ ଭିତରେ ଏକ ଅନିଷ୍ଟକାରୀ ଅନ୍ୟ ବିଶ୍ୱାସ ଆସି ପ୍ରବେଶ କଲା, ସେମାନଙ୍କୁ ଗୋଟାସୁଦ୍ଧା ମାରା କରିଦେଲା, ଏବଂ ସେମାନଙ୍କର ମାଧ୍ୟମରେ ଆମ ସାମୂହିକ ଜୀବନ ଓ ସମ୍ବନ୍ଧଗୁଡ଼ିକର ପ୍ରାୟ ପ୍ରତ୍ୟେକ କ୍ଷେତ୍ରକୁ ମଧ୍ୟ ମାରା କରିଦେଲା ।

 

ପାଶ୍ଚାତ୍ୟ ଓ ପୋଖତ ଦେଶମାନଙ୍କରେ ରାଜନୀତି ରହିଛି ଓ ସେଠାରେ ମଧ୍ୟ ପ୍ରଫେସନାଲ୍‍ ପରି ପ୍ରତୀତ ହେଉଥିବା ରାଜନୀତିକ ନେତା ଓ ଅନ୍ୟ ମଣିଷମାନେ ରହିଛନ୍ତି ସତ, ମାତ୍ର ସେଠାରେ ରାଜନୀତିକ ପ୍ରାୟ ସମସ୍ତଙ୍କର ସୁଜୀବନରେ ସ୍ଵଭାବିକ ପ୍ରଫେସନ୍‍ମାନ ମଧ୍ୟ ରହିଛି । ଅର୍ଥାତ୍‌ ସେମାନେ ପ୍ରଥମେ କୃଷକ, ଶ୍ରମିକ, ଶିକ୍ଷକ କିମ୍ବା ଆଇନଜୀବୀ ଏବଂ କେବଳ ରାଜନୀତିର କ୍ଷେତ୍ରରେ ହିଁ ରାଜନୀତିକ । ରାଜନୀତିକୁ କୌଣସି ଅନ୍ୟ କ୍ଷେତ୍ରରେ ନେଇ ପୂରାଇବାଟା ସେଠାରେ ପ୍ରାୟ କାହାରି ଅଭ୍ୟାସ ହୋଇ ରହିନଥାଏ । ଅଧିକନ୍ତୁ ସେସବୁ ଦେଶରେ ସବୁ ମଣିଷଙ୍କ ନିମନ୍ତେ ସର୍ବନିମ୍ନ ଅତ୍ୟାବଶ୍ୟକ ସଂସ୍ଥାନଗୁଡ଼ିକରେ ପୂରଣ ବହୁ ଆଗରୁ ହୋଇସାରିଛି–ସେଥିଲାଗି ଆବଶ୍ୟକ ପରିବର୍ତ୍ତନ ଏବଂ ବିପ୍ଳବଗୁଡ଼ିକୁ ସେମାନେ ଆଗରୁ ଅଙ୍ଗେ ନିଭାଇ ସାରିଛନ୍ତି । ତେଣୁ ସେଠାରେ ରାଜନୀତି ଆମଠାରୁ ଅନ୍ୟ ପ୍ରକାରେ ହେବା ଅତ୍ୟନ୍ତ ସ୍ଵାଭାବିକ । ମାତ୍ର ଭାରତବର୍ଷ ତଥା ନବ-ସ୍ଵାଧୀନ ବହୁ ଦେଶରେ ବହୁ ଅତ୍ୟାବଶ୍ୟକ ପରିବର୍ତ୍ତନ ଓ ପୁନଃ-ବ୍ୟବସ୍ଥା ଏବେ ମଧ୍ୟ ବାକୀ ରହିଛି ଏବଂ ଯଥାର୍ଥ ନେତୃତ୍ୱର ହାତଲାଗି ଅପେକ୍ଷା କରିରହିଛି-

 

ତେଣୁ ଏଠି ରାଜନୀତିଜ୍ଞମାନେ କେଉଁ କେଉଁ ନିଶାରେ ପଡ଼ି ତୁଚ୍ଛା ପ୍ରଫେସନାଲ ଏବଂ ତୁଚ୍ଛା ଆତ୍ମାକାମୀ ହେଲେ ମୋଟେ ଚଳିବନାହିଁ । ଭାରତବର୍ଷରେ ରାଜନୀତି କହିଲେ ବର୍ତ୍ତମାନ ଆହୁରି ଅନେକ ଦଶକ ପର୍ଯ୍ୟନ୍ତ ଏହି ଦେଶରେ ବାସ କରୁଥିବା ମନୁଷ୍ୟମାନଙ୍କ ଭିତରେ ରାଜନୀତିକ ଚେତନାର ଜାଗୃତି କରାଇ ଆଣିବାକୁ ହିଁ ବୁଝାଇବ । ହିଁ, ରାଜନୀତିକମାନେ ଶାସନ କ୍ଷମତାରେ ଅଥବା ତାହାର ବାହାରେ ରହିଥିବେ ସତ, ମାତ୍ର ଯେକୌଣସି ମତେ କ୍ଷମତାକୁ ଅଧିକାର କରିବା ଅପେକ୍ଷା ଅଧିକରୁ ଅଧିକ ମଣିଷଙ୍କୁ ସଚେତନ କରାଇ ସେମାନଙ୍କୁ ଆମ ସମୟର ମୂଳ ରାଜନୀତିକ ତଥା ସାମାଜିକ ପ୍ରକ୍ରିୟାଗୁଡ଼ିକ ମଧ୍ୟକୁ ସକ୍ରିୟ କରାଇ ଆଣିବା ହିଁ ଏଠି ଯଥାର୍ଥ ନେତୃତ୍ଵର ସର୍ବପ୍ରଧାନ ଅଭିପ୍ରାୟ ହୋଇ ରହିବ । ଦେଶର ଅଧିକାଂଶ ମଣିଷ ଏହି ପ୍ରକ୍ରିୟାଗୁଡ଼ିକର ବାହାରେ ରହିଗଲେ ଆମ ଇପ୍‍ସିତ ପରିବର୍ତ୍ତନଗୁଡ଼ିକ ମଧ୍ୟରେ ବହୁ ଅସୁସ୍ଥତା ଆସି ପଶିଯିବ, ବହୁ ସ୍ଵେଚ୍ଛାଚାର ପ୍ରବେଶ କରିବାର ପ୍ରଶ୍ରୟ ପାଇବ । ବାମ ଓ ଦକ୍ଷିଣ ଉଭୟ ପଟ ଲାଗି ମଧ୍ୟ ତାହା ବହୁ ଅସୁସ୍ଥତାର କାରଣ ହେବ । ଗଣତନ୍ତ୍ର ଏବଂ ସାମ୍ୟବାଦ ଉଭୟ ଲାଗି ବହୁ ଅନିଷ୍ଟକୁ ଡାକିନେଇ ଆସିବ । ଯେକୌଣସି ଦେଶର ନିର୍ମାୟମାଣ ଅବସ୍ଥାରେ ବିଶେଷ କରି ପୁରାତନ ବହୁ ଅନାବଶ୍ୟକତାର ବିକଳ୍ପ ରୂପେ ଏଠାରେ ଏକ ନୂତନ ମୂଳଦୁଆ ପଡ଼ିବାର ଅପେକ୍ଷା ରହିଥିବା ସମୟରେ ହେତୁ ରହିଥିବା ସମସ୍ତ ମଣିଷ ଯଥାସମ୍ଭବ ଅଧିକ ସଚେତନ ଏବଂ ସକ୍ରିୟ ଭାବରେ ରାଜନୀତିକ ତଥା ସାମାଜିକ ପରିବର୍ତ୍ତନର ପ୍ରକ୍ରିୟାଗୁଡ଼ିକରେ ଭାଗ ନେବାର ଭାଜନ ହେଲେ ଯାଇ ପରିବର୍ତ୍ତନଗୁଡ଼ିକ ଯଥାର୍ଥ ଭାବରେ ସମ୍ଭବ ହେବ । ଉପରୁ ଦୟା ଦେଖାଇ ଦରିଦ୍ରର ଦୁଃଖମୋଚନ କରିବାର ଅପପ୍ରବୃତ୍ତି ସେତିକିବେଳେ ଯାଇ ବିଦାୟ ନେବ, ଗୋଟିଏ ଦେଶ ବସ୍ତୁତଃ ସେହି ଦେଶରେ ବାସ କରୁଥିବା ସମସ୍ତଙ୍କର ଦେଶ ହୋଇ ଦେଖାଯିବ । (୨୩ । ୧୨। ୮୭)

 

(୨୧)

 

ରାଜନୀତିକ ଚେତନାର ଜାଗୃତି ଘଟାଇବା ଯଦି ରାଜନୀତିର ସର୍ବମୂଳ ଅଭିଳାଷ ରୂପେ ସ୍ଵୀକୃତ ହୁଏ, ତେବେ ଅଧିକରୁ ଅଧିକ ମନୁଷ୍ୟଙ୍କୁ ରାଜନୀତିକ ପ୍ରକ୍ରିୟା ମଧ୍ୟକୁ ଆଣିପାରିବା ହିଁ ରାଜନୀତିରେ ଆମର ସର୍ବମୂଳ କର୍ତ୍ତବ୍ୟ ହୋଇ ରହିବା ଉଚିତ । ମନୁଷ୍ୟର ଅନ୍ୟାନ୍ୟ ଭାଗ୍ୟ ପରି ଯେକୌଣସି ଦେଶରେ ତା’ର ରାଜନୀତିକ ଭାଗ୍ୟ ବୋଲି ଗୋଟିଏ କ୍ଷେତ୍ର ସର୍ବଦା ରହିଛି । ସେହି ଭାଗ୍ୟକୁ ଗଢ଼ିବାରେ, ଅର୍ଥାତ୍‌ ତାକୁ ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଅନୁସାରେ ଏକ ନିର୍ଦ୍ଦିଷ୍ଟ ଗତି ଓ ଦିଗ ଦେବାରେ ଯେକୌଣସି ସ୍ଵାଧୀନ ଦେଶରେ ବାସ କରୁଥିବା ଅଧିକରୁ ଅଧିକ ମଣିଷଙ୍କର ଅବଶ୍ୟ ଭାଗ ରହିବା ଉଚିତ । ବିଶେଷତଃ, ଯାହାକୁ ଏବେ ତୃତୀୟ ବିଶ୍ଵ ବୋଲି କୁହାଯାଉଛି, ଅର୍ଥାତ୍‌ ଯେଉଁସବୁ ଦେଶରେ ପ୍ରତ୍ୟେକ ମନୁଷ୍ୟକୁ ଜୀବନ ବଞ୍ଚିବାର ସୁସ୍ଥ ତଥା ନିର୍ଭରଯୋଗ୍ୟ ସଂସ୍ଥାନଟିଏ ଯୋଗାଇ ଦେବାର ଯଥାର୍ଥ ଉଦ୍ୟମ ଗୁଡ଼ିକର ଆରମ୍ଭମାତ୍ର ହୋଇଛି, ସେହିସବୁ ଦେଶରେ ପ୍ରତ୍ୟେକ ମନୁଷ୍ୟକୁ ତା’ର କର୍ତ୍ତବ୍ୟ ଏବଂ ଅଧିକାର ବିଷୟରେ ସଚେତନ କରାଇବା ହିଁ ରାଜନୀତିର ସବାବଡ଼ କାମ ହୋଇ ରହିବା ଉଚିତ । ତୃତୀୟ ବିଶ୍ଵର ଅଧିକାଂଶ ଦେଶରେ ସେହି ଦିଗରେ ହୁଏତ ଖୁବ୍‍ ବେଶି ସମ୍ଭାବନାକୁ ଏବେ ମଧ୍ୟ ସମ୍ଭବ କରାଯାଇ ପାରିନାହିଁ । କେତେକ ଦେଶରେ ଗଣତନ୍ତ୍ରକୁ ଏକ ଚଳନ୍ତି ଛାଞ୍ଚ ରୂପେ ଗ୍ରହଣ କରାଯାଇଛି ସତ, ମାତ୍ର ଗଣତନ୍ତ୍ର କହିଲେ ବାସ୍ତବରେ ଯେଉଁସବୁ ପ୍ରାଥମିକ ମୂଳଦୁଆ ଗୁଡ଼ିକୁ ବୁଝାଏ, ସେଗୁଡ଼ିକୁ ସମ୍ଭବ କରାଇ ଆଣିବା ଦିଗରେ ସତକୁ ସତ ଆଖିକୁ ଦେଖାଯିବା ଭଳି ସେପରି କିଛି କାର୍ଯ୍ୟ ହୋଇ ପାରିନାହିଁ ।

 

ତୃତୀୟ ବିଶ୍ଵରେ ଅଧିକାଂଶ ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ସାମନ୍ତବାଦ ହିଁ ଜନସମ୍ବନ୍ଧର ସର୍ବପ୍ରଧାନ ନିର୍ଣ୍ଣାୟକ ହୋଇ ରହିଥିଲା । ଅର୍ଥନୀତି ସାମନ୍ତବାଦୀ ଥିଲା, ତେଣୁ ତଥାକଥିତ ନୈତିକତା ବୁଡ଼ାକ ମଧ୍ୟ ଅସଲ ଚେରଗୁଡ଼ିକର ସ୍ଥାନରେ ନିତାନ୍ତ ସାମନ୍ତବାଦୀ ହୋଇ ରହିଥିଲା । ଜୀବନଦର୍ଶନ କହିଲେ ପ୍ରଧାନତଃ ଏକ ନିର୍ମଳ ଓ ନିର୍ମମ ଭାଗ୍ୟବାଦକୁ ବୁଝାଉଥିଲା । ଯେଉଁ ସମାଜରେ ଭାଗ୍ୟବାଦକୁ ହିଁ ସତେଅବା ଠାକୁରଙ୍କର ସବାବଡ଼ ବରାଦ ବୋଲି ମାନି ନିଆ ଯାଇଥାଏ, ସେଠାରେ ସଚରାଚର ଅଳ୍ପ କେତୋଟି ବର୍ଗ ବା ସ୍ଵାର୍ଥ ସବା ଉପରେ ମହାଭାଗ୍ୟବାନ୍‌ ହୋଇ ବସିଥାନ୍ତି, ଜୀବନର ଯାବତୀୟ ସ୍ଥୂଳ ଓ ସୂକ୍ଷ୍ମ ଉପଭୋଗର ଆନନ୍ଦ ପ୍ରାୟ କେବଳ ସେହିମାନଙ୍କର ଭାଗ୍ୟରେ ଲେଖାହୋଇ ରହିଥାଏ ଓ ଜନଜୀବନର ଏକ ବୃହତ୍‌ ଅଂଶକୁ ମନୁଷ୍ୟକୃତ ବହୁ ଅନ୍ଧାର ଓ ଅଜ୍ଞାନ ଘୋଟି ରହିଥାଏ । ଆଚରିତ ଧର୍ମମାନେ ମଧ୍ୟ ଏକାଧିକ କାରଣରୁ ଏହି ସାମନ୍ତବାଦୀ ରୀତିଗୁଡ଼ିକରେ ପରିଚର୍ଯ୍ୟା କରୁଥାନ୍ତି । ଅଧିକାଂଶ ମନୁଷ୍ୟ ସାମୂହିକ ଜୀବନର ବହୁକ୍ଷେତ୍ରରେ ଶୁଦ୍ରବତ୍‍ ହୋଇ ରହିଥାନ୍ତି ଏବଂ ଉପରେ ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କର ଏକ ମେଣ୍ଟ ସେମାନଙ୍କୁ ବାହ୍ୟ ତଥା ଅନ୍ତର୍ଗତ ଉଭୟ ଜୀବନରେ ଘୁଷୁରି କରି ରଖିଥାଏ । ଉପରୁ ଦୟା ହେଉଥାଏ, ତେଣୁ ନିର୍ଭରଶୀଳତା ହିଁ ଯାବତୀୟ ସମ୍ବନ୍ଧରେ ସତେଅବା ମହାମନ୍ତ୍ର ହୋଇ ରହିଥାଏ-। ପାରସ୍ପରିକତାକୁ ଏହିସବୁ ସମାଜରୁ ବାସନ୍ଦ କରି ରଖା ଯାଇଥାଏ । ମଣିଷମାନେ ମୂଳରୁ ଅସମାନ ହୋଇ ଜନ୍ମ ହୋଇଛନ୍ତି, ଠାକୁରମାନଙ୍କର ବରାଦରୁ ହିଁ ସେମାନେ ସେହିପରି ଭାବରେ ଜନ୍ମ ହୋଇଛନ୍ତି ଏବଂ ତେଣୁ ଆମର ଏଠି ସମାଜ ଭିତରେ ମଧ୍ୟ ଧର୍ମତଃ ସେହିଟା ହିଁ ବଳବତ୍ତର ଓ ଦୃଢ଼ମୁଷ୍ଟି ହୋଇ ରହିବ, ସାମନ୍ତବାଦର ଦାନାରେ ପ୍ରତିପାଳିତ ହେଉଥିବା ମାନବ-ଧର୍ମଶାସ୍ତ୍ରମାନେ ସେହି କଥାଗୁଡ଼ିକୁ ଅମୋଘ ନୀତି ବୋଲି ଘୋଷଣା କରିବାରେ ଲାଗିଥାନ୍ତି । ସେମାନେ କହନ୍ତି ଯେ ଯେଉଁମାନେ ସବା ଉପରେ ଅଛନ୍ତି, ସେମାନଙ୍କୁ ସ୍ଵୟଂ ଭଗବାନ ଆପଣାର ମୁଖରୁ ଜାତ କରାଇଛନ୍ତି ଏବଂ ସିଡ଼ିକୁ ସିଡ଼ି ଖସି ଖସି ଯେଉଁମାନେ ସବାତଳେ ଅଛନ୍ତି, ସେମାନେ ତାଙ୍କ ପାଦରୁ ହିଁ ନିଷ୍ପନ୍ନ ହୋଇଛନ୍ତି, ସଂପୃକ୍ତ ସମସ୍ତେ ଏହି ଯୁକ୍ତିଟିକୁ ଭାରି ଚମତ୍କାର ଭାବରେ ବୁଝି ଯାଇଥାନ୍ତି ଓ ତେଣୁ ଥୋକେ ଭାଗ୍ୟକୁ ଆଦରି ରହନ୍ତି ତ ଆଉ ଥୋକେ ସବୁଯାକ ଭାଗ୍ୟକୁ ମାଡ଼ିବସି ରହିଥାନ୍ତି । ଭଗବାନ ଯଦି ପ୍ରକୃତରେ ଭଗବାନ ହୋଇଥାନ୍ତି, ତେବେ ତାଙ୍କର ମୁଖ ଏବଂ ପାଦ ମଧ୍ୟରେ ଯେ ଆଦୌ କୌଣସି ପ୍ରଭେଦ କଦାପି ରହିବନାହିଁ, ସେକଥା ବୁଝି ପାରିବାକୁ ସାମନ୍ତବାଦୀ ଥାଟଶାସନରେ ଉପର ବା ତଳ କାହାରି ହେଲେ ବିବେକ ନଥାଏ ।

 

ରାଜନୀତିକ ସ୍ଵାଧୀନତା ଆସିବା ପରେ ହିଁ ତୃତୀୟ ବିଶ୍ଵର ଏହି ଦେଶ ଗୁଡ଼ିକ ଲାଗି ଭୂମିପ୍ରସ୍ତୁତିର ଅସଲ ବେଳ ଆସି ପହଞ୍ଚିଲା । ଏବେ ଏକ ନିଦ୍ଦଷ୍ଟ ପରିଭାଷା ଅନୁସାରେ ଇଂରାଜୀରେ ଯାହାକୁ Infrastructure ବୋଲି କୁହାଯାଉଛି, ଏହି ଭୂମି-ପ୍ରସ୍ତୁତି ସମଗ୍ରତଃ ସେହି କଥାକୁ ବୁଝାଇବ । ଭୂମି-ପ୍ରସ୍ତୁତି ଏକ ମାନବ ସ୍ତରକୁ ଆସିଗଲେ ସମାଜ ଯଥାର୍ଥରେ ଏପରି ଏକ take-off ସୋପାନରେ ଆସି ପହଞ୍ଚିଯାଏ, ଯେଉଁଠାରେ କି ଗୋଟିଏ ଦେଶର ସବୁ ମଣିଷଙ୍କୁ ସାଙ୍ଗରେ ନେଇ ଆଗକୁ ଆଗକୁ ଯିବା ସମ୍ଭବ ହୁଏ । ତୃତୀୟ ବିଶ୍ୱରେ ପଚାଶ ବର୍ଷ ତଳେ ଉପନିବେଶ ଶାସନ ଚାଲୁଥିଲା । ଦେଶଗୁଡ଼ିକରେ ପାରମ୍ପରିକ ଭାବରେ ରହି ଆସିଥିବା ସାମନ୍ତବାଦୀ ଛାଞ୍ଚ ଓ ଢଙ୍ଗଗୁଡ଼ିକ ସେହି ଶାସନକୁ ଭାରି ସୁହାଉଥିଲା । ଲୋକମାନେ ପ୍ରଜା ହୋଇ ରହିଥିଲେ । ରାଜନୀତିକ ସ୍ଵାଧୀନତା ଅର୍ଥାତ୍‌ କ୍ଷମତା-ହସ୍ତାନ୍ତର ପରେ ସେମାନେ ନ୍ୟାୟତଃ ନାଗରିକ ହେଲେ ।

 

କେତେକ ଦେଶର ସମ୍ବିଧାନକୁ ମଧ୍ୟ ସେହିପରି ଚକଚକ କରି ତିଆରି କରାଗଲା । ମାତ୍ର ଅଧିକାଂଶ ଦେଶରେ ଭୂମିକୁ ଏକ ଅଭିଳଷିତ ଭବିଷ୍ୟ ଲାଗି ପ୍ରସ୍ତୁତ କରିବା ଏବଂ ଦେଶର ଯଥାସମ୍ଭବ ଅଧିକ ମଣିଷଙ୍କୁ ସେହି ପ୍ରକ୍ରିୟାରେ ସକ୍ରିୟ ଭାବରେ ସଂଶ୍ଳିଷ୍ଟ କରି ଆଣିବା, ସ୍ଵାଧୀନ ଦେଶମାନଙ୍କରେ ନେତୃତ୍ଵର ଯାହା ସର୍ବପ୍ରଧାନ କାର୍ଯ୍ୟକ୍ରମ ରୂପେ ଗୃହୀତ ହୋଇଥାନ୍ତା, ଅଧିକାଂଶ ସ୍ଥାନରେ ତାହା ହୋଇପାରିଲା ନାହିଁ । ବହୁ ପରିସ୍ଥିତିଗତ ତଥା ପରମ୍ପରାଗତ କାରଣରୁ ନେତୃତ୍ୱ ପ୍ରାୟ ଯାବତୀୟ ରାଜନୀତିକ ଦୃଷ୍ଟିରୁ କ୍ଷେତ୍ରରେ ସାମନ୍ତବାଦୀ ହୋଇ ରହିଲା, ନ୍ୟସ୍ତ ସ୍ଵାର୍ଥଗୁଡ଼ିକୁ ହିଁ ମାନବସ୍ଵାର୍ଥ ଗୁଡ଼ିକ ଅପେକ୍ଷା ଅଧିକ ଜଗିଲା ଓ ଅପେକ୍ଷିତ ଅତ୍ୟାବଶ୍ୟକ ପ୍ରସ୍ତୁତି ତଥା ପରିବର୍ତ୍ତନଗୁଡ଼ିକର କ୍ଷେତ୍ରରେ ଅଧିକରୁ ଅଧିକ ପରିପନ୍ଥୀ ଭଳି କାର୍ଯ୍ୟ କଲା । କ୍ଷମତା ଅଧିକରୁ ଅଧିକ କେନ୍ଦ୍ରନିଷ୍ଠ ହୋଇ ରହିଲା, ଗୋଟାଏ ଅନିଚ୍ଛୁକ ଅମଲାତନ୍ତ୍ରର ସିଡ଼ିଦେଇ ସବା ଉପର ଯାଏ ଅନାଇବାକୁ ମଧ୍ୟ ଆଉ ସାଧାରଣ ମଣିଷର ସାହସ ପାଇଲା ନାହିଁ । ଏହିସବୁ ଦେଶରେ ନେତୃତ୍ୱ ଉପରୁ ଥାଇ ଶିକ୍ଷା, ଅର୍ଥନୀତି ଓ ପ୍ରଶାସନର ବ୍ୟବସ୍ଥାଗୁଡ଼ିକୁ ଏପରି ଅଭିସନ୍ଧିମୂଳକ ଭାବରେ ସଙ୍କୁଚିତ କରି ରଖିଦେଲା ଯେ ଫଳରେ ଅଳପ ମଣିଷ ପ୍ରାୟ ସବୁକିଛିକୁ ଆବୋରି ରହିଲେ ଏବଂ ସେମାନେ କ୍ରମେ ଭୂଇଁଛଡ଼ା ଓ ଚେରଛିଣ୍ଡା ହେବାକୁ ଲାଗିଲେ । ଭୂଇଁ ଛାଡ଼ିଗଲେ ଓ ଚେରଗୁଡ଼ିକ ଛିଣ୍ଡି ଗଲେ ସଚରାଚର ନାନାବିଧି ତଦ୍ଦଣ୍ଡତାକୁ ହିଁ ଅଧିକ ପ୍ରଶ୍ରୟ ମିଳେ । ଉପେକ୍ଷା ରଜା ହୋଇ ବସେ; ଭୂଇଁ ପଡ଼ିଆ ହୋଇ ପଡ଼ିଥାଏ, ମାତ୍ର ଉପରୁ ଉନ୍ନତ ସାର ଓ ବିହନର ବିତରଣ କରା ଯାଉଥାଏ ଏବଂ କ୍ରମେ ରାଜନୀତି ମଧ୍ୟ ପ୍ରାୟ ଏକ ବୃତ୍ତିଗତ ଅଭଦ୍ରତା ଓ ଯଥେଚ୍ଛାଚାରିତାରେ ପରିଣତ ବି ହୋଇଯାଏ । ରାଜନୀତିକ ନେତୃତ୍ୱ ଏକ ତୁଚ୍ଛା ପ୍ରଫେସନାଲ୍‍ ନେତୃତ୍ୱରେ ପରିଣତ ହୋଇଯାଏ । ରାଜନୀତିକ ଅଭିଜ୍ଞତାକୁ ମଧ୍ୟ ସେହି ନେତୃତ୍ୱର ସର୍ବମୂଳ ଆବଶ୍ୟକତା ବୋଲି ଗ୍ରହଣ କରନ୍ତି ନାହିଁ । ରାଜନୀତିକ ସାଧୁତା ତ ଆହୁରି ଅଧିକ ଦୂରର କଥା । ତୁଚ୍ଛା ପ୍ରଫେସନାଲ୍‍ କୌଶଳକୁ ଯେକୌଣସି ପ୍ରକାରେ ଆୟତ୍ତ କରିଥିବା ଏକାବେଳେକେ ଅନ୍ୟ କାଟର ଅଦ୍‍ଭୁତ ଓ ବିଚିତ୍ର ବ୍ୟକ୍ତିମାନେ ରାଜନୀତିରେ ଆସି ପଶନ୍ତି ।

 

ତୃତୀର ବିଶ୍ଵରେ ଏହିଭଳି ନେତାମାନେ କ୍ରମେ ନେତା ଭଳି ନୁହେଁ, ଗୁଣ୍ଡା ପରି ଦିଶିଲେ-। କ୍ଷମତାରେ ଯାବତୀୟ ଅସ୍ତ୍ର ଓ ସୁରାପାତ୍ର ଗୁଡ଼ାକ ଆପଣା ହାତରେ ରହିଥିବା ପର୍ଯ୍ୟନ୍ତ ସେମାନଙ୍କୁ କଦାପି କେହି ହଟାଇ ପାରିବ ନାହିଁ ବୋଲି ଏକ ଦୁରାଗ୍ରହ ହିଁ ସେମାନଙ୍କର ସବାବଡ଼ ସନ୍ତକ ହୋଇ ରହିଲା । ସେମାନେ ସରକାର ଭିତରେ ଅଥବା ସରକାର ବାହାରେ ଯେଉଁଠି ରହନ୍ତି ପଛକେ, ଯାବତୀୟ ଅବସରରେ ପ୍ରାୟ ଏକାଭଳିଆ ଦିଶିଲେ । ସାଆନ୍ତ ହେଲେ, ସାଆନ୍ତମାନଙ୍କ ପରି ମୂଢ଼ ଏବଂ ହାସ୍ୟାସ୍ପଦ ଭାବରେ ବହୁ କୋଳାହଳ କଲେ ଓ କୋଳାହଳର ଯାବତୀୟ ସାଧନାକୁ ଆପଣାର ଅକ୍ତିଆର ଭିତରେ ରଖିବା ଲାଗି ସବୁମନ୍ତେ ପ୍ରୟାସ କଲେ ସତ, ମାତ୍ର ରାଜନୀତିକ ଚେତନାର ଅଭିବୃଦ୍ଧି ନିମନ୍ତେ ମୋଟେ କିଛି କଲେନାହିଁ । ନିର୍ଭରଶୀଳତା ବଢ଼ିଲା, ଏକ ନବ୍ୟଭାଗ୍ୟବାଦ ଭାରି ପ୍ରଶ୍ରୟ ପାଇଲା–ରାଜନୀତି ଚେତନାର ଜାଗୃତି ଘଟାଇ ତାହାକୁ ଯଥାର୍ଥ ରାଜନୀତି ସକ୍ରିୟତା ମଧ୍ୟକୁ ମୁହାଁଇ ନେବାଲାଗି ଆଉ କାହାରି ବିବେକ ପାଇଲାନାହିଁ । ତୁଚ୍ଛା ବହିରାଗତ ଅବିବେକୀମାନେ ହିଁ ରାଜନୀତିକ ଅଭ୍ୟୁଦୟର ଯଥାସମ୍ଭବ ସକଳ କ୍ଷେତ୍ରକୁ ଓ ସକଳ ସମ୍ଭାବନା କ୍ଳୀବ କରି ରଖିବାରେ ବେବର୍ତ୍ତା ଭଳି କାର୍ଯ୍ୟ କଲେ । ରାଜନୀତିକ ଚେତନାର ଯାବତୀୟ ଘରେ ବିଟପୁରୁଷ ଭଳି ବସି ସେମାନେ ସବୁକିଛିକୁ ଭଣ୍ଡୁର କରିଦେଲେ । ଏବେ ମଧ୍ୟ କରୁଛନ୍ତି ।

 

ଏହି ନ୍ୟାୟଟି ଅନୁସାରେ ତୁଚ୍ଛା ପ୍ରବଳମାନେ ହିଁ ଦୁର୍ବଳର ରକ୍ଷା କରିବାର ଗୁରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ଦରିଦ୍ରମାନଙ୍କୁ ଚିହ୍ନଟ କରିବା ଲାଗି ଧନୀମାନେ ମୁତୟନ ହୋଇ ରହିଛନ୍ତି । ତୁଚ୍ଛା ସହରୀମାନେ ଗମ୍ଭୀର ଭାବରେ ମସନଦ ବସାଇ ଗ୍ରାମାଞ୍ଚଳର ଉନ୍ନୟନ ନିମନ୍ତେ ଇଂରାଜୀ ବହି ଘାଣ୍ଟି ନୂଆ ନୂଆ ଭିଆଣ ଏବଂ ବିଧାନମାନ ପ୍ରଣୟନ କରୁଛନ୍ତି । କୃଷିର ତ୍ଵରାନ୍ୱିତ ଉନ୍ନୟନ ପାଇଁ ଯେଉଁସବୁ ସ୍ଵତନ୍ତ୍ର ବିଶ୍ଵବିଦ୍ୟାଳୟମାନ ରହିଛି, ସେଠାରେ କୃଷକ ହେବାଲାଗି କେହି ପାଠ ପଢ଼ୁନାହାନ୍ତି । ଯେଉଁମାନେ ସେଠାରୁ ତାଲୀମ ପାଇ ବାହାରୁଛନ୍ତି, ସେମାନେ କେହି ଜଣେ ହେଲେ କୃଷକ ହେଉନାହାନ୍ତି, ପ୍ରାୟ ସମସ୍ତେ କୃଷିବାବୁ ହେବାଲାଗି ପ୍ରାୟ ବାଧ୍ୟ ହୋଇ କୃଷି ଅଧ୍ୟୟନର ତପସ୍ୟା କରୁଛନ୍ତି । ମେହେନ୍ତର ସଂଘରେ ତୁଚ୍ଛା ଅଣମେହେନ୍ତର ବାବୁହୋଇ ବସିଛି ଓ ନିଜ ମୁରଲୀଟିକୁ ବଜାଉଛି । କୃଷକ ସଂଘ ଓ ମହାସଂଘଗୁଡ଼ିକୁ ନିପଟ ଅଣକୃଷକ ମହାଭାଗ ଓ ମହାଶୟମାନଙ୍କର ଦାନ୍ତ ଭିତରେ ଯାବ ପକାଇ ରଖାଯାଇଛି । ଉପରୁ ବାବୁମାନେ ଆସି ସତେ ଅବା କେତେ ଅନୁଗ୍ରହ ଦେଖାଇ ତଳ ମଣିଷମାନଙ୍କୁ ସଂଗଠିତ କରୁଛନ୍ତି ଓ ସେମାନଙ୍କୁ ବହୁ ତାତ୍କାଳିକ ଲୋଭମାନ ଦେଖାଇ ଭଣ୍ଡାଇ ରଖିଛନ୍ତି । ବାବୁମାନେ ହିଁ ମଣିଷକୁ ଜାଗ୍ରତ କରିବାର ଠିକା ନେଇଛନ୍ତି ଓ ସେହି ଠିକା ଦ୍ଵାରା ନିଜର ରାଜନୀତିକ ଜୀବିକା ନିର୍ବାହ କରୁଛନ୍ତି । ତେଣୁ ଚେତନାଘରେ ଚୋର ପଶିଛନ୍ତି । ଯେଉଁମାନେ ସତକୁ ସତ ଜାଗ୍ରତ ହେଲେ ଏହିସବୁ ତାମସା ଏକାବେଳେକେ ବନ୍ଦହୋଇ ଯାଆନ୍ତା, ସେମାନେ ନିଘୋଡ଼ ଅସହାୟତାର ନିଦରେ ଶୋଇ ରହିଛନ୍ତି, ଧୋକା ପରେ ଧୋକା ଖାଉଛନ୍ତି । ବିଚରା ଛାତ୍ରମାନେ ମଧ୍ୟ ଏଥିରୁ ବାଦ ଯାଉନାହାନ୍ତି । ପ୍ରଫେସନାଲ୍‍ମାନେ ସେମାନଙ୍କୁ ଗଦ ସୁଂଘାଇ ସେମାନଙ୍କୁ ସତେଅବା ମୂଳରୁ ହିଁ ବୀର୍ଜହୀନ କରି ପକାଉଛନ୍ତି ଓ ତାମସାବାଲାର ଯଷ୍ଟି ଅନୁସାରେ ନାଚିବା ବ୍ୟତୀତ ସେମାନଙ୍କର ଆଉ ଅନ୍ୟ ଗତି ରହୁନାହିଁ । ସେମାନଙ୍କ ଭିତରୁ ଅବଶ୍ୟ କେତେକ ଭବିଷ୍ୟତରେ ବର୍ତ୍ତମାନର ପ୍ରଫେସନାଲ୍‍ମାନଙ୍କର ଛାଞ୍ଚରେ ପ୍ରଫେସନାଲ୍‍ ହୋଇ ବାହାରିବାର ମନ୍ଦ ତାଲୀମ ପାଇ ପାରୁଛନ୍ତି-

 

ମୁଖ୍ୟତଃ ଏହିଭଳି କେତେକ କାରଣରୁ ତୃତୀୟ ବିଶ୍ଵର ରାଜନୀତିକ ଚେତନା ବଡ଼ ଶୋଚନୀୟ ଭାଵରେ ବାଟମାରଣା ହୋଇଯାଉଛି । ଶକ୍ତିଗୁଡ଼ାକ ଅପଶକ୍ତିରେ ପରିଣତ ହୋଇ ଯାଉଛନ୍ତି । ଜାଣତରେ ହେଉ ବା ଅଜଣାତରେ ହେଉ, ବ୍ୟାଧଗୁଡ଼ାଙ୍କୁ ସତେ ଅବା ଯଥାସମ୍ଭବ ଦୀର୍ଘସ୍ଥାୟୀ ହେବାରେ ସମସ୍ତେ ସାହାଯ୍ୟ କରିବାରେ ଲାଗିଛନ୍ତି । ଅସଲ କ୍ରାନ୍ତିଗୁଡ଼ିକୁ ଭାରି ଧୂର୍ତ୍ତ ଭାବରେ ଟାଳି ଦିଆଯାଉଛି । ଯେଉଁମାନଙ୍କ ହାତରେ ରଜ୍ଜୁଗୁଡ଼ିକ ରହିଛି, ସେମାନେ ସତେ ଯେପରି ସେଥିରେ ଆଉ କାହାରିକୁ କୌଣସି ଭାଗ ନଦେବେ ବୋଲି ଆଣ୍ଟ କରି ବସିଛନ୍ତି ।

 

ମହାଦେବମାନେ ଫିସାଦ କରି ଗଙ୍ଗାର ଧାରାକୁ ନିଜର ଜଟା ଭିତରୁ କଦାପି ମୁକ୍ତ ହୋଇ ବହିଯିବାକୁ ବାଟ ଛାଡ଼ିଦେବେ ନାହିଁ ବୋଲି ସଂକଳ୍ପ ଗ୍ରହଣ କରି ନେଇଛନ୍ତି । ଯୁଗ ଯୁଗ ଧରି ସବୁକିଛି ଏହିଭଳି ରହିବ ବୋଲି ଭାବୁଛନ୍ତି । ଏହାର ମଧ୍ୟ ଏକ ବିକଳ୍ପ ରହିଛି ଏବଂ ପରିସ୍ଥିତି ଅଧିକରୁ ଅଧିକ ଗନ୍ଧିଆ ହେବା ସଙ୍ଗେ ସଙ୍ଗେ ଏକ ବିକଳ୍ପର ଆବିର୍ଭାବ ଯେ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଛି, ପୁରୁଣା ଜଙ୍ଗଲର ନୂଆ ମାମଲତକାରମାନେ ସେକଥା ଆଦୌ ବୁଝି ପାରୁନାହାନ୍ତି । ଇତିହାସରେ କେହି ସବୁଦିନେ ମହାପାତ୍ର ହୋଇ ରହିପାରେ ନାହିଁ ବା ଜଳକାମାନଙ୍କୁ ମଧ୍ୟ ଜଳକା ହୋଇ ରହିବାକୁ ସବୁଦିନେ ମୋଟେ ଭଲ ଲାଗେନାହିଁ । (୩୦ । ୧୨-। ୮୭)

 

(୨୨)

 

ସଂସାରର ବିପଦ ପଡ଼ିଲେ ଭଗବାନ ସଂସାର ବାହାକୁ ଆସନ୍ତି । ଶାସ୍ତ୍ରୀୟ ବିଶ୍ଵାସରେ ଏହାକୁ କେଡ଼େ ଗାମ୍ଭୀର୍ଯ୍ୟର ସହିତ ଅବତାର ବୋଲି କୁହାଯାଇଛି । ସ୍ଵୟଂ ମଣିଷ ତା’ ନିଜ ସଂସାର ବିଷୟରେ ଯେତେ ଚିନ୍ତା କରେନାହିଁ ଭଗବାନ ତା’ଠାରୁ ଅଧିକ ଚିନ୍ତା କରନ୍ତି ବୋଲି ଯେଉଁ ପରମ୍ପରାରେ ମଣିଷମାନଙ୍କୁ ଆଶ୍ଵାସନା ଦିଆଯାଇ କୁହାଯାଇଥାଏ, ସେହି ପରମ୍ପରାରେ ଅଧିକାଂଶ କ୍ଷେତ୍ରରେ ଉପେକ୍ଷା ହିଁ ଗୁଣୀଜନମାନଙ୍କର ଭୂଷଣ ହୋଇ ରହିଥାଏ । ଏହିପରି ଏକ ଆଶ୍ଵାସନାର ଅପସାଂସ୍କୃତିକ ମଣ୍ଡଳ ଭିତରେ ଦରିଦ୍ରମାନଙ୍କ ଲାଗି ଦରିଦ୍ରମାନେ ଯେତେ ଚିନ୍ତା ନ କରନ୍ତି ଅଣଦରିଦ୍ରମାନେ ତା’ଠାରୁ ଅନେକ ଅଧିକ ଚିନ୍ତା କରିଥାନ୍ତି ଓ ଏଇଭଳି ଚିନ୍ତା କରିବାକୁ ଆପଣାର କର୍ତ୍ତବ୍ୟ ବୋଲି ବିଚାର କରିଥାନ୍ତି । ଗୋଟିଏ ଦେଶର ବା ରାଜ୍ୟର ଶିକ୍ଷା, ସଂସ୍କୃତି, ଜୀବନଦୃଷ୍ଟି ଏବଂ ମଣିଷ ମଣିଷ ଭିତରେ ରହିଥିବା ସାମାଜିକ ବ୍ୟବସ୍ଥାଗତ ସମ୍ବନ୍ଧ ଦରିଦ୍ର ଓ ଅଣଦରିଦ୍ର ଉଭୟ ପକ୍ଷକୁ ଅନୁରୂପ ଭାବରେ ହିଁ ଚିନ୍ତା କରିବାଲାଗି ମଣ କରି ରଖିଥାନ୍ତି । ମାତ୍ର ଗୋଟିଏ ଫାଳ, ଯେଉଁ ଫାଳଟି ଉପରେ ଥାଏ, ଅଧିକ ଭୋଗ କରୁଥାଏ, ଅଧିକ ଆବୋରି ରଖିଥାଏ, ସେଇଟି ଏକାବେଳେକେ ଦୁଇଟିଯାକ ଫାଳ ବିଷୟରେ ଚିନ୍ତା କରେ । ଦରିଦ୍ରମାନେ ଭାଗ୍ୟ ଆଦରି ରହିଥାନ୍ତି । ତେଣୁ ସେମାନଙ୍କର ନିଜ ବିଷୟରେ ଚିନ୍ତା କରିବାକୁ ବେଳ ନ ଥାଏ । ସମ୍ଭବତଃ ସେଇଥିଲାଗି ଯେଉଁ ସମାଜରେ ଦରିଦ୍ର ଅଧିକ ଥାଆନ୍ତି ଏବଂ ଅଣଦରିଦ୍ର ଅଳପ ଥାଆନ୍ତି, ଶିକ୍ଷାରୁ ବଞ୍ଚିତ ଅଧିକ ଥାଆନ୍ତି ଏବଂ ଶିକ୍ଷା ପାଇଥିବା ମଣିଷ ଅଳପ ଥାଆନ୍ତି, ଯେଉଁଠାରେ ଅଳପ ମଣିଷ ଅଧିକାଂଶ ମଣିଷଙ୍କର ଆଖିକୁ ଓ ମଥାକୁ ସେମାନଙ୍କଠାରୁ କାଢ଼ି ନେଇଥାନ୍ତି, ସେଠି ଅଣଦରିଦ୍ରମାନେ ହିଁ ଦରିଦ୍ରମାନଙ୍କ ବିଷୟରେ ଭାବିବାର ଏବଂ ଶିକ୍ଷିତମାନେ ଅଶିକ୍ଷିତ ଲୋକମାନଙ୍କ ବିଷୟରେ ଭାବିବାଟାକୁ ଏକ ଯୁକ୍ତିଯୁକ୍ତ ସଂସ୍କାର ବୋଲି ମାନି ନିଆ ଯାଇଥାଏ ।

 

ଦରିଦ୍ରମାନଙ୍କୁ ସାଙ୍ଗରେ ବସାଇ ଦାରିଦ୍ର୍ୟ ବିଷୟରେ ଚିନ୍ତା କରିବା, ସିଏ ଏକ ଅନ୍ୟ ସଂସ୍କାର ଓ ଅନ୍ୟ ପରିମଳର କଥା । ହୁଏତ ଏକ ଅନ୍ୟ ଚେତନାର କଥା । ଦରିଦ୍ରମାନଙ୍କୁ ସାଙ୍ଗରେ ବସାଇ ଦାରିଦ୍ର୍ୟର ଆଲୋଚନା କରାଗଲେ ଆଲୋଚନା ଅନ୍ୟପ୍ରକାର ହେବାକୁ ବାଧ୍ୟ ହେବାର ବହୁ ଆଶଙ୍କା ରହିଥାଏ । ଅନେକ ସମୟରେ ତାହା ସାଂଘାତିକ ବି ହୋଇ ଯାଇପାରେ ଏବଂ ତାହାର ପରିଣତି ବିପଜ୍ଜନକ ହୋଇପାରେ । ଶିକ୍ଷା ସମଗ୍ର ସମାଜକୁ ଆଲୋକିତ କରେ ବୋଲି ଆମ ସଂସାରରେ ବହୁକାଳରୁ ଏକ ଅପବାଦ ରହିଛି । ମାତ୍ର ଯେଉଁମାନେ ଅନେକଙ୍କୁ ବଞ୍ଚିତ କରି ଶିକ୍ଷା ପାଇଥାନ୍ତି, ସେମାନେ ସାଧାରଣତଃ ଶିକ୍ଷାଜନିତ ଯାବତୀୟ ଆଲୋକକୁ କେବଳ ଆପଣାର ବୋଲି କୁହାଯାଉଥିବା ଛୋଟ ଗମ୍ଭୀରଟି ଭିତରେ ଅଥବା ଭୋଗଗମ୍ଭୀରଟି ଭିତରେ କିଳିକରି ରଖିଥାନ୍ତି । ଶିକ୍ଷାରୁ ବଞ୍ଚିତମାନଙ୍କୁ ମଧ୍ୟ ସେଥିରୁ ଭାଗ ଦେବାକୁ ଖୁବ୍‍ ବେଶୀ ମନ କରନ୍ତି ନାହିଁ । ଏପରିକି, ଅଶିକ୍ଷିତମାନଙ୍କ ବିଷୟରେ ଆଲୋଚନା କଲାବେଳେ ମଧ୍ୟ ସେମାନେ ଅଶିକ୍ଷିତମାନଙ୍କୁ ପାଖକୁ ଡାକନ୍ତି ନାହିଁ, ସାଙ୍ଗକୁ ଡାକିବା ତ ଆହୁରି ଅଧିକ ଦୂରର କଥା । ଆମ ବିଶ୍ଵବିଦ୍ୟାଳୟମାନଙ୍କରେ ପ୍ରାୟ ଏହି ଅନୀତିଟାକୁ ହିଁ ଆଚରିତ ନୀତିରୂପେ ଗ୍ରହଣ କରି ନିଆଯାଇଥାଏ । ସେଠାରେ ଯଦି କେବେ ଶିକ୍ଷିତମାନଙ୍କ ସହିତ ଅଶିକ୍ଷିତମାନଙ୍କୁ ଏକାଠି ସାମିଲ କରାଯାଇ ପାରନ୍ତା, ତେବେ ହୁଏତ ସେହିଠାରୁ ହିଁ କଳିଯୁଗ ଶେଷ ହେବାକୁ ଆରମ୍ଭ କରନ୍ତା । ବିଶ୍ୱବିଦ୍ୟାଳୟର ଆଖଡ଼ାଟା ହିଁ ଅନ୍ୟପ୍ରକାର ହୋଇଯାଆନ୍ତା : ସେତେବେଳେ ଭାଗ୍ୟ କହିଲେ ଏକାବେଳେକେ ଏକ ଅନ୍ୟ କଥାକୁ ବୁଝନ୍ତା ଏବଂ ତେଣୁ ସେଠାରେ ଆତଯାତ ହେଉଥିବା ଭାଗ୍ୟବାନ ଅସାଧାରଣମାନେ ମଧ୍ୟ ଅନ୍ୟଭଳି ଆଚରଣ କରନ୍ତେ, ସାଧାରଣମାନଙ୍କର କେତେ ପାଖକୁ ଚାଲି ଆସିବା ପରି ମନେ ହୁଅନ୍ତେ । ଗୋଟିଏ ଦେଶରେ ଦାରିଦ୍ର୍ୟ ଯେ ସତକୁ ସତ ଆଖିରେ ପଡ଼ିଲା ପରି ସମସ୍ୟାଟିଏ ହୋଇ ରହିଥାଏ, ଅଧିକାଂଶ କ୍ଷେତ୍ରରେ ଦରିଦ୍ରମାନେ ନୁହନ୍ତି, ଆମ ଅଣଦରିଦ୍ରମାନେ ହିଁ ତାହାର ଏକ ପ୍ରଧାନ କାରଣ ହୋଇ ରହିଥାଆନ୍ତି । ଆପଣାକୁ ଅସାଧାରଣ ବୋଲି ପ୍ରାୟ ଅଭ୍ୟାସଗତ ଭାବରେ ଭାବି ଆସିଥିବା କେତେକ ଶ୍ରେଣୀ ସେହିପରି ଅଲଗା ଏବଂ ଅଧିକ ହୋଇ ରହିବେ ବୋଲି ଆମ ସଂସାରରେ ହୁଏତ ସାଧାରଣମାନଙ୍କର ମଧ୍ୟ ଏକ ଆବଶ୍ୟକତା ରହିଥାଏ । ଦରିଦ୍ର ଓ ସାଧାରଣମାନଙ୍କୁ ଏକା ସାଙ୍ଗରେ ବସାଇ ଦାରିଦ୍ର ବିଷୟରେ ଆଲୋଚନା ହେଲେ ଏବଂ ତଦ୍ଦ୍ଵାରା ଅସାଧାରଣମାନେ ହିଁ ଦରିଦ୍ରମାନଙ୍କର ଦାରିଦ୍ର୍ୟର ଏକ ଅସଲ କାରଣ ବୋଲି ଧରାପଡ଼ିଗଲେ ସେଥିରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଯିବ, ସମ୍ଭବତଃ ସେଇଥିପାଇଁ ଆମ ସଂସାରରେ ଦରିଦ୍ରମାନଙ୍କୁ ସାଙ୍ଗରେ ବସାଇ ଅଣଦରିଦ୍ରମାନେ ଦାରିଦ୍ର୍ୟ ବିଷୟରେ ଆଲୋଚନା କରିପାରନ୍ତି ନାହିଁ । ତଦ୍ଦ୍ଵାରା ସଂସାରର ଶାନ୍ତିଭଙ୍ଗ ଘଟିବ ଓ ପ୍ରତିଷ୍ଠାଗୁଡ଼ାକ ଅପ୍ରତିଷ୍ଠା ବୋଲି ପ୍ରମାଣିତ ହୋଇଯିବ ବୋଲି ହୁଏତ ତାହା ମୋଟେ ସମ୍ଭବ ହୁଏ ନାହିଁ ।

 

ପୃଥିବୀର ଇତିହାସରେ କେବଳ ଦରିଦ୍ରମାନେ ବେଳେ ବେଳେ ଆପଣା ଦାରିଦ୍ର୍ୟ ବିଷୟରେ ଚିନ୍ତା କରିବାକୁ ଓ ସଚେତନ ଭାବରେ ତାହାର ଏକ ସମାଧାନ କରିବାକୁ ମଧ୍ୟ ଚିନ୍ତା କରିଛନ୍ତି । ଅପର ଶିବିରଟିକୁ ସେମାନେ ଗୋଟାସୁଧା ଏକ ଶତ୍ରୁଶିବିର ବୋଲି ବ୍ୟାଖ୍ୟା କରିଛନ୍ତି । ଆପଣାକୁ ଶୋଷିତ ବୋଲି କହି ଅନ୍ୟମାନଙ୍କୁ ଶୋଷକ ବୋଲି କୁହାଯାଇଛି । ସେଥିରୁ ସଂଗ୍ରାମ ଉପୁଜିଛି, ରକ୍ତପାତ ହୋଇଛି, ପୁରୁଣାର ଦାନ୍ତଗୁଡ଼ାକୁ ଛଡ଼ାଇ ନେଇ ନୂଆ ସୁଶୋଭିତ ହୋଇ ସିଂହାସନରେ ବସିଛି । ତାହାକୁ ମହାନ୍ ବିପ୍ଳବ ବୋଲି କୁହାଯାଇଛି । ମାତ୍ର, ଏହି ଯାବତୀୟ ପ୍ରକ୍ରିୟାଟି ମଧ୍ୟରେ କେଉଁଠି କେଉଁ ବିଡ଼ମ୍ବନା ବା ଅବିବେକ ରହିଯାଉଛି, କେଜାଣି, ଆଜିର ବିପ୍ଳବୀମାନେ କାଲିକୁ ପ୍ରତିକ୍ରିୟାଶୀଳ ହୋଇ ଯାଉଛନ୍ତି ଏବଂ ଶୋଷଣ, ଅନ୍ୟାୟ ଓ ଦାରିଦ୍ର୍ୟ ଅନ୍ୟ ନାନା ଭେକ ପରିଧାନ କରି ବଳବତ୍ତର ରହୁଛି, ନୂଆ ଧର୍ମଶାସ୍ତ୍ର ଗୁଡ଼ିକର ଅନୁମୋଦନ ମଧ୍ୟ ପାଉଛି । ଭୋଗରୁ ବଞ୍ଚିତ ହୋଇ ଆସିଥିବା ମଣିଷମାନେ ତେଣିକି ଭୋଗ କରିବାର ଅପର୍ଯ୍ୟାପ୍ତ ସୁଯୋଗମାନ ପାଉଛନ୍ତି ସତ, ମାତ୍ର ନାନା ନୂତନ ଫାଶରେ ବାନ୍ଧି ହୋଇ ଯାଉଛନ୍ତି । ଜୀବନରେ ଦାରିଦ୍ର୍ୟ ତଥାପି ଦୂର ହୋଇ ପାରୁନାହିଁ । ଆଧୁନିକ ଇତିହାସରେ ସେହିପରି ଏକାଧିକ ଦୃଷ୍ଟାନ୍ତର ଅଭିନୟ ମଣିଷର ଆଖି ଆଗରେ ହୋଇ ସାରିଲାଣି । ଶ୍ରେଣୀ ସଂଘର୍ଷକୁ କେବଳ ଏକ ରାଜନୀତିକ ସଂଘର୍ଷ ଭିତରେ ଆବଦ୍ଧ କରି ରଖିଲେ ତାହା ଯେ ବହୁକ୍ଷେତ୍ରରେ ନୂଆ ଦୈତ୍ୟମାନଙ୍କୁ ହିଁ ଜନ୍ମ ଦିଏ, ପୃଥିବୀରେ ଅଧିକରୁ ଅଧିକ ମଣିଷ କ୍ରମେ ସେହିକଥାକୁ ହୃଦୟଙ୍ଗମ କରିବାକୁ ଆରମ୍ଭ କଲେଣି । ଅଧିକ ଆନନ୍ଦର କଥା ଯେ ଅଧିକରୁ ଅଧିକ ନେତା ମଧ୍ୟ ପରିସ୍ଥିତିରେ ପଡ଼ି ବା ପରିସ୍ଥିତି ଦ୍ଵାରା ବାଧ୍ୟ ହୋଇ ଏବେ ଅନ୍ୟ ବାଟରେ ଭାବିବାକୁ ମଧ୍ୟ ଉତ୍ସାହ ପାଇଲେଣି । ସାହସ କଲେଣି ।

 

ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭର୍ତ୍ତି ହୋଇଛି, ଶିକ୍ଷିତ ଅର୍ଥାତ୍ କୁଶଳତାପ୍ରାପ୍ତ ମଣିଷ ମଧ୍ୟ ଏଠାରେ ଆଦୌ ଅଳ୍ପ ସଂଖ୍ୟାରେ ନାହାନ୍ତି,–ଏହି ଭୂଖଣ୍ଡର ଏକ ଗୌରବମୟ ଇତିହାସ ରହିଛି ଏବଂ ସେହି ଅତୀତ ଏବେ ମଧ୍ୟ ପ୍ରେରଣା ଦେବାଲାଗି ଆମକୁ ସମ୍ମୁଖରେ ଅପେକ୍ଷା କରି ରହିଛି । ତଥାପି ଓଡ଼ିଶା ଏତେ ଦରିଦ୍ର କାହିଁକି,–ଏଠାରେ ଅଧିକାଂଶ ମଣିଷଙ୍କର ପେଟ କାହିଁକି ପୁରୁନାହିଁ, ଓଡ଼ିଶାର ଶିକ୍ଷିତମାନେ ଏହି ଭୂମିଟି ଲାଗି ଏକ ସମ୍ପତ୍ତି ହେବା ପରିବର୍ତ୍ତେ ଏକ ଉତ୍କଟ ସମସ୍ୟାରେ କାହିଁକି ପରିଣତ ହୋଇ ରହିଛନ୍ତି, ଓଡ଼ିଶାର ରାଜନୀତି ଏକ ନୂତନ ସାମୁଦାୟିକ ଭବିଷ୍ୟ ଦିଗରେ ସମ୍ପୃକ୍ତ ସମସ୍ତଙ୍କୁ ବାଟ ଦେଖାଇ ପାରୁନାହିଁ କାହିଁକି–ଏସବୁ ବିଷୟରେ ଆଦୌ କୌଣସି ଆଲୋଚନା କରି ବସିବାବେଳେ ଦରିଦ୍ର ଓ ଅଣଦରିଦ୍ର ଏକାଠି ବସିପାରିବା ଉଚିତ, ପରସ୍ପରର ସମ୍ମୁଖୀନ ହୋଇ ଆପଣାର ବକ୍ତବ୍ୟକୁ ବ୍ୟକ୍ତ କରି ପାରିବା ଉଚିତ । କେବଳ ଅଣଦରିଦ୍ରମାନେ ବସି ସହରର ସଭାରେ ଯେତେବେଳେ ଦାରିଦ୍ର୍ୟର ଆଲୋଚନା କରନ୍ତି, ସେତେବେଳେ ସମାଧାନ ଅପେକ୍ଷା ବିଡ଼ମ୍ବନା ଗୁଡ଼ାକ ସତେଅବା ଭାରି ଅସଶୁଣା ଭାବରେ ପଦାକୁ ଦିଶି ଯାଉଥିବା ପରି ମନେ ହେଉଥାଏ । ଅବଶ୍ୟ ଏକଥା ସତ ଯେ, ଏକାଧିକ କାରଣରୁ ଭାରତବର୍ଷରେ ଅସଣ୍ଠଣାଗୁଡ଼ାକୁ ହିଁ ଅନେକ କ୍ଷେତ୍ରରେ ସଣ୍ଠଣା ବୋଲି ମାନି ନିଆଯାଏ । ସହରରେ ବସି ଗ୍ରାମର ସମସ୍ୟଗୁଡ଼ିକ ଉପରେ ଆଲୋଚନା ବସେ, କୃଷିର ସମୃଦ୍ଧିସାଧନା ନିମନ୍ତେ ସହରରେ ବିଶ୍ଵବିଦ୍ୟାଳୟ ବ୍ୟସ୍ତ ହୋଇ ରହିଥାଏ ଏବଂ ପୁରାତନ ଗ୍ରାହଭିକ ସଂସ୍କୃତି ଏବଂ ସାଂସ୍କୃତିକ ମୂଲ୍ୟଗୁଡ଼ିକୁ ସୁରକ୍ଷିତ କରି ରଖିବାଲାଗି ସହରରେ ପେଟୁଆମାନଙ୍କୁ ନେଇ ସଭା ବସେ, ମଉଚ୍ଛବ କରାଯାଏ । ସମସ୍ୟାଗୁଡ଼ିକ ପ୍ରକୃତରେ ଯାହାର, ତାକୁ ସାଙ୍ଗରେ ନେବାକୁ କର୍ତ୍ତାମାନେ ଚେଷ୍ଟା କରନ୍ତି ନାହିଁ । ତା’ ପାଖକୁ ଯାଇ ତା’ କଥା ପକାଇବାର ଆବଶ୍ୟକତାକୁ ପ୍ରାୟ କେବେହେଲେ ଅନୁଭବ କରାଯାଏ ନାହିଁ । ବରଂ ପ୍ରୟୋଜନ ହେଲେ ତାକୁ ସହରକୁ ଡକାଇ ଅଣାଯାଏ ସିନା, ଆହୁରି ଆବଶ୍ୟକ ହେଲେ ତାକୁ ଉପାୟନ ଏବଂ ପୁରସ୍କାରମାନ ଦିଆଯାଏ ସିନା, ମାତ୍ର ତା’ ପାଖକୁ ଯିବାର ତାକୁ ସାଙ୍ଗରେ ନେବାର ଏକ ଆବଶ୍ୟକତା ରହିଛି ବୋଲି ଆମର ପାଠକଗୁଡ଼ାକ ଆମକୁ କେବେହେଲେ ବତାଇ ଦିଅନ୍ତି ନାହିଁ ।

 

ସାଧାରଣତଃ ଆପଣାଙ୍କୁ ବୁଦ୍ଧିଜୀବୀ ବୋଲି କହୁଥିବା ମଣିଷମାନେ ଏସବୁର ଭିଆଣ କରିଥାନ୍ତି । ଅସମାନତାକୁ ଅବଶ୍ୟମ୍ଭାବୀ ବୋଲି ମାନି ନେଇଥିବା ସମାଜରେ ଓ ଦେଶମାନଙ୍କରେ ପ୍ରାୟ ନିୟମିତଃ ବୁଦ୍ଧିଜୀବୀମାନେ ସହରରେ ଥାଆନ୍ତି, ଭୋଗୀମାନଙ୍କ ପଲରେ ରହିଥାନ୍ତି, ଦୂରରେ ଥାଇ ନାକ ଟେକିବାକୁ ଏବଂ ସେମାନଙ୍କର ଅଧୀତ ସତ୍ୟଗୁଡ଼ାକ ଯେତେ ଯାହା କହୁଥିଲେ ମଧ୍ୟ ସେହିପରି ଦୂରତା ରକ୍ଷା କରିବାକୁ ହିଁ ନିରାପଦ ଧର୍ମବତ୍ ମାନି ନେଇଥାନ୍ତି । ସାମାଜିକ ଓ ସମ୍ବନ୍ଧଗତ ବହୁ ଅନ୍ୟାୟରେ ପ୍ରତିପାଳିତ ହେଉଥିବା ଏକ ସମୂହରେ ବୁଦ୍ଧିଜୀବୀମାନେ ପ୍ରୟୋଜନତଃ ପ୍ରାୟ ଅଧର୍ମ, ଅନ୍ୟାୟ ଓ ଅସାମାଜିକତାର ପକ୍ଷରେ ରହିଥାନ୍ତି । ଆପଣାର ଜୀବନରେ ସେମାନେ ବହୁପ୍ରକାରେ କୃପଣ, କୁଣ୍ଠତ ଏବଂ ଦରିଦ୍ର ହୋଇ ରହିଥାନ୍ତି, ଅନେକଙ୍କର ମୌଳିକ ଦାରିଦ୍ର୍ୟ ଲାଗି ପରୋକ୍ଷ ଅଥବା ଅପରୋକ୍ଷ ଭାବରେ ସ୍ଵଂୟ କାରଣ ମଧ୍ୟ ହୋଇ ରହିଥାନ୍ତି । ତଥାପି ଦେଶରେ ଦାରିଦ୍ର୍ୟ ବିଷୟରେ ଗବେଷଣା କରନ୍ତି, ଆଲୋଚନା କରନ୍ତି, ସିଦ୍ଧାନ୍ତମାନ ଦିଅନ୍ତି । ଆପଣା ପାଇଁ ଏକାବେଳେକେ ଦଶଟା ଘର ଦାବୀ କରୁଥିବା ବ୍ୟକ୍ତିମାନେ ଗୋଟିଏ ମାତ୍ର ସାନ ବଖରାରେ ଖୁନ୍ଦିଖାନ୍ଦି ହୋଇ ବାସ କରିବାକୁ ବାଧ୍ୟ ହେଉଥିବା ଦଶଜଣ ମଣିଷଙ୍କର ଦୁର୍ଗତି ବିଷୟରେ ଚିନ୍ତା କରିବାର ଅଦ୍ଭୁତ ପଦ୍ଧତିଟିକୁ ଆମ ପୃଥିବୀକୁ ଜଳକା କରି ରଖିଥିବା ବହୁ ଆଶ୍ଚର୍ଯ୍ୟ ମଧ୍ୟରୁ ଏକ ଅନ୍ୟତମ ବୋଲି ଅବଶ୍ୟ କହିବାକୁ ପଡ଼ିବ ।

 

ତେଣୁ, ଦରିଦ୍ରମାନଙ୍କୁ ପାଖରେ ବସାଇ, ସାଙ୍ଗରେ ନେଇ ଓଡ଼ିଶାରେ ଦାରିଦ୍ର୍ୟର ଆଲୋଚନା କରାଯାଉ । ଆମ ଖାତାରେ ଯେଉଁମାନଙ୍କୁ ଅଶିକ୍ଷିତ ବୋଲି କୁହାଯାଉଛି, ଶିକ୍ଷିତମାନେ ଅଶିକ୍ଷା ଦୂର କରିବାଲାଗି ଆଦୌ କୌଣସି ସମାଧାନ ଦେବା ପୂର୍ବରୁ ସେହି ଅଶିକ୍ଷିତମାନଙ୍କୁ ହିଁ ଆପଣାର ପ୍ରଶ୍ନଗୁଡ଼ିକୁ ପଚାରନ୍ତୁ, ସେଇମାନଙ୍କ ସହିତ ଏକାଠି ବସି ଆବଶ୍ୟକ ସମାଧାନ ଓ ପ୍ରତିକାର ଗୁଡ଼ିକୁ ବାହାର କରନ୍ତୁ । ଉପରୁ ଗଉଣି ଗଉଣି ପଇସା ଅଜାଡ଼ିଦେଲେ ଯେ ଗୋଟାଏ ରାଜ୍ୟର ଦାରିଦ୍ର୍ୟ କଦାପି ଦୂର ହୋଇଯାଏ ନାହିଁ, ଏବେ ଅଣଦରିଦ୍ର ଅସାଧାରଣମାନେ ମଧ୍ୟ ସେକଥା ସ୍ଵୀକାର କରିବାକୁ ଆରମ୍ଭ କଲେଣି । ତଥାପି, ନିର୍ବୋଧ ପରମ୍ପରାଟିକୁ ଛାଡ଼ି ହେଉନାହିଁ ବୋଲି ସମ୍ଭବତଃ ସେହି ପୁରୁଣା ଅଭିନୟଟି ମଧ୍ୟ ଚାଲିଛି । ଅଥବା, ଏହି ରାଜ୍ୟରୁ ସତକୁ ସତ ଦାରିଦ୍ର୍ୟ କେବେହେଲେ ଦୂର ନହେଉ ବୋଲି ଆମେ ଅଣ ଦରିଦ୍ରମାନେ ସତକୁ ସତ ଇଚ୍ଛା କରୁଛୁ ବୋଲି ସେହି ପୁରାତନ ପଦ୍ଧତିଟିକୁ ଏବେ ମଧ୍ୟ ଆଦରି ରହିବାକୁ ମନ କରୁଛୁ । ଅଣଦରିଦ୍ରମାନେ ବହୁକ୍ଷେତ୍ରରେ ଦରିଦ୍ରମାନଙ୍କର ପ୍ରାୟ ଏକ ଚିରନ୍ତନ ଅସ୍ତିତ୍ଵ ଉପରେ ଏକାନ୍ତ ନିର୍ଭରଶୀଳ ହୋଇ ରହିବାକୁ ଏତେ ଅଧିକ ପରିମାଣରେ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଅବସ୍ଥା ବଦଳିଗଲେ ଅର୍ଥାତ୍ ଦରିଦ୍ରମାନଙ୍କର ଦାରିଦ୍ର୍ୟ ଦୂର ହେଲେ ସେମାନଙ୍କର ସମ୍ଭବତଃ ଆଉ କୌଣସି ବିଶେଷ ଅସ୍ତିତ୍ଵ ରହିବ ନାହିଁ ବୋଲି ସେମାନେ ଭୟ କରୁଛନ୍ତି । ଅନେକ ଗଧ ମାଷ୍ଠର ଯେମିତି ଗଧ ପିଲାମାନଙ୍କୁ ଆଦରି କରି ରହିଥାନ୍ତି ଓ ପିଲାମାନେ ପ୍ରତିଭାର ପରିଚୟ ଦେଖାଇଲେ ଯେମିତି ଭାରି ଅସହାୟ ମନେ କରନ୍ତି, ଇଏ ପ୍ରାୟ ସେହିପରି କଥା । ତେଣୁ ଆମକୁ ଘୋଟି ରହିଥିବା ଦାରିଦ୍ର୍ୟ ବିଷୟରେ ସମସ୍ତେ ଏକାଠି ବସି ଆଲୋଚନା ହେଉ, ତାହାକୁ ହିଁ ବହୁ ଦୃଷ୍ଟିରୁ ଏକ ଅଧିକ ସ୍ଵାଭାବିକ ଓ ବୈଜ୍ଞାନିକ ପଦ୍ଧତି ବୋଲି କୁହାଯାଇ ପାରିବ । (୬ । ୧ । ୮୮)

 

(୨୩)

 

ଅନୁତ୍ତେଜିତ ଅଥବା ଛଳନାଶୂନ୍ୟ ଭାବରେ ଓଡ଼ିଶାର ଦାରିଦ୍ର୍ୟ ପ୍ରକୃତରେ କେଉଁ ଦାରିଦ୍ର୍ୟ, ସେହି କଥାଟିର ନିରୂପଣ କଲାବେଳେ ଆମକୁ ସବାଆଗ ଆମ କାନରେ ସତ୍ୟ ବୋଲି କୁହାଯାଇ ଆସିଥିବା ଏକ କଳ୍ପିତ କଥା ବିଷୟରେ ସାବଧାନ ହେବାକୁ ପଡ଼ିବ । ଓଡ଼ିଶା ବା ଉତ୍କଳ ପୂର୍ବେ ଏମିତି ଥିଲା ବା ସେମିତି ଥିଲା ବୋଲି ଆମକୁ ଅତିରିକ୍ତ ପ୍ରକାରେ ଭାବପ୍ରବଳ କରାଇ ରଖିବା ଲାଗି ଆମ ପିଲାଦିନରୁ ଯାହାସବୁ କୁହାଯାଇ ଆସିଛି, ସେହିସବୁ ମୋହକଥାକୁ ଆମକୁ ସର୍ବ ପ୍ରଥମେ ମୁକ୍ତ ହୋଇ ଆସିବାକୁ ପଡ଼ିବ । ଏହି ଭୂମିରେ ସୁନା, ହୀରା, ଓ ଆହୁରି କେତେ କ’ଣ ଫଳୁଥିଲା, ଏଠି ସାଧବମାନେ ସମୁଦ୍ରଯାତ୍ରାରେ ଯାଇ ତେଣୁ ଜାହାଜ ଜାହାଜ ଧନଦରଦ ଦେଶକୁ ବୋହି ଆଣୁଥିଲେ, ଓଡ଼ିଆ ଜାତି ଏକ ସମରଶୀଳ ଜାତି ଥିଲା–ଏଭଳି କଥାଗୁଡ଼ିକର ଫାଶରୁ ନିଜକୁ ଆଗ ମୁକ୍ତ କରି ତା’ପରେ ଯଥାସମ୍ଭବ ଅଧିକ ସମୀକ୍ଷାତ୍ମକ ଭାବରେ ଓଡ଼ିଶାର ଦାରିଦ୍ର୍ୟ ବିଷୟରେ ବିଚାର କରିବା, ଓଡ଼ିଶାର ଅଣଦାରିଦ୍ର ମାନଙ୍କ ପକ୍ଷରେ ତାହା ପ୍ରକୃତରେ ବଡ଼ କଷ୍ଟକର-। ଏହି ପର୍ଯ୍ୟାୟରେ ଭାରତବର୍ଷକୁ ମଧ୍ୟ ସୁଜଳା, ସୁଫଳା ଓ ଶସ୍ୟଶ୍ୟାମଳା ବୋଲି କୁହାଯାଇ ଆସିଛି । ଭାରତବର୍ଷକୁ ଜାତୀୟବାଦୀ ଜାଗରଣ ଆସି ପହଞ୍ଚିବା ପରେ ଯେଉଁସବୁ ଗୀତ ଲେଖା ହୋଇଥିଲା, ତାହାରି ଧାରା-ପ୍ରତିକ୍ରିୟା ସ୍ୱରୂପ ଆମ ଓଡ଼ିଶାରେ ମଧ୍ୟ ପ୍ରାୟ ଅନୁକରଣ କରି ଓଡ଼ିଶାକୁ ମୂର୍ତ୍ତି କରି ବସାଇ ସେହିଭଳି ଗୀତ ଓ ବହୁ ଭାବାଧିକ୍ୟର ମାଧ୍ୟମରେ ବହୁ କଳ୍ପିତ କଥାକୁ ପ୍ରଶ୍ରୟ ବି ଦିଆ ଯାଇଥିଲା । ସେତେବେଳେ ସେହିସବୁ ପ୍ରେରଣାର ଏକ ଆବଶ୍ୟକତା ଅବଶ୍ୟ ରହିଥିଲା । ମାତ୍ର, ଦେଶ ସ୍ଵାଧୀନ ହେବାର ପ୍ରାୟ ଗୋଟାଏ ଯୁଗ ପରେ ଅର୍ଥାତ୍ ଆମ ଦେଶକୁ ମଣିଷଲାଖି କରି ଗଢ଼ିବାଲାଗି ଆମ ହାତରୁ ଦୀର୍ଘ ଚାଳିଶି ବର୍ଷ ଗଡ଼ିଗଲା ପରେ ଆମେ ଯେତେବେଳେ ତଥାପି ଆମ ଦାରିଦ୍ର୍ୟ ବିଷୟରେ ଆଲୋଚନା କରିବାକୁ ମନ କରିବା, ସେତେଵେଳେ ଆମର ବିବେକ ଓ ଅନ୍ଦାଜଗୁଡ଼ାକ ଯଥାସମ୍ଭବ ଅଧିକ ପରିମାଣରେ ମୋହମୁକ୍ତ ହୋଇପାରିବା ସର୍ବାଦୌ ଆବଶ୍ୟକ ।

 

ସାମାଜିକ ଇତିହାସରେ ସମୀକ୍ଷା ଓ ବିଶ୍ଳେଷଣର କ୍ଷେତ୍ରରେ ଏପରି ଏକ ଅପବାଦ ରହିଛି ଯେ, ଯେତେବେଳେ ବର୍ତ୍ତମାନର ସମ୍ମୁଖୀନ ହେବା ଲାଗି ଆମର ବଳ ନଥାଏ ଏବଂ ଯେତେବେଳେ ଆମ ଭବିଷ୍ୟତ ମଧ୍ୟ ଆମ ଲାଗି ଭାରି ଅନିଶ୍ଚିତ ହୋଇ ରହିଥାଏ, ଖାସ୍‍ ସେତିକିବେଳେ ଆମକୁ ଆମ ଅତୀତର ଘରେ ସତେଅବା ଖାଲି ପଲଙ୍କ ପଡ଼ିଥିବା ପରି ଦେଖାଯାଏ ଏବଂ ସେଇଠି କାହାର ପାଟକନା ଧରି ଲୁଚି ରହିବାକୁ ସତକୁ ସତ ଭାରି ମନ ହୁଏ । ଭାରତବର୍ଷରେ ପ୍ରାୟ ଯାବତୀୟ ସମୀକ୍ଷା ତଥା ଅବଲୋକନର କ୍ଷେତ୍ରରେ ଏହି ପ୍ରବୃତ୍ତିଟି ଆମକୁ ଭାରି ଅଣଆୟତ୍ତ ଭାବରେ କାମୁଡ଼ି ଧରିଥାଏ ବୋଲି କେବଳ ଯେ ବିଦେଶୀ ବିଶ୍ଳେଷଣକାରୀମାନେ କହିଛନ୍ତି ତା’ନୁହେଁ, ଭାରତୀୟ କେତେଜଣ ବିଦ୍ଵାନ୍ ମଧ୍ୟ ସେକଥା କହିବାକୁ ସାହସ କରିଛନ୍ତି । ଯିଏ ନିଜର ଦେଶକୁ ବା ଭୂମିକୁ ପ୍ରକୃତରେ ଭଲ ପାଉଥିବ, ନିଜର ଦେଶ ବା ଭୂମି ବିଷୟରେ ଯାହାର ସତକୁ ସତ ଏକ ଦାୟିତ୍ଵବୋଧ ରହିଥିବ, ସିଏ ଦେଶର ବର୍ତ୍ତମାନଟାକୁ ସବାଆଗ ଦେଖିବ, ବର୍ତ୍ତମାନ ଭିତରୁ ଯେଉଁ ଭବିଷ୍ୟତ ଏକ ସମ୍ଭାବ୍ୟ ଆକାର ଗ୍ରହଣ କରିବାକୁ ଯାଉଛି, ବ୍ୟତୀତ ଅତୀତର ପରିପ୍ରେକ୍ଷୀରେ ସିଏ ଭବିଷ୍ୟତର ମଧ୍ୟ ସମୀକ୍ଷା କରିପାରିବ । ଆପଣା ଭୂମିର ଭବିଷ୍ୟତ ଲାଗି ତାର ଏକ ଅଙ୍ଗୀକାରବଦ୍ଧତା ରହିଥିବ ଏବଂ ସେହି ଅଙ୍ଗୀକାରବଦ୍ଧତାର କ୍ଷେତ୍ରଟିକୁ ତା’ନିଜ ଶ୍ରେଣୀଗତ ତାତ୍କାଳିକ କୌଣସି ସ୍ଵାର୍ଥ ବା ସଂକୀର୍ଣ୍ଣତା କୌଣସି ପ୍ରକାରେ ଆଚ୍ଛନ୍ନ କରି ରଖିବା ଲାଗି କୌଣସି ଚକ୍ରାନ୍ତ ମଧ୍ୟ କରୁନଥିବ । ପ୍ରକୃତରେ ଭଲ ପାଉଥିବା ମଣିଷ କଦାପି ପଳାଇ ଯାଏନାହିଁ; ନିଜର ଭୂମିକୁ ଭଲ ପାଉଥିବା ମଣିଷ ବର୍ତ୍ତମାନଟାକୁ ଏଡ଼ିଦେଇ କଦାପି କୌଣସି କଳ୍ପିତ ଅତୀତ ଭିତରେ ମଧୁଯାମିନୀ ଅତିବାହିତ କରିବାକୁ ଆଦୌ ଇଚ୍ଛା କରେନାହିଁ । ଭାରତ ଏବଂ ଆମ ଓଡ଼ିଶାରେ ଏସବୁ ବହୁତ ହେଉଛି, ବେଳେବେଳେ ଏକାବେଳେକେ ଅତିରିକ୍ତ ପରିମାଣରେ ହୋଇଛି । ବର୍ତ୍ତମାନକୁ ଡରି, ଭବିଷ୍ୟତକୁ ଧୋକା ଦେଇ ଯିଏ ଅତୀତ ଭିତରକୁ ପଳାୟନ କରେ, ସିଏ ସେହି ଅତୀତକୁ ମଧ୍ୟ ତନ୍ମିହିତ ସକଳ ପ୍ରସ୍ଥ ଦେଇ ମୋଟେ ଅନୁଭବ କରିପାରେ ନାହିଁ । ଦାୟିତ୍ଵରୁ ମୁକ୍ତ ହୋଇ ଆସିବାର ଭାଣ କରି ସିଏ ତଦ୍ଦ୍ଵାରା ଏକ ଉଷ୍ମତା ଅନୁଭବ କରେ ସତ, ମାତ୍ର ଅତୀତର ଯଥାର୍ଥ ପରିଚୟ ମୋଟେ ପାଇପାରେ ନାହିଁ । ଅନେକ ସମୟରେ ବର୍ତ୍ତମାନ ନିମନ୍ତେ ଅସମର୍ଥ ବ୍ୟକ୍ତିମାନେ ହିଁ ଅତୀତ ଭିତରକୁ ପଳାଇ ଯିବାକୁ ଅଧିକ ମନ କରିଥାନ୍ତି ।

 

ବର୍ତ୍ତମାନଟାକୁ ନିଜ ସ୍ଵାର୍ଥଲିପ୍‍ସା, କ୍ଷମତାଲିପ୍‍ସା ଓ ଆହୁରି ଅନେକ ଲିପ୍‍ସାର କୁକ୍ଷି ଭିତରେ ଯାବୁଡ଼ି ରଖିଥିବା ଓ ଅନ୍ୟମାନଙ୍କୁ ସେଥି ଭିତରକୁ ବାଟ ଛାଡ଼ି ଦେଉନଥିବା ମଣିଷମାନେ ହିଁ ଅତୀତକୁ ଭାନୁମତୀ ବେଶ କରି ଆମ ସମସ୍ତଙ୍କୁ ଭଣ୍ଡାଇ ରଖିବାକୁ ଇଚ୍ଛା କରୁଥାନ୍ତି ଏବଂ, ଯିଏ ବର୍ତ୍ତମାନଟାକୁ ମଧ୍ୟ ଘୋଡ଼ାଇ ରଖିବାକୁ ଚାହୁଁ ଥାଏ, ସିଏ ଆମକୁ ଭବିଷ୍ୟତ ଭିତରକୁ ବି ବାଟ ଛାଡ଼ିଦେବାକୁ ମନ କିପରି ବା କାହିଁକି କରିବ ? ଓଡ଼ିଶା ସମେତ ଭାରତବର୍ଷର କ୍ଷେତ୍ରରେ ସୁଧୀ ଓ ସମର୍ଥଜନ ମାନଙ୍କର ଏହି ଯେଉଁ ଅତୀତପ୍ରୀତି, ତାହାକୁ ହୁଏତ ସେହିପରି କୌଣସି କାରଣ ସହିତ ଗଅଣ୍ଠାଇ ବୁଝିପାରିଲେ ଯାଇ ଆମେ ସତ ଅସଲ କଥାଟିକୁ ବୁଝିପାରିବା ।

 

କେତେକ ଅଣଦରିଦ୍ର ହଠାତ୍‍ ଚିନ୍ତାମଗ୍ନ ହୋଇ ବିଶେଷ ଅବସର ମାନଙ୍କରେ ଯେଉଁ ଓଡ଼ିଶାକୁ ଦେଖନ୍ତି ଏବଂ ତାହାର ଦାରିଦ୍ର୍ୟ ବିଷୟରେ ଏକ ବୌଦ୍ଧିକ ଆଲୋଚନା କରି ବସନ୍ତି, ଅସଲ ଓଡ଼ିଶା କେବଳ ସେତିକିଠାରୁ ଅନେକ ଅଧିକ । ବୌଦ୍ଧିକ ଆଲୋଚନା କରୁଥିବା ମଣିଷମାନେ ଅନେକ ସମୟରେ ଅନ୍ତତଃ ଆଲୋଚନା କରୁଥିବା ସମୟରେ, ଅତ୍ୟନ୍ତ ଭାବପ୍ରଣୋଦିତ ହୋଇ ଓଡ଼ିଶା ଭିତରେ କେବଳ ସେହିମାନଙ୍କୁ ହିଁ ଦେଖିଥାନ୍ତି । ସାହିତ୍ୟର ଉତ୍ପାଦିତ ଅନୁଷ୍ଠାନମାନଙ୍କରେ ସାହିତ୍ୟରସିକମାନେ ଯେପରି ସାହିତ୍ୟ ବାହାରେ ଆଉ କୌଣସି ଜୀବନ ରହିଛି ବୋଲି ସତେଅବା ସ୍ଵୀକାର କରିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ, ଇଏ ପ୍ରାୟ ସେହିପରି ଏକ କଥା । ଆଗେ ଓଡ଼ିଶା ବା ଉତ୍କଳ କିମ୍ବା କଳିଙ୍ଗ କହିଲେ ହୁଏତ କେବଳ ରାଜାମାନଙ୍କୁ ବୁଝାଉଥିଲା ଅଥବା କେବଳ ସାଧବମାନଙ୍କୁ ବୁଝାଉଥିଲା । ମାତ୍ର, ବର୍ତ୍ତମାନ ଏହା ଏଠି ବାସ କରୁଥିବା ମଣିଷ ମାତ୍ରକେ ସମସ୍ତଙ୍କୁ ବୁଝାଇବ । କେବଳ ଚକ୍ରାନ୍ତକାରୀ ଅନ୍ୟ ରସିକମାନେ ହିଁ କୌଣସି ବ୍ୟକ୍ତିଗତ ଅଥବା ସାମୂହିକ ଆତ୍ମରତିରେ ପଡ଼ି ଭୂମିଟିଏ କହିଲେ ନିଜ ବ୍ୟତୀତ କିମ୍ବା ନିଜର ମୃଗୟାକ୍ଷେତ୍ରଟି ବ୍ୟତୀତ ଆଉ କିଛି ହେଲେ ଦେଖି ପାରନ୍ତି ନାହିଁ । ପୂର୍ବକାଳରେ ଓଡ଼ିଶାରେ ରାଜା ଥିଲେ, ସାଧବମାନେ ବି ରହିଥିଲେ, ମାତ୍ର ଅନ୍ୟ ମଣିଷମାନେ ମଧ୍ୟ ରହିଥିଲେ । ସାଧାରଣ ମଣିଷମାନଙ୍କୁ ମଣିଷ ବୋଲି ଗଣା ହେଉନଥିଲା । ସେ କାଳରେ ରୀତି ସେହିଭଳି ଥିଲା । ବର୍ତ୍ତମାନ ମଧ୍ୟ ଓଡ଼ିଶାରେ ରଜା ବୋଲି ଭାବୁଥିବା ତଥା ରାଜା ବୋଲାଇ ପାରୁଥିବା ତୁଙ୍ଗ ଓ ଉତ୍ତୁଙ୍ଗମାନେ ରହିଛନ୍ତି । କାଁ ଭାଁ କେତେଟା ସାଧବ ମଧ୍ୟ ଅଛନ୍ତି । ମାତ୍ର ତା’ଠାରୁ ଅନେକ ଅଧିକ ସଂଖ୍ୟାରେ ଏଠି ସାଧାରଣ ମଣିଷମାନେ ମଧ୍ୟ ରହିଛନ୍ତି । କାଳର ରୀତି ବଦଳିଗଲାଣି, ତେଣୁ ବର୍ତ୍ତମାନର ସଂଜ୍ଞା ମଧ୍ୟ ବଦଳିଗଲାଣି । ଏହି ସାଧାରଣ ମଣିଷ ହେଉଛି ଉପସ୍ଥିତ କାଳର ସବୁଠାରୁ ଅଧିକ ସଚେତନ ଅର୍ଥାତ୍ ସବୁଠାରୁ ଅଧିକ ଭବିଷ୍ୟମୁଖୀ ମଣିଷ । ତାର ଏକ ବର୍ତ୍ତମାନ ରହିଛି, ଏକ ଭବିଷ୍ୟତ ରହିଛି । ଓଡ଼ିଶାର ଭବିଷ୍ୟକୁ ଗଢ଼ିବାର କ୍ଷେତ୍ରରେ ତାର ଏକ ଅଂଶ ଅବଶ୍ୟ ରହିବ । ଓଡ଼ିଶାର ଦାରିଦ୍ର୍ୟ ବିଷୟରେ ଆଲୋଚନା କରି ନିଦାନର ନିରୂପଣ କରାଯାଉଥିବା ସମୟରେ ଆମ ବିଚରଣର ଯାବତୀୟ ମେଦିନୀ ଓ ଦୃଷ୍ଟିରେ ସିଏ ଅବଶ୍ୟ ମହଜୁଦ ରହିଥିବ । ଓଡ଼ିଶାର ସବୁ ମଣିଷଙ୍କୁ ସାଙ୍ଗରେ ନେଇ ପାରିଲେ ହୁଏତ ବର୍ତ୍ତମାନର ନାନା ଦାରିଦ୍ର୍ୟ ମଧ୍ୟରୁ ମୁକୁଳି ପାରିବାର ବାଟଟିଏ ମଧ୍ୟ ମିଳିଯାଇ ପାରିବ ।

 

ଓଡ଼ିଶାରେ ଦାରିଦ୍ର୍ୟ ସବାଆଗ ଆର୍ଥିକ ବା ସାମାଜିକ, ସବାଆଗ ରାଜନୀତିକ ନା ମାନସିକ, ଖଣ୍ଡ ଖଣ୍ଡ କରି ଏହିଭଳି ଆଲୋଚନା କରୁଥିବା ପର୍ଯ୍ୟନ୍ତ ନିଦାନ ନିରୂପଣର ଅସଲ ସୂତ୍ରଟି ହୁଏତ ଆମର ହାତଛଡ଼ା ହୋଇଯିବାର ଲାଗିଥିବ । ଖଣ୍ଡ ଖଣ୍ଡ କରି ଆଲୋଚନା କରିବା ବିଶେଷଜ୍ଞମାନଙ୍କ ନିମନ୍ତେ ଅପେକ୍ଷାକୃତ ଅଧିକ ସହଜ ହେବ ସତ, ମାତ୍ର ସେଥିରୁ ଅସଲ ନାଡ଼ୀଟିକୁ ମୋଟେ ଠଉରାଇ ହେବ ନାହିଁ । ଜର୍ମାନ ଭାଷାରେ Gestalt ବୋଲି ଗୋଟିଏ ଶବ୍ଦ ଅଛି । ଗେଷ୍ଟାଲ୍‍ଟ୍‍ ଅର୍ଥାତ୍‍ ସମସ୍ତ, ସମଗ୍ର । ଅଂଶ ବା ଖଣ୍ଡଗୁଡ଼ିକୁ ଏକାଠି ଆଣି ଯୋଡ଼ିଦେଲେ ଯେ ଆମକୁ ସମଗ୍ର ବୋଧଟି ଅବଶ୍ୟ ମିଳିଯାଏ, ସେକଥା ମୋଟେ ନୁହେଁ ଏବଂ ଅପର ପକ୍ଷରେ, ସମଗ୍ରକୁ ଭାଗ ଭାଗ ଅଥବା ଖଣ୍ଡ ଖଣ୍ଡ କରି ସେହିଗୁଡ଼ିକର ସ୍ଵତନ୍ତ୍ର ଆଲୋଚନା କରି ଯେ ଆମେ ସମଗ୍ରଟିର ଯଥାର୍ଥ ଅବଧାରଣା କରିବାରେ ସମର୍ଥ ହୋଇଯାଉ, ସେକଥା ମଧ୍ୟ ଠିକ୍‍ ନୁହେଁ । ଗଛଗୁଡ଼ିକୁ ଅଲଗା ଅଲଗା କରି ଦେଖୁଥିବା ମଣିଷ ଅଧିକାଂଶ ସମୟରେ ଜଙ୍ଗଲଟାକୁ ଆଦୌ ଦେଖି ପାରେ ନାହିଁ । ଆର୍ଥିକ ସମୃଦ୍ଧି ଓ ବହୁ ସମ୍ପନ୍ନତାକୁ ଯେଉଁ ପ୍ରାଚୁର୍ଯ୍ୟ ବୋଲି କୁହାଯାଏ, ସେହି ପ୍ରାଚୁର୍ଯ୍ୟ ମଧ୍ୟ ଅନେକ ସମୟରେ ଦାରିଦ୍ର୍ୟର କାରଣ ହୋଇଥାଏ, ଏପରିକି ତାହା ଆର୍ଥିକ ଦାରିଦ୍ର୍ୟର ବି କାରଣ ହୋଇଥାଏ । ଭାରତବର୍ଷରେ ଗତ ଚାରି ଦଶନ୍ଧି ମଧ୍ୟରେ ସମ୍ଭବ ହୋଇଥିବା ପ୍ରାଚୁର୍ଯ୍ୟକୁ ଏକାଧିକ ଯୁକ୍ତି ଦେଇ ଆମ ଦାରିଦ୍ର୍ୟର ଏକ କାରଣ ବୋଲି କୁହାଯାଇ ପାରିବ, ଏପରିକି ଆମ ଆର୍ଥିକ ଦାରିଦ୍ର୍ୟର ମଧ୍ୟ ଏକ ଦୂରାଗ୍ରହଯୁକ୍ତ କାରଣ ବୋଲି କୁହାଯାଇ ପାରିବ ଏବଂ କେବଳ ଆର୍ଥିକ ଦାରିଦ୍ର୍ୟ ବ୍ୟତୀତ ଆହୁରି ଏକାଧିକ କିସମର ଦାରିଦ୍ର୍ୟ ମଧ୍ୟ ରହିଛି, ଯେଉଁଗୁଡ଼ିକ କି ଅନେକ ସମୟରେ ଆର୍ଥିକ ଦାରିଦ୍ର୍ୟଠାରୁ ଅଧିକ ଉତ୍କଟ ହୋଇ ଆମକୁ କାମୁଡ଼ି ଧରିଥାନ୍ତି ଏବଂ ପରୋକ୍ଷ ଭାବରେ ଆମ ଆର୍ଥିକ ଦାରିଦ୍ର୍ୟର ବି କାରଣ ହୋଇଥାନ୍ତି ।

 

ତେଣୁ, ଓଡ଼ିଶାର ଦାରିଦ୍ର୍ୟ କେବଳ ଆର୍ଥିକ ନୁହେଁ, କେବଳ ମାନସିକ ନୁହେଁ, କେବଳ ଏଇଟା ନୁହେଁ ବା କେବଳ ସେଇଟା ନୁହେ । ଆମ ସାମୂହିକ ଜୀବନର ଧାତୁ ଭିତରେ କୋଉଠି ଏପରି କ’ଣ ଗୋଟାଏ ବିଡ଼ମ୍ବନା ଅଥବା ପ୍ରବଞ୍ଚନା ଏକ ଦୂରାଗ୍ରହ ସହିତ ପଶି ଆମକୁ ଅର୍ଥାତ୍ ଆମର ଯାବତୀୟ ଉଦ୍ୟମକୁ କାମୁଡ଼ି କରି ଧରିଛି, ଯାହା ଫଳରେ କି ଆମର ଯାବତୀୟ ଅଭିକ୍ରମ କେବଳ ପ୍ରାୟ ଏକ ମୂଳଭୂତ ଦାରିଦ୍ର୍ୟରୂପେ ହିଁ ଫସର ଫାଟି ଯାଉଛି । ଗୋଟାଏ ପାଖରେ ଆମକୁ ସତେଅବା ଷଣ୍ଢପରି କରି ରଖିଥିଲେ ମଧ୍ୟ ଆଉ ଗୋଟାଏ ପାଖରେ ଆମକୁ ଗଧ କରି ରଖିଛି । ଗୋଟାଏ ପାଖରେ ଆମକୁ ପାଟ ପିନ୍ଧାଇ ରଖିଥିଲେ ମଧ୍ୟ ଆର ପାଖରେ ଆମକୁ ଗୋଟାସୁଦ୍ଧା ବେହିଆ କରି ରଖିଛି । କେତେ ପଇସା ଓ ମିହନ୍ତ ଦେଇ ଆମେ ଗୋଟାକ ପରେ ଗୋଟାଏ କୋଠାଘର ତିଆରି କରି ରଖୁଛୁ ଏବଂ ତାହାରି ଦ୍ଵାରା ଆମର ଭବିଷ୍ୟତ ଅବଶ୍ୟ ସୁଦୃଢ଼ ଏବଂ ସୁରକ୍ଷିତ ହୋଇ ରହିଲା ବୋଲି କେତେ ଆଣ୍ଟ ବାନ୍ଧୁଛି; ମାତ୍ର ତୁଚ୍ଛା ଭଣ୍ଡମାନେ ସେହି କୋଠାଘର ଗୁଡ଼ାକୁ ଆମର ଚାହାନ୍ତାରେ ହିଁ ଅଧିକାର କରି ନେଉଛନ୍ତି । ଆମ ଅଟକଳ ଗୁଡ଼ାକୁ ନଷ୍ଟ କରି ଦେବା ଲାଗି ଭୂତମାନେ କୁଆଡ଼ୁ ଆସି ଆମ ତୋଟାରେ ପହଞ୍ଚୁଛନ୍ତି ?

 

ଆମ ଜଗନ୍ନାଥ ମଧ୍ୟ ଆମକୁ ସେମାନଙ୍କର ଦାଉରୁ ରକ୍ଷା କରି ପାରୁନାହାନ୍ତି । ଅତୀତଟାକୁ ଯେତେ କୁଣ୍ଢାଇ ଧରିଲେ ମଧ୍ୟ ସେଥିରୁ ବର୍ତ୍ତମାନଟାକୁ ସମ୍ଭାଳିବା ସକାଶେ ଆମକୁ କୌଣସି ବଳ ମିଳୁନାହିଁ । ଉପରେ ଆମେ ଅନେକେ କ୍ରମେ ଅଧିକ ପାଇଲୁଣି, ଅଧିକ ପିନ୍ଧିଲୁଣି, ଅଧିକରୁ ଅଧିକ ଭୋଗସାମଗ୍ରୀ ଆଣି ଆପଣାର ବୋଲି ଠୁଳ କରି ପାରିଲୁଣି ଓ ତେଣୁ ଅଧିକ ସୁନ୍ଦର ବି ଦେଖାଗଲୁଣି । ତଥାପି ଆମ ଭିତରେ ଓ ତେଣୁ ବାହାରେ ଆମକୁ ଏପରି ଏକ ଦାରିଦ୍ର୍ୟ ଖାଇ ଗୋଡ଼ାଉଛି ଯେ, ଆମେ ସୁସ୍ଥ ଭାବରେ ଆପଣାର ଏହି ସମ୍ପନ୍ନତାକୁ ଅନୁଭବ ମଧ୍ୟ କରି ପାରୁନାହିଁ । ସତକୁ ସତ ସମୀଚୀନ କାରଣଟିଏ ପାଇବାକୁ ହେଲେ ଆମକୁ କେବଳ ଭାବପ୍ରବଣତାରୁ ତଥା କେବଳ ଏକ ତାତ୍କାଳିକ ଆଗ୍ରହ କିମ୍ବା ସଉକଠାରୁ ଅଧିକ ଗଭୀରକୁ ଯିବାକୁ ପଡ଼ିବ ଏବଂ ସବୁଠାରୁ ବଡ଼ କଥା ହେଉଛି, ଏହି ବିଷୟରେ ଆମେ ଯାହାକିଛି ଆଲୋଚନା କରିବା, ସେଥିରେ ଆମ ନିଜକୁ ମଧ୍ୟ ସାମିଲ କରି ପାରୁଥିବା–ଦୁଷ୍ଟମାନେ ସମସ୍ୟାମାନେ ଓ ଦୈତ୍ୟମାନେ କେବଳ ଆମର ବାହାରେ ଅଛନ୍ତି ବୋଲି ଭାବିବାର କୌଣସି ଧୃଷ୍ଟତା କରିବା ନାହିଁ । (୧୩ । ୧ । ୮୮)

 

(୨୪)

 

ଓଡ଼ିଶା କହିଲେ ଯଦି ନ୍ୟାୟତଃ ଓଡ଼ିଶାରେ ବାସ କରୁଥିବା ସବୁ ମଣିଷଙ୍କୁ ବୁଝାଇବ, ତେବେ ଓଡ଼ିଶାର ଦାରିଦ୍ର୍ୟ ବିଷୟରେ ଯେକୌଣସି ଆଲୋଚନା ଆପଣାର ବିଶ୍ଳେଷଣଭୂମି ଉପରେ ଏହି ଭୂମିର ସବୁ ମଣିଷଙ୍କୁ ନେଇ ହିଁ ଯାହାକିଛି ବିଚାର କରିବ । ଏହି ଭୂମିରେ ଏବେ ଅଧିକରୁ ଅଧିକ ମଣିଷ ନିରକ୍ଷର ହୋଇ ରହିଛନ୍ତି । ଅଣଦରିଦ୍ର ବଡ଼ ବା ବିଦ୍ଵାନ୍‍ମାନେ ରାଜଧାନୀରେ ବସି ଦାରିଦ୍ର୍ୟର ସୀମାରେଖା ନାମକ ଆର୍ଥିକ ଭାଗ୍ୟରେ ଯେଉଁ ଗାରଟିରେ ନିର୍ଦ୍ଧାରଣ କରି ଦେଇଛନ୍ତି, ସେହି ଅନୁସାରେ ଓଡ଼ିଶାରେ ଅଧିକରୁ ଅଧିକ ମଣିଷ ସେହି ଗାରର ତଳେ ଯାଇ ରହିଛନ୍ତି । ଅନେକ ମଣିଷ ଏକାବେଳେକେ ଅନେକ ତଳେ ଯାଇ ରହିଛନ୍ତି । ଏବେ ଆମ ପଣ୍ଡିତମାନେ ଭାରତବର୍ଷରେ ହାରାହାରି ବାର୍ଷିକ ଆୟ ମୁଣ୍ଡପିଛା ପ୍ରାୟ ଅଢ଼େଇ ହଜାର ଟଙ୍କା ବୋଲି ଅଙ୍କ କଷି ଜରିବ ପକାଇ ବାହାର କରିଛନ୍ତି । ଆମ ଓଡ଼ିଶା ହୁଏତ ଏହି ହାରାହାରି ସଂଖ୍ୟାଟିରେ ମଧ୍ୟ ଅନେକ ତଳେ ଯାଇ ରହିଛି, ଏବଂ ଓଡ଼ିଶାରେ ମଧ୍ୟ ଏହି ହାରାହାରି ଭିତରେ ଉଭୟ ପୁଷମାସିଆ ଓ ସର୍ବନାଶିଆ ଏକାଠି ମିଶି କରି ରହିଛନ୍ତି । ସେମାନଙ୍କୁ ଅଲଗା ଅଲଗା କରି ଚିହ୍ନଟ କରିବାର ବୁଦ୍ଧି ଆମ ଅଙ୍କ ଭିତରେ ରହିଛି ସତ, ମାତ୍ର ଚିହ୍ନଟ କରିସାରିବା ପରେ ଏକାବେଳେକେ ନିମ୍ନରେ ରହିଥିବା ମଣିଷମାନଙ୍କ ନିମନ୍ତେ ଯାହାସବୁ ଅଧିକା ବନ୍ଦୋବସ୍ତ କରିବାର କଥା, ବହୁ କାରଣରୁ ବିଶେଷତଃ ସାମାଜିକ ନାନା କାରଣରୁ ସେହିସବୁ ବନ୍ଦୋବସ୍ତ ହୋଇ ପାରୁନାହିଁ । ଅଥବା ବେଳେବେଳେ ହେଲେ ମଧ୍ୟ ତାହା ଅସଲ ମଣିଷଙ୍କ ପାଖରେ ପହଞ୍ଚି ପାରୁନାହିଁ । ଆମ ମୁଣ୍ଡରେ ବର୍ଷା ହେଲେ ତାହା ଯେ ସବୁବେଳେ ତଳମୁଣ୍ଡ ଯାଏ ଆସି ଅବଶ୍ୟ ପହଞ୍ଚି ପାରିବ, ଆମର ସାମାଜିକ ଅଥବା ପ୍ରଶାସନିକ ବ୍ୟବସ୍ଥା ଭିତରେ ସେପରି କୌଣସି ପ୍ରଣାଳୀର ପ୍ରବର୍ତ୍ତନ ଏବେ ମଧ୍ୟ ସ୍ଵାଭାବିକ ହୋଇପାରି ନାହିଁ ।

 

ଭାରତବର୍ଷରେ ଆର୍ଥିକ ସମ୍ପନ୍ନତା ଓ ଆର୍ଥିକ ଦାରିଦ୍ର୍ୟର ତୁଳନାତ୍ମକ ଅଧ୍ୟୟନଗୁଡ଼ିକ ଆମକୁ କହୁଛନ୍ତି ଯେ, ଆମ ଦେଶରେ ଆର୍ଥିକ ଉନ୍ନୟନର କ୍ଷେତ୍ରରେ ଯାହାସବୁ ଉଦ୍ୟମ ହେଉଛି, ତଦ୍ଦ୍ୱାରା ଧନୀମାନେ ଅଧିକ ଧନୀ ହେଉଛନ୍ତି ଏବଂ ତେଣେ ଦରିଦ୍ରମାନେ ଅଧିକ ଦରିଦ୍ର ହେବାରେ ଲାଗିଛନ୍ତି । ଅର୍ଥାତ୍‍ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଲୋକସମୂହର ଜୀବନ-କ୍ଷେତ୍ରରେ ଦାରିଦ୍ର୍ୟ ବୃଦ୍ଧି ପାଇବା ଯେତେ ଉତ୍କଟ ଏବଂ ଅନିଷ୍ଟକାରକ ନୁହେଁ, ମଣିଷ ମଣିଷ ଭିତରେ ବ୍ୟବଧାନଗୁଡ଼ିକ ବୃଦ୍ଧି ପାଇବା ତା’ଠାରୁ ସର୍ବଦା ଅଧିକ ଉତ୍କଟ ଏବଂ ଅଧିକ ଅନିଷ୍ଟକାରକ । ବ୍ୟବଧାନ ବଢ଼ିବାର ଅସଲ ପରିଣାମ ହେଉଛି ଦୂରତାଗୁଡ଼ିକ ମଧ୍ୟ ବଢ଼ିବା । ଦୂରତା ବଢ଼ିବାର ଅର୍ଥ ହେଉଛି ସଂହତି ନଷ୍ଟ ହେବା ଏବଂ ସଂହତି ନଷ୍ଟ ହୋଇଯିବା ଅପେକ୍ଷା ଗୋଟିଏ ଦେଶ ପକ୍ଷରେ ଆଉ ଅଧିକ କ୍ଷୟକାରୀ ଅଧୋଗତି ଓ ଦାରିଦ୍ର୍ୟ ଆଉ ପ୍ରକୃତରେ କ’ଣ ହୋଇପାରେ ? ଆମ ଦେଶରେ ସାକ୍ଷରତା ପ୍ରସାରର ନାନାବିଧ ସରକାରୀ ଉଦ୍ୟମ ଫଳରେ ସାକ୍ଷରମାନଙ୍କର ଶତକଡ଼ା ହାର ବୃଦ୍ଧି ପାଉଛି ସତ, ମାତ୍ର ନିରକ୍ଷର ମଣିଷମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶର ଜନସଂଖ୍ୟା ବୃଦ୍ଧି ହେଉ ହିଁ ଯେ ଏପରି ହେଉଛି, ଏହା କହିଲେ ଆଦୌ ସତକଥା କୁହାଯିବ ନାହିଁ । ବହୁବିଧ ଉନ୍ନୟନ ସକଳ ଉଦ୍ୟମ ସତ୍ତ୍ୱେ ଆମ ଦେଶରେ ଧନୀ ଓ ଦରିଦ୍ରଙ୍କ ଭିତରେ ବ୍ୟବଧାନ ବୃଦ୍ଧି ପାଇବାର ଦୁଷ୍ଟ ସତ୍ୟଟି ମଧ୍ୟ ପ୍ରାୟ ସେହିପରି ଗୋଟିଏ କଥା ।

 

ଯେକୌଣସି ଦେଶରେ ଦେଶର ସମସ୍ତ ଭାଗ ଯେ ପୂର୍ଣ୍ଣ ଭାରସାମ୍ୟ ରକ୍ଷାକରି ଏକାବେଳେକେ ସମତୁଲ ଭାବରେ ସମୃଦ୍ଧି ବା ବିକାଶ ଲାଭ କରିଥାଏ, ସେକଥା ଆଦୌ ନୁହେଁ । ଏହି ଅସମତା ପଛରେ ପ୍ରାକୃତିକ ତଥା ଭୌଗୋଳିକ ପରିସ୍ଥିତି, ଇତିହାସ ଏବଂ ସାମାଜିକ ଅଗ୍ରସରତା ଓ ଅନଗ୍ରସରତା ପ୍ରଭୃତି ଏକାଧିକ ସ୍ଥିତି କାରଣରୂପେ କାର୍ଯ୍ୟ କରିଥାଏ । ଭାରତବର୍ଷ ଭଳି ଏକ ବୃହତ୍ ଦେଶରେ ସେହି ଯାବତୀୟ କାରଣରୁ କାଳକାଳରୁ ବହୁ ଅସମତା ଏବଂ ବୈଷମ୍ୟ ଯେ ରହିଛି, ତାହା ଅତ୍ୟନ୍ତ ସ୍ଵାଭାବିକ । ତେଣୁ ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ଯେତେବେଳେ ସମଗ୍ର ଦେଶର ଉନ୍ନୟନକୁ ଲକ୍ଷ୍ୟ କରି ଏକ ଜାତୀୟ ଆର୍ଥିକ ଯୋଜନାର କଳ୍ପନା କରାଗଲା, ସେତେବେଳେ ଆମ କଳ୍ପନାର ଚିଠାରେ ଅପେକ୍ଷାକୃତ ଅଧିକ ଅନଗ୍ରସର ଭାଗଗୁଡ଼ିକ ସବାଆଗ ଆମ ଦୃଷ୍ଟିରେ ଆସି ପଡ଼ିବା ଉଚିତ ଏବଂ ସେହି ଅନୁସାରେ ଆମ ଅଟକଳଗୁଡ଼ିକରେ ଯାବତୀୟ ଅଗ୍ରାଧିକାରର ନିର୍ଣ୍ଣୟ ମଧ୍ୟ ହୋଇପାରିବା ଉଚିତ । ଭାରତୀୟ ବିକାଶ ଯୋଜନାରେ ଏହି ମହତ୍ତ୍ୱପୂର୍ଣ୍ଣ ବିଷୟଟି ପ୍ରତି ଯେ କୌଣସି ଦୃଷ୍ଟି ଦିଆଯାଇ ନଥିଲା, ସେକଥା ଆଦୌ ନୁହେଁ ଏବଂ ସେହି ଅନୁସାରେ ଏକ ଅଧିକ ଅନଗ୍ରସର ଅଞ୍ଚଳ ହିସାବରେ ଓଡ଼ିଶା ସଂପୃକ୍ତ ମହକୁମାଗୁଡ଼ିକର ଅଧିକ ଦୃଷ୍ଟି ଆକର୍ଷଣ କରିବା ଅବଶ୍ୟ ଉଚିତ । ମାତ୍ର ଏହି କ୍ଷେତ୍ରରେ ଆମର ସଂସ୍କାରବଶତଃ ଏପରି ଏକ ବିଡ଼ମ୍ବନା ଆମର ଯାବତୀୟ ସଦିଚ୍ଛା ଓ ସତ୍ଉଦ୍ଦେଶ୍ୟକୁ ଭଣ୍ଡୁର କଲାପରି ଆମ ହାତକୁ ଏବଂ ଆମର ବିବେକକୁ ବାନ୍ଧି ରଖିଛି ଯେ, ଆମେ ଯାହା କରିବା ଉଚିତ ଅଧିକାଂଶ କ୍ଷେତ୍ରରେ ତାହା ମୋଟେ କରି ପାରୁନାହୁଁ ଓ ତେଣୁ ଆପଣା ଭିତରେ ଏକାବେଳେକେ ଦାନୀ ଏବଂ ଦୋଷୀ ହୋଇ ରହିଯାଉଛୁ ।

 

ଭାରତବର୍ଷରେ ଓଡ଼ିଶା ହେଉଚି ଏକ ଅପେକ୍ଷାକୃତ ଅଧିକ ଅନଗ୍ରସର ରାଜ୍ୟ । ତେଣୁ ଓଡ଼ିଶାକୁ ଅବଶିଷ୍ଟ ଭାରତର ସମ୍ପନ୍ନତାସ୍ରୋତରେ ସମକ୍ଷକ ହୋଇ ଯୋଗ ଦେଇ ପାରିବାକୁ ଜାତୀୟ ଉନ୍ନୟନ ଯୋଜନାରେ ବିଶେଷ ବ୍ୟବସ୍ଥା କରାଯାଉ ବୋଲି ଦାବୀ କରିବା ଓଡ଼ିଶା ପକ୍ଷରେ ଅତ୍ୟନ୍ତ ସ୍ଵାଭାବିକ । ମାତ୍ର, ଉନ୍ନୟନ ନିମନ୍ତେ ଓଡ଼ିଶାକୁ ଯେତିକି ଧନ ଓ ସମ୍ବଳ ତେଣୁ ଆସୁଛି, ତାହାର ବିନିଯୋଗ ସମୟରେ ମଧ୍ୟ ଆମ ଭିତରେ ଠିକ୍‍ ସେହି ବୁଦ୍ଧିଟି କାମ କରି ପାରୁଥିବା ଉଚିତ । ଓଡ଼ିଶାରେ ମଧ୍ୟ ଅପେକ୍ଷାକୃତ ଅଧିକ ଅଗ୍ରସର ଓ ଅପେକ୍ଷାକୃତ ଅଧିକ ଅନଗ୍ରସର ଅଞ୍ଚଳମାନ ରହିଛି । ଅପେକ୍ଷାକୃତ ଅଧିକ ଅଗ୍ରସର ଜନଗୋଷ୍ଠୀ ତଥା ଅପେକ୍ଷାକୃତ ଅଧିକ ଅନଗ୍ରସର ଜନଗୋଷ୍ଠୀମାନ ରହିଛି । ରାଜଧାନୀ ଅଛି, ରାଜଧାନୀର ପଛପଟ ମଧ୍ୟ ରହିଛି-। ସହର ରହିଛି, ଗାଆଁ ରହିଛି, ସହର ଭିତରେ ସହରତଳି ଅଞ୍ଚଳ ମଧ୍ୟ ରହିଛି । ସମ୍ବଲପୁର ସହରରେ କାନ୍ଥ ସେ ପାଖକୁ ମେଘମାଳ ମଧ୍ୟ ରହିଛି ଏବଂ ଏହି ଯାବତୀୟ ଅଞ୍ଚଳରେ ମଣିଷମାନେ ବାସ କରୁଛନ୍ତି ଓ ମଣିଷମାନେ ବାସ କରୁଥିବାରୁ ହିଁ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଅର୍ଥାତ୍ ସମଗ୍ର ଦେଶରେ ବା ରାଜ୍ୟରେ ଉନ୍ନୟନ-ବିଧାନର ପ୍ରଶ୍ନ ଉଠୁଛି । ଏକ ଅନଗ୍ରସର ରାଜ୍ୟ ହିସାବରେ ଓଡ଼ିଶା ପାଉଥିବା ସମ୍ବଳକୁ ଯଦି ତେଲିଆ ଜାଗାମାନଙ୍କରେ ଅଧିକ ଖରଚ କରାଯାଏ ଏବଂ ନୁଖୁରାମାନେ ପାସୋରି ହୋଇ ରହିଯାଆନ୍ତି, ତେବେ ତାହାକୁ ଏକ ବିବେକଗତ ଦାରିଦ୍ର୍ୟ ବା ମନ୍ଦ ସଂସ୍କାର ବୋଲି କୁହାଯିବ । ସେହି ମନ୍ଦ ସଂସ୍କାରଟି ଆମର ମୁଣ୍ଡ ଥିବା ଲୋକମାନଙ୍କର ଅକଲକୁ କାମୁଡ଼ି ଧରିଥିବା ପର୍ଯ୍ୟନ୍ତ, ଗୁଣେ ଥାନରେ ସାତଗୁଣ ସମ୍ବଳ ଆମ ଖଳାରେ ଆସି ଜମାହେଲେ ମଧ୍ୟ ଆମର ଦାରିଦ୍ର୍ୟ, ବଡ଼ ଓ ସାନ, ତଳ ଓ ଉପର ସମସ୍ତଙ୍କର ଦାରିଦ୍ର୍ୟ, କଦାପି ଘୁଞ୍ଚିବ ନାହିଁ । କେବଳ ଲକ୍ଷ୍ମୀ ନଥିବା ମଣିଷମାନେ ଯେ ସଂସାରରେ ଅଲକ୍ଷଣା ହୁଅନ୍ତି, ସେକଥା ମୋଟେ ନୁହେଁ, ଲକ୍ଷ୍ମୀ ଥିବା ଓ ଲକ୍ଷ୍ମୀଙ୍କୁ ଚଳାଉଥିବା ମଣିଷମାନେ ମଧ୍ୟ ଅଲକ୍ଷଣା ହୁଅନ୍ତି, ଏକ ଅସମ ସମାଜରେ ସମ୍ଭବତଃ ଅଧିକ ଅଲକ୍ଷଣା ହୁଅନ୍ତି । ଏହି କଥାଟିକୁ ବୁଝିବା ଲାଗି ଆମ ପିଲାମାନେ ଏକ ଅଲଗା ପ୍ରକାରର ଅର୍ଥନୀତି ଏବଂ ସମାଜଶାସ୍ତ୍ର ମଧ୍ୟ ଅଧ୍ୟୟନ କରିବାର ସୁଯୋଗ ପାଇବା ଉଚିତ ।

 

କୌଣସି ଗୋଷ୍ଠୀ ବା ସମୂହର ସ୍ଵାଭିମାନ କହିଲେ ସେଥିରେ ଥିବା କେତୋଟି ଶ୍ରେଣୀ ଅଥବା କେତେଜଣ ବ୍ୟକ୍ତିଙ୍କର ତଥାକଥିତ ସ୍ଵାଭିମାନକୁ ଆଦୌ ବୁଝାଇବ ନାହିଁ । ଯେଉଁଠାରେ ଅଳପ କେତେ ମଣିଷଙ୍କୁ ସ୍ଵାଭିମାନର ପୃଥୁଳ ଜୀବନଗୁଡ଼ିକୁ ବଞ୍ଚିବାଲାଗି ଅନେକ ମଣିଷଙ୍କୁ ହୀନମାନ କରି ରଖା ଯାଇଥାଏ, ସେଠାରେ ନାନା କିସମର ଦାରିଦ୍ର୍ୟ ରାତ୍ରି ପରି ଘୋଟିକରି ରହିଥାଏ । ସ୍ଵାଭିମାନୀ କହିଲେ ସେଠି ସଚରାଚର ଅହଙ୍କାରୀ ମଣିଷମାନଙ୍କୁ ବୁଝାଏ । ସାହିତ୍ୟ, ସଂସ୍କୃତି, ସୌନ୍ଦର୍ଯ୍ୟବୋଧ, ସଭ୍ୟତା–ଏହି ସବୁକିଛି ସେଠାରେ ଭାରି ଅହଙ୍କାରଗ୍ରସ୍ତ ହୋଇ ରହିଥାଏ, ଏକାଧିକ ଅପକୋପନର କାରଣ ହୋଇ ରହିଥାଏ । ଏହି ଅପକୋପନଗୁଡ଼ାକ ସଭାମାନଙ୍କରେ ଆମର ଦାରିଦ୍ର୍ୟକୁ ଯେତେ ବାଣରୋଷଣି ମାରି ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଆମ ଜୀବନର ବହୁତର ବାସ୍ତବ କ୍ଷେତ୍ରରେ ଦାରିଦ୍ର୍ୟ ଗୁଡ଼ାକ ହିଁ ଆମର ସର୍ବଶ୍ରେଷ୍ଠ ସନ୍ତକ ହୋଇ ରହିଥାନ୍ତି । ଆମ ଯାବତୀୟ ସମ୍ବନ୍ଧର କ୍ଷେତ୍ରରେ ଅବଜ୍ଞା ଚମ୍ପା ଠାକୁରାଣୀ ହୋଇ ବୁଲୁଥାଏ । ସେତେବେଳେ, ଅନ୍ତତଃ ମହତ ରକ୍ଷା କରିବାକୁ ଅଥବା ଅଧିକ ନିର୍ଭୁଲ ଭାବରେ କହିଲେ, ଅପମହତ ଓ ଲଜ୍ଜାଗୁଡ଼ାକୁ ମାଟି ଘୋଡ଼ାଇ ଲୁଚାଇ ରଖି ସେଥିରୁ କିଞ୍ଚିତ୍ ଆଶ୍ଵାସନା ଲାଭ କରିବାକୁ ଆମେ ଅଳପ କେତେଜଣ ଉପରେ ସାଜ ପିନ୍ଧି ବସି ଆମର ଅହଙ୍କାର ତଥା ଏକୋପଭୋଗ ଗୁଡ଼ାକୁ ହିଁ ସ୍ଵାଭିମାନ ବୋଲି କହୁଥାଉ ତାହାକୁ ହିଁ ଜାତୀୟ ସ୍ଵାଭିମାନ ବୋଲି ଚଳାଇ ଦେବାରେ ଲାଗିଥାଉ ।

 

ଦେଶରେ ଏହି ସ୍ଵାଭିମାନକୁ ନାଗରା ପରି ପିଟିବାର କ୍ଷେତ୍ରରେ ବିଭିନ୍ନ ରାଜ୍ୟର ଏକୋପଭୋଗୀ ସ୍ଵାଭିମାନୀମାନଙ୍କ ଭିତରେ ମୁଖ୍ୟତଃ କଥା ପିଟାପିଟିରେ ପ୍ରାୟ ଏକ ଅତ୍ୟନ୍ତ କ୍ଳାନ୍ତିକାରକ ପ୍ରତିଯୋଗିତାମାନ ଚାଲିଛି । ଭାରତବର୍ଷ ସ୍ଵାଧୀନତା ଲାଭ କରିବାପରେ ଏକାଧିକ କାରଣରୁ ପ୍ରତ୍ୟେକ ରାଜ୍ୟରେ ଏହି ସ୍ଵାଭିମାନୀମାନେ ହିଁ ଭାରି ପ୍ରବଳ ହୋଇ ଉଠିଛନ୍ତି ଓ ପରସ୍ପର ସହିତ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଫୁଲେଇ ପ୍ରତିଯୋଗିତାରେ ସମ୍ଭବତଃ ସବୁଠାରୁ ଅଧିକ ଶକ୍ତି ସାରିବାରେ ଲାଗିଛନ୍ତି । ଅଧିକାଂଶ ମଣିଷଙ୍କର ପାଟି ବନ୍ଦ ରହିଛି । ଅଧିକାଂଶ ମଣିଷଙ୍କର ପାଟି ଫିଟିପାରିବା ନିମନ୍ତେ ଉନ୍ନୟନ ତଥା ଯଥାର୍ଥ ସଦିଚ୍ଛାର ଯେଉଁ Infrastructureଟି ସବାଆଗ ଦରକାର, ସେଇଟି ସତେଅବା ପାସୋରି ହୋଇ ରହିଛି ।

 

Unknown

ଗୋଟିଏ ଦେଶର ସବୁ ମଣିଷଙ୍କୁ ନିଜର କଥା କହିବାର ଏକ ଉପଯୁକ୍ତ ପାରସ୍ପରିକତା ଏବଂ ଭୂମି ଯୋଗାଇ ଦେବାଲାଗି ସବାଆଗ ଯେଉଁଭଳି ଏକ ଜଳବାୟୁକୁ ଆମର ଜାତୀୟ ପ୍ରୟାସଗୁଡ଼ିକର କ୍ଷେତ୍ରରେ ବାଟ ଛାଡ଼ି ଦିଆଯିବା ଆବଶ୍ୟକ, ସେଇଟିକୁ ସତେଅବା ଆମ ଭାଗ୍ୟର ମୀମାଂସକମାନେ ଅବହେଳିତ କରି ରଖିଛନ୍ତି ।

 

ତେଣୁ ଆମର ଆଖିଦୃଶିଆ ସମସ୍ତ ପ୍ରାଚୁର୍ଯ୍ୟ ସତ୍ତ୍ଵେ ଆମର ଦାରିଦ୍ର୍ୟଗୁଡ଼ାକ ହିଁ ଆମ ମୂଳଦୁଆ ଗୁଡ଼ିକୁ କ୍ରମେ ଖସିଯିବାରେ ଲାଗିଛନ୍ତି । ଦେଶର ବଡ଼ ଦୁର୍ଭାଗ୍ୟ ଯେ ଏଠି ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଅଳ୍ପସଂଖ୍ୟକ ସ୍ଵାଭିମାନୀ ବା ଅତ୍ୟଭିମାନୀ ଗୋଷ୍ଠୀ ଅଛନ୍ତି, ଯେଉଁମାନେ କି ଆପଣାର ଅହଙ୍କାରଗୁଡ଼ାକୁ ଜାତୀୟ ସ୍ଵାଭିମାନ ବୋଲି ଚଳାଇ ଦେବାକୁ ଇଚ୍ଛା କରୁଛନ୍ତି । ଆମ ଦେଶର ପ୍ରଧାନ ପ୍ରତିଯୋଗିତାମାନ ଜାତୀୟ ତଥା ରାଜ୍ୟଗୁଡ଼ିକର ସ୍ତରରେ ଏହିମାନଙ୍କ ଭିତରେ ଚାଲିଛି । ଅର୍ଥାତ୍‍, ସ୍ଵାଧୀନତା ପରେ ଭାରତବର୍ଷରେ ସାମାଜିକ ତଥା ରାଜନୀତିକ ବିବର୍ତ୍ତନ ଯେଉଁଭଳି ହେବା ଅଧିକ ଉଚିତ ଥିଲା, ବହୁବିଧ କାରଣ ହେତୁ ସେପରି ହୋଇ ପାରିନାହିଁ । ଓଡ଼ିଶାରେ ମଧ୍ୟ ସେହି ଅପପ୍ରବୃତ୍ତିଟିର ପ୍ରତିସ୍ପନ୍ଦନ ସ୍ୱରୂପ ସେହି କଥାଟିର ଅଭିନୟ ହେଉଛି । ଏହା ପଛରେ ପ୍ରାୟ ଶହେ ବର୍ଷର ଏକ ନିର୍ଦ୍ଦିଷ୍ଟ ଅପପ୍ରେରଣା ମଧ୍ୟ ରହିଛି । ସେହି ଅପପ୍ରେରଣା ଆମ ଅନେକଙ୍କ ଭିତରେ ହୁଏତ ସବୁଠାରୁ ଅଧିକ ଶକ୍ତିଶାଳୀ ହୋଇ କାର୍ଯ୍ୟ କରୁଛି । ଦାରିଦ୍ର୍ୟ, ଆଳସ୍ୟ, ଅନ୍ୟକୁ ଯେକୌଣସି ପ୍ରକାରେ ପଛକୁ ଦାବି ଦେଇ ଆପେ ସବାଆଗକୁ ବା ସବାଉପରକୁ ଚାଲିଯିବାର ଏକ ଦମ୍ଭଯୁକ୍ତ ଅସୁସ୍ଥ ଲୋଭ, ଏଗୁଡ଼ିକ ବିରୁଦ୍ଧରେ ଯୁଦ୍ଧ କରିବା ପରିବର୍ତ୍ତେ ଆମ ସ୍ୱାଭିମାନୀମାନେ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରି ଗଡ଼ ଜିତିବେ ବୋଲି ବାହାରିଛନ୍ତି । ତେଣୁ ଦରିଦ୍ର ହୋଇ ରହିଛନ୍ତି । (୨୦ । ୧ । ୮୮)

 

(୨୫)

 

ପୃଥିବୀରେ ଆର୍ଥିକ ସମ୍ବଳ ବା ସମ୍ପଦ କମ୍‍ ରହିଛି ବୋଲି ଯେ ଏଠାରେ ଅଧିକରୁ ଅଧିକ ମଣିଷ ଦରିଦ୍ର ହୋଇ ରହିଛନ୍ତି, ସେକଥା ସତ ନୁହେଁ । ସମ୍ବଳ ରହିଛି, ସମ୍ପଦ ରହିଛି, ମାତ୍ର ପାରସ୍ପରିକତାର ଅଭାବ ରହିଛି । ଅନେକ ମଣିଷଙ୍କୁ ବଞ୍ଚିତ କରି ଅଳପ ମଣିଷ ଅଧିକ ଆତ୍ମସାତ୍‍ କରିବାକୁ ଇଚ୍ଛା କରୁଛନ୍ତି ବୋଲି ପୃଥିବୀରେ ଦାରିଦ୍ର୍ୟ ରହିଛି । ସମ୍ବଳ ଓ ସମ୍ପଦ ବଢ଼ାଇବାରେ ବୁଦ୍ଧି ଯେମିତି ଦରକାର, ଶ୍ରମ ମଧ୍ୟ ଠିକ୍‍ ସେହିପରି ଦରକାର । ବୁଦ୍ଧି ଓ ଶ୍ରମ ମଧ୍ୟରୁ କୋଉଟା ଆଗ ଦରକାର, ବା ଅଧିକ ପରିମାଣରେ ଦରକାର ସେକଥା ଗାର କାଟି ଅଙ୍କ କଷି କହିଦେଇ ପାରିବା ମୋଟେ ସହଜ ନୁହେଁ । କାଳେ କାଳେ ପୃଥିବୀରେ ଶ୍ରମଜୀବୀ ଅଧିକତର ସଂଖ୍ୟାରେ ରହି ଆସିଛନ୍ତି ଏବଂ କାଳେ କାଳେ ବୁଦ୍ଧିଆମାନେ ସଭା ଓ କ୍ଷମତାରେ ରହି ଆସିଛନ୍ତି । ଅର୍ଥାତ୍ ବୁଦ୍ଧି ଶ୍ରମକୁ ଚଳାଇ ଆସିଛି । ଚଳାଇ ଆସିଛି ବୋଲି ଶ୍ରମକୁ ଆପଣାଠାରୁ ନିମ୍ନ ବୋଲି ଦେଖି ଆସିଛି ଏବଂ ସ୍ଵୟଂ ଭାରି ଶ୍ରମକାତର ହୋଇ ରହିଆସିଛି । ଶ୍ରମ ଅପେକ୍ଷା ବୁଦ୍ଧି ଆପଣାକୁ ଅଧିକ ମଜବୁତ ଭାବରେ ସଙ୍ଗଠିତ କରିପାରିଛି ଓ ତେଣୁ କାଳେ କାଳେ ଶ୍ରମକୁ ଧୋକାଦେଇ ଆସିଛି । ଅଧିକାଂଶ କ୍ଷେତ୍ରରେ ବୁଦ୍ଧି ହିଁ ଶ୍ରମକୁ ନେତୃତ୍ୱ ଦେଇଛି ତେଣୁ ବୁଦ୍ଧିମାନମାନେ ଶ୍ରମିକକୁ ନାନାଭାବେ ବଞ୍ଚିତ କରି ରଖିବାକୁ ଅଧିକ ପ୍ରଶ୍ରୟ ପାଇଛନ୍ତି । ଶ୍ରମ ଓ ବୁଦ୍ଧି ମଧ୍ୟରେ ସାଧାରଣତଃ ଖୁବ୍‍ବେଶି ଭୂମିକାବଦଳ ହୋଇ ପାରିନାହିଁ । ତେଣୁ ପାରମ୍ପରିକ ସମାଜରେ ତଦନୁସାରେ ଦୁଇଟି ଶ୍ରେଣୀ ଜନ୍ମଲାଭ କରିଛି, ପ୍ରାୟ ବଂଶାନୁକ୍ରମିକ ଭାଵରେ ସେମାନେ ପ୍ରତ୍ୟେକେ ନିଜର ସ୍ଵତନ୍ତ୍ର ଭୂମିକାଗୁଡ଼ିକରେ ରହି ଆସିଛନ୍ତି । ଶ୍ରମ ବାଧ୍ୟ ହୋଇ ରହିଛି ଓ ବୁଦ୍ଧି ଚତୁରପଣିଆ କରି ରହିଛି ।

 

ତେଣୁ ପୃଥିବୀରେ ଏତେ ଅଧିକ ସଂଖ୍ୟକ ମଣିଷଙ୍କୁ ପ୍ରାୟ କାବୁ କରି ମାଡ଼ି ବସି ରହିଥିବା ଆର୍ଥିକ ଦାରିଦ୍ର୍ୟର କାରଣ କେବଳ ଆର୍ଥିକ ଆଦୌ ନୁହେଁ । ଏହାର କାରଣ ସାମାଜିକ, ବିତରଣତଗ, ରାଜନୀତିକ । ଯେପର୍ଯ୍ୟନ୍ତ ସେହିସବୁ କାରଣ ଯେମିତି ଅଛି ସେମିତି ରହିଥିବ, ସେପର୍ଯ୍ୟନ୍ତ ପୃଥିବୀର ଆର୍ଥିକ ସମ୍ବଳ ଏବଂ ଜ୍ଞାନବିଜ୍ଞାନରେ ଦଶହଜାର ଗୁଣ ବୁଦ୍ଧି ହେଲେ ମଧ୍ୟ ଆର୍ଥିକ ଦାରିଦ୍ର୍ୟ ତଥାପି ରହିଥିବ । ବୁଦ୍ଧି, କୌଶଳ ଓ ପ୍ରଚାର ବଳରେ ପୃଥିବୀର ଜନସଂଖ୍ୟାକୁ ଆୟତ୍ତରେ ରଖିପାରିଲେ ମଧ୍ୟ ତଥାପି ରହିଥିବ । ପୃଥିବୀର ବୃହତ୍ତର କ୍ଷେତ୍ରରେ ଯାହା, ଭାରତବର୍ଷର କ୍ଷେତ୍ରରେ ମଧ୍ୟ ତାହା ଏବଂ ତେଣୁ ଓଡ଼ିଶାରେ ମଧ୍ୟ ଠିକ୍ ସେଇଆ । ଓଡ଼ିଶାରେ ସମ୍ବଳ ଭର୍ତ୍ତି ହୋଇ ରହିଛି, କୁଶଳ ବିଶେଷଜ୍ଞମାନେ ଅଛନ୍ତି; ଇତ୍ୟାଦି ଇତ୍ୟାଦି ଏତେସବୁ ମହଜୁଦ ହୋଇ ରହିଛି; ମାତ୍ର ଆମର ସାମୂହିକ କ୍ଷେତ୍ରରେ ଅପ୍ରମିତ ପ୍ରକାରର ଆଦିମତା ରହିଥିବା ପର୍ଯ୍ୟନ୍ତ ଓଡ଼ିଶାର ଆର୍ଥିକ ଦାରିଦ୍ର୍ୟ କେବଳ ସେଇଥିପାଇଁ କଦାପି ଦୂର ହୋଇପାରିବ ନାହିଁ । ଓଡ଼ିଶାରେ ଡାକ୍ତରୀ ଶିକ୍ଷା ବଢ଼ୁଛି, ଡାକ୍ତରମାନେ ବଢ଼ୁଛନ୍ତି, ତଥାପି ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଉଭାରେ ଏବଂ ପୋତାରେ ଏବେ ଏଠି ଟ୍ରେନିଂ କଲେଜ ଓ ଟ୍ରେନିଂ ସ୍କୁଲଗୁଡ଼ାକ ସାଲୁ ସାଲୁ ହେଲେଣି, ଦାଣ୍ଡପଟେ ଗୋଟାଏ କଲେଜ ବସିଲାଣି ତ ବାଡ଼ିପଟେ ଆଉ ଗୋଟାଏ କଲେଜ ବସିଲାଣି । ଏଣେ ତାଲିମପ୍ରାପ୍ତ ଉଚ୍ଚଶିକ୍ଷିତ (?) ବ୍ୟକ୍ତିମାନେ ତୁଚ୍ଛା ଫାଲତୁ ହୋଇ ବୁଲୁଛନ୍ତି । ତଥାପି ଆମର ଇସ୍କୁଲ ଓ କଲେଜମାନଙ୍କରେ ଶିକ୍ଷକ ନାହାନ୍ତି । ଥିଲେ ଖାତାରେ ଅଛନ୍ତି ସିନା, ମାତ୍ର ଲୋଡ଼ିଲା ବେଳକୁ ମୋଟେ ନାହାନ୍ତି । ଓଡ଼ିଶାରେ ଇଞ୍ଜିନିୟର କ’ଣ କମ୍ ଅଛନ୍ତି ? ମାତ୍ର ଆମ ନଈଗୁଡ଼ାକ ପୋଲ ବିହୁନେ ଲଙ୍ଗଳା ହୋଇ ପଡ଼ିଛନ୍ତି, ସହରରେ ଚାକିରି କରୁଥିବା ମଣିଷମାନଙ୍କ ପାଇଁ ରହିବା ଘର ନାହିଁ । ସବୁ ଗାଆଁକୁ ରାସ୍ତା ନାହିଁ, ଏଗୁଡ଼ାକ କ’ଣ ସମ୍ବଳ ଅଭାବରୁ ଭୋଗିବାକୁ ପଡ଼ୁଛି ନା ଜନସଂଖ୍ୟାରେ ବୃଦ୍ଧି ହେତୁ ହଉଛି ?

 

ଓଡ଼ିଶାରେ ବାବୁମାନଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ୁଛି, ବାବୁମାନଙ୍କୁ ଉପଯୁକ୍ତ ପୋଷାକ ଓ ଉପଯୁକ୍ତ ଛଇଗୁଡ଼ାକ ଯୋଗାଇ ଦେବାଲାଗି ଆମ କୁଳି ସହରମାନଙ୍କରେ ଦୋକାନଗୁଡ଼ିକର ସଂଖ୍ୟା କିଛି କମ୍‍ ବଢ଼ୁ ନାହିଁ । କିନ୍ତୁ ତେଣେ ମ୍ଳେଚ୍ଛମାନଙ୍କର ସଂଖ୍ୟା ମଧ୍ୟ ବଢ଼ୁଛି । ଆମ ତଥାକଥିତ ବାବୁମାନେ ମଧ୍ୟ କମ୍‍ ମ୍ଳେଚ୍ଛଙ୍କ ପରି ଦିଶୁ ନାହାନ୍ତି । ସତେଅବା ମଶାଣି-ଜଗୁଆଳ କାଙ୍ଗାଳ ଯାଦବ ଓ ମାଧବଙ୍କ ପରି ଦିଶୁଛନ୍ତି । ଆହୁରି ଅଧିକ କେତେ କୋଟି ଟଙ୍କା ଖର୍ଚ୍ଚ କଲେ ଆମେ ଦାରିଦ୍ର୍ୟର ଏହି ଶକୁନଗୁଡ଼ିକୁ ପ୍ରକୃତରେ ଦୂର କରି ପାରିବା ?

 

ଦାରିଦ୍ର୍ୟର ଏହିପରି ଭାବରେ ଏକ ବିଶ୍ଵରୂପ ରହିଛି, ଯାହାକୁ ଆମେ ସତକୁ ସତ ଇଚ୍ଛା କରୁଥିଲେ ସାନ ଓଡ଼ିଶାର ସ୍ଥାନୀୟ ଭୂମିଟିରେ ମଧ୍ୟ ଠାବ କରିପାରିବା ଏବଂ ତା’ପରେ ଏହି ଦାରିଦ୍ର୍ୟକୁ ଆମେ କେବଳ ଆର୍ଥିକ, କେବଳ ରାଜନୀତିକ ଅଥବା କେବଳ ମାନସିକ ବୋଲି କହିବାକୁ କଦାପି ମନ କରିବା ନାହିଁ ଏବଂ ତା’ଠାରୁ ଆହୁରି ବଡ଼ କଥା ହେଉଛି, ସେହି ଦାରିଦ୍ର୍ୟର କାରଣ ବୂହ୍ୟଟି ଭିତରେ ଆମେ ଆପଣାକୁ ମଧ୍ୟ ସାମିଲ୍‍ କରିବା ଓ ଏଥିପାଇଁ କେବଳ ଅମୁକମାନେ ଦାୟୀ ବୋଲି କହି ପଳାଇ ଯିବାକୁ ମୋଟେ ମନ କରିବା ନାହିଁ । ଆମେ ଦରିଦ୍ର ଓ ଅଣଦରିଦ୍ର, ଶିକ୍ଷିତ ଏବଂ ଅଶିକ୍ଷିତ ସମସ୍ତେ ସହଯୋଗ କରିଥିବାରୁ ହିଁ ଏହି ଦାରିଦ୍ର୍ୟ ଆମ ଭାଗ୍ୟ ଉପରେ ଏପରି ବଜ୍ରମୁଷ୍ଟି ହୋଇ ବସିଛି । ଆହୁରି ସିଧା କରି କହିଲେ, ଆମେ ଇଚ୍ଛା କରୁଛୁ ବୋଲି ତାହା ଆମ ସହିତ ଘର କରି ରହିଛି । ଯୋଉ ଶାସନ ଓ ପ୍ରଶାସକମାନେ ଆପଣାର ଅସଲ ଦାୟିତ୍ଵକୁ ପଛରେ ରଖି ତେଣେ କେଡ଼େ ଧୋବ ହୋଇ ଧର୍ମ, ସଂସ୍କୃତି ଓ ସାହିତ୍ୟ କରୁଛନ୍ତି ଏବଂ ଆମକୁ ତେଣେ ଭୁଲାଇ ରଖି ଆମ ଘରକୁ ଜ୍ଵର କରୁଛନ୍ତି, ସେମାନେ ଆମକୁ ଦରିଦ୍ର କରି ରଖିଛନ୍ତି-। ରାଜନୀତିରେ ଯେଉଁ ଅମଣିଷମାନେ ରାଜନୀତିକୁ ସତେଅବା ଏକ କାଣିଗଡ଼ିଆ ବୋଲି ମନେ କରୁଛନ୍ତି ଏବଂ ଦିନକୁ ରାତି ମନେ କରି ସେହି ଗଡ଼ିଆରୁ ମାହାଳିଆ ମାଛ ମାରି ନେବାକୁ ହିଁ ସବୁଠାରୁ ବଡ଼ ରାଜନୀତି ବୋଲି ବିଚାରୁଛନ୍ତି, ସେମାନେ ମଧ୍ୟ ଆମକୁ ଭାରି ଦରିଦ୍ର କରି ରଖିଛନ୍ତି । ଆମ ଭିତରୁ ଯେଉଁ ନାଟୁଆମାନେ ସଭାରେ ଶିକ୍ଷାର ଉନ୍ନତି ବିଷୟରେ କଥା କହିଛନ୍ତି ଓ ତେଣେ କ୍ଷମତାରେ ବସି ଏଇଟା ସେଇଟା ପାଇଁ ହାତଗୁଞ୍ଜା ନେଉଛନ୍ତି, ସେମାନେ ଆମ ଦାରିଦ୍ର୍ୟକୁ ସ୍ଥାୟୀ କରି ରଖିବାରେ ସାହାଯ୍ୟ କରୁଛନ୍ତି ଏବଂ ଆମର ଯେଉଁ ମହାମାନ୍ୟ ଶିକ୍ଷକମାନେ ଗୟଳ ପରି ଦେଖା ଯାଉଛନ୍ତି, ଶିକ୍ଷାବିତ୍ ବୋଲାଉଛନ୍ତି, ସାହିତ୍ୟ, ଧର୍ମ ଓ ସଂସ୍କୃତି ନାମରେ ଅନର୍ଗଳ ରୋଦନ କରିବାରେ ଲାଗିଛନ୍ତି, ମାତ୍ର ପାଠ ପଢ଼ାଇବାକୁ ଆମ କ୍ଳାସକୁ ମୋଟେ ଆସୁନାହାନ୍ତି, ସେମାନେ ମଧ୍ୟ ଏହି ଦାରିଦ୍ର୍ୟ ବୃଦ୍ଧି ପାଇବାରେ ଅହୋରାତ୍ର ସହଯୋଗ କରୁଛନ୍ତି ।

 

ଆମ ଏବକାର ସଙ୍ଗୀତ, ସିନେମା, କ୍ରୀଡ଼ା, କଉତୁକ ଓ ଅନ୍ୟ ଯାବତୀୟ ମନୋରଞ୍ଜନ ଆମକୁ ଦିନକୁ ଦିନ ଅଧିକ ଦରିଦ୍ର କରିବାରେ ଲାଗିଛନ୍ତି ଏବଂ ଯାବତୀୟ ଦାରିଦ୍ର୍ୟ ସତ୍ତ୍ଵେ ଆମକୁ ନିର୍ଲଜ ହୋଇ ରହିବାକୁ କେଡ଼େ ସୁତରରେ ଫୁସଲାଇବାକୁ ବାହାରିଛନ୍ତି । ଆମ ଚାରିପାଖରେ ଦନ୍ତ ବିସ୍ତାର କରି ଆମକୁ ସତେଅବା କେଡ଼େ ପ୍ରେମରେ ଚୁମ୍ବନ କରିବାକୁ ଆସୁଥିବା ପରି ମନେ ହେଉଥିବା ଆମର ବିଜ୍ଞାପନ ଜଗତଟିକୁ ମଧ୍ୟ ଆମେ ଏହି ପର୍ଯ୍ୟାୟରେ ଅବଶ୍ୟ ସ୍ମରଣ କରିବା । ଆମର ବଡ଼ମାନେ ଆମ ନିଜ ଭାଷାଟିକୁ ଯେପରି ପୋଇଲୀ ପରି ବ୍ୟବହାର ଦେଖାଉଛନ୍ତି ଓ ଆଉ କାହାକୁ ସାଆନ୍ତାଣୀ କରି ନିଜର ଓଡ଼ିଆଣୀ ଜନନୀର ଜମିଗୁଡ଼ାକୁ ଖଣ୍ଡ ଖଣ୍ଡ କରି ତାହାରି ନାଆଁରେ ଲେଖିଦେବାରେ ଲାଗିଛନ୍ତି, ସେମାନେ ମଧ୍ୟ ଆମର ଦାରିଦ୍ର୍ୟକୁ ବଢ଼ାଇବାରେ କମ୍‍ ଷଡ଼ଯନ୍ତ୍ର କରୁନାହାନ୍ତି ଏବଂ ଆମର ଯେଉଁ ବହୁବୀର୍ଯ୍ୟ କବି ଏବଂ ଲେଖକମାନେ ଏକାବେଳେକେ ଆନ୍ତର୍ଜାତିକ ଖ୍ୟାତିର ଢିଙ୍କିରେ ବସି ଆକାଶରେ ଉଡ଼ିବେ ବୋଲି ଇଂରାଜୀରେ ସ୍ଵପ୍ନ ଦେଖିଲେଣି ଏବଂ ଇଂରାଜୀରେ ଅଧିକ ଲେଖିଲେଣି, ସେମାନେ ଆମ ଘରେ ନିତି ଦାରିଦ୍ର୍ୟ ବଢ଼ାଉଛନ୍ତି ଏବଂ ଇଂରାଜୀ ବିହୁନେ ଓଡ଼ିଆକୁ ନିତାନ୍ତ ଅସହାୟ ବୋଲି ଭାବିବାଲାଗି ଆମକୁ କେତେମନ୍ତେ ପ୍ରବର୍ତ୍ତାଇବାରେ ଲାଗିଛନ୍ତି । ଅର୍ଥାତ୍, ଏକ ମିଛ ଜାତୀୟତାବାଦ ଓ ମିଛ ଆନ୍ତର୍ଜାତିକତାବାଦ ଉଭୟର କବଳରେ ପଡ଼ି ଆମେ ଦରିଦ୍ର ହୋଇ ରହିଛୁ । ଦରିଦ୍ରମାନେ ଦାରିଦ୍ର୍ୟକୁ ସହୁଛନ୍ତି, ଅଶିକ୍ଷିତମାନେ ଅସହାୟତାକୁ ମାନି ନେଉଛନ୍ତି ଏପରି କରି ସେମାନେ ମଧ୍ୟ ଓଡ଼ିଶାରେ ଦାରିଦ୍ର୍ୟକୁ ସତେଅବା ଏକ ସତ୍ୟ ରୂପେ ଆହୁରି ଅଧିକ କେତେ କାଳ ପ୍ରତିଷ୍ଠିତ କରି ରଖିବାରେ ସହଯୋଗ କରୁଛନ୍ତି । ଆମ ମିଛ ଠାକୁରମାନେ କ’ଣ ଆମକୁ କମ୍ ଦରିଦ୍ର କରି ରଖିଛନ୍ତି ।

 

ଓଡ଼ିଶାରେ ଆମ ଦାରିଦ୍ର୍ୟ ହେଉଛି ମୂଳତଃ ନେତୃତ୍ୱର ଦାରିଦ୍ର୍ୟ, ଉପସଂହାରରେ ପ୍ରାୟ ଗୋଟିଏ କଥାରେ ହୁଏତ ଏହିପରି କୁହାଯାଇ ପାରିଵ । ଜର୍ମାନୀ ମହାକବି ଗୁଏଟ ଏକଦା without vision a nation perishes ବୋଲି କହିଥିଲେ । Vision ଶବ୍ଦଟିକୁ ଆମେ ଓଡ଼ିଆରେ ପ୍ରକୃତରେ କିଭଳି ଗୋଟିଏ ଶବ୍ଦରେ ଅନୁବାଦ କରିପାରିବା ? ଏହି ଶବ୍ଦଟିର ସମଗ୍ର ବ୍ୟଞ୍ଜନା ପଛରେ ସବାଆଗ ଏକ ଅଙ୍ଗୀକାରବଦ୍ଧତା ରହିଛି, ଏକ ଭବିଷ୍ୟଦୃଷ୍ଟି ରହିଛି, ପରିଚିତ ଓ ସାଧ୍ୟ ବୃତ୍ତଗୁଡ଼ିକର ଗାରକୁ ସତେ ଅତିକ୍ରମ କରି ଯିବାଲାଗି ଏକ ସାହସ ମଧ୍ୟ ରହିଛି, ଏବଂ ଆହୁରି ବଡ଼ କଥା ହେଉଛି, Vision ଥିବା ବ୍ୟକ୍ତି ଭିତରେ ଏପରି ଏକ ଏକାତ୍ମବୋଧ ରହିଛି, ଯାହାକି ଆପଣାକୁ ନେଇ ସମସ୍ତଙ୍କର ଚିନ୍ତା କରିପାରୁଛି ଏବଂ ସମସ୍ତଙ୍କ କଥା ଚିନ୍ତା କରିବା ସମୟରେ ନିଜକୁ ମଧ୍ୟ ସେଥିରେ ସାମିଲ୍ କରିପାରୁଛି । ଓଡ଼ିଶାରେ ନେତାମାନେ ଏବେ ସମସ୍ତେ ଯେପରି ନିଜ ନିଜର କୁନି ଗାତମାନଙ୍କରେ ଯାଇ ପଶିଛନ୍ତି । ଆମର ଏଠି ଶିକ୍ଷାଳୟରେ Vision କାହିଁ, ସାହିତ୍ୟରେ Vision କାହିଁ, ଆମର ସଂଘ ଓ ମହାସଂଘମାନଙ୍କରେ Vision କାହିଁ ଓ ଏପରିକି ପରିବାରମାନଙ୍କରେ ମଧ୍ୟ Vision କାହିଁ ? ପ୍ରାୟ ଶହେ ବର୍ଷ ତଳେ ଜଣେ ପ୍ୟାରୀମୋହନ ଆଚାର୍ଯ୍ୟ, ଜଣେ ଗୌରୀଶଙ୍କର ଅଥବା ଜଣେ ଫକୀରମୋହନ ଆପଣା ଆପଣା କ୍ଷେତ୍ରରେ ସହସ୍ର ପ୍ରତିକୂଳତଃ ସତ୍ତ୍ଵେ ଯେଉଁ ସଙ୍କଳ୍ପ ଏବଂ ସାହସର ପରିଚୟ ଦେଇ ପାରୁଥିଲେ, ବର୍ତ୍ତମାନ ଓଡ଼ିଶାରେ ପଟାନ୍ତର ଖୋଜି ଆମେ କୋଉଠି କାହାକୁ ପାଇବା ? ସେମାନେ କେହି ପ୍ରଫେସନାଲ୍ ନ ଥିଲେ, ଏବକାର ମାନଦଣ୍ଡ ଗୁଡ଼ାକ ଦେଇ ପରଖି ଦେଖିଲେ ତୁଚ୍ଛା ବୋକା ଥିଲେ-। ସେହି ବୋକାମି ଭାରତବର୍ଷ ସ୍ଵାଧୀନତା ହାସଲ କରିବା ପର୍ଯ୍ୟନ୍ତ ଓଡ଼ିଶାରେ ଅନ୍ତତଃ କେତେଜଣଙ୍କର ଜୀବନରେ ବଞ୍ଚି ରହିଥିଲା ଏବଂ ଏଠାରେ ବହୁ ଦୁଃସାହସକୁ ସମ୍ଭବ କରି ପାରିଥିଲା । ଏବେ ତ ଯାବତୀୟ ସଙ୍ଗକୁ ଘୃଣା କରୁଥିବା ନିତାନ୍ତ ଆତ୍ମକାମୀ ଉଚ୍ଚାଭିଳାଷୀମାନେ ଆପଣାଙ୍କୁ ନିଃସଙ୍ଗ ବୋଲି କହି ହୁରି ପକାଉଛନ୍ତି ଓ କେତେ ସୁତରରେ କେବଳ ଆପଣା ନିରାପତ୍ତାର କିଆବଣ ଭିତରକୁ ପଳାଇ ଯାଇ ସେଇଠି ଆପଣାର କୋଠାଘର ବନାଇ ଏପରି ନିବୁଜ ଓ ଅଲଗା ହୋଇ ରହି ଯାଉଛନ୍ତି ଯେ, କାଳକୁ ମଧ୍ୟ ଜଳକା କରି ଦେଉଛନ୍ତି । ମୂଳତଃ ଆତ୍ମକାମୀମାନଙ୍କର ସାହସ ସହିତ, ସଙ୍କଳ୍ପ ସହିତ ଆଦୌ କୌଣସି ସମ୍ପର୍କ ବା କିପରି ସ୍ଥାପିତ ହୋଇପାରିବ ? Vision ଆହୁରି ଅଧିକ ଦୂରର କଥା ଏବଂ ଯେଉଁ ଭୂମିରେ ଶିକ୍ଷାଳୟ, ସାହିତ୍ୟ, ସ୍ଵାଭିମାନ ତଥା ତାରୁଣ୍ୟ କେହିହେଲେ ଭୂଇଁକୁ ଲୋଡ଼ନ୍ତି ନାହିଁ ଓ ସତର ହଜାର ଆଳରେ କେବଳ ନିଜକୁ ହିଁ ଲୋଡ଼ୁଥାନ୍ତି, ସେଠି ରାଜନୀତି ବା କିପରି ଆଉ କିଛି ଅଧିକରୁ ଅଧିକକୁ ମନ କରି ପାରିବ ? ଅନ୍ୟ ଯାବତୀୟ କ୍ଷେତ୍ରରେ ନେତୃତ୍ୱ ହିଁ ରାଜନୀତିକୁ ନେତୃତ୍ୱ ଦିଏ, ଏକ ନିର୍ଦ୍ଦିଷ୍ଟ ଓ ସମ୍ମାନାସ୍ପଦ ଆକାର ଆଣିଦିଏ, ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ମଧ୍ୟ ଆଣିଦିଏ । ଅନ୍ୟ କ୍ଷେତ୍ରଗୁଡ଼ିକ ଅସର୍ମଥ ଏବଂ ବୀର୍ଯ୍ୟହୀନ ହୋଇ ରହିଥିଲେ ହିଁ ରାଜନୀତି ମଣିଷ ଉପରେ ଘୋଡ଼ା ଚଢ଼ିବାକୁ ଆସେ ଏବଂ ତା’ପରେ ବହୁ ବର୍ବରତାକୁ ମଧ୍ୟ ରାଜନୀତି ବୋଲି କୁହାଯାଏ । ଜ୍ଞାନୀମାନେ ଦାନ୍ତ ନିକୁଟି ରାଜନୀତିକୁ ଦୁତିଆ ହୋଇ ରହିବାକୁ ହିଁ ପ୍ରାୟ ଜୀବନବୀମା ପରି ଆଦରି ନିଅନ୍ତି, ସାହିତ୍ୟ ମଧ୍ୟ ତାହାହିଁ କରେ, ବୃହତ୍‍ ବିଦ୍ୟାଳୟଗୁଡ଼ିକ ମଧ୍ୟ ପ୍ରାୟ ସେହି ପଦାଙ୍କର ଅନୁସରଣ କରନ୍ତି । କାଳ ବଦଳି ଯିବାରୁ ଏପରି ଘଟିଲା ବୋଲି ସମସ୍ତେ କହୁଥାଆନ୍ତି । କାଳ ବଦଳି ନଥାଏ, କାଳ ଅପେକ୍ଷା କରି ରହିଥାଏ; ବିକଳ୍ପ ବୀରପୁରୁଷମାନଙ୍କ ଲାଗି ଅପେକ୍ଷା କରିଥାଏ, ଏକ ବିକଳ୍ପ ନେତୃତ୍ଵ ଲାଗି ଅପେକ୍ଷା କରି ରହିଥାଏ । (୨୮ । ୧ । ୮୮)

 

(୨୬)

 

ତର୍କ କରିବାକୁ ଓଡ଼ିଶାର ପରମ୍ପରାରେ ପ୍ରାୟ ଏକ ନିନ୍ଦନୀୟ କଥା ବୋଲି ବିଚାର କରାଯାଇଥାଏ । ଗୁରୁଜନମାନଙ୍କ ଆଗରେ ସାନମାନେ ଯଦି ତର୍କ କରିବାକୁ ଆରମ୍ଭ କଲେ, ତେବେ ତ କଥା ସରିଲା । ମାତ୍ର, ଆମ ସ୍ଥାନୀୟ ସଂସ୍କରଗତ ସମ୍ପର୍କରେ ଏକ ଭାରି ବଡ଼ ବିପଦ ହେଉଛି ଯେ, ଏଠାରେ ଏତେ ଟିକିଏ ବିଣ୍ଡି ଥିବା ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଆପଣାକୁ ଜଣେ ଗୁରୁଜନ ବୋଲି ଅନୁଭବ କରିଥାନ୍ତି ଓ ସେହିପରି ଅନୁଭବ କରି ଭାରି ଆନନ୍ଦ ଲାଭ କରନ୍ତି । ଆପଣାଠାରୁ ସାନ ପାଖରେ ଆମେ ସମସ୍ତେ ଗୁରୁଜନ । ତେଣୁ ଗରୁ ହୋଇ ଦିଶିବା ହେଉଛି ସତେଅବା ଆମର ଏକ ଅବଶ୍ୟ ପ୍ରାପ୍ୟ ଅଧିକାର । ଏଠାରେ ଯେ କେବଳ ବୟସରେ ସାନମାନଙ୍କ କଥା ଉଠୁଛି, ସେ କଥା ମୋଟେ ନୁହେଁ । ବୟସର ସାନ ତ ଅଲବତ ସାନ, ତଦ୍‍ବ୍ୟତୀତ ଦରମାରେ ସାନମାନେ ବି ଅଛନ୍ତି, ଧନ ସମ୍ପତ୍ତିରେ ସାନମାନେ ରହିଛନ୍ତି, ଚାକିରିର ପାହିଆରେ ସାନମାନେ ପ୍ରକୃତରେ ସାନ ବୋଲି ତ ବହିମାନଙ୍କରେ ଲେଖା ହୋଇ ରହିଛି । ଏହି ଯାବତୀୟ ସାନମାନେ ତଦନୁରୂପ ବଡ଼ମାନଙ୍କ ଆଗରେ ମୁହଁ ଖୋଲିଲେ ତାହାକୁ ତର୍କ ବୋଲି କୁହାଯାଏ ଏବଂ ତର୍କ ବୋଲି କହି ନିନ୍ଦା କରାଯାଏ । ଶିକ୍ଷାର୍ଥୀମାନେ ଶିକ୍ଷକମାନଙ୍କଠାରୁ ସାନ ବୋଲି ଆମ ବିଦ୍ୟାର ବୃହତ୍‍ପତିମାନେ ଚିରଦିନ ମତ ଦେଇ ଆସିଛନ୍ତି । ବିଦ୍ୟାଳୟମାନଙ୍କରେ ଆହୁରି ଅଧିକ ପ୍ରଚଣ୍ଡ ଭାବରେ ସତ୍ୟ ବୋଲି ସ୍ଵୀକୃତ ହେଉଛି । ସାନମାନଙ୍କ ଲାଗି ତେଣୁ ସର୍ବ-ନିରାପଦ ସରଣୀ ହେଉଛି ଯେ, ସେମାନେ ମଉନ ହୋଇ ମାନିନେବେ, ମୋଟେ ତର୍କ କରିବେ ନାହିଁ । ଏଥିରେ ଅନ୍ୟଥା ହେବାର ଅନ୍ୟ ଜାଗା ଅବଶ୍ୟ ରହିଛି । ଅର୍ଥାତ୍ ତୁମେ ଯେମିତି ତୁମଠାରୁ ବଡ଼ମାନଙ୍କର କଥାକୁ ବିନା ତର୍କରେ ମାନିନେବ, ଠିକ୍‍ ସେହିପରି ତୁମଠାରୁ ଆହୁରି ସାନମାନେ ମଧ୍ୟ ତୁମ କଥାକୁ ବିନା ତର୍କରେ ମାନିନେବେ । ଏଠି ବିନୟର ଫଳକୁ କ୍ଷତିପୂରଣ ରୂପେ ତୁମେ ସେଠି ଅବଶ୍ୟ ପାଇବ ।

 

ତର୍କ ସହିତ ସମ୍ବନ୍ଧରେ ଆଉ ଗୋଟିଏ ଶବ୍ଦ ହେଉଛି ବିତର୍କ । ଇଂରାଜୀରେ ଯାହାକୁ Dialogue ବା debate ବୋଲି କୁହାଯାଏ, ଏବେ ଓଡ଼ିଆରେ ଆମେ ପ୍ରାୟ ତାହାକୁ ହିଁ ବିତର୍କ ବୋଲି କହୁଛୁ । ବିତର୍କ ଦ୍ଵାରା ସତ୍ୟ ପ୍ରକାଶିତ ହୁଏ, ମାର୍ଜିତ ହୁଏ, ଶାଣିତ ହୁଏ । ବ୍ୟକ୍ତିଗତ ଅନୁଭବମାନ ପରୀକ୍ଷିତ ହୋଇ ସାର୍ବଜନୀନ ସ୍ଵୀକୃତି ଲାଭ କରେ ଏବଂ ସର୍ବଜନଙ୍କ ଦ୍ଵାରା ସତ୍ୟରୂପେ ସ୍ଵୀକୃତି ହୁଏ । ସାଧାରଣ ଜୀବନରେ ସେଥିଲାଗି ବିର୍ତକର ଏକ ସ୍ଵତନ୍ତ୍ର ମହତ୍ତ୍ୱ ରହିଛି-। ବିଶେଷ କରି ସଂସ୍କୃତି, ସାହିତ୍ୟ ଏବଂ ମୂଲ୍ୟବୋଧ କହିଲେ ସାମୂହିକ ଜୀବନରେ ଆମେ ଯେଉଁ ବିଶେଷ ବେଭାରଗୁଡ଼ିକୁ ବୁଝି ଆସିଛୁ, ତାହାରି କ୍ଷେତ୍ରରେ ବିତର୍କ ଲାଗି ଏକ ମର୍ଯ୍ୟାଦାବନ୍ତ ସ୍ଥାନ ରହି ନ ଥିଲେ ଯେକୌଣସି ସମାଜ ଭିତରେ ନାନାବିଧ ଦୂରତା ଏବଂ ନାନାବିଧ ଦାରିଦ୍ର୍ୟ ଆସି ପଶିଯିବାର ପ୍ରବଳ ଆଶଙ୍କା ରହିଥାଏ । ଏଠି ଓଡ଼ିଶାରେ ଆମ ଘରେ ପ୍ରାୟ କୌଣସି ବିତର୍କ ହୁଏ ନାହିଁ । ତାହା ହେଉଛି ଆମର ବିବିଧ ଦାରିଦ୍ର୍ୟ ଭିତରେ ଅତ୍ୟନ୍ତ ଆଖିଦୃଶିଆ ଭାବରେ ବାରିହୋଇ ପଡ଼ୁଥିବା ଏକ ଅନ୍ୟତମ ବିଶେଷ ଦାରିଦ୍ର୍ୟ । ହୁଏତ ଏହି ଦାରିଦ୍ର୍ୟକୁ ଆମେ ଆମର ଏକାଧିକ ଅନ୍ୟ ଦାରିଦ୍ର୍ୟର ଏକ ପ୍ରଧାନ କାରଣ ବୋଲି କହିପାରିବା । ଆମ ଘରେ ଡିହମାନଙ୍କରେ କ’ଣ କମ ସଭା ହୁଏ, କଥାର ଉଜାଣି କ’ଣ କମ୍‍ ବୁହେ ? ପ୍ରଶଂସା ହୁଏ, ନିନ୍ଦା ବି ହୁଏ, ଅସହାୟଗୁଡ଼ାକ ଆମ ନଜରରେ ଅଳନ୍ଧୁ ଭିତରୁ ସତେଅବା ଗୋଟାଏ ଗୋଟାଏ ବେଲୁନ୍‍ ପରି କେଡ଼େ ଚକ୍‍ ଚକ୍‍ ହୋଇ ଝୁଲୁଥାନ୍ତି । କିନ୍ତୁ ବିତର୍କ କୋଉଠି ହେଲେ ନଥାଏ । ଆମେ ବିତର୍କକୁ ଭୟ କରୁ, ସତେଅବା କୋଉଠି କ’ଣ ଭାରି ଧରା ପଡ଼ିଯିବ ବୋଲି ଭାରି ଆଶଙ୍କା କରୁଥିବାରୁ ଆମେ ଯାବତୀୟ ବିତର୍କରୁ ଦୂରରେ ରହିଥାଉ । ବାହାରକୁ ଗୋଟାସୁଦ୍ଧା ମୌନ ହୋଇ ରହିଥାଉ–ଆମ ଭିତରେ ଗୋଟାଏ ପାଖରେ ହୀନମନ୍ୟତା ଏବଂ ଆଉ ଗୋଟାଏ ପାଖରେ ଉଗ୍ରମନ୍ୟତା ସତେଅବା ଦିହକୁ ଦିହ ଲଗାଇ ରହିଥିବା ପରି ଏକ ବିଚିତ୍ର ସହାବସ୍ଥାନରେ ଭେଟଣା ସୃଷ୍ଟି କରି ରହିଥାନ୍ତି ଓ ଆମକୁ ଭାରି ଗରମ କରି ରଖିଥାନ୍ତି, ମାତ୍ର ବିତର୍କ ନାମକ ବିବେକ ହୁଏତ କୋଉଠି ହେଲେ ନ ଥାଏ । ଆମର ପାତ୍ରଗୁଡ଼ିକ ଅଥବା ଦ୍ଵାରଗୁଡ଼ିକ ପରସ୍ପର ପାଖରେ ଏକାନ୍ତ ଭାବରେ ନିବୁଜ ହୋଇ ରହିଥାଆନ୍ତି । ମଣିଷ ନିତାନ୍ତ ଆତ୍ମରତି ହୋଇ ରହିବାକୁ କୌଣସି କାରଣରୁ ପଣ କରି ବସିଥିଲେ ଯାହା ହୁଏ, ଆମର ଦଶା ପ୍ରାୟ ସେହିପରି ହୋଇ ରହିଥାଏ ।

 

ଗୋଟିଏ ଶବ୍ଦ ଜୁଗୁପ୍‍ସା, ଆଉ ଗୋଟିଏ ଶବ୍ଦ ଜିଜ୍ଞାସା । ଜିଜ୍ଞାସାର ଅର୍ଥ କେବଳ ଜାଣିବାର ଇଚ୍ଛା ନୁହେଁ–ଏହା ପଛରେ ଆପଣାକୁ ଉନ୍ମୋଚିତ ଅର୍ଥାତ୍–ଗ୍ରହଣଶୀଳ କରି ରଖିବାର ଏକ ସ୍ଵାଭାବିକ ସମ୍ମତି ବା ଶ୍ରଦ୍ଧା ମଧ୍ୟ ସର୍ବଦା ପ୍ରଚ୍ଛନ୍ନ ହୋଇ ରହିଥାଏ । ଗ୍ରହଣଶୀଳ ହେବା ଅର୍ଥାତ୍‍ ନମନୀୟ ହୋଇ ରହିବା । ଯିଏ ନମନୀୟ ହୁଏ, ସିଏ ଉଚ୍ଚନୀଚ ବାରେ ନାହିଁ । ଅଳପକୁ ସର୍ବସାର କରି ଧରିଥିବା ଏକ ସ୍ଵତନ୍ତ୍ର ମଗଜର ବ୍ୟକ୍ତିମାନେ ହିଁ ଦ୍ଵାର ଖୋଲିବାକୁ ଡରନ୍ତି, ବିତର୍କକୁ ଡରନ୍ତି । ଯେତିକିରେ ଅଛନ୍ତି, ସେତିକିକୁ ସତେଅବା କେତେଗୁଡ଼ାଏ ଭାବି ‘ମାତୃକାରବତ୍’ ଗୁପ୍ତ କରି ରଖିଥାନ୍ତି । ଏଇଟି ହେଉଛି ଜୁଗୁପ୍‍ସା, ଲୁଚି ରହିବାର ଇଚ୍ଛା, ଲୁଚାଇ ରଖିବାର ଇଚ୍ଛା, ଏଇଟି ହେଉଛି ଏକ ମୂଳଭୂତ ବିକର୍ଷଣର କଥା । ଆକର୍ଷଣ ହେଉଛି ଯାବତୀୟ ଜିଜ୍ଞାସାର ସର୍ବମୂଳ ଧର୍ମ, ସର୍ବମୂଳ ସନ୍ତକ । ଯିଏ ଆକୃଷ୍ଟ ହୁଏ, ସେହି କେବଳ ଆକର୍ଷଣ କରିବାର ସାମର୍ଥ୍ୟ ରଖିଥାଏ । ଜିଜ୍ଞାସୁ ମଣିଷକୁ ପୃଥିବୀ ଅଣ୍ଟେ ନାହିଁ, ମଣିଷ ଅଣ୍ଟନ୍ତି ନାହିଁ, ସିଏ ଆମର ଏହି ସମ୍ବନ୍ଧରୂପୀ ସଂସାରରେ ସତକୁ ସତ ବନ୍ଧୁ ବାନ୍ଧି ବାହାରିଥାଏ ।

 

ତା’ର ସଂଗ୍ରହର ପାତ୍ରଟି ଯେତେ ବୃହତ୍ ହେଲେ ମଧ୍ୟ ସିଏ ତଥାପି ଆହୁରି ଅଧିକ ଲାଗି ଶ୍ରଦ୍ଧାବାନ୍‍ ହୋଇ ରହିଥାଏ । ସେଇଥିଲାଗି ମଣିଷକୁ ଖୋଜେ, ସଂସାର ଭିତରେ ସାଙ୍ଗ ଖୋଜି ବୁଲୁଥାଏ । ଜିଜ୍ଞାସୁ ବ୍ୟକ୍ତି ବିତର୍କକୁ ମୋଟେ ଭୟ କରେ ନାହିଁ । ବିତର୍କକୁ ହିଁ ଆପଣାର ଜିଜ୍ଞାସା ନିମନ୍ତେ ସିଏ ସର୍ବପ୍ରଧାନ ମାଧ୍ୟମରୂପେ ଗ୍ରହଣ କରିଥାଏ । ବିତର୍କର କ୍ଷେତ୍ରରେ ସିଏ କେବେହେଲେ ଜ୍ୟେଷ୍ଠ ଓ କନିଷ୍ଠର ପାତରଅନ୍ତର କରେ ନାହିଁ । ଜ୍ଞାନକୁ, ସତ୍ୟକୁ ସାଙ୍ଗ କରି ନେଇଥିବା ମଣିଷ ବିତର୍କକୁ ମୋଟେ ଡରେ ନାହିଁ । ସିଏ ପ୍ରକୃତରେ ଯାବତୀୟ ଜୁଗୁପ୍‍ସାକୁ ହିଁ ଭୟ କରୁଥାଏ ।

 

ଯଥାର୍ଥ ପ୍ରତିଭା ମଧ୍ୟ କଦାପି dialoguକୁ ଭୟ କରେ ନାହିଁ । ପ୍ରତିଭା ଦେବାକୁ ଇଚ୍ଛା କରୁଥାଏ, ନେବାକୁ ଇଚ୍ଛା କରୁଥାଏ,–ତେଣୁ କୃପଣ ହେବାକୁ ହିଁ ସବୁଠାରୁ ବଡ଼ ପ୍ରମାଦ ବୋଲି ଅନୁଭବ କରୁଥାଏ । ନିଜର ପ୍ରତିଭା ବିଷୟରେ ଯେଉଁମାନଙ୍କର ସତକୁ ସତ ଏକ ସଂଶୟ ରହିଥାଏ, ସେହିମାନେ ହିଁ ଦୁଆର ଖୋଲିବାକୁ ଭୟ କରନ୍ତି, ଆପଣାକୁ ଅସ୍ପୃଶ୍ୟ କରି ରଖିଥାନ୍ତି । ଦାଣ୍ଡକୁ ବାହାରିଲେ ଏହିମାନେ ସେମାନଙ୍କ ସାଙ୍ଗରେ ଛତି ଓ ତରାସଗୁଡ଼ାକ ଅବଶ୍ୟ ବାହାରୁ ବୋଲି ଦାବୀ କରୁଥାନ୍ତି । ବଡ଼ ପରି ଦେଖାଗଲେ ହିଁ ମଣିଷ ସତକୁ ସତ ବଡ଼ ହୋଇଯାଏ ବୋଲି ଆପଣାର ପିତ୍ତମୁଣା ଭିତରେ ଅତ୍ୟନ୍ତ ବିକଳ ଭାବରେ ବିଶ୍ଵାସ ମଧ୍ୟ କରୁଥାନ୍ତି । ତେଣୁ ଆପଣାର ଜ୍ୟେଷ୍ଠତା ବିଷୟରେ ଅତି ସଚେତନ ହୋଇ ରହିଥାନ୍ତି । ଯେକୌଣସି ବିତର୍କ ସେହି ଜ୍ୟେଷ୍ଠତାର ମିଥ୍ୟାଗୁଡ଼ାକୁ ଏକ ତୁଚ୍ଛା ଢମ ବୋଲି ଧରା ପକାଇଦେବ ବୋଲି ଆଶଙ୍କା କରି ସେମାନେ ଦୁଆର ବନ୍ଦ କରି ବସିଥାନ୍ତି । ବିତର୍କକୁ ଭୟ କରନ୍ତି । ହୁଏତ ସତ୍ୟକୁ ମଧ୍ୟ ଭୟ କରୁଥାନ୍ତି । ନିଜ ଭିତରେ ଯେଉଁ ପୂଦ୍‍ଗଳଗୁଡ଼ିକୁ ସେମାନେ ସତ୍ୟ ବୋଲି ଭ୍ରମ କରୁଥାନ୍ତି, ବୟସ, ଆସନ, ଚାକିରି ଓ ଆସନସ୍ଥତାର ବହୁ ଅନ୍ୟ ଦମ୍ଭ ଭିତରେ ତାହାକୁ ଯାବୁଡ଼ି ଧରିଥାନ୍ତି । ପ୍ରତିଭା ନାମକ ପଦାର୍ଥଟି ଏକାବେଳେକେ ଅନ୍ୟ ପ୍ରକାରର । ଯଥାର୍ଥ ପ୍ରତିଭା ନମନୀୟତାକୁ ହିଁ ଆପଣାର ଯଥାର୍ଥ ଧର୍ମ ବୋଲି ଗ୍ରହଣ କରି ନେଇଥାଏ । ପ୍ରତିଭା ଧର୍ମତଃ ଗ୍ରହଣଶୀଳ ହୋଇ ରହିଥାଏ । ତେଣୁ କଦାପି ଲଦିହୋଇ ପଡ଼େନାହିଁ । କଦାପି ଗରୁ ହୋଇ ଗିଳି ପକାଏ ନାହିଁ । ପ୍ରତିଭା ସାଙ୍ଗରେ ବସିବା ଲାଗି କୌଣସି ଅନିଚ୍ଛା ଦେଖାଏ ନାହିଁ । ସତ୍ୟ କହିଲେ ସିଏ ଏପରି ଗୋଟିଏ ଫୁଲବଗିଚାକୁ ବୁଝେ, ଯେଉଁଠାରେ କି ତୁମେ ସତେଅବା ଚିରନ୍ତନ କାଳ ଲାଗି କେବଳ ଆହରଣ କରି ପାରୁଥିବ ଏବଂ ଆହରଣ କରିବା ଦ୍ଵାରା ହିଁ ଅଧିକରୁ ଅଧିକ ସମୃଦ୍ଧ ହେବାରେ ଲାଗିଥିବ ।

 

ଓଡ଼ିଶାରେ ଯେଉଁ ବଡ଼ମାନେ ଏହି ଭୂମିର ଦାରିଦ୍ର୍ୟ ବିଷୟରେ ଆଲୋଚନା କରନ୍ତି, ସେମାନେ ପରସ୍ପର ଆଡ଼କୁ ସତେଅବା କବାଟଗୁଡ଼ାକୁ କିଳି ଦେଇ ତାହାର ଆଲୋଚନା କରନ୍ତି । ସେମାନେ ନିଜ ନିଜର ମତଟାକୁ ଅନ୍ୟମାନଙ୍କ ଉପରେ ନେଇ ମାଡ଼ି ଦିଅନ୍ତି । ମତକୁ ସତ୍ୟପ୍ରାୟ ମଣନ୍ତି । ମୁଇଁ ମୋରି ମତଟାକୁ ଏକମାତ୍ର ପୋଖତ ମତ ଅର୍ଥାତ୍ ସତ୍ୟ ବୋଲି ମଣୁଥିବା ପର୍ଯ୍ୟନ୍ତ ଏକପ୍ରକାର ହୀନମନ୍ୟତାକୁ ହିଁ ମୋ’ ଜ୍ଞାନଘରର ସର୍ବପ୍ରଧାନ ଲକ୍ଷଣ ବୋଲି ଗ୍ରହଣ କରିବାକୁ ପଡ଼ିବ । ସେହି ହୀନମନ୍ୟତା ମୋ’ ଚିନ୍ତନର ଦେହ ଗୋଟାକୁ ଯାଦୁ ପରି ମାଡ଼ିକରି ରହିଥାଏ । ମୋ’ର ଆଖିଉପରେ ମଧ୍ୟ ସତେଅବା କେଉଁ ଅମମନୀୟ ଯାଦୁ ମାଡ଼ି ରହିଥାଏ କେଜାଣି, ମୁଁ ଯାବତୀୟ ଗବାକ୍ଷରୁ କେବଳ ମୋତେ ହିଁ ଦେଖିବାରେ ଲାଗିଥାଏ । ମୋ’ ହୀନମନ୍ୟତାରୁ ଜାତ ଏକ ଅସହିଷ୍ଣୁତା ମୋତେ ବଡ଼ ହୀନିମାନ କରି କାମୁଡ଼ି ଧରିଥାଏ । ତେଣୁ ଆଗ ସତ୍ୟକୁ ନ ଦେଖି ମୁଁ ସତେ ଯେପରି ଆପଣାକୁ ହିଁ ସବାଆଗ ଦେଖୁଥାଏ । ଓଡ଼ିଶାରେ ସମ୍ଭବତଃ ଏହିପରି ବହୁତ ମଣିଷ ରହିଛନ୍ତି ଓ ଏହିଭଳି ମଣିଷମାନେ ହିଁ ଅତ୍ୟଧିକ ଭାବରେ ପ୍ରକାଣ୍ଡ ଏବଂ ପ୍ରଚଣ୍ଡ ହୋଇ ରହିଛନ୍ତି ବୋଲି ଓଡ଼ିଶାରେ ପ୍ରାୟ କୌଣସି ବିତର୍କ ସମ୍ଭବ ହୁଏ ନାହିଁ । ତଳଟାକୁ ଉପହାସ କରି ଉଡ଼ାଇ ଦେବା ଏବଂ ଉପରଟାକୁ ଉପରେ ଖୋସାମତ କରି ଭିତରେ ଈର୍ଷା କରିବା ହିଁ ସାର ହୁଏ । ତେଣୁ ଏଠି ସାହିତ୍ୟ ହୁଏ, ରାଜନୀତି ହୁଏ, ଭାଷଣ ହୁଏ–ତତ୍ତ୍ଵ ନାମରେ ଭଳି ଭଳି ତାମସା ବି ହେଉଥାଏ ସତ, ମାତ୍ର ବିତର୍କ ହୋଇପାରେ ନାହିଁ । ବିତର୍କ ହେବାମାତ୍ରକେ ଶିଙ୍ଗରେ ଶିଙ୍ଗ ଓ ମୁଣ୍ଡରେ ମୁଣ୍ଡ ଲଢ଼େଇ ହୋଇ ଗଲାପରି ମନେ ହେଉଥାଏ । ତେଣୁ ଆସ୍ଥାନ ଅନୁସାରେ, ପଦ ଅନୁସାରେ ଓ ଏପରିକି କ୍ଷମତା ଓ ଦରମା ଅନୁସାରେ, କୋଉପଟେ ସତ୍ୟ ରହିଛି, ତାହାର ବିଚାର ଓ ନିର୍ଣ୍ଣୟ ହେଉଥାଏ । ବିତର୍କ ଏବଂ ପରସ୍ପରାନୁକଥନକୁ ସମସ୍ତେ ହାଡ଼େ ହାଡ଼େ ଡରୁଥାନ୍ତି ଓ ପରସ୍ପର ପାଖରୁ ଲୁଚି ରହିଥାନ୍ତି ।

 

ମୁଁ ଯାହା କହୁଛି ହୁଏତ ତାହା ସତ୍ୟ ନୁହେଁ । ତୁମେ ଯାହା କହୁଛ, ହୁଏତ ତାହା ମଧ୍ୟ ସତ୍ୟ ନୁହେଁ । ଆମ ନିଜ ନିଜର ମତଡ଼ିହଗୁଡ଼ାକ ମୋଟେ ସତ୍ୟ ନୁହନ୍ତି । ତେଣୁ ଆମେ ଏକାଠି ବସି ପାରୁଥାନ୍ତେ, ମତ ସହିତ ମତକୁ ମିଳାଇ ପାରୁଥାନ୍ତେ–ପରସ୍ପରର ମତକୁ ସମୀକ୍ଷଣ କରି ମତଗୁଡ଼ିକର ଗାର ପାର ହୋଇ ସତ୍ୟର ନିକଟବର୍ତ୍ତୀ ହୋଇ ପାରୁଥାନ୍ତେ । ତେବେ ଆମ ସମସ୍ତଙ୍କୁ କ୍ଷେତ୍ର ବା ନିମିତ୍ତ ରୂପେ ବ୍ୟବହାର କରି ଅସଲ ସତ୍ୟଗୁଡ଼ିକ ଆପଣାକୁ ପ୍ରକାଶିତ ବା ଚିହ୍ନିତ କରିବାଲାଗି ଏକ ଭଦ୍ର ଅବସର ମଧ୍ୟ ଅବଶ୍ୟ ପାଇ ପାରୁଥାନ୍ତେ । ମତ ମତ ମଧ୍ୟରେ ରହିଥିବା ଦୂରତା ହ୍ରାସ ହୋଇ ପାରୁଥାନ୍ତା ଏବଂ ଆମେ ପ୍ରତ୍ୟେକେ ସତ୍ୟର ନିକଟବର୍ତ୍ତୀ ହେବା ସଙ୍ଗେ ସଙ୍ଗେ ପରସ୍ପର ମଧ୍ୟ ନିକଟବର୍ତ୍ତୀ ହୋଇ ପାରୁଥାଆନ୍ତେ । ଆମ ଭିତରୁ ଯିଏ ଆପଣାର ମତ କିମ୍ବା ମନ୍ତବ୍ୟ ରୂପେ ଯାହା ଲେଖୁଥାନ୍ତା ବା କହୁଥାନ୍ତା, ତାହାର ସମ୍ୟକ ଆଲୋଚନା ହୋଇ ପାରୁଥାନ୍ତା-। ଜ୍ୟେଷ୍ଠ କନିଷ୍ଠ ଏବଂ ପ୍ରବୀଣ ଅର୍ବାଚୀନର ନିର୍ବିଶେଷରେ ତାହାର ଆଲୋଚନା ହୋଇ ପାରୁଥାନ୍ତା । ଆମେ ଏକାଧାରରେ ମତଗୁଡ଼ିକୁ ଚ୍ୟାଲେଞ୍ଜ କରିବା ସଙ୍ଗେ ସଙ୍ଗେ ସେହି ମତ ଦେଉଥିବା ବ୍ୟକ୍ତିର ସ୍ୱମତ ଦେବାର ଅଧିକାରକୁ ଯଥାର୍ଥ ସମ୍ମାନ ଏବଂ ସ୍ୱୀକୃତି ଦେଇ ପାରୁଥାଆନ୍ତେ । ତେବେଯାଇ ଆମର ସାଧାରଣ ଜୀବନରେ ଏକ ସୁସ୍ଥ ବିତର୍କ ସମ୍ଭବ ହେଉଥାନ୍ତା ଏବଂ ତଦ୍ଦ୍ୱାରା ଆମେ ସମସ୍ତେ ଉପକୃତ ହୋଇ ପାରୁଥାଆନ୍ତେ । ଆମ ସମସ୍ତଙ୍କର ଦାରିଦ୍ର୍ୟମୋଚନ ଲାଗି ତାହା ଭାରି ସାହାଯ୍ୟ କରୁଥାନ୍ତା ।

 

ବିତର୍କର ଏହି ଅନ୍ୟ ମାର୍ଗଟିକୁ ଆମେ ଆମ ସ୍କୁଲକଲେଜମାନଙ୍କର ଶ୍ରେଣୀ ଗୃହରୁ ଆରମ୍ଭ କରି ପାରନ୍ତେ । କୌଣସି ଅଧ୍ୟାପକ ବା ଶିକ୍ଷକ ମନ କଲେ ସେକଥା ଅବଶ୍ୟ ସମ୍ଭବ କରାଇ ପାରନ୍ତା । ତେବେ ଆମକୁ ଘେରି ରହିଥିବା ପ୍ରଶ୍ନଗୁଡ଼ିକ ଆମର ଗ୍ରହଣ ପାତ୍ର ମଧ୍ୟରେ ସତକୁ ସତ ଜୀବନ ପାଇ ଉଠୁଥିଲା ପରି ମନେ ହୁଅନ୍ତା । ଆମର ଚିନ୍ତନରେ ଆମେ ଯେତେବେଳେ ସଂପୃକ୍ତ ସମସ୍ତଙ୍କୁ ଭାଗ ଦେଇ ପାରନ୍ତେ ଓ ଏକ ବିତର୍କ ଲାଗି ଓଡ଼ିଶାରେ ଆବଶ୍ୟକ ଦୁଆରଗୁଡ଼ାକ ଖୋଲିଯାଆନ୍ତା, ସେତେବେଳେ ଅହମିକାଗ୍ରସ୍ତ ଆମର ବଡ଼ମାନେ ଯାହାକୁ ଝଲମଲ ଭାଷା ଦେଇ ନିଃସଙ୍ଗତା ବୋଲି କହୁଛନ୍ତି, ସେଇଟି ଲାଗି ମଧ୍ୟ ଆଉ କୌଣସି ଆବଶ୍ୟକତା ରହନ୍ତା ନାହିଁ । ସମସ୍ତେ ଏକାଠି ମିଶି ବାଟ ଚାଲୁଥିବା ପରି ମନେ ହୁଅନ୍ତା । (୩ । ୨-। ୮୮)

 

(୨୭)

 

ଧର୍ମର ମୁହଁ ମୋଟେ କଳା ନୁହେଁ । କଳା ହେଉଛି ଆମ ନିଜର ମୁହଁଗୁଡ଼ାକ । ଆମେ ଯେଉଁମାନେ ଜୀବନର ତଥା ସମ୍ବନ୍ଧର ଅସଲ ଧର୍ମଗୁଡ଼ିକରୁ ଆପଣାକୁ ବିଚ୍ଛିନ୍ନ ଓ ବିଚ୍ୟୁତ କରି ରଖି ତଥାପି ଏ ଧର୍ମ ବା ସେ ଧର୍ମଟାକୁ ନିଜର ଧର୍ମ ବୋଲି କହି ଆପଣାର ଅହଙ୍କାରଗୁଡ଼ାକ ପାଖରେ ହୁରି କରିବାରେ ଲାଗିଥାଉ, ଆମ ସେହିମାନଙ୍କର ମୁହଁ ପ୍ରକୃତରେ ଭାରି କଳା । କୋଉ କାଳର କୋଉ ଅବର୍ଜିଆ କଳାଗୁଡ଼ାକ ଆମ ଅନୁରାଗର ଅସଲ ଆଖିଗୁଡ଼ାକୁ ଏକାବେଳେକେ ପୋତି ପକାଇଲାଣି କି କ’ଣ କେଜାଣି, ଆମେ ମଣିଷକୁ ଦୂର କରି ରଖି ତଥାପି ପନ୍ଦର ଛଇରେ ଭଗବାନଙ୍କୁ ଲୋଡ଼ିବାର ଢମ କରିବାରେ ଲାଗିଥାଉ । ଏଣେ ଆପଣାର ଗାତଗୁଡ଼ାକରେ ନିପଟ ଓ ନିର୍ଧୂମ ସ୍ଵାର୍ଥପର ଜୀବନଗୁଡ଼ାଏ ନେଇ ପାଷାଣ୍ଡ ହୋଇ ରହିଥିଲେ ମଧ୍ୟ ତେଣେ ମନ୍ଦିରରେ ବସାଇଥିବା ଠାକୁରଙ୍କୁ ଜଗନ୍ନାଥ ବୋଲି କହୁଥାଉ । ସତେଅବା ଏକ ଅଲାଜୁକ ପଣ୍ଡାଗିରି କରି ଜୀବନରେ ଅସଲ ସମ୍ଭାବନା ଓ ସମ୍ପଦଗୁଡ଼ିକୁ ନିନ୍ଦିତ କରି ରଖିଥାଉ । ବେଳେବେଳେ ମନେହୁଏ, ନିତାନ୍ତ ଆପଣାସାର୍ତ୍ତିକିଆ ମଣିଷମାନେ ଜାଣିଶୁଣି ଅନ୍ୟ ମଣିଷମାନଙ୍କଠାରୁ ଆପଣାକୁ ବିଚ୍ଛିନ୍ନ କରି ରଖିବାଲାଗି ଆଉ ଏହି ଦେବତାମାନଙ୍କର ଭିଆଣ କରିଛନ୍ତି କି ? ଆମ ନିଜ ମୁହଁରେ ଗୋଟାସୁଦ୍ଧା କଳା ବୋଳାହୋଇ ରହିଥିବା ପର୍ଯ୍ୟନ୍ତ ଆମ ଠାକୁରିଆ ଧର୍ମର ତଥାକଥିତ ଆସ୍ଥାନମାନଙ୍କରେ କଳା ଦେଖି ଆମେ ଯେ ତଥାପି ଚମକି ଉଠୁଛୁ, ଆମ ଆଖିକୁ ଯେତେ କଳା ହୋଇ ଦିଶୁଥିବା ଆମ ଠାକୁର ଆମର ଏହି ଫୁଲେଇ ଚାଲାଖିପଣକୁ ଦେଖି ନିଶ୍ଚୟ ଭାରି ହସିବାରେ ଲାଗିଥିବେ ।

 

ଆମ ଦେବତାମାନେ କ’ଣ ପ୍ରକୃତରେ ଆଉ କୋଉ ସ୍ଵର୍ଗରୁ ଆସି ଆମ ଦେଉଳମାନଙ୍କରେ ଠାକୁର ହୋଇ ବସିଛନ୍ତି ବୋଲି ଆମେ ପ୍ରକୃତରେ ବିଶ୍ଵାସ କରୁଛୁ ? ଆମେ ନିତାନ୍ତ ସଂସ୍କାରରେ ପଡ଼ି ଯେଉଁ କଣ୍ଢେଇଗୁଡ଼ାକୁ ଅସଲ ଠାକୁର ବୋଲି ସ୍ଵୀକାର କରି ନେଇଛୁ, ଯେଉଁମାନଙ୍କୁ ଆମେ ଭୋଗ ଦେଇ ପ୍ରସନ୍ନ କରାଉଛୁ, ଯେଉଁମାନଙ୍କ ପାଖରେ ଆମେ କେତେ ରାଜସିକ ଭାବରେ ଏଇଟା ଅଥବା ସେଇଟା ମାଗୁଛୁ, ସେମାନେ ଯେ ପ୍ରଧାନତଃ ଆମ ଏହି ଗୋଟାଏ ଭୂଇଁରେ ସଂସ୍କାର-ପରମ୍ପରାର ଏକ ଠୁଳ ସାମଗ୍ରୀ ମାତ୍ର, ଏହି କଥାଟିକୁ ବୁଝିବାକୁ ଆମକୁ କ’ଣ ପ୍ରକୃତରେ ଭାରି କଷ୍ଟ ହେଉଛି ? ଏଣେ ଆମର କେତେ ବୁଦ୍ଧିରେ ଆମେ କେତେ କେତେ ଉଚ୍ଛନ୍ନତାର କାରଣ ହୋଇ ଆପଣାର ଭାଗ୍ୟ ଓ ଭୋଗଗୁଡ଼ାକୁ ବଢ଼ାଇବା ଲାଗି ଅହୋରାତ୍ର ଉଦ୍ୟମ କରିବାରେ ଲାଗିଛୁ, କେତେ ଅଧମ ପ୍ରକାରେ ସଫଳତା ନାମକ ରାକ୍ଷସୀକୁ ହିଁ ଆମ ଜୀବନରେ ପାଟରାଣୀ କରି ରଖିଛୁ, ନିଜ ଭିତରେ ରହିଥିବା ବିବେକ କାଳେ ସେଥିରେ କୌଣସି ବାଧା ଦେବ ବୋଲି ଭିତର ଆଡ଼କୁ କୋଲପ ପକାଇ ଦେଇଛୁ,–ମାତ୍ର ତଥାପି କଣ୍ଢେଇଗୁଡ଼ାକୁ ମୂଳତଃ କଣ୍ଢେଇ ବୋଲି ବୁଝିବାକୁ କ’ଣ ଆମର ବୁଦ୍ଧି ତଥାପି ପାଉନାହିଁ ? ନା ଆମେ ଜାଣିସିଆଣିଆ ହୋଇ ଆପଣାକୁ ପ୍ରକୃତରେ ସେତିକି ନିରୀହ ଓ ସେତିକି ଅଜଟିଳ ବୋଲି ପରିଚୟ ଦେବାକୁ ଚେଷ୍ଟା କରୁଛୁ ? ଅଥବା, ଭିତରର ଅସଲ ଅବିଶ୍ଵାସଟାକୁ ପ୍ରକାଶ କରିଦେଲେ ବାହାରେ ଏହି ଗୋଠଗୁଡ଼ାକର ଗଞ୍ଜଣା ଓ ତର୍ଜନା ଆମକୁ ସହିବାକୁ ପଡ଼ିବ ବୋଲି ଆମେ ନିତାନ୍ତ ଭୀରୁଙ୍କ ପରି ବାହାରେ ଏହି ମିଛ ଅନୁରକ୍ତିଗୁଡ଼ାକର ଛଦ୍ରମ କରିବାରେ ଲାଗିଛୁ ?

 

ଆମ ମୁହଁର ଅଥବା ଆମ ଜୀବନର ଅସଲ ରଙ୍ଗ ଧର୍ମ ନୁହେଁ, ଆମର ଅସଲ ରଙ୍ଗ ହେଉଛି ଉପେକ୍ଷା । ମଣିଷଦ୍ଵାରା ମଣିଷର ଉପେକ୍ଷା, ଆପଣାକୁ ଧନରେ, ବିଦ୍ୟାରେ, ଯଶରେ ଏବଂ ପୁଣ୍ୟରେ ଅନ୍ୟମାନଙ୍କଠାରୁ ବଡ଼ ମଣୁଥିବା ଥୋକେ ମଣିଷଙ୍କଦ୍ଵାରା ବହୁସଂଖ୍ୟକ ଅପେକ୍ଷାକୃତ ଅଧିକ ଭାଗ୍ୟହୀନ ଓ ଅକିଞ୍ଚନଙ୍କର ଉପେକ୍ଷା, ଜୀବନରେ ଜୀବନର ଶ୍ରୀବର୍ଦ୍ଧନ ଅସଲ ମୂଲ୍ୟଗୁଡ଼ିକ ପ୍ରତି ଉପେକ୍ଷା, ଏକାଧିକ କାରଣରୁ ତାହାହିଁ ଆମ ଅନେକଙ୍କର ଜୀବନରେ ସର୍ବପ୍ରଧାନ ଭୂଷଣରୂପେ ସ୍ଵୀକୃତି ହୋଇ ଆସିଛି । ସର୍ବୋପରି, ନିଜ ଭିତରେ ରହିଥିବା ଦିବ୍ୟତ୍ଵ ଅର୍ଥାତ୍ ଦେବତ୍ଵର ଉପେକ୍ଷା ଆମ ସମାଜରେ କେତେ ମଣିଷଙ୍କୁ ସବୁକିଛି ଥାଇ ମଧ୍ୟ ତଥାପି ଅତ୍ୟନ୍ତ ଅଲକ୍ଷଣା କରି ରଖିଛି । ବିଶେଷତଃ, ଯେଉଁମାନେ ଅଧିକ ଉପରେ ଅଛନ୍ତି, ଅଧିକ ସମର୍ଥ ପରି ଦିଶୁଛନ୍ତି, ଏହି ଉପେକ୍ଷାର ରୋଗ ଏକ ଅତିପ୍ରବଳ ଅହମିକା ରୂପେ ଏମାନଙ୍କୁ ଗ୍ରାସ କରି ରଖିଛି । ଉପେକ୍ଷା ହିଁ ଯେଉଁମାନଙ୍କର ଜୀବନରେ ସର୍ବବରଣୀୟ ପ୍ରେୟ ହୋଇ ରହିଥାଏ, ଅନ୍ୟ ଅନେକଙ୍କୁ ଉପେକ୍ଷା କରି ଯେଉଁମାନେ ତାହାରି ଦ୍ଵାରା ହିଁ ଅନ୍ୟମାନଙ୍କ ତୁଳନାରେ କିଞ୍ଚିତ୍‍ ବଡ଼ ହୋଇ ଦିଶିଲେ ବୋଲି ଆପଣାକୁ ରାଜସିକ ସାନ୍ତ୍ଵନାମାନ ଦେବାରେ ଲାଗିଥାନ୍ତି, ସେହିମାନେ ହିଁ ଆମ ସଂସାରରେ ସଚରାଚର ଭିତର ଆଡ଼ଟାକୁ ପହଡ଼ ପକାଇ ରଖି ବାହାରେ ଠାକୁର ଖୋଜି ବାହାରନ୍ତି । ବାହାରେ ଠାକୁର ଥାନ୍ତି, ଠାକୁରଙ୍କୁ ସାମନ୍ତ ବୋଲି କହି କେତେ ଆନନ୍ଦ ଲାଭ କରନ୍ତି । ସମ୍ଭବତଃ ଭିତର ଆଡ଼କୁ କୋଲପ ପଡ଼ିଥାଏ ବୋଲି ବାହାରେ ଗୋଟାଏ କିଛିର ଥାପନା ନ ହୋଇ ପାରିଲେ ସତେଅବା ବାଉଳା ହୋଇଯାଆନ୍ତି । ନିଜ ଭିତରେ ସତକୁ ସତ ବିଶ୍ଵାସରେ, ସ୍ଵୀକାରରେ ଏବଂ ପ୍ରୀତିରେ ନିର୍ଭରର ସହିତ ଛିଡ଼ା ହୋଇ ପାରିବା ସକାଶେ ସେମାନଙ୍କ ପାଦତଳେ ସତେଅବା କୌଣସି ଭୂଇଁ ନ ଥାଏ ବୋଲି ଏହି କାଟର ଲୋକମାନେ ବାହାରେ ଏକ କ୍ଷତିପୂରଣ ସଦୃଶ ଖୁଣ୍ଟଗୁଡ଼ାକର, ପ୍ରତିମା ଓ ଠାକୁରମାନଙ୍କର ଅନ୍ଵେଷଣ କରିବାରେ ଲାଗିଥାନ୍ତି । ଉଚ୍ଚ ମନ୍ଦିରଟିଏ ଦେଖିଲେ ଆପଣାର ଫମ୍ପାଗୁଡ଼ାକର ପୂରଣ ହୋଇ ଗଲାପରି ଅନୁଭବ କରନ୍ତି । କୌଣସି ଯୁଗରେ ଫମ୍ପା ମଣିଷମାନଙ୍କର ସଂଖ୍ୟାରେ ବୁଦ୍ଧି ଘଟିଲେ ବାହାରେ ମନ୍ଦିରଗୁଡ଼ାକ ତିଆରି କରିବା ନିମନ୍ତେ ଭାରି ଉଦ୍ଦୀପନା ବୃଦ୍ଧି ପାଇଥାଏ । ସଚରାଚର ରାଜାମାନେ ଆପଣା ଭିତରର ସତ ଆସ୍ଥାନଗୁଡ଼ିକରେ ଭାରି ଫମ୍ପା ହୋଇ ରହିଥାଆନ୍ତି ବୋଲି ସମ୍ଭବତଃ ମନ୍ଦିର ତିଆରି କରିବାରେ ଭାରି ଆନନ୍ଦ ପାଆନ୍ତି । ସେମାନଙ୍କ ଭିତରେ କୋଉ କାତ୍ୟାୟନୀ ସତେଅବା ତାଡ଼କା ହୋଇ ସେମାନଙ୍କର ତଣ୍ଟିକୁ କାମୁଡ଼ି ଧରିଥାଏ କେଜାଣି, ସେମାନେ ଆପଣା ଭିତରେ ମୈତ୍ରେୟଟିଏ ରହିଛି ବୋଲି ସ୍ଵୀକାର କରିବାକୁ ମଧ୍ୟ ସାହସ କରିପାରନ୍ତି ନାହିଁ । ଦେଉଳପରେ ଦେଉଳ ତିଆରି ହୁଏ, ତୁଚ୍ଛା କାମସୂତ୍ର ଗୁଡ଼ାକର ବିଧିରେ ପ୍ରତିମାମାନଙ୍କର ଥାପନା ହୁଏ, ମହିମାଗୁଡ଼ାକର ବଖାଣ ନିମନ୍ତେ ପୁରାଣର ଠାଣିରେ ଉପନ୍ୟାସମାନ ଲେଖାହୁଏ, ଜଣାଣର ଠାଣିରେ ତୁଚ୍ଛା କାମନାଭିତ୍ତିକ ବଖାଣମାନ ଲେଖାହୁଏ, ବେଢ଼ା ଭିତରର ବଜାରଟାକୁ ଆନନ୍ଦ ବଜାର ବୋଲି କୁହାଯାଏ, ମାତ୍ର ଏଣେ ହୃଦୟ ଭିତରେ ଖାଲି ହେଁସଗୁଡ଼ାକ ଉପରେ କୁଆ ଉଡ଼ୁଥାନ୍ତି,–ବୈଶାଖ ମାସରେ ପ୍ରଚଣ୍ଡ ଗହୀରରେ ଖାଲି ଚକୁଳିଆ ପଣ୍ଡାମାନେ କାନ ଅତଡ଼ା ପକାଉଥାନ୍ତି ସିନା, ମାତ୍ର ବନ୍ଧୁ ହୋଇ କେହି ଜଣେହେଲେ ଥିଲାପରି ଦେଖା ଯାଉନଥାନ୍ତି । ଏବଂ ଯେଉଁଠି ବନ୍ଧୁ ନ ଥାନ୍ତି, ସେଠାରେ ଜଗବନ୍ଧୁ ବା କୁଆଡ଼ୁ କିପରି ସମ୍ଭବ ହୋଇ ପାରିବେ ?

 

ଭଗବାନଙ୍କୁ ଅନୁଭବ ବା ପ୍ରତ୍ୟକ୍ଷ କରିବାକୁ ଯଦି ଧର୍ମର ଏକ ଅସଲ ଐଶ୍ୱର୍ଯ୍ୟ ବୋଲି କୁହାଯାଏ, ତେବେ କାହାପାଖରେ ଆଦୌ କୌଣସି ପ୍ରକାରେ ଦୋଷୀ ନ ହୋଇ ଏକଥା ମଧ୍ୟ କୁହାଯାଇପାରିବ ଯେ, ଭଗବାନ ସମ୍ୱନ୍ଧ ଭିତରେ ହିଁ ଥାଆନ୍ତି–ସିଏ ଡୋର ରୂପେ, ସୂତ୍ର ରୂପେ ଏବଂ ସେତୁରୂପେ ରହିଥାନ୍ତି । ହିନ୍ଦୁଧର୍ମରେ ସାମାଜିକ ପ୍ରୟୋଜନଗତ ତଥା ସ୍ଵାର୍ଥପ୍ରେରିତ ଏକାଧିକ କାରଣରୁ ଭଗବାନଙ୍କୁ କାନ୍ଥରେ, ବାଡ଼ରେ, ମନ୍ଦିର ସନ୍ଧିରେ ଏବଂ ଗଛକୋରଡ଼ରେ ଠାବ କରିବାକୁ ଭାରି ଉତ୍ସାହର ପ୍ରଦର୍ଶନ କରାଯାଇଛି ସତ, ମାତ୍ର ତାଙ୍କୁ ଆମ ସମ୍ବନ୍ଧଗୁଡ଼ାକ ଭିତରୁ ଅନ୍ତର କରି ରଖାଯାଇଛି । କେଡ଼େ ସୂତରରେ ଏହି ସମ୍ବନ୍ଧଗୁଡ଼ିକୁ ମାୟା ବୋଲି କୁହାଯାଇଛି । ଜୀଅନ୍ତା ମଣିଷମାନଙ୍କ ଭିତରେ ପ୍ରତିଶ୍ରୁତି ରୂପେ ପ୍ରଚ୍ଛନ୍ନ ହୋଇ ରହିଥିବା ସମ୍ବନ୍ଧଗୁଡ଼ିକୁ ମାୟା ବୋଲି କୁହାଯାଇ ଯେଉଁଠାରେ ପ୍ରତିମାମାନଙ୍କୁ ସତ ବୋଲି କହିବାର ଚକ୍ରାନ୍ତ କରାଯାଇଛି, ସେଠାରେ ଆମ କର୍ତ୍ତାମାନଙ୍କର ମତଲବଗୁଡ଼ାକୁ ହିଁ କଳା ବୋଲି କୁହାଯିବା ଉଚିତ । ସେହିମାନଙ୍କର ଅନୁଗ୍ରହରୁ ହିଁ ଆମ ଅନୁଷ୍ଠାନଗୁଡ଼ିକ ଆମ ଉପରେ ସତେଅବା Black Magic ପରି କାର୍ଯ୍ୟ କରୁଛି ଏବଂ ଆମ ଯାବତୀୟ ପ୍ରଦର୍ଶନ ସତ୍ତ୍ୱେ ଆମକୁ କାବୁ କରି ରଖିଛି । ଜୀବନରେ ଆମକୁ ବୋକା ବନାଇ ତେଣେ ମହାପାତ୍ରେ ହୋଇ ସବୁ ମାରି ନେଉଥିବା ଭୀଷଣ ଓ ବୀଭତ୍ସମାନେ ହିଁ ଆମର ବିବେକ ଉପରେ କଳା ବୋଳି ରଖିଛନ୍ତି । ଆମ ଭିତରେ ତଥା ଆମ ବାହାରେ ଆମ ଜୀବନରେ ଯଥାର୍ଥ ବିମୋଚନ ଓ ଯଥାର୍ଥ ସାକ୍ଷାତ୍‍କାର ଗୁଡ଼ିକରୁ ଆମକୁ ବଞ୍ଚିତ କରି ରଖିଛନ୍ତି । ଆମର କେତେକେତେ ହୃଦୟକୁ ସେମାନେ ବଣା କରି ରଖିଛନ୍ତି । ଆମର ଅସଲ ଘର ଓ ଅସଲ ପରିଚୟଗୁଡ଼ିକୁ ବିଟମାନେ ଅଧିକାର କରି ବସିଛନ୍ତି । ଏବେ ସେହି ବିଟମାନେ ଆମକୁ ଜାତିର କଥା ବି କହୁଛନ୍ତି । ଜଗନ୍ନାଥଙ୍କୁ ଓଡ଼ିଆ ଜାତିର ବୋଲି କହୁଛନ୍ତି । ଜଗତର ନାଥ ହୋଇ ଯେଉଁ ଦେବତା ଆଖର ଗୋଟାଏ ଜାତିର ସମ୍ପତ୍ତି ଏବଂ ଅହମିକାରେ ପରିଣତ ହୋଇ ରହିବାଲାଗି ସମ୍ମତି ଦିଅନ୍ତି ଓ କାମୁକ କେତେଜଣଙ୍କର ଜାତୀୟତାବାଦୀ ସଂସ୍କୃତି ବର୍ଜିତ ପ୍ରକୋପନକୁ ପ୍ରଜ୍ଜ୍ୱଳିତ କରି ରଖିବାରେ ସମିଧ ପରି ବ୍ୟବହୃତ ହୁଅନ୍ତି, ତାଙ୍କୁ କଳି ଏକାବେଳେକେ ଗ୍ରାସ କରି ରହିଲାଣି ବୋଲି କହିଵାକୁ ପଡ଼ିବ । ଜଗନ୍ନାଥଙ୍କର ପୁନମୂଲ୍ୟାୟନ ହେଉ, ପୁନରାବିଷ୍କାର ହେଉ । ତାଙ୍କୁ ଆମ ଆଦିମତାର ଗର୍ଭଗୁଡ଼ାକ ଭିତରୁ ମୁକ୍ତ କରି ଅଣାଯାଉ । ତେବେ ଯାଇ ହୁଏତ ଆମ ପ୍ରତିମାତୃଷ୍ଣାର ମୋହ ଭିତରୁ ମୁକ୍ତ ହୋଇ ଆସିବାକୁ ଆମକୁ ମଧ୍ୟ ଏକ ବାଟ ମିଳିଯାଇ ପାରିବ ।

 

ସେ ଯୁଗ ଆଉ ଏ ଯୁଗ ହୋଇ କଦାପି ରହିନାହିଁ । ଏ ଯୁଗର ବିଜ୍ଞାନ ମଧ୍ୟ ଅସଲ ଧର୍ମଭାବନା ଏବଂ ଅସଲ ଆଧ୍ୟାତ୍ମିକତା ଆଡ଼କୁ ଆମର ବାଟ ଫିଟାଇ ଦେବାଲାଗି ସହାୟକ ହେବାକୁ ସମ୍ମତ ହେଲାଣି । ପୃଥିବୀଟା ଯେ ପ୍ରକୃତରେ କେଡ଼େ ବଡ଼, କେଡ଼େ ବିଚିତ୍ର, ଇତିହାସରେ ସମ୍ଭବତଃ ସର୍ବପ୍ରଥମ ଥର ପାଇଁ ତାହାକୁ ବାହାରେ ତଥା ଭିତରେ ଅନୁଭବ କରିବାଲାଗି ଏକ ସୁଯୋଗ ଆସି ଆମ ଦ୍ଵାରଦେଶରେ ଉପସ୍ଥିତ ହେଲାଣି । ଏକାବେଳେକେ ଏକ ଅନ୍ୟ ଆହ୍ଵାନର କାରଣ ହେଲାଣି । ଏକାବେଳେକେ ଏକ ଅନ୍ୟ ପରିଧିର ଆହ୍ଵାନ, ଏକ ଅନ୍ୟ ପ୍ରସ୍ଥର ଆହ୍ଵାନ । ଆଗାମୀ ଏକାଧିକ ଶତାବ୍ଦୀ ସମଗ୍ର ମନୁଷ୍ୟଜାତି ନିମନ୍ତେ ମୂଳତଃ ଏହି ପ୍ରସ୍ଥ ବଦଳାଇବାର ଶତାବ୍ଦୀ ରୂପେ କାର୍ଯ୍ୟ କରିବାକୁ ଉଦ୍ଦିଷ୍ଟ ହୋଇ ରହିବାକୁ ଯାଉଛି । ଜଗତର ଖାଲି ହିନ୍ଦୁ ନାହାନ୍ତି, ଅନ୍ୟ ଅନେକେ ମଧ୍ୟ ଅଛନ୍ତି । ଜଗତର ନାଥ ସେହି ଅନ୍ୟ ଅନେକଙ୍କର ମଧ୍ୟ ନାଥ, କେବଳ ଏକ ହିନ୍ଦୁଜଗତର ନାଥ ନୁହନ୍ତି । ଓଡ଼ିଶାରେ ଯେଉଁମାନେ ଏକ ସ୍ଥାନୀୟ ଭୂମିର ସାଂସ୍କୃତିକ ଓ ଭାଗବତ ଉତ୍ତରାଧିକାରୀ ହୋଇ ଜନ୍ମ ହୋଇଥିଲେ ମଧ୍ୟ ଓଡ଼ିଶା ବାହାରେ ଏକ ବୃହତ୍ତର ପୃଥିବୀ ରହିଛି ବୋଲି ପ୍ରକୃତରେ ସଚେତନ ଅଛନ୍ତି, ଏକ ସ୍ଥାନୀୟ ଭୂମିରେ ବିଚରଣ କରୁଥିଲେ ମଧ୍ୟ ଯେଉଁମାନେ ଏକ ବୃହତ୍ତର ଆକାଶକୁ ଆପଣାର ଅନୁରାଗ–ଚେତନାରେ ସତକୁସତ ଅନୁଭବ କରି ପାରୁଛନ୍ତି, ସେମାନେ ଜଗତର ନାଥଙ୍କୁ ସବାଆଗ ଜଗତର ନାଥ ବୋଲି ସ୍ଵୀକାର କରନ୍ତୁ, ତାଙ୍କୁ ଗୋଟାଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଇଷ୍ଟଦେବତା ହୋଇ ରହିବାର କଷଣରୁ ମୁକ୍ତ କରନ୍ତୁ । ସ୍ଥାନୀୟତା ନୁହେଁ, ବହୁ ବିଚିତ୍ରତା ଓ ସେହି ବୈଚିତ୍ର୍ୟକୁ ଏକତ୍ର ଗୋଟିଏ ଅଖଣ୍ଡତା ରୂପେ ଗୁନ୍ଥି ରହିଥିବା ଏକ ଅନ୍ତଃସୂତ୍ର ଯେ ଆମ ଆଗାମୀ ପୃଥିବୀରେ ସବୁଠାରୁ ବଡ଼ ଐଶ୍ୱର୍ଯ୍ୟରୂପେ ପ୍ରତିଷ୍ଠିତ ହେବାକୁ ଯାଉଛି, ଭଗବାନଙ୍କର ସିଂହଦ୍ଵାରରେ ଛିଡ଼ା ହୋଇ ସେମାନେ ସେହି କଥାଟିର ଘୋଷଣା କରନ୍ତୁ । ପୁରୁଣା ଆନୁଷ୍ଠାନିକତା ଗୁଡ଼ାକୁ ଅସ୍ଵୀକାର କରି ପାରିବାର ହିମ୍ମତ ଦେଖାନ୍ତୁ । ଆପଣାକୁ ନ ଲୋଡ଼ି ଜଗତକୁ ଲୋଡ଼ନ୍ତୁ, ଜଗତର ଅନ୍ତର୍ଗତ କରି ଆପଣାଙ୍କୁ ଦେଖି ଶିଖନ୍ତୁ । ଧର୍ମର ରଙ୍ଗ କଳା ହୋଇଗଲା ବୋଲି କ୍ଷୋଭ ବା ଅଭିମାନ ନ କରି ଓ ମିଛ ଉତ୍ତେଜନାଗୁଡ଼ାକୁ ସୃଷ୍ଟି ନ କରି ସେମାନେ ଆଗ ଆପଣା ମୁହଁର କଳାଗୁଡ଼ାକୁ ପୋଛି ଦିଅନ୍ତୁ, ଆଖିକୁ ଆତ୍ମରତି ହୋଇ ରହିବାର ଯାବତୀୟ କଳାରୁ ମୁକ୍ତ କରନ୍ତୁ ।

 

ଏକ କିମ୍ବଦନ୍ତୀ ଅନୁସାରେ, ଯେତେବେଳେ ଯୀଶୁଖ୍ରୀଷ୍ଟ କୁଆଡ଼େ ପୁରୀକ୍ଷେତ୍ରକୁ ଆସିଥିଲେ, ଜାତିଭେଦକୁ ମାନିବା ବିଷୟରେ ସିଏ ପଣ୍ଡାମାନଙ୍କର ପରାମର୍ଶ ଗ୍ରହଣ କରି ନ ଥିବାରୁ ପଣ୍ଡାମାନେ ତାଙ୍କୁ ମାଡ଼ ମାରି ନିକାଲି ଦେଇଥିଲେ । ଅର୍ଥାତ୍, ହିରଣ୍ୟକଶିପୁ ପରି ସେ ଯୁଗରେ ମଧ୍ୟ ପୁରୀରେ ପଣ୍ଡାମାନେ ରହିଥିଲେ । ପ୍ରାୟ ଚାରିଶହ ବର୍ଷତଳେ ତୀର୍ଥ–ପର୍ଯ୍ୟଟନର କ୍ରମରେ ଯେତେବେଳେ ନାନକ ପୁରୀକୁ ଆସି ଜଗନ୍ନାଥଙ୍କର ଦର୍ଶନାକାଂକ୍ଷୀ ହୋଇଥିଲେ, ସେତେବେଳେ ପଣ୍ଡାମାନେ ତାଙ୍କୁ ଦେଉଳ ଭିତରେ ପୂରାଇ ଦେଇ ନ ଥିଲେ । ନାନକ ସନ୍ଥ ଥିଲେ, ତେଣୁ ଦବିଲେ ନାହିଁ । ଯିଏ ସନ୍ଥ, ଅର୍ଥାତ୍‍ ସତ୍‍-ସ୍ଥ, ସିଏ ଦେଉଳ ବାହାରେ ମଧ୍ୟ ଭଗବାନଙ୍କୁ ପ୍ରତ୍ୟକ୍ଷ କରିବାକୁ ସମର୍ଥ ହୁଏ । ନାନକ କ୍ଷୋଭ କରି ନ ଥିଲେ, ଧର୍ମର ମୁହଁ କଳା ବୋଲି କହି ହୁରି ପକାଇ ନ ଥିଲେ, –ସିଏ ବାହାରେ ରହିଲେ, ସେଇଠି ରହି ଜଗଦୀଶ୍ଵରଙ୍କ ଉଦ୍ଦେଶ୍ୟରେ ଗୋଟିଏ ଭଜନ ରଚନା କଲେ, ସୂର୍ଯ୍ୟ ଓ ତପନ ତୁମର ଆରତି କରୁଛନ୍ତି, ସମଗ୍ର ଆକାଶ ଚାନ୍ଦୁଆ ପରି ଟଣାହୋଇ ରହିଛି, ଇତ୍ୟାଦି, ଇତ୍ୟାଦି କେତେ କଥା । ଭକ୍ତହୃଦୟର କଥା, ସାହସୀ ଦର୍ଶନାର୍ଥୀର କଥା । ନାନକ ଜିତିଲେ, ପଣ୍ଡାଏ ହାରି ଯାଇଥିଲେ; ପ୍ରତିମା ହାରିଗଲା, ଭଗବାନଙ୍କର ବିଜୟ ଘୋଷିତ ହେଲା । ନାନକଙ୍କ ନାଆଁ ରେ ଆଜି ସ୍ଵର୍ଣ୍ଣମନ୍ଦିର ତିଆରି ହେଲାଣି । ମାତ୍ର କେତେଜଣ ମଣିଷ ନାନକଙ୍କ ପରି ସାହସ ଦେଖାଇ ପାରୁଛନ୍ତି ? ଭୀରୁମାନେ କଦାପି ଜଗନ୍ନାଥଙ୍କୁ ବଳାତ୍କାରୀମାନଙ୍କର କବଳରୁ ମୁକ୍ତ କରି ପାରିବେ ନାହିଁ । ହିନ୍ଦୁ ଧର୍ମରେ ବହୁବିଧ କାରଣରୁ ଭୀରୁମାନଙ୍କର ସଂଖ୍ୟା ଭାରି ଉତ୍କଟ ଓ ଅତ୍ୟାଧିକ ଭାବରେ ବୃଦ୍ଧି ପାଉଛି ବୋଲି ମଣିଷ ଏଠି ଭଗବାନଙ୍କୁ ନ ଲୋଡ଼ି ଆନୁଷ୍ଠାନିକତାକୁ ଅଧିକ ଲୋଡ଼ୁଛି । ସିଏ ଆପଣାର କଳାଗୁଡ଼ାକୁ ଲୁଚାଇ ରଖିବବୋଲି ଧର୍ମର ରଙ୍ଗ କଳା ହୋଇଗଲା ବୋଲି ଏକ ମିଛ ତ୍ରାସ ସୃଷ୍ଟି କରିବାକୁ ମନ କରୁଛି କି-? (୧୦ । ୨ । ୮୮)

 

(୨୮)

 

ବିଭିନ୍ନ ଧର୍ମ ମଧ୍ୟରେ ଏକ ସମନ୍ଵୟ-ସ୍ଥାପନର କଥା କହିଲେ ବିଭିନ୍ନ ମଣିଷ ବିଭିନ୍ନ ଭାବରେ ବୁଝନ୍ତି । ଯେତେବେଳେ ପୃଥିବୀ କହିଲେ କେବଳ ଆପଣାର ସ୍ଥାନୀୟ ଚଳଣି, ସ୍ଥାନୀୟ ଭାଷା, ସ୍ଥାନୀୟ ଧର୍ମରୀତି ଏବଂ ସ୍ଥାନୀୟ ଅର୍ଥାତ୍ ପରିଚିତ ଛାଞ୍ଚଗୁଡ଼ିକୁ ବୁଝାଉଥିଲା, ସେତେବେଳେ ମଣିଷମାନଙ୍କର ଅନ୍ଦାଜ ଗୁଡ଼ିକ ମଧ୍ୟ ସେମାନଙ୍କର ସେହି ପୃଥିବୀ ପରି ସାନ ଓ ସ୍ଥାନୀୟ ହୋଇ ରହିଥିଲା । ସାନ ହୋଇଥିବାରୁ କିଞ୍ଚିତ୍ ନିବିଡ଼ ଲାଗୁଥିଲା ସତ, ମାତ୍ର ତଥାପି ଭାରି ସାନ ହୋଇ ରହିଥିଲା । ଅନ୍ୟ ଚଳଣି, ଅନ୍ୟ ଧାରା ଓ ଅନ୍ୟ ରୀତିର ସଂପର୍କରେ ଆସିଲେ ପ୍ରାୟ ଗୋଟାସୁଦ୍ଧା ଆଖି ବୁଜିଦେଇ ଆପଣଟାକୁ ଶୁଦ୍ଧ ଓ ଅସଲ ବୋଲି କୁହାଯାଉଥିଲା ଏବଂ ଅନ୍ୟଗୁଡ଼ାକୁ ଅବର ଅର୍ଥାତ୍ ନୀରସା ବୋଲି ଧରିନିଆ ଯାଉଥିଲା । ଗୋଟିଏ ପ୍ରକାର ମନୋଭାବର ସ୍ତର ରହିଛି, ଯେଉଁଠାରେ କି ଆପଣାଟାକୁ ଅସଲ ବୋଲି ଦେଖାଇ ପାରିବା ଲାଗି ଅନେକ ଅପର ସବୁକିଛିକୁ ନକଲି ବୋଲି ମଣିବାକୁ ପ୍ରାୟ ଆବଶ୍ୟକ ବୋଲି ବିଚାର କରିଥାନ୍ତି । ଅତୀତ ଯୁଗମାନଙ୍କରେ ଏହିପରି ହତାଦରର ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ । ଖ୍ରୀଷ୍ଟିଆନ୍ ପାଦ୍ରୀମାନେ ଯେତେବେଳେ ଧର୍ମସାମ୍ରାଜ୍ୟର ପୁଷ୍ଟୀକରଣ ଉଦ୍ଦେଶ୍ୟରେ ୟୁରୋପରୁ ଅନ୍ୟାନ୍ୟ ଭୂଖଣ୍ଡରେ ଯାଇ ପହଞ୍ଚିଥିଲେ, ସେତେବେଳେ ସେମାନଙ୍କର ମନ ଭିତରେ ଅଧିକାଂଶତଃ ସେହିପରି ଏକ ପ୍ରତିକ୍ରିୟା ହୋଇଥିଲା । ପରିଚୟ ବୃଦ୍ଧି ପାଇବା ପରେ ପରେ ଯାଇ ସେହି ପ୍ରତିକ୍ରିୟାରେ କୌଣସି ପରିବର୍ତ୍ତନ ହୋଇଥିଲା । ଖାଲି ଇଉରୋପୀୟ ପାଦ୍ରୀମାନଙ୍କର କ୍ଷେତ୍ରରେ ନୁହେଁ, ସେତେବେଳେ ଇଉରୋପ ସମେତ ଆରବରାଜ୍ୟ ଗୁଡ଼ିକର ଯେଉଁ ପରିବ୍ରାଜକମାନେ ଆପଣା ଖଣ୍ଡଟିରୁ ବାହାରି ବୃହତ୍ତର ପୃଥିବୀକୁ ଦେଖି ଯାଇଥିଲେ, ସେମାନଙ୍କ ଭିତରୁ ଅଧିକାଂଶଙ୍କ ମନ ଭିତରେ ଊଣା ଅଧିକେ ପ୍ରାୟ ସେହିଭଳି ଏକ ପ୍ରତିକ୍ରିୟା ହୋଇଥିଲା ଏବଂ ସେହି ପ୍ରତିକ୍ରିୟାକୁ ଅନ୍ତତଃ ପରିବ୍ରାଜକମାନଙ୍କର ନିଜ ଦେଶରେ ଅଥବା ସମାଜରେ ଅତ୍ୟନ୍ତ ସ୍ଵାଭାବିକ ବୋଲି ଧରି ନିଆଯାଉଥିଲା ।

 

ଧର୍ମର ଆଲୋଚନା-କ୍ଷେତ୍ରରେ ତୁଳନାତ୍ମକ ଅଧ୍ୟୟନର ବିଚାରଟି ଏଇଥିରୁ ଜନ୍ମଲାଭ କଲା । ପ୍ରଧାନତଃ ଖ୍ରୀଷ୍ଟିଆନ୍ ପାଦ୍ରୀମାନେ ହିଁ ପୁରୋଧା ହୋଇ ଏକ ନୂଆ କ୍ଷେତ୍ରଟାର ମୂଳଦୁଆ ପକାଇଥିଲେ । କହିବା ବାହୁଲ୍ୟ, ସେମାନେ ଆପଣାର ଛାଞ୍ଚ ଓ ମାନଗୁଡ଼ିକୁ ସବୁଠାରୁ ସରସା ବୋଲି ପ୍ରମାଣ କରିବାର ଅଭିପ୍ରାୟରେ ହିଁ ସେହି ତୁଳନାତ୍ମକ ଧନ୍ଦାଗୁଡ଼ିକ ଆଡ଼େ ମନ ଦେଇଥିଲେ-। ଏହି ଧର୍ମଟା ଆମର ଧର୍ମ ଓ ଆମେ ଏହି ଧର୍ମରେ ବିଶ୍ଵାସ କରୁଛୁ ବୋଲି ଯେ, ଆମେ ଏହାକୁ ସର୍ବଶ୍ରେଷ୍ଠ ବୋଲି କହୁଛୁ, ସେକଥା ଆଦୌ ନୁହେଁ; ଆମର ଧର୍ମ ପ୍ରକୃତରେ ସର୍ବଶ୍ରେଷ୍ଠ ବୋଲି ଆମେ ପ୍ରମାଣ କରି ଦେଖାଇ ମଧ୍ୟ ଦେଉଛୁ–ଉକ୍ତ ଉଦ୍ୟମଗୁଡ଼ିକ ପଛରେ ପ୍ରାୟ ଏହିପରି ଏକ ସାନ୍ତ୍ଵନାମୂଳକ ଦମ୍ଭ ଲୁକ୍‍କାୟିତ ହୋଇ ରହିଥିଲା । ଏବେ ମଧ୍ୟ ଇଉରୋପୀୟ ପାଠାଶାଳା ମାନଙ୍କରେ ପିଲାଙ୍କ ପାଇଁ ଯେଉଁସବୁ ଧର୍ମୀୟ ପାଠ୍ୟପୁସ୍ତକର ପ୍ରଣୟନ କରାଯାଉଛି, ସେଥିରେ ଖ୍ରୀଷ୍ଟିଆନ୍ ଧର୍ମ ସହିତ ଇସ୍‍ଲାମ୍, ବୌଦ୍ଧ ଧର୍ମ ଓ ହିନ୍ଦୁ ଧର୍ମ ଆଦିର କେତେକ ବିବରଣୀ ରହିଛି ସତ, ମାତ୍ର ତଥାପି ଅତ୍ୟନ୍ତ ସୁନିର୍ଦ୍ଦିଷ୍ଟ ଭାବରେ ସେହି ଉଣେଇଶି ବିଇଶିର ଓଳମମାନ ଅବଶ୍ୟ ଧରା ହୋଇଛି । ସେଠି କୁନି କୁନି ପିଲାମାନେ ବୟସ୍କମାନଙ୍କର ବରାଦ ଅନୁସାରେ ଯେଉଁସବୁ ଧର୍ମୀୟ ସ୍ତୋତ୍ର-ସଂଗୀତମାନ ଗାନ କରୁଛନ୍ତି, ସେଥିରେ ମଧ୍ୟ ବହୁ ଆଳରେ ଆପଣାଟାକୁ ହିଁ ଅପର ସମସ୍ତଙ୍କଠାରୁ ଅଧିକ ବୋଲି କହିବାର ଉତ୍ସାହମାନ ପ୍ରକାଶ ପାଇଛି । ଆପଣାର ଧର୍ମକୁ, ସେହି ଧର୍ମ କେବଳ ବହିରେ ରହିଥାଉ ଅର୍ଥାତ୍ ଜୀବନରେ ଆଦୌ ନ ଥାଉ ପଛକେ ଅଥବା, ଖୁବ୍‍ ବେଶି ହେଲେ କେତେଟା ବିଧି ଓ ବ୍ୟବସ୍ଥାର ବାହ୍ୟ ଉପଚାର ବ୍ୟତୀତ ଅଧିକାଂଶ ତଥାକଥିତ ବିଶ୍ଵାସୀ ମଣିଷ ତାହାକୁ ଆଦୌ କିଛି ବୋଲି ବୁଝୁ ନଥାନ୍ତୁ ପଛକେ, ଆପଣାର ଧର୍ମକୁ ସବା ବଡ଼ ଓ ସର୍ବଶ୍ରେଷ୍ଠ ବୋଲି ଅନୁଭବ କରିବାକୁ ହିଁ ଅନେକ ମଣିଷ ଧର୍ମୀୟତା ବା ଧାର୍ମିକତା ବୋଲି ବିଶ୍ଵାସ କରିଥାନ୍ତି । ଧର୍ମ ଭିତରକୁ ଏକ ଉଗ୍ର ଜାତୀୟତାବାଦ ପଶି ଆସିବା ପରେ ସେହି ବିଶ୍ଵାସଟା ମଧ୍ୟ ଅଧିକ ଅନୁକୂଳଟା ପାଇଛି ଓ ଅଧିକ ଉଗ୍ର ହୋଇଛି । ଚିକାଗୋ ଧର୍ମ ମହାସଭାକୁ ସ୍ଵାମୀ ବିବେକାନନ୍ଦ ଏକଦା ହିନ୍ଦୁ ଧର୍ମର ଗରିଷ୍ଠତା ପ୍ରମାଣ କରିବାକୁ ଯାଇଥିଲେ ବୋଲି ହୁଏତ ଏବେ ମଧ୍ୟ ହିନ୍ଦୁତ୍ଵକୁ ଏକ ଜାତୀୟତା ପ୍ରାୟ ବିଶ୍ଵାସ କରି ଆପଣାକୁ ଯଥାର୍ଥରେ ଧର୍ମସ୍ଥ ବୋଲି ଅନୁଭବ କରୁଥିବା ବହୁସଂଖ୍ୟକ ହିନ୍ଦୁ ଅତ୍ୟନ୍ତ ନିଷ୍ଠାପର ଭାବରେ ବିଶ୍ଵାସ କରିଥାନ୍ତି ।

 

ଆପଣାର ଧର୍ମଟାକୁ ଅର୍ଥାତ୍ ଧର୍ମମାର୍ଗଟାକୁ ସବାବଡ଼ ବା ସର୍ବଶେଷ୍ଠ ବୋଲି ପ୍ରତିପାଦିତ କରିବାକୁ ଅବତାର-ବାଦର ଚର୍ଚ୍ଚାରେ ବହୁ ଯୁଗରୁ ଅବତାରୀ ନାମକ ଅପପ୍ରସଙ୍ଗଟି ଅତ୍ୟନ୍ତ ସନ୍ତର୍ପଣ ସହିତ ସ୍ଥାନ ପାଇ ଆସିଛି । ତୁଳନାତ୍ମକ ଭାବରେ ସ୍ଵଶ୍ରେଷ୍ଠତ୍ଵର ପ୍ରତିପାଦନ କରିବାରେ ଇଏ ହେଉଛି ଆଉ ଗୋଟିଏ ଉପାୟ । ଉପାସନା ନାମଙ୍କ ଧର୍ମସ୍ଥ ପ୍ରକରଣଟି ବାହ୍ୟ ବୈଚିତ୍ର୍ୟଗୁଡ଼ାକୁ ମୂଳ କରି ବହୁ ସଂପ୍ରଦାୟରେ ଭାଗ ଭାଗ ହୋଇ ଯିବାକୁ ଆରମ୍ଭ କରିବା ପରେ ଦକ୍ଷ ଧର୍ମାନୁଗାମୀମାନେ ସେହି ଉପାୟଟିକୁ ଅବଲମ୍ବନ କରିଛନ୍ତି । ଶାକ୍ତ ଶୈବକୁ ନିନ୍ଦିଛି, ଶୈବ୍ୟ ବୈଷ୍ଣବକୁ ନିନ୍ଦିଛି–ବ୍ୟାସକୁଟମାନେ ଦାସକୁଟଙ୍କ ଠାରୁ ଭିନ୍ନେ ହୋଇ ଯାଇଛନ୍ତି । କିଏ ଆପଣାକୁ ମହାଯାନୀ କହି ଅନ୍ୟମାନଙ୍କୁ ଅତ୍ୟନ୍ତ ତୁଳନାତ୍ମକ ଭାବରେ ହୀନଯାନୀ ବୋଲି କହିଛି । ଅସଲ ଗାୟତ୍ରୀମନ୍ତ୍ରର ଉତ୍ସାହାତ୍ମକ ନକଲମାନ କରି ସଂପ୍ରଦାୟୀ ଉତ୍ସାହୀମାନେ ଆପଣାର ସ୍ଵତନ୍ତ୍ର ଗାୟତ୍ରୀମାନ ରଚିବାର ଫାନ୍ଦି ବାହାର କରିଛନ୍ତି ଓ ସେଇଟିକୁ ବିଶେଷ ଫଳପ୍ରଦ ବୋଲି ଘୋଷଣା କରିଛନ୍ତି । ଅତୀତରେ ଓଡ଼ିଶାରେ ଜଗନ୍ନାଥ ମନ୍ଦିରକୁ ଯେତେ ଯେତେ ସଂପ୍ରଦାୟୀ ଓ ପ୍ରରାରକାମୀ ଦିଗ୍‍ବିଜୟୀମାନେ ଆସିଛନ୍ତି, ସେମାନେ ରଜା ଏବଂ ପଣ୍ଡାମାନଙ୍କୁ ରାଜି କରାଇ ମନ୍ଦିରର ନୀତିରେ ଆପଣା ବହି ଭିତରର କେତେଟା ମନ୍ତ୍ର ବା ବିଧାନକୁ ଢୁକାଇ ଦେଇ ତାହାକୁ ହିଁ ସତେଅବା କେଡ଼େ ବଡ଼ ବିଜୟ ବୋଲି ଅନୁଭବ କରିଛନ୍ତି । ଜଗନ୍ନାଥରୂପୀ ଗୋଟାଏ ତୁଚ୍ଛା ବୁଣାଟ ଉପରେ ସେମାନେ ସତେଅବା ନିଜ ନିଜର ଏକମାତ୍ର ଛପରକୁ ବାଡ଼େଇ ଦେଇ ଯାଇଛନ୍ତି ଓ ଜଗନ୍ନାଥଙ୍କୁ ନିଜର ଶିବିରଭୁକ୍ତ କରିନେଲେ ବୋଲି ଆତ୍ମାଶ୍ଳାଘା ମଧ୍ୟ ପାଇଛନ୍ତି । ଏବେ, ଆମ ଭିତରୁ କେତେ ଉତ୍ସାହୀ ମଣିଷ ତାହାର ଏକ ମହାନ ସମନୟର ଉଲଗଣା ଦେଇ କେତେକ ପୁଲକ ଅନୁଭବ କରୁଛନ୍ତି । ଆଦି ଶଙ୍କରଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ଶ୍ରୀ ଚୈତନ୍ୟଙ୍କ ପର୍ଯ୍ୟନ୍ତ ପ୍ରକ୍ରିୟାଟି ଅତ୍ୟନ୍ତ ପ୍ରୀତିର ସହିତ ଅବାରିତ ଭାବରେ ଲାଗି ରହିଆସିଛି ।

 

ଗୌଡ଼ୀୟ ବୈଷ୍ଣବମାନେ ଶ୍ରୀ ଚୈତନ୍ୟଙ୍କୁ ବା କୃଷ୍ଣଙ୍କୁ ଅବତାରୀ ବୋଲି କହିଛନ୍ତି । ଆପଣାର ଗୁରୁଙ୍କୁ ସଚଳ ଜଗନ୍ନାଥ ବୋଲି କହି ଜଗନ୍ନାଥଙ୍କର ଅଚଳତ୍ଵ ପ୍ରତି ଭକ୍ତମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଆ ବୈଷ୍ଣବମାନେ ସତେଅବା ଏଣୁ ଭୁଷାଏ ମାରିଲା ପରି ଜଗନ୍ନାଥଙ୍କୁ ଅବତାରୀ ବୋଲି ଘୋଷଣା କରିଛନ୍ତି ଏବଂ ବିରୁଡ଼ିବସାରେ ହାତ ମାରିଲା ପରି, ଆପଣାର ଇଷ୍ଟଦେବ ଶ୍ରୀ ଜଗନ୍ନାଥଙ୍କୁ ଷୋଳକଳା ବୋଲି କହି କୃଷ୍ଣ ଅର୍ଥାତ୍ ନନ୍ଦବଳାଙ୍କୁ ତହିଁରୁ କେବଳ ଗୋଟାଏ ମାତ୍ର କଳାର ଚଉହଦୀ ଭିତରେ ଆଣି କିଳି ଦେଇଛନ୍ତି । ବୌଦ୍ଧଶାସ୍ତ୍ର ସୁଖାବତୀବ୍ୟୂହ୍ୟରେ ଶାକ୍ୟମୁନି ବୁଦ୍ଧଙ୍କୁ ସବୁ ଦେବତାଙ୍କ ଉପରେ ସର୍ବୋଚ୍ଚ କରି ନେଇ ବସାଇ ଦିଆଯାଇଛି । ଅନ୍ୟ ଦେବତାମାନେ ସେହି ବ୍ୟୂହରେ ନାନା ନିମ୍ନତର ଥାନରେ ରହିଛନ୍ତି ଏବଂ ଶାକ୍ୟମୁନିଙ୍କର ସେବା ଖଟୁଛନ୍ତି । ଓଡ଼ିଶାର ପଞ୍ଚସଖା ଏବଂ କବି ଭୀମଭୋଇଙ୍କର ଶୂନ୍ୟ ପୁରୁଷଙ୍କ ପାଖରେ ଜଗନ୍ନାଥ, ଶିବ, ବ୍ରହ୍ମା ଓ ବିଷ୍ଣୁମାନେ ସେବା ଖଟୁଛନ୍ତି । କିଏ ଆଲଟ ଧରିଛି ତ ଆଉକିଏ ଚାମର ଧରିଛନ୍ତି । ଆଉ କିଏ ଦ୍ଵାରପାଳ ରୂପେ ନିୟୋଗ ଭିତରେ ରହିଛି । ଏ ଗୁଡ଼ିକୁ ଏକ ବିଶେଷ ତୁଳନାତ୍ମକ ଦୃଷ୍ଟି ବୋଲି ଅବଶ୍ୟ କୁହାଯାଇ ପାରିବ । ସେହି ଅଭ୍ୟାସଟି ଭାରତବର୍ଷରେ ଆମ ଏବଯାଏ ମଧ୍ୟ ଗଡ଼ି ଆସିଛି । ରାମକୃଷ୍ଣ ପରମହଂସଙ୍କର ଅନୁଗାମୀମାନେ ସେହି ଉତ୍ସାହଟି ଦ୍ଵାରା ନିଜକୁ ଛନ୍ଦିଦେଇ ତାଙ୍କୁ ‘ଅବତାରବରିଷ୍ଠ’ ବୋଲି କହିବାକୁ ଆଗଭର ହୋଇ ଯାଇଛନ୍ତି । ସେହି ଫର୍ମୁଲା ଭିତରେ ପଶିଯାଇ ଶ୍ରୀ ଅରବିନ୍ଦଙ୍କର ଭକ୍ତମାନେ ତାଙ୍କୁ ମଧ୍ୟ ଯଦି ଅବତାରବରିଷ୍ଠ ବୋଲି କହିବାକୁ ଆରମ୍ଭ କରନ୍ତି, ତେବେ ସେଥିରେ ଆଦୌ କାହାରି କିଛି କହିବାର ନାହିଁ । ତାହାକୁ ଅସ୍ଵାଭାବିକ ବୋଲି କହିବାକୁ ମଧ୍ୟ କୌଣସି ଉପାୟ ନାହିଁ । ଅବତାର ବା ଈଶ୍ଵରପ୍ରେରିତ ବାର୍ତ୍ତାବହମାନେ ଇହଜଗତରେ ସେମାନଙ୍କର କାର୍ଯ୍ୟ ସାରି ସ୍ଵର୍ଗକୁ ଫେରି ଯାଇଛନ୍ତି ଓ ସେମାନଙ୍କ ଲାଗି ନିରୂପିତ ହୋଇ ରହିଥିବା ସ୍ଥାନମାନଙ୍କରେ ଅବସ୍ଥାପିତ ହୋଇ ରହିଛନ୍ତି । ତଥାପି ଖ୍ରୀଷ୍ଟିଆନ୍ ଧର୍ମରେ ବିଶ୍ଵାସ କରୁଥିବା ଅନେକଙ୍କର ଅନୁମାନ ଯେ, ସ୍ଵର୍ଗରେ ଯୀଶୁ ପରମେଶ୍ଵରଙ୍କର ଡାହାଣ ପାଖରେ ବସିଛନ୍ତି । ସେଇ ଏକୁଟିଆ ଡାହାଣ ପାଖରେ ଆସନ ପାଇଛନ୍ତି, ଆଉ ସମସ୍ତେ ବାଆଁ ପାଖରେ ଅଛନ୍ତି । ତୁଳନାତ୍ମକ ଧର୍ମାଭିମାନର ଏହି ପ୍ରବୃତ୍ତିଟି ସଚରାଚର ଅଭିମାନୀମାନଙ୍କୁ ଭାରି ସାନ୍ତ୍ଵନା ଦେଇଛି । ଆପଣାର ଠାକୁରମାନଙ୍କୁ ଉଚ୍ଚତମ ସ୍ଥାନରେ ବସାଇଦେଇ ସେମାନେ ସତେ ଅବା ନିଜେ ମଧ୍ୟ ଅନ୍ୟ ଅବର ମଣିଷମାନଙ୍କର ତୁଳନାରେ ନିଜକୁ ପ୍ରବଳ ଓ ଉଚ୍ଚତର ବୋଲି ଅନୁମାନ କରି ନେଇଛନ୍ତି ।

 

ଚାର୍ଲିଆଣ୍ଡୃଜ୍ ଇଂଲଣ୍ଡର ଲୋକ । ତାଙ୍କର ଜନ୍ମ ଓ ଶିକ୍ଷା ଇଂଲଣ୍ଡରେ, ଦୀକ୍ଷା ଖ୍ରୀଷ୍ଟିଆନ୍‍ ଧର୍ମରେ । ଏକଦା ସେ ବିଶ୍ଵଭାରତୀ ଶାନ୍ତିନିକେତନରେ ଶିକ୍ଷକତା କରୁଥିଲେ । ପରବର୍ତ୍ତୀ କାଳରେ ସହାତ୍ମା ଗାନ୍ଧୀଙ୍କର ଜଣେ ନିକଟତମ ସହଯୋଗୀ ହୋଇଥିଲେ । ଆମ ଓଡ଼ିଶାରେ ସିଏ ଦୀନବନ୍ଧୁ ଆଣ୍ଡୃଜ୍‍ ବୋଲି ପରିଚିତ ବି ଥିଲେ । ଖ୍ରୀଷ୍ଟିଆନ୍‍ ଧର୍ମ ହିଁ ପୃଥିବୀର ସବୁ ଧର୍ମ ମଧ୍ୟରେ ସର୍ବଶ୍ରେଷ୍ଠ ବୋଲି ସିଏ ତାଙ୍କ ପିଲାଦିନେ ସ୍କୁଲରେ ପଢ଼ିଥିବେ ଏବଂ ସେହି ଅନୁମାନଟି ତାଙ୍କର ରକ୍ତ ଭିତରେ ପ୍ରାୟ ବଦ୍ଧ ହୋଇ ବସି ଯାଇଥିବ ।

 

ଭାରତବର୍ଷକୁ ଆସିବା ପରେ ବିବିଧ ଅନ୍ୟ ମାର୍ଗଗୁଡ଼ିକର ସମ୍ମୁଖୀନ ହେବା ପରେ ମଧ୍ୟ ତଥାପି ସେହି ସର୍ବମୂଳ ବିଶ୍ଵାସଟି ତାଙ୍କୁ କେତେ ସୁଦୃଢ଼ ଭାବରେ ଯେ, କାମୁଡ଼ି ଧରିଥିଲା, ୧୯୧୨ ମସିହାରେ ସିଏ ଲେଖିଥିବା ଗୋଟିଏ ପୁସ୍ତକରୁ ତାହାର ପରିଚୟ ମିଳି ଯାଇଥାଏ । ରାରତୀୟ ନବଜାଗରଣ ବିଷୟରେ ଲିଖିତ ତାଙ୍କର ଏହି ପୁସ୍ତକଟିରେ ଆଣ୍ଡୃଜ୍‍ ଖ୍ରୀଷ୍ଟିଆନ୍‍ ଧର୍ମ ବ୍ୟତୀତ ବିଶ୍ଵର ଯାବତୀୟ ଧର୍ମକୁ Praeparatio Ovangelica ବୋଲି କହିଛନ୍ତି । ଅର୍ଥାତ, ପୃଥିବୀର ଯାବତୀୟ ଧର୍ମ ସାରଧର୍ମ ଖ୍ରୀଷ୍ଟିଆନ୍ ମାର୍ଗଲାଗି ଭୂମି ପ୍ରସ୍ତୁତ କରି ଆସୁଥିଲା ଏବଂ ଖ୍ରୀଷ୍ଟିଆନ୍‍ ଧର୍ମରେ ହିଁ ବିଶ୍ଵର ଧର୍ମାକାଙକ୍ଷା ଆପଣାର ପୂର୍ଣ୍ଣ ପରିଣତି ଲାଭ କରିଥିଲା । ଚାର୍ଲସ୍ ଡାରଉଇନ୍‍ଙ୍କର ବିବର୍ତ୍ତନବାଦ ଇଉରୋପୀୟ ବହୁ ଆଲୋଚନାର କ୍ଷେତ୍ରରେ ପ୍ରାୟ ଏକ ଫେଶନ୍‍ରେ ପରିଣତ ହେବା ପରେ ଖ୍ରୀଷ୍ଟୀୟ ଧର୍ମତତ୍ଵବାଦୀମାନେ ସେମାନଙ୍କର ତୁଳାନାତ୍ମକ ଧର୍ମଚର୍ଚ୍ଚାକୁ ପ୍ରାୟ ଏହିପରି ଏକ ରଙ୍ଗ ଦେଇ ଦେଖାଇବାକୁ ଚେଷ୍ଟା କରୁଥିଲେ ଏବଂ ଏକ ବୈଜ୍ଞାନିକ ପଦ୍ଧତିର ସାହାଯ୍ୟରେ ମଧ୍ୟ ଆପଣାର ଧର୍ମକୁ ସର୍ବଶ୍ରେଷ୍ଠ ଓ ପରିଣତତମ ଧର୍ମ ବୋଲି ଦେଖାଇ କେତେ ପରିତୃପ୍ତି ଲାଭ କରୁଥିଲେ । ଆଲୋଚ୍ୟ ପୁସ୍ତକର ଏକ ଅଧ୍ୟାୟରେ ଶ୍ରୀଯୁକ୍ତ ଆଣ୍ଡୃଜ୍‍ ହିନ୍ଦୁ ଧର୍ମ ସହିତ ଖ୍ରୀଷ୍ଟିଆନ୍‍ ଧର୍ମର ଏକ ତୁଳନାତ୍ମକ ମୂଲ୍ୟାୟନ କରିଛନ୍ତି ଏବଂ କହିବା ବାହୁଲ୍ୟ, ସାତଟି କ୍ଷେତ୍ରରେ ଗୋଟିଏକୁ ଆରଟି ଠାରୁ ସ୍ଵତନ୍ତ୍ର ଓ ସାରତର ବୋଲି ଦର୍ଶାଇଛନ୍ତି । ପ୍ରତିପାଦ୍ୟଟି ପୂର୍ବରୁ ସ୍ଥିରୀକୃତ ହୋଇଗଲେ ତଥ୍ୟପ୍ରମାଣ ଗୁଡ଼ିକୁ ଯେ କିପରି ଅନୁରୂପ ଭାବରେ ଦୁହିଁ ଅଣାଯାଏ ଏବଂ ସରିକୁ ସରି ବେଣୀ ବାନ୍ଧି ଦିଆଯାଏ, ଆମ ଅନେକଙ୍କ ପରି ଚାର୍ଲି ଆଣ୍ଡୃଜ୍‍ଙ୍କୁ ମଧ୍ୟ ସେକଥା ଅବଶ୍ୟ ଜଣାଥିଲା ।

 

ଧର୍ମ ଏକ ଉତ୍ତେଜନା ନୁହେଁ, ଧର୍ମ ହେଉଛି ଏକ ପରିବେଶ । ଆମ ଭିତରୁ ଯେଉଁମାନେ ତାହାକୁ ସତେଅବା ଏକ ଉତ୍ତେଜନା ରୂପେ ଗ୍ରହଣ କରିଥାନ୍ତି, ସେମାନେ ଧର୍ମକୁ ନେଇ ଭାରି ଝୁଣ୍ଟନ୍ତି, ଆପଣାର ଧର୍ମକୁ ସବୁଠାରୁ ବଡ଼ ଗୋଛା କରି ଦେଖାଇ ପାରିବେ ବୋଲି ସେଥିରେ କେତେ ଅଳିଆ ଆଣି ଭର୍ତ୍ତି କରି ଦିଅନ୍ତି । ଅଳିଆ ଗୁଡ଼ାକୁ ନେଇ ହୁଏତ ସବୁଠାରୁ ଅଧିକ ଗର୍ବ ଅନୁଭବ କରନ୍ତି । ଫଳରେ ଛନ୍ଦି ହୋଇ ଯାଆନ୍ତି ଏବଂ ଯେଉଁଠାରେ ଥିଲେ ସେହିଠାରେ ହିଁ ରହି ଯାଆନ୍ତି । ଇତିହାସରେ ବିଧାତା ମଣିଷମାନଙ୍କର ଏହି ତାମସାଟାକୁ ପ୍ରାୟ ଆଦିକାଳରୁ ଦେଖି ଆସିଛି । ଆମର ଏହି କାଳଟାରେ ସେହି ତାମସା କେତେ ଭଳି ନୂଆ ପରିଚ୍ଛଦ ପରିଧାନ କରିଛି ସତ, ମାତ୍ର ତଥାପି ସେହି ତାମସା ହୋଇ ରହିଛି । ପୃଥିବୀରେ ଅଧିକାଂଶ ସମାଜରେ ଧର୍ମକୁ ପ୍ରଧାନତଃ ଏକ ଉତ୍ତେଜନା ରୂପେ ହିଁ ପିଲାମାନଙ୍କର ଅପାକଳ ଗ୍ରହଣେନ୍ଦ୍ରିୟ ଗୁଡ଼ିକ ଭିତରେ ଭର୍ତ୍ତି କରି ଦିଆ ଯାଇଥାଏ । ସେହି ଅପାଳକ ସମୟରୁ ହିଁ ତାହା ଆମର ମଗଜଟାକୁ ଏପରି ଭାବାତୁର ଭାବରେ କାମୁଡ଼ି ଧରିଥାଏ ଯେ, ଆମେ ଆମର ଯାବତୀୟ ପ୍ରକାରର ହେତୁ ପାଇବାପରେ ମଧ୍ୟ ସେହି କାମୁଡ଼ାର ମୋହ ଭିତରୁ ମୁକ୍ତ ହୋଇ ପାରୁନାହୁଁ । ତେଣୁ ଜୀବନରେ ଯାହାର ସ୍ପର୍ଶ ଆସି ବାଜିଲେ ଏବଂ ଯାହା ପାଇଁ ସତକୁ ସତ ଥାନଟିଏ କରିପାରିଲେ ଆମର ଦୃଷ୍ଟି, ଆମର ଶ୍ରଦ୍ଧା ଓ ଆମ ଜୀବନର ସମଗ୍ର ଭୂମିଟି ଅଧିକ ପ୍ରଶସ୍ତ ହୋଇ ପାରୁଥାନ୍ତା, କାହାରି କବଳରେ ପଡ଼ି ଆମେ ତାକୁ ଛାଡ଼ି କେଡ଼େ ଉତ୍ତପ୍ତ ଭାବରେ ସଂକୀର୍ଣ୍ଣ ହୋଇ ରହୁ, ଅଳପ ହୋଇ ରହିବାକୁ ପ୍ରକୃତରେ କେତେ ଭଲ ପାଉଥାଉ ! ଆମର ବୁଦ୍ଧି ଗୁଡ଼ାକ ମଧ୍ୟ ସେତେବେଳେ ଆମର ଏହି ସଂକୀର୍ଣ୍ଣ ହୋଇ ରହିବାରେ ଅଧିକ ସାହାଯ୍ୟ କରୁଥାଏ,–ଆମକୁ ଅଧିକରୁ ଅଧିକ ଦୁଷ୍ଟ ହେବାଲାଗି ପ୍ରଶ୍ରୟ ଦେଉଥାଏ । ସଭାରେ ହୁଏତ ସମସ୍ତେ ସମ୍ୱନ୍ୱୟର କଥା କହୁଥାନ୍ତି, ମାତ୍ର ଅସଲ ଗଣ୍ଠି ଗୁଡ଼ିକର କ୍ଷେତ୍ରରେ ସେଇ ଚୁଚୁନ୍ଦ୍ରାଟିକୁ କାମୁଡ଼ି ରହିଥାନ୍ତି । କାମୁଡ଼ି ରହିବାଟାକୁ ହିଁ ସେହି ଦୁଷ୍ଟତାର ଅଭିଧାନ ଅନୁସାରେ ନିଷ୍ଠା ବୋଲି କୁହାଯାଏ । ତଥାକଥିତ ଧର୍ମନିଷ୍ଠା ଆମର ଜୀବନନିଷ୍ଠାକୁ ଗିଳି ପକାଏ, ଘୃଣାମାନେ ଆସି ଶ୍ରଦ୍ଧାଗୁଡ଼ିକୁ ଗିଳି ପକାନ୍ତି, ନାନାବିଧ ଉତ୍ତପ୍ତତା ଆମର ଯାବତୀୟ ଗ୍ରହଣଶୀଳତାକୁ କାବୁ କରି ରଖିଥାନ୍ତି । (୧୭ । ୨ । ୮୮)

 

(୨୯)

 

ଏକ ଏକ ଆଉ ଏକ ମିଶିଲେ ଯେ ତିନି ହୁଏ, ତାହାକୁ ହୁଏତ ଏକ ଯୋଗଫଳ ବୋଲି କୁହାଯାଇ ପାରେ, ମାତ୍ର ଏକ ସମନ୍ଵୟ ବୋଲି କଦାପି କୁହାଯାଇ ପାରିବ ନାହିଁ । ଧର୍ମର ଇତିହାସରେ ବହୁବାର ପ୍ରାୟ ଏହିପରି ଏକ ଖେଚୁଡ଼ି ରନ୍ଧାହୋଇଛି ଏବଂ ଉତ୍ସାହୀମାନେ ତାହାକୁ ଏକ ସମନ୍ଵୟ ବୋଲି କହିଛନ୍ତି । ଏବେ, ବିଶେଷ ଶ୍ରାଦ୍ଧଅବସର ମାନଙ୍କରେ ଅନେକେ ଯାହାକୁ ସର୍ବଧର୍ମ-ପ୍ରାର୍ଥନା ବୋଲି କହୁଛନ୍ତି ଏବଂ ତାହାରି ଦ୍ଵାରା ଧର୍ମ ଧର୍ମ ଭିତରେ ଏକ ସମନ୍ଵୟର ଉଦ୍ୟମ କରାଗଲା ବୋଲି ଅନୁମାନ କରୁଛନ୍ତି, ସେଥିରେ ସମ୍ଭବତଃ ସେହିପରି ଏକ ନିରୀହ ଉତ୍ସାହ ପ୍ରେରକ ପରି କାର୍ଯ୍ୟ କରୁଛି । ବିଭିନ୍ନ ଧର୍ମରୁ ବ୍ୟକ୍ତିମାନେ ଆସି ଆପଣା ଆପଣାର ଧର୍ମଗ୍ରନ୍ଥରୁ କିଛି ଅଂଶର ପାଠ କିମ୍ବା ଆବୃତ୍ତି କଲେ କଦାପି ସମନ୍ଵୟ ହୋଇ ଯାଏନାହିଁ । ତଦ୍ଦ୍ଵାରା ଏକ ଖେଚେଡ଼ିର ସାନ୍ନିଧ୍ୟଜନିତ ଆସ୍ଵାଦନ ଅବଶ୍ୟ ମିଳେ ସତ, ମାତ୍ର ସେତିକି ବ୍ୟତୀତ ଅଧିକ ପ୍ରାୟ କିଛି ହେଲେ ହୁଏନାହିଁ । ପ୍ରତ୍ୟେକେ ନିଜ ଧର୍ମର ଗୋହିରିଟି ସହିତ ଅତ୍ୟନ୍ତ ମୋହପୁଲକିତ ଭାବରେ ବାନ୍ଧି ହୋଇ ରହିଥାନ୍ତି, ହୁଏତ କେବଳ ଆପଣା ଧର୍ମଟିକୁ ହିଁ ଅନ୍ୟ ସକଳ ଧର୍ମଠାରୁ ଶ୍ରେଷ୍ଠ ବୋଲି ମଣୁଥାନ୍ତି,–ତେଣୁ ପ୍ରାର୍ଥନାସଭାର ମିଳିତ ଦରବାରଟିରେ ସେମାନେ କେବଳ ଆପଣାକୁ ହିଁ ଦେଖୁଥାନ୍ତି,–ସେଠାରେ ସମନ୍ଵୟର ଗନ୍ଧ ସୁଧା ନଥାଏ । ସମନ୍ଵୟ ହେଉଛି ଏକ ଦୃଷ୍ଟିକୋଣ,–ନିଜର ଭିତରେ ସଂସାର ଆଡ଼କୁ ଅବଲୋକନ କରିବାର ଏକ ବିଶେଷ ପରିବେଶ ଏବଂ ନିଜ ବାହାରେ ମଣିଷ ମାତ୍ରକେ ସମସ୍ତଙ୍କ ସହିତ ଦୂରତାହୀନ ସମ୍ବନ୍ଧ ଯୋଡ଼ି ପାରିବାର ଏକ ପରିବେଶ । ଆପଣା ଭିତରେ ଆପଣାର ସଂସ୍କାରଗତ ଗାରଗୁଡ଼ିକୁ ଡେଇଁ ପାରିଲେ ଯାଇ ଜଣେ ବ୍ୟକ୍ତି ସମନ୍ଵୟ ଲାଗି ସମ୍ମତ ହୋଇପାରେ । ଭିତରେ ସତକୁ ସତ ଏକ ଉନ୍ମୋଚନ ଘଟି ପାରିଲେ ଯାଇ ମଣିଷ ସମନ୍ଵୟକୁ ମନ କରେ । ତେଣୁ, ମୋଟେ କୌଣସି ଯୋଗଫଳ ବାହାର କରିବାର ଆବଶ୍ୟକ ନଥାଏ, କୌଣସି ଖେଚଡ଼ି ରାନ୍ଧିବାର ବି ପ୍ରୟୋଜନ ନଥାଏ । ନିଜ ବାଟରେ ରହି ମଧ୍ୟ ନିଜର ନିରୂପିତ ଗାରଗୁଡ଼ିକୁ ଡେଇଁ ପାରିବା, ଅତ୍ୟନ୍ତ ସହଜ ଭାବରେ ଗ୍ରହଣ କରିପାରିବା,–ଆପଣାକୁ ବଡ଼ ବୋଲି କହିବା ଲାଗି ଆଉ କେତେଟାକୁ ନୀରସା ଓ ସାନ ବୋଲି କହିବାର ଲୋଭରେ ନପଡ଼ିବା, ଏବଂ ସର୍ବୋପରି, ଯାବତୀୟ ମୂର୍ତ୍ତି ଓ ଭେକର ବାଡ଼ ଡେଇଁ ମର୍ମକୁ ଛୁଇଁ ପାରିବା ଏବଂ ତେଣୁ କୌଣସି ମୂର୍ତ୍ତିକୁ ବି ଅବର ବୋଲି ଅନୁଭବ ନକରିବା–ତାହାହିଁ ସମନ୍ଵୟ । ଏହି ସମନ୍ଵୟ କେବଳ ଏକ ଦୃଷ୍ଟି ନୁହେଁ,–ଏହା ହେଉଛି ଏକ ବାଟ,–କ୍ରିୟାଶୀଳ ପ୍ରସାରଣ ଲାଗି ଏକ ବିଶେଷ ବାସନା ।

 

ସାଧକ ଶ୍ରୀ ରାମକୃଷ୍ଣ ପରମହଂସ ଆପଣା ସାଧନାର ପ୍ରତ୍ୟକ୍ଷ ଉପଲବ୍‍ଧିୟମ୍‍ ଜୀବନରେ ଆମ ସମସ୍ତଙ୍କ ଲାଗି ଏକ ଅଭିନବ ସମନ୍ଵୟର ନିଦର୍ଶନ ଦେଇ ଯାଇଛନ୍ତି । ସିଏ ପର୍ଯ୍ୟାୟକ୍ରମେ ହିନ୍ଦୁ ହୋଇଛନ୍ତି, ମୁସଲମାନ ହୋଇଛନ୍ତି ଓ ଖ୍ରୀଷ୍ଟିଆନ୍ ହୋଇଛନ୍ତି । ପ୍ରତ୍ୟେକ ଧର୍ମର ମାର୍ଗ –ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରି ସିଏ ପ୍ରତ୍ୟେକ ଧର୍ମର ଚାରଣା କରିଛନ୍ତି ଏବଂ ପଥ ଭିନ୍ନ ଭିନ୍ନ ହୋଇଥିଲେ ହେଁ ଲକ୍ଷ୍ୟ ଯେ ସେଇ ଗୋଟିଏ, ସେହି ସତ୍ୟଟିକୁ ପ୍ରକଟ କରାଇଛନ୍ତି । ଲକ୍ଷ୍ୟ ହେଉଛି ଜଳ, ବିଭିନ୍ନ ମାର୍ଗର ଭାଷାରେ ତାହା ବିଭିନ୍ନ ନାମ ରହିଛି । ତଥାପି ନାମ ଭିନ୍ନ ଭିନ୍ନ ହେଲେ ମଧ୍ୟ ସମସ୍ତେ ସେହି ଗୋଟିଏ ସମ୍ପଦର ପିପାସାରେ ବାଟ ଚାଲୁଛନ୍ତି । ଅର୍ଥାତ୍, ପିପାସା ମଧ୍ୟ ସେହି ଗୋଟିଏ । ମାତ୍ର ଭେକ ଅଲଗା, ରୀତି ଅଲଗା, ବିଧାନ ମଧ୍ୟ ଅଲଗା । ସମନ୍ଵୟର ଏହିପରି ଏକ ଅର୍ଥ କରି ଦେଖାଇଦେବା ନିମନ୍ତେ ହୁଏତ ସେତେବେଳେ ଏକ ଅନୁରୂପ ଆବଶ୍ୟକତା ରହିଥିଲା ଓ ଶ୍ରୀ ରାମକୃଷ୍ଣ ସମ୍ପୃକ୍ତ ସମସ୍ତଙ୍କୁ ସେହି ଅଭିନବ ପରିଚଚାଟି ଆଣି ଦେଇଥିଲେ । ଭାରତୀୟ ଧର୍ମଧାରାରେ ସିଏ ବହୁତ ଆଗକୁ ଆମ ସମସ୍ତଙ୍କ ଲାଗି ବାଟ କଢ଼ାଇ ନେଇଥିଲେ । ମାତ୍ର, କେବଳ ନାମରେ ହିଁ କ’ଣ ଏହି ବାଟଗୁଡ଼ିକ ବିଭିନ୍ନ ? ପୃଥିବୀ ବିଷୟରେ ମନୁଷ୍ୟର ଜ୍ଞାନ ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ମନୁଷ୍ୟର ପୃଥିବୀବିଷୟକ ଭୂଗୋଳ ମଧ୍ୟ ବଦଳି ବଦଳି ଯାଉଛି । ଟଲେମୀଙ୍କ ସମୟରେ ଏହି ପୃଥିବୀ ବିଷୟରେ ଏକ ସମ୍ୟକ୍‍ ଧାରଣା ଦେବାକୁ ଯାଇ ପୃଥିବୀର ଯେଉଁ ମାନଚିତ୍ର ତିଆରି ହୋଇଥିଲା, କାଳକ୍ରମେ ଅଧିକରୁ ଅଧିକ ପୃଥିବୀଖଣ୍ଡମାନ ଆବିଷ୍କୃତ ହେବା ସଙ୍ଗେ ସଙ୍ଗେ ସେହି ମାନଚିତ୍ର ମଧ୍ୟ ସେହି ଅନୁସାରେ ବଦଳି ବଦଳି ଯାଉଥିଲା । ପୃଥିବୀର ଏକ ସମ୍ପୂର୍ଣ୍ଣ ମାନଚିତ୍ର, ପ୍ରସ୍ତୁତ କରିବା ବିଷୟରେ ପ୍ରତ୍ୟେକ ଯୁଗରେ ସମ୍ପୃକ୍ତ ସମସ୍ତଙ୍କର ସମ୍ପୂର୍ଣ୍ଣ ସାଧୁତା ଏବଂ ନିଷ୍ଠା ଅବଶ୍ୟ ରହିଥିଲା ସତ, ମାତ୍ର ମଣିଷର ମାନଚିତ୍ରଟିଏ ତିଆରି କରିବାର ସମର୍ଥ୍ୟ ସୀମାଟି ତା’ର ପୃଥିବୀ ବିଷୟରେ ଉପସ୍ଥିତ ଜ୍ଞାନାନୁମାନଟି ଦ୍ଵାରା ନିୟନ୍ତ୍ରିତ ହେବାକୁ ତଥାପି ବାଧ୍ୟ ହେଉଥିଲା । ପ୍ରାୟ ଠିକ୍ ସେହିପରି, ଆଧୁନିକ ପୃଥିବୀରେ ଦୂରତା ମାନ ନିଭି ନିଭି ଆସୁଥିବା ସଙ୍ଗେ ସଙ୍ଗେ ଗୋଟିଏ ସଂସ୍କୃତିର ଏକାବେଳେକେ ମୁହାଁମୁହିଁ ହୋଇ ଛିଡ଼ା ହୋଇ ପାରିବାର ଅବସରମାନ ଅନେକଗୁଣ ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ଏବଂ ସଖ୍ୟପରିଚୟର ଆହ୍ଵାନଗୁଡ଼ିକ ସତକୁ ସତ ବାସ୍ତବ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ମଣିଷର ଅନ୍ଦାଜଗୁଡ଼ାକ ମଧ୍ୟ ଅନୁରୂପ ଭାବରେ ବଦଳି ଯିବାକୁ ଅବଶ୍ୟ ବାଧ୍ୟ ହେବ ।

 

ପ୍ରତ୍ୟେକ ଭୂଖଣ୍ଡ ଓ ପ୍ରତ୍ୟେକ ସଂସ୍କୃତି ପରି ପ୍ରତ୍ୟେକ ଧର୍ମର ମଧ୍ୟ ଏକ ପରମ୍ପରା ଅବଶ୍ୟ ରହିଛି । ପରମ୍ପରା କହିଲେ ଅନେକ ତାହାକୁ ଅତୀତର ପ୍ରାୟ ସମବାଚୀ କରି ବୁଝିବାକୁ ମନ କରିଥାନ୍ତି । ଯାହାକିଛି ଥିଲା, ତାହା ପରମ୍ପରା,–ସେମାନେ ଏପରି କହିବାକୁ ମନ କରିଥାନ୍ତି । ପ୍ରାୟ ପ୍ରତ୍ୟେକ ସଂସ୍କୃତିରେ ପରମ୍ପରାକୁ ପବିତ୍ର ବୋଲି ମଣିବାର ଏକ ଅଭ୍ୟାସ ରହି ଆସିଥିବାରୁ, ଯାହାକିଛି ଥିଲା, ତାହାକୁ ମଧ୍ୟ ପବିତ୍ରତା ଜ୍ଞାନରେ ଦେଖିବାର ଏକ ବ୍ୟାଧି ମଧ୍ୟ ଆମ ଅନେକଙ୍କ ଭିତରେ ଭାରି ସୁକୁମାର ଭାବରେ ରହି ଆସିଛି । ବିଶେଷ କରି ଧର୍ମମାନଙ୍କରେ ଏହି ପ୍ରବୃତ୍ତିଟି ଅନେକ ମଣିଷଙ୍କୁ ଭାରି ଅନମନୀୟ ଭାବରେ କାମୁଡ଼ି ଧରି ରହିଛି । ପୁରାତନ ମାତ୍ରକେ ପ୍ରତ୍ୟେକ ଶାସ୍ତ୍ରକୁ ବିଶେଷ ଭାବରେ ପୁରୁଣା ଧର୍ମଶାସ୍ତ୍ରକୁ ପବିତ୍ର ବୋଲି କହିବାର ଅଭ୍ୟାସକୁ ଆମେ ପ୍ରାୟ ସେହି ବ୍ୟାଧିର ଅନ୍ତର୍ଗତ ବୋଲି ଅବଶ୍ୟ କହି ପାରିବା । ଯାହାକିଛି ଥିଲା, ତାହା କଦାପି ପରମ୍ପରା ନୁହେଁ । ଯାହାକିଛି ଥିଲା, ତାହା କଦାପି ପରମ୍ପରା ନୁହେଁ । ଯାହାକିଛି ଥିଲା, ତାହାର ବହୁତ କିଛି କାଳର ଆଘାତ ଓ ଆକ୍ରାନ୍ତ ଅନୁସାରେ ମରି ଉଡ଼ିଯାଇଛି । ବର୍ତ୍ତମାନ କଥା ଆଗାମୀ ଆହ୍ଵାନଗୁଡ଼ିକର ସମ୍ମୁଖୀନ ହୋଇ ପାରିବା ଲାଗି କେବଳ ଯେଉଁଗୁଡ଼ିକର ଏକ ପ୍ରାସଙ୍ଗିକତା ରହିଛି, ଯଥାର୍ଥରେ ସେହିଗୁଡ଼ିକୁ ହିଁ ଆମେ ପରମ୍ପରା ବୋଲି କହି ପାରିବା । ଅବଶ୍ୟ ଏକଥା ମଧ୍ୟ ସତ ଯେ, ଆଗାମୀ ବା ବର୍ତ୍ତମାନ କହିଲେ ଜଣେ ବ୍ୟକ୍ତି ଅଥବା ଏକ ଗୋଷ୍ଠୀ ହିସାବରେ ଆମେ ସତକୁ ସତ ଯେତିକି ଆହ୍ଵାନକୁ ବୁଝୁଛୁ, ପରମ୍ପରା ବିଷୟରେ ଆମର ସନ୍ଦର୍ଭ ଭୂମିଟି ଅନେକତଃ ତାହାରି ଦ୍ଵାରା ନିରୂପିତ ହେବାରେ ଲାଗିଛି । ଅତ୍ୟନ୍ତ ଅଜାଣତ ଭାବରେ ତାହା ହେଉଛି, ଆମ ପ୍ରତ୍ୟେକଙ୍କ ସଂସ୍କାର ଏବଂ ଶ୍ରଦ୍ଧାର ପରିସର ଅନୁସାରେ ହିଁ ତାହା ହେଉଛି । ତେଣୁ ଆମ ଦ୍ଵାରା ଗୃହୀତ ସତ୍ୟଗୁଡ଼ିକୁ ଏହି ଦୃଷ୍ଟିରୁ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଆମ ନିଜ ଉପରେ ନିର୍ଭର କରୁଛି ଏବଂ ଧର୍ମ ତଥା ସଂସ୍କୃତି ବିଷୟରେ ଆମେ ଯାହାସବୁ ପବିତ୍ର ବୋଲି ଅଭ୍ୟସ୍ତ ଭାବରେ କହୁଛୁ, ଆମର ଅଜାଣତରେ ସେଗୁଡ଼ିକ ମଧ୍ୟ ଭାଙ୍ଗି ଭାଙ୍ଗି ଯାଉଛି,–ପୁରୁଣା ଛାଞ୍ଚ ଭାଙ୍ଗି ନୂଆ ହେଉଛି । ନିଜ ଧର୍ମ ଭିତରେ ଥାଇ ମଧ୍ୟ ଆମେ ଆଉ ଆଉ କେତେ ଧର୍ମର ଛାଞ୍ଚ ଭିତରେ କୁଆଡ଼େ ମିଶି ମିଶି ଯାଉଛୁ ।

 

ଭାରତର ବୌଦ୍ଧଧର୍ମ ଯେତେବେଳେ ତିବ୍ଦତ ବାଟ ଦେଇ ଭାରତ ଛାଡ଼ି ଚୀନ ଓ ଜାପାନକୁ ଗଲା, ସେତେବେଳେ ତାହା ଆଉ ଠିକ୍‍ ସେହି ଧର୍ମ ହୋଇ ମୋଟେ ରହି ପାରିଲା ନାହିଁ-। ପ୍ରଚାରକ ତଥା ନବଦୀକ୍ଷିତମାନଙ୍କର ପ୍ରୀତ୍ୟର୍ଥେ ତାହାକୁ ତଥାପି ବୌଦ୍ଧ ଧର୍ମ ବୋଲି କୁହାଗଲା ସତ, ମାତ୍ର ଗ୍ରହଣକାରୀ ଦେଶଗୁଡ଼ିକର ଧର୍ମ ଏବଂ ଦୃଷ୍ଟି ସହିତ ଏକତ୍ର ଫେଣ୍ଟା ହୋଇ ତାହା ଯେପରି ଆଉ କ’ଣ ହୋଇଗଲା । କେକେକ ମିଶ୍ରଣ ବି ଅବଶ୍ୟ ହେଲା, ତଥାପି କେତେକ ସମ୍ମାର୍ଜ୍ଜନ ମଧ୍ୟ ହୋଇ ପାରିଲା । ଏପରିକି, ଭାରତବର୍ଷରେ ନୂଆ ବୌଦ୍ଧଧର୍ମର ପ୍ରଚାର ସମୟରେ ଯେଉଁ ହିନ୍ଦୁମାନେ ପ୍ରଥମେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ, ସେମାନଙ୍କର ହାଉଆ ପଶି ନୂଆ ବୌଦ୍ଧଧର୍ମ କ୍ରମେ ହିନ୍ଦୁଧର୍ମ ପରି ଦେଖା ଯିବାକୁ ଆରମ୍ଭ କଲା । ସ୍ଵୟଂ ବୁଦ୍ଧଦେବ ଏକ ମୂର୍ତ୍ତିରୂପ ଧାରଣ କଲେ, ମୂର୍ତ୍ତି ହେଉ ହେଉ ଅବତାର ହେଲେ । ପାଦ୍ରୀମାନେ ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାର କରିବାକୁ ଥାଟ ନେଇ ଆଫ୍ରିକା ମହାଦେଶକୁ ଆସିଲେ ସତ, ମାତ୍ର ଆଫ୍ରିକାର ଖ୍ରୀଷ୍ଟ ଧର୍ମ କ୍ରମେ ଖ୍ରୀଷ୍ଟ ଧର୍ମ ପରି ଦେଖା ନଯାଇ ଅଧିକ ପରିମାଣରେ ଏକ ଆଫ୍ରିକୀୟ ଆକୃତି ଏବଂ ପ୍ରକୃତିକୁ ଗ୍ରହଣ କରି ନେଇଥିଲା । ଏହି ପ୍ରକ୍ରିୟାଟିକୁ କେହି ଅସ୍ଵାଭାବିକ ବୋଲି କହିବାକୁ ମନ କରିବେ, ଆଉ କେହି ହୁଏତ ଅତ୍ୟନ୍ତ ସ୍ୱାଭାବିକ ବୋଲି କହିବେ । ମାତ୍ର ତଥାପି ସ୍ଵୀକାର କରିବାକୁ ହେବ ଯେ, ମଣିଷର ଗବାକ୍ଷଗୁଡ଼ିକ ଅଧିକରୁ ଅଧିକ ଖୋଲି ଯାଉଥିବା ସଙ୍ଗେ ସଙ୍ଗେ ମଣିଷ ଆଉ କଦାପି ପୁରାତନ ଛାଞ୍ଚଗୁଡ଼ିକ ଭିତରେ କିଳି ହୋଇ ରହିପାରିବ ନାହିଁ ଏବଂ ଆହୁରି ଅଧିକ ସ୍ଵାଭାବିକ କଥା ହେଉଛି ଯେ, ସିଏ ତା’ର ପାରମ୍ପରିକ ପୂର୍ବଗାମୀମାନଙ୍କ ପରି ଛାଞ୍ଚଗୁଡ଼ାକୁ ହିଁ ଆଉ ପବିତ୍ର ବୋଲି କଦାପି ଅନୁଭବ କରିବ ନାହିଁ । ଗତ ପ୍ରାୟ ଶହେ ବର୍ଷ ହେଲା ଏବଂ ବିଶେଷ କରି ଏହି ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ମନୁଷ୍ୟ ଜୀବନର ଛାଞ୍ଚଗୁଡ଼ାକ ସଚରାଚର ଯେପରି ବଦଳି ଯିବାରେ ଲାଗିଛି, ତାହାକୁ କେତେ ମଣିଷ ହୁଏତ ଏକ ଅସୁସ୍ଥ ପ୍ରକ୍ରିୟା ବୋଲି କହିବେ ସତ ଏବଂ ଆପଣାର ଗୋଡ଼ତଳୁ ନିର୍ଭରଯୋଗ୍ୟ ପ୍ରାୟ ସବୁଯାକ ମାଟି ଖସି ଖସି ଯାଉଥିବା ପରି ଅନୁଭବ କରିବେ ସତ, ମାତ୍ର ଏକାଧିକ ଦୃଷ୍ଟିରୁ ତାହାକୁ ଏକ ଆବଶ୍ୟକ ସୁସ୍ଥ ପ୍ରକ୍ରିୟା ବୋଲି ମଧ୍ୟ କୁହାଯାଇ ପାରିବ । ମନେ ହେବ, ଏହା ସତେ ଯେପରି ସମଗ୍ର ମନୁଷ୍ୟଜାତି ନିମନ୍ତେ ଏକ ଅଭୁତପୂର୍ବ ସୁସ୍ଥ ପ୍ରତିଶ୍ରୁତିକୁ ସାଙ୍ଗରେ ବହନ କରି ଆସୁଛି ।

 

ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଭାରତବର୍ଷରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ମଧ୍ୟରେ ଯେଉଁ ଭେଟାଭେଟି ଘଟିଥିଲା, ତାହାକୁ ଆମେ ସୁସ୍ଥ କହିବା ନା ଅସୁସ୍ଥ କହିବା ? ସେହି ପର୍ଯ୍ୟାୟରେ ଇତିହାସକାରମାନେ ତାହାକୁ ଏକ ରେନେସାନ୍‍ ବା ପୁନଃର୍ଜାଗରଣର ପର୍ବ ବୋଲି କହୁଛନ୍ତି । ବହୁ ଦିଗରୁ ଭାରତବର୍ଷ ନିମନ୍ତେ ତାହାକୁ ଏକ ପୁନରାବିଷ୍କାର ପର୍ବ ବୋଲି କୁହାଗଲେ ମଧ୍ୟ ତାହା ଯଥାର୍ଥରେ ଆମ ସାମୂହିକ ଜୀବନଭୂମି ଉପରେ ଏକ ନବଜାଗରଣ କାରଣ ରୂପେ କାର୍ଯ୍ୟ ମଧ୍ୟ କରିଥିଲା । ଆଗରୁ ଭାରତବର୍ଷକୁ ବହୁ ବିଦେଶୀଙ୍କର ଆଗମନ ଘଟିଥିଲା ସତ, ମାତ୍ର ଭାରତବର୍ଷରୂପୀ ଘରଟିରେ ଏକାବେଳେକେ ଏତେଗୁଡ଼ିଏ ଗବାକ୍ଷ ଆଗରୁ କେବେହେଲେ ଖୋଲି ନଥିଲା । ସେହି ପର୍ଯ୍ୟାୟଟିକୁ ଅତ୍ୟନ୍ତ ଉଚିତ ଭାବରେ ଗ୍ରହଣଶୀଳ ହେବାର ଏକ ଅନନ୍ୟ ସାହସିକ ପର୍ବ ବୋଲି କୁହାଯାଇ ପାରିବ । ସେହି କେତୋଟି ଦଶକ ମଧ୍ୟରେ ସାମୂହିକ ଜୀବନରେ ବହୁତର କ୍ଷେତ୍ରରେ ଏକାବେଳେକେ ଯେପରି ବହୁସଂଖ୍ୟକ ମହାନ୍ ପୁରୁଷ ତଥା ପ୍ରତିଭା ଗୁଡ଼ିକର ଆବିର୍ଭାବ ଘଟିଲା, ତାହାକୁ କଦାପି କେବଳ ଏକ ଆକସ୍ମିକ ଘଟଣା ବୋଲି କୁହାଯାଇ ପାରିବ ନାହିଁ । ଏକ ସମୂହର ସମ୍ମୁଖରେ ଉପସ୍ଥିତ ଆହ୍ଵାନ ଗୁଡ଼ିକ ଯେତେ ଅଧିକ ବିପୁଳ, ମୀମାଂସକ ଏବଂ ବହୁମୁଖୀ ହୁଏ, ତାହାର ସମ୍ମୁଖୀନ ହେବା ଲାଗି ସେତେବେଳେ ସମ୍ଭବତଃ ସେତିକି ଅଧିକ ସଂଖ୍ୟକ ଉତ୍ତୁଙ୍ଗ ପୁରୁଷଙ୍କର ଆବିର୍ଭାବ ହୁଏ । ଭାରତବର୍ଷରେ ଉକ୍ତ ପର୍ଯ୍ୟାୟରେ ତାହାହିଁ ଘଟିଥିଲା । ଗବାକ୍ଷଗୁଡ଼ିକ ସତେଅବା ବିଧିନିର୍ଦ୍ଦିଷ୍ଟ ଭାବରେ ଖୋଲିଯିବାକୁ ଲାଗିଲେ । ଏହାର କାରଣ ଦର୍ଶାଇ ହୁଏତ ଅଧିକ ଅଥବା ଅନଧିକ ମହତ୍ତ୍ଵର ଆରୋପ କରି ଆମେ କେତେ କ’ଣକୁ ଆଙ୍ଗୁଳି ନିର୍ଦ୍ଦେଶ କରିପାରିବା ସତ, ମାତ୍ର ପ୍ରାଚ୍ୟ ଓ ପାଶ୍ଚାତ୍ୟର ଏପରି ଅଭୁତପୂର୍ବ ଭାବରେ ପରସ୍ପର ସାମନାସାମନି ହୋଇ ଠିଆ ହେବାକୁ ହିଁ ଅସଲ କାରଣ ତଥା ଉତ୍‍ପ୍ରେରକ ବୋଲି ଅବଶ୍ୟ ସ୍ଵୀକାର କରିବା ।

 

ଏହି ସାମନାସାମନି ହେବା ଫଳରେ ଭାରତବର୍ଷ ଆଉ ସେହି ପୁରାତନ ଭାରତବର୍ଷ ହୋଇ ମୋଟେ ରହି ପାରିଲା ନାହିଁ । ହିନ୍ଦୁ ଧର୍ମ ମଧ୍ୟ ସେହି ପୁରାତନ ହିନ୍ଦୁଧର୍ମ ହୋଇ ରହିଲା ନାହିଁ । ବହିରାଗତର ଗ୍ରାସରେ ପଡ଼ି ଯାଇଥିଲେ ହୁଏତ ପରିଣାମ ଆଉପ୍ରକାରେ ହୋଇଥାନ୍ତା । ମାତ୍ର, ଗ୍ରାସରେ ପଡ଼ିବା ପୂର୍ବରୁ ବହିଃସଂକ୍ରମଣରୁ ପ୍ରେରଣା ପାଇ ଭାରତବର୍ଷ ଆପଣାକୁ ନୂତନ ରୂପରେ ଆବିଷ୍କାର କଲା ଏବଂ ତାହାର ଏକ ଶକ୍ତିମୟ ପରିଣତି ରୂପେ ଏଠାରେ ରବୀନ୍ଦ୍ରନାଥ ବାହାରିଲେ, ଶ୍ରୀ ଅରବିନ୍ଦ ବାହାରିଲେ, ଗାନ୍ଧୀ ବାହାରିଲେ, ସ୍ଵାମୀ ବିବେକାନନ୍ଦ ମଧ୍ୟ ବାହାରିଲେ । ଏମାନଙ୍କ ମଧ୍ୟରୁ କୋଉ ଜଣକୁ ଆମେ କେବଳ ହିନ୍ଦୁ ବୋଲି କହିପାରିବା ? ଏମାନଙ୍କ ମଧ୍ୟରୁ କୋଉ ଜଣକୁ ମଧ୍ୟ ଆମେ ହିନ୍ଦୁଧର୍ମର ସେହି ପୁରୁଣା ନାଳୀଗୁଡ଼ାକ ଭିତରେ ପକାଇ ସେମାନଙ୍କର ମୂଲ୍ୟାୟନ କରିପାରିବା ? ଖ୍ରୀଷ୍ଟିଆନ୍ ଧର୍ମ ଭାରତକୁ ଆସି ହିନ୍ଦୁଧର୍ମ ସହିତ ଟକ୍‍କର ଖାଇ ଏପରି ଏକ ନୂତନ ଉଦ୍‍ବେଳନ ସୃଷ୍ଟି କରିଥିଲା ଯେ, ସତେଅବା, ଦୁହିଁଙ୍କର ପରସ୍ପର–ସଂକ୍ରମଣରେ ଏକ ନୂତନ ଧର୍ମ, ନୂତନ ଦୃଷ୍ଟି ଏବଂ ନୂତନ ବୈପୁଲ୍ୟ ଜନ୍ମଲାଭ କରିଥିଲା । ବହୁ ଅସାର ଆପେ ଆପେ ଛାଡ଼ି ହୋଇଗଲା, ଆପଣାର ବୋଲି କହି ଯେ କୌଣସି ପ୍ରକାରେ ଜାକି ରଖିବାର ବହୁ ମାୟା କେଡ଼େ ସହଜରେ ତୁଟିଗଲା । ଆମ ପୁରୁଣା ଶାସ୍ତ୍ର, ପୁରୁଣା ଧର୍ମ ଓ ଏପରିକି ପୁରୁଣା ମନ୍ଦିର ଗୁଡ଼ିକରେ ଏକ ଅଭିନବ ନୂତନ ଗବାକ୍ଷ ଖୋଲି ଯାଇଥିଲା । ଅଳପଗୁଡ଼ାକୁ ନିଜର ବୋଲି ଆବୋରି ରହିବାର କେତେ ମୋହ ଦୂର ହୋଇଗଲା । ଅଳପକୁ ଅଳପ ବୋଲି ଆବିଷ୍କାର କରିବା, ତାହାକୁ ହିଁ ଯେକୌଣସି ସମୂହର ଏକ ଉଚ୍ଚତର ନବଜନ୍ମ ବୋଲି କୁହାଯାଇ ପାରିବ । (୨୪ । ୨-। ୮୮)

 

(୩୦)

 

ପୃଥିବୀ ଆଗେ ଯାହା ହୋଇ ରହିଥିଲା, ଏବେ ଆଉ ତାହା ହୋଇ ମୋଟେ ରହି ନାହିଁ-। ତେଣୁ, ସମନ୍ୱୟ କହିଲେ ପାରମ୍ପରିକ ପୃଥିବୀର ଶ୍ରଦ୍ଧାୟତନ ମଧ୍ୟରେ ଆମେ ପରମ୍ପରା କ୍ରମେ ଯାହା ବୁଝି ଆସିଥିଲୁ, ଏବେ ସମନ୍ଵୟ କହିଲେ ସେକଥା ମୋଟେ ବୁଝାଇବ ନାହିଁ । ଏହି କଥାଟି ସଂସ୍କୃତିର କ୍ଷେତ୍ରରେ ଯେତିକି ପ୍ରଯୋଜ୍ୟ ହେବ, ଆମ ଧର୍ମର କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି ପ୍ରଯୋଜ୍ୟ ହେବ । ହୁଏତ ଏପରି ଗୋଟିଏ ଯୁଗ ଆସୁଛି, ଯେତେବେଳେ କି ମଣିଷ ମାତ୍ରକେ ସମସ୍ତେ ଧର୍ମସ୍ଥ ହୋଇ ରହିବେ, ଅଥଚ କେହି କେବଳ ହିନ୍ଦୁ, କେବଳ ଖ୍ରୀଷ୍ଟିଆନ୍ ଅଥବା କେବଳ ମୁସଲମାନ ହୋଇ ରହିବେ ନାହିଁ । ତୁଚ୍ଛା ଭେକ ଏବଂ ତୁଚ୍ଛା ବିଧିଗୁଡ଼ାକର ହାଟମୂଲ୍ୟ ଏବେ ଯେତେ ଅଧିକ ବୋଲି ଦେଖାଯାଉଛି, ସେତେବେଳେ ସେଥିରେ ଅନେକ ହ୍ରାସ ଘଟିବ । ଏବେ ତ ଧର୍ମ ଅପେକ୍ଷା ଅଧିକାଂଶ ମଣିଷ ମୋ’ ଧର୍ମ ବୋଲି କହି ଭାରି ଅସୁନ୍ଦର ଭାବରେ ମୋହଗ୍ରସ୍ତ ହୋଇ ପଡ଼ିଛନ୍ତି । ମୋ’ ସଂସ୍କୃତି, ମୋ ‘ସାହିତ୍ୟ ଏବଂ ମୋ’ର ଦେଶ ବା ଜାତି କହି ଯେପରି କେତେ ମଣିଷ ତିମିର ଭିତରେ ମୁହଁ ମାଡ଼ି ରହିଛନ୍ତି ଓ ସେଇଥିରୁ ସତେ ଅବା କେତେ ନା କେତେ ପ୍ରମୋଦ ଲାଭ କରୁଛନ୍ତି, ଇଏ ପ୍ରାୟ ସେହିପରି ଏକ ଅସୁନ୍ଦର କଥା । ମୋ’ ସଂସ୍କୃତି ଉପରେ ମଧ୍ୟ ଏକ ସଂସ୍କୃତି ରହିଛି, ମୋ’ର ସାହିତ୍ୟ ଉପରେ ମଧ୍ୟ ଏକ ସାହିତ୍ୟ ରହିଛି ଏବଂ ମୋ’ ଜାତି ଉପରେ ଏକ ମାନବଜାତି ରହିଛି । ଅନେକ ମଣିଷ ଅଛନ୍ତି ଯେଉଁମାନେ କି ମୋ’ ସଂସ୍କୃତି, ମୋ’ ସାହିତ୍ୟ ଏବଂ ମୋ’ ଜାତି ବୋଲି କହି ଏତେ ଫୁଲେଇ ହୋଇ ରହିଥାନ୍ତି ଯେ, ସଂସ୍କୃତି, ସାହିତ୍ୟ ତଥା ଜାତିତ୍ଵର ଅସଲ ପରିମଳ ଗୁଡ଼ିକ ଦୃଷ୍ଟିରୁ ବିଚାର କଲେ ସେମାନେ ସତେଅବା କୋଉ ଅପସାଂସ୍କୃତିକ, ଅଣସାହିତ୍ୟିକ ଏବଂ ଅଜାତିଆ ହୀନସ୍ତରରେ ଯାଇ ବାନ୍ଧି ହୋଇ ରହିଥାଆନ୍ତି । ଗୋଟାକୁ ମୋ’ର ବୋଲି କହି ଏଡ଼େ ପାଟି କରିବାକୁ ହିଁ ସେମାନେ ଭଲ ପାଇବା ବେଲି କହନ୍ତି । ନିଜଟାକୁ ଭଲ ପାଇବା ବୋଲି କହିଲେ ସେମାନେ ଆଉ ଗୋଟାକୁ ଘୃଣା କରିବା ବୋଲି ବୁଝନ୍ତି । ସେମାନଙ୍କ ଭିତରରୁ ଗଭୀର ଯାଏ ଦେଖିଲେ, ସେମାନେ ସତେ ଯେପରି ସାହିତ୍ୟ, ସଂସ୍କୃତି ଓ ଜାତିର ଆଲରେ କେବଳ ନିଜକୁ ହିଁ ଭଲ ପାଉଥାନ୍ତି, ନିଜ ବ୍ୟତୀତ ଆଉ କାହାକୁ ହେଲେ ଦେଖି ପାରୁନଥାନ୍ତି ଏବଂ କେବଳ ନିଜକୁ ଦେଖିଥିବା ମଣିଷ ମୋଟେ ଭଲ ପାଇ ପାରେ ନାହିଁ ।

 

ଧର୍ମ ହେଉଛି ଏକ ପଥ, ଏକ ମତ ଆଦୌ ନୁହେଁ । ଇତିହାସରେ ତଥାକଥିତ ଏକ ଧାର୍ମିକ ଅତ୍ୟୁତ୍ସାହୀ ଏବଂ କ୍ଷମତାଲୋଭୀ ମଣିଷମାନେ ଅଧିକାଂଶ ସମୟରେ ପଥଟାକୁ ମତରେ ପରିଣତ କରି ପକାଇଛନ୍ତି । ଅଧିକ ନିର୍ଭୁଲ ଭାବରେ କହିଲେ, ସେମାନେ ପଥଗୁଡ଼ାକୁ ମତର ସ୍ତରକୁ ସ୍ଖଳିତ କରିନେଇ ଆସିଛନ୍ତି । ପଥର ଆହ୍ଵାନକୁ ମତର ଛାଞ୍ଚ ଭିତରେ ପ୍ରତ୍ୟାଖ୍ୟାତ କରି ରଖି ଦେଇଛନ୍ତି, ପଥାନ୍ଵେଷଣର ଶ୍ରଦ୍ଧାକୁ ଶାସ୍ତ୍ର ଅଥବା ତୁଚ୍ଛା ନିୟମଗୁଡ଼ାକର କେତେଟା ବାହ୍ୟିକତା ଭିତରେ ପ୍ରଦୂଷିତ କରି ପକାଇଛନ୍ତି । ସମ୍ଭବତଃ ଅତ୍ୟନ୍ତ ସୁଚିନ୍ତିତ ଭାବରେ ସେମାନେ ଏପରି କରିଛନ୍ତି । ଯଦି ସମସ୍ତେ ପଥଟିଏ ଖୋଜିବେ, ପଥଟିଏ ପାଇ ସେହି ପଥରେ ଚାଲିବାକୁ ଆଗ୍ରହୀ ହେବେ, ତେବେ ଏବେ ଧର୍ମର ନାମରେ ଯେଉଁ ରାଜସିକ ତଥା ତାମସିକ ବାହ୍ୟିକତା ଗୁଡ଼ାକ ଆମ ଜୀବନକୁ ଭାରି ପ୍ରକୁପିତ ଭାବରେ ଏପରି ଗଣ୍ଠି ଗଣ୍ଠି କରି ରଖିଛି ଏବଂ ସତକୁ ସତ ଧର୍ମରେ ଚାଲିବାର କ୍ଷେତ୍ରରେ ଏପରି କୃପଣ କରି ରଖିଛି, ସେଗୁଡ଼ାକ ଲାଗି ଆଉ ହୁଏତ କୌଣସି ଅବକାଶ ହିଁ ରହିବ ନାହିଁ । ସେତେବେଳେ ଚିତା କିମ୍ବା ପଇତାରୁ ନୁହେଁ, ହୃଦୟରୁ ହିଁ ଧର୍ମର ପରୀକ୍ଷା ହେବ । ଧର୍ମସ୍ଥ ମଣିଷର ଜୀବନଗତ ସକଳ ସମ୍ବନ୍ଧରୁ ହିଁ ଧର୍ମର ପରୀକ୍ଷା ହେବ । ତେଣୁ ମୂଲ୍ୟ ବିଚାରର ପଦ୍ଧତି ହିଁ ବଦଳିଯିବ । ଧର୍ମକୁ ପଥ ରୂପେ ଗ୍ରହଣ କରିଥିଲେ ସମନ୍ଵୟ କହିଲେ ଆମେ ପ୍ରକୃତରେ ଯାହା ବୁଝନ୍ତେ, ଧର୍ମକୁ ମତ ଭିତରେ ଗାତରେ ପୂରାଇ ରଖିଥିବା ଏହି ପୃଥିବୀରେ ସମନ୍ଵୟ କହିଲେ ଆଦୌ ସେକଥାଟିକୁ ସୂଚିତ କରି ଦିଆଯାଇ ନାହିଁ । ସେଥିଲାଗି ସମନ୍ଵୟ କହିଲେ ବିଭିନ୍ନ ଧର୍ମରୁ କେତେଟା ବିଧିକୁ ଆଣି ଏକାଠି ଯୋଡ଼ି ଗୋଟାଏ ମିଶାମିଶି ଇଞ୍ଜିନିଅରିଙ୍ଗକୁ ମନ କରିବା ବ୍ୟତୀତ ଆମେ ଆଉ କିଛି କରି ପାରୁନାହୁଁ । ଅଥବା, ସବୁ ଧର୍ମ ସେହି ଗୋଟାଏ ଅସଲ ଲକ୍ଷ୍ୟ ଆଡ଼କୁ ଆଙ୍ଗୁଠି ଦେଖାଇ ଦେଉଛି କହି ଆମେ କେତେ ସାନ୍ତ୍ଵନା ପାଇଛୁ । ଖୁବ୍‍ ବେଶି ହେଲେ ସମସ୍ତଙ୍କୁ ପ୍ରତିନିଧିତ୍ଵ ଦେଇ ଆମେ ଏକ ସର୍ବଧର୍ମ–ପ୍ରାର୍ଥନାସଭାର ଆୟୋଜନ କରିଛୁ ଅଥବା ସର୍ବଧର୍ମ ଆଲୋଚନା ସଭାଟାଏ ଡାକିଛୁ । ପ୍ରତ୍ୟେକେ ପ୍ରତ୍ୟେକର ମତ ଭିତରେ କିଳି ହୋଇ ରହିଛୁ–ସମସ୍ତଙ୍କ ସହିତ ଦେହ ଘଷାଇ ଏକାଠି ବସିଥିଲେ ମଧ୍ୟ ନିଜଟା ବ୍ୟତୀତ ଆଉ କିଛିହେଲେ ଦେଖିବା ଲାଗି ମନ କରିନାହୁଁ ।

 

ସବୁ ଧର୍ମ କଦାପି ସେହି ଗୋଟିଏ ଲକ୍ଷ୍ୟ ଆଡ଼କୁ ମଣିଷକୁ ଅନୁପ୍ରାଣିତ କରି ନାହାନ୍ତି । ହୁଏତ ବିଭିନ୍ନ ଧର୍ମର ବହି ଗୁଡ଼ାକରେ ସେକଥା ଲେଖା ହୋଇଛି, ମାତ୍ର ବାସ୍ତବ ଆଚରଣ ତଥା ଅନୁଶୀଳନର କ୍ଷେତ୍ରରେ ଧର୍ମେତର କେତେକେତେ ପ୍ରକୋପନକୁ ପ୍ରାୟ ପ୍ରତ୍ୟେକ ତଥାକଥିତ ଧର୍ମରେ ଚମତ୍କାର ପ୍ରଶ୍ରୟ ଦିଆଯାଇ ଆସିଛି । ଧର୍ମ ଭିତରକୁ କେତେ ଅନ୍ୟ ଭୟ, ଅନ୍ୟ ଲୋଭ ଏବଂ ଅନ୍ୟ କ୍ଷମତାକାଂକ୍ଷାର ଅନୁପ୍ରବେଶ ଘଟିଛି । ତେଣୁ ଧର୍ମର ନାମରେ କେତେ କେତେ ଅପସାମ୍ରାଜ୍ୟର ପ୍ରତିଷ୍ଠା ହୋଇଛି । କେତେ ମିଛ ବାନା ଉଡ଼ାଯାଇଛି, ମଣିଷମାନଙ୍କୁ ଘୁଷୁରି ପରି ବ୍ୟବହାର କରାଯାଇଛି । ଚେଙ୍ଗିଜ୍‍ ଖାଁ ଯେଉଁ ସଂସାରରେ ବୌଦ୍ଧଧର୍ମ ଗ୍ରହଣ କରି ପାରିଛନ୍ତି, ରୋମ୍‍ର ସମ୍ରାଟ କନଷ୍ଟାଣ୍ଟାଇନ୍‍ଙ୍କୁ ଯେଉଁଠି ଖ୍ରୀଷ୍ଟଧର୍ମର ଦୀକ୍ଷା ଦିଆଯାଇଛି, ଅତ୍ୟାଚାରୀ ଶଶାଙ୍କମାନେ ଯେଉଁଠି ଶୈବ ବୋଲାଇ ଶୈବ ମନ୍ଦିର ତୋଳାଇ ଆପଣାକୁ ପରମ ଶୈବ ରୂପେ ବର୍ଣ୍ଣନା କରିବାକୁ ବ୍ରାହ୍ମଣମାନଙ୍କ ଦ୍ଵାରା ‘ଏକାମ୍ର ପୁରାଣ’ ବା ‘ଏକାମ୍ର ସଂହିତା’ ଲେଖାଇ ପାରିଛନ୍ତି, ତାହାକୁ କେଉଁ ବିବେକରେ ପ୍ରକୃତରେ ଧର୍ମର ସଂସାର ବୋଲି କୁହାଯାଇ ପାରିବ ? ଧର୍ମ ଭିତରେ ଅସଲ ପଥଟି ବହୁ କାରଣରୁ ହୁଡ଼ି ହୋଇ ଯାଇଛି, ଧର୍ମର ଅସଲ କେନ୍ଦ୍ରଟି ମଣିଷର ହାତଛଡ଼ା ହୋଇଯାଇଛି ବୋଲି ଧର୍ମ-ଧର୍ମ ମଧ୍ୟରେ ଅସଲ ସମନ୍ଵୟଟି ସମ୍ଭବ ହୋଇ ପାରିନାହିଁ । ଆଗେ ଜଣେ ଜଣେ ରାଜା ଥିଲେ, ଯେଉଁମାନେ କି ଗୋଟାଏ ଥାନରେ ବିଭିନ୍ନ ମତରେ ମନ୍ଦିରଗୁଡ଼ିକୁ ଏକତ୍ର ଏକ ଅପରୂପ ମଣ୍ଡନରେ ତିଆରି କରି ଦେଉଥିଲେ ଏବଂ ତଦ୍ଦ୍ୱାରା ଏକ ସମନ୍ଵୟର ଥାପନା ହୋଇଗଲା ବୋଲି ସ୍ତୁତିକାରମାନଙ୍କ ଦ୍ଵାରା କୁହାଇ ହେଉଥିଲେ । ଆମେ କ’ଣ ସେତିକି କରିବାକୁ ହିଁ ସମନ୍ଵୟ ବୋଲି ସ୍ଵୀକାର କରିବା ? ନା ଆମେ ଏପରି ଏକ ଅନ୍ୟ ସମନ୍ଵୟ ଲାଗି ବାସନା ରଖିବା, କେବଳ କୌଣସି ମହାତ୍ମାଙ୍କ ଦ୍ଵାରା ପ୍ରଚାରିତ ଏକ ବିଶେଷ ଆନ୍ଦୋଳନ ଦ୍ୱାରା ନୁହେଁ, ଆପଣାର ବ୍ୟକ୍ତିଗତ ଜୀବନରେ ଓ ଜୀବନ ଦୃଷ୍ଟିର କ୍ଷେତ୍ରରେ ମଧ୍ୟ ଆମେ ତାହାର ବାସନା ରଖିବା, ଯାହା ଦ୍ଵାରା କି ଆମେ ଅସାର ଗୁଡ଼ିକୁ ଛାଡ଼ିଆସି ପାରିବା ଏବଂ ସାରଗୁଡ଼ିକୁ ଗ୍ରହଣ କରି ପାରିବା, ନିଜ ଧର୍ମ ଭିତରେ ମଧ୍ୟ ଆମେ ସାରରୁ ଅସାରକୁ ବାଛି ନେଇ ପାରିବା ଏବଂ ଆହୁରି ଅଧିକ ବଡ଼ କଥା ହେଉଛି, ଅନ୍ୟ ଧର୍ମ ମଧ୍ୟରେ ଯେଉଁସବୁ ସାରକଥା ରହିଛି, ତାହାକୁ ମଧ୍ୟ ଯଥାର୍ଥ ଧର୍ମ ଭାବନାର ସମ୍ମାନ ଦେଇ ନିଜର ଜୀବନ ଭିତରକୁ ଗ୍ରହଣ କରି ଆଣିପାରିବା ?

 

ଅର୍ଥାତ୍ ଧର୍ମ ଭିତରେ ଆଉ କୌଣସି ଜାତିଆଣ ବିଚାର ରହିବ ନାହିଁ । ଧର୍ମ ଆଉ ନିଜକୁ କୌଣସି ପ୍ରକାରେ ଅସ୍ପୃଶ୍ୟ କରି ରଖିବ ନାହିଁ । ଅସଲ ସମନ୍ଵୟରେ ଗ୍ରହଣଗତ ଯାବତୀୟ କୃପଣତା ଏବଂ କେବଳ ଆପଣାଟାକୁ ହିଁ ଏକମାତ୍ର ପବିତ୍ର ବସ୍ତୁ ବୋଲି ବିଚାର କରୁଥିବା ଯାବତୀୟ ଅସ୍ପୃଶ୍ୟତା ଲାଗି ଆଉ କୌଣସି ଅବକାଶ ରହିବ ନାହିଁ । ଆଗେ ଗୋଟିଏ ଧର୍ମଠାରୁ ଆଉ ଗୋଟିଏ ଧର୍ମ ବହୁଦୂର ହୋଇ ରହିଥିଲା । ଧର୍ମର ମତ ଓ ସଂପ୍ରଦାୟମାନେ ପରମ୍ପରା କ୍ରମେ ରାଜାମାନଙ୍କର ଲାଙ୍ଗୁଳ ଧରି ରହିଥିବାରୁ ପ୍ରାୟ ପ୍ରତ୍ୟେକ ଧର୍ମ ଭିତରକୁ ବହୁ ବର୍ବରତା ଏବଂ ବୃଥାଦମ୍ଭ ପଶି ଆସିବାର ବହୁ ଆଶଙ୍କା ରହୁଥିଲା । ରାଜାର ସାମ୍ରାଜ୍ୟ ଅନୁସାରେ ଧର୍ମର ସାମ୍ରାଜ୍ୟ ମଧ୍ୟ ବଢ଼ୁଥିଲା ଏବଂ ଛିଣ୍ଡୁଥିଲା । ଧର୍ମ ଭିତରେ ବହୁ ନିକୃଷ୍ଟ ପ୍ରକାରର ନ୍ୟସ୍ତସ୍ଵାର୍ଥ ଆସି ପଶିଯିବାର ବହୁ ସମ୍ଭାବନା ଉନ୍ମୋକ୍ତ ହୋଇ ରହିଥିଲା । ଧର୍ମକୁ ନେଇ ଯୁଦ୍ଧ ଲଗାଇ ଦିଆଯାଉଥିଲା, ହତ୍ୟା କରିବାକୁ ଯଥାର୍ଥ ଧର୍ମସ୍ଥର କର୍ତ୍ତବ୍ୟ ବୋଲି କୁହା ଯାଉଥିଲା । ଧର୍ମଯୁଦ୍ଧ ବୋଲି ଅସନା କଥାଟା ହୁଏତ ସେହିପରି ଏକ ଅଧର୍ମର ମୁଣ୍ଡରୁ ଭିଆ ହୋଇଥିଲା । ନିତାନ୍ତ ବ୍ୟକ୍ତିଗତ ଯୁଦ୍ଧ ଗୁଡ଼ାକରେ ରାଜାମାନେ ଠାକୁରମାନଙ୍କୁ ପାଇକ କରି ଲଗାଉଥିଲେ ଓ ସେଥିରୁ ଅପବିତ୍ର କିମ୍ବଦନ୍ତୀମାନ ଫନ୍ଦା ଯାଇ ମଣିଷର ଅସଲ ଧର୍ମଚେତନାର ମୁହଁରେ ପଥର ଲଦି ଦିଆଯାଉଥିଲା । ଧର୍ମମାନେ ଯଦି ଖାଲି ବହିରେ ଧର୍ମ ହୋଇ ରହିଥିବେ, ତଥାକଥିତ ପବିତ୍ର ତୀର୍ଥ ବା ଶାସ୍ତ୍ରଗୁଡ଼ାକରେ ଯଦି ସେମାନଙ୍କୁ କିଳି ରଖିଦିଆ ଯାଉଥିବ ଏବଂ ସର୍ବୋପରି ଯଦି କ୍ଷମତାସ୍ଥିତ ନ୍ୟସ୍ତସ୍ଵାର୍ଥମାନେ ଧର୍ମକୁ ସତେ ଅବା ଆପଣାର ଅଭିପ୍ରାୟ ଗୁଡ଼ାକୁ ଚରିତାର୍ଥ କରିବା ପାଇଁ ଗାଭୀ ପରି ବ୍ୟବହାର କରୁଥିବେ, ତେବେ ସେହି ଧର୍ମଦ୍ଵାରା ପୃଥିବୀର ଆଦୌ କୌଣସି ମଙ୍ଗଳ ହୋଇ ପାରିବ ନାହିଁ । ତୁଚ୍ଛା ଅବିଚାର ଗୁଡ଼ାକ ବୃଦ୍ଧି ପାଇବାରେ ଲାଗିଥିବ, ଅନ୍ଧବିଶ୍ଵାସ ଏବଂ ଅତିବିଶ୍ଵାସ ଗୁଡ଼ାକ ଅସଲ ବିଶ୍ଵାସକୁ ବଶ ଏବଂ ଭୀରୁ କରି ରଖିଥିବେ ସିନା, ତଦ୍ଦ୍ୱାରା ମନୁଷ୍ୟର ଉଦୟ ସମ୍ଭବ ହେବ ନାହିଁ । ନିଜର ପରିଚିତ ନାଳୀଗୁଡ଼ିକ ଭିତରେ ସାରଅସାରକୁ ଏକାଠି ଗଣ୍ଠି କରି ଧାର୍ମିକତାର ବଡ଼େଇ ଲାଗି ରହିଥିବା ପର୍ଯ୍ୟନ୍ତ ତଥାକଥିତ ସମନ୍ଵୟର ସକଳ ପ୍ରଚେଷ୍ଟା ଅନ୍ଧାରଗୁଡ଼ାକୁ କଦାପି ଦୂର କରିପାରିବ ନାହିଁ ।

 

ତେଣୁ ଅଳିଆ ଗୁଡ଼ାକୁ ଏକାଠି ଗୋଟାଏ ଗଦା କରି ଏଡ଼େ ବଡ଼ କରି ଦେଖାଇବା ଦ୍ଵାରା ନୁହେଁ, ଅଳିଆ ଗୁଡ଼ାକୁ ଅଳିଆ ବୋଲି ଘୋଷଣା କରିବା ଦ୍ଵାରା ଆମେ ସେହି ଅସଲ ସମନ୍ଵୟ ନିମନ୍ତେ ଏକ ଯଥାର୍ଥ ବାଟ ଫିଟାଇଦେଇ ପାରିବା । ଅତ୍ୟନ୍ତ କାମାସକ୍ତ ଭାବରେ ଆପଣାର ବୁଜୁଳାଟିକୁ କୁଣ୍ଢାଇ ଧରିଥିଲା ପର୍ଯ୍ୟନ୍ତ ଆମ ଦ୍ଵାରା ତାହା କଦାପି ହେବ ନାହିଁ । ବିଜ୍ଞାନର ବହୁ ଉନ୍ମୋଚନ ଫଳରେ ମନୁଷ୍ୟର ବିବେକ ମଧ୍ୟ ଏକ ନୂତନ ଉନ୍ମୋଚନ ଲାଗି ଅନ୍ତର୍ଗତ ଭାଵରେ ପ୍ରସ୍ତୁତ ହୋଇ ଆସୁଛି । ସେହି ବିବେକ ଆପଣାକୁ ମଧ୍ୟ ସମୀକ୍ଷାତ୍ମକ ଭାବରେ ବିଚାର କରିବାକୁ କଦାପି ଭୟ କରିବ ନାହିଁ । ଅନ୍ୟ ଧର୍ମଗୁଡ଼ିକର ପରିଚୟରେ ଆସି ସିଏ ଆପଣା ଧର୍ମଟିକୁ ମଧ୍ୟ ଅଧିକ ସମୀପବର୍ତ୍ତୀ ଭାବରେ ଚିହ୍ନିବାକୁ ଆରମ୍ଭ କରିବ । ସଂପ୍ରଦାୟ ଓ ଭେକଗୁଡ଼ାକୁ ବାଡ଼ ବୋଲି ଘୋଷଣା କରିବ, ଆପଣା ଉଦୟର ପଥରେ ସେଗୁଡ଼ାକ ବାଧା ବୋଲି ଜାଣିବ ଓ ସେଗୁଡ଼ିକ ମଧ୍ୟରୁ ବାହାରି ଆସିବ । ସେଥିଲାଗି ତାକୁ ଗୋଟିଏ ଧର୍ମ ଛାଡ଼ି ଆଉ ଗୋଟିଏ ଧର୍ମକୁ ମୋଟେ ଗ୍ରହଣ କରିବାକୁ ପଡ଼ିବ ନାହିଁ । ସିଏ ଯେଉଁଠି ଥାଉ ପଛକେ, ସାରରୁ ଅସାରକୁ ଅଲଗା କରିବାକୁ ଶିକ୍ଷା କରିବ ଏବଂ ଅସାରକୁ ଛାଡ଼ି, ଦେବାଲାଗି ସାହସ କରିପାରିବ । ଅନ୍ୟ ଧର୍ମଗୁଡ଼ିକରୁ ଜୀବନବାଚୀ ଆଲୋକନବାଚୀ ଅସଲ ଗୁଡ଼ିକୁ ଆଦୌ କୌଣସି କାର୍ପଣ୍ୟ ନରଖି ଗ୍ରହଣ କରିପାରିବ ।

 

ମହାତ୍ମା ଗାନ୍ଧୀ ହିନ୍ଦୁ ଥିଲେ, ତଥାପି ସେହି ହିନ୍ଦୁଧର୍ମରେ ରହିଥିବା ସାର ଓ ଅସାରକୁ ପରସ୍ପରଠାରୁ ବାଛି ପାରୁଥିଲେ । ଜୀବନର, ଚେତନାର ଏବଂ ଶ୍ରଦ୍ଧାର ଅସଲ କେନ୍ଦ୍ରଟିକୁ ଠାବ କରି ପାରିଥିଲେ ମଣିଷ ଆଦୌ ଧର୍ମଚ୍ୟୁତ ନ ହୋଇ ମଧ୍ୟ ସାରକୁ ଅସାରରୁ ଅଲଗା କରି ଦେଖିବାର ଅବଶ୍ୟ ଯୋଗ୍ୟ ହୋଇ ପାରିବ । ବାଇବେଲ୍‍ରେ ଲିଖିତ ଗିରିଶିଖର ଉପଦେଶାବଳୀ ଯେକୌଣସି ଧର୍ମର ସତ୍ୟରୂପେ ଗୃହୀତ ହୋଇପାରେ ବୋଲି ଗାନ୍ଧୀ କେତେଥର ସ୍ଵୀକାର କରିଛନ୍ତି । ଆପଣାର ଧର୍ମ ଭିତରେ ରହି ମଧ୍ୟ ଜଣେ ବ୍ୟକ୍ତି କିପରି ବିଭିନ୍ନ ଧର୍ମର ଯଥାର୍ଥ ଆଲୋକନ ଗୁଡ଼ିକୁ ନିଜର ଜୀବନରେ ପ୍ରତିଫଳିତ କରି ପାରିବ ଏବଂ ଅଧିକ ଶକ୍ତିଯୁକ୍ତ ଭାବରେ ପଥଟିଏ ଚାଲିପାରିବ, ମହାତ୍ମା ଗାନ୍ଧୀ ପୃଥିବୀରେ ସବୁ ଧର୍ମର ଅନୁଗାମୀମାନଙ୍କ ଲାଗି ତାହାର ଏକ ସରଳ ଉଦାହରଣ ହୋଇ ଚିରକାଳ ରହିଥିବେ । ଆପଣାର ଏକ ପୁସ୍ତକରେ ଇତିହାସକାର ଆର୍‍ନୋଲ୍ଡ଼ ଟଏନଦୀ ଆମ ପୃଥିବୀର ପରବର୍ତ୍ତୀ ବଂଶଧରମାନେ ଛାଞ୍ଚ ଓ ଭେକର ସମସ୍ତ ବାଡ଼ ଅତିକ୍ରମ କରି ଏକାବେଳେକେ ବହୁ ଧର୍ମର ତଥା ଧର୍ମସ୍ଥ ମାନଙ୍କର ପ୍ରେରଣା ଦ୍ଵାରା ଅନୁପ୍ରାଣିତ ହୋଇପାରିବେ ବୋଲି ଉଲ୍ଲେଖ କରିଛନ୍ତି । ସେତେବେଳେ କୃଷ୍ଣ ଆଉ ଖ୍ରୀଷ୍ଟଙ୍କ ଭିତରେ କୌଣସି କଳହ ଲାଗିବ ନାହିଁ, ଜଗନ୍ନାଥ ଓ ବିଶ୍ଵନାଥ ଗୋଟିଏ ମୂର୍ତ୍ତି ହୋଇ ଦିଶିବେ, ଯାବତୀୟ ମୂର୍ତ୍ତି ଗୋଟିଏ ପ୍ରେରଣା ଭିତରେ କୁଆଡ଼େ ମନ କୁଆଡ଼େ ମିଳାଇ ଯିବେ । ବର୍ତ୍ତମାନର ଜାତିଗୁଡ଼ାକ ଚାଲିଯିବ, ଅସ୍ପୃଶ୍ୟମାନଙ୍କର କାଳ ପୂରିଯିବ । ଅସଲ ସମନ୍ଵୟର ବେଳ ସେତିକିବେଳେ ଆସିବ । ଏକାବେଳେକେ ଅନେକ ଧର୍ମର ସତ୍ୟ ଓ ସାରଗୁଡ଼ିକ ଆମର ଜୀବନ ଏବଂ ଆମର ସମ୍ବନ୍ଧଗୁଡ଼ିକ ଭିତରେ ସାକାର ହୋଇ ଉକୁଟି ଉଠିବ । ସେହି ସମନ୍ଵୟ ହିଁ ଧର୍ମର ମେଦିନୀଟାକୁ ସତକୁ ସତ ବଦଳାଇ ଦେଇ ପାରିବ । ସମସ୍ତେ ସେହି ଗୋଟିଏ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି ବୋଲି ଅନାଇଦେବା ମାତ୍ରକେ ପ୍ରତ୍ୟକ୍ଷ ହୋଇ ଯାଉଥିବ । ପରସ୍ପରର ଆଖିରେ ଆମେ ସେତେବେଳେ ଏକାବେଳେକେ ଅନ୍ୟ ଭଳି ଦିଶିବା, ଆମେ ନିଜେ ହିଁ ଯାବତୀୟ ଧର୍ମସ୍ଥତାର ସନ୍ତକ ହୋଇ ରହିବା, ସଂସାରରେ ଭଗବାନଙ୍କର ସନ୍ତକ ହୋଇ ରହିବା । (୨ । ୩ । ୮୮)

 

(୩୧)

 

ପ୍ରାୟ ଷାଠିଏ ବର୍ଷ ତଳର କଥା । ମହାତ୍ମା ଗାନ୍ଧୀ ମହାବଳେଶ୍ଵରରେ ଥାଆନ୍ତି । ମହାରାଷ୍ଟ୍ରରେ ଖ୍ରୀଷ୍ଟିଆନ ଧର୍ମର ପ୍ରଚାର କରୁଥିବା କେତେଜଣ ଆମେରିକୀୟ ପାଦ୍ରୀ ସେଠାରେ ତାଙ୍କୁ ଯାଇ ସାକ୍ଷାତ କରିଥିଲେ । ବିଦେଶୀ ପାଦ୍ରୀମାନେ ଭାରତୀୟ ବହୁ ଭାଷାର ଗବେଷଣା କ୍ଷେତ୍ରରେ କିପରି ପୁରୋଧା ପରି କାର୍ଯ୍ୟ କରୁଛନ୍ତି, ଭାରତୀୟ ପ୍ରାୟ ପ୍ରତ୍ୟେକ ଭାଷାର ସର୍ବପ୍ରଥମ ବ୍ୟାକରଣ କିପରି ସେହିମାନଙ୍କ ଦ୍ଵାରା ଲିଖିତ ହୋଇଛି ଓ ତେଣୁ ଭାରତୀୟମାନେ କିପରି ସେମାନଙ୍କ ପାଖରେ ଚିରକାଳ କୃତଜ୍ଞ ରହିବେ, ମହାତ୍ମା ଗାନ୍ଧୀ ସେମାନଙ୍କୁ ସେହି କଥାଟିକୁ ସୂଚାଇ ଦେଇଥିଲେ । ଭାଷାଶିକ୍ଷା ଓ ଭାଷା ଗବେଷଣାର ପ୍ରସଙ୍ଗରୁ ସିଏ ପାଦ୍ରୀମାନଙ୍କୁ ଆଉ ଗୋଟିଏ ଅନ୍ୟ ଭାଷା ମଧ୍ୟ ଶିକ୍ଷା କରିବାକୁ ହେବ ବୋଲି ପରାମର୍ଶ ଦେଇଥିଲେ ।

 

ମହାତ୍ମାଗାନ୍ଧୀ କହିଲେ, ଆପଣମାନଙ୍କୁ ଆଉ ଗୋଟିଏ ଭାଷା ବି ଶିଖିବାକୁ ପଡ଼ିବ । ତାହା ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ । ସେହି ଭାଷା ହେଉଛି ହୃଦୟର ଭାଷା । ହୃଦୟର ଭାଷା ଅର୍ଥାତ୍ ପ୍ରେମର ଭାଷା । ଆପଣମାନଙ୍କର ଉଦ୍ଦେଶ୍ୟ ବିଷୟରେ ମୋର ଆପତ୍ତି କରିବାର ଆଦୌ କିଛି ନାହିଁ । ମାତ୍ର, ସେହି ଉଦ୍ଦେଶ୍ୟଟିର ପୂରଣ ନିମନ୍ତେ ଆପଣମାନେ ଯେଉଁ ମାର୍ଗସବୁ ଅନୁସରଣ କରୁଛନ୍ତି, ସେଥିରେ ମୋର ଘୋର ସନ୍ଦେହ ରହିଛି । ଯଦି ମୋତେ ଆଦୌ କୌଣସି ସଙ୍କୋଚ ନରଖି କହିବାର ଅନୁମତି ଦିଆଯାଏ, ତେବେ ମୁଁ କହିବି ଯେ, କେତେକ ଖ୍ରୀଷ୍ଟଧର୍ମ-ପ୍ରଚାରକ ଯେପରି ଭାବରେ ସେମାନଙ୍କର ଏହି କାର୍ଯ୍ୟଟିକୁ କରୁଛନ୍ତି, ସେଥିରେ ମୁଁ ପ୍ରକୃତରେ ଅତ୍ୟନ୍ତ ଗଭୀର ଆଶ୍ଵସ୍ତି ଅନୁଭବ କରିଥାଏ । ମୁଁ ସିନା ଭାଷାରେ ସଂଯମ ଅବଲମ୍ବବନ କରି ‘କେତେକ’ ବୋଲି କହିଲି, ମାତ୍ର, ମୋର ହୃଦୟ କହୁଛି ଯେ ମୁଁ ‘କେତେକ’ ନକହି ‘ଅଧିକାଂଶ’ ବୋଲି କହିଥାନ୍ତି । ଯେଉଁମାନେ ପ୍ରେମର ସନ୍ଦେଶ ପ୍ରଚାର କରୁଛନ୍ତି ବୋଲି ଘୋଷଣା କରନ୍ତି, ସେହି ପ୍ରେମକୁ ନିଜର ଜୀବନରେ ଏବଂ କର୍ମରେ ଏକ ବାସ୍ତବ ସତ୍ୟରେ ପରିଣତ କରିବାର କ୍ଷେତ୍ରରେ ସେମାନଙ୍କର ସାମର୍ଥ୍ୟର ଅଭାବ,–ତାହାକୁ ସକଳ କ୍ଷେତ୍ରରେ ବିଶେଷ ଭାବରେ ଦୋଷାବହ ବୋଲି କହିବାକୁ ପଡ଼ିବ । ଆପଣମାନେ କଦାପି ଏପରି ଏକ ମନୋଭାବ ସହିତ ଆମ ପାଖକୁ ଆସିବେ ନାହିଁ, ସତେ ଯେପରି ଆପଣମାନଙ୍କର ଆମକୁ ସବୁକିଛି କେବଳ ଦେବାକୁ ହିଁ ରହିଛି, ଆମଠାରୁ ଗ୍ରହଣ କରିବାର ଆଦୌ କିଛି ହେଲେ ନାହିଁ । ଆପଣମାନଙ୍କର ଧର୍ମଶାସ୍ତ୍ରରେ ତ ଏହାର ଠିକ୍‍ ବିପରୀତ କଥାଟି ହିଁ ଲେଖାଯାଇଛି ।”

 

ବାଇବେଲ୍‍ର ନୂତନ ଟେଷ୍ଟାମେଣ୍ଟରୁ ଗାନ୍ଧିଜୀ ‘ଯଦି ଲୁଣ ତାର ଲୁଣିଆ କରି ପାରିବାର ସାମର୍ଥ୍ୟକୁ ହରାଇ ଦିଏ, ତେବେ ପୁଣି ଆଉ କେଉଁ ବସ୍ତୁ ଦ୍ଵାରା ତାହାକୁ ଲୁଣିଆ କରାଯାଇ ପାରିବ-?’ ବାକ୍ୟଟିକୁ ଉଦ୍ଧାର କରିଥିଲେ । ଭାରତୀୟ ଭାଷାରେ ମଧ୍ୟ ‘ଯଦି ମହାସାଗରରେ ନିଆଁ ଲାଗେ, ତେବେ ଆଉ କେଉଁଠାରୁ ପାଣି ଆଣି ସେହି ନିଆଁ କୁ ନିଭାଯାଇ ପାରିବ ?’ ବୋଲି ଏହି ଅନୁରୂପ ପ୍ରବଚନ ରହିଛି । ଗାନ୍ଧିଜୀ ସେହି ଦୃଷ୍ଟାନ୍ତଟିକୁ ଦେଇ ପୁନର୍ବାର କହିଥିଲେ, ‘ଆପଣମାନେ ଯଦି ପ୍ରକୃତରେ ପ୍ରେମର ସନ୍ଦେଶ ଦ୍ଵାରା ହିଁ ନିଜର ଜୀବନକୁ ପରିଚାଳିତ କରିବା ଲାଗି ଇଚ୍ଛା କରୁଥିବେ, ତେବେ ଆପଣମାନଙ୍କର ଆଦୌ କିଛି ଗ୍ରହଣ କରିବାର ନାହିଁ, ସବୁକିଛି କେବଳ ଦେବାର ହିଁ ଅଛି ବୋଲି ଭାବିବାର ପ୍ରମାଦରୁ ନିଜକୁ ମୁକ୍ତ କରି ରଖିବାର ଉପଯୁକ୍ତ ଶକ୍ତି ମଧ୍ୟ ଆପଣମାନଙ୍କଠାରେ ଅବଶ୍ୟ ରହିଥିବା ଉଚିତ । ଆପଣମାନେ ଏପରି କେବେହେଲେ ଭାବନ୍ତୁ ନାହିଁ ଯେ ଭାରତବର୍ଷ ଓ ତାହାର ଅଧିବାସୀମାନଙ୍କଠାରୁ ଆପଣମାନଙ୍କର ଆଦୌ କିଛିହେଲେ ଶିକ୍ଷା କରିବାର ନାହିଁ । କାରଣ, ପ୍ରକୃତ କଥା ହେଉଛି, ଆପଣମାନଙ୍କର ଯେପରି ଆମ୍ଭମାନଙ୍କୁ ବହୁତ କିଛି ଦେବାକୁ ରହିଛି, ଆମମାନଙ୍କଠାରୁ ସେହିପରି ଅନେକ କିଛି ଗ୍ରହଣ କରିବାର ମଧ୍ୟ ରହିଛି । ଏବଂ ଆମେ ଅନ୍ୟମାନଙ୍କୁ ଯେପରି ଦେଉଥିବା, ଅନ୍ୟମାନଙ୍କଠାରୁ ସେହିପରି ଗ୍ରହଣ ମଧ୍ୟ କରି ପାରୁଥିବା–ସେଇଟି ହେଉଛି ପ୍ରେମର ଭାଷା । କାରଣ ପ୍ରେମ କେବଳ ଦିଏନାହିଁ, କେବଳ ଦେବାକୁ ହିଁ କେବେହେଲେ ଯଥେଷ୍ଟ ବୋଲି ମନେ କରେନାହିଁ, ମାତ୍ର ଦେବାର ବଦଳରେ ବହୁତ କିଛି ଗ୍ରହଣ ମଧ୍ୟ କରିପାରେ; ହୁଏତ ଯେତିକି ଦିଏ, ତା’ଠାରୁ ଅଧିକ ଗ୍ରହଣ କରିବାର ଆଗ୍ରହ ରଖିଥାଏ । ଏହି ପ୍ରେମର ଭାଷାଟିକୁ ଆମେ–ମୁଁ ଏବଂ ଆପଣମାନେ ଯେପରି ଅଧିକରୁ ଅଧିକ ଯୋଗ୍ୟ ଭାବରେ ଶିକ୍ଷା କରି ପାରିବା, ଭଗବାନ ଏଥିରେ ଆମକୁ ସାହାଯ୍ୟ କରୁଥାନ୍ତୁ ! ’

 

ବସ୍ତୁଜଗତର ଯାବତୀୟ କାରବାରରେ ମଣିଷମାନେ ଯଥାସମ୍ଭବ ସବୁକିଛି କେବଳ ଛଡ଼ାଇ ନେବାକୁ ଇଚ୍ଛା କରନ୍ତି । ଠକି ନିଅନ୍ତି, ଆବଶ୍ୟକ ପଡ଼ିଲେ ଲୁଟି ନିଅନ୍ତି । ଜାତୀୟତାବାଦ ପ୍ରାୟ ଏକ ଆଧୁନିକ ଧର୍ମର ସ୍ତରକୁ ସ୍ଖଳିତ ହୋଇ ଆସିବା ପରେ ଏହି ବ୍ୟକ୍ତିଗତ ବସ୍ତୁଲାଳସା ଯାବତୀୟ ଅର୍ଥରେ ସାମୂହିକ ବସ୍ତୁ ଲାଳସାରେ ପରିଣତ ହୋଇ ଯାଇଥିଲା । ଜାତିମାନେ ପ୍ରାୟ ଏକ ଲଜ୍ଜାହୀନ ଦର୍ପର ସହିତ ଅନ୍ୟ ଜାତିମାନଙ୍କର ଲୁଣ୍ଠନ କଲେ, ସାମ୍ରାଜ୍ୟର ନିର୍ମାଣ କଲେ, ସମର୍ଥ ବୋଲାଇଲେ । ମାତ୍ର ଭାଵ ଏବଂ ବିଚାରର ଜଗତରେ ମଣିଷ ଆପଣାର ସବୁକିଛିକୁ ନେଇ ଅନ୍ୟମାନଙ୍କ ଉପରେ ଖାଲି ଲଦି ଦେବାକୁ ଇଚ୍ଛା କରୁଥାଏ । ଆଦୌ କିଛିହେଲେ ଗ୍ରହଣ କରିବାକୁ ଚାହେଁନାହିଁ । ଜୀବନର ଦୁଇ କ୍ଷେତ୍ରରେ କେଉଁ କାରଣରୁ ଏହି ପାର୍ଥକ୍ୟଟି ଦୃଷ୍ଟିଗୋଚର ହୁଏ କେଜାଣି ? ଧର୍ମର କ୍ଷେତ୍ରରେ ମଣିଷ ତା ପିଲାଦିନରୁ ତା ନିଜର ସଂସ୍କାର ଓ ସନ୍ତକଗୁଡ଼ାକ ସହିତ ଏପରି ନିର୍ବୋଧ ଭାବରେ ଗୁରାଇ ତୁରାଇ ହୋଇ ରହି ଯାଇଥାଏ ଯେ, ତାହାରି ପ୍ରକୋପରେ ସିଏ ଆପଣାର ପ୍ରାୟ ସବୁ ଗ୍ରହଣଶୀଳତାକୁ ହରାଇ ବସିଥାଏ । ତେଣୁ ଧର୍ମର ବିଚାରଣା କ୍ଷେତ୍ରରେ ସିଏ ଭାରି ହିଂସ୍ର ହୁଏ, ଭାରି ବନ୍ୟ ହୋଇ ରହିଥାଏ । ବନ୍ୟ ହୋଇ ରହିବାକୁ ହିଁ ଧାର୍ମିକତା ବୋଲି କୁହାଯାଏ । ମଣିଷ ବନ୍ୟ ହେଵାକୁ ମନ କଲେ ସିଏ ଧର୍ମ ଭିତରେ ଏକ ସାମ୍ରାଜ୍ୟର ମିଥ୍ୟାବତାରଣା କରିବା ଲାଗି ଆଗ୍ରହ ଦେଖାଏ । ତୁଚ୍ଛା କୋପନଗୁଡ଼ାକୁ ହିଁ ବିଶ୍ଵାସ ବୋଲି କହେ । ଅସଲ ବିଶ୍ଵାସ ଆଖି ଫିଟାଇ ଦିଏ, ନାନା କୋପନକୁ ପ୍ରଶ୍ରୟ ଦେଉଥିବା ଯାବତୀୟ ବିଶ୍ଵାସ ମଣିଷକୁ ଅନ୍ଧ କରି ରଖିଥାଏ, ଖଳ ହେବାକୁ ପ୍ରୋତ୍ସାହନ ଦିଏ ।

 

ଆଉ ଗୋଟିଏ ପ୍ରସଙ୍ଗରେ, ଖ୍ରୀଷ୍ଟିଆନ୍‍ ମିଶନାରୀମାନେ ଯେଉଁ ମାର୍ଗରେ ଆପଣାର ଧର୍ମପ୍ରଚାର କରି ବାହାରି ଥାଆନ୍ତି, ତାହାର ନିନ୍ଦା କରି ମହାତ୍ମା ଗାନ୍ଧୀ କହିଛନ୍ତି ଯେ, କେବଳ ଗୋଟିଏ ମାର୍ଗରେ ଅର୍ଥାତ୍ ମୋରି ମାର୍ଗରେ ମାନବଜୀବନର ବିମୋଚନ ସମ୍ଭବ ହୋଇ ପାରିବ ବୋଲି ପ୍ରଚାର ନକରି ସେମାନେ ହିନ୍ଦୁମାନଙ୍କୁ ଆହୁରି ଭଲ ହିନ୍ଦୁ ଓ ମୁସଲମାନମାନଙ୍କୁ ଆହୁରି ଭଲ ମୁସଲମାନ ହେବାଲାଗି ଅର୍ଥାତ୍ ଆପଣାର ଧର୍ମ ଅନୁସାରେ ସତକୁ ସତ ଜୀବନଟିଏ ବଞ୍ଚିବା ଲାଗି ପ୍ରେରଣା ଦିଅନ୍ତୁ । ଅର୍ଥାତ୍ ସେମାନେ ସ୍ଵୟଂ ଜଣେ ଯଥାର୍ଥ ଖ୍ରୀଷ୍ଟିଆନ୍‍ର ଜୀବନ ବଞ୍ଚନ୍ତୁ । ଯିଏ ଯାହାକୁ ନିଜର ବୋଲି କହେ, ତାହାରି ଅନୁସାରେ ଜୀବନଟିଏ ବଞ୍ଚେ । ଅଭିମାନୀ ଓ ମାନୀମାନେ କାହାକୁ ଭଲ ପାଇ ପାରନ୍ତି ନାହିଁ । ସେମାନେ ଆଦୌ କାହାରି ହୋଇ ପାରନ୍ତି ନାହିଁ । ସେମାନେ କେବଳ ଅନ୍ୟମାନଙ୍କ ଅପେକ୍ଷା ଅଧିକ ବଡ଼ ହୋଇ ଦେଖାଯିବାକୁ ମନ କରୁଥାନ୍ତି । ଆହ୍ଵାନଗୁଡ଼ାକୁ ଆହ୍ଵାନ ରୂପେ ଗ୍ରହଣ କରି ପାରନ୍ତି ନାହିଁ । ସେଇଥିପାଇଁ ସତ୍ୟଗୁଡ଼ାକୁ ପଥର ବା କାଷ୍ଠର ମୂର୍ତ୍ତି କରି ବସାଇ ଦିଅନ୍ତି, ପବିତ୍ରତାଗୁଡ଼ିକୁ ମନ୍ଦିରର ବେଢ଼ା ଭିତରେ ବନ୍ଦୀ କରି ରଖିଥାନ୍ତି ଓ ଅନ୍ତର୍ଗତ ଆରୋହଣର ଯାବତୀୟ ପ୍ରେରଣାକୁ ନାନା ତୁଚ୍ଛା ଆନୁଷ୍ଠାନିକତା ଭିତରେ ପୂରାଇ ମାରା କରି ଦିଅନ୍ତି । ସେହି ଅପପ୍ରବୃତ୍ତି ଗୁଡ଼ିକୁ ଅନେକ ସମୟରେ ସାମୂହିକତାର ଅହଙ୍କାରମାନ ପୂରାଇ ଦିଆହୋଇ ଆହୁରି ଅଧିକ ଅବର୍ଜିଆ କରି ଦିଆଯାଏ । ହିନ୍ଦୁ ଯଦି କେବଳ ଠାକୁର ଦର୍ଶନରେ ଓ ଅହିନ୍ଦୁମାନଙ୍କୁ ମ୍ଳେଚ୍ଛ ବୋଲି କହିବାରେ ଆପଣାର ଧର୍ମଗତ ଆଗ୍ରହଗୁଡ଼ିକୁ ପଣ୍ଡ କରି ନଦେଇ ଧର୍ମସ୍ଥ ହେବାକୁ ଅଧିକ ଆଗ୍ରହ ଦେଖାଇ ଥାଆନ୍ତା, ଯଦି ସିଏ ଅଧିକ ନିଷ୍ଠା ଏବଂ ଅନୁରାଗ ସହିତ କୋଳାହଳଶୂନ୍ୟ ଭାବରେ ଜୀବନଟିଏ ବଞ୍ଚୁଥାଆନ୍ତା, ଜଣେ ମୁସଲମାନ ଯଦି ଅଣମୁସଲମାନମାନଙ୍କୁ କାଫେର୍ ବୋଲି ନକହି ଏକ ଯଥାର୍ଥତର ସାମାପ୍ୟର ଶ୍ରଦ୍ଧା ନେଇ ଆପଣାର ବାଟଟିଏ ଚାଲି ପାରୁଥାନ୍ତା, ତେବେ ଆମ ସଂସାରରେ ସମ୍ଭବତଃ ଧର୍ମ ଅଧିକ ଦୃଶ୍ୟମାନ ହୋଇ ପାରୁଥାନ୍ତା । ଧର୍ମ ନାମରେ ଆମ ବିବେକ ଉପରେ ସତେଅବା ଏକ ଅବିବେକ ରୂପେ ଲଦାହୋଇ ରହିଥିବା ରାଜନୀତିକ ଅସନାଗୁଡ଼ାକ ଆମକୁ ଆଉ ମୋଟେ କଲବଲ କରୁନଥାନ୍ତା । ସେତେବେଳେ ହୁଏତ କେହି ସମନ୍ଵୟର କଥା କହୁ ନଥିଲେ ମଧ୍ୟ ତଥାପି ଆମ ଜୀବନରେ, ଆମେ ବାହାରକୁ ଯେକୌଣସି ଧର୍ମର ଭେକ ଧରି ଜନ୍ମ ହୋଇଥାଉ ପଛକେ, ଏକ ସମନ୍ଵୟାତ୍ମକ, ପୂର୍ଣ୍ଣ ଗ୍ରହଣଶୀଳ ଦୃଷ୍ଟି ଅଧିକ ପରିମାଣରେ ରହିଥାନ୍ତା । ଏପରିକି, ଜଣେ ତଥାକଥିତ ଏକ ନାସ୍ତିକ ମଧ୍ୟ ଯଦି ତଥାକଥିତ ଆସ୍ତିକତା ବିରୁଦ୍ଧରେ ଯୁଦ୍ଧମାନ ଲଢ଼ିବାରେ ଆପଣାର ସର୍ବଶ୍ରେଷ୍ଠ ଆଗ୍ରହଗୁଡ଼ିକୁ ବରବାଦ କରି ନଦେଇ ଏକ ନିଷ୍ଠାପର ଜିଜ୍ଞାସାଦୃଷ୍ଟି ଓ ସେଥିରୁ ପ୍ରାପ୍ତ ହେଉଥିବା ବିନୟଟି ସହିତ ଆପଣାର ନାସ୍ତିକତାକୁ ବଞ୍ଚି ପାରନ୍ତା, ତେବେ ତଦ୍ଦ୍ଵାରା ସିଏ ଯାବତୀୟ ଧର୍ମ ଓ ଧର୍ମସ୍ଥତାକୁ ଅଧିକ ସ୍ଵାସ୍ଥ୍ୟ ଓ ଅଧିକ ସଂହତି ଆଣିଦେବାରେ ଅନେକ ସାହାଯ୍ୟ କରିପାରନ୍ତା ।

 

ମୁଁ ଯେତିକି ସତ୍ୟକୁ ଜାଣିଛି, ସେଇଥିରେ ବାଟ ଚାଲିବା ଏବଂ ତଥାପି ଅଧିକ ଜାଣିବା ଏବଂ ଅଧିକ ଉପଲବ୍‍ଧି କରିପାରିବା ଲାଗି ଆପଣାଙ୍କୁ ଅନୁରାଗର ସହିତ ଉନ୍ମୋଚିତ କରି ରଖିଥିବା, ସମ୍ଭବତଃ ତାହାକୁ ହିଁ ଯଥାର୍ଥ ଧର୍ମ ସମନ୍ଵୟ ଦିଗରେ ସର୍ବପ୍ରଥମ ସୋପାନ ବୋଲି କୁହାଯାଇ ପାରିବ । ଏହି ସୋପାନଟି ସବାଆଗ ବ୍ୟକ୍ତିର ଜୀବନରେ ପଡ଼ିବ । ଖାଲି ସଭାରେ କୁହାଯିବ ନାହିଁ, ବ୍ୟକ୍ତି ଯେଉଁ ଧର୍ମର ଆୟତନ ଭିତରେ ଜନ୍ମଗ୍ରହଣ କରିଥାଉ ପଛକେ, ସିଏ ଏହିପରି ଏକ ଦୃଷ୍ଟିକୁ ସତକୁ ସତ ବଞ୍ଚିବାକୁ ହିଁ ଅସଲ ଶ୍ରଦ୍ଧା ବୋଲି ଅନୁଭବ କରିବ ।

 

ଅମୁକ ଧର୍ମ ସମନ୍ଵୟକୁ ହିଁ ସବାବଡ଼ ବୋଲି କହି ଆସିଛି ଏବଂ ତେଣୁ ତାହା ଅନ୍ୟାନ୍ୟ ସବୁଯାକ ଧର୍ମ ଅପେକ୍ଷା ଅଧିକ ପ୍ରଶସ୍ତ ଅଥବା ଅଧିକ ଲକ୍ଷ୍ମୀମନ୍ତ ଏହି କାଟର ଯାବତୀୟ ଦୁଷ୍ଟ ମମତା ଓ ଅସମତା ଭିତରୁ ବାହାରି ଆସିବାକୁ ପଡ଼ିବ । ତେବେ ଯାଇ ପ୍ରତ୍ୟେକ ଧର୍ମ ଅନ୍ୟ ପ୍ରତ୍ୟେକ ଧର୍ମକୁ ଯଥାର୍ଥ ଗ୍ରହଣଶୀଳତା ସହିତ ଚିହ୍ନିବାକୁ ସମର୍ଥ ହେବ । ମଣିଷମାନେ, ସେମାନଙ୍କର ଭେକ ଏବଂ ଶାସ୍ତ୍ର ଯାହା ହୋଇଥାଉ ପଛକେ, ପରସ୍ପରର ନିକଟବର୍ତ୍ତୀ ହୋଇପାରିବେ । ବାହାରେ ପାର୍ଥକ୍ୟ ରହିଥିବ, ତଥାପି ଭିତରେ ଏକ ସୁନିଶ୍ଚିତ ସାମ୍ୟ ଅବଶ୍ୟ ଅନୁଭୂତ ହେଉଥିବ । ତାହାରି ଦ୍ଵାରା ହିଁ ଆମେ ଏହି ପୃଥିବୀରେ ଏକ କଲ୍ୟାଣକାରୀ ସମନ୍ଵୟର କ୍ରମେ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସି ପାରୁଥିବା ।

 

ତେଣୁ, ଧର୍ମଗୁଡ଼ିକ ପରସ୍ପରକୁ ଚିହ୍ନିବାର ଏହି ଅନୁରାଗମୟ ପର୍ଯ୍ୟାୟରେ ଧାର୍ମିକ ହେବାଲାଗି ଆଉ ଘୃଣା କରିବାର ଆଦୌ କୌଣସି ଆବଶ୍ୟକତା ରହିବ ନାହିଁ । ବର୍ତ୍ତମାନ ତ ଆମର ଧର୍ମ, ଆମର ସଂସ୍କୃତି, ଆମ ରାଜନୀତି ଓ ଆମର ମତବାଦଗୁଡ଼ିକ ଆମର ସକଳ ଉତ୍ତେଜନା ଏବଂ ଭାବକାମୁକତା - ସତ୍ତ୍ଵେ ଏପରି ଦୁର୍ବଳ ହୋଇ ରହିଛନ୍ତି ଯେ, ଅପର ପାଞ୍ଚଟାକୁ ଅବର ବୋଲି କହି ଘୃଣା ନକଲେ ଆମ ନିଜଟା ସତକୁ ସତ ବଡ଼ ହୋଇଥିବ ବୋଲି ଆଦୌ ବିଶ୍ଵାସ କରି ହେଉନାହିଁ । ଅସଲ ସମନ୍ଵୟକୁ ମନ କଲେ ଆମେ ନିଜ ଛାଞ୍ଚ ଗୁଡ଼ାକର ବି ଗଭୀରକୁ ପହଞ୍ଚି ପାରିବା ଲାଗି ସମର୍ଥ ହେବା ଏବଂ ସେହିଠାରେ ଅନ୍ୟ ପ୍ରତ୍ୟେକ ଧର୍ମର ସାରକୁ ମଧ୍ୟ ଠାବ କରିପାରିବା । ତା ପରେ ଆମେ ଆଉ କେବଳ ହିନ୍ଦୁ ହୋଇ ରହିବା ନାହିଁ, କେବଳ ମୁସଲମାନ ବା କେବଳ ଆଉକିଛି ହୋଇ ରହିବାନାହିଁ । ବର୍ତ୍ତମାନର ଛାଞ୍ଚଗୁଡ଼ାକୁ ଯେ ସେଥିଲାଗି ଭାଙ୍ଗି ଦେବାକୁ ପଡ଼ିବ, ସେକଥା ଆଦୌ ନୁହେଁ । ଆମର ସେହି ଅନ୍ୟ ଅଭିନବ ଉପଲବ୍‍ଧିଟି ଦ୍ଵାରା ଆମେ ଏହି ଛାଞ୍ଚଗୁଡ଼ାକୁ ମଧ୍ୟ ପବିତ୍ର କରିଦେବା । ଯିଏ କେବଳ ଛାଞ୍ଚଗୁଡ଼ାକୁ କାମୁଡ଼ି ପଡ଼ିରହିଛି, ଗଭୀରକୁ ଯିବାକୁ ମନା କରୁଛି, ସୂତ୍ର ଯୋଡ଼ିବାକୁ ମନା କରୁଛି, ସିଏ ଯେଉଁ ଧର୍ମର ଛାପା ମାରିହୋଇ ଯେଡ଼େ ଧାର୍ମିକ ହୋଇ ଥାଉ ପଛକେ, ସେତେବେଳେ ଏକମାତ୍ର ତାହାକୁ ହିଁ ମ୍ଳେଚ୍ଛ, କାଫେର ବା ଦୁଷ୍ଟ ବୋଲି କୁହାଯିବ ।

 

ଏହି ଭଳିଭଳି ମନ୍ଦିରଗୁଡ଼ାକର ସେତେବେଳେ ଆହୁରି ସେପାଖକୁ ବାଟ ଦିଶିଯିବ; ଆମ ଭିତରେ ବାଟ ଦିଶିଯିବ, ଆମ ବାହାରେ ଆମର ଯାବତୀୟ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ମଧ୍ୟ ବାଟ ଦିଶିଯିବ । ତ୍ରୟୋଦଶ ଶତାବ୍ଦୀର ସନ୍ଥ ମାଇଷ୍ଟର୍‍ ଏକ୍‍ହାର୍ଟଙ୍କର ଭାଷାରେ କହିଲେ godheadମାନଙ୍କ ପଛରେ ରହିଥିବା God ଦୃଷ୍ଟିଗୋଚର ହେବାକୁ ଲାଗିଲେ । ପୃଥିବୀର ପ୍ରତ୍ୟେକ ଧର୍ମର ପଛରେ ଯେଉଁ ଅବତାରମାନେ ରହିଛନ୍ତି, ସେମାନେ ଆପଣାର ସକଳ ସ୍ଥାନୀୟତା ସତ୍ତ୍ଵେ ସେହି Godଙ୍କର କଥା ହିଁ କହିଛନ୍ତି । ଅବତାରମାନଙ୍କୁ କଣ୍ଢେଇରେ ପରିଣତ କରି ପକାଇଥିବା କୁଶଳୀ ଅଳପମାନେ ପୃଥିବୀଟାକୁ ବାରମ୍ବାର godheadମାନଙ୍କର ଭେଳିକିରେ ଆଣି ପକାଇ ଦେଇଛନ୍ତି । ଅସଲ ସମନ୍ଵୟ ସେତିକିବେଳେ ଆସିବ, ଆମେ ଯେତେବେଳେ ଏହି ଭେଳିକିଗୁଡ଼ାକୁ ଭେଦି ପାରିବା । ଏକ ଅନୁରାଗପ୍ରଧାନ ଆଖିରେ ସତ୍ୟର ଆବିଷ୍କାର କରିପାରିବା । (୯ । ୩ । ୮୮)

 

(୩୨)

 

ଧର୍ମ କ’ଣ କେବଳ ଆର ଜନ୍ମ ପାଇଁ, ଅଥବା ଆର ପୁର ପାଇଁ ? ଏଇଠି ଏହି ସଂସାର ଲାଗି ଧର୍ମର କ’ଣ ଆଦୌ କିଛିହେଲେ କହିବାର ନାହିଁ କିମ୍ବା କରିବାର ନାହିଁ ? ଯେଉଁ ଭଗବାନଙ୍କ ସହିତ ସମ୍ବନ୍ଧ ଯୋଡ଼ିବା ବିଷୟରେ ପୃଥିବୀର ପ୍ରତ୍ୟେକ ଧର୍ମ ଓ ଧର୍ମଗୁରୁ କହି ଆସିଛନ୍ତି, ସେହି ଭଗବାନ କ’ଣ ଏକାବେଳେକେ ଏହି ପୃଥିବୀ ବାହାରେ ଆଉ କେଉଁ ବୈକୁଣ୍ଠରେ ଯାଇ ରହିଛନ୍ତି ? ମଣିଷ ମଣିଷ ମଧ୍ୟରେ ଏହି ସଂସାର ଭିତରେ ସ୍ଥାପିତ ହୋଇ ରହିଥିବା ସମ୍ବନ୍ଧଗୁଡ଼ିକ ସହିତ ଭଗବାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବାର କ’ଣ କୌଣସି ସମ୍ବନ୍ଧ ନାହିଁ ? ଭଗବାନଙ୍କୁ ଆପଣାର ହୃଦୟ ଦେଉଥିବା ମଣିଷ କ’ଣ ଏହି ସଂସାର ପ୍ରତି ପ୍ରକୃତରେ ଉଦାସ ରହିପାରିବ ? କାର୍ଲ୍‍ ମାର୍କସଙ୍କର କହିବା ପରି ଧର୍ମ କ’ଣ ଚିରକାଳ the heart of a heartless world ହୋଇ ରହିଥିବ ? ଅଥବା, ବହୁ ଧର୍ମସମୀକ୍ଷକ ଯେପରି କହିଛନ୍ତି, ବହୁ ମଣିଷଙ୍କର ଅସଲ ବିବେକଗୁଡ଼ାକୁ ପୃଥିବୀ ବାହାରକୁ ହୁଡ଼ାଇ ନେଇ ତାହା ସେମାନଙ୍କୁ ସଂସାରର ଯାବତୀୟ ଅବିବେକ ତଥା ଅବ୍ୟବସ୍ଥାଗୁଡ଼ିକୁ ସହିଯିବା ଲାଗି ବାଧ୍ୟ କରୁଥିବ ?

 

ଇତିହାସରେ ଧର୍ମଗୁରୁମାନଙ୍କର ଯେତିକି ଏକ ମହନୀୟ ଏବଂ ଅଭିଭୂତକାରୀ ସ୍ଥାନ ରହିଛି, ଧର୍ମଗୁଡ଼ିକର ହୁଏତ ସେତିକି କଳଙ୍କମୟ କାହାଣୀମାନ ମଧ୍ୟ ରହିଛି । ଧର୍ମମାନେ ଗୋଟିଏ ଗୋଟିଏ ଅନୁଷ୍ଠାନ ରୂପେ ପୃଥିବୀରେ ପକ୍ଷବିସ୍ତାର କରି ରହିପାରିବେ ବୋଲି ଅଧିକାଂଶ କ୍ଷେତ୍ରରେ ରାଜଛତ୍ରର ଆଶ୍ରୟ ଲୋଡ଼ି ଯାଇଛନ୍ତି । ସେମାନେ ପ୍ରାୟ ସବୁକାଳରେ ରଜାର ପଟ ହୋଇ ରହିଛନ୍ତି । ରଜାର ପଟ ନ ଦେଇ ଈଶ୍ଵରଙ୍କ ପଟରେ ରହିବାକୁ ଅଭିଳାଷ କରୁଥିବା ସନ୍ଥମାନଙ୍କୁ ସେଥିଲାଗି କାଳେ କାଳେ ରଜାମାନଙ୍କର ବହୁ କଟାଳ ସହ୍ୟ କରିବାକୁ ହୋଇଛି । ମଣିଷ ପ୍ରତି କ୍ଷମତା ଅର୍ଥାତ୍ Establishment ଦ୍ଵାରା ଆଚରିତ ହୋଇଥିବା ବହୁ ଅନ୍ୟାୟର ଧର୍ମ ପ୍ରଧାନତଃ କ୍ଷମତା ପଟେ ହିଁ ରହି ଆସିଛି । ମଣିଷମାନଙ୍କୁ କାବୁ କରି ରଖିଛି, ଭୀରୁ କରି ରଖିଛି । ଏକ ନୂତନ ବିଶ୍ଵାସ ଏବଂ ଆଖିରେ ଭଗବାନଙ୍କ ଆଡ଼କୁ ଅନାଉ ଅନାଉ ଅତ୍ୟନ୍ତ ସ୍ଵାଭାବିକ ଭାବରେ ମଣିଷମାନେ ଯେତେବେଳେ ସେହି ନୂତନ ବିଶ୍ଵାସ ଏବଂ ଆଖି ଦେଇ ନିଜ ଆଡ଼କୁ ଏବଂ ନିଜର ସମାଜ ଆଡ଼କୁ ଅନାଇବାକୁ ମନ କରିଛନ୍ତି ଓ ସେଇଥିରୁ ଉଦ୍‍ବୋଧନ ପାଇ ଯେତେବେଳେ ସେମାନେ ନିଜ ବ୍ୟକ୍ତିଗତ ତଥା ସାମୂହିକ ଜୀବନରେ ଏକ ପୁନର୍ବିନ୍ୟାସ କରିବାଲାଗି ଆଗ୍ରହୀ ହୋଇଛନ୍ତି, ସେତେବେଳେ ଧର୍ମ ଓ ରାଜା ଏକାଠି ମିଶି ଅତ୍ୟନ୍ତ ନୃଶଂସଭାରେ ତାହାର ଦମନ କରିଛନ୍ତି । ମାର୍ଟିନ୍‍ ଲୁଥରଙ୍କ ନୂତନ ଧର୍ମପ୍ରଚାରକୁ ବଳ ପାଇ ଜର୍ମାନୀରେ ହୋଇଥିବା କୃଷକ ବିଦ୍ରୋହକୁ ଲୁଥରଙ୍କର ଅନୁମୋଦନ ସହିତ ତତ୍କାଳୀନ ରାଜାମାନେ ଯେପରି ଦମନ କରି ଦେଇଥିଲେ, ତାହାର ବହୁ ସମାନ୍ତର ଦୃଷ୍ଟାନ୍ତ ଆମ ଇତିହାସରେ ରହିଛି । ଏ ଯୁଗରେ ମଧ୍ୟ ସେହି ଅପଚାରଟିର କମ୍‍ ପୁନରାବୃତ୍ତି ହେଉନାହିଁ ।

 

ପ୍ରତ୍ୟେକ ଧର୍ମରେ ମଣିଷର ଇହଜୀବନ ଲାଗି ମଧ୍ୟ ଏକ ଆବେଦନ ରହିଥାଏ । ଧର୍ମ ଆପଣା ଆସ୍ପୃହାର ଯେଉଁ ପ୍ରସ୍ଥଟିରେ ଆଧ୍ୟାତ୍ମିକତାକୁ ସ୍ପର୍ଶ କରିଥାଏ, ସେହି ପ୍ରସ୍ଥଟି ହିଁ ତାହାକୁ ଏହି ପୃଥିବୀ ଆଡ଼କୁ ଆକର୍ଷିତ କରିଆଣେ । ଆଧ୍ୟାତ୍ମିକତା ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ଏକ ସମଗ୍ର ସତ୍ୟୋପଲବ୍‍ଧିର ଆହ୍ଵାନ ଆଣି ଦେଇଥାଏ । ଅନ୍ନକୁ ଛାଡ଼ି ଯେଉଁମାନେ ଆନନ୍ଦ ମଧ୍ୟକୁ ପଳାୟନ କରନ୍ତି, ଅନ୍ନକୁ ଛାଡ଼ି ଆନନ୍ଦ ସତେଅବା ଆଉ କେଉଁଠି ବିଲଗ ହୋଇ ରହିଛି ବୋଲି ଯେଉଁମାନେ ଯୁକ୍ତି ବାଢ଼ନ୍ତି, ସେମାନେ ମାୟାବାଦୀ ହୁଅନ୍ତି, ବ୍ରହ୍ମବାଦୀ ହୁଏତ ହୁଅନ୍ତି, ମାତ୍ର ବ୍ରହ୍ମଦର୍ଶୀ ହୋଇପାରନ୍ତି ନାହିଁ । ବ୍ରହ୍ମରେ ଜୀବନ ବଞ୍ଚି ପାରନ୍ତି ନାହିଁ । ସେମାନଙ୍କର ବ୍ରହ୍ମକଳନା ପରି ସେମାନଙ୍କର ଜୀବନ ବଞ୍ଚିବା ମଧ୍ୟ ଭାରି ଖଣ୍ଡିଆ ହୋଇ ରହିଥାଏ । ଆପଣା ପରି ଆପଣାର ପ୍ରତିବେଶୀକୁ ମଧ୍ୟ ଭଲ ପାଇବାକୁ ହେବ ବୋଲି ଧର୍ମର ଇତିହାସରେ ଖ୍ରୀଷ୍ଟିଆନ୍‍ ଧର୍ମ ହିଁ ଏକ ବିଶିଷ୍ଟ ଗୁରୁତ୍ଵ ଦେଇ କହିଥିଲା । ଅବଶ୍ୟ ଏକଥା ସତ ଯେ, ଖ୍ରୀଷ୍ଟିଆନ୍ ଧର୍ମ ରୋମ୍‍ ସାମ୍ରାଜ୍ୟର ହସ୍ତମୁଦି ମାହାଲ ହୋଇ ରହିବା ପରେ ଏବଂ ତା’ପରେ ବହୁଶତାବ୍ଦୀ ଧରି ଇଉରୋପୀୟ ରାଜକ୍ଷମତାର ନିର୍ଦ୍ଦେଶରେ ନିୟନ୍ତ୍ରିତ ହୋଇ ରହିବା ଫଳରେ ଆପଣାର ସେହି ଅସଲ ଆବେଦନଟିକୁ ପ୍ରାୟ ଗୌଣ କରି ପକାଇଲା । ତଥାପି ତାହାର ମାନବଧର୍ମୀ ପ୍ରତିକ୍ରିୟାଟି କଦାପି ସଂପୂର୍ଣ୍ଣ ଭାବରେ ଲୁପ୍ତ ହୋଇ ଯାଇନଥିଲା । ଇଉରୋପର ଫରାସୀ ବିପ୍ଳବ ପଛରେ ଖ୍ରୀଷ୍ଟୀୟ ପ୍ରେରଣାର ଅବଦାନ ଅବଶ୍ୟ ରହିଥିଲା । ସମାଜରେ ଥିବା ବହୁବିଧ ଦାସତ୍ଵର କବଳରୁ ମଣିଷକୁ ମୁକ୍ତ କରି ଆଣିବାର ଯାବତୀୟ ଆନ୍ଦୋଳନରେ ମଧ୍ୟ ସେହି ପ୍ରେରଣା ଅତ୍ୟନ୍ତ ସ୍ପଷ୍ଟ ଭାବରେ କାର୍ଯ୍ୟ କରିଥିଲା । ନାରୀମୁକ୍ତି ଆନ୍ଦୋଳନ, ବନ୍ଦୀଶାଳାର ବନ୍ଦୀମାନଙ୍କୁ ମନୁଷ୍ୟୋଚିତ ବ୍ୟବହାର ପ୍ରଦର୍ଶନ, ଶ୍ରମିକମାନଙ୍କୁ ଉତ୍ପାଦନର ପ୍ରକ୍ରିୟାରେ ଅଧିକରୁ ଅଧିକ ସକ୍ରିୟ ଭାବରେ ସଂଶ୍ଳିଷ୍ଟ କରି ରଖିବାର ଆନ୍ଦୋଳନ, ସାର୍ବଜନୀନ ଶିକ୍ଷା ବ୍ୟବସ୍ଥା–ଏହିପରି ବହୁ କ୍ଷେତ୍ରରେ ଆମେ ଖ୍ରୀଷ୍ଟିଆନ୍‍ ଧର୍ମର ମାନବବାଦୀ ସନ୍ଦେଶଟି ଅତ୍ୟନ୍ତ ନିର୍ଭୁଲ ଭାବରେ ରହିଥିବାର ଦେଖିବାକୁ ପାଇବା । ପାଶ୍ଚାତ୍ୟ ସାମ୍ରାଜ୍ୟବାଦର ଢେଉ ଉପରେ ବସି ଖ୍ରୀଷ୍ଟିଆନ୍‍ ମିଶନାରୀମାନେ ଯେତେବେଳେ ଉପନିବେଶଗୁଡ଼ିକୁ ଆସିଲେ, ସେତେବେଳେ ଅବଶ୍ୟ ପୃଥିବୀଯାକର ମଣିଷଙ୍କୁ ଗୋଟାସୁଦ୍ଧା ଅଡ଼ାଇ ନେଇ ନିଜ ଖୁଆଡ଼ରେ ଭର୍ତ୍ତି କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହୋଇ ରହିଥିଲା । ସେତେବେଳେ ମଧ୍ୟ ବହୁ ତ୍ରାଣ ଓ ସହାୟକତାର କାର୍ଯ୍ୟରେ ସେମାନେ ସଂଶ୍ଳିଷ୍ଟ ହୋଇ ରହୁଥିଲେ ସତ, ମାତ୍ର ତଥାପି ସବାମୂଳରେ ପ୍ରାୟ ସବୁଠାରେ ହିଁ ଧର୍ମପଲ ବଢ଼ାଇବାର ମନ୍ଦ ଉଦ୍ଦେଶ୍ୟଟି ସର୍ବଦା ରହିଥିଲା ।

Unknown

 

ଜର୍ଜ୍‍ ପଂକସ୍‍ଙ୍କର କ୍ଵେକର୍‍ ଧର୍ମ ଆନ୍ଦୋଳନକୁ ଆମେ ଖ୍ରୀଷ୍ଟ ପ୍ରଚାରିତ ଧର୍ମର କଲ୍ୟାଣ ଏବଂ ଅଭ୍ୟୁଦୟକାମୀ ଇତିହାସରେ ଏକ ବୃହତ ମାଇଲଖୁଣ୍ଟ ବୋଲି କହିବା । ଉପନିବେଶଗୁଡ଼ିକର ରାଜନୈତିକ ମୁକ୍ତି-ସଂଗ୍ରାମକୁ କ୍ଵେକର୍‍ ବନ୍ଧୁମାନେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସମର୍ଥନ କରିଥିଲେ ଓ ଅଧିକାଂଶ କ୍ଷେତ୍ରରେ ଅତ୍ୟନ୍ତ ସକ୍ରିୟ ଭାବରେ ସେମାନେ ସଂଗ୍ରାମୀମାନଙ୍କର ପଟରେ ହିଁ ରହିଥିଲେ । ଆମର ଏହି ଶତାବ୍ଦୀରେ ଆଲ୍‍ବର୍ଟ ଶ୍ଵାଇତ୍‍ଜର ଖ୍ରୀଷ୍ଟିଆନ୍‍ କ୍ରିୟାଶୀଳତାକୁ ଏକ ନୂତନ ଅଭିମୁଖ୍ୟ ପ୍ରଦାନ କରିଥିଲେ । ଆମେରିକା ଯୁକ୍ତରାଷ୍ଟ୍ର ଏବଂ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ଏବଂ ଜାତିର ନିର୍ବିଶେଷରେ ମଣିଷ ମାତ୍ରକେ ସମସ୍ତଙ୍କୁ ମନୁଷ୍ୟର ଅଧିକାର ଏବଂ ସମ୍ମାନ ଦେବାର ଯେଉଁ ଆନ୍ଦୋଳନ ଏବେ ମଧ୍ୟ ଚାଲିଛି, ସେଥିରେ ସର୍ବପ୍ରଧାନ ନେତୃତ୍ୱର ମୂଳରେ ସବୁଠାରେ ଖ୍ରୀଷ୍ଟିଆନ୍‍ ଧର୍ମନେତାମାନେ ରହିଛନ୍ତି । ଆମେରିକା ଯୁକ୍ତରାଷ୍ଟ୍ରର ମାର୍ଟିନ୍‍ ଲୁଥର କିଙ୍ଗ୍ ଏବଂ ଦକ୍ଷିଣ ଆଫ୍ରିକାର ଆଲବର୍ଟ ଲୁଥୁଲି ଉଭୟଙ୍କୁ ସମଗ୍ର ଜଗତ ମାନବମୁକ୍ତିର ପକ୍ଷରେ ସାହସର ସହିତ ଠିଆ ହୋଇଥିବା ଅଗ୍ରଗାମୀ ବୀର ରୂପେ ସ୍ଵୀକୃତି ମଧ୍ୟ ଦେଇଛି । ସବା, ସଦିଚ୍ଛା, ଆଲୋକନ ଏବଂ ଉତ୍ତୋଳନ ଯେ ଖ୍ରୀଷ୍ଟିଆନ୍ ଧର୍ମ ସମେତ ପୃଥିବୀରେ ଯାବତୀୟ ଧର୍ମର ସର୍ବପ୍ରଧାନ ନୟନ ହୋଇ ରହିବା ଉଚିତ, ଭଗବାନଙ୍କ ପ୍ରତି ପ୍ରୀତି ଯେ ଜଣେ ଯଥାର୍ଥ ଧର୍ମପ୍ରେରିତ ମନୁଷ୍ୟଠାରୁ ଏକ କଠିନ ସମର୍ପଣବ୍ରତର ଦାବୀ କରିଥାଏ, ଆମ ଭାରତବର୍ଷକୁ ଆପଣାର ଆଧ୍ୟାତ୍ମିକ ଘର ରୂପେ ଗ୍ରହଣ କରି ନେଇଥିବା ମଦର ଟେରେସା ତାହାର ଏକ ଗୌରବମୟ ଦୃଷ୍ଟାନ୍ତ ହୋଇ ରହିଛନ୍ତି । ଏମାନେ ସମସ୍ତେ ଆପଣାର ନିଷ୍ପତ୍ତି ଦ୍ଵାରା ଦେଖାଇ ଦେଇଛନ୍ତି ଯେ, ଧର୍ମ ଆଉ ମନ୍ଦିରର ବେଢ଼ା ଭିତରେ କଦାପି ଆବଦ୍ଧ ହୋଇ ରହିପାରିବ ନାହିଁ । ପୃଥିବୀ ସାରା ମନୁଷ୍ୟଙ୍କର ଅଭ୍ୟୁଦୟଯାତ୍ରାରେ ତାହାକୁ ସାମିଲ ହେବାକୁ ପଡ଼ିବ ଓ ଆବଶ୍ୟକ ନେତୃତ୍ଵ ଦେବାକୁ ହିଁ ପଡ଼ିବ । ତା’ ନ ହେଲେ ଧର୍ମମାନେ ରହିଯିବେ, ମଣିଷର ପୃଥିବୀ ଆଗକୁ ଚାଲିଯିବ । ପାରମ୍ପରିକ ଠାକୁରମାନେ ଅନାବଶ୍ୟକ ବୋଲି ପ୍ରତିପାଦିତ ହେବେ, ପଛରେ ରହିଯିବେ । ଯାହାର ଅନ୍ତିମ ଘଣ୍ଟା ବାଜିଲାଣି, ତାକୁ ମଣ୍ଡପର ବା ମଠର ପୁରାତନମାନେ କଦାପି ଅଟକାଇ ରଖିପାରିବେ ନାହିଁ ।

 

ଖ୍ରୀଷ୍ଟିଆନ୍‍ ଧର୍ମରେ ଗତ କେତେ ଦଶକ ଧରି ଯେଉଁ ନୂତନ ଉଦ୍‍ବେଳନଟିର ଆବିର୍ଭାବ ହୋଇଛି, ତାହାକୁ ଏକ ପାରିଭାଷିକ ଶବ୍ଦ ଦେଇ ଏବେ Liberation Theology ବୋଲି କୁହାଯାଉଛି । ପରମେଶ୍ଵର ହେଉଛନ୍ତି ମାନବମୁକ୍ତିର ପ୍ରତୀକ । ମଣିଷ ଭିତରେ ସେଇ ବିରାଜିତ ରହିଛନ୍ତି ଓ ସାରଥି ପରି ମଣିଷକୁ ପରସ୍ତକୁ ପରସ୍ତ ଉତ୍ତୋଳିତ କରି ନେଉଛନ୍ତି । ତେଣୁ ସାମୂହିକ ଜୀବନରେ ସାମାଜିକ, ଅର୍ଥନୈତିକ ଏବଂ ରାଜନୀତିକ କ୍ଷେତ୍ରଗୁଡ଼ିକରେ ଯାହାକିଛି ପାରମ୍ପରିକ ବହୁ ପରାକ୍ରମ ସହିତ Establishment ହୋଇ ବସି ମାନବ ଉଦୟର ପଥକୁ ଉଗାଳି ବସିଛନ୍ତି, ଧର୍ମରୂପେ ମନୁଷ୍ୟର ଅସଲ ବିବେକ ହୋଇ ତିଷ୍ଠି ରହିବାକୁ ହେଲେ ଧର୍ମକୁ ସେଗୁଡ଼ିକ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ । ପ୍ରତିବାଦ କରିବ, ନେତୃତ୍ଵ ନେବ, ମନୁଷ୍ୟ ପକ୍ଷରେ ରହି ନ୍ୟସ୍ତସ୍ଵାର୍ଥ ବିରୁଦ୍ଧରେ ସଂଗ୍ରାମର ଅବତୀର୍ଣ୍ଣ ହେବ । ମନୁଷ୍ୟ-ହିତୈଷଣାର ମାର୍ଗରେ ଏପର୍ଯ୍ୟନ୍ତ ଧର୍ମ କୃପାପ୍ରଦର୍ଶନ ଯାଏ ଯାଇଥିଲା, ଧନୀ ଭାଗ୍ୟବାନ୍‍ମାନେ ଦୁସ୍ଥ ଅଭାଗ୍ୟମାନଙ୍କୁ ଦୟା ଦେଖାଇବାକୁ ହିଁ ପୁଣ୍ୟ ଅର୍ଜନ କରିବାର ମାର୍ଗ ବୋଲି ମଣି ଆସୁଥିଲେ । ତଥାପି ଦୂରତାଗୁଡ଼ାକ ରହିଥିଲା, ଅସଲ ଅନୁରାୟ ଗୁଡ଼ିକୁ ହଟାଇବାର କ୍ଷେତ୍ରରେ ଧର୍ମ ନୀରବ ହୋଇ ରହୁଥିଲା । ସେହିସବୁ କାର୍ଯ୍ୟକୁ ରାଜନୀତି ନାମକ ସେମାନଙ୍କ ଦୃଷ୍ଟିରେ ଏକ ହୀନତର ମାମଲତର ମାରଫତରେ ଛାଡ଼ି ଦିଆ ଯାଇଥିଲା । ଭୀରୁତାର, ଉପେକ୍ଷାର ସେହି ପର୍ଯ୍ୟାୟଟିକୁ ଛାଡ଼ି Liberation Theology ଏବେ ମଣିଷ ପାଖକୁ ଆସିବାକୁ ନିଷ୍ପତ୍ତି କରିଛି । ଏହି ପୃଥିବୀରେ ଭଗବାନଙ୍କର ସାମ୍ରାଜ୍ୟ ସ୍ଥାପନାର ବାଟରେ ପ୍ରତିଷ୍ଠତ ଯେଉଁ ସ୍ଵାର୍ଥମାନେ ବାଧା ହୋଇ ଛିଡ଼ା ହୋଇଛନ୍ତି ଏବଂ ପୃଥିବୀଯାକର ମଣିଷଙ୍କୁ ଦେଉଳ ଓ ଠାକୁରମାଜଣାରେ ଭୁଲାଇ ରଖିଛନ୍ତି, ସେମାନଙ୍କୁ ହଟାଇବାର କାର୍ଯ୍ୟକ୍ରମକୁ ମଧ୍ୟ ତାହା ଆପଣାର କାର୍ଯ୍ୟରୂପେ ଗ୍ରହଣ କଲାଣି । କେବଳ ଖ୍ରୀଷ୍ଟିଆନ୍‍ ଧର୍ମରେ ନୁହେଁ, ପୃଥିବୀର ଏକାଧିକ ଧର୍ମକୁ ମଧ୍ୟ ସେହି ନୂତନ ଚେତନା ସ୍ପର୍ଶ କରିବାକୁ ଆରମ୍ଭ କରୁଛି । ଧର୍ମର ସଂଜ୍ଞା ବଦଳୁଛି, ଧର୍ମ ଆଧ୍ୟାତ୍ମିକତାର ଓ ଆତ୍ମୀୟତାର ସମଗ୍ର ଭୂମି ଉପରେ ମଣିଷକୁ ଦେଖିବାକୁ ସାହସ କରୁଛି ଏବଂ ମଣିଷ କହିଲେ କ୍ରମେ ସବୁ ମଣିଷକୁ ବୁଝୁଛି । ଭେକମାନେ ଗୌଣ ହୋଇ ଯାଉଛନ୍ତି ।

 

ଏହା ହିନ୍ଦୁ ଧର୍ମ ପ୍ରତି ଏକ ଆହ୍ଵାନ । ହିନ୍ଦୁ ଧର୍ମ କହିଲେ ଉପନିଷଦ ଠାରୁ ଆରମ୍ଭ କରି ଜାତି ଜାତି ଭିତରେ ଉଚ୍ଚ ନୀଚ ଦେଖିବା ପର୍ଯ୍ୟନ୍ତ ଯେଉଁ ବୃହତ୍ ଚିଡ଼ିଆଖାନାକୁ ବୁଝାଏ, ତାହା ଆଗାମୀ କାଳରେ ସମ୍ଭବତଃ ମୋଟେ ସେହିପରି ହୋଇ ରହିପାରିବ ନାହିଁ । ହିନ୍ଦୁଧର୍ମରେ ଯେଉଁମାନେ ଶିଷ୍ଟସ୍ତରରେ ରହି ଆସିଛନ୍ତି, ସେମାନେ ନିମ୍ନ ସ୍ତରକୁ ପ୍ରଧାନତଃ ଉପେକ୍ଷା ହିଁ କରି ଆସିଛନ୍ତି, ଆପଣା ସଂସାରର ଚଉବାଡ଼କୁ ନିରାପଦ, ସମ୍ପନ୍ନ ଓ ମଜବୁତ କରି ରଖି ବାଡ଼ ବାହାରେ ଥିବା ସଂସାରଟାକୁ ସତେଅବା ମାୟା ବୋଲି କହିଛନ୍ତି ଓ ନୃଶଂସ ହୋଇ ରହିଛନ୍ତି ଏବଂ ନିମ୍ନରେ ମଣିଷମାନେ ଭାଗ୍ୟବାଦୀ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି । ସେମାନେ ଯେତିକିରେ ଅଛନ୍ତି, ସେତିକିକୁ ପଶୁବତ୍ ଆଦରି ନେବା ବ୍ୟତୀତ ହୁଏତ ଆଉ ଅନ୍ୟ କୌଣସି ଦିଗ୍‍ବଳୟ ରହିଛି ବୋଲି କେବେ କଳ୍ପନା ହିଁ ନ କରିବାକୁ ମଣ ହୋଇ ଆସିଛନ୍ତି । ଅଧିକ ମନୁଷ୍ୟଙ୍କୁ ବାଧ୍ୟ, ଭୀତ ଏବଂ ଅସମ୍ମାନିତ ହୋଇ ରହିବାକୁ ହିନ୍ଦୁ ଧର୍ମର ନିୟାମକମାନେ ସତେଅବା କାଳକାଳ ଧରି ଚକ୍ରାନ୍ତ କରି ଆସିଛନ୍ତି । ଯେଉଁ ଯୁଗଟି ଆସୁଛି, ସେଥିପାଇଁ ଏହି ଅବିଧାନ ଏବଂ ଅସୁସ୍ଥତା ଗୁଡ଼ିକ ଆଦୌ କୌଣସି କାମ ଦେବନାହିଁ । ତେଣୁ ଭୂମିକା ବଦଳାଇବାକୁ ପଡ଼ିବ । ହିନ୍ଦୁଧର୍ମରେ ସେହି Liberation theology ଭଳି କିଛି ନୂତନ ଉଦ୍‍ବେଳନ ଲାଗି କେଉଁଦିନ ଏକ ନୂତନ ନେତୃତ୍ଵର ଆବିର୍ଭାବ ଘଟିବ, କାଳ ସତେଅବା ତାହାରି ଲାଗି ଅପେକ୍ଷା କରି ରହିଛି । ଊନବିଂଶ ଶତାବ୍ଦୀର ନବଜାଗରଣ ପର୍ବରେ ଭାରତବର୍ଷରେ ଯେଉଁ ମହାପୁରୁଷମାନେ ଜନ୍ମଗ୍ରହଣ କରିଥିଲେ, ସେମାନେ ପ୍ରାୟ ସମସ୍ତେ ହିନ୍ଦୁଧର୍ମକୁ ଏହିଭଳି ଏକ ଭୂମିକା-ପରିବର୍ତ୍ତନର ଆହ୍ଵାନ ଦେଇଥିଲେ । ଭାରତବର୍ଷ ରାଜନୀତିକ ସ୍ଵାଧୀନତା ହାସଲ କରିବା ପର୍ଯ୍ୟନ୍ତ ତାହାହିଁ ଆମ ଦେଶର ଯାବତୀୟ ଲୋକୋଦ୍ୟମରେ ଏକ ପ୍ରଧାନ ସନ୍ତକ ହେଇ ରହିଥିଲା । ମାତ୍ର, ଏକାଧିକ କାରଣରୁ ସ୍ଵାଧୀନତା ପରେ ଆମ ଦୃଷ୍ଟିଗତ ଭୂମିଗୁଡ଼ିକରେ ପୁନର୍ବାର ମଳି ପଶିଗଲା, ଅସଲ ସୂତ୍ରଗୁଡ଼ିକ ହାତଛଡ଼ା ହୋଇଗଲା । ଏଠି ଏକାଧିକ ଷଡ଼ଯନ୍ତ୍ର କରି ଆମର ବଡ଼ମାନେ ଆମକୁ ସତେଅବା ସେହି ପୁରୁଣା ପଙ୍କପୋଖରୀ ଭିତରକୁ ଫେରିଯିବାର ଚକ୍ରାନ୍ତ କଲେ । ପ୍ରତିକ୍ରିୟାଶୀଳମାନେ ପୁନର୍ବାର ନେତା ହୋଇ ବାହାରିଲେ । ଆମର ସାମ୍ପ୍ରତିକ ଅଧିକାଂଶ ଦୁର୍ଦ୍ଦଶା ଓ ଅସମର୍ଥତା ସମ୍ଭବତଃ ସେଇଥିଲାଗି-। ସେଇଥିଲାଗି ଆମର ଧର୍ମ ଆମକୁ ବାଟ ଦେଖାଇ ପାରୁନାହିଁ । ବରଂ ଅନ୍ଧାର ଗୁଡ଼ାକୁ ସ୍ଥାୟୀ କରି ରଖିବାର ସେହି ପୁରୁଣା ରକ୍ଷଣଶୀଳତା ଭିତରେ ପଡ଼ିରହିଛି । ଯେଉଁମାନେ ଆମକୁ ବିମୋଚନର ବାଣୀ ଶୁଣାଇଥିଲେ, ଆମେ ସେମାନଙ୍କୁ ବି ଠାକୁର କରି ସାରିଲୁଣି । ଏହି ବିଷବୃତ୍ତ ଭିତରୁ ଆମକୁ କିଏ ବାହାରି ଯିବାର ପଥ ଦେଖାଇ ପାରିବ ? (୧୬ । ୩ । ୮୮)

 

(୩୩)

 

ଅମରତ୍ଵ କହିଲେ ଯେ କେବଳ ଭବିଷ୍ୟତରେ ଅମର ହୋଇ ରହିବାକୁ ମଣିଷମାନେ ବୁଝିଥାନ୍ତି, ସେକଥା ଆଦୌ ନୁହେଁ । ଅନେକ ମଣିଷ ଏପରି ଅଛନ୍ତି, ଯେଉଁମାନେ କି ଅତୀତ ଆଡ଼କୁ ସିଡ଼ି ପକାଇ ଦେଇ ଆପଣାର ସଂସ୍କୃତି, ଧର୍ମ ଏବଂ ସାହିତ୍ୟକୁ ଅତ୍ୟନ୍ତ ପ୍ରାଚୀନ ବୋଲି ଦର୍ଶାଇ ଦେବାକୁ ମନ କରନ୍ତି ଏବଂ ଅତୀବ ହୃଷ୍ଟଚିତ୍ତ ହୋଇ ଆପଣା ଭିତରେ ସତେଅବା ଏକ ଅମରତ୍ଵର ଅନୁଭବ କରିବା ଲାଗି ଭାରି ମନ କରିଥାନ୍ତି । ବିଶେଷରୂପେ ପ୍ରାୟ ଏହିଭଳି ଏକ ଅର୍ଥରେ ବହୁ ଭାରତୀୟ ଆପଣାର ଧର୍ମଟିକୁ ସନାତନ ବୋଲି କହିଥାନ୍ତି ।

 

ଆପଣାକୁ ଅମର ଅର୍ଥାତ୍ ଅଧିକ ପ୍ରାଚୀନ ବୋଲି କହିବା ଦ୍ଵାରା ଅନେକ ସମୟରେ ମନୁଷ୍ୟ ତା’ର ସମୀକ୍ଷାତ୍ମକ ଦୃଷ୍ଟିଟିକୁ ହରାଇ ବସିଥାଏ । ଆପଣାକୁ ବହୁ ପ୍ରାଚୀନ ବୋଲି ପ୍ରତିପାଦିତ କରୁ କରୁ ସିଏ ସତେଅବା ନିଜକୁ ସମସ୍ତଙ୍କଠାରୁ ଅଧିକ ପ୍ରାଚୀନ ବୋଲି ଅନୁଭବ କରିବାକୁ ଆରମ୍ଭ କରେ ଏବଂ ସେଥିରୁ ଏପରି ଏକ ଆତ୍ମଶ୍ଳାଘା ଅଥବା ମିଛ ସାନ୍ତ୍ଵନା ଅନୁଭବ କରେ ଯେ, ତା’ପରେ ଭାରି ଗେଲବସର ଭାବରେ ଆପଣା ଆଡ଼କୁ ସବୁଯାକ ଆଖି ବୁଜିଦିଏ ଏବଂ ସକଳ ପ୍ରକାର ସମୀକ୍ଷାର କ୍ଷେତ୍ରରେ ବଡ଼ ଅସମର୍ଥ ହୋଇ ରହିଯାଏ । ଆତ୍ମସମୀକ୍ଷା ଲାଗି ସମର୍ଥ ହେବା ତ ଆହୁରି ଅଧିକ ଦୂରର କଥା । ମାତ୍ର, ସମୀକ୍ଷାର ସାମର୍ଥ୍ୟ ହରାଇ ବସିଥିବା ବ୍ୟକ୍ତି ଅନାବଶ୍ୟକ ଭାବରେ ଗୁଡ଼ାଏ ଉତ୍ସାହ ବା ଗୁଡ଼ାଏ ପୁଲକ ଭିତରେ ପ୍ରାୟ ଉବୁଡ଼ୁବୁ ହୋଇ ରହିଥାଏ ସତ, ମାତ୍ର ତା’ର ଯଥାର୍ଥ ବିଶ୍ଵପରିଚିତ ଅତ୍ୟନ୍ତ ଦାରୁଣ ଭାବରେ ଖଣ୍ଡିଆ ଓ ଅସନା ହୋଇ ରହିଯାଏ ଏବଂ ବିଶ୍ଵ-ପରିଚିତ ବ୍ୟତୀତ ଯଥାର୍ଥ ଆତ୍ମପରିଚିତି ମଧ୍ୟ ମୋଟେ ସମ୍ଭବ ହୋଇ ପାରେ ନାହିଁ । ସମୀକ୍ଷାତ୍ମକ ଆଗ୍ରହଟିକୁ ହରାଇ ବସିଥିଲେ ଜଣେ ମଣିଷ ବା ଗୋଟିଏ ସମୂହ ଆପଣାର ଧର୍ମକୁ, ସଂସ୍କୃତିକୁ, ଏପରିକି ଆପଣାର ପରମ୍ପରାଗତ ଅଭ୍ୟାସଗୁଡ଼ିକୁ ମଧ୍ୟ ଯଥାନୁପାତିକ ସ୍ଵଚ୍ଛ ଆଖି ଦେଇ ଆଦୌ ଦେଖିପାରେ ନାହିଁ, ସୁନାକୁ ପିତଳଠାରୁ ଅଲଗା କରି ଦେଖିବାର ଉଚିତ ବିବେକଟିକୁ ହରାଇ ବସେ । ପ୍ରଧାନତଃ ଏହି କାରଣରୁ ହିଁ ପୃଥିବୀର ବହୁ ସମୂହର ଜୀବନରେ ଧର୍ମ ଓ ସଂସ୍କୃତି ନାମରେ ଗୁଡ଼ାଏ ଗୁହ ଭର୍ତ୍ତି ହୋଇ ରହି ଯାଇଥାଏ ଏବଂ ସଂପୃକ୍ତ ସମସ୍ତେ ଏଡ଼େ ପୁଲକିତ ଭାବରେ ତାହାକୁ ସତେଅବା ଏକ ମହାସମ୍ପଦ ପରି ମୁଣ୍ଡାଇ ଧରିଥାନ୍ତି ଯେ, ଗୁହକୁ ଗୁହ ବୋଲି କହିବାର ସାଧାରଣ କୌଳିନ୍ୟଟିକୁ ମଧ୍ୟ ଅତ୍ୟନ୍ତ ଶୋଚନୀୟ ଭାବରେ ହରାଇ ବସିଥାନ୍ତି । ଗୁହାଳଟାକୁ ସତକୁ ସତ ସଫା କରି ବାହାରିବା ତ ଆହୁରି ଦୂରର କଥା ।

 

ଜୀବନକୁ ଦେଖିବାର ଆଖିରେ ସମୀକ୍ଷାତ୍ମକତା ନଥିଲେ ଆଗକୁ ଯିବା ସମ୍ଭବ ହୁଏ ନାହିଁ; ଆପଣାର ଗଭୀରକୁ ମଧ୍ୟ ମୋଟେ ଭେଦି ହୁଏନାହିଁ ଏବଂ ସତକୁ ସତ ଏକ ଗଭୀରତା ମଧ୍ୟରେ ପ୍ରବେଶ କରିପାରିଲେ ମଣିଷ ମଣିଷ ଭିତରେ ଯେଉଁ ଆତ୍ମୀୟତା ସମ୍ଭବ ହେଉଥାନ୍ତା, ମନୁଷ୍ୟମାନେ ସେଥିରୁ ବଞ୍ଚିତ ହୋଇ ରହିଥାଆନ୍ତି । ଅସଲ ସୂତ୍ରଟି ଅର୍ଥାତ୍ ଅସଲ ଶ୍ରଦ୍ଧାଟି ଓ ଅସଲ ନିଷ୍ଠାଟି ହାତଛଡ଼ା ହୋଇ ରହିଥାଏ । ଅସଲ ଶ୍ରଦ୍ଧା ତଥା ସମୀକ୍ଷାର ଲୋଚନଟିକୁ ପ୍ରାୟ ହରାଇ ଦେଇଥିବାରୁ ହିଁ ପୃଥିବୀର ଧର୍ମଗୁଡ଼ିକରେ କାଳକ୍ରମେ ଏତେ ଏତେ ଅଶ୍ରଦ୍ଧା ଏବଂ ଅନିଷ୍ଠା ଆସି ପ୍ରବେଶ କରିବାର ଅବକାଶ ପାଇଛି । ନିଷ୍ଠା ନାମରେ ଗୁଡ଼ାଏ ଉତ୍ତେଜନା ଆସି ପଶିଯାଇଛି ଏବଂ ଶ୍ରଦ୍ଧା ନାମରେ ଗୁଡ଼ାଏ ଅହଙ୍କାର ମଧ୍ୟ ଅତ୍ୟନ୍ତ ପ୍ରବଳ ହେବାର ସୁଯୋଗ ପାଇଛି ସତ, ମାତ୍ର ମଣିଷମାନେ ସତକୁ ସତ ଧର୍ମରେ ରହିଥିଲେ ପୃଥିବୀରେ ଯେଉଁ ସ୍ଵାଭାବିକ ପାରସ୍ପରିକତା ସମ୍ଭବ ହେଉଥାନ୍ତା ଏବଂ ଆମ ଧର୍ମମାନେ ଯେପରି ଆମକୁ ପାହାଚ ପରେ ପାହାଚ ଉଠାଇ ନେଇ ଆଧ୍ୟାତ୍ମିକତା ଆଡ଼କୁ ପରିଚାଳିତ କରି ନେଉଥାଆନ୍ତେ, ସେହି କଥାଟି ସମ୍ଭବ ହୋଇ ପାରିନାହିଁ । ତେଣୁ ପୃଥିବୀରେ ଧର୍ମମାନେ କେତେ ଡଉଲଡାଉଲ ହୋଇ ରହିଥିଲେ ମଧ୍ୟ ଧର୍ମ ନାହିଁ । ଆମ ଦେଉଳଗୁଡ଼ାକ ପଥରରୁ ଶଙ୍ଖ ମର୍ମରର ହୋଇ ତିଆରି ହେଉଥିଲେ ମଧ୍ୟ ତେଣେ ହୃଦୟର ଅସଲ ଦେଉଳଟି ମଧ୍ୟରେ ହୁଏତ ଯୋଗ୍ୟ ଆସ୍ଥାନଟିଏ ବୋଲି କହି ପାରିବାକୁ ଆଦୌ କିଛି ନାହିଁ ଏବଂ ଏକ ଆସ୍ଥାନ ହୁଏତ ରହିଥିଲେ ମଧ୍ୟ ତା’ ଉପରେ ଅସଲ ଦିଅଁ ନାହାନ୍ତି । ଧର୍ମଗୁଡ଼ାକ ବହିରେ ରହିଛନ୍ତି,–ଅଧିକାଂଶ କ୍ଷେତ୍ରରେ ସେହି ଧର୍ମକୁ ଜାତୀୟତା ନାମକ ବ୍ୟାଧ ଆପଣାର ଆୟତ୍ତ କରି ରଖିଛି ଏବଂ ଜାତୀୟତାର ମିଛ ସନ୍ତକ ରୂପେ ଆମର ଏହି ଆଧୁନିକ ପୃଥିବୀରେ ପ୍ରବଳ ଭାବରେ ଆମର ବୁଦ୍ଧିକୁ ବଶ କରି ରଖିଥିବା ରାଷ୍ଟ୍ରଶକ୍ତି ହିଁ ଅଧିକାଂଶ ସ୍ଥଳରେ ଧର୍ମଶକ୍ତିକୁ ପ୍ରାୟ ଗୋଟାସୁଦ୍ଧା ଉଦରସାତ୍ କରି ରଖିଛି ।

 

ଭାରତବର୍ଷରେ ଧର୍ମର ପରମ୍ପରାଟି ଆମକୁ ସତେଅବା ଅତ୍ୟନ୍ତ ଦୟନୀୟ ଭାବରେ ଦୁଇଭାଗ କରି ରଖିଛି । ହୁଏତ, ସେହି ଅତିପ୍ରାଚୀନ କାଳରୁ ଆମର ବ୍ୟବସ୍ଥାଗୁଡ଼ିକୁ ଏପରି ଭାବରେ ଅନୁକୂଳିତ କରି ରଖାଯାଇଛି ଯେ, ଆମର ବିଚାର ମଧ୍ୟରେ ଜୀବନର ଓ ଆଧ୍ୟାତ୍ମର ଯେଉଁସବୁ ମୂଲ୍ୟ ବା ମୂଲ୍ୟବୋଧକୁ ଆମେ ସର୍ବୋଚ୍ଚ ସ୍ଥାନରେ ବସାଇ ରଖି ଆସିଛୁ, ଆମର ଜୀବନରେ ସେଇଟିଲାଗି ପ୍ରାୟ ଆଦୌ କୌଣସି ସ୍ଥାନ ରଖିବାକୁ ମନ କରିନାହୁଁ । ବ୍ୟକ୍ତିଗତ ଜୀବନରେ ବ୍ୟକ୍ତି ବିଶେଷଙ୍କର କ୍ଷେତ୍ରରେ ସମ୍ଭବତଃ ତାହା କେତେକ ପରିମାଣରେ ପ୍ରତିଫଳିତ ହୋଇଛି ସତ, ମାତ୍ର ସାମୂହିକ ଜୀବନରେ ତାହାର ଉଲ୍ଲେଖଯୋଗ୍ୟ କୌଣସି ପ୍ରବେଶ ଘଟିନାହିଁ । ଆମର ଅଧିକାଂଶ ଅଧ୍ୟାତ୍ମଶାସ୍ତ୍ର ଓ ଧର୍ମଶାସ୍ତ୍ରଗୁଡ଼ିକର ପ୍ରଣେତାମାନେ ସଂସାରରେ ନଥିଲେ । ସଂସାରକୁ ଅଳୀକ ଅର୍ଥାତ୍ ଅସାର୍ଥକ ମଣି ସେମାନେ ଅରଣ୍ୟକୁ ପ୍ରସ୍ଥାନ କରିଥିଲେ । ଆରଣ୍ୟକମାନେ ଉପନିଷଦ ଲେଖିଥିଲେ । ସଂସାର ଅରଣ୍ୟକୁ ଉଚ୍ଚ ସମ୍ମାନ ଦେଖାଉଥିଲା ସତ, ମାତ୍ର ଉପନିଷଦର ବିବେକ ଅନୁସାରେ ଚଳୁନଥିଲା । ସଂସାର ତୁଚ୍ଛା ସଂସାରର ହିସାବରେ ଚଳୁଥିଲା । ତତ୍କାଳୀନ ରାଜା ଏବଂ ଋଷିମାନଙ୍କ ମଧ୍ୟରେ ସତେ ଅବା ଏକ ଅପୋଷ ସହାବସ୍ଥିତିର ବୁଝାମଣା ହୋଇଥିବା ପରି ଋଷିମାନେ ରାଜାମାନଙ୍କର ସଂସାର କରଣାରେ କୌଣସି ହସ୍ତକ୍ଷେପ କରୁ ନଥିଲେ । ରଜାଏ ଓ ତାଙ୍କ ପ୍ରଜାମାନେ ଋଷିମାନଙ୍କୁ ସର୍ବାଚ୍ଚ ସ୍ଵୀକୃତି ଦେଉଥିଲେ ସତ, ମାତ୍ର ସେମାନଙ୍କର ସଂସାର ଋଷିମାନଙ୍କର ବରାଦ ଅନୁସାରେ ମୋଟେ ଚଳୁ ନଥିଲା । ଋଷିମାନେ ଆଦର୍ଶ ବୋଲି ଗଣା ହେଉଥିଲେ ଏବଂ ସଂସାର ବାସ୍ତବ ଭିତରେ ରହିଥିଲା । ବାସ୍ତବ ଭିତରକୁ ଆଦର୍ଶର କାତ ପାଉ ନଥିଲା ଏବଂ ଆଦର୍ଶ ଆଡ଼କୁ ହାତ ବଢ଼ାଇବାକୁ ବାସ୍ତବ ନିତାନ୍ତ ଅବାସ୍ତବ ବୋଲି ମନେ କରୁଥିଲା । ସତେ ଯେପରି ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ଆପଣା ଜୀବନ ଭିତରେ ଦୁଇଟା ଗୁଳାରେ ବିଭକ୍ତ ହୋଇ ରହିଥିଲା । ସବା ଉପରେ ଅରଣ୍ୟର ସ୍ଥାନ ଥିଲା, ସେଠାରେ ଦେବତାମାନେ ବସିଥିଲେ, ଋଷିମାନେ ଯଜ୍ଞ କରୁଥିଲେ । ଉପନିଷଦରୁ ସ୍ତୋତ୍ରମାନ ପଢ଼ୁଥିଲେ । ମାତ୍ର ଏଣେ ତଳ ଖଞ୍ଜାରେ ଅତ୍ୟନ୍ତ ଅଲଗା ପ୍ରକାରେ ଜୀବନର ସଉଦା କରାଯାଉଥିଲା । ସେହି ଦ୍ଵିଭାଜନର ଶୈଳୀଟି ସତେ ଅବା ଆମର ଏଯାଏ ମଧ୍ୟ ଗଡ଼ି ଆସିଛି । ଆମ ସ୍ଵୀକୃତିଗୁଡ଼ିକର ସବା ଉପର ମହଲାରେ ଆଧ୍ୟାତ୍ମିକ ବାଣୀମାନେ ରହିଛି,–ସେଠି ସତେଅବା ପବିତ୍ର ଅରଣ୍ୟଭୂମି ଭିତରେ ଆଶ୍ରମଟିଏ ରହିଛି । ସେଠି ହୁଏତ ଜଣେ ଋଷି ତପସ୍ୟା ବି କରୁଛନ୍ତି । ମାତ୍ର ଏଠି ତଳ ମହଲା ଗୁଡ଼ିକରେ ନିରାଟ ସଂସାରକାମୀ, ସ୍ପର୍ଦ୍ଧାକାମୀ ବାସ୍ତବବାଦୀ ଆମର ଅସଲ ଦୋସରଟି ସଂସାର କରୁଛି–ସାଧବ ହୋଇଛି, ସୌଦାଗର ସାଜିଛି, ବହୁ ଈର୍ଷା ଏବଂ ବହୁ କାତରତାରେ ସତେଅବା ଏତେବଡ଼ ମହାପୁରୁଷଟାଏ ହୋଇ କେଡ଼େ ଦର୍ପରେ ସଂସାରକୁ ଚଳାଉଛି; ଅର୍ଥାତ୍ ସଂସାରଟାକୁ ଉଠାଉଛି ଏବଂ ପକାଉଛି । ସଂସାର ଭିତରେ ସତେ ଯେପରି ସେଇ ଏକୁଟିଆ ହିଁ ରହିଛି । ତାକୁ ରହ ବୋଲି କହିବାକୁ ଦେବତାମାନଙ୍କର ମଧ୍ୟ ବଳ ପାଉନାହିଁ ।

 

ଅରଣ୍ୟର ଉପଲବ୍‍ଧ ଆଧ୍ୟାତ୍ମ ସତ୍ୟଗୁଡ଼ିକ ବ୍ରାହ୍ମଣ୍ୟ ଯୁଗରେ ଭାରତୀୟ ସଂସାର ଭିତରକୁ ପ୍ରବେଶ କଲା । ସେତେବେଳକୁ ଖୁବ୍ ସମ୍ଭବ ବ୍ରାହ୍ମଣତ୍ଵ ବଂଶାନୁକ୍ରମିକ ହୋଇ ଯାଇଥିଲା-। ଆଧ୍ୟାତ୍ମିକତା ସଂସାରରୂପକ ବଣ ଭିତରେ ପଶି କ୍ରମେ ଧର୍ମ ହେଲା ଓ ବିବିଧ ବର୍ଣ୍ଣରେ ଉକୁଟି ଭିନ୍ନ ଭିନ୍ନ ଦେଖାଗଲା । ସେଇଥିରୁ ସମ୍ପ୍ରଦାୟଗୁଡ଼ିକର ଉଦ୍ଭବ ହେଲା । ସମ୍ପ୍ରଦାୟମାନେ ବି ଗାୟତ୍ରୀ ଲେଖିଲେ, ନିଜ ନିଜ ମାର୍ଗ ଓ ଠାକୁରମାନଙ୍କର ପ୍ରୀତ୍ୟର୍ଥେ ସ୍ଵତନ୍ତ୍ର ଉପନିଷଦମାନ ଲେଖିଲେ । ସେତିକିବେଳେ ଏକ ଅନ୍ୟ କାଟର ଋଷିମାନଙ୍କର ଆବିର୍ଭାବ ବି ହେଲା ଓ ତତ୍କାଳୀନ ଆବଶ୍ୟକତାଗୁଡ଼ିକର ପୂରଣ କରିବାକୁ ସ୍ଵତନ୍ତ୍ର ଧର୍ମଶାସ୍ତ୍ରମାନ ଲେଖାଗଲା । ମନୁମାନେ ଆସିଲେ, ପରାଶରମାନେ ଆସିଲେ, ବୃହସ୍ପତିମାନେ ଆସିଲେ । ଏମାନେ ସଂହିତା ଲେଖିଲେ । ସଂସାର–ସଂହିତାମାନ ଲେଖିଲେ । ସଂସାରର ବ୍ୟବସ୍ଥାଗୁଡ଼ାକୁ ଅର୍ଥାତ୍ ଦୂରତା ଗୁଡ଼ାକୁ ଆର୍ଷ ଅନୁମୋଦନର ପୁଟ ଦେଇ ପକ୍‍କା କରି ରଖିଲେ । ବର୍ଣ୍ଣ ଧର୍ମ ଗୋଟାଏ ଫୁଟିକିରେ ଉଡ଼ିଗଲା । ତେଣିକି ଆଶ୍ରମ କହିଲେ କାଳକ୍ରମେ ଅରଣ୍ୟସ୍ଥ ସଂସାରବିଲଗ ବିଶେଷ କେତେକଙ୍କର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପକୁ ବୁଝାଇଲା । ବାସ୍ତବ ଅର୍ଥାତ୍ ଅଧିକ ମଣିଷଙ୍କର ସଂସାର ସହିତ ତାହାର କୌଣସି ସମ୍ବନ୍ଧ ରହିଲା ନାହିଁ । ଜାତିଭେଦ ପ୍ରବଳରୁ ପ୍ରବଳତର ହୋଇ ମାଡ଼ି ଆସିଲା । ବାସ୍ତବମାନେ ଶକ୍ତିଶାଳୀ ଓ ପ୍ରଚଣ୍ଡ ହେଲେ, ତଥାକଥିତ ଆଦର୍ଶମାନେ ମିଉଜିଅମ ଭିତରେ ସମ୍ମାନର ସହିତ ଥାଇତା ହୋଇ ରହିଗଲେ । ସେମାନଙ୍କର ପୂଜା ହେଲା, ପାରାୟଣ କରାଗଲା, ମାତ୍ର ଏଠି ଏହି ଜୀବନର ବାସ୍ତବ ମୃଗୟା କ୍ଷେତ୍ର ଭିତରକୁ ଆସିବା ନିମନ୍ତେ ସେମାନଙ୍କୁ ଆଦୌ କୌଣସି ଅନୁମତି ଦିଆଗଲା ନାହିଁ । ଜୀବନରେ, ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଉଭୟ ଜୀବନରେ, ସତେଅବା ଦୁଇଟା ଅଲଗା ଅଲଗା ଭୁତଙ୍କର ଶାସନ ଚାଲିଲା । ଦୁଇ ଭୁତଙ୍କ ମଧ୍ୟରେ ଆଦୌ କୌଣସି ଭେଟ ହେଲା ନାହିଁ ।

 

ଭାରତବର୍ଷ ସମେତ ସମଗ୍ର ପୃଥିବୀରେ ଯଦି ଆମର ଜୀବନ ଅଧ୍ୟାତ୍ମ ଅନୁସାରେ ଚାଲିଥାନ୍ତା, ତେବେ ଆମର ଧର୍ମମାନେ ଏକାବେଳେ ଅଲଗା ପ୍ରକାରର ହୋଇଥାନ୍ତେ । ଆମ ଠାକୁରମାନେ ମଧ୍ୟ ଆଖିକୁ ଏକାବେଳେକେ ଅଲଗା ପ୍ରକାରେ ଦିଶୁଥାଆନ୍ତେ । ଆମର ସଂସାର ଏପରି ଦୁଇଭାଗ ହୋଇ ରହିବାର ଆଉ କୌଣସି ଆବଶ୍ୟକତା ରହି ନଥାନ୍ତା । କେବଳ କପଟୀମାନେ ହିଁ ଏକମାତ୍ର ଶୁଦ୍ର ବୋଲି ଗଣା ହେଉଥାନ୍ତେ । ଆମର ଶିକ୍ଷା, ଆମର ଶାସନ, ଆମର ରାଜନୀତି ତଥା ଆମ ଜୀବନର ଅନ୍ୟ ଯାବତୀୟ ବାଣିଜ୍ୟ ଏକାବେଳେକେ ଅନ୍ୟ ବେଭାରରେ ଚାଲୁଥାନ୍ତା । ମଣିଷର ଉଦୟ ପାଇଁ ଚାଲୁଥାଆନ୍ତା । ଉପନିଷଦର ଉତ୍ତୁଙ୍ଗ ସତ୍ୟଗୁଡ଼ିକ ଯଦି ଭାରତବର୍ଷରେ ସତକୁ ସତ ଆମ ଜୀବନର ଏହି ତଥାକଥିତ ବାସ୍ତବ ସ୍ତରକୁ ସ୍ପର୍ଶ କରିବାର ଅଧିକାର ଲାଭ କରିଥାନ୍ତେ, ତେବେ ଭାରତୀୟ ସମାଜର ବିବେକ ଉପରେ ଜାତିଭେଦ ଓ ଭାଗ୍ୟବାଦ କଦାପି ଏପରି ଦୈତ୍ୟ ହୋଇ ବସି ନଥାନ୍ତେ ଓ ଆବ୍ରାହ୍ମଣ ଆମ ସମସ୍ତଙ୍କୁ ଏପରି ମ୍ଳେଚ୍ଛ କରି ରଖି ନଥାନ୍ତେ । ନିଜ ଭିତରେ ମଧ୍ୟ ଏପରି ଦୁଇଭାଗ ହୋଇ ପରସ୍ପର ପାଖରେ ବିଟପୀ ହେବାକୁ ଆମକୁ କୌଣସି ପ୍ରରୋଚନା ଦେଇ ନଥାନ୍ତେ । ଭାରତର ଉପରଟା ସହିତ ତଳଟାର ଆଦୌ କୌଣସି ସଙ୍ଗତି ନାହିଁ–ସେଥିଲାଗି ଆମର ଜ୍ଞାନକାଣ୍ଡଗୁଡ଼ିକୁ ଆମେ ଯେତିକି ଯେତିକି ଆଦର୍ଶ ଏବଂ ଅପୌରୁଷେୟ କରି ସଜାଇ ରଖିବାର ଉତ୍ସାହ ପ୍ରଦର୍ଶନ କରୁଛୁ, ଏଣେ କର୍ମକାଣ୍ଡ ଗୁଡ଼ାକ ଆମକୁ ସେତିକି ସେତିକ ଘୁଷୁରି ହୋଇ ରହିବାରେ ହିଁ ସାହାଯ୍ୟ କରୁଛନ୍ତି । ଆଧ୍ୟାତ୍ମିକତା ହିଁ ଆମ ଜୀବନର ଯାବତୀୟ ଆୟତନରେ ଯଦି ସର୍ବସାମାନ୍ୟ ଭୂମିଟିଏ ହୋଇ ରହିପାରନ୍ତା, ତେବେ ଆମେ ସୁସ୍ଥ ହୋଇଥାନ୍ତୁ, ଏଇଟି ସହିତ ସେଇଟିକୁ ଯୁକ୍ତ କରି ରଖିବାର ପ୍ରେରଣାଟିକୁ ଆମେ ନିଜ ଭିତରୁ ଅବଶ୍ୟ ପାଇ ପାରୁଥାନ୍ତୁ । ଆଧ୍ୟାତ୍ମିକତାକୁ ଏକ ଦୂର ଓ ଉଚ୍ଚ ଭୂମିରେ ଶାତ୍ସସ୍ଥ କରି ରଖିଦେଇ ଆମେ କାଳ କାଳ ଧରି ବହୁ ବିଷମତା ଓ ଛଳଯୁକ୍ତତାର ଯେଉଁ ଅସଂଗତି ଗୁଡ଼ିକୁ ପ୍ରଶ୍ରୟ ଦେଇ ଆସିଛୁ ଏବଂ ଦୁଇଟିଯାକ ସ୍ତରରେ ରଜା ହୋଇ ବସିଥିବାର ଯେଉଁ ଢମମାନ କରୁଛୁ, ତାହାହିଁ ଆମର ସବୁ ଔଜ୍ଜଲ୍ୟ ତଥା ଐଶ୍ଵର୍ଯ୍ୟକୁ ପଣ୍ଡ କରି ରଖିଛି । ଆମକୁ ପାଷାଣ୍ଡ କରି ରଖିଛି । ଗୋଟାଏ ପଟେ ଧାର୍ମିକ କରି ରଖିଛି ତ ଆଉ ଗୋଟାଏ ପଟେ ପାଷାଣ୍ଡ କରି ରଖିଛି । ଆମର ଯଥାର୍ଥ ଉଦୟଗୁଡ଼ିକୁ ଆମଠାରୁ ବହୁଦୂର କରି ରଖିଛି ।

 

ତେଣୁ ଆମ ଘରଟିର ଅଧିକରୁ ଅଧିକ ସମୀକ୍ଷା ହେବା ଦରକାର । ଏହି ସମୀକ୍ଷା ଆମରି ଦ୍ଵାରା ହେବା ଦରକାର । ଏକଦା ବିଦେଶୀମାନେ ଆମ ଅନ୍ଧାର ଘରେ ପଶି ଆମର ଲୁପ୍ତପ୍ରାୟ ଶାସ୍ତ୍ର-ସମ୍ପଦ ଗୁଡ଼ିକୁ ଯେତେବେଳେ ଆମକୁ ଦେଖାଇଦେଲେ, ଆମକୁ ସମଗ୍ର ବିଶ୍ଵରେ ପରିଚିତ କରାଇଲେ, ସେତେବେଳେ ଆମେ ଇଚ୍ଛା କରିଥିଲେ ସେଥିରୁ ଯଥାର୍ଥ ଶିକ୍ଷା ଲାଭ କରିଥାନ୍ତୁ, ଆପଣା ଆଡ଼କୁ ଅନାଇ ପାରିଥାନ୍ତୁ ଓ ଆଗକୁ ବାଟ କାଢ଼ି ନେଇ ପାରିଥାନ୍ତୁ ।

 

ମାତ୍ର ଆମେ ପ୍ରଧାନତଃ ଆମେ କେଡ଼େ ବଡ଼ ଓ ଆମର ପ୍ରାଚୀନ କେଡ଼େ ମହାନ୍ ବୋଲି ଏକ ମୋହକାରୀ ତୃପ୍ତିବୋଧ ଭିତରେ ରହିଗଲୁ । ଆମ ନବଜାଗରଣର ପୁରୋଗାମୀମାନେ ଆମକୁ ଆମ ଧର୍ମ ତଥା ସଂସ୍କୃତିର ଏକ ପୁନର୍ବିନ୍ୟାସ ଲାଗି କେତେ ଉଦ୍‍ବୋଧନ ଦେଲେ ସତ, ମାତ୍ର ଆମେ ଅତ୍ୟନ୍ତ ଅନମନୀୟ ଭାବରେ ସେମାନଙ୍କୁ ମୂର୍ତ୍ତି କରି ବସାଇଦେଲୁ; ସେମାନଙ୍କୁ ଜନକ, ଆଚାର୍ଯ୍ୟ ଏବଂ ଅବତାର ବୋଲି କହିଲୁ ସିନା, କିନ୍ତୁ ଆମ ସନାତନ ଗାଡ଼ିଆଟିକୁ ମୋଟେ ଛାଡ଼ି ପାରିଲୁନାହିଁ । ଆମ ଦୂରତାଧର୍ମୀ ତାମସିକତାମାନେ ରାଜସିକତାର ଏଡ଼େ ଏଡ଼େ ନିଶ ଫୁଲାଇ ଆମକୁ ତଥାପି ବାଟବଣା କରି ରଖିଲେ । ଆମ ମିଛଗର୍ବର ବ୍ୟାଘ୍ରଗୁଡ଼ାକ ଆମର ଅସଲ ବିବେକ ଏବଂ ଅସଲ ହୃଦୟଗୁଡ଼ିକୁ ମେଣ୍ଢା କରି ରଖିଲେ-। ତେଣୁ, ରାଜନୀତିକ ସ୍ଵାଧୀନତା ଆସିବା ପରେ, ଭାରତବର୍ଷର ଧର୍ମ, ସଂସ୍କୃତି ଏବଂ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ଯେଉଁ ସମ୍ମୁଖକାମୀ ପୁନର୍ବିଧାନମାନ ହୋଇଥାନ୍ତା, ତାହା ତଥାପି ହୋଇପାରିଲା ନାହିଁ । ଦ୍ଵୈତତା ଓ ଦୂରତାଗୁଡ଼ିକ ଅଧିକ ଜବର ହୋଇ ରହିଲା । ବାହାରେ ଆମ ଭିତରୁ ଥୋକାଏଙ୍କୁ ତାହା ଆହୁରି ଅଧିକ ପ୍ରମତ୍ତ ହେବାରେ ସାହାଯ୍ୟ କଲା ସତ, ମାତ୍ର ଭିତରେ ଆମେ ବଡ଼ ସାନ ସମସ୍ତେ ତୁଚ୍ଛା ମ୍ଳେଚ୍ଛ ହୋଇ ରହିଗଲୁ । ମ୍ଳେଚ୍ଛ ସଂହାରରେ ନିମିତ୍ତ ହୋଇ ବାହାରିବା ପରିବର୍ତ୍ତେ ଆମେ ସ୍ଵୟଂ ମ୍ଳେଚ୍ଛ ହେଲୁ ଏବଂ ଏହି ଦେଶରେ ଏକାଧିକ ଅଭ୍ୟୁଦୟକୁ ବଡ଼ ଦୟନୀୟ ଭାବରେ ବାଟ ଓଗାଳି ରଖିଲୁ ।

 

ଆମ ନିଜ ଭିତରେ ଓ ଆମ ପରସ୍ପର ଭିତରେ ରହିଥିବା ଏହି ଦୂରତା, ଦ୍ଵୈତତା ଏବଂ ଅସଙ୍ଗତିଗୁଡ଼ିକ ହିଁ ଆମର ସବାବଡ଼ ସମସ୍ୟା ହୋଇ ରହିଛି, ଦୁଷ୍ଟ ଘାଆ ପରି ଆମ ଗୋଷ୍ଠୀରୂପା ଶରୀରଟିକୁ ଖାଇ ଖାଇ ଯାଉଛି । ଆଉ ଗୋଟିଏ ଦୃଷ୍ଟିରୁ ଦେଖିଲେ ସେହିଗୁଡ଼ିକ ହିଁ ଆମର ସବାବଡ଼ ଆହ୍ଵାନ । ଯେଉଁମାନେ ସେହି ଆହ୍ଵାନର ଜବାବ ଦେବେ, ସେହିମାନେ ହିଁ ଏହି ଦେଶକୁ ସୁସ୍ଥ କରି ଗଢ଼ି ପାରିବେ, ଆମ ସମସ୍ତଙ୍କର ପରବର୍ତ୍ତୀ ଭବିଷ୍ୟଟିକୁ ସମ୍ଭବ କରିବାରେ ସେହିମାନେ ନେତୃତ୍ଵ ଦେବେ । (୨୩ । ୩ । ୮୮)

 

(୩୪)

 

ଆମର ପାଞ୍ଜି ଆଉ ପୁରାଣମାନଙ୍କରେ ଯେଉଁ ଯୁଗଗୁଡ଼ିକର କଥା ଲେଖା ହୋଇଛି, ସତେ କ’ଣ ସେଗୁଡ଼ିକ ଇତିହାସରେ ଥିଲା ? ଭାରତବର୍ଷରେ ସତ୍ୟ, ତ୍ରେତା, ଦ୍ଵାପର ଓ କଳି ଏହିପରି ଚାରିଗୋଟି ଯୁଗର କଥା କୁହାଯାଇଛି । ଖୁବ୍ ସମ୍ଭବ ବର୍ତ୍ତମାନ ପର୍ଯ୍ୟନ୍ତ ଗଡ଼ି ଆସିଥିବା ଆମର ପ୍ରାଚୀନ ଇତିହାସଟିକୁ ଚାରିଗୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ଇତିହାସକୁ ବିବିଧ ପର୍ଯ୍ୟାୟରେ ବିଭକ୍ତ କରି ଦେଖିବା ଏବଂ ସେହି ଅବଲୋକନରୁ ପ୍ରାୟ ଏକ ବିବର୍ତ୍ତନାତ୍ମକ କ୍ରମଗତିର ଅବଧାରଣା ଆଣିଦେବା, ଏକଥା ସମାଜବିଜ୍ଞାନୀ କରିଛନ୍ତି, ଦର୍ଶନର ସମୀକ୍ଷକମାନେ କରିଛନ୍ତି, କାର୍ଲ ମାର୍କସ୍ କରିଛନ୍ତି, ଶ୍ରୀ ଅରବିନ୍ଦ ମଧ୍ୟ କରିଛନ୍ତି । ସତ୍ୟ ଓ ତ୍ରେତା ଆଦି ଯୁଗଚତୁଷ୍ଟୟ ଆଗରୁ ଆଉ କେଉଁଠି ବରାଦ ହୋଇ ପୃଥିବୀକୁ ମୋଟେ ଆସି ନଥିଲା । ପୃଥିବୀ ବାହାରୁ କେହି ଅବଧାରକ ପୃଥିବୀ ଉପରେ ଏହି ଚାରିଗୋଟି ଯୁଗକୁ ଆଣି ଲଦି ଦେଇ ନ ଥିଲେ । ସତ୍ୟଯୁଗ ଆସିଲା, ମଣିଷମାନେ ଏପରି ହେଲେ, ତ୍ରେତାଯୁଗ ଆସିଲା, ମଣିଷମାନେ ଆଉପରି ହେଲେ, ସେହିପରି ଦ୍ଵାପର ଓ କଳିରେ ମଧ୍ୟ ଭଳି ଭଳି ହେଲେ ଅଥବା ହେଉଛନ୍ତି,–ଏପରି ବିଶ୍ଳଷଣ କରିବା ଦ୍ଵାରା ଆମେ ମଣିଷ ଉପରେ ଯୁଗଗୁଡ଼ାକ ଓ ଯୁଗର ଆହ୍ଵାନଗୁଡ଼ାକ ଲଦା ହୋଇ ଚାଲିଛି ବୋଲି ଏକ ସୈଦ୍ଧାନ୍ତିକତାର ବେଶ୍ ଅବତାରଣା କରିଥାଉ ସତ, ମାତ୍ର ମଣିଷକୁ ଭାରି ସାନ କରିପକାଉ । ଆହ୍ଵାନ ଆସେନାହିଁ, ସମସ୍ୟାମାନେ ଅଥବା ପ୍ରତିଶ୍ରୁତିମାନେ ଆସି ଉପରେ ଲଦି ହୋଇ ଯାଆନ୍ତି ନାହିଁ । ମନୁଷ୍ୟର ଅଥବା ମନୁଷ୍ୟମାନଙ୍କର ଚେତନା ଅର୍ଥାତ୍ ଆସ୍ପୃହାର ସ୍ତର ହିଁ ତା’ର ଅଥବା ସେମାନଙ୍କର ଆହ୍ଵାନ ତଥା ସମସ୍ୟାର ସ୍ତରଟିଏ ନିର୍ଣ୍ଣୟ କରିଦିଏ । ମଣିଷ ଯେତିକି ଇଚ୍ଛା କରେ ଅର୍ଥାତ୍ ଯେତିକି ହେବାକୁ ନିଷ୍ପତ୍ତି କରେ, ସିଏ ସେତିକି ହୁଏ, ତା’ର ଆହ୍ଵାନ ତଥା ପ୍ରତିଶ୍ରୁତି ଗୁଡ଼ିକର ପରିସର ମଧ୍ୟ ତାକୁ ସେତିକି କ୍ଷୁଦ୍ର ଅଥବା ସେତିକି ବୃହତ୍ ହୋଇ ଦେଖାଯାଆନ୍ତି । ତେଣୁ ଜଣେ ମଣିଷ ସତକୁ ସତ କୋଉ ଯୁଗରେ ଅଛି, ସେକଥା ସ୍ଵୟଂ ମଣିଷକୁ ବା ମଣିଷମାନଙ୍କୁ ହିଁ ବାଛିନେବାକୁ ହୋଇଥାଏ ।

 

ଏପରି ଅନେକ ମଣିଷ ଅଛନ୍ତି, ଯେଉଁମାନଙ୍କର ଅସଲ ନାଡ଼ଟା, ଯାହା ଥିଲା, ତାହାରି ଭିତରେ ଯାଇ ରହିଥାଏ । ଯାହା ଅଛି, ସେମାନେ ତାହାର ସମ୍ମୁଖୀନ ହେବାକୁ କାହିଁକି ଅମଙ୍ଗ ହୁଅନ୍ତି କେଜାଣି, ସେମାନେ ସୁକୁମାରୀ ଝିଅଟିଏ ଶାଶୁଘରେ ଥାଇ ବାପଘରକୁ ଝୁରୁଥିବା ପରି ଅତ୍ୟନ୍ତ ବିହ୍ଵଳ ଭାବରେ ଅତୀତକୁ ହିଁ ଝୁରୁଥାନ୍ତି ଏବଂ ଯାହା ଆସୁଛି, ସେ ବିଷୟରେ ସେମାନେ ଆଦୌ କୌଣସି ଫିତା ଧରିବାକୁ ମଧ୍ୟ ଇଚ୍ଛା କରୁ ନ ଥାନ୍ତି । ଭାରତବର୍ଷର ପାରମ୍ପରିକ ଯୁଗକଳ୍ପନା ପ୍ରଧାନତଃ ସେହି ସୁକୁମାରୀ ଝିଅର କଳ୍ପନା ପରି ଓ ଝୁରିବା ପରି । ସବୁଠାରୁ ବଢ଼ିଆ ଯୁଗ ହେଉଛି, ଯେଉଁ ଯୁଗଟି ଥିଲା । ବର୍ଣ୍ଣନା ଅନୁସାରେ ସେତେବେଳେ ପୃଥିବୀକୁ ମୋଟେ ପାପ ପଶି ନଥିଲା ବୋଲି ସେକାଳେ ମନୁଷ୍ୟମାନେ ମଧ୍ୟ ଅଠେଇଶି ହାତିଆ ହୋଇ ରହିଥିଲେ । ତା’ପରେ କଳାଏ କଳାଏ କରି ପାପ ପଶିଲା । ଏଠି ପଶିବା ଆଗରୁ ପାପ କେଉଁଠାରେ ଥିଲା ଓ କାହିଁକି ଏହି ପୃଥିବୀ ଭିତରେ ପଶିଲା, ଯୁଗ ନିର୍ଣ୍ଣୟର ବଖାଣରେ ସେକଥା ମୋଟେ କୁହାଯାଇନାହିଁ । ତଥାପି ପାପ ଅବଶ୍ୟ ପଶିଲା, ସତ୍ୟଯୁଗ ତ୍ରେତାକୁ ସଙ୍କୁଚିତ ହୋଇ ଆସିଲା । ମଣିଷମାନେ ବି ସେହି ଅନୁସାରେ ଚଉଦ ହାତିଆ ହେଲେ । ଦ୍ଵାପର ଓ କଳିରେ ଅଧିକରୁ ଅଧିକ ପାପ ପଶିଲା, ତେଣୁ ମଣିଷର ଖର୍ବତା ବୃଦ୍ଧି ପାଇବାରେ ଲାଗିଲା । ସେମାନେ ଦ୍ଵାପରରେ ସାତହାତିଆ ହୋଇ କଳିଯୁଗରେ ସାଢ଼େ ତିନିହାତିଆ ହେଲେ । କଳିରେ ଯେ ପାପର ଭାରା ସବୁଠାରୁ ଅଧିକ, ସେକଥା ଆପଣାର ଚତୁର୍ଦ୍ଦିଗକୁ ଅନାଇ ଦେଖି ପାରୁଥିବା ଯେକୌଣସି ମଣିଷ ଅତ୍ୟନ୍ତ ସହଜରେ ପ୍ରତ୍ୟକ୍ଷ କରିପାରିବ । ମାତ୍ର, ଯୁଗାନୁକ୍ରମରେ ପାପ କୋଉଠୁ ଆସି କାହିଁକି ବଢ଼ିଲା, ସେ ବିଷୟରେ ଆମ ଶାସ୍ତ୍ରମାନେ ଖୁବ୍‍ ବେଶି କହିବାକୁ ସାହସ କରି ନାହାନ୍ତି । ଆମ ଶାସ୍ତ୍ରମାନେ ଅବତାରମାନଙ୍କର କଥା କହିଛନ୍ତି ।

 

ଅବତାରମାନେ ସବୁଯୁଗରେ ପୃଥିବୀକୁ ଆସିଛନ୍ତି । ସତ୍ୟଯୁଗରେ ମଧ୍ୟ ଆସିଛନ୍ତି । ସତ୍ୟଯୁଗରେ ତ ପ୍ରଥମ ଉପପାଦ୍ୟଟି ଅନୁସାରେ ପୁଣ୍ୟ ହିଁ ରହିଥିଲା, ଧର୍ମ ହିଁ ଥିଲା, ପାପ ନଥିଲା କି ଧର୍ମର ଗ୍ଳାନି ହୋଇ ନ ଥିଲା, ତଥାପି ଦୁଷ୍କୃତମାନେ ଥିଲେ ଏବଂ ସେହିମାନଙ୍କର ବିନାଶ କରି ସାଧୁମାନଙ୍କର ପରିତ୍ରାଣ ନିମିତ୍ତ ଭଗବାନ ଅବତାର ଗ୍ରହଣ କରିଥିଲେ । ଅବତାରମାନେ ଆସୁଥିଲେ । କାମ ସାରି ଚାଲି ଯାଉଥିଲେ । ମାତ୍ର ତଥାପି କାମ ସରୁନଥିଲା । କାରଣ, ପୃଥିବୀ ପୁନଶ୍ଚ ପ୍ରବଳମାନଙ୍କ ହାତରେ ପଡ଼ୁଥିଲା ଏବଂ ଯିଏ ପ୍ରବଳାନାଂ ପ୍ରବଳ ଓ ଭୟାନାଂ ଭୟ, ତାଙ୍କୁ ପୁନର୍ବାର ନୂତନ ଅବତାରଟିଏ ହୋଇ ପୃଥିବୀକୁ ଆସିବାକୁ ପଡ଼ୁଥିଲା । ଭଗବାନ ଏହି ପୃଥିବୀରେ ନ ଥାନ୍ତି, ପୃଥିବୀର ବାହାରେ ଆଉ କେଉଁଠାରେ ରହିଥାନ୍ତି, ଏକ ନିର୍ଦ୍ଦିଷ୍ଟ ମତଲବ ବା ଅଭିପ୍ରାୟ ନେଇ ଅର୍ଥାତ୍ ଖଣ୍ଡିଆ ହୋଇ ପୃଥିବୀକୁ ଆସନ୍ତି, ଏଇଟା ହେଉଛି ପ୍ରଧାନତଃ ବିରହ ଓ ବିଚ୍ଛେଦମୂଳ ବୈଷ୍ଣବ ସମ୍ପ୍ରଦାୟର ଭାବନା । ଭଗବାନ ଏହି ପୃଥିବୀରେ ରହିଛନ୍ତି । ଅନୁକ୍ଷଣ ରହିଛନ୍ତି, ନବ ନବ ରୂପରେ ପୃଥିବୀରୂପେ ପରିଣତ ହେଉଛନ୍ତି ଓ ବିବର୍ତ୍ତିତ ହେଉଛନ୍ତି–ଏଇଟି ଆଉ ଗୋଟିଏ ଲୀଳାର କଥା । ମାତ୍ର, ଅନ୍ୟ ପକ୍ଷରେ ଭଗବାନ ବାହାରେ ଥାଆନ୍ତି । ତାଙ୍କର ବିବେଚନା ହିସାବରେ ଏଠାକୁ ଆସନ୍ତି, ପୁଣି ତାଙ୍କରି ବିବେଚନା ଅନୁସାରେ ତାତ୍କାଳିକ କାର୍ଯ୍ୟଟି ସରିଗଲେ ସ୍ଵସ୍ଥାନକୁ ପ୍ରସ୍ଥାନ କରନ୍ତି, ଲୀଳାର ଏହି ସଂସ୍କରଣଟିରେ ହିଁ ଅବତାରର କଳ୍ପନା କରାଯାଇଥାଏ । ଭାରତବର୍ଷରେ ମୁଖ୍ୟତଃ ବୈଷ୍ଣବ ସମ୍ପ୍ରଦାୟ ଅବତାରଗୁଡ଼ିକର କଳ୍ପନା କରିଛି ଓ କେଜାଣି କାହିଁକି ଏହି ପୃଥିବୀ ଭିତରେ ଆପଣାର ପ୍ରେମାସ୍ପଦ ଭଗବାନଙ୍କୁ ସ୍ଥାୟୀ ଆସ୍ଥାନଟିଏ ଦେବାକୁ ଇଚ୍ଛା କରିନାହିଁ ।

 

ଶ୍ରୀମଦ୍ ଭାଗବତ ଶାସ୍ତ୍ରରେ ବିଷ୍ଣୁଙ୍କର ସେହି ଅବତାର ଗୁଡ଼ିକର ବର୍ଣ୍ଣନା କରାଯାଇଛି । ସେହି ଗୋଟିଏ ଶାସ୍ତ୍ରରେ ହିଁ ବିଭିନ୍ନ ଅବସରରେ ଅବତାର ସଂଖ୍ୟାର ଭିନ୍ନ ଭିନ୍ନ ସୁମାରି କରାଯାଇଛି । କୋଉଠି ଭଗବାନ ମୋଟେ ଚାରିଟି ଅବତାର ଗ୍ରହଣ କରିଛନ୍ତି, ଆଉ କୋଉଠି ଦଶଟି, କେଉଁଠାରେ ବାଇଶିଟି ଏବଂ ପୁଣି ଆଉ କେଉଁଠାରେ ଚବିଶିଟି ଅବତାର ଗ୍ରହଣ କରିଛନ୍ତି । ଅର୍ଥାତ୍ ଭଗବାନ ନିଜ ଇଚ୍ଛାରେ ଏହି ଅବତାରଗୁଡ଼ିକ ଗ୍ରହଣ କରିନାହାନ୍ତି, ଅବତାର ଅନୁରାଗୀ ଉତ୍ସାହୀ ଭକ୍ତ ହିଁ ଆପଣାର ଫରମାସ ଓ ପ୍ରୟୋଜନ ଅନୁସାରେ ତା’ର ଭାବୋପନ୍ୟାସ ଭିତରେ ଭଗବାନଙ୍କୁ ଭିନ୍ନ ଭିନ୍ନ ମୁଣା ଭିତରେ ଅବତୀର୍ଣ୍ଣ କରାଇ ଆଣିଛି । ଯୁଗ ଅନୁସାରେ ଅବତାରମାନଙ୍କୁ କେଡ଼େ ସନ୍ତର୍ପଣ ସହିତ ବାଣ୍ଟି ଦେଇଛି ଓ ସେଥିରୁ କେତେ ନା କେତେ ଆହ୍ଲାଦ ଅନୁଭବ କରିଛି । ତେଣୁ ଯୁଗଗୁଡ଼ାକର କଳ୍ପନା ଯେମିତି ଏହି ମଣିଷ କରିଛି, ଯୁଗାନୁଗତ ଅବତାରଗଣଙ୍କୁ ମଧ୍ୟ ସେହି ମଣିଷ ଆପଣାର ପ୍ରୀତି ଅନୁସାରେ ଆଗପଛ କରି ଖଞ୍ଜି ଦେଇଛି । ପ୍ରତ୍ୟେକ ଅବତାରଙ୍କଠାରେ ବିଶେଷ ଗୁଣଗୁଡ଼ିକର ଆରୋପ ମଧ୍ୟ ସେହି ମଣିଷ କରିଛି, ଅଥବା, ଆହୁରି ନିର୍ଭୁଲ ଭାବରେ କହିଲେ, ମଣିଷମାନଙ୍କୁ ଧର୍ମୋପନ୍ୟାସ ମଧ୍ୟରେ ମନ୍ଥାଇ ରଖିବାକୁ ସ୍ଵତନ୍ତ୍ର ମଣିଷମାନେ ଏହି ଆରୋପଗୁଡ଼ିକୁ କରିଛନ୍ତି । ଆରୋପ ମୁତାବକ ମଣିଷମାନେ ଜଣେ ଜଣେ ଗୁରୁଙ୍କୁ ବାହନ କରି ଭିନ୍ନ ଭିନ୍ନ ସମ୍ପ୍ରଦାୟରେ ବାଣ୍ଟି ହୋଇ ଯାଇଛନ୍ତି ଏବଂ ମଣିଷ ପରି ତା’ର ଅବତାର କଳ୍ପନା ବା ଭଗବତ କଳ୍ପନାର ଆରୋପଗୁଡ଼ାକ ମଧ୍ୟ ଭାରି ଖଣ୍ଡିଆ ହୋଇ ରହିଯାଇଛି । ମାତ୍ର, ସରଣ ରଖିବାକୁ ହେବ ଯେ, ଆରୋପଗୁଡ଼ିକ ଖଣ୍ଡିଆ ହୋଇ ରହୁନଥିଲେ ସମ୍ପ୍ରଦାୟଗୁଡ଼ିକ ମଧ୍ୟ ଆଦୌ ସମ୍ଭବ ହେଉନଥାନ୍ତା । ଯେଉଁ ମଣିଷମାନେ ଏହି ସମ୍ପ୍ରଦାୟଠାରୁ ହିଁ ସାଂସାରିକ ଧର୍ମାନୁଚାରଣର ସବୁଠାରୁ ଅଧିକ ଆନନ୍ଦ ଲାଭ କରନ୍ତି, ସେମାନଙ୍କ ଲାଗି ଆମର ଏହି ପୃଥିବୀ ସତକୁ ସତ ଭାରି ନୀରସ ହୋଇ ରହିଥାନ୍ତା ।

 

ଯୁଗଗୁଡ଼ାକ ତ କେବଳ ଆମ ଭାରତବର୍ଷ ପାଇଁ ଆସି ନଥିବ, ଯଦି ଆସିଥିବ, ତେବେ ସମଗ୍ର ପୃଥିବୀ ପାଇଁ ଆସିଥିବ । ଭଗବାନ ତ କେବଳ ଏହି ଗୋଟାଏ ଜମ୍ବୁଦୀପ ଅଥବା ଅନ୍ୟ କୌଣସି ଦ୍ୱୀପ ଲାଗି ଅବତାର ଗ୍ରହଣ କରୁନଥିବେ, ଯଦି କରୁଥିବେ, ତେବେ ସମଗ୍ର ବିଶ୍ଵଲାଗି କରୁଥିବେ, ତେଣୁ ରାମ, କୃଷ୍ଣ ଏବଂ ବୁଦ୍ଧରୂପୀ ଅବତାରମାନେ ଯେଉଁସବୁ ନିର୍ଦ୍ଦିଷ୍ଟ ଗୁଣବିଭୂତିରୁ ବାହାନ ହୋଇ ତତ୍କାଳୀନ ପୃଥିବୀର ଏକ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ମେଣ୍ଟାଇବାକୁ ଏଠାକୁ ଆସିଥିବେ, କେବଳ ଭାରତବର୍ଷ ପାଇଁ ନୁହେଁ, ସମଗ୍ର ପୃଥିବୀ ଲାଗି ହିଁ ତାହାର ଅବଶ୍ୟ ଏକ ଆବଶ୍ୟକତା ରହିଥିବ । ଅବଶ୍ୟ ଏକଥା ସତ୍ୟ ଯେ, ଯେତେବେଳେ ଭାରତବର୍ଷରେ ଏହିସବୁ କଳ୍ପନା ତଥା ଭାବନାର ଆଖ୍ୟାନମାନ ପ୍ରସ୍ତୁତ କରା ହୋଇଥିଲା, ସେତେବେଳେ ଏଠି ଭାରତବର୍ଷ ହିଁ ସମଗ୍ର ପୃଥିବୀ ବୋଲି ଅନୁଭୂତ ହେଉଥିଲା । ଅବତାର ବର୍ଣ୍ଣନାର ଭଣ୍ଡାର କେବଳ ଆମ ପୁରାଣଗୁଡ଼ିକ ନୁହନ୍ତି, ଭାରତବର୍ଷର ବେଦ ଓ ଉପନିଷଦଗୁଡ଼ିକ ମଧ୍ୟ ଯେ ସ୍ଥାନୀୟ ଜଳବାୟୁ ସାମାଜିକ ଛାଞ୍ଚ ଓ ବିମ୍ବ ଏବଂ ଏପରିକି ତାତ୍କାଳିକ ବହୁ ନୈମିତ୍ତିକତ୍ତା ଦ୍ଵାରା ଅତ୍ୟନ୍ତ ପରିମାଣରେ ପ୍ରଭାବିତ ହୋଇଛନ୍ତି, ସେଗୁଡ଼ିକ ଅଧ୍ୟୟନ କରିବା ମାତ୍ରକେ ତାହା ନିଶ୍ଚୟ ସୁସ୍ପଷ୍ଟ ହୋଇଯିବ । ଏଣୁ ବର୍ତ୍ତମାନ ପୃଥିବୀ ଯେତେବେଳେ ଆଗ ଅପେକ୍ଷା ଅନେକ ବଡ଼ ହୋଇଗଲାଣି, ଆଧୁନିକ ପ୍ରକାରର ପରିଚିତମାନ ଯେତେବେଳେ ଆମର ଭାବ ଏବଂ ଭାବନାଗୁଡ଼ିକୁ କମ୍‍ ବିହ୍ଵଳ ହେବାର ସାମର୍ଥ୍ୟ ଆଣି ଯୋଗାଇ ଦେଲେଣି, ସେତେବେଳେ ଯୁଗ ତଥା ଅବତାରମାନଙ୍କ ବିଷୟରେ ଆମର ଯାବତୀୟ ସମୀକ୍ଷା ଏବଂ ଜିଜ୍ଞାସା ମଧ୍ୟ ଅନୁରୂପ ଭାବରେ ପ୍ରସାରିତ ହୋଇପାରିବା ଉଚିତ-। ଭାରତବର୍ଷକୁ ସତେଅବା ସମଗ୍ର ପୃଥିବୀ ରୂପେ ଦେଖିବା ଏବଂ ତାହାର ଭୂମି ଉପରେ ସମଗ୍ର ପୃଥିବୀର ବିଚାର କରିବା–ଏଇଟି ହେଉଛି ସେକାଳର ଦୃଷ୍ଟିକୋଣ । ଏଇଟି ଏକଦା ଚଳୁଥିଲା, କେବଳ ଭାରତବର୍ଷରେ ନୁହେଁ, ପୃଥିବୀଯାକ ଚଳୁଥିଲା । ଏବେ ଚଳୁନାହିଁ । ଏବେ ସମଗ୍ର ପୃଥିବୀକୁ ଭୂମି କରି ଭାରତବର୍ଷର ସମୀକ୍ଷା କରିବାକୁ ପଡ଼ିବ, ଯୁଗ ତଥା ଅବତାର ବିଷୟରେ ଭାରତବର୍ଷର ଗୋଟିଏ ବା କେତୋଟି ସ୍ଵତନ୍ତ୍ର ସମ୍ପ୍ରଦାୟ ଦ୍ଵାରା କରାଯାଇଥିବା କଳ୍ପନାକୁ ପୃଥିବୀର ଭୂମି ଉପରେ କଳନା କରିବାକୁ ପଡ଼ିବ ।

 

ସମ୍ପ୍ରଦାୟଗୁଡ଼ିକର କାନ୍ଥ ବାହାରେ ଉପରେ ଯୁଗେ ଯୁଗେ ବୃହତ୍ତର ପୃଥିବୀ ପରି ଭାରତବର୍ଷରେ ମଧ୍ୟ ଭାଗବତ କଳ୍ପନା କରାଯାଇଛି । ସମଗ୍ର ବିଶ୍ଵକୁ ଭୂମି କରି ଏବଂ ଏକ ସର୍ବକାଳୀନ ବିଶ୍ଵସତ୍ୟକୁ ସତେଅବା ଚକ୍ଷୁରୂପେ ବ୍ୟବହାର କରି ଯୁଗଗୁଡ଼ିକର ବି କଳ୍ପନା କରାଯାଇଛି । ସତ୍ୟକୁ କୌଣସି ପ୍ରକାରେ ଖଣ୍ଡିଆ ବା ସ୍ଥାନୀୟ କରି ରଖିବାର ଉଦ୍ୟମ କରାଯାଇନାହିଁ । ସେହି କଳ୍ପନାଟି ଏହି ଗୋଟିଏ ଦେଶ ଭାରତବର୍ଷରେ କରାଯାଇଛି ବୋଲି ଯେ କେବଳ ଏହି ଗୋଟିଏ ଦେଶଲାଗି ହିଁ ତାହାର ଔଚିତ୍ୟ ବା ମର୍ଯ୍ୟାଦା ରହିଛି, ସେକଥା ଆଦୌ ନୁହେଁ । ତାହା ସମସ୍ତ ବିଶ୍ଵଲାଗି ପ୍ରଯୋଜ୍ୟ । ଅତୀତକାଳରେ ଯେପରି ପ୍ରଯୋଜ୍ୟ ଥିଲା, ବର୍ତ୍ତମାନ କାଳରେ ମଧ୍ୟ ସେହିପରି ପ୍ରଯୋଜ୍ୟ । ତେଣୁ ତାହାକୁ କେବଳ ଏକ ଧର୍ମୀୟ ସତ୍ୟ ବୋଲି ବାଆଁ ରେଇ ଦେଇ ଅମୁକ କିମ୍ବା ସମୁକ ଧର୍ମଟି ସହିତ ମୋଟେ ଗଅଁ ଣ୍ଠାଇ ଦେଇ ହେବନାହିଁ, ତାହାକୁ ଯଥାର୍ଥତଃ ଏକ ଆଧ୍ୟାତ୍ମିକ ସତ୍ୟରୂପେ ଜୀବନର ସ୍ଵୀକାର କରିନେବାକୁ ପଡ଼ିବ । ଯାହା ଆଧ୍ୟାତ୍ମିକ, ତାହା ସକଳ ଧର୍ମର, ସକଳ ଜନପଦର । ମାତ୍ର, ଯାହା କେବଳ ଗୋଟିଏ ଧର୍ମର, ଗୋଟିଏ ଜନପଦର ଓ ଏପରିକି ଗୋଟିଏ କାଳର, ତାହା ଯେ ଅବଶ୍ୟ ଆଧ୍ୟାତ୍ମିକ ସ୍ତରର ହୋଇଥିବ, ସେପରି କଦାପି କୁହାଯାଇ ପାରିବ ନାହିଁ । ଧର୍ମୀୟମାନେ ଯେତେ ଯାହା ତର୍କନ୍ୟାୟର ସହାୟତା ନେଇ ଯେତେ ବିଗଳିତ ଭାବରେ ତାହା କହିଲେ ମଧ୍ୟ ତଥାପି କୁହାଯାଇ ପାରିବ ନାହିଁ ।

 

ଐତରେୟ ବ୍ରାହ୍ମଣରେ, ‘ଚରୈବେତି’ର ଉଦ୍‍ବୋଧନ ଦିଆଯାଇ ସତତ ଚାରଣାକୁ ହିଁ ଜୀବନର ଅସଲ କଳା ଓ ଅସଲ ବାସନା ବୋଲି ମାନୁଥିବା ପ୍ରତ୍ୟେକ ମନୁଷ୍ୟକୁ ଯୁଗ ବିଷୟରେ ଏକ ଅନ୍ୟପ୍ରକାର ବ୍ୟାଖ୍ୟାର ସମ୍ମୁଖୀନ କରି ଦିଆଯାଇଛି । ସେଥିରେ କୁହାଯାଇଛି, ମଣିଷ ଯେତେବେଳେ ଶୋଇ ରହୁଛି, ସେତେବେଳେ କଳିଯୁଗ, ଯେତେବେଳେ ତା’ର ନିଦ ଭାଙ୍ଗିଯାଉଛି, ସେତେବେଳେ ଦ୍ଵାପର ଏବଂ ସିଏ ଉଠି ଛିଡ଼ାହେଲେ ତ୍ରେତା ଓ ଚାଲିବାକୁ ଆରମ୍ଭ କଲେ ସତ୍ୟ । ଅର୍ଥାତ୍ ମଣିଷ ଯେ କେବଳ ଆମ ଉପନ୍ୟାସବର୍ଣ୍ଣିତ ସତ୍ୟଯୁଗରେ ଚାଲୁଥିବା ଓ ବର୍ତ୍ତମାନ ଯେ କେବଳ ଶୋଇ ରହିଛି, ସେକଥା ମୋଟେ ନୁହେଁ । ସେତେବେଳେ ବି ଶୋଇ ରହିଥିବା ମଣିଷ ରହିଥିଲେ, ଏବେ ଏ ଯୁଗରେ ମଧ୍ୟ ବାଟ ଚାଲୁଥିବା ମଣିଷ ରହିଛନ୍ତି । ପୃଥିବୀରେ ସର୍ବଦା ଚାରୋଟିଯାକ ଯୁଗ ବର୍ତ୍ତମାନ ରହିଛି । ହୁଏତ, ପ୍ରତ୍ୟେକ ମନୁଷ୍ୟର ଜୀବନରେ ତା’ର ଅଭିକ୍ରମ ଏବଂ ଅଭିପ୍ରାୟଗୁଡ଼ିକ ଅନୁସାରେ, କେତେବେଳେ ସତ୍ୟଯୁଗ ଆସୁଛି ତ ପୁଣି କେତେବେଳେ କଳିଯୁଗ ବି ଆସିଯାଉଛି । ସବୁଠାରୁ ବଡ଼ କଥା ହେଉଛି, ମଣିଷ ବା ମନୁଷ୍ୟ ସମୂହମାନେ ସ୍ଵଜୀବନରେ ନିଜେ ହିଁ ଏହିସବୁ ଯୁଗର ନିୟାମକ, ନିର୍ଣ୍ଣାୟକ ଓ କର୍ଣ୍ଣଧାର ହୋଇ ରହିଛନ୍ତି ଏବଂ ଯୁଗର ନିର୍ଣ୍ଣୟ ଅନୁସାରେ ତା’ ଜୀବନରେ ଅବତାରମାନେ ମଧ୍ୟ ନିର୍ଦ୍ଧାରିତ ହେବାରେ ଲାଗିଛନ୍ତି । ଭାରତବର୍ଷରେ କୌଣସି ଏକ ଶାସ୍ତ୍ରରେ ଏହି କଥାଟିକୁ କୁହାଯାଇଛି ବୋଲି ଯେ କେବଳ ଭାରତବର୍ଷ ଲାଗି ଏଇଟି ସତ୍ୟ, ସେକଥା ମୋଟେ ନୁହେଁ, ଏହା ସମଗ୍ର ପୃଥିବୀ ଲାଗି ସତ୍ୟ, ସବୁ ଜଳବାୟୁରେ ସତ୍ୟ, ଜୀବନରେ ଯାବତୀୟ ସୁହୂର୍ତ୍ତରେ, ଯାବତୀୟ ଆହ୍ଵାନର ସମ୍ମୁଖୀନ ହେଲାବେଳେ ମଧ୍ୟ ସତ୍ୟ । ଭାରତବର୍ଷର ଜଣେ ଋଷି ଏହି କଥାଟିକୁ ଲେଖିଥିଲେ ବୋଲି କେବଳ ଆମେ ଭାରତବାସୀ ଯେ ଏହାର ଦାୟାଦ, ସେକଥା ମୋଟେ ନୁହେଁ । ପୃଥିବୀରେ ଯିଏ ଯେଉଁଠି ସତତ ଚାଲିବାକୁ ହିଁ ସବାବଡ଼ ଆଧ୍ୟାତ୍ମ ବୋଲି ଗ୍ରହଣ କରୁଛି, ଯିଏ ଯୋଉ ଦେଶର ହୋଇଥାଉ ପଛକେ, ସେହି ହେଉଛି ଏହି ମନ୍ତ୍ରଟିର ଯଥାର୍ଥ ଦାୟାଦ । ତେଣୁ ସତ୍ୟଯୁଗ କେବଳ ନଥିଲା, ଏହା ବର୍ତ୍ତମାନ ମଧ୍ୟ ରହିଛି । ସମସ୍ତେ ଶୋଇଥିବା ବେଳେ ମୁଁ ଯଦି ତଥାପି ଚାଲୁଛି, ତେବେ କଳିଯୁଗ ଭିତରେ ସତ୍ୟଯୁଗ ଅବଶ୍ୟ ରହିଛି ଏବଂ ଅନ୍ୟ ପକ୍ଷରେ, ସମସ୍ତେ ବାଟ ଚାଲୁଥିବା ବେଳେ ମୁଁ ଯଦି ତଥାପି ଶୋଇ ରହିଛି, ତେବେ ମୋ’ ଚାରିପାଖରେ ସତ୍ୟଯୁଗ ମୋତେ ବେଷ୍ଟନ କରି ରହିଥିଲେ ମଧ୍ୟ ମୋତେ ତଥାପି କଳିଯୁଗଟା ହିଁ ଗ୍ରାସ କରି ରହିଛି । କୃଷ୍ଣ ଥିଲାବେଳେ ମଧ୍ୟ କଂସ ରହିଥିଲା, ରାବଣ ଥିବାବେଳେ ମଧ୍ୟ ରାମଚନ୍ଦ୍ର ଥିଲେ, ଯିଏ ଖଣ୍ଡିଆ, ସିଏ କଳିଯୁଗରେ ଅଛି; ଯିଏ ସମ୍ୟକ ଭାବରେ ସବୁଟିକୁ ଅନୁଭବ କରି ପାରୁଛି, ସିଏ ସତ୍ୟଯୁଗରେ ରହିଛି । ଅଥ ଚରୈବେତି । (୩୦ । ୩ । ୮୮)

 

(୩୫)

 

ଓଡ଼ିଆ ଭାଷା ଶିକ୍ଷିତ ଓଡ଼ିଆମାନଙ୍କୁ କାଳ ହୋଇଛି, ଅଥବା, ଆରପଟୁ କହିଲେ, ଶିକ୍ଷିତ ଓଡ଼ିଆମାନେ ହିଁ ଓଡ଼ିଆ ଭାଷାକୁ କାଳ ହୋଇଛନ୍ତି । ପ୍ରାୟ ଦେଢ଼ଶହ ବର୍ଷ ତଳେ, ଭାରତୀୟ ଉପନିବେଶରେ କେଉଁ ମାଧ୍ୟମରେ କ’ଣ ସବୁ ଶିକ୍ଷା ଦେବାରେ ବ୍ୟବସ୍ଥା କରାଯିବ ବୋଲି ପ୍ରଶ୍ନଟିକୁ ବିଚାରକରି ଶ୍ରୀଯୁକ୍ତ ଟମାସ୍‍ ବ୍ୟାବିଙ୍ଗଟନ୍‍ ମ୍ୟାକ୍‍ଲେ ସାହେବ ଯେଉଁ ବିବରଣୀଟି ପ୍ରସ୍ତୁତ କରିଥିଲେ, ସେଥିରେ ସେ ଭାରତର କେବଳ କେତେକଙ୍କୁ ଉଚ୍ଚଶିକ୍ଷାର ପରିସର ମଧ୍ୟକୁ ଆଣିବାର ଯୋଜନାଟିକୁ ଆପଣାର ଆଖି ଆଗରେ ରଖିଥିଲେ । ଅତ୍ୟନ୍ତ ନିଷ୍କପଟ ଭାବରେ ଶ୍ରୀ ମ୍ୟାକ୍‍ଲେ ନିବେଦନ କରିଥିଲେ ଯେ ଶିକ୍ଷା ବାବଦକୁ ଖର୍ଚ୍ଚ ଦେବାର ବରାଦ କରା ହେଉଥିବା ସୀମିତ ସମ୍ବଳ ଦ୍ଵାରା ଏହି ଦେଶର ସବୁ ଲୋକଙ୍କୁ ଶିକ୍ଷିତ କରିବା ସରକାରଙ୍କ ପକ୍ଷରେ କଦାପି ସମ୍ଭବ ହେବନାହିଁ । ତେଣୁ, କେବଳ କେତେକଙ୍କୁ ଉଚ୍ଚ ଶିକ୍ଷାର ସୁଯୋଗ ଦେଇ ଭାରତରେ ଶିକ୍ଷିତ ଶ୍ରେଣୀ ସୃଷ୍ଟି କରିବାର ଏକ ପ୍ରୟାସ କରିବା ବ୍ୟତୀତ ସରକାର ଆଉ ଅଧିକ କିଛି କରିବା ନିମିତ୍ତ ମୋଟେ ସମର୍ଥ ହେବେନାହିଁ । ଏହି ଶିକ୍ଷିତ ଶ୍ରେଣୀ ଏକ ପକ୍ଷରେ ସରକାର ଓ ଅପରପକ୍ଷରେ ସେମାନଙ୍କ ଦ୍ଵାରା ଶାଷିତ କୋଟି କୋଟି ଜନସାଧାରଣଙ୍କ ମଧ୍ୟରେ ସେତୁ ଅର୍ଥାତ୍ ଯୋଗସୂତ୍ର ସ୍ଥାପନକାରୀ ପରି କାର୍ଯ୍ୟ କରିପାରିବେ । ସେମାନେ ଯେ ଖାଲି ପାଠ ପଢ଼ି ପାଠୁଆ ହେବେ ତା’ ନୁହେଁ ମାତ୍ର, ବିବରଣୀଟିରେ ଲେଖା ହୋଇଥିବା ଅବିକଳ ଭାଷାରେ କହିଲେ ‘aclass of persons, Indian in blood and colour, but English in taste, in opinions, in morals and in intellect’ ହୋଇ ରହିବେ ।

 

ବ୍ରିଟିଶ ସରକାରଙ୍କର ଶାସନ କାର୍ଯ୍ୟରେ ତଳ ଭାଡ଼ିମାନଙ୍କରେ କାରିନ୍ଦା ହୋଇ ରହିବାକୁ ସେତେବେଳେ ଦେଶରେ ଯେ କେତେକ ନୂଆ ଇଂରାଜୀ ପଢ଼ୁଆଙ୍କର ପ୍ରୟୋଜନ ଥିଲା, ସେ କଥା ଅବଶ୍ୟ ସତ ଏବଂ ସେହି କାରଣରୁ ସରକାର ଭାରତୀୟ ଜଙ୍ଗଲରୁ କେତେକ ହାତୀକୁ ଶିକ୍ଷାର ଖେଦାରେ ଧରି ନିଜର ପୋଷା ହାତୀ କରି ରଖିବାକୁ ଇଚ୍ଛା କରୁଥିଲେ । ତଥାପି, ଅତ୍ୟନ୍ତ ସ୍ପଷ୍ଟ ଭାବରେ ଏହି ଶିକ୍ଷାପ୍ରାପ୍ତମାନଙ୍କଠାରୁ କିଛି ଅଧିକ କଥାର ପ୍ରତ୍ୟାଶା ମଧ୍ୟ କରାଯାଉଥିଲା । ଅନ୍ତତଃ ମ୍ୟାକ୍‍ଲେ ସାହେବ ଆପଣାର ବିବରଣୀରେ ସେହିପରି କିଛି ପ୍ରତ୍ୟାଶାର ସୂଚନା ପ୍ରଦାନ କରିଥିଲେ । ଏହି ଶିକ୍ଷିତ ଶ୍ରେଣୀ ଭାରତରେ ସାର୍ବଜନୀନ ଶିକ୍ଷାର ବୃହତ୍ତର ଲକ୍ଷ୍ୟଟିର କ୍ଷେତ୍ରରେ କ୍ଷେତ୍ରପ୍ରସ୍ତୁତକାରୀ ପୁରୋଗାମୀ ରୂପେ କାର୍ଯ୍ୟ କରିବେ ବୋଲି ଅଭିପ୍ରାୟ ରଖାଯାଇଥିଲା । ଦେଶର କଥିତ ଭାଷାଗୁଡ଼ିକୁ ଅଧିକ ସମର୍ଥ ଓ ଉନ୍ନତ କରି ଆଣିବାରେ ସେମାନେ ଏକ ନିର୍ଦ୍ଦିଷ୍ଟ ଭୂମିକା ଗ୍ରହଣ କରିବେ । ପାଶ୍ଚାତ୍ୟ ଶବ୍ଦ–ଭଣ୍ଡାରରୁ ବୈଜ୍ଞାନିକ ପାରିଭାଷିକ ଶବ୍ଦମାନ ଆଣି ସେମାନେ ଭାରତୀୟ ଭାଷାଗୁଡ଼ିକୁ ସମୃଦ୍ଧ କରାଇବେ, ଯେପରିକି ସେଗୁଡ଼ିକ କାଳକ୍ରମେ ଦେଶର ବୃହତ୍ତର ଜନସମଗ୍ରଟି ମଧ୍ୟକୁ ଜ୍ଞାନର ସମ୍ପ୍ରସାରଣ ଘଟାଇବାରେ ଉପଯୁକ୍ତ ବାହନ ବା ମାଧ୍ୟମରୂପେ ବ୍ୟବହୃତ ହୋଇପାରିବେ । ଶ୍ରୀ ମ୍ୟାକ୍‍ଲେ ଓ ତାଙ୍କ ଭଳି ଅନେକ ଇଂରେଜଙ୍କର ଉଦ୍ଦେଶ୍ୟ ସେହି ପ୍ରଥମ ପର୍ଯ୍ୟାୟରେ ଯେତେ ସାଧୁ ହୋଇଥାଉ ପଛକେ, ବ୍ରିଟିଶି ଅମଳରେ ଶିକ୍ଷାର ଉପର ଥାକମାନଙ୍କରେ ଯେପରି ଯାହାସବୁ ବରାଦ ହେଲା, ସେଥିରେ କେଉଁଠି କ’ଣ ସବୁ ବିଷରନ୍ଧ୍ର ରହି ଯାଇଥିଲା କେଜାଣି, ସେହି ଉଦ୍ଦେଶ୍ୟଟି ଅନୁସାରେ ଫଳଗୁଡ଼ିକ ମୋଟେ ଫଳିଲା ନାହିଁ । ବଣୁଆ ହାତୀମାନେ ପୋଷା ହାତୀରେ ପରିଣତ ହେଉ ହେଉ ବଣଟାକୁ ଗୋଟାସୁଦ୍ଧା ଭୁଲିଗଲେ ଏବଂ ସେମାନଙ୍କ ଉପରେ ଯେଉଁ ପ୍ରତ୍ୟାଶାଟିର ନ୍ୟାସ କରାଯାଇଥିଲା, ସେହି କ୍ଷେତ୍ରରେ ଆପଣାକୁ ନିତାନ୍ତ ଅଯୋଗ୍ୟ ପ୍ରତିପାଦିତ କଲେ । ସେହି ଅଯୋଗ୍ୟତା କ୍ରମେ ଶୁଣ୍ଢି ଉଆସରେ ଏକ ବିଶେଷ ଯୋଗ୍ୟତା ବୋଲି ସ୍ଵୀକୃତି ହୋଇଗଲା । ଶିକ୍ଷା ଦ୍ଵାରା ତ କେବେହେଲେ ରକ୍ତ ବା ଦେହର ରଙ୍ଗ ବଦଳି ପାରିନଥାନ୍ତା । ତେଣୁ ସେଗୁଡ଼ାକ ଯେଉଁଭଳି ଥିଲା ସେହିଭଳି ରହିଲା । ରୁଚି ଗୁଡ଼ାକ, ମିଜାଜଗୁଡ଼ାକ ଏବଂ ନାକଟେକା ଗୁଡ଼ାକ ମଧ୍ୟ କଦାପି ଗୋଟାସୁଦ୍ଧା ବିଲାତି ହୋଇ ପାରିବାର ସମ୍ଭାବନା ନଥିଲା, ତେଣୁ ମଝିରେ ମଝିରେ ସଙ୍କର ହୋଇ ରହିଗଲା । ତମ୍ପସାପ ପରି ବେଶୀ ପ୍ରକୁପିତ ହେଲା ଏବଂ ଏପରି ଏକ ଗୋଲାମ ଶ୍ରେଣୀର ସୃଷ୍ଟିକଲା, ଯେଉଁମାନେ କି ନିଜକୁ ପ୍ରାୟ ପୂରାପୁରି ଯାହା କୋଠିରେ ଟହଲିଆ ରୂପେ ନିଯୁକ୍ତ ହୋଇ ରହିଲେ ଓ ଯାହା ତରଫରୁ ଦେଶର ଅବର ଜନପ୍ରାଣୀଙ୍କୁ ଶାସନ କଲେ, ସେହିମାନଙ୍କର ବୋକଚାରେ ବନ୍ଧା ହୋଇ ରହିଲେ ଓ ସେଥିରୁ ଏ ପ୍ରକାର ଗର୍ବ ମଧ୍ୟ ଅନୁଭବ କରିଥିଲେ ।

 

ଅର୍ଥାତ୍, ଏହି ଦେଶର ହୋଇ ମଧ୍ୟ ଦେଶର ବୃହତ୍ତର ମନୁଷ୍ୟଖଣ୍ଡ ସହିତ ସେମାନଙ୍କର ଏକ ବ୍ୟବଧାନ ସୃଷ୍ଟି ହୋଇଗଲା । ସେହି ବ୍ୟବଧାନ ପୋଷା ହାତୀମାନଙ୍କୁ ଭାରି ସୁହାଇଲା । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେ କାଳରେ ଯେଉଁମାନେ ଇଂରାଜୀ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇଥିଲେ, ସେମାନେ ପ୍ରାୟ ନିୟମତଃ ଭାରତୀୟ ସମାଜର ଉଚ୍ଚ କୁଳ ଏବଂ ଉଚ୍ଚ ବର୍ଣ୍ଣମାନଙ୍କରୁ ଆସିଥିଲେ । ସେଇମାନଙ୍କ ଘରେ ଅଧିକାଂଶତଃ ଅଧିକ ଜମିଥିଲା ଏବଂ ଅଧିକ ଧନ ମଧ୍ୟ ରହିଥିଲା । ତେଣୁ, ଇଂରେଜୀ ଶିକ୍ଷା ଲାଭ କରିବାର ବିଶେଷ ସୁଯୋଗଟି ଭାରତର ସେହି ପାରମ୍ପରିକ ବ୍ୟବଧାନଟିକୁ ଭାରି ସୁହାଇଲା ଓ ଦେଶରେ ସବୁଠାରୁ ଅଧିକ ଶିକ୍ଷାପ୍ରାପ୍ତ ଶ୍ରେଣୀଟିକୁ ଭାରି ଚତୁର ଭାବରେ ଜନଜୀବନ ତଥା ଜନ–ଆକାଂକ୍ଷାର ଭାବଭୂମିଠାରୁ ଅଲଗା କରି ରଖିଥିଲା । ତେଣୁ ସମକକ୍ଷ କରି ଆଣିବାର ଯେଉଁ ବିଶେଷ ଦାୟିତ୍ଵଟି ସେମାନଙ୍କ ଉପରେ ନ୍ୟସ୍ତ ରହିଥିଲା, ସେମାନେ ଆଉ ତାହାର ଯୋଗ୍ୟ ହୋଇ ପାରିଲେନାହିଁ । ସେମାନେ ତଳ ଆଡ଼କୁ ନ ମୋହି ସକଳ ଉତ୍କଟତା ସହିତ ଅଧିକରୁ ଅଧିକ ଉପର ଆଡ଼କୁ ମୋହିଲେ । ଗୋଟାସୁଦ୍ଧା ତଳି ଛାଡ଼ିଗଲେ ଏବଂ ଏକ ଭାଗ୍ୟହୀନ ବଞ୍ଚିତ ଦେଶରେ ମୁଖ୍ୟତଃ ପ୍ରବଞ୍ଚକମାନଙ୍କର ଭୂମିକା ଗ୍ରହଣ କରିଥିଲେ ଓ ସେଥିରୁ ଗୌରବ ଅନୁଭବ କରୁଥିଲେ । ଭାରତବର୍ଷ ସ୍ଵାଧୀନ ହେବା ପରେ ଶାସନ ଗୋଦାମର କୁଞ୍ଚିଗୁଡ଼ାକୁ ଏକାଧିକ କାରଣରୁ ଏହିମାନଙ୍କର କାନିରେ ବାନ୍ଧି ଦିଆଗଲା । ତେଣୁ ବ୍ୟବଧାନଗୁଡ଼ିକ ବଜାର ହୋଇ ରହିଲା । ବହୁ ପ୍ରକାରର ଘୃଣା ଓ ଦୂରତା ଏଠି ଅଧିକ ସମର୍ଥମାନଙ୍କୁ ବହୁସଂଖ୍ୟକ ଅସମର୍ଥମାନଙ୍କଠାରୁ ଅଲଗା କରି ରଖିଲା ଏବଂ ଇଂରେଜୀ ଭାଷାଟାକୁ ମଧ୍ୟ ଅଲଗା କରି ରଖିବାର ସେହି ଫିସାଦରେ ଏକ ଅତ୍ୟନ୍ତ ଫଳପ୍ରଦ ସାଧନାରୂପେ ବ୍ୟବହାର କରାଗଲା ।

 

ଓଡ଼ିଶାରେ ଓଡ଼ିଆ ଭାଷା ଭାରତୀୟ ଅନ୍ୟାନ୍ୟ ଭାଷା ତୁଳନାରେ ବିଶେଷ ଭାବରେ ଦୟନୀୟ ଓ ଅସ୍ଵୀକୃତ ହୋଇ ରହିବାର କେତେକ ବିଶେଷ କାରଣ ଅବଶ୍ୟ ରହିଛି । ଓଡ଼ିଶା ବ୍ରିଟିଶ ଶାସନକୁ ଆସିବା ପରେ ଶହେରୁ ଅଧିକ ବର୍ଷକାଳ ପାର୍ଶ୍ୱସ୍ଥ ବିଭିନ୍ନ ରାଜ୍ୟ ସହିତ ଖଣ୍ଡ ଖଣ୍ଡ ହୋଇ ଗଅଁଣ୍ଠା ହୋଇ ରହିଥିଲା । ଭାରତୀୟ ନବଜାଗରଣ-ପର୍ବଟି ଅନ୍ୟ ପ୍ରଦେଶଗୁଡ଼ିକର ତୁଳନାରେ ଓଡ଼ିଶାକୁ ଅପେକ୍ଷାକୃତ କମ୍‍ ଧକ୍‍କା ଦେଇଥିଲା ଏବଂ ତେଣୁ ପରିବର୍ତ୍ତିତ ପରିସ୍ଥିତି ଆସନ୍ନ ହୋଇ ଆସୁଛି ବୋଲି ଓଡ଼ିଆମାନଙ୍କୁ କମ୍‍ ସଚେତନ କରାଇଥିଲା । ଅଧିକନ୍ତୁ ଓଡ଼ିଆଭାଷୀ ଓଡ଼ିଶାରେ ଅଧିକରୁ ଅଧିକ ଅଂଶ ଗଡ଼ଜାତର ଅନ୍ଧାର ଭିତରେ ପ୍ରାୟ ଅଚେତ ହୋଇ ରହିଥିଲା । ରାଜାମାନେ ଓଡ଼ିଆ ଥିଲେ, ମାତ୍ର ଓଡ଼ିଆ ପ୍ରଜାମାନଙ୍କ ସହିତ ଆର୍ଥିକ ଓ ସାମାଜିକ ପ୍ରଭୃତି ଯାବତୀୟ ସହଯୋଗର କ୍ଷେତ୍ରରେ ତଳ ଉପର ମଧ୍ୟରେ ଆଦୌ କୌଣସି ଭାବଗତ ସହଚାରିତା କିମ୍ବା ସହାନୁଭବ ନଥିଲା ଏବଂ ସେତେବେଳର ମୋଗଲବନ୍ଦୀରୁ ଯେଉଁ ଉଚ୍ଚଜାତି ଅର୍ଦ୍ଧଶିକ୍ଷିତ ବ୍ୟକ୍ତିମାନେ ଗଡ଼ଜାତ ଶାସନରେ ମଧ୍ୟବର୍ତ୍ତୀ ଆଙ୍କୁଡ଼ା ପରି ହୋଇ କାର୍ଯ୍ୟ କରୁଥିଲେ, ସେମାନେ ମଧ୍ୟ ରାଜାମାନଙ୍କଠାରୁ କୌଣସି ଗୁଣରେ କମ୍ ଅପାରୁଆ ନଥିଲେ । ଭାରତୀୟ ଜାତୀୟ ଜାଗରଣର ତରଙ୍ଗମାନ ମଧ୍ୟ ଓଡ଼ିଶାକୁ ବହୁତ ବିଳମ୍ବରେ ସ୍ପର୍ଶ କଲା । ରାଜନୀତିକ ପ୍ରାୟ ଏକମାତ୍ର ମଞ୍ଚ ଉତ୍କଳ ସମ୍ମିଳନୀରେ ଯେଉଁ ରାଜା ଓ ଜମିଦାରମାନେ ଥିଲେ, ସେମାନଙ୍କର କୌଣସି ଭବିଷ୍ୟମୁଖୀ ରାଜନୀତିକ ଚେତନା ନଥିଲା । ସ୍ଵୟଂ ମଧୁବାବୁ ଭାବରେ କ୍ଷେତ୍ରରେ ଓଡ଼ିଶା ସହିତ ଯେତେ ଏକାତ୍ମକ ହୋଇ ରହିଥିଲେ ମଧ୍ୟ ଓଡ଼ିଆ ଭାଷାର କ୍ଷେତ୍ରରେ ତାଙ୍କଠାରେ ମଧ୍ୟ କେତେକ ସଙ୍କୋଚ ରହିଥିଲା । ତାଙ୍କୁ ଛାଡ଼ିଦେଲେ ଅନ୍ୟାନ୍ୟ ନେତାମାନେ ଜାତୀୟ କଂଗ୍ରେସ ଏବଂ ଉତ୍କଳ ସମ୍ମିଳନୀ ମଧ୍ୟରେ ପ୍ରାୟ ବିଭାଜିତ ହୋଇ ରହିଥିଲା । ଭାବ ଓ ଭାବପ୍ରବଣତାର କ୍ଷେତ୍ରରେ ହୁଏତ ଉଭୟତ୍ର ରହିଥିଲେ, ତେଣୁ ଯଥାର୍ଥରେ କୋଉଠି ହେଲେ ନଥିଲେ । ସଦିଚ୍ଛା ଅବଶ୍ୟ ଥିଲା, ମାତ୍ର, ଦୃଷ୍ଟିଗତ ସ୍ପଷ୍ଟତା ଅତ୍ୟନ୍ତ ଦରିଦ୍ର ଥିଲା । ସେମାନେ ଅଧିକାଂଶ ସମୟରେ ଏକ ମିଛ ସମ୍ଭ୍ରାନ୍ତତା ରକ୍ଷା କରି ପରସ୍ପର ପାଖକୁ ଇଂରାଜୀରେ ଚିଠି ଲେଖୁଥିଲେ । ଏପରିକି ସ୍ଵୟଂ ଉତ୍କଳମଣି ମଧ୍ୟ ସେଥିରୁ ବାଦ୍‍ ଯାଉନଥିଲେ । ସେହି ଅଧାପନ୍ତରିଆ ଆନୁଗତ୍ୟ ଆମ ଏବ ପର୍ଯ୍ୟନ୍ତ ପ୍ରାୟ ନିର୍ବାଧ ହୋଇ ଗଡ଼ି ଆସିଛି ଏବଂ ନିଜର ଭାଷାପ୍ରତି ଆମର ଅଙ୍ଗୀକାରବଦ୍ଧତାର କ୍ଷେତ୍ରରେ ବହୁ ଶୀଳଭଙ୍ଗ ଓ ଅଶ୍ଳୀଳତାର କାରଣ ହୋଇଛି-

 

ଓଡ଼ିଆ ଭାଷା ପ୍ରତି ତଥାକଥିତ ଶିକ୍ଷିତ ଓଡ଼ିଆମାନଙ୍କର ଅଶ୍ରଦ୍ଧା ଏବଂ ଅବଜ୍ଞା ଏହାହିଁ ଆମ ଭାଷା ନିମନ୍ତେ ସବୁଠାରୁ ବଡ଼ କାଳ ହୋଇଛି । ଆପଣାର ଘରଟି ଲାଗି ସେହି ପୋଷାହାତୀମାନଙ୍କର ଅଶ୍ରଦ୍ଧା ଏବଂ ଅବଜ୍ଞା ହିଁ ଏହି ଘରଟି ଲାଗି ସବୁଠାରୁ ବଡ଼ କାଳ ହୋଇଛି । ଏକ ସମୂହର ଶୁଭ ଓ ସ୍ଵାସ୍ଥ୍ୟ ଦୃଷ୍ଟିରୁ ଯାହାକୁ ପ୍ରକୃତରେ ଏକ ବ୍ୟାଧି ବୋଲି ହିଁ କୁହାଯିବା ଉଚିତ, ତାହାହିଁ ଏକ ଅସ୍ଵାଭାବିକ ପରିସ୍ଥିତି ହେତୁ ବ୍ୟାଧିଗ୍ରସ୍ତମାନଙ୍କର ପ୍ରାୟ ଏକ ସ୍ଵତନ୍ତ୍ର ଗୌରବ ହୋଇ ରହିଛି । ଏକ ସ୍ଵାଧୀନ ଦେଶର ହାଉଆକୁ ଏବଂ ଆବଶ୍ୟକତାକୁ ଅସ୍ଵୀକାର କରି ନ ପାରି ଓଡ଼ିଆ ଭାଷାକୁ ସରକାରୀ ସ୍ଵୀକୃତି ଦିଆଯାଉ ବୋଲି ଏଠି ତାର ସ୍ଵରରେ କେଡ଼େ ଉତ୍ସାହର ସହିତ ପାଟି କରାଯାଉଛି ସତ, ମାତ୍ର ସେହି ସରକାରଙ୍କର ଢିଙ୍କିଶାଳରେ ଯେଉଁ ବଡ଼ମୁଣ୍ଡମାନେ ଶାସନରୂପୀ ମାଳଚୂଳଟିକୁ ଗଭା ମଣ୍ଡାଇ ବସାଇଛନ୍ତି, ସେମାନେ ଏବେ ମଧ୍ୟ ମଣ ହୋଇନାହାନ୍ତି । ସେମାନେ ଅଶ୍ରଦ୍ଧା ଓ ଅବଜ୍ଞାଟିକୁ କଦାପି ଛାଡ଼ି ପାରିବେ ନାହିଁ ବୋଲି ପଣ କରି ବସିଛନ୍ତି । ସେମାନଙ୍କର ଭେକ, ବେଶ, ପରିମଳ ଏବଂ ଆଚରଣ ଗୁଡ଼ାକ ସେହି ଅବଜ୍ଞା ଦ୍ଵାରା ଜରଜର ହୋଇ ରହିଛି । ସେହି ଅବଜ୍ଞାଟା ସତକୁ ସତ କେଡ଼େ ଚକଚକ ହୋଇ ଦିଶୁଛି । ଆମ ବାବୁମାନେ ହିଁ ଆମ ଭାଷାଲାଗି ସବୁଠାରୁ ବଡ଼ କାଳ ହୋଇଛନ୍ତି । ଏହି ବାବୁମାନେ, ଅର୍ଥାତ୍ ଭାରତବର୍ଷ ରାଜନୈତିକ ସ୍ଵାଧୀନତା ହାସଲ କରିବା ପରେ ଯେଉଁ ବାବୁମାନେ ହିଁ ତଥାପି ସେଇଦିନୁଁ ଆମ ଶାସନର ମହକୁମାମାନଙ୍କରେ ଭୁଆସୁଣୀ ହୋଇ ରହିଛନ୍ତି, ସେମାନେ ଆମ ସ୍ଵାଧୀନତା-ସଂଗ୍ରାମର ପର୍ଯ୍ୟାୟଟିରେ ଆଦୌ କୌଣସି ଭାଗ ନେଇ ନ ଥିଲେ । ତେଣୁ ସ୍ଵାଧୀନତା ସହିତ ଯେଉଁ ପୁନର୍ଗଠନ ଓ ନବବିଧାନର ଆହ୍ଵାନଗୁଡ଼ିକ ଆମର ଅସଲ ଦାୟିତ୍ଵ ହୋଇ ଆମର ଅତ୍ୟନ୍ତ ସ୍ଵାଭାବିକ ଭାବରେ ଆମ ସମ୍ମୁଖରେ ଆସି ଉପସ୍ଥିତ ହେଲା, ଆମର ଏହି ବାବୁମାନେ ତାହାକୁ ମୋଟେ ବୁଝିପାରିଲେ ନାହିଁ । ସେମାନେ ଗୋଲାମ ଥିଲେ, ଗୋଲାମ ହୋଇ ରହିଗଲେ । ଏକ ଅଶିକ୍ଷିତ ଦେଶର ବହୁ ଅସମର୍ଥତାର ସୁଯୋଗ ନେଇ ସେମାନେ ଶାସନର ଯନ୍ତ୍ରଟାକୁ ନିଜର କାବୁ କରି ରଖି ଯଥାସମ୍ଭବ ଯେମିତି ସେମିତି ଭୋଗ କରିବାକୁ ହିଁ ଅଧିକ ପାରିବାପଣ ବୋଲି ବୁଝିଲେ-। ସେମାନଙ୍କର ସଂସାର ଯେତିକି, ସେତିକି ବୁଝିଲେ ଏବଂ ପରବର୍ତ୍ତୀ ଗୋଲାମମାନଙ୍କ ନିମନ୍ତେ ତାହାକୁ ହିଁ ଉତ୍ତରାଧିକାର ସ୍ଵରୂପ ଛାଡ଼ିଗଲେ । ଅବଜ୍ଞାଗୁଡ଼ାକ ସତେଅବା ଭାରି ଅନମନୀୟ ହୋଇ ରହିଗଲା ।

 

ତେଣୁ ଓଡ଼ିଆ ଭାଷାକୁ ସରକାରୀ ସ୍ଵୀକୃତି ମିଳିବାର ଏକ ଅତ୍ୟାବଶ୍ୟକ ପୂର୍ବଭୂମି ରୂପେ ଆଗ ବେସରକାରୀ ସ୍ଵୀକୃତି ମିଳିବା ମଧ୍ୟ ସମ୍ଭବ ହେଉ । ନିଜର ଭାଷା ପ୍ରତି ଏକ ସୁସ୍ଥ ଶ୍ରଦ୍ଧାର ବିକାଶ କରାଇ ଆଣିବାକୁ ଆମ ପାଠ ପଢ଼ାଇବାର ପଦ୍ଧତିରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନମାନ ହେଉ । ଓଡ଼ିଶାର ବିଶ୍ଵବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପ୍ରତି ରହିଥିବା ଆମ ଶ୍ରଦ୍ଧା ପ୍ରକୃତରେ ଦୃଶ୍ୟମାନ ହେଉ । ଓଡ଼ିଆ ଓଡ଼ିଆ, ସେମାନେ ଯେଡ଼େ ଉଚ୍ଚଶିକ୍ଷିତ ହୋଇଥାନ୍ତୁ ଅଥବା ଯେଡ଼େ ମୋଟା ଦରମା ପାଇଥାନ୍ତୁ ପଛକେ, ପରସ୍ପର ସହିତ ଓଡ଼ିଆରେ କଥା ହେବାକୁ ହିଁ ଭଦ୍ରତା ବୋଲି ଅନୁଭବ କରନ୍ତୁ । ଇଉରୋପୀୟ ଦେଶମାନଙ୍କରେ ପିଲାକୁ ଏଗାର ବର୍ଷ ପୂରିବା ପର୍ଯ୍ୟନ୍ତ କେବଳ ତା’ର ମାତୃଭାଷାରେ ହିଁ ଯାବତୀୟ ଔପଚାରିକ ଶିକ୍ଷା ଦିଆଯାଏ । ଇଂଲଣ୍ଡରେ ଦିଆଯାଏ, ଜର୍ମାନୀରେ ଦିଆଯାଏ, ରୁଷିଆରେ ମଧ୍ୟ ଦିଆଯାଏ । ଏହା ଫଳରେ ସେଠାରେ ମଣିଷର ସବାମୂଳ ମୂଳଦୁଆଟି ମାତୃଭାଷାରେ ହିଁ ପଡ଼େ, ଏବଂ ତା’ପରେ କୌଣସି ଅନ୍ୟ ଭାଷା ଶିକ୍ଷା କରିବା ପିଲା ନିମନ୍ତେ ଅଧିକ ସହଜ ହୁଏ । ଓଡ଼ିଶାରେ ପିଲାଙ୍କର ଶିକ୍ଷାର କ୍ଷେତ୍ରରେ ସେହି ଆବଶ୍ୟକତାଟି ବିଷୟରେ ଅଧିକ ଆଲୋଚନା ହେଉ । ଉପରମାନେ ଢମ ଛାଡ଼ି, ସମସ୍ତଙ୍କର ସନ୍ନିକଟରୁ ଓହ୍ଲାଇ ଆସନ୍ତୁ । କେତେକ ପିଲାଙ୍କୁ ଅନ୍ତୁଡ଼ିଶାଳରୁ ଇଂରାଜୀ ଶିଖାଯାଇ ନିଜ ଭାଷା ପ୍ରତି ଅବଜ୍ଞାକୁ ପ୍ରଶ୍ରୟ ଦିଆ ନ ଯାଉ ଏବଂ ସାହିତ୍ୟକୁ ମଧ୍ୟ ସେହି ଶ୍ରଦ୍ଧାଟି ସଂକ୍ରମିତ ହୋଇଆସୁ । ଏଠି ଆମର ଯେଉଁ ବାବୁମାନେ ସାହିତ୍ୟର ଆନ୍ତର୍ଜାତିକ କ୍ଷେତ୍ରରେ ଅନାମଧେୟ ଗୋଲାମଟିଏ ହୋଇ ରହିବାର ଲୋଭରେ ନିଜ ଘରେ ନିଜ ଭାଷାରେ ଅର୍ଚ୍ଚନା କ୍ଷେତ୍ରରେ ବହୁ ଅବଜ୍ଞା ଓ ବହୁ ଅଶ୍ଳୀଳତା ଆଣି ଭର୍ତ୍ତି କରି ଦେଉଛନ୍ତି, ସେମାନେ ବି ଘରକୁ ଆସନ୍ତୁ, ଓଡ଼ିଆ ଭାଷାର ମସିଣା ଉପରେ ଆମ ସମସ୍ତଙ୍କ ପାଖରେ ବସିବା ପାଇଁ ମନ କରନ୍ତୁ । ଆମେ ଯିଏ ଯେଉଁଠି ଥାଉ ପଛକେ, ଓଡ଼ିଶାରେ ଆମ ସମସ୍ତଙ୍କର ଓଡ଼ିଆ ବୋଲି ଏକ ସାଧାରଣ ଭାଷା ଯେ ରହିଛି, ଆମର ଯାବତୀୟ ସମାଗମରେ ସେହି ବୋଧଟି ବଳେବଳେ ଅନୁଭୂତ ହେଉ ଏବଂ ସରକାରୀ ବଡ଼ମାନଙ୍କୁ ସଭାରେ ସଭାପତି ରୂପେ ବସାଇ ନୁହେଁ, ସରକାର ବାହାରେ ଓଡ଼ିଆ ଭାଷାକୁ ସତକୁ ସତ ସ୍ଵୀକାର କରିନେବାର ପରିମଳଟିଏ ତିଆରି ହୋଇଯାଉ, ନେବେ ଏଥିପାଇଁ କୌଣସି ବିଶେଷ ଆଇନ୍‍ କରିବା ଲାଗି ସରକାରଙ୍କୁ ଆଉ କୌଣସି ମେହନତ କରିବାକୁ ପଡ଼ିବ ନାହିଁ । (୬ । ୪ । ୮୮)

 

(୩୬)

 

ଓଡ଼ିଆ ଭାଷା ଶିକ୍ଷିତ ଓଡ଼ିଆମାନଙ୍କୁ କାଳ ହୋଇଛି; ଅଥବା, ଆରପଟୁ କହିଲେ, ଶିକ୍ଷିତ ଓଡ଼ିଆମାନେ ହିଁ ଓଡ଼ିଆ ଭାଷାକୁ କାଳ ହେଉଛନ୍ତି । ଓଡ଼ିଆ ଭାଷା ଓଡ଼ିଶାର ସରକାରୀ ଭାଷା ରୂପେ ସ୍ଵୀକୃତି ହେଲା ବୋଲି ଆମ ଗାଆଁ ବଟମୂଳେ କୋଉଦିନୁଁ ଘୋଷଣା ହୋଇ ସାରିଲାଣି । ଯୋଉ ହାକିମମାନେ ଏହି ଘୋଷଣାଟିକୁ କରାଇଛନ୍ତି, ସେମାନେ କ’ଣ ସତକୁ ସତ ଖୁସି ହୋଇ ସେହି କଥାଟିକୁ କରିଛନ୍ତି ? ବିଚରାମାନେ ବଡ଼ ବାଧ୍ୟ ହୋଇ ସେକଥା କରିଛନ୍ତି ? କିନ୍ତୁ, ସେମାନଙ୍କର ନିଶଗୁଡ଼ାକ ପ୍ରାୟ ଆବହମାନ କାଳରୁ ଯେପରି ଫୁଲି କରି ରହିଥିଲା, ଏବେ ମଧ୍ୟ ସେହିପରି ଫୁଲିକରି ରହିଛି । ସାହେବମାନେ ଆଜି ମଧ୍ୟ ସେହି ଆଗକାଳ ପରି ସମାନ ଭାବରେ ଉଦଣ୍ଡ ଦିଶୁଛନ୍ତି । ସେମାନଙ୍କର ରାଜତ୍ଵ ଚାଲୁଥିବା ପର୍ଯ୍ୟନ୍ତ ଅଢ଼ାମାନେ ଯେ ସେହିମାନଙ୍କ ହାତରେ ଅଲବତ ରହିବ, ସେମାନେ ସେକଥା ଭଲକରି ଜାଣିଛନ୍ତି । ଆଇନ୍‍ ପାସ ହୋଇ ଯାଉଥିଲେ ମଧ୍ୟ ତଥାପି ଆଇନ୍ ଅନୁସାରେ ଯେ ଦେଶଟା କଦାପି ବଦଳେ ନାହିଁ, ସେମାନେ ସେହି କଥାକୁ ଆପଣାର ବହୁ ଅଭିଜ୍ଞତାରୁ ଭଲକରି ଜାଣିଛନ୍ତି ।

 

ଅସଲ ପରିବର୍ତ୍ତନ ତଳଆଡ଼ୁ ଚାପ ପଡ଼ିଲେ ହୁଏ, ଉପର ଆଡ଼ୁ ଦୟା ହେଲେ କଦାପି ହୁଏନାହିଁ । ଦୟାଳୁମାନେ ସତେଅବା ରହସ୍ୟ କଲାପରି ଉପରୁ ଆଇନ୍‍ କରନ୍ତି ଏବଂ ତା’ପରେ ଦେଶଟା ଯେଉଁପରି ଥାଏ, ଠିକ୍ ସେହିପରି ରହିଥାଏ । ସାଆନ୍ତମାନେ ଉପରେ ବସିଥାଆନ୍ତି, ନିମ୍ନସ୍ଥମାନଙ୍କର ହିତଚିନ୍ତା କରୁଥାନ୍ତି । ଆମ ଦେଶରେ ଯେଉଁ ସାଅନ୍ତିଆ ରାଜତନ୍ତ୍ର ଏବେ ମଧ୍ୟବହୁ ସନ୍ତର୍ପଣରେ ଚାଲିଛି, ଅନେକତଃ ତାହାରି ଦୟାରେ ଏବେ ଝଅକ ମାରିଲା ପରି ଓଡ଼ିଆ ଭାଷାକୁ ସରକାରୀ ଭାଷା ବୋଲି ସ୍ଵୀକୃତି ଦିଆଯାଇଛି । ମାତ୍ର, ଦଉଡ଼ିଗୁଡ଼ାକ ଏପରି ଜାଗାମାନଙ୍କରେ କଷା ହୋଇ ରହିଛି ଯେ, ବସ୍ତୁତଃ ଅବସ୍ଥା ଯେପରି ଥିଲା ଠିକ୍‍ ସେହିପରି ରହିଛି । ବାବୁମାନେ ଏବେମଧ୍ୟ ମଙ୍ଗି ନାହାନ୍ତି, ବାବୁମାନେ ଏବେ ବାଧ୍ୟ ହୋଇନାହାନ୍ତି । ତେଣୁ, ନିୟମ ରକ୍ଷା କରି ଏବେ ଅବର୍ଜିଆ ଓଡ଼ିଆରେ ସରକାରୀ କଳମାନେ ବେଳେବେଳେ ଚିଟାଉ ଲେଖିଲେଣି ଏବଂ କ୍ରମେ ଓଡ଼ିଆ ଟାଇପ୍‍ରାଇଟର୍‍ ମାନେ ସେମାନଙ୍କୁ ସେଥିରେ ସାହାଯ୍ୟ କରିବାକୁ ଆସି ପହଞ୍ଚି ଗଲେଣି ସତ, ମାତ୍ର ସତକୁ ସତ ସିନ୍ଦୁରା ଫାଟିବାକୁ ଏବେ ମଧ୍ୟ ବାକୀ ରହିଛି । ଓଡ଼ିଆ ଭାଷାରେ ଅଠରବାକୀ ଶୈଳୀରେ ଲେଖା ହୋଇଥିବା ବା ଟାଇପ୍‍ କରା ହୋଇଥିବା ସରକାରୀ ଚିଠି ଗୁଡ଼ିକରେ ଏବେ ଯେତେବେଳେ ଓଡ଼ିଆକୁ ଗାଆଁରେ ଛାଡ଼ିଆସି ସହରମାନଙ୍କରେ ନୂଆ ବାହା ହୋଇଥିବା ଆମର କୁଳକର୍ତ୍ତାମାନେ ଇଂରାଜୀରେ ଦସ୍ତଖସ୍ତ କରୁଛନ୍ତି, ସେଥିରେ ଆମର ସବୁ କୁଳର ଇଜ୍ଜତ ଯାଉଛି ସତ, ମାତ୍ର ତାହାକୁ ଏକ ମଧ୍ୟବର୍ତ୍ତୀକାଳୀନ ଆପାତ ଚଳଣି ରୂପେ ସଂପୃକ୍ତ ସମସ୍ତେ ଅତ୍ୟନ୍ତ ସ୍ଵାଭାବିକ ବୋଲି ଗ୍ରହଣ କରି ନେଉଛନ୍ତି । ବିଚରା ବାବୁମାନେ ନିଜର ସ୍ଵଭାବ ବିରୁଦ୍ଧରେ ଯାଇ ଆଉ କେତେ ବଦଳି ପାରନ୍ତେ । ବେଳେବେଳେ ସେମାନଙ୍କର ଏହି ଦ୍ଵିତୀୟ ବାଲ୍ୟର ନମନୀୟତା ଗୁଡ଼ିକୁ ଦେଖି ସେମାନଙ୍କ ଉପରେ ଭାରି ଦୟା ଆସୁଛି । ଦୁର୍ଯ୍ୟୋଗକୁ ଏହି ଦେଶଟା ସ୍ଵାଧୀନ ହେଲା ବୋଲି ସିନା ସେମାନଙ୍କୁ ଏହି ଦୁର୍ଦ୍ଦଶାମାନ ଭେଗିବାକୁ ପଡ଼ିଲା । ସ୍ଵାଧୀନ ଭାରତଟାକୁ ସେମାନେ ଏବେମଧ୍ୟ ସତେଅବା ଶାଶୁଘର ପ୍ରାୟ ମଣୁଛନ୍ତି । ବାପଘରକୁ କେତେ ଝୁରି ହେଉଛନ୍ତି । ବାପଘରକୁ ବାହୁନୁଥିବା ଅଲିଅଳୀ ଝିଅ ଶାଶୁଘରକୁ ମଙ୍ଗି ପାରନ୍ତା କିପରି ?

 

ଏହି ଦେଶଟାର ସବୁଠାରୁ ବଡ଼ ଦୁର୍ଭାଗ୍ୟ ଯେ, ସରକାରୀ ବାବୁମାନେ ହିଁ ସରକାରର ବାହାରେ ରହିଥିବା ଆମର ସଂପୂର୍ଣ୍ଣ ଜୀବନଟା ଉପରେ ମଧ୍ୟ ରଜା ହୋଇ ରହିଛନ୍ତି । ଦେଶରେ ସେହିମାନଙ୍କ ହାତରେ ଅଧିକ ଧନ ରହିଛି, ଦେଶର କଷ୍ଟଲବ୍‍ଧ ସମ୍ପଦୋପାର୍ଜନର ଅଧିକତର ଅଂଶ ନିୟମତଃ ସେହିମାନଙ୍କର ଅଙ୍ଗଭୋଗ ନିମନ୍ତେ ଖରଚ ହେଉଛି । ଆମର ତଥାକଥିତ ସଂସ୍କୃତି ଗୁଡ଼ାକ ସତେଅବା ସେଇମାନଙ୍କ ସିରସ୍ତାରେ ଯାଇ ବନ୍ଧା ପଡ଼ିଛି । ଆମ ଦେଶର ଶିକ୍ଷା ବ୍ୟବସ୍ଥା କିପରି ହେବ ବା ନହେବ, ସେମାନଙ୍କ ମୁଣ୍ଡର ଗୋବରଗୁଡ଼ାକ ହିଁ ତାହାର ନିଷ୍ପତ୍ତି କରୁଛି-। ଆମ ସାହିତ୍ୟଟା ମଧ୍ୟ ସତେଅବା ଏକ ଅପସାଂସ୍କୃତିକ ଅଭିସନ୍ଧିର କବଳରେ ପଡ଼ି ସେହିମାନଙ୍କର ଗଭାରେ ଫୁଲ ଅଥବା ଅଣ୍ଟାରେ ଚନ୍ଦ୍ରହାର ହୋଇ ରହିଛି । ଓଡ଼ିଆ ଘରେ ଜନ୍ମ ହୋଇଥିଲେ ମଧ୍ୟ ଆପଣାର ଅସଲ ଅନୁରକ୍ତିଗୁଡ଼ିକର ସନ୍ଧିମାନଙ୍କରେ ସେମାନେ ଓଡ଼ିଶାରେ ମୋଟେ ନାହାନ୍ତି । ଅଥବା, ଆପଣାର ଚିତ୍ତରଞ୍ଜନ ନିମନ୍ତେ ସେମାନେ ଶୀଘ୍ରାତିଶୀଘ୍ର ଓଡ଼ିଶାକୁ ଗୋଟାଏ ଦିଲ୍ଲୀରେ କିମ୍ବା ବିଲାତରେ ପରିଣତ କରିଦେବାକୁ ଚାହୁଛନ୍ତି ଓ ତାହାକୁ ହିଁ ନିତାନ୍ତ ବେରସିକ ଭାବରେ ନବୋଦୟ ବୋଲି ବିଚାର କରୁଛନ୍ତି । ଓଡ଼ିଶା ନାମକ ଘର ସେମାନଙ୍କୁ ମୋଟେ ଭଲ ଲାଗୁନାହିଁ । କୋରାପୁଟ କିମ୍ବା କନ୍ଧମାଳକୁ ଚାକିରି କରି ଯାଇଥିବା ଓଡ଼ିଆ ଅଫିସର ସ୍ଥାନୀୟ ଅଧିବାସୀମାନଙ୍କୁ ଯେଉଁ ଆଖିରେ ଦେଖେ ଓ ଯେଉଁପରି ଭାବରେ ବ୍ୟବହାର କରେ, ଆମ ବାବୁମାନେ ଆମକୁ ପ୍ରାୟ ସେହି ଆଖିରେ ଦେଖୁଛନ୍ତି ଓ ସେହିପରି ଭାବରେ ବ୍ୟବହାର କରୁଛନ୍ତି । ସେମାନେ ଆମକୁ ଘୃଣା କରୁଛନ୍ତି, ଏବଂ ଆମରି ଦାୟିତ୍ଵରେ ଅଛନ୍ତି ।

 

ଯିଏ ଯାହାକୁ ସତକୁ ସତ ଶ୍ରଦ୍ଧା ନକରୁଥିବ, ସିଏ ତାହାର ଦାୟିତ୍ଵରେ ରହିପାରିବ କିପରି ? ପିଲାମାନଙ୍କୁ ଶ୍ରଦ୍ଧା କରୁ ନଥିବା ଜଣେ ମାଷ୍ଟର ସେହି ପିଲାମାନଙ୍କର ଦାୟିତ୍ଵରେ ରହିପାରିବ କିପରି ? ଉପରୁ ଥାଇ ଯେଉଁମାନେ ଦୟା କରନ୍ତି, ସେମାନେ ଶ୍ରଦ୍ଧାବାନ୍ ହୋଇ ପାରନ୍ତିନାହିଁ । ଦୟାର ବହୁ ଆଳରେ ସେମାନେ ସେହି ପୁରୁଣା ଦଉଡ଼ିଗୁଡ଼ାକୁ ଆପଣାର ହାତମୁଠାରେ ଧରି ରଖିଥାନ୍ତି, ଦେଶଗୋଟାକର ମୁକୁଟ ଦେଖୁଥାନ୍ତି । ଦେଶଟା ଲାଗି କାଳ ହୋଇ ରହିଥାନ୍ତି ।

 

ଏକଦା ଯେଉଁମାନେ ଓଡ଼ିଆ ଆନ୍ଦୋଳନରେ ଅଗ୍ରଣୀ ଥିଲେ, ଓଡ଼ିଶାକୁ ଏକ ସ୍ଵତନ୍ତ୍ର ଏକକ ରୂପେ ପ୍ରତିଷ୍ଠା କରିବା ଲାଗି ସହରମାନଙ୍କରେ ନେତୃତ୍ଵ ଦେଉଥିଲେ, ସେମାନେ ବି ଓଡ଼ିଆ ଭାଷାକୁ ଏକ ଅବର ଦୃଷ୍ଟିରେ ଦେଖୁଥିଲେ କି କ’ଣ କେଜାଣି, ଅଧିକାଂଶ ସମୟରେ ପରସ୍ପର ପାଖକୁ ଇଂରାଜୀରେ ପତ୍ର ଲେଖିଥିଲେ । ସେମାନଙ୍କର ଅସଲ କଲିଜାଗୁଡ଼ାକ ସତେଅବା ଇଂରାଜୀ ଜାମୁକୋଳି ଖାଇ କଳା ଚକଚକ ହୋଇ ରହିଥିଲା । ପୁଣ୍ୟାତ୍ମା ଗୋପବନ୍ଧୁ ଦାସ ମଧ୍ୟ ସେଥିରେ ବ୍ୟତିକ୍ରମ ନଥିଲେ । ଏବେ କେତେମାସ ତଳେ ଶ୍ରୀଯୁକ୍ତା ମାଳତୀ ଚୌଧୁରୀକୁ ସମ୍ବର୍ଦ୍ଧିତ କରାଯାଉଥିବା ଏକ ସଭାରେ ଉପସ୍ଥିତ ହୋଇପାରିଲେ ନାହିଁ ବୋଲି ଦୁଃଖପ୍ରକାଶ କରି ପତ୍ରାକାରରେ ଲେଖି ପଠାଇଥିବା ଏକ ଦୀର୍ଘ ପ୍ରବନ୍ଧକୁ ଓଡ଼ିଶାର ଜଣେ ବହୁଚଳମାନ୍ ବରିଷ୍ଠ ନେତା ଇଂରାଜୀରେ ଲେଖିଥିଲେ । ସଭାସ୍ଥଳରେ ସେଇଟିକୁ ପାଠ କରାଗଲା ଓ ଶିକ୍ଷିତ ଆଉମାନେ ତାହାକୁ ଧୈର୍ଯ୍ୟର ସହିତ ଶ୍ରବଣକରୁଥିଲେ । ଆମ କଲେଜମାନଙ୍କରେ ଆୟୋଜିତ ଉତ୍ସବସଭାମାନଙ୍କରେ ନିପଟ ଓଡ଼ିଆମାନଙ୍କର ଗହଣରେ ସତେଅବା କେଉଁ ଅନ୍ୟରୀତିରେ ଚହଲି ପଡ଼ୁଥିବା ଭଳି ଅଧ୍ୟକ୍ଷ ଓ ଛାତ୍ର ପ୍ରତିନିଧିମାନେ ଯେପରି ଅବର୍ଜିଆ ଅସନା ଇଂରାଜୀରେ ସ୍ଵାଗତ କିମ୍ବା ଧନ୍ୟବାଦ ଦିଅନ୍ତି ଏବଂ ଆପଣା ଜୀବନରେ ଏକ କେତେବଡ଼ ମୁହୂର୍ତ୍ତରେ ପଦେ ଇଂରାଜୀରେ କହି ପାରିଲେ ବା ପଢ଼ି ପାରିଲେ ବୋଲି ଉଲ୍ଲାସ ଅନୁଭବ କରନ୍ତି, ସେଗୁଡ଼ିକ ବେଳେବେଳେ ଏକ ଅତ୍ୟୁଲ୍ଲେଖଯୋଗ୍ୟ ଘଟଣା ପରି ସ୍ମରଣରେ ରହିଥାଏ । ସେଦିନ ତ ଏହିଭଳି ଗୋଟିଏ ଉତ୍ସବରେ ଜଣେ ଓଡ଼ିଆ ବରେଣ୍ୟ ଅତିଥି କେଡ଼େ ଉତ୍ସାହରେ ଓଡ଼ିଆ ପିଲାମାନଙ୍କୁ ଇଂରାଜୀରେ ଭାଷଣ ଦେଲାବେଳେ ସ୍କନ୍ଧକୁ ଫୁଲାଇ କହୁଥିଲେ ଯେ କଲେଜର ଉତ୍ସବସଭାମାନଙ୍କରେ ସର୍ବଦା ଇଂରାଜୀର ମାଧ୍ୟମରେ ହିଁ ସୁରାର ପରିବେଷଣ ହୋଇପାରିବା ଉଚିତ୍ ।

 

ସିଏ କହୁଥିଲେ, ଓଡ଼ିଶାର ପିଲାମାନେ ଯେଉଁଦିନ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଭାରତୀୟ ଅନ୍ୟ ପିଲାମାନଙ୍କ ଭିତରେ ଆପଣାର ବିଶେଷ ଉତ୍କର୍ଷ ପ୍ରଦର୍ଶନ କରି ପାରିବେ, ସେହି ଦିନ ଯାଇ ଓଡ଼ିଶା ଦେଶର ଦରବାରରେ ତା’ର ନ୍ୟାଯ୍ୟସ୍ଥାଜର ଯୋଗ୍ୟ ହୋଇପାରିବ । ତେଣୁ ଓଡ଼ିଶାରେ ଥାଉଁଥାଉଁ ସେମାନଙ୍କର ଭଲ ଇଂରାଜୀ ଅଭ୍ୟାସ ହୋଇ ପାରୁଥିବା ଉଚିତ ଓ ସେମାନେ ଅତ୍ୟନ୍ତ ସହଜରେ ଇଂରାଜୀରେ ହିଁ ଭାବି ପାରୁଥିବା ଉଚିତ୍ । ଭଦ୍ରଲୋକ ସେଦିନ ଯେପରି ଭଙ୍ଗୀରେ କଥା କହୁଥିଲେ, ସେଥିରୁ ସିଏ ଆପଣାର ନିର୍ବାଚିତ ପତିଟିକୁ ସତେଅବା ଲଣ୍ଡନରେ ଅଥବା ଦିଲ୍ଲୀରେ ଛାଡ଼ି ଆସିଥିବା ପରି ମନେ ହେଉଥିଲା । ଓଡ଼ିଶାର ହିତାଭିଳାଷୀ ଏହିଭଳି ଉଚ୍ଚାକାଂକ୍ଷୀ ମନୁଷ୍ୟ ପୁଙ୍ଗବ ବର୍ତ୍ତମାନ ଓଡ଼ିଶାରେ ଜଣେ ବା ଦଶଜଣ ନାହାନ୍ତି, କୁଲାରେ କୁଲାଏ ଅଛନ୍ତି । ସେମାନେ ଏହି ଦେଶକୁ ସ୍ଵାଧୀନତା ଆସିବା ପୂର୍ବରୁ ଯେଉଁ ପଟେ ଥିଲେ, ସ୍ଵାଧୀନତାର ଚାଳିଶି ବର୍ଷ ତଳେ ସେହି ପଟେ ରହିଛନ୍ତି । ସ୍ଵାଧୀନତା ପରେ ଶାସନରେ ଅଢ଼ା, ସଂସ୍କୃତିର ଅଢ଼ା, ସେହିମାନଙ୍କ ହାତରେ ରହିଛି । ସେମାନେ ଏପର୍ଯ୍ୟନ୍ତ ମଧ୍ୟ ଏହି ଭୂମିରେ ଅଧିକାଂଶ ମଣିଷଙ୍କୁ ସ୍ୱୀକାର କରିନାହାନ୍ତି । ଏହି ଭୂମିଟାକୁ ପ୍ରଧାନତଃ ଏକ ଭୋଗଭୂମି ବୋଲି ମାନି ନେଇଛନ୍ତି । ଇଂରାଜୀ ଭାରତବର୍ଷରେ ଆଉ ଏକ ବିଦେଶୀ ଭାଷା ହୋଇ ରହିନାହିଁ, ଏହା ଏକ ଭାରତୀୟ ଭାଷାରେ ପରିଣତ ହୋଇ ସାରିଲାଣି, ଆପଣାର ସଭାମାନଙ୍କରେ ସେମାନେ କ୍ରମେ ଏପରି ମଧ୍ୟ କହିଲେଣି-। ଆମ ମଥାନ ଉପରେ ଅଶୁଭସୂଚନା କାଉ ପରି ରାବ ଦେବାକୁ ଆରମ୍ଭ କଲେଣି । ଆମ ଗାଆଁରେ ପୁଅଝିଅ ମାନଙ୍କୁ କଲେଜ ପାଠ ପଢ଼ାଇବାର ଝୁମୁକା ଦେଖାଇ ସେମାନେ କେଡ଼େ ବାଗରେ ଠିକ୍‍ ସେହିମାନଙ୍କ ପରି ଚେରଛିଣ୍ଡା ଓ ଅଲକ୍ଷଣା କରିନେବାରେ ଲାଗିଛନ୍ତି । ଏହି ଦେଶରେ ସତେଅବା ସବୁଦିନ ପାଇଁ ଅଳପ ମଣିଷ ଗୋଟାଏ ଭୂଇଁଛଡ଼ା ଅଲକ୍ଷଣାପଣ ଜାହିର କରି ଅଧିକ ମଣିଷଙ୍କ ଉପରେ ଶାସନ କରିବେ ବୋଲି ଆଣ୍ଟ ବାନ୍ଧି ବିଚାର କରିଛନ୍ତି ।

 

ତେଣୁ, ଗୋଟାଏ ଭାଷାକୁ ସରକାରୀ ସ୍ତରରେ ସ୍ଵୀକୃତି ମିଳିଗଲେ ହିଁ ତାହା ଯଥାର୍ଥ ଇଜ୍ଜତର ସହିତ ସ୍ଵୀକୃତି ପାଇ ପାରିବା ଲାଗି ଆଦୌ ଯଥେଷ୍ଟ ନୁହେଁ । ଓଡ଼ିଶାରେ ବର୍ତ୍ତମାନ ଆମେ ସେହି ଆହ୍ଵାନର ସମ୍ମୁଖୀନ ହୋଇଛୁ । ଆମର ନିଜ ଭାଷା ଆମ ନିଜ ଘରେ ସ୍ଵୀକୃତି ପାଇବ କି ନାହିଁ, ଆମେ ଅଧିକ ମଣିଷ ନାନା ଭାବେ ଅବହେଳିତ ଏବଂ ଅପମାନିତ ହୋଇ ରହିଛୁ ଏବଂ ସରକାରୀ ଘୋଷଣା ହୋଇ ସାରିବାପରେ ମଧ୍ୟ ବାବୁମାନେ ତାହାକୁ କାର୍ଯ୍ୟକାରୀ କରାଇ ଦେଉନାହାନ୍ତି । ଆମ ସାହେବମାନଙ୍କୁ ଆମ ଘରଟା ମୋଟେ ଭଲ ଲାଗୁନାହିଁ । ସେଥିଲାଗି, ଓଡ଼ିଶାରେ ଶହେରୁ ସତୁରି ସରିକି ମଣିଷ ନିରକ୍ଷର ହୋଇ ରହିଥିବାର ଉପସ୍ଥିତ ଅବସ୍ଥାଟିକୁ ପ୍ରାୟ ଏକ ସୁଯୋଗ ଭଳି ମନେ କରି ସେମାନେ ଇଂରାଜୀ ଭାଷା ନାଆଁରେ ହିଁ ଏଠି ସବୁଯାକ ଜମିବାଡ଼ି ନିଜ ନାମରେ ଲେଖାଇ ନେବାକୁ ମନସ୍ଥ କରୁଛନ୍ତି ଏବଂ ନିଜ ଭିତରୁ, ନିଜର ସକଳ ସଂସ୍କାର ଭିତରୁ ଓଡ଼ିଆ ଭାଷାକୁ ଯଥାସମ୍ଭବ ବହିଷ୍କୃତ କରି ରଖିଛନ୍ତି । କେରଳ ଏବଂ ବଙ୍ଗଳା ପ୍ରଭୃତି ରାଜ୍ୟରେ ବି ଶିକ୍ଷିତମାନେ ରହିଛନ୍ତି । ମାତ୍ର, ସେମାନେ ଭୂଇଁର ଅସଲ ଭାଷା ବିରୁଦ୍ଧରେ କୌଣସି ଷଡ଼ଯନ୍ତ୍ର କରୁନାହାନ୍ତି । ନିଜ ଭିତରେ ନିଜ ଭାଷାରେ କଥା କହିବାକୁ ସେମାନଙ୍କୁ ମୋଟେ ଲାଜ ଲାଗୁନାହିଁ । କେରଳରେ ବା ବଙ୍ଗଳାରେ ଶିକ୍ଷିତମାନେ ନିଜ ଭାଷାକୁ ଶ୍ରଦ୍ଧା କରୁଛନ୍ତି ବୋଲି ଯେ ଇଂରାଜୀକୁ କୌଣସି ଅନାଦାର ଦେଖାଉଛନ୍ତି, ସେକଥା ଆଦୌ ନୁହେଁ । ତେବେ, ଯାହା କେରଳ କିମ୍ବା ବଙ୍ଗଳାରେ ହେଉଛି, ସେକଥା ଓଡ଼ିଶାରେ ହୋଇ ପାରୁନାହିଁ କାହିଁକି ? ଓଡ଼ିଆ ଭାଷାକୁ ସତକୁ ସତ ନିଜର ଭାଷା ବୋଲି ଅନୁଭବ କରୁଥିବା ପ୍ରତ୍ୟେକ ବ୍ୟକ୍ତିର ଏହି କଥାଟିକୁ ଭାବିବା ଉଚିତ୍ । ତା’ଘରେ ସାଅନ୍ତ ହୋଇ ବସିଥିବା ବିଦେଶୀ ଓ ଉଦାସୀମାନଙ୍କର ଧାତୁଟାକୁ ପରୀକ୍ଷାକରି ଦେଖିବାକୁ ତା’ ପାଖରେ ଯଥେଷ୍ଟ ସାହସ ରହିଥିବା ଉଚିତ୍ । (୧୩ । ୪ । ୮୮)

 

(୩୭)

 

ଆପଣାର ଧର୍ମକୁ ଛାଡ଼ି ଯେଉଁମାନେ ଏକ ନୂତନ ଧର୍ମ ଗ୍ରହଣ କରିଥାନ୍ତି, ସେମାନେ ସଚରାଚର ଅପେକ୍ଷାକୃତ ଅଧିକ ଉଗ୍ର ହୁଅନ୍ତି, ବିଚାରର କ୍ଷେତ୍ରରେ ସାଧାରଣତଃ ଅଧିକ ଦୟନୀୟ ଭାବରେ ପ୍ରତିକ୍ରିୟାଶୀଳ ବି ହୁଅନ୍ତି । ଯେଉଁମାନେ ତଥାପି ସେହି ପୁରୁଣା ଧର୍ମଟାରେ ରହିଗଲେ, ସେମାନଙ୍କ ପ୍ରତି ଏମାନେ ବିଶେଷ ଭାବରେ କୋପାନ୍ଵିତ ହୁଅନ୍ତି । ଯେଉଁମାନେ ଗରଜରେ ପଡ଼ି ଅର୍ଥାତ୍ ଭିତରେ ଅନେକ ଜ୍ୱାଳା ଏବଂ ଦହନକୁ ବହନ କରି ସେଗୁଡ଼ିକର ଉପଶମ ଲାଗି ଭଗବାନଙ୍କ ଫାଖକୁ ଯାଇଥାନ୍ତି, ମୂଳତଃ ଏକ ଅନ୍ତର୍ଗତ ଶ୍ରଦ୍ଧାରେ, ଭଗବାନଙ୍କୁ ମୋଟେ କିଛି ନମାଗି ଓ ଭଗବାନଙ୍କର କାର୍ଯ୍ୟ ଲାଗି ହିଁ ଆପଣାକୁ ଅଧିକରୁ ଅଧିକ ଯୋଗ୍ୟ କରିବା ଲାଗି ଏକ ନିଷ୍ପତ୍ତି ନେଇ ତାଙ୍କ ପାଖକୁ ଯାଉଥିବା ଓ ତାଙ୍କୁ ଲୋଡ଼ୁଥିବା ଅନ୍ୟମାନଙ୍କ ଅପେକ୍ଷା ସେମାନେ ସଚରାଚର ଯେପରି ଅଧିକ ଉଗ୍ର ଓ ଉତ୍କଟ ହୁଅନ୍ତି, ଇଏ ପ୍ରାୟ ସେହିପରି ଗୋଟିଏ କଥା । ବାଧ୍ୟ ହେଉଥିବା ମଣିଷ ସର୍ବଦା ଅଧିକ ଉଗ୍ର ହୁଏ । ସତକୁ ସତ କୌଣସି ମୟୂର ନିଜର ମୟୂରତ୍ଵ ବିଷୟରେ କେବେ କୌଣସି ଉଗ୍ରଭାବ ପୋଷଣ କରେ ନାହିଁ, ନିଜର ମୟୂରତ୍ଵର ପ୍ରତିପାଦନ କରିବାକୁ ସିଏ ଅହେତୁର ଅରଣ୍ୟରୁ ଆଦୌ କୌଣସି ହେତୁ ଖୋଜିବାକୁ ଯାଏ ନାହିଁ । ମାତ୍ର ଆପଣାର ଅଷ୍ଟାଙ୍ଗଯାକ ମୟୂରର ପୁଚ୍ଛକୁ ଖଞ୍ଜି ଆପଣାକୁ ମୟୂର ବୋଲି ଅତ୍ୟନ୍ତ ହନ୍ତସନ୍ତ ଭାବରେ ପ୍ରମାଣ କରିବାକୁ ତତ୍ପର ହୋଇ ରହିଥିବା କାକ କେଡ଼େ ଫୁଲେଇ ନ ହୁଏ, କେଡ଼େ ଉଗ୍ର ନ ହୁଏ । ଖଞ୍ଜା ହୋଇଥିବା ସକଳ ମୟୂରପୁଚ୍ଛ ସତ୍ୱେ କାକ ତଥାପି ନିଜକୁ ନିତାନ୍ତ କାଳଟିଏ ବୋଲି ଅତ୍ୟନ୍ତ ସଚେତନ ଭାବରେ ଭାବି ନିଜ ଭିତରେ ଏକ ମର୍ମ୍ମନ୍ତୁଦ ହୀନମନ୍ୟତା ବା ଅସମର୍ଥତାର ଶିକାର ହୋଇ ରହିଥାଏ କି କ’ଣ କେଜାଣି, ବାହାରକୁ ଉଗ୍ର ଓ ଉତ୍କଟ ନ ହେଲେ ସିଏ ଯେପରି ନିଜ ଅଭାବଟାର କୌଣସି କ୍ଷତି ପୂରଣ କରି ପାରେ ନାହିଁ ।

 

ଆମ ଓଡ଼ିଶା ସମେତ ଏକ ଭାରତବର୍ଷରେ ଇଂରେଜୀ ପଢ଼ୁଆ ମାନଙ୍କର ଅନ୍ତମୁଣି ଭିତରେ ସେହିପରି କୋଉଠି କ’ଣ ଅସମର୍ଥତା ବା ଅସହାୟତାବୋଧ ରହିଯାଇଛି କେଜାଣି, ତାହା ହିଁ ସେମାନଙ୍କୁ ଏଠି ଭାରି ଉଗ୍ର ଉତ୍କଟ କରି ରଖିଛି । ନୂଆ ନୂଆ ଇଂରାଜୀ ଭାଷା ଓ ଇଂରାଜୀ ଚଳଣିଗୁଡ଼ାକ ଶାସକତ୍ଵର ହାତୀ ଉପରେ ବସି କଲିକତା ଉପରକୁ ମାଡ଼ି ଆସୁଥିବା ସମୟରେ ତତ୍କାଳୀନ ଶ୍ରୀ ଡିରୋଜିଓଙ୍କ ନେତୃତ୍ଵରେ ନୂଆ ଇଂରାଜୀପାଠର ଭୁଆ ବିଲେଇଟାକୁ ବେକରେ ମାଳ ପରି ପକାଇଥିବା ବଙ୍ଗାଳୀମାନେ ଅତ୍ୟୁଗ୍ର ହେବାର ଯେଉଁ ପ୍ରଶ୍ରୟ ପାଇଥିଲେ, ସତେ ଅବା ଏକ Original Sin ବା ଆଦି ପାପସଚେତନତା ପରି ତାହା ଆମ ଇଂରାଜୀପଢ଼ୁଆ ମାନଙ୍କୁ ଏବେ ମଧ୍ୟ ଭାରି ଉଗ୍ର, ଭାରି ଅସହଜ କରି ରଖିଛି । ଭିତରେ କେଉଁଠି କ’ଣ ଅସଲ ଚେର ଛିଡ଼ି ଯାଇଥିବା ପରି ଓ ସେହି ଚେରଟିକୁ ଆଉ କଦାପି ଯୋଡ଼ି ହେବ ନାହିଁ ବୋଲି ଏକ ଅସହାୟତାବୋଧ ସେମାନଙ୍କୁ ଭାରି ଅସଜ ଭାବରେ ତଣ୍ଟିକୁ କାମୁଡ଼ି ଧରିଥିଲା ପରି ସେମାନେ କେବଳ ଉପରୁ ଥାଇ ଆମର ଏହି ଭୂମିଟିକୁ ଦେଖୁଛନ୍ତି । ବାହାରେ ଥାଇ ଭୂମିଟିକୁ ଦେଖୁଛନ୍ତି ଓ ଭିତରକୁ ଆସିବା ଲାଗି ମୋଟେ ସାହସ କରି ପାରୁ ନାହାନ୍ତି । ଏହି ଦେଶରେ ସେମାନେ ସବୁକିଛି ମାଡ଼ି ବସିଛନ୍ତି, ତଥାପି ସତେ ଯେପରି ଆଉ କାହାର ଘରଜୁଆଁଇ ହୋଇ ରହିଛନ୍ତି । ତେଣୁ ମିଛ ଉର୍ବରଗୁଡ଼ାକ ଆଣି ଆମର ଏହି ପୋଖତ ଭୂଇଁଟାକୁ ତଥାପି ପଙ୍ଗୁ କରି ରଖିବାର ଫିସାଦ କରିବାରେ ଲାଗିଛନ୍ତି । ସେମାନେ କୁଢ଼ କୁଢ଼ କାଗଜ ଭିତରୁ ଦେଶର ଜୀବନକୁ ଦେଖିବାର ବାମମାର୍ଗ ଗ୍ରହଣ କରିଛନ୍ତି । ସେହି କାଗଜ ଉପରେ ଆମ ମାଟିର ଅସଲ ଭାଷାଟି କଦାପି ଲେଖାଯାଇ ପାରିବ ନାହିଁ ବୋଲି ଏକ ଅନ୍ଧବିଶ୍ଵାସ ଭିତରେ ନିଜକୁ କିଳି ରଖିଛନ୍ତି ।

 

କଥିତ ଅଛି, ଭାରତବର୍ଷର କେତେ ରାଜା ବୌଦ୍ଧଧର୍ମକୁ ରାଜଧର୍ମର ସ୍ଵୀକାର ଦେଇ ସାରିବା ପରେ ଯେଉଁମାନେ ହିନ୍ଦୁଧର୍ମରୁ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ, ସେହିମାନେ ହିଁ ଅସଲ ବୌଦ୍ଧମାନଙ୍କର ତୁଳନାରେ ଅପେକ୍ଷାକୃତ ଅଧିକ ଉଗ୍ର ଆଚରଣ କରିଥିଲେ; ଏବଂ ଏକଥା ମଧ୍ୟ କଥିତ ଅଛି ଯେ, ଏହି ନବଦୀକ୍ଷିତ ବା ରବଦୀକ୍ଷିତମାନେ ହିଁ ବୌଦ୍ଧଧର୍ମକୁ ପୁନର୍ବାର ହିନ୍ଦୁଧର୍ମର ଖୁଆଡ଼ ଭିତରେ ଆଣି ପୂରାଇବାରେ ସବୁଠାରୁ ଅଧିକ ଉତ୍ସାହପ୍ରେରିତ ନିମିତ୍ତ ରୂପେ କାର୍ଯ୍ୟ କରିଥିଲେ । ଆପଣାର ନୂତନ ଧର୍ମଟିଏ ଗ୍ରହଣ କରିବା ପଛରେ ସେମାନଙ୍କ ଭିତରେ ହୁଏତ କେଉଁଠି ଫମ୍ପା ସ୍ଥାନଟିଏ ରହି ଯାଇଥିଲା, ଯାହାକି ସେମାନଙ୍କୁ ଅନାନୁପାତିକ ଭାବରେ ଅତ୍ୟୁଗ୍ର ଓ ଅଧିକ ପ୍ରତିକ୍ରିୟାଶୀଳ ହେବା ଲାଗି ପ୍ରୋତ୍ସାହନ ଦେଉଥିଲା । ଇଉରୋପର ଇତିହାସ କହୁଛି, ସେଠି ପ୍ରାୟ କେହି ହେଲେ ଖୁସୀ ହୋଇ ଅର୍ଥାତ୍‍ ସ୍ୱତଃପ୍ରବୃତ୍ତ ହୋଇ ଖ୍ରୀଷ୍ଟିଆନ୍‍ ଧର୍ମ ଗ୍ରହଣ କରିନଥିଲେ । ଏକାଧିକ ପରିସ୍ଥିତି ଏବଂ ପ୍ରୟୋଜନର କାରଣରୁ ଖ୍ରୀଷ୍ଟିଆନ୍‍ ଧର୍ମପ୍ରଚାରକମାନେ କୌଣସି ରାଜ୍ୟକୁ ଯାଇ ସବାଆଗ ସେହି ରାଜ୍ୟର ଶାସକଙ୍କୁ ନୂଆ ଧର୍ମଟିରେ ଦୀକ୍ଷିତ କରାଇ ଦେଉଥିଲେ ଏବଂ ସ୍ଵୟଂ ରାଜା ଲଣ୍ଡା ହୋଇ ନୂଆ ପଇତା ପକାଇବା ପରେ ତତ୍କାଳୀକ ବିଧି ଅନୁସାରେ ରାଜ୍ୟରେ ସବୁଯାକ ପ୍ରଜା ନୂଆ ଖାତାରେ ସାମିଲ୍ ହୋଇ ଯାଉଥିଲେ । ଏହି ବିଧିରେ ସାରା ଇଉରୋପର ପାଗାନ୍‍ମାନେ ଖ୍ରୀଷ୍ଟିଆନ୍ ହୋଇଥିଲେ, ଇଂଲଣ୍ଡରେ ପଲଟାଯାକ ଗୋଟାଏ ଗାରରେ ଆଙ୍ଗି କାନ୍‍ ହୋଇଗଲେ । ମାର୍ଟିନ୍‍ ଲୁଥର୍‍ଙ୍କର ନୂତନ ଉତ୍ସାହଟି ମଧ୍ୟ ସେହି ରୀତିଟି ଦ୍ଵାରା କାଥୋଲିକ୍‍ମାନଙ୍କୁ ପୋଟେଷ୍ଟାଣ୍ଟରେ ପରିଣତ କରି ଦେଇଥିଲା ଏବଂ ମୂଳତଃ, ଏହିପରି ବାଧ୍ୟ ହୋଇ ଧର୍ମାନ୍ତର ଗ୍ରହଣ କରିଥିବାରୁ ଅର୍ଥାତ୍ ଧର୍ମ ହରାଇ ଥିବାରୁ ଖ୍ରୀଷ୍ଟିଆନ୍‍ମାନେ ପରବର୍ତ୍ତୀ କାଳରେ ପୃଥିବୀ ଗୋଟାକୁ ଖ୍ରୀଷ୍ଟିଆନ୍‍ କରିନେବା ଲାଗି ଏତେ ଅଧିକ ଉତ୍ସାହ ଓ ଉଗ୍ରତା ପ୍ରଦର୍ଶନ କଲେ କି ? ଖ୍ରୀଷ୍ଟିଆନ୍ ଧର୍ମରେ ଥିବା ଉତ୍କଟ ମିଶନାରୀ ଭାବନାର ଅସଲ ଉତ୍ସ ଖୋଜିବାକୁ ଯାଇ ହୁଏତ ଏହିପରି ଏକ ମାର୍ଗରେ ଗବେଷଣା କରାଯାଇ ପାରେ ।

 

ପ୍ରାୟ ଆବହମାନ କାଳରୁ ଖ୍ରୀଷ୍ଟିଆନ୍‍ମାନେ ଇହୁଦୀମାନଙ୍କୁ ଯୀଶୁହନ୍ତା ବୋଲି କହି ଘୃଣା କରି ଆସିଛନ୍ତି । ଉଭୟ ଧର୍ମବଳ ଓ ରାଷ୍ଟ୍ରବଳକୁ ଲଗାଇ ଇହୁଦୀମାନଙ୍କୁ ଉତ୍ପୀଡ଼ିତ କରାଯାଇ ଆସିଛି । ଧର୍ମଗୁରୁ ଲୁଥର୍ ମଧ୍ୟ ତାଙ୍କ ସମୟରେ ଏହି ପ୍ରକଳ୍ପଟିରେ ସତେ ଅବା ଜଣେ ଚିଫ୍ ଇଞ୍ଜିନିଅର୍ ପରି କାର୍ଯ୍ୟ କରିଛନ୍ତି । ସେହି ପାରମ୍ପରିକ ଉତ୍ପୀଡ଼ନକୁ ଏଡ଼ିବା ପାଇଁ ବିଭିନ୍ନ ସମୟରେ ବହୁ ଇହୁଦୀ ଯେ ବାଧ୍ୟ ହୋଇ ଖ୍ରୀଷ୍ଟିଆନ୍‍ ହୋଇଯିବାକୁ ଅତ୍ୟନ୍ତ ନିରାପଦ ବୋଲି ବିବେଚନା କରିଥିବେ, ଏଥିରେ ବିସ୍ମୟ ପ୍ରକାଶ କରିବାର କୌଣସି କାରଣ ନାହିଁ । ଇତିହାସ କହୁଛି, ଏହି ନବଦୀକ୍ଷିତ ଇହୁଦୀମାନେ ହିଁ ଇଉରୋପରେ ପ୍ରାୟ ସବୁଠାରେ ଇହୁଦୀ-ମାରଣ ଓ ଇହୁଦୀଧର୍ଷଣର ଯାବତୀୟ କାର୍ଯ୍ୟକ୍ରମରେ ବିଶେଷ ଉଗ୍ର ଭାବରେ ନେତୃତ୍ଵ ଗ୍ରହଣ କରିଥିଲେ । ସେମାନେ ଖ୍ରୀଷ୍ଟିଆନ୍‍ ଖୁଆଡ଼ ଭିତରକୁ ଚାଲି ଆସିବା ପରେ ଆଉ ଯେଉଁମାନେ ତଥାପି ଇହୁଦୀ ହୋଇ ରହିଥିଲେ, ସେମାନଙ୍କ ପ୍ରତି ଏମାନେ ଅତ୍ୟନ୍ତ ଅସହିଷ୍ଣୁ ଓ ଉଗ୍ର ହୋଇ ପଡ଼ୁଥିଲେ । ନିଜେ ମାରା ହୋଇ ଯିବାପରେ ମାରା ହୋଇଥିବା ଲୋକମାନେ ମାରା ହୋଇନଥିବା ଅନ୍ୟମାନଙ୍କୁ ଆଦୌ ସହି ପାରନ୍ତି ନାହିଁ । ବାହାର ଧର୍ମାନ୍ତର-ଗ୍ରହଣର ସକଳ ଚକଚକ ସତ୍ୱେ ସେମାନଙ୍କ ଭିତରେ କୋଉଠି କ’ଣ ତଥାପି ଖଣ୍ଡିଆ ହୋଇ ରହି ଯାଇଥାଏ କେଜାଣି, ତାହା ସେମାନଙ୍କ ଭିତରେ ସେମାନଙ୍କୁ ଭାରି ଦୟନୀୟ ଏବଂ ହାସ୍ୟାସ୍ପଦ ଭାବରେ ଉଗ୍ର କରିପକାଏ । ନିଜ ଭିତରେ ସେମାନେ ସତେଅବା ଦୁଇ ଭାଗ ହୋଇ ପଡ଼ନ୍ତି ଓ ଗୋଟାଏ ଭାଗ ହାତରେ ପାଞ୍ଚଣ ଧରି ଆର ଭାଗଟା ପଛରେ ଗୋଡ଼ାଇବାରେ ଲାଗିଥାଏ ଏବଂ ପ୍ରକ୍ଷେପଣର ଏକ ସିଧା ପ୍ରକ୍ରିୟାରେ ସେମାନେ ଅନ୍ୟମାନଙ୍କ ଉପରେ ଉଗ୍ର ନ ହୋଇ ମୋଟେ ରହି ପାରନ୍ତି ନାହିଁ ।

 

ଇଂରେଜମାନଙ୍କର ଶାସନ କାଳରେ ଭାରତବର୍ଷରେ ଆଙ୍ଗ୍ଳୋଇଣ୍ଡିଆନ୍‍ମାନେ ଇଂଲିଶ୍ ନଥିଲେ କିମ୍ବା ଇଣ୍ଡିଆନ୍‍ ମଧ୍ୟ ନଥିଲେ । ତଥାପି ବହୁ ଅବସରରେ ସେମାନେ ନିଜକୁ ଇଂଲିଶ୍‍ମାନଙ୍କ ଅପେକ୍ଷା ସତେ ଅବା ଅଧିକ ଇଂଲିଶ୍‍ ବୋଲି ଦେଖାଇ ହେଉଥିଲେ ଏବଂ ତଦନୁରୂପ ଆଚରଣମାନ କରୁଥିଲେ । ନିଜକୁ ଇଣ୍ଡିଆନ୍‍ ବୋଲି କହିବା ଲାଗି ସେମାନେ ଯେଡ଼େ ଅମଙ୍ଗ ହୋଇ ରହିଥିଲେ ମଧ୍ୟ ତଥାପି ନିଜକୁ ଇଣ୍ଡିଆନ୍‍ ନୁହନ୍ତି ବୋଲି କହିବାକୁ ସେମାନଙ୍କ ପାଖରେ କୌଣସି ଗତ୍ୟନ୍ତର ନଥିଲା ଏବଂ ତାହା ହିଁ ସେମାନଙ୍କୁ ଭାରି ଅହେତୁକ ଭାବରେ ଉଗ୍ର ହୋଇ କରି ରଖିଥିଲା । ସେମାନେ ଏହି ଭାରତବର୍ଷର ବୃକ୍ଷରୁ କୁଆଁ ନେଇ ଜନ୍ମ ହୋଇଥିଲେ ମଧ୍ୟ ତଥାପି ଯେ ସେମାନଙ୍କୁ ଭାରତୀୟ ବୋଲି କଦାପି କୁହାଯାଇ ପାରିବ ନାହିଁ, ସେହି କଥାଟିକୁ ପ୍ରତିପାଦିତ କରିବା ଲାଗି ସେମାନେ ପ୍ରାୟ ଝାଳନାଳ ହୋଇ ପଡ଼ୁଥିଲେ ଏବଂ ପୋଷାକରେ, ଚଳଣିରେ, ଭାଷାରେ ଏବଂ ସଂସ୍କୃତିରେ ନିଜକୁ ଭାରି ଅଲଗା କରି ରଖିବାକୁ ଚେଷ୍ଟା କରୁଥିଲେ । ଭାରତୀୟ ଯେକୌଣସି କଥାକୁ କେତେ ନାକ ଟେକୁଥିଲେ । ଏହି ଦେଶରେ ଥାଇ ମଧ୍ୟ କେଡ଼େ ବିଦେଶୀ ହୋଇ ରହିଥିଲେ ଏବଂ ବହୁ ଉଗ୍ରମନ୍ୟତା ଦ୍ଵାରା ଆପଣାର ଏକାଧିକ ହୀନତାବୋଧ ଏବଂ ଅଭାବକୁ ଲୁଚାଇ ରଖିବାକୁ ନାନା ସଚେତନ କସରତ୍‍ କରିବାରେ ଲାଗିଥିଲେ ।

 

ଆମ ଦେଶରେ ଯେଉଁମାନେ ନିଜର ଭାଷାଟାକୁ ନିମ୍ନତର ମନେକରି ଇଂରାଜୀଭାଷାକୁ ଆବୋରି ବସିବାକୁ ମନ କରୁଛନ୍ତି, ସେମାନଙ୍କୁ ଅତ୍ୟନ୍ତ ଯୌକ୍ତିକତା ସହିତ ସମ୍ଭବତଃ ସେହିପରି କୌଣସି ହନ୍ତସନ୍ତ କିସମର ଗୋଷ୍ଠୀ ସହିତ ଏକାଠି ଠାବ କରି ସେମାନଙ୍କର ବିଚାର କରାଯାଇ ପାରିବ । ସେମାନେ ଏଠି ଏହି ଦେଶରେ ଅଛନ୍ତି, ତଥାପି ଏହି ଦେଶରେ ନାହାନ୍ତି, ସେମାନେ କେବଳ ଏହି ଦେଶର ଭାଷା ଜାଣିଥିବା ଗୋବର ଗୁଡ଼ାକର ଆଦୌ ସମତୁଲ ନୁହନ୍ତି ବୋଲି କେତେ ପ୍ରକାରେ ଦେଖାଇ ଦେବାକୁ ଛଟପଟ ହେଉଛନ୍ତି । ଆପଣାକୁ ଏକାବେଳେକେ ଅନ୍ୟ ଗାଈର ଗୋବର ବୋଲି କହିବାକୁ ଚେଷ୍ଟା କରୁଛନ୍ତି । ଦେଶର ଅତ୍ୟନ୍ତ ଦୁର୍ଭାଗ୍ୟ ଯେ, ତାହାର ଭଣ୍ଡାରଗୁଡ଼ାକ ଅନେକତଃ ସେହିମାନଙ୍କ ହାତରେ ରହିଛି । ଏଠି ବହୁ ମୟୂରଙ୍କ ମେଳରେ ସେମାନେ ରାଜକାକ ପରି ଶୋଭା ପାଉଛନ୍ତି ଏବଂ ସମସ୍ତଙ୍କୁ ଭୂଇଁ ଛାଡ଼ି, ଖିଅ ଛିଣ୍ଡାଇ ଗୋଟାଏ ଡିଆଁକେ କାକ ହେବା ସକାଶେ ଫୁସୁଲାଇବାରେ ଲାଗିଛନ୍ତି । ଆମର କଲେଜ ଓ ଇସ୍କୁଲଗୁଡ଼ାକ ପ୍ରଧାନତଃ ସେହି ଫିସାଦରେ ଚାଲିଛି । ସେଗୁଡ଼ାକ ସହରରୁ ଗାଆଁ ଭିତରକୁ ମାଡ଼ି ମାଡ଼ି ଯିବାର ଲାଗିଛି । ଦିନେ ଭାରତବର୍ଷରେ ସଂସ୍କୃତ ଭାଷା ଠିକ୍ ଏହିପରି ଭାବରେ ଆମକୁ ଭୂଇଁଛଡ଼ା ଓ ସଭାମୁହାଁ କରାଇ ରଖିବାର ଫିସାଦ କରିଥିଲା । ଏବେ ସେହି ଫିସାଦ ଇଂରାଜୀ ଭାଷାକୁ ଆଳ କରି କରାହେଉଛି । ଏକ ସ୍ଵାଧୀନ ଦେଶରେ ଏହା ହିଁ ଆମ ଲାଗି ଏକ ପ୍ରବଳ ଫାଶ ହୋଇ ରହିଛି-। ଆମ ଅନେକଙ୍କୁ ଆମର ବହୁ ଐଶ୍ୱର୍ଯ୍ୟର ଅଧିକାରିତ୍ଵରୁ ବଞ୍ଚିତ କରିରଖିଛି । ଶହେରେ ମାତ୍ର ଦୁଇ ଜଣ ମଣିଷ ଆଉ ଅଠାନବେଙ୍କୁ ନାକରେ ତୁଣ୍ଡି ବାନ୍ଧି ଶାସନ କରିବାରେ ଲାଗିଛନ୍ତି; ଆମକୁ ଅକଲ ଶିଖାଇବାକୁ ସତେ ଯେପରି ଆଉ କୁଆଡ଼ୁ ମନ୍ତ୍ରଣା କରି ଆସିଛନ୍ତି । ଏକଦା ସାହିତ୍ୟ ଭିତରର ସାହସୀମାନେ ଆମ ଭାଷାଗୁଡ଼ିକୁ ସଂସ୍କୃତର କବଳରୁ ରକ୍ଷା କରିଥିଲେ । ସେଥିଲାଗି ସେମାନେ କେତେ ଗଞ୍ଜଣା ସହିଲେ , କେତେ ଝିଙ୍ଗାସକୁ ବରଣ କରି ନେଇଥିଲେ । ତେବେଯାଇ ମାନ ରଖିଲେ । ବର୍ତ୍ତମାନ ସମ୍ଭବତଃ ସେହିପରି ଏକ ସାହସୀ ଗୋଷ୍ଠୀର ଆବଶ୍ୟକତା ରହିଛି । ଏପରି ଏକ ସାହସୀ ଗୋଷ୍ଠୀ, ଯେଉଁମାନେ କି ଚେର କାଟି ଉଚ୍ଛନ୍ନ ହେବାକୁ ସିଧା ମନା କରିଦେବେ, ହାସ୍ୟାସ୍ପଦକୁ ହାସ୍ୟାସ୍ପଦ ବୋଲି କହିବେ ଏବଂ ଘରଛଡ଼ାମାନଙ୍କୁ ଘରକୁ ଡାକିଆଣି ପାରିବେ ।

 

(୩୮)

 

ସବୁ ମଣିଷଙ୍କର ଗୋଟିଏ ନିଜର ଭାଷା ଅବଶ୍ୟ ରହିଥାଏ । କୌଣସି ପାଠାଶାଳାକୁ ଯାଇ ଔପଚାରିକ ଭାବରେ ଶିକ୍ଷାରମ୍ଭ କରିବା ପୂର୍ବରୁ ଆମେ ଯେଉଁ ଭାଷାଟିକୁ ଶିକ୍ଷା କରିଥାଉ, ସେଇଟି ହେଉଛି ଆମ ନିଜର ଭାଷା । ସେହି ଭାଷାଟିର ଯେ ଆମ ଜୀବନରେ ଏକ ବିଶେଷ ମହତ୍ଵ ରହିଛି, ତାହା ସୂଚାଇ ଦେବା ଲାଗ ସଚରାଚର ତାହାକୁ ମାତୃଭାଷା ବୋଲି କୁହାଯାଇ ଆସିଛି । ମାତୃଭାଷାକୁ ମାଧ୍ୟମ କରିହିଁ ମଣିଷ ଅନ୍ୟ ଯାବତୀୟ ଭାଷାକୁ ଶିକ୍ଷାକରେ । ମାତୃଭାଷା ହେଉଛି ଏକ ସୁସ୍ଥ ଶିକ୍ଷତାକ୍ରମରେ ସର୍ବପ୍ରଥମ ଭାଷା, ତାହାରି ମାଧ୍ୟମରେ ଆମେ ଆମର ଦ୍ଵିତୀୟ, ତୃତୀୟ ବା ଚତୁର୍ଥ ଭାଷାଗୁଡ଼ିକୁ ଶିକ୍ଷା କରିଥାଉ । ନିଜ ଘରଟିର ମାଧ୍ୟମରେ ଆମେ ଯେପରି ପୃଥିବୀର ଆଉ କେତେ କେତେ ଘରକୁ ଚିହ୍ନୁ, ନିଜ ସଂସ୍କୃତିର ମାଧ୍ୟମରେ ଯେପରି ପୃଥିବୀର ଆଉ ଆଉ ସଂସ୍କୃତିମାନଙ୍କୁ ଚିହ୍ନୁ, ଏହା ହେଉଛି ଠିକ୍ ସେହିପରି ଗୋଟିଏ କଥା, ଠିକ୍‍ ସେହିପରି ଗୋଟିଏ ପ୍ରକ୍ରିୟା ତାହାହିଁ ସୁସ୍ଥ ପ୍ରକ୍ରିୟା । ଯେଉଁଠି, ନାନାବିଧ ଅଶିକ୍ଷିତ ଅଥବା ଭାବ-ପ୍ରବଣ କାରଣରୁ ପିଲାମାନଙ୍କୁ ସ୍କୁଲ୍‍ରେ ଆଗ ସେମାନଙ୍କର ନିଜ ଭାଷାଟିକୁ ଔପଚାରିକ ଭାବରେ ଶିଖାଇବା ପୂର୍ବରୁ ଆଉ କୌଣସି ବିଦେଶୀ ଭାଷାକୁ ଶିଖାଇବାର ପ୍ରୟାସ କରାଯାଏ, ପିଲାମାନଙ୍କ ପାଇଁ ତଥା ସେମାନେ ଯେଉଁ ସମାଜରେ ମଣିଷ ହେବ, ସେହି ସମାଜଟି ପାଇଁ ବହୁ ଅସୁସ୍ଥତାର କାରଣ ହୁଏ ।

 

ଇଂରାଜୀ ଏକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭାଷା । ପୃଥିବୀରେ ଯେତୋଟି ଭାଷାକୁ ଯେକୌଣସି ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡରେ ପକାଇ ଆମେ ବିଶ୍ଵଭାଷା ବୋଲି କହିପାରିବା, ସେଥିରେ ଇଂରାଜୀ ଭାଷାର ସ୍ଥାନ ସବା ପ୍ରଥମରେ ରହିବ ହିଁ ରହିବ । ଏହା ବିଶ୍ଵଭାଷା, ବିଶ୍ଵରେ ଏକ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଭାଷା, ଅର୍ଥାତ୍ ପୃଥିବୀରେ ବାସ କରୁଥିବା ଆମ ସମସ୍ତଙ୍କ ପାଇଁ ଏକ ଅବଶ୍ୟ–ଶିକ୍ଷଣୀୟ ଭାଷା । ତଥାପି ତାହା ସମସ୍ତଙ୍କର ମାତୃଭାଷା କଦାପି ନୁହେଁ । ତେଣୁ ତାହାକୁ କଦାପି ମାତୃଭାଷାର ବିକଳ୍ପ ରୂପେ ଅଥବା ମାତୃଭାଷା ଠାରୁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ । ମାତୃଭାଷା ହିଁ ସଚରାଚର ଆମକୁ ଆମ ଭୂମିଟିକୁ ଯୋଗାଇ ଦେବ ଏବଂ ସେହି ଭୂମି ଉପରେ ଛିଡ଼ା ହୋଇ ହିଁ ଆମେ ବୃହତ୍ତର ପୃଥିବୀ ମଧ୍ୟକୁ ନିଜକୁ ସମ୍ପ୍ରସାରିତ କରିପାରିବା । ମାତୃଭାଷା ଆମ ବୋଧବୃକ୍ଷର ଅସଲ ଚେର ହୋଇ ରହିବ ଏବଂ ସେହି ଚେରକୁ ଅବଲମ୍ବନ କରି ଛିଡ଼ା ହୋଇ ପାରିଲେ ଯାଇ ଆମେ ବୃହତ୍ତର ବିଶ୍ଵ ଭିତରକୁ ଆପଣାର ଶାଖା ପ୍ରଶାଖା ବିସ୍ତାର କରିବାକୁ ସମର୍ଥ ହେବା । ଯାବତୀୟ ଶିକ୍ଷଣ ପଛରେ ଯେଉଁ ମନୋବୈଜ୍ଞାନିକ ଅନୁମୋଦନ ଗୁଡ଼ିକ ରହିଛି, ତାହା ଆମକୁ ସଚରାଚର ତାହାରି ପ୍ରମାଣ ଦେଇ ଯାଇଛି । ଏପରି ନହେଲେ, ଆମ ପିଲାମାନଙ୍କର ଶିକ୍ଷାକ୍ରମରେ ପ୍ରମାଦ ଘଟିବହିଁ ଘଟିବ । ଭାରତବର୍ଷରେ ଯେପରି ଘଟୁଛି, ତାହାହିଁ ଘଟିବ । କେବଳ ଭାଷାଶିକ୍ଷାର ସୀମିତ କ୍ଷେତ୍ରରେ ନୁହେଁ, ଆମ ଦୃଷ୍ଟିକୋଣଗତ ବହୁ କ୍ଷେତ୍ରକୁ ସେହି ପ୍ରମାଦ ଏକ କ୍ଷୟକାରୀ ଅସୁସ୍ଥତା ରୂପେ ଅବଶ୍ୟ ସଂକ୍ରମିତ ହୋଇଯିବ ।

 

ଇଂରାଜୀ ଭାଷା ଯେ ପୃଥିବୀର ଏକ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଭାଷ ରୂପେ ପ୍ରତିଷ୍ଠା ହାସଲ କରି ଆସିଛି, ପୃଥିବୀରେ ପ୍ରତ୍ୟେକ ଦେଶ ଅତ୍ୟନ୍ତ ସ୍ପଷ୍ଟ ଭାବରେ ତାହା ହୃଦୟଙ୍ଗମ କରିଛନ୍ତି ଏବଂ ବିଭିନ୍ନ ଦେଶରେ ଭାଷାଶିକ୍ଷାର କାର୍ଯ୍ୟକ୍ରମରେ ତାହା କ୍ରମେ ଅନୁରୂପ ସ୍ଵୀକୃତି ମଧ୍ୟ ଲାଭ କରୁଛି । ମାତ୍ର, ଯେଉଁସବୁ ଦେଶରେ ଇଂରାଜୀ ହିଁ ଲୋକମାନଙ୍କର ମାତୃଭାଷା, କେବଳ ସେହି ଦେଶମାନଙ୍କୁ ଛାଡ଼ିଦେଲେ ଦୋଷମୁକ୍ତ ଶିକ୍ଷଣଭାବନା ରଖିଥିବା କୌଣସି ଦେଶରେ ଇଂରାଜୀକୁ ମାତୃଭାଷାର ସ୍ଥାନ କଦାପି ଦିଆଯାଇନାହିଁ । ମାତୃଭାଷା ସର୍ବପ୍ରଥମ ସ୍ଥାନରେ ରହିଛି । ମାତ୍ର, ବିଦେଶୀ ଭାଷାଗୁଡ଼ିକର ଶିକ୍ଷଣକ୍ଷେତ୍ରରେ ଇଂରାଜୀକୁ ଅବଶ୍ୟ ଉଚ୍ଚତର ସ୍ଵୀକୃତି ଓ ଗୁରୁତ୍ଵ ଦିଆଯାଇଛି । ଅର୍ଥାତ୍, ଇଂରାଜୀ ଭାଷାକୁ ପିଲାମାନେ ଶିକ୍ଷା କରୁଥିବା ସର୍ବପ୍ରଥମ ବିଦେଶୀ ଭାଷା ରୂପେ ଗ୍ରହଣ କରାଯାଇଛି । ଇଉରୋପୀୟ ମହାଦେଶରେ ବହୁ ଦେଶରେ ଦ୍ଵିତୀୟ ମହାଯୁଦ୍ଧ ପୂର୍ବରୁ ଇଂରାଜୀକୁ ନୁହେଁ, ଅନ୍ୟ ଏକ ପ୍ରତିବେଶୀ ଭାଷାକୁ ପ୍ରଥମ ବିଦେଶୀ ଭାଷାର ମର୍ଯ୍ୟାଦା ଦିଆଯାଇ ଆସୁଥିଲା, ଏବେ ଇଂରାଜୀ ଭାଷାହିଁ ସେହି ସ୍ଥାନଟିକୁ ଅଧିକାର କରିଛି । ଏଥିରେ କୌଣସି ରାଜନୀତିକ ଅନ୍ୟଦୃଷ୍ଟି ବା ଅନ୍ୟ ବାଦ ଆଦୌ କୌଣସି ହସ୍ତକ୍ଷେପ କରିବାକୁ ଆସିନାହିଁ-। ତା’ବୋଲି ଇଂରାଜୀ ଭାଷାକୁ କୌଣସି ଦେଶର ମାତୃଭାଷାକୁ ତା’ର ସର୍ବପ୍ରଥମ ସ୍ଵୀକୃତିସ୍ଥାନରୁ ବିତାଡ଼ିତ କରିବା ଲାଗି ଆଦୌ କୌଣସି ପ୍ରଶ୍ରୟ ଦିଆଯାଇ ନାହିଁ । ତା’ ନହେଲେ ସାମୂହିକ ତଥା ଭାଗବତ ପାରସ୍ପରିକ କ୍ଷେତ୍ରରେ ବହୁ ଅସୁସ୍ଥତାକୁ ମଧ୍ୟ ପ୍ରଶ୍ରୟ ଦେବାକୁ ପଡ଼ିବ ବୋଲି ସେପରି ବ୍ୟବସ୍ଥା କରାହୋଇଛି ।

 

ଇଂଲଣ୍ଡରେ ପିଲା ତା’ ସ୍କୁଲ୍‍ରେ ସର୍ବପ୍ରଥମେ ଇଂରାଜୀ ପଢ଼େ । ଫ୍ରାନ୍‍ସରେ ଫାରାସୀ ପଢ଼େ ଓ ଜର୍ମାନୀରେ ଜର୍ମାନ୍ ପଢ଼େ । ଡେନ୍‍ମାର୍କ ଓ ଫିଲ୍‍ଲାଣ୍ଡ ପ୍ରଭୃତି କୁନି କୁନି ଦେଶରେ ଦେଶର ପିଲାମାନେ ସବା ଆଗ ନିଜର ମାତୃଭାଷାକୁ ପଢ଼ନ୍ତି । ପାଠଶାଳାର ପ୍ରଥମ ଛଅ ବର୍ଷ ସେମାନେ ଗୋଟାଏ ଭାଷା ଅର୍ଥାତ୍ ନିଜର ଭାଷାଟିକୁ ହିଁ ପଢ଼ନ୍ତି । ସେହି ଭାଷାଟିର ମାଧ୍ୟମରେ ହିଁ ସେମାନେ ଗଣିତ, ଭୂଗୋଳ, ବିଜ୍ଞାନ, ଇତିହାସ ଅଥବା ଆଉ ଯାହାକିଛି ପଢ଼ନ୍ତି । ସାଧାରଣତଃ ଛଅ ବର୍ଷ ଚାଲିବା ସମୟକୁ ପିଲାଟିଏ ସ୍କୁଲ୍‍କୁ ଆସେ ଏବଂ ଷଷ୍ଠ ଶ୍ରେଣୀ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଏଗାର ପୂରି ବାଆର ଚାଲିବା ପର୍ଯ୍ୟନ୍ତ ସିଏ ଭାଷା ହିସାବରେ କେବଳ ଗୋଟିଏ ଭାଷାକୁ ଶିକ୍ଷା କରେ । ତାକୁ ଦ୍ଵିତୀୟ ଭାଷାଟିଏ ଅର୍ଥାତ୍ ବିଦେଶୀ ଭାଷାଟିଏ ଶିଖାଇବାର କୌଣସି ଫିକର କେହି କରନ୍ତି ନାହିଁ । ତା’ପରେ ୧୧+ବେଳକୁ ଏକ ସାଧାରଣ ପରୀକ୍ଷା ହୁଏ । କେଉଁମାନେ ସାଧାରଣ ଉଚ୍ଚତର ଶିକ୍ଷା ଲାଭ କରିବେ, ସେହି ପରୀକ୍ଷାରେ ହିଁ ତାହା ନିର୍ଦ୍ଧାରଣ କରି ଦିଆଯାଏ । ପ୍ରାଥମିକ ସ୍ତରରେ ଦେଶର ସବୁ ପିଲା ଗୋଟିଏ ପାଠ୍ୟକ୍ରମ ପଢ଼ନ୍ତି । ତାହାକୁ ନିଜର ମାତୃଭାଷାର ମାଧ୍ୟମରେ ପଢ଼ନ୍ତି । ସେହି ନିର୍ଦ୍ଧାରଣରେ ଥିଲା ଘର ଓ ନଥିଲା ଘର ମଧ୍ୟରେ କୌଣସି ପାତର ଅନ୍ତର ମୋଟେ ହୁଏ ନାହିଁ । ପ୍ରାୟ ଅଧେ ପିଲା ତା’ପରେ ହାଇସ୍କୁଲରେ ପ୍ରବେଶ କରିବା ଲାଗି ଯୋଗ୍ୟ ବିବେଚିତ ହୁଅନ୍ତି । ଯୋଗ୍ୟ ବିବେଚିତ ହୋଇପାରି ନଥିବା ଅନ୍ୟ ଅଧିକ ସେହି ମାତୃଭାଷାର ମାଧ୍ୟମରେ ବାଧ୍ୟାତାମୂଳକ ଶିକ୍ଷାବୟସରେ ପହଞ୍ଚିବା ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ଶ୍ରେଣୀରେ ପାଠ ପଢ଼ନ୍ତି । କେତେକ ଦେଶରେ ଶ୍ରେଣୀ ଉଠିବା ପାଇଁ ଏମାନଙ୍କୁ କୌଣସି ପରୀକ୍ଷା ବି ଦେବାକୁ ପଡ଼େ ନାହିଁ । ଏହି ପିଲାମାନେ ଆହୁରି ବଡ଼ ହୋଇ ବୈଷୟିକ ଶିକ୍ଷା ଲାଭ କରନ୍ତି । ଇଞ୍ଜନିୟରିଂ ଓ କୃଷି ପ୍ରଭୃତିକୁ ଏହି ବୈଷୟିକ ଶିକ୍ଷାରେ ଅନ୍ତର୍ଭୁକ୍ତ କରି ରଖାଯାଇଥାଏ । ଜର୍ମାନୀ ଓ ଡେନମାର୍କ ପ୍ରଭୃତି ଦେଶରେ ସେଥିଲାଗି ବିଶ୍ଵବିଦ୍ୟାଳୟ ଶିକ୍ଷାରେ ଇଞ୍ଜିନିୟରିଂ ଓ କୃଷି–ଅଧ୍ୟୟନକୁ ସାମିଲ କରା ଯାଏନାହିଁ । ଏହି ବିଷୟଗୁଡ଼ିକ ପଢ଼ା ହେଉଥିବା ସ୍ଥାନଗୁଡ଼ିକୁ ଅତ୍ୟନ୍ତ ଯୁକ୍ତିଯୁକ୍ତ ଭାବରେ ହାଇସ୍କୁଲ ବୋଲି କୁହାଯାଏ । ସେଗୁଡ଼ିକୁ ସ୍ଵୟଂ ଶାସନର ସ୍ଵତନ୍ତ୍ରତା ଦିଆ ଯାଇଥାଏ ସତ, ମାତ୍ର ବିଶ୍ଵବିଦ୍ୟାଳର ଶକ୍ଷା କହିଲେ ସେସବୁ ଦେଶରେ ଏକାବେଳେକେ ଅନ୍ୟ କଥାକୁ ବୁଝାଏ ।

 

ଏଗାର ବର୍ଷ ପୂରିଗଲେ ହେଉଥିବା ପରୀକ୍ଷାରେ ଯେଉଁ ପିଲା ଉତ୍ତୀର୍ଣ୍ଣ ହୁଏ, ସେହି ସାଧାରଣ ଉଚ୍ଚତର ଶିକ୍ଷା ନିମନ୍ତେ ଯୋଗ୍ୟ ବିବେଚିତ ହୁଏ । ଏବଂ, କେବଳ ସେହି ପିଲାମାନଙ୍କୁ ହିଁ ଆନୁଷ୍ଠାନିକ ଭାବରେ ବିଦେଶୀ ଭାଷା ଶିକ୍ଷା କରିବାକୁ ହୋଇଥାଏ । ଗୋଟିଏ ନୁହେଁ, ନିୟମତଃ ତିନୋଟି ବିଦେଶୀ ଭାଷା ଶିକ୍ଷା କରିବାକୁ ପଡ଼େ । ମାଧ୍ୟମିକ ଶିକ୍ଷାର ପ୍ରଥମ ବର୍ଷ ଅର୍ଥାତ୍ ପିଲାକୁ ବାରବର୍ଷ ପୂରିବା ପରେ ସେ ପ୍ରଥମ ବିଦେଶୀ ଭାଷାଟିକୁ ଶିଖେ, ତେର ପୂରିଲା ପରେ ଦ୍ଵିତୀୟ ବିଦେଶୀ ଭାଷା ଏବଂ ଚଉଦ ପୂରିଲେ ତୃତୀୟ ବିଦେଶୀ ଭାଷା ଶିକ୍ଷା କରେ । ଅର୍ଥାତ୍, ସର୍ବମୋଟ ତେର ବର୍ଷର ପାଠ୍ୟକ୍ରମ ଶେଷ କରି ଜଣେ ଛାତ୍ର ବିଶ୍ଵବିଦ୍ୟାଳୟର ଶିକ୍ଷା ପାଇଁ ଯୋଗ୍ୟ ହେବା ବେଳକୁ ସିଏ ପ୍ରାୟ ସାତ ବର୍ଷ ତା’ର ପ୍ରଥମ ବିଦେଶୀ ଭାଷାକୁ, ଛଅ ବର୍ଷ ଦ୍ଵିତୀୟ ବିଦେଶୀ ଭାଷାକୁ ଏବଂ ପାଞ୍ଚ ବର୍ଷ ତୃତୀୟ ବିଦେଶୀ ଭାଷାକୁ ଶିକ୍ଷା କରି ସାରିଥାଏ । ନିଜ ମାତୃଭାଷାକୁ ତେର ବର୍ଷ ଶିକ୍ଷା କରିଥାଏ । ସେଥିପାଇଁ, ତିନୋଟି ବିଦେଶୀ ଭାଷାରେ ଜ୍ଞାନ ହାସଲ କରି ନଥିଲେ ସେହିସବୁ ଦେଶରେ କେହି ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିବାଲାଗି ଅନୁମତି ପାଇ ପାରନ୍ତି ନାହିଁ । କେବଳ ଗୋଟିଏ ଭାଷା ଅଧ୍ୟୟନ–ସଂସାର ଭିତରେ ପ୍ରବେଶ କରୁଥିବା ବିଶ୍ଵବିଦ୍ୟାଳୟର ସ୍ତର ଲାଗି ଯୋଗ୍ୟ ବିବେଚିତ କରାଯାଏ ନାହିଁ ।

 

ଏହି କଥାଟି ଇଂରାଜୀ ତଥା ଅଣ–ଇଂରାଜୀ ଉଭୟ ଦେଶରେ ହୁଏ । କମ୍ୟୁନିଷ୍ଟ ଓ ଅଣ–କମ୍ୟୁନିଷ୍ଟ ଉଭୟ ଦେଶରେ ହୁଏ ଏବଂ ଏହାକୁ ହିଁ ଭାଷାଶିକ୍ଷ ଣର ବୈଜ୍ଞାନିଜ ପ୍ରଣାଳୀ ବୋଲି ଗ୍ରହଣ କରାଯାଏ । ବୈଜ୍ଞାନିକ ପ୍ରଣାଳୀ ଅର୍ଥାତ୍ ପରୀକ୍ଷିତ ପ୍ରଣାଳୀ । ପିଲାର ଆବଶ୍ୟକତା, ସାମର୍ଥ୍ୟ ତଥା ସମଗ୍ର ବିକାଶ ଲାଗି ସୁସ୍ଥ ଓ ଉପଯୋଗୀ ବୋଲି ବିବେଚିତ ହୋଇଥିବା ଏକ ପରୀକ୍ଷିତ ପ୍ରଣାଳୀ । ସେଥିଲାଗି ଏହି ବିଷୟରେ କାହାରି କିଛି କହିବାର ନଥାଏ-। କେବଳ ଯେଉଁସବୁ ଦେଶରେ ଶିକ୍ଷାର ଅସଲ ନାଭିରୂପେ ପରୀକ୍ଷିତ ବୈଜ୍ଞାନିକ ଦୃଷ୍ଟିରୁ ଏକ ସର୍ବସମ୍ମତି ରୂପେ ଗ୍ରହଣ କରି ନିଆଯାଇଥାଏ, ଯେଉଁଠି କୌଣସି ପ୍ରକାର ନ୍ୟସ୍ତ ସ୍ଵାର୍ଥୀ ରକ୍ଷଣଶୀଳତାକୁ ବାଟ ଓଗାଳି ରଖିବା ଲାଗି ପ୍ରଶ୍ରୟ ଦିଆ ନଯାଏ, କେବଳ ସେହିସବୁ ଦେଶରେ ହିଁ ସେପରି ହୁଏ । ସେସବୁ ଦେଶରେ ଗୋଟାଏ ଭାଷାକୁ ଉଚ୍ଚ ବୋଲି ଦେଖାଇ ଆଉ ଗୋଟାଏ ଭାଷାକୁ ହୀନ ଓ ନିମ୍ନ ବୋଲି ଦେଖାଇବାର କୌଣସି ବିଚାରବର୍ବରତା ଆଦୌ ନଥାଏ । ଆମେ ଭାରତବର୍ଷର ସମାଜ ଏବଂ ସମାଜସ୍ଥ ନ୍ୟସ୍ତ ସ୍ଵାର୍ଥଗୁଡ଼ାକ ବହୁକାଳରୁ ଭେଦ ଉପରେ, ଉଚ୍ଚନୀଚର ବ୍ୟବଧାନ ଉପରେ, ନିଜେ ଯଥାସମ୍ଭବ ସବୁ ମାନିନେଇ ବହୁ ମଣିଷଙ୍କୁ ବଞ୍ଚିତ କରି ରଖିବାର ପ୍ରାୟ ଏକ ଅପରାଧୀ ପ୍ରବୃତ୍ତି ଉପରେ କେଉଁ କାଳରୁ ବିଶ୍ଵାସ କରି ଆସିଛୁ । ସ୍ଵାଧୀନତା ପରେ ନ୍ୟସ୍ତ-ସ୍ଵାର୍ଥୀମାନେ ଅଧିକ ଚାଲାଖ ହୋଇଛନ୍ତି, ସିନା, ମାତ୍ର ବିଜ୍ଞାନ ଠାରୁ ବହୁ ଦୂରରେ ରହିଛନ୍ତି । ଆମ ଶିକ୍ଷାବିଭାଗର କେତେ କେତେ ଶାସକ ଓ ହାକିମ ବୈଜ୍ଞାନିକ ବିବେଚନା ଅନୁସାରେ ହିଁ ଶିକ୍ଷାର ବ୍ୟବସ୍ଥା ହୋଇଥିବା ଦେଶମାନଙ୍କୁ ଯାଇଛନ୍ତି ଏବଂ ସେଠାରେ ଚଳନିଗୁଡ଼ିକର ଅଧ୍ୟୟନ କରିଛନ୍ତି ସତ, ମାତ୍ର ତଥାପି ସେମାନଙ୍କର ଦୃଷ୍ଟି ମଧ୍ୟରେ ସେହି ପୁରୁଣା ଗୃହରୁ ଏତେ ଏତେ ଭର୍ତ୍ତି ହୋଇ ରହିଛି ଯେ, ସେମାନେ ଯାହା ଦେଖିଲେ ବା ଯାହା ବୁଝିଲେ, ସେହି ମୁତାବକ ବଦଳିବା ଅପେକ୍ଷା ଓ ନୂତନର ପ୍ରବର୍ତ୍ତନରେ ନିମିତ୍ତ ହେବା ଅପେକ୍ଷା ବରଂ ବାବୁ ହୋଇ ରହିବାକୁ ଅଧିକ ସ୍ପୃହଣୀୟ ଓ ରମଣୀୟ ବୋଲି ଭାବି ଆସିଛନ୍ତି । ବାବୁମାନଙ୍କର ଫିସାଦ ଅନୁସାରେ ଶିକ୍ଷାର ବ୍ୟବସ୍ଥା ହୋଇଛି । ଲୋକ ପ୍ରତିନିଧିମାନେ ବିଚରା ଏସବୁ ବିଷୟରେ ଅତ୍ୟନ୍ତ ପ୍ରୟୋଜନସିଦ୍ଧ ଭାବରେ ଆପଣାକୁ ନିପଟ ନିରକ୍ଷର କରି ରଖିଛନ୍ତି । ସେମାନେ ଅନ୍ୟ ଧନ୍ଦାମାନଙ୍କରେ ମାତିଛନ୍ତି-। ତେଣୁ ବାବୁମାନଙ୍କୁ ବି ସେମାନଙ୍କର ଲାଭାଂଶଗୁଡ଼ିକୁ ଲୁଟି ନେବାକୁ ଓ ଅସୁସ୍ଥତାଗୁଡ଼ିକୁ ହିଁ ବ୍ୟବସ୍ଥା ରୂପେ ଚଳାଇବାକୁ ପୂରା ଦଉଡ଼ି ଛାଡ଼ି ଦେଇଛନ୍ତି । ସେଥିଲାଗି ନିଜର ଭାଷା ପୋଇଲୀ ହୋଇଛି, ଅବିଜ୍ଞାନ ବିଜ୍ଞାନ ହୋଇଛି । ଇଂରାଜୀ ଭାଷା ମଙ୍ଗରାଜ ମାନଙ୍କର ସିରସ୍ତାରେ ଉସ୍‍ମାନ୍‍ତାରା ହୋଇ ବସିଛି । ଏକାବେଳେ ବାବୁମାନଙ୍କର କୋଡ଼ରେ ଯାଇ ବସିଛି । (୨୭ । ୪-। ୮୮)

 

(୩୯)

 

ତଥାକଥିତ ଶିକ୍ଷିତମାନଙ୍କର କବଳରେ ପଡ଼ି ଓଡ଼ିଶାରେ ଓଡ଼ିଆ ଭାଷା କ୍ରମେ ଅଧିକରୁ ଅଧିକ ପରିମାଣରେ ଓ ଅଧିକରୁ ଅଧିକ ନରଖର ଭାବରେ ଇଂରାଜୀ ଭାଷା ଭିତରକୁ ଯାପି ହୋଇ ଆସୁଛି । ଯୋଉମାନେ କେବଳ ଓଡ଼ିଆ ଭାଷା ବ୍ୟତୀତ ଦୁର୍ଭାଗ୍ୟବଶତଃ ଆଉ ଅନ୍ୟ କୌଣସି ଭାଷା ଜାଣିନାହାନ୍ତି, ସେହିମାନେ ଯାହା ଖାଣ୍ଟି ଓଡ଼ିଆ ଭାଷାରେ କଥାବାର୍ତ୍ତା କରି ପାରୁଛନ୍ତି ଓ ଅଜାଣତରେ ହେଉ ପଛକେ, ଓଡ଼ିଆ ଭାଷାକୁ ବଞ୍ଚାଇ ରଖିଛନ୍ତି । ଆମ ନିରୋଳା ଓଡ଼ିଆ ଅଫିସରମାନେ ଜନ୍ମ ହେବାବେଳେ ନିପଟ ଗାଁମାନଙ୍କରେ ଜନ୍ମ ହୋଇଥିଲେ ମଧ୍ୟ ମୁଣ୍ଡକୁ ହାତ ପାଇଯିବା ପରେ କୋଉଠି କି ଗଦ ସୁଙ୍ଘିଛନ୍ତି ଅଥବା କୋଉ ନବାତ ଖାଇଛନ୍ତି କେଜାଣି, ସେମାନେ ଆଉ ଓଡ଼ିଆ ଭାଷାରେ କଥାବାର୍ତ୍ତା କରିପାରୁ ନାହାନ୍ତି ଅଥବା କଥାବାର୍ତ୍ତା କରିବାକୁ ଇଚ୍ଛା କରୁନାହାନ୍ତି । ମାଦକତା ଏପରି ଭାବରେ ଘର ଭିତରକୁ ବୋହିଗଲାଣି ଯେ, ଅଫିସର୍‍ ସ୍ୱାମୀମାନେ ନିଜ ଘରେ ନିଜର ଘରଣୀମାନଙ୍କ ସହିତ କଥା କହିଲେ ମଧ୍ୟ ଓଡ଼ିଆ ଭିତରୁ ପ୍ରାୟ ନିୟମର ଅଧିନ ହୋଇ ରହିଥିବା ପରି ପାଞ୍ଚଟା ଦଶଟା ଇଂରାଜୀ ଜିରା ଫୁଟି ଉଠୁଛି ଓ ଠୋ’ ଠୋ’ ଶୁଭୁଛି । ଆମ ବାବୁମାନେରାଗିଲେ ଓଡ଼ିଆ ଭୁଲିଯାଉଛନ୍ତି, ଖାଲି ଇଂରାଜୀରେ କ୍ରୋଧ ପ୍ରକାଶ କରୁଛନ୍ତି । ଅସଭ୍ୟ କଥା କହିବା ସମୟରେ ଓଡ଼ଆ ବଦଳରେ ଇଂରାଜୀ ଶବ୍ଦ ବ୍ୟବହାର କରୁଛନ୍ତି, ପ୍ରେମପତ୍ର ଲେଖିଲାବେଳେ ଅଥବା ପ୍ରେମ ନିବେଦନ କଲାବେଳେ ହୁଏତ ଓଡ଼ିଆରେ କିଛି କହୁଥିବା ସମୟରେ ଆଗ ଇଂରାଜୀରେ ତାହାକୁ ଭାବି ନେଉଛନ୍ତି ଏବଂ ଗୋଟା-ସୁଦ୍ଧା ପ୍ରାୟ ଇଂରାଜୀ ଛାଞ୍ଚରେ ଇଂରାଜୀକୁ ତର୍ଜମା କରି ଓଡ଼ିଆରେ କହୁଛନ୍ତି । କାହା ପାଖରେ ଗୁଞ୍ଜି ଗାଞ୍ଜି ହୋଇ ବସି ହୁଏତ କିଛି ଅନ୍ତରଙ୍ଗ ବିଶ୍ଵାସକଥା କହିବାକୁ ଗଲାବେଳେ ଇଂରାଜୀ ଭିତରକୁ ଡେଇଁ ପଡ଼ୁଛନ୍ତି । ଓଡ଼ିଆ ପାଖରେ ଆପଣାକୁ ଅତ୍ୟନ୍ତ ଅସଜ ଅସଜ ବୋଧ କରୁଛନ୍ତି । ସେମାନଙ୍କ ଜୀବନହାଣ୍ଡିର ପରିପାଟୀ ଗୁଡ଼ିକ ଏପରି ଅନ୍ୟପରି ହୋଇ ପଡ଼ିଲାଣି ଯେ, ସେଥିରେ ଓଡ଼ିଆ ଭାଷାର ଚାଉଳ ମୋଟେ ସିଝିପାରିବ ନାହିଁ ବୋଲି ସେମାନଙ୍କର କ୍ରମେ ପକ୍‍କା ବିଶ୍ଵାସ ହୋଇଗଲାଣି ।

 

ଓଡ଼ିଆରେ ଅନେକେ ସାହିତ୍ୟ ବୋଲି ଯେଉଁ ଗପ, ନାଟକ ଅଥବା ଆଉ କ’ଣ ଲେଖୁଛନ୍ତି, ସେଥିରେ ଇଂରାଜୀରେ କେଇପଦ ଫୁରୁଲି ନ ଲଗାଇଲେ ସେମାନଙ୍କ ସୃଜନାତ୍ମକ ପ୍ରତିଭାଟାକୁ ଆଦୌ ପ୍ରକଟ କରିପାରୁ ନାହାନ୍ତି । ନିତାନ୍ତ ବିଡ଼ମ୍ବିତ ଭାବରେ ତାହାକୁ ଆଧୁନିକ ଶୈଳୀ ବୋଲି କୁହାଯାଉଛି । ଇଂରାଜୀ ଶବ୍ଦ ବ୍ୟବହାର କରିବାର ଏହି କାମାତୁରତା ଫଳରେ ସାହିତ୍ୟ ଲେଖିବାର ପରିପ୍ରେକ୍ଷୀ ମାନେ ମଧ୍ୟ ଗାଆଁରୁ ତଥାକଥିତ ସହର ଭିତରକୁ ନିକାଲି ହୋଇ ଆସିଲେଣି, ଜୀବନ ଭିତରୁ ବୈଠକଖାନା ଭିତରକୁ ଅର୍ଥାତ୍ ବାରିଆଡ଼କୁ କିଳି ହୋଇ ଆସିଲେଣି । ଆମ ଗପମାନଙ୍କରେ ଯୋଉ ସହରଗୁଡ଼ିକର ହାଲ୍‍ ଚାଲ୍‍ କୁହାଯାଉଛି ସେସବୁ ଓଡ଼ିଶାରେ ନାହାନ୍ତି-। ଆମ ଆଧୁନିକ ହଳଦୀଲଗା ଲେଖକମାନେ ଓଡ଼ିଆ ଶବ୍ଦ ଖୋଜି ପାଉନାହାନ୍ତି ଅଥବା ଓଡ଼ିଆ ଶବ୍ଦଗୁଡ଼ିକର ଗହନ ଭିତରେ ପଶିବାକୁ ମନ କରୁନାହାନ୍ତି କି କ’ଣ କେଜାଣି, ସେମାନେ ପ୍ରାୟ ଏକ ପ୍ରୟୋଜନରେ ପଡ଼ି ସହରର କାଳ୍ପନିକ ଭୁଆସୁଣୀମାନଙ୍କୁ ନାୟିକାରୂପେ ଥାପି ଗପ ଲେଖୁଛନ୍ତି । ଘରଗୁଡ଼ାକୁ ନିର୍ଧୂମ ଡାକବଙ୍ଗଳାର ମଗଜରେ ବର୍ଣ୍ଣନା କରୁଛନ୍ତି । ଆମ ସିନେମା ଭିତରକୁ ଯେପରି ବମ୍ବେ ମାଡ଼ି ଆସିଲାଣି, ଆମ ସଙ୍ଗୀତ ଭିତରକୁ ଯେପରି ହିନ୍ଦୀ ଛୋକାରିଆ ଭାବଯମକ ଗୁଡ଼ାକ ପଶି ଆସୁଛନ୍ତି, ଆମର ସାହିତ୍ୟ ଭିତରେ ସେହିପରି ହାତରେ ଇଂରାଜୀ ନଳୀ ଧରିଥିବା ଅବର୍ଜିଆ ଶିକାରୀମାନେ କେତେ କେତେ ଗଉଁ ଜମାଇବାକୁ ଆସିଲେଣି । ଆମ ନିଜ ତୋଟା ଗୁଡ଼ିକର ଅସଲ ମୃଗଗୁଡ଼ିକୁ ମାରିଦେବାକୁ ସତେ ଯେପରି ଆପଣାର ଏକ ହକ୍‍ ବୋଲି ଅନୁଭବ କଲେଣି । ସଭାମାନଙ୍କରେ ସେହିମାନେ ହିଁ ଗୋଟାଏ ଗୋଟାଏ ରାଜା ଭଳି ଦିଶିଲେଣି । ସେମାନଙ୍କର ପ୍ରାଦୁର୍ଭାବରେ ଓଡ଼ିଆ ଚାହାଣି, ଓଡ଼ିଆ ମର୍ଯ୍ୟାଦା ଏବଂ ଓଡ଼ିଆ ପରିମଳ ବୋଲି କୁହାଯାଇ ପାରିବାର ଯାବତୀୟ ସ୍ଵାଭିବିକତା ଆମର ଗପ ଓ ଉପନ୍ୟାସ ମାନଙ୍କରୁ ବିଦା ହୋଇ ଯିବାକୁ ବସିଲାଣି । ଏହି ସୁଅମୁହଁରେ ଓଡ଼ିଆ ଭାଷାର ମୁଣ୍ଡ ସତେ ଅବା ଦି’ଖଣ୍ଡ ହୋଇଯାଉଛି । ଏବଂ ଏହି ନବ୍ୟବାବୁବିଳାସ ଗୁଡ଼ାକୁ ଅତ୍ୟନ୍ତ ଅସଭ୍ୟ ଭାବରେ ସାହିତ୍ୟରେ ନୂତନ ସ୍ଵାଦ ବୋଲି କୁହାଯାଉଛି । ଆମର ବଢ଼ିଆ ବଢ଼ିଆ ସାହିତ୍ୟିକମାନେ ତେଣୁ ଲାଳସାଗ୍ରସ୍ତ ହୋଇ ୟାଡ଼ୁ ସାଡ଼ୁ ଯାହା ଉଦରସ୍ଥ କରୁଛନ୍ତି, ତାହାକୁ ହଜମ କରିବା ପୂର୍ବରୁ ଆମ ପିଣ୍ଡାଗୁଡ଼ିକ ଉପରେ ହଗିବାରେ ଲାଗିଛନ୍ତି ଏବଂ ସେହି ବ୍ୟଭିଚାରକୁ ସାହିତ୍ୟରେ ଅଭିନବତା ବୋଲି କୁହାଯାଉଛି ।

 

ଭଲ ଘରର ଅର୍ଥାତ୍ ଥିଲା ଘରର ପିଲାମାନେ ଏବେ ବାପାମାଆଙ୍କର ମନସାଧ ପୂର୍ଣ୍ଣ କରିବା ସକାଶେ ଯେଉଁସବୁ ସ୍କୁଲରେ ଯାଇ ପାଠ ପଢ଼ୁଛନ୍ତି, ସେହି ଅଣ୍ଡାରୁ ଫୁଟି ବାହାରିବା ମାତ୍ରକେ ହିଁ ପିଲାକୁ ଇଂରାଜୀ ଭାଷା ମାଧ୍ୟମରେ ସବୁକିଛି ପଢ଼ାଯାଉଛି । ପାଠଶାଳାର ସେହି ଅସ୍ଵାଭାବିକ ତପସ୍ୟାକୁ ଅଧିକ ସହଜରେ ସିଦ୍ଧ କରାଇ ପାରିବା ଉଦ୍ଦେଶ୍ୟରେ ଆମ ପିଲାମାନଙ୍କୁ ତାଙ୍କ ଶୁଭକାମୀ ଗୁରୁଜନମାନେ ଆଗ ଇଂରାଜୀ ଶବ୍ଦଗୁଡ଼ିକ ମାଧ୍ୟମରେ ସେମାନଙ୍କୁ ସେମାନଙ୍କର ନାକ, ଆଖି ଓ କାନ ସହିତ ପରିଚୟ କରାଇ ଦେବାକୁ ସତେ ଅବା ଆପଣାର ଏକ ପାବନ କର୍ତ୍ତବ୍ୟ ବୋଲି ସମଝିଲେଣି । ଇଂରାଜୀ ମାଧ୍ୟମ ଚଳୁଥିବା ଇସ୍କୁଲମାନଙ୍କରେ ଓଡ଼ିଶାରେ କିଞ୍ଚିତ୍ ଓଡ଼ିଆ ଖଡ଼ିଛୁଆଁ ଅବଶ୍ୟ ହେଉଛି, ମାତ୍ର ବାବୁମାନଙ୍କୁ ସଚରାଚର ଯେପରି ଆପଣାର ପିଅନ ଓ ଚପରାଶିମାନଙ୍କ ସହିତ ପରିଚିତ ହେବାକୁ ହୋଇଥାଏ, ଏକଥା ପ୍ରାୟ ସେହିପରି ମାର୍ଗରେ ହେଉଛି-। ସମ୍ବିଧାନ ଦ୍ଵାରା ସମ୍ପୃକ୍ତ କର୍ତ୍ତା ତଥା ଅଭିଭାବକମାନେ ବାଧ୍ୟ ନ ହେଉଥିଲେ ସେସବୁ ପାଠଶାଳାର ଖାତାରୁ ଓଡ଼ିଆ ଗୋଡ଼ିଗୁଡ଼ାକୁ କୋଉଦିନୁଁ ବାହାର କରି ଫୋପାଡ଼ି ଦିଆଯାଇ ସାରନ୍ତାଣି । ଇଂରାଜୀ ମାଧ୍ୟମରେ ପାଠ ପଢ଼ୁଥିବା ପିଲାମାନଙ୍କର ଓଡ଼ିଶାରେ ଓଡ଼ିଆ ଭାଷା ପ୍ରତି କେଉଁଭଳି ଦୃଷ୍ଟିକୋଣ ରହିଛି, ତାହାର ଏକ ମନୋବୈଜ୍ଞାନିକ ଆକଳନ ଅବଶ୍ୟ କରାଯାଇପାରନ୍ତା-। ସେମାନଙ୍କର ପଡ଼ିଶାରେ ଥିବା ଯେଉଁ ଅନ୍ୟ ପିଲାମାନେ ଓଡ଼ିଆ ମାଧ୍ୟମରେ ସାଦା ଇସ୍କୁଲ ମାନଙ୍କରେ ପାଠ ପଢ଼ୁଛନ୍ତି, ସେମାନଙ୍କ ପ୍ରତି ଏମାନଙ୍କର ଦୃଷ୍ଟିକୋଣର ମଧ୍ୟ ଏକ ଅଧ୍ୟୟନ ବେଶ୍‍ ହୋଇପାରନ୍ତା । ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ହେଉଥିବା ଶିକ୍ଷାନୁଷ୍ଠାନ ମାନଙ୍କର ଶିକ୍ଷକମାନଙ୍କ ମନରେ ଓଡ଼ିଆ ଭାଷାର ମର୍ଯ୍ୟାଦା, ସମ୍ଭାବନା ଓ ଭବିଷ୍ୟତ ବିଷୟରେ ଯେଉଁଭଳି ଧାରଣାମାନ ରହିଥିବ, ସେଇଟିର ମଧ୍ୟ ଏକ ମୂଲ୍ୟାୟନ ହୋଇପାରନ୍ତା । ମାତ୍ର, ଆମ ବିଶ୍ଵବିଦ୍ୟାଳୟ ମାନଙ୍କରେ ଅନୁରାଗ ଓ ଆନୁଗତ୍ୟ ଗୁଡ଼ାକରେ ହାଓ୍ଵା ନାନା କାରଣରୁ ଯେପରି ଭାବରେ ବହୁଛି, ଏସବୁ କିସମର ଗବେଷଣାକୁ ସମ୍ପୃକ୍ତ ବାବୁମାନେ କଦାପି ମନ ବଳାଇବେ ନାହିଁ-। ନିଜ ଘରର ଗୁମରଗୁଡ଼ିକୁ ପଦାରେ ପକାଇ ଦେବାକୁ ସେହି ଗବେଷଣା କଲେଣି ନା ଏମାନେ କରିବେ ? ଏମାନେ ନିଜେ ଯେଉଁ ଗାଈର ଗୋବର, ସେହି ଗାଈର ନିନ୍ଦା କରିବା ସେମାନଙ୍କ ପକ୍ଷରେ ଅବଶ୍ୟ ବହୁ ନିର୍ବୋଧତାର କାରଣ ହେବ । ଇଂରାଜୀ ମାଧ୍ୟମରେ ପାଠ ପଢ଼ା ଯାଉଥିବା ଇସ୍କୁଲ ମାନଙ୍କରେ ପିଲାମାନେ ପାଠର ସିଡ଼ିରେ ଉପରକୁ ଉଠି ଉଠି ଯାଉଥିବା ସଙ୍ଗେ ସଙ୍ଗେ ଏବେ ଅଧିକ କୃତିତ୍ୱ ଦେଖାଉଛନ୍ତି । କାରଣ, କଲେଜ ଓ ବିଶ୍ଵବିଦ୍ୟାଳୟର ପରବର୍ତ୍ତୀ ଥାକଗୁଡ଼ିକୁ ମଧ୍ୟ ବିଶେଷ ଭାବରେ ସେହିମାନଙ୍କର ଅନୁକୂଳ କରି ତିଆରି କରାଯାଇଛି । ଉପରକୁ ଉପରକୁ ନିଜ ପିଲାଟି ଯେପରି ଅଧିକ ଭଲ ଫଳ ଦେଖାଇବ, ସେଥିଲାଗି ସନ୍ତାନବତ୍ସଳ ଅଭିଭାବକମାନେ ପିଲାଙ୍କୁ ମୂଳରୁ ହିଁ ଇଂରାଜୀ ତେଲର ହାଣ୍ତିରେ ପକାଇ ପାଲିଶି କରିନେବାକୁ ଇଚ୍ଛା କରୁଛନ୍ତି । ତେଣୁ, ଦୟାମୟଙ୍କ କୃପାରୁ ଏବେ ଦୂର ମଫସଲ ଥାନାମାନଙ୍କରେ ମଧ୍ୟ ଇଂରାଜୀ ମାଧ୍ୟମର ଇସ୍କୁଲମାନ ବସିଲାଣି । ସେଠି ମଧ୍ୟ ପିଲାମାନେ ଅନ୍ୟ ପ୍ରକାରର ପୋଷାକ ପିନ୍ଧି ଏକାବେଳେକେ ଅନ୍ୟ ପ୍ରକାରର ଆକଟ ଓ ଗେଲବସର ଭିତରେ ବେଙ୍ଗ ପରି ଫକ ଫକ ଡେଇଁବାକୁ ଆରମ୍ଭ କଲେଣି । ମାଟି ସହିତ ଆଉ କୌଣସି ଚେର ଲଗାଇବାର ଆବଶ୍ୟକତା ପଡ଼ୁନାହିଁ । ଆଗକୁ କୁଆଡ଼େ ଏକ ତୁଚ୍ଛା ପ୍ରତିଯୋଗିତାର ଯୁଗ ଆସୁଛି । ସେହି ପ୍ରତିଯୋଗିତାରେ ଜିତିବା ସକାଶେ ଇଂରାଜୀ ଭାଷାରୂପୀ ବ୍ରହ୍ମବାଣ ପାଖରେ ରହିଥିବା ଉଚିତ । ସେହି ବ୍ରହ୍ମବାଣ ଆଗରେ ଓଡ଼ିଆ ଭାଷାର ହଂସା ଉଡ଼ିଯାଉଛି । ଏହି ମାଟିଟା ସତକୁ ସତ ତା’ରି ବୋଲି ପ୍ରମାଣ କରିବାକୁ ତା’ ପାଖରେ ସବୁଯାକ କାଗଜପତ୍ର ମହଜୁଦ ରହିଥିଲେ ମଧ୍ୟ ସେଥିରେ ଲେଖା ହୋଇଥିବା କଥାଗୁଡ଼ାକୁ କଚେରୀରେ ଆଉ କେହିହେଲେ ବୁଝି ପାରୁନାହାନ୍ତି । ତେଣୁ ସବୁଯାକ ଓଜର ଓ ଆପତ୍ତି ପ୍ରାୟ ଏକତରଫା ଭାବରେ ଖାରଜ ହୋଇଯାଉଛି ।

 

ଏପରି ଏକ ଅମୋଘ ପୂର୍ଣ୍ଣଗ୍ରାସ ଭିତରେ କେବଳ ସରକାରୀ ଘୋଷଣାଟାଏ କରିଦେଲେ ଓଡ଼ିଆ ଭାଷାକୁ ତାର ପ୍ରତିଶ୍ରୁତ ସ୍ଵୀକୃତି ମିଳିଯିବା କିପରି ବା ସମ୍ଭବ ହେବ ? ଆଗ ଲୋକାୟତରେ ସ୍ଵୀକୃତି ନ ମିଳିଥିବା ପର୍ଯ୍ୟନ୍ତ, ଅର୍ଥାତ୍ ଭାରତରେ ପ୍ରକୃତରେ ଗୋଟାଏ ଲୋକାୟତ ରହିଛି ବୋଲି ସମ୍ପୃକ୍ତ ସର୍ବତ୍ର,–ଆମ ପାଠଶାଳାଠାରୁ ଆମସାହିତ୍ୟ ଖଞ୍ଜାମଧ୍ୟ ଦେଇ ଆମ ବଡ଼ ଗୁମାସ୍ତାମାନଙ୍କ ପର୍ଯ୍ୟନ୍ତ–ସ୍ଵୀକୃତ ନ ହେଲେ କିପରି ଆମ ଭାଷା ଯାଥାର୍ଥରେ ଆମର ଭାଷା ବୋଲି ସ୍ଵୀକୃତ ହୋଇପାରିବ ? ଏଇଟା ଏକାନ୍ତ ସତକଥା ଯେ ଆମର ମନ୍ତ୍ରୀମାନଙ୍କ ଅପେକ୍ଷା ଆମର ଅଫିସରମାନେ ଅଧିକ ଭଲ ଇଂରାଜୀ ଜାଣିଛନ୍ତି । ଏହି ଉଚ୍ଚ ଅମଲାମାନେ ହିଁ ଆମ ଉଚ୍ଚତମ କର୍ଣ୍ଣଧାର ମାନଙ୍କର କର୍ଣ୍ଣଧାର ହୋଇ ବସିଛନ୍ତି । ଇଂରାଜୀ ଭାଷାର ସଭାରେ ଆମ ଅମଲାମାନଙ୍କ ଆଗରେ ଆମ ମନ୍ତ୍ରୀମାନେ ସତକୁ ସତ କେଡ଼େ ସାନ ଓ କେଡ଼େ କୁଜା ହୋଇ ଦିଶୁଛନ୍ତି ! ଅମଲାମାନେ ଆଗ ଇଂରାଜୀରେ ପାଠ ଲେଖିଦେଲେ ଯାଇ ଆମ ମନ୍ତ୍ରୀମାନେ ସତେଅବା ନିଜ ଶିଙ୍ଘରେ ମାଟି ତାଡ଼ୁଥିବାରୁ ପୁରୁଷତ୍ଵ ଦେଖାଇ ତାହାକୁ ଭାଷଣ ରୂପେ ପଢ଼ି ଦେଉଛନ୍ତି । ସତେଅବା ବନ୍ଧ୍ୟାର ପ୍ରସବଜନିତ ଆନନ୍ଦକୁ ଅନୁଭବ କରୁଛନ୍ତି । ଅଢ଼ାଗୁଡ଼ାକ ଯାହା ହାତରେ ରହିଛି, ତା’ପାଖରେ କୃତଘ୍ନ ହେଲେ କିପରି ଚଳିବ ? ଆମ ହାକିମମାନେ ଓଡ଼ିଆକୁ ନୀଚ ନଜରରେ ଦେଖୁଛନ୍ତି, ସେହି ଦୃଷ୍ଟିରୁ ସେମାନେ ଇଂରାଜୀ ଭାଷଣ ଯୋଗାଇ ଦେବାର ଠିକାଦାରୀ ଯାହା ପାଖରେ କରୁଛନ୍ତି, ତାକୁ ମଧ୍ୟ ସେମାନେ ଧର୍ମତଃ ଠିକ୍‍ ସେହିପରି ନୀଚ ନଜରରେ ଦେଖୁଥିବେ । ରଜାମାନଙ୍କୁ ଆପଣା ଉଗ୍ରମନ୍ୟତାର ସୁକୁଟଗୁଡ଼ାକ ଦ୍ଵାରା ନଚାଇ ସେମାନେ କେତେ ନା କେତେ ଆତ୍ମପ୍ରସାଦ ଲାଭ କରୁଥିବେ । ଇନ୍ଦ୍ରମାନଙ୍କୁ ଅକଲ ଶିଖାଉଥିବାର ମହାଦାୟିତ୍ଵ ବହନ କରିଛନ୍ତି ବୋଲି ଭୂଇଁରୁ ସାତହାତ ଉପରେ ପାଦ ପକାଉଥିବେ ।

 

ଗୋଟାଏ ଦେଶର ଭାଗ୍ୟ ଦୃଷ୍ଟିରୁ ଦେଖିଲେ ଏହା ହେଉଛି ଏକ ବ୍ୟାଧି । ଗୋଟାଏ ଜନସମୂହର ସ୍ଵାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଏହା ହେଉଛି ଏକ ଅଶିଷ୍ଟତା, ଏକ ବର୍ବରତା । ଅଧିକ ମଣିଷ ଏବେ ଯେଉଁ ସ୍ତରରେ ଅଛନ୍ତି , ଆମ ଉଆସର ଓଟ ଓ ହାତୀମାନେ ସେଠାରେ ମୋଟେ ନାହାନ୍ତି । ଅଧିକ ମଣିଷଙ୍କ ପାଇଁ ଯେଉଁ ଭବିଷ୍ୟଟି ଆସିବ ବୋଲି ଅଭିପ୍ରେତ ହୋଇ ରହିଛି, ଆମ ଉଆସର ଆବୁମାନେ ସେହି ଭବିଷ୍ୟକୁ ଚିତା କାଟି ଚାଲିଛନ୍ତି । ଓଡ଼ିଶାରେ ଓଡ଼ିଆ ଭାଷାର ଭବିଷ୍ୟ ବିଷୟରେ ଯାବତୀୟ ଚର୍ଚ୍ଚା ଏହି ପରିପ୍ରେକ୍ଷୀରେ କରାଯିବା ଉଚିତ । ହୁଏତ ତେବେଯାଇ ବାଟ ଫିଟିବ । (୪ । ୫ । ୮୮)

 

(୪୦)

 

ଇଂରାଜୀ ଭାଷା ବିରୁଦ୍ଧରେ ଖଡ଼୍‍ଗ ଉତ୍ତୋଳନ କରି ଆମେ ଓଡ଼ିଆ ଭାଷାର ଉନ୍ନତି କରିପାରିବା ନାହିଁ । ଓଡ଼ିଆ ଭାଷାକୁ ଭଲ ପାଇଲେ ଯାଇ ଆମେ ଓଡ଼ିଆଭାଷାର ଉନ୍ନତିବିଧାନ କରିପାରିବା । ଗୋଟିଏ ଭାଷାକୁ ଭଲ ପାଇବାକୁ ହେଲେ ଆଉ ଯେ ଆଉଗୋଟିଏ ଭାଷାକୁ ଘୃଣା କରିବାକୁ ହେବ, ତାହା ମୋଟେ ସତ ନୁହେଁ । ଏକଦା ଭାରତବର୍ଷରେ ସଂସ୍କୃତ ଭାଷା ଭାରତୀୟ କଥିତ ଭାଷାଗୁଡ଼ିକୁ ଘୃଣା କରି ହିଁ ଆପଣାକୁ ସମାଜରେ ଶ୍ରେଷ୍ଠମାନଙ୍କର ଭାଷାରୂପେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରିଥିଲା । ତାହା ଫଳରେ ସଂସ୍କୃତ କାଳକ୍ରମେ ପୋଥିର ଭାଷା ହୋଇ ରହିଗଲା, ଲୋକାୟତରୁ ଲୁପ୍ତ ହୋଇଗଲା । ନିଜ ମାଟିକୁ ଭଲ ପାଇଲେ ଯାଇ ନିଜର ଭାଷାକୁ ଭଲ ପାଇବା ସମ୍ଭବ ହେବ । ପ୍ରତ୍ୟେକ ଭାଷାର ଏକ ସାମାଜିକ ଭୂମି ଅବଶ୍ୟ ରହିଛି । ସେହି ଭୂମିଟି ସହିତ ଆମର ଯେତିକି ଯଥାର୍ଥ ଏକାତ୍ମକତା ରହିଥିବ, ତାହା ପ୍ରତି ଆମର ଅଙ୍ଗୀକାରବଦ୍ଧତା ଯେତିକି ନିବିଡ଼ ହୋଇପାରିଥିବ, ଆମର ଭାଷା ଆମଲାଗି ସେତିକି ଆପଣାର ବୋଲି ଅନୁଭବ ଅବଶ୍ୟ ହେବ ।

 

ଇଂରେଜ ଅମଳରେ ଇଂରାଜୀ ଭାଷାକୁ ଏକ ସ୍ଵତନ୍ତ୍ର ସ୍ଥାନ ଦିଆ ଯାଇଥିଲା । ଇଂରାଜୀ ସେତେବେଳେ ଶାସକମାନଙ୍କର ଭାଷା ଥିଲା । ଔପନିବେଶିକ ଶାସନରେ ଶାସକମାନେ ଶାସିତମାନଙ୍କଠାରୁ ଏକ ଦୂରତା ରକ୍ଷା କରି ରହିବା ଅନିବାର୍ଯ୍ୟ ଥିଲା । ଭାରତୀୟ ମାନଙ୍କ ମଧ୍ୟରୁ କେଉଁ ପ୍ରଥମମାନେ ଇଂରାଜୀ ପଢ଼ିଲେ ଓ ସରକାରଙ୍କ ସିରସ୍ତା ମାନଙ୍କରେ ଚାକିରି କଲେ, ସେମାନେ ଇଂରେଜମାନଙ୍କର ଗୋଲାମ ହୋଇ ରହିଲେ ସତ, ମାତ୍ର ଦେଶବାସୀଙ୍କ ପାଇଁ ହର୍ତ୍ତାକର୍ତ୍ତା ହୋଇ ରହିଲେ । ଭାଗବତ ସ୍ତରରେ ସେମାନେ ଆପଣାକୁ ବିଦେଶୀ ମାଲିକମାନଙ୍କ ସହିତ ଏତେ କୁତ୍ସିତ ଭାବରେ ଏକାଠି ଗଅଣ୍ଠାଇ ରଖୁଥିଲେ ଯେ, ଆପଣା ଦେଶବାସୀଙ୍କ ତୁଳନାରେ ଆପଣାକୁ ଯୋଜନେ ଦୂର ଏବଂ ଉଚ୍ଚ ବୋଲି ମନେ କରୁଥିଲେ । ଭାରତବାସୀଙ୍କୁ ସେମାନେ ଘୃଣା କରୁଥିଲେ, ଇଂରେଜମାନଙ୍କ ତୁଳନାରେ ସେମାନେ ନିଜକୁ ଦେଢ଼ ବା ଅଢ଼େଇ ଗୁଣ ଅଧିକ ଇଂରେଜ ବୋଲି ଅନୁଭବ କରୁଥିଲେ । ସ୍ମରଣ ରଖିବାକୁ ହେବ ଯେ, ପ୍ରଥମେ ପ୍ରଥମେ ଅପେକ୍ଷାକୃତ ଥିଲାଘରର ପିଲାମାନେ ଇଂରାଜୀ ଶିକ୍ଷାର ସୁଯୋଗ ଲାଭ କରିଥିଲେ ସେମାନେ ପ୍ରାୟ ସମସ୍ତେ ଉଚ୍ଚ ବର୍ଣ୍ଣର ଥିଲେ । ତେଣୁ, ପାରମ୍ପରିକ ଭେଦବୋଧର ସେହି ବିଚାରଟି ଲୋକାୟତଠାରୁ ଆପଣାକୁ ଅଲଗା କରି ରଖିବାରେ ସେମାନଙ୍କ କ୍ଷେତ୍ରରେ ଅତ୍ୟନ୍ତ ଅନୁପୂରକ ହୋଇ କାର୍ଯ୍ୟ କରିଥିଲା । ପ୍ରାଚୀନ ସମାଜର ଶିଷ୍ଠମାନଙ୍କ ପରି ଏମାନେ ମଧ୍ୟ ସାଧାରଣଙ୍କଠାରୁ ଭାରି ଅଲଗା ହୋଇ ରହିଲେ । ଇଂରାଜୀ ଭାଷା ସେହି ବ୍ୟବଧାନଗୁଡ଼ିକୁ ପୁଷ୍କଳ କରି ରଖିବାରେ ଅତ୍ୟନ୍ତ ସହାୟକ ଭାବେ କାର୍ଯ୍ୟ କରିଥିଲା ।

 

ଇଂରେଜ ସରକାର ଗଲେ । ସେ ଅମଳର ଗୋଲାମମାନେ ସ୍ଵାଧୀନ ଭାରତରେ ବି ଗୋଲାମ ହୋଇ ରହିଲେ, ଆମ ଶାସନର ଘରମାନଙ୍କରେ ଦ୍ଵାରା ପାଳ ହୋଇ ରହିଲେ । ସ୍ଵାଧୀନତା ପରେ ଦେଶରେ ବସ୍ତୁସ୍ଥିତି ନାନାଭାବେ ବଦଳି ଯାଇଥିଲା । ବହୁ ନୂତନ ପ୍ରତ୍ୟାଶା ଦେଶର ପ୍ରାଣପିଣ୍ଡ ଗୁଡ଼ାକୁ କେତେ ପ୍ରକାରେ ଉଦ୍‍ବେଳିତ କରି ରଖିଥିଲା । ସ୍ଵାଧୀନ ଭାରତର ରାଜନୀତିକ ନେତୃତ୍ଵ ପ୍ରକୃତରେ ସେହି ପ୍ରତ୍ୟାଶା ଗୁଡ଼ିକର ପ୍ରତିନିଧିତ୍ଵ କରିଥାନ୍ତା ଏବଂ ତେଣୁ ଦେଶର ଅମଲାତନ୍ତ୍ରର ମଧ୍ୟ ଅନୁରୂପ ଭାବରେ ସମ୍ମାର୍ଜନ ହୋଇଥାନ୍ତା । ସ୍ଵାଧୀନ ଦେଶର ସରକାର ଲୋକପକ୍ଷରେ ରହିଥାନ୍ତା ଏବଂ ଅମଲାତନ୍ତ୍ରକୁ ଏକ ସ୍ଵାଧୀନ ଲୋକସମୂହର ପରିକର ଭାବେ କାମରେ ଲଗାଇଥାନ୍ତା । ମାତ୍ର, ରାଜନୀତି କ୍ଷମତା-ହସ୍ତାନ୍ତର ପରେ ଯେଉଁ ସାମାଜିକ ବିପ୍ଳବକୁ ଜାତୀୟ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିଥିଲେ ତାହା ସତକୁ ସତ ସମ୍ଭବ ହୋଇଥାନ୍ତା, ଭାରତବର୍ଷରେ ସେହି ସାମାଜିକ ବିପ୍ଳବ ସମ୍ଭବ ହୋଇପାରିଲା ନାହିଁ । ଏକ ନବ୍ୟ ସାମନ୍ତବାଦ ହିଁ ସ୍ଵାଧୀନ ଭାରତରେ ଯାବତୀୟ ରାଜନୀତିର ପୂରୋଭାଗରେ ରହିଲା । ଯାବତୀୟ ନେତୃତ୍ଵ ମଧ୍ୟ ଭୋଗାକାଂକ୍ଷୀ ସାମନ୍ତଗଣଙ୍କର କୁକ୍ଷି ଭିତରେ ଯାଇ ରହିଗଲା । ଲୋକଶକ୍ତିକୁ ଲୋଡ଼ା ହୋଇଥିଲେ ଲୋକଭାଷାକୁ ମଧ୍ୟ ଲୋଡ଼ା ହୋଇଥାନ୍ତା । ତାହା ହୋଇପାରିଲା ନାହିଁ । ଉପରୁ ଅନୁଗ୍ରହ ଦେଖାଇବାକୁ ହିଁ ଉନ୍ନୟନ ବୋଲି କୁହାଗଲା । ଏକ ଅନୁରୂପ ଫାଶ ପକାଇ ରଖିବା ହିଁ ଶାସନର ସବାବଡ଼ କାମ ହୋଇ ରହିଲା । ଅମଲାମାନେ ଓ ହାକିମମାନେ ଏହି ସବୁ ଫାଶଘରର କ୍ଷେତ୍ରପାଳ ହୋଇ ରହିଲେ । ଫାଶଗୁଡ଼ାକୁ ଅଧିକରୁ ଅଧିକ ଜବର କରି ବ୍ୟବଧାନଗୁଡ଼ାକୁ ଅଧିକରୁ ଅଧିକ ଚାକ୍ଷୁଷ କରିବାରେ ଇଂରାଜୀ ଭାଷା ମଧ୍ୟ ଏକ ଅନ୍ୟତମ ସାଧନ ହୋଇ ରହିଲା । ଆମ ବିଶ୍ଵବିଦ୍ୟାଳୟ ଗୁଡ଼ାକ ସତେଅବା ସେଇଥିରୁ ଦମ୍ଭ ପାଇ ସେହି ପୁରାତନ ମାଂସପିଣ୍ଡଳା ଗୁଡ଼ାକୁ ଉଷୁମେଇବାକୁ ଲାଗିଲେ । ଅବଜ୍ଞାକୁ ପରମ ଧର୍ମ ରୂପେ ଗ୍ରହଣ କରିବାର ପାଠ ପଢ଼ିଲେ-

 

ଯେଡ଼େ ବଡ଼ ଚାକିରି, ସେତେ ବେଶି ଅବଜ୍ଞା; ଯେତେବେଶୀ ଦରମା, ସେତେ ଅଧିକ ବ୍ୟବଧାନ । ଅଧିକ ଶିକ୍ଷିତ, ଅର୍ଥାତ୍ ଅବଜ୍ଞାକୁ ହିଁ ଅତ୍ୟନ୍ତ କୁତ୍ସିତ ଭାବରେ ମଥାରେ ମୁକୁଟ କରିଥିବା ଜଣେ ବ୍ୟାଧିତ ଦମ୍ଭଗ୍ରସ୍ତ ବ୍ୟକ୍ତି । ସରକାରୀ ଦପ୍ତରମାନଙ୍କରେ ଅବଜ୍ଞା, ଔପଚାରିକ ଯାବତୀୟ ଅନୁଷ୍ଠାନରେ ଭଳି ଭଳି ଅବଜ୍ଞା । ଯେଉଁ ଅବଜ୍ଞାରେ ବଡ଼ ମାଛମାନେ ସାନମାଛମାନଙ୍କୁ ଗିଳିପକାଇବାକୁ ହିଁ ଏକମାତ୍ର ବାସ୍ତବ ବୋଲି ମନେ କରନ୍ତି,, ଦେଶକୁ ପ୍ରାୟ ସେହିପରି ଏକ ଅବଜ୍ଞା ଗ୍ରାସ କରି ପକାଇଲା ଏବଂ ଅଧିକାଂଶ ସ୍ଥଳରେ ଇଂରାଜୀ ଭାଷା ଏହି ଅବଜ୍ଞାରେ ଏକ ଆୟୁଧ ରୂପେ ବ୍ୟବହୃତ ହେଲା । ଲୋକମାନଙ୍କର ଶକ୍ତିକୁ ଅପହରଣ କରି ନିଆଗଲା । ତେଣୁ ଲୋକଭାଷାର ଆଉ ଇଜ୍ଜତ ରହିପାରନ୍ତା କୁଆଡ଼ୁ ? ସ୍ଵାଧୀନ ଭାରତବର୍ଷରେ ଆଦର୍ଶଗୁଡ଼ିକ ଯେପରି କ୍ରମେ ବହିର ବାକ୍ୟ ହୋଇ ରହିଲା, ପ୍ରେରଣା ଓ ପ୍ରୟାସଗୁଡ଼ିକ ଯେପରି ଉତ୍ସବଦିନର ମିଛଉତ୍ସାହ କେତେଟାରେ ପରିଣତ ହୋଇଗଲା, ଠିକ୍‍ ସେହିପରି ପିଲାଙ୍କର ପଢ଼ାବହିରେ ମାତୃଭାଷାର କେତେ ପ୍ରଶଂସା କରାଗଲା ସିନା, ମାତ୍ର ଯାବତୀୟ ତାତ୍ପର୍ଯ୍ୟ ସ୍ଥାନରେ ତାହା ତୁଚ୍ଛା ଅବଜ୍ଞାର ପଦାର୍ଥଟି ହୋଇ ରହିଗଲା । ଗେହ୍ଲାମାନେ ଇଂରାଜୀ ପଢ଼ିଲେ, ଗେହ୍ଲାମାନଙ୍କର ପାଠପଢ଼ା ସକାଶେ ହୁଏତ ସରକାରୀ ତଥା ବେସରକାରୀ ଉଭୟ ସ୍ତରରେ ଅଧିକ ପଇସା ଖରଚ ହେଲା ।

Unknown

 

ଆଗକାଳରେ ଅଳପ ବ୍ରାହ୍ମଣ ଯେପରି ଏକ ଅଲକ୍ଷଣା ସମାଜର ମଥାମଣି ହୋଇ ଶୋଭା ପାଉଥିଲେ, ସ୍ଵାଧୀନ ଭାରତର ବୃକ୍ଷରେ ସେହିପରି ଇଂରାଜୀପଢ଼ୁଆ ଅଳପମାନେ ପ୍ରାୟ ଏକମାତ୍ର ଫୁଲ ହୋଇ ଫୁଟିଲେ ଏବଂ ଶୋଭା ପାଇଲେ । ସାରା ଦେଶପାଇଁ ତେଣିକି ମାତ୍ର କେତେଜଣ ସ୍ଵପ୍ନ ଦେଖିଲେ, ଅନୁଗ୍ରହ ଗୁଡ଼ାକ ବହୁସୂତ୍ର ହୋଇ ଯୋଜନା ନାମରେ ପ୍ରଚାରିତ ହେଲା । ଅଧିକାଂଶ ମଣିଷ ଅସହାୟ ହୋଇ ରହିଲେ । ସେହି ଅସହାୟମାନଙ୍କର ଫାଇଦା ଉଠାଇ ଦେଶରେ ଚାଲାଖମାନେ ଅଧିକରୁ ଅଧିକ ଖଚଡ଼ ହେଲେ । ଖଚଡ଼ ହେବାକୁ ହିଁ ସ୍ଥାନବିଶେଷରେ ସଫଳ ହେବା ବୋଲି କୁହାଗଲା । ଯେଉଁମାନଙ୍କର ଶକ୍ତି ବଢ଼ିଥିଲେ ସେମାନଙ୍କର ଭାଷା ମଧ୍ୟ ଶକ୍ତିଶାଳୀ ହୋଇ ପାରିଥାନ୍ତା, ସେମାନେ ଅଧିକରୁ ଅଧିକ ଶକ୍ତିହୀନ ହୋଇଗଲେ ।

 

ଦେଶରେ ନିରକ୍ଷରମାନଙ୍କର ଅନୁପାତ ସାକ୍ଷରମାନଙ୍କର ସଂଖ୍ୟା ତୁଳନାରେ ହ୍ରାସ ହୋଇ ଯାଉଥିଲେ ମଧ୍ୟ ନିରକ୍ଷରମାନଙ୍କର ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଯାଉଛି । ଜନସଂଖ୍ୟାରେ ବୃଦ୍ଧି ଯେ ତାହାର ଏକମାତ୍ର କିମ୍ବା ସର୍ବ ପ୍ରଧାନ କାରଣ ମୋଟେ ନୁହେଁ, ଆମ ସାକ୍ଷରତା ବିଭାଗରେ କଳଗୁଡ଼ିକୁ ସମଝୁଥିବା ଯେକୌଣସି ବ୍ୟକ୍ତି ସେକଥା ଅତି ଉତ୍ତମ ଭାବରେ ଜାଣିଛି । ଏହି ନିରକ୍ଷରତାର ସମୁଦ୍ରକୁ ସାକ୍ଷରତା ନାମକ ଏକ ଶକ୍ତିରେ ପରିଣତ କେବେ କରାଯାଇ ପାରିବ ? କେବେ ଆମ ଦେଶର ଅଚେତନ ଓ ଅକିଞ୍ଚନମାନ ସଚେତନ ହେବେ ଓ ଆଖି ପାଇବେ ? ଯେଉଁଠାରେ ସମାଜ ତଥା ଶାସନର କଳଗୁଡ଼ିକର କୃପାରୁ ଅଳପ ଶିକ୍ଷିତ ମଣିଷ ଅକ୍ଷୌହିଣୀ ପ୍ରମାଣେ ଅଶିକ୍ଷିତଙ୍କର ଭାଗ୍ୟନିର୍ଦ୍ଧାରକ ହୋଇ ରହିଛନ୍ତି ଓ ସେହିପରି ଏକ ଦୁଃସ୍ଥିତିରୁ ନିଜେ ଯାବତୀୟ ପ୍ରକାରେ ଉପକୃତ ହେବାରେ ଲାଗିଛନ୍ତି, ସେଠି ଉପରୁ ସିରସ୍ତା ଖୋଲାଇ ହାକିମ ବରଗି ଦେଶକୁ ସାକ୍ଷର ଓ ସଚେତନ କରିବାକୁ ଆଶା କରୁଥିଲେ ଆମେ ହୁଏତ ପ୍ରଧାନତଃ ଆପଣାକୁ ଭୁରୁଡ଼ାଇବା ହିଁ ସାର ହେବ । ତେଣୁ ସାକ୍ଷରତାର ଜିଦ୍‍ ତଳୁ ଜନ୍ମଲାଭ କରିବା ଉଚିତ୍ । ପୃଥିବୀରେ ଏବେ କେବଳ ଅକ୍ଷର ଶିଖାଇ ଦେବାକୁ ହିଁ ମୋଟେ ସାକ୍ଷରତା ବୋଲି କୁହାଯାଉ ନାହିଁ-। ମଣିଷକୁ ସାକ୍ଷର କରିବା ଅର୍ଥାତ୍ ତା’ନିଜ ଭିତରକୁ ତଥା ବାହାରକୁ ଆବଶ୍ୟକ ବାଟଗୁଡ଼ିକୁ ଖୋଲିଦେବା, ସବାଆଗ ଆପଣାକୁ ମନୁଷ୍ୟର ସମ୍ମାନ ଦେଇ ଦେଖିବାକୁ ଏବଂ ନିଜ ଭାଗ୍ୟକୁ ଗଠନ କରିବାର ଦାୟିତ୍ଵକୁ ସବାଆଗ ନିଜର ବୋଲି ଅନୁଭବ କରିବା–ଏହିପରି ଏକ ମୌଳିକ Awarenessକୁ ମଧ୍ୟ ସାକ୍ଷରତାର ମହତ୍ଵପୂର୍ଣ୍ଣ ଉଦ୍ଦେଶ୍ୟ ରୂପେ ମାନି ନିଆଗଲାଣି । ଭାରତବର୍ଷରେ ଆମ ସରକାର ମଧ୍ୟ ତାହାକୁ ସ୍ଵୀକାର କରି ନେଇଛନ୍ତି । ଓଡ଼ିଶାର ନିରକ୍ଷରମାନେ ସାକ୍ଷର ହେଲାବେଳେ କଦାପି ଆଗ ଇଂରାଜୀ ପଢ଼ିବେ ନାହିଁ, ସେମାନେ ଆଗ ଓଡ଼ିଆ ପଢ଼ିବେ । ଏତେ ମଣିଷଙ୍କର ଆଖି ଖୋଲିଗଲେ ଏବଂ ସେମାନେ ସମ୍ମାନର ସହିତ ନିଜକୁ ଦେଖିବାର ଚକ୍ଷୁଟିକୁ ଅର୍ଜନ କଲେ ଏଠି ଆମର ଭୂମିରେ ଯେଉଁ ଶକ୍ତି ଜନ୍ମଲାଭ କରିବ, ତାହାହିଁ ଅନେକ ସ୍ଵାସ୍ଥ୍ୟର କାରଣ ହେବ, ଅନେକ ବର୍ବରତାର ପ୍ରତିରୋଧ କରିବ । ଓଡ଼ିଆ ଭାଷାକୁ ତାର ସମୁଚିତ ସ୍ଥାନରେ ନେଇ ବସାଇବାରେ ମଧ୍ୟ ତାହା ସର୍ବଶ୍ରେଷ୍ଠ ଉତ୍‍ପ୍ରେରକ ହେବ । ସେହି ଦିନଟି, ଅବଶ୍ୟ ଆସୁଛି । ବାବୁମାନଙ୍କର ଦିନ ଯାଉଛି; କାରଣ ବାବୁମାନଙ୍କର ପଟରେ ଫିସାଦ ଓ ଖଚଡ଼ପଣ ଗୁଡ଼ାକ ରହିଛନ୍ତି ସିନା, ସେମାନଙ୍କ ପଟରେ ସତ୍ୟ ଆଦୌ ନାହିଁ ।

 

ମାତ୍ର, ସେହି ଅନ୍ୟ ଜାଗରଣର ଦିନଟି ଆସି ପହଞ୍ଚିବା ଯାଏ ଓଡ଼ିଶାର ମାଟି ଉପରେ ବାସ କରୁଥିବା ସବୁ ମଣିଷଙ୍କୁ ଓ ତାର ଆପଣା ଭାଷାକୁ ଭଲ ପାଉଥିବା ଆମେସବୁ କ’ଣ କରିବା-? ଆମେସବୁ ଅପେକ୍ଷିତ ସେହି ଜାଗରଣରେ ନିମିତ୍ତ ହେବା । ଏହା ସର୍ବପ୍ରଥମ କର୍ତ୍ତବ୍ୟ । ଯେଉଁଠି ଇଂରାଜୀ ଭାଷାକୁ ସାଆନ୍ତାଣୀ ବୋଲି ଦେଖାଇବା ଲାଗି ଓଡ଼ିଆ ଭାଷାକୁ ପୋଇଲୀ ବୋଲି କୁହାଯାଉଛି, ଆମେ ତାହାର ପ୍ରତିବାଦ କରିବା ।

 

ଆମେ ଓଡ଼ିଆ ଓଡ଼ିଆ ଏକାଠି ବସିଥିବା ସମୟରେ ଆପଣାକୁ ଉଚ୍ଚତର ବୋଲି ଦେଖାଇବାର ବର୍ବରତା ଦ୍ଵାରା ପରିଚାଳିତ ହୋଇ କଦାପି ଇଂରାଜୀ ଭାଷାରେ କଥା କହିବା ନାହିଁ-। ଓଡ଼ିଶାର କଲେଜ ଓ ବିଶ୍ଵବିଦ୍ୟାଳୟ ମାନଙ୍କରେ ଯେଉଁସବୁ ସଭା ହେବ, ସେଠାରେ ଅଧିକ ଫୁଲେଇ ହୋଇ ଇଂରାଜୀରେ ଭାଷଣ ଗାଳିବାକୁ ମନ କରୁଥିବା କାଉମାନଙ୍କୁ ଆମେ ଓଡ଼ିଆରେ କହିବାଲାଗି ଜିଦ୍‍ କରିବା । ଆମେ ପରସ୍ପର ପାଖକୁ ଇଂରାଜୀ ଭାଷାରେ ନୁହେଁ, ଆମ ନିଜ ଭାଷାରେ ଚିଠି ଲେଖିବା । ଆମକୁ ଭଗବାନ୍ ଓଡ଼ିଆ ଭାବରେ ଜନମ ଦେଲେ ବୋଲି ଆମେ କଦାପି ବାହୁନିବାକୁ ଯିବାନାହିଁ ଓ ନାନାବିଧ ଅସ୍ଵାସ୍ଥ୍ୟକର କ୍ଷତିପୂରଣ ଦ୍ୱାରା ଓଡ଼ିଶାରେ ନିଜର ସମ୍ପର୍କଗତ ସାମୂହିକ ଜୀବନଟାକୁ ଅବର୍ଜିଆ କରି ପକାଇବାକୁ ଆଦୌ ମନ କରିବା ନାହିଁ । ତେବେ ଯାଇ ଆମ ନିଜର ଭାଷାକୁ ଆମେ ଉଚିତ ମର୍ଯ୍ୟାଦା ଦେଇ ନିଜ ଜୀବନକୁ ଡାକି ଆଣି ପାରିବା । ଓଡ଼ିଆ ଭାଷା ପ୍ରତି ଆମର ଯଥାର୍ଥ ଶ୍ରଦ୍ଧା ସେତିକିବେଳେ ଯାଇ ସାକାର ହେବ ଏବଂ ଆଗ ନିଜ ଭାଷାକୁ ଶ୍ରଦ୍ଧା କରିପାରିଲେ ଯାଇ ଆମେ ପୃଥିବୀର ଆଉ ଯେକୌଣସି ଭାଷାକୁ ମଧ୍ୟ ଶ୍ରଦ୍ଧା କରି ଶିଖି ପାରିବା । (୧୧ । ୫ । ୮୮)

 

(୪୧)

 

ପୃଥିବୀରେ ରୁଟି ଆଉ ଚନ୍ଦ୍ରର ବିବାଦ ଲାଗିବା ପୂର୍ବରୁ ଏଠି ଚନ୍ଦ୍ର ରହିଥିଲା, ରୁଟି ମଧ୍ୟ ରହିଥିଲା । ଅର୍ଥାତ୍‍, ମଣିଷ ଲାଗି ରୁଟିର ଆବଶ୍ୟକତା ରହିଥିଲା, ଚନ୍ଦ୍ରର ବି ଆବଶ୍ୟକତା ରହିଥିଲା । ରୁଟିର ଯେତିକି ଆବଶ୍ୟକତା ରହିଥିଲା, ଚନ୍ଦ୍ରର ମଧ୍ୟ ସେତିକି ଆବଶ୍ୟକତା ରହିଥିଲା ବୋଲି କହିଲେ ଭୁଲ ହେବ ; କାରଣ କୋଉ ଆବଶ୍ୟକତାଟା ମଣିଷ ଲାଗି କେତେ ଜରୁରୀ, ସେକଥା ମାପି ତୁଳନା କରି କିଏ ଠିକ୍‍ କରିଦେଇ ପାରିବ ? ତେଣୁ, ନିର୍ଭୁଲ ଭାବରେ ମାତ୍ର ଏତିକି କୁହାଯାଇ ପାରିବ ଯେ, ମନୁଷ୍ୟର ଜୀବନକୁ ଏଠାରେ ଏକ ସମଗ୍ର ସୌନ୍ଦର୍ଯ୍ୟ ଅର୍ଥାତ୍ ଔଚିତ୍ୟ ଆଣି ଦେବାକୁ ହେଲେ ରୁଟିର ଆବଶ୍ୟକତା ଠାରୁ ଚନ୍ଦ୍ରର ଆବଶ୍ୟକତା ଆଦୌ କୌଣସି ଗୁଣରେ କମ ନୁହେଁ, ଏବଂ ଚନ୍ଦ୍ରର ଆବଶ୍ୟକତା ଠାରୁ ରୁଟିର ଆବଶ୍ୟକତା ମଧ୍ୟ କୌଣସି ଗୁଣରେ କମ୍ ନୁହେଁ । ଯିଏ ଏହି କଥାଟିକୁ ବୁଝିଛି, ରୁଟିର ମର୍ଯ୍ୟାଦାକୁ ବି ବୁଝିଛି । ତେଣୁ ରୁଟି ଆଉ ଚନ୍ଦ୍ର ମଧ୍ୟରେ ଏକ ସଉକିନିଆ ଅଥବା ସରଗରମ ମିଛ ବିବାଦ ଭିଆଇ ରଖିବା ଲାଗି ତା’ ଜୀବନରେ ଆଦୌ କୌଣସି ପ୍ରୟୋଜନ ନାହିଁ ।

 

ଥୋକେ ମଣିଷ ହିଁ ମଣିଷ–ସମାଜରେ ରୁଟି ଠାରୁ ଚନ୍ଦ୍ରକୁ ଭିନ୍ନେ କରି ଦେଖିବାର ଚଲାଖି ଆଖିଟିକୁ ଆଣି ଥୋଇଦେବାକୁ ବସିଲେ ଏବଂ ପୃଥିବୀରେ ବିଭ୍ରାଟର ସୃଷ୍ଟି କଲେ । ରୁଟି ଏବଂ ଚନ୍ଦ୍ର ଉଭୟ କ୍ଷେତ୍ରରେ ବହୁ ବିଭ୍ରାଟ ସୃଷ୍ଟି କଲେ । ଯଦି ଏଠି ଭାଗେ ମଣିଷ ରୁଟିକୁ ମନ କରିଥାନ୍ତେ ଏବଂ ଆଉ ଭାଗେ ମଣିଷ ଚନ୍ଦ୍ରକୁ ମନ କରିଥାନ୍ତେ, ତେବେ ଜୀବନ ମୋଟେ ସମ୍ଭବ ହୋଇ ପାରି ନଥାନ୍ତା । କାରଣ ଚନ୍ଦ୍ରକୁ ଅଧିକ ମନ କରୁଥିବା ମଣିଷମାନଙ୍କର ମଧ୍ୟ ଆଗ ରୁଟି ଦରକାର । ହୁଏତ ଚନ୍ଦ୍ରକୁ ମନ କରିବା ଲାଗି ସମର୍ଥ ହେବା ପୂର୍ବରୁ ରୁଟି ଦରକାର । ପୃଥିବୀଯାକ ସଚରାଚର ଏପରି ଦେଖାଯାଇଛି ଯେ ଆଗ ଆପଣା ରୁଟି-ଭଣ୍ଡାରଟିକୁ ପୂରଣ କରି ସାରିଥିବା ଲୋକମାନେ ହିଁ ଔପଚାରିକ ଭାବରେ ଚନ୍ଦ୍ରକୁ ମନ କରିଛନ୍ତି । ସାହିତ୍ୟ, ସଂଗୀତ, କଳା ଓ ସଂସ୍କୃତିକୁ ସେମାନେ ବଡ଼ ଏକପାଖିଆ ଭାବରେ ଚନ୍ଦ୍ରର ଆୟତନ ଭିତରେ ସତେଅବା ଅଲଗା ଚିହ୍ନଟ କରି ରଖିଛନ୍ତି । ଏହିମାନଙ୍କର ଦୁର୍ବୁଦ୍ଧି ହେତୁ ହିଁ ପୃଥିବୀର ଚନ୍ଦ୍ର ଓ ରୁଟି ଭିତରେ ଏକ ମିଛ ଦ୍ଵନ୍ଦ୍ୱର ସୃଷ୍ଟି କରାଯାଇଛି । ଏଣୁ ଚନ୍ଦ୍ର ରହିଯାଇଛି, ସତେଅବା ତା’ର ମୁଠା ଭିତରେ ଭାରି ଅସ୍ଵାଭାବିକ ଆତୁରତା ସହିତ ଜାବୁଡ଼ି ହୋଇ ରହିଯାଇଛି ଏବଂ ସମ୍ଭବତଃ ସେହିପରି ଏକ ଚକ୍ରାନ୍ତ ଦ୍ଵାରା ବିପର୍ଯ୍ୟସ୍ତ ହୋଇ ପୃଥିବୀରେ ଅଧିକରୁ ଅଧିକ ମଣିଷ ରୁଟିରୁ ବଞ୍ଚିତ ହୋଇ ରହିଛନ୍ତି । ଏବଂ ରୁଟିରୁ ବଞ୍ଚିତ ହୋଇ ରହିଥିବା ମଣିଷମାନଙ୍କ ଲାଗି କୌଣସି ଚନ୍ଦ୍ରଭାଗ୍ୟ ସମ୍ଭବ ହୋଇପାରିବ ବା କିପରି ? ବିଜ୍ଞାନୀମାନେ କହୁଛନ୍ତି ଯେ ପୃଥିବୀରେ ବର୍ତ୍ତମାନ ବାସ କରୁଥିବା ସବୁ ମଣିଷଙ୍କ ଲାଗି ଯଥେଷ୍ଟ ଖାଦ୍ୟ ମହଜୁଦ ହୋଇ ରହିଛି । ଅର୍ଥାତ୍, ଯଦି ମଣିଷର ବୁଦ୍ଧି ଏବଂ କୌଶଳକୁ ବିବେକ ତଥା ସର୍ବଜନହିତରେ ଅନୁକୂଳ କରି ବ୍ୟବହାର କରାଯାଇ ପାରନ୍ତା, ଯଦି ମଣିଷମାତ୍ରକେ ସମସ୍ତଙ୍କୁ ସାମିଲ କରି ଯୋଜନାମାନ ହୁଅନ୍ତା ଓ ସବୁ ମଣିଷଙ୍କର ଶ୍ରମଶକ୍ତିକୁ କାମରେ ଲଗାଇବାର ସେହି ଅସଲ ନୀତିଟିର ସାହାଯ୍ୟ ନିଆଯାଇ ପାରନ୍ତା, ତେବେ ପୃଥିବୀରେ ସବୁ ମଣିଷ ଏକ ସୁନ୍ଦର ଏବଂ ସମ୍ପନ୍ନ ଜୀବନର ଅଧିକାରୀ ହୋଇ ପାରନ୍ତେ ଓ ଏଠି ଥୋକେ ଅଧିକ ଭଲରେ ରହିବେ ବୋଲି ଅନେକାନେକ ବହୁ ମଣିଷଙ୍କୁ ନିତାନ୍ତ ଅଧମ ସ୍ତରରେ ମୋଟେ ଛଟପଟ ହେବାକୁ ପଡ଼ନ୍ତା ନାହିଁ । ରୁଟି କହିଲେ ମନୁଷ୍ୟ–ଜୀବନର ସର୍ବପ୍ରଥମ ଅର୍ଥାତ୍ ସର୍ବନିମ୍ନ ଆବଶ୍ୟକତା ଗୁଡ଼ିକୁ ହିଁ ବୁଝାଉଛି । ତା’ର ତାତ୍ପର୍ଯ୍ୟ ହେଉଛି ଏଠାରେ ସବୁ ମଣିଷଙ୍କର ପେଟ ପୂରିବ, ସମସ୍ତେ କାମ ପାଇବେ, ସବୁ ମଣିଷଙ୍କର ରହିବା ଲାଗି ବାସ ରହିବ ଏବଂ ପୃଥିବୀରେ ସବୁ ପିଲା ପାଠ ପଢ଼ିବେ । ଯାବତୀୟ ସାମାଜିକ ନୈତିକତାରେ ଏହି ଚାରିଟି କଥାକୁହିଁ ଅସଲ ଚାରିଗୋଡ଼ ବୋଲି ମାନିବାକୁ ପଡ଼ିବ । ଯାବତୀୟ ବିଶ୍ଵଦର୍ଶନରେ ଏତିକିକୁ ସର୍ବନିମ୍ନ କାମ୍ୟତା ବୋଲି ଗ୍ରହଣ କରିନେବାକୁ ପଡ଼ିବ । ପୃଥିବୀରେ ନୀତିଶାସ୍ତ୍ର କେତେ ଲେଖାଯାଇଛି ଓ ଯାଉଛି । ଦର୍ଶନକୁ ଆଳ କରି କେତେ ଶାସ୍ତ୍ର ବାହାରିଛି ଓ ସେହି ଶାସ୍ତ୍ରଗୁଡ଼ିକର ଭାଷ୍ୟ ମଧ୍ୟ ବାହାରୁଛି । ତଥାପି ସେହି ଚାରିଗୋଟି କଥାର ଏପର୍ଯ୍ୟନ୍ତ କୌଣସି ସଭ୍ୟତାସମ୍ପନ୍ନ ସମାଧାନ ହୋଇ ପାରିନାହିଁ-। ଅର୍ଥାତ୍ ରୁଟି ଓ ଚନ୍ଦ୍ର ଉଭୟର ମୀମାଂସା କ୍ଷେତ୍ରରେ କୋଉଠି କୋଉଠି ଅସମଞ୍ଜସତା ଅବଶ୍ୟ ରହିଯାଇଛି ।

 

ରୁଟିର କ୍ଷେତ୍ରରେ ବହୁ ବିଡ଼ମ୍ବନାକୁ ସେହିପରି ଅସ ମାହିତ କରି ରଖି ଆମର ତଥାକଥିତ ଚନ୍ଦ୍ରର କ୍ଷେତ୍ରଟି ମଧ୍ୟ କମ୍ ବିଡ଼ମ୍ବନାମୟ ହୋଇ ରହିବାକୁ ବାଧ୍ୟ ହୋଇନାହିଁ । କଳାତ୍ମକତା ଏଠି ପ୍ରଧାନତଃ ଏକ ଉତ୍ତେଜନାରେ ପରିଣତ ହୋଇ ରହିଛି । ସୌନ୍ଦର୍ଯ୍ୟର ଉପାସନା ମଧ୍ୟରେ ଏକ ଭୟଙ୍କର କାମୁକତା ଆମକୁ ସତେଅବା ଭାରି ଅସଜ କରି କାମୁଡ଼ି ଧରିଛି । ନୀତିବାଦୀମାନେ ଭୀରୁ ହୋଇ ବସିଛନ୍ତି । ଧର୍ମମାନେ ଘୃଣା ସହିତ ବନ୍ଧୁ ବାନ୍ଧିଛନ୍ତି । ଆମର ଭାବରାଜ୍ୟ ଗୁଡ଼ାକ ସତେଅବା ବହୁବିଧ ଦୂରତା ଏବଂ ଶଙ୍କାଗ୍ରସ୍ତତା ସହିତ ମିତ ବସିଛନ୍ତି । ଆମର କଳା, ସାହିତ୍ୟ ଓ ସୌନ୍ଦର୍ଯ୍ୟଭାବନା ଆମ ଜୀବନରେ ବହୁ ଉନ୍ମୋଚନ ଘଟାଇ ପାରୁଥାନ୍ତା–ମାତ୍ର ଆମକୁ ତାହା ଖୁବ୍‍ ବେଶୀ ହେଲେ ଏକ ଗେଲବସରିଆ ନିଃସଙ୍ଗତା ପାଖରେ ନେଇ ହାବୁଡ଼ାଇ ଦେଇଛି । ଆମର ଡୋରଗୁଡ଼ାକ କ୍ରମଶଃ ଛିଣ୍ଡି ଛିଣ୍ଡି ଯାଉଛି । ଏକ ବିଚିତ୍ର ଆତ୍ମପୀଡ଼ନରତି ଦ୍ଵାରା ତାଡ଼ିତ ହୋଇ ଆମେ ଅଧିକାଂଶ ସ୍ଥଳରେ ସେହି ଡୋରଗୁଡ଼ିକୁ ନିଜେ ଛିଣ୍ଡାଇ ଦେଉଛୁ ଏବଂ ତା’ପରେ ଡୋର ଛିଣ୍ଡି ଗଲା ବୋଲି କାବ୍ୟିକ ହାହାକାର କରିବାରେ ଲାଗିଛୁ । ଆମର ସାହିତ୍ୟିକତା ଏବଂ ଚନ୍ଦ୍ରଲବ୍‍ଧତା ଆମକୁ ସତେଅବା ଆମ ଭିତରେ କୌଣସି ଅସଲ ଖଣ୍ଡିଆ ଅଥବା ଅସମର୍ଥତାକୁ ଲୁଚାଇ ରଖିବାରେ ସୁରାପାନ କରି ସାହାଯ୍ୟ କରୁଛି । ଆମର ଯାବତୀୟ ଚନ୍ଦ୍ରପ୍ରୀତି ସତେଅବା କୌଣସି ବିଳାସଘରର ବୀଭତ୍ସତାରେ ପରିଣତ ହୋଇଛି । ଗୋଟିଏ କଥାରେ କହିଲେ, ଆମର ସାହିତ୍ୟ, ଆମର ସଂସ୍କୃତି ସତେଅବା ଏକ ସମ୍ପତ୍ତିରେ ଓ ସାମଗ୍ରୀରେ ପରିଣତ ହୋଇ ରହିଛି ।

 

ଆମେ ଯାହାକିଛିକୁ ସମ୍ପତ୍ତି ଜ୍ଞାନରେ ଦେଖିବାର ଦୁର୍ବୁଦ୍ଧରେ ପଡ଼ିଯାଉ, ତାହା ଆମକୁ ଫାଶ ପରେ ଫାଶ ପକାଇ ଆମକୁ କ୍ରମଶଃ ଗୋଟିଏ ଗୋଟିଏ ରାକ୍ଷସରେ ପରିଣତ କରି ଦେବାର ଚକ୍ରାନ୍ତ କରିବାରେ ଲାଗିଥାଏ । ରାକ୍ଷସମାନେ ହିଁ ଆପଣା ସମ୍ପତ୍ତିକୁ ଅଧିକ କରିବା ଲାଗି ଅନ୍ୟ ସମ୍ପତ୍ତିକୁ ଅପହରଣ କରନ୍ତି । ରାକ୍ଷସମାନେ ହିଁ ଈର୍ଷା କରନ୍ତି,–ଅନ୍ୟ ପ୍ରତି ଅସହିଷ୍ଣୁ ହୋଇ ହିଁ ଅନ୍ୟଠାରୁ ଆପଣାକୁ ଅଧିକ ବୋଲି ଦେଖାଇବାର ବ୍ୟଭିଚାରୀ ପ୍ରଚେଷ୍ଟା କରିବାରେ ଭାରି ଉତ୍ସାହ ଅନୁଭବ କରୁଥାନ୍ତି । ବ୍ୟଭିଚାରଗ୍ରସ୍ତ ଓ ନିଃସଙ୍ଗତାପୀଡ଼ିତ ସେହି ସମାଜମାନଙ୍କରେ ରୁଟିର କ୍ଷେତ୍ର ପରି ଚନ୍ଦ୍ରର କ୍ଷେତ୍ରଟି ମଧ୍ୟ ଲୋଲୁପ ଓ ହିଂସୁକମାନଙ୍କ ଦ୍ଵାରା ପ୍ରପୀଡ଼ିତ ହୋଇ ରହିଥାଏ । ଯେଉଁ ସମାଜରେ ସବୁ ମଣିଷଙ୍କ ଲାଗି ରୁଟିର ସଂସ୍ଥାନ ହୋଇ ପାରି ନଥାଏ, ସେଠାରେ ଚନ୍ଦ୍ରଗୁଡ଼ିକ ମଧ୍ୟ ପ୍ରଧାନତଃ ମତ୍ତ ମଣିଷମାନଙ୍କର କବଳରେ ଯାଇ ପଡ଼ିଥାଏ । ଏକ ଭୋଗର ବସ୍ତୁ ହୋଇ ରହିଥାଏ, ନାନା ଫାଙ୍କି ଦେଉଥିବାର ଏକ କଳଙ୍କିତ ଧନ୍ଦାରେ ପରିଣତ ହୋଇ ରହିଥାଏ ।

 

ତେଣୁ, ଚନ୍ଦ୍ରକୁ ସତକୁ ସତ ଲୋଡ଼ୁଥିବା ମଣିଷ ସବୁ ମଣିଷଙ୍କ ପାଇଁ ରୁଟିକୁ ମଧ୍ୟ ଲୋଡ଼ିବ । ବହୁ ମଣିଷକୁ ରୁଟିରୁ ବଞ୍ଚିତ କରି ରଖିଥିବା ସମାଜରେ ସିଏ ବି ପାଷଣ୍ଡ ହୋଇ ମୋଟେ ଚନ୍ଦ୍ରକୁ ନେଇ ବଡ଼ାଇ କରିବା ଲାଗି ମନ କରିବ ନାହିଁ । ଯିଏ କେବଳ ଉଦାରଟାକୁ ଜାଣେ, ହୁଏତ ହୃଦୟର ଅସ୍ତିତ୍ଵ ଏବଂ ମହତ୍ଵ ବିଷୟରେ ସିଏ କୌଣସି କାରଣରୁ ବିସ୍ତୃତ ହୋଇ ରହିଯାଇ ପାରେ । ମାତ୍ର, ଯିଏ ହୃଦୟକୁ ଲୋଡ଼େ ଏବଂ ତେଣୁ ପୃଥିବୀଯାକ ଡୋର ଲଗାଇ ବାହାରିଥାଏ, ସିଏ ବହୁ ମଣିଷଙ୍କ ଉଦରର ଦୁଃଖକୁ ଅବଶ୍ୟ ବୁଝିବ । ଆପଣାର ଯାବତୀୟ ଚନ୍ଦ୍ର ବାଞ୍ଛାର ଆୟତନଟି ମଧ୍ୟରେ ସେ ଆନନ୍ଦକୁ ଦେଖିବାର କୌଣସି ଏକ ଦେଶୀ କୋପନରେ କଦାପୀ ପଡ଼ିଯିବ ନାହିଁ,–ସିଏ ଅନ୍ନକୁ ମଧ୍ୟ ଲୋଡ଼ିବ । ଅନ୍ନକୁ ବ୍ରହ୍ମ ବୋଲି ଜାଣିବ, ‘ଅନ୍ନଂ ବହୁ କୁର୍ବୀତ’ ବୋଲି କହିବ । ପୃଥିବୀରେ ବହୁ ମନୁଷ୍ୟଙ୍କୁ ଅନ୍ନରୁ ବଞ୍ଚିତ କରି ଯେଉଁମାନେ ଆପେ ଅତ୍ୟଧିକ ଏବଂ ଅତିରିକ୍ତର ପାଷଣ୍ଡତା ଭିତରେ ପାଚିକରି ରହିଛନ୍ତି ଏବଂ ଅରକ୍ଷିତମାନଙ୍କ ମଧ୍ୟରେ ରାବଣ ସଦୃଶ ଦେଖା ଯାଉଛନ୍ତି, ତଥାକଥିତ ଚନ୍ଦ୍ରରସିକମାନେ ଅନେକତଃ ସେହିମାନଙ୍କର ଗୁହାଳରେ ଯାଇ ବନ୍ଧା ହୋଇ ରହିଛନ୍ତି । ତାହାହିଁ ପ୍ରମାଣ କରିଦେଉଛି ଯେ ସେମାନଙ୍କର ଲୋଡ଼ିବା ଭିତରେ କୋଉଠି ଏକ ବ୍ୟାଧି ଯାଇ ପଶିଯାଇଛି,–ଉପରେ କଳା, ସାହିତ୍ୟ ଓ ସଂସ୍କୃତିକୁ ଟହଟହ ପ୍ରସାଧନ ସଦୃଶ ବୋଳି ହୋଇଥିଲେ ମଧ୍ୟ ସେମାନଙ୍କ ଭିତରେ କୋଉଠି କେତେ କେତେ ଖଣ୍ଡିଆ ସେମାନଙ୍କୁ ଭାରି ହତବୀର୍ଯ୍ୟ ଏବଂ ଅସମର୍ଥ କରି ରଖିଛି । ବିଚରା ଆପଣାର ଭାବାଙ୍ଗ ଓ କାମାଙ୍ଗ ମାନଙ୍କରେ ଅଷ୍ଟାଦଶ ଲକ୍ଷଣକୁ ଆଭରଣ ସଦୃଶ ପରିଧାନ କରି ରହିଥିଲେ ମଧ୍ୟ ସେମାନେ ତଥାପି ଭାରି ପୋଲା ହୋଇ ରହିଛନ୍ତି । ଏବଂ, ଭିତରେ ପୋଲା ହୋଇ ରହିଥିବାରୁ ଆପଣାର ଚନ୍ଦ୍ରକାମନାକୁ ସୋମରସ ପ୍ରାୟ ବ୍ୟବହାର କରିବାରେ ଲାଗିଛନ୍ତି ।

 

ଯେଉଁମାନଙ୍କର ପେଟ ପୂରୁ ନାହିଁ ଓ ଦେହ ଲୁଚୁନାହିଁ, ଚନ୍ଦ୍ର ସହିତ ବାଦ ଭିଆଇବାକୁ ସେମାନଙ୍କ ପାଖରେ ଅବସର ବା କାହିଁ ? ସେମାନେ ତ ଭାଗ୍ୟ ଆଦରି ରହିଛନ୍ତି । ମାତ୍ର, ବହୁ ଜନଙ୍କୁ ବଞ୍ଚିତ କରି ରଖିଥିବାର ଏହି ଅଭିଲା ପୃଥିବୀରେ ଯେଉଁମାନଙ୍କୁ ଭଗବାନ ଚନ୍ଦ୍ର ସହିତ ରତି କରିବାର ମହାଭାଗ୍ୟ ପ୍ରଦାନ କରିଛନ୍ତି, ସେମାନେ ଏପରି ହୃତ୍‍କମ୍ପିତ ଭାବରେ ରୁଟି ଠାରୁ ଚନ୍ଦ୍ରକୁ ଅଲଗା ବୋଲି ଦେଖାଇବାକୁ ଉତ୍ସାହୀ ହୋଇ ପଡ଼ୁଛନ୍ତି କାହିଁକି କେଜାଣି ? ରୁଟିରୁ ବଞ୍ଚିତ ହୋଇ ରହିଥିବା ହୀନମାନେ ଦିନେ ସେମାନଙ୍କର ଗନ୍ତାଘର ଭିତରୁ ଚନ୍ଦ୍ରଟିକୁ ଛଡ଼ାଇ ନେବାକୁ ଆସିବେ ବୋଲି ସେମାନେ ସତକୁ ସତ ଆଶଙ୍କା କରୁଛନ୍ତି କି ? ଆପଣାର ରୁଟିଟିକୁ ସେମାନେ କେତେ କେତେ ସତେ ଅବା, ବିଧିନିର୍ଣ୍ଣିତ ଫିସାଦ ଦ୍ଵାରା ଆୟତ୍ତ କରି ପାରିଛନ୍ତି ବୋଲି ବିଚରା ଚନ୍ଦ୍ର ସହିତ ରମଣ କରିବାର ଏକ ଭାରି ହୀନିମାନିଆ ମଉକାଟିଏ ହାସଲ କରି ପାରିଛନ୍ତି । ସେହି ଭାଗ୍ୟଟିକୁ ସେମାନଙ୍କ ଠାରୁ କେହି କେବେ ଛଡ଼ାଇ ନେଇଯିବାକୁ ଆସି ପହଞ୍ଚିଯିବ କି ? ଇତିହାସରେ କୁଆଡ଼େ, ବାରବାର ଏହିପରି ଘଟିଛି । ଅନେକଙ୍କର ଉଦରକାୟର ହିସାବଗୁଡ଼ାକୁ ଏଡ଼ି ଦେଇ କେଡ଼େ ଫୁଲେଇ ହୋଇ ଆପଣାର ହୃଦୟ କାୟକୁ ଭୋଗ କରୁଥିବା ମଞ୍ଚସ୍ଥ ଭାଗ୍ୟବାନ୍‍ମାନେ ଏବେ ମଧ୍ୟ ଆପଣାର ଅବଚେତନରେ ସେହି ଆଶଙ୍କା ଦ୍ଵାରା ଗ୍ରସ୍ତ ହୋଇ ରହିଛନ୍ତି । ଭାରି ଦୈନ୍ୟଗ୍ରସ୍ତ ହୋଇ ରହିଛନ୍ତି । ସେମାନେ ଚନ୍ଦ୍ର ମଣ୍ଡଳଟାକୁ ମଧ୍ୟ କେଡ଼େ ବିକୃତିଗ୍ରସ୍ତ କରି ରଖିଛନ୍ତି-। ଏହି ପୃଥିବୀରେ ବହୁ ଉଦାସୀନତା ଓ ବହୁ ବ୍ୟାଧିର ନମୁନା ହୋଇ ରହିଛନ୍ତି । ସେମାନଙ୍କ ପାଇଁ ବଇଦ କେବେ କୁଆଡ଼ୁ ଆସିବେ କେଜାଣି ? (୧୮ । ୫ । ୮୮)

 

(୪୨)

 

ଯଦି ପୃଥିବୀରେ ସବୁ ମଣିଷଙ୍କର ପେଟ ପୂରୁଥାନ୍ତା, ଅର୍ଥାତ୍ ସମସ୍ତେ ଯଦି ଚନ୍ଦ୍ରକୁ ମନ କରି ପାରୁଥାନ୍ତେ ଏବଂ ଚନ୍ଦ୍ର ବାଲାମାନଙ୍କର ସତେଅବା ଭୟାର୍ତ୍ତ ଓ ଈର୍ଷାକୁଳ ହୋଇ ପୃଥିବୀର ଯାବତୀୟ ବିନୋଦନ ଓ ବିଳାସକୁ ମାଡ଼ି ବସିବାର ଆଦୌ କୌଣସି କାରଣ ନ ଥାନ୍ତା, ତେବେ ସେତେବେଳେ ପୃଥିବୀଟା ଅଧିକ ସୁନ୍ଦର ଦିଶିପାରନ୍ତା ନା ବର୍ତ୍ତମାନ ଅଧିକ ସୁନ୍ଦର ଦିଶୁଛି ? ପୃଥିବୀର ସକଳ ମନୁଷ୍ୟ ଯଦି କେବଳ ବାହାରର ଏହି ଆକାଶରେ ଅଥବା ଏହି ବଜାରରେ ନୁହେଁ, ଆପଣାର ଅନ୍ତର ଭିତରେ ଓ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ପ୍ରକୃତରେ ଭୟମୁକ୍ତ ଅର୍ଥାତ ଶ୍ରଦ୍ଧାଯୁଦ୍ଧ ହୋଇ ପରସ୍ପର ମଧ୍ୟରେ ସୌନ୍ଦର୍ଯ୍ୟ ଓ ଐଶ୍ଵର୍ଯ୍ୟକୁ ହିଁ ଦେଖନ୍ତେ, ତେବେ ସେତେବେଳେ ଚନ୍ଦ୍ର ଆମ ସମସ୍ତଙ୍କୁ ଅଧିକ ସୁନ୍ଦର ଦେଖାଯାଇ ପାରନ୍ତା ନା ବର୍ତ୍ତମାନ ମାତ୍ର କେତେକଙ୍କର ବୈଠକଖାନାରେ ପ୍ରଚକ୍ଷୁଗୁଡ଼ାକରେ ତାହା ଅଧିକ ସୁନ୍ଦର ଦେଖାଯାଉଛି ? ଆଜି ଯେଉଁମାନେ ଆପଣାର ଶିକା ଓ ସିନ୍ଦୁକ ଭିତରେ ଏକାବେଳେକେ ଦଶବର୍ଷ ପାଇଁ ରୁଟି ଗଦା କରି ରଖିଛନ୍ତି ବୋଲି ରୁଟିଠାରୁ ଚନ୍ଦ୍ର ଅଲବତ ଅଧିକ ବୋଲି ଭାଷ୍ୟ ବଖାଣୁଛନ୍ତି, ପୃଥିବୀଯାକର ସବୁ ମଣିଷଙ୍କୁ ରୁଟି ଯୋଗାଇବାକୁ ହେଲେ ଓ ସବୁ ମଣିଷଙ୍କୁ ଚନ୍ଦ୍ରର ଅଧିକାର ଦେବାକୁ ହେଲେ ସେମାନଙ୍କର ରୁଟିକୁ ଛଡ଼ାଇ ସେମାନଙ୍କଠାରୁ ନେଇଯିବାର ମଧ୍ୟ ଆଦୌ କୌଣସି ଆବଶ୍ୟକତା ନାହିଁ । କେବଳ ଗୋଟାଏ ମାତ୍ର ଆବଶ୍ୟକତା ରହିଛି ଯେ, ଯେଉଁମାନେ ଅଧିକ ହୋଇ ରହିଛନ୍ତି, ବହୁ ଅତିରିକ୍ତତା ଭିତରେ ଗନ୍ଧିଆ ହୋଇ ରହିଛନ୍ତି, କଳା ପ୍ରତି, ସୌନ୍ଦର୍ଯ୍ୟ ପ୍ରତି ରହିଥିବା ସେମାନଙ୍କର ଦୃଷ୍ଟିକୋଣରେ ଏକ ମୌଳିକ ପରିବର୍ତ୍ତନ ଘଟିବ ଏବଂ, ଯେଉଁମାନେ ଜୀବନର ସାମାନ୍ୟତମ ଭରଣାଗୁଡ଼ିକରୁ ବଞ୍ଚିତ ହୋଇ ରହିଛନ୍ତି, ସେମାନେ ମଧ୍ୟ ସ୍ଵପ୍ନ ଦେଖିବାକୁ ସାହସ କରିବେ, ସେମାନେ ଏକ ଅନ୍ୟ ପୃଥିବୀରେ ସ୍ଵପ୍ନ ଦେଖିବେ । ଏଠି କେହି କାହାକୁ ଉପେକ୍ଷା କରି ଚାଲିଯିବାକୁ ମୋଟେ ମନ କରିବେ ନାହିଁ ।

 

କେଉଁ ସମାଜରେ ରୁଟିର ବ୍ୟବସ୍ଥା କିପରି ହୋଇଛି, ତାହା ମଣିଷ ମାତ୍ରକେ ସମସ୍ତଙ୍କୁ ଆଖି ଆଗରେ ରଖି ହୋଇଛି ଅଥବା ଅଳ୍ପ କେତେଜଣ ଆପଣାର ଶ୍ରେଣୀଗତ ତଥା ସ୍ଵାର୍ଥଗତ ନାନା ଅହମିକା ଏବଂ ଅସୂୟା ଦ୍ଵାରା ପ୍ରେରିତ ହୋଇ ଆପଣାର ରୁଟି-ବ୍ୟବସ୍ଥାକୁ ଦୋରସ୍ତ ଓ ଅଧିକ କରିବାର ଫିକରରେ ସମାଜର ଅଧିକ ମଣିଷଙ୍କୁ ସେଥିରୁ ବଞ୍ଚିତ କରି ରଖିଛନ୍ତି, ତାହାରି ଉପରେ ହିଁ ସେହି ସମାଜର କଳା ପ୍ରତି ଦୃଷ୍ଟି କିପରି ହେବ, ସେକଥା ପ୍ରାୟ ଗୋଟାସୁଦ୍ଧା ନିର୍ଭର କରୁଛି । ରୁଟିର ବରାଦ ଉପରେ, ଚନ୍ଦ୍ରର ବରାଦ କିପରି ହେବ ତାହା ଅନେକ ପରିମାଣରେ ନିର୍ଭର କରି ଆସିଛି । ଯେଉଁଠି ରୁଟିର ବରାଦଟା ଭାରି ଅବର୍ଜିଆ ଏବଂ ଆପଣାସର୍ତ୍ତିକିଆ ଭାବରେ କରାଯାଇଛି, ସେଠାରେ ଚନ୍ଦ୍ରକୁ ନେଇ କେତେ ମଣିଷଙ୍କର ବିଶେଷ ବାହାଦୂରିଗୁଡ଼ାକ ମଧ୍ୟ ଭାରି ଆବର୍ଜିଆ ହୋଇ ରହିଛି, ପ୍ରଧାନତଃ ଏକ ଗୋପନ କାମୁକତା ଏବଂ ସଭାଭିନୟରେ ପରିଣତ ହୋଇ ରହିଛି । ସାହିତ୍ୟ ସାଆନ୍ତିଆ ହୋଇ ରହିଛି, ଅନେକ ସମୟରେ ତୁଚ୍ଛା ମିଛ ରସିକମାନଙ୍କର ଏକାନ୍ତ କପଟଗ୍ରସ୍ତ କେତେଟା ଆଳଙ୍କାରିକ ରସମୈଥୁନରେ ପରିଣତ ହୋଇ ରହିଛି । ତୁଚ୍ଛା ଛାଗଳମାନେ ଚନ୍ଦ୍ରକୁ ତାମ୍ବୁଳ ମନେ କରି ଏକ ସିଂହବତ୍‍ ସରାଗରେ ତାହାର ଚର୍ବଣ କରିବାରେ ଲାଗିଛନ୍ତି । ଜାତୀୟ ସାହିତ୍ୟ, ଆଧୁନିକ ସାହିତ୍ୟ, ପ୍ରଗତିଶୀଳ ସାହିତ୍ୟ–ଏହିପରି ନାନା ତାଳରେ ଓ ନାନା ଆଳରେ କପଟ ଡମ୍ଵରୁ ଗୁଡ଼ାକ ବାଜିବାରେ ଲାଗିଛି ।

 

କଳା, ସାହିତ୍ୟ ଓ ସଂସ୍କୃତି ନାମରେ ଆବର୍ଜିଆ ସମାଜ ମାନଙ୍କରେ ଯେଉଁସବୁ ଚନ୍ଦ୍ର ଆଖଡ଼ାର ଆଡ଼ମ୍ବର ଚାଲିଛି, ସେଠାରେ ପ୍ରଧାନତଃ ବିରକ୍ତମାନେ ହିଁ ବର ହୋଇ ବସିଛନ୍ତି, ପ୍ରଧାନତଃ ପଳାତକମାନେ ହିଁ ସବୁଠାରୁ ଅଧିକ ପହିଲମାନି ଦେଖାଇବାରେ ଲାଗିଛନ୍ତି । ବହୁ କ୍ଷେତ୍ରରେ ମେଣ୍ଢା ହୋଇ ରହି ଏହି ଗୋଟିଏମାତ୍ର କ୍ଷେତ୍ରରେ ହିଁ ସବୁକିଛିକୁ ହଡ଼ପ କରି ନେଇ ଭେଣ୍ଡାହୋଇ ବସିବେ ବୋଲି ପାଞ୍ଚ କରିଛନ୍ତି । ଆପେ ବହୁପ୍ରକାରେ ଗୋଲାମ ହୋଇ ରହି ଓ ଗୋଲାମ ହୋଇ ରହିବାକୁ ଭଲ ପାଇ ଗୋଲାମ ଦାସକୁ ବ୍ୟଙ୍କ କରି କେତେ ଠାଣିରେ କବିତା ଲେଖୁଛନ୍ତି, ତାହାକୁ ପୁଣି ଆହୁରି ଅନେକ ଗୋଲାମଙ୍କ ମେଳରେ ଏକାଠି ବସି କେଡ଼େ ଆତ୍ମବିସ୍ମୃତ ଭାବରେ ଉପଭୋଗ କରାଯାଉଛି । ମଣିଷ ସହିତ ହିଁ ମଣିଷର ଅସଲ ସୂତ୍ରଗୁଡ଼ିକ ଲାଗି ରହିଛି । ବହୁ ଚାତୁରୀ ସହିତ ସେହି ସୂତ୍ରଗୁଡ଼ିକୁ ଅସ୍ଵୀକାର କରି ଯିଏ ଆପଣାର ତଥାକଥିତ ଚନ୍ଦ୍ରନିଶାରେ ଘାରି ହୋଇ ବସିଛି ଏବଂ ସେହିପରି ବସିବାକୁ ହିଁ ସଂସ୍କୃତିସ୍ଥତା ବୋଲି କହୁଛି, ସିଏ ହେଉଛି ମୂଳତଃ ଜଣେ ବିରକ୍ତ ମଣିଷ, ମୂଳତଃ ଜଣେ ଅବସନ୍ନ ମଣିଷ, ମୂଳତଃ ଜଣେ ପଳାତକ । ସିଏ ବୃହତ୍ତର ଜୀବନରେ ଅନେକ ମଣିଷଙ୍କୁ ଚିତା କାଟି ଲୁଚି କରି ଆପଣାର ଗାତ ଭିତରକୁ ଖସି ପଳାଇ ଆସିଛି, ଗାତଟାକୁ ସାମ୍ରାଜ୍ୟ ମଣୁଛି ଏବଂ ସେହିଠାରୁ ଚନ୍ଦ୍ରଦର୍ଶନରେ ଆନନ୍ଦ ଆହରଣ କରୁଛି । ବେଳେବେଳେ ଭାବିବାକୁ ମନ ହୁଏ, ଯେତେବେଳେ ଏହି ପୃଥିବୀରେ ସମସ୍ତେ ରୁଟିର ଅଧିକାର ଲାଭ କରିବେ ଓ ତେଣୁ ଚନ୍ଦ୍ରର ଆକାଂକ୍ଷା କରି ମଧ୍ୟ ବୃହତ୍ତର ଓ ସୁନ୍ଦର ଆହୁରି କେତେ କ’ଣକୁ ମନ କରିବେ, ସେତେବେଳେ ଆମର ଏହି ପଳାତକ ଓ ବିଶେଷ-କାମୁକମାନଙ୍କର ପ୍ରକୃତରେ କି ଦୁର୍ଦ୍ଦଶା ନ ହେବ ! ସେତେବେଳେ ଚନ୍ଦ୍ର ସଂଜ୍ଞା ହିଁ ବଦଳି ଯିବ । କଳା ଓ ସାହିତ୍ୟ କହିଲେ ଏକ ବିନୋଦନଅର୍ଥାତ୍‍ କ୍ଳାନ୍ତି–ଅପନୋଦନକୁ ନ ବୁଝାଇ ସତକୁ ସତ ଉନ୍ମୋଚନକୁ ବୁଝାଇବ, ସମ୍ପ୍ରସାରଣକୁ ବୁଝାଇବ, ଅନ୍ନରୁ ଆନନ୍ଦ ପର୍ଯ୍ୟନ୍ତ ଆମ ଜୀବନର ଯାବତୀୟ ଭୂମିକୁ ଗୋଟିଏ ସମଗ୍ରତା ମଧ୍ୟରେ ଏକତ୍ର ଠାବ କରି ତଦନୁରୂପ ଭାବରେ ବଞ୍ଚିବାକୁ ବୁଝାଇବ । ପୁରୁଣା ସଜ୍ଞାର ଧୁରନ୍ଧରମାନେ ସେତେବେଳେ ମଧ୍ୟ ଆଖି ବୁଜି ତଥାପି ସେହି ପୁରୁଣା ଚିକିଟାଗୁଡ଼ାକ ଭିତରେ ସାଲୁବାଲୁ ହେଉଥିବେ, ତେବେ ସେମାନଙ୍କୁ ପ୍ରକୃତରେ କେତେ ହୀନିମାନ ଭୋଗିବାକୁ ନ ପଡ଼ିବ ।

 

ସଂସାରଗୋଟାକୁ ଅନ୍ଧାର କରି ରଖି, ସଂସାରର ଅଧିକାଂଶ ମଣିଷଙ୍କୁ ତୁଚ୍ଛା ରୁଟିଟା ଭିତରେ ହରବର ହେଉଥିବା ଅବର ଏବଂ ଅକିଞ୍ଚନ କେତେଟା ପ୍ରାଣୀ ବୋଲି କହି ଯେଉଁମାନେ କେବଳ ନିଜର ଅରାଟିକୁ ହିଁ ଆଲୋକିତ କରିଛନ୍ତି ଏବଂ ତାହାକୁ ହିଁ ଚନ୍ଦ୍ରଲାଭ ବୋଲି ବିଚାର କରୁଛନ୍ତି, ସେମାନେ ପୃଥ୍ୱୀଜୀବନର ଉଦୟପଥରେ ପ୍ରକୃତରେ କେଡ଼େ ବଡ଼ ପ୍ରତିବନ୍ଧକ ହୋଇ ରହିଛନ୍ତି । ଆପଣା ଜୀବନରେ ମଧ୍ୟ ଅସଲ ଉଦ୍‍ଘାଟନଗୁଡ଼ିକ ଲାଗି ସେମାନେ ଅର୍ଗଳ ପରି କାର୍ଯ୍ୟ କରୁଛନ୍ତି । ତେଣୁ ଏହି ପୃଥିବୀରେ ସେମାନଙ୍କୁ କେହି ବୁଝିଲେ ନାହିଁ ଏବଂ ମଣିଷ ଗୁଡ଼ାକ ଅଯୋଗ୍ୟ ହୋଇଥିବାରୁ ଏଠି ଚନ୍ଦ୍ରର ଆଦର ବଢ଼ିଲା ନାହିଁ ବୋଲି କେତେ ଖେଦ କରି କହିବାରେ ଲାଗିଛନ୍ତି । ଯେଉଁ ପୃଥିବୀରେ ଅଧିକରୁ ଅଧିକ ମଣିଷଙ୍କ ପାଖରେ ଜୀବନକୁ ଜୀବନ ବୋଲି ବୁଝିବା ଲାଗି ଆବଶ୍ୟକ ଅନ୍ନ ନାହିଁ ଏବଂ ବାସ ନାହିଁ, ଦେହରେ ବଳ ଥିଲେ ମଧ୍ୟ ଯେଉଁମାନେ ତଥାପି ଅଲୋଡ଼ା ହୋଇ ପଡ଼ିଛନ୍ତି, ଯେଉଁ ପୃଥିବୀରେ ଅଧିକ ମଣିଷ ନିରକ୍ଷର ହୋଇ ରହିଛନ୍ତି, ସେଠି ଅଳପ କେତେକ ମଣିଷ ନିତାନ୍ତ ଜବରଦଖଲ କରି ରହିଥିବା ଚନ୍ଦ୍ରଟାକୁ କିଏ କିପରି ସ୍ଵୀକାର କରିବାକୁ ଆସିବ, କାହିଁକି ବା ସ୍ଵୀକାର କରିବ ? ତୁମ ସଭାଘରର ସୋମରସ–ସୁଆଙ୍ଗ ଗୁଡ଼ାକୁ କିଏ କାହିଁକି ସ୍ଵୀକୃତି ଦେବାକୁ ଆସିବ ? ଯେଉଁ ଚନ୍ଦ୍ରର ଆୟତନ ମଧ୍ୟରୁ ଅଧିକାଂଶ ମଣିଷଙ୍କୁ ବହିଷ୍କୃତ କରି ରଖାଯାଇଛି, ମଣିଷ ଲାଗି ଏବଂ ପୃଥିବୀ ଲାଗି ଏବଂ ପୃଥିବୀ ଲାଗି ଏକ ଅନ୍ୟ ଭାଗ୍ୟର ପ୍ରସ୍ତୁତ କରୁଥିବା ଯୁଗର ବିଧାତା କାହିଁକି ସେହି ଚନ୍ଦ୍ରକୁ ଆଦୌ ଚନ୍ଦ୍ର ବୋଲି କହିବାକୁ ମନ କରିବ ?

 

ସୁନ୍ଦର ଦେଖିବା, ସୁନ୍ଦର ଦିଶିବା, ଘର ଭିତରେ ବହୁ ସୁନ୍ଦର ଜିନିଷ ଆଣି ସଜାଇ ତଦ୍ଦ୍ଵାରା ଘର ସୁନ୍ଦର ଦିଶିଲା ବୋଲି ଢମ କରିବା, ସୁନ୍ଦର ଶବ୍ଦଗୁଡ଼ିକର ଧାଡ଼ି ବସାଇ କିଛି ଲେଖି ପକାଇବା ଏବଂ ଆପଣାର ନିତ୍ୟନୈମିତ୍ତିକ ସେନ୍ତରା ଜୀବନ ଭିତରୁ ସତେଅବା ଆପଣା ସହିତ ରତି କରି ଘଡ଼ିଏ ଗେହ୍ଲା ହେବାପାଇଁ ଛୁଟି ନେଇ ସୁନ୍ଦର କରି ଅଲଗା କିଛି ଭାବିବା ବା କହିବା–ସୁନ୍ଦର କହିଲେ କ’ଣ କେବଳ ଏତିକି କଥାକୁ ବୁଝାଏ ? ଆମ ସାଆନ୍ତମାନେ ଲେଖିଥିବା ତଥାକଥିତ ସୌନ୍ଦର୍ଯ୍ୟଶାସ୍ତ୍ର ମାନଙ୍କରେ ପ୍ରଧାନତଃ ସେହିକଥା କୁହାଯାଇ ଆସିଛି । ଅନେକ ମଣିଷଙ୍କୁ ଅସୁନ୍ଦର ଭିତରେ ବୋଲ ମାନି ବାଧ୍ୟ ହୋଇ ରହିବାର ଚକ୍ରାନ୍ତରେ ସାହାଯ୍ୟ କରୁଥିବା ସାଆନ୍ତମାନେ ସୌନ୍ଦର୍ଯ୍ୟ ବିଷୟରେ ଆଉ ଅଧିକ କ’ଣ ଲେଖି ପାରିଥାନ୍ତେ ? ପଣ୍ୟକୁ ଜୀବନୋଦୟର ଏକ ଅନ୍ୟତମ ଶକ୍ତିରୂପେ ନ ଦେଖି କେବଳ ପୁଣ୍ୟରୂପେ ଦେଖୁଥିବା ଏବଂ ଅର୍ଥକୁ ମଧ୍ୟ ଜୀବନୋତ୍ତୋଳନର ଏକ ଶକ୍ତିରୂପେ ନ ଦେଖି କେବଳ କ୍ଷମତା ଓ କର୍ତ୍ତୃତ୍ୱର ପ୍ରମତ୍ତକାରିଣୀ ଗଣିକାରୂପେ ଦେଖୁଥିବା ଓ ତାକୁ ଭୋଗ କରିବାକୁ ହିଁ ତାହାର ଏକମାତ୍ର ଉପଯୋଗିତା ବୋଲି ଧରି ନେଇଥିବା ସଭ୍ୟତାଭୋଜୀ ସାମନ୍ତମାନେ ଆଉ ଅଧିକ କ’ଣ କରି ପାରନ୍ତେ ? ସୁନ୍ଦର ହେବା କ’ଣ ସୁନ୍ଦରର ଅସଲ କଥା ନୁହେଁ ?

 

ତୁମେ ଆଉ ଯେତେ ଯାହା ରୀତିରେ ଅଥବା ଅଭ୍ୟସ୍ତତା ମଧ୍ୟରେ ସୁନ୍ଦର ନାମରେ ଯାହାକିଛି କରୁଥାଅ ପଛକେ, ସେହି ସବୁଯାକ ଧର୍ମତଃ ମଣିଷର ସୁନ୍ଦର ହେବାରେ, ଅଧିକରୁ ଅଧିକ ମଣିଷ ଅଧିକରୁ ଅଧିକ ସୁନ୍ଦର ହେବାରେ ହିଁ ସତକୁ ସତ ସାଧନରୂପେ ବ୍ୟବହୃତ ହୋଇପାରିବା କ’ଣ ମନୁଷ୍ୟର ଯାବତୀୟ ସୌନ୍ଦର୍ଯ୍ୟ ଚିନ୍ତାର ସବୁଠାରୁ ବଡ଼ କଥା ନୁହେଁ ? ପ୍ରବଞ୍ଚନା କରି ବଞ୍ଚିବା, କ୍ଷମତାରେ ଫୁଲି ଆହୁରି ଆହୁରି ବଡ଼ ଦେଖାଯିବା, ଶ୍ରେୟଃସ୍କର ଭାଣ କରି ଗୁଡ଼ାଏ ଅଫିମକୁ ହିଁ ଗିଳିବାରେ ଲାଗିଥିବା, ସମସ୍ତଙ୍କ ସହିତ ସତକୁ ସତ ସମ୍ବଳିତ ହୋଇ ନ ପାରିବାର ଅସମର୍ଥତା ହେତୁ ଆପଣାର କୋପନଯୁକ୍ତ ଅନ୍ୟ ଗଳିମାନଙ୍କରେ ଚନ୍ଦ୍ରଲୋକର ଆନନ୍ଦ ପାନ କରୁଥିବା–ଏ ଗୁଡ଼ାକ ସୌନ୍ଦର୍ଯ୍ୟର ବାଟ ନୁହେଁ । ତୁମେ ଯେ ବାଟକୁ ହୁଡ଼ିଛ, ନିଜ ଭିତରେ କେନ୍ଦ୍ରଟିକୁ ହୁଡ଼ିଛ ଏବଂ ସଖ୍ୟ ଖୋଜିବାର ଅସଲ ସୂତ୍ରଟିକୁ ଆଉ କୋଉ ବାଉଳାରେ ପଡ଼ି ଛାଡ଼ି, ଆସିଛି, ଏସବୁ ପ୍ରଧାନତଃ ତାହାରି ନିଦର୍ଶନ । ଏଗୁଡ଼ାକୁ ନେଇ ତୁମେ ଆଗକୁ ମୋଟେ ବେଶି ବାଟ ଚାଲି ପାରିବ ନାହିଁ ।

 

ସଂସାରରେ ଦଶ ଦଶ ଜଣ ମଣିଷଷ ଗୋଟିଏ ବଖରା ଭିତରେ ରହିବାଲାଗି ବାଧ୍ୟ ହେଉଥିବାବେଳେ ତେଣେ ଜଣେ ଜଣେ ମଣିଷ ଦଶ ଦଶ ବଖରା ମାଡ଼ି ବସିଥିବେ, ବହୁ ଘରେ ଜୀବନର ସର୍ବନିମ୍ନ ଆବଶ୍ୟକତା ଗୁଡ଼ିକର ଦାରୁଣ ଅବକ୍ଷୟକାରୀ ଅଭାବ ରହିଥିବା ବେଳେ ଅଳ୍ପସଂଖ୍ୟକ ଥୋକେ ମଣିଷ ତୁଚ୍ଛା ଅତିରିକ୍ତତାଗୁଡ଼ାକୁ ସତେଅବା ପରମ ଆବଶ୍ୟକତା ବୋଲି କୁଣ୍ଢାଇ ଧରିଥିବେ, ଗାଆଁରେ ପଞ୍ଚାନବେ ପିଲାଙ୍କ ଲାଗି ଗଛତଳେ ବସି ପାଠ ପଢ଼ିବାର ଆବଶ୍ୟକ ସରଞ୍ଜାମ ନଥିବାବେଳେ ତେଣେ ଶୈଳଶିଖରେ ଉପରେ ମାତ୍ର ପାଞ୍ଚଜଣଙ୍କ ନିମନ୍ତେ ସୁନା ରୂପାରେ ବିଦ୍ୟାଳୟ ଗଢ଼ା ଯାଉଥିବ ଏବଂ ତାହାକୁ ହିଁ ଏକ ଅଭୁତପୂର୍ବ ଉଦୟର ବାଟ ବୋଲି ଉଡ଼ିଙ୍ଗି ମରା ଯାଉଥିବ–ଏସବୁ ଆଦୌ ସୁନ୍ଦର କଥା ନୁହେଁ, ଏସବୁ ଅସୁନ୍ଦର କଥା ।

 

ଏସବୁ ଆଦୌ କଥା ନୁହେଁ, ନିତାନ୍ତ ଅକଥା । ତେଣୁ ଯଦି କେହି ସତକୁ ସତ ଚନ୍ଦ୍ରର ମର୍ଯ୍ୟାଦା ବୁଝିଥିବ, ସିଏ ସବୁ ମଣିଷଙ୍କର ରୁଟିର ଆବଶ୍ୟକତାକୁ ମଧ୍ୟ ବୁଝିବ । ସୌନ୍ଦର୍ଯ୍ୟକୁ ସାହିତ୍ୟର କୌଣସି ତତ୍‍କାର ହୃଦବିସ୍ତାର ବୋଲି କହିଛନ୍ତି । ଅନ୍ନ, ବିଦ୍ୟା ଏବଂ ଅନ୍ୟ ବହୁ ସମ୍ଭାବନାର ସଂସାରକୁ ମାତ୍ର କେତେଜଣଙ୍କର ଭାଗ୍ୟ ଓ ଅକ୍ତିଆର ଭିତରେ ବାଡ଼ ଦେଇ ରଖି ଆମେ କଦାପି ହୃଦ୍‍ବିସ୍ତାର ଆଡ଼କୁ ଅଗ୍ରସର ହୋଇପାରିବା ନାହିଁ । ସମସ୍ତ ପୃଥିବୀ ବର୍ତ୍ତମାନ ପ୍ରାୟ ସେହିପରି ଏକ ବିଡ଼ମ୍ବନା ଭିତରେ ପଡ଼ି ମନ୍ଥି ଚକଟି ହେଉଛି ଭାରି ଅସୁନ୍ଦର ହୋଇ ରହିଛି । ତେଣୁ ଏଠି ସତେଅବା ଫିସାଦ କରି ରୁଟିଠାରୁ ଚନ୍ଦ୍ରକୁ ଭିନେ ଭିନେ କରି ଦେଖାଇବାର ନାନା ଅକୁଶଳ ଓ ଅକଳାତ୍ମକ ଚେଷ୍ଟା ମଧ୍ୟ କରାଯାଉଛି । ଧନ ଅପର୍ଯ୍ୟାପ୍ତ ଅଛି, ଏଣେ ଦାରିଦ୍ର୍ୟ ଅଛି । ବିଦ୍ୟା ଅପର୍ଯ୍ୟାପ୍ତ ରହିଚି, ବିବେକ ଆଗକୁ ଆସିବାକୁ ସାହସ କରି ପାରୁନାହିଁ । ନିକିମା ଅଣ୍ଡିରା ମହୁମାଛିମାନେ ହିଁ ସବୁଠାରୁ ଅଧିକ ବୀରତ୍ଵ ଦେଖାଇ ଏଠି ରସିକତାର ଓ ଚନ୍ଦ୍ରର କଥା କହିବାରେ ଲାଗିଛନ୍ତି । ସେହିମାନଙ୍କର କାନ୍ଧ ଉପରେ ଥାଇ ବେତାଳ ହିଁ ହିଁ ହୋଇ ହସୁଛି । (୫ । ୫ । ୮୮)

 

(୪୩)

 

ରୁଟି ଆଉ ଚନ୍ଦ୍ରକୁ ଯେଉଁମାନେ ଭିନେ ଭିନେ କରି ଦେଖନ୍ତି ଓ ବିଚାର କରନ୍ତି ଏବଂ ଆପଣାର ଚନ୍ଦ୍ରକୁ ଆବୋରି ଧରି ଯାବଜ୍ଜୀବନ ପାଞ୍ଚିପାରିବେ ବୋଲି ଆବଶ୍ୟକତାରୁ ଅଧିକ ରୁଟିକୁ ମଧ୍ୟ ଆବୋରି ଅସିଥାନ୍ତି, ସେମାନେ ରୁଟିର ଅଭାବ ରହିଥିଲେ ମଧ୍ୟ ମନୁଷ୍ୟ ଚନ୍ଦ୍ର ସହିତ ଅବଶ୍ୟ ସଂଯୋଗ ରଖି ବାସ କରି ପାରିବବୋଲି କେଡ଼େ ସରଳ ଭାବରେ ଯୁକ୍ତିମାନ ବାଢ଼ିଥାନ୍ତି । ଚନ୍ଦ୍ର କହିଲେ ସେମାନେ ସଂସ୍କୃତିକୁ ବୁଝନ୍ତି । ଏବଂ ରୁଟି କହିଲେ ଟେକ୍‍ନୋଲଜି ଦ୍ୱାରା ଉପଲବଧି ହେଉଥିବା ସାମଗ୍ରୀ ଏବଂ ସମ୍ବଳଗୁଡ଼ାକୁ ବୁଝନ୍ତି । ଅର୍ଥାତ୍‍, ଯେଉଁ ସମାଜରେ ଟେକନୋଲଜି ଅଧିକ ଉନ୍ନତ, ସେହି ସମାଜରେ ମଣିଷମାନଙ୍କ ଲାଗି ରୁଟିର ଆଦୌ କୌଣସି ଅଭାବ ରହିବ ନାହିଁ ବୋଲି ସେମାନେ ଧରି ନେଇଥାନ୍ତି । ଗୋଟାଏ ସମାଜ–ବ୍ୟବସ୍ଥାରେ ଟେକ୍‍ନୋଲଜି କାହା ହାତରେ ରହିଛି, କିପରି ହିସାବ ଅର୍ଥାତ୍ କିପରି ବିବେକରେ ଚାଲିଛି, ସେଗୁଡ଼ାକ ଉପରେ କୌଣସି ଅପେକ୍ଷା ନ ରଖି ଟେକ୍‍ନୋଲଜି ସାହାଯ୍ୟରେ ଉତ୍ପାଦନ ବୃଦ୍ଧିପାଇବା ଦ୍ଵାରା ଲୋକମାନଙ୍କର ଦାରିଦ୍ର୍ୟ ଅବଶ୍ୟ ଦୂର ହୋଇଯିବ ବୋଲି ସେମାନେ ବିଚାର କରୁଥାନ୍ତି । ସଂସ୍କୃତିକୁ କୌଣସି ସମାଜର ହୃଦୟ ବୋଲି କୁହାଯାଇ ପାରିବ । ହୁଏତ କେତେକ ଅର୍ଥରେ ସମାଜର ମସ୍ତିସ୍କ ବୋଲି ମଧ୍ୟ କୁହାଯାଇ ପାରିବ । ସମାଜର ହୃଦୟ ଓ ସମାଜର ମସ୍ତିଷ୍କ ସମାଜର ଉଦରତା ଉପରେ ଆଦୌ କୌଣସି ଉପେକ୍ଷା ରଖିବ ନାହିଁ, ଏହି କଥା ଏକ ଅସୁସ୍ଥ ସମାଜରେ ସାମଗ୍ରୀର ସିଂହଭାଗଗୁଡ଼ିକୁ ମାଡ଼ି ବସିଥିବା ସଭ୍ୟତାଭୋଜୀ କେବଳ ବର୍ବରମାନେ ହିଁ କହିପାରନ୍ତି । ହୃଦୟ ଉଦରକୁ ମଧ୍ୟ ଦେଖିବ । ଉଦରକୁ ସାଙ୍ଗରେ ନେବ । ଅବଶ୍ୟ, ଯୋଉ ବିଶେଷମାନେ ହୃଦୟ କହିଲେ ସମ୍ବନ୍ଧଗତ ଏକ ବିସ୍ତାରକୁ ନ ବୁଝି କିଳା ହୋଇ ରହିଥିବା ଏକ ବହୁ କାମରତ ଗୁମ୍ଫାଟିକୁ ବୁଝନ୍ତି, ସେମାନଙ୍କ କଥା ଅତ୍ୟନ୍ତ ସୁନିଶ୍ଚିତ ଭାବରେ ନିଆରା ହେବ । ସେମାନେ ସମାଜ ଭିତରେ ବାସ କରୁଥାନ୍ତି । ସମାଜକୁ ଅର୍ଥାତ୍ ସର୍ବଜନଙ୍କୁ ଅଧିକରୁ ଅଧିକ ଝୁଣି ଆପେ ଅଧିକରୁ ଅଧିକ ଗୁରୁ ହୋଇ ଦିଶିବାକୁ ହିଁ ନିଜ ମାନବଜନ୍ମର ସବୁଠାରୁ ବଡ଼, ସଫଳତା ବୋଲି ମଣନ୍ତି,– ତଥାପି ସମାଜରେ ନ ଥାନ୍ତି, ଏଠି ମୋଟେ କାହାରି ହୋଇ ନ ଥାନ୍ତି ।

 

ସେହିମାନେ ଅନେକ ସମୟରେ ଏକ ଅପ୍ରତିରୋଧ ଆତ୍ମରତିର କବଳରେ ପଡ଼ି କହନ୍ତି ଯେ, ‘‘ଉଚ୍ଚକୋଟୀର ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଚରମ ଦାରିଦ୍ର୍ୟର ସହାବସ୍ଥାନ କିଛି ଅସମ୍ଭବ ନୁହେଁ ।’’ ସମ୍ଭବତଃ ଅତି ଅବଚେତନ ଅଥବା କ୍ଷିପ୍ର ଭାବରେ ସଂସ୍କୃତି କହିଲେ ସେମାନେ ମୂଳତଃ ନୃତ୍ୟ, ସଙ୍ଗୀତ ଓ ସେହି ଜାତିର କେତଟା କଥାକୁ ବୁଝି ପକାଉଥାନ୍ତି । ବାବୁମାନେ ସଚରାଚର ଗରିବମାନଙ୍କର ନୃତ୍ୟ, ଗୀତ ଆଦି ଦେଖି ସେହିପରି କେତେକେତେ ଉପସଂହାର କରିଛନ୍ତି । ସେମାନେ ଆଦିବାସୀଙ୍କର ଗୀତ ସଂଗ୍ରହ କରନ୍ତି, ଲୋକଗୀତ ଓ ଲୋକକଥାଗୁଡ଼ିକୁ ଏକାଠି ଗଦା କରି ଅଥାର ଖଞ୍ଜି ଦିଅନ୍ତି, ଗାଆଁ ରେ ଝୋଟି ଓ ଚିତାକୁ ଆଣି ସହରରେ ପ୍ରଦର୍ଶନୀ ଫାନ୍ଦନ୍ତି, ଓଡ଼ିଶାର ପିତଳ ଖଡ଼ୁ, ପୋହଳା କଣ୍ଠି, ପନିକି ଆଉ କୋରଣାକୁ ନେଇ ବିଲାତ ଓ ଆମେରିକାରେ ଫୁଲେଇ ହୁଅନ୍ତି । ଆଦିବାସୀ ନାଚର ଫଟୋ ଉଠାଇ ବିଦେଶୀ ପତ୍ରିକାମାନଙ୍କରେ ଛାପନ୍ତି ଓ ଓଡ଼ିଶାକୁ ଆନ୍ତର୍ଜାତିକ ଦାଣ୍ଡରେ ଆଣି ଥୋଇଦେଇ ପାରିଲେ ବୋଲି କେଡ଼େ ପୁଲକିତ ହୁଅନ୍ତି । ଏବଂ, ସତେଅବା କେତେ ପ୍ରେମରେ ଉଚ୍ଚ କୋଟୀର ସଂସ୍କୃତି ଓ ଚରମ ଦାରିଦ୍ର୍ୟର ସହାବସ୍ଥାନ ଅଲବତ ସମ୍ଭବ ବୋଲି ଏଡ଼େ ପାଟି କରି କହିବାରେ ଲାଗିଥାନ୍ତି । ଏହି କିସମର ବାବୁ ଓ ବାବୁଆଣୀମାନେ ଭାରତବର୍ଷର ଅଧିକାଂଶ ମଣିଷ ଚରମ ଦାରିଦ୍ର୍ୟ ମଧ୍ୟରେ ରହିଥିଲେ ମଧ୍ୟ ଭାରତବର୍ଷର ମଣିଷମାନେ ଉଚ୍ଚକୋଟିର ସଂସ୍କୃତି ମଧ୍ୟରେ ଚଳପ୍ରଚଳ ହେଉଛନ୍ତି ବୋଲି ପ୍ରମାଣ କରିବାକୁ ଉଡ଼ାଜାହାଜରେ ଭାରତୀୟ ସଂସ୍କୃତିରୂପକ ସର୍କସପାର୍ଟିକୁ ବୁହାଇ ପୃଥିବୀଯାକ ଉତ୍ସବ କରି ବୁଲୁଥାନ୍ତି । ଏଣେ ଭାରତରେ କୁଆ ଉଡ଼ୁ ଥାଆନ୍ତି । ମରୁଡ଼ିକୁ ସମ୍ଭାଳି ହୁଏନାହିଁ କି ବଢ଼ିକୁ ମଧ୍ୟ ସମ୍ଭାଳି ହୁଏନାହିଁ । ମାଳ ମାଳ ବେକାର ଉଆସ ଫାଟକମାନଙ୍କରେ ବିକ୍ଷୋଭ କରୁଥାନ୍ତି । ପେଟ ବିକଳରେ ଇଜ୍ଜତ ବିକା ହେଉଥାଏ ଏବଂ ସେଗୁଡ଼ିକକୁ ପ୍ଲଟ୍ ରୂପେ ବ୍ୟବହାର କରି ଯୁଗାନ୍ତକାରୀ ଗଳ୍ପ ଓ ଉପନ୍ୟାସ-ସାହିତ୍ୟର ସୃଷ୍ଟି ହେଉଥାଏ ।

 

ଏହିସବୁ ବାହାଦୂରିଆ ସଂସ୍କୃତିପଣ ଦେଖି ବେଳେବେଳେ ବାବୁମାନଙ୍କୁ କହିବାକୁ ମନ ହୁଏ, ବାବୁମାନେ ଯଦି ତୁମେମାନେ ସମ୍ପତ୍ତି ଅପେକ୍ଷା ସଂସ୍କୃତିକୁ ସତକୁ ସତ ଅଧିକ ବୋଲି ଅନୁଭବ କରୁଛ, ଯଦି ଚରମ ଦାରିଦ୍ର୍ୟ ଏବଂ ଉଚ୍ଚକୋଟୀର ସଂସ୍କୃତି ମଧ୍ୟରେ ସହାବସ୍ଥାନ ଆଦୌ ଅସମ୍ଭବ ନୁହେଁ ବୋଲି ତୁମର ଆତ୍ମା କହୁଛି, ତେବେ ଏଠି କୋଠାଗୁଡ଼ାକୁ କାମୁଡ଼ି କରି କାହିଁକି ପଡ଼ିଛ, କାହିଁକି ପରସ୍ପର ସହିତ କ୍ରୂର ଅସଭ୍ୟ ପ୍ରତିଯୋଗିତା କରି ନିଜର ଧନ ବଢ଼ାଉଛ, ପଦ ଓ ମାନ ବଢ଼ାଉଛ ଟିକିଏ ପ୍ରସିଦ୍ଧ ହୋଇ ଦିଶିବ ବୋଲି କେତେ ମଣିଷକୁ ହସି ହସି ପାତାଳକୁ ଚାପି ଦେଉଛ, ଆପେ ଟିକିଏ ମୋଟା ହୋଇ ଦିଶିବ ବୋଲି କେତେ ମଣିଷଙ୍କର ପିତ୍ତ ଖାଇ ବୁଲୁଛ ? ଯୋଉମାନେ ନାଚୁଛନ୍ତି, ଅଧ ଉପାସ ରହି ମଧ୍ୟ କଷଣ ଭୁଲିବାକୁ ସଂଗୀତ ଗାଉଛନ୍ତି, ଘରେ ଚାଉଳ ନ ଥିଲେ ମଧ୍ୟ ଗୁରୁବାରକୁ ଗୁରୁବାର ଚିତା ଲେଖୁଛନ୍ତି ଓ ଦୁଆରେ ମୁରୁଜ ପକାଉଛନ୍ତି, ତୁମେ ଥରେ ସେହିମାନଙ୍କୁ ନିଜ ସହିତ ସ୍ଵୀକାର କରିନେଇ ପାରୁନାହଁ କାହିଁକି ? ସେମାନେ ବହୁ ଅସହାୟତାର ଜଙ୍ଗଲ ମଧ୍ୟରେ ଚରିବୁଲି ଉଦର ଭରିବାକୁ ଯାହା ଖାଉଛନ୍ତି, ଏବଂ ତଥାପି ତୁମ କ୍ୟାମେରାର କାମନାପୂରଣ ଲାଗି ଉଚ୍ଚକୋଟିର ସଂସ୍କୃତିଗୁଡ଼ାକୁ ବଞ୍ଚାଇ ରଖିଛନ୍ତି, ତୁମେ ଅନ୍ତତଃ ଦିନକପାଇଁ ଅଥବା ମାସକପାଇଁ ସେହିମାନଙ୍କ ପରି ହୋଇ ପାରୁନାହଁ କାହିଁକି ? ଯଦି ଚରମ ଦାରିଦ୍ର୍ୟ ଏବଂ ଉଚ୍ଚକୋଟୀର ସଂସ୍କୃତି ମଧ୍ୟରେ ସହାବସ୍ଥାନ ଆଦୌ ଅସମ୍ଭବ ନୁହେଁ, ତେବେ ଚରମ ଧନକାମୁକତା, ଯଶଃଲୋଭିତା ଏବଂ ହୀନତମ ସଂସ୍କୃତିହୀନତା ମଧ୍ୟରେ ବି ଏକ ସହାବସ୍ଥାନ କାହିଁକି ସମ୍ଭବ ନହେବ ? ନା ତୁମେ କ’ଣ ଅପରର ସଂସ୍କୃତିକୁ ଦେଖାଇ ସ୍ଵୟଂ ବଳିଷ୍ଠ ହେବାକୁ ଜନ୍ମହୋଇଛ ଓ ସେହି ଅପରମାନେ ତୁମର ସୌଖିନ ସାଧବପଣକୁ ମିଛ ପୁଚ୍ଛ ଦେଇ ସଜାଇ ରଖିବାକୁ ଓ କାଳକୁ ଭଣ୍ଡାଇ ରଖିବାକୁ ବାଧ୍ୟ ହୋଇ ଠିକା ନେଇଛନ୍ତି ?

 

ହଁ, ଇତିହାସରେ ଆଉ ଏକ ଅନ୍ୟ ସ୍ତରର ଏକ ଅନ୍ୟ କିସମର ଦାରିଦ୍ର୍ୟର ଦୃଷ୍ଟାନ୍ତ ରହିଛି ଯାହାକୁ ସଂସ୍କୃତି–ଇତିହାସର ସମୀକ୍ଷକମାନେ Voluntary poverty ବୋଲି କହିଛନ୍ତି-। ଜଣେ ବ୍ୟକ୍ତି, ସ୍ଵେଚ୍ଛାପ୍ରବୃତ୍ତ ଭାବରେ ଆପଣା ଲାଗି ଦାରିଦ୍ର୍ୟକୁ ସ୍ଵୀକାର କରିନେଇପାରେ । ବସ୍ତୁତଃ ଅନେକ କ୍ଷେତ୍ରରେ ସଂସ୍କୃତି ଲାଗି ଏକ ଯଥାର୍ଥ ରୁଚି ତୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଓ ତାହାହିଁ ଜୀବନରେ ଅନ୍ୟ ସବୁକିଛିର ମୀମାଂସକ ରୂପେ ସ୍ଵୀକୃତ ହେବା ସଙ୍ଗେ ସଙ୍ଗେ ମଣିଷର ସମ୍ପତ୍ତିଲାଳସା ପ୍ରାୟ ଆପେ ଆପେ ତାକୁ ଛାଡ଼ି ଚାଲିଯାଏ । ନିଜର ଜୀବନରେ ଯାବତୀୟ ତାତ୍କାଳିକତାକୁ ପରିତ୍ୟାଗ କରି କୌଣସି ଏକ ବୃହତ୍ତର ମୂଲ୍ୟାନୁଭୂତି ଲାଗି ବଞ୍ଚିବାର ଅନ୍ୟ ଶ୍ରଦ୍ଧାଟିଏ ଅର୍ଥାତ୍ ଜିଦଟିଏ ଜନ୍ମଲାଭ କରିବା ସଙ୍ଗେ ସଙ୍ଗେ ସାମଗ୍ରୀବହୁଳତା ତେଣିକି ଆଉ ମୋଟେ ଭଲ ଲାଗେନାହିଁ । ସେଥିଲାଗି ଜଣେ ବ୍ୟକ୍ତିକୁ କେହି ବାଧ୍ୟ କରେନାହିଁ । ସିଏ ମନକୁ ତାହା କରେ, ମନକୁ ମନ ଦାରିଦ୍ର୍ୟକୁ ବରଣ କରିନିଏ । ଦାରିଦ୍ର୍ୟକୁ ବରଣ କରୁଛି ବୋଲି ଆଦୌ କୌଣସି ପ୍ରକାରେ ସଚେତନ ନହୋଇ ଏବଂ କୌଣସି ପ୍ରଦର୍ଶନ ନ କରି ସେ ଦରିଦ୍ର ହୋଇଯାଏ । ଅର୍ଥାତ୍, ଆପଣାର ସ୍ୱନିର୍ବାଚିତ ଅସଲ ଧନରେ ଧନ୍ୟ ହୁଏ, ଆପଣାର ସ୍ଵନିର୍ବାବିତ ଗୁଣମାନଙ୍କରେ ପ୍ରକୃତରେ ଗୁଣସମ୍ପନ୍ନ ହୁଏ, ସେ ଜୀବନରେ ଯଥାର୍ଥ ଔଜ୍ଜ୍ୱଲ୍ୟ ପାଇ ଯାଇଥାଏ ଏବଂ ତେଣୁ ତଥାକଥିତ ବହୁ ଅତ୍ୟାବଶ୍ୟକତା ତା’ ଉପରୁ ଗୋଟିଏ ଗୋଟିଏ ନିତାନ୍ତ ଅନାବଶ୍ୟକତା ବୋଲି ସାବ୍ୟସ୍ତ ହୋଇ ବଳେବଳେ ଆଡ଼େଇ ହୋଇଯାଆନ୍ତି । ଜୀବନର ଅସଲ ସଂସ୍କାର ସେତିକିବେଳେ ପ୍ରକଟ ହୋଇଆସେ, ଅସଲ ସଂସ୍କୃତି ସେତିକିବେଳେ ଦାରିଦ୍ର୍ୟର ସହାବସ୍ଥିତ ଏକ ଭୂଷଣ ପରି ହୋଇ ରହିଥାଏ । ଏସବୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ହୁଏ ।

 

ଠିକ୍‍ ସେହିପରି କୌଣସି ବିଶେଷ ସମୂହ ମଧ୍ୟ ଆପଣା ସମଗ୍ର ଜୀବନ ଦୃଷ୍ଟିର ଏକ ଅଙ୍ଗ ହିସାବରେ ଦାରିଦ୍ର୍ୟକୁ ବାଛି ନେଇପାରେ, ସାମଗ୍ରୀ-ବହୁଳତା ଠାରୁ ଦୂରରେ ରହିବାକୁ ହିଁ ଅସଲ ଧନାଢ଼୍ୟତା ଏବଂ ସମ୍ପନ୍ନତା ବୋଲି ଗ୍ରହଣ କରି ନେଇପାରେ । ପ୍ରାଚୀନ ଭାରତବର୍ଷରେ ବ୍ରାହ୍ମଣ ସମଗ୍ର ସମାଜରେ ଏହିପରି ଏକ ଅପତଦରିଦ୍ର ଜୀବନକୁ ବାଛି ନେଇଥିଲା । ଆମର ଏ ଯୁଗରେ ଆମେ ମହାତ୍ମା ଗାନ୍ଧୀକୁ ସ୍ଵେଚ୍ଛାକୃତ ଦାରିଦ୍ର୍ୟର ଜଣେ ବାର୍ତ୍ତାବହ ବୋଲି ଗଣନା କରିପାରିବା । ମହାତ୍ମା ଗାନ୍ଧୀ ପୃଥିବୀରେ ସବୁ ମଣିଷଙ୍କ ଲାଗି ଏକ ସର୍ବନିମ୍ନ ଧନସମର୍ଥତାର ସ୍ଵପ୍ନ ଦେଖୁଥିଲେ ଏବଂ ସେଥିଲାଗି ଇଚ୍ଛାକୃତ ଭାବରେ ଏକ ଯଥାସମ୍ଭବ ଅଳ୍ପ ସାମଗ୍ରୀର ଜୀବନକୁ ବାଛି ନେଇଥିଲେ । ଅନେକ ମଣିଷଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକରୁ ବଞ୍ଚିତ କରି ନିଜେ ଅତ୍ୟଧିକ ସାମଗ୍ରୀ ଠୁଳ କରି ରଖିବାକୁ ସେ ଅପରାଧ ବୋଲି କହୁଥିଲେ । ସେ ଏପରି ଏକ ସମାଜର କଳ୍ପନା କରୁଥିଲେ, ଯେଉଁଥିରେ ସମ୍ପତ୍ତି ଅପେକ୍ଷା ସମ୍ବନ୍ଧ ଅଧିକ ବଡ଼ ହୋଇ ରହିଥିବ, ସାମଗ୍ରୀଲୋଭ ନ ଥିବ, ଶ୍ରଦ୍ଧା ଓ ସହଭାଗିତା ହିଁ ସବୁଠାରୁ ବଡ଼ ମୂଲ୍ୟରୂପେ ଅନ୍ୟ ଯାବତୀୟ ମୂଲ୍ୟ ଓ ଆଦର୍ଶଗୁଡ଼ିକର ନିୟନ୍ତ୍ରଣ କରୁଥିବ । ଏକଦା ଯୀଶୁଖ୍ରୀଷ୍ଟ ମଧ୍ୟ ପୃଥିବୀର ମନୁଷ୍ୟମାନଙ୍କୁ ସେହି ଉଦ୍‍ବୋଧନ ଦେଇଥିଲେ । ଛୁଞ୍ଚିର କଣା ଭିତର ଦେଇ ଓଟଟାଏ ଗିଳିଯାଇ ପାରିବା ହୁଏତ ସମ୍ଭବ ହେବ, ମାତ୍ର ଜଣେ ସମ୍ପତ୍ତି-ଅଧିକାରୀ ଧନୀ ମଣିଷ ପକ୍ଷରେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବା କଦାପି ସମ୍ଭବ ହେବ ନାହିଁ,–ଏହି କଥାଟିକୁ ସିଏ ପ୍ରକୃତରେ ସେହି ମର୍ମରେ କହିଥିଲେ । ସେହି ସ୍ଵେଚ୍ଛାକୃତ ଦାରିଦ୍ର୍ୟର ଧାଡ଼ିରେ ଆମେ ଲିଓ ଟଲ୍‍ଷ୍ଟୟ ଏବଂ ଆଲ୍‍ବର୍ଟ ଶ୍ଵାଇତ୍‍ଜରଙ୍କୁ ମଧ୍ୟ ଏକାଠି ସାମିଲ କରିପାରିବା । ଦାରିଦ୍ର୍ୟକୁ ଏକ ବୃହତ୍ତର ମୂଲ୍ୟସିଦ୍ଧିର ସାଧନ ରୂପେ ବରଣ କରିନେବା ଏବଂ ଅଗତ୍ୟା ଦାରିଦ୍ର ହୋଇ ଭାଗ୍ୟ କାମୁଡ଼ି ରହିବା, ଏହା ଏକାବେଳେକେ ଭିନେ ଭିନେ କଥା । ଯେଉଁ ସମାଜରେ ଅନେକ ମଣିଷ ଅଗତ୍ୟା ଦାରିଦ୍ର୍ୟ ଭିତରେ ରହିଥାଆନ୍ତି, ସେଥିରେ ନୃତ୍ୟ ଓ ସଙ୍ଗୀତର ଭଳି ଭଳି ପ୍ରଦର୍ଶନ ଓ ଆପ୍ୟାୟନ ଲାଗି ରହିଥିଲେ ମଧ୍ୟ ଆମେ ତାହାକୁ ଏକ ବର୍ବର ସମାଜ ବୋଲି କହିବା । ସେହି ସମାଜରେ ଯେଉଁମାନେ ସ୍ଵୟଂ ଅତିରିକ୍ତ ସମ୍ପତ୍ତି ମାଡ଼ି ବସିଥାନ୍ତି ଏବଂ ତେଣେ କେଡ଼େ ବିଗଳିତ ଭାବରେ ଉଚ୍ଚକୋଟୀର ସଂସ୍କୃତି ଏବଂ ଚରମ ଦାରିଦ୍ର୍ୟ ମଧ୍ୟରେ ଏକ ସହାବସ୍ଥାନ ଆଦୌ ଅସମ୍ଭବ ନୁହେଁ ବୋଲି କହୁଥାନ୍ତି, ଆମେ ସେମାନଙ୍କୁ ବିଶେଷ ଭାବରେ ବର୍ବର ବୋଲି କହିବା ।

 

ଭାରତରେ, ସ୍ଵାଧୀନ ଭାରତରେ, ଏହି ବର୍ବରତାର ଏକ ସମ୍ଭାବନା ରହିଛି ବୋଲି ଗାନ୍ଧିଜୀ ଖୁବ ଭଲ କରି ଜାଣିଥିଲେ । ସେଇଥିପାଇଁ ସିଏ କହିଥିଲେ ଯେ, ଭାରତବର୍ଷ ସ୍ଵାଧୀନତା ଲାଭ କରିବାପରେ ଦିନକ ସକାଶେ ମଧ୍ୟ ରାଜଧାନୀ ଦିଲ୍ଲୀରେ ବହୁତଳଯୁକ୍ତ ଅଟ୍ଟାଳିକା ପାଖରେ ଗରିବର କାଙ୍ଗାଳ କୁଡ଼ିଆର ସହାବସ୍ଥାନକୁ କଦାପି ସହ୍ୟ କରାଯିବ ନାହିଁ । ସିଏ ଯେ ସେହି ଅଟ୍ଟାଳିକାଗୁଡ଼ିକୁ ଭାଙ୍ଗି ଦେବାକୁ କହୁଥିଲେ କିମ୍ବା କୁଡ଼ିଆଗୁଡ଼ିକୁ ଦିନକ ମଧ୍ୟରେ ଅଟ୍ଟାଳିକାରେ ପରିଣତ କରିଦେବା ସକାଶେ କହୁଥିଲେ, ସେକଥା ଆଦୌ ନୁହେଁ । ସବୁ ମଣିଷଙ୍କ ପାଇଁ ଏକ ଅତ୍ୟାବଶ୍ୟକ ଆର୍ଥିକ ସମର୍ଥତା ସମ୍ଭବ କରିବା ଉପରେ ଗୁରୁତ୍ଵ ଦେଇ ମହାତ୍ମା ଗାନ୍ଧୀ ସେପରି କହୁଥିଲେ । ରୁଟି ଆଉ ଚନ୍ଦ୍ର ଭିତରେ ସମ୍ଭବତଃ ତାହାହିଁ ଯଥାର୍ଥ ସମାଧାନ । ରୁଟି ଚନ୍ଦ୍ରର ବିରୋଧୀ ହେବନାହିଁ । ରୁଟି ଚନ୍ଦ୍ର ଲାଗି ଯୋଗ୍ୟ ଭୂମିଟିଏ ପ୍ରସ୍ତୁତ କରିଦେବ । କେତେକ ମଣିଷ ଚନ୍ଦ୍ରକୁ ସମ୍ଭୋଗ କରିବେ ବୋଲି ଅନେକ ମଣିଷଙ୍କୁ ରୁଟିରୁ ବଞ୍ଚିତ କରି ରଖିବାର ବର୍ବରତା ଆଚରଣ କରିବେ, ସେକଥା ମଧ୍ୟ ହେବ ନାହିଁ । ମଣିଷ ମାତ୍ରକେ ଯଦି ସମସ୍ତଙ୍କର ଏକ ହୃଦୟ ରହିଛି, ତେବେ ବହୁ ମଣିଷଙ୍କର ଉଦରକୁ ଅସ୍ଵୀକାର କରି ଥୋକେ ଚନ୍ଦ୍ରକୁ ଏକଚାଟିଆ କରି ଭୋଗିବେ କ’ଣ ପାଇଁ ? ସବୁ ମଣିଷଙ୍କର ଉଦର ପୂରିଲେ ଯାଇ ପୃଥିବୀର ଚନ୍ଦ୍ର ସହିତ ସଖ୍ୟ ସ୍ଥାପନ କରିବାପାଇଁ ସମ୍ପୂର୍ଣ୍ଣ ମୂଳଦୂଆଟିଏ ପଡ଼ି ପାରିବ । ମାତ୍ର ଯେକୌଣସି ସମାଜର ଅର୍ଥ-ବ୍ୟବସ୍ଥା ସମସ୍ତଙ୍କର ନ ହୋଇ କେତେଜଣ ମଣିଷଙ୍କୁ ବହୁ ଅତିରିକ୍ତତାର ଅଶିଷ୍ଠତା ଭିତରେ ପ୍ରଶ୍ରୟ ଦେଇ ରଖିଥିବା ପର୍ଯ୍ୟନ୍ତ ଏବଂ ତାହାକୁ ହିଁ ସ୍ଵାଭାବିକ ବୋଲି କୁହାଯାଉଥିବା ପର୍ଯ୍ୟନ୍ତ ଚନ୍ଦ୍ର ମଧ୍ୟ ଏକ ସମ୍ପତ୍ତି ପ୍ରାୟ ହୋଇ ରହିଥିବ । ହୃଦୟର ଉନ୍ମୋଚନ ନ ହୋଇ ତାହା ବହୁ ଉପେକ୍ଷା ଏବଂ ହୀନତାର କାରଣ ହୋଇ ରହିଥିବ । ତୁଚ୍ଛା ବର୍ବରମାନେ ସଂସ୍କୃତିକୁ ପଙ୍କ ପ୍ରାୟ କରି ତାହାରି ଭିତରେ ପହଁରିବାରେ ଲାଗିଥିବେ । ପଙ୍କଗୁଡ଼ାକ ସବୁବେଳେ ସେହିମାନଙ୍କର ବୋଲି ହୁରି ପକାଇବାରେ ଲାଗିଥିବେ । (୧ । ୬ । ୮୮)

 

(୪୪)

 

ଆପଣାର ଏକ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ପୁସ୍ତକରେ ଶ୍ରୀ ଅରବିନ୍ଦ ଅର୍ଥକୁ ଏକ ଶକ୍ତିରୂପେ ବ୍ୟାଖ୍ୟା କରିଛନ୍ତି । ଯାହା ଜୀବନକୁ ଶକ୍ତିମନ୍ତ କରେ, ଉଜ୍ଜ୍ଵଳ କରେ, ଉଦୟଧର୍ମୀ କରେ, ତାହା ହେଉଛି ଶକ୍ତି । ଏହିପରି ଭାବରେ ବିଚାର କଲେ, ମନୁଷ୍ୟର ଜ୍ଞାନ ହେଉଛି ଏକ ଶକ୍ତି, ଶ୍ରଦ୍ଧା ହେଉଛି ଏକ ଶକ୍ତି, ଧର୍ମ ହେଉଛି ଏକ ଶକ୍ତି, ସଂଘ ମଧ୍ୟ ଏକ ଶକ୍ତି । କେବଳ ମନୁଷ୍ୟର ବ୍ୟକ୍ତିଜୀବନରେ ନୁହେଁ, ତା’ର ସାମୂହିକ ଜୀବନରେ ଏସବୁ ହେଉଛନ୍ତି ଗୋଟିଏ ଗୋଟିଏ ଶକ୍ତି । ଯେଉଁ ସମାଜରେ ବ୍ୟକ୍ତି ଏବଂ ସମୂହ ମଧ୍ୟରେ ଯେତେ ଅଧିକ ସମଞ୍ଜସତା ରହିଥାଏ, ଅର୍ଥାତ୍ ଯେଉଁ ସମାଜରେ ବ୍ୟକ୍ତିଜୀବନର ପୁଷ୍ଟି ସମାଜକୁ ପୁଷ୍ଟ କରୁଥାଏ ଏବଂ ସାମାଜିକ ଜୀବନର ପୁଷ୍ଟି ବ୍ୟକ୍ତିର ଜୀବନରେ ମଧ୍ୟ ଅଧିକ ପୁଷ୍ଟି ଆଣି ଯୋଗାଇ ଦେଉଥାଏ ସେଠାରେ ଜ୍ଞାନ, ଶ୍ରଦ୍ଧା, ଧର୍ମ ଏବଂ ସଂଘ ସବୁକିଛି ସତକୁ ସତ ଗୋଟିଏ ଗୋଟିଏ ଶକ୍ତିରୂପେ ବ୍ୟବହୃତ ହୋଇପାରନ୍ତି । ବ୍ୟକ୍ତି ତଥା ସମାଜ ଉଭୟ କ୍ଷେତ୍ରରେ ସେମାନେ ଯଥାର୍ଥ ସମୃଦ୍ଧିର କାରଣ ହୁଅନ୍ତି । ମାତ୍ର, ଅପର ପକ୍ଷରେ, ଯେଉଁଠାରେ ବ୍ୟକ୍ତି ଓ ସମାଜ ମଧ୍ୟରେ ବହୁ ବିରୋଧ ବହୁ ଅନିଷ୍ଟର କାରଣ ହୋଇ ରହିଥାନ୍ତି, ଅର୍ଥାତ୍ ଯେଉଁଠି ଅଳପ ଲୋକ ଅଧିକ ଲୋକଙ୍କୁ ଭୋଗ କରୁଥାନ୍ତି ଏବଂ ସେହି ବ୍ୟାଧିତ ଅବସ୍ଥାଟିକୁ ହିଁ ଶାସ୍ତ୍ର-ବଚନରେ ଭାଗ୍ୟ ବୋଲି କୁହା ଯାଉଥାଏ, ସେଠାରେ ଉକ୍ତ ଶକ୍ତିମାନେ ପ୍ରକୃତରେ ବହୁ ଅନର୍ଥର କାରଣ ହୁଅନ୍ତି । ଅର୍ଥ ମଧ୍ୟ ବହୁ ଅନର୍ଥର କାରଣ ହୁଏ । ଜ୍ଞାନ ଅଜ୍ଞାନକୁ ଘଣ୍ଟ ଘୋଡ଼ାଇ ରଖିଥାଏ । ଦେଶ ଥାଏ, ରାଜନୀତି ଥାଏ, ମନୁମାନେ ନୀତି–ସଂହିତାମାନ ଲେଖିବାରେ ଲାଗିଥାନ୍ତି–ସାହିତ୍ୟ ଥାଏ, କଳା ଥାଏ, ଧର୍ମମାନେ ମଣିମଣ୍ଡିତ ମୂର୍ତ୍ତି ହୋଇ ମନ୍ଦିରମାନଙ୍କରେ ପୂଜା ପାଉଥାନ୍ତି ସତ, ମାତ୍ର ଦୂରତା ହିଁ ସବୁକିଛିର ମୀମାଂସକ ହୋଇ ରହିଥାଏ-। ସାଧୁମାନେ ସଂସାରକୁ ମାୟା ବୋଲି କହୁଥାଆନ୍ତି,–ତୁଚ୍ଛା ବସ୍ତୁକାମନା ଗୁଡ଼ାକୁ ଛାତି ଉପରେ ଜଡ଼ାଇ ରଖିଥିବା ବରିଷ୍ଠମାନେ ବହୁ ଚାତୁରୀ ସହିତ ବସ୍ତୁବହୁଳତା ହିଁ ଜୀବନରେ ଯାବତୀୟ ବିନାଶର ମୂଳ କାରଣ ବୋଲି କେଡ଼େ ଚମତ୍କାର ଭାବରେ କହୁଥାନ୍ତି । ସେହି ସମାଜକୁ ବେଳେବେଳେ ଆଦର୍ଶବାଦୀ ସମାଜ ବୋଲି କୁହାଯାଏ । ଆଦର୍ଶମାନେ ବହିରେ ରହିଥାନ୍ତି, ଆପ୍ତବାକ୍ୟ ହୋଇ ମନ୍ତ୍ର ହୋଇ ରହିଥାନ୍ତି । ତଳି ଛାଡ଼ି, ରହିଥାନ୍ତି ଏବଂ ତଳି ଛାଡ଼ି ଯାଇଥିବା ମେଘମାନଙ୍କ ପରି ସେମାନେ କଦାପି ବରଷନ୍ତି ନାହିଁ, ଜୀବନ ନାମକ ଧରଣୀର କୌଣସି କାମରେ ଲାଗନ୍ତି ନାହିଁ ।

 

ସେହି ବହିଟିରେ ଶ୍ରୀ ଅରବିନ୍ଦ ଏକଥା ମଧ୍ୟ କହିଥିଲେ ଯେ, ଏହି ପୃଥିବୀରେ ଅର୍ଥ ସଂପ୍ରତି ଅସୁରମାନଙ୍କର ହାତରେ ରହିଛି । ତେଣୁ ତାହା ଶକ୍ତି ନୁହେଁ, ପ୍ରଧାନତଃ ଏକ ଅପଶକ୍ତି ଅର୍ଥାତ୍ ବିନାଶଶକ୍ତି ରୂପେ ବ୍ୟବହୃତ ହେଉଛି । ଭଗବାନଙ୍କର କାମରେ ଲାଗି ପାରୁନାହିଁ । ଭଗବାନଙ୍କର କାର୍ଯ୍ୟ ଲାଗି ଅର୍ଥକୁ ଅସୁରମାନଙ୍କ ହାତରୁ ପୁନର୍ବିଜିତ କରି ଆଣିବାକୁ ହେବ । ସେହି ପୁନର୍ବିଜୟ ପରେ ଯାଇ ଅର୍ଥ ପୃଥିବୀରେ ଶକ୍ତି ରୂପେ କାମରେ ଲାଗିପାରିବ,–ବିକାଶଶକ୍ତି ଏକ କଲ୍ୟାଣଶକ୍ତି ରୂପେ ବ୍ୟବହୃତ ହେବ । କେବଳ ବ୍ୟକ୍ତିର ଜୀବନରେ ନୁହେଁ, ସମଷ୍ଟିର ଜୀବନରେ ମଧ୍ୟ କଲ୍ୟାଣକାରିଣୀ ଶକ୍ତିରୂପେ କାମରେ ଲାଗି ପାରିବ । ଭଗବାନଙ୍କର କାମରେ ଲାଗିବାର ପ୍ରକୃତ ଅର୍ଥ ହେଉଛି ପୃଥିବୀର ଅର୍ଥାତ୍ ପୃଥିବୀରେ ବାସ କରୁଥିବା ମଣିଷମାନଙ୍କର ଉଦୟ ଲାଗି, ଆରୋହଣ ଲାଗି ତାହା କାମରେ ଲାଗିପାରିବ । ଜଣେ ମନୁଷ୍ୟ-ବ୍ୟକ୍ତି ହିସାବରେ ଆମ ଭିତରେ ଅସୁର ଏବଂ ଭଗବାନ ଉଭୟେ ସମ୍ଭାବନାରୂପେ ବିଦ୍ୟମାନ୍ ରହିଛନ୍ତି । ଆମ ଭିତରେ ବହୁ ଭୟ ଓ ବହୁ ସଂଶୟ ପ୍ରାୟ ଆମର ରକ୍ତମାଂସ ପରି ଘର କରି ରହିଥିବାର ଆମ ଅସୁରଟା ହିଁ ଅଧିକ ସମୟରେ ଅଧିକ ପ୍ରବଳ ହୋଇ ପଡ଼ୁଛି ଏବଂ ଦେବତା ଆଡ଼କୁ ପଡ଼ିଥିବା ଆମର ଅସଲ ପଥଟିକୁ ବହୁ ଫିସାଦରେ ଉଗାଳି ରଖୁଛି । ଏକ ପୁଞ୍ଜିବାଦୀ, ଲାଭବାଦୀ ଅର୍ଥାତ୍ ମୁଖ୍ୟତଃ ବାସନାବାଦୀ ସମାଜରେ ଆମରି ଭିତରେ ଅଧିକ ପ୍ରଶ୍ରୟ ପାଇ ରହୁଥିବା ଅସୁରଟା ହିଁ ଅଧିକ କରାମତି ଦେଖାଉଛି । ତେଣୁ, ଆମର ଉପାର୍ଜିତ ଯାବତୀୟ ଜ୍ଞାନ ଓ ବିଦ୍ୟା ଆମକୁ ଅଧିକ ସଂଖ୍ୟା ଓ ଅଧିକ ଉଦୟ ଆଡ଼କୁ ମୋଟେ ବାଟ ଦେଖାଇ ପାରୁନାହିଁ । ଆମର ଅହଂଗୁଡ଼ାକୁ ହିଁ ବହଳ ଓ ଅନମନୀୟ କରି ରଖିବାରେ ତାହା ଅଧିକତର କାମରେ ଲାଗୁଛି ତେଣୁ ପୃଥିବୀରେ ଆମ ଜ୍ଞାନର ପରିମାଣ ବଢ଼ିବାରେ ଲାଗିଥିଲେ ମଧ୍ୟ ତାହା ଆମଲାଗି ଏକ କଲ୍ୟାଣଶକ୍ତି ରୂପେ ମୋଟେ କାର୍ଯ୍ୟ କରି ପାରୁନାହିଁ । ଆମ ଦର୍ପଣ ଦର୍ପଣ ଉପରେ ଆମର ପୃଥିବୀଟା ମଧ୍ୟ ଠିକ୍ ଆମରି ପରି ପଚିସଢ଼ି ଯିବାରେ ଲାଗିଛି । କୁଢ଼ କୁଢ଼ ବିଦ୍ୟା ରହିଛି, ତେଣେ ତୁଚ୍ଛା ଅଜ୍ଞାନ ଓ ଅହମିକାଗୁଡ଼ାକୁ ପ୍ରବଳ କରି ରଖିବାକୁ ସେହି ବିଦ୍ୟାକୁ ପୋଇଲୀ ପରି ଖଟାଯାଉଛି । ବିଜ୍ଞାନର ସାଧନା-ଗୁଡ଼ାକ ପୃଥିବୀଯାକର ସବୁ ମଣିଷଙ୍କ ପାଇଁ ବହୁ ଉଦୟର ସହସ୍ର ସମ୍ଭାବନାକୁ ଉନ୍ମୋଚିତ କରି ରଖିଛି, କିନ୍ତୁ ପୃଥିବୀରେ ଅସହାୟତା ବଢ଼ୁଛି, ଅସମର୍ଥତା ବଢ଼ୁଛି; ଗୋଟାଏ ପାଖରେ ଅସୁରର ଗାରିମାଗୁଡ଼ାକ ବଢ଼ୁଛି ଏବଂ ତେଣେ ଆଉ ଗୋଟାଏ ପାଖରେ ଜୀବନ ବଞ୍ଚିବାର ମୂଳଭୂତ ଅସଲ ସାହସ ଏବଂ ବିଶ୍ଵାସଗୁଡ଼ିକ ମାଡ଼ ଖାଇଯାଉଛନ୍ତି,–ଏହି ପୃଥିବୀକୁ ନେଇ ମନୁଷ୍ୟର ଅସଲ ସ୍ଵପ୍ନଗୁଡ଼ିକ ଲାଜରା ହୋଇ ରହି ଯାଉଛନ୍ତି ।

 

ଆମ ପୃଥିବୀରେ ଯୁଦ୍ଧର ପ୍ରସ୍ତୁତି ନିମନ୍ତେ ଯେତେ ଅର୍ଥ ଖର୍ଚ୍ଚ ହେଉଛି, ସବୁ ମଣିଷଙ୍କର ପେଟକୁ ଦାନା ଜୁଟାଇବାରେ ସେତେ ଆଦୌ ଖର୍ଚ୍ଚ ହେଉନାହିଁ । ଥୋକେ ମଣିଷଙ୍କର ବିଳାଶ ଓ ତର୍ତ୍ତୁଲ୍ୟ ଯାବତୀୟ ଅତିରିକ୍ତତା ଗୁଡ଼ାକ ପାଇଁ ଯେତେ ଖରଚ ହେଉଛି, ବହୁ ମଣିଷଙ୍କର ଅତ୍ୟାବଶ୍ୟକତା ଗୁଡ଼ିକର ପୂରଣ ନିମନ୍ତେ ମୋଟେ ସେତେ ଖରଚ ହେଉନାହିଁ । ତୁଚ୍ଛା ଦାନବୀୟ କ୍ଷମତାଗୁଡ଼ାକୁ ଆହୁରି ଅଧିକ ଦୁଷ୍ଟ ଓ ଦୂରାଗ୍ରହଯୁକ୍ତ କରି ରଖିବାରେ ଯେତେ ପଇସା ସରୁଛି, ସଂସାରରେ ସଖ୍ୟ ବଢ଼ାଇବାକୁ ସେତେ ପଇସା ନାହିଁ । ଔଷଧର ସଂଖ୍ୟା ବଢ଼ୁଛି, ରୋଗମାନେ ବି ବଢ଼ୁଛନ୍ତି । କ୍ଷିପ୍ରରୁ କ୍ଷିପ୍ରତର ଗତିରେ ଯାଇ ପାରୁଥିବା ଯାନମାନଙ୍କର ଆଉ କୌଣସି ଅଭାବ ଏହି ପୃଥିବୀରେ ନାହିଁ, ତଥାପି ମଣିଷ ମଣିଷ ଓ ସମୂହ ମଧ୍ୟରେ ଦୂରତାମାନେ ବଢ଼ିବାରେ ଲାଗିଛନ୍ତି । ସଙ୍ଗାତୁରତା ବଢ଼ୁଛି; ତେଣେ ନିଃସଙ୍ଗତାମାନେ ବୃହତ୍‍ବପୁ ହୋଇ ମଣିଷର ବିବେକକୁ କୁଆଡ଼େ ପୋତି ପକାଇବାକୁ ବସିଲେଣି, ସତେ ଅବା ଆଉ କେହି କାହାର ସାଙ୍ଗ ହୋଇ ପାରୁନାହିଁ । କେହି କାହାରିକୁ ସାଙ୍ଗରେ ନେଇ ପାରୁନାହିଁ । ପୃଥିବୀରେ ସଂଶୟ ବଢ଼ୁଛି, ଈର୍ଷା ବଢ଼ୁଛି,–ସମସ୍ତେ ସମସ୍ତଙ୍କୁ ଗିଳି ଦେବାପାଇଁ କେତେ ଉଦ୍‍ଗ୍ରୀବ ହୋଇ ଧାଇଁଛନ୍ତି । ପୃଥିବୀର ଅର୍ଥଶକ୍ତି ଅସୁରମାନଙ୍କ ହାତରେ ଯେ ରହିଛି, ଆମ ସାମୂହିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଓ ଅବସରରେ ତାହାର ଭୁରିଭୁରି ପ୍ରମାଣ ମିଳିଯାଉଛି । ମଣିଷ ଭିତରେ ବିବେକ ଥାଇ କହୁଛି, ସଂସାରରେ ଏତେ ଧନ ରହିଛି, ତଥାପି ଏଠାରେ ଅଧିକ ସଂଖ୍ୟକ ମଣିଷ କାହିଁକି ଏପରି ହୀନମାନ ହୋଇ ରହିବେ । ବିବେକର ପାଟିକୁ ଅସୁର କେଡ଼େ ଦର୍ପର ସହିତ ବନ୍ଦ କରି ରଖିଛି । ମଣିଷର ବିବେକ ଥାଇ କହୁଛି, ପୃଥିବୀରେ ଯଥେଷ୍ଟ ଧନ ଓ ବିଦ୍ୟା ଥାଉ ଥାଉ ଏତେ ମଣିଷ କାହିଁକି ପ୍ରଧାନତଃ ବଞ୍ଚିତ ହୋଇ ରହିବେ । ଅସୁର ସେହି ପ୍ରଶ୍ନଟିକୁ ମୁହଁକୁ ଭାରି ଅଭଦ୍ର ଭାବରେ ବନ୍ଦ କରି ରଖିଛି । ଅସୁର ଘରେ ଧନ ବରବାଦ ହେଉଛି, ଜ୍ଞାନ ଖତରା ହୋଇ ଯାଉଛି; ଅସୁରମାନେ ଆପଣାର ବିବେକକୁ ସତେଅବା ଲୁଚାଇ ରଖିବାଲାଗି ଏଡ଼େ ଏଡ଼େ ଭାଲୁ ପରି ସାହିତ୍ୟ କରୁଛନ୍ତି, ସଂସ୍କୃତି କରୁଛନ୍ତି, ଜାତିକୁ ବଡ଼ କରିବାର ଧ୍ଵନିମାନ ଦେଇ କେଡ଼େ ସରାଗରେ ବାଣ ଫୁଟାଉଛନ୍ତି, ଭବିଷ୍ୟତ ପାଖକୁ ଆମକୁ ଭୁଲାଇ ରଖିବା ଲାଗି ଆମକୁ ଅତୀତ ଭିତରେ ଭଳାଇ ରଖିଛନ୍ତି ।

 

ପୃଥିବୀଯାକର ଅର୍ଥ ଅସୁରମାନଙ୍କର ହାତରେ ରହିଥିବାବେଳେ ହିଁ, ଅସୁରିଆ ସିଦ୍ଧାନ୍ତକାରୀମାନେ ରୁଟି ଏବଂ ଚନ୍ଦ୍ର ମଧ୍ୟରେ ରହିଥିବା ବିରୋଧକୁ ନେଇ ତତ୍ତ୍ଵ ବାହାର କରନ୍ତି । ଗୋଟାକୁ ଛାଡ଼ି ଆଉ ଗୋଟାକର କଥା କହନ୍ତି । ସେହି କ୍ଷେତ୍ରରେ ଅର୍ଥ ମାତ୍ର ଅଳପଙ୍କର ଖାନ୍‍ଦାନ୍ ହୋଇ ରହିଥାଏ ଓ ତେଣୁ ଚନ୍ଦ୍ରଲାଗି ମନୁଷ୍ୟର ସବୁ ମନୁଷ୍ୟଙ୍କର ସହଜାତ ଆକାଂକ୍ଷାକୁ ସତେ ଅବା କେବଳ କେତେ ମଣିଷଙ୍କର ଭାଗ୍ୟ ବୋଲି ବ୍ୟାଖା କରି ଦିଆଯାଉଥାଏ । ଏହିପରି ଭାବରେ ମୁହଁ ପାଇ ଅର୍ଥ ବହୁ ଅନର୍ଥର କାରଣ ହୁଏ, ବହୁ ଅନ୍ଧକାରର ସମର୍ଥନକାରୀ ହୋଇ ରହେ, ବହୁ ଅସୁନ୍ଦରତାକୁ ସୁନ୍ଦର ବୋଲି କହିବାଲାଗି ମଣିଷମାନଙ୍କୁ ଅଭ୍ୟସ୍ତ ହୋଇ ରହିବାକୁ ଶିକ୍ଷା ଦେଉଥାଏ । ସେହି ସମାଜରେ ଚନ୍ଦ୍ରର ଆକାଂକ୍ଷାଟା ମଧ୍ୟ ବଡ଼ ଗେଲବସର ହୋଇପଡ଼େ, ବଡ଼ ଅସୁନ୍ଦର ଭାବରେ ଅନାବଶ୍ୟକ ମେଦଯୁକ୍ତ ହୋଇ ରହିଥାଏ । ଆମ ପୃଥିବୀରେ ଅଧିକାଂଶ ମଣିଷ ରୁଟିରୁ ବଞ୍ଚିତ ହୋଇ ରହିଥିବା ପର୍ଯ୍ୟନ୍ତ ଥୋକେ ମଣିଷଙ୍କର ତଥାକଥିତ ଚନ୍ଦ୍ର-ବାସନାଟା ମଧ୍ୟ ଯେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ମୂଳତଃ ଅନିଷ୍ଟକାରୀ ପରି କାର୍ଯ୍ୟ କରିବ, ପ୍ରଧାନତଃ ଉଦାସୀନତା ଏବଂ ଅଲକ୍ଷଣାପଣ ଗୁଡ଼ାକୁ ବଢ଼ାଇବାରେ ଅଧିକ ସାହାଯ୍ୟ କରିବ, ରୁଟି ଓ ଚନ୍ଦ୍ରକୁ ଭିନେ ଭିନେ କରି ଦେଖୁଥିବା ଭରଦ୍ଵାଜମାନେ ସେ କଥାଟିକୁ ମୋଟେ କଳ୍ପନା କରିପାରିବେ କିପରି-? ତେଣୁ ବିଭ୍ରାଟ ଲାଗି ରହିଥାଏ । ଅସୁର ରାଜଚକ୍ରବର୍ତ୍ତୀ ହୋଇ ବସିଥାଏ । ସମାଜରେ କେବଳ ଅର୍ଥ ଉପରେ ନୁହେଁ, ଚନ୍ଦ୍ର ସମେତ ଆମର ଯାବତୀୟ ଆକାଂକ୍ଷା ଉପରେ ରାଜଚକ୍ରବର୍ତ୍ତୀ ହୋଇ ବସିଥାଏ ।

 

କେବଳ ରୁଟିକୁ ନେଇ ମଣିଷ କଦାପି ସାର୍ଥକ ଭାବରେ ବଞ୍ଚିପାରେ ନାହିଁ । Man dose not live by bread alone–ବାଇବେଲ୍‍ର ଏହି ଉକ୍ତିଟିରେ ରୁଟି ବା ଅନ୍ନକୁ ଆଦୌ ଅସ୍ଵୀକାର କରାଯାଇନାହିଁ । କେବଳ ଚନ୍ଦ୍ରକୁ ନେଇ ଜୀବନ ବଞ୍ଚିବାର ଢମ କଲେ ମଣିଷ ଯେପରି ବର୍ବର ହୁଏ, କେବଳ ରୁଟିସର୍ବସ୍ଵ ହୋଇଥିବା ଅନ୍ନାତୁରମାନେ ମଧ୍ୟ ଠିକ୍‍ ସେହିପରି ବର୍ବର ହୁଅନ୍ତି, ଅସୁର ହୁଅନ୍ତି । ରୁଟି ଆମ ଜୀବନରେ କଦାପି ପୂର୍ଣ୍ଣତା ଓ ପୂର୍ଣ୍ଣ ଔଚିତ୍ୟ ଆଣି ଦେଇପାରେ ନାହିଁ ସତ, ମାତ୍ର ରୁଟି ବିହୁନେ ମଧ୍ୟ ଆଦୌ କୌଣସି ଜୀବନ ସମ୍ଭବ ହୁଏନାହିଁ । Without bread, a man dose not live at all–ବର୍ତ୍ତମାନ ପୃଥିବୀରେ ଅଧିକାଂଶ ମନୁଷ୍ୟ ରୁଟିରୁ ବଞ୍ଚିତ ହୋଇ ରହିଛନ୍ତି । ସେମାନଙ୍କର କ୍ଷେତ୍ରରେ ସେ ବହୁ ମୂଲ୍ୟ–ପରିବର୍ତ୍ତନର ଆବଶ୍ୟକତା ରହିଛି, ରୁଟି ଓ ଚନ୍ଦ୍ରକୁ ଏକାଠି ଗୋଟିଏ ସମଗ୍ରର ଅନ୍ତର୍ଗତ କରି ପୃଥିବୀରେ ବାସ କରୁଥିବା ସବୁ ମଣିଷଙ୍କର ଭୂମି ଉପରେ ବିଚାର କଲେ ଯାଇ ଆମ ଚନ୍ଦ୍ରକାମୀ ଅସୁରମାନେ ସେକଥାକୁ ହୃଦୟଙ୍ଗମ କରିପାରିବେ । ତା’ ନ ହେଲେ, ପୃଥିବୀରେ ଯୋଉ ଶିବିରଟା ଅର୍ଥକୁ ପ୍ରାୟ ଏକଚାଟିଆ କରି ମାଡ଼ି ବସିଛି, ସେହି ଶିବିରରୁ ହିଁ ପ୍ରଚଣ୍ଡ ଚନ୍ଦ୍ର ଲୋଭୀମାନେ ବାହାରିବେ ଏବଂ ରୁଟି ଓ ଚନ୍ଦ୍ରକୁ ଭିନେ ଭିନେ କରି ବଖାଣିବାରେ ଲାଗିଥିବେ । ସେମାନେ ସାହିତ୍ୟ କରୁଥିବେ, ସଂସ୍କୃତି ଭକ୍ଷଣ କରୁଥିବେ, ଚନ୍ଦ୍ରମାର୍କା ବହୁ ଅଞ୍ଜନକୁ ଆପଣାର ଆଖି ଉପରେ ବହୁବର୍ଣ୍ଣ କରି ଲଗାଇ କେଡ଼େ ଅଲିଅଳ ଦିଶୁଥିବେ ଏବଂ ଅସୁର ହୋଇ ରହିଥିବେ । ତେଣୁ ଆମ ପୃଥିବୀରେ ଅର୍ଥ ଅସୁରମାନଙ୍କର ହାତରେ ରହିଛି ବୋଲି ଆମ ସାହିତ୍ୟ, ସଂସ୍କୃତି ଭାବନା ଏବଂ ସୌନ୍ଦର୍ଯ୍ୟବିବେକ ସବୁକିଛିକୁ ମଧ୍ୟ ସେହି ଅସୁରମାନେ ହିଁ ଅକ୍ତିଆର କରି ରହିଛନ୍ତି,–ଏହି କ୍ଷେତ୍ରରେ ସେହିପରି ଏକ ପ୍ରଶ୍ନର ଉତ୍‍ଥାପନ କରାଯାଇ ପାରିବ କି ? ଏହି ପ୍ରଶ୍ନଟି ଉପରେ ଅଧିକରୁ ଅଧିକ ଚର୍ଚ୍ଚା ହେବା ଉଚିତ, ତେବେଯାଇ ଆମେ ଆମ ନିଜ ଭିତରେ ବହୁ ଅନ୍ୟ ଗବାକ୍ଷର ପରିଚୟ ପାଇପାରିବା । (୮ । ୬ । ୮୮)

 

(୪୫)

 

ଗୋଟିଏ ପାଖରେ ବସ୍ତୁବାଦ, ଆଉ ଗୋଟିଏ ପାଖରେ ଆଦର୍ଶବାଦ । ଏହି ଆଦର୍ଶବାଦକୁ ଅନେକ ସମୟରେ ଅଧ୍ୟାତ୍ମବାଦ ବୋଲି ମଧ୍ୟ କୁହାଯାଇଥାଏ । ଏବେ ଆମ ପୃଥିବୀରେ ବସ୍ତୁବାଦ ଅତ୍ୟନ୍ତ ପ୍ରବଳ ହୋଇ ପଡ଼ିଛି ଓ ତେଣୁ ପୃଥିବୀ କ୍ରମେ ରସାତଳକୁ ଯିବାରେ ଲାଗିଛି ବୋଲି ଆମେ ଚତୁର୍ଦ୍ଦିଗରେ ବିଚରଣ କରୁଥିବା ଅନେକ ମାନବହୀତବାଦୀ ଝିଙ୍ଗାସ ଦେଇ କହିଥାନ୍ତି । ଭାରତବର୍ଷରେ ଏହି ବସ୍ତୁବାଦ ପ୍ରଥମେ ନଥିଲା । ତାହା ପାଶ୍ଚାତ୍ୟ ଦେଶମାନଙ୍କୁ ଆମଦାନୀ ହୋଇ ଆସିଛି ଓ ଆମ ଘରର ଯାବତୀୟ ଆଚାରକୁ ନଷ୍ଟ କରି ଦେଉଛି ବୋଲି ବେଳେବେଳେ ଆହୁରି ଅଧିକ ଉତ୍ସାହୀମାନେ ମଧ୍ୟ ଅପବାଦ ଦେଇ କହିଥାନ୍ତି । ସେମାନେ କହନ୍ତି ପାଶ୍ଚାତ୍ୟ ସଙ୍କୁଡ଼ିଗୁଡ଼ାକ ଏଠାକୁ ଆସି ଆମ ଘରକୁ ମାରା କରିବା ପୂର୍ବରୁ ଆମ ଘର ଗୋଟାସୁଦ୍ଧା ନିର୍ମଳ ଥିଲା–ମଣିଷମାନେ ମୋଟେ ବସ୍ତୁଗୁଡ଼ାକ ପଛରେ ଦଉଡ଼ୁ ନଥିଲେ, ମୋଟେ ଅଧିକକୁ ମନ କରୁନଥିଲେ, ପରର ଦ୍ରବ୍ୟକୁ ଲୋଭ କରୁନଥିଲେ, ତେଣୁ ଈର୍ଷା ବି କରୁନଥିଲେ । ଅନ୍ୟ ଏକ ତରାଜୁ ଉପରେ ପକାଇ କହିଲେ, ଲୋକମାନେ ଭାଗ୍ୟବାଦୀ ଥିଲେ, ଯାହାକିଛି ହୋଇଛି, ତାହା ତେଣୁ ବରାଦ ହୋଇଛି ବୋଲି ବିଶ୍ଵାସ କରୁଥିଲେ । ତେଣୁ ଭାଗ୍ୟହୀନମାନେ ଭାଗ୍ୟବାଦୀମାନଙ୍କୁ ଈର୍ଷା କରୁନଥିଲେ । ସତେଅବା କୃତଜ୍ଞତା ପ୍ରକାଶ କରିବାକୁ ଭାଗ୍ୟବାଦମାନେ ଭାଗ୍ୟହୀନମାନଙ୍କ ପ୍ରତି ଦୟାର ପ୍ରଦର୍ଶନ କରୁଥିଲେ । ଅଧିକ ମଣିଷ ଅଚେତନ ପ୍ରାୟ ହୋଇ ରହିଥିଲେ । ଭାଗ୍ୟର ନିର୍ଦ୍ଦେଶ ମାନି ଅଳପ ମଣିଷଙ୍କ ଲାଗି ଖଟୁଥିଲେ ଏବଂ ଅଳପରେ ସନ୍ତୁଷ୍ଟ ହୋଇ ରହି ଯାଉଥିଲେ-

 

ପାଶ୍ଚାତ୍ୟ ଜଗତରେ ମଧ୍ୟ ପ୍ରଥମେ ମଣିଷମାନେ କମ୍‍ ଭାଗ୍ୟବାଦୀ ନଥିଲେ । ତତ୍କାଳୀନ ଧର୍ମ ସେମାନଙ୍କୁ ଅତ୍ୟନ୍ତ ଅଳପ ଭିତରେ ସନ୍ତୁଷ୍ଟ ହୋଇ ରହିବାକୁ ମଣ କରି ରଖିଥିଲା-। ଆମ ଦେଶରେ ବର୍ତ୍ତମାନ ଅଧିକାଂଶ ମଣିଷଙ୍କୁ ଯେମିତି ଅଳପ ମଣ କରି ରଖିଛନ୍ତି, ପ୍ରାୟ ସେମିତି; ଦୟା ହିଁ ପରମ ଧର୍ମ ଥିଲା । ଉତ୍ତମମାନେ ଅଧମମାନଙ୍କୁ ଦୟା ପ୍ରଦର୍ଶନ କରିବା ବ୍ୟତୀତ ଜୀବନଗତ ବହୁ ଦାରିଦ୍ର୍ୟର ପ୍ରକୃତରେ ଅନ୍ୟ କୌଣସି ପ୍ରତିକାର ରହିଛି ବୋଲି ସେତେବେଳେ କଳ୍ପନା ମଧ୍ୟ କରାଯାଇ ପାରୁନଥିଲା । ମାତ୍ର, ଆଧୁନିକ ବିଜ୍ଞାନର କ୍ରମବିକାଶ ଫଳରେ କ୍ରମେ ସେହି ସ୍ଥିତି ବଦଳିବାକୁ ଆରମ୍ଭ କଲା । ମଣିଷ ଯେ ଜୀବନର ଏକାଧିକ କ୍ଷେତ୍ରରେ ଆପଣାର ଭାଗ୍ୟକୁ ଆପେ ବଦଳାଇ ଦେଇ ପାରିବ, ଏବଂ ଆହୁରି ବଡ଼ କଥା ହେଉଛି, ସମାଜ ତଥା ସମ୍ବନ୍ଧର କ୍ଷେତ୍ରରେ ରହିଥିବା ମିଛ ବ୍ୟବଧାନ ଗୁଡ଼ାକୁ ଭାଙ୍ଗି ମିଛ ଘୃଣା ଓ ମିଛ ଉପେକ୍ଷା ଗୁଡ଼ାକରୁ ମୁକ୍ତ ହୋଇ ମନୁଷ୍ୟମାନେ ପରସ୍ପରର ସହଯୋଗୀ ଭାବରେ ଏକଜୁଟ ହୋଇ ମଣିଷଙ୍କ ଲାଗି ଅନ୍ନର ସଂସ୍ଥାନ ସମ୍ଭବ ହେବ, କ୍ରମେ ଏହିପରି ଏକ ଦୃଢ଼ ପ୍ରତ୍ୟୟ ଜୀବନ ବିଷୟରେ ଭାଗ୍ୟ ବିଷୟରେ ଅଧିକରୁ ଅଧିକ ମଣିଷଙ୍କୁ ଅନ୍ୟ ପ୍ରକାରେ ଭାବି ଶିଖାଇଲା । ଏକ ଅନ୍ୟ ବିଶ୍ଵାସ ଜନ୍ମଲାଭ କଲା । ତାହାରି ଫଳରେ ଧର୍ମରେ ମଧ୍ୟ ନୂତନ ପ୍ରଚୋଦନାମାନ ଆସି ପହଞ୍ଚିଲା । ମଣିଷ ପ୍ରତ୍ୟେକ ମଣିଷ ଭଗବାନଙ୍କ ସହିତ ସିଧା ସମ୍ପର୍କ ସ୍ଥାପନ କରିପାରିବ, ଆପଣାକୁ ଗୋଟାଏ ଗୋଟାଏ ଅକିଞ୍ଚନ ଗଧ ବୋଲି ଅନୁଭବ ନ କରି ମଣିଷମାନେ ଯେ ପରସ୍ପରକୁ ପରସ୍ପରର ସହଯାତ୍ରୀ ରୂପେ ଗ୍ରହଣ କରିନେଇ ପାରିବେ, ଏହିସବୁ ଉଦ୍‍ବେଳନ ଇଉରୋପରେ ବହୁ ନୂତନ ସ୍ଵପ୍ନକୁ ଜାଗୃତ କରି ଆଣିଲା । ଆଗେ ଭଗବାନ କହିଲେ ଏକ କ୍ରୂର ଦଣ୍ଡଦାତା ବୋଲି ବୁଝାଉଥିଲା, ଏହି ପୃଥିବୀରେ ବହୁ କ୍ରୂରତା ଆଚରଣ କରୁଥିବା ବଡ଼ମାନେ ହିଁ ଭଗବାନଙ୍କୁ କ୍ରୂରମାନଙ୍କ ମଧ୍ୟରେ ସର୍ବବରିଷ୍ଠ ବୋଲି ପ୍ରତିପାଦିତ କରି ରଖିଥିଲେ । ଭଗବାନ ସିଆଡ଼େ ସେଇ ପାଖରେ ଥିଲେ, ହାତରେ ଦଣ୍ଡି ଧରି ପାପପୁଣ୍ୟର ବିଚାର କରୁଥିଲେ ଏବଂ ସେହି ଅନୁସାରେ ସ୍ଵର୍ଗ ଓ ନରକର ବରାଦ ମଧ୍ୟ କରୁଥିଲେ । ତାଙ୍କରି ଭୂତମାନେ ଏହି ସଂସାରଟାକୁ ମଧ୍ୟ ଠିକ୍ ସେହିପରି ଦୁଇଭାଗ କରି ରଖିଥିଲେ । ଆପଣା ଲାଗି ସବୁଯାକ ସ୍ୱର୍ଗର ଭାଗଟାକୁ ମାଡ଼ି ବସି ସେମାନେ ଅପର ଅନେକଙ୍କ ଲାଗି ନର୍କର ବରାଦ କରି ରଖିଥିଲେ । ବହୁତ ମଣିଷ ନର୍କ ଭିତରେ ବାଧ୍ୟ ହୋଇ ନ ରହିଲେ ଅଳପ ମଣିଷଙ୍କର ସ୍ଵର୍ଗଭୋଗ କିପରି ବା ସମ୍ଭବ ହୋଇଥାନ୍ତା ?

 

ବିଜ୍ଞାନ ଓ ଧର୍ମ ବିଷୟରେ ସେହି ଅନ୍ୟ ଚେତନାରୁ ସମାଜ ବିଷୟରେ ମଧ୍ୟ ଏକ ଅନ୍ୟ ଚେତନା ଜନ୍ମଲାଭ କଲା ଏବଂ ମନୁଷ୍ୟ ଭିତରେ ଅନ୍ୟାନ୍ୟ ବହୁ ସାମର୍ଥ୍ୟର ଆଲୋଡ଼ନ ଆଣି ଦେଇଥିଲା । ମାର୍ଟିନ୍‍ ଲୁଥରଙ୍କର ନୂତନ ଧର୍ମବାର୍ତ୍ତା ଜର୍ମାନୀରେ କୃଷକ ବିଦ୍ରୋହକୁ ଜନ୍ମ ଦେଇଥିଲା । ସବୁ ମଣିଷଙ୍କ ନିମନ୍ତେ ମୁକ୍ତି ଓ ସ୍ଵାଧୀନତା ଦାବୀ କରି ଏବଂ ତାହାରି ବଳରେ ମନୁଷ୍ୟର ପୃଥିବୀରେ ଏକ ନୂତନ ଭ୍ରାତୃତ୍ଵର ପ୍ରତିଷ୍ଠା ହୋଇପାରିବ ବୋଲି ସ୍ଵପ୍ନ ଦେଖି ଫରାସୀ ବିପ୍ଳବ କେବଳ ଇଉରୋପରେ ନୁହେଁ, ସାରା ପୃଥିବୀ ଲାଗି ମଧ୍ୟ କାଳକାଳକୁ ଏକ ନୂତନ ଆଖି ଖୋଲିଦେଇ ଗଲା । ମଣିଷ କହିଲେ କ୍ରମେ ସବୁ ମଣିଷଙ୍କୁ ବୁଝାଇଲା, ମନୁଷ୍ୟର ଭାଗ୍ୟ କହିଲେ ସବୁ ମଣିଷଙ୍କର ଭାଗ୍ୟକୁ ବୁଝାଇଲା । ପୁରୁଣା କେତେ ପ୍ରତିରୋଧ କଲା, ସେହି ପ୍ରତିରୋଧ କେତେ ରକ୍ତପାତକୁ ଡାକି ଆଣିଲା, ପୁରୁଣା କେତେ ଶାସ୍ତ୍ର ପ୍ରତ୍ୟାଖ୍ୟାତ ହୋଇ ରହିଗଲେ । ଉତ୍ପାଦନରେ ତଥା ଉତ୍ପାଦିତ ସାମଗ୍ରୀର ଉପଭୋଗ କ୍ଷେତ୍ରରେ ଯଥାସମ୍ଭବ ଅଧିକରୁ ଅଧିକ ମଣିଷଙ୍କୁ ସ୍ଵୀକୃତି ମିଳିଲା ।

 

ଇଉରୋପର ରାଜନୀତି ଲୋକାଭିମୁଖୀ ଏକ ନୂତନ ମୋଡ଼ ନେଲା । ସମାଜ ଓ ସାମାଜିକ ପ୍ରକ୍ରିୟାଗୁଡ଼ିକର ବୈଜ୍ଞାନିକ ଅଧ୍ୟୟନ ଆରମ୍ଭ ହେଲା । ଏକ ନୂତନ ମାନବିକତା ଜନ୍ମଲାଭ କଲା । ସମସ୍ତେ ପାଠ ପଢ଼ିଲେ, ଦେଶ ସତକୁ ସତ ସମସ୍ତଙ୍କର ବୋଲି ସ୍ଵୀକୃତ ହେଲା । ନାରୀକୁ ମଧ୍ୟ ପୁରୁଷବତ୍‍ ସର୍ବପ୍ରଥମେ ଜଣେ ମନୁଷ୍ୟ ବୋଲି ସ୍ଵୀକାର କରାଗଲା । ଶ୍ରମିକ ଓ କୃଷକମାନେ ମନୁଷ୍ୟର ପ୍ରତିଷ୍ଠା ହାସଲ କଲେ । ନେତୃତ୍ଵ କହିଲେ ଏକାବେଳେକେ ଏକ ଅନ୍ୟ ପୁରୁଷାର୍ଥକୁ ବୁଝାଇଲା । ତା’ପରେ ଧର୍ମର ପୁରୁଣା ସଂଜ୍ଞାଗୁଡ଼ାକ କୁଆଡ଼େ ମନ କୁଆଡ଼େ ଉଡ଼ିଗଲା-। ଦ୍ଵିତୀୟ ମହାଯୁଦ୍ଧ ପରେ ଏବେ ଇଉରୋପୀୟ ସେହି ଅଭୀପ୍‍ସାଗୁଡ଼ିକ କ୍ରମେ ବିଶ୍ଵବ୍ୟାପୀ ହେବାକୁ ଆରମ୍ଭ କରୁଛି । ସାଂପ୍ରତିକ ପୃଥିବୀର ଅଧିକାଂଶ ବିକ୍ଷୋଭର ମୂଳରେ ସେହି ଅସଲ ସଂକ୍ରମଣଟି ପ୍ରଚ୍ଛନ୍ନ ହୋଇ ରହିଛି । ଆପଣାର ପୁରୁଣା ଡିହଗୁଡ଼ାକ ଏଥର ଭୁଷୁଡ଼ି ପଡ଼ିବ ବୋଲି ଯେଉଁମାନେ ଭୟ କରୁଛନ୍ତି ଏବଂ ତେଣୁ ଉତ୍ତେଜିତ ହୋଇ ପଡ଼ୁଛନ୍ତି, ସେହିମାନେ ହିଁ ଏହି ସଂକ୍ରମଣକୁ ବସ୍ତୁବାଦ ବୋଲି କହି ଗାଳି ଦେଉଛନ୍ତି । ଏହିପରି ଗାଳି ଦେଇ ସେମାନେ ଏକ ଅବଶ୍ୟମ୍ଭାବୀ ସଂକ୍ରମଣକୁ ଟାଳିଦେଇ ପାରିବେ ବୋଲି ଭାବୁଛନ୍ତି ।

 

ଜୀବନର ସର୍ବାଙ୍ଗୀନ ଉଦୟ ଲାଗି ପୃଥିବୀର ସବୁ ମଣିଷଙ୍କୁ ଏକ ସର୍ବନିମ୍ନ ଆର୍ଥିକ ଏବଂ ସାମାଜିକ ନିର୍ଭର ଯୋଗାଇ ଦେବାପାଇଁ, ବର୍ତ୍ତମାନ ପୃଥିବୀରେ ଯେତିକି ବସ୍ତୁ ରହିଛି, ତାହାଠାରୁ ଯଥେଷ୍ଟ ଅଧିକ ବସ୍ତୁ ଆବଶ୍ୟକ । ସବୁ ମଣିଷଙ୍କ ଜୀବନରେ ଅତ୍ୟାବଶ୍ୟକତା ଗୁଡ଼ିକ ମେଣ୍ଟି ପାରିବା ପାଇଁ ଯେତିକି ଅନ୍ନ, ଯେତିକି ବାସଗୃହ ଏବଂ ଯେତିକି କର୍ମସଂସ୍ଥାନ ଦରକାର, ବର୍ତ୍ତମାନ ପୃଥିବୀରେ ଏକାଧିକ କାରଣରୁ ସେତିକି ଅନ୍ନ, ସେତିକି ବାସଗୃହ ଏବଂ ସେତିକି କର୍ମସଂସ୍ଥାନ ଏବେ ମଧ୍ୟ ସମ୍ଭବ ହୋଇନାହିଁ । ପୃଥିବୀର ସବୁ ପିଲାଙ୍କ ଲାଗି ଏଠି ସ୍କୁଲ ନାହିଁ, ସେହି ସ୍କୁଲ ଅବଶ୍ୟ ଦରକାର । ରୋଗରେ ପଡ଼ିବା ବେଳେ ସବୁ ମଣିଷ ଉପଯୁକ୍ତ ଚିକିତ୍ସା ପାଉନାହାନ୍ତି । ସେଥିଲାଗି ଏକ ଉପଯୁକ୍ତ ସ୍ଵାସ୍ଥ୍ୟଯୋଜନା ଅବଶ୍ୟ ଦରକାର । ଉପସ୍ଥିତ ପୃଥିବୀର ଯାବତୀୟ ଉପେକ୍ଷା ଏବଂ ମନୁଷ୍ୟ ପ୍ରତି ମନୁଷ୍ୟର ଅବଜ୍ଞା ଉପରେ ବିଜୟଲାଭ କରିବାକୁ ହେଲେ ଆପଣା ଲାଗି ଅଧିକରୁ ଅଧିକ ଜମାଇ ରଖିବା ନିମନ୍ତେ ଜୀବନର ପ୍ରାୟ ସବୁ ତପସ୍ୟାକୁ ସାରି ଦେଉଥିବା ବର୍ବରମାନଙ୍କର ଦୟା ଉପରେ କଦାପି ନିର୍ଭର କରାଯାଇ ପାରିବ ନାହିଁ । ସେମାନେ ଏହାକୁ ବସ୍ତୁବାନ ବୋଲି କହିବେ, ଏହି ପ୍ରବୃତ୍ତିଗୁଡ଼ିକୁ ଏକ ବସ୍ତୁବାଦୀ ସ୍ଖଳନ ବୋଲି କହି କେତେ ଝିଙ୍ଗାସିବେ । ତଥାପି ଆମ ପୃଥିବୀର ପରବର୍ତ୍ତୀ କେତୋଟି ପର୍ଯ୍ୟାୟର ପ୍ରାୟ ଯାବତୀୟ ଆଲୋଡ଼ନ ପ୍ରକୃତରେ ସେହିଗୁଡ଼ିକ ଲାଗି ହେବ । ସେହି ଆଲୋଡ଼ନଗୁଡ଼ିକର ପ୍ରବଳ ପ୍ରତିରୋଧ ମଧ୍ୟ ହେବ । ତଥାପି ତାହା ହିଁ ସାଂପ୍ରତିକ ବିଶ୍ଵମଣିଷର ସର୍ବପ୍ରଥମ ଆଭିମୁଖ୍ୟ ହୋଇ ରହିବ ।

 

ତେଣୁ ବସ୍ତୁର ବୁଦ୍ଧି ହେବ ହିଁ ହେବ । ତଥାକଥିତ ଆଦର୍ଶବାଦୀମାନେ ତାହାକୁ ବସ୍ତୁବାଦ ବୋଲି ଗାଳି ଦେଇ କଦାପି ଅଟକାଇ ରଖି ପାରିବେ ନାହିଁ । ସବୁବେଳେ ଥୋକାଏ ମଣିଷ ପ୍ରାୟ ସକଳ ବସ୍ତୁ, ସକଳ ଜ୍ଞାନ, ସକଳ ସୁଯୋଗର ଅଧିକାରୀ ହୋଇ ବସିଥିବେ, ଦୟା ଦେଖାଇ ସଂସାରର ସବୁ ମଣିଷଙ୍କର ଭାଗ୍ୟ–ପରିବର୍ତ୍ତନ କରିଦେବେ ବୋଲି ଢମ ଦେଖାଉଥିବା ଏବଂ ପୃଥିବୀ ସେହିମାନଙ୍କର ଢମକୁ ବିଶ୍ଵାସ କରି ଅପେକ୍ଷା କରି ରହିଥିବ, ଏକଥା କଦାପି ହୋଇ ପାରିବ ନାହିଁ । ଭିତରେ ତୁଚ୍ଛା ବସ୍ତୁଗୁଡ଼ାକ ଲାଗି ବୀଭତ୍ସ ଭାବରେ ଲୋଭାସକ୍ତ ହୋଇ ରହିଥିବା ଚତୁର ମଣିଷମାନେ ହିଁ ଇପ୍‍ସିତ ନୂତନ ସଂକ୍ରମଣଟିକୁ ବସ୍ତୁବାଦ ବୋଲି କହି ପାରିବେ ଏବଂ ସେମାନେ ଆଖର ମୋଟେ ସତ କହୁନାହାନ୍ତି ଓ ନିଜର ଗାତଗୁଡ଼ିକୁ ସୁରକ୍ଷିତ କରି ରଖିବାର ମତଲବରେ ଏଭଳି କହୁଛନ୍ତି ବୋଲି ଆପେ ଆପେ, ଧରା ପଡ଼ିଯିବେ । ଯାହା ସଂସାରରେ ସବୁ ମଣିଷଙ୍କର ଭୋଗ୍ୟ ଓ ଭାଗ୍ୟ ହୋଇ ରହିବା ଉଚିତ, ତାହାକୁ ବିବିଧ ଫିସାଦ ଦେଖାଇ ଥୋକାଏ ମଣିଷ ଭୋଗ କରୁଥିବାର ରୀତିଟା ହେଉଛି ଅସଲ ବସ୍ତୁବାଦ । ବସ୍ତୁରେ ପାପ ନାହିଁ, ତାକୁ କେବଳ ଆପଣା ଲାଗି ମାଡ଼ି ବସିଥିବା ମଣିଷ ଭିତରେ ହିଁ ପାପ ରହିଛି । ସେହି ମଣିଷମାନେ ଆମ ସଂସାରଟାକୁ ବଡ଼ ଅଲକ୍ଷଣା କରି ରଖିଛନ୍ତି । ସଂସାରର ଅନ୍ନ, ସଂସାରର ବିଦ୍ୟା ଏବଂ ସଂସାରର ବିତ୍ତଗୁଡ଼ିକ ଏଠି ସବୁ ମଣିଷଙ୍କର ଉଦୟ ଲାଗି କେତେ କାମରେ ଲାଗି ପାରୁଥାଆନ୍ତା । ଯେଉଁମାନେ ସେଥିଲାଗି ଏଡ଼େ ଏଡ଼େ ପ୍ରତିବନ୍ଧକ ପରି ଠିଆ ହୋଇ ରହିଛନ୍ତି ଓ କେତେ ଛଳରେ ଶାସ୍ତ୍ରକୁ, ଧର୍ମକୁ ଓ ଆଦର୍ଶବାଦକୁ ଆପଣାର ସେହି ଅଭିସନ୍ଧି ଗୁଡ଼ାକରେ ଦାମୁଡ଼ି କରି ଯୋଚିଛନ୍ତି, ସେହିମାନଙ୍କର ହିଁ ବିନାଶ ହେବ । କାରଣ, ପୃଥିବୀର ଆଗାମୀ ବିବର୍ତ୍ତନ ଗୁଡ଼ିକ ସେମାନଙ୍କୁ ମୋଟେ ସହ୍ୟ କରିପାରିବ ନାହିଁ ।

 

ବସ୍ତୁବାଦ ବସ୍ତୁ ଉପରେ ନୁହେଁ, ବସ୍ତୁଗୁଡ଼ିକର ଏକ ଅସମ ବ୍ୟବସ୍ଥା ଉପରେ ହିଁ ଭରାଦେଇ ଛିଡ଼ା ହୋଇଥାଏ । ପୃଥିବୀ ଲାଗି ଯିଏ ସତକୁ ସତ କଲ୍ୟାଣ ଇଚ୍ଛା କରୁଛି, ସିଏ ସେହି ଅସମ ବ୍ୟବସ୍ଥାଟିକୁ ହିଁ ମନୁଷ୍ୟୋଦୟର ପଥରେ ସର୍ବପ୍ରଧାନ ପ୍ରତିବନ୍ଧକ ବୋଲି କହିବ । ସେଇଟି ପଛରେ ଯେଉଁ ଜଘନ୍ୟ ଉପେକ୍ଷା ଏବଂ ଅବଜ୍ଞା ପ୍ରଚ୍ଛନ୍ନ ହୋଇ ରହିଛି ଓ ମଣିଷକୁ ସ୍ଥାନ ବିଶେଷରେ କେଡ଼େ ହୀନ ଏବଂ କେଡ଼େ କ୍ରୂର କରି ରଖିଛି, ଯଥାର୍ଥ ଆଖିଟିଏ ଥବା ମଣିଷ ତାହାକୁ ହିଁ ସବୁଠାରୁ ବଡ଼ ପ୍ରମାଦ ବୋଲି ବୁଝିବାକୁ ସମର୍ଥ ହେବ । ଆମ ଭାରତବର୍ଷରେ ମଧ୍ୟ ତାହାହିଁ ଆମ ସମସ୍ତଙ୍କ ଲାଗି ସବୁଠାରୁ ବଡ଼ ପ୍ରମାଦ । ଅନ୍ନର କ୍ଷେତ୍ରରେ ଏଠାରେ ଅଧିକାଂଶ ମନୁଷ୍ୟ ଅତ୍ୟନ୍ତ ଦୟନୀୟ ଭାବରେ ବଞ୍ଚିତ ହୋଇ ରହିଛନ୍ତି ବୋଲି ଆମର ଧର୍ମରେ ମଧ୍ୟ ଅଲକ୍ଷଣାପଣ ଭର୍ତ୍ତି ହୋଇ ରହିଛି । ଆମ ସାମାଜିକ ସହାନୁଭବର କ୍ଷେତ୍ରଗୁଡ଼ିକୁ କେତେ ପ୍ରକାରର ପୋକ କାମୁଡ଼ି ଧରିଛନ୍ତି । ଏଠାରେ ବିଦ୍ୟା ମଧ୍ୟ ପାଷଣ୍ଡ ହୋଇ ରହିଛି, କ୍ଷମତା ଆତ୍ମକାମୀ ହୋଇ ରହିଛି, ଆମର ଶାସ୍ତ୍ର ତଥା ସାଧୁବାକ୍ୟ ଗୁଡ଼ିକ କପଟୀ ହାତରେ ମନୋମୁଗ୍‍ଧକାରୀ ପଣ୍ୟ ହୋଇ ରହିଛି । ଏବଂ ଏହିଭଳି ଏକ ଅନ୍ଧାର ଆମ ସମସ୍ତଙ୍କୁ ଘୋଟି ରହିଥିବା ବେଳେ ଆମ ଘରେ ରୁଟି ଠାରୁ ଚନ୍ଦ୍ର ମଧ୍ୟରେ କଳହ ଲାଗିବ ନାହିଁ ତ ଆଉ କ’ଣ ହେବ ? ଆପେ ଅନ୍ନ ଭୁଞ୍ଜି ସାରିବା ପରେ ଏବଂ ଅଧିକତର ସଂଖ୍ୟାରେ ମଣିଷ ଅନ୍ନରୁ ବଞ୍ଚିତ ହୋଇ ରହିଥିବା ସମୟରେ ଚନ୍ଦ୍ର ହିଁ ସବୁ ଓ ରୁଟି କିଛି ନୁହେଁ ବୋଲି କହୁଥିବା ସେହି ବିଶେଷମାନେ ଏଠି ପ୍ରାଦୁର୍ଭାବ ବିସ୍ତାର କରି ରହିବେ ନାହିଁ ତ ଆଉ କ’ଣ ହେବ ? ସେମାନେ ଆମ ସାହିତ୍ୟକୁ ତୁଚ୍ଛା ଚନ୍ଦ୍ର ବୋଲି କହିବେ, ସଂସ୍କୃତିକୁ ମଧ୍ୟ ଚନ୍ଦ୍ର ବୋଲି କହି ଏକୁଟିଆ ଆବୋରି ଧରିଥିବେ ଏବଂ ସେହିମାନଙ୍କ ହେତୁ ହିଁ ରୁଟିର ବଞ୍ଚିତ ହୋଇ ରହିଥିବା ମଣିଷମାନଙ୍କୁ ଚନ୍ଦ୍ରର ପ୍ରବୋଧନା ଦେଉଥିବେ । ରୁଟିର ଆଶ୍ୱାସନା ନଥିବା ମଣିଷମାନଙ୍କୁ ସେମାନେ ଚନ୍ଦ୍ରର ପ୍ରବୋଧନା କାହିଁକି ଦେବେ କେଜାଣି ? ତଥାପି ସେହି କଥାଟା ହିଁ ଯୁଗେ ଯୁଗେ ହୋଇ ଆସିଛି, ଏବେ ମଧ୍ୟ ହେଉଛି । ସଚରାଚର ବଳିଷ୍ଠମାନେ ସେକଥା କରିଛନ୍ତି । ବଳିଷ୍ଠମାନେ ଏହିପରି କରି ବରିଷ୍ଠ ବୋଲାଇବାକୁ ଯୁଗେ ଯୁଗେ ଚେଷ୍ଟା କରି ଆସିଛନ୍ତି । (୨୨ । ୬ । ୮୮)

 

(୪୬)

 

ବସ୍ତୁବାଦ ଦୁଇ ପ୍ରକାରର । ଦୁଇଟି ଦୃଷ୍ଟିର, ଦୁଇଟି ସ୍ତରର, ତେଣୁ ଦୁଇ ପ୍ରକାରର । ତେଣୁ ତଥାକଥିତ ବସ୍ତୁବାଦୀ ପ୍ରମାଦଟି କଦାପି ବସ୍ତୁରେ ନାହିଁ, ଆମ ଦୃଷ୍ଟିରେ ନିହିତ ହୋଇ ରହିଛି-। ଯାହା ପାଖରେ ଅଧିକ ବସ୍ତୁ ଜମା ହୋଇ ରହିଛି, ଏବଂ ସତେଅବା ତାହାରି ସକାଶେ ହିଁ ସିଏ ନିଜକୁ ଅଧିକ ଭାଗ୍ୟବାନ୍ ବୋଲି ମଣୁଛି, ଅଧିକ ସୁଖୀ ମଣୁଛି ଅଥବା ଅନ୍ୟ ଅନେକଙ୍କଠାରୁ ଆପଣାକୁ ବଡ଼ ବୋଲି ମଣୁଛି, ତେବେ ତା’ ବସ୍ତୁ ଯେ ପ୍ରମାଦବତ୍ ହୋଇ ତାକୁ କ୍ରମଶଃ ଏକାବେଳେକେ ଖାଇଯିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ବସ୍ତୁ କାମରେ ଲାଗିବ, ବସ୍ତୁ ଆମ ଜୀବନର ଏହି ସର୍ବମୂଳ ସ୍ତରଟିର ଆବଶ୍ୟକତା ଗୁଡ଼ିକର ପୂରଣ କରି, ଆମକୁ ଆମର ପରବର୍ତ୍ତୀ ଉଚ୍ଚତର ଏବଂ ପ୍ରଶସ୍ତତର ଆବଶ୍ୟକତାର ଆହ୍ଵାନଗୁଡ଼ିକ ମଧ୍ୟକୁ ବାଟ କଢ଼ାଇନେବ । ଆମେ ଯେଉଁମାନେ ସେହି ଆହ୍ଵାନଗୁଡ଼ିକର ଅର୍ଥାତ୍ ସମ୍ଭାବନାଗୁଡ଼ିକର କ୍ଷେତ୍ରରେ ଏକାନ୍ତ ଅଯୋଗ୍ୟ ହୋଇ ରହିବାକୁ ହିଁ ଏହି ସଂସାରକୁ ଆସିଥାଉ, ଅର୍ଥାତ୍, ଜୀବନରେ ଅନ୍ୟ ଗବାକ୍ଷଗୁଡ଼ିକୁ ଖୋଲି ଅନ୍ୟ ସଖ୍ୟଗୁଡ଼ିକର ଭାଜନ ହେବାଲାଗି ଆମେ ଯେଉଁମାନେ ଅମଙ୍ଗ ହୋଇ ରହିଥାଉ, ସେହିମାନେ ହିଁ ବସ୍ତୁଗୁଡ଼ାକ ଭିତରେ ପୋତି ହୋଇ ରହିବାକୁ ଜୀବନର ସାର ବୋଲି କହୁ । ଏକ ଅଧମ ସ୍ତରର ବସ୍ତୁବାଦୀ ହୋଇ ରହିଯାଉ । କେବଳ ବସ୍ତୁଗୁଡ଼ିକୁ ନୁହେଁ, ଜୀବନର ଯାବତୀୟ ଅର୍ଜନକୁ ଯାବତୀୟ ଜ୍ଞାନ ତଥା ସାମର୍ଥ୍ୟକୁ ତୁଚ୍ଛା ସାମଗ୍ରୀ ଓ ତୁଚ୍ଛା ପଣ୍ୟରେ ପରିଣତ କରି ପକାଉ । ଜୀବନର କେତେ କେତେ ଐଶ୍ୱର୍ଯ୍ୟ–ସମ୍ଭାବନାରୁ ନିଜକୁ ବଞ୍ଚିତ କରି ରଖିଥାଉ ।

 

କାର୍ଲ ମାର୍କସ୍‍ଙ୍କର ଭାଷାରେ ଆମର ଏହି ଆଲୋଚନାଟିକୁ ଆରମ୍ଭ କଲେ, ମଣିଷର ଗୁଡ଼ାଏ ସମ୍ପତ୍ତି ବା ସାମଗ୍ରୀ ରହିଛି, What a man has ବୋଲି ଯେ ଆମେ ତାକୁ ବଡ଼ ବୋଲି କହିବା ଓ ସିଏ ସେଇଥିପାଇଁ ଯେ ପ୍ରକୃତରେ ବଡ଼ ହେବ, ସେକଥା ଆଦୌ ନୁହେଁ । ମଣିଷ ସତକୁ ସତ ଯାହା, What a man is ଅର୍ଥାତ୍ ତା’ର ଗୁଣ ତା’ର ପ୍ରତିଭା, ତା’ ଜୀବନର ପ୍ରଶସ୍ତତା ଏବଂ ତା’ ଅର୍ଜନର ସାର୍ଥକତା–ସେଇଥିରୁ ବିଚାର କରି ହିଁ ଆମେ ତାକୁ ବଡ଼ ବା ସାନ, ପୂର୍ଣ୍ଣ ବା ଅପୂର୍ଣ୍ଣ ବୋଲି କହିପାରିବା । ଏହି ପ୍ରସଙ୍ଗରେ ମାର୍କ୍‍ସ୍ Vulgar Communism ଓ real Communism ଏହିପରି ଦୁଇଟି କଥାରେ ଅବତାରଣା ମଧ୍ୟ କରୁଛନ୍ତି । ଧନକୁ ହିଁ ଜୀବନର ସର୍ବୋଚ୍ଚ ଧନ ବୋଲି ମଣି ଅଧିକରୁ ଅଧିକ ମାରି ନେଉଥିବା, ତାହାରି ଦ୍ଵାରା ହିଁ ମୋଟା ହୋଇ ଦିଶିବା, ବହଳ ହୋଇ ଜୀବନ ଧାରଣ କରିବା, ବଳଦ ହୋଇ ଅଧିକରୁ ଅଧିକ ସାମଗ୍ରୀର ମୋଟ ବୋହିବାରେ ଲାଗିଥିବା, ଏଇଟି ହେଉଛି ପ୍ରଥମ କିସମର କମୁନିଜମ୍–ଏକ ଭୋଗକାମୁକତାର ଔଦ୍ଧତ୍ୟ, ଏକ ଅଧମ ସ୍ତରର ଜୀବନ । ସମ୍ପତ୍ତି ଅବଶ୍ୟ ଆବଶ୍ୟକ,–ଜୀବନକୁ ବହୁ ସମ୍ଭାବନାମୟ କରିବା ଲାଗି, ସେହି ସମ୍ଭାବନାଗୁଡ଼ିକୁ ବାସ୍ତବରେ ପରିଣତ କରିବା ଦିଗରେ ଆମକୁ ଏକ ଯଥାର୍ଥ ଦୃଶ୍ୟମାନ୍ ପ୍ରତ୍ୟୟ ଆଣି ଦେବାଲାଗି,–ଅନ୍ୟମାନଙ୍କୁ ବଞ୍ଚିତ କରି ଖାଲି ନଜର ଅସ୍ତ୍ରଗୁଡ଼ାକୁ ବହଳ କରି ରଖିବାଲାଗି ନୁହେଁ, ଆମ ଚାରିପାଖରେ ରହିଥିବା ମଣିଷ ମାତ୍ରକେ ସମସ୍ତଙ୍କ ଲାଗି ସେଇ ସମ୍ଭାବନା ତଥା ସେହି ପ୍ରତ୍ୟୟଗୁଡ଼ିକୁ ଉପଲବ୍‍ଧ କରାଇ ପାରିବା ଲାଗି, ଧନର ଓ ସୁଯୋଗ ଗୁଡ଼ିକର ଯେଉଁ ବ୍ୟବସ୍ଥା–ସେଇଟି ହେଉଛି ଦ୍ଵିତୀୟ କିସମର କମୁନିଜ୍‍ମ । ତେଣୁ ଅନ୍ନ ଆହୁରି ବୃଦ୍ଧି ପାଉ; ମଣିଷ, ପ୍ରତ୍ୟେକ ମଣିଷ ଜୀବନର ଏହି ମନୁଷ୍ୟକୃତ ବହୁ ହନ୍ତସନ୍ତରୁ ମୁକ୍ତ ହୋଇ ଆସୁ, ମୁକ୍ତ ହେଉ, ପାହାଚ ଉଠିବାର ସମର୍ଥ ହେଉ,–ତାହା ମଧ୍ୟ ଏକ ଅନ୍ୟ କିସମର ସ୍ଵପ୍ନ, ଏକ ଅନ୍ୟ କିସମର ବାସନା । ଏଇଟିକୁ ମଧ୍ୟ କ’ଣ ଆମେ ବସ୍ତୁବାଦ ବୋଲି କହିବା ? କହିଲେ ତଦ୍ୱାରା ଅବଶ୍ୟ କୌଣସି ପ୍ରମାଦ ଭିତରେ ପଡ଼ିଯିବା ନାହିଁ ସତ, ମାତ୍ର ତଥାପି ସେହି ଅନ୍ୟ କିସମର ବସ୍ତୁବାଦଟିର ଭ୍ରମ ଭିତରୁ ନିଜକୁ ସର୍ବଦା ମୁକ୍ତ କରି ରଖିଥିବା । ଯେଉଁ ବସ୍ତୁବାଦ କହିଲେ ପ୍ରଧାନତଃ ଏକ ବସ୍ତୁଲୋଭକୁ ବୁଝାଏ, ଯାହା ସମ୍ଭବ ହେଲେ ଅନ୍ୟ ସମସ୍ତଙ୍କୁ ସକଳ ବସ୍ତୁରୁ ବଞ୍ଚିତ କରି ରଖି ଆପଣାକୁ ହିଁ ବସ୍ତୁଦ୍ଵାରା ଅଧିକରୁ ଅଧିକ ସ୍ଥୂଳ କରି ରଖିବାର ଚକ୍ରାନ୍ତ କରେ, ସେଇଟିରୁ ଆପଣାକୁ ମୁକ୍ତ କରି ରଖିବା ବିଷୟରେ ସାବଧାନ ରହିଥିବା ।

 

ବସ୍ତୁକୁ ତୁଚ୍ଛା ବସ୍ତୁ ବୋଲି ଦେଖିଲେ ତାହା ପ୍ରଧାନତଃ ଏକ ଭୋଗ ସାମଗ୍ରୀ ରୂପେ ଆମ ଆଗରେ ଦୃଶ୍ୟମାନ ହୋଇଥାଏ । ସେଗୁଡ଼ାକର ଅଧିକାରୀ ହୋଇ ରହିବାକୁ ଅଧମ ସ୍ତରର ବସ୍ତୁବାଦୀମାନେ ସୁଖ ବୋଲି କହିଥାନ୍ତି । ଅନ୍ୟମାନଙ୍କଠାରୁ ଅଧିକ ଠୁଳ କରି ଅଧିକ ହୋଇ ଦିଶିବା ଏବଂ ଏପରିକି ଅନ୍ୟମାନଙ୍କୁ ଯଥାସମ୍ଭବ ଅଧିକ ପରିମାଣରେ ବଞ୍ଚିତ କରି ଅନ୍ୟମାନଙ୍କ ତୁଳନାରେ ଆହୁରି ଅଧିକ ହୋଇ ଦିଶିବା ସେହି ବସ୍ତୁବାଦୀମାନଙ୍କର ଜୀବନରେ ଧ୍ୟେୟ ହୋଇ ରହିଥାଏ । ସମାଜରେ ଏହି ଦୃଷ୍ଟିଟି ଚଳୁଥିବା ସମୟରେ ସମାଜ ସମ୍ଭ୍ରାନ୍ତମାନଙ୍କର ସମାଜ ହୋଇ ରହିଥାଏ । ଅଳପ ମଣିଷ ସମ୍ଭ୍ରାନ୍ତମାନଙ୍କର ଜୀବନରେ ଶୋଭା ପାଇବେ ବୋଲି ଅଧିକ ମଣିଷ ବଞ୍ଚିତ ହୋଇ ରହିଥାନ୍ତି । ଦାସ ହୋଇ ରହିଥାନ୍ତି । ମାର୍କ୍‍ସ ଏହାକୁ Civilsociety ବୋଲି କହିଛନ୍ତି । ଏହି civil society ପ୍ରାୟ ଆବହମାନ କାଳରୁ ପୃଥିବୀରେ ସମ୍ଭାବ୍ୟ ଶ୍ରେଷ୍ଠତମ ସମାଜ ବୋଲି ଚଳି ଆସିଛି । ତାହା ଏବେ ମଧ୍ୟ ଆମ ଦେଶରେ ଶାସ୍ତ୍ର ଓ ପୁରାଣର ସମାଜରେ ଏହି ଦୃଷ୍ଟିଟି ଅନୁମୋଦନ ଲାଭ କରି ଚଳୁଛି । ଏଠାରେ ସାହିତ୍ୟ, କଳା, ସଂସ୍କୃତି ଏବଂ ସେହି ପର୍ଯ୍ୟାୟର ଅନ୍ୟ ଯାବତୀୟ ପରିମଳ ପ୍ରାୟ ସେହି ବିଧିରେ ଚଳୁଛି । ସେହି ଅସୁସ୍ଥ ଦୃଷ୍ଟିଦ୍ଵାରା ନିୟନ୍ତ୍ରିତ ହୋଇ ରହିଛି । ରୁଟି ସାର୍ବଜନୀନ ହୋଇ ପାରିନାହିଁ । ତାହା ସତକୁ ସତ ସାର୍ବଜନୀନ ହୋଇପାରିବ ଵୋଲି ଆମର ପଣ୍ଡିତମାନେ ତଥାପି ପ୍ରତ୍ୟୟ କରି ପାରିନାହାନ୍ତି । ତେଣୁ ଚନ୍ଦ୍ର ମଧ୍ୟ ସାର୍ବଜନୀନ ହୋଇ ପାରିବାର ସେହି ଅନୁମାନଟି ଆମ ଭାବନାର ବହିର୍ଭୁତ ହୋଇ ରହିଛି । ଆମ ଧର୍ମ ମନ୍ଦିରମାନଙ୍କରେ ବସିଥିବା ଦେବତାମାନଙ୍କଠାରୁ ଆରମ୍ଭ କରି ଆମ ରାଜଧାନୀମାନଙ୍କରୁ ଆମକୁ ଚରାଉଥିବା କର୍ତ୍ତାମାନେ ମଧ୍ୟ ସେହି ଅନ୍ୟ ବାସ୍ତବତାଟିର କଳ୍ପନା କରି ପାରୁନାହାନ୍ତି ।

 

ଅନ୍ୟ ଦୃଷ୍ଟିଟିକୁ କାର୍ଲ ମାର୍କ୍‍ସ୍‍ଙ୍କର କଥା ଅନୁସାରେ human society ବା social humanity ବୋଲି କୁହାଯାଇ ପାରିବ । ମନୁଷ୍ୟକୁ ଅସଲ ଆଶୟ ବୋଲି ମାନି ସେହି ମୂଳଟି ଉପରୁ ବସ୍ତୁ ଉପରେ ଦୃଷ୍ଟିପାତ କଲେ ବସ୍ତୁ ଆଉ କଦାପି ତୁଚ୍ଛା ପଣ୍ୟ ବୋଲି ଦୃଷ୍ଟିଗୋଚର ହୁଏନାହିଁ । ସେତେବେଳେ ବସ୍ତୁ ସତେଅବା ଏକ ବିପୁଳ ମାନବିକ ସମ୍ଭାବନାର ପ୍ରତୀକ ଅଥବା ପ୍ରଚୋଦକ ରୂପେ ଆମର ସମକ୍ଷରେ ଆସି ଦେଖାଦିଏ । କାର୍ଲ ମାର୍କ୍‍ସ୍‍ ଏହି ଅନ୍ୟ ଦୃଷ୍ଟିଟିକୁ new materialism ବା ନୂତନ ବସ୍ତୁବାଦ ବୋଲି କହିଛନ୍ତି । ନୂତନ ବସ୍ତୁବାଦରେ ବସ୍ତୁ ମୂଳ ନୁହେଁ, ମନୁଷ୍ୟ ହେଉଛି ମୂଳ । ବସ୍ତୁର ଅଧିକାରୀ ହେବା ହିଁ ବସ୍ତୁର ସର୍ବୋତ୍ତମ ବିନିଯୋଗ ମୋଟେ ନୁହେଁ–ବସ୍ତୁର ପଣ୍ୟମୂଲ୍ୟ ବ୍ୟତୀତ ତାହାର ଏକ ମାନବିକ ମୂଲ୍ୟ ମଧ୍ୟ ରହିଛି-। ମଣିଷ ମଣିଷକୁ ବଞ୍ଚିତ କରି ଅଧିକରୁ ଅଧିକ ବସ୍ତୁକୁ ଆପଣାର ଅଧିକାର ମଧ୍ୟକୁ ଆଣିବାର ଫିସାଦଟି ଭିତରେ ଯାଇ ପଡ଼ିଯିବା ଦିନଠାରୁ କେବଳ ବସ୍ତୁ ନୁହେଁ, ମନୁଷ୍ୟ ମଧ୍ୟ ଏହି ପୃଥିବୀରେ ନାନାଭାବେ ପଣ୍ୟରୂପେ ବ୍ୟବହୃତ ହୋଇଆସିଛି, ଅଧିକାଂଶ ସମାଜରେ ଏବେ ମଧ୍ୟ ହେଉଛି । ମଣିଷ ମଣିଷର ପଣ୍ୟ ହୋଇ ବ୍ୟବହୃତ ହେଉଥିବା ପର୍ଯ୍ୟନ୍ତ ଆମ କେତେ ଜଣଙ୍କ ପାଖରେ ଗଦାହୋଇ ରହିଥିବା ବସ୍ତୁ ମଧ୍ୟ ଆମ ଜୀବନରେ ଆଉ କେଉଁ କାମ ଦେଇ ପାରିବ ? ଆମ ଜୀବନରେ ଅର୍ଥାତ୍ ଆମର ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ଯଥାର୍ଥରେ କୌଣସି ଉତ୍ତୋଳନ ନିମନ୍ତେ କାମରେ ଲାଗିପାରିବା ତ ଆହୁରି ଅଧିକ ଦୂରର କଥା । ହୁଏତ ଆପଣାକୁ ଏହି ହୀନିମାନି ଆସୁରିକତା ଭିତରେ ପକାଇ ରଖିଥିବାରୁ ମଣିଷର ସାହିତ୍ୟ, ମଣିଷର ସଂସ୍କୃତି, ମଣିଷର ନୀତିବୋଧ ଏବଂ ମୂଲ୍ୟଗତ ବିଚାରଗୁଡ଼ାକ ପ୍ରଧାନତଃ ପଣ୍ୟରୂପେ ହିଁ ବ୍ୟବହୃତ ହେବାରେ ଲାଗିଛନ୍ତି । ଜୀବନର ଅସଲ ଧନ ଏବଂ ପ୍ରତିଶ୍ରୁତିଗୁଡ଼ିକ କେବଳ କଥାର ମୈଥୁନରେ ପାଣିଫାଟି ଯାଉଛନ୍ତି । ଆଦର୍ଶ ବିଷୟରେ ଆମର ଯାବତୀୟ ଉଦ୍‍ଗାର ପ୍ରଧାନତଃ ଏକ ଭାବପ୍ରବଣତାରେ ପରିଣତ ହୋଇ ରହିଛି ।

 

ପୃଥିବୀର ସବୁ ମଣିଷ ଅନ୍ନ ପାଇବେ, ସବୁ ପିଲା ପାଠ ପଢ଼ିବେ, ସମସ୍ତେ ଶ୍ରମ ଦେଇ ଆମର ଏହି ଜାଗତିକ ଉନ୍ମୋଚନ-ପ୍ରକ୍ରିୟାକୁ ବହୁତର ଭାବରେ ସାମର୍ଥ୍ୟଯୁକ୍ତ କରିବେ, ଆମର ଏତେବଡ଼ ପୃଥିବୀରେ ମଣିଷ ମଣିଷର ସର୍ବପ୍ରଥମ ପ୍ରତିବେଶୀ ହୋଇ ରହିବ,–ଅର୍ଥାତ୍ ମଣିଷ ସର୍ବପ୍ରଥମେ ମଣିଷକୁ ହିଁ ଲୋଡ଼ିବ, ମଣିଷକୁ ଅବଜ୍ଞା କରି ମୋଟେ ଆଉ ଅନ୍ୟକିଛିକୁ ଲୋଡ଼ିବ ନାହିଁ, ଏଥିଲାଗି ପୃଥିବୀ ଲାଗି ଅଧିକ ଅନ୍ନ ଆବଶ୍ୟକ, ଅଧିକ ବସ୍ତ୍ର ଆବଶ୍ୟକ, ଅଧିକ ମୁକ୍ତ ବାୟୁ ଆବଶ୍ୟକ, ଆପଣାର ଗୋଡ଼ହାତ ତଥା ବୁଦ୍ଧିକୁ ଅଧିକ ପରିମାଣରେ ଖେଳାଇ ପାରିବା ନିମନ୍ତେ ଅଧିକ ଭୂମି ଆବଶ୍ୟକ । ଗୋଟିଏ କଥାରେ କହିଲେ ଏକ ବିମୋଚନକାରୀ ବସ୍ତୁବାଦ ଅବଶ୍ୟ ଆବଶ୍ୟକ । ପୃଥିବୀରେ ସବୁ ମଣିଷଙ୍କ ନିମନ୍ତେ ଜୀବନର ସର୍ବନିମ୍ନ ନିର୍ଭର ଓ ପ୍ରସାରଣଟିକୁ ଯୋଗାଇ ଦେଇ ପାରିବା ନିମନ୍ତେ ଏହି ବସ୍ତୁବାଦ ଆବଶ୍ୟକ । ବସ୍ତୁର ସର୍ବଜନୀନକରଣ ଆବଶ୍ୟକ, କାରଣ ସମ୍ଭାବନାଗୁଡ଼ିକର ସର୍ବଜନୀକରଣ ତା’ଠାରୁ ଅଧିକ ଆବଶ୍ୟକ । ଜ୍ଞାନ ଆବଶ୍ୟକ, ବିଜ୍ଞାନ ଆବଶ୍ୟକ । ମନୁଷ୍ୟକୁ ବର୍ତ୍ତମାନର ଏହି ଅନିଷ୍ଟକାରୀ ଯାନ୍ତ୍ରିକତା ଏବଂ ଅଳ୍ପତା ମଧ୍ୟରୁ ମୁକ୍ତ କରି ଆଣିବା ନିମନ୍ତେ ପ୍ରଯୁକ୍ତିବିଦ୍ୟାର ବହୁଗୁଣୀକରଣ ଆବଶ୍ୟକ । ପୁରାତନ ବସ୍ତୁବାଦର ଲୋଭମୂଳ ଅବ୍ୟବସ୍ଥାଗୁଡ଼ିକୁ ଭାଙ୍ଗି ନୂତନ ବସ୍ତୁବାଦର ଉଦୟଧର୍ମୀ ନିୟୋଜନ ଆବଶ୍ୟକ । ବସ୍ତୁ ମନୁଷ୍ୟର ଜୀବନରେ ପରବର୍ତ୍ତୀ ଅନେକାନେକ ସୋପାନରେ ଉନ୍ମୋଚନ ଲାଗି ସର୍ବପ୍ରଥମ ସୋପାନ ରୂପେ ହିଁ ଉଦ୍ଦିଷ୍ଟ ହୋଇ ରହିଛି । ସେହି ସୋପାନଟିକୁ ଏବେ ରାକ୍ଷସମାନେ ଆପଣାର ଆୟତ୍ତ କରି ରଖିଛନ୍ତି । ମଣିଷକୁ ଆଗକୁ ବାଟ ଛାଡ଼ି ଦେବେନାହିଁ ବୋଲି ସତେଅବା ଜିଦ୍ ଧରି ବସିଛନ୍ତି । ଏହି ଜିଦ୍‍ଟି ଫଳରେ କେବଳ ବସ୍ତୁ ଅର୍ଥାତ୍ ଅନ୍ନ ନୁହେଁ, ଜଗତର ସାହିତ୍ୟ, ସଂସ୍କୃତି, ବିବେକ ତଥା ପରିମଳଗୁଡ଼ାକ ମଧ୍ୟ ରାକ୍ଷସର କୁକ୍ଷି ଭିତରେ କବଳିତ ହୋଇ ରହିଛି । ଧର୍ମ ବିକୃତ ହୋଇଛି, ଭୟ ଓ ଘୃଣା ପ୍ରବଳରୁ ପ୍ରବଳତର ହେବାରେ ଲାଗିଛି ଏବଂ ସେହି ଚକଟାଟା ଭିତରେ ପଡ଼ି ରାଜନୀତି ମଧ୍ୟ ପ୍ରଧାନତଃ ଏକ ଅରାଜକତାରେ ପରିଣତ ହୋଇଛି । ସବୁ ଅଛି, ଅଥଚ କିଛି ନାହିଁ,–ମଣିଷ କେଡ଼େ ଫୁଲେଇ ହୋଇ ଉପଲବ୍‍ଧ ଯାବତୀୟ ସଙ୍ଗ–ସମ୍ଭାବନାକୁ ଅବଜ୍ଞା କରିବାରେ ଲାଗିଛି ଏବଂ ନିଃସଙ୍ଗତାମାନେ ତାକୁ ଖାଇଗଲେ ବୋଲି ଏକ ଅପସାଂସ୍କୃତିକ ରୋଦନ କରିବାରେ ଲାଗିଛି ।

 

ଏହି ଦୟନୀୟତା ଗୁଡ଼ାକୁ ଯଦି Civil society ବୋଲି କୁହାଯାଏ, ତେବେ ଏଥିରେ ଆମର ଆଦୌ କୌଣସି କାରଣ ନାହିଁ । Human society ଅଥବା Social Humanityର ସେହି ଅନ୍ୟ ବସ୍ତୁବାଦୀ ସମ୍ଭାବନା କହିଲେ କାର୍ଲ ମାର୍କ୍‍ସ୍‍ ପ୍ରକୃତରେ କ’ଣ ବୁଝୁଛନ୍ତି ? ସେହି ସମାଜରେ ସବୁ ମଣିଷ ମଣିଷ ବୋଲି ଗଣା ହେବେ । ମଣିଷ ରୂପେ ସ୍ଵୀକୃତ ହେବେ, ମଣିଷ ପରି ବଞ୍ଚିବେ । ଜୀବନ କହିଲେ ସେତେବେଳେ ଯେଉଁ ମାନଚିତ୍ରଟିକୁ ବୁଝାଇବ, ପାରସ୍ପରିକତା ହିଁ ତାହାର ସର୍ବପ୍ରଥମ ଭାରଦଣ୍ଡ ହୋଇ ରହିଥିବ । ସବୁ ମଣିଷ ଉତ୍ପାଦନ କରିବେ, ସବୁ ମଣିଷ ଆନନ୍ଦରେ ଭାଗ ନେବେ । ଜ୍ଞାନ ଓ ବିଜ୍ଞାନ ଆହୁରି ଅଧିକ ହେବ । ଅଧିକ ହୋଇ ମଣିଷର, ସବୁ ମଣିଷଙ୍କର କାମରେ ଲାଗିବ । ତାହା ସବୁ ମଣିଷଙ୍କର ଉଦୟରେ ସହାୟକ ହେବ-। ବାୟୁ ବଢ଼ିବ, ବସ୍ତୁ ମଣିଷର କାମରେ ଲାଗିବ । ସବୁ ମଣିଷଙ୍କର ଉଦରଭରଣ ହେବ, ତଥାକଥିତ ଉଦରଭରଣା ନିମନ୍ତେ ବର୍ତ୍ତମାନର ଏହି ଚବିଶିଘଣ୍ଟା ହନ୍ତସନ୍ତ ହୋଇ ରହିବାର କୃତ୍ରିମ ଦୁର୍ଦ୍ଦଶାଗୁଡ଼ିକର ଅବସାନ ଘଟିବ । ସବୁ ମଣିଷଙ୍କ ଭିତରେ ଯେ ପୂର୍ଣ୍ଣମାନବତ୍ଵ ଏବଂ ଦିବ୍ୟତ୍ଵର ସମ୍ଭାବନା ନିହିତ ହୋଇ ରହିଛି, ସେହି ସତ୍ୟଟି ପ୍ରକୃତରେ ସେତିକିବେଳେ ଯାଇ ପ୍ରତ୍ୟକ୍ଷ ହୋଇ ଆସିବ । ବସ୍ତୁବାଦ ବୋଲି କହି ଆମେ ଅଧମମାନେ କଦାପି ତାହାକୁ ସେତେବେଳେ ମଣିଷଠାରୁ ଅନ୍ତରାଳ କରି ରଖିପାରିବା ନାହିଁ ।

 

ତେଣୁ ଅନ୍ମଂ ନ ନିନ୍ଦ୍ୟାତ୍ । ଅନ୍ମକୁ, ବସ୍ତୁକୁ, ଜୀବନରେ ଏହି ସର୍ବନିମ୍ନ ଅତ୍ୟାବଶ୍ୟକ ସୋପାନକୁ ଆମେ ବସ୍ତୁବାଦ ବୋଲି କହି କଦାପି ନିନ୍ଦା କରିବା ନାହିଁ । ମଣିଷକୁ ବାଟ ଛାଡ଼ିଦେବା, ବସ୍ତୁକୁ ବାଟ ଛାଡ଼ିଦେବା, ତେବେ ଆମର ଆଶଙ୍କା ଓ ଅଳ୍ପତାଗୁଡ଼ାକୁ ପ୍ରଦର୍ଶିତ କରି ଆମକୁ କାବୁ କରି ରଖିଥିବା, ପ୍ରଧାନତଃ ଏକ ଭୋଗଧର୍ମୀ କୀଟରେ ପରିଣତ କରି ରଖିଥିବା ବସ୍ତୁବାଦର କବଳରୁ ମୁକ୍ତ ହୋଇ ଆସିବାଲାଗି ମଧ୍ୟ ଆମର ବାଟଟି ଫିଟିଯାଇ ପାରିବ । ବସ୍ତୁକୁ ସାର୍ବଜନୀନ କରି ହିଁ ଆମେ ବସ୍ତୁକୁ ଆମ ଉପରେ ଘୋଡ଼ା ଚଢ଼ି ରହିବାର ଉଦ୍ଧୃତତାରୁ ନିବୃତ୍ତ କରି ରଖିପାରିବା-। ଭୋଗରୁ ସାର୍ବଜନୀନ କରିବାଦ୍ଵାରା ହିଁ ଆମେ ଆମ ଭିତରର ଦରିଦ୍ର ଭୋଗଲୋଭୀଟିର ମୁକ୍ତିବିଧାନ କରିପାରିବା । ସେତେବେଳେ ଯାଇ ଆମକୁ ବହୁ ଛନ୍ଦ୍ମବେଶ ପରିଧାନ କରାଇ ରଖିଥିବା ବର୍ତ୍ତମାନର ଯାବତୀୟ ମାୟାବାଦ ଆମକୁ ଛାଡ଼ି ଚାଲିଯାଇ ପାରିବ । ଆମର ଦୃଷ୍ଟିକୁ ତାହା ବହୁବିଧ ମଳିନତାରୁ ମୁକ୍ତ କରିପାରିବ । ସେତେବେଳେ ରୁଟି ଆଉ ଚନ୍ଦ୍ର ଭିତରେ ଦ୍ଵନ୍ଦ୍ୱ ସୃଷ୍ଟି କରି ରଖିବାର ଏବଂ ଗୋଟିକୁ ଊର୍ଦ୍ଧ୍ୱର ବୋଲି କହି ଅନ୍ୟଟିକୁ ନିମ୍ନସ୍ଥ ବୋଲି ଦେଖାଇ ଦେବାର ଯାବତୀୟ ଫିକର ମଧ୍ୟ ଆମକୁ ଆଉ ମୋଟେ ଭଲ ଲାଗିବ ନାହିଁ । ମଣିଷ ସହିତ ଅସଲ ସୂତ୍ରଟିକୁ ଯୋଡ଼ି ପାରିଲେ ବସ୍ତୁବାଦ ସମ୍ବନ୍ଧରେ ରହିଥିବା ଆମର ସର୍ବବିଧ ଜୁଗୁପ୍‍ସା ମଧ୍ୟ ଦୂର ହୋଇଯାଇ ପାରିବ । ଆମର ତଥାକଥିତ ସୌନ୍ଦର୍ଯ୍ୟଭାବନା ବହୁ ବିକୃତିରୁ ମୁକ୍ତ ହେବ, ଆମର ଲାଳସାଗୁଡ଼ିକ ଅଭୀପ୍‍ସାକୁ ରୂପାନ୍ତରିତ ହୋଇଯିବ । (୨୯ । ୬ । ୮୮)

 

(୪୭)

 

ଭାରତବର୍ଷରେ ଯେଉଁ ଭାବବିଭୋର ବ୍ୟକ୍ତିମାନେ ଭାରତର ସଂସ୍କୃତି ବିଷୟରେ ମଧ୍ୟ ଆଳାପମାନ କରିବାକୁ ମନ କରନ୍ତି, ସେମାନେ କହନ୍ତି ଯେ, ଭାରତବର୍ଷ ସେଇ କୋଉ ପ୍ରାଚୀନ କାଳରୁ ଆଦର୍ଶବାଦ ଉପରେ ବିଶ୍ଵାସ କରି ଆସିଛି ଏବଂ ଏବେ ମଧ୍ୟ ମୁଖ୍ୟତଃ ଆଦର୍ଶବାଦୀ ହୋଇ ରହିଛି । ଭାରତବର୍ଷ କଦାପି ବସ୍ତୁବାଦୀ ହୋଇନାହିଁ । ଏହିସବୁ ଯୁକ୍ତିରେ ବସ୍ତୁବାଦକୁ ସାଧାରଣତଃ ସାଂସାରିକତା ସହିତ ସମତୁଲ କରି ଦିଆଯାଇଛି ଏବଂ ତେଣୁ ସଂସାରକୁ ନିମ୍ନକରି ସଂସାରତ୍ୟାଗକୁ ଊର୍ଦ୍ଧ୍ଵତର କରି ଦେଖାଇ ଦିଆଯିବାର ଚେଷ୍ଟା କରାଯାଇଛି । ସଂସାର ତ୍ୟାଗକୁ ଅନେକ ସମୟରେ ସନ୍ନ୍ୟାସ ବୋଲି ଆଖ୍ୟା ଦିଆଯାଇଛି । ଭାରତବର୍ଷରେ ସର୍ବୋତ୍ତମ ବ୍ୟକ୍ତିମାନେ ଚିରଦିନ ସଂସାର ତ୍ୟାଗ କରିଛନ୍ତି ଏବଂ ଭାରତୀୟ ଆଦର୍ଶବାଦର ଦୃଷ୍ଟାନ୍ତ ହୋଇ ରହିଛନ୍ତି । ଅବଶ୍ୟ ଅଧିକାଂଶ ମଣିଷ ଏଇଠି ଏହି ସଂସାରରେ ରହି ସଂସାରତ୍ୟାଗୀମାନଙ୍କର ସ୍ତୁତି କରିଛନ୍ତି, ତଥାପି ସଂସାର ଭିତରେ ରହିଛନ୍ତି । ବସ୍ତୁ ଭିତରେ ରହିଛନ୍ତି । ସଂସାର କରୁ କରୁ ବସ୍ତୁବାଦୀ ବହୁବିଧ ଗାତରେ ପଶି କେଡ଼େ ଝଲଝଲ ଦିଶିଛନ୍ତି, କେତେମନ୍ତେ କେଡ଼େ ଲୋଭରେ ଏବଂ ଅଧ୍ୟବସାୟ ସହିତ ସାଂସାରିକ ସଫଳତାମାନ ହାସଲ କରିଛନ୍ତି; ତଥାପି ସଂସାରତ୍ୟାଗୀ ସନ୍ନ୍ୟାସୀକୁ ହିଁ ସର୍ବୋତ୍ତମ ବୋଲି କହିଛନ୍ତି । ସନ୍ନ୍ୟାସୀ ସଂସାରକୁ ତ୍ୟାଗ କରିଛି, ବସ୍ତୁଗୁଡ଼ାକର ବେଢ଼ ଭିତରୁ ଆପଣାକୁ ମୁକ୍ତ କରି ରଖିଛି, ତେଣୁ ସିଏ ହେଉଛି ସର୍ବୋତ୍ତମ ମନୁଷ୍ୟମାନଙ୍କ ମଧ୍ୟରେ ମନୁଷ୍ୟୋତ୍ତମ,–ଭାରତବର୍ଷରେ ଏହିପରି ଏକ ଯୁକ୍ତି ଓ ଦୃଷ୍ଟି ସଂସାର ଭିତରୁ ଉତ୍ତମକୁ ଅଲଗା କରି ରଖିଛି, ବସ୍ତୁଠାରୁ ଆଦର୍ଶକୁ ଅଲଗା କରି ରଖିଛି ।

 

ରାଜନୀତିକ ସ୍ଵାଧୀନତା ହାସଲ କରିବା ପରେ ଭାରତବର୍ଷରେ ବସ୍ତୁବାଦ ବୃଦ୍ଧି ପାଇଛି ନା ଆଦର୍ଶବାଦ ବୃଦ୍ଧି ପାଇଛି ? ଭାରତବର୍ଷରେ ଯେଉଁମାନେ ଏବେ ମଧ୍ୟ ପଛମୁହାଁ ହୋଇ ରହିଛନ୍ତି, ଅର୍ଥାତ୍ ବର୍ତ୍ତମାନଟା ଭିତରେ ଯେଉଁମାନେ ସମ୍ଭବତଃ କୌଣସି ଥଳକୂଳ ପାଉନାହାନ୍ତି ବୋଲି ଭବିଷ୍ୟତରେ ବହୁବିଧ ଆଶଙ୍କାରେ ପ୍ରାୟ ଦୃଶ୍ୟମାନ ଭାବରେ ପଛପୁଲକିତ ହୋଇ ରହିଛନ୍ତି, ସେମାନେ ଭାରତର ଆଦର୍ଶବାଦ ବିଷୟରେ ତଥାପି କେତେ କ’ଣ କହିବାରେ ଲାଗିଛନ୍ତି-। ଜୀବନରେ ତୁଚ୍ଛା ବସ୍ତୁଲୋଭରେ ଭେଳିକି ଭିତରେ ପଡ଼ି ଯାଇଥିବା ମହାମାନ୍ୟମାନେ ସଭାରେ ଆଦର୍ଶବାଦର କଥା କହୁଛନ୍ତି । ଆମ ରାମାୟଣ ଓ ମହାଭାରତ କଥା କହୁଛନ୍ତି, ବେଳେବେଳେ ପଛର ସେହି ଆଦର୍ଶଅଳଙ୍କୃତ ଯୁଗଭିତରକୁ ଫେରି ଯିବାର କଥା ମଧ୍ୟ କହୁଛନ୍ତି । ଆମେ ଇଚ୍ଛା କଲେ ମଧ୍ୟ କଦାପି ଯେ ପଛକୁ ଫେରିଯାଇ ପାରିବା ନାହିଁ, ଏହି କଥାଟିକୁ ଅତ୍ୟନ୍ତ ଉତ୍ତମ ଭାବରେ ଜାଣିଛନ୍ତି ବୋଲି ସେମାନେ ପ୍ରାୟ ନିଦକ ଭାବରେ ଆମକୁ ପଛକୁ ଫେରିଯିବା ନିମନ୍ତେ ପରାମର୍ଶ ଦେଉଛନ୍ତି । ସ୍ଵାଧୀନତା ପରେ ଭାରତବର୍ଷରେ ବସ୍ତୁ ବହୁଗୁଣିତ ହୋଇଛି, ବସ୍ତୁଲୋଭ ମଧ୍ୟ ବହୁଗୁଣିତ ହୋଇଛି; ମାତ୍ର ବସ୍ତୁକୁ ସବୁ ମଣିଷଙ୍କର କଲ୍ୟାଣ ଅର୍ଥାତ୍ ଉତ୍ତରୋତ୍ତର ଉଦୟ ଲାଗି ମୋଟେ କୁଶଳ ଭାବରେ ବ୍ୟବହାର କରାଯାଇ ପାରିନାହିଁ । ସରକାରୀ ହିସାବଗୁଡ଼ାକ କହୁଛି ଯେ, ଆମ ଦେଶରେ ଧନୀମାନେ ଅଧିକ ଧନବାନ୍‍ ହୋଇଛନ୍ତି ଏବଂ ଦରିଦ୍ରମାନେ ଅଧିକ ଦରିଦ୍ର ହୋଇଛନ୍ତି । ଧନୀ ତଥା ଦରିଦ୍ର ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଛି । ଅର୍ଥାତ୍, ଅସହାୟତା ବଢ଼ିଛି, ଉଦ୍ଧତତା ବୃଦ୍ଧି ପାଇଛି, ଉଦାସୀନତା ବଢ଼ିଛି, ଅମାନୁଷିକତା ମଧ୍ୟ ବୃଦ୍ଧି ପାଇଛି । ତେଣୁ ବସ୍ତୁର ବୃଦ୍ଧି ଏଠାରେ ଅସଲ ମାନବିକ ଉତ୍ତୋଳନ ଲାଗି ଭଗାରି ପରି କାର୍ଯ୍ୟ କରିଛି ।

 

ବସ୍ତୁଲୋଭୀମାନଙ୍କର ହାତ ମୁଣି ଭିତରେ ରହିଛି । ଲୋଭୀମାନେ ହିଁ ସଂସାରରେ ସାଧାରଣତଃ ଅଧିକ ଆଶଙ୍କା ଭିତରେ ରହିଥାନ୍ତି, ନାନା ଦୁର୍ବୁଦ୍ଧି ଭିତରେ ଭାରି କାତର ହୋଇ ରହିଥାନ୍ତି, ତେଣୁ ଆପଣା ହାତରେ ଅଧକରୁ ଅଧିକ ଧନକୁ ଯଥାସମ୍ଭବ ଅଧିକ ନିରାପଦ କରି ରଖିବାକୁ ସେମାନେ ପ୍ରାୟ ନିୟମତଃ କ୍ଷମତାକୁ ବି ଲୋଭ କରନ୍ତି । ଆମ ଦେଶରେ ବିଗତ ୪୦ ବର୍ଷ ଭିତରେ ଉଭୟ ବସ୍ତୁ ଓ କ୍ଷମତା ଯେ ଅଧିକତର କ୍ଷେତ୍ରରେ ଅଯୋଗ୍ୟମାନଙ୍କ ହାତରେ ଯାଇ ପଡ଼ିଛି, ଏହି ଘୋଷଣାଟିକୁ ହୁଏତ ସେହି ପରିପ୍ରେକ୍ଷୀ ଉପରେ ବିଚାର କରାଯାଇପାରେ । ଆମ ଦେଶରେ ଉଭୟ ଧନ ଏବଂ କ୍ଷମତା ଯେ ସାର୍ବଜନୀନ କଲ୍ୟାଣ ଉଦ୍ଦେଶ୍ୟରେ ନିୟୋଜିତ ହୋଇପାରୁ ନାହିଁ, ତାହାର କାରଣଗୁଡ଼ିକୁ ଆମେ ବସ୍ତୁବାଦରେ ବୃଦ୍ଧି ଏବଂ ଆଦର୍ଶବାଦର ହ୍ରାସ ଭିତରେ କଦାପି ଖୋଜିବାକୁ ଯିବାନାହିଁ । ଅନେକ ବରିଷ୍ଠ ବ୍ୟକ୍ତି–ସେମାନେ ଧନ ଓ କ୍ଷମତା ଉଭୟ କ୍ଷେତ୍ରରେ ମଧ୍ୟ ଗରିଷ୍ଠ ହୋଇ ରହିଛନ୍ତି ଓ ତେଣୁ ଯାବତୀୟ ଅବିବେକିତାର ସାହୀରେ ସକଳ ପରିପାଟୀ ସହକାରେ ବରିଷ୍ଠ ବୋଲି ଗଣା ହେଉଛନ୍ତି,–ଏପରି ମଧ୍ୟ କହିବାରେ ଲାଗିଛନ୍ତି ଯେ, ପାଶ୍ଚାତ୍ୟ ବସ୍ତୁବାଦ ଭାରତବର୍ଷକୁ ହୁ ହୁ ହୋଇ ମାଡ଼ିଆସିଲା ଏବଂ ଦେଶର ଆଦର୍ଶବାଦୀ ମୂଲ୍ୟଭୂମି ଗୁଡ଼ିକୁ ଏହି ମାତ୍ର କେତେଟା ଦଶକ ଭିତରେ ଏକାବେଳକେ ନଷ୍ଟ କରିଦେଲା । ପାଜିମାନେ ବାହାରୁ ଆସି ଆମ ଦେଶଟାକୁ ଗୋଟାସୁଦ୍ଧା ପାଜି କରିଦେଲେ । ଆମ ଘର ଭିତରେ ରହିଥିବା ପାଜିମାନଙ୍କୁ ଏଭଳି କଥା ଶୁଣିବାକୁ ପ୍ରକୃତରେ ଭାରି ଭଲ ଲାଗୁଥିବ ଏବଂ ବେଳେବେଳେ ସେମାନେ ନିଜେ ମଧ୍ୟ ଏଭଳି କଥା କହିବାରେ ଭାରି ପୁଲକ ଅନୁଭବ ଅବଶ୍ୟ କରୁଥିବେ । ଧରା ପଡ଼ିଯିବାର ପ୍ରମାଦରୁ ରକ୍ଷା ପାଇ ଯାଉଥିବେ ।

 

ଇଉରୋପରେ ମଧ୍ୟ ପ୍ରାଚୀନ ଓ ମଧ୍ୟଯୁଗରେ ବସ୍ତୁର ଘୋର ଅଭାବ ରହିଥିଲା । ଅର୍ଥାତ୍ ସେତେବେଳେ ସମାଜର ସବୁ ମଣିଷ ଆଦୌ ସମ୍ପନ୍ନ ନଥିଲେ । ବହୁବିଧ ଅନ୍ନଗତ ଦାରିଦ୍ର୍ୟ ଅଧିକାଂଶ ମଣିଷଙ୍କୁ ଗ୍ରାସ କରି ରହିଥିଲା । ଅଳପ ମଣିଷ ମାଲିକ ଥିଲେ, ତେଣୁ ଅତ୍ୟୁଦ୍ଧତ ଥିଲେ । ସେତେବେଳର ଧର୍ମଟା ମଧ୍ୟ ଭାଗ୍ୟବାଦୀ ହୋଇ ରହିଥିଲା ଓ ମଣିଷମାନଙ୍କୁ ଶୀତଳ କରି ରଖିଥିଲା । ଅସନ୍ତୋଷମାନ ଜମାଟ ହୋଇ ପ୍ରତିକାର ଖୋଜୁଥିଲ;–ଉପଯୁକ୍ତ ନେତୃତ୍ଵ ବଳରେ ତାହା ଆଧୁନିକ ବିଜ୍ଞାନ ଏବଂ ଆଧୁନିକ ସମାଜ–ଚିନ୍ତନର ମାଧ୍ୟମରେ ରାସ୍ତା ପାଇଲା । ବସ୍ତୁ ବଢ଼ିଲା, ସାମାଜିକ ଜାଗରୁକତା ବଢ଼ିଲା–ରାଜନୀତିକ ବହୁ ବିମୋଚନ ଲାଗି ଅସଲ ସର୍ବନିମ୍ନ ଭୂମିଗୁଡ଼ିକ ମଧ୍ୟ କ୍ରମପ୍ରସ୍ତୁତ ହୋଇ ଆସିଲା । ସମାଜର ଯାବତୀୟ ଅର୍ଥନୈତିକ ପ୍ରକ୍ରିୟାରେ ଯେ ସମାଜସ୍ଥ ସବୁ ମଣିଷଙ୍କର ଭାଗ ରହିଛି, ଅଧିକାର ତଥା କର୍ତ୍ତବ୍ୟ ଉଭୟ ଭୂମିରେ ଭାଗ ରହିଛି, ବିଜ୍ଞାନର ବହୁ ନବୋନ୍ମେଷଣା ଏବଂ ନବୋଦ୍‍ଭାବନାର ଫଳସ୍ଵରୂପ ବସ୍ତୁଗତ ପ୍ରାଚୁର୍ଯ୍ୟ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଇଉରୋପର ସମାଜର ଗଠନରେ ଏବଂ ତତ୍‍ସମ୍ପୃକ୍ତ ସମ୍ବନ୍ଧଗୁଡ଼ିକରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନଗୁଡ଼ିକ ହୋଇ ସେହି ସତ୍ୟଟିକୁ ଏକ ବାସ୍ତବ ପ୍ରତିଷ୍ଠା ଆଣି ଯୋଗାଇଦେଲା-। ତାହାରି ଅନୁସାରେ ପ୍ରାୟ ଯୁଗପତ୍‍ ଭାବରେ ଶିକ୍ଷାର ବି ସର୍ବଜନୀକରଣ ହେଲା, ଧର୍ମ ମଧ୍ୟ ପ୍ରତ୍ୟେକ ବ୍ୟକ୍ତିର କଥା କହିଲା । ପୁରୁଣା ସିଡ଼ିଗୁଡ଼ାକ ଭାଙ୍ଗି ଗଲା, ପୁରୁଣା ଶ୍ରେଣୀଗୁଡ଼ାକ ଅନାବଶ୍ୟକ ପ୍ରମାଣିତ ହୋଇ ହଟିଗଲେ । ସେହି ଅନୁସାରେ ସାହିତ୍ୟ ଓ ସଂସ୍କୃତିର ମାନବସମ୍ବନ୍ଧୀୟ ଆଭିମୁଖ୍ୟଗୁଡ଼ିକ ମଧ୍ୟ ବଦଳିଗଲା । ପ୍ରତ୍ୟେକ ମଣିଷ ତା’ର ଭାଗ୍ୟକୁ ଆପେ ଗଢ଼ିବ, ଆପଣାର ସମ୍ଭାବନାଗୁଡ଼ିକୁ ପୁଞ୍ଜି କରି ଧରି ସିଏ ଜୀବନ ସହିତ ବଣିଜ କରି ବାହାରିବ, ସେଥିଲାଗି ଆବଶ୍ୟକ ଯାବତୀୟ ସଂଗ୍ରାମଗୁଡ଼ିକୁ ସିଏ ନିଜେ କରିବ,–ସମାଜ ଏହି ସବୁକିଛିର ନିମନ୍ତେ ପ୍ରୟୋଜନୀୟ ଭୂମି-ପରିବେଶଗୁଡ଼ିକୁ ଅବଶ୍ୟ ଯୋଗାଇଦେବ । ଦେଶର ସରକାର ମୁଖ୍ୟତଃ ସେଇଥିପାଇଁ ଚାଲିବ । ଅର୍ଥାତ୍, ରାଜନୀତିକ କ୍ଷମତା ମଣିଷମାନଙ୍କୁ ଗିଳି ପକାଇବ ନାହିଁ, ପ୍ରତ୍ୟେକ ମଣିଷ ଲାଗ ବାଟ ଫିଟାଇଦେବ ।

 

ସମାଜ ବିଜ୍ଞାନରେ ପାଶ୍ଚାତ୍ୟ ସାମୂହିକ ଜୀବନର ଏହି ପ୍ରବୃତ୍ତିଗୁଡ଼ିକୁ achievement motive ବୋଲି କୁହାଯାଉଛି । ଯେଉଁ ସମାଜ ଏହି ପ୍ରବୃତ୍ତିଗୁଡ଼ିକୁ ହିଁ ଜୀବନୋଦ୍ୟମର ସର୍ବମୂଳ ପ୍ରେରଣା ରୂପେ ଗ୍ରହଣ କରିଥାଏ, ଏବେ ତାହାକୁ ଏକ achieving society ବୋଲି କୁହାଯାଉଛି । “ମଦାୟତ୍ତଂ ତୁ ପୌରୁଷମ୍” କଥାଟିକୁ ସେହିସବୁ ସମାଜରେ ସର୍ବାଧିକ ସ୍ଵୀକୃତି ଦିଆଯାଇଛି । ଆପଣା ପୌରୁଷର ଯାବତୀୟ ସାମର୍ଥ୍ୟ ଓ ଐଶ୍ୱର୍ଯ୍ୟକୁ ବାସ୍ତବରେ ପରିଣତ କରିବା ନିମନ୍ତେ ସାମୂହିକ ଜୀବନ-ବ୍ୟବସ୍ଥାରେ ଯେଉଁ ଯଥାନୁକୂଳ ପରିବେଶଟି ଦରକାର, ସେଇଟିକୁ ଯୋଗାଇ ଦେବା ହିଁ ସେହିସବୁ ସମାଜରେ ରାଷ୍ଟ୍ରର ସର୍ବପ୍ରଧାନ କର୍ତ୍ତବ୍ୟ ହୋଇ ରହିଛି । ବସ୍ତୁର ପରିମାଣ ବଢ଼ିଛି, ବସ୍ତୁ ଉତ୍ପାଦନର ପରିସର ମଧ୍ୟ ବୃଦ୍ଧି ପାଇଛି । ଅଧିକରୁ ଅଧିକ ମଣିଷ ସାମୂହିକ ଜୀବନକରଣାର ଶ୍ରମମଣ୍ଡଳ ଭିତରେ ପ୍ରବେଶ କରିଛନ୍ତି, ଅଧିକରୁ ଅଧିକ ମଣିଷ ସମ୍ପନ୍ନତାର ମଣ୍ଡଳ ଭିତରେ ପ୍ରବେଶ କରିଛନ୍ତି । ସାମାଜିକ ସାର୍ବଜନୀନ ସୁରକ୍ଷାର ଅନେକମୁଖୀ ବ୍ୟବସ୍ଥା ଫଳରେ ସେଠାରେ ମନୁଷ୍ୟର ଅସହାୟତା ବହୁ ପରିମାଣରେ ଦୂରୀଭୂତ ହୋଇଛି । ବସ୍ତୁର ସହଜପ୍ରାପ୍ୟତା ଦ୍ଵାରା ଯେ ଅନ୍ନମୟ ଜୀବନର ବହୁ କଷଣକୁ ଦୂର କରାଯାଇ ପାରେ ଓ ମନୁଷ୍ୟକୁ ତା’ ଉଦୟର ପରବର୍ତ୍ତୀ ସୋପାନ ଆମକୁ ବାଟ ଦେଖାଇ ଦିଆଯାଇପାରେ, ପାଶ୍ଚାତ୍ୟ ଅନ୍ନସମୃଦ୍ଧି ଅନ୍ତତଃ ପାଶ୍ଚାତ୍ୟ ସମାଜରେ ସେହି କଥାଟିକୁ ପ୍ରମାଣ କରି ଦେଖାଇ ଦେଇଛି ।

 

ଭାରତବର୍ଷର ବହିମାନଙ୍କରେ ଆଦର୍ଶବାଦକୁ ବସ୍ତୁବାଦ ଅପେକ୍ଷା ଉଚ୍ଚତର ସ୍ଥାନ ଦିଆଯାଇ ଆସିଛି ସତ, ମାତ୍ର ଭାରତବର୍ଷରେ ବସ୍ତୁଲୋଭ ଚିରଦିନ ରହିଆସିଛି । ଯେଉଁ ସମାଜରେ ବସ୍ତୁର ଉପାର୍ଜନ ଏବଂ ବସ୍ତୁର ଉପଭୋଗକୁ ପ୍ରାୟ ସର୍ବଜନର ସାମର୍ଥ୍ୟ ସୀମା ଭିତରକୁ ଅଣାଯାଇ ସାରିଛି, ସେହି ସମାଜ ଭିତରେ ପ୍ରକୃତରେ ବସ୍ତୁଲୋଭ ବେଶି ନା ଯେଉଁ ସମାଜରେ ଥୋକେ ଭାଗ୍ୟବାନଙ୍କ ହାତରେ ପ୍ରାୟ ସକଳ ଉପଭୋଗର ଏକାଧିକାରକୁ ଛାଡ଼ିଦେଇ ଅନ୍ୟମାନଙ୍କୁ କେବଳ କଷଣ ଖଟିବା ଭିତରେ ବାଧ୍ୟ କରି ରଖାଯାଇଛି ଏବଂ ଜୀବନର ସର୍ବନିମ୍ନ ଆବଶ୍ୟକତା ଗୁଡ଼ିକରୁ ଅତ୍ୟନ୍ତ ପାଷଣ୍ଡ ଭାବରେ ବଞ୍ଚିତ କରି ରଖାଯାଇଛି, ସେହି ସମାଜରେ ବସ୍ତୁଲୋଭ ବେଶି ? ଯଦି ସାଧାରଣ ଭାବରେ ବସ୍ତୁଲୋଭର ମାନଦଣ୍ତ ଉପରେ ବସ୍ତୁବାଦର ବିଚାର କରାଯାଏ, ତେବେ ଯେକୌଣସି ଦୃଷ୍ଟିରୁ ମଧ୍ୟ ବର୍ତ୍ତମାନର ଭାରତବର୍ଷକୁ ପାଶ୍ଚାତ୍ୟ ବହୁସଂଖ୍ୟକ ଦେଶର ତୁଳନାରେ ଅଧିକ ବସ୍ତୁବାଦୀ ବୋଲି ଅବଶ୍ୟ କୁହାଯାଇ ପାରିବ । କେବଳ ସେତିକି ନୁହେଁ, ପାଶ୍ଚାତ୍ୟର ତୁଳନାରେ ଭାରତବର୍ଷରେ ରାଜନୀତିକ କ୍ଷମତା ମଧ୍ୟ ପ୍ରକୃତରେ ଅଧିକ ବସ୍ତୁବାଦୀ । ଯେଉଁମାନଙ୍କ ପାଖରେ ବିଦ୍ୟା ଓ ଜ୍ଞାନ ରହିଛି, ସେମାନେ ମଧ୍ୟ ଅଧିକ ବସ୍ତୁବାଦୀ । ଅଧିକ ଉତ୍କଟ ଭାବରେ ବସ୍ତୁବାଦୀ । ପାଶ୍ଚାତ୍ୟର ତଥାକଥିତ ବସ୍ତୁବାଦ ପ୍ରାୟ ଯାବତୀୟ ଅର୍ଥାତାତ୍ପର୍ଯ୍ୟର କ୍ଷେତ୍ରରେ achievement ବା ପୌରୁଷ ଉପରେ ପ୍ରତିଷ୍ଠିତ ହୋଇରହିଛି । ତେଣୁ ସେହି ବସ୍ତୁବାଦର ଏକ ନିଜସ୍ଵ ଶାଳୀନତା ମଧ୍ୟ ରହିଛି । ମାତ୍ର ଭାରତୀୟ ବସ୍ତୁଲୋଭ ଏବଂ ବସ୍ତୁବାଦ ଆପଣାର କଲିଜା ଭିତରେ ସତକୁ ସତ କୋଉ ଖଟୁଲିର ଗୋଡ଼କୁ କାମୁଡ଼ି କରି ପଡ଼ି ରହିଛି ?

 

ଭାରତୀୟ ଧାତୁରେ achievement କମ୍ ascription ଅଧିକ । ଏଠି ବସ୍ତୁର ଲୋଭଗୁଡ଼ାକ ପାଶ୍ଚାତ୍ୟ ଜଗତର ତୁଳନାରେ ଆଦୌ କୌଣସି ଗୁଣରେ କମ୍‍ ନୁହେଁ । ମାତ୍ର ପାଶ୍ଚାତ୍ୟ ଜଗତର ବସ୍ତୁବାସନା କିମ୍ବା ଭୋଗ । ବାସନା ତଥାପି ପୌରୁଷ ଉପରେ ପ୍ରତିଷ୍ଠିତ ଏବଂ ସାମାଜିକ ଶୃଙ୍ଖଳା ଉପରେ ପ୍ରତିଷ୍ଠିତ । ଭାରତବର୍ଷରେ ତାହା ଆଉ ଯାହା ଉପରେ ପ୍ରତିଷ୍ଠିତ ହୋଇ ରହିଥାଉ ବା ନଥାଉ ପଛକେ, ଅନ୍ତତଃ ପୌରୁଷ ଉପରେ ବା ଉଦ୍ୟମ ଉପରେ ମୋଟେ ପ୍ରତିଷ୍ଠିତ ହୋଇ ରହିନାହିଁ । କ୍ଷମତାଗୁଡ଼ାକ ଭିତରେ ରାକ୍ଷସମାନେ କେଡ଼େ ଅସୁନ୍ଦର ଭାବରେ ରଡ଼ି କରିବାରେ ଲାଗିଛନ୍ତି । ଏକ ତମଃପ୍ରଧାନ ସମାଜ ସତକୁ ସତ ଯାହା ଉପରେ କିମ୍ବା ଯେଉଁ ସବୁ ଉପରେ ପ୍ରତିଷ୍ଠିତ ହୋଇ ରହିଛି, ବସ୍ତୁଲୋଭୀ ଏବଂ କ୍ଷମତାଲୋଭୀମାନେ ଅନେକ ସମୟରେ ତାହାକୁ ଭାଗ୍ୟ ବୋଲି କହିଥାଆନ୍ତି । ଭାଗ୍ୟାନୁଗ୍ରହ ହିଁ ଯେଉଁ ସମାଜରେ ପ୍ରତିଷ୍ଠା ଓ ସମ୍ପନ୍ନତାର ନିର୍ଣ୍ଣାୟକ ବୋଲି ପରମ୍ପରାର ପୂର୍ଣ୍ଣ ସମର୍ଥନ ସହିତ ସ୍ଵୀକୃତ ହୋଇ ରହିଥାଏ, ସେଠାରେ କେତେକ ମନୁଷ୍ୟ ଅଧିକରୁ ଅଧିକ ଉଦ୍ଧତ ହୋଇ ଅଶାଳୀନତାର କେତେ ତଳକୁ ଯେ ଖସିଯାଇ ପାରନ୍ତି, ଭାରତବର୍ଷରେ ଅଭିନୀତ ହେଉଥିବା ଚଳନ୍ତି ଶୈଳୀଗୁଡ଼ାକ ହିଁ ତାହାର ରାଜସାକ୍ଷୀ ହୋଇ ରହିଛନ୍ତି । ଆପେ ଯୋଗ୍ୟ ନହୋଇ ଯୋଗ୍ୟତାର ସକଳ ପଦକୁ ମାରିନେବା, ଆପେ ଉଦ୍ୟମ ନକରି ଯେକୌଣସି ପ୍ରକାରେ ଅର୍ଥାତ୍ ଯେକୌଣସି ନିମ୍ନତାକୁ ଖସିଯାଇ ମଧ୍ୟ ତଥାପି ନିର୍ବିବେକ ଭାବରେ ସବୁଯାକ ସଫଳତା ପାଖରେ ରାଣୀ ବା ରାଜା ହୋଇ ରହିବା–ଭାରତୀୟ ଦୃଶ୍ୟପଟରେ ଏବେ ଏହିପରି ଏକ ଉଦ୍ଦଣ୍ଡ ଲୋଭାସକ୍ତତା କେଡ଼େ ପ୍ରବଳ ହୋଇ ବସିଛି–ବସ୍ତୁଗୁଡ଼ାକ ଭିତରେ ସଂପୃକ୍ତ ମଣିଷଗୁଡ଼ାକ କେଡ଼େ କୁତ୍ସିତ ଓ ବୀଭତ୍ସ ହୋଇ ଦିଶୁଛନ୍ତି–ଏକ ତମଃପ୍ରଧାନ-ସାମନ୍ତବାଦର ଜର୍ସି ପିନ୍ଧି ଭାରତରେ ବସ୍ତୁଲୋଭ ଓ ବସ୍ତୁବାଦ ହିଁ ଆମ ଘରେ ସର୍ବେସର୍ବା ହୋଇ ବସିଛି, ଏହି ଦେଶର ଯାବତୀୟ ସମ୍ଭାବନାକୁ ସତେଅବା କାବୁ କରି ରଖିଛି । ସାହିତ୍ୟ, ସଂସ୍କୃତି, ଶିକ୍ଷା, ସବୁକିଛିକୁ କାବୁ କରି ରଖିଛି । ଏକ ବସ୍ତୁବାଦୀ ରାତ୍ରି ଏଠାରେ ଆମ ସମସ୍ତଙ୍କର ଭବିଷ୍ୟ ସ୍ଵପ୍ନକୁ ନିଷ୍ଫଳ କରିଦେବ ବୋଲି ବ୍ରତୀ ହୋଇ ବାହାରିଛି । ଇଉରୋପୀୟ ବସ୍ତୁବାଦ ଭିତରୁ ଆଗକୁ ବାଟ ଫିଟୁଥିବାର ସୂଚନା ମିଳିଲାଣି, ଆମ ବସ୍ତୁବାଦୀ ସାଆନ୍ତମାନେ ଆମ ଘରେ କୋଲପ ପକାଇ ରଖିଛନ୍ତି । (୬ । ୭ । ୮୮)

 

(୪୮)

 

ଆପଣାର The Human cycle (ପ୍ରକାଶିତ ଓଡ଼ିଆ ଅନୁବାଦର ନାମ ହେଉଛି : ମାନବ-ଯୁଗଚକ୍ର)ରେ ଶ୍ରୀ ଅରବିନ୍ଦ ଆଧୁନିକ ମାନବ-ଭାବନାର କ୍ଷେତ୍ରରେ ଇଉରୋପର ଦୁଇଟି ଅତି ମହତ୍ଵପୂର୍ଣ୍ଣ ଅବଦାନର ଉଲ୍ଲେଖ କରିଛନ୍ତି । ଶ୍ରୀ ଅରବିନ୍ଦଙ୍କ ମତରେ ସେହି ଦୁଇଟିଯାକ କଥାକୁ ବିଶ୍ୱଯାକ ସମସ୍ତେ ମାନିନେଇ ସାରିଲେଣି ଏବଂ ଆଦୌ କୌଣସି ସାମୟିକ ବିରୁଦ୍ଧ ପ୍ରତିକ୍ରିୟା ବ୍ୟକ୍ତ କରି କେହି ସେଗୁଡ଼ିକୁ ଭୁରାଡ଼ି ଦେଇ ପାରିବେ ନାହିଁ । ଯେକୌଣସି ବ୍ୟକ୍ତି ମଧ୍ୟରେ ଆପଣାର ବିକାଶ ନିମନ୍ତେ ଯେତେ ଯାହା ସାମର୍ଥ୍ୟ ରହିଛି, ତାହାକୁ କାର୍ଯ୍ୟରେ ଲଗାଇ ସିଏ ସେଗୁଡ଼ିକର ପରିପୂର୍ଣ୍ଣ ବିକାଶ କରିପାରିବ ଓ ଏକ ପରିପୂର୍ଣ୍ଣ ଜୀବନର ଅଧିକାରୀ ହୋଇପାରିବ ଏବଂ ସେହି ଅଧିକାରରୁ ତାକୁ କେହି ବଞ୍ଚିତ କରି ପାରିବ ନାହିଁ । ଏଇଟି ହେଉଛି ବିଶ୍ୱର ମାନବଭାବନାକୁ ଇଉରୋପର ପ୍ରଥମ ଅବଦାନ । କେବଳ ଇଉରୋପର କ୍ଷେତ୍ରରେ ଯେ ଏହି କଥାଟି ସତ୍ୟ, ସେକଥା ନୁହେଁ, ସମଗ୍ର ପୃଥିବୀରେ ସବୁ ସମାଜ ସବୁ ବ୍ୟକ୍ତିଙ୍କ ପାଇଁ ମଧ୍ୟ ତାହାର ସତ୍ୟତା ରହିଛି । ସମାଜର କେବଳ କେତୋଟି ଶ୍ରେଣୀ କେତେକ ବିଶେଷ ସ୍ଥିତିର ଫାଇଦା ଉଠାଇ ବିକାଶ ତଥା ପୂର୍ଣ୍ଣ ସାମାଜିକ ଚରିତାର୍ଥର ଅବକାଶ ଏବଂ ଅଧିକାର ଗୁଡ଼ିକୁ ଆପେ ମାଡ଼ି ବସିଥିବେ ଏବଂ ଅନ୍ୟମାନେ ସକଳ ପ୍ରକାରେ ବଞ୍ଚିତ ହୋଇ କେବଳ ସେବା ଖଟୁଥିବେ, ଶ୍ରୀ ଅରବିନ୍ଦଙ୍କର ବିଚାରରେ ଆମେ ଏହାକୁ ଏଣିକି ଆଉ କଦାପି ଏକ ସାମାଜିକ ଆଦର୍ଶ ବୋଲି ଗ୍ରହଣ କରିପାରିବା ନାହିଁ । କ୍ରମେ ସମଗ୍ର ପୃଥିବୀରେ ଏହି ପ୍ରତ୍ୟୟଟିର ଅଧିକରୁ ଅଧିକ ପ୍ରତିଷ୍ଠା ହେବାରେ ଲାଗିଛି ଯେ, ସାମାଜିକ ବିକାଶ ଏବଂ ସାମାଜିକ ମଙ୍ଗଳ କହିଲେ ଏଣିକି ସମାଜରେ ବାସ କରୁଥିବା ସବୁ ବ୍ୟକ୍ତିଙ୍କର ବିକାଶ ଏବଂ ମଙ୍ଗଳକୁ ହିଁ ବୁଝାଇବ; କେବଳ ଗୋଟାଏ କିମ୍ବା ଦୁଇଟା ଶ୍ରେଣୀର ସମୃଦ୍ଧ ଏବଂ ସାମର୍ଥ୍ୟ ଶକ୍ତି ବୃଦ୍ଧି ପାଉଥିଲେ ତାହାକୁ କଦାପି ସମଗ୍ର ସମାଜର ସମୃଦ୍ଧି ଅଥବା ଉଦୟ ବୋଲି କୁହାଯାଇ ପାରିବ ନାହିଁ । ଉପସଂହାର କରି ଶ୍ରୀ ଅରବିନ୍ଦ କହିଛନ୍ତି, ଏହି ବିଚାରଟିକୁ ପୃଥିବୀର ପ୍ରଗତିକାମୀ ସବୁ ଜାତି କ୍ରମଶଃ ମାନି ନେଇଛନ୍ତି ଓ ନେଉଛନ୍ତି ଏବଂ ଉପସ୍ଥିତ ପୃଥିବୀରେ ଯେଉଁ ସାମ୍ୟବାଦୀ ଓ ସମତାକାଂକ୍ଷୀ ଦୃଷ୍ଟିଟି ଆବିର୍ଭୁତ ହୋଇ ଆସୁଛି, ତାହାର ମୂଳରେ ସେହି ସତ୍ୟଟି ହିଁ ପ୍ରଧାନତମ ପ୍ରେରଣା ହୋଇ ରହିଛି ।

 

ସ୍ୱଲିଖିତ ଆଉ ଗୋଟିଏ ଗ୍ରନ୍ଥ The Synthesis of Yoga (ପ୍ରକାଶିତ ଓଡ଼ିଆ ଅନୁବାଦର ନାମ : ଯୋଗ-ସମନ୍ୱୟ)ରେ ମଧ୍ୟ ଶ୍ରୀ ଅରବିନ୍ଦ ଏକ ବୃହତ୍ତର ପରିପ୍ରେକ୍ଷୀରେ ସେହି କଥାଟିର ଆଲୋଚନା କରିଛନ୍ତି । ଆଧୁନିକ ସଭ୍ୟତାର ମୁଖ୍ୟ ପ୍ରବୃତ୍ତି ଗୁଡ଼ିକୁ ଦର୍ଶାଇ ଦେବାକୁ ଯାଇ ସେ ଆଧୁନିକ ବିଚାର ତଥା ଆଧୁନିକ ମାନବୋଦ୍ୟମ କିପରି ଅଧିକରୁ ଅଧିକ ପରିମାଣରେ ଅନ୍ନମୟ ସ୍ତରର ଲବ୍‍ଧ ସୁବିଧା ଏବଂ ସୁଯୋଗ ଗୁଡ଼ିକୁ ସର୍ବଜନଙ୍କ ଲାଗି ଉପଲବ୍‍ଧ କରି ଆଣିବାର (Universalizing the opportunities) ପ୍ରୟାସ କରିବାରେ ଲାଗିଛି, ସେହି କଥାଟିକୁ ସୂଚିତ କରି ଦେଇଛନ୍ତି । ଏହି ପ୍ରୟାସଟି ଦ୍ୱାରା ମନୁଷ୍ୟଜାତିର ବୁଦ୍ଧିଗତ କ୍ଷେତ୍ରର ଉତ୍କର୍ଷ, ସାମର୍ଥ୍ୟ ଏବଂ ଅଧିକତର ବହୁ ସମ୍ଭାବନା ଲାଗି ବାଟ ଫିଟିଯିବ ଏବଂ ତଦ୍ଦ୍ୱାରା ମାନସିକ ଜୀବନ ଅଧିକ ସମୃଦ୍ଧ ହେବାର ବଳ ଅବଶ୍ୟ ପାଇବ ବୋଲି ସିଏ ତାହାରି ଚର୍ଚ୍ଚା କରିଛନ୍ତି । ବିଶ୍ୱର ଏହି ପ୍ରବୃତ୍ତିରେ ସେ ଇଉରୋପକୁ ହିଁ ନାୟକ ବୋଲି ବର୍ଣ୍ଣନା କରିଛନ୍ତି । ଇଉରୋପ ଯେ ଜଡ଼ ପ୍ରକୃତିର ଉତ୍ତରୋତ୍ତର ନିୟୋଜିତ ଦ୍ୱାରା ଜୀବନରେ ଆବଶ୍ୟକ ହେଉଥିବା ବାହ୍ୟ ବସ୍ତୁଗୁଡ଼ିକର ଉନ୍ନୟନ ତଥା ଉତ୍ପାଦନ ଦିଗରେ ଏତେ ଅଧିକ ପରିମାଣରେ ମନୋନିବେଶ କରିଛି, ତାହାକୁ ମଧ୍ୟ ଶ୍ରୀ ଅରବିନ୍ଦ ସେହି ଅସଲ ପ୍ରୟାସଟିର ଏକ ଅନ୍ୟତମ ଅଭିବ୍ୟକ୍ତି ବୋଲି ବିଚାର କରିଛନ୍ତି । ତାଙ୍କ ମତରେ ଏହି ପ୍ରୟାସ ଏବଂ ଅନୁଧାବନ ଗୁଡ଼ିକ ଦ୍ୱାରା ମନୁଷ୍ୟର ପୃଥିବୀସ୍ଥ ଭୌତିକ ଜୀବନ ଏବଂ ପ୍ରାଣଗତ ଶକ୍ତିଗୁଡ଼ିକର କ୍ଷେତ୍ରରେ ଏକ ପ୍ରଶସ୍ତ ଭୂମି ସମ୍ଭବ ହୋଇ ଆସିବ ଏବଂ ତାହାର ଅନ୍ନଗତ ପରିବେଶଟି ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ତାହାର ପୂର୍ଣ୍ଣ ମନଃକ୍ଷେତ୍ରୀୟ ସମ୍ଭାବନା ଗୁଡ଼ିକ ମଧ୍ୟ ବିକଶିତ ହୋଇ ଆସିବା ଲାଗି ପ୍ରକୃତରେ ବାଟ ଫିଟିଯିବ । ବିଭିନ୍ନ କ୍ଷେତ୍ରର ଦୃଷ୍ଟାନ୍ତ ଦେଇ ଶ୍ରୀ ଅରବିନ୍ଦ ଶିକ୍ଷାର ପ୍ରସାର, ପଛରେ ରହି ଯାଇଥିବା ଅଳ୍ପୋନ୍ନତ ଜାତିମାନଙ୍କର ଉନ୍ନୟନ ଏବଂ ଅଗ୍ରଗତି, ଶ୍ରମକ୍ଷେତ୍ରର ପାରମ୍ପରିକ କ୍ଳେଶ ଓ ବିରକ୍ତିକର ବହୁ କଷଣର ଅପନୋଦନ କରିବା ନିମନ୍ତେ ଉଦ୍‍ଭାବିତ ହେଉଥିବା ଆଧୁନିକ ନାନାବିଧ ସହଜତର ଯନ୍ତ୍ରପ୍ରଯୁକ୍ତି ପ୍ରଭୃତିର ଉଲ୍ଲେଖ କରିଛନ୍ତି ।

 

ଅଧିକରୁ ଅଧିକ ମଣିଷଙ୍କର ଅନ୍ନମୟ ଜୀବନରେ ଯଥାସମ୍ଭବ ଅଧିକ ଉନ୍ନୟନ ଏବଂ କ୍ଳେଶମୁକ୍ତିର ବାର୍ତ୍ତା ବହନ କରି ଆଧୁନିକ ପୃଥିବୀରେ ଆଦର୍ଶ ସାମାଜିକ ତଥା ଅର୍ଥନୈତିକ ପରିବେଶ ତଥା ପରିଯୋଜନର କଳ୍ପନା କରାଗଲାଣି । ଆଧୁନିକ ବିଜ୍ଞାନ ଆପଣାର ବହୁବିଧ ଗବେଷଣା ଦ୍ୱାରା ପୃଥିବୀରେ ଅଧିକରୁ ଅଧିକ ମନୁଷ୍ୟଙ୍କର ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି ଘଟାଇଲାଣି, ସଭ୍ୟ ମାନବସମାଜରେ ମନୁଷ୍ୟର ଆୟସୀମା ବୃଦ୍ଧି ପାଇବାକୁ ଆରମ୍ଭ କଲାଣି । ପୃଥିବୀର ସବୁ ମଣିଷ ଯେ ଆହୁରି ଅଧିକ ଉନ୍ନୟନ ଲାଗି ଏକ ଉପଯୁକ୍ତ ଭୌତିକ ଭୂମିର ଅଧିକାରୀ ହେବାକୁ ଯାଉଛନ୍ତି, ଶ୍ରୀ ଅରବିନ୍ଦ ଏଗୁଡ଼ିକୁ ତାହାରି ଦ୍ୟୋତକ ରୂପେ ଦେଖିଛନ୍ତି । ଏହି ଭୌତିକ ସାର୍ବଜନୀନ ଭୂମିଟିକୁ ହାସଲ କରିବାରେ ଯେ ସବୁଠାରେ ଉପଯୁକ୍ତ ଅଥବା ସାର୍ଥକ ଉପାୟଗୁଡ଼ିକୁ ଅବଲମ୍ବନ କରାଯାଉଛି, ସେକଥା କଦାପି କୁହାଯାଇ ପାରିବ ନାହିଁ । ମାତ୍ର ଏହାଦ୍ୱାରା ସବୁ ମଣିଷଙ୍କର ପରବର୍ତ୍ତୀ ଉପଲବ୍‍ଧିଗୁଡ଼ିକ ଲାଗି ଯେ ପ୍ରାରମ୍ଭିକ ଯଥାର୍ଥ ମୂଳଦୁଆଟି ଅବଶ୍ୟ ପଡ଼ୁଛି, ସେହି ବିଷୟରେ ସେ ଆଦୌ କୌଣସି ସନ୍ଦେହ ପ୍ରକାଶ କରିନାହାନ୍ତି ।

Unknown

 

ଏହି ଯଥାର୍ଥ ପ୍ରାରମ୍ଭିକ ମୂଳଦୁଆଟିକୁ ସିଏ ମନୁଷ୍ୟ ଜାତିର ଯଥାର୍ଥ ପ୍ରାରମ୍ଭିକ ଲକ୍ଷ୍ୟ ବୋଲି କହିଛନ୍ତି । ଏହି ଲକ୍ଷ୍ୟଟି ହେଉଛି, ବ୍ୟକ୍ତି ସୁସ୍ଥ ରହିବ, ଏକ ସୁସ୍ଥ ଜୀବନ ଯାପନ କରିବ, ସମାଜ ମଧ୍ୟ ସୁସ୍ଥ ହେବ, ସମଗ୍ର ହେବ,–ସମାଜର ସବୁ ମଣିଷଙ୍କ ଲାଗି ସୁସ୍ଥତାର ପରିବେଶ ଏବଂ ସାଧନଗୁଡ଼ିକ ଅବଶ୍ୟ ଉପଲବ୍‍ଧ ହେବ । ତା’ର ଭୌତିକ ଓ ମାନସିକ ଜୀବନର ସନ୍ତୋଷବିଧାନ ନିମନ୍ତେ ଯେଉଁସବୁ ସମୁଚିତ ଆବଶ୍ୟକତା ମେଣ୍ଟାଣ ସର୍ବଥା ଦରକାର, ସେଗୁଡ଼ିକର ମେଣ୍ଟାଣ ଅବଶ୍ୟ ହେବ । ଅର୍ଥାତ୍, ଆପଣା ଜୀବନର ପରବର୍ତ୍ତୀ ସୋପାନଗୁଡ଼ିକ ଲାଗି ତା’ର ଯେଉଁ ସର୍ବପ୍ରଥମ ଭୌତିକ ସୋପାନଟିର ସମାଧାନ ଏକାନ୍ତ ଆବଶ୍ୟକ, ସେହି ସମାଧାନର ପଥରେ ତା’ ଲାଗି ଆଉ କୌଣସି ବାଧା ରହିବ ନାହିଁ ।

 

ଏହି ପ୍ରସଙ୍ଗରେ ଶ୍ରୀ ଅରବିନ୍ଦ ତିନୋଟି ମୁଖ୍ୟ ଆବଶ୍ୟକତାର ଉଲ୍ଲେଖ କରିଛନ୍ତି । ସୁପ୍ରଶସ୍ତ ସର୍ବନିମ୍ନ ସମ୍ପନ୍ନତା, ଅବସର ସମୟ ଓ ସମାନ ସୁଯୋଗ–ଏହି ତିନୋଟି କଥାକୁ ସେ ଆମ ଭୌତିକ ଜୀବନର ଅତ୍ୟାବଶ୍ୟକ ପ୍ରଥମ ସୋପାନ ବୋଲି ଘୋଷଣା କରିଛନ୍ତି । ସମ୍ପନ୍ନତାର ସର୍ବନିମ୍ନ କଥା ହେଉଛି ଯେ, ମଣିଷ ଆପଣାର ବଳ, ବୁଦ୍ଧି ତଥା ବିଦ୍ୟାକୁ ଖଟାଇ ତା’ ଜୀବନର ଅନ୍ନସଂସ୍ଥାନ ସମ୍ଭବ କରି ପାରିଥିବ, ମୁଣ୍ଡ ଗୁଞ୍ଜିବାକୁ ତା’ ପାଖରେ ବାସ ଭଳି ବାସଖଣ୍ଡେ ଥିବ, ବସ୍ତ୍ର ଥିବ, ସ୍ୱାସ୍ଥ୍ୟର ସାଧନମାନ ରହିଥିବ । ଏହି ଜଞ୍ଜାଳ ଗୁଡ଼ିକର ସମାଧାନ ହୋଇପାରିଲେ ଯାଇ ସିଏ ତା’ ଜୀବନର ବହୁ ଅନାବଶ୍ୟକ କଷଣରୁ ନିଷ୍କୃତି ଲାଭ କରି ବାହାରକୁ ବାହାରି ଆସିପାରିବ ଓ ଜଣେ ମନୁଷ୍ୟ ହିସାବରେ ତା’ ଲାଗି ଅଭିପ୍ରେତ ହୋଇ ରହିଥିବା ଅସଲ ଜୀବନଟିକୁ ବଞ୍ଚିବାର ଅବସର ଲାଭ କରିପାରିବ । ଅବସର ପାଇ ସେ ଜୀବନର ସୂକ୍ଷ୍ମତର ସାର୍ଥକତା ଗୁଡ଼ିକ ଲାଗି ମନ କରିପାରିବ, ତୁଚ୍ଛା ତାତ୍କଳିକତା ଗୁଡ଼ିକର ଗାରଗୁଡ଼ିକୁ ପାର ହୋଇ ଆଉ କୌଣସି ବୃହତ୍ତର ମୂଲ୍ୟ କିମ୍ବା ସିଦ୍ଧି ଲାଗି ଜୀବନକୁ ବଞ୍ଚିପାରିବ । ସାହିତ୍ୟ କରିବ, ସଂସ୍କୃତିର ଉନ୍ମୋଚନକାରୀ ବଳୟଗୁଡ଼ିକର ସନ୍ଧାନ ଓ ସ୍ୱାଦ ଲାଭ କରିବ, ଯୋଗସାଧନା କରିବ, ଆପଣାର ଚେତନାର ସିଡ଼ିରେ ଅଧିକ ଆରୋହଣ ଓ ଅଧିକ ପ୍ରସାରଣ ଲାଗି ଯୋଗ୍ୟ ହୋଇପାରିବ । ଅସଲ ସୃଜନଶୀଳତା ସେତିକିବେଳେ ସମ୍ଭବ ହେବ । ମାତ୍ର ଏହି ସବୁକିଛି ସମ୍ଭବ ହେବ ଯଦି ମନୁଷ୍ୟ ସେଥିଲାଗି ସମୁଚିତ ପ୍ରାରମ୍ଭିକ ସୁଯୋଗଗୁଡ଼ିକୁ ପାଇ ପାରୁଥିବ । ଅର୍ଥାତ୍, ତା’ର ଚାରିପାଖରେ ସମୁଚିତ ପରିବେଶଟିଏ ରହିଥିବ, ଯାହାକି ତାକୁ ଅତ୍ୟନ୍ତ ସ୍ୱାଭାବିକ ଭାବରେ ସେହି ପ୍ରାଥମିକ ପ୍ରସୀମନ ଗୁଡ଼ିକର ଗାରଗୁଡ଼ିକ ଡିଆଇଁ ନେଇଯାଇ ପାରୁଥିବ । ସେହି ଗାରଗୁଡ଼ିକୁ ଡେଇଁବାରେ ମନୁଷ୍ୟର ସମାଜ, ଅର୍ଥାତ୍ ତା’ର ସମାଜବ୍ୟବସ୍ଥା, ତା’ର ଅର୍ଥବ୍ୟବସ୍ଥା କିମ୍ବା ତା’ର ରାଜନୀତିକ ଗଠନଗୁଡ଼ିକ ସହାୟକ ହୋଇ ପାରୁଥିବ, ପ୍ରତିବନ୍ଧକ ରୂପେ ଛିଡ଼ା ହୋଇ ରହି ନଥିବ । ଶ୍ରୀ ଅରବିନ୍ଦ ଏହାକୁ equal opportunity ବୋଲି କହିଛନ୍ତି । ସେହି ସୁଯୋଗ ପ୍ରତ୍ୟେକ ମନୁଷ୍ୟକୁ ମିଳିବ । ସମାଜ ସୁଯୋଗର ଏକ ସହାୟକ ସୁସ୍ଥ ପରିବେଶରେ ଆପଣାର ବିକାଶ କରିବାର ସ୍ୱାଧୀନତା ଓ ଅନୁକୂଳତା ଲାଭ କରିପାରିଲେ ଯାଇ ଜଣେ ବ୍ୟକ୍ତି ତା’ ଭିତରେ ଲୁକ୍‍କାୟିତ ହୋଇ ରହିଥିବା ସ୍ୱତନ୍ତ୍ର ଐଶ୍ୱର୍ଯ୍ୟ ଗୁଡ଼ିକର ପରିଚୟ ପାଇ ପାରିବ । ସେହି ଐଶ୍ୱର୍ଯ୍ୟ ଗୁଡ଼ିକର ଆବିଷ୍କାର ଓ ଅନୁଶୀଳନ ଦ୍ୱାରା ହିଁ ସିଏ ଆପଣାର ସମୂହକୁ ମଧ୍ୟ ଐଶ୍ୱର୍ଯ୍ୟବନ୍ତ କରିପାରିବ, ପୃଥିବୀକୁ ଧନ୍ୟ କରିବ, ପୃଥିବୀକୁ ଆଗେଇ ନେଇଯାଇ ପାରିବ ।

 

ଏହି ପ୍ରସଙ୍ଗରେ ମଧ୍ୟ ଶ୍ରୀ ଅରବିନ୍ଦ ସେହି ଆଗ କଥାଟିକୁ ଦୋହରାଇଛନ୍ତି । ଇତିହାସରେ ଏ ପର୍ଯ୍ୟନ୍ତ ସମଗ୍ର ମାନବଜାତିକୁ ଅର୍ଥାତ୍ ମନୁଷ୍ୟ ମାତ୍ରକେ ସମସ୍ତଙ୍କୁ ଏହି ତିନୋଟି ସର୍ବନିମ୍ନ ଅବଲମ୍ବନ ଉପଲବ୍‍ଧ ହୋଇନାହିଁ । ସବୁ ଯୁଗରେ ଓ ସବୁ ସମାଜରେ କେବଳ ବିଶେଷ ସୁବିଧାପ୍ରାପ୍ତ (Privileged) କେତୋଟି ଜାତି, କେତେକ ଶ୍ରେଣୀ ବା କେତେଜଣ ବ୍ୟକ୍ତି ଏହି ଭାଗ୍ୟକୁ ଭୋଗ କରି ଆସିଛନ୍ତି । ଏଣିକି ଆଉ ତାହା ହେବନାହିଁ । ସବୁ ମଣିଷଙ୍କ ଲାଗି ସେହି ଭୂମିଟି ଉପଲବ୍‍ଧ ହୋଇପାରିବ । ଏତଦ୍ୱାରା ସେମାନଙ୍କୁ ଏପରି ଏକ ଆବଶ୍ୟକ ନିର୍ଭର ଅର୍ଥାତ୍ ସ୍ୱାଧୀନତା ପ୍ରାପ୍ତ ହୋଇଯିବ, ଯାହା ବଳରେ କି ସେମାନେ ଆପଣାର ଭାବଗତ ତଥା ମନୀଷାଗତ ଜୀବନଟିର ପୂର୍ଣ୍ଣ ବିକାଶସାଧନ କରିପାରିବେ । ମଣିଷ୍ୟଜାତିର ସମ୍ମୁଖରେ ତା’ ବିବର୍ତ୍ତନର ପରବର୍ତ୍ତୀ ସୋପାନଟି ଉନ୍ମୋଚିତ ହୋଇଯିବ । ବର୍ତ୍ତମାନ ବିଶ୍ୱର ସର୍ବପ୍ରଧାନ ଉଦ୍ୟମ ସତେଅବା ଏହି ଭୌତିକ ତଥା ଅର୍ଥନୈତିକ କ୍ଷେତ୍ରରେ ସବୁଠାରୁ ଅଧିକ ଶକ୍ତି ଏବଂ ଉତ୍ସାହ ସହିତ ଚାଲିଥିବା ପରି ଦେଖାଯାଉଛି । ମାତ୍ର, ଶ୍ରୀ ଅରବିନ୍ଦଙ୍କ ମତରେ, ଏହି ଯାବତୀୟ ସଘନତାର ପଶ୍ଚାତରେ ମନୁଷ୍ୟ ଲାଗି ଏକ ଉଚ୍ଚତର ଏବଂ ପ୍ରଧାନତର ଅକାଂକ୍ଷା ହିଁ ଅପେକ୍ଷା କରି ରହିଛି । ମନୁଷ୍ୟ ଏହି ଗାରଟିର ଯୋଗ୍ୟ ହୋଇଗଲେ ତାକୁ ପରବର୍ତ୍ତୀ ଗାରଟି ମଧ୍ୟକୁ ନେଇଯିବା ଲାଗି ଅପେକ୍ଷା କରୁଛି-

 

ଚନ୍ଦ୍ରଭକ୍ଷଣ କରିବାକୁ ଆପଣାର ଏକ ବିଶେଷ ଏକାଧିକାର ବୋଲି ଅନୁଭବ କରୁଥିବା ବ୍ୟକ୍ତିମାନେ ସେକଥା ସହଜରେ ହୃଦୟଙ୍ଗମ କରି ପାରିବେ ନାହିଁ । ସେମାନେ ଆପଣାର ଅନ୍ନଲାଳସା ଗୁଡ଼ାକର ତଥାକଥିତ ସୌନ୍ଦର୍ଯ୍ୟ ଲାଳସା ତଳେ ଢାଙ୍କି ରଖିବାକୁ ଚେଷ୍ଟା କରୁଥିବେ, ଆପଣାର ମାଂସାନୁପ୍ରେରିତ ଲୋଭଗୁଡ଼ାକୁ ତଥାକଥିତ ଚନ୍ଦ୍ର ଲାଗି ଲୋଭ ଦ୍ୱାରା ନାନାଭାବେ ସାଉଁଳେଇ ରଖିବାର ଯୁକ୍ତି ବାଢ଼ୁଥିବେ । ସାଆନ୍ତମାନେ ଯୁଗେ ଯୁଗେ ଏହିପରି ହିଁ ଭାବି ଆସିଛନ୍ତି, ଏହିପରି ହିଁ ଯୁକ୍ତିମାନ ବାଢ଼ି ଆସିଛନ୍ତି । ଭାରତବର୍ଷରେ ସମ୍ଭବତଃ ଅତ୍ୟନ୍ତ ସ୍ୱତନ୍ତ୍ର ଭାବରେ ସେକଥା ହୋଇଛି । ଦୂରତା ଗୁଡ଼ାକୁ ଅବଜ୍ଞାଗୁଡ଼ାକୁ ଏବଂ ଅକିଞ୍ଚନତା ଗୁଡ଼ାକୁ ସତେଅବା ଚିରସ୍ଥାୟୀ କରି ରଖିବା ଲାଗି ସେକଥା ହୋଇଛି । ସବୁରି ଅନ୍ତରକନ୍ଦରରେ ସେହି ଗୋଟିଏ ବ୍ରହ୍ମ ବିରାଜିତ ରହିଛନ୍ତି ବୋଲି ଶାସ୍ତ୍ର-ବଖାଣରେ ଉଦ୍‍ଘୋଷିତ ହୋଇଛି ସତ, ତଥାପି ସମ୍ବନ୍ଧଗତ ନିତ୍ୟଜୀବନରେ ମଣିଷମାନଙ୍କୁ ବ୍ରାହ୍ମଣ ଓ ଶୂଦ୍ର ରୂପେ ଭାଗ ଭାଗ କରି ରଖାଯାଇଛି । ମଣିଷକୁ ମଣିଷ ପାଖରୁ ବାରଣ କରି ରଖାଯାଇଛି । ଏହି ଅଭିସନ୍ଧିରେ ବହିମାନଙ୍କରେ ଲେଖା ହୋଇଥିବା ଭାଗ୍ୟବାଦ ଏବଂ କର୍ମବାଦର ଅପଦର୍ଶନମାନେ ସତେଅବା ଅମୋଘ ରସାୟନ ପରି କାର୍ଯ୍ୟ କରିଛନ୍ତି । ଗବାକ୍ଷଗୁଡ଼ାକୁ ଜାଣିଶୁଣି ବନ୍ଦ କରି ରଖି ଦିଆଯାଇଛି । ଋଷିବଚନ ଗୁଡ଼ିକର ଆଖିକୁ ଫୁଟାଇ ଦେବାର ମତଲବରେ ଋଷିମାନଙ୍କୁ ଠାକୁର କରି ବସାଇ ଦିଆଯାଇଛି । ତେଣୁ ଏହି ଜୀବନର ସର୍ବନିମ୍ନ ଭୌତିକ ଆବଶ୍ୟକତା ଗୁଡ଼ିକର ମଧ୍ୟ ପୂରଣ ହୋଇନାହିଁ । ଅନ୍ନକୁ ଚନ୍ଦ୍ରଠାରୁ ପୃଥକ୍‍ କରି ଦେଖାଇବାରେ ଦୁର୍ବୁଦ୍ଧିମାନଙ୍କୁ କେଡ଼େ ସତ୍ୱରରେ ଆଣି କାମରେ ଲଗାଯାଇଛି । ଏହାଦ୍ୱାରା ସଂପୃକ୍ତ ସମସ୍ତେ ଅତ୍ୟନ୍ତ ଦୟନୀୟ ଭାବରେ ବଞ୍ଜିତ ହୋଇ ରହିଛନ୍ତି । ସଂପୃକ୍ତ ସମସ୍ତେ ଲକ୍ଷ୍ମୀଛଡ଼ା ହୋଇ ରହିଛନ୍ତି ଆମର ଯାବତୀୟ ସୌନ୍ଦର୍ଯ୍ୟକାମନା ସତେଅବା ଏକ ପଳାୟନରେ ବା ଏକ କାମୁକତାରେ ପରିଣତ ହୋଇ ରହିଛି । କାମୁକ ମଣିଷ ଆଦୌ କୌଣସି ଯଥାର୍ଥ ସଖ୍ୟରେ ଯୋଗ୍ୟ ହୋଇ ପାରେନାହିଁ । ପଳାୟନକୁ ହିଁ ନିରାପତ୍ତା ବୋଲି ଭ୍ରମ କରୁଥିବା ମଣିଷ ମୋଟେ କୌଣସି ସୂତ୍ର ଯୋଡ଼ି ପାରେ ନାହିଁ । ଗୁଡ଼ାଏ ଅଫିମକୁ ସିଏ ଘରପାର କରି ରଖିଥାଏ ସିନା, ମାତ୍ର ତା ଦ୍ୱାରା ଆମ ଜୀବନର କୌଣସି ଉଦୟ କଦାପି ସମ୍ଭବ ହୁଏନାହିଁ । (୧୩-। ୬ । ୮୮)

 

(୪୯)

 

କଳା ହେଉଛି ଏକ ବିଳାସ, ସାହିତ୍ୟ ହେଉଛି ଏକ ବିଳାସ, ସଂଗୀତ ମଧ୍ୟ ସେହିପରି ଏକ ବିଳାସ,–ଏ କଥା ସାଧାରଣତଃ ବିଳାସୀ ମଣିଷମାନେ କହିଥାଆନ୍ତି । ଯାହା ଜୀବନରେ ଅତ୍ୟାବଶ୍ୟକ ନୁହେଁ, ଯାହା ଅତିରିକ୍ତ,–ସଚରାଚର ତାହାକୁ ହିଁ ଶବ୍ଦାର୍ଥକାରମାନେ ବିଳାସ ବୋଲି କହି ଆସିଛନ୍ତି । ଯାହାକୁ କେବଳ ମୁଇଁ ଭୋଗ କରିବି, ଆଉ କେହି ଭୋଗ କରିପାରିବେ ନାହିଁ, ଅଥବା ଆଉଟିକିଏ ନିର୍ଦ୍ଦିଷ୍ଟ କରି କହିଲେ, ଯାହାକୁ ସମାଜରେ କେବଳ କେତେକ ମଣିଷ କିମ୍ବା କେତୋଟି ଶ୍ରେଣୀ ଭୋଗ କରିବେ, ସମାଜର ସବୁ ମଣିଷଙ୍କର ଏହା କଦାପି ହୋଇ ରହିବ ନାହିଁ, ବିଳାସର ଏପରି ଏକ ସଂଜ୍ଞା ମଧ୍ୟ କରାଯାଇ ପାରେ । ସାହିତ୍ୟ ସମସ୍ତଙ୍କ ଲାଗି ନୁହେଁ, ସଂଗୀତ ଓ କଳା ସମସ୍ତଙ୍କ ଲାଗି ନୁହେଁ, ଅଶିଷ୍ଟମାନଙ୍କ ଲାଗି ମୋଟେ ନୁହେଁ, ଏହା ହେଉଛି କେବଳ ଶିଷ୍ଟମାନଙ୍କ ଲାଗି, ନିଜକୁ ଶିଷ୍ଟବର୍ଗ ମଧ୍ୟରେ ଅନ୍ତର୍ଭୁକ୍ତ କରି ଆସିଥିବା ଗରିଷ୍ଠମାନେ ସର୍ବଦା ଏକଥା କହି ଆସିଛନ୍ତି । ଗରିଷ୍ଠମାନେ ଯେଉଁସବୁ ବହି ଲେଖିଛନ୍ତି, ସେଥିରେ ସେମାନେ କଳା, ସାହିତ୍ୟ ଓ ସଂଗୀତକୁ ଥୋକେ ମଣିଷଙ୍କର ଏକ ବିଶେଷ ରୁଚିର ଅଭିବ୍ୟକ୍ତ ବୋଲି ବର୍ଣ୍ଣନା କରିଛନ୍ତି । ସେହି ଉତ୍ସାହରେ ଆଗକୁ ମାଡ଼ିଯାଇ ସେମାନେ ସଂସ୍କୃତିକୁ ମଧ୍ୟ ସତେଅବା ସେହିପରି ବିଶେଷ ବରପ୍ରାପ୍ତ କେତେକଙ୍କର ଏକ ବିଶେଷ ବିଳାସ ବା ଅଧିକାର ବୋଲି କହିବାକୁ ମଧ୍ୟ ଇଚ୍ଛା କରିଛନ୍ତି । ଯେଉଁ ଦେଶର ସଂସ୍କୃତି ନାହିଁ, ସେହି ଦେଶର କିଛି ନାହିଁ ବୋଲି କେଡ଼େ ଉଲ୍ଲାସରେ ରଡ଼ି କରିଛନ୍ତି । ଅର୍ଥାତ୍, ଯୋଉ ଦେଶରେ ଆମେ ନାହୁଁ, ସେ ଦେଶରେ ସମ୍ଭବତଃ ମଣିଷ ନାହାନ୍ତି ବୋଲି ସେମାନେ ଆବଶ୍ୟକ ପାଣ୍ଡିତ୍ୟ ଏବଂ ପ୍ରମାଣ ସହ ଦର୍ଶାଇ ଦେବାଲାଗି କେତେ ଚେଷ୍ଟା କରିଛନ୍ତି । ଏଗୁଡ଼ିକ ହେଉଛି ଗେହ୍ଲା ମଣିଷମାନଙ୍କର କଥା ।

 

କେବଳ ଗେହ୍ଲା ମଣିଷମାନେ ହିଁ ଯେ ସଂସ୍କୃତି କରିବେ, ଏହି କଥାଟିକୁ ଚିରକାଳ ପ୍ରଧାନତଃ ଗେହ୍ଲା ମଣିଷମାନେ ହିଁ କହି ଆସିଛନ୍ତି । ଆଗେ ସମାଜର ବହୁ ବର୍ଗ ମଧ୍ୟରେ ରାଜାମାନେ ହିଁ ସବୁଠାରୁ ଅଧିକ ଗେହ୍ଲା ବର୍ଗ ହୋଇ ରହିଥିଲେ । ସେମାନେ ଅନ୍ୟାନ୍ୟ ବହୁ ବର୍ଗଙ୍କର ଭିତରେ ନୁହେଁ, ସେମାନଙ୍କ ଉପରେ ସତେଅବା ଏକ ଅବର୍ଗ ହୋଇ ରହିଥିଲେ । ସେମାନେ ରାଜ୍ୟ ଜୟ କରୁଥିଲେ, ରାଜ୍ୟ ଶାସନ କରୁଥିଲେ ଏବଂ ସଭାରେ ପଣ୍ଡିତ ପାଳୁଥିଲେ । ପଣ୍ଡିତମାନେ ଯେଉଁ ମାଧ୍ୟମଟି ଦ୍ୱାରା ରାଜାମାନଙ୍କର ମନକୁ ରଞ୍ଜିତ କରି ରଖୁଥିଲେ, ତାହାକୁ ସାହିତ୍ୟ ବୋଲି କୁହାଯାଉଥିଲା । ରାଜାଙ୍କର କୃପାକଟାକ୍ଷ ଲାଭ ନ କଲେ ପଣ୍ଡିତମାନଙ୍କର ଲେଖାକୁ କେହି ଘେନା କରୁନଥିଲେ । ତେଣୁ ତାହା ସାହିତ୍ୟ ବୋଲି ସ୍ୱୀକୃତ ହେଉନଥିଲା । ପଣ୍ଡିତମାନେ କେବଳ ସାହିତ୍ୟ ରଚନା କରୁନଥିଲେ, କେବଳ କାବ୍ୟ ଗାନ କରୁନଥିଲେ । ସେମାନଙ୍କ ମଧ୍ୟରେ କତିପୟ ସାହିତ୍ୟତତ୍ତ୍ୱ ଏବଂ କାବ୍ୟତତ୍ତ୍ୱ ମଧ୍ୟ କରୁଥିଲେ । ଯେଉଁଭଳି ସାହିତ୍ୟ, ସେହିଭଳି ତତ୍ତ୍ୱ । ଶ୍ୟାମଙ୍କ ପାଇଁ ମଲ୍ଲୀମାଳ, ଶ୍ୟାମଙ୍କର ଲାଗି ହୋଇ ପାରିବା ଭଳି ସାହିତ୍ୟ ଏବଂ ସେହି ଶ୍ୟାମଙ୍କୁ ସୁହାଇଲା ଭଳି ସାହିତ୍ୟତତ୍ତ୍ୱ । ଖୁବ୍ ସମ୍ଭବ, ସାହିତ୍ୟିକତା, କାବ୍ୟିକତା ଏବଂ ସୌନ୍ଦର୍ଯ୍ୟକାମିତା ପଛରେ ଏହିପରି ଏକ ସଭାବିଳାସର ଅଠା ସେହି ପୁରୁଣା କାଳରୁ ଲାଗି ରହି ଆସିଥିବାରୁ କ୍ରମେ ସାହିତ୍ୟ, କଳା ଏବଂ ସୌନ୍ଦର୍ଯ୍ୟାନୁଭୂତିକୁ ଅଳପ କେତେଜଣଙ୍କର ବିଳାସ ବୋଲି କୁହାଯିବାକୁ ଲାଗିଲା, ଜୀବନର ଆଠ ପ୍ରହରୀ କଷଣ ଓ ବହୁ ଜଞ୍ଜାଳର ଦଉଡ଼ ଭିତରୁ କେତେଟା ବିଶେଷ ମୁହୂର୍ତ୍ତ ଚୋରାଇ ନେଇ ଏକ ବିଶେଷ ଫୁଟ ଦେଇ ଯାହାକୁ ଏକ ବିଶେଷ ବିଳାସ ବୋଲି କୁହାଗଲା, କାଳକ୍ରମେ ତାହା ହିଁ କଳା ବା ସାହିତ୍ୟ ହେଲା । ଶିଷ୍ଟମାନେ ତାହାକୁ ଜୀବନର ଚନ୍ଦ୍ରଭାଗ ବୋଲି କହିଲେ, ଜୀବନର ଅନ୍ନଭାଗଠାରୁ ତାହାକୁ ଅତ୍ୟନ୍ତ ସାବଧାନ ସହିତ ଅଲଗା କରି ରଖିଲେ । ପୁନଶ୍ଚ ଚତୁରମାନେ ଓ ଗେହ୍ଲାମାନେ କ୍ଷମତାକୁ ରାଣୀ କରି ଭୋଗ କରୁଥିବା ଉଚ୍ଚ ଓ ଉତ୍ତମମାନେ ତଥା ସେମାନଙ୍କର ସଭାସଦ୍‍ମାନେ କ୍ରମେ ଚନ୍ଦ୍ରକୁ ଗୋଟାସୁଦ୍ଧା ନିଜ ନାଆଁରେ ଲେଖାଇନେଲେ ଓ ଅବର ଅନ୍ୟମାନଙ୍କ ଲାଗି ଅନେକଙ୍କ କାନ୍ଧ ଉପରେ ଅନ୍ନ ଉପାର୍ଜନ କରିବାର ସେହି କଷ୍ଟକର ଯୁଆଳିଟିକୁ ନେଇ ଲଦିଦେଲେ । ଚନ୍ଦ୍ରଭାଗ ଅନ୍ନଭାଗଟାରୁ ବିଚ୍ଛିନ୍ନ ହୋଇ ରହିଗଲା । ଚନ୍ଦ୍ରଭୋଗୀମାନେ ଅନ୍ନ-ଉପାର୍ଜନକାରୀମାନଙ୍କର କାନ୍ଧ ଉପରେ ଯାଇ ବସିଲେ, ଗେହ୍ଲା ହେଲେ, ଉଦ୍ଧତ ହେଲେ । ନବାବ ପରି ଚନ୍ଦ୍ରକୁ ଭୋଗ କଲେ । ଏବେ ମଧ୍ୟ ଚନ୍ଦ୍ର ସେହି ନବାବମାନଙ୍କ ହାତରେ ରହିଛି । ଥୋକେ ବିଳାସୀଙ୍କର ପାଷାଣ୍ଡତାର ପ୍ରତୀକ ହୋଇ ରହିଛି ।

 

ମନୁଷ୍ୟର ଜୀବନରେ ଚନ୍ଦ୍ର ହେଉଛି ଏକ ଆବଶ୍ୟକତା । ଠିକ୍ ଅନ୍ନ ଯେପରି ଏକ ଆବଶ୍ୟକତା, ଚନ୍ଦ୍ର ମଧ୍ୟ ଠିକ୍ ସେହିପରି ଏକ ଆବଶ୍ୟକତା । ଅଧିକନ୍ତୁ, ଜୀବନର ସମଗ୍ର ପ୍ରସ୍ଫୁଟନ ଏବଂ ସମଗ୍ର ସମ୍ଭାବନା ଗୁଡ଼ିକର ଦୃଷ୍ଟିରୁ ବିଚାର କରି କହିଲେ, ଚନ୍ଦ୍ର ମଧ୍ୟ ଅନ୍ନ ପରି ଏକ ଅତ୍ୟାବଶ୍ୟକତା । ଆମ ପୃଥିବୀରେ ଚନ୍ଦ୍ରଭୋଗୀମାନଙ୍କର ନାନା ଚକ୍ରାନ୍ତରୁ ଏଠି ବାସ କରୁଥିବା ଅଧେ ମଣିଷ ଅନ୍ନରୁ ବଞ୍ଚିତ ହୋଇ ରହିଛନ୍ତି, ଅର୍ଥାତ୍ ଆବଶ୍ୟକ ଅବସର ଏବଂ ନ୍ୟାଯ୍ୟ ସୁଯୋଗ ଗୁଡ଼ିକରୁ ବଞ୍ଚିତ ହୋଇ ରହିଛନ୍ତି, ତେଣୁ ଚନ୍ଦ୍ର ମଧ୍ୟ ପ୍ରଧାନତଃ ଏକ ଅଧିକା ବିଳାସ ରୂପେ ଗଣାହେଉଛି । ଅଧିକମାନଙ୍କର ବହୁ ଉଦ୍ଧତତାର କାରଣ ହୋଇ ରହିଛି । ଅନ୍ନମୟ ଜୀବନକୁ ଜୀବନଗତ ଉଦ୍ୟମର ସ୍ଥୂଳ ଭାଗ ବୋଲି କୁହାଯାଉଛି ଏବଂ ତେଣୁ ଚନ୍ଦ୍ରବାଚୀ ଯାବତୀୟ କ୍ଷେତ୍ରକୁ କଳା, ସାହିତ୍ୟ, ସଂଗୀତ ଏବଂ ସଂସ୍କୃତିର କ୍ଷେତ୍ରକୁ ତାହାର ସୂକ୍ଷ୍ମ ଭାଗ ବୋଲି କୁହାଯାଉଛି । ଆମର ସ୍ୱୀକୃତ ଅନ୍ୟାୟଗୁଡ଼ାକ ହେତୁ ଯେଉଁମାନେ ଅନ୍ନଟା ଭିତରେ କିଳି ହୋଇ ରହି ଯାଇଛନ୍ତି, ସେମାନେ ସେହି କାରଣରୁ ଅବଶ୍ୟ ସ୍ଥୂଳ ସ୍ତରର ହୋଇ ରହିଥିବେ ବୋଲି ଧରି ନିଆଯାଉଛି ଏବଂ ତେଣୁ ସେମାନଙ୍କୁ ଜୀବନର ତଥାକଥିତ ସୂକ୍ଷ୍ମ ସମ୍ଭାବନା ଏବଂ ବିଚରଣଗୁଡ଼ିକ ମଧ୍ୟରୁ ନିକାଲି ବାହାରେ ରଖି ଦିଆଯାଇଛି । କାଳକ୍ରମେ ଏପରି ଏକ ଧାରଣା ହୋଇଯାଇଛି ଯେ, ଏହିସବୁ ସୂକ୍ଷ୍ମ ପଦାର୍ଥ କେବଳ ଧନୀମାନଙ୍କ ପାଇଁ । ଯେଉଁମାନଙ୍କ ପାଖରେ ଭାଗ୍ୟବଶତଃ ଅପର୍ଯ୍ୟାପ୍ତ ଅବସର ଅର୍ଥାତ୍‍ ଖାଲି ସମୟ ରହିଛି, ବିଶେଷତଃ ସେହିମାନଙ୍କ ପାଇଁ । ସାଧାରଣ ଲୋକମାନଙ୍କର, ଯେଉଁମାନେ ଧନୀ ନୁହନ୍ତି ଅଥବା ଯେଉଁମାନଙ୍କ ହାତରେ ଏତେଗୁଡ଼ାଏ ଅବସର ନାହିଁ, ସେମାନଙ୍କର ଏସବୁ ଭିତରେ ମୋଟେ ପଶିବା ଉଚିତ ନୁହେଁ । ସାଧାରଣ ମଣିଷମାନଙ୍କର ଜୀବନରେ ଏହିସବୁ ଅଧିକା ବା ଉଦ୍‍ବୃତ୍ତର ଆଦୌ ଆବଶ୍ୟକତା ନାହିଁ । ଜୀବନର ନିତିଗୁଜରାଣ ଗୁଡ଼ିକ ଲାଗି ଏଗୁଡ଼ିକର କୌଣସି ପ୍ରୟୋଜନ ନାହିଁ ।

 

ଆମ ସମସ୍ତଙ୍କ ଦୁର୍ଭାଗ୍ୟ ଯେ, ଆମର ଏହି ପୃଥିବୀର ଅବିବେକିତା ଗୁଡ଼ିକ ଆମ ଲାଗି ଅନ୍ନଠାରୁ ଚନ୍ଦ୍ରକୁ ଅଲଗା କରି ରଖିଛନ୍ତି । କର୍ମଠାରୁ ଆନନ୍ଦକୁ ଅଲଗା କରି ରଖି ଦେଇଛନ୍ତି । ସମ୍ଭବତଃ ସେହି କାରଣରୁ ହିଁ କର୍ମକୁ କଷଣ ବୋଲି କୁହାଯାଇଛି ଏବଂ ଆନନ୍ଦକୁ ଭୋଗ ଘରର କେତେଟା ବିଶେଷ ମଣ୍ଡା ଭଳି କେତେକ ବିଶେଷ ମଣିଷଙ୍କ ହାତରେ ଧରାଇ ଦିଆଯାଇଛି । କେତେଟା ବିଶେଷ ବର୍ଗଙ୍କର ଭାଗ୍ୟ ସହିତ ଆଣି ଗୁନ୍ଥି ଦିଆଯାଇଛି । ଏଥିରେ ଉଭୟ ପକ୍ଷର ହିଁ କ୍ଷତି ହୋଇଛି । ଉଭୟ ସ୍ତରରେ ହିଁ ଜୀବନ ଭାରି ଅଲକ୍ଷଣା ହୋଇ ରହିଛି । ଆମ ପୃଥିବୀରେ ବହୁ ଉଦାସୀନତା ତଥା ଅବଜ୍ଞା ଲାଗି ପ୍ରଶ୍ରୟ ମିଳିଯାଇଛି । ଶ୍ରୀ ଅରବିନ୍ଦ କଳା ଓ ସୌନ୍ଦର୍ଯ୍ୟ ସମ୍ବନ୍ଧରେ ତାଙ୍କର ଆଲୋଚନାରେ ଏହି କଥାଟିର ଉଲ୍ଲେଖ କରିଛନ୍ତି ଏବଂ ଚନ୍ଦ୍ରର ଭାଗଟା ଯେ ଜୀବନର ବିଳାସଭାଗ କଦାପି ନୁହେଁ, ସେହି କଥାଟିର ଘୋଷଣା କରିଛନ୍ତି । ଏକ ସମଗ୍ର ଜୀବନର ସମ୍ଭାବନାଭୂମି ଉପରେ ଅନ୍ନ ଉପାର୍ଜନର ଯେତିକି ପ୍ରୟୋଜନ ରହିଛି, ସୌନ୍ଦର୍ଯ୍ୟବୋଧର ମଧ୍ୟ ସେତିକି ପ୍ରୟୋଜନ ରହିଛି । ଉଦରର ଯେତିକି ଆବଶ୍ୟକତା ରହିଛି, ହୃଦୟର ମଧ୍ୟ ସେତିକି ଆବଶ୍ୟକତା ରହିଛି । ଉଦରଠାରୁ ହୃଦୟକୁ ଅଲଗା କରି ଜୀବନର ବିଚାର କରାଗଲେ ତଦ୍ଦ୍ୱାରା ଉଦର ଅଥବା ହୃଦୟ କାହାରି ହେଲେ ମଙ୍ଗଳ ହେବନାହିଁ । ଉଦରଠାରୁ ହୃଦୟକୁ ଅଧିକ ବୋଲି କହିଲେ କିମ୍ବା ହୃଦୟଠାରୁ ଉଦରକୁ ଅଧିକ ବୋଲି କହିଲେ ଆମେ ସ୍ୱୟଂ କେବଳ ଖଣ୍ଡିଆ ହୋଇ ରହି ଯାଉଥିବା, ଖଣ୍ଡିଆ ହୋଇ ରହିଥିବା ପର୍ଯ୍ୟନ୍ତ ଜୀବନର ଯଥାର୍ଥ ଶ୍ରୀଯୁକ୍ତତା ଗୁଡ଼ିକରୁ ବଞ୍ଚିତ ହୋଇ ରହିଥିବା । ହଁ, କେବଳ ଏତିକି କୁହାଯାଇ ପାରିବ ଯେ, ଆଗ ଉଦର, ତାପରେ ହୃଦୟ, ଆଗ ଅନ୍ନ ତା’ପରେ ଚନ୍ଦ୍ର । ଅନ୍ନ ହେଉଛି ଭୂମି । ଚନ୍ଦ୍ରକୁ ତାହାର ଯଥାର୍ଥ ଆସ୍ଥାନଟି ଉପରେ ଯଥାର୍ଥ ଭାବେ ଅଧିଷ୍ଠିତ କରି ରଖିବାକୁ ହେଲେ ଏବଂ ସମଗ୍ର ଜୀବନର ଅଭିକ୍ରମରେ ଚନ୍ଦ୍ରର ଯଥୋପଯୁକ୍ତ ଭୂମିକାଟିକୁ ସୁନିଶ୍ଚିତ କରି ରଖିବାକୁ ହେଲେ ପୃଥିବୀରେ ସବୁ ମଣିଷଙ୍କ ଲାଗି ଅନ୍ନର ପ୍ରୟୋଜନ ସ୍ତରଟିକୁ ମଧ୍ୟ ସମାହିତ କରି ରଖିବାକୁ ହେବ । (୨୦ । ୬ । ୮୮)

 

(୫୦)

 

କଳା ହେଉଛି ଏକ ବିଳାସ, ଅସଲ ପ୍ରୟୋଜନ ଗୁଡ଼ିକର ବାହାରେ ଅଧିକ ଅବସର ଭୁଞ୍ଜିଥିବା ଧନୀ ଓ ସୁଖୀମାନଙ୍କର ହିଁ ଏକ ବିଶେଷ ଇଲାକା, ଏଭଳି କହିବାର ଓ ଭାବିବାର ଯେ, ଏକ ପ୍ରବୃତ୍ତି ଆମ ଅନେକଙ୍କଠାରେ ରହିଛି, ଶ୍ରୀ ଅରବିନ୍ଦ ତାହାର ପ୍ରଧାନ କାରଣଟିଏ ଖୋଜି ବାହାର କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି । ସିଏ ମନ୍ତବ୍ୟ କରିଛନ୍ତି ଯେ, ବିଳାସ ମଧ୍ୟରେ ବାସ କରୁଥିବା ଅଳ୍ପସଂଖ୍ୟକ ମନୁଷ୍ୟ ଏକଦା ଏହି ପୃଥିବୀକୁ ଓ ଏହି ପୃଥିବୀର ଉତ୍ତମ ସମ୍ପଦଗୁଡ଼ିକୁ ଆପଣା ଅକ୍ତିଆରରେ ରଖି ଆସିଛନ୍ତି ଏବଂ ସେହିମାନେ ହିଁ କଳା, ସାହିତ୍ୟ ପ୍ରଭୃତି ଏହି ସାଧନାଗୁଡ଼ିକର ଅସଦ୍‍ବ୍ୟବହାର କରିଛନ୍ତି । ଏହି କଥାଟିର ବିଶ୍ଳେଷଣ କରି ଆହୁରି କୁହାଯାଇ ପାରିବ ଯେ, ସେମାନେ କଳାକୁ ମଧ୍ୟ ସତେଅବା ଏକ ସମ୍ପତ୍ତି ପରି ନିଜର ଅକ୍ତିଆର କରି ରଖିଛନ୍ତି-। କଳାର ହୃଦୟକୁ ସେମାନେ ପଶି ନାହାନ୍ତି । କାରଣ, କଳାର ହୃଦୟ ଭିତରକୁ ପଶିଥିଲେ ସେମାନେ ନିଜର ହୃଦୟ ଭିତରକୁ ମଧ୍ୟ ପଶି ପାରିଥାନ୍ତେ , ସମଗ୍ର ପୃଥିବୀ ତଥା ଅନ୍ୟ ସବୁ ମଣିଷଙ୍କ ସହିତ ଲାଗିଥିବା ସେମାନଙ୍କର ସୂତ୍ରଟିକୁ ଅବଶ୍ୟ ଆବିଷ୍କାର କରି ପାରିଥାନ୍ତେ । ତଦ୍ଦ୍ୱାରା ଆମର ପୃଥିବୀରେ ଅନ୍ନ ଏବଂ ଆନନ୍ଦ, ରୁଟି ଏବଂ ଚନ୍ଦ୍ରର ତୁଳନାତ୍ମକ ବିବେକଟି ଏକାବେଳକେ ଏକ ଭିନ୍ନ ପ୍ରକାରର ହୋଇ ଯାଇଥାନ୍ତା; ଏହି ପୃଥିବୀ ବହୁ ଉଦାସୀନତାକୁ ଜୟ କରି ପାରିଥାନ୍ତା ।

 

ଶ୍ରୀ ଅରବିନ୍ଦଙ୍କ ମତରେ ମନୁଷ୍ୟର ସୌନ୍ଦର୍ଯ୍ୟବୋଧ ହିଁ ମଣିଷକୁ ତାର ପୂର୍ବତନ ପଶୁସ୍ତରରୁ ମନୁଷ୍ୟସ୍ତରକୁ ଆଣିବାରେ ସବୁଠାରୁ ଅଧିକ ସାହାଯ୍ୟ କରିଛି । ସୌନ୍ଦର୍ଯ୍ୟକୁ ଆଘ୍ରାଣ କରି ଆପଣା ଭିତରେ ଏବଂ ଆପଣାର ବାହାରେ ଥିବା ଏହି ବୃହତ୍ତର ପୃଥିବୀରେ ତାହାର ଠାବ କରି ବାହାରି ଥିବା ମନୁଷ୍ୟର ସୌନ୍ଦର୍ଯ୍ୟକାମନା ଜୀବନର ସାନବଡ଼, ଯାବତୀୟ କାର୍ଯ୍ୟରେ ତଥା ସମ୍ବନ୍ଧରେ ଏକ ଉନ୍ମୋଚନକାରୀ କଳାତ୍ମକତାକୁ ଆଣି ଭରି ଦେଇଛି, ପ୍ରକୃତିର ଉତ୍ତୋଳନ ଘଟାଇ ତାହାକୁ ଏକ ସଂସ୍କୃତିରେ ରୂପାନ୍ତରିତ କରାଇଛି । ଆମର ତୁଚ୍ଛା ଜୈବ କେତେକେତେ ଅନୁଧାବନ ଏବଂ ଆଚରଣରେ ସତେଅବା ଦିବ୍ୟତ୍ୱର ଏକ ବ୍ୟଞ୍ଜନା ଆଣି ଭରି ଦେଇଛି । ଏହାରି ସାହାଯ୍ୟରେ ମଣିଷ ନିଜ ଭିତରଟାକୁ ସୁନ୍ଦର କରିଛି, ଆପଣାର ବାହାରଟାକୁ ମଧ୍ୟ ସୁନ୍ଦର କରିଛି, ଉଦାର କରିପାରିଛି । ତା’ର ତଥାକଥିତ ଜୈବ ପ୍ରୟୋଜନ ଗୁଡ଼ିକର କ୍ଷେତ୍ରରେ ମଧ୍ୟ କେତେ ଉତ୍ତୋଳନକାରୀ ବ୍ୟଞ୍ଜନା ଆଣି ଭରି ଦେଇଛି । ସୌନ୍ଦର୍ଯ୍ୟର ସ୍ପର୍ଶପଥର ଲଗାଇ ସିଏ ଅନ୍ନକୁ ଧନ୍ୟ କରିଛି, ଅନ୍ନରୁ ଆନନ୍ଦ ପର୍ଯ୍ୟନ୍ତ ଏକ ସମଗ୍ର ଅଟ୍ଟାଳିକାକୁ ଗଢ଼ି ଥୋଇଦେବାର ଏତେ ସାହସ କରିପାରିଛି । ଅନ୍ନ ଆଉ ଆନନ୍ଦ, ରୁଟି ଆଉ ଚନ୍ଦ୍ର ଏକାବେଳକେ ଅଲଗା ଦୁଇଟା ପୁରର ବାର୍ତ୍ତା ହୋଇଥିଲେ ମନୁଷ୍ୟ ସେକଥା କଦାପି କରି ପାରି ନଥାନ୍ତା ।

 

ତେଣୁ ଚନ୍ଦ୍ରଭୋଜୀମାନେ ଫେରି ଆସନ୍ତୁ । ଜୀବନର ସମଗ୍ର ଆବେଦନ ଏବଂ ଦାବୀଗୁଡ଼ିକ ଭିତରକୁ ଫେରି ଆସନ୍ତୁ । ଅନ୍ନର ଖାଇ ପୁଣି ସେହି ଅନ୍ନର ନିନ୍ଦା କରିବାର ଦୁର୍ବୁଦ୍ଧି ଭିତରେ ହୁଡ଼ି ଯିବାକୁ ଆଉ ମୋଟେ ମନ କରନ୍ତୁ ନାହିଁ । ଅନ୍ନର ଉପାର୍ଜନକାରୀକୁ ମଧ୍ୟ ଆନନ୍ଦରେ ଭାଗ ଦିଅନ୍ତୁ । ଆନନ୍ଦକୁ ଅନ୍ନ ସହିତ ଯୁକ୍ତ କରନ୍ତୁ । ଆନନ୍ଦକୁ ସର୍ବଜନର ସମ୍ପଦରେ ପରିଣତ କରନ୍ତୁ । ଆନନ୍ଦକୁ କେବଳ କେତେଜଣଙ୍କର ଏକ ବିଳାସ ରୂପେ ନୁହେଁ, ସର୍ବଜନଙ୍କର ଏକ ପ୍ରୟୋଜନ ରୂପେ ସ୍ୱୀକାର କରନ୍ତୁ । ଆପଣାକୁ ସମସ୍ତଙ୍କ ଭିତରେ ଦେଖନ୍ତୁ, ଆପଣାକୁ ସମସ୍ତଙ୍କ ସହିତ ଦେଖନ୍ତୁ । ନବାବ ହେବାକୁ ଆଦୌ ମନ ନ କରନ୍ତୁ । ଏଇଠି ଏହି ଖଣ୍ଡିଆ ପୃଥିବୀରେ ରହି ଆମେ କ’ଣ ଏପରି ଏକ ଅନ୍ୟ ପୃଥିବୀର କଳ୍ପନା କରିପାରିବା ନାହିଁ, ଯେଉଁଠାରେ କି ଅନ୍ନ ତଥା ଆନନ୍ଦ ପରସ୍ପରର ପାଖାପାଖି ହୋଇ ରହିଥିବେ, ସର୍ବଜନର ଜୀବନରେ ଏକ ଉପଲବ୍‍ଧି ସତ୍ୟ ହୋଇ ରହିଥିବେ ? ସେତେବେଳେ ଉଦରକାତର ହୋଇ କେହି ନ ଥିବେ ଅଥବା ହୃଦୟକାତର ହୋଇ ମଧ୍ୟ ଆଦୌ କେହି ରହି ନ ଥିବେ ? ଚନ୍ଦ୍ର ରୁଟିକୁ ଚିତା କାଟିଦେଇ ସତେଅବା ଆଉ ଅଲଗା କେଉଁ ମଞ୍ଚା ଉପରେ ଯାଇ ବସିବାର ଆଦୌ କୌଣସି ଫିକର କରୁନଥିବ । ଆମେମାନେ କ’ଣ ସେହିଭଳି ଏକ ସଂପୂର୍ଣ୍ଣତର ପୃଥିବୀ ଲାଗି ସ୍ୱପ୍ନ ଦେଖି ପାରନ୍ତେ ନାହିଁ, ବ୍ୟାକୁଳ ହୋଇପାରନ୍ତେ ନାହିଁ ।

 

ତୈଭିରୀୟ ଉପନିଷଦରେ ପୂର୍ଣ୍ଣ ବ୍ରହ୍ମ ଅର୍ଥାତ୍ ପୂର୍ଣ୍ଣ ସତ୍ୟର ଏକ ଅଭିନବ ଅବତାରଣା କରାଯାଇଛି । ସତ୍ୟର ଅନୁଭବ ଏବଂ ଉପଲବ୍‍ଧିକୁ ସେଠାରେ ଏକ କ୍ରମୋତ୍ତର ସୋପାନକ୍ରମରେ ସଜାଇ ଦିଆଯାଇଛି । ଆଧୁନିକ ସତ୍ୟମୀମାଂସା ଅର୍ଥାତ୍ ଜ୍ଞାନମୀମାଂସାରେ ହୁଏତ ତାହାହିଁ ହେଉଛି ଅନ୍ୟତମ ସତ୍ୟ । ଆଧ୍ୟାତ୍ମିକ ସତ୍ୟ କହିବେ କେବଳ ଏହି ସତ୍ୟଟି ନୁହେଁ ଅଥବା ସେହି ସତ୍ୟଟି ନୁହେଁ, କେବଳ ମୋ ସତ୍ୟଟି ତ ଆଦୌ ନୁହେଁ, ଏହା ହେଉଛି ଏହି ସବୁଟି, ସବୁକିଛି । ଆମେ ଯେଉଁମାନେ ଗୋଟାଏ କୌଣସିଠାରେ ଅଟକିଯାଉ, ସେଇଠାରେ ଇଷ୍ଟଦେବଟିଏ ଥାପନା କରିଦେଉ ଓ ସଂପ୍ରଦାୟଟିଏ ଗଢ଼ି ବାଡ଼ ଘେରାଇ ବସିଯାଉ, ସେମାନେ କେବଳ ଗୋଟାଏ ଅଂଶମାତ୍ର ଦେଖୂ, ଅଂଶଟାକୁ ହିଁ ସଂପୂର୍ଣ୍ଣ ବୋଲି ଆବୋରି ପକାଉ; ଆମର ଆଖି ଯେଡ଼ିକି ଅଥବା ଯେତିକି, ଆମେ ସତ୍ୟକୁ ମଧ୍ୟ ସେତିକି ଅଥବା ସେଡ଼ିକି କରିଦେଉ । ଏହାଦ୍ୱାରା ସତ୍ୟର କୌଣସି କ୍ଷତି ହୁଏନାହିଁ । କ୍ଷତି ଆମର ହୁଏ, ଆମେ ଖଣ୍ଡିଆ ହୋଇ ରହିଯାଉ ଏବଂ ଆମରି ଅନୁମାନ ଏବଂ ସେହି ଅନୁମାନର କଡ଼େଇରେ କିଞ୍ଚିତ୍‍ ମୋହ ଏବଂ କିଞ୍ଚିତ୍ ଉତ୍ତେଜନା ସହିତ ଏକାଠି ମିଶି ଆଉଟା ହୋଇଥିବା ପିତୁଳାଟାକୁ ଅଥବା ପିତୁଳାଗୁଡ଼ାକୁ ସଂପୂର୍ଣ୍ଣ ସତ୍ୟ ବୋଲି ଏଡ଼େ ପାଟି କରି କହୁ ଓ ତା’ପରେ ଅନୁମାନ ଅନୁମାନ ଭିତରେ ଏବଂ ପିତୁଳାଗୁଡ଼ା ନେଇ ସମ୍ପ୍ରଦାୟ ସମ୍ପ୍ରଦାୟ ଭିତରେ ଲଢ଼େଇ ଆରମ୍ଭ ହୋଇଯାଏ । ସେହି ଉତ୍ତେଜନାରେ ପୁରାଣ ଲେଖାଯାଏ, ଧର୍ମର ଏକ ଉପନ୍ୟାସ–ପ୍ରକରଣ ଲେଖିବାରେ ସମ୍ଭବତଃ ସବୁଠାରୁ ଅଧିକ ଶକ୍ତି ନିୟୋଜିତ ହୁଏ । ଆଧ୍ୟାତ୍ମ ଚୂଲୀକୁ ଯାଏ, ଉପଲବ୍‍ଧି ଚୂଲୀକୁ ଯାଏ, ଆରୋହଣ ମଧ୍ୟ ଚୂଲୀକୁ ଯାଏ ଏବଂ ଆରୋହଣ ନହେଲେ ସାକ୍ଷାତ୍‍କାର ମଧ୍ୟ ହୋଇ ପାରେନାହିଁ । ମିଛ ଗୁରୁମାନଙ୍କୁ ନେଇ ଖଣ୍ଡିଆ ଆଖିମାନେ ଜନ୍ତାଳ ବସାନ୍ତି ଏବଂ ସେହି ଖଣ୍ଡିଆ ଆଖିର ଅତିବିହ୍ୱଳତା ଏବଂ ଅତିକାମୁକତା ଗୁଡ଼ାକୁ ବେରସିକ ଭାବରେ ଭକ୍ତି ବୋଲି କୁହାଯାଏ ।

 

ତୈଭିରୀୟ ଉପନିଷଦରେ ପରମ ସତ୍ୟ ଅର୍ଥାତ୍ ବ୍ରହ୍ମଙ୍କୁ ପାଞ୍ଚ ଥାକରେ କଳ୍ପନା କରାଯାଇଛି । ପାଞ୍ଚ ଭାଗରେ ନୁହେଁ, ପାଞ୍ଚ ଥାକରେ । ସତ୍ୟର ସେହି ଗୋଟିଏ ସିଡ଼ି ଥାକ ଥାକ ପାଞ୍ଚ ଥାକ ହୋଇ ଏଠୁ ସେଯାଏ ଲମ୍ବିଛି । ସେହି ସିଡ଼ିକୁ ଆରୋହଣ କରିବାକୁ ହୁଏ । ଆରୋହଣ କଲେ ଯାଇ ସମଗ୍ର ସତ୍ୟର ଦର୍ଶନ ହୁଏ । ଆରୋହଣର ସିଡ଼ିଗୁଡ଼ିକ ନିଜ ଭିତରେ ଗହୀରରୁ ଆହୁରି ଅଧିକ ଗଭୀରକୁ ପଡ଼ିଛି, ବାହାରେ ଏହି ବିଶ୍ୱ ମଧ୍ୟରେ ଅଧିକରୁ ଅଧିକ ପରିଧିଯୁକ୍ତ ଭାବରେ ସମ୍ପ୍ରସାରିତ ହୋଇ ରହିଛି । ଆପଣା ଭିତରେ ଅସଲ ବାସନାଟିକୁ ଠାବ କରି ପାରିଲେ ଯାଇ ଏହି ସତ୍ୟଯାତ୍ରା ଅର୍ଥାତ୍ ଅର୍ନ୍ତଯାତ୍ରା ସମ୍ଭବ ହୁଏ, ସେହି ସମ୍ପ୍ରସାରଣ ସମ୍ଭବ ହୋଇଯାଏ । ନିଜ ଭିତରେ ବିଶ୍ୱର ଦର୍ଶନ ହୁଏ, ବିଶ୍ୱ ଭିତରେ ବିଶ୍ୱତୀତର ଆଘ୍ରାଣ ମିଳେ । ଶ୍ରୀ ଅରବିନ୍ଦ ସେହି ଅନୁଭୂତିକୁ ସତ୍ୟସ୍ପର୍ଶନ ବୋଲି କହିଛନ୍ତି । ମଝିରେ କେଉଁଠି ଅଟକି ରହିଗଲେ ଅଥବା ଖଣ୍ଡିଆ କୌଣସି ଗୋଟିଏ ଭାଗ ବା ଅଂଶକୁ ସମୁଦାୟ ସତ୍ୟ ବୋଲି ଗ୍ରହଣ କରିନେଲେ କଦାପି ସତ୍ୟସ୍ପର୍ଶନ ହୋଇ ପାରେନାହିଁ । ତେଣୁ ସମୁଦାୟଟିକୁ ଲୋଡ଼ିବାକୁ ହୋଇଥାଏ । ଦ୍ୱିତୀୟ ପାହାଚଟିକୁ ଉଠିଗଲେ ପ୍ରଥମ ପାହାଚଟିକୁ କଦାପି ବର୍ଜନ କରିବାକୁ ପଡ଼େନାହିଁ । କାରଣ, ସେହି ମୂଳ ପାହାଚଟି ଉପରେ ହିଁ ଦ୍ୱିତୀୟ ପାହାଚଟି ସତକୁ ସତ ଦଣ୍ଡାୟମାନ ହୋଇ ରହିଥାଏ । ଏହିପରି ପ୍ରଥମରୁ ପଞ୍ଚମଟି ପର୍ଯ୍ୟନ୍ତ ଥାକ ଥାକ ଉଠି ଯିବାକୁ ପଡ଼େ । ପରସ୍ତ ପରସ୍ତ ହୋଇ ପ୍ରସାରିତ ହୋଇଯିବାକୁ ପଡ଼େ, ଆଦୌ କୋଉଟିକୁ ହେଲେ ଛାଡ଼ି ଦେବାକୁ ପଡ଼େନାହିଁ । କେବଳ ବ୍ୟକ୍ତିର ସତ୍ୟ–ଉପଲବ୍‍ଧିକୁ ନୁହେଁ, ଏହି ବିଶ୍ୱର କ୍ରମବିବର୍ତ୍ତନକୁ ମଧ୍ୟ ଆମେ ସେହିପରି ଏକ କ୍ରମ-ଆରୋହଣ ଓ କ୍ରମ-ପ୍ରସରଣର ପ୍ରକ୍ରିୟା ରୂପେ ଠାବ କରିପାରିବା । ଏହିପରି ଠାବ କରି ଉଠି ଉଠି ଯାଉଥିଲେ ଯାଇ ସଂପୂର୍ଣ୍ଣଟିକୁ ଠାବ କରି ହୁଏ । ସଂପୂର୍ଣ୍ଣ ଦଶନରେ ହିଁ ବ୍ରହ୍ମଦର୍ଶନ ସମ୍ଭବ ହୁଏ-। (୨୭ । ୭ । ୮୮)

 

(୫୧)

 

ସତ୍ୟକୁ ଗମିବାର ପାଞ୍ଚୋଟି ଥାକ ହେଉଛି ଅନ୍ନ, ପ୍ରାଣ, ମନ, ବିଜ୍ଞାନ ଓ ଆନନ୍ଦ । ଏହି ପାଞ୍ଚୋଟି ଥାକକୁ ଉପନିଷଦରେ ଗୋଟିଏ ଗୋଟିଏ କୋଷ ବୋଲି କୁହାଯାଇଛି । ସେହି ପରିଭାଷାରେ କହିଲେ, ଆମେ ଏହି ଥାକଗୁଡ଼ିକୁ ଅନ୍ନମୟ କୋଷ, ପ୍ରଣମୟ କୋଷ, ମନୋମୟ କୋଷ, ବିଜ୍ଞାନମୟ କୋଷ ଏବଂ ଆନନ୍ଦମୟ କୋଷ ନାମରେ ଚିହ୍ନିବା । କୋଷ ଅର୍ଥାତ୍ ଆସ୍ଥାନ । ଅନ୍ନ ବା ଜଡ଼ର ଆସ୍ଥାନ, ପ୍ରାଣ ବା ଭାବସମ୍ବେଗ ଗୁଡ଼ିକର ଆସ୍ଥାନ ମନର ଆସ୍ଥାନ, ବିଜ୍ଞାନ ଅର୍ଥାତ୍ ମାନସାତୀତର ଆସ୍ଥାନ ଏବଂ ଆନନ୍ଦର ଆସ୍ଥାନ । ଜୀବ–ବିବର୍ତ୍ତନରେ ପ୍ରକୃତିର ଯୋଗଧାରା ଜଡ଼ ଓ ପ୍ରାଣର ସ୍ତରକୁ ଅତିକ୍ରମ କରି ମନ ବା ମନୁପୁତ୍ର ସଚେତନ ମନୁଷ୍ୟର ସ୍ତରରେ ଆସି ପହଞ୍ଚିଛି । ଏହାର ଉପରକୁ ମଧ୍ୟ ଥାକ ରହିଛି, ସ୍ତର ରହିଛି । ଏକଦା ଆଧୁନିକ ବିଜ୍ଞାନ ଏହି ମନଟାକୁ ହିଁ ସତ୍ୟୋପଲବ୍‍ଧିର ସର୍ବଶେଷ ସ୍ତର ବୋଲି ମାନୁଥିଲା, ପୃଥିବୀର ଅନୁଭବକୁ ଏହି ମନ ପାଖରେ ହିଁ କିଳି ରଖିବା ଲାଗି ପ୍ରୟାସ କରୁଥିଲା । ଏବେ ବିଜ୍ଞାନ ମଧ୍ୟ ଆପଣା ଅନୁମାନର କାଠିଗୁଡ଼ିକରେ ପାହାଚଟିଏ ଆଗକୁ ଉଠି ଆସିଲାଣି ଏବଂ ପରବର୍ତ୍ତୀ ଅନ୍ୟାନ୍ୟ ସତ୍ୟର ଅନୁମାନ କରିବାକୁ ଆରମ୍ଭ କଲାଣି । ମନଟାକୁ ସର୍ବଶେଷ ଦର୍ପଣ ଓ ସର୍ବଶେଷ ଦ୍ୟୋତକ ବୋଲି ମାନି ନେଇଥିବା ପୃଥିବୀ ମନୁଷ୍ୟଜାତିକୁ ଯେଉଁସବୁ ପ୍ରମାଦ ଭିତରେ ନେଇ ପକାଇ ରଖିଛି, ସେଥିରୁ ମୁକୁଳି ଆସିବାଟା ହିଁ ଆମ ଏ ଯୁଗର ସର୍ବପ୍ରଧାନ ସମସ୍ୟା ଓ ସର୍ବପ୍ରଧାନ ଆହ୍ୱାନ ରୂପେ ଆମକୁ ନାନାଭାବେ ଘୁଙ୍ଗୁଳାଇବାରେ ଲାଗିଛି । ଆମେ ମଣିଷମାନେ ଏହି ପାହାଚଟିକୁ ମଧ୍ୟ ପାର ହୋଇଯିବା, ଚେତନାର ପରବର୍ତ୍ତୀ ସୋପାନରେ ଆମ ଲାଗି ଯାହା ଅପେକ୍ଷା କରୁଛି ଓ ମନୁଷ୍ୟର ଅନୁରାଗକୁ ଉଚ୍ଚାଟିତ କରିବାରେ ଲାଗିଛି, ବୈଜ୍ଞାନିକମାନେ ଏବେ ତାହାକୁ ମନୁଷ୍ୟର ବା ବିବର୍ତ୍ତନର ପରବର୍ତ୍ତୀ ଭବିଷ୍ୟତ ଅର୍ଥାତ୍ next future ବୋଲି କହିଲେଣି । ସେହି ସୋପାନଟିକୁ ଉଠିଗଲେ, ଚେତନାର ସେହି ସମ୍ପ୍ରସାରଣଟିକୁ ଘଟାଇ ପାରିଲେ ଆମ ପୃଥିବୀକୁ ବର୍ତ୍ତମାନର ସ୍ଥିତିରେ ଆଣି ପହଞ୍ଚାଇ ଥିବା ଅଥଚ ସେହି ଗାରଟିକୁ ଡିଆଁଇ ନେଇ ପାରୁ ନଥିବା ଜ୍ୟାମିତିର ଯାବତୀୟ ଆକଳନ ସମ୍ପୂର୍ଣ୍ଣରୂପେ ବଦଳିଯିବ । ନିଜ ବିଷୟରେ, ନିଜର ଶକ୍ତି ବିଷୟରେ, ପରସ୍ପର ବିଷୟରେ ଆମର ଅନ୍ଦାଜଗୁଡ଼ାକ ବଦଳିଯିବ । ସମ୍ବନ୍ଧମାନେ ବଦଳି ଯିବେ, ଅର୍ଥାତ୍ ଅର୍ଥନୀତି ଓ ରାଜନୀତି ବଦଳିଯିବ, ଆମ ମୂଲ୍ୟବୋଧର ଦ୍ରବ୍ୟ ଓ ଗୁଣମାନ ବଦଳିଯିବେ ।

 

ଉପନିଷଦ, ତୈଭିରୀୟ ଉପନିଷଦ, ଏହି ପାଞ୍ଚୋଟି ଯାକ ଥାକରୁ ପ୍ରତ୍ୟେକଟିକୁ ବ୍ରହ୍ମ ବୋଲି କହିଛି । ଅନ୍ନକୁ ବ୍ରହ୍ମ ବୋଲି କହିଛି, ଅନ୍ନରୁ ସବୁକିଛି ଜାତ ହୋଇଛି, ଅନ୍ନରେ ଅବସ୍ଥିତ ରହିଛି ଓ ଶେଷରେ ସେହି ଅନ୍ନରେ ହିଁ ଲୀନ ହୋଇଯାଉଛି ବୋଲି କହିଛି । ଅନ୍ନର ସ୍ତର ଅର୍ଥାତ୍‍ ଜଡ଼ର ସ୍ତର, ଭୌତିକ ଜୀବନର ସ୍ତର । ସେହି ଅନ୍ନକୁ ଆମେ ବ୍ରହ୍ମ ବୋଲି ଜାଣିବାର ଅର୍ଥ ହେଉଛି ତାହାକୁ ଆମ ଜୀବନପ୍ରତିଷ୍ଠାର ମୂଳ ବା ଆଦ୍ୟପାହାଚ ବୋଲି ଅନୁଭବ କରିବା, ତାହାକୁ ଶ୍ରଦ୍ଧାର ଚକ୍ଷୁରେ ଦେଖିବା ଏବଂ ସେଥିରେ ପରିପୂର୍ଣ୍ଣତା ହାସଲ କରିବା । ପ୍ରାଣର ସ୍ତରରେ ମଧ୍ୟ ଠିକ୍‍ ସେହିପରି । ଅର୍ଥାତ୍‍ ପ୍ରାଣ ହେଉଛି ବ୍ରହ୍ମ, ପ୍ରାଣରୁ ଏହି ସବୁକିଛି ଜାତ ହୋଇଛି, ପ୍ରାଣ ମଧ୍ୟରେ ଅବସ୍ଥିତ ରହିଛି ଓ ଶେଷରେ ସେହି ପ୍ରାଣରେ ହିଁ ବିଲୀନ ହୋଇଯାଉଛି । ତୃତୀୟ ପର୍ଯ୍ୟାୟରେ ମନକୁ ବ୍ରହ୍ମ ବୋଲି ଘୋଷଣା କରାଯାଇଛି । ଏହି ଆଲୋଚନାଟି ସହିତ ବିବର୍ତ୍ତନବାଦର ବ୍ୟାଖ୍ୟାକୁ ଯୋଡ଼ି, କହିବାକୁ ଚେଷ୍ଟା କଲେ ଆମେ ଅବଶ୍ୟ କହିପାରିବା ଯେ ମନୋମୟ ପ୍ରାଣୀ ମନୁଷ୍ୟର ସୋପାନକୁ ଆସି ବିବତ୍ତର୍ନର ଚେତନା ପରବର୍ତ୍ତୀ ଉତ୍ତରଣ ଲାଗି ଅପେକ୍ଷା କରି ରହିଛି । ବିବତ୍ତର୍ନବାଦର ବୈଜ୍ଞାନିକ ପ୍ରଥମ ବ୍ୟାଖ୍ୟାକାର ଚାର୍ଲସ୍ ଡାର୍‍ଉଇନ ମଧ୍ୟ ଏହି ମନ ଅର୍ଥାତ୍‍ ମଣିଷ ପାଖରେ ଯାଇ ଆପଣାର ସକଳ ବ୍ୟାଖ୍ୟକୁ ଛିଣ୍ଡାଇ ଦେଇଛନ୍ତି । ତାଙ୍କ ପରେ ବିଗତ ପ୍ରାୟ ଚଉଦ ଦଶକ ମଧ୍ୟରେ ବୈଜ୍ଞାନିକମାନେ କ୍ରମେ ପରବର୍ତ୍ତୀ ସୋପାନଗୁଡ଼ିକର ବାର୍ତ୍ତା ପାଇବାକୁ ଚେଷ୍ଟା କରିଛନ୍ତି । ମନ ପରେ ଉପନିଷଦ ମାନସାତୀତ ବିଜ୍ଞାନମୟ ସୋପାନର କଥା କହିଛି । ସେହି ସ୍ତରର ଅନୁଭବ ଭିତରେ ପ୍ରବେଶ କଲେ ବର୍ତ୍ତମାନ ମନ ଦ୍ୱାରା ନିର୍ଦ୍ଧାରିତ ହୋଇ ରହିଥିବା ଅନୁମାନଗାର ଗୁଡ଼ିକ ଅତିକ୍ରାନ୍ତ ହୋଇଯିବ । ସେଗୁଡ଼ିକରେ ଏକ ସମ୍ପ୍ରସାରଣ ଘଟିବ । ତେଣୁ ବର୍ତ୍ତମାନ ମନୁଷ୍ୟର ସାମର୍ଥ୍ୟରେ ମଧ୍ୟ ସମ୍ପ୍ରସାରଣ ଘଟିବ । ତା’ର ସତ୍ୟ ସହିତ ତା’ ଅନୁରାଗର ଘରେ ମଧ୍ୟ ସମ୍ପ୍ରସାରଣ ଘଟିବ । ବର୍ତ୍ତମାନ ଯେଉଁସବୁ ଗାର ଢେଇଁବାକୁ ବର୍ତ୍ତମାନ ସିଦ୍ଧ ମଣିଷକୁ କେତେ ଡର ମାଡ଼ୁଛି, ସେହିସବୁ ଗାର ସେପାଖକୁ ସମ୍ଭାବନା ଓ ସତ୍ୟର ଅନ୍ୟ ପରିଧିଗୁଡ଼ିକ ଦୃଶ୍ୟମାନ ହୋଇ ଆସିବ । ପରିଣାମତଃ ଏକ ଆନନ୍ଦମୟ ସ୍ତରର ଉପଲବ୍‍ଧି ହେବ । ଉପନିଷଦରେ ଆନନ୍ଦକୁ ମଧ୍ୟ ବ୍ରହ୍ମ ବୋଲି କୁହାଯାଇଛି । ଏହି ସମଗ୍ର ଜଗତ ଆନନ୍ଦରୁ ଜାତ ହୋଇଛି, ଆନନ୍ଦ ମଧ୍ୟରେ ଅବସ୍ଥିତ ରହିଛି ଏବଂ ଶେଷରେ ସେହି ଆନନ୍ଦରେ ହିଁ ଲୀନ ହୋଇ ଯାଉଛି ବୋଲି ଘୋଷଣା କରାଯାଇଛି ।

 

ଏବଂ ଯେତେବେଳେ ଆମେ ଏହି ପାଞ୍ଚୋଟିଯାକ କୋଷ ଅର୍ଥାତ୍‍ ପରସ୍ତକୁ ଏକତ୍ର ଗୋଟିଏ ସମଗ୍ର ଭିତରେ ଠୁଳ କରି ଦେଖିପାରିବା, ମୋଟେ କୌଣସି ଭାଗ ଭାଗ କରିବା ନାହିଁ, ସେତିକିବେଳେ ଯେ ଆମେ ବ୍ରହ୍ମଙ୍କର ଦର୍ଶନ ଲାଭ କରିବା, ଶେଷରେ ସେହି ଅସଲ କଥାଟିକୁ ଘୋଷଣା କରି ଦିଆହୋଇଛି । ବ୍ରହ୍ମର ଅନୁଭୂତି ହେଉଛି ଏକ ସମଗ୍ର ଅନୁଭୂତି, ଯାହାକି ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି । ସୋପାନ କ୍ରମରେ ଆମ ଚେତନାର ଆରୋହଣ ଲାଗି ସଜାହୋଇ ରହିଛି । ବିଭାଜନ ଦ୍ୱାରା ଦେଖିବା ଅର୍ଥାତ୍‍ ଜଡ଼ ବା ଅନ୍ନଠାରୁ ଆନନ୍ଦକୁ ପୃଥକ କରି ଦେଖିବା, ପରବର୍ତ୍ତୀ ସୋପାନଟିରେ ପ୍ରବେଶ କରିବା ଲାଗି ପୂର୍ବସ୍ଥିତ ସୋପାନଟିକୁ ବର୍ଜନ କରିବା ହେଉଛି ଏକ ଚରମ ଅବିବେକିତା ଏବଂ ଭାରତ ସମେତ ପୃଥିବୀଯାକର ଆଧ୍ୟାତ୍ମ ଆମକୁ ଏହି ବିଷୟରେ ଭାରି ସାବଧାନ କରି ଦେଇଛନ୍ତି ।

 

ତୈଭିରୀୟ ଉପନିଷଦର ସେହି ବିଶ୍ଳେଷଣ ଅନୁସାରେ ପ୍ରାଣ ଭିତରେ ଅନ୍ନ ପ୍ରତିଷ୍ଠିତ ରହିଛି, ମନ ଭିତରେ ପ୍ରାଣ ପ୍ରତିଷ୍ଠିତ ରହିଛି, ବିଜ୍ଞାନ ଭିତରେ ମନ ପ୍ରତିଷ୍ଠିତ ରହିଛି, ଏବଂ ଆନନ୍ଦ ଭିତରେ ବିଜ୍ଞାନ ପ୍ରତିଷ୍ଠିତ ରହିଛି । ସେହି ସମାନ କଥାଟିକୁ ଓଲଟାଇ କହିଲେ ଅନ୍ନ ପ୍ରାଣର ଭୂମି ହୋଇ ରହିଛି, ପ୍ରାଣ ମନର ଭୂମି ହୋଇ ରହିଛି, ମନ ବିଜ୍ଞାନର ଭୂମି ହୋଇ ରହିଛି ଏବଂ ବିଜ୍ଞାନ ଆନନ୍ଦର ଭୂମି ହୋଇ ରହିଛି । ପୁରାତନ ଶୈଳୀରେ ବ୍ୟାଖ୍ୟା ଓ ଚେତନା ଗୋଟାକୁ ଆଉ ଗୋଟାକରୁ ଅଲଗା କରି ଦେଖୁଥିଲା । ଗୋଟାକୁ ଲାଭ କରିବା ନିମନ୍ତେ ଆଉ ଗୋଟାକୁ ବର୍ଜନ କରିବାକୁ ହିଁ ବାଟ ବୋଲି ମଣୁଥିଲା । ଯିଏ ଆନନ୍ଦକୁ ପାଇଛି, ଅସଲ ଆଧ୍ୟାତ୍ମର ସମଗ୍ର ଦୃଷ୍ଟିଟି ଅନୁସାରେ ସିଏ କଦାପି ଅନ୍ନକୁ ଛାଡ଼ିନାହିଁ, ସିଏ ଅନ୍ନକୁ ଏକ ଅନ୍ୟ ବୃହତ୍ତାର ପରିପ୍ରେକ୍ଷୀ ମଧ୍ୟରେ ଦେଖିବାର ବାଟଟିକୁ ହିଁ ପାଇଯାଇଛି । ଯିଏ ସତକୁ ସତ ଅଧିକକୁ ଦେଖି ପାରୁଛି, ସିଏ ସବାତଳଟିକୁ ମଧ୍ୟ ଅବଶ୍ୟ ଦେଖୁଛି । ତେଣୁ ଆନନ୍ଦକୁ ପାଇବାକୁ ହେଲେ ଯେ ଅନ୍ନକୁ ବର୍ଜନ କରି ବାହାରି ପଳାଇବାକୁ ହେବ, ଅସଲ ଆଧ୍ୟାତ୍ମରେ ସେହି ବୈରାଗ୍ୟ ଅଥବା ସେହି ଅବଜ୍ଞା ଲାଗି ଆଦୌ କୌଣସି ସ୍ଥାନ ନାହିଁ । ଆମ ପୃଥିବୀରେ ଆଗକୁ ଯେଉଁ ଅନ୍ୟ ଯୁଗଟି ଆସୁଛି, ତାହା ହେଉଛି ମୂଳତଃ ଏକ ସମଗ୍ର ସତ୍ୟାନୁଶୀଳନର ଯୁଗ, ସେଥିରେ ଅବଜ୍ଞାର ଆଦୌ କୌଣସି ସ୍ଥାନ ନାହିଁ, ବର୍ଜନଧର୍ମୀ ବୈରାଗ୍ୟ ଲାଗି ମଧ୍ୟ କୌଣସି ସ୍ଥାନ ନାହିଁ, କେବଳ ଶ୍ରଦ୍ଧା ଲାଗି ସ୍ଥାନ ରହିଛି, ସମ୍ପ୍ରସାରଣ ଲାଗି ସ୍ଥାନ ରହିଛି । ପଳାଇ ଯିବାର ମୋଟେ କୌଣସି ସ୍ଥାନ ନାହିଁ, କେବଳ ଯୁକ୍ତ ହୋଇ ରହିବାର ହିଁ ସ୍ଥାନ ରହିଛି । ସେହି ଅସଲ ଯୁଗଟି ଲାଗି ପୃଥିବୀସାରା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମାତ୍ର, ଯେଉଁମାନେ ଆପଣା ଆପଣାର ବିଶେଷ ଗତଟି ଭିତରେ ଯାଇ ପଶି ରହିଛନ୍ତି, ସେମାନେ କେବଳ ଆପଣା ପିତୁଳାଟିକୁ ହିଁ ଆବୋରି ରହିଛନ୍ତି । ସେମାନେ ବଦଳିବାକୁ ରାଜି ହେଉନାହାନ୍ତି, ଶ୍ରଦ୍ଧାକୁ ଡରୁଛନ୍ତି, ସତକୁ ସତ ଭାରି ନିଃସଙ୍ଗ ଏବଂ ନିଶ୍ଚେତନ ହୋଇ ରହିଛନ୍ତି-

 

ତେଣୁ ଖାଲି ଅନ୍ନ ନୁହେଁ କି ଖାଲି ଆନନ୍ଦ ନୁହେଁ, ଖାଲି ରୁଟି ନୁହେଁ କି ଖାଲି ଚନ୍ଦ୍ର ମଧ୍ୟ ନୁହେଁ । କାଳ କାଳ ଧରି ଥୋକେ ମଣିଷ ସବୁଯାକ ଆନନ୍ଦକୁ ପ୍ରାୟ ଏକଚାଟିଆ ଭାବରେ ଆପଣାର ହାତମୁଠାରେ ରଖି ଅସନା ହୋଇ ରହିବେ ବୋଲି ଆଣ୍ଟ ଦେଖାଇ ଆସିଥିବାରୁ ତାହାର ପ୍ରତିକ୍ରିୟା ସ୍ୱରୂପ ଅନ୍ନକୁ ହିଁ ଏକମାତ୍ର ସତ୍ୟ ବୋଲି ଘୋଷଣା କରି ଊନବିଂଶ ଶତାବ୍ଦୀରେ ପ୍ରତିବାଦମାନ ପ୍ରକାଶ ପାଇଛି ଓ ପୃଥିବୀର ପୁରାତନ ମୂଳଦୁଆଗୁଡ଼ାକୁ ଏକାବେଳେକେ ଦୋହଲାଇ ଦେଇଛି । ଆଗ ଆନନ୍ଦ, ଆଗ ଆନନ୍ଦ ବୋଲି ଚିତ୍କାର କରୁଥିବା ଉଗ୍ରମାନଙ୍କର ପ୍ରତିବାଦ ସ୍ୱରୂପ ହିଁ ଆଗ ରୁଟି, ଆଗ ରୁଟି ବୋଲି ଚିତ୍କାର କରି ଆଉ ଥୋକେ ମଣିଷ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ଚନ୍ଦ୍ରବାଲା ରୁଟିବାଲାଙ୍କୁ ଯେତିକି ଉପେକ୍ଷା କରି ଆଉ କୋଉଠାକୁ ପଳାଇ ଯିବାକୁ ମନ କରିଛନ୍ତି, ସତେଅବା ତାହାରି ପ୍ରତିଶୋଧ ନେଲାପରି ରୁଟିବାଲାଏ ବି ଚନ୍ଦ୍ରବାଲାଙ୍କର ଗୋଡ଼କୁ ତଳୁ ଥାଇ ଟାଣି ଧରିଛନ୍ତି । କେହି ଆଗକୁ ଯାଇ ପାରିନାହାନ୍ତି, ଦୁହେଁ ଅସନା ହୋଇ ରହିଛନ୍ତି । ଗୋଟାଏ ପାଖ ବିଳାସ ଭିତରେ ଅସନା ହୋଇ ରହିଛି ଓ ସେହି ଅସନା ଭିତରେ ହିଁ ବାସନା ମୁକୁଟ ଲଗାଇ ଐଶ୍ୱର୍ଯ୍ୟ ଗୁଡ଼ାକୁ ପାଇଗଲା ପରି ଭାଣ କରୁଛି । ଆଉ ଗୋଟାଏ ପାଖ କେବଳ ଏହି ସବାତଳ ପାହାଚଟାକୁ ହିଁ ସବୁକିଛି ମଣି ସୌନ୍ଦର୍ଯ୍ୟ ସହିତ ବାଦ ଲଗାଇବାରେ ଲାଗିଛି । ଉଭୟେ ସମଗ୍ରଠାରୁ ବଞ୍ଚିତ ହୋଇ ରହିଛନ୍ତି ଏବଂ ବଞ୍ଚିତମାନେ ପ୍ରକୃତରେ ଆଉ ଅଧିକ କ’ଣ କରି ପାରନ୍ତେ ? ତେଣୁ ତୁମେ ଯେଉଁମାନେ ରୁଟିର ଗଦା ଉପରେ ବସି ଚନ୍ଦ୍ରକୁ ହିଁ ସବୁକିଛି ବୋଲି କହୁଛ, ତଳକୁ ଓ ତଳମାନଙ୍କୁ ଅସ୍ୱୀକାର କରୁଥିବା ପର୍ଯ୍ୟନ୍ତ ତୁମେମାନେ କଦାପି ବେଶି ବାଟ ଆଗକୁ ଯାଇପାରିବ ନାହିଁ, ଭାରି ଅସନା ଦିଶୁଥିବ, ଭାଲୁଙ୍କ ପରି ସୌନ୍ଦର୍ଯ୍ୟର ଉଈହୁଙ୍କାଗୁଡ଼ାକୁ ଚାଟି ଚାଟି ବୁଲୁଥିବ । ତୁମେମାନେ ବିଶ୍ୱର ପରବର୍ତ୍ତୀ ଭବିଷ୍ୟତଟିର ଯୋଗ୍ୟ ହୋଇପାରିବ ନାହିଁ । ପରବର୍ତ୍ତୀ ଭବିଷ୍ୟତର ସମ୍ଭାବନାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରକୃତରେ କିଛି କରିବା ତ ତୁମ ପକ୍ଷରେ ଆହୁରି ଅଧିକ ଦୂରର କଥା । ସବା ଆଗ ଅନ୍ନର ପ୍ରତିଷ୍ଠା ହେବ ହିଁ ହେବ, ସମଗ୍ର ପୃଥିବୀରେ ହେବ; ତେବେ ଯାଇ ମନୁଷ୍ୟଜାତି ପାହାଚ, ପାହାଚ ଅତିକ୍ରମ କରି ଅର୍ଥାତ୍‍ ସିଡ଼ି ପରେ ସିଡ଼ିର ସମାଧାନ କରି ଆନନ୍ଦରେ ଯାଇ ପହଞ୍ଚି ପାରିବ । ଭଗବାନ ସେଇଦିନ ଯାଇ ଏହି ପୃଥିବୀକୁ ଓହ୍ଲାଇ ଆସିବେ, ସେତିକିବେଳେ ସବୁକିଛି ସୁନ୍ଦର ଦିଶିବ ! (୩ । ୮ । ୮୮)

 

(୫୨)

 

ଆମେ ସାହିତ୍ୟକୁ ଓଡ଼ିଆ ସାହିତ୍ୟରେ ପରିଣତ କରିଦେଇ ନିଜ ଘରେ କେଡ଼େ ନିବୁଜ ହୋଇ ବସିଛୁ । କେତେ ମିଛ ହରଷ ଅନୁଭବ କରୁଛୁ ଓ କେତେ ଫୁଲେଇ ହେଉଛୁ । ଆମର ଆକାଶଟି ସେହି ନିଶାରେ ପଡ଼ି କ୍ରମେ ଏତେ ଛୋଟ ହୋଇ ଆସିଲାଣି ଯେ, ଆମର ଅହଙ୍କାରଗୁଡ଼ାକୁ ତା’ର ସତେଅବା ଆଉ ମୋଟେ କୁଣ୍ଢ ପାଉଥିବା ପରି ମନେ ହେଉନାହିଁ । ଆମ ସାନ ଘରଟିରେ ଆମେ ଅନେକେ କେଡ଼େ ବଡ଼ ବଡ଼ ଦିଶୁଛୁ, କେତେ ଅର୍ବଜିଆ ଭାବରେ ସ୍ୱପ୍ନ ଦେଖୁଛୁ । ଓଡ଼ିଶା ବାହାରେ ଥିବା ସାହିତ୍ୟକୁ ଆମେ ଆମ ଆଖି ଭିତରେ ବହୁ ବିକୃତି ଭର୍ତ୍ତି କରିଦେଇ ପ୍ରତିବେଶୀ ସାହିତ୍ୟ ବୋଲି କହୁଛୁ, ଅଥବା, ଭାରତ ବାହାରେ ଲେଖା ହୋଇଥିବା ସାହିତ୍ୟକୁ ତାଙ୍କ ସାହିତ୍ୟ କିମ୍ବା ଆଉ କାହାର ସାହିତ୍ୟ ବୋଲି କହିବାରେ ଲାଗିଛୁ । ଏସବୁ କରି ଆମେ ଅନେକେ କେତେକେତେ ଆନନ୍ଦ ଲାଭ କରୁଛୁ । ଏକୁଟିଆ ଅଳପ ମଣିଷଟିଏ ଆପଣାର ଅଳପ ଘରଟିରେ ବସି ନିଜ ବେଲାଟିରେ ତୋରାଣି ପିଉଥିବାବେଳେ ଯେମିତି କେତେ ନା କେତେ ଆନନ୍ଦ ଅନୁଭବ କରେ, ଇଏ ପ୍ରାୟ ସେହିପରି ଏକ ଆନନ୍ଦ । ବଡ଼ ଦୁନିଆରେ ଅନେକ ମଣିଷ ଏତିକିକୁ ହିଁ ସ୍ୱର୍ଗସୁଖବତ୍ ଅନୁଭବ କରି କେତେ ଉଷତ ହୋଇ ରହିଥାନ୍ତି । ସେତେବେଳେ ତୋରାଣି ଆଉ ଭାତ ଅପେକ୍ଷା ବେଲାଟା ହିଁ ଅଧିକ ମୂଲ୍ୟବାନ୍‍ ବୋଲି ମନେ ହୋଇଥାଏ । ବୃହତ୍ ଆକାଶଟା ଭିତରେ ସେମାନେ କୋଉଠି କାଳେ କେଉଁ ବୃହତ୍ତା ଭିତରେ ବିଲୀନ ହୋଇଯିବେ ଓ କାଳେ ଆଦୌ ନିଜସ୍ୱ ସ୍ୱତନ୍ତ୍ରତାରେ ଅଲଗା ହୋଇ ଦିଶିବେ ନାହିଁ ବୋଲି ଭୟ କରି ଅନେକ ମଣିଷ ଆକାଶଠାରୁ ଚେନାଏ କାଟି ଆଣି ତାହା ଉପରେ ଆପଣାର ଚିହ୍ନା କାଠିକୁଟାଗୁଡ଼ିକୁ ଦେଇ ଚାଳଟିଏ ତିଆରି କରନ୍ତି ଏବଂ କେଡ଼େ ମମତାରେ ତାହାକୁ ସମଗ୍ର ଆକାଶ ବୋଲି ଘୋଷଣା କରନ୍ତି ।

 

ସେମାନେ ଭୁମାକୁ ଡରନ୍ତି, ତେଣୁ ଅଳପକୁ ଗୋଟିଏ ମୂର୍ତ୍ତି କରି ବସାଇ ଦିଅନ୍ତି ଓ ତାହାକୁ ଏକାବେଳେକେ ନିଜର ବୋଲି କହନ୍ତି । ସେମାନେ ଅପରିଚିତଙ୍କୁ ଡରନ୍ତି, ତେଣୁ ପରିଚିତଟିକୁ ସତେଅବା ସବୁ ବୋଲି ମଣି କେତେ ଦର୍ପ ଦେଖାନ୍ତି । ସେହି ପରିଚିତ ଅଳପକୁ ହୁଡ଼ା ଦେଇ ତାହାକୁ କେତେ ସଦୃଶ୍ୟ ଓ ସୁରମ୍ୟ କରି ଦେଖାଇ ନିଜକୁ କେଡ଼େ ବଡ଼ ବୋଲି ଅନୁଭବ କରନ୍ତି । ନିଜ ଭିତରେ ସେମାନଙ୍କର ବିଶ୍ୱକେନ୍ଦ୍ରଟି କେଡ଼େ, ସାନ ହୋଇ ଅଳପ ହୋଇ ଏବଂ ଏପରିକି ପ୍ରତ୍ୟାଖ୍ୟାତ ହୋଇ ରହିଥାଏ କି କ’ଣ କେଜାଣି, ସେମାନେ ଖୋଲା ଆଲୁଅ, ଖୋଲା ପବନକୁ ଡରନ୍ତି । ସେମାନେ ସ୍ଥାନୀୟତାକୁ ହିଁ ଆତ୍ମୀୟତା କୁହନ୍ତି, ମୁଠା ଭିତରେ ଯାବୁଡ଼ି, ଜାକି ନ ଧରିଲେ ସତେଅବା କାହାକୁ କେବେହେଲେ ନିଜର ବୋଲି ଅନୁଭବ କରି ପାରନ୍ତି ନାହିଁ । ନିଜର ସମ୍ପତ୍ତିରେ ପରିଣତ କରି ନ ପାରିଲେ ସତେଅବା ସମ୍ପଦଗୁଡ଼ାକୁ ମୋଟେ ଚିହ୍ନି ପାରନ୍ତି ନାହିଁ ଅଥବା ଚିହ୍ନିବାକୁ ଅମଙ୍ଗ ହୋଇ ବସିଥାନ୍ତି । ସମ୍ଭବତଃ ସେହି ତଥାକଥିତ ଆତ୍ମୀୟତାକୁ ଆହୁରି ଜାକିଜୁକି ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ଭାବରେ ଧରି ରଖିପାରିବେ ବୋଲି ସେମାନେ ନିଜ ସାହିତ୍ୟକୁ ଆଉ ଆଉ ସାହିତ୍ୟ ସହିତ ତୁଳନା କରିବାକୁ ମଧ୍ୟ ମନ କରନ୍ତି । ସାହିତ୍ୟକୁ ସାହିତ୍ୟ ସହିତ ନୁହେଁ, ନିଜର ଆଲୋକଟିକୁ ସତକୁ ସତ ପ୍ରସାରିତ କରିଦେଇ ନୁହେଁ, ସେମାନେ ନିଜ ସାହିତ୍ୟକୁ ଆଉମାନଙ୍କର ସାହିତ୍ୟ ସହିତ ତୁଳନା କରିବାକୁ ମନ କରନ୍ତି । ଓଡ଼ିଆ ସାହିତ୍ୟକୁ ହିନ୍ଦୀ ସାହିତ୍ୟ କିମ୍ବା ବଙ୍ଗଳା ସାହିତ୍ୟ ସହିତ ତୁଳନା କରନ୍ତି । ସେମାନେ ବେଳେବେଳେ ବିଶ୍ୱ ସାହିତ୍ୟର କଥା ମଧ୍ୟ କହିଥାଆନ୍ତି । ବିଶ୍ୱ ସାହିତ୍ୟକୁ ବିଶ୍ୱ ଦରବାରରେ ପରିକଳ୍ପନା କରିଥାଆନ୍ତି । ଦରବାର ଅର୍ଥାତ୍‍ ପ୍ରତିଯୋଗିତାର ଦରବାର । ସେଠାରେ ସତେଅବା କୌଣସି ସ୍ୱୟମ୍ବର ସକାଶେ ସମସ୍ତେ ଡକାହୋଇ ଯାଇଥାନ୍ତି ଓ ଆଶାୟୀ ହୋଇ ବସିଥାନ୍ତି । ସମସ୍ତେ ସମସ୍ତଙ୍କର ପ୍ରତିଦ୍ୱନ୍ଦୀ ହୋଇ ବସିଥାନ୍ତି । ଅର୍ଥାତ୍‍ ପ୍ରତ୍ୟେକେ କେବଳ ନିଜକୁ ଦେଖୁଥାନ୍ତି, ନିଜ ଭିତରେ ହିଁ ସଭାଟିକୁ ଦେଖୁଥାନ୍ତି, ପ୍ରତ୍ୟେକେ ନିଜେ ହିଁ ସମସ୍ତଙ୍କଠାରୁ ଅଲବତ୍ ଅଧିକ ସୁନ୍ଦର ବୋଲି ପୂର୍ବରୁ ହିଁ ଧରି ନେଇଥାନ୍ତି ଏବଂ ତେଣୁ ଅନୁରୂପ ଭାବରେ ଦେଖିବାକୁ ବାଧ୍ୟ ହେଉଥାନ୍ତି । ଓଡ଼ିଆ ସାହିତ୍ୟ ଭାରତୀୟ ଅନ୍ୟ କୌଣସି ସାହିତ୍ୟଠାରୁ କୌଣସି ଗୁଣରେ ଊଣା ନୁହେଁ କିମ୍ବା ନୀରସ ନୁହେଁ ବୋଲି ସେତେବେଳେ ସାନ ଚଢ଼େଇ ବସାଟିରେ ହୁରି ପଡ଼ିଯାଏ । ଏଥର ଓଡ଼ିଆ ସାହିତ୍ୟ ମଧ୍ୟ ବିଶ୍ୱର ସାହିତ୍ୟ–ଦରବାରରେ ତାହାର ନ୍ୟାଯ୍ୟ ସ୍ଥାନ ଅବଶ୍ୟ ପାଇଗଲା ବୋଲି ସେତେବେଳେ ନାହାକ ଖଡ଼ି ପକାଇ କହିଦେବା ପରି ଥାନରେ ଅଥାନରେ କେତେ କିଏ କହି ବୁଲନ୍ତି । ଭଗବାନଙ୍କର ଅସୀମ କରୁଣା ଯେ ଓଡ଼ିଶାରେ ଏଭଳି ନାହାକମାନଙ୍କର ଆଦୌ କୌଣସି ଅଭାବ ହୁଏନାହିଁ । ପୃଥିବୀଟା ସେତେବେଳେ ଆମ ଖଡ଼ିଗୋଟାଳିଠାରୁ ମଧ୍ୟ ସାନ ଦିଶୁଥାଏ ।

 

ଧର୍ମ ବେଳେ, ଜାତି ବେଳେ, ସଂସ୍କୃତି ବେଳେ ମଧ୍ୟ ପ୍ରାୟ ଠିକ୍‍ ସେହିପରି କଥା । ଆମେ ଅନେକେ ଭାରି ଅଳପକୁ ଜାବୁଡ଼ି ଧରିଥାଉ । ତୁଚ୍ଛା ଅଳପଗୁଡ଼ାକୁ ହିଁ ପାଟ ପିନ୍ଧାଇ ଛତି ଧରାଇଦେଇ ମୁଣ୍ଡ ଉପରେ ମୁଣ୍ଡାଇ କେଡ଼େ ବଡ଼ କରି ଦେଖାଉଥାଉ । ତଦ୍ଦ୍ୱାରା ଆମେ ନିଜେ ମଧ୍ୟ କେଡ଼େ ବଡ଼ ହୋଇ ଦିଶିଲୁ ବୋଲି ଅନୁଭବ କରିବାରେ ଲାଗିଥାଉ । ଧର୍ମକୁ ହିନ୍ଦୁଧର୍ମ ବୋଲି କହୁ, ଇସ୍‍ଲାମ ବୋଲି କହୁ ଅଥବା ଖ୍ରୀଷ୍ଟିଆନ୍‍ ଧର୍ମବୋଲି କହୁ । ଧର୍ମରେ ନୁହେଁ, ଅମୁକ ଧର୍ମରେ ମୁକ୍ତି ଘଟିବା ଅଥବା ଜୀବନର ଯାବତୀୟ ଉଦୟ ସମ୍ଭବ ହେବ ବୋଲି କେତେ ଦାମ୍ଭିକତା ସହିତ କହି ବୁଲୁଥାଉ । ଜାତିର ଅସଲ ତାତ୍ପର୍ଯ୍ୟ ହେଉଛି ସଂହତି । ମାତ୍ର, ଜାତିର କଥା ପକାଇଲାବେଳେ ଆମେ ସେହି ସଂହତିର କଥାଟିକୁ କୁଆଡ଼େ ମନ କୁଆଡ଼େ ପାଶୋରି ପକାଇଥାଉ । ଜାତି କହିଲେ ସେତେବେଳେ ଆମେ ଆମ ନିଜର ଜାତିଟିକୁ ହିଁ ବୁଝୁ । ସାନ କଥାଗୁଡ଼ାକରେ ୟାଡ଼ୁସାଡ଼ୁ ବିଣ୍ଡି ଲଗାଇ ଦେଇ ତାହାକୁ କେଡ଼େ ବଡ଼ କରି ଦେଖାଉ ଓ ସେଇଥିରୁ କେତେ ବଡ଼ ଆନନ୍ଦ ଲାଭ କରୁ-। ବିଣ୍ଡି ଗୁଡ଼ାକୁ ହିଁ ଶୋଭାମଧୁର କରି ଦେଖାଇବାଲାଗି କେତେ ଭଳି ଅହଙ୍କାରମାନଙ୍କର ପ୍ରୀତ୍ୟର୍ଥେ କବିତାମାନ ଲେଖାଯାଏ, କାହାଣୀମାନ ଫନ୍ଦାଯାଏ । ସଂହତି ପଛକେ ଚୂଲିକୁ ଯାଏ, ମାତ୍ର କାହାଣୀଗୁଡ଼ାକ କେଡ଼େ ଦର୍ପରେ ଆମ ବିବେଚନାର ଘରଗୁଡ଼ିକୁ ମାଡ଼ି ବସିଥାନ୍ତି । ମଣିଷମାନେ ନରଖର ହେଉଥାନ୍ତି, ବଡ଼ ମାଛମାନେ ସାନ ମାଛମାନଙ୍କୁ ଖାଇଯିବାରେ ଲାଗିଥାନ୍ତି । ସଂହତିର କଥାଗୁଡ଼ାକ କେବଳ କାହାଣୀରେ ଥାଏ, କେବଳ କବିତାରେ ଥାଏ, ଆମ ଭାବପ୍ରବଣ ଅଳସ ପ୍ରହରଗୁଡ଼ାକର ବହୁପ୍ରସାଧାନ ହୋଇ ରହିଥାଏ । ଆମ ପାରସ୍ପରିକ ଜୀବନରେ ମୋଟେ ନଥାଏ । କିମ୍ବା ତୁଚ୍ଛା ଅତୀତକୁ ନେଇ ମିଛ ଗର୍ବ କରିବାର ଭଳି ଭଳି ସୁଆଙ୍ଗ ଭିତରେ ରହିଥାଏ,–ଅତୀତର ପ୍ରାଦୁର୍ଭାବରେ ବର୍ତ୍ତମାନ ବିସ୍ତୃତ ହୋଇ ରହିଥାଏ । ଅଥବା, ଆମରି ଭିତରେ ଅଧିକ ପାରିବାବାଲା ଓ ଅଧିକ ଚତୁର କେତେ ମହାମତି ରହିଥାନ୍ତି, ଯେଉଁମାନେ କି ବର୍ତ୍ତମାନକୁ ଉଖାରିଲେ କାଳେ କୌଣସି ପ୍ରମାଦ ଉପୁଜିବ ବୋଲି ଆମ ମହୁଡ଼ଟାଯାକକୁ ଅତୀତ ଭିତରେ ନେଇ ମୁହଁ ମଡ଼ାଇ ରଖିଥାନ୍ତି ।

 

ସାହିତ୍ୟ, ସଂସ୍କୃତି, ଧର୍ମ–ଏସବୁ ମଣିଷର ଉଦୟ ଲାଗି, ଆମ ଭିତରେ ରହିଥିବା ଉଦାସୀନତା ଏବଂ ଉପେକ୍ଷାଗୁଡ଼ାକୁ ପ୍ରଚଣ୍ଡରୁ ଅଧିକ ପ୍ରଚଣ୍ଡ କରାଇ ଭୋଗ ଦେଇ ଗୋଟାଏ ଗୋଟାଏ ମିଛ ମୂର୍ତ୍ତିରେ ପରିଣତ କରି ଥାପି ରଖିବାପାଇଁ ମୋଟେ ନୁହେଁ । ଏସବୁ ଆମର ନିଜ ଭିତରକୁ ବାଟ ଫିଟାଇଦେବା ଲାଗି, ଆମର ବାହାରକୁ ମଧ୍ୟ ବାଟ ଫିଟାଇଦେବା ଲାଗି, ଆମକୁ ବହୁ କ୍ଷୁଦ୍ରତା ଓ ଆତ୍ମକାମିତାରୁ ମୁକ୍ତ କରି ଏକ ଯଥାର୍ଥ ପାରସ୍ପରିକତା ନିମନ୍ତେ ଆମକୁ ଅଧିକରୁ ଅଧିକ ଯୋଗ୍ୟ କରି ଆଣୁଥିବା ଲାଗି । ଇତିହାସସ୍ଥ ବହୁ କାରଣରୁ ଅନେକ ମଣିଷ ସତେଅବା ଗୁହାଟିଏ ଭିତରେ ଜନ୍ମ ହୋଇଥାନ୍ତି, ଗୁହାଟି ଭିତରେ ଜୀବନ ବଞ୍ଚୁଥାନ୍ତି, idols of the cave ମଧ୍ୟରେ ବାନ୍ଧିହୋଇ ରହିଥାଆନ୍ତି । ସେଇଥିଲାଗି ମନୁଷ୍ୟର ଜୀବନରେ ଏକ ଗୁହାମୁକ୍ତି ଆବଶ୍ୟକ ହୁଏ । ବହୁ ପ୍ରତିମାକୁ ଭାଙ୍ଗି ଦେବାକୁ ହୁଏ, ତେବେ ଯାଇ ‘’ନ ତସ୍ୟ ପ୍ରତିମା ଅସ୍ତି’’ର ସୋପାନକୁ ଆସିପାରିବା ସମ୍ଭବ ହୁଏ । Tribal Becomingsର ଦୁର୍ଗତି କଟିଯାଏ;–ତା’ପରେ ଯାଇ ଅସଲ ଉଦୟ ବା ଉନ୍ମୋଚନଗୁଡ଼ିକ ଆରମ୍ଭ ହୁଏ, ଯାହାକି ମନୁଷ୍ୟକୁ ପୂର୍ଣ୍ଣାନୁରାଗଯୁକ୍ତ କରାଏ, ତା’ ଭିତରେ ଅସଲ ବ୍ୟାକୁଳତାଗୁଡ଼ିକର ଜାଗୃତି ଘଟାଏ ।

 

ମଣିଷ ଯେତିକି ଯେତିକି ଆପଣା ଭିତରେ ରହିଥିବା ଅସଲ ବାସନା ଗୁଡ଼ିକୁ ଚିହ୍ନେ, ସିଏ ସେତିକି ସେତିକି ଅନ୍ୟମାନଙ୍କୁ ମଧ୍ୟ ଯଥାର୍ଥରେ ସ୍ୱୀକାର କରିନେଇ ପାରିବାର ରହସ୍ୟଗୁଡ଼ିକୁ ପାଇଯାଏ । ଭିତର ବାହାରର ଦ୍ୱନ୍ଦ୍ୱ ମେଣ୍ଟିଯାଏ, ଅବଚେତନ ଓ ଚେତନ ସତେଅବା ସେହି ଗୋଟିଏ ବୃହତ୍ ଚେତନର ଦୁଇ ପରିପୂରକ ଅଙ୍ଗରୂପେ ପ୍ରତିଭାତ ହୋଇ ଆସନ୍ତି । ପୋଷାକୀ ଆଉ ଆଠପହରୀର କଳହ ମଧ୍ୟ ମେଣ୍ଟି ଯାଏ । ଆମ ଜୀବନ ଓ ଆମ ବିବେକ ଉପରୁ ତାହାରି ଫଳରେ ହିଁ ବହୁ ଦୁଷ୍ଟ ବ୍ରଣ ଦୂର ହୋଇଯାଆନ୍ତି, ବହୁ କ୍ଷତକୁ ଗେଲବସରିଆ କରି ବୋହି ବୁଲିବାର ଦୁର୍ଦ୍ଦଶାମାନ ଦୂର ହୋଇଯାନ୍ତି ।

 

ତେଣୁ ଯେଉଁ ବାବୁମାନେ ଆମକୁ ସାହିତ୍ୟର କଥା କହିବାକୁ ଯାଇ ଓଡ଼ିଆ ସାହିତ୍ୟର ଲଟା ଭିତରେ ଅଣଆୟତ୍ତ ଭାବରେ ଛନ୍ଦି ପକାଉଛନ୍ତି, ଧର୍ମର କଥା କହିବାକୁ ଯାଇ ଆମକୁ ବା ସମୁକ ଧର୍ମର ବେଢ଼ା ଭିତରେ ଅମୁହାଁ କରି ରଖିଛନ୍ତି, ଆମକୁ ସଂହତି କଥା କହିବେ ବୋଲି ବହୁ କୁନି କୁନି ହାସ୍ୟାସ୍ପଦ ଉତ୍ତେଜନା ଭିତରେ ମିଛଟାରେ ବାଡ଼ ବସାଇ କଳି ରଖୁଛନ୍ତି, ଆମେ ସେମାନଙ୍କର ଷଡ଼ଯନ୍ତ୍ର ଭିତରୁ ବାହାରି ଆସିବା । ମନ୍ନାଥର ପଥ ଦେଇ ଆମେ ସିନା ଜଗନ୍ନାଥଙ୍କ ପର୍ଯ୍ୟନ୍ତ ଯାଇ ପାରିଥାନ୍ତୁ, ଆମ ସାହୀର ପଣ୍ଡାମାନେ ଆମକୁ ତୁଚ୍ଛା ମନ୍ନାଥମାନଙ୍କୁ ହିଁ ଜଗନ୍ନାଥ ବୋଲି କହି ଭୁଲାଇ ରଖିବାକୁ କେତେ ନା କେତେ ବରାଦ କରିବାରେ ଲାଗିଛନ୍ତି । କେତେ ବହି ଲେଖାଯାଉଛି, ଆଖଡ଼ା ବସି କେତେ ପ୍ରବଚନମାନ ହେଉଛି, ସଂସ୍କୃତିର ସାମଗ୍ରୀ ଦ୍ୱାରା ମିଉଜିଅମ ପରେ ମିଉଜିଅମ୍ ଭର୍ତ୍ତି ହୋଇଯାଉଛି, ମାତ୍ର ଆମ ଜୀବନଟା କେଡ଼େ ଅସନା ହୋଇପଡ଼ିଛି, ଭିତରଟା ଯେମିତି ଅସନା ହୋଇ ପଡ଼ିଛି, ବାହାରଟା ମଧ୍ୟ ସେମିତି ଅସନା ହୋଇପଡ଼ିଛି । ଆମ ଅସନାମାନଙ୍କରେ ଆମେ ଯଥାର୍ଥ ଦେବତା ଅର୍ଥାତ୍‍ ଯଥାର୍ଥ ଶ୍ରଦ୍ଧାମାନଙ୍କୁ ବସାଇବା ଲାଗି ମନ କଲେ ସିନା ବର୍ତ୍ତମାନର ବର୍ବରତାଗୁଡ଼ାକୁ ସତକୁ ସତ ବର୍ବରତା ବୋଲି ଚିହ୍ନିବା ଲାଗି ସମର୍ଥ ହୁଅନ୍ତୁ । (୧୦ । ୮ । ୮୮)

 

(୫୩)

 

କର୍ମ କର୍ମ ବୋଲି କହି କହି ଭାରତବର୍ଷରେ କର୍ମବାଦକୁ କ୍ରମେ ଏକ ଧର୍ମରେ ଯେପରି ପରିଣତ କରି ଦିଆଗଲା, ଭାଗ୍ୟ ହିଁ ସବୁକିଛି ଆଣିଦିଏ ଓ ସବୁକିଛି ପୁଣି ନେଇଯାଏ ବୋଲି ରାଜସଭାମାନଙ୍କରେ ଅର୍ଥାର୍ଥୀ ଶ୍ଳୋକକାରମାନେ ଭାଗ୍ୟବାଦର ପ୍ରଶଂସା କରୁକରୁ ଯେପରି ଭାଗ୍ୟବାଦ ହିଁ ଭାରତବର୍ଷରେ ପ୍ରାୟ ଏକ ଜୀବନ ଦୃଷ୍ଟିରେ ପରିଣତ ହୋଇଗଲା ଏବଂ ଏ ଦେଶରେ କେତେ କେତେ ଜୀବନୋଦ୍ୟମକୁ ବନ୍ଧ୍ୟା କରି ରଖିଲା, ଏବେ ସେହିପରି ନିଃସଙ୍ଗତାକୁ ହିଁ ଆମର ଭାବନାରେ, ଆମର ଭାବମନ୍ଥନରେ ଓ ଆମର ପ୍ରାୟ ଜାବତୀୟ ଜିଜ୍ଞାସାରେ ସବାବଡ଼ ରଜା କରି ବସାଇ ରଖିବାର ଚେଷ୍ଟା କରାଯାଉଛି ଏବଂ ବହୁ ମଣିଷଙ୍କୁ ତାହା ଏଠି ପ୍ରାୟ ସକଳ ଆହ୍ୱାନକୁ ଫାଙ୍କିଦେଇ ବହଳିଆ ହୋଇ ବସି ରହିବା ପାଇଁ ଓ ବହଳିଆ ହୋଇ ଭୋଗ କରିବା ପାଇଁ କେତେ ନା କେତେ ଗେଲବସର ପ୍ରଶ୍ରୟ ଆଣି ଯୋଗାଇ ଦେଉଛି । ଆଧୁନିକ କବିତା ନିଃସଙ୍ଗତା ସହିତ ରମଣ କରିବା ଦ୍ୱାରା ହିଁ ସତେ ଯେପରି ସର୍ବାଧିକ ସୁଖ ଲାଭ କରୁଛି । ରମଣର ସେହି ରାଜସିକ ବ୍ୟାଧିଟି ଆମ ସାହିତ୍ୟରେ ଗଳ୍ପ ଉପନ୍ୟାସକୁ ମଧ୍ୟ କେଡ଼େ ତୋଫା ହୋଇ ସଂକ୍ରମିତ ହୋଇ ଆସିଲାଣି । ଜୀବନର ଅସଲ ଆହ୍ୱାନଗୁଡ଼ିକ ଲାଗି ଜାଗରୁକ ହୋଇ ରହିଥିଲେ ଯାଇ ଜଣେ ବ୍ୟକ୍ତି ନିଜକୁ ବ୍ୟାଧିମୁକ୍ତ କରି ରଖିପାରେ । ମାତ୍ର, ଭୋଗକୁ ହିଁ ଜୀବନର ସବୁଠାରୁ ଅଧିକ ସିଆଣିଆ ବାଟ ବୋଲି ଧରିନେଇ ତାହାରି ଭିତରେ ବେହେଲ ହେବାକୁ ହିଁ ସଫଳତାର ପ୍ରଶସ୍ତତମ ମାର୍ଗ ବୋଲି ଗ୍ରହଣ କରିଥିବା ପାଉମାନେ କଦାପି ଜୀବନର ଅସଲ ଆହ୍ୱାନଗୁଡ଼ିକୁ ଶୁଣିପାରନ୍ତି ନାହିଁ । ଶୁଣିଲେ ମଧ୍ୟ ସେଗୁଡ଼ିକ ଲାଗି ଆପଣାର ଅନୁସ୍ପନ୍ଦନ ଜଣାଇ ପାରନ୍ତି ନାହିଁ । ଭୋଗାତୁର ମଣିଷମାନେ ନୁହନ୍ତି, ଜୀବନକୁ ଭଲ ପାଉଥିବା ମଣିଷ ହିଁ ଆହ୍ଵାନ ଗୁଡ଼ିକୁ ଶୁଣେ, ଆହ୍ଵାନ ଗୁଡ଼ିକର ଯୋଗ୍ୟ ହୁଏ ।

 

ଭଲ ପାଇ ପାରୁଥିବା ମଣିଷ ଆପଣାକୁ ଦିଏ । କାହା ପାଇଁ ଜୀବନ ବଞ୍ଚିବାକୁ ସମର୍ଥ ହୁଏ । ଆପଣାକୁ ଦେଇ ନ ପାରୁଥିବା ମଣିଷ ହିଁ ତା’ ପାଖରେ ସବୁକିଛି ରହିଥିଲେ ମଧ୍ୟ ମିଛିମିଛିକା ହୋଇ ଭିତରେ ଏକ ଶୂନ୍ୟତା ଅନୁଭବ କରୁଥାଏ । ସେଭଳି ଅନୁଭବ କରିବାକୁ ତାକୁ ସତେଅବା ଭାରି ଭଲ ଲାଗେ । ମିଛିମିଛିକା ଗୁଡ଼ାକ ଅଧିକ ଜମକାଣିଆ ହୋଇ ଆସୁ ଆସୁ ସେଥିରୁ ଏକ ବିଚିତ୍ର ଆତ୍ମପୀଡ଼ନମୂଳକ ରତିର ଆବିର୍ଭାବ ହୁଏ ଏବଂ କ୍ରମେ ତାହା ଜୀବନରେ ସତସତିକାରେ ପରିଣତ ହୋଇଯାଏ । ମୂଳତଃ ଏକ ଅସମ୍ମତିରୁ ହିଁ ଏହି ବେହଲଗୁଡ଼ାକ ଜନ୍ମଲାଭ କରେ; ନିଜ ଭିତରେ କିଏ ଆହ୍ଵାନଗୁଡ଼ିକର ସମ୍ମୁଖୀନ ହେବାକୁ ଆଦୌ ମଙ୍ଗୁ ନଥାଏ, ସୂତ୍ରଗୁଡ଼ିକୁ ବାନ୍ଧିବାଲାଗି ମୋଟେ ରାଜି ହେଉ ନଥାଏ । ଆପଣାକୁ ଦେବାଲାଗି ଏକାନ୍ତ ଅନିଚ୍ଛୁକ ହୋଇ ରହିଥାଏ, ସେଇଥିରୁ ହିଁ ପଳାଇ ଯିବାକୁ ମନ ହୁଏ । ଆପଣାର ଆତୁର ଓ ଏକାନ୍ତ ଗାତଟିଏ ଭିତରକୁ ପଳାଇ ଯିବାକୁ ମନ ହୁଏ । ଆପଣାର ଚତୁର୍ଦ୍ଦିଗରେ ବହୁକୁଣ୍ଠିତତାର ନାନା ବାଡ଼ ଠିଆ କରି ରଖିବାକୁ ମନ ହୁଏ ଓ ତା’ପରେ ମୁଁ ଏକୁଟିଆ ହୋଇଗଲି ବୋଲି କେଡ଼େ ଫୁଲେଇ ହୋଇ ରୋଦନ କରିବାକୁ କେଡ଼େ ଭଲ ଲାଗେ । ବହିରେ, ବକ୍ତୃତାରେ ତଥା ପୋଷାକୀ ଆହୁରି ନାନା ଅବସରରେ ଏହିପରି ରୋଦନ କରିବାକୁ ସତେଅବା ବିଶେଷ ଭାବରେ ଭଲ ଲାଗେ ।

 

ଯେକୌଣସି ମଣିଷକୁ ସଙ୍ଗ ଦେବାଲାଗି ସଂସାରରେ ଏତେ ମଣିଷ ଅଛନ୍ତି । ସେହି ମଣିଷମାନଙ୍କର ଦୁଃଖ ଅଛି, ସୁଖ ଅଛି, ସ୍ଵପ୍ନ ଅଛି, ସ୍ଵପ୍ନ ଅଛି, ଆକାଙ୍‍କ୍ଷା ଅଛି, ଅଭୀପ୍‍ସା ରହିଛି । ଆପଣାର ଆଦୌ କୌଣସି ଅଭୀପ୍‍ସା ରହିଥିବା ମଣିଷଟିଏ ଯେପର୍ଯ୍ୟନ୍ତ ଅନ୍ୟ ମଣିଷମାନଙ୍କର ଅଭୀପ୍‍ସାଗୁଡ଼ିକୁ ଚିହ୍ନି ସେଗୁଡ଼ିକୁ ଠାବ କରି ପାରୁଥିବ, ତେବେ ମଣିଷ ମଣିଷକୁ ଗଅଣ୍ଠାଇ ରଖିଥିବା ସୂତ୍ରଗୁଡ଼ିକୁ ନିଜର ଭିତରେ ତଥା ନିଜର ବାହାରେ ଅନୁଭବ କରିବା ତା’ଲାଗି ମୋଟେ କଷ୍ଟକର ହେବନାହିଁ । ତେଣୁ, ଅତ୍ୟନ୍ତ ସ୍ଵାଭାବିକ ଭାବରେ ଚିହ୍ନାଚିହ୍ନି ହୋଇ ପାରିବ, ଅତ୍ୟନ୍ତ ସ୍ଵାଭାବିକ ଭାବରେ ଡୋର ଲଗାଇ ଦେଇହେବ ଏବଂ ଡୋର ଲଗାଇ ପାରୁଥିବା ମଣିଷ ଏଠି ନିଃସଙ୍ଗ ହେବାକୁ ଏକୁଟିଆ ଅନୁଭବ କରିବାକୁ କିପରି ଆଦୌ କୌଣସି ବେଳ ପାଇବ ? ହଁ, ନିତି ନାନାବର୍ଣ୍ଣରେ ଉକୁଟି ଉଠୁଥିବା ଏହି ବର୍ଣ୍ଣାଢ଼୍ୟ ପୃଥିବୀ ମଧ୍ୟ ମଣିଷ ଚାରିପାଖରେ ମଣିଷକୁ ଆବୋରି କରି ରହିଛି । ତା’ ଆଡ଼କୁ ଏକାବେଳେକେ ଜନନୀ ଓ ସୁହୃତ୍‍ର ହାତଗୁଡ଼ିକୁ ପ୍ରସାରିତ କରି ରଖିଛି । ମନୁଷ୍ୟ ଇଚ୍ଛା କଲେ ତା’ପାଇଁ ସେ ମହୌଷଧି ପରି କାର୍ଯ୍ୟ କରିପାରୁଛି, ମନୁଷ୍ୟର କେତେ ପୀଡ଼ାର ପ୍ରଶମନକାରୀ ପ୍ରେରଣା ହୋଇ ରହିଛି । ତଥାପି କେତେ ମଣିଷଙ୍କୁ ତାହା ସଙ୍ଗ ଦେଇ ପାରୁନାହିଁ କାହିଁକି ? ଆମେ ତା’ ଭିତରେ ପଶି କେଡ଼େ ଲୋଭରେ ଆମ ଚିତ୍ରକଳ୍ପ ଗୁଡ଼ିକୁ ତୋଳି ଆଣି ପାରୁଛୁ–ତଥାପି ତାହାର ସଙ୍ଗ ଲାଭ କରିପାରୁ ନାହୁଁ କାହିଁକି ?

 

ଭାରତବର୍ଷରେ ଯେଉଁମାନେ ନିଜ ଭିତରେ ଚତୁର୍ଦ୍ଦିଗରେ ବ୍ୟାପ୍ତ ହୋଇ ରହିଥିବା ଏହି ଅନନ୍ତ ଆକାଶକୁ ଠାବ କରି ପାରିଛନ୍ତି ଓ ଏହି ଅନନ୍ତ ଆକାଶରେ ନିଜକୁ ଠାବ କରି ପାରିଛନ୍ତି, ସେମାନେ ଭିତରେ ଓ ବାହାର ଉଭୟଟିକୁ ଏକତ୍ର ଯୋଡ଼ି ରଖିଥିବା ଏକ ପରମ ସମ୍ପତର୍ କଥା କହିଛନ୍ତି । ସେହି ସମ୍ପତ୍ ହିଁ ସକଳ ମନୁଷ୍ୟର ପରମ ପ୍ରେରଣା ଅର୍ଥାତ୍ ପରମା ଗତି ବୋଲି ଘୋଷଣା କରିଛନ୍ତି । ଭାରତବର୍ଷରେ ଯଦି ଆମେ ଏତେ ଟିକିଏ ପରିମାଣରେ ମଧ୍ୟ ସେହି ଭୂମିର ଦାୟାଦ ବୋଲି ଆପଣାଙ୍କୁ ଅନୁଭବ କରୁଥାଉ, ତେବେ ନିଃସଙ୍ଗ ଅନୁଭବ କରିବାର ଅବକାଶ ବି ଆଉ କେଉଁଠି ରହିଲା ? ଭୂମିକୁ ଉଖାରି ଆମେ ଏହାରି ଭିତରୁ ଆମର ଆବଶ୍ୟକତା ଚିତ୍ରକଳ୍ପ ଗୁଡ଼ିକୁ ଦୁହିଁନେଇ ପାରୁଛୁ, ଅଥଚ ସେହି ଭୂମିରେ ରହିଥିବା ଆମର ଆଦ୍ୟ ଚେରଗୁଡ଼ିକୁ ଅନୁଭବ କରି ପାରୁନାହୁଁ କିପରି ? ଭାରତବର୍ଷରେ ଆତ୍ମାର କଥା କୁହାଯାଉଛି, ଆମେ କାବ୍ୟର ଆତ୍ମା ବିଷୟରେ ବହୁ ବୁଦ୍ଧିର ଅତିକର୍ଷଣ କରି ଗ୍ରନ୍ଥ ଲେଖିପାରୁଛୁ । ଅଥଚ ନିଜ ଭିତରେ କେନ୍ଦ୍ରଟିଏ ହୋଇ ତଥା ନିଜ ବାହାରେ ସୂତ୍ରଟିଏ ହୋଇ ଏହି ସବୁକିଛିକୁ ଏକତ୍ର ଯୋଡ଼ି ରଖିଥିବା ଆତ୍ମାକୁ ନିଜ ଅନୁଭବର ପରମ ସମ୍ପତ୍‍ ରୂପେ ଚିହ୍ନି ନେବାକୁ ଆମକୁ ଏପରି ଅସହଜ ଲାଗୁଛି କିପରି ? ସେହି ସୂତ୍ରକୁ ଚିହ୍ନି ନେଇ ପାରିଲେ ସିନା ଆମ ଭିତରେ ସତକୁସତ ପ୍ରେମୀଟିଏ ଜନ୍ମ ଲାଭ କରିପାରନ୍ତା, ଆମ ଭିତରୁ ଅସଲ କୁମାରଟି ସମ୍ଭବ ହୋଇପାରନ୍ତା ?

 

ପୃଥିବୀରେ ଏତେ ମଣିଷଙ୍କ ଦ୍ଵାରା ବେଢ଼ି ହୋଇ ରହିଥିଲେ ମଧ୍ୟ ଓ ଏତେ ଏତେ ମଣିଷଙ୍କର ସାହାଯ୍ୟ, ସାହଚର୍ଯ୍ୟ ଏବଂ ସହଯୋଗ ପାଇ ମଧ୍ୟ ଯେଉଁମାନେ ତଥାପି ଆପଣାକୁ ନିଃସଙ୍ଗ ବୋଲି ଘୋଷଣା କରନ୍ତି, ଜୀବନର ତରାଜୁରେ ତଉଲି ସେମାନଙ୍କୁ କେବଳ ଅନିଚ୍ଛୁକ ବୋଲି କୁହାଯାଇ ପାରିବ । ଜୀବନର-ସଂସ୍କୃତିର ଯାବତୀୟ ଗହଣ ଭିତରେ ସେମାନଙ୍କୁ ହୁଏତ କେବଳ ଗୋଠଖଣ୍ଡିଆ ବୋଲି କୁହାଯାଇ ପାରିବ । ଅତ୍ୟନ୍ତ ଗେଲବସର ହୋଇ ରହିବାକୁ ମନ କରୁଥିଲେ ହେଁ ମଣିଷ ଏହିପରି ଗୋଠଖଣ୍ଡିଆ ହୋଇ ରହିବାକୁ ମଧ୍ୟ ମନ କରିବ ଏବଂ ସେଥିରୁ ଏକ ପ୍ରକାରର ପୀଡ଼ାତ୍ମକ ଆନନ୍ଦ ଅନୁଭବ କରିବ । ଆମ ସମସ୍ତଙ୍କଠାରୁ ତୁଚ୍ଛା ଦୂରଛଡ଼ା ହୋଇ ରହିବାକୁ ଓ ଏଠି ସମସ୍ତଙ୍କୁ ଅକିଞ୍ଚନ କରି ରଖି ଆପେ ଅଣ୍ଡିରା ହୋଇ ରହିବାକୁ ମନ କରୁଥିବା ମଣିଷ ହିଁ କେଡ଼େ ପୁଲକରେ ନିଃସଙ୍ଗତାରେ ଶୋଭା ବର୍ଣ୍ଣନା କରିବାକୁ ଇଚ୍ଛା କରିବ । ସେହି ମଣିଷ ହିଁ ଏବେ ଆମ ଦେଶରେ ନିଜର କାର୍‍ ଭିତରେ, କୋଠା ଭିତରେ ଅଲଗା ଓ ଅଇଁଗୁଣିଆ ହୋଇ ରହିବାକୁ ଅହର୍ନିଶ ନସରପସର ହେବାରେ ଲାଗିଛି ଓ ତେଣୁ ଛୋପରା ହେବାରେ ପୁଲକ ଅନୁଭବ କରୁଛି । ଛୋପରା କଥା କହୁଛି, ଛୋପରା ଜୀବନଟିଏ ବଞ୍ଚୁଛି ଏବଂ ଛୋପରା ସାହିତ୍ୟର ତାମ୍ବୁଳ ପରିବେଷଣ କରୁଛି । ସଭାମାନଙ୍କରେ ତାହାରି ଛୋପରା ପଣର ଡିଣ୍ଡିମ ବାଜୁଛି । ଛୋପରା ମଣିଷମାନେ ଆପଣାର ସେହି ଘୁମଗୁଡ଼ାକ ଭିତରୁ ବାହାରି ଆସନ୍ତୁ । କାର୍‍ ଛାଡ଼ି, ଖୋଲାକୁ ଆସନ୍ତୁ, ତେବେ ସେମାନେ କେବଳ ସୂର୍ଯ୍ୟାସ୍ତକୁ ନୁହେଁ, ସୂର୍ଯ୍ୟୋଦୟକୁ ମଧ୍ୟ ଖୋଲା ଦେଖିପାରିବେ । ମଣିଷର ମୁହଁଗୁଡ଼ିକୁ ଦେଖି ସଙ୍ଗୀମାନଙ୍କୁ ଆବିଷ୍କାର କରିନେଇ ପାରିବେ । ଭଗବାନ କଦାପି ଘୁମ ଭିତରେ ପଶନ୍ତି ନାହିଁ, ଭଗବାନଙ୍କୁ ଭେଟିବା ପାଇଁ ଶ୍ରୀରାଧା କେବେହେଲେ କୌଣସି ଘୁମ ଖୋଜିବାକୁ ଯାଉନଥିଲା, ଘୁମ ଭିତରୁ ବାହାରି ସିଏ ଯମୁନା ତଟକୁ ବିପିନକୁ ଯାଉଥିଲା । ଘୁମଗୁଡ଼ାକୁ ପ୍ରେମ କରୁଥିବା ଚତୁର ସଂଶୟୀମାନେ ବି ଥରେ ସାହସ କରି ବାହାରି ଆସନ୍ତୁ, ମଣିଷ ପାଖକୁ ବାହାରି ଆସନ୍ତୁ । ସେମାନେ ମଣିଷମାନଙ୍କର ଭିତରକୁ ଆସନ୍ତୁ, ମଣିଷକୁ ଲୋଡ଼ନ୍ତୁ, ସଙ୍ଗ ଦିଅନ୍ତୁ, ଅବଶ୍ୟ ସଙ୍ଗ ପାଇବେ ଏବଂ ସଙ୍ଗ ପାଇଲେ ଏହି ସଂସାରରେ ସେମାନେ ସବୁକିଛି ପାଇବେ । ନିଜକୁ ମଧ୍ୟ ନିବିଡ଼ କରି, ଅନ୍ତରଙ୍ଗ କରି ପାଇପାରିବେ ।

 

ସଂସାରକୁ ପାଇଲେ ମଣିଷ ନିଜକୁ ମଧ୍ୟ ପାଏ ଏବଂ ନିଜକୁ ପାଇଲେ ସଂସାର ମଧ୍ୟ ମିଳିଯାଏ, ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ମିଳିଯାଏ । ଯେଉଁ ଅନ୍ୟବାଗିଆ ମଣିଷମାନେ ଖାସ୍ ଆପଣା ସହିତ ଅହରହ ଓ ଗୋଟାସୁଦ୍ଧା ରତି କରି ରହିବେ ବୋଲି ସଂସାର ସହିତ ସମସ୍ତ ଡୋର ଛିଣ୍ଡାଇ ପକାନ୍ତି, ସେମାନେ ସଂଶୟାତ୍ମା ହୁଅନ୍ତି, ନିଜ ପାଖରେ ମଧ୍ୟ ଦୋଚାରୁଣୀ ହୋଇ ରହିଯାଆନ୍ତି । ସେହିମାନେ ହିଁ ଭାରି ପ୍ରବଞ୍ଚିତ ହୁଅନ୍ତି, ସବୁକିଛି ଭିତରେ ରହି ମଧ୍ୟ ପ୍ରବଞ୍ଚିତ ହୋଇ ରହିଥାନ୍ତି । କବିତା ଲେଖନ୍ତି, ସଂସ୍କୃତିର ପଙ୍କବନରେ ସବାଆଗ ପଦ୍ମମୂଳ ଗୁଡ଼ିକୁ ତାଡ଼ି ହାତରପାଞ୍ଚ କରିବେ ବୋଲି କେଡ଼େ ଉଜ୍ଜ୍ୱଳ ହୋଇ ଧାଇଁ ଥାଆନ୍ତି । କ୍ଷମତାରେ ଥାଆନ୍ତି, ନିଜର ଲାଙ୍ଗୁଡ଼କୁ ଗୁଡ଼ାଇ ଗୁଡ଼ାଇ ତାହାରି ଉପରେ କେଡ଼େ ଉଚ୍ଚ ହୋଇ ଦିଶୁଥାନ୍ତି । ତଥାପି ପ୍ରବଞ୍ଚିତ ହୋଇ ରହିଥାଆନ୍ତି । ପୃଥିବୀର ଦୃଶ୍ୟ ଅଦୃଶ୍ୟ ସମସ୍ତ ସଙ୍ଗ ସେମାନଙ୍କୁ ଅପେକ୍ଷା କରି ରହିଥିଲେ ମଧ୍ୟ ସେମାନେ ଆପଣା ଭିତରେ କୋଉଠି ଏଡ଼େ ଅନମନୀୟ ଭାବେ ସ୍ଥୂଳ ହୋଇ ରହିଥାନ୍ତି ଯେ, ନିଜେ ପାଇଥିବା ଗଣ୍ଠି ଗୁଡ଼ାକୁ ମଧ୍ୟ ମୋଟେ ଫିଟାଇ ପାରନ୍ତି ନାହିଁ । କୋଉ ତ୍ରାସ ସେମାନଙ୍କର ମଞ୍ଜଗୁଡ଼ାକୁ କାମୁଡ଼ି ଧରିଥାଏ କେଜାଣି ? ମୁହୂର୍ତ୍ତ ଆସେ, ମୁହୂର୍ତ୍ତ ଚାଲିଯାଏ; ତଥାପି ସେମାନେ ବନ୍ଧ୍ୟା ହୋଇ ରହିଥାନ୍ତି । ନିଃସଙ୍ଗତାର କେତେ ମାଂସପିଣ୍ଡୁଳା ପ୍ରସବ କରିବାରେ ଲାଗିଥାନ୍ତି, ତଥାପି ବନ୍ଧ୍ୟା ହୋଇ ରହିଥାନ୍ତି । (୧୭ । ୮ । ୮୮)

 

(୫୪)

 

ଯେଉଁମାନେ ସୁଖ ଭିତରେ ଅଛନ୍ତି, ସୁଖରେ ପଚୁଛନ୍ତି ଓ ସଢ଼ୁଛନ୍ତି, ସେହି ସୁଖ ଭିତରେ ପାଚିକରି ରହିବାକୁ ହିଁ ଜୀବନର ପରମ ପ୍ରତିଷ୍ଠା ବୋଲି ବିଶ୍ଵାସ କରୁଛନ୍ତି, ସେହିମାନେ ହିଁ ଆମର ଏହି ପୃଥିବୀରେ ଦୁଃଖ ବିଷୟରେ ଅଧିକ କହୁଛନ୍ତି । ଦୁଃଖ ବିଷୟରେ ଅଧିକ ମନ ରଞ୍ଜାଇ କହୁଛନ୍ତି । ଅଧିକ ଅଳଙ୍କାର ଲଗାଇ କହୁଛନ୍ତି । ଏକଦା ବୁଦ୍ଧଦେବ ଦୁଃଖକୁ ହିଁ ସମଗ୍ର ଜଗତର ସର୍ବପ୍ରଥମ ଘାଆ ବୋଲି ଉପଲବ୍‍ଧି କରିଥିଲେ । ବୁଦ୍ଧଦେବ ରାଜାପୁଅ ଥିଲେ, ରାଜପ୍ରାସାଦ ଭିତରୁ ସଂସାରକୁ ଦେଖିବାକୁ ବାଧ୍ୟ ହୋଇଥିଲେ । ତେଣୁ ସେହି ରାଜପ୍ରାସାଦ ଭିତରୁ ବୃହତ୍ତର ପୃଥିବୀ ଭିତରକୁ ଆସି ତାଙ୍କର ସମ୍ଭବତଃ ଏକ ମୋହଭଙ୍ଗ ହୋଇଥିଲା । ସିଏ ରାଜପ୍ରସାଦରେ ଯେଉଁଭଳି ଜୀବନ ଯାପନ କରୁଥିଲେ, ରାଜପ୍ରାସାଦର ବାହାରେ ସମଗ୍ର ପୃଥିବୀର ଜୀବନ ଅଳ୍ପବହୁତ ପ୍ରାୟ ସେହିପରି ହୋଇଥିବ ବୋଲି ତାଙ୍କର ହୁଏତ ଧାରଣା ଥିଲା । ଆମ ଭିତରୁ ଯେଉଁମାନେ ଗୁମ୍ଫା ଭିତରେ ରହିଛନ୍ତି, ଗୁମ୍ଫା ଭିତରୁ ହିଁ ସଂସାରକୁ ଦେଖୁଛନ୍ତି, ସେହି ଗୁମ୍ଫା ଭିତରର ସୁଖ ଓ ଶୌର୍ଯ୍ୟକୁ ଜୀବନରେ କାମ୍ୟ ଅସଲ ସୁଖ ଓ ଶୌର୍ଯ୍ୟ ବୋଲି ଗ୍ରହଣ କରିବାକୁ ସଂସ୍କାରମଣ ହୋଇ ରହିଛନ୍ତି, ସେମାନେ ବି ତ ସେହିପରି ଆପଣା ଦର୍ପଣଟି ଉପରେ ସଂସାରକୁ ଦେଖୁଛନ୍ତି ।

 

ବୁଦ୍ଧଦେବ ସଂସାର ଦେଖିବାରୁ ତାଙ୍କର ମୋହଭଙ୍ଗ ହେଲା । ସିଏ ଦୁଃଖ ଦେଖିଲେ, ଦୁଃଖର ଏକ ପ୍ରତିକାର ସମ୍ଭବ ବୋଲି ଏକ ନମୁନା ମଧ୍ୟ ଦେଖିଲେ । ସିଏ ସଂସାର ଛାଡ଼ିଲେ, ଦୁଃଖର ନିଦାନ ଖୋଜିଲେ । ଦୁଃଖର ଏକ ନିଦାନ ଖୋଜି ପାଇଲେ, ବୁଦ୍ଧଙ୍କର ଉତ୍ତରକାଳରେ ତାହାକୁ ଆମେ ତାଙ୍କର ବୋଧିଲାଭ ଅର୍ଥାତ୍ ସିଦ୍ଧିଲାଭ ବୋଲି ଜାଣିଲୁ । ତାଙ୍କୁ ସିଦ୍ଧାର୍ଥ ବୋଲି କହିଲୁ, ମହାପୁରୁଷ କହି ତାଙ୍କୁ ପୂଜା କଲୁ । ବୁଦ୍ଧ କାଳକ୍ରମେ ଅବତାର ହେଲେ; ସଂସାର ଭିତରେ ଦୁଃଖ ଯେମିତି ଥିଲା, ହୁଏତ ଠିକ୍‍ ସେମିତି ହୋଇ ରହିଲା । ବୁଦ୍ଧଦେବ ଦୁଃଖର ଏକ ପ୍ରତିକାର ଯେ ବତାଇଥିଲେ, ସେ କଥା କାଳକ୍ରମେ ଭୁଲି ହୋଇଗଲା । ସତ୍ୟକୁ ମୂର୍ତ୍ତିଟାଏ କରି ବସାଇଦେଲେ ସତ୍ୟ କାଳେକାଳେ ଏହିଭଳି ଭାବରେ ଭୁଲି ହୋଇଯାଏ । ଏବେ ବି ବହୁଲୋକ ସୁଖଘରେ ରହିଛନ୍ତି, ସୁଖକୁ ହିଁ ଜୀବନ-ସଫଳତାର ଏକମାତ୍ର ଜନନୀ ବୋଲି ମଞ୍ଜେ ମଞ୍ଜେ ବିଶ୍ଵାସ କରୁଛନ୍ତି । ଛଦାମ ଓ ଛଟାଙ୍କି ପର୍ଯ୍ୟନ୍ତ ଜୀବନ ବଜାରରୁ ସୁଖର ସଂଗ୍ରହ କରୁଛନ୍ତି,–ସୁଖ ଚିପୁଡ଼ିବାକୁ ହିଁ ସଂସାର-ବିଚରଣର ସାରତମ ସଉଦା ବୋଲି ଅନୁଭବ କରୁଛନ୍ତି । ଏଣେ, ଯାଉଣୁ ଆସୁଣୁ ଦୁଃଖ କଥା କହୁଛନ୍ତି, ନିଃସଙ୍ଗତାର କଥା କହୁଛନ୍ତି । ନିଃସଙ୍ଗତାକୁ ହିଁ ଆଧୁନିକତା ନାମକ ଲତାରେ ପ୍ରଥମ ଦୁଇ ପତର ବୋଲି କବିତାରେ କହି କଳ୍ପନାରେ ସଜାଇ ସେମାନେ ସତେଅବା କେତେ ଉଶ୍ଵାସ ଅନୁଭବ କରୁଛନ୍ତି । ଜଗତକୁ ଦୁଃଖପୂର୍ଣ୍ଣ ଦେଖି ଦୁଃଖର ପ୍ରତିକାରଟିଏ ଅନ୍ଵେଷଣ କରିବାଲାଗି ସେମାନେ ଯଦି ବୁଦ୍ଧଙ୍କ ପରି ଜଗତ ଛାଡ଼ି ଚାଲି ଯାଉଥାନ୍ତେ, ଯଦି ପ୍ରକୃତରେ କିଛି ଖୋଜୁଥାନ୍ତେ, ତେବେ ଅତ୍ୟନ୍ତ ସଂଗତି ସହିତ ସେମାନଙ୍କୁ ବୁଝି ହେଉଥାନ୍ତା । ଠିକ୍‍ ହେଉ, ଭୁଲ ହେଉ, ସେମାନଙ୍କ ଜୀବନର ଏକ ସଙ୍ଗତ ମାନଚିତ୍ରର ଅନ୍ଦାଜ କରି ହୁଅନ୍ତା । ମୁଁ ନିଜେ ଯେଉଁ ଘରେ ରହିଛି, ଯଦି ମୁଁ ସେହି ଘରକୁ ହଗି ମୁତି ବୁଡ଼ାଇବାରେ ଲାଗିଥିବି ଓ ତେଣେ ଘରଟା ଗନ୍ଧାଉଛି ବୋଲି କୋଳାହଳ କରୁଥିବି, ତେବେ ମୋତେ ପ୍ରକୃତରେ ଜଣେ କିପରି ଧାତୁର ବ୍ୟକ୍ତି ବୋଲି କୁହାଯାଇପାରିବ ?

 

ଯେଉଁମାନେ ପ୍ରକୃତରେ ଦୁଃଖ ଭିତରେ ରହିଛନ୍ତି, ଆପଣାର କଥା କହିବାକୁ ସେମାନଙ୍କ ପାଖରେ ସଭା ନାହିଁ କି ଶାସ୍ତ୍ର ନାହିଁ, ଦୁଃଖକୁ ଦୁଃଖ ବୋଲି ଅନୁଭବ କରିବାଲାଗି ସେମାନଙ୍କର ମୁଣ୍ଡ ବି ନାହିଁ ଏବଂ ଥିଲେ ସାହସ ନାହିଁ, ସେମାନେ ଭାଗ୍ୟକୁ ଆଦରି କେଡ଼େ ଚମତ୍କାର ଭାବରେ ରହି ଯାଇଛନ୍ତି । ପୃଥିବୀରେ ଅଧିକାଂଶ ମଣିଷ ସାଧୁ ଓ ସୁଧୀମାନଙ୍କର ବରାଦ ଅନୁସାରେ ଭାଗ୍ୟକୁ ହିଁ ଜୀବନର ଏକମାତ୍ର ନିୟାମକ ବୋଲି ବିଶ୍ଵାସ କରୁଛନ୍ତି ବୋଲି ସିନା ଆମର ଏହି ସଂସାରଟି ନିରୁପଦ୍ରବ ଭାବରେ ଚାଲିଛି । ମଣିଷ ଭିତରେ ସବାତଳେ ସବୁବେଳେ ଯେଉଁ କ୍ରୋଧ ଓ ଈଶ୍ଵରୀୟ ଅସନ୍ତୋଷ ରହିଛି, ପୃଥିବୀରେ ଅଧିକାଂଶ ମଣିଷଙ୍କର ଜୀବନରେ ତାହା ସତେଅବା କେତେ ତଳେ ଯାଇ ପୋତି ହୋଇ ରହିଛି । ପୃଥିବୀରେ ଅଧିକାଂଶ ମଣିଷଙ୍କ ନିମନ୍ତେ ତାହା ସତେଅବା ଏକାବେଳେକେ ଅପହଞ୍ଚ ହୋଇ ରହିଛି । ରକ୍ଷା ହୋଇଛି, ସେପରି ହୋଇଛି । ସେଇଥିଲାଗି ତ ଆମେ ଥୋକେ ଅଭିଲା ମଣିଷ ଆପଣାର ଜୀବନକୁ ବିବିଧ ପ୍ରକାରେ ଶୋଭାବନ୍ତ କରି ରଖିପାରି ଛୁ । ସଂସ୍କୃତି କରୁ ଛୁ, ସାହିତ୍ୟ ବି କରୁଛୁ, ଠାକୁରମାନଙ୍କର ଖବର ନେଇପାରୁଛୁ, ଜୀବନରେ ତଥାକଥିତ ଉଚ୍ଚ ଚିନ୍ତାମାନ କରିପାରୁଛୁ । ଏବଂ ସତେଅବା ଫୁଲେଇ ହୋଇ ଗୁରୁ ବାକ୍ୟମଣ୍ଡନ ଦ୍ଵାରା ନିଃସଙ୍ଗତାର ସଂକୀର୍ତ୍ତନ କରି ପାରୁଛୁ । ସବୁକିଛି ଭୋଗ କରିବାକୁ ସର୍ବଦା ଉଦଗ୍ର ହୋଇ ରହିଥିଲେ ମଧ୍ୟ ଭୋଗ ଜୀବନର ଅସଲ ଶ୍ରେୟଃ ନୁହେଁ ବୋଲି ସଭା ଓ ସମିତିରେ କହିପାରୁଛୁ । ଖୁବ ସମ୍ଭବ ଏହିପରି ଏକ ପ୍ରୟୋଜନରେ ପଡ଼ି ଭାରତବର୍ଷରେ ମାୟାବାଦର ଏକ ଦାର୍ଶନିକ ଭିଆଣ କରାଯାଇଥିଲା । ଶଙ୍କରାଚାର୍ଯ୍ୟ ସଂସାରକୁ ମାୟା ବୋଲି ଘୋଷଣା କରି ଯେଉଁସବୁ ଶାସ୍ତ୍ର ଲେଖିଥିଲେ, ସେଗୁଡ଼ିକୁ ଖାଲି ସନ୍ନ୍ୟାସୀମାନେ ନୁହନ୍ତି, ସଂସାରୀମାନେ ମଧ୍ୟ ପାଠ କଲେ । ସମ୍ଭବତଃ ସନ୍ନ୍ୟାସୀମାନଙ୍କ ଅପେକ୍ଷା ଅଧିକତର ସଂଖ୍ୟାରେ ସଂସାରୀମାନେ ହିଁ ସେଗୁଡ଼ିକୁ ପାଠ କଲେ । ଶାସ୍ତ୍ରଗୁଡ଼ିକୁ ପାଠ କରି ସେମାନେ ହୁଏତ ସତକୁସତ କେତେ ଆନନ୍ଦ ଲାଭ କରିଥିବେ ।

 

ମାୟା ଭିତରେ ପରିପୂର୍ଣ୍ଣ ଜାକଜମକରେ ରହିଥିବ, ମାୟାକୁ ମହାବାତ୍ସଲ୍ୟ ସହିତ କାଖ କରିଥିବ, ମହାଶୃଙ୍ଗାରୀ ହୋଇ କୁଣ୍ଡାଇ ଧରିଥିବ, ଏବଂ ସଂସାରଟାକୁ ମାୟା ବୋଲି କହୁଥିବ, ଏଥିରେ ମଣିଷ ଆପଣା ପାଖରେ ନିଃସଙ୍ଗ ହେବନାହିଁ ତ ଆଉ କ’ଣ ହେବ ? ମୁଁ କେଡ଼େ ଖୁସି ହୋଇ ସଂସାରର ସବୁଯାକ ଲୋଭ ଏବଂ ସବୁଯାକ ଭୋଗ କେବଳ ମୋ’ରି ପାଇଁ ବୋଲି ବିଶ୍ଵାସ କରୁଥିବି ଏବଂ ତେଣେ ଅନ୍ୟାନ୍ୟ ଅନେକଙ୍କୁ ଭୋଗ ଓ ଲୋଭ ଏକାବେଳେକେ ପଥଭ୍ରଷ୍ଟ କରିଦିଏ ବୋଲି ପଦ ଶୁଣୁଥିବି ଏବଂ ପଦ ଶୁଣାଉ ଥିବି,–ତେବେ, ଆପଣା ପାଖରେ ଅଭିଶପ୍ତ ଓ ନିଃସଙ୍ଗ ହୋଇ ରହିବି ନାହିଁ ତ ଆଉ କ’ଣ ହେବି ? ଏହି ସଂସାରଟା କିଛି ନୁହେଁ ବୋଲି ସଂସାରଟାକୁ ପଚିଶି ଫଡ଼ା କରି ଭୋଗ କରୁଥିବା ମଣିଷମାନେ ହିଁ ସଚରାଚର କହି ଆସିଛନ୍ତି । ନିଜେ କହି ଆସିଛନ୍ତି, ବାବାଜୀମାନଙ୍କର ମୁହଁରୁ କୁହାଇ ଆସିଛନ୍ତି । ସଂସାରରେ ଲୋଭୀମାନେ ଓ ଭୋଗୀମାନେ ହିଁ ସବୁଯୁଗରେ ବାବାଜୀମାନଙ୍କର ପାଳନ ପୋଷଣ କରି ଆସିଛନ୍ତି । ରାଜାମାନେ ସେମାନଙ୍କ ଲାଗି ମଠ ଖଞ୍ଜି ଦେଇଛନ୍ତି, ଦେଉଳ ଗଢ଼ାଇ ଦେଇଛନ୍ତି, ପଚିଶି ଯାତ୍ରା ଓ ଛପନ ଭୋଗର ବରାଦ କରାଇ ଦେଉଳ ଓ ଦେବତାମାନଙ୍କର ଭେଳିକି ଲଗାଇ ବହୁ ମଣିଷଙ୍କର ଅସଲ ଅଗ୍ନି ଓ ଅସଲ ଅସନ୍ତୋଷ ଗୁଡ଼ାକୁ ମାୟାବାଦୀ ନାନା ଉଚ୍ଚାଟନା ଦ୍ଵାରା ଶୀତଳ କରି ରଖିଛନ୍ତି । ଏଥିରେ ନିଃସଙ୍ଗତା ହିଁ ସେମାନଙ୍କର ଜୀବନରେ ପ୍ରଧାନତମ ଦୁର୍ଗତି ହୋଇ ରହିବ ନାହିଁ ତ ଆଉ କ’ଣ ହେବ ? ଯେତେବେଳେ ମଣିଷ ମଣିଷର ଏକାବେଳେକେ ଅନ୍ତରଙ୍ଗ ଓ ସନ୍ନିକଟ ହୋଇ ରହିପାରିବ ବୋଲି ସାଧନମାନ ହୁ, ହୁ, ହୋଇ ବଢ଼ିବାରେ ଲାଗିଛି, ମଣିଷକୁ ମଣିଷଠାରୁ ଦୂର କରି ରଖିଥିବା ଦ୍ଵାରମାନ ଗୋଟିକ ପରେ ଗୋଟିଏ ହୋଇ ଫିଟି ଯାଉଛନ୍ତି, ସେତେବେଳେ ଏହି ପୃଥିବୀରେ କୋଉଠି କେଉଁ ଅନ୍ତରାୟ ଆମ ଆଗରେ ଦୈତ୍ୟ ପରି ଛିଡ଼ା ହୋଇ ରହିଛି ଯେ ଆମେ ନିଃସଙ୍ଗତାକୁ ହିଁ ଆମର ଜ୍ୟେଷ୍ଠତମା ରମଣୀ ବୋଲି ଗ୍ରହଣ କରିବାରେ ଏଡ଼େ ସୁଖ ପାଉଛୁ ?

 

ଯେଉଁମାନେ ଏବେ ସବୁଠାରୁ ଅଧିକ ଉତ୍ସାହ ପ୍ରଦର୍ଶନ କରି ନିଃସଙ୍ଗତାର କଥା କହୁଛନ୍ତି, ଏହିପରି କହି ସତେଅବା ଅନନ୍ତ ସୁଖ ଲାଭ କରୁଛନ୍ତି ବୋଲି ସେମାନେ ଏପରି କହୁଛନ୍ତି-। ସେମାନଙ୍କର ଚତୁର୍ଦ୍ଦିଗରୁ ପାଦ ତଳେ ରହିଥିବା ଭୂମିରୁ ଆରମ୍ଭ କରି ମସ୍ତକ ଉପରେ ବିସ୍ତୃତ ହୋଇ ରହିଥିବା ଆକାଶ ପର୍ଯ୍ୟନ୍ତ ସମସ୍ତେ ମୂଳତଃ ମଣିଷକୁ ଯଥାର୍ଥ ବହୁ ସଙ୍ଗର ଆମନ୍ତ୍ରଣ ଜଣାଇବାରେ ଲାଗିଛନ୍ତି । ତଥାପି ସେମାନେ ତାହାର ଆଘ୍ରାଣ ପାଇ ପାରୁ ନାହାନ୍ତି । ଭିତରେ ଯେଉଁ ବେଦନା ବା ସମ୍ବେଦନାଟିଏ ରହିଥିଲେ ମଣିଷ ସେହି ଆଘ୍ରାଣ ଏବଂ ଅନୁସ୍ପନ୍ଦନ ଲାଗି ସମର୍ଥ ହୁଏ, ସେମାନେ ସତେଅବା ଜାଣିଶୁଣି ସେହି ସମ୍ବେଦନାର ଦ୍ଵାରଟିକୁ ବନ୍ଦ କରି ରଖିଛନ୍ତି । ଆମର ପୃଥିବୀ ଛୋଟ ହୋଇ ଆସୁଛି, କେତୋଟି ଘରର ମଝିରେ ଥିବା ଅଗଣାଟି ପରି ତାହା ଛୋଟ ହୋଇ ଆସୁଛି ବୋଲି ଆମର ଜ୍ଞାନ ଓ କୌଶଳ ଆମ ଆଗରେ କେତେ ପ୍ରତ୍ୟେୟ ଓ କେତେ ପ୍ରମାଣ ଆଣି ପହୁଞ୍ଚାଇ ଦେଉଛନ୍ତି । ତଥାପି ଏହି ଅଗଣାଟି ଆମକୁ ସତେଅବା ମୋଟେ ଅଗଣା ପରି ଦିଶୁନାହିଁ । ଅଗଣାଟିକୁ ସତକୁ ସତ ଅଗଣା ବୋଲି ସ୍ଵୀକାର କରିନେବାକୁ ଆମେ ହୁଏତ ସାହସ ମଧ୍ୟ କରି ପାରୁନାହୁଁ । ଆମର ତଥାକଥିତ ବହୁସାଇତା ଓ ବହୁସାଇତା ନିଜର ଘରଟିରେ ତଥାପି କେଉଁଠାରେ କ’ଣ ଖଣ୍ଡିଆ ଅଥବା ଅଲକ୍ଷଣା ହୋଇ ରହିଯାଇଛି କେଜାଣି, ସବୁକିଛି ଥାଇ ମଧ୍ୟ ଆମକୁ ସବୁକିଛି ନିଃସାର ଏବଂ ନିଃସଙ୍ଗ ବୋଧ ହେଉଛି । ଏବଂ ଘରଟି ଯେ ଖଣ୍ଡିଆ ଓ ଅଲକ୍ଷଣା ହୋଇ ରହିଛି, ସେଥିଲାଗି ଯୁଗ ମୂଳତଃ ଦାୟୀ ନୁହେଁ, ସେଥିପାଇଁ ମୂଳତଃ ଆମେ ଦାୟୀ । ନିଜର ଘରଟିକୁ ଖଣ୍ଡିଆ ଓ ଅଲକ୍ଷଣା କରି ରଖିଥିବା ପର୍ଯ୍ୟନ୍ତ ମଣିଷ ତା’ ଘର ଆଗରେ ରହିଥିବା ଅଗଣାଟିକୁ କିପରି ଚିହ୍ନି ପାରିବ, ତା’ ଚାରିପାଖର ପୃଥିବୀଟାକୁ ବା କିପରି ଚିହ୍ନି ନେଇ ପାରିବ, ତାକୁ ବେଢ଼ି କରି ରହିଥିବା ସହସ୍ର ଅନ୍ୟ ମଣିଷଙ୍କୁ ସିଏ ସଙ୍ଗୀ ବୋଲି ସ୍ଵୀକାର କରିନେଇ ପାରିବ କିପରି ? (୨୪ । ୮ । ୮୮)

 

(୫୫)

 

ଆଧୁନିକ ଶିକ୍ଷା ବିଚାରରେ (ସ୍କୁଲ କଲେଜରେ ଦିଆ ଯାଉଥିବା ଶିକ୍ଷାର ସଙ୍କୁଚିତ ଅର୍ଥରେ ଏଠାରେ ‘ଶିକ୍ଷା’ ଶବ୍ଦଟିର ବ୍ୟବହାର କରାଯାଇନାହିଁ । ଜୀବନଶିକ୍ଷାର ଅର୍ଥରେ ବ୍ୟବହାର କରାଯାଇଛି) ସାମ୍ପ୍ରତିକ ପୃଥିବୀରେ ଯେଉଁମାନେ ସବୁଠାରୁ ଅଧିକ ଉନ୍ମୋଚନ ଏବଂ ତଜ୍ଜନିତ ଉଦ୍‍ବେଳନର ସୃଷ୍ଟି କରିଛନ୍ତି, ବ୍ରାଜିଲର ପାଭଲେ ଫ୍ରାୟରି ହେଉଛନ୍ତି ସେମାନଙ୍କ ଭିତରୁ ଜଣେ । ଏବେ ପ୍ରକାଶିତ ତାଙ୍କର ଗୋଟିଏ ବହିରେ ସିଏ ଶିକ୍ଷାର କଥା ପକାଉ ପକାଉ ଭଲ ପାଇବାର, ଶ୍ରଦ୍ଧାର କଥା ପକାଇଛନ୍ତି । ଭଲ ପାଇବା କ’ଣ କେବଳ ଏକ ସମ୍ବେଗ, କେବଳ ଏକ ପୁଲକିତ କଳ୍ପନା ମାତ୍ର, ବ୍ୟକ୍ତିଗତ ଜୀବନର ଏକ ବିହ୍ଵଳତା ଅଥବା ଏକାନ୍ତରେ, ଗୁପ୍‍ଚୁପ୍‍ରେ କାହାରି ସହିତ ସ୍ଥାପନ କରାଯାଉଥିବା ଏକ ସମ୍ବନ୍ଧ ? ଭଲ ପାଇଲେ ମଣିଷ ଅଳପ ଭିତରେ କିଳି ହୋଇଯାଏ ନା ଅଳପ ଭିତରୁ ଅଧିକ ଭିତରକୁ ଆସେ, ବୃହତ୍ତର ଆଡ଼କୁ ସାହସ କରେ ? ତେଣୁ, ଅଳପ ଭିତରୁ ଅଧିକକୁ ଗୋଡ଼ ଖସିଯିବା ଅଥବା ବାଟ ଦିଶିଯିବାର ସେହି ଅନିର୍ବଚନୀୟ ମହାନ୍‍ ଶକ୍ତିଶାଳୀ ସ୍ଥିତିଟିର ନାମ ଭଲ ପାଇବା ନା ନିଜର ଗାତଟିଏ ଖୋଜି ତାହାରି ଭିତରକୁ ପଶିଯିବା ଓ ତାହାରି ଭିତରେ ନିବୁଜ ହୋଇ ରହିଯିବା ହେଉଛି ଭଲ ପାଇବା ? ଭଲ ପାଇବା ଯଦି ଏକ ସମ୍ବନ୍ଧ ସ୍ଥାପନାକୁ ବୁଝାଏ, ତେବେ ସେହି ଅଗଣିତ ସମ୍ବନ୍ଧର ପ୍ରତୀକ ଏବଂ ପ୍ରେରଣା ହୋଇ ରହିଥିବା ସମାଜ ସହିତ କ’ଣ ତାର କୌଣସି ସମ୍ବନ୍ଧ ନାହିଁ ? ଏବଂ ସମାଜ କହିଲେ ସମ୍ବନ୍ଧର ଯେଉଁ ବାହ୍ୟ କଥା ଅନ୍ତର୍ଗତ ଜାଲଟିକୁ ବୁଝାଏ, ଯେଉଁ ଜାଲଟିକୁ ସମାଜ-ବ୍ୟବସ୍ଥା ବୋଲି କୁହାଯାଏ, ତେବେ ସେହି ବ୍ୟବସ୍ଥାଟିର ଆମ ଭଲ ପାଇବାର ବିବେକଟି ସହିତ କ’ଣ ଆଦୌ କୌଣସି ସମ୍ପର୍କ ନାହିଁ ?

 

ଭଲ ପାଇବା କହିଲେ ଯଦି ସତକୁ ସତ ଦ୍ଵାର ଖୋଲିଦେବା, ସମ୍ମତ ହୋଇଯିବା ଏବଂ ଡୋର ଲଗାଇବାକୁ ବୁଝାଏ, ତେବେ ତାହାର ସର୍ବଦା ଏକ ପ୍ରସାରପ୍ରସ୍ଥ ରହିବ ହିଁ ରହିବ । ଭଲ ପାଇବା କହିଲେ ଯଦି ଏକ ଗଭୀରତର ଅର୍ଥରେ ଆମ ଜୀବନ-ଦୃଷ୍ଟିକୁ ବୁଝାଏ, ତେବେ ଆମେ କିପରି ଗୋଟାଏ ଜାଗାରେ ଭଲ ପାଇ ଆଉ ଗୋଟାଏ ଜାଗାରେ ଘୃଣା କରିପାରିବା ? ଜଣକୁ ବା ଗୋଟିକୁ ଭଲ ପାଇ ବସିଲେ ତେବେ ଆମକୁ କାହିଁକି ଆଉଜଣକୁ ଅଥବା ଆଉ ଗୋଟିକୁ ସତେଅବା ପ୍ରୟୋଜନରେ ପଡ଼ି ଘୃଣା କରିବାକୁ ପଡ଼ୁଥିବ ? ଏହିସବୁ ନାନା ପ୍ରଶ୍ନର ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଫ୍ରାୟରି ଉଲ୍ଲିଖିତ ପୁସ୍ତକଟିରେ ଭଲ ପାଇବାର ଆଲୋଚନା କରିଛନ୍ତି । ସମଗ୍ରତଃ ଶିକ୍ଷାର ସନ୍ଦର୍ଭରେ ସେ ଏହି ଆଲୋଚନାଟିକୁ କରିଛନ୍ତି । ସିଏ କହିଛନ୍ତି ଯେ, ଆମର ଏହି ବର୍ତ୍ତମାନ ସମାଜରେ ଭଲ ପାଇବା ମୋଟେ ସହଜ ନୁହେଁ । କାରଣ, ଆମ ଜୀବନରେ ପାଇ ପାରୁଥିବା ଅନେକ ମୁଖର ପଶ୍ଚାତରେ ସତେଅବା ଏକ ଅପରିହାର୍ଯ୍ୟ ପୂର୍ବଭୂମି ରୂପେ ଅଶେଷ ଦୁଃଖ ସବୁବେଳେ ରହିଛି । ଅର୍ଥାତ୍, ଆମେ ସୁଖରେ ରହିବାକୁ ହେଲେ, ଅଧିକାଂଶ କ୍ଷେତ୍ରରେ, ଅନେକ ମଣିଷଙ୍କର ଦୁଃଖ ଭିତରେ ପଡ଼ିରହିଵା ପ୍ରାୟ ଅନିବାର୍ଯ୍ୟ ହୋଇ ପଡ଼ୁଛି । ଏହିଭଳି ଏକ ପରିସ୍ଥିତିରେ ସତକୁ ସତ ଭଲ ପାଇବା ଭାରି କଷ୍ଟକର ହୋଇପଡ଼ୁଛି ।

 

ଭଲ ପାଇବା କଷ୍ଟକର ବୋଲି ଭଲ ପାଇବାକୁ ଛାଡ଼ିଦେଇ କ’ଣ ପୃଥିବୀ ଚଳିପାରିବ-? ପୃଥିବୀ କ’ଣ ଘୃଣାରେ ଚଳିପାରିବ, ତୁଚ୍ଛା ପ୍ରତ୍ୟାଖ୍ୟାନ ଗୁଡ଼ାକୁ ଭିତ୍ତି କରି ଚଳିପାରିବ ? ହଁ, ହୁଏତ ବର୍ତ୍ତମାନ ଯେମିତି ଚଳୁଛି, ଅଳ୍ପବହୁତ ପ୍ରାୟ ସେଇମିତି ଚଳିବ । ଭଲ ପାଇବା କେବଳ ବହିରେ ରହିଥିବ, କେବଳ ସାଧୁବାଣୀରେ ରହିଥିବ, ଅବସର ନାମକ ଏକ ବିନୋଦନର ମୁହୂର୍ତ୍ତରେ ତାହା ଆମକୁ ଉତ୍ସାହିତ ଅଥବା ଉଚ୍ଚାଟିତ କରିଦେଇ ଯାଇ ପାରୁଥିବ । ଆମକୁ କୁଣ୍ଢାଇ ଧରିଥିବା ସମୟରେ ଯେତିକି ବିସ୍ତୃତ ଏବଂ ବାଉଳା କରି ରଖିଥିବ, ଆମକୁ ଛାଡ଼ିଯିବା ପରେ ଆମେ ହୁଏତ ଯେତିକି ପରିଶ୍ରାନ୍ତ ଓ ପ୍ରତ୍ୟାଖ୍ୟାତ ପରି ଅନୁଭବ କରୁଥିବା ମନୋବିଶ୍ଳେଷଣରେ ପରିଭାଷାରେ ଯାହାକୁ Ambivalence ଅର୍ଥାତ୍ ଦ୍ୱୈଧବୃତ୍ତି ବୋଲି କୁହାଯାଇଛି, ଆମେ ଅତ୍ୟନ୍ତ ବିକଳ ଭାବରେ ତାହାରି ଭିତରେ ପଡ଼ି ଲଟରପଟର ହେଉଥିବା । ଭଲପାଇବା ନାମରେ ଗୁଡ଼ାଏ ବିକଟ କାମନାକୁ କାମୁଡ଼ିକରି ଧରିଥିବା, ସେହି କାମନା ଗୁଡ଼ାକରେ ହିଁ ଖଟଣି ଖଟୁଥିବା, ଜୀବନର ଅସଲ ଭାବସମ୍ବର୍ଦ୍ଧନର କ୍ଷେତ୍ରରେ କେତେଟା ଉତ୍କଟ ଓ ଜ୍ଵରଗ୍ରସ୍ତ ଭାବପ୍ରବଣତା ମଧ୍ୟରେ ବହୁବିକାରଗ୍ରସ୍ତ ହୋଇ ରହିଥିବା । ଆମର ସଂସାରରେ, ବ୍ୟକ୍ତିଗତ ତଥା ସାମୂହିକ ସଂସାରରେ, ଏବେ ସେହି ତାମସାଟା ହିଁ ସବୁଠାରୁ ଅଧିକ ପରିପାଟୀ ସହିତ ଅଭିନୀତ ହେବାରେ ଲାଗିଛି । ଆମ ଭଲ ପାଇବା ଗୁଡ଼ିକ ଘରକୁ ଅଣ୍ଟିଲେ ବାହାରକୁ ଅଣ୍ଟୁ ନାହିଁ, ଅନ୍ଧାର ଓ ଏକାନ୍ତରେ ରସିକ କିମ୍ବା ପ୍ରେମିଟିଏ ହୋଇ ବସିବାକୁ ହେଲେ ତାକୁ ଆଲୁଅ ଥାନରେ ପ୍ରାୟ ବାଧ୍ୟ ହୋଇ ବହୁ କପଟ ଆଚରଣ କରିବାକୁ ପଡ଼ୁଛି । ଆମେ ଏଠି ବୀର ହୋଇ ରହିଛୁ ତ ସେଠି ଭୀରୁ ହୋଇ ରହିବାକୁ ବାଧ୍ୟ ହେଉଛୁ । ଗୋଟିଏ ଥାନରେ ବୃଷଭ ବା ବୀର ଦୈତ୍ୟଟିଏ ହେବାକୁ ହେଲେ ଆଉ ଗୋଟିଏ ଥାନରେ ଆମକୁ ସତେଅବା ଦୋଚାରୁଣୀ ଗାଭୀଟିଏ ହୋଇ ରହିବାକୁ ପଡ଼ୁଛି ।

 

ପୃଥିବୀରେ କେତେ ମଣିଷ ଧନୀ ହୋଇ ରହିବେ ବୋଲି ଆହୁରି କେତେ କେତେ ମଣିଷ କ’ଣ ଦରିଦ୍ର ହୋଇ ରହିବାକୁ ବାଧ୍ୟ ହେବେ ? ଆମ ପୃଥିବୀର ସାମଗ୍ରିକ ବ୍ୟବସ୍ଥାଟି ପ୍ରାୟ ଆବହମାନ କାଳରୁ ଏଭଳି ଚଳି ଆସିଛି ଯେ, ତଦ୍ଦ୍ୱାରା ଯାହା ପାଖରେ ବା ଯେଉଁମାନଙ୍କ ପାଖରେ ଧନ ଅଛି, ସେଇ ଅଥବା ସେହିମାନେ ହିଁ କ୍ଷମତାରେ ରହିଛନ୍ତି । କେବଳ ରାଜନୀତିକ କ୍ଷମତା ନୁହେଁ, ଯାହାକିଛି କ୍ଷମତା ମନୁଷ୍ୟର ଜୀବନରେ ବହୁବିଧ ସାମର୍ଥ୍ୟ ଆଣି ଯୋଗାଇଦିଏ, ପୃଥିବୀଯାକ ସଚରାଚର ସେହିମାନେ ହିଁ ସେହି କ୍ଷମତାଗୁଡ଼ିକର ପ୍ରାୟ ଏକାଧିକାରୀ ହୋଇ ରହିଛନ୍ତି । ପୃଥିବୀରେ ଅଳପ କେତେ ମଣିଷ ସବୁଯାକ ମାଡ଼ି ବସିବେ ବୋଲି କ’ଣ ଆହୁରି କେତେ କେତେ ମଣିଷ ଯାବତୀୟ ପ୍ରକାରେ ବଞ୍ଚିତ ଏବଂ ପ୍ରବଞ୍ଚିତ ହୋଇ ରହିବାକୁ ବାଧ୍ୟ ହେବେ-? କେତେ ମଣିଷ ଅଧିକରୁ ଅଧିକ ଜ୍ଞାନର ଅଧିକାରୀ ହେବେ ବୋଲି ଆହୁରି କେତେକେତେ ମଣିଷ ଅଜ୍ଞାନ ଓ ଅକ୍ଷରବର୍ଜିତ ହୋଇ ରହିଥିବେ ? ମୋର ଘରଟି ସବୁମନ୍ତେ ଦଶଗୁଣ କି ପନ୍ଦରଗୁଣ ହୋଇ ରହିବ ବୋଲି ମୋ ପଡ଼ିଶା ଘରମାନଙ୍କର ଭାଗ୍ୟ ଉପରେ କ’ଣ କୁଆ ଊଡ଼ିବେ-? ଆନ୍ତର୍ଜାତିକ କ୍ଷେତ୍ରରେ ଜାତୀୟତାବାଦର ଦର୍ପିତ ପ୍ରବେଶ ଘଟିବା ପରେ ଠିକ୍ ଏହି ବିଡ଼ମ୍ବନାଟି ସତେ ଅବା ବିଶେଷ ଭାବରେ ଉତ୍କଟ ହୋଇ ଦୃଶ୍ୟମାନ ହୋଇଛି ଏବଂ ପାରସ୍ପରିକତାର ଅସଲ ଦିଗ୍‍ବଳୟଗୁଡ଼ିକୁ ଏକାବେଳକେ ଅନ୍ଧାର କରି ରଖିଛି । ମଣିଷମାନେ ନିଜର ଜାତି ଏବଂ ନିଜର ଦେଶକୁ ନିଖୁଣ ଓ ନିନ୍ଦା ଭାବରେ ଭଲ ପାଇପାରିବେ ବୋଲି ସେମାନେ ଯେପରି ପୃଥିବୀର ଅନ୍ୟାନ୍ୟ ଜାତି ଓ ଦେଶଗୁଡ଼ିକୁ ଅବର ମଣିବେ ଓ ଆବଶ୍ୟକ ହେଲେ ଘୃଣା ମଧ୍ୟ କରିବେ, ପୃଥିବୀର ସାନବଡ଼ ପ୍ରାୟ ସବୁ ରାଷ୍ଟ୍ର ଏବଂ ଦେଶ ମଣିଷମାନଙ୍କୁ ସେହି ଶିକ୍ଷା ଦେବାରେ ଲାଗିଛନ୍ତି-। ପୃଥିବୀଟା ଯାକ ବୁଡ଼ି ଯାଉଥିବା ବେଳେ ରାଷ୍ଟ୍ରୀୟତାର ଉଚ୍ଚ ଉଚ୍ଚ କୁଦମାନଙ୍କରୁ ଅସ୍ତ୍ର ବଳରେ ଆହୁରି ଓ ଆହୁରି ଅଧିକ ଶକ୍ତିଶାଳୀ ହେବାର ଉଦ୍ଧତ କୁହାଟମାନ ଶୁଣିବାକୁ ମିଳୁଛି । କିଏ କୋଉ ବାଦରେ ବା ତଥାକଥିତ ଆଦର୍ଶରେ ବିଶ୍ଵାସ କରିଛି ବୋଲି ତାଙ୍କୁ ଅନ୍ୟ ପ୍ରାୟ ଯାବତୀୟ ବାଦ ଏବଂ ଆଦର୍ଶକୁ ଘୃଣା କରିବାକୁ ପଡ଼ୁଛି । ଆମ ଚାରିପାଖରେ ମହଜୁଦ ହୋଇ ରହିଥିବା ସକଳ ସରଞ୍ଜାମ ସତ୍ତ୍ଵେ ଏହି ପୃଥିବୀ ସତକୁ ସତ ଯେଉଁପରି ହୋଇ ପାରୁଥାନ୍ତା, ସେପରି ଆଦୌ ହୋଇ ପାରୁନାହିଁ ।

 

ମଣିଷର ଅସଲ ଅସହାୟତା ସମ୍ଭବତଃ ସବାଆଗ ଏଇଥିପାଇଁ । ସିଏ ସତକୁ ସତ ଭଲ ପାଇ ପାରୁଥାନ୍ତା; ମାତ୍ର, ବିଡ଼ମ୍ବନା ଏପରି ଏକ ଚକ୍ରାନ୍ତ କରିଛି ଯେ, ତା’ର ଭଲ ପାଇବା ସହିତ ଘୃଣା କରିବାର ବିଷଟା ଏକାଠି ପ୍ରାୟ ଗୋଟିଏ ସରିରେ ବଳିହୋଇ ରହିଛି । ସତେ କ’ଣ କୋଉ ବିଡ଼ମ୍ବନା ବାହାରୁ ଆସି ତାକୁ ଏହି ଚକ୍ରାନ୍ତରେ ପକାଇଛି ନା ମଣିଷ ଜାଣି ଜାଣି ଚକ୍ରାନ୍ତ କରି ଏହିଭଳି ଏକ ବିଡ଼ମ୍ବନାରେ ଆସି ପଡ଼ିଛି ? ମଣିଷର ଠାକୁରମାନେ ସତେ ଅବା ଗୋଟାଏ ଗୋଟାଏ କ୍ରୋଧୀ ଦୈତ୍ୟଙ୍କ ପରି ଦେଖା ଯାଉଛନ୍ତି । ମଣିଷ ଯୋଉଗୁଡ଼ାକୁ ମନ୍ତ୍ର ବୋଲି କହୁଛି, ସେଗୁଡ଼ାକ ତା’ ନିଜର କୌଣସି ଭଲ କରିବା ଅପେକ୍ଷା ଅପର ବହୁତଙ୍କର ଅନିଷ୍ଟ କରିବା ପାଇଁ ସତେ ଅବା ଅଧିକ ପରିମାଣରେ ଉଦ୍ଦିଷ୍ଟ ହୋଇ ରହିଛି । ଏହିଭଳି ଏକ ସ୍ଥିତିକୁ ପାରୁନାହିଁ ଅଥବା ବଦଳାଇବାକୁ ଇଚ୍ଛା କରୁନାହିଁ ବୋଲି କ’ଣ ମଣିଷ ନିଃସଙ୍ଗ ଅନୁଭବ କରୁଛି କି ? ତା’ର ହୃଦୟ ଭିତରେ ସିଏ ଅସଲ ତାରଟିକୁ ଜାଗୃତ ଓ ସଚେତନ କରି ପାରୁନାହିଁ ବୋଲି ସିଏ ଏପରି ନିଃସଙ୍ଗ ଅନୁଭବ କରୁଛି କି ? ଆଉ କାହାଲାଗି ଦୁଃଖର କାରଣ ନହୋଇ ସିଏ ଆପଣାକୁ ସୁଖ ଦେଇ ପାରୁନାହିଁ ବୋଲି କ’ଣ ସତେଅବା ସେହି ଅପରାଧ ହେତୁ ଅଭିଶାପ ପାଇଥିବା ପରି ସିଏ ଏହି ପୃଥିବୀର ଅଜସ୍ର ସଙ୍ଗ–ସମ୍ଭାବନା ସତ୍ତ୍ଵେ ବଡ଼ ଦୁଃଖଦ ଭାବରେ ନିଃସଙ୍ଗ ହୋଇ ବୁଲୁଛି କି ? ଏସବୁର ଉତ୍ତର ସେହି ମଣିଷକୁ ହିଁ ଦେବାକୁ ପଡ଼ିବ । (୩୧ । ୮ । ୮୮)

 

(୫୬)

 

ମଣିଷ ଭୀରୁ ହୋଇଥିବାରୁ ହିଂସ୍ର ହେବାକୁ ବାଧ୍ୟ ହେଲା ଅଥବା ହିଂସ୍ର ହୋଇଥିବାରୁ ତାକୁ ଭୀରୁ ହୋଇ ରହିବାକୁ ପଡ଼ିଲା, ଏହି ବିଷୟରେ ଉଭୟ ପକ୍ଷରୁ ଏବଂ ବିପକ୍ଷରୁ ବହୁ ଯୁକ୍ତି କରାଯାଇପାରେ । ରାଜନୀତିରେ ଆଜି ପୃଥିବୀଯାକ ହିଂସ୍ରତାମାନ ହିଁ ବଢ଼ି ବଢ଼ି ଯାଉଛି । ରାଜନୀତିରେ ଭୀରୁତା ଆସି ପଶି ଯାଇଥିବାରୁ କ’ଣ ଏପରି ହେଉଛି ? ଆଗେ ମଧ୍ୟ ଯୁଦ୍ଧଗୁଡ଼ାକ ହିଂସାରେ ହିଁ ହେଉଥିଲା । ତଥାପି ଏକ ନିର୍ଦ୍ଦିଷ୍ଟ ନିୟମ ମାନି ସେହି ଯୁଦ୍ଧ ହେଉଥିଲା । ସେହି ନିୟମକୁ ସଂପୃକ୍ତ ଉଭୟ ପକ୍ଷ ସ୍ଵୀକାର ବି କରୁଥିଲେ । ଅର୍ଥାତ୍, ହୁଏତ ଏପରି ମଧ୍ୟ କୁହାଯାଇ ପାରିବ ଯେ, ସେତେବେଳେ ମଣିଷମାନେ ଓ ଏପରି କି ରାଜାମାନେ ମଧ୍ୟ ଧର୍ମ ବୋଲି ଏକ ବସ୍ତୁକୁ ସତକୁ ସତ ସ୍ଵୀକାର କରୁଥିଲେ । ସେମାନେ ସେହି ଧର୍ମକୁ ମାନି ଚଳୁଥିଲେ । ସେହି ଧର୍ମକୁ ମାନି ଯୁଦ୍ଧ କରୁଥିଲେ । ସଂସାରରେ ଧର୍ମ ବୋଲି ଏକ ବସ୍ତୁ ରହିଛି ବୋଲି ସେହି କାଳରେ ହୁଏତ ଅଧିକାଂଶ ଲୋକ ବିଶ୍ଵାସ କରୁଥିଲେ । ହିଂସାର ସାଧନଗୁଡ଼ିକ ଏତେ ପରିପକ୍ଵ ଓ ପ୍ରକୃଷ୍ଟୀକୃତ ଭାବରେ ବିକଶିତ ବି ହୋଇ ନଥିଲା । ତେଣିକି ମଣିଷମାନେ ଏପରିକି ଶାସକମାନେ ମଧ୍ୟ ବିଶେଷ ଭାବରେ ମନ ଦେଇ ନଥିଲେ । ଧର୍ମରେ ରହିବାକୁ ହିଁ ଜୀବନର ସର୍ବଶ୍ରେଷ୍ଠ ଚାରଣା ବୋଲି ବିବେଚିତ ହେଉଥିଲା ।

 

ତେବେ, ସେହି ପ୍ରାଚୀନ କାଳରେ ମଣିଷମାନଙ୍କର ମନରେ ଏବର ତୁଳନାରେ ଭୟର ଭାଗ କ’ଣ ପ୍ରକୃତରେ କମ୍‍ ଥିଲା ? ଶ୍ରଦ୍ଧାବାନ୍‍ ମଣିଷ ହିଂସ୍ର ହେବାଲାଗି କଦାପି ଖୁବ୍‍ ବେଶୀ ପସନ୍ଦ କରୁନଥିବ । ଭଲ ପାଇବାର, ଆପଣାର ହୋଇଯିବାର ଗୁଣକୁ ହିଁ ଜୀବନର ସର୍ବଶ୍ରେଷ୍ଠ ଅର୍ଜନ ବୋଲି ଅନୁଭବ କରୁଥିବା ମଣିଷ କଦାପି ଅପରର ଛିଦ୍ର ଖୋଜି ବୁଲୁ ନଥିବ । ଜୀବନରେ ଏକାଧିକ କାରଣରୁ ଶ୍ରଦ୍ଧାର ଭାଗଟି ଯେତିକି ଉଣା ହୋଇ ଯାଉଥାଏ, ଭୟର ଭାଗଟି ସମ୍ଭବତଃ ସେତିକି ସେତିକି ବୃଦ୍ଧି ପାଇବାରେ ଲାଗିଥାଏ, ସେତିକି ବିକଟ ହେବାରେ ଲାଗିଥାଏ । ଶ୍ରଦ୍ଧା ଜୀବନରେ ଏପରି ଏକ ପ୍ରଶସ୍ତତା ଆଣିଦିଏ, ଯାହାଫଳରେ କି ଭୟର ଭାଗ ବହୁ ପରିମାଣରେ କମିଯାଏ । ଜଣେ ଶ୍ରଦ୍ଧାଶୀଳ ମଣିଷର ଜୀବନ ନକ୍‍ସାରେ ସତେଅବା ସମସ୍ତଙ୍କ ସକାଶେ ଥାନ ହୋଇଯାଏ । ଭୟ ମନୁଷ୍ୟକୁ ସଙ୍କୁଚିତ କରିଆଣେ, ବହୁତ ଥାନକୁ ଏକାନ୍ତ ଅଳପ ବୋଲି ଦେଖେ ଓ ତେଣୁ ମଣିଷକୁ ବହୁ ପ୍ରମାଦରେ ଆଣି ପକାଇଦିଏ । ଭୟାଳୁ ମଣିଷ ଖୁବ୍‍ ସମ୍ଭବ ଆପଣାର ଜୀବନଟାକୁ ଏତେ ଅଧିକ ପରିମାଣରେ ଅତିଆକୃତ କରି ଦେଖେ ଯେ, ଆପଣା ବିଚରଣର ମଣ୍ଡଳଟିରେ ସିଏ ସତେଅବା ଅନ୍ୟ କାହାରିପାଇଁ ବି ଥାନ କରିପାରେ ନାହିଁ । ତାହାହିଁ ଆମ ଜୀବନରେ ବହୁ ପ୍ରମାଦର କାରଣ ହୁଏ । ବିଶ୍ଵାସୀ ମଣିଷ ଶ୍ରଦ୍ଧାର ପକ୍ଷରେ ଥାଏ । ଅବିଶ୍ଵାସୀ ମଣିଷ ଭୟରୁ ପେଟେ ନ ଖାଇଲେ ତା’ର ମନ ବୋଧ ହୁଏ ନାହିଁ । ବିଶ୍ଵାସ ହେଉଛି ସତେଅବା ଏକ ପଥର ସଦୃଶ, ଯାହା ଉପରେ କି ମଣିଷ ନିଦକ ଓ ନିଃସଂଶୟ ହୋଇ ଠିଆ ହୋଇପାରେ । ଗୋଡ଼ତଳେ ଦୃଢ଼ ଭୂଇଁଟିଏ ରହିଥିବା ପର୍ଯ୍ୟନ୍ତ ମଣିଷର ସତେ ଯେପରି ଜୀବନର ଯାବତୀୟ ଶାଖାଆଡ଼କୁ ଭାରି ବଳ ପାଇଯାଏ; ଭୂଇଁଟି ରହିଥିଲେ ତେଣେ ଆକାଶଟି ମଧ୍ୟ ସତେ ଯେପରି ଅତ୍ୟନ୍ତ ସ୍ଵାଭାବିକ ଭାବରେ ମିଳିଯାଏ । ଆକାଶକୁ ମୋଟେ ଡର ମାଡ଼େନାହିଁ । ପ୍ରତିବେଶୀକୁ ଡର ମାଡ଼େନାହିଁ–ସାରା ପୃଥିବୀଟା ହିଁ ସତେଅବା ଏକ ପରିଚିତ ପ୍ରତିବେଶୀ ପରି ମନେହୁଏ । ଅଚିହ୍ନା ମଣିଷମାନେ ବି ସତେଅବା ଚିହ୍ନା ମଣିଷଙ୍କ ପରି ଲାଗନ୍ତି: ସମସ୍ତେ ସମଧର୍ମୀ ପରି ମନେ ହୁଅନ୍ତି । ସତେଅବା ସମସ୍ତେ ଏକାଠି ହୋଇ ବାଟ ଚାଲୁଥିବା ପରି ମନେ ହେଉଥାଏ ।

 

ଯେଉଁ ସମାଜରେ ସମସ୍ତେ ସତକୁସତ ବାଟ ଚାଲୁଥାନ୍ତି, ସମସ୍ତଙ୍କର ପାଦ ତଳେ ଏକ ଭୂମି ରହିଥାଏ ଏବଂ ସଚେତନ ସମ୍ମୁଖରେ ଆକାଶଟିଏ ତଥା ଦିଗ୍‍ବଳୟଟିଏ ରହିଥାଏ, ସେହି ସମାଜରେ ମଣିଷମାନେ ପରସ୍ପରକୁ ଘୃଣା କରିବେ କାହିଁକି, ଭୟ ବା କରିବେ କାହିଁକି ? ଜଣେ ଆଉଜଣକୁ ବି କାହିଁକି ଗିଳି ପକାଇବାକୁ ମନ କରିବ ? ଗାଡ଼ ଭିତରେ, ଦୁର୍ଗ ଭିତରେ ବହୁ ଭାବରେ ଆୟୁଧଯୁକ୍ତ ହୋଇ କ୍ରସ୍ତ ଓ ଉତ୍ତପ୍ତ ହୋଇ ରହିବାକୁ ସେତେବେଳେ କିଏ କାହିଁକି ମନ କରିବ ? ଏବଂ ଯଦି ମନୁଷ୍ୟକୃତ କୌଣସି କ୍ରାସ ନଥିବ, କୌଣସି ଉପଦ୍ରବ ନଥିବ, ତେବେ ହିଂସ୍ର ହେବାର ଅବକାଶ ମଧ୍ୟ ଆଉ କାହିଁକି ଆସିବ ? ଯେଉଁମାନଙ୍କର ଜୀବନରେ ବାଟଟିଏ ଭଳି ଯଥାର୍ଥ ସମ୍ବଳଟିଏ ମିଳି ନଥାଏ, ଯେଉଁମାନେ ବାହାରେ ଓ ଭିତରେ ବହୁ ଅଳ୍ପ ପ୍ରତ୍ୟୟ ତଥା ଅର୍ଦ୍ଧପ୍ରତ୍ୟୟକୁ ବୁଜୁଳା କରି ଧରି ନିଜ ଭିତରେ ଏବଂ ବାହାରେ ବିହ୍ଵଳ ଏବଂ ବିଭକ୍ତ ହୋଇ ରହିଥାନ୍ତି, ସେଇମାନେ ହିଁ ସଚରାଚର ମଣିଷ ଭିତରେ ତଥାକଥିତ ମନ୍ଦଟାହିଁ ଅଧିକ ପ୍ରବଳ ହୋଇ ରହିଆସିଛି ଏବଂ ସବୁଦିନକୁ ଅରଣ୍ୟ ରହିବ ବୋଲି ଫତୁଆ ଦେଇ କହିଥାନ୍ତି । ମଣିଷର ମଞ୍ଜ ଭିତରେ ଯାହା ତା’ ଜୀବନର ନିୟାମକ ହୋଇ ରହିଛି, ସେଇଟି ହେଉଛି ମନ୍ଦ–ମଣିଷ ଭିତରର ପଶୁ ହେଉଛି ତା’ର ଅସଲ ସନ୍ତକ ଓ ଅସଲ ପରିଚୟ । ପଶୁ ତ ସ୍ଵଭାବତଃ ହିଂସ୍ର, ତେଣୁ ମନୁଷ୍ୟ ହିଂସ୍ର ହେବାକୁ ବାଧ୍ୟ–ଅର୍ଥାତ୍‍, ପୃଥିବୀରେ ମଣିଷ ମୂଳତଃ ପାଜି ହୋଇ ରହିବାକୁ ବାଧ୍ୟ । ତେଣୁ ବିଶ୍ଵାସର ପ୍ରଶ୍ନ ଆଉ କୁଆଡ଼େୁ ଆସିଲା ? ଶ୍ରଦ୍ଧା ଇତ୍ୟାଦି ଭଲ ଶବ୍ଦ ଓ ଭଲ ଭାବନାଗୁଡ଼ିକ ତୁମ ବହିରେ ଅଛି, ସେହିଠାରେ ହିଁ ରହିଥାଉ । ବେଳେବେଳେ ତୁମକୁ ଉଲ୍ଲସିତ କରିଥାଉ, ତୁମର ସାହିତ୍ୟ, ସଂସ୍କୃତି ଓ କଳାର ବାହନଗୁଡ଼ାକ ଉପରେ ଚଢ଼ି ଘଡ଼ିକ ସକାଶେ ଫୁଲେଇ ହେବାରେ ଲାଗିଥାଉ । ମାତ୍ର, ସଂସାର ଯେମିତି ଅଛି, ଠିକ୍‍ ସେହିପରି ରହିବ । ମଣିଷର ସ୍ଵଭାବ ଭିତରେ ହିଂସ୍ରତାର ବୀଜ ପୋତାହୋଇ ରହିଛି, ମଣିଷ ସବୁଦିନ ପାଇଁ ଅଲବତ୍‍ ହିଂସ୍ର ହେବାକୁ ବାଧ୍ୟ ହେବ-। ପୃଥିବୀର ଅଧିକାଂଶ ନୀତିଶାସ୍ତ୍ର ଏହି କଥାଟିକୁ ଆଧାର କରି ହିଁ ଛିଡ଼ା ହୋଇଛନ୍ତି । ଆମର ବିଜ୍ଞାନଶାଳା ଗୁଡ଼ାକ ଯୋଉଦିନଠାରୁ ପଶୁମାନଙ୍କୁ ନମୁନା ରୂପେ ବ୍ୟବହାର କରି ସେଥିରୁ ମନୁଷ୍ୟ ବିଷୟରେ ଆପଣାର ବହୁ ଅନୁମାନ ଓ ନିର୍ଣ୍ଣୟରେ ଉପନୀତ ହେବାକୁ ବୈଜ୍ଞାନିକ ବାଟ ବୋଲି ଧରିଲା, ସେହିଦିନଠାରୁ ମଣିଷର ପଶୁସନ୍ତକ ଗୁଡ଼ାକ ଉପରେ ହିଁ ଆମର ମନୁଷ୍ୟ–ଜିଜ୍ଞାସା ଅଧିକ ଗୁରୁତ୍ଵ ହେବାକୁ ଆରମ୍ଭ କଲା । ଭାଗ୍ୟର କଥା, ବିଜ୍ଞାନ ଭିତରୁ ସେହି ଭ୍ରମଗୁଡ଼ିକ କ୍ରମେ କଟି କଟି ଯିବାକୁ ଆରମ୍ଭ କଲାଣି । ତେଣୁ, ମନୁଷ୍ୟକୁ ଏକ ଭିନ୍ନ ପରିମିତିରେ ଦେଖିବାର ଏକ ଆଗ୍ରହ ଓ ସାହସ ମଧ୍ୟ ବୃଦ୍ଧି ପାଇବାରେ ଲାଗିଲାଣି ।

 

ମଣିଷର ମନୁଷ୍ୟାଂଶ ଉପରେ ଅଧିକ ଗୁରୁତ୍ଵ ଦେଇ ତାକୁ ଜାଣିବାକୁ ଏବଂ ବୁଝିବାକୁ ଚେଷ୍ଟା କରୁଥିବା ମନୋବିଜ୍ଞାନୀ ଏବଂ ମନଃସନ୍ଧାନୀମାନେ ମନୁଷ୍ୟ ସ୍ଵଭାବତଃ ହିଂସ୍ର ନୁହେଁ ବୋଲି କହିବାକୁ ଆରମ୍ଭ କଲେଣି । ଜୀବବିଜ୍ଞାନୀମାନେ ଇତର ପ୍ରାଣୀମାନଙ୍କ ସମ୍ବନ୍ଧରେ ପୂର୍ବରୁ ଅନାଲୋକିତ ହୋଇ ରହିଥିବା ଏକାଧିକ ଆୟାମରୁ ପ୍ରାଣୀଜୀବନର ଆଲୋଚନା ଏବଂ ଗବେଷଣା କରି ପ୍ରାଣୀମାନେ ମଧ୍ୟ ମୂଳତଃ ହିଂସ୍ର ନୁହନ୍ତି ବୋଲି ଆମ ସମସ୍ତଙ୍କୁ ଭାରି ଆଶ୍ଚର୍ଯ୍ୟ କରି କହିବାକୁ ସାହସ କଲେଣି । ଅର୍ଥାତ୍, ହିଂସ୍ର ହେବା ଏକ ସହଜାତ ପ୍ରବୃତ୍ତି ଆଦୌ ନୁହେଁ । ମନୁଷ୍ୟର କ୍ଷେତ୍ରରେ ତ ମୋଟେ ନୁହେଁ, ପ୍ରାଣୀର କ୍ଷେତ୍ରରେ ମଧ୍ୟ ନୁହେଁ । ଏଥିରୁ ଆମକୁ ଯେଉଁ ନୂତନ ଉପଲବ୍‍ଧି ଏବଂ ଅନ୍ତଃଦୃଷ୍ଟିଗୁଡ଼ିକୁ ଅବଶ୍ୟ ପ୍ରାପ୍ତ ହେଉଛି, ଯଦି ତାହାକୁ ହିଁ ଆମେ ଆମ ପୃଥିବୀ–ଅବଲୋକନର ମୂଲ୍ୟ ନିର୍ଣ୍ଣାୟକ ରୂପେ ଗ୍ରହଣ କରିନେଇ ପାରିବା, ତେବେ ଆମେ ଆପଣାକୁ ମଧ୍ୟ ସଂପୂର୍ଣ୍ଣ ଏକ ନୂତନ ଆଲୋକରେ ଦେଖିବାଲାଗି ସମର୍ଥ ହେବା । ଆମର ଅନେକ ଅବିଶ୍ଵାସ ପ୍ରାୟ ବଳେ ବଳେ ଦୂର ହୋଇଯିବ । ଆମର ସକଳ ହିଂସ୍ରତାକୁ, କପଟକୁ, କୃତ୍ରିମତାକୁ ଆମେ ଏହିଠାରେ ହିଁ ଶିଖିଛୁ, ସେଗୁଡ଼ାକୁ କଦାପି ସାଙ୍ଗରେ ଧରି ସଂସାରରେ ଜନ୍ମ ହୋଇନାହୁଁ, ଆଧୁନିକ ମଣିଷ ନିମନ୍ତେ ଏହାହିଁ ସେ ଇଚ୍ଛାକଲେ ତାହାର ସର୍ବୋତ୍ତମ ଆବିଷ୍କାର ହୋଇ ରହିବ । ଏଇଟି କ’ଣ ଏକ କମ୍‍ ଗୁରୁତ୍ଵପୂର୍ଣ୍ଣ ଘଟଣା ? ତାହା ଆମର ବର୍ତ୍ତମାନ ନିୟତିଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେବା ପାଇଁ ଆଗକୁ ଏକ ଉଜ୍ଜ୍ୱଳ ବାଟ ବତାଇ ଦେଇ ପାରିବ । ହୁଏତ ଆମେ ଏକଥା ମଧ୍ୟ ଉପଲବ୍‍ଧି କରିବାକୁ ଆରମ୍ଭ କରିବା ଯେ, ଭୟ ହେଉଛି ଆମର ଅସଲ ଦୁର୍ଗତି । ସତ୍ୟ ସହିତ ଖିଅ ଛିଣ୍ଡି ଗଲେ ମଣିଷ ଭୟ କରିବାକୁ ଆରମ୍ଭ କରେ ବୋଲି ଉପନିଷଦରୁ ସୂଚିତ କରି ଦିଆଯାଇଛି । ଭୟାଳୁ ଓ ଭୀରୁମାନେ ହିଁ ସଚରାଚର ହିଂସ୍ର ହୁଅନ୍ତି । ଏହି ଭୟ ପ୍ରକୃତରେ କେଉଁଠାରୁ ଆସେ ? ଅସଲି କେଉଁ ଖିଅଟି ଛିଣ୍ଡି ଗଲେ ମଣିଷମାନେ ଭୀରୁ ହୁଅନ୍ତି ଓ ବିଶ୍ଵାସ ହରାଇ ବସନ୍ତି ? କୌଣସି ଅଦୃଷ୍ଟର ଅଭିଶାପ ହେତୁ ଯେ ମଣିଷ ହାତରୁ ଅସଲ ଖିଅଟି ଛାଡ଼ି ହୋଇଯାଏ, ସେକଥା ଆଦୌ ନୁହେଁ । ମନୁଷ୍ୟ ନିଜେ ଖିଅଟିକୁ ହାତଛଡ଼ା କରିପକାଏ । ହୁଏତ କୌଣସି ହଠାତ୍ ଏବଂ ତାତ୍କାଳିକର ମୋହରେ ପଡ଼ି ସିଏ ଅସଲ ସୂତାଗୁଡ଼ିକୁ ହାତଛଡ଼ା କରିଦିଏ । ତା’ପରେ ହୁଏତ ସବୁକିଛି ମହଜୁଦ୍ ଥାଏ; ପଇସା ଥାଏ, କ୍ଷମତା ଥାଏ, ପାଣ୍ଡିତ୍ୟ ଥାଏ, ପ୍ରଖର ବୁଦ୍ଧି ରହିଥାଏ । ତଥାପି ଖିଅଟି ନଥାଏ । ଖିଅଟି ଲାଗି ନଥାଏ । ସେଇଥିରୁ ଭୟ ଆସେ । ତଥାକଥିତ ନିଃସଙ୍ଗତା ସେଇଥିରୁ ହିଁ ଜନ୍ମଲାଭ କରେ । ଅନ୍ୟ ମଣିଷମାନେ ସେତେବେଳେ ବନ୍ଧୁ ପରି ନୁହନ୍ତି, ସତେଅବା ପ୍ରତିଦ୍ଵନ୍ଦ୍ୱୀ ପରି ଦିଶନ୍ତି । ଭିତରର ଅସଲ ଆଧାରଶିଳା ଏବଂ ଅସଲ ପ୍ରତିଷ୍ଠାଗୁଡ଼ିକୁ ମଣିଷ ସତେଅବା କେଉଁ ଭୀରୁତାର କୋପନରେ ପଡ଼ି ବାହାରେ ପ୍ରତିମା କରି ବସାଇଦିଏ; ସେମାନଙ୍କୁ ସିଏ ଅନେକ ସମୟରେ ଆଦର୍ଶ ବୋଲି କହେ, ଠାକୁର ବୋଲି କହେ । ଆଦର୍ଶ ଓ ଠାକୁରମାନଙ୍କୁ ନେଇ କେତେ ଅହଙ୍କାରୀ ହୋଇ ରହିଥାଏ, ମାତ୍ର ତେଣେ ତା’ ଅସଲ ଘରେ ସାହସ ନଥାଏ । ସିଏ ଭିତରେ ଲଢ଼ୁ ଥାଏ, ବାହାରେ ବି ଲଢ଼ୁ ଥାଏ । ତା’ ଭିତରର ଖଣ୍ଡିଆମାନେ ପରସ୍ପର ସହିତ ଲଢ଼ିବାରେ ଲାଗିଥାନ୍ତି; ଭାରି ଜାକଜମକ ସହିତ ଲଢ଼ୁଥାନ୍ତି ଓ ସେହି ଜାକଜମକ ଗୁଡ଼ାକୁ କେଡ଼େ ପୁଲକର ସହିତ ଜୀବନ ବୋଲି କୁହା ହେଉଥାଏ, ଜୀବନ-ସଂଗ୍ରାମ ବୋଲି କୁହାଯାଉଥାଏ । ସେହି ଶକ୍ତିକ୍ଷୟକାରୀ ସଂଗ୍ରାମ କେବେହେଲେ ତୁଟେନାହିଁ । ମଣିଷର ଘର ଭିତରଟା ବହୁ ବିଟଙ୍କର ଲୀଳାସ୍ଥଳୀ ହୋଇ ରହିଥାଏ । ସେତେବେଳେ ନିଃସଙ୍ଗ ହେବା ବ୍ୟତୀତ ଜଣେ ମଣିଷ ପ୍ରକୃତରେ ଆଉ କ’ଣ ହୋଇ ପାରିବ ? ତେଣୁ ବିଟମାନଙ୍କ ପାଖରେ ସୁକୁମାର ଭୀରୁଟିଏ ହୋଇ ହିଁ ରହିବାକୁ ପଡ଼େ । ଆପଣମାନେ ଶହ ଶହ ସଭାମାନଙ୍କରେ ଓ ମହମହ ଚାଟୁକାରିତା ମଧ୍ୟରେ କେବେ ସେହି ଭୀରୁମାନଙ୍କୁ ଦେଖିଛନ୍ତି ? ଏବେ ମଧ୍ୟ ଏମାନଙ୍କର ପରିଣୟ ହୋଇ ପାରିନାହିଁ । କାହାରି ହେଲେ ହୋଇ ନପାରିବାର ସେହି ଦୁଃଖ ସେମାନଙ୍କୁ ବିବିଧ ପରିପାଟୀ ସହିତ ହିଂସ୍ର କରି ରଖିଛି । ସେହି ନିଃସଙ୍ଗମାନଙ୍କୁ ଅସଲ ସଙ୍ଗଗୁଡ଼ିକର ବାରତା କିଏ ଆଣି ଦେଇପାରିବ ? (୧୪ । ୯ । ୮୮)

 

(୫୭)

 

ଦୁଃଖ ଦେଖିବ, ମାତ୍ର ପଳାଇଯିବ କାହିଁକି ? ହେ ବିନୋଦିଆ ଦୁଃଖୀମାନେ, ଅଥବା ଦୁଃଖଭାରି ବିନୋଦିଆମାନେ, ତୁମେମାନେ କ’ଣ ଅତ୍ୟନ୍ତ ଅହଙ୍କାରୀ ଓ ଏକସିଙ୍ଗିଆ ହୋଇ ନିଜର ଦୁଃଖ ସହିତ ଏକାକୀ ରମଣ କରିବାକୁ ଇଚ୍ଛା କରୁଛ କି ?

 

ଯଦି ମଣିଷ ମୂଳରୁ ହିଁ ଏହିପରି ଭାବରେ ପଳାଇ ଯିବାକୁ ମନ କରିଥାନ୍ତା, ତେବେ ଆଜି ଆମେ ଯାହାକୁ ମନୁଷ୍ୟର ସଭ୍ୟତା ବୋଲି କହୁଛୁ, ସେଇଟି ସମ୍ଭବ ହୋଇଥାନ୍ତା କି ? ପୃଥିବୀର ଯାବତୀୟ କାବ୍ୟ ଓ କବିତା ମଧ୍ୟ ସମ୍ଭବ ହୋଇ ଥାଆନ୍ତା କି ? ପଳାଇ ଯିବାରୁ ହିଁ ଯାବତୀୟ ନିଃସଙ୍ଗତାବୋଧର ଜନ୍ମ ହୋଇଥାଏ । ପାଖକୁ ଆସିବା, ଆବିଷ୍କାର କରିବା, ପାଖକୁ ଟାଣିନେବା,–ତାହାହିଁ ପ୍ରେମ । ଏବଂ ପ୍ରେମ ପରିପ୍ରକାଶ ହେଉଛି ସଂସ୍କୃତି । ଏହି ସଂସାରରେ ମୁଁ ଆଦୌ ଏକୁଟିଆ ନୁହେଁ, ଏହାହିଁ ହେଉଛି ଜଣେ ମଣିଷର ସର୍ବଶ୍ରେଷ୍ଠ ଆବିଷ୍କାର । ମଣିଷ ନିତାନ୍ତ ଅହଙ୍କାରୀ ହୋଇଥିଲେ ସିଏ ପଳାଇ ଯିବାକୁ ମନ କରେ ଅଥବା ଅନ୍ୟ କେତେକ କାରଣରୁ ଆପଣାକୁ ନିତାନ୍ତ ପରିତ୍ୟକ୍ତ ଓ ତେଣୁ ଏକୁଟିଆ ବୋଲି ଅନୁଭବ କରି ପଳାଇ ଯିବାକୁ ମନେ କଲେ ମଣିଷ ଭିତରେ ଅହଙ୍କାର ନାମକ ଏକ ମଳ କ୍ରମେ ଅଧିକରୁ ଅଧିକ ପ୍ରବଳ ହେବାର ଅନୁକୂଳ ପରିବେଶଟିଏ ପାଇଥାଏ, ସମ୍ଭବତଃ ସେହି କଥାଟିର ଏକ ବୁଦ୍ଧିବାଦୀ ଗବେଷଣା ମଧ୍ୟ କରାଯାଇପାରେ । ତଥାପି, ଅନୁଭବୀ ମଣିଷ ହୁଏତ କହିପାରିବ ଯେ, ଏହି ଦୁଇଟିଯାକ ପଦାର୍ଥ ପରସ୍ପରକୁ ଭାରି ସୁହାନ୍ତି । ଅର୍ଥାତ୍, ଅହଙ୍କାର ବୁଦ୍ଧି ପାଇଲେ ପଲାଇ ଯିବାକୁ ଭାରି ମନ ହୁଏ, ସବୁଯାକ ଡୋରକୁ ଛିଣ୍ଡାଇ ଦେଇ ‘ନିଜ ସିଂହାସନ’ ନାମକ ହୁଙ୍କାଟିଏ ଥାପି ତାହାରି ଉପରେ ରଜା ହୋଇ ବସିବାକୁ ଭାରି ମନହୁଏ । ଅଥବା ନିଜ ପାଇଁ ଗାତଟିଏ ଖୋଜିନେଇ, ସେହି ଗାତକୁ ବହୁ ବୈଡ଼ୁର୍ଯ୍ୟରେ ଭର୍ତ୍ତି କରି ରଖି ତାହାରି ଭିତରେ ଆପଣା ଆଖିକୁ ଆପେ ବଡ଼ ହୋଇ ଦିଶିବାକୁ ବାରି ମନହୁଏ । କିମ୍ବା ଅନ୍ୟ ପକ୍ଷରେ, ଗର୍ଭଗତ କୌଣସି କାରଣରୁ ଆପଣା ଆଖିରେ କେବଳ ଆପେ ହିଁ ସବୁଠାରୁ ଅଧିକ ସୁନ୍ଦର ହୋଇ ଦିଶିବାକୁ ମନ କଲେ, ପଳାଇଯାଇ କେଉଁଠି ହୁଙ୍କାଟିଏ ଅଥବା ଗାତଟିଏ ଖୋଜି ତାହାକୁ ହିଁ ନିଜର ସବୁକିଛି ବୋଲି ମଣି ଯାବୁଡ଼ି ହୋଇ ରହିବାକୁ ମନ କରୁ କରୁ ମଣିଷ କ୍ରମେ ଭାରି ଅହଙ୍କାରୀ ହୋଇଯାଏ । ନିଃସଙ୍ଗ ମଣିଷମାନେ ସଚରାଚର ଭାରି ଅହଙ୍କାରୀ ହୁଅନ୍ତି । ଅହଙ୍କାରୀ ମଣିଷମାନେ ଭିତରେ ସତେଅବା ବଡ଼ ନିଃସଙ୍ଗ ହୋଇ ରହିଥାଆନ୍ତି । ସେଇଟି ଏଇଟିକୁ ଈନ୍ଧନ ଯୋଗାଉଥାଏ ଓ ଏଇଟି ସେଇଟିକୁ ମଧ୍ୟ ଈନ୍ଧନ ଯୋଗାଇ ଦେବାରେ ଲାଗିଥାଏ-

 

ଦୁଃଖ ତ ସମସ୍ତଙ୍କର ରହିଛି, ମାତ୍ର ତୁମର ତଥାକଥିତ ନିଜ ଦୁଃଖଟା ତୁମକୁ ଏଡ଼େ ବଡ଼ ହୋଇ ଦିଶୁଛି କାହିଁକି ? ଏହି ସଂସାରରେ ଯିଏ କେବଳ ନିଜ ଦୁଃଖଟାକୁ ଦେଖେ, ସେହି ମଣିଷଟାକୁ ହିଁ ପ୍ରାୟ ନିୟମସିଦ୍ଧ ଭାବରେ ନିଜର ଦୁଃଖଟା ସତେଅବା ସବୁଠାରୁ ଅଧିକ ଭାରି ବୋଲି ମନେହୁଏ । ଏବଂ ତାହାହିଁ ସେହି ମଣିଷ ଲାଗି ସକଳ ନିଃସଙ୍ଗତାବୋଧର କାରଣ ହୋଇଥାଏ । ସାଙ୍ଗ ନ କଲେ ସାଙ୍ଗ ବୋଲି କାହାକୁ ନ ଲୋଡ଼ିଲେ, କୌଣସି ଜଣେ ମଣିଷ ଭିତରେ ମଧ୍ୟ ଜଣେ ସାଙ୍ଗକୁ ଆବିଷ୍କାର କରି ପାଇବା ଲାଗି ଅନୁରାଗ ନ ରଖିଥିଲେ ମଣିଷ ନିଃସଙ୍ଗ ବୋଧ କରିବ ନାହିଁ ତ ଆଉ କ’ଣ ହେବ ? ଡୋରଗୁଡ଼ାକ ଲାଗି ରହିଥିଲେ ମଧ୍ୟ ସିଏ ବିଚରା ତଥାପି ନିଜକୁ କେବଳ ଅଲଗା କରି ଦେଖୁଥିବ, ଉପନିଷଦର ସେହି ‘ଅନ୍ୟତ୍‍ ପଶ୍ୟତି, ଅନ୍ୟତ୍‍ ଶୃଣୋତି’ ଇତ୍ୟାଦିର ଦୁଃଖକୁ ଭୋଗ କରିବାରେ ଲାଗିଥିବେ । ପୃଥିବୀର ଇତିହାସରେ ଆମେ ପ୍ରାୟ ଏକ ବିଡ଼ମ୍ବନା ସ୍ଵରୂପ ଦେଖିବାକୁ ପାଇବା ଯେ, ଯେଉଁମାନେ ଏଠାରେ ସତକୁ ସତ ଦୃଶ୍ୟମାନ୍ ଭାବରେ ଦୁଃଖ ଭିତରେ ରହିଥାନ୍ତି, ସେମାନେ ତଥାପି ଏହି ଜୀବନକୁ ଓ ତେଣୁ ଏହି ସଂସାରକୁ ଏକାଠି ବାନ୍ଧି ରଖିଥିବା ଡୋରଗୁଡ଼ିକୁ କେଡ଼େ ଦୃଢ଼ ଭାବରେ ଅନୁଭବ କରୁଥାନ୍ତି କେଜାଣି, ସେମାନେ କଦାପି ନିଃସଙ୍ଗ ହୁଅନ୍ତି ନାହିଁ । ସେମାନେ ପରସ୍ପରକୁ ଲୋଡ଼ନ୍ତି, ପରସ୍ପରକୁ ମାଡ଼ି ଦଳିଦେଇ ମୋଟେ ଆପେ ଆଗକୁ ଚାଲିଯିବା ଲାଗି ମନ କରନ୍ତି ନାହିଁ । ଖୁସି ହେଲାବେଳେ ସେମାନେ କ’ଣ କମ୍‍ ଖୁସି ହୁଅନ୍ତି ? କାନ୍ଦିଲାବେଳେ, ବାହୁନିବା ବେଳେ କଣ କମ୍‍ କାନ୍ଦନ୍ତି ଓ ବାହୁନନ୍ତି ? ଖୁସି ହେଲାବେଳେ ଏକାବେଳେକେ ଭିତରୁ ଖୁସି ହୁଅନ୍ତି, କାନ୍ଦିଲାବେଳେ ଏକାବେଳେକେ ଭିତରୁ କାନ୍ଦନ୍ତି । ଡୋରଗୁଡ଼ାକୁ ପ୍ରାୟ ପ୍ରତ୍ୟକ୍ଷ ଭାବରେ ଅନୁଭବ କରି ପାରୁଥାନ୍ତି ବୋଲି ସେମାନେ ଭିତରୁ କାନ୍ଦି ପାରନ୍ତି ଓ ଭିତରୁ ଖୁସି ହୋଇ ପାରୁଥାନ୍ତି । ପୃଥିବୀଯାକର ଲୋକସଙ୍ଗୀତ ଭିତରେ ଆମେ ଇଚ୍ଛା କଲା–ମାତ୍ରକେ ସବା ଆଗ ଏହି ଉପାଦାନଟିକୁ ଅତ୍ୟନ୍ତ ସ୍ପଷ୍ଟ ଓ ଦୃଶ୍ୟ ଭାବରେ ଦେଖିବାକୁ ପାଇଥାଉ । ଆମ ପୃଥିବୀରେ ଦୁଃଖ ଭର୍ତ୍ତି ହୋଇ ରହିଛି ଏବଂ ପୃଥିବୀର ଅନେକ ମଣିଷ, ଅଧିକାଂଶ ମଣିଷ, ଦୁଃଖ ଭିତରେ ରହିଛନ୍ତି । ତଥାପି ଏକାବେଳକେ ଭିତରୁ ଖୁସି ହୋଇ ପାରୁଥିବା ଓ ଏକାବେଳକେ ଭିତରୁ କାନ୍ଦି ପାରୁଥିବା ଏବଂ ଆହୁରି ଅଧିକ ମହତ୍ଵପୂର୍ଣ୍ଣ କଥା ହେଉଛି, ସେହି ଖୁସିକୁ ଓ ସେହି ଖେଦ ଗୁଡ଼ିକୁ ଏକାବେଳକେ ସାବଲୀଳ ଭାବରେ ପ୍ରକାଶ କରି ପାରୁଥିବା ଏତେ ମଣିଷ ଏହି ପୃଥିବୀରେ ରହିଛନ୍ତି ବୋଲି ଏହି ପୃଥିବୀ ରହିଛି । ନହେଲେ ନିଃସଙ୍ଗୀ, ସୁଖୀ ଓ ଅଖୁସୀମାନେ ଏହି ପୃଥିବୀକୁ କୋଉକାଳରୁ ଖାଇ ସାରନ୍ତେଣି । ନିଃସଙ୍ଗମାନଙ୍କର ମିଛ ଓ ବିବର୍ଣ୍ଣ କବିତାଗୁଡ଼ାକ ପରି ପୃଥିବୀଟା ମଧ୍ୟ ଭାରି ମିଛ ହୋଇ ଯାଆନ୍ତାଣି ।

 

ଦୁଃଖରୁ ପଳାଇ ଯାଆନ୍ତି ନାହିଁ, ଦୁଃଖକୁ ଅତିକ୍ରମ କରିବାକୁ ହୁଏ । ଆଖି ସାମନାରେ ପର୍ବତଟିଏ ପଡ଼ିଲେ ମଣିଷ ସେଇଠି କଦାପି ଅଟକି ଯାଏନାହିଁ; ସିଏ ସେହି ପାହାଡ଼କୁ ଅତିକ୍ରମ କରେ । ପାହାଡ଼ର ସେପାଖରେ ମଧ୍ୟ ଯେ ଆହୁରି ଦିଗ୍‍ବଳୟ ରହିଛି, ସଖାରୂପେ ମଣିଷକୁ ଡାକିବାରେ ଲାଗିଛି, ପାହାଡ଼ଟିକୁ ଅତିକ୍ରମ କରିବା ପରେ ଯାଇ ସେହି ସତ୍ୟଟିର ପରିଚିତି ମିଳିଥାଏ । ଆଧ୍ୟାତ୍ମିକ ସାଧନାରେ କେତେ ପ୍ରକାରେ ଅନୁଭବୀ ମନୀଷୀମାନେ ସେହି ଉତ୍‍କ୍ରମଣର କଥା କହିଛନ୍ତି । ସେମାନେ ଅତିକ୍ରମଣର କଥା କହିଛନ୍ତି । ଅତିକ୍ରମଣ ଦ୍ଵାରା ଦୁଃଖ ଦୂର ହୁଏ । ପ୍ରସାରଣ ଦ୍ଵାରା ଆମ ମୁଣ୍ଡ ଉପରୁ ମିଛଭାରି ବୋଝଗୁଡ଼ାକୁ କାଢ଼ି ଫୋପାଡ଼ି ଦେବାରେ ବଳ ମିଳେ-। ଯାବତୀୟ ଯଥାର୍ଥ ଶିକ୍ଷା ହେଉଛି ଏହି ଅତିକ୍ରମଣ ବା ଉତ୍‍କ୍ରମଣର ଶିକ୍ଷା, ଆତ୍ମପ୍ରସାରଣର ଶିକ୍ଷା-। ଯିଏ ଉତ୍‍କ୍ରମଣକୁ ଡରି ଏଇଠି ଗୋଡ଼ରେ ପାହୁଡ଼ ନାଇ ଉଦୁଉଦୁମା ହୋଇ ବସି ରହିବାକୁ ମନ କରେ, ପ୍ରସାରଣ ଦ୍ଵାରା ଆପଣାର ଅଳ୍ପଗୁଡ଼ାକର ସତେଅବା ଆଉ କୌଣସି ଅସ୍ତିତ୍ଵ ରହିବ ନାହିଁ ବୋଲି ଭୟ କରୁଥାଏ, ସିଏ ଭାରି ନିଃସଙ୍ଗ ହୋଇ ରହିଥାଏ । ଅର୍ଥାତ୍, ସଙ୍ଗ କରିବାକୁ ଡରେ, ବନ୍ଧୁ ବାନ୍ଧିବକୁ ଡରେ; ହାତ ବଢ଼ାଇଲେ କାଳେ ଏଣେ ଗୋଡ଼ ଖସିଯିବ ବୋଲି ଡରୁଥିବାରୁ ହାତ ବଢ଼ାଇବାକୁ ଭୟ କରୁଥାଏ । କେତେ ଛଟକରେ ନିଃସଙ୍ଗତାର ମଣୋହି କରୁଥାଏ, ଆପଣାର ନିଃସଙ୍ଗତାବୋଧ ନାମକ ବ୍ୟାଧିଟିକୁ ସେ କେଡ଼େ ରସାଳ କରି କଥାରେ କହିବାରେ ଓ କବିତାରେ ଲେଖିବାରେ ଲାଗିଥାଏ । ସତେ ଅବା ସେଇଥିରୁ ଏକ ରମଣର ସ୍ଵାଦ ଲାଭ କରୁଥାଏ ।

 

ବ୍ୟକ୍ତିଗତ ଜୀବନରେ ଦୁଃଖ ଆସେ ସେହି ଦୁଃଖକୁ ଅତିକ୍ରମ କରି ଯିବାଲାଗି । ସାମୂହିକ ଜୀବନରେ ଦୁଃଖ ଆସେ ତାହାକୁ ଅତିକ୍ରମ କରି ଆଗକୁ ଯିବାଲାଗି । ତାହାହିଁ ସଭ୍ୟତା, ତାହାହିଁ ସଂସ୍କୃତି । ସେହି ଅସଲ ଅନୁରାଗଟିର ପ୍ରକ୍ରିୟାରେ ସଂସାର ଭିତରକୁ ବାହାରି ମଣିଷ ଅସଲ ସଙ୍ଗୀମାନଙ୍କୁ ପାଇଯାଏ, ସମଧର୍ମୀମାନଙ୍କୁ ଆବିଷ୍କାର କରେ । ଯୋଉଠି ସମସ୍ତେ ବାଟ ଚାଲୁଛନ୍ତି, ଅନୁରାଗରେ ବାଟ ଚାଲୁଛନ୍ତି, ନିଜ ଭିତରେ ବାଟ ଚାଲୁଛନ୍ତି ଓ ନିଜର ବାହାରେ ମଧ୍ୟ ବାଟ ଚାଲୁଛନ୍ତି , ସେଠି ନିତାନ୍ତ ଲକ୍ଷ୍ମୀଛଡ଼ା ଓ ନିତାନ୍ତ ଗଉଁବାଲା ନ ହେଲେ ମଣିଷ କଦାପି ନିଜକୁ ନିଃସଙ୍ଗ ବୋଲି ବୋଧ କରିବ ନାହିଁ । ପଦ୍ମବନରେ ହୁଏତ କୌଣସି ପଦ୍ମଭୁକ୍ ନିଃସଙ୍ଗ ଅନୁଭବ କରିବ, ପଦ୍ମଫୁଲଟିଏ କାହିଁକି ଆପଣାକୁ ନିଃସଙ୍ଗ ବୋଲି ଭାବିବ ? ମଣିଷମାନଙ୍କ ଭିତରେ ଦୈତ୍ୟମାନେ ଚିରକାଳ ନିଃସଙ୍ଗ ବୋଧ କରି ଆସିଛନ୍ତି । ଅନୁରାଗମୟ ଏହି ଜୀବନ ଉପବନରେ ବିଟମାନେ ଚିରକାଳ ଭାରି ନିଃସଙ୍ଗ ହୋଇ ରହି ଆସିଛନ୍ତି ମନ୍ଦିରର ବେଢ଼ା ଭିତରେ ପଶି ଦେବତାର ସାକ୍ଷାତ ଲାଭ କରିଥିବା ଭକ୍ତ ଇତିହାସରେ କଦାପି ନିଜକୁ ନିଃସଙ୍ଗ ମନେ କରିବାକୁ ଫୁରସତ୍‍ ହିଁ ପାଇନାହିଁ । ମାତ୍ର, କ୍ଷମତାଧରମାନେ ହିଁ ନିଃସଙ୍ଗତାର କବଳରେ ପଡ଼ିଛନ୍ତି,–ଆପଣାକୁ ସବାଆଗ ଅନୁରାଗୀ ଓ ସଙ୍ଗଲୋଭୀ ମଣିଷଟିଏ ବୋଲି ନ ଚିହ୍ନି ବହୁ ହାସ୍ୟାସ୍ପଦ ପରିପାଟୀରେ ଦଣ୍ଡଧରମାନଙ୍କର ଭେଷ ପିନ୍ଧି ଏଡ଼େ ଏଡ଼େ ହୋଇ ବୁଲୁଥିବା କ୍ଷୁଧାର୍ତ୍ତମାନେ ହିଁ ଭାରି ନିଃସଙ୍ଗ ଅନୁଭବ କରିଛନ୍ତି । ସେମାନେ ସତେଅବା ଏକାବେଳକେ ସବୁକିଛି ଗିଳି ପକାଇ ସବୁଠାରୁ ମୋଟା ହୋଇ ଦିଶିବେ ବୋଲି, ଭାରି ମନ କରିଛନ୍ତି । ସେମାନେ ଆପଣା ପାଖରେ ହାରି ଯାଇଛନ୍ତି । ହାରିଛନ୍ତି ବୋଲି ଉଦଣ୍ଡ ହୋଇଛନ୍ତି, ଉଦଣ୍ଡ ହୋଇ ନିଃସଙ୍ଗତାକୁ ଧର୍ମ ବୋଲି ଜୀବନର ସନ୍ତକ ବୋଲି ମାନି ନେଇଛନ୍ତି ।

 

ଯିଏ ସବୁକିଛିକୁ ଖାଲି ଭୋଗ କରିବାକୁ ଚାହେଁ, ସିଏ ସର୍ବଦା ଏଇଠି ପଡ଼ି ରହିଥାଏ । ନିଃସଙ୍ଗ ହୁଏ । ସକଳ ଉତ୍‍କ୍ରମଣ ଲାଗି ନିତାନ୍ତ ଅଯୋଗ୍ୟ ହୋଇ ରହିଥାଏ । ସିଏ କାହାରି ସାଙ୍ଗ ହୋଇ ପାରେନାହିଁ । ଆପଣାର ଭାରିରେ ସିଏ ସତେ କେଡ଼େ ଅସ୍ଵାଭାବିକ ଭାବରେ ବର୍ତ୍ତୁଳ ଓ ବିକରାଳ ହୋଇ ରହି ନ ଥାଏ ! (୨୧ । ୯ । ୮୮)

 

(୫୮)

 

ଅନେକ ମଣିଷ ସତେଅବା ଭାରି ଗରଜରେ ପଡ଼ି ଭଗବାନଙ୍କ ପାଖକୁ ଆସନ୍ତି । ଦୁଃଖରେ ପଡ଼ି ଆସନ୍ତି; ବିରକ୍ତ ହୋଇ ଆସନ୍ତି, ଉତ୍ତେଜିତ ହୋଇ ଆସନ୍ତି । ଆମ ଧର୍ମମାନଙ୍କରେ ଯେଉଁସବୁ ଜଣାଣ ଓ ସ୍ତୋତ୍ର ଲେଖାହୋଇ ଆସୁଛି, ସେଥିରେ ଅଧିକାଂଶ ସ୍ଥଳରେ ଏକ ଆର୍ତ୍ତମାନର ଆର୍ତ୍ତିଗୁଡ଼ାକ ହିଁ ବଡ଼ ପ୍ରଚଣ୍ଡ ଭାବରେ ପ୍ରକଟ ହୋଇଥିବା ପରି ମନେ ହୋଇଥାଏ । ବାହାରେ ଯିଏ ଆର୍ତ୍ତ, ଅଧିକାଂଶ ସ୍ଥଳରେ ଭିତରେ ସିଏ ଭାରି ଉଗ୍ର । ଏହି ପ୍ରକାରର ମଣିଷମାନେ ସଂସାରଟାକୁ ଏକାବେଳେକେ ଖାଇ ପକାଇବେ ବୋଲି ଗୋଟାସୁଦ୍ଧା ମନ କରୁଥାନ୍ତି କି କ’ଣ କେଜାଣି, ସଂସାର ସେମାନଙ୍କୁ ଗୋଟାସୁଦ୍ଧା ଖାଇଯାଏ । ସେମାନେ ସତେଅବା କେବଳ ନିଜ ବ୍ୟତୀତ ସଂସାର ଭିତରେ ଆଉ କାହାରିକୁ ଦେଖି ପାରୁ ନଥାନ୍ତି କି କ’ଣ କେଜାଣି, ସଂସାର ସେମାନଙ୍କୁ ଭାରି ହତାଶ କରି ପକାଏ । ସେମାନେ କେବଳ ନିଜର ବାସନା ଓ କାମନାଗୁଡ଼ିକୁ ଜାଣିଥାନ୍ତି, କେବଳ ନିଜପାଇଁ ବୈକୁଣ୍ଠ ଆଶା କରନ୍ତି, ଏଠୁ ହୁଗୁଳି ସେଠି ଅନନ୍ତ ଭୋଗ ଭିତରେ ନିବୁଜ ଭାବରେ ବନ୍ଧାହୋଇ ରହିବାକୁ ଚାହାନ୍ତି । ଅନ୍ୟ ମଣିଷମାନଙ୍କର ବି ଯେ କାମନା ଏବଂ ବାସନାମାନ ରହିଛି, ସ୍ଵପ୍ନ ରହିଛି, ଆସ୍ପୃହା ରହିଛି, ଏହି କାଟର ଲୋକମାନେ ସେହି କଥାଟିକୁ ମୋଟେ ସହଜରେ ସ୍ଵୀକାର କରିନେଇ ପାରନ୍ତି ନାହିଁ । ତେଣୁ କେବଳ ଆପଣାର ଚାରିପାଖରେ ଗଣ୍ଠି ପଡ଼ି ପଡ଼ି ଯାଉଛନ୍ତି । ଭଗବାନଙ୍କ ପାଖରେ କେବଳ ଆପଣା ଦୁଃଖଗୁଡ଼ାକୁ ଜଣାଇବା ବ୍ୟତୀତ ଏମାନଙ୍କ ପାଖରେ ସତେଅବା କୌଣସି ଆୟୁଧ ନଥାଏ, ଇଲମ ମଧ୍ୟ ନଥାଏ । ଏମାନଙ୍କ ଭିତରେ ବହୁ ଈର୍ଷା ଲୁଚି କରି ରହିଥାଏ । ତେଣୁ ବାହାରକୁ ସେମାନେ କେଡ଼େ ବିହ୍ଵଳ ହୋଇ କେତେ କ’ଣ କରନ୍ତି ସତ, ମାତ୍ର ଭିତରେ ଏକ ନିରୀଶ୍ଵରତାର କବଳ ଭିତରେ ବଡ଼ ଅସହାୟ ହୋଇ ରହିଥାନ୍ତି । ସଂପ୍ରଦାୟରେ ପଶନ୍ତି, ଆପଣାକୁ ଅଧିକା ଓ ପୃଥକ୍ କରି ଦେଖାଇ ହେବାକୁ ସ୍ଵତନ୍ତ୍ର ଭେକମାନ ପିନ୍ଧନ୍ତି, ସ୍ଵତନ୍ତ୍ର ଚିତାମାନ ବି ଲଗାନ୍ତି । ମାର୍ଗରୁ ମାର୍ଗକୁ ଫରକ କରି ଦେଖାଇବାରେ କେଡ଼େ ଆନନ୍ଦ ପାଆନ୍ତି । ଏତେ କରି ମଧ୍ୟ ତଥାପି ଅସଲ ମର୍ମଘରେ ନିଃସଙ୍ଗ ହୋଇ ରହିଥାନ୍ତି । ସେମାନଙ୍କର ଅସଲ ଡୋରଗୁଡ଼ିକ ସମ୍ଭବତଃ ମୋଟେ ଲାଗି ପାରି ନଥାଏ । ତେଣୁ ବାହାରେ ବହୁ ଜାଲ ଫାନ୍ଦି ଏମାନେ ବେଶି ଛଦ୍ରମ ଦେଖାଉ ଥାଆନ୍ତି,–ବଡ଼ ଅସହାୟ ହୋଇ ରହିଥାନ୍ତି ।

Unknown

 

ପୃଥିବୀରେ ଯେତେ ମଣିଷ ଧର୍ମକୁ ଅବଲମ୍ବନ କରିଛନ୍ତି, ଭଗବାନଙ୍କ ସକାଶେ ସଂସାର ଛାଡ଼ିଛନ୍ତି ବୋଲି କହି ଆସିଛନ୍ତି, ସେମାନଙ୍କ ଭିତରୁ କେତେଜଣ ଭଗବାନଙ୍କ ପାଇଁ ଏକ ଅନ୍ତର୍ଗତ ଶ୍ରଦ୍ଧାଦ୍ଵାରା ପ୍ରେରିତ ହୋଇ ଏପରି କରିଛନ୍ତି ଏବଂ ଆଉ କେତେଜଣ ସଂସାରକୁ ଅସହନୀୟ ମଣି ଏକ ମୂଳଭୂତ ବିରକ୍ତି ଦ୍ଵାରା ପ୍ରେରିତ ହୋଇ ତେଣୁ ଏଣିକି ବାହାରି ଆସିଛନ୍ତି, ସେହି କଥାଟିର ଏକ ହିସାବ ନିଆଯାଇ ପାରନ୍ତା । ଆମ ସାଧୁସନ୍ନ୍ୟାସୀ ଏବଂ ଋଷିବୈରାଗୀମାନଙ୍କୁ ମଧ୍ୟ ଏହିଭଳି ଦୁଇଟି ଶ୍ରେଣୀରେ ଅଲଗା ଅଲଗା ଭାବରେ ବିଚାର କରାଯାଇ ପାରନ୍ତା । ଯିଏ ଭଗବାନଙ୍କୁ ଭଲ ପାଇ ଭଗବାନଙ୍କ ପାଖକୁ ଆସେ, ସିଏ ଭଗବାନଙ୍କ ଲାଗି ଜୀବନଟିକୁ ବଞ୍ଚେ । ସିଏ ନିଜପାଇଁ କିଛି ମାଗେନାହିଁ । ତେଣୁ ତା’ ଜୀବନରେ ଆଦୌ କୌଣସି ଉତ୍ତେଜନା ନ ଥାଏ; କୌଣସି ଅସହାୟତା ନଥାଏ ଅଥବା ଉଗ୍ରତା ନଥାଏ । ସିଏ ଆପଣାକୁ ଗୋଟାସୁଦ୍ଧା ସମର୍ପି ଦିଏ, ଖୁସି ହୋଇ ସମର୍ପି ଦେଇଥାଏ । ତେଣୁ ଉତ୍ତେଜିତ ହେବାର, ଈର୍ଷା କରିବାର ଆଦୌ କୌଣସି କାରଣ ନଥାଏ ଏବଂ ଭଗବାନଙ୍କୁ ଭଲ ପାଇ ତାଙ୍କରି ସକାଶେ ଜୀବନଟିକୁ ବଞ୍ଚିବା ପାଇଁ ସଂସାର ଛାଡ଼ିବା କିମ୍ବା ସଂସାର ପ୍ରତି ବିରାଗ ଅଥବା ବିରକ୍ତିଭାବ ରଖିବା ଯେ ଏକାନ୍ତ ଅବଶ୍ୟମ୍ଭାବୀ, ଏ କଥାଟିକୁ ସିଏ ମୋଟେ ସ୍ଵୀକାର କରିନିଏ ନାହିଁ । ଇଚ୍ଛାହେଲେ ସଂସାର ଛାଡ଼େ ଓ ଇଚ୍ଛାହେଲେ ସଂସାର ଭିତରେ ରହିଥାଏ । ହୁଏତ ସାମୟକ ଭାବରେ ଆପଣାକୁ ପ୍ରତ୍ୟାହୃତ କରି ନେଉଥାଏ, ମାତ୍ର ବାରମ୍ବାର ସଂସାର ଭିତରକୁ ଫେରିଆସେ । ବୃହତ୍ତର ବାସନାଟିଏ ରଖିଥାଏ ବୋଲି କ୍ଷୁଦ୍ରତର ବାସନାଗୁଡ଼ିକ ପ୍ରତି ଏକ ବୈରାଗ୍ୟର ଦୃଷ୍ଟିକୋଣ ପୋଷଣ କରୁଥାଏ । ତା’ର ଜୀବନରେ ଏହିପରି ଏକ Withdrawal ବା Returnର ଦୁଇପର୍ବ ଲାଗି ରହିଥାଏ । ତା’ର ପ୍ରତ୍ୟାହାର ସହିତ ତା’ର ପ୍ରତ୍ୟାବର୍ତ୍ତନ ଏକତ୍ର ଯୋଡ଼ା ହୋଇ ରହିଥାଏ । ତା’ର ପ୍ରତ୍ୟାହାର ଗୁଡ଼ିକ ତା’ର ପ୍ରତ୍ୟାବର୍ତ୍ତନ ଗୁଡ଼ିକୁ ଅଧିକ ଶକ୍ତିଶାଳୀ କରିବାରେ ହିଁ ସାହାଯ୍ୟ କରୁଥାଏ ।

 

ଏହିପରି ଧର୍ମର ଅସଲ ସନ୍ତକ ଓ ଅସଲ ଇପ୍‍ସିତ ହୋଇ ରହିଥିଲେ, ଆମ ପୃଥିବୀରେ ସବୁଯାକ ଧର୍ମ ଗୋଟିଏ ଗୋଟିଏ ସେତୁ ପରି ହୋଇ ରହିଥାନ୍ତେ । ସେହି ସେତୁ ଉପରେ ବାଟ ଚାଲି ମଣିଷ ଆପଣା ଭିତରେ ଯେଉଁ ପରମସଙ୍ଗ ଲାଭ କରୁଥାନ୍ତା, ତାହା ତାକୁ କଦାପି ନିଃସଙ୍ଗ ହେବାକୁ ବାଟ ଛାଡ଼ି ଦିଅନ୍ତା ନାହିଁ । ଯିଏ ନିଜ ଭିତରେ ସଙ୍ଗୀଟିଏ ପାଇଥାଏ, ବାଟଟିଏ ପାଇଥାଏ, ଅଙ୍ଗୀକୃତ ହୋଇ ପାରିଥାଏ, ସିଏ ବାହାରେ ଆମ ପୃଥିବୀରେ ଅର୍ଥାତ୍ ଆମ ସାମାଜିକ ଜୀବନରେ ମଧ୍ୟ ନିଃସଙ୍ଗତା ବଢ଼ାଇବା ଲାଗି ଅର୍ଥାତ୍ ପାଚେରୀଗୁଡ଼ାକୁ ହିଁ ସଂସାରର ସବୁଠାରୁ ବଡ଼ ବାସ୍ତବ ସତ୍ୟ ବୋଲି କହିବାକୁ କଦାପି ମନ ବଳାଏ ନାହିଁ । ବାହାରକୁ ବାଟଗୁଡ଼ାକ ଚିତା ଓ ପଇତାରେ ବିଭିନ୍ନ ହୋଇ ରହିଥିଲେ ମଧ୍ୟ ସିଏ ତଥାପି ଏପରି ଏକ ବାଟ ପାଇ ଯାଇଥାଏ, ଯେଉଁଠାରେ କି ପୃଥିବୀର ଅନ୍ୟମାନେ ତାକୁ ମୋଟେ ଅଡ଼ୁଆ ଲାଗନ୍ତି ନାହିଁ । ସମସ୍ତେ ବାଟ ଚାଲୁଥିବା ପରି ଲାଗନ୍ତି । ବହୁ ଅପୂର୍ଣ୍ଣତା ସତ୍ତ୍ୱେ ତଥାପି ବହୁ ସମ୍ଭାବନାରେ ପୂର୍ଣ୍ଣ ହୋଇ ରହିଥିଲା ପରି ଲାଗନ୍ତି । ପାଚେରୀଗୁଡ଼ାକୁ ଫରକ ଗୁଡ଼ାକୁ ଦେଖିଥିବା ମଣିଷମାନେ ହିଁ ସଂଶୟୀ ହୁଅନ୍ତି, ସଂଶୟୀମାନେ ହିଁ ସଚରାଚର ନିଃସଙ୍ଗ ହୁଅନ୍ତି । ସଂଶୟଗୁଡ଼ାକୁ ବୁଜୁଳା କରି ବାନ୍ଧିଥିବା ବିଶେଷ ଲୋକମାନଙ୍କୁ ଆମ ସଂସାରରେ ଅନେକ ସମୟରେ ପଣ୍ଡିତ ବୋଲି କୁହାଯାଏ । ସଂଶୟ ଅସଲ ଜିଜ୍ଞାସାକୁ ବଢ଼ାଏ ନାହିଁ, ଶ୍ରଦ୍ଧା ହିଁ ଜିଜ୍ଞାସାଗୁଡ଼ିକୁ ମୁକୁଳିତ କରିଆଣେ । ଆପଣାର ଗାରଗୁଡ଼ିକୁ, ଦାଗଗୁଡ଼ିକୁ, ଦୁଃଖଗୁଡ଼ିକୁ ଓ ଜ୍ଵାଳାଗୁଡ଼ିକୁ ଅତି ସଚେତନ ଭାବରେ ଫୁଲାଇ ଦେଖାଉଥିବା ମଣିଷମାନେ ଜିଜ୍ଞାସୁ ହୋଇ ପାରନ୍ତି ନାହିଁ । ସେହିମାନେ ହିଁ ନିଃସଙ୍ଗ ହୁଅନ୍ତି । ବାହାରକୁ ବୈରାଗ୍ୟର ମୁଣାଗୁଡ଼ାକୁ ଫୁଲାଇ ବାଘ ପରି ଦେଖା ଯାଉଥାନ୍ତି, ମାତ୍ର ଭିତରେ ଟିଙ୍କଟିଏ ହୋଇ ଆପଣାକୁ ହିଁ କାମୁଡ଼ି ଧରିଥାନ୍ତି ।

 

ଭଗବାନଙ୍କ ପାଖରେ ଯିଏ ମାଗେ, ସିଏ ନିଃସଙ୍ଗ ହୁଏ । ନିଃସଙ୍ଗ ମଣିଷ ଅଧିକାଂଶ ସ୍ଥଳରେ ଆଗ ଭଗବାନଙ୍କୁ ନୁହେଁ, ଆଗ ନିଜକୁ ହିଁ ଦେଖୁଥାଏ; ଆପଣା ଲାଭର ବଜାରରେ ସିଏ ନିଜର କଳ୍ପିତ ଭଗବାନଙ୍କୁ ବଟି କରି ବ୍ୟବହାର କରୁଥାଏ । ନିଜ ଠାକୁରମାନଙ୍କୁ ସିଏ ବଜାରରେ ଚଳୁଥିବା ଅନ୍ୟ ଠାକୁରମାନଙ୍କ ସହିତ ତୁଳନା କରି ନିଜଗୁଡ଼ାକୁ ହିଁ ବଡ଼, ବୋଲି କହେ । ନିଜର ବାଟଟିକୁ ଏକମାତ୍ର ଅସଲ ବାଟ ବୋଲି ପ୍ରମାଣ କରିବାକୁ ସିଏ ଦଣ୍ଡ ଧରି ବାହାରେ, ଦଣ୍ଡୀ ହୁଏ । ଶତ୍ରୁମାନଙ୍କୁ ପରାସ୍ତ କରେ, ଦିଗ୍‍ବିଜୟରେ ବାହାରେ । ତେଣେ ନିଜ ଭିତରେ ଭାରି ନିଃସଙ୍ଗ ହୋଇ ପଡ଼ିଥାଏ । ସିଏ ସତେଅବା ନିଜ ଭିତରେ ଆଦୌ କିଛିହେଲେ ପାଇନଥାଏ । ଶ୍ରଦ୍ଧାଠାରୁ ବହୁଦୂର ହୋଇ ରହିଥାଏ । ତାର ଗୁରୁମାନେ ତା’ ଗୋଡ଼ରେ ସତେଅବା ପଥର ହୋଇ ବନ୍ଧାହୋଇ ରହିଥାଆନ୍ତି । ତା’ର ଶାସ୍ତ୍ରଗୁଡ଼ାକ ତା’ ମୁଣ୍ଡ ଉପରେ ବସ୍ତାନି ହୋଇ ବୁହା ହେଉଥାନ୍ତି । ତା’ ଭିତରେ ଡଉଲଡ଼ାଉଲ ବିଦ୍ୟାପ୍ରବୀଣ ନାସ୍ତିକଟିଏ ତା’ର ଦୋସର ହୋଇ ରହିଥାଏ, ତା’ ସହିତ ନିତ୍ୟକଳହ କରିବାରେ ଲାଗିଥାଏ ।

 

ତେଣୁ ଆମେ ଧର୍ମ ଭିତରକୁ ଶ୍ରଦ୍ଧାର ସହିତ ଯିବା ନା ଗୁଡ଼ାଏ ବୈରାଗ୍ୟ ଅର୍ଥାତ୍‍ ସଂଶୟକୁ ବହୁବିଧ ଆଡ଼ମ୍ବର ସହିତ ମୁଣ୍ଡରେ ମୁଣ୍ଡାଇ ଧର୍ମ ଭିତରେ ପ୍ରବେଶ କରିବା ? ସେତୁଟିଏ ଖୋଜିବା, ବାଟଟିଏ ଚାଲିବା ଏବଂ ଆବିଷ୍କୃତ ଡୋରଗୁଡ଼ିକ ଅନୁସାରେ ଜୀବନଟିଏ ବରିବା ନା ଆପଣାକୁ ନିରନ୍ତର ବିକଳ ଓ ପ୍ରତ୍ୟାଖ୍ୟାନ ଦୀନ ମଣିଷଟିଏ ପରି ଅନୁଭବ କରି ଆପଣା ବିରକ୍ତିଗୁଡ଼ାକର ଦାଉରେ ଧର୍ଷିତ ହେବାରେ ଲାଗିଥିବା ? ଆପଣାର ଜୀବନରେ ଯେ ଅସଲ ସେତୁଟିର ସ୍ପର୍ଶ ପାଏ, ସିଏ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଭଗବାନଙ୍କ ପାଖରେ ଜଣାଇବାକୁ ଭୁଲିଯାଏ । ସିଏ ତାଙ୍କର ହୋଇଯାଏ । ଅଭିଯୋଗ କରେନାହିଁ, ମାନ କରେ ନାହିଁ କି ଦ୍ଵେଷ କରେନାହିଁ । ତାଙ୍କରି ପାଇଁ ଜୀବନ ବଞ୍ଚେ । ତେଣୁ ଖୁସି ହୋଇ ବଞ୍ଚେ । ଶ୍ରଦ୍ଧାରେ ଅର୍ଜନ କରେ ଏବଂ ସେହି ଅର୍ଜନ ଗୁଡ଼ିକୁ ଶ୍ରଦ୍ଧାର ସହିତ ତାଙ୍କରି ପାଖରେ ସମର୍ପଣ କରି ଦେଇଥାଏ । ଶ୍ରଦ୍ଧାର ସହିତ ବିକଶିତ ହୁଏ । ନିଜ ଭିତରର ଅନନ୍ତ ସମ୍ଭାବନାକୁ ଗୋଟି ଗୋଟି କରି ଫୁଟାଇ ଆଣିବାରେ ଲାଗିଥାଏ । ନିଃସଙ୍ଗ ହେବାକୁ ତା’ ପାଖରେ ମୋଟେ କୌଣସି ଫୁରସତ୍‍ ନଥାଏ । ଦୂରଛଡ଼ା ହୋଇ ରହିବାକୁ ମଧ୍ୟ ବେଳ ନଥାଏ । ଏହି ସଂସାରରେ ଅନ୍ୟ ମଣିଷମାନଙ୍କ ନିମନ୍ତେ କେବଳ ସେଇ ଅସଲ ସଙ୍ଗୀ ହୋଇପାରେ । ମିଛୁଆମାନଙ୍କର ନିଃସଙ୍ଗତା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ସେଇ ଆୟୁଧ ପରି କାର୍ଯ୍ୟ କରେ । ଧନୁର୍ଦ୍ଧର ପାର୍ଥ ହୋଇ ବାହାରିପାରେ । ସିଏ କିଛି ମାଗେନାହିଁ ସତ, ମାତ୍ର ତା’ ଜୀବନ ସତେଅବା ସର୍ବଦା ହିଁ ପରିପୂର୍ଣ୍ଣ, ଉଦ୍ୟତ ଓ ସମ୍ମତ ହୋଇ ରହିଥାଏ । ସମ୍ମତ ମଣିଷମାନଙ୍କୁ ନିଃସଙ୍ଗତା ସ୍ପର୍ଶ କରିପାରେ ନାହିଁ । ପୃଥିବୀର ଅସଲ ଧର୍ମଗୁଡ଼ିକ ମଣିଷମାନଙ୍କୁ ଅଧିକରୁ ଅଧିକ ସମ୍ମତ ଓ ପ୍ରସ୍ତୁତ କରିବା ନିମନ୍ତେ ହିଁ ଉଦ୍ଦିଷ୍ଟ ହୋଇ ରହିଥାନ୍ତି । ଯେଉଁ ଅନ୍ୟ ଧର୍ମମାନେ ମଣିଷକୁ ବିରକ୍ତ ହେବାରେ, ଅଭିମାନୀ ହେବାରେ ଏବଂ ମିଛ ମାଗିବା ଗୁଡ଼ାକରେ ସାହାଯ୍ୟ କରନ୍ତି, ସେମାନେ ତାକୁ ରୋଗୀ କରି ରଖିଥାନ୍ତି, ଅଫିମ ଖୁଆଇ ରଖିଥାନ୍ତି । ତୁଚ୍ଛା ଆତ୍ମକେନ୍ଦ୍ରୀ କରି ରଖିଥାନ୍ତି । ଆତ୍ମକେନ୍ଦ୍ରୀ ମଣିଷମାନଙ୍କର ଜୀବନରେ କେବେହେଲେ ସିନ୍ଦୁରା ଫାଟେ ନାହିଁ, ସେମାନଙ୍କର ବିଚାରରେ କେବେହେଲେ ଫୁଲଟିଏ ଫୁଟେନାହିଁ । ସେମାନେ କେବେହେଲେ ଅଭିସାରରେ ବାହାରି ପାରନ୍ତି ନାହିଁ । ଏତେ ପବନ ଓ ଆଲୁଅ ଭିତରେ ତଥାପି ଅମୁହାଁ ହୋଇ ରହିଥାନ୍ତି । ଭାରି ନିଃସଙ୍ଗ ହୋଇ କାଳ କାଟୁଥାନ୍ତି । (୨୮ । ୯ । ୮୮)

 

(୫୯)

 

ଆମ ପୃଥିବୀରେ ଅନେକ ମଣିଷ ଯେଉଁଭଳି ନାନା କାରଣରୁ ବିରକ୍ତ ଓ କ୍ଷତବିକ୍ଷତ ହୋଇ ଭଗବାନଙ୍କ ପାଖକୁ ଆସନ୍ତି, ଭଗବାନଙ୍କୁ ମଧ୍ୟ ଗିଳି ପକାଇବାକୁ ଇଚ୍ଛା କରୁଥାଆନ୍ତି, ପ୍ରାୟ ସେହିପରି ଭାବରେ ଅନେକ ମଣିଷ ଅତ୍ୟନ୍ତ ଉପବାସୀ ହୋଇ ରହିଥିବା ପରି ସେକ୍‍ସ୍‍ ଅର୍ଥାତ୍ ଯୌନଭୋଗ ଭିତରକୁ ଆସିଥାଆନ୍ତି । ସେମାନେ ବି ଆପଣାର ଯୌନକାମନାକୁ ଚରିତାର୍ଥ କରିବାକୁ ଯାଇ ସତେଅବା ଖାଲି ଗିଳି ପକାଇବାକୁ ଇଚ୍ଛା କରୁଥାଆନ୍ତି । ସେମାନଙ୍କ ଭିତରେ ସତେଅବା କୋଉଠି କ’ଣ ଭାରି ଖଣ୍ଡିଆ ହୋଇ ରହିଥାଏ; ଏବଂ ଖଣ୍ଡିଆ ହୋଇ ରହିଥିବାରୁ ଭାରି ଆତୁର ହୋଇ ରହିଥାଏ; ହୁତୁହୁତୁ ହୋଇ ଜଳୁଥାଏ, ଗ୍ରାସ କରିବାକୁ ଇଚ୍ଛା କରୁଥାଏ, ସତେଅବା ଈର୍ଷାପରାୟଣ ହୋଇ କେଉଁଠି କେଉଁ କୋମଳ କମଳବନ ଭିତରେ ପଶି ତାହାକୁ ଦଳି ପକାଇବାକୁ ଇଚ୍ଛା କରୁଥାଏ । ଯୌନ କାମନାକୁ ଜୀବନର ଏକ ସୁସ୍ଥ ଆଚାରର ସମଗ୍ରତା ଦେଇ ଯେଉଁ ବୃହତ୍ତର ବୃତ୍ତଟି ତାକୁ ଘେରି ରହିଥାଏ, ତାହାର ନାମ ହେଉଛି ପ୍ରେମ । ପ୍ରେମ ଗିଳି ପକାଏ ନାହିଁ, ପ୍ରେମ ଆପଣାକୁ ଦିଏ । ପ୍ରେମ ଆଉ କାହାର ହୋଇଯାଏ, ସେଇଥିରୁ ଏକ ପରିପୂର୍ଣ୍ଣତାର ସ୍ଵାଦଲାଭ କରିଥାଏ । ଆପଣାକୁ ନିଃଶେଷ କରି କେଉଁଠାରେ ଦେଇଦେବା ଏବଂ ସେଇଥିରୁ ହିଁ ଆପେ ପରିପୂର୍ଣ୍ଣ ହୋଇ ଯାଉଥିବା ପରି ଅନୁଭବ କରିବା । ଜୀବନର ସମୃଦ୍ଧି ଏବଂ ଅଭିବୃଦ୍ଧି ନିମନ୍ତେ ଯେପରି ଅନ୍ନର ଆବଶ୍ୟକତା ରହିଛି, ଏହି ପ୍ରେମର ମଧ୍ୟ ଠିକ୍‍ ସେହିପରି ଆବଶ୍ୟକତା ରହିଛି ।

 

ଜଣେ ମଣିଷ ଭଗବାନଙ୍କ ପାଖରେ ଯେପରି ଆପଣାକୁ ଦେଇପାରେ, ଜଣେ ମନୁଷ୍ୟ ପାଖରେ ମଧ୍ୟ ଠିକ୍‍ ସେହିପରି ଭାବରେ ଆପଣାକୁ ଦେଇ ଦେଇପାରେ । ଗ୍ରୀକ୍‍ ଭାଷାରେ ଗୋଟିକୁ Agape ବୋଲି କୁହାଯାଇଛି, ଆରଟିକୁ Eros ବୋଲି କୁହାଯାଇଛି । Agape ବା Eros ମଧ୍ୟରେ ସତକୁସତ କୌଣସି ଅନ୍ତର୍ଗତ ଦ୍ଵନ୍ଦ୍ୱ ବା ବିରୋଧ ନାହିଁ । କେବଳ ଏକ ଭୂମିଗତ ପାର୍ଥକ୍ୟ ରହିଛି । ଭାରତୀୟ ବୈଷ୍ଣବଧର୍ମ ଏବଂ ଇସ୍‍ଲାମ୍‍ର ସୁଫୀମାର୍ଗ ବହୁ ପରିମାଣରେ ଏହି ଦୁଇଟି ମେରୁ ମଧ୍ୟରେ ଏକ ସମନ୍ୱୟ ସ୍ଥାପନ କରିବା ଲାଗି କେତେ ଚେଷ୍ଟା କରିଛି । ମାତ୍ର ବହୁ ସାମାଜିକ ତାତ୍କାଳିକତା ମଧ୍ୟରେ ପଡ଼ି ନାନାଭାବେ ବିକୃତ ମଧ୍ୟ ହୋଇଯାଇଛି । ଯେତେବେଳେ Agape କୌଣସି କାରଣରୁ ତଥାକଥିତ କେବଳ ଆନନ୍ଦକୁ ଆବୋରି ରହିବ ବୋଲି ଅନ୍ୟଠାରୁ ଦୂରଛଡ଼ା ହୋଇ ରହିଛି, ସେତିକିବେଳେ Agape ଏବଂ Eros ଦୁଇଟିଯାକ କ୍ଷେତ୍ରରେ ବହୁ ପ୍ରମାଦ ଆସି ପହଞ୍ଚିଛି । ଠିକ୍‍ ସେହିପରି, ଅନ୍ୟ ପକ୍ଷରେ, ଯେତେବେଳେ Eros ମଧ୍ୟ କୌଣସି କାରଣରୁ ତଥାକଥିତ କେବଳ ଅନ୍ନକୁ ହିଁ ସର୍ବସ୍ଵ ମଣିଛି, ସେତେବେଳେ ମଧ୍ୟ Agape ଓ Eros ଉଭୟ କ୍ଷେତ୍ରରେ ପ୍ରମାଦର ସୃଷ୍ଟି ହୋଇଛି । ସେତେବେଳେ ଉଭୟ କ୍ଷେତ୍ରରେ ବହୁ ସ୍ଵାଧିକାର ପ୍ରମତ୍ତତା ଆସି ଉପସ୍ଥିତ ହୋଇଛି ଓ ଜୀବନର ଘରଟିକୁ ନାନାଭାବେ ଭଣ୍ଡୁର କରିଦେଇଛି । ସେତେବେଳେ ଅନ୍ନ କେବଳ ଅନ୍ନର ସୀମାରେ ହିଁ ଆତ୍ମସର୍ବସ୍ଵ ହୋଇ ରହିବାକୁ ମନ କରେ, ସେତେବେଳେ ସେହି କ୍ଷେତ୍ରରେ ପ୍ରଧାନତଃ ଏକ କାମୁକତା ହିଁ ରାଜା ହୋଇ ବସିବାକୁ ଆସେ ଏବଂ ସୁସ୍ଥତାର ସକଳ ସୋପାନକ୍ରମକୁ ଭଣ୍ଡୁର କରିଦିଏ । ଏବଂ ଅନ୍ୟ ପକ୍ଷରେ, ଯେତେବେଳେ ଆନନ୍ଦ ବା Agape ଶ୍ରଦ୍ଧାଦ୍ଵାରା ଅନ୍ନ ଆଡ଼କୁ ନତ ହୋଇ ଆସିବାକୁ ମନା କରିଦିଏ, ସେତେବେଳେ ତାହା ଉପେକ୍ଷା ଭିତରେ ଆତ୍ମଜର୍ଜର ହୋଇ ରହିଯାଏ । ସେହି ଉପେକ୍ଷାକୁ ମଧ୍ୟ ଆମେ ଏକ ପ୍ରକାରର କାମୁକତା ବୋଲି କହିପାରିବା । ଆନନ୍ଦକୁ ଅସ୍ଵୀକାର କରି ଅନ୍ନ ଉଗ୍ର ହୁଏ । ସେତେବେଳେ ପ୍ରେମ କାମରେ ହିଁ ପରିଣତ ହୋଇଯାଏ । ସେହିପରି ଅନ୍ନକୁ ଅସ୍ଵୀକାର କରି ଆନନ୍ଦ ମଧ୍ୟ ନିମର୍ମ ହୁଏ–ବହୁବିଧ ଉପେକ୍ଷା ଏବଂ ବର୍ଜନ ମଧ୍ୟରେ କଳୁଷିତ ହୋଇ ରହିଯାଏ ।

 

ସମାଜର ବେଷ୍ଟନୀ ଭିତରେ ପଡ଼ି, Agape ଏବଂ Eros ଉଭୟେ ସମାଜରେ ଚଳୁଥିବା ନାନା ଛାଞ୍ଚ ଭିତରେ ଆବଦ୍ଧ ହୋଇ ରହିବାକୁ ଭାରି ବାଧ୍ୟ ହୁଅନ୍ତି । ଆଧ୍ୟାତ୍ମିକତା ଯେତେବେଳେ କେତେଟା ସୂତ୍ରରେ ଓ ଧର୍ମରେ ପରିଣତ ହୋଇଯାଏ, ଛାଞ୍ଚ ଭିତରେ ରହିବାକୁ ହିଁ ଧର୍ମ ବୋଲି କୁହାଯାଏ ଏବଂ ଏହି ଛାଞ୍ଚରୁ ବାହାର ହୋଇ ରହିବାକୁ ଅଧର୍ମ ବୋଲି କହି ନିନ୍ଦା କରାଯାଏ । ସଂହିତାକାରମାନେ ପ୍ରାୟ ସେହି ଅନୁସାରେ ହିଁ ଧର୍ମ ଓ ଅଧର୍ମର ବ୍ୟାଖ୍ୟାନ କରନ୍ତି । ସେହି ବ୍ୟାଖ୍ୟାନମାନଙ୍କରେ ଦେବତାମାନଙ୍କୁ ଆଣି ଜଡ଼ିତ କରି ଦିଆଯାଏ । ସ୍ୱର୍ଗ ଓ ନର୍କର ବହୁଚିତ୍ରିତ ଭିଆଣଗୁଡ଼ାକୁ ଆଣି ଜଡ଼ିତ କରି ଦିଆଯାଏ । ସେହି ଅନୁସାରେ ପୁଣ୍ୟ ତଥା ଅପରାଧର କୋଷଗୁଡ଼ିକର ପ୍ରଣୟନ ମଧ୍ୟ କରାଯାଇଥାଏ । ତେଣେ ତୁଚ୍ଛା ସମାଜର ବରାଦ ଅନୁସାରେ ଏକ ନୈତିକତାର ମଧ୍ୟ ଭିଆଣ କରାଯାଏ, ଯାହାକି ଆମ ପ୍ରେମସମ୍ବନ୍ଧ ତଥା ଯୌନ ସମ୍ବନ୍ଧର ସମଗ୍ର କ୍ଷେତ୍ରଟି ଉପରେ ସତେଅବା ରଜା ହୋଇ ବସିଥାଏ । ଆମ ପୃଥିବୀ-ଇତିହାସର ଏକ ସବୁଠାରୁ ବିଡ଼ମ୍ବନା ହେଉଛି ଯେ, ଏଠି ଯେଉଁମାନେ ସମାଜରେ କ୍ଷମତାରେ ରହିଥାନ୍ତି, ପ୍ରାୟ ସେହିମାନେ ହିଁ ଧର୍ମରେ ମଧ୍ୟ କ୍ଷମତାରେ ଥାଆନ୍ତି । ତେଣୁ ସମାଜର ଚଳଣିଗୁଡ଼ାକୁ ହିଁ କେଡ଼େ ଚତୁର ଭାବରେ ଧର୍ମ ବୋଲି ଘୋଷଣା କରି ଦିଆଯାଏ । ମଣିଷର ଭଲ ପାଇବା, ମଣିଷର ଘୃଣା କରିବା, ମଣିଷର ଉଚିତ ପଥରେ ଚାଲିବା ଏବଂ ଅନୁଚିତ ମାର୍ଗରେ ପଶି ଭ୍ରଷ୍ଟ ହୋଇଯିବା, ଏହି ସବୁକିଛି ସମାଜର ନିୟମଗୁଡ଼ାକ ଦ୍ଵାରା ନିୟନ୍ତ୍ରିତ ହେଉଥାଏ । ମଣିଷ ଭିତରେ ଏକ ସ୍ଵାଧୀନ ଆତ୍ମା ଅର୍ଥାତ୍ ପ୍ରସାରଣ ଲୋଭୀ ଏକ ଅନନ୍ତ ଶିଶୁ ରହିଛି ବୋଲି ଆମ ଭିତରୁ ଯେଉଁମାନେ ଅନୁଭବ କରୁଥିବେ, ସେମାନେ ସେହି ଆତ୍ମାକୁ ଓ ତା’ର ସମ୍ଭାବ୍ୟ ପ୍ରସାରଣଗୁଡ଼ାକୁ ହିଁ ଯେକୌଣସି ସମାଜରେ ନିୟନ୍ତ୍ରଣ ଓ ପ୍ରସୀମନ ଗୁଡ଼ିକ ଅପେକ୍ଷା ଅବଶ୍ୟ ଅଧିକ ମୂଲ୍ୟ ଦେଇ ଦେଖିବେ । ସେମାନେ କହିବେ, ସମାଜର ଆଚାର ଏବଂ ବିଧାନ ଗୁଡ଼ିକ ଏପରି ହେବା ଉଚିତ, ଯେପରିକି ମଣିଷକୁ ସେହି ପ୍ରସାରଣ ନିମନ୍ତେ ଯଥାସମ୍ଭବ ଅଧିକ ଅନୁକୂଳତା ଓ ଉତ୍ସାହ ମିଳି ପାରୁଥିବ । ମାତ୍ର, ପୃଥିବୀର ଅଧିକାଂଶ ଧର୍ମ ଓ ସମାଜ ସେଭଳି ଆଚରଣ କରନ୍ତି ନାହିଁ । ସେମାନେ ଆଧ୍ୟାତ୍ମିକତାକୁ ପଛରେ ପକାଇ ରଖିବାକୁ ଇଚ୍ଛା କରୁଥାନ୍ତି, ଭଲ ପାଇବାକୁ ଆତ୍ମନିବେଦନର ସେହି ମହତ୍ ଆକାଙ୍‍କ୍ଷାଟିକୁ ମଧ୍ୟ ଛାଞ୍ଚରେ ପକାଇ ରଖିବାକୁ ଇଚ୍ଛା କରୁଥାନ୍ତି । ମନୁଷ୍ୟର ତା’ର ପରିବେଷ୍ଟନୀ ସହିତ ସେଇଥିପାଇଁ ଝଗଡ଼ା ଲାଗେ ଏବଂ ସେଇଥିରୁ ଏକ ନିଃସଙ୍ଗତାବୋଧ ଜନ୍ମଲାଭ କରିଥାଏ । ତାହା ଆହୁରି ଅନେକ ପ୍ରକାରର ନିଃସଙ୍ଗତାବୋଧ ମଧ୍ୟକୁ ସଂକ୍ରମିତ ହୋଇଥାଏ ।

 

ଆଧ୍ୟାତ୍ମିକତା ହିଁ ଧର୍ମକୁ ଚଳାଇବ । ଯେଉଁଠି ଧର୍ମ ଶାଶୁ ପରି ହୋଇ ଆଧ୍ୟାତ୍ମିକତା ନାମକ ବୋହୁକୁ ବୋଲ ବତାଇବାକୁ ଆରମ୍ଭ କରେ, ସେଠାରେ ନାନା ନିଃସଙ୍ଗତାବୋଧ ଆସି ମଣିଷର ଅସଲ ଆକାଙ୍‍କ୍ଷା ଓ ପିପାସା ଗୁଡ଼ିକ ସହିତ ଗୋଳ ଲଗାନ୍ତି । ଭଲ ପାଇବା ହିଁ ସମାଜକୁ ଚଳାଉଥାନ୍ତା । ଅଧିକାଂଶ କ୍ଷେତ୍ରରେ ସମାଜ ଭଲ ପାଇବାକୁ ଚଳାଇବାର ଧୃଷ୍ଟତା କରୁଥିବାରୁ ହିଁ ସମାଜସ୍ଥ ମଣିଷ ହୃଦୟ ଭିତରେ ଭାରି ବଞ୍ଚିତ ହୋଇ ରହୁଛି । ଅସୁସ୍ଥ ଅଥଚ ଚତୁର ନିୟମଗୁଡ଼ାକର ଜାଲରେ ମଣିଷର ହୃଦୟ ଛଟପଟ ହେଉଛି ଏବଂ ଆପଣାର ଅସଲ ଐଶ୍ୱର୍ଯ୍ୟଗୁଡ଼ିକରୁ ଖିଅ ଛିଣ୍ଡାଇ ରହିଥିବା ପରି ବଡ଼ ନିଃସଙ୍ଗ ହୋଇ ରହିଛି । ପରସ୍ପରକୁ ଭଲ ପାଇ, ପରସ୍ପରକୁ ସ୍ଵୀକାର କରିନେଇ ସଂସାରରେ ସଙ୍ଗୀ ହୋଇ ଜୀବନଯାପନ କରିବା ଲାଗି ମନୁଷ୍ୟମାନଙ୍କୁ ଏକ ଅବସର ଆଣି ଯୋଗାଇ ଦେବାଲାଗି ଭାରତବର୍ଷରେ ଆମ ସମାଜ ବିବାହ ନାମକ ଯେଉଁ ଅନୁଷ୍ଠାନଟି ତିଆରି କରିଛି, ସେଥିରେ ହୃଦୟ ଲାଗି କେତେ ଅଳପ ଥାନ ରହିଛି । ଆମ ଶାସନରେ ପତ୍ନୀକୁ ସହଧର୍ମିଣୀ ବୋଲି କୁହାଯାଉଛି, ମାତ୍ର ଜୀବନର ଯାବତୀୟ ଅବସରରେ ତାକୁ ଦାସୀ ପରି ଵ୍ୟବହାର କରାଯାଉଛି । ସମ୍ପତ୍ତି ପରି ବ୍ୟବହାର କରାଯାଉଛି, ଅନ୍ୟାନ୍ୟ ସମ୍ପତ୍ତି ସହିତ ତାକୁ ଘରକୁ ଆଣିବାକୁ ବିବାହ ବୋଲି କୁହାଯାଉଛି । କାହାର କେତେ ସମ୍ପତ୍ତି ରହିଛି, କାହା ହାତରେ କେତେ କ୍ଷମତା ରହିଛି, ପ୍ରାୟ ସେହି ଅନୁସାରେ ଆମର ଗୁରୁଜନମାନେ ଆମର ବିବାହ ନିରୂପିତ୍ତ କରି ଦେଉଛନ୍ତି । ତେଣୁ ବିବାହ ଜୀବନରେ ମଧ୍ୟ ପତି ଓ ପତ୍ନୀ ପରସ୍ପର ମୂଳତଃ ମଣିଷ ହିସାବରେ, ମୂଳତଃ ସଙ୍ଗୀ ହିସାବରେ ସ୍ଵୀକାର କରିନେଇ ପାରୁ ନାହାନ୍ତି । ଏକ ଦୂରତା ଅତ୍ୟନ୍ତ ଭୟାବହ ହୋଇ ରହିଯାଉଛି । କ୍ଷେତ୍ରବିଶେଷରେ ସତେଅବା ଏକ ଅନ୍ତଗର୍ତ ଶୂନ୍ୟସ୍ଥାନରେ କ୍ଷତିପୂରଣ କରୁଥିବା ପରି ଉଭୟେ ଉଭୟଙ୍କ ପାଖରେ ଶାର୍ଦ୍ଦୂଳବତ୍ ଆଚରଣ କରୁଛନ୍ତି । ବେଳେବେଳେ ମେଷ–ଶାବକଟିଏ ବି ବନି ଯାଉଛନ୍ତି । ତେଣେ ସଂସାର ଛାଡ଼ି ଯାଇଥିବା ଆମର ଯତି ଓ ବୈରାଗୀମାନେ ଆମଲାଗି ଯେଉଁ ନୈତିକ ବିଧାନମାନ ବାଢ଼ି ରଖିଛନ୍ତି, ସେଥିରେ ଯୌନବାସନାକୁ ଏକ ନିକୃଷ୍ଟ ବାସନା ବୋଲି ବର୍ଣ୍ଣନା କରାଯାଇଛି । ଆମେ ସଂସାରରେ ଥିବା ଲୋକମାନେ ସତେଅବା କୌଣସି ଅପରାଧ କରୁଥିବା ପରି ସେହି ବାସନାର ଆବଶ୍ୟକତା ଗୁଡ଼ିକ ଲାଗି ଆପଣାର କର୍ତ୍ତବ୍ୟ କରିବାରେ ଲାଗିଛୁ । ଅପରାଧବୋଧ ନିଃସଙ୍ଗତାବୋଧର ଜନନୀ ପରି କାର୍ଯ୍ୟ କରେ । କାମୁକତା ପ୍ରେମର ଯାବତୀୟ ଅବସରକୁ ପଣ୍ଡ କରି ରଖିଥାଏ । ଅପରାଧବୋଧୀ ହିଁ ପ୍ରାୟ ନିୟମତଃ କାମୁକ ପରି ଆଚରଣ କରେ । ସିଂହବତ୍‍ ଲମ୍ଫ ପ୍ରଦାନ କରେ ଏବଂ ଶଶକବତ୍‍ ପଳାଏ ଏବଂ ଉଭୟ କ୍ଷେତ୍ରରେ ଲମ୍ଫପ୍ରାଦନ କରୁଥିବା ବେଳେ ତଥା ପଳାଉଥିବା ବେଳେ, ତାକୁ ଏକ ନିଃସଙ୍ଗତା ଅତ୍ୟନ୍ତ ଉଗ୍ର ଭାବରେ ଖାଇଯିବାରେ ଲାଗିଥାଏ । ଆମର ସେହି କାମୁକତା ଏବଂ ସେହି ନିଃସଙ୍ଗତା ଗୁଡ଼ିକୁ ପଣ୍ୟସମ୍ଭାର କରି ଆମ ଗଳ୍ପକାରମାନେ ଗଳ୍ପ ଲେଖନ୍ତି, କବିମାନେ କବିତା ଲେଖନ୍ତି । ଆମ ଅସ୍ଵାଭାବିକ ବହୁ ବଞ୍ଚନା ଓ ପ୍ରବଞ୍ଚନାମାନେ ଭଲ ପାଇବାର ପରିଚ୍ଛଦ ପିନ୍ଧି ଆମର ଲମ୍ଫପ୍ରଦାନ ତଥା ପଳାୟନ ଉଭୟଟିକୁ ହିଁ ବହୁ ମିଥ୍ୟାଦ୍ଵାରା ମଞ୍ଜୁଳ କରି ରଖିଥାନ୍ତି । ଆମ ଭିତରର ଅପରାଧୀମାନେ ଓ କାମୁକମାନେ ସେଥିରୁ କେତେ ଆନନ୍ଦ ପାଆନ୍ତି । ମାତ୍ର ଅସଲ ମଣିଷଟି ଭାରି ନିଃସଙ୍ଗ ହୋଇ ରହିଥାଏ, ଅସ୍ଵୀକୃତ ହୋଇ ରହିଥାଏ । ଆମର ଗଳ୍ପକାର ଓ କବିମାନେ ତା’ ଦୁଃଖଗୁଡ଼ିକୁ ପ୍ରକୃତରେ କେତେ କମ୍‍ ଜାଣିଥାନ୍ତି ! (୫ । ୧୦ । ୮୮)

 

(୬୦)

 

ଜୀବନକୁ ଗୋଟିଏ ରୁଟିନ୍‍ ଭିତରେ ପକାଇଦେଲେ ଜୀବନଟା ସହଜ ହୋଇଯିବ ବୋଲି ମଣି ଅନେକ ମଣିଷ ରୁଟିନ୍‍ ବ୍ୟତୀତ ସତେଅବା ଆଉ କିଛିହେଲେ ବୁଝନ୍ତି ନାହିଁ । ସେମାନେ ବି ନିଃସଙ୍ଗ ହୁଅନ୍ତି । ଜୀବନ କହିଲେ ସେମାନେ ଏକ ନିର୍ଦ୍ଦିଷ୍ଟ ରୁଟିନ୍‍କୁ ହିଁ ବୁଝନ୍ତି । ଉଦାହରଣ ଖୋଜିବାକୁ ଯାଇ ସେମାନେ କେଡ଼େ ଉତ୍ସାହରେ ଆମକୁ ମହୁମାଛି ମାନଙ୍କର କଥା କହନ୍ତି । ପିମ୍ପୁଡ଼ି ଓ ଉଇମାନଙ୍କର କଥା କହନ୍ତି । ଛାର ପିମ୍ପୁଡ଼ିଟାଏ କି ଊଇଟାଏ କି ମହୁମାଛିଟାଏ, ସେମାନେ କେତେ ଶୃଙ୍ଖଳାର ସହିତ ଜୀବନ ବଞ୍ଚୁଛନ୍ତି । ସେମାନଙ୍କର ଧାରାକୁ ଅନୁସରଣ କରିପାରିଲେ ମଧ୍ୟ ଉନ୍ନତିସାଧନ କରିପାରନ୍ତା ବୋଲି ସେମାନେ ଆମକୁ ଉପଦେଶର ଛଳରେ କେତେ ପ୍ରେରଣା ଦେବାକୁ ଇଚ୍ଛା କରୁଥାନ୍ତି । ଶୃଙ୍ଖଳା କହିଲେ ହିଁ ସେମାନେ ତୁଚ୍ଛା କେତେଟା ରୁଟିନ୍‍କୁ ମାନିବା ବୋଲି ବୁଝନ୍ତି । ଆବହମାନ କାଳରୁ ଊଇ, ପିମ୍ପୂଡ଼ି ଓ ମହୁମାଛିମାନେ ଆପଣାର ବଂଶମଜ୍ଜାଗତ କେତେଟା ରୁଟିନ୍‍କୁ ମାନି ଆସୁଛନ୍ତି । ଏକ ଲକ୍ଷ ବର୍ଷ ପୂର୍ବେ ଏହି ପୃଥିବୀରେ ଊଇ ପିମ୍ପୂଡ଼ି ଓ ମହୁମାଛିମାନେ ଯେଭଳି ଆଚରଣ କରୁଥିଲେ, ଏବେ ମଧ୍ୟ ସେମାନେ ଠିକ୍‍ ସେହିଭଳି ଆଚରଣ କରୁଛନ୍ତି । ସେଥିରେ ଏହି ଦୀର୍ଘ ଅବଧି ମଧ୍ୟରେ ଏତେ ଟିକିଏ ମଧ୍ୟ ଏପାଖ ସେପାଖ ହୋଇନାହିଁ । ମଣିଷ ମଧ୍ୟ ଠିକ୍‍ ସେହିପରି କରୁ ; କୁଷ୍ଟିଆଡ଼େ ମନ ନଦେଇ ସିଏ ପ୍ରାୟ ଏକ ସହଜାତ ପ୍ରବୃତ୍ତି ଦ୍ଵାରା ପରିଚାଳିତ ହୋଇ ଏକ ନିର୍ଦ୍ଦୋଷ ଯନ୍ତ୍ରବତ୍‍ କାର୍ଯ୍ୟ କରୁ, ତେବେ ସିଏ କେତେବଡ଼ ହୋଇ ପାରିବ, କେତେ କ’ଣ ହାସଲ କରିପାରିବ । ଅଧିକ ହାସଲ କରିବା ଯେଉଁ ଯୁଗରେ ବା ଯେଉଁସବୁ ସମାଜମାନଙ୍କରେ ହାଟର ବା ଦାଣ୍ଡର ଆଦର୍ଶ ହୋଇ ରହିଥାଏ, ସେହି ଯୁଗ ବା ସମାଜ ସତେଅବା ଭାରି ଫୁସଲେଇବା ପରି ଆମକୁ ଏହିସବୁ କଥା କହି ଆସିଛି । ଆମେ ଅନେକ ଗୋଟାଏ ଗୋଟାଏ ମଣିଷ ହୋଇ ମଧ୍ୟ ସେହି ଫୁସୁଲାରେ ଅନେକ ସମୟରେ ଭାରି ଚହଲି ଯାଇଛୁ, ଭାରି ମଙ୍ଗି ଯାଇଛୁ, ଏବଂ ନିଃସଙ୍ଗତାର ଶିକାର ହୋଇଛୁ । ଆମର ସ୍ତୂପ ସ୍ତୂପ ସମ୍ପତ୍ତି, ଅତୁଳ କ୍ଷମତା ଓ ଏଡ଼େଏଡ଼େ ଦମ୍ଭ ଓ ଆଡ଼ମ୍ବର ଆମକୁ ସେହି ନିଃସଙ୍ଗତାରୁ ମୋଟେ ରକ୍ଷାକରି ପାରିନାହିଁ ।

 

ପୃଥିବୀରେ ଅଧିକାଂଶ ଧର୍ମ ପ୍ରଧାନତଃ କେତେଟା ରୁଟିନ୍ ଅର୍ଥାତ୍ ନିୟମ ମାନିବାକୁ ହିଁ ମଣିଷମାନଙ୍କୁ ଫୁସୁଲେଇ ଆସିଛନ୍ତି । ନିୟମ ମାନି ରହିଲେ ଏହି ମରଜୀବନ ଅନ୍ତେ ସ୍ଵର୍ଗ ମିଳିବ ବୋଲି ଆମକୁ କେତେ ମିଛକଥା କୁହାଯାଇ ଆସିଛି । କାହାକୁ କ’ଣ କରି କେଉଁ ସ୍ଵର୍ଗ ମିଳିଲା, ସେହି ବିଷୟରେ କୌଣସି ହିସାବ କେହି ନ ନେଇଥିଲେ ମଧ୍ୟ ଆମର ପୁରାଣ ଓ ଧର୍ମୋପନ୍ୟାସ ଗୁଡ଼ିକ ସେହି ସ୍ଵର୍ଗର ବହୁ ଭେଳିକିମୟ ବର୍ଣ୍ଣନା ଦ୍ଵାରା ଆମକୁ କେତେଭଳି ମଜ୍ଜାଇ ରଖିଛନ୍ତି । ପୃଥିବୀର ଚଣ୍ଡାଶୋକ ଓ ଧର୍ମାଶୋକମାନେ ବି ଯୁଗେ ଯୁଗେ ମଣିଷମାନଙ୍କୁ ପ୍ରଜାବତ୍ସଳତାର ଲୋଭ ଦେଖାଇ କମ୍‍ ଭଣ୍ଡାଇ ରଖିବାକୁ ଚେଷ୍ଟା କରି ନାହାନ୍ତି । ମଣିଷମାନଙ୍କୁ ପ୍ରଧାନତଃ ରୁଟିନ୍‍ ଭିତରେ ଶାନ୍ତ କରି ରଖିବାକୁ ଜାତୀୟତାବାଦ ଓ ତଥାକଥିତ ଜାତୀୟତାର ବହୁବଖାଣମାନ ହୋଇଛି । କେତେଟା ନିର୍ଦ୍ଦିଷ୍ଟ ବିଧି ଓ ଚଳଣିକୁ ମାନିବାକୁ ଜାତୀୟ ସଂସ୍କୃତି ବୋଲି କୁହାଯାଇଛି । ଆମ ପୃଥିବୀର ଡିଟେକ୍ଟରମାନେ ସାମାଜିକ ଜୀବରୂପୀ ମନୁଷ୍ୟମାନଙ୍କୁ ମୁହଁ ଆଗରେ ପୁଳାଏ ପୁଳାଏ ଗୁଡ଼ ଦେଖାଇ ଓ ପିଠି ଆଡ଼େ ପାଞ୍ଚଣମାଡ଼ର ଧମକ ଦେଇ ସତେଅବା କୌଣସି ବାଧ୍ୟ ସୈନ୍ୟବାହିନୀ ପରି ରୁଟିନ୍‍ଗୁଡ଼ାକ ଭିତରେ ଯାକି ରଖିଛନ୍ତି । ଇତିହାସର ତଥାକଥିତ ସ୍ଵର୍ଣ୍ଣଯୁଗ ମାନଙ୍କରେ ମଣିଷମାନେ ଅପେକ୍ଷାକୃତ ଅଧିକ ବୋଲ ମାନିଛନ୍ତି ଓ ତେଣୁ ଶାସନରେ ସ୍ଵର୍ଣ୍ଣଯୁଗ ସମ୍ଭବ ହୋଇଛି । ଏବେ କ’ଣ ଆମର ଇସ୍କୁଲ ଓ କଲେଜମାନଙ୍କରେ ଶିକ୍ଷା ନାମରେ ରୁଟିନ୍‍ ଗୁଡ଼ାକର କମ୍ ଉପଦ୍ରବ ଚାଲିଛି !

 

ମାଷ୍ଟର ଯନ୍ତ୍ର ପରି ପଢ଼ାଉଛି, ପିଲା ଯନ୍ତ୍ର ପରି ପଢ଼ୁଛି ଏବଂ ଯାନ୍ତ୍ରିକତାର କେତେକେତେ ଅପରିମଳରୁ ପୂରାଇ ଯେଉଁସବୁ ପରୀକ୍ଷାର ଫନ୍ଦା ବସାଯାଇଛି, ସେଇଥିରେ ଯୋଗ୍ୟତା ଓ ଅଯୋଗ୍ୟତାର ବିଚାର ହେଉଛି । ମଣିଷ ଭିତରେ ଯେଉଁସବୁ ଯଥାର୍ଥ ଯୋଗ୍ୟତା ରହିଛନ୍ତି, ସେମାନେ ଲାଜରା ହେବାରେ ଲାଗିଛନ୍ତି । ଅସଲ ଫୁଲଟି ଉପବାସୀ ହୋଇ ରହିଯାଉଛି-। ଆମ ଫିସାଦ ଗୁଡ଼ାକରେ ମୋଟେ ମଙ୍ଗୁ ନାହିଁ । ସେହିପରି ଆଢ଼ୁଆଳରେ ରହିଯାଉଛି ସିନା, ତଥାପି ମଙ୍ଗୁ ନାହିଁ । ଆମ ବାହାରେ ରୁଟିନ୍‍ ମାନୁଥିବା ମେଣ୍ଢାଟା ସହିତ ସିଏ ମୋଟେ ସାଲିସ କରି ପାରୁନାହିଁ । ଭିତର ଓ ବାହାର ମଧ୍ୟରେ ନିତ୍ୟଦ୍ଵନ୍ଦ୍ଵ ଲାଗି ରହିଛି । ତେଣୁ ନିଃସଙ୍ଗତା ଗ୍ରାସ କରି ରହିଛି ।

 

ଆପଣାର ବିଖ୍ୟାତ ‘କ୍ୟାପିଟାଲ’ ଗ୍ରନ୍ଥର ଗୋଟିଏ ସ୍ଥାନରେ କାଲ୍ ମାର୍କସ୍‍ ମଧ୍ୟ ବୁଢ଼ିଆଣୀ ଓ ମହୁମାଛିର ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି । ଶ୍ରମିକମାନେ ହେଉଛନ୍ତି ମନୁଷ୍ୟ, ବୁଢ଼ିଆଣୀ ବା ମହୁମାଛି ନୁହନ୍ତି ଏବଂ ତେଣୁ ସେମାନଙ୍କୁ ଯନ୍ତ୍ରବତ୍‍ ସହଜାତ ସଂସ୍କାର ଓ ଅଭ୍ୟାସଗୁଡ଼ିକୁ ମାନୁଥିବା ସେହି ଇତର ଜୀବମାନଙ୍କ ସହିତ କୌଣସି ତୁଳନା କରାଯାଇ ପାରିବ ନାହିଁ ବୋଲି ଯୁକ୍ତି ବାଢ଼ି ମାର୍କସ୍ ପ୍ରସଙ୍ଗଟିର ଉପସ୍ଥାପନା କରିଛନ୍ତି । ତାଙ୍କରି ଭାଷାରେ କହିଲେ, ‘ଗୋଟିଏ ବୁଢ଼ିଆଣୀ ଆପଣାର ଅଦ୍‍ଭୂତ କୌଶଳର ପ୍ରୟୋଗ କରି ତା’ ଜାଲ ବୁଣେ । ତା’ର ଜାଲଟି ସତେଅବା କୌଣସି ଅତ୍ୟନ୍ତ କୁଶଳୀ ବୁଣାଳୀ ହାତରେ ବୁଣା ହୋଇଥିବା ଜାଲ ପରି ଦେଖାଯାଏ । ନିଜ ଫେଣାଟିକୁ ନିର୍ମାଣ କରିବାରେ ମହୁମାଛି ଏପରି ଏକ ଅଦ୍‍ଭୂତ କୌଶଳର ପ୍ରୟୋଗ କରିଥାଏ ଯେ, ଅଟ୍ଟାଳିକା ଗଢ଼ୁଥିବା ଅନେକ ମନୁଷ୍ୟ ମିସ୍ତ୍ରୀ ସେଥିରେ ପ୍ରକୃତରେ ଭାରି ଲଜ୍ଜିତ ହୋଇଯିବେ । ମାତ୍ର ତଥାପି ଗୋଟିଏ ସର୍ବୋତ୍ତମ ମହୁମାଛି ଏବଂ ନିତାନ୍ତ ଅକୁଶଳୀ ଜଣେ ମନୁଷ୍ୟ ମିସ୍ତ୍ରୀ ମଧ୍ୟରେ ଏକ ପାର୍ଥକ୍ୟ ଅବଶ୍ୟ ରହିଛି । ସେହି ପାର୍ଥକ୍ୟଟି ହେଉଛି, ଆପଣାର ଯାହାକିଛିକୁ ପ୍ରକୃତରେ ନିର୍ମାଣ କରିବା ପୂର୍ବରୁ ଜଣେ ମଣିଷ ମିସ୍ତ୍ରୀର କଳ୍ପନାରେ ସେଇଟି ପୂର୍ବରୁ ହିଁ ଗଢ଼ା ହୋଇ ସରିଥାଏ ।’ କୌଣସି ମହୁମାଛି କିମ୍ବା କୌଣସି ବୁଢ଼ିଆଣୀର କ୍ଷେତ୍ରରେ ସେ କଥା କଦାପି ଘଟେନାହିଁ । ସ୍ଵରଚିତ ଆଉ ଏକ ପୁସ୍ତକ Die heilige Familieରେ ମାର୍କସ୍‍ ଲେଖିଛନ୍ତି, ଇତିହାସ ପ୍ରକୃତରେ ଆଦୌ କିଛି କରେ ନାହିଁ, ଇତିହାସର ଗର୍ଭରେ ପ୍ରକୃତରେ କୌଣସି ଗୁପ୍ତ ମହାନ୍‍ ସମ୍ପଦ ନିହିତ ହୋଇ ରହିନଥାଏ ।

 

ଇତିହାସ କଦାପି ସମାଜର କୌଣସି ଶ୍ରେଣୀକୁ ତାର ସଂଘର୍ଷରୁ ମୁକ୍ତ କରି ବିଜୟ ଆଣି ଦିଏନାହିଁ । ଏସବୁ କଥା ପ୍ରକୃତରେ ଯିଏ କରେ , ଯିଏ ପ୍ରକୃତରେ ଅଧିକାରୀ ହୁଏ ଏବଂ ସଂଗ୍ରାମ କରୁଥାଏ, ସିଏ ହେଉଛି ସ୍ଵୟଂ ମନୁଷ୍ୟ ବ୍ୟକ୍ତି । ବାସ୍ତବ ଜୀବନକ୍ଷେତ୍ରରେ ଜୀବନ୍ତ ମନୁଷ୍ୟ । ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଇତିହାସ କଦାପି ମନୁଷ୍ୟକୁ ତାର ଯନ୍ତ୍ର ବା ହତିଆର ରୂପେ ବ୍ୟବହାର କରେନାହିଁ । କାରଣ, ମନୁଷ୍ୟକୁ ଛାଡ଼ି ଇତିହାସ ବୋଲି କ’ଣ ପ୍ରକୃତରେ ଏକ ଅଲଗା ସତ୍ତା ରହିଛି ? କେବଳ ମନୁଷ୍ୟର ହିଁ ଏକ ଲକ୍ଷ୍ୟ ରହିଥାଏ, ସେହି ଲକ୍ଷ୍ୟ ଅନୁସାରେ ସେ କିଛି କାର୍ଯ୍ୟ କରେ, ଏବଂ ସେହି କାର୍ଯ୍ୟ ହିଁ ଇତିହାସର ନିର୍ମାଣ କରେ ।

 

ସମାଜର ଶ୍ରମିକକୁ କାର୍ଲ୍‍ ମାର୍କସ୍‍ ଏକ ବୁଢ଼ିଆଣୀ କିମ୍ବା ମହୁମାଛି ପରି ନୁହେଁ, ସମ୍ମୁଖରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ସେହି ଅନୁସାରେ ଆପଣାକୁ ସକ୍ରିୟ ବା ଉଦ୍ୟତ କରି ରଖିଥିବା ଜଣେ ଜୀବନ ସୃଜନଶୀଳ ମନୁଷ୍ୟ ହିସାବରେ ହିଁ ଦେଖିଛନ୍ତି । ପୃଥିବୀରେ ସମାଜଗୁଡ଼ାକର ନାକରେ ତୁଣ୍ଡି ବାନ୍ଧି ତାକୁ ଚଳାଉଥିବା ବହୁ ନ୍ୟସ୍ତସ୍ଵାର୍ଥ, ସେମାନଙ୍କର କ୍ଷମତା ଓ ସେହି କ୍ଷମତା ଦ୍ଵାରା ପ୍ରବର୍ତ୍ତିତ ସାମାଜିକ ଚଳଣି ତଥା ଉତ୍ପାଦନର ପ୍ରଣାଳୀମାନ, ଏହିଗୁଡ଼ିକ ହିଁ ମନୁଷ୍ୟକୁ ନାନା ରୁଟିନ୍‍ ଭିତରେ ମଡ଼ାଇ ରଖିଛନ୍ତି । ନାନା ତାତ୍କାଳିକ ସଫଳତାର ଲୋଭରେ ପଡ଼ି ମନୁଷ୍ୟମାନେ ମଧ୍ୟ ସେହି ରୁଟିନ୍‍ ଭିତରେ ଆସି ପଶି ଯାଉଛନ୍ତି । ମେଣ୍ଢାଟିଏ ହୋଇ ଯାଉଛନ୍ତି, ଯନ୍ତ୍ରଟିଏ ହୋଇ ଯାଉଛନ୍ତି,– ହୀନସ୍ତା ଭିତରେ ଆସି ପଶି ଯାଉଛନ୍ତି । ନିଜ ଭିତରେ ସତେଅବା ଦି’ଫାଳ ହୋଇ ରହିଛନ୍ତି । ଏହି ଦୁଇ ଫାଳ ହୋଇ ରହିବାରୁ ହିଁ ନିଃସଙ୍ଗତା ଉପୁଜୁଛି । ମନୁଷ୍ୟ ଆପଣାକୁ ଇତିହାସର କେବଳ ଏକ Object ବୋଲି ଭାବୁଥିବାରୁ ସେଇଥିରୁ ନିଃସଙ୍ଗତା ଜନ୍ମଲାଭ କରୁଛି-। ବାହୁସ୍ଫୋଟ ମାରି ସଭାରେ ବା କବିତାରେ ବାହୁନିଲେ କ’ଣ ସେହି ନିଃସଙ୍ଗତାରୁ ମୁକ୍ତି ମିଳିବ ? ନୂତନ ଇତିହାସର ନିର୍ମାଣରେ ନିଜକୁ ଏକ ସଚେତନ Subject ବା ନିମିତ୍ତ ବୋଲି ଅନୁଭବ କରିପାରିଲେ ଯାଇ ଆମେ ଆମର ଯାବତୀୟ ନିଃସଙ୍ଗତାର ଫାଶ ଭିତରୁ ମୁକୁଳି ବାହାରି ଆସି ପାରିବା । ତେବେଯାଇ ଏକ ସୃଜନଶୀଳ ନିର୍ମାତା ହିସାବରେ ଏକ ସୃଜନଶୀଳ ଭୂମିକାରେ ଅବତୀର୍ଣ୍ଣ ହେବା ଓ ସକଳ ନିଃସଙ୍ଗତାରୁ ଅତିକ୍ରମ କରାଯିବା ସମ୍ଭବ ହୋଇପାରିବ । ଆଧୁନିକ ପୃଥିବୀରେ ଆପଣାକୁ ଜଣେ ସଚେତନ ନିମିତ୍ତ ଓ ନିର୍ମାତା ରୂପେ ପ୍ରେରିତ କରିପାରିଲେ ଆମେ ବର୍ତ୍ତମାନର ତଥାକଥିତ ନିଃସଙ୍ଗତାଟିକୁ ମଧ୍ୟ ସୃଜନଶୀଳ ଭାବରେ କାମରେ ଲଗାଇ ପାରିବା । ଆମର ଯୁଗଟିକୁ ଏକ ଅନ୍ୟ ଅକ୍ଷ ତଥା ଅନ୍ୟ କକ୍ଷରେ ଆଣି ସ୍ଥାପିତ କରାଇବାରେ ତାହାକୁ ପୁଞ୍ଜି ରୂପେ ବ୍ୟବହାର କରିପାରିବା । ମେଣ୍ଢାମାନେ କଦାପି ସୃଜନଶୀଳ ହୋଇପାରନ୍ତି ନାହିଁ । ମେଣ୍ଢାମାନେ ସାହିତ୍ୟ ଲେଖନ୍ତି ସତ, ମାତ୍ର ଆମ ଲାଗି କୌଣସି ଆଲୋକସ୍ପର୍ଶ କରାଇ ପାରନ୍ତି ନାହିଁ । ସମ୍ଭବତଃ ମେଣ୍ଢାମାନଙ୍କୁ ହିଁ ପୁନରାବୃତ୍ତି ଭାରି ସୁହାଏ, ନିଃସଙ୍ଗତାଗୁଡ଼ାକ ବି ଭାରି ସୁହାଏ-। ସେମାନେ ନାନା ଭିଡ଼ ବାନ୍ଧି ରହିଥାନ୍ତି–ତଥାପି ପରସ୍ପରଠାରୁ କେତେ ଦୂରରେ କେଡ଼େ ନିଃସଙ୍ଗ ହୋଇ ରହିଛନ୍ତି ବୋଲି ରାବ କରୁଥାନ୍ତି । ସ୍ତୋତ୍ର ବୋଲୁଥାନ୍ତି । ଭିତରେ ଅସଲ ‘ମୁଁ’ଟି ଅପେକ୍ଷା କରି ରହିଥାଏ, ଜୀବନରେ ଅସଲ ଶ୍ରେୟଃଗୁଡ଼ିକ ନିନ୍ଦିତ ହୋଇ ରହିଥାନ୍ତି । ଜୀବନର ଅପମାନଜନକ ରୁଟିନ୍‍ ଭିତରୁ ବାହାରି ଆସି ପାରିଲେ ଯାଇ ଅସଲ ସାଙ୍ଗମାନଙ୍କୁ ପାଇବା ଲାଗି ଯଥାର୍ଥ ସୂତ୍ରଟି ମିଳିଯାଏ । ଭିତରେ ଅସଲ ସାଙ୍ଗଟି ସହିତ ସେତିକିବେଳେ ଦେଖାହୁଏ । (୧୨ । ୧୦ । ୮୮)

 

(୬୧)

 

ଆମର ଏହି ସଂସାରକୁ ଦୁଃଖବାଦୀମାନେ ଏକ ମରସଂସାର ବୋଲି କହନ୍ତି । ଏହି ସଂସାର ମର, ମରଣଶୀଳ, ତେଣୁ ଅଳୀକ,–ଶାସ୍ତ୍ର ଓ ଶାସ୍ତ୍ରୀମାନେ ବହୁ ଯୁକ୍ତି ଦେଖାଇ ଆମକୁ ସଂସାରରୁ ମନ କାଢ଼ିନେଇ ଆଉ କିଛି ଭଜିବାକୁ ବା ଆଶ୍ରିବାକୁ କେତେ ସାଧୁ ଉପଦେଶ ଦେଇଥାନ୍ତି । ଏହି ସଂସାର ମରଣଶୀଳ ହୋଇଥିଲେ ମଧ୍ୟ ଆମେ ଯଦି ମନ କରନ୍ତେ, ତେବେ ଏହି ମର ମୁହୂର୍ତ୍ତଗୁଡ଼ିକରେ ମଧ୍ୟ ତଥାପି ସତେଅବା ଅମରତ୍ୱର ଐଶ୍ୱର୍ଯ୍ୟ ଓ ଆସ୍ୱାଦ ଲାଭ କରୁଥିବା ପରି ନିଶ୍ଚୟ ଅନୁଭବ କରିପାରନ୍ତେ, ସେଇଟି ଅବଶ୍ୟ ଏକ ସ୍ଵତନ୍ତ୍ର କଥା ।

 

ତଥାପି ଏହି ପୃଥିବୀର ଅନେକ ମଣିଷ ତୁଚ୍ଛା ମିଛଟାରେ ହିଁ ସତେଅବା କେଡ଼େ ନା କେଡ଼େ ବଡ଼ ହୋଇ ଦିଶିବାକୁ ଚେଷ୍ଟା କରନ୍ତି । ଯେକୌଣସି କୁନି ହାକିମ ଯେତେବେଳେ ଟୁର୍‍ରେ ଯାଉଥାନ୍ତି, ତେବେ ସେତେବେଳେ ସିଏ କେଡ଼େ ନା କେଡ଼େ ଦିଶନ୍ତି । ଅନେକ ସମୟରେ ଆହୁରି ବଡ଼ ଦେଖାଯିବାକୁ ସିଏ ସସ୍ତ୍ରୀକ ଟୁର୍‍ରେ ବାହାରନ୍ତି । ହାକିମଙ୍କଠାରୁ ହାକିମାଣୀ ଛଅହାତ ଅଧିକ ହୋଇ ଦିଶୁଥାନ୍ତି । ସତେ ଯେପରି କୋଉ ଜମିଦାର ଜମିଦାରିଆଣୀଙ୍କ ସହିତ ନିଜ ଜମିଦାରୀକୁ ବାହାରିଛନ୍ତି । ମୋଗଲମାନଙ୍କ ଅମଳରେ କୁଆଡ଼େ ସାମରିକ ଉଚ୍ଚମାନେ ଏହିପରି ସାଙ୍ଗରେ କୋଳାହଳମୟ ତମ୍ବୁଟିଏ ନେଇ ଯୁଦ୍ଧଯାତ୍ରା କରୁଥିଲେ । କୁନି ଗଡ଼ଜାତ ରାଜାମାନେ ଅନେକ ସମୟରେ ଏହିଭଳି ବଡ଼ ହୋଇ ଦିଶି ପାରିଧିକୁ ଯାଉଥିଲେ । ସେମାନଙ୍କର ସଭାରେ ଅବଶ୍ୟ ପଣ୍ଡିତମାନେ ରହିଥିବେ । ଏହି ଜୀବନ ମାତ୍ର ଦି’ଦିନର ବୋଲି ଉପଦେଶ ଦେଇ ସେମାନେ ରଜାଙ୍କ ଆଗରେ ସଂସ୍କୃତ ଭାଷାରେ ଶ୍ଳୋକମାନ ବୋଲିଥିବେ । କେଡ଼େ ଅଲିଅଳି କରି ସେମାନଙ୍କ କାନ ଶୁଣିବାକୁ ‘‘ମା କୁରୁ ଧନଜନ ଯୌବନ ଗର୍ବ’’ ବୋଲି ପାରାୟଣ କରିଥିବେ । ବଛା ବଛା ପଣ୍ଡିତମାନେ ସେମାନଙ୍କର ସେହି ଭୂମିକାଟିରେ ଅବତୀର୍ଣ୍ଣ ହେବାକୁ ରଜାଙ୍କ ସହିତ ପାରିଧିକୁ ମଧ୍ୟ ଯାଇଥିବେ । ତଥାପି ଅଧିକାଂଶ ରଜା ପଣ୍ଡିତମାନଙ୍କର କଥାକୁ ଗୁରୁତ୍ଵ ଦେଇ କଦାପି ନିଜର ମିଜାଜଟାକୁ ଭାଙ୍ଗି ଦେଇ ନଥିବେ । ଆମ ଏକାଳରେ ମଧ୍ୟ ରଜା ମିଜାଜର ମଣିଷ ମୋଟେ କମ୍‍ ସଂଖ୍ୟାରେ ନାହାନ୍ତି । ତେଣୁ ଏବେ ବି ବଡ଼ ହୋଇ ଦିଶିବାର ଚେଷ୍ଟା ଅବ୍ୟାହତ ରହିଛି । ମରଣଶୀଳ ସାନମାନେ ବଡ଼ ହୋଇ ଦିଶିବାକୁ ଚେଷ୍ଟାକରି ଅମରତ୍ଵର ଆସ୍ଵାଦନ ଲାଭ କରୁଛନ୍ତି ।

 

ଆମ ସରକାରୀ ତଥା ବେସରକାରୀ ଖାମିଦମାନଙ୍କ ମଧ୍ୟରେ ଏପରି ଅନେକ ଅବଶ୍ୟ ଅଛନ୍ତି, ଯୋଉମାନେ କି ଚାଲିଯାଇ ପାରିବା ବାଟ ଲାଗି ସବାରି ପାଲିଙ୍କି ଲୋଡ଼ନ୍ତି । ଗାଡ଼ି ନହେଲେ ଆଦୌ ଗୋଡ଼ ବାହାର କରନ୍ତି ନାହିଁ । ସେମାନେ ରେଳଗାଡ଼ିରେ ବସି ଯାଇ ହେଉଥିବା ବାଟ ପାଇଁ ବ୍ୟୋମଯାନକୁ ମନ କରନ୍ତି । ଏହିପରି ଚଢ଼ିପାରିଲେ ଓ ଉଡ଼ିପାରିଲେ ଆପଣାକୁ କେଡ଼େ ବଡ଼ ହୋଇଗଲେ ବୋଲି ଭାବନ୍ତି । ଆପଣାକୁ ସତକୁ ସତ ଭାରି ଗରୁ ବୋଲି ଅନୁଭବ କରନ୍ତି । ଅନେକ ବକ୍ତା ଅଛନ୍ତି, ଯେଉଁମାନେ କି ‘‘ଆମେ ନଥିଲେ ସଭାଗୁଡ଼ାକ ମୋଟେ ହୋଇପାରନ୍ତା ନାହିଁ ବୋଲି କେଡ଼େ ଉଷତ୍‍ ହୋଇ ଭାବନ୍ତି ।

 

ଜଣେ ଜଣେ ସାହିତ୍ୟିକ ଭାବନ୍ତି, ‘ଆମେ ନଥିଲେ ଏହି ସାହିତ୍ୟ ପ୍ରକୃତରେ କୋଉଠି ଥାଆନ୍ତା କେଜାଣି ?’ ଏମାନେ ସତେଅବା ଏକାବେଳେକେ ତିନିଟା ବା ସାଢ଼େ ତିନିଟା ବର ହୋଇ ଦିଶିବାକୁ ଚେଷ୍ଟା କରନ୍ତି, ଏକାବେଳେକେ ସତୁରୀଟା ଝୁମ୍ପା ପିନ୍ଧି ଶୋଭା ପାଇବାକୁ ମନ କରୁଥାନ୍ତି-

 

ଏହି ମଣିଷମାନେ ନିଃସଙ୍ଗ ଅନୁଭବ କରିବେ ନାହିଁ ତ ଆଉ କିଏ କରିବ ? ଯେଉଁ ମଣିଷମାନେ ଏହି ସଂସାରରେ ଆପଣାର ସାନ ଓ ବଡ଼ କ୍ଷେତ୍ର ଗୁଡ଼ିକରେ ଆପଣାକୁ ଅପରିହାର୍ଯ୍ୟ ବୋଲି ଭାବୁଥାନ୍ତି ଓ ତେଣୁ ଗଉଁଗୁଡ଼ାକୁ କେଡ଼େ ଉଚ୍ଚ କରି ବସିବାରେ ପରମ ପ୍ରସାଦ ଲାଭ କରନ୍ତି, ସେମାନେ ପ୍ରକୃତରେ ଭାରି ଦୁଃଖୀ, ସେମାନେ ନିଜ ଭିତରେ କୋଉଠି ନା କୋଉଠି ଭାରି ଖଣ୍ଡିଆ ହୋଇ ରହିଥାନ୍ତି । ଭିତରେ ଦୁଃଖୀ ହୋଇ ରହି, ବାହାରର ବହୁ ଉଗ୍ରତା ଦ୍ଵାରା ସେହି ଦୁଃଖର ଓ ସେହି ଖଣ୍ଡିଆର କ୍ଷତିପୂରଣ କରିବାକୁ ଚେଷ୍ଟା କରୁଥିବା ମଣିଷମାନେ ହିଁ ସଚରାଚର ଭାରି ନିଃସଙ୍ଗ ହୁଅନ୍ତି । ନିଃସଙ୍ଗ ମଣିଷମାନଙ୍କର ପ୍ରେମ, ଯାବତୀୟ ଶ୍ରମ, ସାହିତ୍ୟ, ବିଚାରଘନ ବଢ଼ିଆ କଥାମାନ,–ଏହି ସବୁକିଛି ସଂସାରର ଦୁଃଖକୁ ବଢ଼ାଇବାରେ ହିଁ ଅଧିକ ସାହାଯ୍ୟ କରିଥାଏ, ଖଣ୍ଡିଆ ମଣିଷର ସାହିତ୍ୟ ଖଣ୍ଡିଆ ହେବାକୁ ବାଧ୍ୟ ହୁଏ । ଭିତରେ ହୀନ ହୋଇ ବସିଛି ବୋଲି ଉପରେ ଆପଣାକୁ ବଡ଼ ଓ ଆହୁରି ଅଧିକ ବଡ଼ କରି ଦେଖାଇ ହେବାର ଅସରଣ ଭିତରେ ମାତିଥିବା ମଣିଷ ଆମ ପୃଥିବୀରେ ଦୁଃଖଟାକୁ ହିଁ ବଢ଼ାଏ । ଆମ ସଂସାର ନାମକ ସମ୍ପଦଘରର ସବୁ ଧାନକୁ ସେ ସତେଅବା କେଡ଼େ ଜାକଜମକ ସହିତ ଅଗାଡ଼ିରେ ପରିଣତ କରିଦିଏ ।

 

ଏହି ପୃଥିବୀକୁ ଯିଏ ଚଳାଉଛି, ତା’ ପାଖରେ ଆପଣାକୁ ହୀନ କରି ଦେଖାଇହେବା ଯେତିକି ଅପରାଧ, ତା’ ସଂସାରରେ ଆପଣାକୁ ମିଛଟାରେ ବଡ଼ କରି ଦେଖାଇହେବାଟା ମଧ୍ୟ ସେତିକି ଅପରାଧ । ଏହି ପୃଥିବୀକୁ ମୋଟେ କେହି ଚଳାଉ ନାହାନ୍ତି, ଆମେ ତାଙ୍କୁ ଯେପରି ଭାବରେ ଚଳାଉଛୁ ସିଏ ଠିକ୍‍ ସେହିପରି ଭାବରେ ଚଳୁଛି ବୋଲି ଯେଉଁମାନେ କହିଥାନ୍ତି, ସେମାନଙ୍କର କଥା ଅବଶ୍ୟ ଏକାବେଳେକେ ସ୍ଵତନ୍ତ୍ର ।

 

ନିଜକୁ ହୀନ ବୋଲି ଅନୁଭବ କରୁଥିବା ଅଥବା ହୀନ ବୋଲି ଦେଖାଇ ଦେଉଥିବା ମଣିଷମାନେ ନିଜ ପାଖରେ ମଧ୍ୟ ଚିରକାଳ ନିଃସଙ୍ଗ ହୋଇ ରହିଥାନ୍ତି ଏବଂ ନିଜ ପାଖରେ ନିଃସଙ୍ଗ ହୋଇ ରହିଥିବା ମଣିଷ ଏହି ପୃଥିବୀରେ ମଧ୍ୟ ତାହାର କେହି ସଙ୍ଗୀ ଅଛନ୍ତି ବୋଲି କିପରି ବା ଅନୁଭବ କରିପାରିବ ? ନିଜ ଭିତରେ ନିଃସଙ୍ଗ ହୋଇ ରହିଥିବା ମଣିଷଟିଏ ପୃଥିବୀରେ ନିଜେ କାହାର ସଙ୍ଗୀ ହେବାଲାଗି ମନ କରିପାରିବ ? ନିଜ ଭିତରେ ଯିଏ ନିଃସଙ୍ଗ ହୋଇ ରହିଥାଏ; ସିଏ ପ୍ରକୃତରେ ନିଜକୁ ଘୃଣା କରୁଥାଏ; ଆହୁରି ଅଧିକ ନିର୍ଭୁଲ ଭାବରେ କହିଲେ ସିଏ ନିଜ ଭିତରେ ଅତ୍ୟନ୍ତ ଦୟନୀୟ ଭାବରେ ଦୁଇଭାଗ ହୋଇ ରହିଥାଏ ଏବଂ ତା’ର ଗୋଟିଏ ପାଖ ଆଉ ଗୋଟିଏ ପାଖକୁ ଘୃଣା କରୁଥାଏ । ଏବଂ ଅନ୍ୟ ପକ୍ଷରେ ଯେଉଁମାନେ ନିଜକୁ ବଡ଼ ଓ ଆହୁରି ବଡ଼ କରି ଦେଖାଇବାକୁ ଧାଇଁଥାନ୍ତି, ଆପଣାକୁ କ’ଣ ମନ କ’ଣ ବୋଲି ମଣୁଥାନ୍ତି, ସେମାନେ ଏହି ପୃଥିବୀଟାକୁ ମୋଟେ ଦେଖିପାରନ୍ତି ନାହିଁ । ସବା ଆଗ ନିଜକୁ ଦେଖନ୍ତି, ପୃଥିବୀଟା ଉପରେ ନିଜର ଛାଇଟାକୁ ପକାଇ ପୃଥିବୀକୁ ଦେଖନ୍ତି । ସେମାନେ ପୃଥିବୀଟାକୁ ପ୍ରକୃତରେ କେଡ଼େ ଅବର୍ଜିଆ ଭାବରେ ଦେଖନ୍ତି, ଆପଣାର ସାନ ଇଲାକାଟିକୁ ସତେଅବା ସମସ୍ତ ପୃଥିବୀ ବୋଲି ଦେଖନ୍ତି । ସାନ ଗାତଟି ଉପରେ ଆପଣା ଗଉଁର ଏତେବଡ଼ ସିଂହାସନଟାଏ ପକାଇ ତାହାରି ଉପରେ ବସିଥାନ୍ତି ।

 

ଏହି ପୃଥିବୀର ଗତିପ୍ରକ୍ରିୟାରେ ମୁଁ ସାନ ନୁହେଁ କି ବଡ଼ ନୁହେଁ, ହୀନ ନୁହେଁ କିମ୍ବା ଗରୁ ମଧ୍ୟ ନୁହେଁ–ସେହି ପ୍ରକ୍ରିୟାରେ ମୁଁ ହେଉଛି ଏକ ସହଯୋଗୀ । ଏଇଟି ହେଉଛି ଏକ ଅନ୍ୟ ବିଚାର-। ମୋ ପୂର୍ବରୁ ଏହି ପୃଥିବୀ ଥିଲା, ମୋ ପରେ ମଧ୍ୟ ଏହି ପୃଥିବୀ ରହିବ । ଆବହମାନ କାଳରୁ ଏହି ପୃଥିବୀକୁ ଯିଏ ଆତଯାତ କରି ଆସିଛି, ଆବହମାନ କାଳ ପର୍ଯ୍ୟନ୍ତ ସେଇ ଏହି ପୃଥିବୀକୁ ଆତଯାତ କରିବ । ବିବର୍ତ୍ତନର ଅସଲ ବିଧାତା ସେଇ, ବିବର୍ତ୍ତନର ଅସଲ ଯୋଜନାଟି ତା’ରି । ମୁଁ ଯଦି ସେହି ଯୋଜନାଟିରେ ଏବଂ ପ୍ରକ୍ରିୟାଟିରେ ସହଯୋଗ କରିବି, ତେବେ ମୋ’ ନିଜ ଭିତରେ ମୋ’ ଜୀବନର ଯାବତୀୟ କ୍ରିୟାଶୀଳତାରେ ମଧ୍ୟ ମୁଁ ତାଙ୍କରି ଅଧିଷ୍ଠାନଟିକୁ ଅନୁଭବ କରିବାକୁ ଆରମ୍ଭ କରିବି । ମୋର ଯାବତୀୟ ଶକ୍ତି ଏବଂ ଯାବତୀୟ ବୁଦ୍ଧିକୁ ତାଙ୍କରି ଦ୍ଵାରା ଓ ତାଙ୍କରିଠାରୁ ପରିପ୍ରେରିତ ହୋଇ ଆସୁଥିବା ପରି ଜାଣିବି । ହୁଏତ ତାହାରି ଦ୍ଵାରା ହିଁ ମୋର ଏହି ଅଳପ ହୋଇ ରହିବାର ସକଳ ଦୁର୍ଦ୍ଦଶାର ଅପନୋଦନ ହୋଇଯିବ । ମୁଁ ଆପଣାର ଗୌରବଟିକୁ ସେତିକିବେଳେ ସତକୁ ସତ କାମରେ ଲଗାଇ ପାରିବି । ହୀନ ହୋଇ ଲୁଚି ରହିବାର କିମ୍ବା ଆପଣାକୁ ବଡ଼ ବୋଲି ଦେଖାଇ ହେବାର ସେତେବେଳେ ଆଦୌ କୌଣସି ଆବଶ୍ୟକତା ରହିବ ନାହିଁ । ସେତେବେଳେ ଏହି ପୃଥିବୀ ମୋତେ ଭାରି ଭଲ ଲାଗିବ; ଭିତରେ ତାଙ୍କରି ସହିତ ଖିଅ ଲାଗି ରହିଥିବାରୁ ମୁଁ ନିଜେ ମଧ୍ୟ ନିଜକୁ ଭାରି ଭଲ ଲାଗିବ । ନିଜ ପ୍ରତି ଏକ ପବିତ୍ରତାବୋଧ ଜନ୍ମଲାଭ କରିବ । ସନ୍ଥମାନେ ସେହି କାରଣରୁ ହିଁ ଜୀବକୁ ବିରାଟ ବୋଲି କହିଛନ୍ତି ।

 

ସେତେବେଳେ ପୃଥିବୀର ସବୁ ମଣିଷ ମୋତେ ଭଲ ଲାଗିବେ । ମୋର ଅସଲ ଭଲ ପାଇବା ଯଥାର୍ଥରେ ସେହିଠାରେ ଆରମ୍ଭ ହେବ । ଏହି ଆଲୁଅ ପବନ, ସକାଳ ଓ ସଞ୍ଜ ମୋତେ ଏକାବେଳେକେ ଅନ୍ୟ ପ୍ରକାରେ ଲାଗିବେ । ମୋ’ ଆଖି ସେତେବେଳେ କେବଳ ନିଜକୁ ଦେଖିବ ନାହିଁ, ଏହି ସବୁଟିକୁ ଦେଖିପାରିବ । ଏଇଟି ହେଉଛି ଏକ ଅନ୍ୟ ଚେତନା, ଏକ ଅନ୍ୟ ଶ୍ରଦ୍ଧା, ଏକ ଅନ୍ୟ ସମ୍ଭାବନାରେ ବିଶ୍ଵାସ । ଏହାକୁ ଅଙ୍କ କଷି ବୁଝାଇ କହି ହୁଏନାହିଁ, ଏଥିଲାଗି ସବା ଆଗ ମନ କରିବାକୁ ହୁଏ । ମନ କରିବା ମାତ୍ରକେ ସଙ୍ଗୀ ମିଳିଯାଆନ୍ତି, ମନ କରିବା ମାତ୍ରକେ ପୃଥିବୀଯାକ ତାଙ୍କର ପାଦ ପଡ଼ିଥିବା ପରି ଦେଖାଯାଏ, ମନ କରିବା ମାତ୍ରକେ ସେ ସତକୁ ସତ ମିଳିଯାଆନ୍ତି । (୧୯ । ୧୦ । ୮୮)

 

(୬୨)

 

ବଗିଚାଟିଏ କରିବାକୁ କାହାକୁ ଭଲ ନ ଲାଗେ ? ବଗିଚାକୁ ସାଧୁ ଭାଷାରେ ଉପବନ ବୋଲି କୁହାଯାଏ । ଆଗେ, ଅର୍ଥାତ୍ ଆଦିମ କାଳରେ ସବୁ ମଣିଷ ବନବାସୀ ଥିଲେ, ବନରେ ବାସ କରୁଥିଲେ । ଭାରତବର୍ଷରେ ପ୍ରାଚୀନ ଯୁଗରେ ଋଷି ଅର୍ଥାତ୍ ଦୃଷ୍ଟିସମର୍ଥ ବ୍ୟକ୍ତିମାନେ ବନରେ ଆଶ୍ରମ କରି ରହୁଥିଲେ । ସଂସାରାଶ୍ରମକୁ ସେମାନେ ସତେଅବା ବଣ ପରି ଭୟ କରୁଥିଲେ କି କ’ଣ କେଜାଣି, ସେମାନେ ଅରଣ୍ୟରେ ହିଁ ଅରାଏ ବାଛିନେଇ ସେଇଠି ଘର କରି ଗହଳ ଲଗାଇ ରହୁଥିଲେ । ସେହି ଗହଳକୁ କେଡ଼େ ପବିତ୍ର ଭାବରେ ଆଶ୍ରମ ବୋଲି କୁହାଯାଉଥିଲା । ଋଷିମାନଙ୍କର କାଳ ଗଲା, ଋଷିମାନେ ବି ଗଲେ । ବଣରେ ତା’ପରେ ଜନ୍ତୁମାନେ ରହିଲେ । ମଣିଷ ସଭ୍ୟତାକୁ ଆସିଲା, ଅର୍ଥାତ୍ ତା’ ସଂସାରଟିକୁ ସେ ନିଜେ ସଜାଡ଼ିଲା । ଏହି ନୂଆ ଗହଳ ଭିତରକୁ ଆସି ସିଏ ତଥାପି ପୂର୍ବର ସେହି ବନକୁ ଭୁଲିଲା ନାହିଁ । ଜନପଦରେ ବୃକ୍ଷବୀଥି ସଜାଇଦେଲା, ଗାଆଁ ମାଳରେ ତୋଟାମାନ ରୋପିଲା, ନିଜର ଘର ଚାରିପଟେ ବାରିଟିଏ କଲା । ବଗିଚା କଲା । କେଡ଼େ ଅନୁରାଗରେ ତାହାକୁ ଉପବନ ବୋଲି କହିଲା ।

 

ଉପବନ ବା ବଗିଚା ମଣିଷମାତ୍ରକେ ସମସ୍ତଙ୍କୁ ନିଶ୍ଚୟ ଭଲ ଲାଗୁଥିବ । ଗଛଟିଏ ଲଗାଇବାକୁ ସମସ୍ତଙ୍କୁ ଭଲ ଲାଗୁଥିବ । ମାତ୍ର, ଏପରି ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ନିଜର ସମ୍ପତ୍ତି ବଢ଼ାଇବାକୁ ଅର୍ଥାତ୍ ନିଜ ସମ୍ପତ୍ତିବୋଧରେ ମହାଦ୍ରୁମ ମୂଳରେ ପାଣି ଦେବାକୁ ଆପଣା ଘର ଚାରିପାଖେ ବଗିଚାଟିଏ ରଖିଥାନ୍ତି । ଖାଲି ଖୁସି ହୋଇ କ’ଣ ଗଛଟିଏ ଲଗାଇ ହୁଅନ୍ତା ନାହିଁ, ଖାଲି ଖୁସି ହୋଇ କ’ଣ ଘର ଚାରିପାଖରେ ବଗିଚାଟିଏ କରି ହୁଅନ୍ତା ନାହିଁ ? ଏପରି ଅପବାଦ ରହିଛି ଯେ, ସ୍ଵଭାବରେ କାମ୍ପିମାନେ ହିଁ ଧନୀ ହେବାକୁ ଭଲ ପାଆନ୍ତି । ଧନୀମାନେ ବି ସଚରାଚର କାମ୍ପି ହୋଇଥାନ୍ତି । ମାତ୍ର ଧନୀମାନେ ଖାଲି ଧନ ଜମା କରନ୍ତି ନାହିଁ, ସେମାନେ ଧନ ଖରଚ ମଧ୍ୟ କରନ୍ତି । ବାଦଶାହମାନଙ୍କ ପରି ଖରଚ କରନ୍ତି । ହାତୀ ଗଳିଗଲା ଭଳି ଖରଚ କରନ୍ତି-। ସାଧାରଣ ମଣିଷମାନେ ସାଧାରଣତଃ ଯେପରି ଖର୍ଚ୍ଚ କରିପାରନ୍ତେ ନାହିଁ, ସେହିଭଳି ଆଖିଦୃଶିଆ ଓ ଅସାଧାରଣ ଭାବରେ ମୁଠା ମୁଠା ଖର୍ଚ୍ଚ କରିବାକୁ ସେମାନେ ଭାରି ଭଲ ପାଆନ୍ତି । ଅନେକ ଧନୀ ମଣିଷ କାଙ୍ଗାଳୀ ଭୋଜନ କରାଇ କେଡ଼େ ଖୁସି ପାଆନ୍ତି । ନିଜର ବଦାନ୍ୟତା ଅଥବା ବଡ଼ପଣରୁ ଖବରକାଗଜରେ ଲେଖି ରଖିବାକୁ ଏକା ବେଳେକେ କୁନି ପିଲା ପରି ଖୁସି ପାଆନ୍ତି । ଅନ୍ତର୍ଗତ କୋଉ ନିଃସଙ୍ଗତା ଉପରେ ଯେକୌଣସି ପ୍ରକାରେ ବିଜୟ ଲାଭ କରିବା ଉଦ୍ଦେଶ୍ୟରେ ସେମାନେ ଏସବୁ କରୁଥାନ୍ତି କେଜାଣି ? ସେମାନଙ୍କ ପାଖରେ ଧନ ଥାଏ, ଆଖିଦୃଶିଆ ମାନ ବି ରହିଥାଏ । ଆଉ ହଜାରଜଣଙ୍କ ପାଖରେ ଯାହା ନ ଥାଏ, ସେମାନଙ୍କ ପାଖରେ ଥାଏ । ମୁରୁଖ ଦେଶରେ ସେହିମାନେ ହିଁ ପାଠୁଆ ହୋଇ ରହିଥାନ୍ତି, ନାଣ୍ଡିମାନଙ୍କ ଭିତରେ ସେହିମାନଙ୍କର ସଂସାର ଗୁଡ଼ାକ ହିଁ ପଲ୍ଲବ ମୁକୁଳାଇ ପୁଚ୍ଛ ଟେକି କେଡ଼େ ଗହଗହ ଦେଖାଯାଉଥାଏ । ଅନ୍ୟମାନେ ତୁଚ୍ଛା ଭୂଇଁରେ ବାଟ ଚାଲିବାହୁ ସମର୍ଥ ହେଉ ନଥିବାବେଳେ ସେମାନେ ଗଗନରେ ଉଡ଼ୁଥାନ୍ତି । ଏକ ଅସମାନ ସମାଜରେ ସେହିମାନେ ହିଁ ସବୁଯାକ ପ୍ରତିଦ୍ଵନ୍ଦ୍ୱିତାରେ ଜିତିଲେ ବୋଲି କଚେରୀ ଗୁଡ଼ାକରୁ ଘୋଷଣା ହେବାରେ ଲାଗିଥାଏ । ଦ୍ରୋଣମାନେ ସେହିମାନଙ୍କ ପଟରେ ରହିଥାନ୍ତି । ତଥାପି ସେମାନେ ନିଃସଙ୍ଗ ହୁଅନ୍ତି କାହିଁକି ?

 

ଜଣେ ମଣିଷକୁ ଅନ୍ୟ ମଣିଷମାନେ ଯେତେବେଳେ ସଙ୍ଗୀ ଭଳି ନ ଦିଶନ୍ତି, ସେତିକିବେଳେ ସିଏ ନିଃସଙ୍ଗ ହେବା ବ୍ୟତୀତ ସତକୁ ସତ ଆଉ କୌଣସି ଗତି ନ ଥାଏ । ସେହି ମଣିଷ ଧନପତି କୁବେର ହୋଇପାରେ, ସବା ବଡ଼ ଅମାର ଉପରେ ସବୁଠାରୁ ଅଧିକ ବଦାନ୍ୟ ବ୍ୟକ୍ତି ରୂପେ ଶୋଭା ପାଇପାରେ, ତଥାପି ନିଃସଙ୍ଗ ହେବା ବ୍ୟତୀତ ଆଉ କୌଣସି ଗତି ନ ଥାଏ । ସିଏ ହୁଏତ ଏକାବେଳେକେ ଛଅକାଠି ବିଦ୍ୟା ହାସଲ କରି ଥାଇପାରେ, ସାହିତ୍ୟ ଲେଖି ସରସ୍ଵତୀଙ୍କୁ ଲାଜରା କରି ଦେଇପାରେ, ସଭା ଭିତରେ ଏକାବେଳେକେ ସାତଟା କନ୍ଦର୍ପର ଦର୍ପରେ ମହମହ ଦେଖା ଯାଇପାରେ, ତଥାପି ଭିତରେ ନିଃସଙ୍ଗ ହୋଇ ରହିଥାଏ । ନିଜ ଭିତରେ ନିଜ ପାଖରେ ଏକାବେଳେକେ ଏଡ଼େ ଟିକିଏ ହୋଇ ଦିଶୁଥାଏ । ସଂସାରର ସବୁ ସମ୍ପତ୍ତିକୁ ଖାସ୍ ନିଜ ପାଇଁ ଠୁଳ କରି ଆଣିପାରିଲେ ମଣିଷ ସମ୍ପଦବାନ୍‍ ବୋଲି ଆପଣାକୁ ସାବ୍ୟସ୍ତ କରିପାରିବ ବୋଲି ଏକ ନିଶା ମଣିଷକୁ ଯେଉଁ କାଳରୁ ଘାରିଲାଣି ଏବଂ ସେହି ନିଶାକୁ ତଦନୁକୂଳ ସମାଜମାନଙ୍କରେ ଯେଉଁଦିନ ଏକ ଆନୁଷ୍ଠାନିକ ପ୍ରଶସ୍ତତା ଦିଆଗଲାଣି, ସମ୍ଭବତଃ ସେହି ଦିନଠାରୁ ଜଗତରେ ଅଲିଅଳିମାନଙ୍କୁ ନିଃସଙ୍ଗତା ଆସି ଗ୍ରାସ କଲାଣି । ସେମାନେ ଆଉ ଖୁସି ହୋଇ ଗଛଟିଏ ଲଗାଇ ପାରୁନାହାନ୍ତି । ସେମାନେ ଖୁସି ହୋଇ ମୋଟେ କିଛି କରି ପାରୁନାହାନ୍ତି । ଖାଲି ଅନ୍ୟମାନଙ୍କ ସହିତ ଆପଣାର ତୁଳନା କରିବାରେ ଲାଗିଛନ୍ତି । କଳେବଳେ କୌଶଳେ ଅନ୍ୟ ସମସ୍ତଙ୍କଠାରୁ ଅଧିକ ବୋଲି ନ ଦିଶିଲେ ସେମାନଙ୍କର ରାତି ମୋଟେ ପାହୁନାହିଁ । ଏବଂ ରାତିଟାଯାକ ବହୁବିଧ ଅଳ୍ପତାବୋଧ ମଧ୍ୟରେ ଘାଣ୍ଟି ହେଉଥିବା ପର୍ଯ୍ୟନ୍ତ ସେମାନେ ଖୁସି ହୋଇପାରିବେ କିପରି ? ଅନ୍ୟମାନଙ୍କର ଯାବତୀୟ ସବୁକିଛି ସେମାନଙ୍କୁ ସତେଅବା ସୁନ୍ଦରୀ ସୀତା ପରି ଦେଖାଯାଉଛି ଓ ସେମାନେ ତାହାକୁ ହରଣ କରି ନିଜ ବାଟିକା ଭିତରେ ଆଣି ରଖିବାଲାଗି ଯେକୌଣସି ବେଶ ଧାରଣ କରିବାକୁ ମଧ୍ୟ ପ୍ରସ୍ତୁତ ହୋଇ ଯାଉଛନ୍ତି । ନିଜ ଭିତରେ ରହିଥିବା ଜୀବନର ଅସଲ ଗଣ୍ଠି ଅର୍ଥାତ୍ ଅସଲ ନାଭିଟି ସହିତ ସେମାନଙ୍କର କୌଣସି ଯୋଗସୂତ୍ର ରହୁନାହିଁ । ଏବଂ ଅସଲ ବନ୍ଧୁ ଓ ଅସଲ କେନ୍ଦ୍ରଟି ସହିତ ଯୋଗସୂତ୍ର ନ ରହିଲେ ମଣିଷ ନିଃସଙ୍ଗ ହେବନାହିଁ ତ ଆଉ କ’ଣ ହେବ ?

 

ଯିଏ ସଂସାରକୁ ସମ୍ପତ୍ତିଜ୍ଞାନରେ ଦେଖେ, ସିଏ ଆପଣାର ଅତ୍ୟନ୍ତ ଜାଣତରେ ବା ଅଜାଣତରେ ପଣ୍ୟବାଦୀ ହୋଇଯାଏ । ପଣ୍ୟବାଦ ନାମକ ପତଙ୍ଗର ଏକାବେଳେକେ ଦୁଇଟା ନାହୁଡ଼ । ପଣ୍ୟବାଦୀ ପୃଥିବୀରେ ଅନ୍ୟ ସମସ୍ତଙ୍କୁ ତୁଚ୍ଛା ପଣ୍ୟବତ୍‍ ଦେଖେ । ପୃଥିବୀରେ ସବୁକିଛିର କିଣା ଓ ବିକା ହୋଇପାରିବ ବୋଲି ସିଏ କ୍ରମେ ବିଶ୍ଵାସ କରିବାକୁ ଆରମ୍ଭ କରେ ଏବଂ ସବୁକିଛିକୁ ବୋହିଆଣି ଘରେ ଭର୍ତ୍ତି କରାଯାଇ ପାରିବ ବୋଲି ସତେ ଅବା କୋଉ ରାଜ୍ୟର ଅଣ୍ଡିରା ସାଧବପୁଅ ପରି ଭାବିବାକୁ ଆରମ୍ଭ କରେ । ସେ ସୁନା କିଣେ, ରୂପା କିଣେ, ପଦ କିଣେ, ପ୍ରଖ୍ୟାତି କିଣେ–ସବୁଠାରୁ ବଡ଼ ଚଉକୀକୁ ଦାଣ୍ଡରେ ପକାଇ ତାହାରି ଉପରେ ବସେ ଏବଂ ସବୁଠାରୁ ବଡ଼ ପଲଙ୍କକୁ ଘରେ ପକାଇ ତାହାରି ଉପରେ ଶୁଏ । ସାରା ସଂସାରକୁ ନାହୁଡ଼ କରି ଗୋଟା ସୁଦ୍ଧା ବିଜୟ କରିନେଲା ବୋଲି କେଡ଼େ ପାରଙ୍ଗମ ଭାବରେ ଭାବିବାରେ ଲାଗିଥାଏ । ମାତ୍ର, ଆର ନାହୁଡ଼ଟା ତା’ ନିଜକୁ ମଧ୍ୟ ବିନ୍ଧିକରି ରହିଥାଏ । ସିଏ ଆପଣାକୁ ମଧ୍ୟ ଏକ ପଣ୍ୟବୋଲି ବିଚାର କରିବାର ପ୍ରବଞ୍ଚନାରେ ପଡ଼ିଯାଏ । ସେଇଥି ଲାଗି ଭୀରୁ ହୁଏ, କେନ୍ଦ୍ର ହରାଏ, ନିଃସଙ୍ଗ ହୁଏ । ଆପଣାର ପଣ୍ୟ ଗୁଡ଼ିକର ମେଳରେ ସିଏ ନିଜେ ବି ତୁଚ୍ଛା ପଣ୍ୟଟିଏ ହୋଇ ପଡ଼ି ରହିଥାଏ । ଅନ୍ୟମାନଙ୍କୁ ପଣ୍ୟ ପରି କିଣାଯାଇ ପାରିବ ବୋଲି ସିଏ କେଡ଼େ ଆଣ୍ଟରେ ଭାବେ, ସିଏ ନିଜେ ମଧ୍ୟ ପଣ୍ୟରୂପେ ବିକି ହୋଇଯାଇ ପାରିବ ବୋଲି କେଡ଼େ ସହଜରେ ବିଶ୍ଵାସ ମଧ୍ୟ କରୁଥାଏ ।

 

ଗଛଟିଏ ରୋପିବା, ବଗିଚାଟିଏ ରୋପିବା, ଫୁଲଟିଏ ଫୁଟାଇବା, ସଂସାରରେ ଫୁଲଟିଏ ହୋଇ ଫୁଟି ଉଠିବା–ଏଇଟି ଅନ୍ୟ ରୀତି, ଏକ ଅନ୍ୟ ଧର୍ମ, ଏକ ଅନ୍ୟ ଜୀବନବେଭାର-। ପୃଥିବୀର ସବୁଯାକ ଫୁଲକୁ ସମ୍ପତ୍ତି କରି ରଖିବାକୁ ମନ କରୁଥିବା ଓ ସବୁ ବଗିଚାକୁ ଆପଣାର ଭୂସମ୍ପତ୍ତି ବୋଲି ଭାବୁଥିବା ମହାମାର୍ତ୍ତଣ୍ଡମାନେ ସେହି ବେଭାର ଭିତରକୁ ମୋଟେ ପଶି ପାରିବେ ନାହିଁ । ତେଣୁ ନିଃସଙ୍ଗ ହେବେ । ଏହି ପୃଥିବୀର ବଗିଚାରେ ଆମ ସମସ୍ତଙ୍କ ପାଇଁ ଅବଶ୍ୟ ଯଥେଷ୍ଟ ଜାଗା ରହିଛି । କୌଣସି ଦାନବର ହୁକୁମ ମାନି ଆମେ କଦାପି ଫୁଲଟିଏ ହୋଇ ଫୁଟି ଉଠିବା ନାହିଁ । ଆଦୌ କାହାରି ହୁକୁମ ମାନି ଫୁଟି ଉଠିବା ନାହିଁ, ଆମେ କାହାରି ସମ୍ପତ୍ତିବୋଧର ପଣ୍ୟ ହୋଇ କି ଫୁଲ ହୋଇ ଫୁଟି ଉଠିବା ନାହିଁ । ଆପଣା ଭିତରେ ଏହିପରି ଏକ ସଂକଳ୍ପ ସହିତ ମିତ ବସି ପାରିଲେ ଯାଇ ଆମେ ଆପଣା ଭିତରେ ଖାଲି ଖୁସିରେ ଫୁଟି ଉଠିବାର ସାମର୍ଥ୍ୟଟିକୁ ଅବଶ୍ୟ ଅନୁଭବ କରିପାରିବା । ଆମ ଜୀବନ ଧର୍ମତଃ କେବଳ ଏହି ଫୁଟି ଉଠିବା ପାରିବା ପାଇଁ । ଦଉଡ଼ି ପକାଇ ସମସ୍ତଙ୍କୁ ବାନ୍ଧି ଆଣି ପାରିବା ପାଇଁ ଆଦୌ ନୁହେଁ । ଇତିହାସରେ ଚକ୍ରବର୍ତ୍ତୀମାନେ ହିଁ ସତେଅବା ଅଭିଶାପ ପାଇଥିଲା ପରି ନିଃସଙ୍ଗ ହୋଇ ରହିଛନ୍ତି, ମାନୀମାନେ ହିଁ ଆପଣାଠାରୁ ସବୁଠାରୁ ଅଧିକ ଅପମାନ ପାଇଛନ୍ତି । ଭିତରେ ବନ୍ଧୁଛଡ଼ା ହୋଇ ରହିଥିବା ମଣିଷମାନେ ସଚରାଚର ବାହାରେ ଅଧିକ ସମ୍ପତ୍ତି ଅଧିକାର କରି ରହିବାକୁ ମନ କରନ୍ତି, ଅଧିକ କ୍ଷମତା ଲୋଡ଼ନ୍ତି, ଅଧିକ ତୋଡ଼ା ଦେଖାନ୍ତି ।

 

ତେଣୁ ଖୁସି ହୋଇ ପ୍ରାୟଶ୍ଚିତ କରିପାରିଲେ ଯାଇ ନିଃସଙ୍ଗତା ଯିବ । ତେବେଯାଇ ଅସଲ ଖୁସି ଆସିବ । ପୃଥିବୀରେ ବଜାର ବଢ଼ାଇ ଖୁସିକୁ କିଣାଯାଇ ପାରିବ ବୋଲି ଭ୍ରମରେ ପଡ଼ିଥିବା ମଣିଷ କ୍ରମେ ଏକ ବଡ଼ ଓ ଆହୁରି ବଡ଼ ଗୟଳ ପରି ଦେଖା ଯାଉଥିବ ସିନା, ମାତ୍ର ତଥାପି ଅଖୁସି ହୋଇ ରହିଥିବ । ଚାରିପାଖକୁ ଅନାଇ ଆମେ ଆମର ଏ ଯୁଗରେ କେଡ଼େ କେଡ଼େ ଗୟଳଙ୍କୁ ଦେଖିବାକୁ ନ ପାଉଛୁ । ବଡ଼ ବଡ଼ ଆସନରେ ବଡ଼ ଗୟଳମାନେ ଓ ସାନ ସାନ ଆସନରେ ସାନ ଗୟଳମାନେ । ସଭାରେ ସେହି ଗୟଳମାନେ, ସାହିତ୍ୟରେ ବି ଗୟଳମାନେ, କ୍ଷମତା ଭିତରେ ଗୟଳମାନେ ଓ କ୍ଷମତା ବାହାରେ ଗୟଳମାନେ । ପୃଥିବୀର ସବୁ ଫୁଲବଗିଚା ଉପରେ ସେମାନେ ମାଲିକ ହୋଇ ରହିବାକୁ କେଡ଼େ ପ୍ରଚଣ୍ଡ ହୋଇ ମାଡ଼ି ଆସୁଛନ୍ତି । ମାତ୍ର ପ୍ରଚଣ୍ଡ ହେଲେ ମଧ୍ୟ ନିଃସଙ୍ଗ, ପ୍ରଚଣ୍ଡ ହେଲେ ମଧ୍ୟ ଦୁଃଖୀ । ଆପେ ଫୁଲଟିଏ ହୋଇ ଫୁଟି ଉଠିବାକୁ ମନ କଲେ ଯାଇ ସେମାନେ ଯଥାର୍ଥ ପ୍ରାୟଶ୍ଚିତ୍ତ କରିପାରିବେ । ପୃଥିବୀ ମଧ୍ୟ ଶାନ୍ତ ହେବ-। (୨୬ । ୧୦ । ୮୮)

 

(୬୩)

 

ଆମ ସଂସାରରେ ଏବେ ଅଧିକରୁ ଅଧିକ ମଣିଷ ଚାଲାଖ ହେଲେଣି, ଭାରି ସତର୍କ ହୋଇ ଗଲେଣି । କେବଳ ଆପଣା ପାଇଁ ଲାଗିଲେଣି, ଆପଣାଟି ରହିପାରିଲେ ଯାଇ ସମଗ୍ର ସଂସାର ରହିବ ବୋଲି ଏକ ନୂଆ ସିଦ୍ଧାନ୍ତ ବାହାର କରି ସାରିଲେଣି । ଆମେ ଯେଉଁମାନେ କେବଳ ଆପଣା ଲାଗି ଲାଗିଛୁ ଓ ତାହାକୁ କେତେ ତାରିଫ କଲାପରି ଜୀବନସଂଗ୍ରାମ ବୋଲି କହୁଛୁ, ଆମେସବୁ ଏହି ସତର୍କ ହେବାକୁ ହିଁ ସଂସାରରେ ତିଷ୍ଠି ରହିବାର ଏକମାତ୍ର ଉପାୟ ବା ଏକମାତ୍ର ଶୈଳୀ ବୋଲି ଗ୍ରହଣ କରି ସାରିଲୁଣି । ଆଗେ ହୁଏତ କେହି ଚାଲାଖ ନଥିଲେ, ଚାଲାଖ ହେଲା ବେଳକୁ ଭାରି ସତର୍କ ହୋଇ ଚାଲାଖ ହେଉଥିଲେ । ହୁଏତ ଲୁଚିଲୁଚି ଚାଲାଖ ହେଉଥିଲେ, ଚାଲାଖ ହେଉ ହେଉ କାଳେ ବାରଜଣଙ୍କ ଆଖିରେ ଧରା ପଡ଼ିଯିବେ ବୋଲି ସେମାନଙ୍କୁ ଭାରି ଲାଜ ମାଡ଼ୁଥିଲା । କ୍ରମେ ସହରବାସୀ ଚାଲାଖ ହେଲେ, ଏବେ ଗାଆଁ ବାଲା ବି ଚାଲାଖ ହେବାକୁ ହିଁ ଏକମାତ୍ର ଧର୍ମ ବୋଲି ମାନି ସାରିଲେଣି । ଆଗେ କେବଳ ଶିକ୍ଷିତମାନେ ଚାଲାଖ ହେଲେ, ଏବେ ଅଶିକ୍ଷିତମାନେ ବି କମ୍‍ ଚାଲାଖ ହେଉନାହାନ୍ତି । ଆଗେ କେବଳ ବାବୁମାନେ ନିଜକୁ ଚାଲାଖ କଲେ, ସେପରି କରି ଲାଭବାନ୍ ହେଲେ, ଏବେ ଭୃତ୍ୟମାନେ ମଧ୍ୟ କ୍ରମେ ବାବୁମାନଙ୍କୁ ଚାଲାଖିପଣରେ ଚିତା କାଟିଦେବାକୁ ମଣ ହୋଇଗଲେଣି । ଆମର ଚାଲାଖିଗୁଡ଼ାକ ତୋଟାରୁ ଦାଣ୍ଡକୁ ଆସିଲାଣି ଓ ଦାଣ୍ଡରୁ ଘର ଭିତରକୁ ଆସି ପଶିଲାଣି । ଆମର ସଂସ୍କୃତି, ଆମର ସାହିତ୍ୟ, ଆମର ରାଜନୀତି ଓ ଆମର ଧର୍ମ ଭିତରେ ଏବେ କେବଳ ଚାଲାଖମାନେ ହିଁ ତିଷ୍ଠି ପାରୁଛନ୍ତି । ଆମର ପାଠ, ବିଦ୍ୟା, ଜ୍ଞାନ, ବୁଦ୍ଧି ଓ ଦୁର୍ବୁଦ୍ଧି ଗୁଡ଼ାକୁ ଆମେ କେତେ ନିଷ୍ଠାପର ଭାବରେ ଅଧିକ ଚାଲାଖ ହେବାରେ ହିଁ ପ୍ରୟୋଗ କରି ପାରିଲୁଣି ।

 

ଆମ ମନ୍ତ୍ରୀ ଚାଲାଖ ହେଲେଣି, ଆମ ରାଜନୀତି ମଧ୍ୟ ଚାଲାଖ ହୋଇ ଆମର ରାଜ୍ୟର ସକଳ ନୀତିକୁ ଡେଇଁଯିବ ବୋଲି କୋଉକାଳୁ ମନ କରି ବାହାରିଲାଣି । ପୋଲିସ ଓ ଓକିଲମାନେ ତ ଏବେ ମାତୃଗର୍ଭରୁ ହିଁ ଚାଲାଖ ହୋଇ ବାହାରିବାକୁ ନିରାପଦ ମନ କରୁଛନ୍ତି । ଆମ କଚେରିଗୁଡ଼ାକ ତୁଚ୍ଛା ଚାଲାଖିପଣର ପବନରେ ଡାଳ ଉପରେ ବସି ଡାଳମାଙ୍କୁଡି ଖେଳିବାରେ ଲାଗିଛନ୍ତି । ଡାର୍‍ଉଇନ୍‍ଙ୍କର ସିଦ୍ଧାନ୍ତଟିକୁ ମାନିବାରେ ସେମାନେ ଡାର୍‍ଉଇନ୍‍କୁ ମଧ୍ୟ ଟପି କେତେ ଆଗକୁ ବାହାରି ଗଲେଣି । କେବଳ ତାଙ୍କର ସିଦ୍ଧାନ୍ତକୁ ନୁହେଁ, ତାଙ୍କର ସାଧୁତାକୁ ମଧ୍ୟ ଡେଇଁ ଚାଲିଗଲେଣି । ଅର୍ଥାତ୍, ତିଷ୍ଠି ରହିବା ହିଁ ପରମ ଧର୍ମରେ ପରିଣତ ହୋଇ ସାରିଲାଣି । ଅଧିକାଂଶ ମଣିଷ କାତର ହୋଇ ଚାଲାଖ ହେଉଛନ୍ତି । ଅର୍ଥାତ୍, ଚାଲାଖ ନ ହେଲେ ତିଷ୍ଠିବା ହିଁ ସମ୍ଭବ ହେବ ନାହିଁ ବୋଲି ଚାଲାଖ ହେଉଛନ୍ତି । ଯୁଗଟାକୁ ଆଘ୍ରାଣ କରି ସେହି ଅନୁସାରେ ହିଁ ନିଜକୁ ଖାପ ଖୁଆଇ ନେଉଛନ୍ତି । ଯଦି ସତକୁ ସତ କେତେ ମଣିଷ ଦୃଷ୍ଟାନ୍ତ ଦେଖାଇ ପାରନ୍ତେ, ତେବେ ଅନ୍ୟ ମଣିଷମାନେ ହୁଏତ ତାକୁ ଦେଖି ସଂସାରରେ ଧର୍ମ ରହିଛି, ନୀତି ରହିଛି, ବିଶ୍ଵାସ ରହିଛି ଓ ଅନ୍ତରଙ୍ଗତା ରହିଛି ବୋଲି ପ୍ରତ୍ୟୟ ଯାଇପାରନ୍ତେ । ଅନ୍ତତଃ ଆମ ଇସ୍କୁଲମାନଙ୍କରେ ଏହି ଅନ୍ୟ କଥାଟିର ଆରମ୍ଭ ହୋଇପାରନ୍ତା ।

 

ମାତ୍ର ଅସଲ କଥାଟି ହେଉଛି, ନିଜ ଭିତରେ ବିଶ୍ଵାଟିଏ ନଥିଲେ ତୁମେ କୋଉଠି କାହାର ସଙ୍ଗୀ ହୋଇ ପାରିବ ? ନିଜର ଧର୍ମ ବୋଲି, ନୀତି ବୋଲି ସତକୁ ସତ କିଛି ନଥିଲେ ତୁମକୁ ସଂସାରରେ ଯଥାର୍ଥ ସଙ୍ଗୀଟିଏ କୋଉଠି ମିଳିପାରିବ ? ଆପେ ସଂସାରରେ କାହାର ଅନ୍ତରଙ୍ଗ ହୋଇ ନପାରୁଥିଲେ ତୁମକୁ କୋଉଠି ସତକୁ ସତ ଅନ୍ତରଙ୍ଗ ବନ୍ଧୁଟିଏ ଅଥବା ସଙ୍ଗୀଟିଏ ହୋଇ ରହିଛି ବୋଲି ଦେଖାଯିବ ବା କିପରି ? ତେଣୁ ଏବେ ଆମ ଭିତରୁ ଅନେକଙ୍କୁ ଯେ ଏକ ଅନ୍ତର୍ଗତ ନିଃସଙ୍ଗତାବୋଧ ଏଡ଼େ ପ୍ରବଳ ଭାବରେ ଘାରିକରି ରହିଛି, ସେଥିରେ ଆଉ ବିସ୍ମିତ ହେବାର କ’ଣ ଅଛି ? ଚାଲାଖ ହେବାକୁ ହିଁ ଜୀବନର ପ୍ରଥମ ଅଙ୍ଗୀକାର ରୂପେ ଗ୍ରହଣ କରିନେଲେ ମଣିଷ ନିଃସଙ୍ଗ ହେବ ହିଁ ହେବ । ନିଜ ଭିତରେ ନିଃସଙ୍ଗ ହେବ, ନିଜର ବାହାରେ ମଧ୍ୟ ନିଃସଙ୍ଗ ହେବ । ତା’ ଭିତରର ନିଃସଙ୍ଗତାବୋଧ ତା’ ବାହାରେ ସଂସାରଟି ଉପରେ ପଥର ପରି ଲଦି ହୋଇ ରହିଥିବ ଏବଂ ବାହାରର ନାନା ଦୂରତା ଓ ଶଙ୍କାର ଭାବନା ତା’ ଭିତରେ ମଧ୍ୟ ପଥର ପରି ଲଦି ହୋଇ ରହିଥିବ । ଚାଲାଖ ମଣିଷ ବିଶ୍ଵାସ କରିପାରିବ ନାହିଁ ଏବଂ ବିଶ୍ଵାସ କରି ନ ପାରୁଥିବା ମଣିଷ କଦାପି ସଙ୍ଗୀଟିଏ ପାଇପାରିବ ନାହିଁ । ଗଉଁ କାଢ଼ୁଥିବା ସିନା, ମାତ୍ର ତଥାପି ନିଃସଙ୍ଗ ହୋଇ ବୁଲୁଥିବ । ପାଠ ଥିବ, ଅଚଳା ସମ୍ପତ୍ତି ରହିଥିବ, ମୋରି ବୋଲି କହିବାକୁ ଓ କହି ଗର୍ବ ଅନୁଭବ କରିବାକୁ ତା’ ଆଗରେ ସିଏ କେତେ କ’ଣ ଗଦା ଗଦା କରି ଭାଡ଼ି, ମାରି ରଖିଥିବ, ତଥାପି ନିଃସଙ୍ଗ ହୋଇ ରହିଥିବ । ସିଏ ଭଗବାନଙ୍କୁ ସଙ୍ଗୀ କରି ବାହାରିବା ସମୟରେ ମଧ୍ୟ ସଦର ମଫସଲ ଖୋଜି ବାହାର କରୁଥିବ, ହାନି ଲାଭର ହିସାବ କରିବାରେ ଲାଗିଥିବ । ସତକୁ ସତ କାହାର ହୋଇପାରିଲେ ଯାଇ ନିଃସଙ୍ଗତା ଯିବ । ଚାଲାଖ ହୋଇ ଜୀବନ ବଞ୍ଚିବାର ମୋହ ସେତିକିବେଳେ ଯାଇ ତୁଟିବ । ଜୀବନର ଅସଲ ନିର୍ଭର ଓ ଅସଲ ଅବଲମ୍ବନ ଗୁଡ଼ିକ ସେତେବେଳେ ନିଜ ଭିତରେ ଅବଶ୍ୟ ମିଳିଯିବ ଏବଂ ଭିତରେ ମିଳିଯାଇ ଥିବାରୁ ବାହାରେ ମଧ୍ୟ ମିଳିଯିବ । କାତରତା ଦୂର ହେବ, ସାହସ ଜନ୍ମଲାଭ କରିବ । ସଂଶୟ ଯିବ, ଶ୍ରଦ୍ଧା ଜନ୍ମଲାଭ କରିବ-। ଶ୍ରଦ୍ଧା ହିଁ ଜୀବନ ବଞ୍ଚିବାର ପ୍ରଧାନ ପ୍ରେରଣା ହୋଇ ରହିବ । ଶ୍ରଦ୍ଧା ଖିଅ ଲଗାଇଦେବ, ଖିଅକୁ ଖିଅ ଯୋଡ଼ିଦେବ ।

 

ଆଗେ ମଣିଷମାନେ ଆଦୌ ଦେବତା ନଥିଲେ । ସେମାନଙ୍କ ଭିତରେ ଖଳତା ଅବଶ୍ୟ ରହିଥିଲା, ସ୍ୱାର୍ଥଭାବନା ରହିଥିଲା । ମାତ୍ର ତଥାପି ଜୀବନକୁ ଜୀବନ ଓ ମଣିଷକୁ ମଣିଷ ଯୋଡ଼ିକରି ରଖିଥିବାର ଖିଅଗୁଡ଼ାକ ଉପରେ ସେହି ମଣିଷମାନଙ୍କର ଏକ ମୂଳଭୂତ ଆସ୍ଥା ମଧ୍ୟ ରହିଥିଲା । ଭୂଇଁରେ ଚେର ଥିଲା, ଚେରଗୁଡ଼ିକ ଉପରେ ଆସ୍ଥା ରହିଥିଲା । ସେକାଳରେ ମଣିଷମାନେ ଅଳପ ଜାଣିଥିଲେ, ଏକାବେଳେକେ ଅଳ୍ପ ପରିଧି ଭିତରେ ବିତରଣ କରୁଥିଲେ, ସମ୍ଭବତଃ ସବାଆଗ ସେହି କାରଣରୁ ହିଁ ଖିଅଗୁଡ଼ିକୁ ଓ ଚେରଗୁଡ଼ିକୁ ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଅନୁଭବ କରି ପାରୁଥିଲେ । ଆମ ଏକାଳରେ ବହୁବିଧ କାରଣରୁ ମଣିଷର ବାହାରେ ତଥା ଭିତରେ ଉଭୟ ଭୂମି ବହୁ ପ୍ରସାରିତ ହୋଇଗଲା, ପୁରୁଣା ଆୟତନ ତଥା ଅନୁରକ୍ତିଗୁଡ଼ିକର ଖୁଣ୍ଟମାନେ ସତେଅବା ଆଉ ମୋଟେ କାମ ଦେଇପାରିଲେ ନାହିଁ । ଆଗେ ଧର୍ମ କହିଲେ ମଣିଷ ନିଜର ଧର୍ମଟିକୁ ବୁଝୁଥିଲା, ଶାସ୍ତ୍ର କହିଲେ ନିଜ କୋଥଳିରେ ବା ଗାଦୀରେ ରହିଥିବା ତାହାରି ଚିହ୍ନା ଶାସ୍ତ୍ରଗୁଡ଼ିକୁ ହିଁ ଜାଣୁଥିଲା, ନୀତି କହିଲେ ଅତ୍ୟନ୍ତ ଅଭ୍ୟସ୍ତ ଓ ପରିଚିତ ଭାବରେ ନିଜେ ମାନୁଥିବା ନୀତିଗୁଡ଼ିକୁ ହିଁ ବୁଝୁଥିଲା । ଏ ଯୁଗରେ ଦୂରଗୁଡ଼ିକ ନିକଟ ହୋଇ ଆସିବା ସଙ୍ଗେ ସଙ୍ଗେ ଏବଂ ଅଜ୍ଞାତମାନେ ଜ୍ଞାତ ହୋଇ ଆସିବା ସଙ୍ଗେ ସଙ୍ଗେ ମଣିଷର ପୁରୁଣା ମାପକାଠିଗୁଡ଼ିକ ମଧ୍ୟ ଅଚଳ ବୋଲି ସାବ୍ୟସ୍ତ ହେବାକୁ ଲାଗିଲା । ଏଣିକି ଧର୍ମର ପରିପ୍ରେକ୍ଷୀରେ ନିଜ ଧର୍ମଟିକୁ ତଉଲି ଦେଖିବାକୁ ପଡ଼ିଲା, ନୀତିର ପରିପ୍ରେକ୍ଷୀରେ ନିଜର ଅଚରିତ ନୀତିଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ପଡ଼ିଲା ଏକ ବୃହତ୍ତର ସମଗ୍ରର ପରିପ୍ରେକ୍ଷୀରେ ଆପଣାର କ୍ଷୁଦ୍ର ଦ୍ୱୀପଗୁଡ଼ିକୁ ମିଳାଇ ଦେଖିବାକୁ ପଡ଼ିଲା । ତେଣୁ ପୁରୁଣା ସଙ୍ଗତଗୁଡ଼ାକ ଭାଙ୍ଗି ଗଲା, ଏକ ନୂତନ ସଙ୍ଗତିର ଧାରା ଅନୁସାରେ ଆପଣାର ଯାବତୀୟ ଚେର ଏବଂ ଯାବତୀୟ ଖିଅଗୁଡ଼ିକୁ ପୁନର୍ବାର ଆବିଷ୍କାର କରିନେବାକୁ ହେଲା ।

 

ଅନେକ ମଣିଷ ହୁଏତ ହଠାତ୍ ଏତେଗୁଡ଼ାଏ ଲାଗି ମୋଟେ ପ୍ରସ୍ତୁତ ନଥିଲେ । ସେମାନଙ୍କ ଭିତରୁ ଥୋକେ ଆପଣାର ସେହି ପୁରୁଣା ଦ୍ଵୀପଗୁଡ଼ିକୁ କାମୁଡ଼ି ପଡ଼ିରହିଲେ, ଧୂବକୁ ଛାଡ଼ି ଅଧୂବକୁ ମନ ନ କରିବାକୁ ହିଁ ନିରାପଦ ମନ କଲେ । ଆହୁରି ଥୋକେ ପୃଥିବୀରେ ଆଦୌ କୌଣସି ଚେର ବା ଖିଅ, ନିର୍ଭର ବା ଅବଲମ୍ବନ ନାହିଁ ବୋଲି କେଡ଼େ ବଡ଼ ପାଟିରେ ହୁରି କରିବାକୁ ଲାଗିଲେ । ସେମାନେ ନିଃସଙ୍ଗ ହେଲେ, ଆପଣାକୁ ଅନେକ ସମୟରେ ହେତୁବାଦୀ ବୋଲି ଘୋଷଣା କଲେ । ଭାରି ଲଙ୍ଗଳା ଦେଖାଗଲେ, ଭାରି ଫୁଙ୍ଗୁଳା ଦିଶିଲେ । ସମ୍ଭବତଃ ତାହାରି କ୍ଷତିପୂରଣ କରିବା ଲାଗି ଚାଲାଖି ହେଲେ । ନିଃସଙ୍ଗତାବୋଧ ନାମକ ଏକ ନୂଆ ଠାଣିକୁ ସେହି ଚାଲାଖ ହେବାରେ ଗୋଡ଼ରେ ପାହୁଡ଼ କରି ପିନ୍ଧିଲେ ଓ ଆପଣାର କିଛି ନପାରି ଥିବାରୁ ଦାରିଦ୍ର୍ୟକୁ ଚାକଚକ୍ୟ ସହିତ ଘୋଡ଼ାଇ ରଖିବାଲାଗି ଏକ ଜୀବନଦର୍ଶନ ପାଇ ଯାଇଛନ୍ତି ବୋଲି ପୁଲକିତ ହୋଇ ନାଚିବାକୁ ଲାଗିଲେ । ଆହ୍ଵାନଟିକୁ ଜାଣିଶୁଣି ଚାଲାଖିପଣରେ ଏଡ଼ିକରି ରହିଲେ । କେବଳ ଆପଣାଟିକୁ ବା ଆପଣାଗୁଡ଼ିକୁ ହିଁ ସମ୍ଭାଳିଲେ । ଦୈତ୍ୟ ହେଲେ ।

 

ଆଧୁନିକ ଜୀବନର ହାତରେ ତାହାର ଅସଲ ଔଚିତ୍ୟଟିକୁ ଧରାଇ ଦେବାକୁ ହେଲେ ଆମ ଜୀବନରେ ଖିଅଗୁଡ଼ିକ ଅବଶ୍ୟ ରହିବ, ଚେରଗୁଡ଼ିକ ଅବଶ୍ୟ ରହିବ । ନିଃସଙ୍ଗତାର ସ୍ତୁତିକାରୀମାନେ ସକାଳଟାକୁ ଦ୍ଵିପହର ଏବଂ ପୂର୍ଣ୍ଣଗୁଡ଼ିକୁ ତୁଚ୍ଛା ଶୂନ୍ୟ ବୋଲି ହୁରି ପକାଉଥିଲେ ମଧ୍ୟ ତଥାପି ଖିଅଗୁଡ଼ାକୁ ଡୋରଗୁଡ଼ିକୁ ଆବିଷ୍କାର କରିନେବାକୁ ପଡ଼ିବ । ପୁରୁଣା ଚେର ଓ ପୁରୁଣା ଡୋରମାନେ ହୁଏତ ଆଉ କୌଣସି କାମ ଦେବେ ନାହିଁ । ତଥାପି ଚେର ରହିବ, ଡୋର ରହିବ, ଶ୍ରଦ୍ଧା ରହିବ, ଅନ୍ତରଙ୍ଗତା ରହିବ । ଏଗୁଡ଼ିକ ନ ରହିଲେ ଜୀବନ ଶୁଖି ଶୁଖି ଯାଉଥିବ । ଆହ୍ଵାନକୁ ଏଡ଼ିଦେବା ଦ୍ଵାରା ନୁହେଁ, ଚାଲାଖି ହୋଇ ଗାତରେ ପଶିଯିବା ଦ୍ଵାରା ନୁହେଁ, ଆହ୍ଵାନଗୁଡ଼ିକର ସମ୍ମୁଖୀନ ହୋଇ ଶ୍ରଦ୍ଧାର ସହିତ ବ୍ୟକ୍ତିଗତ ତଥା ସାମୂହିକ ଜୀବନ ଏବଂ ସମ୍ବନ୍ଧଗୁଡ଼ିକର ଏକ ପୁନବେଶନ କରାଇବା ଦ୍ଵାରା ହିଁ ଆମେ ଆମ ଭିତରେ ଆମର ଆକାଙ୍‍କ୍ଷା ଗୁଡ଼ିକରେ ଗଭୀରତମ ସ୍ତରରେ ରହିଥିବା ଜୀବନଶ୍ରଦ୍ଧାର ଭାଜନ ହୋଇ ପାରିବା । ସେହି ଶ୍ରଦ୍ଧାକୁ ମନ କଲେ ନିଃସଙ୍ଗତାବୋଧ ସମେତ ଯାବତୀୟ ଉପେକ୍ଷାଭାବ ହିଁ ଆମକୁ ଜୀବନ ପ୍ରତି ସର୍ବପ୍ରଧାନ କୃତଘ୍ନତା ଏବଂ ସର୍ବପ୍ରଧାନ ଅପରାଧ ବୋଲି ବୋଧ ହେବାକୁ ଲାଗିବ । ଆମମାନଙ୍କ ଭିତରୁ ଯେଉଁମାନେ ତଥାପି ଶ୍ରଦ୍ଧାରେ ଚାଲିବେ, ଦରବାରମାନଙ୍କରେ ଚାଲାଖିମାନେ ସାଲୁସାଲୁ ହେଉଥିଲେ ମଧ୍ୟ ଯେଉଁମାନେ ତଥାପି ଖିଅଗୁଡ଼ିକ ଉପରେ, ଚେରଗୁଡ଼ିକ ଉପରେ ସର୍ବପ୍ରଥମ ଆସ୍ଥା ରଖି ପାରୁଥିବେ, ପରବର୍ତ୍ତୀ ସଂକ୍ରମଣଗୁଡ଼ିକ ଲାଗି ସେହିମାନେ ହିଁ ବିହନ ରୂପେ ବ୍ୟବହୃତ ହୋଇପାରିବେ । ସେହିମାନେ ହିଁ ବୁଦ୍ଧି ତଥା ଦୁର୍ବୁଦ୍ଧି ଉପରେ ହୃଦୟର ବିଜୟ-ଘୋଷଣାରେ ନିମିତ୍ତ ରୂପେ ବ୍ୟବହୃତ ହେବେ । (୨ । ୧୧ । ୮୮)

 

(୬୪)

 

ଅନେକେ କୁହନ୍ତି, କୁଆଡ଼େ ଗୋଟାଏ ପାଖରେ ସମାଜ, ଆଉ ଗୋଟାଏ ପାଖରେ ବ୍ୟକ୍ତି । ସେମାନେ ପରସ୍ପର ମୁହାଁମୁହିଁ ହୋଇ ଛିଡ଼ା ହୋଇଥାନ୍ତି । ସତେଅବା କେହି କାହାରିକୁ ବାଟ ଛାଡ଼ନ୍ତି ନାହିଁ । ତେଣୁ ଦ୍ୱନ୍ଦ୍ୱ ଉପୁଜେ, ଯୁଦ୍ଧ ଲାଗିଯାଏ । ସେହି ଯୁଦ୍ଧକୁ ଜୀବନସଂଗ୍ରାମ ବୋଲି କୁହାଯାଏ ଏବଂ ସେହି ଜୀବନ ସଂଗ୍ରାମରେ ଜୟଲାଭ କରିବାକୁ ହୁଏ । ତେବେଯାଇ ସଂସାର ଭିତରେ ନିଜକୁ ଭାଗ୍ୟବାନ୍‍ ବୋଲି କହିହୁଏ, ସଫଳ ବୋଲି କହିହୁଏ । ସାମାଜିକ ଓ ବ୍ୟକ୍ତିଗତ ସଂସ୍କାରଗତ ନାନା କାରଣରୁ ଏପରି ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ଖାଲି ଏପରି କଥା କହନ୍ତି ନାହିଁ, ପ୍ରାୟ ସେହିଭଳି ଏକ ଜୀବନଦର୍ଶନର ଭୂମି ଉପରେ ନିଜର ଜୀବନଟିକୁ ମଧ୍ୟ ବଞ୍ଚାନ୍ତି-। ଆପଣାର ପରିମଳଗୁଡ଼ିକ ମଧ୍ୟରେ ଯେଉଁଠି ଯାହାକିଛି ମଳ ଦୃଷ୍ଟିଗୋଚର ହୁଏ, ସେମାନେ ସେଥିଲାଗି ସମାଜକୁ ଦୋଷ ଦିଅନ୍ତି, ନିଜକୁ କେଡ଼େ, ଗେହ୍ଲା ଭାବରେ ଦୋଷମୁକ୍ତ କରି ରଖିଥାଆନ୍ତି । କାଳ ଖରାପ ହୋଇଯାଉଛି ବୋଲି ସେମାନେ ସତେଅବା ନିୟମତଃ ଖରାପ ହେବାକୁ ବାଧ୍ୟ ହେଉଛନ୍ତି, ସଂସାରରେ ଏଣିକି, ଅଧର୍ମମାନେ ଜିତୁଛନ୍ତି ବୋଲି ସେମାନେ ମଧ୍ୟ ବାଧ୍ୟ ହୋଇ ଅଧର୍ମର ଆଶ୍ରୟ ନେଉଛନ୍ତି, ସେମାନେ ଏହିପରି ଏକ ଯୁକ୍ତିବଳରେ ନିଜକୁ କେଡ଼େ ଚମତ୍କାର ଭାବରେ ଦାୟିତ୍ୱମୁକ୍ତ କରି ରଖିଥାନ୍ତି । ସମସ୍ତେ ବାଟରେ ହଗୁଛନ୍ତି ବୋଲି ସେମାନେ ମଧ୍ୟ ସତେଅବା ପ୍ରାୟ ନାଚାର ହୋଇ ବାଟରେ ହଗିବାକୁ ବାଧ୍ୟ ହେଉଛନ୍ତି, ଭଗବାନ ସେମାନଙ୍କର ଯୁକ୍ତିଟିକୁ ସମ୍ଭବତଃ ଅଳ୍ପବହୁତ ଏହିପରି ଭାବରେ ଗ୍ରହଣ କରୁଥିବେ । ଭାରି ହସୁଥିବେ ।

 

ଆଧୁନିକ ଦର୍ଶନ ଓ ଆଧୁନିକ ମନୋବିଜ୍ଞାନରେ ମଧ୍ୟ ଏହିପରି ଏକ ବିଚାରପକ୍ଷ ରହିଥିବାର ଦେଖିବାକୁ ମିଳିଥାଏ । ମନୁଷ୍ୟର ବର୍ତ୍ତମାନ ଦଶାକୁ ଠାବ କରିବାକୁ ଯାଇ Moral Man and Immoral Society ଏବଂ Society as the Patient ପ୍ରଭୃତି କଥାମାନ କୁହାଯାଏ । ଦ୍ୱିତୀୟ ମହାଯୁଦ୍ଧ ପରେ ଆମେରିକାରେ ଏହି ଶୀର୍ଷକ ଦୁଇଟିକୁ ବ୍ୟବହାର କରି ଦୁଇଟି ବହି ମଧ୍ୟ ଲେଖାଯାଇଛି । ତଥାକଥିତ ଇଉରୋପୀୟ ଅସ୍ତିତ୍ୱବାଦ ବା Existentialism ଭିତରେ ମଧ୍ୟ ଏପରି ଏକ ଉପଶିବିର ରହିଛି, ଯେଉଁଟିରୁ କି ପ୍ରାୟ ଏହିପରି ଏକ ମନ୍ତବ୍ୟ ଶୁଣିବାକୁ ମିଳିଥାଏ । ସେହି ମନ୍ତବ୍ୟ ଅନୁସାରେ ସମାଜ ବୋଲି ଏକ ଅତି ଶକ୍ତିଶାଳୀ Abstractionର କଳ୍ପନା କରାଯାଏ ଓ ମଣିଷକୁ ନାନାଭାବେ ଆକ୍ରାନ୍ତ କରି ରଖିଥିବା ଦୁଃଖଗୁଡ଼ିକ ଲାଗି ପ୍ରାୟ ଏକ ପୁଲକର ସହିତ ତାହାକୁ ହିଁ ଦାୟୀ କରାଯାଏ । ଆପଣାର ଲଗାମ୍‍ ଛାଡ଼ିଦେଇ ବା ଗୋଟାସୁଦ୍ଧା ଆପଣାର ଗାତଟି ଭିତରେ ପଶିଯାଇ ତଥାପି ଦାୟିତ୍ୱମୁକ୍ତ ବା ନିର୍ଦ୍ଦୋଷ ବୋଲି କହିବାକୁ ଏଥିରୁ ଅନେକ ସମୟରେ ଏକ ଅପସାହସ ମଧ୍ୟ ପ୍ରାପ୍ତ ହୋଇଥାଏ । ମାତ୍ର, ଦୁର୍ଭାଗ୍ୟର କଥା, ଏହିପରି ମଣିଷମାନେ ସଚରାଚର ନିଃସଙ୍ଗ ହୁଅନ୍ତି । ଆପଣା ଭିତରର ପ୍ରାୟ ଏକ ମୂଳଭୂତ ଅସହାୟତା ଅଥବା ଅକର୍ମଣ୍ୟତା ସେମାନଙ୍କୁ ଏପରି ଦୟନୀୟ ଭାବରେ ରାମ୍ପୁଡ଼ି କାମୁଡ଼ି, ପକାଇବାରେ ଲାଗିଥାଏ ଯେ, ସେମାନେ ଆପଣା ଭିତରର ଅସଲ କର୍ତ୍ତାଟିର ସଙ୍ଗଲାଭ କରିପାରନ୍ତି ନାହିଁ, ଆପଣା ଭିତରର ସାହସଭଣ୍ଡାରଟିର ସନ୍ଧାନ ନେଇପାରନ୍ତି ନାହିଁ ।

 

ଆଧୁନିକ ବିଚାରର ବିବର୍ତ୍ତନରେ କାର୍ଲ୍‍ ମାର୍କ୍‍ସ୍‍ ହେଉଛନ୍ତି ସମ୍ଭବତଃ ସର୍ବପ୍ରଥମ ବ୍ୟକ୍ତି, ଯିଏକି ଏକ ଦୃଢ଼ ସତ୍ୟ ପ୍ରତିପାଦନର ବଳିଷ୍ଠତା ସହିତ ସେହି Mythଟି ଉପରେ କୁଠାର ପ୍ରହାର କରିଥିଲେ । ସମାଜ ଓ ବ୍ୟକ୍ତି ଦୁଇଟା ଅଲଗା ପକ୍ଷ ନୁହନ୍ତି । ସମାଜ କହିଲେ ସର୍ବଦା କେତେକ ସମ୍ବନ୍ଧକୁ ବୁଝାଏ, ସେହି ସମ୍ବନ୍ଧଚୟ ଉପରେ ପ୍ରତିଷ୍ଠିତ ଓ ସ୍ୱୀକୃତ କେତେକ ଅନୁଷ୍ଠାନ ବା ସଂସ୍ଥା ପରମ୍ପରାକୁ ବୁଝାଏ । ବ୍ୟକ୍ତିମାନଙ୍କର ସହସମ୍ମତି ସହିତ ହିଁ ସେହିସବୁ ଅନୁଷ୍ଠାନ ବା ପରମ୍ପରା ବିବର୍ତ୍ତିତ ହୋଇ ଆସିଥାନ୍ତି । ଜଗତରେ ଅଧିକାଂଶ ସମାଜରେ ସବୁ ମଣିଷକୁ ଉଚିତ ମହତ୍ତ୍ୱ ଦିଆଯାଉ ନଥିବାରୁ ଓ ତେଣୁ ସମ୍ବନ୍ଧଗତ ଯାବତୀୟ ମୀମାଂସାରେ ଧର୍ମତଃ ସାମିଲ୍ କରାଯାଉ ନଥିବାରୁ ସାମାଜିକ ପ୍ରତିପତ୍ତିର ପୁରୋଭାଗରେ ଯେଉଁମାନେ ଥାଆନ୍ତି, ସେହିମାନେ ହିଁ ସଂସ୍ଥାଗୁଡ଼ିକୁ ଆପଣା ସ୍ୱାର୍ଥାଦିର ଅନୁକୂଳ କରି ରଖିଥାନ୍ତି । କର୍ତ୍ତୃତ୍ୱ ସେଠି ସକଳ ନେତୃତ୍ୱର ଗୋଛିକୁ କାଟି ପକାଇଥାଏ । ଅଧିକାଂଶ ମଣିଷ ଅଳ୍ପ ମଣିଷଙ୍କର ଅଧସ୍ତନ ହୋଇ ରହିଥାନ୍ତି । ସମାଜର ଯାବତୀୟ ନୀତି, ଅର୍ଥନୀତି, ରାଜନୀତି ସେହିଭଳି ଏକ ଅସୁସ୍ଥ ବିଧାନର ଶିକାର ହୋଇ ରହିଥାଏ । ସାହିତ୍ୟ, ସଂହତି ଓ ସଂସ୍କୃତ ଆଦି ମଧ୍ୟ ସେହି ବିକୃତି ଗୁଡ଼ିକର ପ୍ରତିନିଧିତ୍ୱ କରୁଥାନ୍ତି ଓ ମୁଖ୍ୟତଃ ଏକ ଅବକ୍ଷୟ ହାତରେ ଅତ୍ପପରି ବ୍ୟବହୃତ ହୁଅନ୍ତି । ଭେଷରା ଦରବାର ମାନଙ୍କରେ ଥୋକେ ଖୋସାମତିଆ ମଧ୍ୟ ଥାଆନ୍ତି, ସେମାନେ କ୍ଷମତାଧୀଶମାନଙ୍କର ପଦଲେହନ କରୁଥାନ୍ତି ଓ ସେଥିରୁ ଭାରି ଲାଭବାନ୍‍ ହୁଅନ୍ତି । ତଥାପି ଦରବାର ବାହାରେ ଅନ୍ୟ ବ୍ୟକ୍ତିମାନେ ବି ଥାଆନ୍ତି, ଦରବାର ଭିତରେ ମୁଖା ପିନ୍ଧି ହାଉଆ ଅନୁସାରେ ଛତା ଦେଖାଉଥିବା ବ୍ୟକ୍ତିମାନଙ୍କ ଭିତରେ ମଧ୍ୟ ଅନ୍ୟ ବିବେକଟିଏ ରହିଥାଏ । ଭାରି ସନ୍ତାପିତ ହୋଇ ରହିଥାଏ, ସତେଅବା ନିଜଦ୍ୱାରା ନିଜେ ଧର୍ଷିତ ହୋଇ ରହିଥାଏ, ତଥାପି ମରି ନଥାଏ । ବିବେକ ସହିତ ସାହସ ମିଶିଲେ ଓ ଅନୁଭୂତ ସତ୍ୟଗୁଡ଼ିକ ମଣିଷକୁ ଏକ ସଂକଳ୍ପ ଯୋଗାଇଦେଇ ପାରିଲେ ମଣିଷବ୍ୟକ୍ତି ବାଟ ପାଇଯାଏ । ବାଟ ଦିଶେ । ଏକ ଅନ୍ୟ ନେତୃତ୍ୱ ଜନ୍ମଲାଭ କରେ । ଅସମ୍ଭବ ଗୁଡ଼ାକ ତଥାପି ସମ୍ଭବ ହେବ ବୋଲି ଅନୁଭୂତ ହୁଅନ୍ତି । ଏହିପରି ଭାବରେ ପରିବର୍ତ୍ତନ ଆସେ । ସେହି ପରିବର୍ତ୍ତନର ପ୍ରକ୍ରିୟାଟି ଅନେକ ସମୟରେ ଭାରି କରାଳ ହୁଏ ଏବଂ ତାହାକୁ ବିପ୍ଳବ ବୋଲି କୁହାଯାଏ । ଯେକୌଣସି ବିପ୍ଳବର ନେତୃତ୍ୱ ଯେତିକି ଦୂରକୁ ଅର୍ଥାତ୍ ଯେତିକି ଗଭୀରକୁ ଦେଖି ପାରୁଥାଏ, ତାହା ପ୍ରାୟ ସେତିକି ହାସଲ କରେ । ନେତୃତ୍ଵ ଆପଣାକୁ ପରସ୍ତ ପରସ୍ତ କରି ଉତ୍ତୋଳିତ କରିନେଇ ପାରୁନଥିଲେ ଅଥବା ଉପସ୍ଥିତ ଆବଶ୍ୟକତାଗୁଡ଼ିକର ଆହ୍ଵାନ ଅନୁସାରେ ବାଟ ଛାଡ଼ିଦେବାକୁ ସମ୍ମତ ନଥିଲେ ବିପ୍ଳବ ରହିଯାଏ । କାଲିର ବିପ୍ଳବୀମାନେ ଆଜି ପ୍ରତିକ୍ରିୟାର ପକ୍ଷ ଗ୍ରହଣ କରନ୍ତି । ବିପ୍ଳବ ସରିଗଲା ବୋଲି କହନ୍ତି । ପ୍ରକୃତରେ ବିପ୍ଳବ ସରି ନଥାଏ । ସେହିମାନେ ହିଁ ସରି ଯାଇଥାନ୍ତି, ଆଗକୁ ଆଖି ପାଉ ନଥାଏ । ଏକ ପରବର୍ତ୍ତୀ ନେତୃତ୍ଵ ଲାଗି ଅନ୍ୟ ବ୍ୟକ୍ତିମାନେ ବାହାରିବା ପର୍ଯ୍ୟନ୍ତ ସବୁକିଛି ସତେଅବା ଅପେକ୍ଷା କରି ରହିବାକୁ ବାଧ୍ୟ ହୁଏ । ଅସହାୟମାନଙ୍କ ଭିତରୁ ତଥାପି ସାହସ ଓ ବିବେକ ଜନ୍ମଲାଭ କରିବ ବୋଲି ଅପେକ୍ଷା ରହିଥାଏ ।

 

ତେଣୁ, ଏହି ବ୍ୟକ୍ତି ହିଁ ସମାଜକୁ ଗଢ଼ିଛି, କେତେକ ବ୍ୟକ୍ତି ବା ବର୍ଗ ଯେତେବେଳେ ସମାଜକୁ ଆପଣାର ସମ୍ପତ୍ତି ବା ପଣ୍ୟକରି ରଖିଛନ୍ତି, ସେତେବେଳେ ସମାଜ ବିକାରଗ୍ରସ୍ତ ହୋଇଛି, ବିକାଶ-ବିରୋଧୀ ହୋଇଛି । ବ୍ୟକ୍ତିର ସ୍ଵର୍ଣ୍ଣ ତଥା ପୂର୍ଣ୍ଣତ୍ତର ଉତ୍ତରୋତ୍ତର ବିକାଶ ଲାଗି ଏକ ଅନୁକୂଳ ସମାଜ ଅବଶ୍ୟ ଦରକାର । ନିଜ ସମାଜକୁ ସେହିପରି ଅନୁକୂଳ କରି ଗଢ଼ିବା ବ୍ୟକ୍ତିର କାର୍ଯ୍ୟ, ବ୍ୟକ୍ତିମାନଙ୍କର କାର୍ଯ୍ୟ, ନେତୃତ୍ଵର କାର୍ଯ୍ୟ । ବ୍ୟକ୍ତିମାନେ ସେହି ଆହ୍ଵାନଟିକୁ ଗ୍ରହଣ କରିପାରନ୍ତି, କରି ନପାରନ୍ତି । ଗ୍ରହଣ କରିପାରିଲେ ସେମାନେ ସମାଜକୁ ସଜାଡ଼ନ୍ତି । ବିକାଶାନୁକୂଳ କରନ୍ତି । ମାତ୍ର, ଆହ୍ଵାନର ଯୋଗ୍ୟ ହୋଇ ନପାରିଲେ, ସମାଜରୁ ଏକ ବର୍ବର କର୍ତ୍ତୃତ୍ୱବାଦ ଜନ୍ମଗ୍ରହଣ କରେ । ବ୍ୟକ୍ତିକୁ ଅଧିକରୁ ଅଧିକ ଅସହାୟ କରି ରଖିବା ହିଁ ତାହାର ସର୍ବପ୍ରଧାନ କାର୍ଯ୍ୟ ହୁଏ । ସେତେବେଳେ ଏକ ଅପମାନକାରୀ କର୍ମବାଦ କେଡ଼େ ସତର କଲାପରି ବ୍ୟକ୍ତି ମାନଙ୍କୁ କାବୁ କରି ରଖିଥାଏ । ପହଁରି ପାରିବା ଲାଗି ପାଣି ଅବଶ୍ୟ ରହିଥିବା ଦରକାର । ପାଣିରେ ପହଁରି ପାରୁଥିବା ମଣିଷ ପାଣିକୁ ମୋଟେ ଡରେ ନାହିଁ । ପାଣିରେ ପହଁରି ପାରୁନଥିବା ମଣିଷ ବା ମଣିଷମାନେ ହିଁ ପାଣି ଭିତରକୁ ଗଲେ ବୁଡ଼ିଯିବାର ଭୟ ରହିଛି ବୋଲି ସର୍ବଦା ହିତବାଣୀ ଶୁଣାଉଥାନ୍ତି ଓ ପାଣିକୁ କଦାପି ଯାଆନ୍ତି ନାହିଁ ।

 

ଭାରତବର୍ଷର ଶିକ୍ଷା, ରାଜନୀତି, ସମାଜନୀତି ବହୁ କାରଣରୁ ଏଠି ବ୍ୟକ୍ତିର ଅଧିକରୁ ଅଧିକ ପରିମାଣରେ ନିର୍ଭରଶୀଳ କରି ରଖିବାରେ ସାହାଯ୍ୟ କରୁଛନ୍ତି । ସ୍ଵାଧୀନ ଭାରତରେ ମଣିଷମାନେ ସ୍ଵାଧୀନ ହୋଇଥାନ୍ତେ, କିନ୍ତୁ ତାହା ହୋଇ ପାରିନାହିଁ । ଯିଏ ଏଠି ବେଶୀ ପାଠ ପଢ଼ୁଛି, ସିଏ ସେତିକି ଅଧିକ ଭୀରୁ ହୋଇଯାଉଛି । ତା’ର ଗେହ୍ଲାପଣ ଓ ତା’ର ଚତୁରପଣ ବଢ଼ୁଛି ସିନା, ମାତ୍ର ସାହସ ବଢ଼ୁନାହିଁ । ଗେହ୍ଲାମାନେ, ଚତୁରମାନେ, ଭୀରୁମାନେ ହିଁ ସଚରାଚର ସୁବିଧାବାଦୀ ହୋଇଥାନ୍ତି । କ୍ଷମତା ପାଇଲେ ଉଗ୍ର ହୁଅନ୍ତି, ପଦରେ ରହିଲେ ପାଷଣ୍ଡ ହୁଅନ୍ତି । କିନ୍ତୁ, ଏହିସବୁ ଯାହାକିଛି ଭାରତବର୍ଷରେ ହେଉଛି ଓ ଦିନକୁ ଦିନ ଏଠି ବ୍ୟକ୍ତିମାନଙ୍କର ଅସହାୟତା ବଢ଼ାଇବା ଲାଗି ଚକ୍ରାନ୍ତ କରୁଛି, ଏଥିଲାଗି ଆମେ କାହାକୁ ଦାୟୀ କରିବା, କାହାକୁ ଅପରାଧୀ ବୋଲି କହିବା ? ବ୍ୟକ୍ତି ପକ୍ଷରେ ରହି ସମାଜକୁ ଅପରାଧୀ ବୋଲି କହିବା ନା ସମାଜ ପକ୍ଷରେ ରହି ବ୍ୟକ୍ତିକୁ ଅପରାଧୀ ବୋଲି କହିବା ? କେବଳ ଏକ ଦାୟିତ୍ଵହୀନ ବ୍ୟକ୍ତି ଓ ଦାୟିତ୍ଵହୀନ ସମାଜ ହିଁ ସେପରି କହି ଆପଣାକୁ ସାନ୍ତ୍ୱନା ଦେଇ ପାରିବା । ମାତ୍ର, ତାହାଦ୍ଵାରା ଆଦୌ କୌଣସି ସମାଧାନ ହେବନାହିଁ । ଅସହାୟତା ଯିବନାହିଁ କି ଅନ୍ଧାର ମଧ୍ୟ ଯିବନାହିଁ । ଆମେ ଜଣେ ଜଣେ ଜାଗ୍ରତ ଓ ସଚେତନ ବ୍ୟକ୍ତି ହିସାବରେ ଉପସ୍ଥିତ ଆହ୍ଵାନଗୁଡ଼ିକର ସମ୍ମୁଖୀନ ହୋଇପାରୁ ନାହୁଁ ବୋଲି ଆଜି ଏଠି ସମାଜ ଏଡ଼େ ଅସନା ହୋଇପଡ଼ିଛି ଓ ବ୍ୟକ୍ତି ଏତେ ଅସହାୟ ବୋଧ କରୁଛି । ଆହ୍ଵାନଗୁଡ଼ିକର ସମ୍ମୁଖୀନ ହେବାକୁ ହିଁ ପଡ଼ିବ । ତେବେଯାଇ ପ୍ରତ୍ୟାଶିତ ପରିବର୍ତ୍ତନ ଗୁଡ଼ିକ ସମ୍ଭବ ହୋଇପାରିବ, ପ୍ରତ୍ୟାଶିତ ବିପ୍ଳବଟି ହୋଇପାରିବ । ଆଗ ବ୍ୟକ୍ତି ଭିତରେ ହେବ, ତା’ପରେ ତାହା ସମଷ୍ଟି ଭିତରକୁ ସଂକ୍ରମିତ ହୋଇଯିବ । ଅନ୍ତତଃ କେତେକ ବ୍ୟକ୍ତିଙ୍କ ଭିତରେ ସବାଆଗ ହେବ । ସେହିମାନେ ହିଁ ବିହନ ହୋଇ ବାହାରିବେ । ସମାଜ ଉପରେ, Abstraction ଗୁଡ଼ାକ ଉପରେ ଦୋଷ ଢାଳି ଦେଉଥିବା ପର୍ଯ୍ୟନ୍ତ ଆମେ ବିହନ ହେବାର ଯୋଗ୍ୟ ହୋଇ ପାରିବା ନାହିଁ । Anderssein als dei andere– ଆମେ ଗୁଳାରେ ପଡ଼ି ବାହୁନିବାରେ ଲାଗିଥିବା ଓ ନିଃସଙ୍ଗତା ଖାଇଗଲା ବୋଲି ଅଳଙ୍କାରିକ ଢଙ୍ଗରେ ବେହଲ କରୁଥିବା, ଏପରି ହେଲେ ହେବନାହିଁ-। ଆମେ ଅନ୍ୟ ସମସ୍ତଙ୍କଠାରୁ ଏକାବେଳେକେ ଅନ୍ୟପ୍ରକାର ହେବା, ଅତ୍ୟନ୍ତ ସଚେତନ ଭାବରେ ଅନ୍ୟପ୍ରକାର ହେବା; ସଚେତନ ଭାବରେ ସ୍ଵପ୍ନ ଦେଖିବା ଓ ତଦନୁସାରେ ଆପଣା ଜୀବନରେ ସଂକଳ୍ପମାନ ଗ୍ରହଣ କରିବା–ଶ୍ରୀଯୁକ୍ତ ଆଲ୍‍ବର୍ଟ ସ୍ୱାଇତ୍‍ଦର ଏହାକୁ ହିଁ ନୂତନ ଦୃଷ୍ଟିସମ୍ପନ୍ନ ସମର୍ଥ ମଣିଷର ମାର୍ଗ ବୋଲି କହିଛନ୍ତି । ଆମଦ୍ଵାରା ଏହି ପୃଥିବୀରେ କ’ଣ ହୋଇ ପାରିବ ବା ନପାରିବ, ତାହା ପ୍ରଧାନତଃ ଆମ ସମ୍ମତିରେ ଗୁଣନାତ୍ମକତା ଉପରେ ନିର୍ଭର କରୁଛି । (୯ । ୧୧ । ୮୮)

 

(୬୫)

 

ଜୀବନରେ ନିଜକୁ ନିଜର ସଙ୍ଗୀ କରି ପାଇବାକୁ ହେଲେ, ଜଗତଯାକକୁ ଆପଣାର ସଙ୍ଗୀ ବୋଲି ଅନୁଭବ କରିବାର ମହା ଐଶ୍ୱର୍ଯ୍ୟଟିକୁ ଲାଭ କରିବାକୁ ହେଲେ ଅର୍ଥାତ୍ ଆପଣାକୁ ନିଃସଙ୍ଗତାବୋଧର ଯାବତୀୟ ଉତ୍ତେଜନା ତଥା ଅହଙ୍କାରର ଜ୍ଵାଳାରୁ ବଞ୍ଚାଇ ରଖିବାକୁ ହେଲେ ନିଜକୁ ପ୍ରଲୋଭନରୁ ବଞ୍ଚାଇ ରଖିବାକୁ ହୋଇଥାଏ, ଏବଂ ଆପଣାର ଅସଲ ଲୋଭଟିକୁ ଜାଣିଥିଲେ ଯାଇ ସେହିସବୁ ପ୍ରଲୋଭନରୁ ରକ୍ଷା ମିଳେ । ମାତ୍ର, ଆପଣାଙ୍କୁ ସତକୁ ସତ ନ ଚିହ୍ନି ଥିଲେ ଆପଣାର ଅସଲ ଲୋଭଟିକୁ ମଣିଷ ଚିହ୍ନି ପାରିବ ବା କିପରି ? ଯେଉଁ ମନୁଷ୍ୟମାନେ ସେହି ଅସଲ ଚିହ୍ନାଟିକୁ ଚିହ୍ନି ନଥାନ୍ତି, ଯୋଉଠି ମନ ସେଠି ଯାହାକୁ ମନ ତାକୁ ଲୋଭାଇ ପଡ଼ନ୍ତି, ସେମାନେ ଭାରି ନିଃସଙ୍ଗ ହୁଅନ୍ତି । କିଏ ସାହିତ୍ୟରେ ଥାଏ ଓ ତେଣେ ରାଜନୀତିକୁ ଲୋଭାଏ, ଆଉ କିଏ ରାଜନୀତିରେ ଥାଏ, ସାହିତ୍ୟକୁ ଲୋଭାଇବାରେ ଲାଗିଥାଏ । ସିଏ ରାଜନୀତିର ହୋଇପାରେ ନାହିଁ କି ସାହିତ୍ୟର ବି ହୋଇପାରେ ନାହିଁ । ରାଜନୀତିରେ ବିଫଳ ହେଲେ, ଶିଶୁପାଳ ହେଲେ, କ୍ଷତିପୂରଣ ଲାଗି ସାହିତ୍ୟ ଉପରେ ଆସି ଲଦି ହୋଇ ପଡ଼ୁଥାଏ । ଅଥବା ସାହିତ୍ୟରେ ଶିଶୁପାଳ ହେଲେ ତେଣେ ରାଜନୀତି ଉପରେ ଯାଇ ଲଦି ହୋଇ ପଡ଼ୁଥାଏ । ବା, ଅନ୍ୟଦିଗରେ ମଧ୍ୟ ରାଜନୀତିରେ ସଫଳ ହେଲେ ସେହି ବଳରେ ହିଁ ସାହିତ୍ୟ ଭିତରକୁ ସିଏ ରାଜନୀତିର କୋଦଣ୍ଡ ଧରି ପଶି ଆସୁଥାଏ, ଅଥବା ଏଣେ ସାହିତ୍ୟରେ ସଫଳ ହେଲେ ରାଜନୀତି ଭିତରକୁ କୋଦଣ୍ଡ ଧରି ମାଡ଼ି ଆସୁଥାଏ । ସିଏ ସଂପୃକ୍ତ ସମସ୍ତଙ୍କ ପାଇଁ କାଳ ହୁଏ, ରାଜନୀତି ଓ ସାହିତ୍ୟ ଉଭୟ ପାଇଁ କାଳ ହୁଏ, ନିଜ ପାଇଁ ହିଁ ସବୁଠାରୁ ବଡ଼ କାଳ ହୋଇ ରହିଥାଏ ।

 

ଆପଣାକୁ ଅନ୍ୟମାନଙ୍କ ପାଇଁ ସଂପୂର୍ଣ୍ଣ ଭାବରେ ଦେଇଦେବ ଆଉ କିଏ ହାଟକୁ ଯାଇ କ୍ଷମତାକୁ ଲୋଭାଏ । ସଖାଟିଏ ହେଉ ହେଉ ମାଲିକଟିଏ ହୁଏ, ସେବକଟିଏ ହେଉ ହେଉ ପ୍ରଭୁ ହୋଇ ବସିଥାଏ । ବିଚରା ଭାରି ନିଃସଙ୍ଗ ହୁଏ । ଏକ ଅସୁସ୍ଥ ସମାଜରେ ଯେଉଁମାନେ ବଡ଼ ବଡ଼ ପଦରେ ଯାଇ ରହିଥାନ୍ତି, ସେମାନେ ଅଧିକାଂଶ ସମୟରେ ସତେଅବା ଗରଜରେ ପଡ଼ି, ଅସୁସ୍ଥ ହୁଅନ୍ତି । ସମାଜଟିଏ, ବ୍ୟବସ୍ଥାଟିଏ, ସମ୍ବନ୍ଧଗୁଡ଼ିକର ସୁସ୍ଥ ହେଲେ ସେମାନେ ଅଧିକାର କରି ରହିଥିବା ପଦଗୁଡ଼ିକ ବିପନ୍ନ ହୋଇ ପଡ଼ିବ ବୋଲି ସବୁବେଳେ ଭାରି ବିପଦ ରହିଥାଏ, ତେଣୁ ସେମାନେ ସତେଅବା ବାଧ୍ୟ ହୋଇ ଅସୁସ୍ଥ ବ୍ୟବସ୍ଥାଟିକୁ ବା ଅସୁସ୍ଥ ସମାଜଟିକୁ କାଏମ୍‍ କରି ରଖିବାକୁ ହିଁ ସବୁମନ୍ତେ ଚେଷ୍ଟା କରନ୍ତି ଏବଂ ତାହାରି ଭିତରେ ବହୁ କୌଶଳ ଓ ଅକୌଶଳ ସହିତ ଆପଣାର ଥାନଟିକୁ ସମ୍ଭାଳି ରଖିଥାନ୍ତି । ଆପଣାର ବାହାରେ ଓ ଭିତର ମଧ୍ୟରେ ନିରନ୍ତର କନ୍ଦଳ ଲଗାଇ ରଖିଥାନ୍ତି । ନିଜ ଭିତରେ କ’ଣ ଗୋଟାଏ ହେବାକୁ ମନ କରିଥାନ୍ତି, ତେଣେ ବାହାରେ ଆଉ ଗୋଟାଏ କ’ଣ ହେବାରେ ଲାଗିଥାନ୍ତି । ଭିତରେ ସୁକୁମାରୀ ଅଭିସାରିକାଟିଏ ହୋଇ କାହାରି ଉଦ୍ଦେଶ୍ୟରେ ବାହାରିବାକୁ ଅର୍ଥାତ୍ କାହା ପାଖରେ ଆପଣାକୁ ସମର୍ପଣ କରି ଦେବାକୁ କେଡ଼େ ମନ କରୁଥିଲେ ମଧ୍ୟ ବାହାରେ ଧର୍ଷଣକାରୀ ଦୈତ୍ୟଟିଏ ହୋଇ ରହିଥାନ୍ତି । ସେମାନେ ନିଜ ପାଖରେ ବିଟଟିଏ ହୋଇ ରହିଥାନ୍ତି । ତେଣୁ ନିଃସଙ୍ଗ ହୁଅନ୍ତି । ବାହାରେ ସଂସାରଯାକ ଗିଳିବାକୁ ବାହାରି ଥାଆନ୍ତି ସତ, ମାତ୍ର ନିଜ ଭିତରେ ନିଜକୁ ସେମାନେ କୋଉଦିନୁଁ ଗିଳି ସାରିଥାନ୍ତି । ନିଜକୁ ଭାରି ଭୟ କରୁଥାନ୍ତି କି କ’ଣ କେଜାଣି, ନିଜକୁ ଗିଳି ପକାଇ ହିଁ ସେମାନେ ସେହି ସଙ୍କଟଟିର ସମାଧାନ କରି ଦେଇଥାନ୍ତି । ନିଜ ଆଡ଼କୁ ଅନାଇବାକୁ ସାହସ କରି ପାରନ୍ତି ନାହିଁ । ନିଜର ଅସଲ ମୁହଁଟିକୁ ସ୍ଵୀକାର କରିବାଲାଗି ସେମାନଙ୍କ ଭିତରେ କେଉଁ ଅନିଚ୍ଛୁକଟିଏ କୋଉଠି ଭାରି ପ୍ରବଳ ହୋଇ ରହିଥାଏ କି କ’ଣ କେଜାଣି, ଏକାବେଳକେ ଗୁଡ଼ାଏ ମୁଖା ପିନ୍ଧି ଓ ସେହି ମୁଖାଗୁଡ଼ିକୁ ହିଁ ସଂସାର ଆଗରେ ଏଡ଼େ ଏଡ଼େ କରି ଦେଖାଇ ସେମାନେ ନିଜ ଭିତରେ ଲାଗିଥିବା କଳହଟିର ଏକ ତାତ୍କାଳିକ ସମାଧାନ କରି ରଖିବାକୁ ଚେଷ୍ଟା କରୁଥାନ୍ତି ।

 

ରୁଷିଆରେ ଏବେ ଯୋସେଫ୍‍ ଷ୍ଟାଲିନ୍‍ଙ୍କ ବିଷୟରେ ବିଶଦ ଭାବରେ ଚର୍ଚ୍ଚା ହେଉଛି । ଷ୍ଟାଲିନ୍‍ କୁଆଡ଼େ ଲୁହାରେ ଗଢ଼ା ହୋଇଥିଲେ । କ୍ଷମତାକୁ ନିଜର ଖୁଣ୍ଟରେ ବାନ୍ଧି ରଖିଥିଲେ । ସେହି କ୍ଷମତାବଳରେ ସେ କେଡ଼େ ବର୍ବର ହେଲେ । ଏକ ସାମାଜିକ ଆଦର୍ଶ ସ୍ଵପ୍ନକୁ ଆପଣାର କଠୋର ଅସିଦ୍ଧ ହାତରେ ମାଡ଼ି ମକଚି କେଡ଼େ ବିକୃତ ଏବଂ ବର୍ବର କରି ପକାଇଲେ । କେତେ ମଣିଷଙ୍କୁ ମାରିଲେ, ନିଜର ପଦ ଓ କ୍ଷମତାଟି ବ୍ୟତୀତ ତାଙ୍କୁ ଆଉ କିଛି ହେଲେ ଦେଖାଯାଉ ନଥିଲା । କିନ୍ତୁ ନିଜ ଭିତରେ ସେ କେଡ଼େ ଦୁଃଖୀ ହୋଇ ରହିଥିଲେ, ଏକୁଟିଆ ହୋଇ ରହିଥିଲେ, କେଡ଼େ ନିଃସଙ୍ଗ ହୋଇ ରହିଥିଲେ । ଜଗତରେ ଜଣକ ସହିତ ମଧ୍ୟ ନିବିଡ଼ ହୋଇ ପାରୁନଥିଲେ, ଅନ୍ତରଙ୍ଗ ହୋଇ ପାରୁନଥିଲେ । ସାଧାରଣ ମନୁଷ୍ୟ ଜୀବନରେ ଯାବତୀୟ ସ୍ଵାଭାବିକ ଉଷ୍ମତା ଏବଂ ଐଶ୍ୱର୍ଯ୍ୟରୁ କେଡ଼େ ଶୋଚନୀୟ ଭାବରେ ବଞ୍ଚିତ ହୋଇ ରହିଥିଲେ । ବାହାରେ ଯେତେ ରଡ଼ ଓ ପ୍ରଚଣ୍ଡ ହୋଇ ରହିଥିଲେ ମଧ୍ୟ ନିଜ ଭିତରେ କେଡ଼େ ଦରିଦ୍ର ହୋଇ ସଙ୍ଗୀହରା ହୋଇ ଆପଣାର ବିରସ ଜଙ୍ଗଲଟିରେ ନିତାନ୍ତ ଏକା ହୋଇ ବୁଲିବାରେ ଲାଗିଥିଲେ । ଇଉରୋପର ଇତିହାସରେ ଆଉ ଦୁଇଜଣ କ୍ଷମତାର ମଣିଷ ହେଉଛନ୍ତି ମାର୍ଟିନ୍‍ ଲୁଥର୍‍ ଏବଂ ଅଡ଼ଲଫ୍‍ ହିଟ୍‍ଲର୍-। ସେମାନଙ୍କ ଜୀବନର ସଦର ଓ ମଫସଲ ଗୁଡ଼ିକ ବିଷୟରେ ଏବେ ଯେତିକି ଅଧିକ ଗବେଷଣାମାନ ହେଉଛି, ସେଥିରୁ ଜଣାପଡ଼ୁଛି ଯେ ସେମାନେ ବାହାରେ ଯେତିକି ପ୍ରଚଣ୍ଡ ଥିଲେ, ଯେତିକି ବର୍ବର ଆଚରଣ କରୁଥିଲେ, ନିଜ ଭିତରେ ସେତିକି ଏକୁଟିଆ ହୋଇ ରହିଥିଲେ । ସେମାନେ ନିଜେ କାହାରି ସଙ୍ଗୀ ହୋଇ ପାରି ନଥିଲେ । ଏବେ ଆମ ସାହିତ୍ୟରେ ତୁହାକୁ ତୁହା ଯେଉଁ ନିଃସଙ୍ଗତାର କୀର୍ତ୍ତନ କରାଯାଉଛି, ଯେଡ଼େ ଅଳଙ୍କାରିକ ଉଗ୍ରତା ସହିତ ନିଃସଙ୍ଗତାକୁ ହିଁ ଆଧୁନିକ ଜୀବନର ପ୍ରଧାନ ଅଙ୍ଗଭୋଗ ରୂପେ ଘୋଷଣା କରାଯାଉଛି, ସେଗୁଡ଼ାକୁ ଦେଖି ସନ୍ଦେହ ହେଉଛି, ଏମାନେ ଅର୍ଥାତ୍ ଏହି ସଂକୀର୍ତ୍ତନକାରୀମାନେ ସତକୁ ସତ ମୋଟେ କାହାରି ହୋଇ ପାରି ନାହାନ୍ତି କି ? ନିଜର ଭିତରେ ଥିବା ଏକ ବିରସ ଜଙ୍ଗଲରେ ସେମାନେ ନିତାନ୍ତ ଏକୁଟିଆ ହୋଇ ବୁଲୁଛନ୍ତି କି ? ଜୀବନରେ କାହାରି ପାଖରେ ନିବିଡ଼ ହେବାକୁ ନିଜକୁ ମଧ୍ୟ ନିବିଡ଼ ଭାବରେ ସ୍ୱୀକାର କରିନେବାକୁ ଭୟ କରୁଛନ୍ତି କି ?

 

ପ୍ରତ୍ୟେକ ମନୁଷ୍ୟର ନିଜର ଅସଲ ଲୋଭଟି କ’ଣ ? ପ୍ରତ୍ୟେକ ମଣିଷ ତା’ର ସ୍ୱଧର୍ମରେ ଚାଲିବାକୁ ଶ୍ରୀମଦ୍‍ଭଗବଦ୍‍ଗୀତାରେ ସୁପରାମର୍ଶ ଦିଆଯାଇଛି । ସେହି ସ୍ୱଧର୍ମ କହିଲେ ପ୍ରକୃତରେ କ’ଣ ବୁଝାଇବ ? ଆମର କୁଳ ଅନୁସାରେ କ’ଣ ଆମର ସ୍ୱଧର୍ମ । ଯଶଃକାଙ୍ଗାଳ ମଣିଷର ଲିପ୍‍ସା ଓ ଚଣ୍ଡ ଅହଙ୍କାରଗୁଡ଼ାକ ତାକୁ ପ୍ରାୟ ଅଚଳ ଭାବରେ ଯେଉଁ ଆଡ଼କୁ ଟାଣି ନେଉଥାଏ, ତାହାହିଁ କ’ଣ ତାର ସ୍ୱଧର୍ମ ? ଏହିସବୁ ମିଛ ବ୍ୟାଖ୍ୟା ଦ୍ୱାରା ସ୍ୱଧର୍ମର ଅଭିଧାଟିରେ କାଳି ବୋଳି ଦେଇ ଭାରତୀୟ ସମାଜରେ ମଣିଷମାନଙ୍କୁ କେତେ ଭୁରୁଡ଼ାଇ ରଖାଯାଇଛି । ସମାଜର ମନୁମାନେ ଏବେ ମଧ୍ୟ ସେହି ଭୁରୁଡ଼ ଗୁଡ଼ାକୁ ନେଇ ସଂହିତା ଲେଖୁଛନ୍ତି । ସ୍ୱଭାବ ଅନୁସାରେ ସ୍ୱଧର୍ମ । ପ୍ରତ୍ୟେକ ମଣିଷ ସେହି ସ୍ୱଭାବଟିକୁ ଚିହ୍ନିବ । ସେଥିଲାଗି ସେ ଆପଣା ଭିତରକୁ ଯିବ । ଆପଣାର ସ୍ୱତନ୍ତ୍ର ଗଭୀରତା ଓ ଉଚ୍ଚତା ଗୁଡ଼ିକର ଠାବ କରିବ ଏବଂ ତଦ୍ଦ୍ୱାରା, ସେ ସତକୁ ସତ କ’ଣ ପାଇଁ ବା କ’ଣ ହେବାପାଇଁ ଏକ ଅନନ୍ୟ ଠୁଳ ସତ୍ତା ରୂପେ ଏଠି ଏହି ସଂସାରରେ ଜନ୍ମଗ୍ରହଣ କରିଛି, ସେ ସେହି ଗୁମରଟିକୁ ଜାଣିବ, ତାହାହିଁ ହେବ । ସେହି ପ୍ରକ୍ରିୟାଟିର ଅନ୍ୟନାମ ହେଉଛି ଜୀବନର ତପସ୍ୟା । ତପସ୍ୟାର ସେହି ମାର୍ଗରେ କୌଣସି ମନୁଷ୍ୟ କଦାପି ନିଃସଙ୍ଗ ନୁହେଁ । କାରଣ, ମଣିଷ ଭିତରେ ଯିଏ ତା’ର ଅନନ୍ୟ ଭାବସମୂହଟିର ରୋପଣ କରି ରଖିଛି, ସେହି ତା’ ଭିତରେ ତା’ର ପରମସଙ୍ଗୀ ହୋଇ ରହିଛି । ସେହି ପରମସଙ୍ଗୀ ସହିତ ଖିଅ ଲଗାଇ ରହିଥିଲେ ଅର୍ଥାତ୍ ତା’ର ଇଙ୍ଗିତ ଗୁଡ଼ିକୁ ବୁଝି ପାରୁଥିଲେ ପ୍ରତ୍ୟେକ ମନୁଷ୍ୟ ତାର ସ୍ୱଭାବକୁ ମଧ୍ୟ ଆବିଷ୍କାର କରିବ, ସ୍ୱଭାବ ଅନୁସାରେ ସ୍ୱଧର୍ମଟିକୁ ମଧ୍ୟ ଠଉରାଇ ନେଇ ପାରିବ । ଏହିପରି ଭାବରେ ସ୍ୱଭାବ ଓ ସ୍ୱଧର୍ମ ଉଭୟକୁ ଠଉରାଇ ନେଇ ପାରିଲେ ମଣିଷ ବାହାରେ ଓ ଭିତରେ ସତକୁ ସତ ଥଳଟିଏ ପାଇବ, ଯଥାର୍ଥ ପ୍ରତ୍ୟୟଟିକୁ ପାଇଯିବ–ଭିତରେ ଥିବା ସଂଗୀଟିର ପରିଚୟ ପାଇଥିବାରୁ ବାହାରଟା ମଧ୍ୟ ତାଙ୍କୁ ସଙ୍ଗୀ ଭଳି ଦିଶୁଥିବ । ମଣିଷକୁ ସେତିକିବେଳେ ହିଁ ଯଥାର୍ଥରେ ଆସ୍ତିକ ବୋଲି କୁହାଯାଇ ପାରିବ ।

 

ଗୋଟାଏ କାଟର ବ୍ୟକ୍ତିମାନେ ଖାଲି ଖାପ ଖାଇଯିବାକୁ ଚେଷ୍ଟା କରୁଥାନ୍ତି । ସେମାନଙ୍କୁ ଖାଲି ଖାପ ଖାଇଯାଇ ସଫଳ ହେବାର ନିଶା ଘାରିଥିବାରୁ ସେମାନେ ଭିତରେ ଆପଣାର ଅସଲ କେନ୍ଦ୍ରଟି ପାଖରେ ବିଫଳ ହେବାରେ ଲାଗିଥାନ୍ତି । ସେମାନେ ସେହି ବିଫଳତାକୁ ଶ୍ରୁତିମଧୁର ନାମଟିଏ ଦେଇ ନିଃସଙ୍ଗତା ବୋଲି କହନ୍ତି । ମନୋବିଜ୍ଞାନରେ ଏମାନଙ୍କୁ coping personality ବୋଲି କୁହାଯାଇଛି । ଏକାବେଳକେ ଅନ୍ୟପଟରେ ହେଉଛି Creative personality ବା ସୃଜନକାରୀ ବ୍ୟକ୍ତି । ସୃଜନଶୀଳ ବ୍ୟକ୍ତି ଆପଣାକୁ ନେଇ ତପସ୍ୟା ଦ୍ୱାରା, ସମର୍ପଣ ଦ୍ୱାରା ଅତ୍ୟନ୍ତ ସମ୍ମତ ଭାବରେ ସତତ କିଛି ହେଉଥିବା ବ୍ୟକ୍ତି । ଏହି ବ୍ୟକ୍ତି କଦାପି ନିଃସଙ୍ଗ ହୁଏନାହିଁ । କଦାପି ଖିଅ ଛିଣ୍ଡାଏ ନାହିଁ । ଅଭିଯୋଗ କରେନାହିଁ, ଭୋଜନ କରେ ନାହିଁ । ଜୀବନର ପରମସଙ୍ଗୀଟିର ନିର୍ଦ୍ଦେଶ ଅନୁସାରେ ଖୁସି ହୋଇ ବାଟ ଚାଲିବାକୁ ଜୀବନର ପରମ ଗୌରବ ବୋଲି ମନେକରେ । ପ୍ରତିକୂଳ ପରିସ୍ଥିତି ଦେଖି ମୋଟେ ରୁଷେ ନାହିଁ । ସେ ପ୍ରତିକୂଳ ପରିସ୍ଥିତିକୁ ବଦଳାଏ । ପ୍ରତିକୂଳ ସମାଜକୁ ବଦଳାଇ ନୂଆ କରି ତିଆରି କରେ । ଅର୍ଥାତ୍ ଜୀବନର ସମଗ୍ର ଅଭିମୁଖ୍ୟ ବା ସମଗ୍ର ବ୍ୟାକୁଳତାଟିକୁ ସୃଜନଶୀଳ କରିପାରିଲେ ନିଃସଙ୍ଗତା କଟେ । ଅସଲ ଥାନରେ ସେହି ସମ୍ମତିଟି ନଥିଲେ ବିବିଧ ଆଳ ଓ ବିବିଧ ଦେଶ ଧରି ନିଃସଙ୍ଗତା ଆସି ହାବୁଡ଼େ । ମଣିଷକୁ ଗୋଟାସୁଦ୍ଧା ଗିଳିପକାଏ । ମଣିଷ ନିଜ ଭିତରେ ସତେଅବା କୌଣସି ବିଟ ପାଖରେ ବିକି ହୋଇଯାଏ ।

 

ଏହି ସୃଜନାତ୍ମକତା ମଣିଷମାତ୍ରକେ ପ୍ରତ୍ୟେକଠାରେ ରହିଛି । ତେଣୁ, ଆମେ ନିଜେ ହିଁ ନାନା କାରଣରୁ ଅର୍ଥାତ୍ ନାନା ଅନ୍ୟ ଲୋଭରେ ପଡ଼ି ଆମର ଅସଲ ସମ୍ଭାବନା ଓ ଅସଲ ପ୍ରସ୍ଫୁଟନଟିର କବାଟ କିଳି ରଖିଥାଉ । ହାଉଆକୁ ଡରୁ, ଅନ୍ୟମାନଙ୍କ ଭଳି ନ ଦିଶିବାକୁ ଡରୁ, ଆପଣା ଭିତରକୁ ସିଧା ହୋଇ ଅନାଇବାକୁ ଡରୁ । ଜାଣିଶୁଣି ନିଜକୁ ବାସଚ୍ୟୁତ କରି ରଖିଥିବା ବ୍ୟକ୍ତିମାନେ ବାସକୁ ଫେରି ଆସିବାକୁ ଡରନ୍ତି ଏବଂ ସର୍ବୋପରି ଯେଉଁମାନେ Alienation ବା ନିଃସଙ୍ଗତାର ଗୁଣପ୍ରତିଷ୍ଠା ଗୁଡ଼ାକୁ ଗାଇବାରେ ହିଁ ଆପଣାର ସୃଜନାତ୍ମକ ପ୍ରତିଭାଗୁଡ଼ାକୁ ଖଟାଇବାରେ ଲାଗିଥାନ୍ତି ଓ ସେଇଥିରୁ ସବୁଠାରୁ ଅଧିକ ଆନନ୍ଦ ଆହରଣ କରୁଥାନ୍ତି, ସେମାନଙ୍କୁ ଆମେ ପ୍ରକୃତରେ କ’ଣ ବୋଲି କହିବା ? ଉପନିଷଦରେ ପ୍ରାୟ ଏହିପରି କାଟର ଲୋକଙ୍କୁ ‘ଆତ୍ମହନୋ ଜନାଃ’ ବୋଲି କୁହାଯାଇଛି । (୧୬ । ୧୧ । ୮୮)

 

(୬୬)

 

ଆପଣାର ଦୁଃଖକୁ ଏଡ଼େବଡ଼ କରି ତାକୁ ଏଡ଼େଟିକିଏ ଏକ ବ୍ୟକ୍ତିଗତ ଜୀବନର ଜ୍ଵାଳାୟତନ ଭିତରେ ରୁନ୍ଧିକରି ରଖିବାକୁ ଶ୍ରଦ୍ଧା କରୁଥିବା ପର୍ଯ୍ୟନ୍ତ ଦୁଃଖ ମଣିଷଙ୍କୁ ଖାଇଯାଏ । ଉଜ୍ଜ୍ୱଳ କରେନାହିଁ, ଦହି ପକାଏ । ଗଣ୍ଠିଗୁଡ଼ାକୁ ଆହୁରି ଚଉକଷ କରି ପକାଇ ଦିଏ ଏବଂ ଅଣ ନିଃଶ୍ଵାସୀ କରିପକାଏ ଏବଂ ଅଣନିଃଶ୍ଵାସୀ ମଣିଷ ନିଃସଙ୍ଗ ହେବନାହିଁ ତ ଆଉ କ’ଣ ହେବ ?

 

ଆପଣାର ଦୁଃଖକୁ ନେଇ ସିଝି ହେଉଥିବା ଆମେ ପ୍ରାୟ ପ୍ରତ୍ୟେକ ମଣିଷ ଏହି ସଂସାରରେ ଆହୁରି ଅନେକ ମଣିଷଙ୍କର ଦୁଃଖର କାରଣ ହୋଇ ରହିଛୁ । ଆମେ ଯେ କେବଳ ତଥାକଥିତ ନିଜ ଦୁଃଖଗୁଡ଼ାକୁ ଏଡ଼େ ବଡ଼ କରି ଦେଖିଛୁ ତାହାହିଁ ପରୋକ୍ଷ ଭାବରେ ପ୍ରମାଣ କରି ଦେଉଛି ଯେ, ଆମେ ପ୍ରତ୍ୟେକେ ଆହୁରି ବହୁ ମନୁଷ୍ୟଙ୍କର ଦୁଃଖର କାରଣ ହୋଇ ରହିଛୁ । ଆମେ ଏହି ପୃଥିବୀରେ କେବଳ ଏକୁଟିଆ ରହିବାକୁ ଇଚ୍ଛା କରୁଛୁ, ବଡ଼ତି କହିଲେ କେବଳ ଆପଣାର ବଡ଼ତିଗୁଡ଼ାକୁ ବୁଝୁଛି, ଐଶ୍ଵର୍ଯ୍ୟ କହିଲେ କେବଳ ଆପଣାର ଐଶ୍ୱର୍ଯ୍ୟଗୁଡ଼ାକୁ ଦେଖୁଛୁ । ଆମର ଯଶଃକାମନା ଗୁଡ଼ାକ ସତେ ଯେପରି ଆହୁରି ଅନେକ ମଣିଷଙ୍କର ଅତ୍ୟନ୍ତ ଅଧସ୍ତନ ଓ ଅତ୍ୟନ୍ତ ହୀନମାନ ହୋଇ ରହିବା ଉପରେ ତିଷ୍ଠି କରି ରହିଛି । ଏହି ପୃଥିବୀରେ ସମସ୍ତଙ୍କର ଉଦରଭରଣ ଲାଗି ଯଥେଷ୍ଟ ଅନ୍ନ ନାହିଁ ବୋଲି କ’ଣ ପୃଥିବୀର କୋଟି କୋଟି ମଣିଷ ଅନ୍ନଭାବ ଭିତରେ ରହିଛନ୍ତି ? ଏହି ପୃଥିବୀରେ ମଣିଷମାତ୍ରକେ ସମସ୍ତଙ୍କର ଜୀବନକୁ ଔଜ୍ଜ୍ୱଲ୍ୟ ଆଣି ଦେବାଲାଗି ଯଥେଷ୍ଟ ଜ୍ଞାନ ନାହିଁ ବୋଲି କ’ଣ ଏଠାରେ କୋଟି କୋଟି ମନୁଷ୍ୟ ଅନ୍ଧାର ଭିତରେ ରହିଛନ୍ତି ? ଯଥେଷ୍ଟ ଔଷଧ ନାହିଁ ବୋଲି କ’ଣ ସେମାନେ ରୋଗରେ ସଢ଼ୁଛନ୍ତି ? ବିଜ୍ଞାନ ନାହିଁ ବୋଲି କ’ଣ ସେମାନେ ଏବେ ମଧ୍ୟ ସତେ ଅବା କେଉଁ ବର୍ବର ଯୁଗର ଘଣା ଭିତରେ ପଡ଼ିଥିବା ପରି ସ୍ଥୂଳ ଜୀବନର ସାମାନ୍ୟ ସୁଯୋଗଗୁଡ଼ିକରୁ ବଞ୍ଚିତ ହୋଇ ରହିଛନ୍ତି ଓ ନାନା ପ୍ରବଞ୍ଚନା ମଧ୍ୟରେ ଘୋଷାରି ହେବାରେ ଲାଗିଛନ୍ତି ? ଭଲ ପାଇବା ବିଷୟରେ ଏତେ ଉପଦେଶ ଦିଆଯାଉଛି, ଏତେ ବହି ଲେଖାଯାଇଛି; ତଥାପି ଘୃଣାଟା ହିଁ ଚତୁର୍ଦ୍ଦିଗରେ ଆମ ସମ୍ବନ୍ଧଗୁଡ଼ାକ ଉପରେ ମାଡ଼ି ବସିରହିଛି କିପରି ? ପୃଥିବୀରେ ଏତେ ଭୟ ରହିଛି କିପରି ଓ ସେହି ବହୁ ଭୟଜନିତ ଖଳତାଗୁଡ଼ାକ ଦ୍ଵାରା ଆମର ଯାବତୀୟ ନୀତି ତଥା ରାଜନୀତି ଏଭଳି ଶୋଚନୀୟ ଭାବରେ ଦୂଷିତ ହୋଇ ପଡୁଛି କିପରି ? ମଣିଷମାନେ ଶାନ୍ତି ଚାହୁଁ ଥିଲେ ମଧ୍ୟ ବହୁବିଧ ଯୁଦ୍ଧ ହିଁ ଆମର ସାନବଡ଼ ଯାବତୀୟ ପାରସ୍ପରିକତାକୁ ଏଭଳି ଭାବେ ଦୂଷିତ କରି ରଖିଛି କାହିଁକି ? ଧର୍ମଗୁଡ଼ାକ ବାଘ ପରି ହୁଙ୍କାର ଦେବାରେ ଲାଗିଛନ୍ତି, ତଥାପି ଏହି ପୃଥିବୀ ଭଗବତ୍‍ବର୍ଜିତ ହୋଇ ରହିଥିବା ପରି ମନେ ହେଉଛି କାହିଁକି ?

 

ଏହାର ବହୁ କାରଣ ରହିଛି । ବୁଦ୍ଧିମାନ୍ ମଣିଷମାନେ ଏହାର ନୈତିକ, ରାଜନୀତିକ, ସାମାଜିକ ବା ସାମୂହିକ ନାନା କାରଣ ରହିଛି ବୋଲି କହିବେ । ବୈଜ୍ଞାନିକମାନେ ଭଳି ଭଳି ବହି ଲେଖି ପ୍ରସଙ୍ଗଟିକୁ ଆମ ଆଗରେ କେଡ଼େ ତନ୍ନ ତନ୍ନ କରି ବ୍ୟାଖ୍ୟା କରିଦେବେ ଓ ତା’ପରେ ନିକମା ହୋଇ ବସିଯିବେ । ସେହିସବୁ ବିଶ୍ଳେଷଣ ପ୍ରତ୍ୟହ ହେଉଛି । ମାତ୍ର ଯଥାର୍ଥ ଅବଲୋକନ କେତେ କମ୍‍ ହେଉଛି ! ଖାଲି ବୁଦ୍ଧି ଦେଇ ଅବଲୋକନ ନୁହେଁ, ଖାଲି କଥା ଦେଇ ଅବଲୋକନ ନୁହେଁ, ଖାଲି ପଢ଼ାପଢ଼ି ଗୁଡ଼ିକର ମାଧ୍ୟମରେ ଅବଲୋକନ ନୁହେଁ କିମ୍ବା ଖାଲି ଚାଲାଖି ରାଜନୀତିର ଅବଲୋକନ ନୁହେଁ,–ହୃଦୟ ଦେଇ ଅବଲୋକନ କେତେ କମ୍‍ ହେଉଛି ! ଅବଲୋକନ ମଧ୍ୟରେ ଉପେକ୍ଷା ରହିଥିଲା ତାହା ଅବଲୋକନ ନୁହେଁ, ତାହା ହେଉଛି ଅବଜ୍ଞା । ଯଶୋଲିପ୍‍ସୁ ଆତ୍ମକାମୀମାନେ ଅବଲୋକନ କରି ପାରନ୍ତି ନାହିଁ । ସେମାନେ କେବଳ ଅବଜ୍ଞା କରନ୍ତି । ତେଣୁ ନିଃସଙ୍ଗ ହୋଇ ରହିଥାନ୍ତି । ନିଃସଙ୍ଗ ହୋଇଗଲୁ ବୋଲି କେଡ଼େ ଗର୍ବର ସହିତ କହୁଥାନ୍ତି । ଶ୍ରଦ୍ଧାର ଅନ୍ୟନାମ ହେଉଛି ଅଙ୍ଗୀକାରବଦ୍ଧତା ।

 

ମଣିଷମାନେ ଯେତେବେଳେ ଆପଣାକୁ ରମଣ କରିବେ ବୋଲି ସତେ ଅବା କନ୍ଦର୍ପ ହୋଇ ବାହାରନ୍ତି, ସାହିତ୍ୟରେ ବାହାରନ୍ତି, ରାଜନୀତିରେ ବାହାରନ୍ତି, ଦେଶସେବାରେ ବାହାରନ୍ତି, ସେତେବେଳେ ସେମାନେ ଆଦୌ କେଉଁଠି ଅଙ୍ଗୀକାରବଦ୍ଧ ହୋଇ ରହିନଥାନ୍ତି, ଅତ୍ୟନ୍ତ ଅସହଜ ଭାବରେ କେବଳ ନିଜ ସହିତ ରତିମଗ୍ନ ହୋଇ ରହିଥାଆନ୍ତି । ଏହିଭଳି ରତିମଗ୍ନ ମଣିଷମାନେ ଆଜି ପୃଥିବୀରେ ଆମର ପ୍ରାୟ ଯାବତୀୟ ଆସ୍ଥାନକୁ ଅଧିକାର କରି ବସିଛନ୍ତି । ନିଃସଙ୍ଗ ମଣିଷମାନେ ସଚରାଚର କ୍ଷମତାଲିପ୍‍ସୁ ହୁଅନ୍ତି ଅଥବା କ୍ଷମତାଲିପ୍‍ସୁମାନେ ନିଃସଙ୍ଗ ହୋଇ ରହିବାକୁ ବାଧ୍ୟ ହୁଅନ୍ତି, କେଉଁ ବୈଜ୍ଞାନିକ ସେହି କଥାଟିକୁ ନିର୍ଦ୍ଦିଷ୍ଟ କରି କହିଦେଇ ପାରିବ ? ମାତ୍ର ଏକଥା ଏକାନ୍ତ ସତ୍ୟ ଯେ, ତୁମର ସାହିତ୍ୟ, ସେବା, ସଂସ୍କୃତି, ନୀତି ଓ ରାଜନୀତିରେ ମଧ୍ୟରେ ତୁମେ ଯଦି ଏସବୁକୁ ମୂଳତଃ କିଛି ନଚାହିଁ କେବଳ ନିଜକୁ ଚାହୁଁ ଥିବ, ଜୀବନର ନାନାବିଧ ଅନୁଧାବନରେ ଯଦି ତୁମେ ନିଜେ ସବାବଡ଼ ଟିଙ୍କଟିଏ ହୋଇ ଏହି ସବୁକିଛିକୁ କାମୁଡ଼ି ରହିଥିବ, ତେବେ ତୁମକୁ ନିଃସଙ୍ଗ ହେବାକୁ ହିଁ ପଡ଼ିବ । ଆପଣାର ଦୁଃଖଟାକୁ ଏଡ଼େବଡ଼ କରି ଫୁଲାଇ ଯାବତୀୟ ଧନ୍ଦାରେ ତୁମେ କନ୍ଦର୍ପ ପରି ଦେଖା ଯାଉଥିବ ସତ, ତଥାପି ନିଃସଙ୍ଗ ହୋଇ ରହିଥିବ । ସତେ ଅବା ନିଃସଙ୍ଗତାକୁ ବରଣ କରି ରଖିବାରେ ଭାରି ସୁଖ ପାଉଥିବ ଏବଂ ବିଳାପ କରୁଥିବ । ତେଣେ, ସଂସାରରେ ଦୁଃଖ ବଢ଼ୁଥିବ, ଘୃଣା ବଢ଼ୁଥିବ, ଉପେକ୍ଷାମାନେ ବଢ଼ୁଥିବେ । ଭୟ ବି ବଢ଼ୁଥିବ । ମଣିଷମାନେ ପରସ୍ପରର ବୈରୀ ହୋଇ ରହିଥିବେ । ମଣିଷର ଅସଲ ବଳଟି ତା’ ପାଖରେ ନ ଥିବାରୁ ତା’ର ସଂଗୃହୀତ ଅନ୍ୟାନ୍ୟ ଯାବତୀୟ ବଳ ସତ୍ତ୍ଵେ ସେ ଭାରି ଅସୁନ୍ଦର ହୋଇ ରହିଥିବ–ଏକ ଆରେକୁ ବଞ୍ଚିତ କରି ରହିଥିବେ–ଏକ ଆରେକୁ ବଞ୍ଚିତ କରି ରଖିବାରେ ପ୍ରତିଦ୍ଵନ୍ଦ୍ୱିତା କରିବାରେ ଲାଗିଥିବେ । ତେଣୁ ସମସ୍ତେ ବଞ୍ଚିତ ହୋଇ ରହିଥିବେ । ଦିହ ଘଷାଘଷି ହୋଇ ବସିଥିବେ, ତଥାପି ପରସ୍ପରଠାରୁ ଦୂର ହୋଇ ରହିଥିବେ । ପୃଥିବୀକୁ ନିନ୍ଦୁଥିବେ, କାଳକୁ ନିନ୍ଦୁଥିବେ-। ଅଭିଯୋଗ କରିବାରେ ଲାଗିଥିବେ । ନିଃସଙ୍ଗତାର କୀର୍ତ୍ତନ କରୁଥିବେ ।

 

ମଣିଷର ସେହି ଅସଲ ବଳଟି କ’ଣ ? ତା’ର ଦୁଃଖ–ଅପନୋଦନର ଅସଲ ଉପାୟଟି କ’ଣ ? ଆପଣାର ତଥାକଥିତ ଦୁଃଖଗୁଡ଼ାକୁ ତାଳ କରି ଦେଖୁଥିବା ପର୍ଯ୍ୟନ୍ତ ଆମର ଦୁଃଖ କେବେ ଯିବନାହିଁ ବା ଆମେ ତଜ୍ଜନିତ ଅତି ଆର୍ତ୍ତତାର ବାଡ଼ଗୁଡ଼ାକୁ ମଧ୍ୟ କଦାପି ପାଇ ହୋଇ ପାରିବା ନାହିଁ । ଆପଣାକୁ ପ୍ରସାରିତ କରିଦେଇ ପାରିଲେ ଯାଇ ଆମେ ସେହି ଦୁଃଖକୁ ପାରି ହୋଇ ପାରିବା । ଆପଣାକୁ ପ୍ରସାରିତ କରିଦେବାର ଅର୍ଥ ହେଉଛି ସମ୍ବେଦନଶୀଳ ହୋଇପାରିବା । ଆପଣାର ସକଳ ବେଦନାକୁ ପାହାଡ଼ କରି ନିଜର ମୁଣ୍ଡ ଉପରେ ବୋହିବାର ଅସୁସ୍ଥ ଅଭ୍ୟାସଟିକୁ ଛାଡ଼ିଦେବା । ଅର୍ଥାତ୍ ଆପଣାର ଦୁଃଖରେ ଜୁଡ଼ୁବୁଡ଼ୁ ହୋଇ ବସିବା ପୂର୍ବରୁ ଅନ୍ୟମାନଙ୍କର ଦୁଃଖକୁ ଆଗ ଦେଖିବା, ଆପଣାର ଦୁଃଖକୁ ଆଗ ନ ଜାଣି ଅନ୍ୟମାନଙ୍କର ଦୁଃଖକୁ ଆଗ ଜାଣିବା । ତେବେଯାଇ ଆମର ନିଜ ଦୁଃଖଜନିତ ଯାବତୀୟ ଅହଙ୍କାରର ଅପନୋଦନ ସମ୍ଭବ ହୋଇପାରିବ-। ଏଠାରେ ଦୟାଳୁ ହେବାର କଥା ମୋଟେ କୁହାଯାଉ ନାହିଁ । ଦୟାଳୁ ମଣିଷ ଆମ ସଂସାରରେ ବହୁସଂଖ୍ୟାରେ ରହିଛନ୍ତି । ଦୟାଳୁ ଲୋକମାନେ ସଂଖ୍ୟାରେ ବଢ଼ୁ ଛନ୍ତି ବୋଲି ହୁଏତ ଦୁଃଖ ମଧ୍ୟ ବଢ଼ୁଛି । ଦୟାଳୁ ମଣିଷମାନେ ସମ୍ଭବତଃ ସଂସାରରେ ଦୁଃଖ ବଢ଼ୁ ଏବଂ ତଦ୍ଦ୍ୱାରା ସେମାନଙ୍କୁ ଦୟାଳୁ ହେବାର ଏକ ପ୍ରଶସ୍ତ କ୍ଷେତ୍ର ସର୍ବଦା ମିଳୁଥାଉ ବୋଲି ଭାରି ମନ କରୁଥାନ୍ତି । ତେଣୁ ଦୟାଳୁପଣ ପଛରେ ଏକ ଉପେକ୍ଷା ପ୍ରାୟ ସର୍ବତ୍ର ଅତ୍ୟନ୍ତ ଅସଚେତ ଭାବରେ ଲୁଚି ରହିଥାଏ । ସଂବେଦନଶୀଳତା ହେଉଛି ଏକ ଅନ୍ୟ ଭୂମିର କଥା, ଏକ ଅନ୍ୟ ଭୂମିରେ ଅତ୍ୟନ୍ତ ସଚେତନ ଭାବରେ ଜୀବନ ବଞ୍ଚିବାର ଆହ୍ଵାନ । ଆପେ ଆପଣାଟାକୁ ହିଁ ସବାଆଗ ନ ଦେଖି ସମସ୍ତଙ୍କର ମେଳରେ ଆପଣାକୁ ଦେଖିପାରିଲେ ଏବଂ ଯେଉଁଭଳି ଏକ ବ୍ୟବସ୍ଥା ଦ୍ଵାରା ପୃଥିବୀରେ ଅଧିକାଂଶ ମନୁଷ୍ୟ ମଧ୍ୟ ଆଗ ଆପଣାକୁ ନ ଦେଖି ସମସ୍ତଙ୍କ ମେଳରେ ହିଁ ଆପଣାକୁ ଏକତ୍ର ମିଳାଇ ଦେଖିପାରିବେ ଓ ପରସ୍ପର ସହିତ ଅଙ୍ଗୀକାରବଦ୍ଧ ହୋଇ ରହିପାରିବେ, ପୃଥିବୀରେ ସେହିଭଳି ଏକ ବ୍ୟବସ୍ଥାକୁ ସତକୁ ସତ ସମ୍ଭବ କରି ଆଣିବା ଲାଗି ଆପଣାର ଜୀବନକୁ ଅନୁରୂପ ଭାଵରେ ବଞ୍ଚିବା ଓ ସଜାଡ଼ି ଆଣିବା,–ତାହାହିଁ ସମ୍ବେଦନଶୀଳତା, ତାହାହିଁ ଯଥାର୍ଥ ଆତ୍ମୀୟତା । ତାହାକୁ ଆମେ ମନ କଲେ ଆଧ୍ୟାତ୍ମିକତା ବୋଲି ମଧ୍ୟ କହିପାରିବା । ଆଧ୍ୟାତ୍ମିକତା କହିଲେ କେବଳ ଏକ ବିଚାରକୁ ବୁଝାଏ ନାହିଁ, ଜୀବନରେ ସତକୁ ସତ ଏକ ଗ୍ରହଣ କରାଯାଇଥିବା ଏକ ନିଷ୍ପତ୍ତିକୁ ବୁଝାଏ-। ମୁଁ ଆପଣାକୁ ମୋ’ର ଦୁଃଖରେ ମୋର ସୁଖରେ, ମୋର ସ୍ଵପ୍ନଗୁଡ଼ିକରେ ଅଥବା ମୋର ଔଜ୍ଜ୍ଵଲ୍ୟଗୁଡ଼ିକରେ ଆପଣାକୁ ମୋଟେ ବିଚ୍ଛିନ୍ନ ବୋଲି ଭାବିବି ନାହିଁ, ମୋର ଏହି ସଂସାରଟିକୁ ମୁଁ ମୋଟେ ଗୋଟାସୁଦ୍ଧା ଏକୁଟିଆ ଭୋଗ କରିବାକୁ ମନ କରିବି ନାହିଁ; ମୁଁ ସମସ୍ତଙ୍କୁ ଭାଗ ଦେବି,–ମୋ’ ଅନୁଭୂତିରେ ଭାଗ ଦେବି, ମୋ’ର ଯାବତୀୟ ଆକାଙ୍‍କ୍ଷାରେ ଭାଗ ଦେବି, ଆମ ସମସ୍ତଙ୍କୁ ଏକତ୍ର ବାନ୍ଧି ରଖିଥିବା ସୂତ୍ରଟିକୁ ହିଁ ସବାମୂଳ ସତ୍ୟ ରୂପେ ସ୍ଵୀକାର କରିବି ଓ ଏଠାରେ ସଂପୃକ୍ତ ସମସ୍ତଙ୍କର ସୁହୃତ୍‍ରୂପେ ସୋପାନନୁ ସୋପାନ ବାଟ ଚାଲୁଥିବି,–ତାହାହିଁ ଆଧ୍ୟାତ୍ମିକତା । ଜୀବନ ବଞ୍ଚିବାରେ ଏହି ସ୍ଵାଭାବିକ ସଂଲନ୍ନତା ଅର୍ଥାତ୍‍ ସ୍ୱାଭାବିକ ପ୍ରୀତିର ଆୟାମଟି ଯୋଡ଼ା ହୋଇପାରିଲେ ଜୀବନ ଏକ ଆଧ୍ୟାତ୍ମିକ ଜୀବନରେ ପରିଣତ ହୁଏ, ସେହି ସୋପାନରେ ମୋ’ର ବୋଲି କହିଲେ ଏକାବେଳେକେ ସମସ୍ତଙ୍କୁ ବୁଝାଏ । ଚେତନା ସେତେବେଳେ ଏକାବେଳେକେ ସମସ୍ତଙ୍କୁ ଦେଖିପାରେ ।

 

ମଣିଷ ଲାଗି ଏକଥା ମୋଟେ ଅସାଧ୍ୟ ନୁହେଁ । ମଣିଷ ମନ ନକଲେ ଅସାଧ୍ୟ, ମନ କଲେ ଅବଶ୍ୟ ସାଧ୍ୟ । ମଣିଷ ହୁଏତ ଜନ୍ମ ହେବା ମାତ୍ରକେ ହିଁ ଅଧିକକୁ ମନ କରିଥିଲା, ତାହାରି ବଳରେ ହିଁ ସିଏ ଅଧିକ ପାଇଁ ଯୋଗ୍ୟ ହେଲା ଓ ଅସାଧ୍ୟକୁ ସାଧ୍ୟ କଲା । ସଭ୍ୟ ହେଲା । ସାଧ୍ୟ ସୀମାର, ବାସନାସୀମାର ଏବଂ ଶ୍ରଦ୍ଧାସୀମାର ଏହି ଅବିରାମ ବିଶ୍ଵାସଯୁକ୍ତ ପ୍ରସାରଣ,–ତାହାହିଁ ମନୁଷ୍ୟ ସଭ୍ୟତାର ପ୍ରଧାନତମ ସନ୍ତକ, ପ୍ରଧାନତମ ରହସ୍ୟ । ସେହି ରହସ୍ୟର ଉଦ୍‍ଘାଟନ ଏବେ ମଧ୍ୟ ଚାଲିଛି । ଭୁମା ପରେ ଭୁମା ଉଦ୍‍ଘାଟିତ, ଆବିଷୃତ ହେବାରେ ଲାଗିଛି । ଏହି ଭୁମାରେ ଅନ୍ତ ନାହିଁ । ଷଡ଼ଯନ୍ତ୍ରକାରୀମାନେ କେତେ ନୂଆ ନୂଆ ଚାରୁତାରେ ମଣିଷକୁ ଏଇଠି କୋଉଠି ଅଟକି ଯିବାଲାଗି ପ୍ରରୋଚିତ କରୁଛନ୍ତି, ତାଙ୍କୁ ମିଛ ଭୟ ଦେଖାଉଛନ୍ତି–ଆପଣା ଭିତରକୁ ଆଉ ମୋଟେ ଅଧିକ ଦୂର ଯାଏ ନଯିବା ଲାଗି ପ୍ରବର୍ତ୍ତାଉଛନ୍ତି, ବିରାଟ ଆକାଶକୁ ମନ କଲେ ଆକାଶ ତାକୁ ଗୋଟାସୁଦ୍ଧା ଗିଳି ପକାଇବ ବୋଲି ସତର୍କବାଣୀ ଶୁଣାଉଛନ୍ତି । ମଣିଷ ବେଳେ ବେଳେ ମାନିଯାଉଛି । ନିଃସଙ୍ଗ ହୋଇ ରହୁଛି । ଜୀବନରେ ଅସଲ ସଙ୍ଗୀଟିର ସାହଚର୍ଯ୍ୟକୁ ସେ ହରାଇ ବସୁଛି । ତଥାପି ସବୁ ମଣିଷ କଦାପି ସେପରି ମାନି ନେବେ ନାହିଁ । ସେମାନେ ବିଶ୍ଵାସ ଦ୍ଵାରା ଯାବତୀୟ ଅଳ୍ପତା ଏବଂ ଯାବତୀୟ ଅସାଧ୍ୟତାକୁ କାଟି କାଟି ଆଗକୁ ଯିବେ । ଅସଲ ସୂତ୍ରଗୁଡ଼ିକୁ ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରିବେ, ଖୁସି ହୋଇ ବାଟ ଚାଲିବେ । ସେମାନେ ନିମିତ୍ତ ହେବେ, ବିହନ ହେବେ । (୨୩ । ୧୧ । ୮୮)

Image